ଗଳ୍ପ

ଆକାଶଟା କାହାର ?

Dr Sharat Chandra Parida's odia story Aakaashataa Kaahaara

କାଇଁକି ବିଚରା ଚାମେଲି ମାଡ଼ାମ୍‌ଙ୍କୁ ନିନ୍ଦା କରୁଚ । ଆହାଃ, ରଖମ ତମର ମାଡ଼ାମ୍ ପ୍ରେମ । ମୁଁ କ’ଣ ମନରୁ ଫାନ୍ଦି କହୁଚି ନା କ’ଣ ? ଏ କାନ ଯାହା ଶୁଣି ଥିଲା ପାଟି ସେଇଆ କହୁଚି । ତୁମେ ତ ନିଦାବିଷ୍ଣୁ ! ଏଠାରେ କେମିତି ଚଳିବି ସେ ଚିନ୍ତା ମୋତେ ଘାରୁଚି ।

ଆକାଶଟା କାହାର ?

“ଧେତ୍, କାଇଁ ସେଇଟା ସାଙ୍ଗରେ ବକ୍‌ବକ୍ ହେଉଚ” ବୋଲି ବିମ୍ୱାଧର ବାବୁ ସହଧର୍ମିଣୀଙ୍କୁ ଚିଡ଼ିଚିଡ଼ା କଣ୍ଠରେ କହି ଉଠିଲେ । ହଁ, କହିବ ନାଇଁ କାହିଁକି ? ତମେ କ’ଣ ସବୁବେଳେ ଘରେ ରହୁଚ ଯେ ଜାଣିବ ! ମୁଁ ବିଚରା ଯେଉଁ ହନ୍ତସନ୍ତ ହେଉଛି । ବିମ୍ୱାଧର ବାବୁ ଟିକେ ନରମି ଗଲେ । ସ୍ତ୍ରୀଙ୍କ କଥା ଟିକେ ଭାବିବାକୁ ଲାଗିଲେ । ଚାକିରି ଜୀବନର ସନ୍ଧ୍ୟାରେ ଆସି ପହଞ୍ଚିଲେଣି । ଅବସର ଆଉ ହାତ ଗଣତି ବର୍ଷ କେଇଟା । ଶେଷ ପର୍ଯ୍ୟାୟରେ ମନଲାଖି କ୍ୱାଟର୍ସଟି ପାଇଛନ୍ତି । ଆଗରେ କେଇ ନାଇଁ । ଉପରେ କେଇ ନାଇଁ । ତୁଳନାତ୍ମକ ଭାବରେ ଜାଗାଟି ନିରୋଳା । କ୍ୱାଟର୍ସଟି ସବୁ ଆଖି ପରି ଯୋଡ଼ି ଯାଉଁଳି । ଦୁଇଟି କ୍ୱାଟର୍ସକୁ ନେଇ ଗୋଟିଏ ବ୍ଲକ୍ । ବିମ୍ୱାଧର ବାବୁଙ୍କ ନିକଟତମ ପଡ଼ୋଶୀ ବେଶ୍ ଭଲ । ଉତ୍ତମ ବୁଝାମଣା । ନିର୍ଭରଯୋଗ୍ୟ ! ସ୍ନେହଶୀଳ ! ଦରଦୀ !

