ଗଳ୍ପ

ଆମାଲି

Ritika Pattanaik's odia Story Aamaali

ମୁଁ ସେମାନଙ୍କର ସଙ୍ଗୀତ ଶୁଣିବାକୁ ଚାହେଁ । ସେମାନେ ଦୂରଦୂରାନ୍ତରରୁ ଆସିଛନ୍ତି ମୋ ପରିବାରର ମୃତ୍ୟୁ ସଙ୍ଗୀତ ଗାନ କରିବାକୁ । କି ସୁନ୍ଦର !

ଆମାଲି

ମୂଳ ରଚନା-ଲେଖକ ଏଚ୍ .ଏଚ. ମୁନ୍ରୋ ‘ସାକି’

(ପ୍ରସିଦ୍ଧ ବ୍ରିଟିଶ ଲେଖକ ଏଚ୍ .ଏଚ. ମୁନ୍ରୋ ବା ସାକିଙ୍କ ରଚିତ ଅନେକ କ୍ଷୁଦ୍ର ଗଳ୍ପ ମଧ୍ୟରୁ ‘ଦ ଉଲଫସ୍ ଅଫ ସର୍ନୋଗ୍ରାଜ’ (The Wolves of Cernogatz) ଅନ୍ୟତମ )

“ଏହି ପ୍ରସାଦ ସହିତ କିଛି କାହାଣୀ ଜଡ଼ିତ ଅଛି କି?” କନରାର୍ଡ ତାଙ୍କ ଭଉଣୀଙ୍କୁ ପଚାରିଲେ । ହାମବର୍ଗ ନିବାସୀ କନରାର୍ଡ ଜଣେ ସମୃଦ୍ଧ ବ୍ୟବସାୟୀ । ଲାଭକ୍ଷତିର ହିସାବ ନିକାଶରେ ବ୍ୟସ୍ତ ଏକ ବାସ୍ତବବାଦୀ ବ୍ୟବସାୟୀ ପରିବାରର କନରାର୍ଡ ହେଲେ ଏକମାତ୍ର କଳ୍ପନା ପ୍ରବଣ ସଦସ୍ୟ ।

ବେଶ୍ ହୃଷ୍ଟପୃଷ୍ଟ ବ୍ୟାରୋନେସ୍ ଶ୍ରୀମତୀ ଗ୍ରୁବେଲଙ୍କ ଉତ୍ତରରେ ଥିଲା ଉଦାସୀନତା , “ପୁରୁଣା ପ୍ରସାଦଗୁଡ଼ିକ ସହିତ ସବୁବେଳେ କିଛି ନା କିଛି କାହାଣୀ ଯୋଡ଼ି ହୋଇରହିଥାଏ । ଏହି ସବୁୁ କାହାଣୀ ଗଢ଼ିବାକୁ କିଛି କଷ୍ଟ କିମ୍ବା ବିଶେଷ ଖର୍ଚ୍ଚାନ୍ତ ବି ହେବାକୁ ପଡ଼ିନଥାଏ । ଏହି ପ୍ରସାଦକୁ ନେଇ ମଧ୍ୟ ଏକ କାହାଣୀ ଅଛି ଯେ ଏହି ପ୍ରସାଦରେ ଯଦି କାହାର ମୃତ୍ୟୁ ହୁଏ ତା’ହେଲେ ଗାଁଟାଯାକର କୁକୁର ଓ ଜଙ୍ଗଳୀ ପଶୁ ରାତିସାରା ବିଳାପ କରନ୍ତି ।”

“ବଡ଼ ବିଚିତ୍ର ଓ ରୋମାଞ୍ଚକର ତ…,” କହିଲେ ହାମବର୍ଗର ବ୍ୟବସାୟୀ ।

“କାହାଣୀ ଯାହା ହେଉ ନା କାହିଁକି, ଏହା ପଛରେ କୌଣସି ସତ୍ୟତା ନାହିଁ,” ବ୍ୟାରୋନେସ୍ କଣ୍ଠରେ ଦୃଢ଼ ଆତ୍ମସନ୍ତୁଷ୍ଟି ବାରିହେଇପଡ଼ୁଥିଲା ଓ ସେ କହି ଚାଲିଲେ,

