ଗଳ୍ପ

ଆତ୍ମଗ୍ଲାନି

Aravind Das's Odia Story AATMAGLAANI

ସ୍କୁଲ୍‌ ବେଳର ସେଇ ଘଟଣା ପାଇଁ ମୁଁ ଆଜି ପର୍ଯ୍ୟନ୍ତ ତମକୁ ଡରକୁରା ଓ ସ୍ୱାର୍ଥପର ବୋଲି ଭାବୁଥିଲି । ହେଲେ ତମେ ମୋତେ ଭୁଲ୍ ପ୍ରମାଣିତ କରିଦେଲ । ୟୁ ଆର୍ ମାଇଁ ହୀରୋ

ଆତ୍ମଗ୍ଲାନି

ଦୁର୍ଘଟଣା ଅବଶ୍ୟମ୍ଭାବୀ । କେତେବେଳେ କେଉଁଠି ବି ହୋଇପାରେ । କିନ୍ତୁ ବେଳେବେଳେ କିଛି ଦୁର୍ଘଟଣା ଜୀବନର ମୋଡକୁ ବଦଳାଇ ଦେଇଥାଏ । ସଂପୂର୍ଣ୍ଣ ଭାବେ । ଜୀବନସାରା ମଣିଷ ସନ୍ତୁଳି ହୁଏ ନିଜ ଭିତରେ । ଅସହାୟତା ସଂଚରିଯାଏ କ୍ୟାନସର ଜୀବାଣୁ ଭଳି । ସାରା ଦେହ, ସଂପୂର୍ଣ୍ଣ ମନ ଭିତରେ । ଉପରେ ଉପରେ ବଂଚିଥିବାର ଅଭିନୟ କରୁଥିବା ଲୋକଟିର ଆତ୍ମାଟା କେବେଠାରୁ ମରିଯାଇଥାଏ । ଜୀଅନ୍ତା ଲାଶ୍‌ଟା କେବଳ ଜଳୁଥାଏ ଅନୁତାପରେ ।

ସେଇ ସମାନ ଜ୍ୱଳନ ଆଜି ସୁଜିତ୍‌ଙ୍କ ଦେହରେ । ଗୋଟିଏ ଜାଗାରେ ସ୍ଥିର ହୋଇ ବସିପାରୁନାହାଁନ୍ତି ସେ । ଆଖିଟା ତାଙ୍କର ବାରମ୍ବାର ଘୁରିଆସୁଥାଏ ଅପରେସନ୍ ଥିଏଟର୍‌ର ନାଲିଆ ବତୀ ଉପରେ । କେତେବେଳେ ଲାଇଟ୍‌ଟା ଲିଭିବ କେଜାଣି? ଡାକ୍ତରମାନେ ଅପରେସନରେ ବ୍ୟସ୍ତ । ବାରମ୍ବାର ସୁଜିତ୍ ପ୍ରାର୍ଥନା କରୁଥିଲେ ଭଗବାନଙ୍କୁ । ପିଲାଟାର ଜୀବନ ବଞ୍ଚାଇବା ପାଇଁ ।

ଆଶୁତୋଷର ରକ୍ତାକ୍ତ ଦେହଟାର ଚିତ୍ର ବାରମ୍ବାର ସୁଜିତ୍‌ଙ୍କ ଆଖି ଆଗରେ ନାଚି ଯାଉଥିଲା । ଓଃ କି ବୀଭତ୍ସ ଦୃଶ୍ୟ ! ଧାରୁଆ ମାରଣାସ୍ତ୍ର ଦ୍ୱାରା ପିଲାଟା ଉପରେ ମରଣାନ୍ତକ ଆକ୍ରମଣ । ଜାମା, ପ୍ୟାଣ୍ଟ୍‌ ଏପରିକି ଆଶୁତୋଷ ଦେହ ଉପରେ ପଡିଥିବା ବେଡ୍‌ସିଟ୍‌ଟା ବି ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା । ରୀତୁକୁ ବଞ୍ଚାଇବାକୁ ଯାଇ ଆଶୁତୋଷର ଏ ଅବସ୍ଥା । ହସପିଟାଲ୍‌କୁ ଆସିଲାବେଳକୁ ରୀତୁର ଅବଶ୍ୟ ହୋସ୍ ଥିଲା । କିନ୍ତୁ ମୁଣ୍ଡ ଓ ଅନ୍ୟାନ୍ୟ ଜାଗାରେ ଇଞ୍ଜୁରୀ ଥିଲା । ଆଇ.ସି.ୟୁ. ସାମ୍ନାରେ ପ୍ରବଳ ଭିଡ । ବନ୍ଧୁବାନ୍ଧବ, ପ୍ରିୟଜନମାନଙ୍କର ଆଶଙ୍କା ଭରା ମୁହଁ । ଏଠାରେ ଅସ୍ୱଭାବିକ ନୀରବତାକୁ ଭଙ୍ଗ କରୁଥିଲା ବେଳେବେଳେ କିଛି ଚାପା କାନ୍ଦର ଶବ୍ଦ ।