ବିମ୍ୱାଧର ବାବୁଙ୍କ ପୂର୍ବ ପଟେ ଅନ୍ୟ ଗୋଟିଏ କ୍ୱାଟର୍ସ। ଭାରତ-ପାକିସ୍ଥାନକୁ ଅଲଗା କଲା ପରି ମଝିରେ ଗୋଟିଏ ଜାଲି ତାର ବାଡ଼ । ବିମ୍ୱାଧର ବାବୁ ଆସିଲା ବେଳକୁ ତାହା ଖାଲି ପଡ଼ିଥିଲା । କିଛିଦିନ ପରେ ଦିଆଯାଇଥିବା କର୍ମଚାରୀ ଜଣକ ନ ଆସିବାରୁ ଆଉ ଗୋଟିଏ ପରିବାର ଆସିଲା । ବିମ୍ୱାଧର ବାବୁଙ୍କ ସହଧର୍ମିଣୀ ଟାହୁଲି କରି କହିଲେ- “ହଇହୋ, ବାଛି ବାଛି କ୍ୱାଟର୍ସଟି ନେଲ । ଶେଷରେ ମହରଗଠାରୁ ଆସି କାନ୍ତାରରେ ପଡ଼ିଲା ଭଳି କଥା ହେଲା । ଏଠି ଆଉ ରହି ହେବ ନାଇଁ । ତମେ କ’ଣ ଜାଣି ନାହଁ ? ଏଠାକୁ ଚାମେଲି ମାଡ଼ାମ୍ ଆସୁଛନ୍ତି । ଆରେ ବାପରେ ବାପ, ତାଙ୍କ ଚାରି ଖୁରାକୁ ଜୁହାର । ତାଙ୍କ ନାଁ ପରା ଡିବିଡ଼ିବି ହୋଇ ଚାରିଆଡ଼େ ବାଜୁଚି । ହଁ, ସଫା କହି ରଖୁଚି । ମୁଁ ସେଭଳି ମାଇକିନିଆ ସହିତ ଜମାରୁ ଚଳି ପାରିବି ନାଇଁ ।” ଏହା ଶୁଣି ବିମ୍ୱାଧର ବାବୁ କଥାଟାକୁ ହାଲୁକେଇ ଗ୍ରହଣ କଲେ । “ଶୁଣ, ଏ ଦୁନିଆଁରେ ସମସ୍ତେ ରହିବେ । ଆମ ହିସାବରେ ଆମେ ଚଳିବା । ଯେତିକି ଦୂରତା ରଖିବା କଥା ସେତିକି ରକ୍ଷା କରି ଚଳି ଚଳେଇ ନେଲେ ଗଲା ।” ଶ୍ରୀମତୀ କିନ୍ତୁ ବୁଝିବାକୁ ନାରାଜ । ହେଁସ ଧୋଉଥିବ ଗୁଣ ଗାଉଥିବ ନ୍ୟାୟରେ ଚାମେଲି ମାଡ଼ାମ୍‌ଙ୍କ ଯେଉଁ ଦିଗକୁ ଚାହିଁବ ନିରାଶ ହେବାକୁ ପଡ଼େ । ସେ ଆଖିରୁ କଜଳ କାଢ଼ି ନେବା ଲୋକ । ତାଙ୍କ ଠାରୁ ବଳି ଛୋପରୀ ଓ ଛଟକୀ ନାରୀ ଦୁନିଆଁରେ କେହି ନାଇଁ । କଥାରେ ମାୟାଜାଲ ସୃଷ୍ଟି କରନ୍ତି । ତାଙ୍କ ଉପରେ ଥିବା ଅଣ୍ଡିରା ଅଥରିଟ୍‌ମାନଙ୍କୁ ମେଣ୍ଢା ବନାନ୍ତି । ସେମାନଙ୍କର କଞ୍ଚା ମାଂସ ପ୍ରତି ଲୋଭ ଥିଲେ ଚାମେଲି ମାଡ଼ାମ୍‌ଙ୍କ କଚେ ପୁଅ ବାର । ମଳୁ ଖୋଜୁଥିଲା ଯାହା ବଇଦ ବତାଇଲା ତାହା ପରି କଥାଟା ହୁଏ । ଅନୁଷ୍ଠାନର ମୁଣ୍ଡିଆଳମାନଙ୍କୁ କାନିରେ ବାନ୍ଧି ଦେଲେ ୟେ ଲାଞ୍ଜଗୁଡ଼ାକୁ କିଏ ପଚାରେ ? ପାଠ ଦି’ଅକ୍ଷର ପଢ଼ି ଚାକିରି ଖଣ୍ଡେ କରିଚି ବୋଲି ତା’ର କ’ଣ କମ୍ ବହବ । କଥାରେ ଅଛି ପରା ପିମ୍ପୁଡ଼ି ଦୀପରୁଖା ଉପରେ ଚଢ଼ିଲେ ତାକୁ ସ୍ୱର୍ଗ ଦି’ଆଙ୍ଗୁଳି ଦିଶେ । ଶ୍ରୀମତୀଙ୍କ ମୁଖ ମଣ୍ଡଳରୁ ଏକଥା ଗୁଡ଼ାକ ମୂଷା ଗାଡ଼ରୁ ମାଟି ବାହାରିଲା ପରି ବାହାରି ଚାଲିଥାଏ । ବିମ୍ୱାଧର ବାବୁ ଆଁଟା କରି ଅନେଇ ରହିଥାନ୍ତି । ସେ ଏକାବେଳେକେ ତାଜୁବ ।

ଏହି ସମୟରେ ହରି ବାବୁ- “ସାର୍ ଘରେ ଅଛନ୍ତି କହି ପଶି ଆସିଲେ ।” ଘରର ବାତାବରଣ ଲଘୁଚାପ ବର୍ଷା ପରେ ସ୍ତବ୍ଧ ଥିଲା ପରି ସେ ଅନୁଭବ କଲେ । – ଭାଉଜ, ମୁହଁଟା ଏପରି କରମଙ୍ଗା ଖାଇଲା ପରି ଖଟା କାଇଁକି ଦିଶୁଚି ? ବିମ୍ୱାଧର ବାବୁଙ୍କ ପତ୍ନୀ ଆରମ୍ଭ କରିଦେଲେ- “କାହା କଥା ଆଉ କହିବୁ ? ହେଇ ତମ ଅଫିସର୍ ଚାମେଲି ମାଡ଼ାମ୍‌ଙ୍କ କଥା ।” ଏ ନାଁଟା କାନରେ ବାଜୁ ନ ବାଜୁଣୁ ହରି ବାବୁ ମୁହଁଟାକୁ ବିକଟାଳିଆ କରି କହିଲେ- “ଛାଡ଼ନ୍ତୁ ତାଙ୍କ କଥା । ସେ କେଉଁ ମଣିଷବୃତ୍ତ ଯେ. . . ! ଅଫିସି କୁହ ବାହାର କୁହ ତାଙ୍କ କଥା ପଡ଼ିଲେ ସମସ୍ତେ ଛି’ ଛାକର କରନ୍ତି । ଯଦି କେବେ ଆମ ଅଫିସିରେ ଜଳଖିଆ ପୁଡ଼ିଆ ବଣ୍ଟା ହେଉଥାଏ ଚାମେଲି ମାଡ଼ାମ୍ କଟାସ୍ ପରି ଟାକି ବସିଥାନ୍ତି । ଆଙ୍ଗୁ ପାଙ୍ଗୁ ହୋଇ ଚାରି ପଟେ ଘୂରି ବୁଲୁଥାନ୍ତି । ଏକ ଲୟରେ କାର୍ଟୁନ୍‌କୁ ନିଘା ରଖିଥାନ୍ତି । ସେ ଘସର ପସର ହେବା ଦେଖି ସମସ୍ତେ ମୁରୁକି ମୁରୁକି ହସୁଥାନ୍ତି । ଯଦି ବଣ୍ଟୁଆଳର ଚାମେଲି ମାଡ଼ାମ୍‌ଙ୍କ ପ୍ରତି ଟିକେ ଦୟା ଆସେ ନିଜେ ନ ଚାହିଁଲେ ମଧ୍ୟ ଫୋପାଡ଼ିଲା ପରି ଅଣ୍ଟିରେ ଗୋଟାଏ ଦିଇଟା ପ୍ୟାକେଟ୍ ପକାଇ ଦିଅନ୍ତି । ନୋହିଲେ କଡ଼ା ବଣ୍ଟୁଆଳ ଦାୟିତ୍ୱରେ ଥିଲେ ଅନୁଜ୍ଜଳ ଭବିଷ୍ୟତ ଦେଖି ବା କାଲୁଆ ମାରନ୍ତି ମାଡ଼ାମ୍ ।”