“ସେମିତି କିଛି ଘଟେନା ବୋଲି ଆମ ପାଖରେ ଏହି ଘର କିଣିବା ଦିନଠାରୁ ପ୍ରମାଣ ଅଛି । ଗତ ବସନ୍ତ ଋତୁରେ ମୋ ବୃଦ୍ଧା ଶାଶୁଙ୍କର ମୃତ୍ୟୁ ଘଟିଲା କିନ୍ତୁ କୌଣସି ପଶୁର ବିଳାପ ଆମେ ତ ଶୁଣିଲୁ ନାହିଁ । ଏସବୁ ଏକ ପ୍ରକାରର ଗୁଜବ, ମନଗଢ଼ା କାହାଣୀ ବ୍ୟତୀତ ଆଉ କିଛି ନୁହେଁ । ବିନା ଖର୍ଚ୍ଚରେ ଏସବୁ କାହାଣୀ ଏହିଭଳି ପ୍ରସାଦମାନଙ୍କୁ ଏକ ଆକର୍ଷଣୀୟ ମର୍ଯ୍ୟାଦା ଦିଏ ।”

“କାହାଣୀଟି ଆପଣ କହୁଥିବା କାହାଣୀ ପରି ନୁହେଁ ।,” ଆମାଳି କହିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ବୁଲି ଚାହିଁଲେ । କାରଣ ଆମାଳି ସ୍ୱଭାବତଃ ଚୁପ୍‌ଚାପ୍ ଓ ନୀରବରେ ଟେବୁଲର ଏକ କୋଣରେ ବସିଥାଆନ୍ତି । କେହି ତାଙ୍କ ସହ ପ୍ରଥମେ କଥାବାର୍ତ୍ତା ନକଲେ ସେ କାହା ସହିତ କଥା ହୁଅନ୍ତିନି । ତାଙ୍କ ସହ କଥା ହେବା ପାଇଁ ମଧ୍ୟ ବହୁତ କମ୍ ଲୋକ ଆଗ୍ରହ ଦେଖାନ୍ତି । ଆଜି ହଠାତ୍ କେମିତିି ସେ ନିଜ ତରଫରୁ କଥା ଆରମ୍ଭ କଲେ ! ବେଶ୍ ଉତ୍ସୁକତାର ସହତି ସେ କହିଚାଲିଥିଲେ । କଣ୍ଠରେ କିଛିଟା ସଂକୋଚ ଅବଶ୍ୟ ଥିଲା କିନ୍ତୁ ଅନର୍ଗଳ ଭାବେ ସେ ଗପି ଚାଲିଥିଲେ ସାମ୍ନାକୁ ଅନେଇ, କିନ୍ତୁ ସେମିତି କାହାକୁ ଖାସ୍ ଲକ୍ଷ୍ୟ କରି ନୁହେଁ ।

“ଏମିତି ସେମିତି ବ୍ୟକ୍ତିଙ୍କର ମୃତ୍ୟୁରେ ପଶୁମାନଙ୍କ ବିଳାପ ଶୁଣାଯାଏନି । ଯଦି ଏହି ପ୍ରସାଦରେ କୌଣସି ସର୍ନୋଗ୍ରାଜ୍ ବଂଶଜ ବ୍ୟକ୍ତିଙ୍କର ମୃତ୍ୟୁ ବେଳା ପାଖେଇ ଆସେ ତେବେ ହିଁ ଦୂରଦୂରନ୍ତାରରୁ ଜଙ୍ଗଲି ଗଧିଆମାନେ ଜଙ୍ଗଲ ସୀମାରେ ଏକତ୍ରିତ ହୋଇ କ୍ରନ୍ଦନ କରନ୍ତି । ଏହି ଇଲାକାରେ ବହୁତ ବେଶୀ ଗଧିଆ ନାହାନ୍ତି ଅବଶ୍ୟ, କିନ୍ତୁ ସେମିତି ସମୟରେ ଆସିଲେ କେଉଁଠୁ କେଜାଣି ଶହ ଶହ ଗଧିଆ ମେଳା ବାନ୍ଧି କରୁଣ ରୋଦନ କରନ୍ତି । ଏହି ପ୍ରସାଦର ପୋଷା କୁକୁର ଓ ଗାଁର ତଥା ଆଖପାଖ ଚାଷଖଳାର ଯେତକ କୁକୁର ସବୁ ମଧ୍ୟ ଭୟ ତଥା କ୍ରୋଧରେ ପ୍ରତିଉତ୍ତର ଦିଅନ୍ତି, ସେମାନଙ୍କ ଢଙ୍ଗରେ ଏବଂ ଯେମିତି ଶରୀରରୁ ଆତ୍ମା ଛାଡ଼େ, ଉଦ୍ୟାନର ଏକ ବୃକ୍ଷ ଅକସ୍ମାତ୍ ଉପୁଡ଼ି ପଡ଼େ । ଏହା ଘଟେ ଯେବେ କୌଣସ ସର୍ନୋଗ୍ରାଜ୍ ଏହି ପ୍ରସାଦରେ ମୃତ୍ୟୁବରଣ କରେ । କିନ୍ତୁ ଏକ ଅଣ- ସର୍ନୋଗ୍ରାଜ୍ ପାଇଁ ଏପରି ଜଙ୍ଗଲି ଗଧିଆଙ୍କର ବିଳାପ ବା ଗଛ ଉପୁଡ଼ି ପଡ଼ିବାର କେବେ ଘଟେ ନାହିଁ । ନା, କେବେ ନୁହେଁ ।”

