ଗଳ୍ପ

ଆକାଶ ଦିନେ ନୀଳ ଥିଲା

Gaurahari Das's odia story Aakaasha Dine Nila Thilaa

ଏ ଦେଶ ବର୍ତ୍ତମାନ ଦି’ଭାଗରେ ବିଭକ୍ତ । ସରକାର ଏବଂ ସ୍ୱେଚ୍ଛାସେବୀ । ମଝିରେ ନାଗରିକ ବୋଲି ଗୋଟିଏ ବର୍ଗ ରହିବା କଥା । ମାତ୍ର ତାହାର ସ୍ଥିତି ଅଛି, ବିସ୍ତୃତି ନାହିଁ ।

ଆକାଶ ଦିନେ ନୀଳ ଥିଲା

ଏତେଦିନ ପରେ ସିରାଜ୍‌କୁ ଦେଖି ଟୁଟୁଲ ଖୁସି ହେଲା । ସିଏ ତା’ ବାପା ପଛରେ ଛିଡ଼ା ହୋଇଥିଲା । ସିରାଜ୍ ବେଶ୍ ଡେଙ୍ଗା ହୋଇଯାଇଥିଲା ଓ ତା’ ନାକତଳେ ନିଶ ଗଜୁରି ଆସିଥିଲା । ସିରାଜ୍‌ର ବାପା “ବଟରଫ୍ଲାଇ ମଲ୍”ର ଦରୱାନ୍ ଆଗରେ ହାତଯୋଡ଼ି କ’ଣ କହୁଥିଲେ । ଟୁଟୁଲ୍ କାନ ଡେରିଲା । ସିରାଜ୍‌ର ବାପା କହୁଥିଲେ, “ମୋତେ ଖାଲି ଟିକିଏ ବାବୁଙ୍କ ସାଙ୍ଗରେ ଦେଖା କରେଇ ଦିଅ । ମୁଁ ତାଙ୍କୁ ମୋ କଥା କହିବି । ତେଣିକି ସିଏ ଶୁଣିଲେ ଭଲ କଥା, ନ ହେଲେ ମୋ ଭାଗ୍ୟ ନେଇ ଯୁଆଡ଼େ ଯିବାର ଯିବି ।”

ଗାଢ଼ ବାଇଗଣୀ ରଙ୍ଗର ଜାମା, କଳା ରଙ୍ଗର ପ୍ୟାଣ୍ଟ୍, କଳା ଜୋତା ଓ କଳା ଟୋପି ପିନ୍ଧା ଦରୱାନ୍ଟି ସିରାଜ୍ ବାପାଙ୍କ କଥା ଶୁଣିବା ଲାଗି ପ୍ରସ୍ତୁତ ନ ଥିଲା । ସେ କହୁଥିଲା, “ଏମିତି ଜି.ଏମ୍.ଙ୍କ ସହ ଦେଖାହୁଏ ନାହିଁ । ଆପଏଣ୍ଟ୍‌ମେଣ୍ଟ୍ ଦରକାର । ଏବେ ଯାଅ, ମୋତେ ମୋ କାମ କରିବାକୁ ଦିଅ ।”

ସିରାଜ୍ ତା’ ବାପା ପଛରେ ଛିଡ଼ା ହୋଇ ଇଆଡ଼େ ସିଆଡ଼େ ଅନଉଥିଲା । ସେ ଡେଙ୍ଗା ଦିଶୁଥିଲେ ବି ପୂର୍ବ ଅପେକ୍ଷା ଅଧିକ ଦୁର୍ବଳ ଦିଶୁଥିଲା । ସେ ଗୋଟେ ନାଲିଜାମା ଓ କଳା ଟ୍ରାଉଜର ପିନ୍ଧିଥିଲା । ଟୁଟୁଲ ତା’ ପାଖକୁ ଯାଇ ତାକୁ ଟିକିଏ ଠେଲି ଦେଲା ଓ ପଚାରିଲା, “ହେ ସିରାଜ୍, ଏଠି କ’ଣ କରୁଛୁ ?”

ସିରାଜ୍ ତାକୁ ଅନେଇ ଆଶ୍ଚର୍ଯ୍ୟ ହେଲା ଓ ହସିଲା । କିନ୍ତୁ ସେ ହସରେ ଜୀବନ ନ ଥିଲା । ସେ ବୋଧହୁଏ ଚାହୁଁ ନଥିଲା ଯେ ଟୁଟୁଲ୍ ତାକୁ ଏଭଳି ପରିସ୍ଥିତିରେ ଦେଖୁ । ଖାଲି କହିଲା, ବାପା ସାଙ୍ଗରେ ଆସିଥିଲି । ଏବେ ଚାଲିଯିବି । ତୁମେ କେମିତି ଅଛ ?

: ଭଲ । ମୁଁ ହାଇଦ୍ରାବାଦ୍‌ରେ ପଢୁଛି । – ଟୁଟୁଲ କହିଲା ।

ସିରାଜ୍ ଟୁଟୁଲ୍ ସାଙ୍ଗରେ ପଢୁଥିଲା । ଅବଶ୍ୟ ସେଇଟା ଚାରିବର୍ଷ ତଳେ । ସପ୍ତମ ଶ୍ରେଣୀ ପରେ ସିରାଜ୍ ଆଉ ସ୍କୁଲ୍‌କୁ ଆସିଲା ନାହିଁ । ଆଗରୁ ସେ ରବିବାର ଓ ଛୁଟିଦିନମାନଙ୍କରେ ତା’ ବାପାର ଜୋତା ତିଆରି ଦୋକାନରେ ଯାଇ ବସୁଥିଲା । କିନ୍ତୁ ସ୍କୁଲ୍‌କୁ ଆସିବା ବନ୍ଦ ହେଲା ପରେ ସେଇଠି ନିୟମିତ ଭାବେ ବସିଲା । ତା’ ପରେ ସ୍କୁଲ୍‌କୁ ଯିବା ଓ ଫେରିବା ବାଟରେ ସିରାଜ୍ ସହ ଦେଖା ହେଉଥିଲେ ସୁଦ୍ଧା ଟୁଟୁଲ୍ ଏହାର କାରଣ ବିଷୟରେ ପଚାରି ନଥିଲା । ସେ ଜାଣିପାରୁଥିଲା, ସିରାଜ୍‌ର ପାଠପଢ଼ା ବନ୍ଦ ହେବା ଲାଗି କେଉଁ କେଉଁ କାରଣଗୁଡ଼ିକ ଦାୟୀ । ଏହା ପରେ ଟୁଟୁଲ୍ ହାଇଦ୍ରାବାଦ ଚାଲିଗଲା । ଏବେ ସେ ଦଶମ ଷ୍ଟାଣ୍ଡାର୍ଡ ପରୀକ୍ଷା ଦେଇସାରି ଘରକୁ ଆସିଛି ।