ହରି ବାବୁଙ୍କ ଠାରୁ ଏ ଗୁମର କଥା ଶୁଣି ବିମ୍ୱାଧର ବାବୁଙ୍କ ଧର୍ମପତ୍ନୀ ଆହୁରି ଉତ୍ସାହିତ ହୋଇ ଉଠିଲେ । ସ୍ୱାମୀଙ୍କୁ ମୃଦୁ ଭତ୍ସନା କରି କହିଲେ- “ତୁମେ ସିନା ସବୁ ଜାଣି ପୁରା ଅଜଣା ରହୁଚ । ହେଲେ ଲୋକମାନେ କ’ଣ କିଛି ଦେଖୁ ନାହାଁନ୍ତି ? ସମାଜର ପରା ସହସ୍ର ଆଖି ଆଉ କାନ । ଆଇଁଷ ବାସନା ପାଇଲେ କାଉ ତା’ର ଭାଇବନ୍ଧୁଙ୍କ ଡାକି ହାକି ଆଣିଲା ପରି ଏ ଅଞ୍ଚଳରେ କାହା ଭୋଜି ଭାତ ହେଉ ଥିଲେ ଚାମେଲି ଲାଳସିନୀ କ’ଣ ଥିର ହୋଇ ରହିପାରନ୍ତି ? ଯଦି କିଛି ଚାନ୍ଦାଭେଦା ଦେବାର ଥାଏ ବୋଲି ଚାମେଲି ଶୁଣି ଦିଅନ୍ତି, ଓଲେଇ ଗାଈ ପଘା ଛିଣ୍ଡେଇଗଲା ପରି ସେ ଜାଗା ଛାଡ଼ି ପଳାଇ ଯାଆନ୍ତି । ଅନ୍ୟ ପକ୍ଷରେ ଯଦି ମନ୍ଦିରରେ ବା କିଛି ବାଦାନ୍ୟ ଲୋକଙ୍କ ଅନୁଦାନରେ ଭୋଜିଭାତ ମୋଫତରେ ମିଳୁଥାଏ କୁକ୍‌କୁରୀ ପରି ଶୁଙ୍ଘି ଶୁଙ୍ଘି ହାଜର ହୋଇଯାନ୍ତି । ଭଜନ ବେଳେ ତାଙ୍କର ଦେଖା ଦର୍ଶନ ନଥାଏ । ଭୋଜନବେଳେ ପତ୍ର ପଡ଼ିଲା ବେଳକୁ ସ୍ୱାମୀ ଓ ପିଲାମାନଙ୍କୁ ଧରି ପଙ୍ଗତରେ ଯୋଗ ଦିଅନ୍ତି । ପେଟେ ଜାଗାରେ ଦି’ପେଟେ ଠୁଙ୍କି ଦିଅନ୍ତି । ଆସନ୍ତା ଓଳିକ ପାଇଁ ନିଜେ ଖଲିପତ୍ର ଧରି ଓ ପିଲାମାନଙ୍କୁ ଖଲିପତ୍ର ଧରାଇ ଦାନା ସଂଗ୍ରହରେ ଲାଗି ଯାଆନ୍ତି । ଦିନକର ଦାନା ଉପୁରି ସଂଗ୍ରହ ହୋଇଯାଏ । ଆଉ ରୋଷେଇବାସ କରି ଖର୍ଚ୍ଚାନ୍ତ ହେବାକୁ ପଡ଼େ ନାଇଁ ।

ବିମ୍ୱାଧର ବାବୁ କଥା ଓଗାଳିଲେ । ଦୁନିଆଁରେ କାହାର ଭଲମନ୍ଦ ନାଇଁ କହିଲ । କାଇଁକି ବିଚରା ଚାମେଲି ମାଡ଼ାମ୍‌ଙ୍କୁ ନିନ୍ଦା କରୁଚ । ଆହାଃ, ରଖମ ତମର ମାଡ଼ାମ୍ ପ୍ରେମ । ମୁଁ କ’ଣ ମନରୁ ଫାନ୍ଦି କହୁଚି ନା କ’ଣ ? ଏ କାନ ଯାହା ଶୁଣି ଥିଲା ପାଟି ସେଇଆ କହୁଚି । ତୁମେ ତ ନିଦାବିଷ୍ଣୁ ! ଏଠାରେ କେମିତି ଚଳିବି ସେ ଚିନ୍ତା ମୋତେ ଘାରୁଚି ।”