ତାଙ୍କ ଶେଷ କେହି ପଦ କଥାରେ ବିରୋଧାଭାସ୍ ଥିଲା । ଅତି ଦାମୀ ପୋଷାକରେ ସଜ୍ଜିତା ସଂପନ୍ନା ବ୍ୟାରୋନେସ୍ କଟମଟ ଚାହିଁଲେ ପୁରୁଣା, ମଳିନ ବସ୍ତ୍ର ପରିହିତା ବୃଦ୍ଧାଙ୍କୁ । ନିଜକୁ ସର୍ବଦା ଆଢୁଆଳରେ ରଖୁଥିବା ଏ ବୃଦ୍ଧା ଧାଈଙ୍କର ଆଜି ଏଭଳି ଔଦ୍ଧତ୍ୟ !

“ତୁମେ ବୋଧେ ଭନ୍ ସର୍ନୋଗ୍ରାଜ୍ ପରିବାର ବିଷୟରେ ବହୁତ କିଛି ଜାଣିଛ …. । ମୁଁ ଜାଣିନଥିଲି ପରିବାର ଇତିହାସରେ ଋଚି ରଖୁଥିବା ତୁମେ ଜଣେ ଧୁରୀଣ ବ୍ୟକ୍ତିତ୍ୱ ବୋଲି ।” ବ୍ୟାରୋନେସ୍ କଟାକ୍ଷ କଲେ ।

ଏଭଳି ବିଦ୍ରୁପର ପ୍ରତିଉତ୍ତର ଆମାଳିଙ୍କ ପ୍ରଥମ ପ୍ରତିକ୍ରିୟାଠୁ ବି ଆହୁରି ଆଶ୍ଚର୍ଯ୍ୟଜନକ ତଥା ଅପେକ୍ଷାତୀତ ଥିଲା ।

“ମୁଁ ଏକ ଭନ୍ ସର୍ନୋଗ୍ରାଜ୍,”, ବୃଦ୍ଧା ଜଣକ କହିଲେ । “ତେଣୁ ଏହି ବଂଶ ବିଷୟରେ ବହୁତ କିଛି ଜାଣିଛି ।”

“ତୁମେ ଭନ୍ ସର୍ନୋଗ୍ରାଜ୍, ତୁମେ ….!”,ଏକ ସମ୍ବିଳିତ ସ୍ୱରର ଲହରୀରେ ଭରି ରହିଥିଲା ଅବିଶ୍ୱାସର ଛିଟା ।