“ଧୈର୍ଯ୍ୟଧର, ଏମିତି କାନ୍ଦିଲେ କଣ ଆଶୁ ଭଲ ହୋଇଯିବ ।” ଆଉ କିଏ ପାଟିକରି କହୁଥିଲା, “ମାଉସୀଙ୍କୁ ବାହାରକୁ ନେଇଯାଅ ।”

କାଠଖୁଣ୍ଟାଟାଏ ଭଳି କାନ୍ଥକୁ ଆଉଜି ଠିଆ ହୋଇଥିଲେ ସୁଜିତ୍ । ତାଙ୍କ ପାଦରେ ଯେମିତି କିଏ ଶୃଙ୍ଖଳ ବାନ୍ଧି ଦେଇଛି । ଆଶୁର ମାଙ୍କ ପାଖକୁ ଯାଇ ସାନ୍ତ୍ୱନା ଦେବାକୁ ଭରସା ପାଉନଥାଏ । ପ୍ରତିଭା ପାଖକୁ ଆସି ସୁଜିତ୍‌ଙ୍କ କାନ୍ଧରେ ହାତ ରଖିଲେ ।

ଚମକି ପଡିଲେ ସୁଜିତ୍ । ବୋକାଙ୍କ ଭଳି ଅନେଇଥିଲେ ପ୍ରତିଭାଙ୍କ ମୁଁହରେ । “ହେଇଟି ଶୁଣ, ପୋଲିସ୍ ତମକୁ ଡାକୁଛନ୍ତି ।”

ସ୍ତ୍ରୀଙ୍କ କଥା ଶୁଣି ପ୍ରକୃସ୍ଥିତ ହେଲେ ସୁଜିତ୍ । ପାଦ ଦୁଇଟାକୁ ଘୋଷାରି ଘୋଷାରିକରି ଡରରେ ଲୋକଙ୍କ ଗହଳିକୁ ଆଡେଇ ଆଗକୁ ବଢିଲେ । ତାଙ୍କ ଚାରି ପଟର ଦୃଶ୍ୟ ଦେଖି ଅନ୍ତର ଭିତରେ ସୃଷ୍ଟି ହେଉଥିଲା କୋହର ଉଚ୍ଛ୍ୱାସ । ଆଖି ଓ ତଣ୍ଟି ଭିଜିଗଲା ପରି ଅନୁଭବ । ନିଜ ଆଖିରେ ହାତ ମାରିଲେ ସୁଜିତ୍ । ଅଜଣାତରେ ଆଖିରେ ଜକେଇ ଆସିଛି ଲୁହ । ତରବରରେ ଆଖି ପୋଛି ଆଗେଇଲେ ପୋଲିସ୍ ଅଫିସରଙ୍କ ଆଡକୁ । ଟିଭି ଓ ମିଡିଆ ରିପୋର୍ଟରଙ୍କର ସମସ୍ତ ପ୍ରଶ୍ନକୁ ଆଡେଇ ଦେଇ ।