ଆଉ ଦିନେ ଚାମେଲି ମାଡ଼ାମ୍‌ଙ୍କ ସହକର୍ମୀ ନରୋତ୍ତମ ବାବୁ ସନ୍ଧ୍ୟାବେଳେ ଆସି ପହଞ୍ଚିଗଲେ । ଆନନ୍ଦରେ ଶ୍ରୀମତୀଙ୍କୁ ଶୁଣାଇ କହିଲେ ବିମ୍ୱାଧର ବାବୁ- “ଆରେ, ବନ୍ଧୁ ଆସିଲେଣି ଚା’ ବସା”, କହି କଥାବାର୍ତ୍ତାରେ ବନ୍ଧୁଦୁହେଁ ମଜିଗଲେ । କଥା ପ୍ରସଙ୍ଗରେ ନରୋତ୍ତମ ବାବୁ କହି ଉଠିଲେ- “ମୁରୁକି ହସ ହସଇ ଯେ, ଠକଙ୍କ ଗୁରୁଗୋସାଇଁ ସେ ।'” କଥାଟାକୁ ତ ବିମ୍ୱାଧରବାବୁଙ୍କ ସହଧର୍ମିଣୀ ଟାଣି ନେଇ ଗଲେ । ଠିକ୍ କହିଛନ୍ତି ନରୋତ୍ତମ ବାବୁ । ଲସ୍ୟମୟୀ ହାସ୍ୟମୟୀ ଆମ ପଡ଼ୋଶୀ ଏହାର ଜ୍ୱଳନ୍ତ ନମୁନା । ନରୋତ୍ତମ ବାବୁ ଆଉ ବୁଝିବାକୁ ବାକି ରହିଲା ନାଇଁ । ନରୋତ୍ତମ ବାବୁ ଖଜୁରି ଗଛର କେଉଁଠୁ ଆରମ୍ଭ କରିବେ ବୋଲି ଠଉରେଇ ପାରୁ ନ ଥାନ୍ତି । ତାଙ୍କ କଥା କୁହନ୍ତୁ ନାଇଁ ଭାଉଜ । ସେ ଗୋଟାଏ ମଣିଷ ତ ନୁହେଁ ଅଜବ ଜନ୍ତୁ । ସବୁ କଥାରେ ଖଣ୍ଡିକାଶ ମାରୁଥାନ୍ତି । ଛପି ଛପି ଯାଉଥାନ୍ତି । ଚାପି ଚାପି କହୁଥାନ୍ତି । ବିଜ୍ଞାପନରେ ବଞ୍ଚନ୍ତି । କାମରେ ଠକନ୍ତି । କିନ୍ତୁ କାମ ନ କରି କାମ କରୁଚି ବୋଲି ପ୍ରମାଣ ଯୋଗାଡ଼ କରୁଥାନ୍ତି । ଯଦି ଅନୁଷ୍ଠାନର କିଛି ଫଟୋ ଉଠାଯିବାର କାର୍ଯ୍ୟକ୍ରମ ଥାଏ ତେବେ ଚାମେଲି ମାଡ଼ାମ୍ ସଜବାଜ ହୋଇ ଓଠ ଧାରରେ ଲିପ୍‌ଷ୍ଟିକ୍ ଲଗାଇ ଆଗ ଧାଡ଼ିରେ ଠିଆ ହୋଇ ପଡ଼ନ୍ତି । ନ ପାରିଲେ ଅଥରିଟ୍‌ଙ୍କ ପଛରେ ଚେୟାର୍ ସନ୍ଧିରେ ମୁହଁଟାକୁ ଗୁଞ୍ଜି ରହିଯାନ୍ତି । ଯେମିତି ଫଟୋ ବାହାରିଲା ବେଳକୁ ଚାମେଲିମାଡ଼ାମ୍‌ଙ୍କ ମୁହଁ ଜଳଜଳ କରି ଦେଖାଯାଉଥିବ । ମଞ୍ଚ ଉପରେ ସଭାକାର୍ଯ୍ୟ ପୂର୍ବରୁ ଦାୟିତ୍ୱରେ ଥିବା ଲୋକ ଧୂପ ଦୀପ ଆଦି ପୂଜା ସାମଗ୍ରୀ ଟ୍ରେ’ରେ ଧରି ପ୍ରସ୍ତୁତ ହୋଇଥାନ୍ତି । ଠିକ୍ ଅତିଥିଙ୍କ ଆସିଲା ବେଲକୁ କେଉଁଠି ଥାନ୍ତି ଧୂମକେତୁ ପରି ମାଡ଼ି ଆସି ଏକ ପ୍ରକାର ଦାଦାଗିରି ଆରମ୍ଭ କରି ଦିଅନ୍ତି । ହମହମ ହୋଇ ଜବରଦସ୍ତ କରି ଟ୍ରେ’ଟିକୁ ନିଜ ହାତକୁ ନେଇଯା’ନ୍ତି । ଶ୍ରୀମୁଖରେ ସ୍ମିତହାସ୍ୟର ସରୁ ରେଖା ଅଙ୍କନ କରି ମହମବତି, ଧୂପ, ନଡ଼ିଆ ସବୁ ଗୋଟି ଗୋଟି କରି ଅତିଥିଙ୍କ ଶୁଭ ହାତକୁ ବଢ଼ାଇ ଦିଅନ୍ତି । ଯଦି ମୌକା ନ ପାଇ ସେଥିରେ ଭଗ୍ନମନୋରଥ ହେଲେ ପିଅନ ଠାରୁ ଚା’କପ୍ ଛଡ଼େଇ କୃତ୍ରିମ ହସ ଫୁଟେଇ ଅତିଥିଙ୍କୁ ଚା’ ପରଷି ଦିଅନ୍ତି । ଅନ୍ୟ ସହକର୍ମୀମାନେ ହଟ ଚମଟେଇର ଏ ଭେଳିକି ଦେଖି ପରସ୍ପର ଠରାଠରି ହୁଅନ୍ତି । ଗଜୁରୁ ଥିବା ପରିହାସକୁ ଦାବି ଦିଅନ୍ତି । ଗୁଞ୍ଜରଣ ଶୁଣାଯାଏ- “ୟେଟା ବେସରମୀ !” କଥାରେ ପୂର୍ଣ୍ଣଚ୍ଛେଦ ଦେଲେ ନରୋତ୍ତମ ବାବୁ ।