“ଆମେ ଯେତେବେଳେ ଅତି ଗରୀବ ହେଇଗଲୁ, ମୋତେ ବାହାରକୁ କାମ କରିବା ଉଦ୍ଧେଶ୍ୟରେ ଯିବାକୁ ପଡ଼ିଲା,” ଆମାଳି ବୁଝାଇଲେ । “ପାଠ ପଢାଇବା ବୃତ୍ତିକୁ ସୁହାଇବା ଭଳି ନାମଟିଏ ମୋତେ ଆପଣେଇବାକୁ ପଡ଼ିଲା । ମୋର ଜେଜେବାପା ତାଙ୍କ ବାଲ୍ୟବସ୍ଥା ଏହି ପ୍ରସାଦରେ କଟାଇଥିଲେ ଆଉ ମୋ ବାପା ଏହି ପ୍ରସାଦ ବିଷୟରେ ଅନେକ ଗଳ୍ପ କହିଥିଲେ । ତେଣୁ ମୁଁ ଆମ ପରିବାର ଇତିହାସ ବିଷୟ ଏବଂ ତାହା ସହିତ ଜଡ଼ିତ ଅନେକ କାହାଣୀ ବିଷୟରେ ବେଶ୍ ଅବଗତ । ଯେତେବେଳେ କିଛି ବି ରୁହେନା କେବଳ ସ୍ମୃତି ଛଡ଼ା, ଜଣେ ଅତି ସଜତ୍ନେ ସେଗୁଡ଼ିକ ସାଇତି ରଖେ । ମୁଁ ଯେତେବେଳେ ଆପଣଙ୍କ ନିକଟରେ ଚାକିରି କଲି, ଜାଣିନଥିଲି ଯେ ଦିନେ ନିଜ ପରିବାରର ପୁରୁଣା ଗୃହକୁ ଫେରିଆସିବି ।”

ବୃଦ୍ଧା ଆମାଳି ଏତକ କହିସାରିବା ବେଳକୁ କୋଠରୀରେ ନିରବତା ଛାଇ ଯାଇଥିଲା । ବ୍ୟାରୋନେସ୍ ପରିବାର ଇତିହାସଠାରୁ ଅପେକ୍ଷାକୃତ ହାଲ୍କା କଥା କହି କଥାର ମୋଡ଼ ବଦଲାଇଲେ । କିନ୍ତୁ ବୃଦ୍ଧା ଧାଈ ଜଣକ ଚୁପ୍‌ଚାପ୍ ତାଙ୍କ କାମରେ ଚାଲିଯିବା ପରେ, ବାତାବରଣ କୋଳାହଳମୟ ହୋଇଉଠିଲା । ସେଥିରେ ଭରି ରହିଥିଲା ଅବିଶ୍ୱାସ ତଥା ବିଦ୍ରୁପ ।

“ଏତେ ବେଖାତିର !,” ବ୍ୟାରୋନଙ୍କ କଣ୍ଠରେ ଥିଲା ରୁକ୍ଷତା ଓ ଆଖିରେ ଘୃଣାମିଶ୍ରିତ ବିସ୍ମୟ । “ସେ ସ୍ତ୍ରୀଲୋକ ଆମ ଟେବୁଲରେ ବସି ଏତେ କଥା କହିଗଲା । ଯେମିତି ପରୋକ୍ଷରେ ଇଙ୍ଗିତ ବି କଲା ଆମେ ତା ସାମ୍ନାରେ କିଛି ବିି ନୁହଁ । ମୁଁ ତା’ର ଗୋଟିଏ କଥାକୁ ମଧ୍ୟ ବିଶ୍ୱାସ କରେନା । ସେ ଏକ ସାଧାରଣ ବର୍ଗର କର୍ମଜୀବୀ ଛଡ଼ା ଆଉ କିଛି ନୁହେଁ । ସେ ଗାଁର କିଛି କୃଷକମାନଙ୍କଠୁ ଭନ୍ ସର୍ନୋଗ୍ରାଜ୍ ପରିବାର ବିଷୟରେ ଜ୍ଞାନ ଆହରଣ କରି ସେସବୁକୁ କାହାଣୀର ରୂପ ଦେଉଛି ।”

“ସେ ଏଭଳି ଭାବେ ନିଜର ଗୁରୁତ୍ୱ ବଢ଼ାଇବାକୁ ଚାହୁଁଛନ୍ତି । ସେ ଜାଣନ୍ତି ଯେ ସେ ବହୁତ ଶୀଘ୍ର କାମରୁ ବାହାର ହୋଇଯିବେ । ତେଣୁ ଆମମାନଙ୍କ ସମବେଦନା ଜିଣିବାକୁ ଚାହୁଁଛନ୍ତିି । ତାଙ୍କର ଜେଜେବାପା ! ସର୍ନୋଗ୍ରାଜ୍, ! ହୁଃ!” ବ୍ୟାରେନେସ୍ କହିଲେ ।