ଚାରିବର୍ଷ ତଳେ ଏଇଠି ଏ “ବଟରଫ୍ଲାଇ ମଲ୍” ନଥିଲା । ଏଇଟା ଗୋଟେ ଖାଲି ପଡ଼ିଆ ଥିଲା ଯେଉଁଠି ହାଟ ବସୁଥିଲା । ସବୁଦିନ ଉପରଓଳି, ଧାଡ଼ି ଧାଡ଼ି ତିଆରି ପିଣ୍ଡି ଉପରେ ପରିବା, ଶାଗ, ଚାଉଳଠୁଁ ନେଇ ଅଣ୍ଡା ଓ ମାଛ ପର୍ଯ୍ୟନ୍ତ ନାନା ଜିନିଷ ଏଇଠି ବିକ୍ରି ହେଉଥିଲା । ଦୋକାନୀମାନେ ନିଜ ନିଜ ପିଣ୍ଡାର ଚାରିକୋଣରେ ଚାରିଟି ବାଉଁଶ ଡାଙ୍ଗ ପୋତି ପାଲଟେ ଲେଖାଏଁ ଭିଡ଼ି ଦେଉଥିଲେ । ତା’ ତଳେ ସେମାନଙ୍କ ଦୋକାନ ବସୁଥିଲା । ଟୁଟୁଲ୍‌ଙ୍କ ଘର ଓ ତା’ ସ୍କୁଲ୍ ମଝିରେ ଏଇ ହାଟଟା ପଡୁଥିବାରୁ ପ୍ରତି ସପ୍ତାହରେ ବାପା ଓ ସ୍କୁଲ୍‌ରୁ ହାଟ ଦେଇ ଘରକୁ ଫେରୁଥିଲେ । ସେତେବେଳେ ଟୁଟୁଲ୍ ଆଣ୍ଟୋନି ଆଇସ୍କ୍ରିମ୍ ଅଙ୍କଲ୍‌ଠାରୁ ଆଇସ୍କ୍ରିମ୍, ବୈକୁଣ୍ଠଦାଦା ଠାରୁ ଗୁପ୍‌ଚୁପ୍ ଖାଉଥିଲା । ତେବେ ତା’ର ସବୁଠୁ ପ୍ରିୟ ଥିଲା ସିରାଜ୍ । ତାକୁ ଦେଖିବା କ୍ଷଣି ସିରାଜ୍ ଧାଇଁ ଯାଇ ଚକୋଲେଟ୍ କି ଚନାଚୂର୍ ପୁଡ଼ିଆଟେ ଆଣି ଦେଇଥିଲା ।

ଟୁଟୁଲ୍ ସିରାଜ୍‌କୁ ଭଲ ପାଇବାର ଗୋଟିଏ ନୁହେଁ, ଦିଇଟି କାରଣ ଥିଲା । ଦିନେ ତା’ର ତିନିହଳ ଯାକ ଜୋତା ଛିଣ୍ଡି ଯାଇଥିଲା । ସେଇଟା ଯେତେ ବଡ଼ କଥା ନ ଥିଲା, ତା’ଠୁଁ ବଡ଼ କଥା ଥିଲା ଯେ ଖେଳ ନଅସରେ ସେ କଥା ପୂର୍ବଦିନ ବାପା କି ମାଆ କାହାରିକୁ ସେ ଜଣେଇ ନଥିଲା । ସକାଳେ ସ୍କୁଲ୍ ବାହାରିବା ବେଳକୁ ହିଁ ଦେଖାଯାଇଥିଲା, ଗୋଟିଏ ବୋଲି ଜୋତା ଠିକ୍ ନ ଥିଲା । ବାପା ବିରକ୍ତ ହୋଇଥିଲେ । ରାଗରେ କହିଥିଲେ, “ଟୁଟୁଲ୍ ଆଜି ଖାଲି ପାଦରେ ସ୍କୁଲ୍‌କୁ ଯିବ ।” ତେବେ ସେ ଟୁଟୁଲ୍‌ର ତିନିହଳ ଯାକ ଜୋତା ସାଙ୍ଗରେ ନେଇ ସିରାଜ୍ ବାପାର ଦୋକାନରେ ଦେଇଥିଲେ । ଘରୁ ଗଲାବେଳେ ବାଟସାରା ସେ ଟୁଟୁଲ୍ ଉପରେ ଗରଗର ହେଉଥିଲେ । କିନ୍ତୁ ସିରାଜ୍ ପନ୍ଦର ମିନିଟ୍ ଭିତରେ ତା’ର ଜଖମ ଜୋତାଗୁଡ଼ିକୁ ପୁଣି ନୂଆ କରିଦେଇଥିଲା ଓ ସେଥିରୁ ହଳେ ପିନ୍ଧି ଟୁଟୁଲ୍ ସ୍କୁଲ୍‌କୁ ଧାଇଁ ଧାଇଁ ଯାଇଥିଲା । ବାପାଙ୍କର ଗରଗର କମିଥିଲା ।

ଟୁଟୁଲ୍ ସେଦିନ ସିରାଜ୍ ଉପରେ ଖୁବ୍ ଖୁସି ହୋଇଥିଲା । ତା’ ହାତର କରାମତି ତାକୁ ତା’ଠାରୁ ବହୁତ ଉପରକୁ ନେଇଯାଇଥିଲା । ଦ୍ୱିତୀୟ କାରଣଟି ନିଜେ ସିରାଜ୍ ବତେଇଥିଲା । ସେ କହିଥିଲା ଯେ ତା’ର ବି ଟୁଟୁଲ୍ ବୋଲି ଗୋଟେ ଡାକ ନାମ ଥିଲା ଓ ତା’ ଅମ୍ମି ତାକୁ ସେଇ ନାଁରେ ଡାକୁଥିଲା । ମାତ୍ର ଅମ୍ମି ମରିଗଲା ପରେ ତାକୁ ଆଉ ସେଇ ନାଁରେ କେହି ଡାକୁ ନଥିଲେ । ସିରାଜ୍ ଦ୍ୱିତୀୟ ଶ୍ରେଣୀରେ ପଢୁଥିବାବେଳ ହିଁ ତା ଅମ୍ମି ମରିଯାଇଥିଲେ । ଦୋକାନରେ ସେମାନଙ୍କୁ ରୁଟି ତରକାରି ଦେଇସାରି ସିରାଜ୍‌ର ଅମ୍ମି ତାଙ୍କ ଘରକୁ ଫେରିବା ବେଳେ ଗୋଟେ ଟ୍ରକ୍ ତାଙ୍କୁ ରାସ୍ତା ଉପରେ ଚାପି ଦେଇଥିଲା । ସେତେବେଳେ ସିରାଜ୍‌ର ବୟସ ଛଅ ବର୍ଷ ।