ଗୁଇନ୍ଦା ସଂସ୍ଥା ଯାହା ଜାଣି ପାରନ୍ତି ନାଇଁ ମାଇପି ସେ ସବୁର ଟେର ଜାଣିପାରିଥାନ୍ତି । ବିମ୍ୱାଧର ବାବୁଙ୍କ ସ୍ତ୍ରୀ ବଡ଼ ଚିନ୍ତାରେ ଥାନ୍ତି । ଚାମେଲି ମାଡ଼ାମ୍‌ଙ୍କ ନିକଟତମ ପଡ଼ୋଶୀ ସୁଲକ୍ଷଣା ଦେବୀ । ନିଜ ପିଲା ପରିବାର ଧରି ସୁଖରେ ଥଆନ୍ତି । ସେ ଚେତାଳ ଘରଣୀ ! ବୁଦ୍ଧିମତୀ ! ତାଙ୍କୁ ନିଜ ବଡ଼ପଣ ଦେଖାଇବାକୁ ଚାମେଲି ମାଡ଼ାମ୍ ଚେଷ୍ଟା କଲେ । ସୁଲକ୍ଷଣା ଦେବୀଙ୍କ ଦାଣ୍ଡ ଓ ବାଡ଼ିପଟକୁ ଜାଣି ଶୁଣି ଘରଧୁଆ ପାଣି ଛାଡ଼ିଲେ । ସୁଲକ୍ଷଣା ଦେବୀ ଭଦ୍ରତାକୁ ସମ୍ମାନ ଜଣାଇ ନିଜ ବଡ଼ପଣରେ ନିଜେ ପାଣି ଝାଡୁ କରି ଦେଉଥିଲେ । ସୁଲକ୍ଷଣା ଦେବୀଙ୍କ ଭଦ୍ରତାକୁ ଚାମେଲି ମାଡ଼ାମ୍ ଗାଉଁଲି ସ୍ତ୍ରୀଲୋକର ନିର୍ବୋଧତା ବୋଲି ଭାବିଲେ । ଉପଦ୍ରବ ବଢ଼ିବାକୁ ଲାଗିଲା । ଦୁଇଜଣଙ୍କ ବାଡ଼ି ପଟେ ଦୁଇଟି ପାଣି କୁଣ୍ଡ ତିଆରି ହୋଇଚି । ବାସନ ମାଜାମଜି କରିବା ପାଇଁ । କିନ୍ତୁ ଚାମେଲି ମାଡ଼ାମ୍‌ଙ୍କ ପିଲାମାନେ ତାଙ୍କୁ ସୁଇମିଂ ପୁଲ୍ ଭାବି ଡିଆଁଡେଇଁ କରନ୍ତି । କୁଣ୍ଡରୁ ପାଣି ବହକି ପଡ଼ି ସୁଲକ୍ଷଣା ଦେବୀ ଶୁଖାଥିବା ଲୁଗାପଟାରେ ମାଡ଼ିଯାଏ । ସୁଲକ୍ଷଣା ଦେବୀ ବାଟ ହୁଡ଼ିବାର ଦେଖିଲେ କାହାର ନୁହଁନ୍ତି । ମୁହେଁ ମୁହେଁ ଝାଡ଼ିଦେଇ ଗଲେ । ତୁରନ୍ତ ଆସି ପାଣି ସଫା କର । ନୋହିଲେ ତୋ ଲୁଗାପଟା ସବୁ ପାଣିରେ ଭସାଇ ଦେବି । ମଲି ମଲି ହୋଇ ଚାମେଲି ମାଡ଼ାମ୍ ଆରପଟକୁ ଯାଇ ପାଣି ଓଳାଇ ଦେଇ ଆସିଲେ । ସେହି ଦିନୁ ଜଣକର ଛାଇ ପଡ଼ିଲେ ଆର ଜଣକର ନାହି ଡିଏଁ । ଦିନେ ଲାଗୁ ଲାଗୁ ଲାଗି ଗଲେ । ଚାମେଲି ମାଡ଼ାମ୍ ଗାଳି ବର୍ଷଣ ଆରମ୍ଭ କଲେ- “ଆଲୋ ଗାଉଁଲି ମୂର୍ଖ ! ଦେଖେଇ ହେଉଚୁ. . . !” ସୁଲକ୍ଷଣା ଦେବୀ ତ କ୍ରୋଧରେ ଅଗ୍ନିଶର୍ମା ହୋଇ ଉଠିଲେ । “ଆଲୋ, ମୁଁ ତୋ ଭଳି ନିର୍ଲଜୀ ନୋହେ । କଥାରେ ଅଛି ପରା- ଆଗେଇଲା, ଆଗଉ ଆଗଉ ପାଖେଇଲା, ପାଖଉ ପାଖଉ ଦେଖାଇଲା, ଦେଖାଉ ଦେଖାଉ ଚଖାଇଲା । ତୁ ତ ଚଖେଇ ଚଖେଇ ସବୁ ସାରି ଦେଇଚୁ, ତୋର କ’ଣ ଅଛି ଯେ ଦେଖାଇ ହେବୁ । ମୋର ଅଛି ବୋଲି ମୁଁ ଦେଖାଉ ହେଉଚି ।” ଉଠା ମାଛ ମୁହଁରେ ପାହାର ପରି ଚାମେଲି ମାଡ଼ାମ୍‌ଙ୍କ ମୁହଁଟା ଏକା ଥରକେ ରଙ୍ଗା ପଡ଼ିଗଲା । ଲୋକ ଲଜ୍ଜାରେ ଆଉ ବାହାରେ ରହି ନ ପାରି ଏକ ମୁହାଁ ହୋଇ ଘର ଭିତରକୁ ପଶିଗଲେ ।