ହଠାତ୍ ପାଖ କ୍ୟାବିନ୍ ଭିତରୁ ଲେଡି ଡକ୍ଟର ଜଣେ ବାହାରି ଆସି କହିଲେ, ଗୁଡ୍ ନିଉଜ୍ । ଆପଣଙ୍କ ଝିଅକୁ ହୋସ୍ ଆସିଯାଇଛି । ସି ଇଜ୍‌ ଆବ୍‌ସ୍ୟୁଲୁଟ୍‌ଲି ଫାଇନ୍‌ ଆଣ୍ଡ୍‌ ଆଉଟ୍‌ ଅଫ୍‌ ଡେଞ୍ଜର୍‌ । ରିଏଲି ସି ଇଜ୍‌ ଏ ବ୍ରେଭ୍‌ ଗାର୍ଲ୍‌ । ପୋଲିସ୍ ଚାହିଁଲେ ଆଉ କିଛି ସମୟ ପରେ ତାର ଷ୍ଟେଟ୍‌ମେଣ୍ଟ୍‌ ନେଇପାରିବ । ରୁମ୍ ଭିତରକୁ ପଶିଯାଇ ସୁଜିତ୍ ଓ ପ୍ରତିଭା ଦେଖୁଥିଲେ, ନିଜର ଏକମାତ୍ର ଅଲିଅଳି ଝିଅ ରୀତୁକୁ । ହାତ ପାପୁଲି, ଗୋଡ, ବେକ ଓ ମୁଣ୍ଡରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଛି ।

ରୀତୁର ଓଠଟା ଥରଥର ହୋଇ କମ୍ପିଗଲା । କିଛି କହିବ କହିବ ବୋଲି ହେଉଥିଲା ବାପା, ବୋଉକୁ । କିନ୍ତୁ ପାଖରେ ପୋଲିସ୍ ଅଫିସରଙ୍କୁ ଦେଖି ଚୁପ୍ ହୋଇଗଲା । ରୁମ୍ ଭିତରେ ଏକଦମ୍ ଚୁପ୍‌ଚାପ୍‌ ପରିବେଶ ।

ହଠାତ୍ ରୀତୁ କହିଉଠିଲା, ବାପା, ସେ ବଦ୍‌ମାସ୍‌ ଗୁଣ୍ଡାଗୁଡାଙ୍କୁ ପୋଲିସ୍ ଆରେଷ୍ଟ କରିଛି ତ ? ସେଗୁଡାଙ୍କୁ ଗୁଳି କରି ମାରିଦେବା କଥା । ଆଉ କେଉଁଠି ଅଛି ସେ ପିଲାଟା, ଯିଏ ମୋତେ…..

ରୀତୁର ପାଟିରେ ହାତ ରଖିଲେ ସୁଜିତ୍ ଓ ଇସାରାରେ ଚୁପ୍ ରହିବାକୁ ନିର୍ଦ୍ଧେଶ ଦେଲେ ।

ତୁ ବ୍ୟସ୍ତ ହଅନା, ମା । ସେ ଠିକ୍ ଅଛି । ତାର ବ୍ୟାଣ୍ଡେଜ୍ ସରିଲା ପରେ ତାକୁ ବି ରୁମ୍‌କୁ ନେଇ ଆସିବେ ଅପରେସନ୍ ଥିଏଟରରୁ ।

ଅପରେସନ୍ ଥିଏଟର୍ ? କାହିଁକି ? ସିରିଅସ୍ ହୋଇଥିବ ନିଶ୍ଚୟ । ତମେ କିଛି ଲୁଚାଉଛ ବାପା ।

ରୀତୁ କଥା ଶୁଣି ନିଜକୁ ଗାଳି ଦେଉଥିଲେ ସୁଜିତ୍ । ଅନ୍ୟମନସ୍କ ଭାବେ ଅପରେସନ୍ ଥିଏଟର୍ କଥାଟା ତାଙ୍କ ପାଟିରୁ ବାହାରି ଆସିଥିଲା ।

ପ୍ରତିଭା ନିଜକୁ ସମ୍ଭାଳି କହିଉଠିଲେ, ତୁ ଅଯଥାରେ ଟେନସ୍ ହଅନା । ସେ ପିଲାଟା ଏକଦମ୍ ଭଲଅଛି । ତୋ କଥା ଆମକୁ ପଚାରୁଥିଲା । ଏମିତିକା ପରୋପକାରୀ ଭଲପିଲାଙ୍କର କ’ଣ କେବେ ଅସୁବିଧା ହେବ ? ଭଗବାନ ପରା ଅଛନ୍ତି ।