ଟୁଟୁଲ୍‌ର ଚାରିପଟେ ମଲ୍‌କୁ ଆସିଥିବା ଗ୍ରାହକମାନଙ୍କ ଗାଡ଼ି ହାଉଜାଉ । ଅନେକ ଲୋକଙ୍କ କୋଳାହଳ । ପାର୍କିଂ ଏରିଆରେ ଶହ ଶହ ଗାଡ଼ିର ଧାଡ଼ି । ଲୋକମାନେ ହାତରେ ଓ ଟ୍ରଲିରେ ବଟରଫ୍ଲାଇ ଭିତରୁ ବିରାଟ ବିରାଟ ପ୍ୟାକେଟ୍ ଧରି ବାହାରୁଛନ୍ତି । ନିଜ ଗାଡ଼ି ଭିତରେ ସେବୁ ଲଦି ଘରକୁ ନେଇଯାଉଛନ୍ତି । ଇଏ ତ ଗୋଟେ ମଲ୍ ନୁହେଁ, ଗୋଟେ ବଜାର । ବାପା କହୁଥିଲେ ବଟରଫ୍ଲାଇ ମଲ୍‌ରେ କେଉଁ ଜିନିଷ ମିଳିବ ନାହିଁ, ଏମିତି କଥା ନାହିଁ । ଛୁଞ୍ଚି ସୂତାଠାରୁ ଆରମ୍ଭ କରି ମୋଟର କାର, ସୁନାଗହଣା ଏବଂ ଶାଗ ଓ ପନିପରିବା ପର୍ଯ୍ୟନ୍ତ ସବୁ ଏଠି ମିଳେ । ଏ ମଲ୍‌ର ଗ୍ରାହକମାନେ ପ୍ରଜାପତି ପରି ଏ ମହଲାରୁ ସେ ମହଲା ଏବଂ ଏ କାଉଣ୍ଟର୍‌ରୁ ସେ କାଉଣ୍ଟର୍ ଡେଉଁଥାଆନ୍ତି । ମନହେଲେ ଜିନିଷ କିଣ, କିଣି କିଣି ଥକିଗଲେ କଫି କାଉଣ୍ଟର୍ରେ ବସି ଚା’ କି କଫି ପିଅ, ତା’ପରେ ଥକ୍କା ମେଣ୍ଟିଗଲେ ପୁଣି ଜିନିଷ କିଣ । ଏହି ଚାରିମହଲା ମଲ୍‌ରେ ଦେଶ ବିଦେଶର ସବୁ ନାମୀଦାମୀ କମ୍ପାନି ତାଙ୍କର ସୋ’-ରୁମ୍ ଖୋଲିଛନ୍ତି । ଅଷ୍ଟ୍ରେଲିଆର ଆପଲ୍‌ଠାରୁ ବେଜିଂର ଅର୍ଚିଡ୍ ଫୁଲ ଏବଂ ଥାଇଲାଣ୍ଡର ତେନ୍ତୁଳିଠାରୁ ଆମେରିକାର ଲାପଟପ୍ ସବୁ ଏଠି ମିଳୁଛି ।

ବଟରଫ୍ଲାଇ ମଲ୍ ଚାରିପଟେ ବିସ୍ତୀର୍ଣ୍ଣ କଂକ୍ରିଟ୍ ଅଗଣା । ଚାରିବର୍ଷ ତଳେ ସେଠି ପୋଖରୀଟିଏ ଥିଲା ଏବଂ ସେଥିରେ କଇଁଫୁଲ ଫୁଟୁଥିଲା । ଏବେ ଏଠି ଧାଡ଼ି ଧାଡ଼ି ପ୍ଲାଷ୍ଟିକ୍‌ର ତାଳ ଗଛ । ଗଛ ଦେହରେ ଗୁଡ଼ା ହେଇଛି ପ୍ଲାଷ୍ଟିକ୍‌ର ଅପରାଜିତା ଲତା । ଫୁଲ ଜାଗାରେ ଛୋଟ ଛୋଟ ବଲ୍ବ, ରାତିରେ ଜଳେ । ପ୍ରଜାପତି ଆକୃତିର ଗୋଟେ ବିରାଟ ବେଲୁନ୍ ମଲ୍ ଛାତ ଉପରେ ଉଡୁଥାଏ । ତହିଁରେ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ଲେଖାଥାଏ “ବଟରଫ୍ଲାଇ” । ଅନେକ ଦୂରରୁ ସେଇ ରଙ୍ଗିନ୍ ବେଲୁନ୍ଟା ଦିଶେ ।

ଟୁଟୁଲ୍ ଚାହିଁଥିଲା, ସିରାଜ୍ ସାଙ୍ଗେ ଆଉ ଦି’ଚାରିପଦ କଥା ହୁଅନ୍ତା । ମାତ୍ର ସିରାଜ୍ ଯେମିତି ଭାବରେ ତା’ ପାଖରୁ ମୁହଁ ଫେରେଇ ନେଇଥିଲା ସେଇଥିରେ ସେ ନିଜ ଆଡୁ ଅଧିକ କିଛି କଥା ଯୋଡ଼ିବା ଲାଗି ଉତ୍ସାହ ଅନୁଭବ କରୁ ନଥିଲା । ତା’ର ମନେହେଲା ସିରାଜ୍‌ର ବାପା କିଛି ଅସୁବିଧାରେ ପଡ଼ିଛନ୍ତି । ସିଏ ଚାରିଆଡକୁ ଚାହିଁଲା । ରାସ୍ତା ପର୍ଯ୍ୟନ୍ତ ଲମ୍ୱିଛି ପାର୍କିଂ ଏରିଆ । ଦେଖିଲେ ମନେ ହେଉନାହିଁ ଯେ ମାତ୍ର ଚାରିବର୍ଷ ତଳେ ଏଇଠି ଖରାବେଳେ ଛିଡ଼ା ହେବାଲାଗି ସୁଦ୍ଧା ଭୟ ଲାଗୁଥିଲା ।

ଟୁଟୁଲ୍‌ଙ୍କ କଲୋନି ଏବଂ ସ୍କୁଲ୍ ମଝାମଝି ଏଇ ଜାଗାଟା ଢେର୍ ଦିନ ହେଲା ଅପରନ୍ତା ହୋଇ ପଡ଼ିଥିଲା । ଅଳ୍ପ କିଛି ଅଂଶରେ ଉପରଓଳି ହାଟ ବସୁଥିଲା ନ ହେଲେ ମଝିରେ ମଝିରେ ଏଠି ଗଛ ଛାଇରେ ଫୁଟ୍‌ବଲ ଖେଳା ଯାଉଥିଲା । ତେବେ ସବୁଠାରୁ ବଡ଼କଥା ଦଶହରା ସମୟରେ ସାତଦିନିଆ ମେଳା ବସୁଥିଲା, ଯେଉଁଠିକି ଦିଇଟା ଚକ୍ରିଦୋଳି ଆସୁଥିଲା । ଅନ୍ୟ ଦିନମାନଙ୍କରେ ଏ ପଡ଼ିଆରେ ଗାଈଗୋରୁ ଛେଳିମେଣ୍ଢା ଚଳୁଥିଲେ । ପଡ଼ିଆ ମଝିରେ ଥିଲା ଦିଇଟା ବଡ଼ ବଡ଼ ବରଗଛ । ସେଇଠି ଟୁଟୁଲ୍ ଓ ତା’ର ସାଙ୍ଗମାନେ ଗୋଡ଼ିଆଗୋଡ଼ି ଖେଳୁଥିଲେ । ଘାସଫୁଲ ଉପରୁ କଙ୍କି ଓ ପ୍ରଜାପତିଙ୍କୁ ଗୋଡ଼ଉଥିଲେ । ଖେଳି ଖେଳି ଥକିଗଲେ ବରଗଛ ମୂଳେ ବସି ଥକ୍କା ମେଣ୍ଟଉଥିଲେ । ବର୍ଷାଦିନେ ଏଇ ପଡ଼ିଆ ଘାସ ଭର୍ତ୍ତି ହୋଇ ସବୁଜ ଦିଶୁଥିଲା । ତା’ ଉପରେ ସାଧବ ବୋହୂମାନେ ବୁଲୁଥିଲେ । ଶିଶିର ଋତୁରେ ଘାସ ଉପରେ ଟୋପା ଟୋପା କାକର ମୁହଁରେ ଖରା ପଡ଼ି ସୁନ୍ଦର ଦିଶୁଥିଲା ।