ଦିନେ ବିମ୍ୱାଧର ବାବୁଙ୍କ ପତ୍ନୀ ଚାମେଲି ମାଡ଼ାମ୍‌ଙ୍କ ଦୁଇଟା କ୍ୱାଟର୍ସର ଛାଡ଼ି ରହୁଥିବା ଲଳିତା ଦେବୀଙ୍କ ସହ ମାର୍କେଟ୍ ଯାଉଥିଲେ । କଥା ନହସରେ କହିଲେ- “କଣ କରିବି, ଯେତେ ଫୁଲଚାରା ମୁଁ ତାରବାଡ଼ କଡ଼ରେ ପୋତୁଚି ଚାମେଲି ମାଡ଼ାମ୍ ସବୁ ଆମ ଅଦେଖାରେ ଓପାଡ଼ି ଦେଉଚନ୍ତି । ଡାହାଣୀ ପରି ରାତି ବାରଟା ଗୋଟାଏ ପର୍ଯ୍ୟନ୍ତ ବୁଲନ୍ତି । ସମସ୍ତେ ଶୋଇଗଲା ପରେ ତାଙ୍କ କଲା କାମ କରନ୍ତି ।” ଏ କଥାର ପାଳି ଧରି ଲଳିତା ଦେବୀ ଟିପ୍ପଣୀ ଦେଲେ- “ସେଇଟା ତ ଜନ୍ମରୁ ଚୋରଣୀ । ସେ କ’ଣ ଚୋରି ନ କରେ । ଛାଡ଼ ଅକଥା ଗୁଡ଼ାକ କ’ଣ କହିବି ? ହେଲେ ଗତ ବର୍ଷର କଥା ତୁମେ କ’ଣ ଭୁଲିଗଲ କି ? ଦେଖ ହୋ, ଆମ ସାଙ୍ଗରେ ଲୁଗାବିକା ପ୍ରଦର୍ଶନୀକୁ ଯାଇଥିଲା । ନାକ ସୁଁ ସୁଁ କରୁଥିଲା । କହୁଥିଲା କ’ଣ ନା ଦେହ ଭଲ ନାହିଁ । ଗୋଟିଏ ଲେଡ଼ିଜ୍ ସାଲ ଘୋଡ଼େଇ ହୋଇ ଯାଇଥିଲା । ଯିଏ ଦେଖିବ- କେଉଁ ଦିନର ମଳୁ ! ଲୁଗାମେଳାରେ ସଞ୍ଜବେଳକୁ ଭାରି ଭିଡ଼ । ଦଶହରା ଘଡ଼ି । କାଞ୍ଜିବରମ୍, ସମ୍ୱଲପୁର ପାଟ, ମାଣିଆ ବନ୍ଧ ଶାଢ଼ି କେତେ କ’ଣ ଶାଢ଼ି ଦେଖାଇବାକୁ ଫାର୍ମାସି କଲା ମନମୋହିନୀ ଚାମେଲି । ଲୁଗା ଉପରେ ଲୁଗା ଗଦେଇ ଦେଲା ସେଲ୍ସମ୍ୟାନ୍ । ଏଣେ ହାତଗୋଡ଼ ବୁଲେଇବାକୁ ପଂଙ୍ଗ ନାଇଁ । ତେଣେ ଅନ୍ୟ ଗରାଖଙ୍କର ଚାହିଦା ମୁତାବକ ଲୁଗାପଟା ଦେଖାଇଲା ବେଳକୁ ଚୋମିଲ ଓର ଉଣ୍ଡି ଖଣ୍ଡେ ସମ୍ୱଲପୁରୀ ପାଟ କାଖତଳେ ଜାକି ଦେଲା । ଭିଡ଼ ମଧ୍ୟରେ ଦୋକାନଦାର କାଇଁକି ବା ଭଦ୍ର ମହିଳାଙ୍କୁ ସନ୍ଦେହ କରିବ । ଚାଖି ଚାଖି ଶେଷରେ ସବୁତକ ଶାଢ଼ି ଅପସନ୍ଦ କରି ଫେରି ଆସିଲା ଚାମେଲି । ନେଇ ଆଣି ଥୋଇ ପାରିଲେ ଚୋରି ବିଦ୍ୟା ଭଲ ବୋଲି ନିଜକୁ ତାରିଫ୍ କଲାବେଳେ ସାଙ୍ଗରେ ଯାଇଥିବା ପଡ଼ୋଶୀ ସ୍ତ୍ରୀଲୋକମାନେ ଚାମେଲି ମାଡ଼ାମ୍‌ଙ୍କ ପାରିଲା ପଣକୁ ଦେଖି ଫୁସରଫାସର ହେଉଥିଲେ ।”