ପୋଲିସ୍ ଅଫିସର ଜଣଙ୍କ କହିଲେ, ସାର୍, ଆପଣ ଟିକେ ମୋ ସହିତ ବାହାରକୁ ଆସନ୍ତୁ । ଆପଣଙ୍କ ଷ୍ଟେଟ୍‌ମେଣ୍ଟ୍‌ ନେଇସାରିଲା ପରେ ଝିଅର ନେବି । ସେତେବେଳକୁ ସାଲାଇନ୍‌ଟା ବି ସରିଯାଇଥିବ ।

ବାପା, ସେ ବଦ୍‌ମାସ୍‌ ଗୁଡାଙ୍କ ଧରା ପଡିଛନ୍ତି ତ ? ପୁଣି ରୀତୁର ପ୍ରଶ୍ନ ଶୁଣି ଏକ ଶୁଖିଲା ହସ ହସି ବାହାରକୁ ଆସି ବେଞ୍ଚ୍‌ରେ ବସିଲେ ସୁଜିତ୍ । ବିଗତ ଛଅ ଘଣ୍ଟା ଭିତରେ ଯେମିତି ତାଙ୍କ ଦୁନିଆଟା ସଂପୁର୍ଣ୍ଣ ବଦଳିଯାଇଛି । ଖବର ପାଇ ବନ୍ଧୁବାନ୍ଧବମାନଙ୍କର ଆସିବା ଆରମ୍ଭ ହୋଇଯାଇଥିଲା । ତେବେ ଯାହାହେଉ ରୀତୁ ବଞ୍ଚିଯାଇଛି । କିନ୍ତୁ ଆଶୁତୋଷ ? କି ଦୋଷଥିଲା ବିଚରା ପିଲାଟାର ? ଅପରେସନ୍ ଟେବବୁଲ ଉପରେ ଏକାକୀ ଲଢୁଛି ନିଜ ମୃତ୍ୟୁ ସହିତ ।

ଆଶୁତୋଷ କିଏ ତାଙ୍କର ? କଣ ପାଇଁ ନିଜ ଜୀବନକୁ ବିପନ୍ନ କରି ରିତୁକୁ ବଞ୍ଚାଉଥିଲା ସେ ଗୁଣ୍ଡାମାନଙ୍କ କବଳରୁ ? ସେ କଣ ରୀତୁର ବନ୍ଧୁ ? କିନ୍ତୁ ରୀତୁ ତ ତାକୁ ଚିହ୍ନିନି ! ନାଁ ବି ଜାଣିନି ।

ପରମୁହୁର୍ତ୍ତରେ ସୁଜିତ୍ ଭାବୁଥିଲେ ସେ ଗୁଣ୍ଡାମାନେ ରୀତୁର କିଛି କ୍ଷତି କରିନାହାନ୍ତି ତ ? ମାନେ ତାର ଇଜ୍ଜତ… । ନିଜକୁ ପୁଣି ଗାଳି ଦେଉଥିଲେ ମନେମନେ । ଏମିତି କୁତ୍ସିତ ଚିନ୍ତାଧାରା ତାଙ୍କ ମନକୁ ଆସୁଛି କାହିଁକି ? ଏମିତି ପରିସ୍ଥିତିରେ ଝିଅଟାର ଜୀବନ ଯେ ରହିଯାଇଛି, ତାହା ତାଙ୍କ ପାଇଁ ଓ ପ୍ରତିଭାଙ୍କ ପାଇଁ ଯଥେଷ୍ଟ ।

ସାର୍, ଆପଣଙ୍କ ଝିଅ କଣ ସବୁଦିନ କଲେଜରୁ ଏଇ ସମୟରେ ଫେରେ ? ଏକୁଟିଆ ସ୍କୁଟି ନେଇ କଲେଜ ଯାଏ ?

ପୋଲିସ୍ ଅଫିସରଙ୍କ ପ୍ରଶ୍ନ ଶୁଣି ଯଦିଓ ବିରକ୍ତି ଲାଗୁଥିଲା, ତଥାପି ମୁଣ୍ଡ ହଲାଇ ଚୁପ୍‌କିନା, “ହଁ, କହିଲେ ସୁଜିତ୍ । ଯେଉଁ ଟୋକା ଗୁଡାକ ରୀତୁକୁ କିଡ୍‌ନ୍ୟାପ୍ କରି ନେଇଯାଇଥିଲେ, ସେମାନଙ୍କୁ ଆଗରୁ ଆପଣ କେବେ ଦେଖିଛନ୍ତି ? କେବେ କୌଣସି ଥ୍ରେଟ୍ନିଙ୍ଗ୍ କଲ୍ ଇତ୍ୟାଦି ?