ପ୍ରତିଦିନ ସ୍କୁଲ୍ ଗେଟ୍‌କୁ ଆଣ୍ଟୋନି ଆଇସ୍କ୍ରିମ୍‌ବାଲା ଏବଂ ବୈକୁଣ୍ଠ ଗୁପ୍‌ଚୁପ୍‌ବାଲା ଦିହେଁ ଯାଉଥିଲେ । ସିରାଜ୍‌ର ଗୋଟିଏ ସୁବିଧା ଥିଲା । ସ୍କୁଲ୍ ପାଖରେ ହିଁ ତାଙ୍କର ଦୋକାନ ଥିଲା ଓ ସେ ଯେତେବେଳେ ଚାହୁଁଥିଲା ଦୋକାନକୁ ଯାଇ ତା’ ବାପାଙ୍କୁ ସାହାଯ୍ୟ କରୁଥିଲା । ତା’ଠୁଁ ମାତ୍ର ତିନିଚାରି ବର୍ଷ ହେଲା ହୋଇ ସୁଦ୍ଧା ସିରାଜ୍ ଜୋତା ମରାମତି କାରବାରର ସବୁ କଥା ଜାଣି ସାରିଥିଲା । କେଉଁ ଗ୍ରାହକ ସାଙ୍ଗରେ କେମିତି କଥାବାର୍ତ୍ତା କରିବାକୁ ହୁଏ ତାହା ସେ ଭଲ ଭାବେ ଜାଣିଥିଲା । ଏବଂ ନିଜେ ଟଙ୍କା ପଇସା କାରବାର କରିପାରୁଥିଲା । ତେବେ ତା’ର ଗୋଟିଏ ସମସ୍ୟା ଥିଲା । ଝିଅମାନଙ୍କର ଚପଲ ମରାମତି କରିବାକୁ ସିରାଜ୍‌କୁ ଭଲ ଲାଗୁ ନଥିଲା । ଏକଥା ବାର୍ଷିକ ପରୀକ୍ଷା ରାଣ ପକେଇବା ପରେ ସେ ଟୁଟୁଲକୁ କହିଥିଲା । ଥରେ ଦ୍ୱିତୀୟରେ ଏବଂ ଥରେ ତୃତୀୟରେ ବର୍ଷେ ବର୍ଷେ ଅଧିକ ରହିଥିଲା । ତା’ର କାରଣ ହେଲା ଦ୍ୱିତୀୟ ଶ୍ରେଣୀରେ ପଢ଼ିଲାବେଳେ ତା’ ଅମ୍ମି ମରିଗଲା ଏବଂ ତୃତୀୟ ଶ୍ରେଣୀରେ ସେ ପରୀକ୍ଷା ଦେଇ ପାରିଲା ନାହିଁ । ତେବେ ଅନେକ ଗୁଡ଼ାଏ ଗୁଣ ଯୋଗୁଁ କେବଳ ଟୁଟୁଲ ନୁହେଁ ତା’ ଶ୍ରେଣୀର ସମସ୍ତେ ସିରାଜ୍‌କୁ ସେମାନଙ୍କର ସିନିଅର୍ ବୋଲି ଭାବୁଥିଲେ ।

ସିରାଜ୍ କହେ ସେମାନେ ବାଂଲାଦେଶୀ । ଏହାର ଅର୍ଥ ଟୁଟୁଲ୍ ବୁଝିପାରେ ନାହିଁ । ସିରାଜ୍‌ର କହିବା କଥା, ବହୁତ ଯୁଗ ତଳେ ସେମାନେ ଭାରତରେ ଥିଲେ । ତା’ପରେ ସେମାନେ ବାଂଲାଦେଶରେ ରହିଲେ । ପୁଣି ଯୁଦ୍ଧ ପରେ ସେମାନେ ଭାରତ ପଳେଇ ଆସିଲେ । ସେମାନେ ପ୍ରଥମେ ଆସି କଲିକତା ଓ ତା’ପରେ କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର କୂଳରେ ରହୁଥିଲେ । ସେଠୁ ସରକାର ତଡ଼ିଦେଲା ପରେ କେନ୍ଦ୍ରାପଡ଼ା ଛାଡ଼ି ଖୋର୍ଦ୍ଧାକୁ ଆସିଲେ । ଟୁଟୁଲ ସିରାଜ୍ ମୁହଁକୁ ଚାହେଁ, ଏତେ ନୂଆ ନୂଆ ଜାଗା ବୁଲିବାକୁ ତାକୁ ନିଶ୍ଚୟ ମଜ୍ଜା ଲାଗୁଥିବ ବୋଲି ଭାବେ । ମାତ୍ର ସିରାଜ୍ ମୁହଁକୁ ଚାହିଁଲେ ସେମିତି କିଛି ସେ ଅନୁଭବ କରିପାରେ ନାହିଁ । ସିରାଜ୍ ବିଷୟରେ ତା’ର ଆହୁରି ଅନେକ କଥା ଜାଣିବାକୁ ଇଚ୍ଛା ହେଉଥିଲା । ମାତ୍ର ସେଥିପାଇଁ ସେ ସମୟ ପାଉନଥିଲା । ତାକୁ ତା’ର ବାପା ଓ ମାଆ ଗୋଡ଼େ ଗୋଡ଼େ ଜଗି ରହୁଥିଲେ । ସିରାଜ୍ ଭଳି ତା’ର ସ୍ୱାଧୀନତା ନଥିଲା ।

ପଛରୁ ତା’ ମା’ ଡାକ ପକେଇଲେ, ଟୁଟୁଲ୍ ଆ’ ।

ଟୁଟୁଲ୍ ପଛକୁ ମୁହଁ ବୁଲେଇ ଦେଖିଲା, ମା’ ମୁହଁରେ ବିରକ୍ତି । ସେ ହୁଏତ ସିରାଜ୍ ପାଖକୁ ଯାଇ ତାକୁ ଆଉ କିଛି ପଚାରିଥାଆନ୍ତା, ମାତ୍ର ମାଆକୁ ଦେଖି କହି ପାରିଲା ନାହିଁ । ମାଆ କହୁଥିଲେ, “ଏଠି ୟା’ଙ୍କର ଗୋଟେ ଏକଚାଟିଆ ଶାସନ ଚାଲିଛି । ପ୍ରତ୍ୟେକ ଜିନିଷର ଗୁଣ କମୁଛି, ଦାମ୍ ବଢୁଛି ।”