ବ୍ୟାରୋନେସ୍‌ଙ୍କର ବି ତ କେତେ ଜେଜେବାପା ଅଛନ୍ତି କିନ୍ତୁ ସେ କେବେ ବାହାଦୂରୀ ଦେଖାଇ ଏସବୁ କହିନାହାନ୍ତି ।

“ମୁଁ ଦମ୍ଭର ସହ କହିପାରେ ତାଙ୍କ ଜେଜେବାପା ଏହି ପ୍ରସାଦର ରୋଷେୟା କିମ୍ବା ସେହିଭଳି କିଛି କର୍ମରେ ନିୟୋଜିତ ଥିବେ ।” ହସି ହସି କହିଲେ ବ୍ୟାରୋନେସ୍ । “ସେତିକି କଥା ହିଁ ସତ ।”

ହ୍ୟାମବର୍ଗର ବ୍ୟବସାୟୀ ଜଣକ କିନ୍ତୁ କିଛି କହିଲେ ନାହିଁ । ବୃଦ୍ଧା ଜଣକ ନିଜ ସ୍ମୃତିକୁ ଜଗି ରଖିଛନ୍ତି ବୋଲି କହୁଥିବାବେଳେ ତାଙ୍କ ଆଖି ଲୁହରେ ଭିଜି ଆସୁଥିବା ସେ ଲକ୍ଷ୍ୟ କରିଛନ୍ତି ନା ଏକ କଳ୍ପନା ପ୍ରବଣ ବ୍ୟକ୍ତିତ୍ୟ ହୋଇଥିବାରୁ ତାଙ୍କୁ ସେମିତି ଲାଗିଥିବ ବୋଧହୁଏ ।

“ନୂଆବର୍ଷ ଉତ୍ସବ ପରେ ମୁଁ ତାଙ୍କୁ ଚାକିରୀ ଛାଡ଼ିବା ପାଇଁ ନୋଟିସ୍ ଦେବି ।” ବ୍ୟାରେନେସ୍ କହିଲେ । ସେ ପର୍ଯ୍ୟନ୍ତ ମୋର ବହୁତ କାମ, ତାଙ୍କ ବିନା କାମ ଚଳେଇ ପାରିବିନି ।”

କିନ୍ତୁ ବ୍ୟାରୋନେସ୍‌ଙ୍କୁ ବୃଦ୍ଧାଙ୍କ ବିନା ହିଁ କାମ ଚଳାଇନେବାକୁ ପଡ଼ିଲା । କାରଣ କ୍ରିସ୍‌ମାସ୍ ପର ପ୍ରଚଣ୍ଡ ଶୀତ, ଥଣ୍ଡା ପାଗ ଆମାଳିଙ୍କୁ ଅସୁସ୍ଥ କରିଥିବା ହେତୁ ସେ ତାଙ୍କ କୋଠରୀରୁ ବାହାରକୁ ଆସି ପାରିଲେ ନାହିଁ ।

“ଏହା ବଡ଼ ବିରକ୍ତିକର,” ବର୍ଷ ଶେଷର ବିଦାୟକାଳୀନ ସନ୍ଧ୍ୟାରେ ବୈଠକଖାନାରେ ନିଆଁକୁଣ୍ଡ ଚାରିପଟେ ଆସର ଜମେଇଥିବା ବନ୍ଧୁମାନଙ୍କ ଉଦ୍ଧେଶ୍ୟରେ ବ୍ୟାରୋନେସ୍ କହିଲେ । “ମୋର ତ କାହିଁ ମନେ ପଡ଼ୁନି ସେ କେବେ ଏମିତି ଭୀଷଣ ଅସୁସ୍ଥ ହେଇଥିବା କଥା, ଯାହା ତାଙ୍କୁ ଏତେ ଅଥର୍ବ କରିଦେଇଥିଲା । ଆଉ ଏବେ ତ ଘରେ କୁଣିଆ ଭର୍ତ୍ତି , ସେ ମୋତେ କେତେ କାମରେ ସାହାଯ୍ୟ କରିଥାଆନ୍ତେ । ବେମାର ପଡ଼ିଗଲେ । ଅବଶ୍ୟ ତାଙ୍କ ପାଇଁ ଜଣେ ଦୁଃଖିତ । ସେ କେତେ ଶୁଖିଲା ଦେଖାଯାଉଛନ୍ତି । ତଥାପି ଏହା ଖୁବ୍ ଅସ୍ୱସ୍ତିକର ।”