ମନେପକାଇବାକୁ ଚେଷ୍ଟା କରୁଥିଲେ ସୁଜିତ୍ । କେତେଥର ଅଜଣା ନମ୍ବରରୁ ଫୋନ୍ ଆସେ । କେବେ ଲ୍ୟାଣ୍ଡଲାଇନ୍‌ରୁ ଓ କେବେ ଏସ୍.ଟି.ଡି ବୁଥ୍‌ରୁ । ରୀତୁ ବିଷୟରେ ଅଶାଳୀନ ମନ୍ତବ୍ୟ, କମେଣ୍ଟ୍‌ ଓ କେବେ ଧମକ ଭରା କଥାବାର୍ତ୍ତା । ଶଳା, ତୋ ଝିଅକୁ ବିଚ୍ ରାସ୍ତାରୁ ଉଠେଇ ନେବୁ । ରେପ୍ କରିବୁ ।

ଫୋନ୍ ବନ୍ଦ କରି ଦିଅନ୍ତି ସୁଜିତ୍ । କେତେଥର ଭାବିଛନ୍ତି ପୋଲିସ୍‌ରେ କଂମ୍ପ୍ଲେନ୍ ଦେବେ ବୋଲି । ପୁଣି ନିଜକୁ ଅଟକାଇ ଦିଅନ୍ତି । ଏସବୁ ବଦମାସ୍ ଲଫଙ୍ଗା ଟୋକାଙ୍କ ସହ ଅଯଥା ଗଣ୍ଡଗୋଳରେ ପଶିଲେ ଅର୍ଥହାନୀ, ପ୍ରାଣପୀଡା ଓ ମନସ୍ତାପ ହିଁ ସାର ହେବ ।

ବାପା, ଆମେ ପୋଲିସରେ ଏଫ.ଆଇ.ଆର୍. ଦେବା ଉଚିତ୍ । ସେ ମନ୍ତ୍ରୀଙ୍କ ପୁଅଟା କେବେ ପଲସର ବାଇକରେ ତ କେବେ ସ୍କର୍ପିଓ ଗାଡିରେ ମୋର ପିଚ୍ଛା କରୁଛି ଏବଂ କମେଣ୍ଟ୍‌ ମାରୁଛି । ଆମ କଲେଜ ପ୍ରିନସିପାଲ୍‌ଙ୍କୁ ବି କହିଥିଲି । ହେଲେ ସେମାନେ ଅଣଛାତ୍ର ତଥା କଲେଜ ଭିତରେ ମୋତେ ହଇରାଣ କରୁନାହାନ୍ତି ବୋଲି ପ୍ରିନସିପାଲ୍ କଂପ୍ଲେନ୍ ନେଉନାହାନ୍ତି । ଅସଲ କଥା ହେଲା ମନ୍ତ୍ରୀଙ୍କ ପୁଅ ବୋଲି ଡରୁଛନ୍ତି ।

ସ୍ୱାମୀଙ୍କୁ ଅନାଇ ପ୍ରତିଭା ଝିଅ ସପକ୍ଷରେ ଯୁକ୍ତି ବାଢନ୍ତି । ରୀତୁ ଠିକ୍ କହୁଛି । ସବୁବେଳେ ଡରିମରି ରହିବା ଠିକ୍ ନୁହେଁ । ଆଜି କାଲିପରା ମୋବାଇଲରେ ରେକର୍ଡିଂ କରି ଟି.ଭି. ବାଲାଙ୍କୁ ଏସବୁ କଥା ଦେଉଛନ୍ତି । ମନ୍ତ୍ରୀଙ୍କ ପୁଅ ଓ ଗୁଣ୍ଡାଙ୍କୁ ଡରି ଝିଅ କଣ କଲେଜ ଯିବା ଛାଡି ଦେବ ?”