ସେମାନେ ଗାଡ଼ିରେ ବସିଲେ ।

ବାପା କହିଲେ, “ଆଗରୁ ଏଠି ହାଟ ଥିଲାବେଳେ ଗରିବ ପରିବା ଦୋକାନୀ କି ମାଛ ଦୋକାନୀ କହିବୋଲି ଟଙ୍କେ ଆଠଣା ନେଉଥିଲେ । ମାତ୍ର ଏ ମଲ୍‌ରେ ତ ଦିନ ଦି’ପହରେ, ତୁମ ଆଖିରେ ଆଙ୍ଗୁଳି ଗେଞ୍ଜି ଟଙ୍କା ଭିଡ଼ି ନେଉଛନ୍ତି ।”

ଅଷ୍ଟ୍ରେଲିଆ ଆପଲ, ମାଲୟେସିଆ ତରଭୁଜ, ଚାଇନା କଖାରୁ- “ଏଠି କିଏ ଏତେ ପୃଥିବୀ ଭୂଗୋଳ ପଢ଼ିବ । ଏଗୁଡ଼ା ସବୁ ମାର୍କେଟିଂ କୌଶଳ ।” – ମାଆ କହୁଥିଲେ ।

ଟୁଟୁଲ୍‌ର ମନେ ପଡୁଥିଲା । ଯେଉଁଦିନ ମା’ ପ୍ରଥମେ ବଟରଫ୍ଲାଇ ମଲ୍ ଖୋଲୁଥିବା କଥା ତାକୁ କହିଥିଲେ ସେଦିନ ସେ ଖୁସି ଜଣାପଡୁଥିଲେ । ମାଆ କହିଥିଲେ, “ଏତେ ଦିନେ ଆମେ ଜିନିଷପତ୍ର କିଣିବାର ମଜ୍ଜା ପାଇବା । ମଲ୍‌ର ଏୟାରକଣ୍ଡିସନ୍ଡ ସପିଙ୍ଗ୍ ତୁଳନାରେ ଏ ଧୂଳିମାଟି ହାଟ କେତେ ତୁଚ୍ଛ !”

ତା’ର ସିରାଜ୍ କଥା ମନେ ପଡୁଥିଲା । ଥରେ ସାଙ୍ଗ ସୋନୁ ସବୁ ଜାଣିଲା ପରି କହିଥିଲା, “ସିରାଜ୍‌ର ପୂର୍ବପୁରୁଷମାନେ କୋଉ ଯୁଗର ମଣିଷ ।” କାରଣ ସେ ଜାଣିଥିଲା ଯେ ମୋଟ ଚାରିଟା ଯୁଗ ଅଛି- ସତ୍ୟ, ତ୍ରେତୟା, ଦ୍ୱାପର ଏବଂ କଳି । ସେ ଏହି ଗୂଢ଼ ତଥ୍ୟ ଟିଭିରୁ ହିଁ ଜାଣିଥିଲା । ମାତ୍ର ଟୁଟୁଲ୍ ବୁଝେଇ ଦେଇଥିଲା ଯେ, ଏଇ ଚାରିଟା ଯୁଗ ପୂର୍ବର କଥା କହିଥିବ ସିରାଜ୍ ।

ଟୁଟୁଲ୍ ତାଙ୍କ କାର୍‌ର ଦରଜା ବନ୍ଦ କରିବାକୁ ଯାଉଥିଲା । ବୁଲି ପଡ଼ି ଚାହିଁବା ବେଳକୁ ଦେଖିଲା, ସେଇ ଦରୱାନ୍‌ଟି ସିରାଜ୍‌ର ବାପାଙ୍କୁ ଜୋର୍‌ରେ ଠେଲି ଦେଇଛି ଓ ସିରାଜ୍ ତଳେ ପଡ଼ିଯାଇଥିବା ତା’ ବାପାଙ୍କୁ ତଳୁ ଉଠଉଛି । ମାତ୍ର ଏଥିରେ ବ୍ୟସ୍ତ ନ ହୋଇ ଦରୱାନ୍ ଚିତ୍କାର କରୁଛି । ସିଏ ବଡ଼ ପାଟିରେ ଡାକିଲା, “ବାପା !”

ଟୁଟୁଲ୍‌ର ବାପା ଚମକିପଡ଼ି କହିଲେ, “କ’ଣ ହେଲା ?”

– ସେ ଲୋକଟା ସିରାଜ୍ ବାପାଙ୍କୁ ଠେଲି ଦେଉଛି ।

– “କୋଉ ସିରାଜ୍ ?” – ମା’ ପଚାରିଲେ ।

– ମୋ ସାଙ୍ଗ ମାଆ, ସେ ମୋ ସାଙ୍ଗରେ ପଢୁଥିଲା । ଜୋତା ଦୋକାନୀ ।

ଟୁଟୁଲ୍‌ର ବାପା ପୁଅର କଥାକୁ ଏଡ଼ିଯିବାକୁ ଚାହୁଁଥିଲେ । ମାତ୍ର ଟୁଟୁଲ୍ ମୁହଁରେ ଅସମ୍ଭବ ଦୃଢ଼ତା । ହୁଏତ ଡେରି କଲେ ଟୁଟୁଲ୍ ଖୋଲି ନିଜେ ପଳେଇବ । ସେ ଗାଡ଼ିକୁ ରାସ୍ତାର ଗୋଟେ ପାଖକୁ ନେଇ ରଖିଦେଲେ । ଦରୱାନ୍ ପାଖକୁ ଯାଇ ପଚାରିଲେ, “ତୁମେ ତାଙ୍କୁ ଠେଲୁଛ କାହିଁକି ? ଏମିତି ଚିତ୍କାର କରିବାର କାରଣ କ’ଣ ?”

ଦରୱାନ୍ କହିଲା, “ଦୁଇମାସ ହେବ ଏ ଲୋକଟି ବରାବର ଏଠିକି ଆସୁଛି । ବାବୁ ମନା କରୁଛନ୍ତି, ତାଙ୍କ ସାଙ୍ଗେ ଦେଖା ହୋଇପାରିବ ନାହିଁ । ଅଥଚ ଲୋକଟି ଶୁଣୁନାହିଁ ।”

– ବାବୁ, କୋଉ ବାବୁ ? ତାଙ୍କ ନାଁ କ’ଣ ?

– ଜେନେରାଲ୍ ମ୍ୟାନେଜର୍ । ରାଜନ୍ ସାର୍ ।

– ମୁଁ ତାଙ୍କୁ ଦେଖା କରିପାରିବି । ଏଇ ନିଆ ମୋ କାର୍ଡ ।

ଦରୱାନ୍‌ଟି କାର୍ଡ ନେଇ ଭିତରକୁ ଗଲା । ଟୁଟୁଲର ବାପା ସିରାଜ୍‌ର ବାପାଙ୍କୁ ପଚାରିଲେ, “ତୁମର ସମସ୍ୟାଟି କ’ଣ ?”

ସିରାଜ୍‌ର ବାପା କହିଲେ, “ଏଇଠି ମୋର ଜୋତା ମରାମତି କ୍ୟାବିନ୍‌ଟା ଦଶବର୍ଷ ହେଲା ପକେଇଛି । ଏବେ ଏ ମଲ୍‌ବାଲାଏ କହୁଛନ୍ତି, ସେଇଠି ଗୋଟେ ଜୋତା କମ୍ପାନିର ହୋର୍ଡ଼ିଂ ଲାଗିବ । ମୁଁ ଆଜ୍ଞା ଯିବି କୁଆଡ଼େ ?”