ଲଳିତା ଦେବୀଙ୍କୁ କାଳିସୀ ଗ୍ରାସିଲା ପରି ଆଉ ଅଟକୁ ନଥାନ୍ତି । ଗାଡ଼ିର ଗିଅର ବଢ଼ାଇଲା ପରି କଥାର ଗତି ବଢ଼େଇ କହି ଚାଲିଥାନ୍ତି । ଗଣେଷ ପୂଜା, ସରସ୍ୱତୀ ପୂଜା, ଲକ୍ଷ୍ମୀ ପୂଜା, ଦୁର୍ଗାପୂଜା, ଅଷ୍ଟ୍ରପ୍ରହରୀ ଯଜ୍ଞ- ଏ ସବୁ ପର୍ବପର୍ବାଣି ପାଳନ ବେଳେ ଚାମେଲି ମାଡ଼ାମ୍ କନ କନ ହୋଇ ଭିଡ଼ ଭିତରେ ପଶିଯାନ୍ତି । ହେଲେ ଠାକୁର ଠାକୁରାଣୀଙ୍କୁ ପିଲା ପରିବାରର ଦୁଃଖ ନଜଣାଇ ପରର ଭଲ ଚପଲ ଉପରେ ଛଞ୍ଚାଣ ଆଖି ବୁଲାଉ ଥାନ୍ତି । ଉପଯୁକ୍ତ ଅବସର ଦେଖି ନୂଆ ଚପଲ ମାଡ଼ି ନିଜର ସାତ ଛିଣ୍ଡା ଚପଲ ଜନତାଜନାର୍ଦ୍ଦନାୟ ସ୍ୱାହା କରି ବେଦମ ହୋଇ ଘରକୁ ପଳାଇ ଆସନ୍ତି । ଏହି ସ୍ୱଭାବ ସହିତ ପରିଚିତ ଅନ୍ୟ ମାଡ଼ାମ୍‌ମାନେ ଘରକୁ ଆସି ରେଡ଼ହାଣ୍ଡେଡ୍ ନିଜର ଚପଲ ଜବତ କଲାବେଳେ ନେଫରା ହୋଇ ଚାମେଲି କହେ- “ବୁଝିଲ ନା, ତମେ ଆମ ଘରକୁ ଆସୁ ନାଇଁ । ଭାବିଲି, ତମ ଚପଲ ନେଇ ଆସିଲେ ତମେ ନିଶ୍ଚୟ ଆସି ଆମ ଘରେ ପହଞ୍ଚିବ । ମୋ ଭାବନା ସତ ହେଲା ।” ଘୁଅକୁ ମାଇଲେ ମୁହଁକୁ ପଡ଼େ ବୋଲି ଭାବି ଚୋର ମୁହଁଟାଣ ଦେଖି ନିଜ ସମ୍ମାନକୁ ଜଗି ପଳାଇ ଆସନ୍ତି ମାଡ଼ାମ୍‌ମାନେ ।