“ସତରେ ବିରକ୍ତିକର । ବ୍ୟାଙ୍କରଙ୍କ ପତ୍ନୀ ସହମତି ପ୍ରକାଶ କଲେ, କିନ୍ତୁ ସ୍ୱରରେ ଥିଲା ସମବେଦନା । “ପ୍ରଚଣ୍ଡ ଥଣ୍ଡା ବୋଧେ ବୃଦ୍ଧଲୋକଙ୍କୁ ଏଭଳି ବେମାର କରିଦିଏ । ଏ ବର୍ଷ ଶୀତର ପ୍ରକୋପ ତ ଅସ୍ୱାଭାବିକ ଭାବେ ବଢ଼ିଯାଇଛି ।”

“ଏ ବର୍ଷର ବରଫପାତ ଗତ ସବୁ ବର୍ଷର ବରଫପାତରୁ ବଳିଯାଇଛି,” କହିଲେ ବ୍ୟାରୋନେସ୍ ।

“ଅବଶ୍ୟ ତାଙ୍କ ବହୁତ ବୟସ ହେଇଗଲାଣି । ମୁଁ ତାଙ୍କୁ କାମରୁ ଅବ୍ୟାହତି ଦେଇଥିଲେ ଭଲ ହୋଇଥାଆନ୍ତା । ତା’ ହେଲେ ସେ ଅସୁସ୍ଥ ତ ହୋଇନଥାନ୍ତେ ।” ବ୍ୟାରୋନେସ୍ କହିଲେ । “ଆରେ ୱାପି..ତୋର କ’ଣ ହେଲା?” ଛୋଟିଆ ଲୋମଶ କୁକୁରଟି ହଠାତ୍ ତା’ କୁସନ ତଳକୁ ଡ଼େଇ ପଡ଼ି ଥରିଥରି ସୋଫା ତଳେ ଲୁଚିଗଲା । ଏହି ସମୟରେ ପ୍ରସାଦ ପରିସରରେ ଥିବା ଅନ୍ୟ କୁୁକୁରମାନଙ୍କର କରୁଣ ଓ କ୍ରୋଧଭରା ଭୁକିବା ଆରମ୍ଭ ହୋଇଗଲା । ଦୂରଦୂରନ୍ତାରରୁ ମଧ୍ୟ କୁକୁରମାନଙ୍କ ଚିତ୍କାର ଶୀତ ରାତିର ନିଶବ୍ଦ ବାତାବରଣକୁ ରହସ୍ୟମୟ କରିଦେଲା ।

“କ’ଣ ହେଲା ? ପଶୁଗୁଡ଼ିଙ୍କୁ କ’ଣ ବିବ୍ରତ କରୁଛି ? ବ୍ୟାରୋନ ପଚାରିଲେ । ତା’ପରେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କୁ ସେହି ଶବ୍ଦ ଶୁଣାଗଲା ଯାହା କୁକୁରମାନଙ୍କ ଭୟ ଓ କ୍ରୋଧର କାରଣ ଥିଲା । ଏକ ସୁଦୀର୍ଘ ବିଳାପ, କେବେ ଧୀର, ତ କେବେ ତୀବ୍ର । ଏକ ମୁହୂର୍ତ୍ତରେ ଲାଗୁଥିଲା ବହୁତ ଦୂରରୁ ତ ପର ମୁହୂର୍ତ୍ତରେ ଲାଗୁଥିଲା ପ୍ରସାଦ ପ୍ରାଚୀର ନିକଟରୁ ଭାସି ଆସୁଛି ଯେମିତି ।

“ଜଙ୍ଗଲି ଗଧିଆ! ବ୍ୟାରୋନ ଚିତ୍କାର କଲେ । ସେ ବିଳାପ ହଠାତ୍ ବଦଳିଗଲା, ଏକ ସମ୍ବଳିତ ସ୍ୱରରେ , ଯେମିତି ଚତୁର୍ଦ୍ଧିଗରୁ ଭାସିଆସୁଛି ।