ଟୁଟୁଲ୍‌ର ବାପା କହିଲେ, “ସେଇଟା ଏବେ ତାଙ୍କ ଜାଗା । ତୁମେ କିପରି ସେଠି ଦୋକାନ କରିବ ?”

ସିରାଜ୍‌ର ବାପା ଉତ୍ସାହିତ ଦିଶିଲେ । କହିଲେ, “ନାଇଁ ଆଜ୍ଞା, ସେଇଟା ହାଇୱେ ଜାଗା । ବଡ଼ବଡ଼ିଆମାନେ ନିଜ ଜାଗାକୁ ଦଖଲ କରିସାରି ସରକାରୀ ଜାଗାରେ ତାଙ୍କ ଗାଡ଼ି ରଖିବା ବ୍ୟବସ୍ଥା କରୁଛନ୍ତି । ଆମେ ଛଅଫୁଟ୍ ଜାଗାରେ ବସିଲେ ଆମକୁ ତଡ଼ି ଦେଉଛନ୍ତି । ଚିଟାଗଙ୍ଗରୁ କଲିକତା, ସେଠୁ କେନ୍ଦ୍ରାପଡ଼ା, ପୁଣି କେନ୍ଦ୍ରାପଡ଼ାରୁ ଖୋର୍ଦ୍ଧା – କେତେ ଆଡ଼େ ମୁଁ ଦଉଡୁଥିବି ?”

ଟୁଟୁଲ୍ ଲକ୍ଷ୍ୟ କରୁଥିଲା, ସିରାଜ୍ ତା’ ଆଖିରୁ ନିଜ ମୁହଁକୁ ଲୁଚଉଛି । ଏଭଳି ଗୋଟେ ପରିସ୍ଥିତିରେ ସେମାନଙ୍କର ଦେଖାହେବ, ସେଇଟା ସିରାଜ୍ ଚାହୁଁନାହିଁ ।

ସିରାଜ୍ ତାଙ୍କ ଶ୍ରେଣୀର ହିରୋ ଥିଲା । ପାଠପଢ଼ାକୁ ଛାଡ଼ି ଦେଲେ ତା’ ପକ୍ଷେ ଅନ୍ୟ କୌଣସି କାମ ଅସମ୍ଭବ ନଥିଲା । ଆଜବେଷ୍ଟସ୍ ଛାତ୍ ଓ ଇଟାକାନ୍ଥ ସନ୍ଧିରେ ଥିବା ଚଢ଼େଇର ବସାରୁ ଅଣ୍ଡା ଆଣି ଦେଖେଇବା ଠାରୁ ନଡ଼ିଆ ଗଛରୁ ନଡ଼ିଆ ତୋଳିବା ଏବଂ ପାଖ ପୋଖରୀରେ ବୁଡ଼ା ପହଁରା ଦେଇ ଏପଟରୁ ସେପଟକୁ ଚାଲିଯିବା ତା’ ପକ୍ଷେ ଅତି ସହଜ କଥା ଥିଲା । ସେ କହୁଥିଲା, “ବଡ଼ ହେଲେ ସେ ଗୋଟାଏ ଖେଳ ଜିନିଷର ଦୋକାନ କରିବ । ସେଇଠି ସାନ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ମଣିଷଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଖେଳ ଓ ବ୍ୟାୟାମ ଲାଗି ଖେଳଣା-ଉପକରଣ ବିକିବ । ବଡ଼ ବଡ଼ ଜିମ୍‌କୁ ସେ ଜିନିଷପତ୍ର ଯୋଗେଇବ । ସେ ବଡ଼ ଓ ଧନୀ ବ୍ୟବସାୟୀ ହେବ ।”

“ବଟରଫ୍ଲାଇ ମଲ୍”ର ଜେନେରାଲ୍ ମ୍ୟାନେଜର୍ କହିଲେ, “ଦେଖନ୍ତୁ, ଆମେ ଏଠୁ କାହାକୁ ବଳ ପ୍ରୟୋଗ କରି ବାହାର କରିନାହୁଁ । ସମସ୍ତଙ୍କୁ କ୍ଷତିପୂରଣ ଦେଇଛୁ । ଆମେ ବ୍ୟବସାୟୀ, ଆତଙ୍କବାଦୀ ନୋହୁଁ । ୟେ ଭଦ୍ରଲୋକଙ୍କୁ କହିଲୁ- ତୁମ ପାଖେ ଦିଇଟା ବିକଳ୍ପ । ଗୋଟାଏ ହେଲା ତମେ ତମ ପୁଅକୁ ସେଲ୍ସ ମ୍ୟାନ୍ ଭାବେ ରଖିଦିଅ ଓ ଏ ଜାଗା ଛାଡ଼ି ଚାଲିଯାଅ । ନ ହେଲେ ଏଇ ଜାଗାଟିକୁ ଲିଜ୍‌ରେ ନିଅ । ବର୍ଷକର ଟଙ୍କା ଆଗତୁରା ଦେଇ ଦିଅ । ତେବେ ସେଥିରେ ଗୋଟେ ସର୍ତ୍ତ ରହିବ । ଦୋକାନଟାକୁ ଆମ ମଡ଼େଲ୍‌ରେ ତିଆରି କରିବାକୁ ହେବ ।

– ବର୍ଷକୁ କେତେ ଦେବାକୁ ପଡ଼ିବ ତାଙ୍କୁ ?

– ବାରଲକ୍ଷ ଟଙ୍କା, ପ୍ରଥମ ବର୍ଷ ପାଇଁ ଦଶ ଲକ୍ଷ ଟଙ୍କା ।

ଟୁଟୁଲର ବାପା ଚମକି ପଡ଼ିଲେ । ଏଇ ଫୁଟ୍‌ପାଥ୍ ଜୋତା ମରାମତିବାଲା କେଉଁଠୁ ଆଣି ଦେବ ବର୍ଷକୁ ଦଶ ଲକ୍ଷ ଟଙ୍କା ?

ଜେନେରାଲ୍ ମ୍ୟାନେଜର୍ ଟୁଟୁଲ୍‌ର ବାପାଙ୍କୁ ବସିବାଲାଗି କହିଲେ । ତାଙ୍କ ପାଇଁ କଫି ମଗେଇଲେ ଏବଂ ଟୁଟୁଲ୍ ଓ ତା’ ମାଆ ଲାଗି ଫଳରସ । ସେ ଖୁବ୍ ଧୀର ଓ ମଧୁର ଗଳାରେ କଥା କହୁଥିଲେ । ସବୁବେଳେ ହସୁଥିଲେ ସେ ଭଦ୍ରଲୋକ ।