ଅନ୍ୟମାନଙ୍କ ସହିତ ଥରେ ଅଧେ ଦୁର୍ଘଟଣା ଘଟିଲେ ସିନା ସହି ହୋଇଯିବ, ହେଲେ ନିଜ ସହିତ ନିତି କଳହ ସୃଷ୍ଟିକୁ କେମିତି ବରଦାସ୍ତ କରନ୍ତେ ବିମ୍ୱାଧର ବାବୁଙ୍କ ପତ୍ନୀ । କେତେ ଯତ୍ନ କରି ସେ ନିଜର ଫୁଲ ବଗିଚାଟିକୁ ନିଜ ହାତରେ ଗଢ଼ିଛନ୍ତି । ଦେଖଣାହାରିଙ୍କ ଆଖି ସେଠାରେ କେତୋଟି ମୁହୂର୍ତ୍ତ ପାଇଁ ଲାଖି ହୋଇ ଯାଉଚି । ଚାମେଲି ମାଡ଼ାମ୍ କିନ୍ତୁ ହାତ ବଢ଼ାଇ ଫୁଲ ତୋଳି ନିଅନ୍ତି କିନ୍ତୁ ତାରବାଡ଼ରୁ ତାଙ୍କ ବାଡ଼ିପଟକୁ ମୁହଁ ଦେଖାଇଥିବା କଅଁଳିଆ ଡାଳଟିକୁ ନିର୍ମମ ଭାବରେ ଛେଦି ଦିଅନ୍ତି । ନିଜ ବାଡ଼ି କଡ଼ରେ ଖୁନ୍ଦି କରି ଶୁଖିଲା କାଠି କୁଟା ପକାଇ ଦିଆସିଲି ମାରି ଦିଅନ୍ତି । ତାଙ୍କ ପଟରେ ନିଆଁ ଜଳେ କିନ୍ତୁ ସେ ନିଆଁ ଧାସରେ ବିମ୍ୱାଧର ବାବୁଙ୍କ ବାଡ଼ି ପଟର ଫୁଲଡାଳଗୁଡ଼ିକ ଜଳି ପୋଡ଼ି ଯାଏ । ଚାମେଲି ମାଡ଼ାମ୍ ନିଜ ତା’ର ବାଡ଼ ମୂଳକୁ ଲଗାଇ କଦଳୀ ଗଛ ପୋତନ୍ତି । ମୂଳଟା ଥାଏ ତାଙ୍କ ପଟରେ । କଦଳୀ ଗଛର ଉପର ଗଣ୍ଡି ସ୍ନେହରେ ନଇଁ ଯାଇଥାଏ ତାରବାଡ଼କ ଏପଟକୁ ସମସ୍ତ ବାଉଁଙ୍ଗାକୁ ସାଙ୍ଗରେ ଧରି । କଥାରେ ଅଛି ପରା ଗଛର ଛାଇ ମଣିଷର ହାଇ ଯହିଁରେ ପଡ଼େ ତାହା ଉଧାଏ ନାଇଁ । କଦଳୀ ଗଛର ଛାଇରେ ବିମ୍ୱାଧର ବାବୁଙ୍କ ବାଡ଼ିରେ ଶାଗ ଗଛ ମଧ୍ୟ ମୁଣ୍ଡଟେକି ପାରୁ ନଥାଏ । ଦିନେ ଚାମେଲି ମାଡ଼ାମ୍ ଫୁଲଡାଳ ଭାଙ୍ଗୁଥିବା ଅବସ୍ଥାରେ ଦେଖି ଦେଲେ ବିମ୍ୱାଧରବାବୁଙ୍କ ପତ୍ନୀ । ଆଉ ସମ୍ଭାଳି ପାରିଲେ ନାଇଁ । ଆରମ୍ଭ ହୋଇଗଲା. . . । ଆଲୋ ତୁ କାଇଁକି ମୋ ଫୁଲଡ଼ାଳ ଭାଙ୍ଗୁଚୁ ? ଚାମେଲି ମାଡ଼ାମ୍ ତତଲା ଲୁହା ରଙ୍ଗରେ ଚିହିଁକି ଉଠିଲେ ବାଘୁଣୀ ପରି । ତୁ କାଇଁକି ମୋ କଦଳୀ ଗଛର ବାହୁଙ୍ଗାକୁ ଭାଙ୍ଗୁଚୁ ? ତୋ କଦଳୀ ଗଛ ମୋ ବାଡ଼ିକି ଛାଇ କରୁଚି, ହେଲେ ମୋ ଫୁଲ, ଲତା କନିଅରି, ଅପରାଜିତା କ’ଣ ତୋ ବାଡ଼ିରେ ଛାଇ କରୁଚି ? ତୋ ଫୁଲଲତା ମୋ ବାଡ଼ିରେ କାଇଁକି ମାଡୁଚି ? ବାଡ଼ଟା ତ ମଝିରେ ସରକାର ତିଆରି କରିଚି, ବାଡ଼ଟା କ’ଣ ତୋ ଏକା ? ମୋ କଦଳୀ ଗଛ ତୋ ବାଡ଼ିକି ଯାଉ ନାଇଁ, ସେ ଆକାଶକୁ ଯାଉଚି । ଆକାଶଟା କ’ଣ ତୋର ଏକା ? ବିମ୍ୱାଧର ବାବୁ ଏକ ବାକ୍‌ବିତଣ୍ଡାରୁ ଯୁକ୍ତିର ଖିଅ ଖୋଜୁଥିଲେ । ସ୍ତ୍ରୀକୁ ସିନା କଳିର ଲତାଟାକୁ ଆଉ ନ ମଡ଼େଇବା ପାଇଁ ତାଗିଦା କରିଦେଲେ, ହେଲେ ଆକାଶର ସୀମା ସମ୍ୱନ୍ଧରେ ସେ ନିଜେ ଗୋଲୋକଧନ୍ଦାରେ ପଡ଼ିଗଲେ । ଏ ଧରିତ୍ରୀରେ ଦେଶମାନେ ଆକାଶକୁ ଭାଗ ଭାଗ କରି ବାଣ୍ଟି ନେଇଛନ୍ତି । କିନ୍ତୁ ଚାମେଲି ମ୍ୟାଡ଼ାମ୍ ଆକାଶ ଯେମିତି ବାଣ୍ଟିବାକୁ କହିଲେ କଥାଟା ନାପସନ୍ଦ ହେଉଚି । ଆକାଶକୁ ବାଣ୍ଟିବାକୁ ହେଲେ ଭୂଇଁର ସୀମାକୁ ଧରିବାକୁ ହେବ । ଜଣକର ଭୂଇଁ ଉପରେ ଥିବା ଆକାଶ ଅନ୍ୟ ଜଣକର ହେବ କିପରି ? ବିମ୍ୱାଧର ବାବୁ ଦ୍ୱନ୍ଦ୍ୱରେ ପଡ଼ି ଭାବୁଥିଲେ- ସତରେ ଆକାଶଟା କାହାର ???

ଲୋକପ୍ରିୟ ଲେଖା

To Top