“ଶହ ଶହ ଗଧିଆ …..,”କହିଲେ ହାମବର୍ଗର ବ୍ୟବସାୟୀ ।

କୌଣସି ଏକ ଅଜଣା ଆବେଗରେ ଟାଣି ହେଇ ବ୍ୟାରୋନେସ୍ ତାଙ୍କ ବନ୍ଧୁମାନଙ୍କୁ ଛାଡ଼ି ବୃଦ୍ଧା ଧାଈ ଆମାଳିଙ୍କ ସଂକୀର୍ଣ୍ଣ, ବିଷର୍ଣ୍ଣ କୋଠାରୀ ଦିଗରେ ଅଗ୍ରସର ହେଲେ । ସେଇ କୋଠରୀ, ଯେଉଁଠି ଶଯ୍ୟାରେ ପଡ଼ି ରହି ବୃଦ୍ଧା ଧାଈ ଜଣକ ବିଦାୟକାଳୀନ ବର୍ଷର ସମୟ ଗଣୁଥିଲେ । ଶୀତ ରାତ୍ରୀର ପ୍ରଚଣ୍ଡ ଥଣ୍ଡା ସତ୍ୱେ ତାଙ୍କ କୋଠରୀର ଝରକାଗୁଡ଼ିକ ଖୋଲାଥିଲା । ବ୍ୟାରୋନେସ୍ ଦୌଡ଼ି ଗଲେ ଝରକାସବୁ ବନ୍ଦ କରିବା ପାଇଁ ।

“ସେସବୁ ଖୋଲା ଛାଡ଼ିଦିଅ..,”ବୃଦ୍ଧା ଜଣକ କହିଲେ । ଏକ କ୍ଷୀଣ ଅଥଚ ଦୃଢ଼ ସ୍ୱର ଯାହା ବ୍ୟାରୋନେସ୍ ପୂର୍ବରୁ କେବେ ଶୁଣିନଥିଲେ ।

“କିନ୍ତୁ ତୁମେ ଥଣ୍ଡାରେ ଜଡ଼ ହୋଇଯିବ ଯେ,” ବ୍ୟାରୋନେସ୍ ପ୍ରତିବାଦ କଲେ ।

“ମୁଁ ତ ସେମିତି ବି ମରିବାକୁ ଯାଉଛି,” ବୃଦ୍ଧା ଜଣକ କହିଲେ । ମୁଁ ସେମାନଙ୍କର ସଙ୍ଗୀତ ଶୁଣିବାକୁ ଚାହେଁ । ସେମାନେ ଦୂରଦୂରାନ୍ତରରୁ ଆସିଛନ୍ତି ମୋ ପରିବାରର ମୃତ୍ୟୁ ସଙ୍ଗୀତ ଗାନ କରିବାକୁ । କି ସୁନ୍ଦର ! ମୁଁ ଅନ୍ତିମ ଭନ୍ ସର୍ନୋଗ୍ରାଜ୍ ଯିଏକି ଆମର ଏହି ପୁରୁଣା ଉଆସରେ ମୃତ୍ୟୁବରଣ କରିବ । ଆଉ ସେମାନେ ମୋ ପାଇଁ ଗୀତ ବୋଲିବାକୁ ଆସିଛନ୍ତି । ଶୁଣ ! କେତେ ଜୋର୍‌ରେ ସେମାନେ ଡାକୁଛନ୍ତି ।”

ଗଧିଆମାନଙ୍କ ଏକତାନ କାନ୍ଦଣା ଶୀତ ରାତିର ବୁକୁ ଚିରି ପ୍ରସାଦ ସାରା ପ୍ରକମ୍ପିତ ହେଲା । ବୃଦ୍ଧା ଜଣକ ମୁହଁରେ ଏକ ଖୁସିର ଛାୟା ଥିଲା ଯାହା ହୁଏତ ତାଙ୍କ ଜୀବନରେ ବହୁତ ଡେରିରେ ଆସିଥିଲା ।

“ଚାଲି ଯାଅ !, ସେ ବ୍ୟାରୋନେସ୍‌ଙ୍କୁ କହିଲେ । “ମୁଁ ଆଉ ଏକ୍‌ଲା ନୁହେଁ । ମୁଁ ସେଇ ବିଖ୍ୟାତ ପୁରାତନ ପରିବାରର ଜଣେ…”