ସେ କହିଲେ, “ଏୟାରପୋର୍ଟ ପାଖରେ ଆମର ଯେଉଁ ସାଇନ୍‌ବୋର୍ଡଟି ଲାଗିଛି ତାହାର ଭଡ଼ା କେତେ ଜାଣନ୍ତି ? ମାସକୁ ଦି’ଲକ୍ଷ ଟଙ୍କା । ୟେସ୍ ! ଆମେ ଆମର ଏହି ଜାଗାଟିକୁ “ଲିଦର୍‌ଫ୍ଲାଇ” କମ୍ପାନିକୁ ଦେଉଛୁ । ଉପରେ ତା’ର ସାଇନ୍‌ବୋର୍ଡ । ଜୋତା ଛାଞ୍ଚରେ ହେବ କ୍ୟାବିନ୍ । ତା’ ଭିତରେ ପ୍ଲାଷ୍ଟିକ୍ ତିଆରି ବଡ଼ ଜୋତା ହଳେ ରହିବ । ଏଇଥିପାଇଁ ସେ କମ୍ପାନି ଆମକୁ ମାସକୁ ଲକ୍ଷେ ଟଙ୍କା ଦେବ । ଦେଖନ୍ତୁ, ଦିଇଟା ଯାକ କେତେ ସୁନ୍ଦର ପ୍ରସ୍ତାବ । ମାତ୍ର ଲୋକଟି କେଉଁଥିରେ ରାଜି ନୁହେଁ । ସେ ଯେମିତି ଥିଲେ ସେମିତି ରହିବେ ବୋଲି କହୁଛନ୍ତି ଏବଂ ତାଙ୍କର ସେ ଟିଣପିଟା କ୍ୟାବିନ୍ ସହ । ଆପଣ ଭାବନ୍ତୁ, “ବଟରଫ୍ଲାଇ ମଲ୍”ର ନୂଆ ଗେଟ୍ ପାଖେ ଏମିତି ଗୋଟେ କ୍ୟାବିନ୍- ନାଁ, ଅସମ୍ଭବ !”

ଟୁଟୁଲ୍ ବାପା କହିଲେ, “ଏ ଦିଇଟା ବିକଳ୍ପ ଭିତରୁ ପ୍ରଥମଟି ବରଂ ସହଜ । ମୁଁ ଯାଇ ସେ ଲୋକଟି ସାଙ୍ଗେ କଥା ହୁଏ ।”

– ନିଶ୍ଚୟ, ନିଶ୍ଚୟ ! ତେବେ ଆପଣ କେମିତି ସେ ଲୋକଟିକୁ ଜାଣିଲେ ? ଆପଣ କ’ଣ କୌଣସି ଏନ୍‌ଜିଓ ସହ ସମ୍ପୃକ୍ତ !

ଟୁଟୁଲ୍ ବାପା ହସିଲେ । ଭାବିଲେ, ଭଦ୍ରଲୋକଙ୍କର କିଛି ଦୋଷ ନାହିଁ । ଆଜି କେହି ଅନ୍ୟର କୌଣସି ସମସ୍ୟା ବାବଦରେ ପ୍ରଶ୍ନଟିଏ ପଚାରିଲେ ତାକୁ ସ୍ୱେଚ୍ଛାସେବୀ ବୋଲି କୁହାଯାଉଛି । ଏ ଦେଶ ବର୍ତ୍ତମାନ ଦି’ଭାଗରେ ବିଭକ୍ତ । ସରକାର ଏବଂ ସ୍ୱେଚ୍ଛାସେବୀ । ମଝିରେ ନାଗରିକ ବୋଲି ଗୋଟିଏ ବର୍ଗ ରହିବା କଥା । ମାତ୍ର ତାହାର ସ୍ଥିତି ଅଛି, ବିସ୍ତୃତି ନାହିଁ । ସେ ଜ୍ୟାମିତି ବହିର ଗୋଟେ ବିନ୍ଦୁ ।

ସିରାଜ୍‌ର ବାପା କହିଲା, “ଆପଣ ବୁଝିବେ ନାହିଁ, ଏ କ୍ୟାବିନ୍‌ଟି ମୋ ଲାଗି କେତେ ନିଜର । ଏହାକୁ ବୁଲ୍‌ଡୋଜର୍ ଠେଲିଠେଲି ନେଇ ଫୋପାଡ଼ି ଦେବ, ସେ ଦୃଶ୍ୟ ମୁଁ ଦେଖିପାରିବି ନାହିଁ ।”

ଟୁଟୁଲ୍ ବାପା ଭାବିଲେ, ଏସବୁ ତୁଚ୍ଛା ଭାବପ୍ରବଣତା । ଏହାର ମୂଲ୍ୟ କିଛି ନାହିଁ । ପ୍ରତିଦିନ ଏ ସହରରେ ଶହ ଶହ କ୍ୟାବିନ୍ ତିଆରି ହେଉଛି ପୁଣି ଭଙ୍ଗା ଯାଉଛି । ସେ ଫେରି ଆସୁଥିଲେ ।

ଟୁଟୁଲ୍ ପଚାରିଲା, “ଅଙ୍କଲ୍, ଏଥିରେ ସମସ୍ୟା କ’ଣ ?”

ସିରାଜ୍‌ର ବାପା କିଛି କହିବାକୁ ଚାହୁଁ ନଥିଲେ । ଖୁବ୍ ବାଧ୍ୟ କରିବାରୁ ସିରାଜ୍ ଆଗକୁ ଆସି କହିଲା, “ଏଇ କ୍ୟାବିନ୍‌ଟା ମୋ ଅମ୍ମି ତା’ ଉପାର୍ଜନରେ ତିଆରି କରି ବାପାଙ୍କୁ ଦେଇଥିଲା ।”

ଟୁଟୁଲ୍‌ର ବାପା ମୁହଁ ବୁଲେଇଲେ । ପଛରେ ଟୁଟୁଲ୍‌ର ମାଆ ଠିଆ ହୋଇଥିଲେ । “ବଟରପ୍ଲାଇ ମଲ୍”ର ଜେନେରାଲ୍ ମ୍ୟାନେଜର୍ ଜଣେ ଦୟାଳୁ ଲୋକ । ସେ କହିଲେ, ସିରାଜ୍‌କୁ ଅଠରବର୍ଷ ହୋଇନାହିଁ । ତଥାପି ତାକୁ ଆମେ ଗୋଟେ ସୁଯୋଗ ଦେବୁ । ଆମେ ଗୋଟେ ନୂଆ କିଡ୍ସ କର୍ଣ୍ଣର ଖୋଲିଛୁ । ଆମ ଗ୍ରାହକମାନେ ସାନ ସାନ ପିଲାଙ୍କୁ ସେଇଠି ଛାଡ଼ିଦେଇ ଜିନିଷପତ୍ର କିଣିବାକୁ ଯାଉଛନ୍ତି । ସେମାନଙ୍କ ଦାୟିତ୍ୱ ବୁଝିବା ଆମର କାମ । ସିରାଜ୍ ଏବେ ସେଇ ବିଭାଗରେ କାମ କରିବ । ପରେ ତାକୁ ନିୟମିତ ସେଲ୍ସ ମ୍ୟାନ୍ ଭାବେ ନିଯୁକ୍ତି ଦିଆଯିବ । ବର୍ତ୍ତମାନ ପାଇଁ ତାକୁ ମିଳିବ ମାସିକ ଦେଢ଼ହଜାର ଟଙ୍କା ।

ଏ ଘଟଣା ସବୁ ମାସେ ତଳର ଘଟଣା । ମାସେ ଭିତରେ ଟୁଟୁଲ୍ ଆଉ ବଟରଫ୍ଲାଇ ମଲ୍ ଭିତରକୁ ଯାଇନାହିଁ । ତେବେ ଥରେ ସ୍ୱପ୍ନରେ ସେ ସିରାଜ୍‌କୁ ଦେଖିଥିଲା । ସିରାଜ୍ ପୁରୁଣା ପଡ଼ିଆର ବରଗଛ ମୂଳେ ବସିଥିଲା । ମଝିରେ ମଝିରେ ଘାସଫୁଲ ଉପରେ ଚକ୍କର କାଟୁଥିବା ପ୍ରଜାପତିମାନଙ୍କୁ ଧରିବା ଲାଗି ଯାଉଥିଲା ଏବଂ ନିରାଶ ହୋଇ ଫେରୁଥିଲା । କାରଣ ସେ ପ୍ରଜାପତିମାନେ ନୀଳ ଆଶକୁ ଉଡ଼ିଯାଉଥିଲେ । କିଛି ସମୟ ପାଇଁ ସେମାନେ ଦିଶିଯାଉଥିଲେ ମଧ୍ୟ ଧୀରେ ଧୀରେ ସେମାନେ କୁଆଡ଼େ ହଜିଯାଉଥିଲେ ।

ଟୁଟୁଲ୍‌ର ମାଆ କହୁଥିଲେ, “ସେତେବେଳେ ସିନା ଆମେ ମଫସଲିଆ ହାଟ ବୋଲି କହୁଥିଲେ, କିନ୍ତୁ କେତେ କେତେ ଜିନିଷ ମିଳୁଥିଲା । ଓଲୁଅ, ସାରୁ, କରମଙ୍ଗା, ପିତା ଶାଗ, ଖଇ ଉଖୁଡ଼ାଠାରୁ ନେଇ ପୁଣି ଚିଙ୍ଗୁଡ଼ି ଶୁଖୁଆ ପର୍ଯ୍ୟନ୍ତ । ଏ “ବଟରଫ୍ଲାଇ ମଲ୍”ର ଗନ୍ଧ ମୋତେ ଅପରିଚିତ ଦେଶର ଗନ୍ଧ ପରି ଲାଗେ ।”

ଟୁଟୁଲ୍‌ର ବାପା କହୁଥିଲେ, “ସବୁଠୁ ବଡ଼ କଥା ହେଉଛି, ଆମର ଖାଦ୍ୟ, ପାନୀୟ, ପୋଷାକ ଏବଂ ଜୀବନ ବଞ୍ଚିବା ଶୈଳୀ ଆଜି ଅନ୍ୟମାନଙ୍କ ଦ୍ୱାରା ନିୟନ୍ତ୍ରିତ । ବ୍ୟକ୍ତି ସ୍ୱାତନ୍ତ୍ର୍ୟ ବୋଲି ଆଉ ରହିଲା କ’ଣ ? ”

ଟୁଟୁଲ୍ ଏସବୁ ବୁଝିପାରୁ ନଥିଲା । ସେ ତା’ ସ୍ୱପ୍ନ କଥା ଭାବୁଥିଲା । ସେଇକଥା ଭାବି ଭାବି ସେ ମଝିରେ ମଝିରେ ଅନ୍ୟମନସ୍କ ହୋଇପଡୁଥିଲା । ତାକୁ ସେମିତି ଅବସ୍ଥାରେ ଦେଖି ମାଆ ପଚାରୁଥିଲେ, “ତୋର କ’ଣ ହୋଇଛି ? ପରୀକ୍ଷାରେ ଭଲ କରିନାହୁଁ କି ?”

ଟୁଟୁଲ୍ କିଛି କହୁ ନଥିଲା ।

ହାଇଦ୍ରାବାଦ୍ ଫେରିଯିବା ଦିନ ତା’ର ଘରୁ ସେ ରେଳ ଷ୍ଟେସନ୍ ଯିବା କଥା । ବଟରଫ୍ଲାଇ ମଲ୍‌ଟା ବିପରୀତ ଦିଗରେ । ସିଏ କହିଲା, “ଥରେ ସିରାଜ୍‌କୁ ଭେଟି ଦେଇଯିବା ।”

କିଡ୍ସ କର୍ଣ୍ଣରରେ ତିଆରି ହୋଇଥିଲା ଗୋଟେ ପ୍ଲାଷ୍ଟିକ୍ ବଗିଚା । ମଝିରେ ଗୋଟେ ବୋନସାଇ ବରଗଛ । ତା’ ତଳେ ପ୍ଲାଷ୍ଟିକ୍‌ର ମାଙ୍କଡ଼ା ପଥର ଓ ଇଟା । ସେଇ ପଥର ସନ୍ଧିରେ ଘାସବୁଦା ଓ ଘାସବୁଦା ଉପରେ ଉଡୁଥିଲେ ପ୍ଲାଷ୍ଟିକ୍ ପ୍ରଜାପତି । ସାନ ସାନ ପିଲାମାନେ ସେଇ ପ୍ରଜାପତିମାନଙ୍କୁ ଦେଖି ଠୋ’ ଠୋ’ ହସୁଥିଲେ ।

ସିରାଜ୍ ଗୋଟେ ନାଲି ଟି-ସାର୍ଟ ପିନ୍ଧିଥିଲା । ତା’ର ବାମ ଛାତି ଉପରେ ଗୋଟେ ହଳଦିଆ ପ୍ରଜାପତିର ଛବି- ତା’ କମ୍ପାନିର ଟ୍ରେଡ୍‌ମାର୍କ । ସେ ତା’ ମୁହଁରେ ଗୋଟେ ବଡ଼ ଠେକୁଆର ମୁଖା ପିନ୍ଧି ପିଲାମାନଙ୍କୁ ହସଉଥିଲା ।

ଟୁଟୁଲ୍ ଛାତ୍ ଉପରକୁ ଅନେଇଲା । ପ୍ଲାଷ୍ଟିକ୍ ବଗିଚାର ଆକାଶ ନେଳି ଦିଶୁ ନଥିଲା, ସେଇଟା ଗୋଲାପୀ ଦିଶୁଥିଲା । ତାକୁ ଦେଖି ସିରାଜ୍ ତା’ ମୁଖାଟିକୁ ଟିକେ କାଢ଼ିଦେଲା ଓ ତା’ପରେ ଚଟ୍‌କିନା ସେଇଟାକୁ ପିନ୍ଧି ପକେଇଲା । ଟୁଟୁଲ୍‌କୁ ଲାଗିଲା ସିରାଜ୍ ଆଖିକୋଣରେ ଦି’ଟୋପା ଲୁହ ଲାଖି ରହିଥିଲା ।

ବାଟରେ ଟୁଟୁଲ୍‌କୁ ତା’ ବାପା ପଚାରୁଥିଲେ, “ତୁମେ ଦି’ଜଣ ଭଲ ସାଙ୍ଗ ଥିଲ, ନୁହେଁ !”

ମାତ୍ର ଟୁଟୁଲ୍ ଚାରିବର୍ଷ ତଳର ପୃଥିବୀରେ ଥିଲା । ଯେଉଁ ପୃଥିବୀର ଆକାଶ ଦିନେ ନୀଳ ଥିଲା ।

ଲୋକପ୍ରିୟ ଲେଖା

To Top