“ବୋଧହୁଏ ତାଙ୍କ ମୃତ୍ୟୁ ସମୟ ଆସନ୍ନ,” ବ୍ୟାରୋନେସ୍ ନିଜ ବନ୍ଧୁମାନଙ୍କ ନିକଟକୁ ଫେରିଯାଇ କହିଲେ । “ଡାକ୍ତରଙ୍କୁ ଡାକିବାକୁ ହେବ । ଓଃ ! ଏ ଭୟଙ୍କର ବିଳାପ । ମୋତେ ଯେତେ ପଇସା ଦେଲେ ବି ମୁଁ ଏମିତି ମୃତ୍ୟୁ ସଙ୍ଗୀତ ଶୁଣିବିି ନାହିଁ ।”

“ଏଭଳି ସଂଗୀତ କେବେ ଅର୍ଥ ଦ୍ୱାରା କିଣାଯାଇପାରିବ ନାହିଁ, ” କହିଲେ କନରାର୍ଡ ।

“ଶୁଣ ! ଗୋଟାଏ ଅଲଗା ପ୍ରକାରର ଶବ୍ଦ,” ବ୍ୟାରୋନ ସମସ୍ତଙ୍କୁ କହିଲେ । ବାହାର ଉଦ୍ୟାନରେ କିଛି ଫାଟିବା ଓ ଧଡ଼ାସ୍ କରି ଉପୁଡ଼ି ପଡ଼ିବାର ଶବ୍ଦ ଶୁଣାଗଲା ।

ଏକ ବୃକ୍ଷ ଉପୁଡ଼ି ଯିବାର ଶବ୍ଦ । କ୍ଷଣିକର ଅସୁସ୍ଥିକର ନିରବତା ପରେ ବ୍ୟାଙ୍କରଙ୍କ ପତ୍ନୀ କହିଲେ, “ପ୍ରଚଣ୍ଡ ଶୀତ ଗଛଗୁଡ଼ିକ ଫଟାଇ ଦେଉଛି । ଏଇ ଶୀତ ସକାଶେ ହିଁ ଏତେ ସଂଖ୍ୟକ ଜଙ୍ଗଲି ଗଧିଆ ପଦାକୁ ଆସି ବିଳାପ କରୁଛନ୍ତି । କେତେ ବର୍ଷ ପରେ ଏମିତି ଶୀତ ପଡ଼ିଛି ।”

ବ୍ୟାରୋନେସ୍ ସହମତି ପ୍ରକାଶ କଲେ ।

ଝରକା ଖୋଲା ଥିବା ହେତୁ ଭୀଷଣ ଥଣ୍ଡା ଯୋଗୁଁ ବୃଦ୍ଧାଙ୍କ ହୃଦକ୍ରିୟା ବନ୍ଦଜନିତ ମୃତ୍ୟୁ ଘଟିଲା । ତେଣୁ କୌଣସି ଡାକ୍ତରୀ ଚିକିତ୍ସା ଦରକାର ନଥିଲା ।

କିନ୍ତୁ ପରଦିନ ଖବରକାଗଜରେ ଲେଖାଟିଏ ଥିଲା-

୨୯ ଡିସେମ୍ବର, ସର୍ନୋଗ୍ରାଜ୍ ପ୍ରସାଦ…ବାରୋନ୍ ଓ ବ୍ୟାରୋନେସ୍‌ଙ୍କ ପୁରୁଣା ବନ୍ଧୁ ଆମାଲି ଭନ୍ ସର୍ନୋଗ୍ରାଜ୍‌ଙ୍କ ମୃତ୍ୟୁ ।


ସର୍ନୋଗ୍ରାଜ୍ -ଏକ କୁଳୀନ ସମ୍ଭ୍ରାନ୍ତ ପରିବାର
ବ୍ୟାରୋନ, ବ୍ୟାରୋନେସ୍ -ଇଉରୋପର ବିତ୍ତଶାଳି ବ୍ୟବସାୟୀ ସମ୍ଭ୍ରାନ୍ତ ବ୍ୟକ୍ତି
ହାମବର୍ଗ – ଉତ୍ତର ଜର୍ମାନୀର ଏକ ପ୍ରମୁଖ ବନ୍ଦର ସହର

ଲୋକପ୍ରିୟ ଲେଖା

To Top