ବିରକ୍ତ ହୁଅନ୍ତି ସୁଜିତ୍ । ହକହକ ହୋଇ ଆଗତୁରା ଏମିତି କାମ କରିପକାଇବା ଅନଭିଜ୍ଞ ଲୋକଙ୍କ ଲକ୍ଷଣ । ମିଡିଆବାଲା, ପୋଲିସ୍, ସମାଜସେବୀ ଅନୁଷ୍ଠାନ କଣ ସାରାଜୀବନ ପିଠିରେ ପଡିବେ? କେତେ ଗୁଣ୍ଡା ବଦ୍‌ମାସ୍‌ଙ୍କୁ ତମେ ଜେଲରେ ପୁରାଇବ ? ଚାରିଆଡେ ଏମିତି ଲୋକ ଭର୍ତ୍ତି । ଆମକୁ ଜଗିରଖି ଚଳିବାକୁ ପଡିବ । ସେମାନଙ୍କୁ ଇଗ୍ନୋର୍ କରିଦେଲେ ଗଲା । ଏତେ ଝିଅ ତ ପୁଣି କଲେଜ ଯାଉଛନ୍ତି ? ରୀତୁକୁ ସେମାନେ କାହିଁକି କମେଣ୍ଟ୍‌ ମାରୁଛନ୍ତି ?

ଚମକି ପଡିଲେ ପ୍ରତିଭା । ରୀତୁ ବି ସୁଜିତ୍‌ଙ୍କ କଥାଶୁଣି ହତମ୍ବଭ ହୋଇଗଲା । ନିଜ ବାପାଙ୍କ ମୁଁହରୁ ଏପରି ଅବିବେକୀ ମନ୍ତବ୍ୟ ଶୁଣିବ ବୋଲି ସେ ଭାବି ନଥିଲା ।

ତମର କଣ ବୁଦ୍ଧିଶୁଦ୍ଧି ଜଳିପୋଡି ଗଲାଣି ନା କଣ ? ଗୁଣ୍ଡା ବଦ୍‌ମାସ୍‌ଙ୍କୁ ଡରି ନିଜ ଝିଅ ଉପରେ ଦୋଷ ଲଦୁଛ ? ଛିଃ, ଛିଃ ?

ସୁଜିତ୍ ନିଜ ଭୁଲ୍ ହୃଦୟଙ୍ଗମ କରିପାରୁଥିଲେ । ପ୍ରକୃତରେ ଏକଥା କହିବାର ତାଙ୍କର ଅଭିପ୍ରାୟ ନଥିଲା । ସେ କେବଳ ଚାହୁଁଥିଲେ ଅଯଥା ଝାମେଲାରେ ନପଶିବା ପାଇଁ ।

ସାର୍, କିଛି ଉତ୍ତର ଦେଲେନି ଯେ ? ପୋଲିସ୍ ଇନ୍‌ସ୍ପେକ୍ଟର୍‌ଙ୍କ କଥାଶୁଣି ଭାବନା ରାଜ୍ୟରୁ ଫେରି ଆସିଲେ ସୁଜିତ୍ । ଆଜି ତାଙ୍କୁ ସତ କହିବାକୁ ହିଁ ପଡିବ । ତାଙ୍କରି ପାଇଁ ରୀତୁର ଏ ଅବସ୍ଥା । ପୋଲିସ୍ ଏଫ୍.ଆଇ.ଆର୍ ଟା ଦେଇ ଦେଇଥିଲେ ଆଜି ହୁଏତ ଏମିତି ହୋଇନଥାନ୍ତା ।

ଟିକିନିଖି ସବୁକଥା ପୋଲିସକୁ କହି ଦେଇଥିଲେ ସୁଜିତ୍ । ଚାରିଜଣ ପିଲାଙ୍କ ଭିତରୁ ଗୋଟାଏ ଟୋକା ଧରାପଡିଛି । ଆର ତିନିଟା ବି ବାର ଘଣ୍ଟା ଭିତରେ ଧରାପଡିବେ । ମନ୍ତ୍ରୀଙ୍କ ପୁଅ ବି ଛାଡ୍ ପାଇବନି । ଆମ କମିଶନର ସାର୍‌ଙ୍କର ଏକଦମ୍ ଷ୍ଟ୍ରିକ୍ଟ ଆଦେଶ ଅଛି । ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଝିଅ ଟିକେ ଭଲ ହୋଇଗଲେ ଆଇଡେଣ୍ଟିଫିକେସନ୍ ପାଇଁ ଥାନାକୁ ଯିବାକୁ ପଡିବ ।

ପୋଲିସ୍ ଅଫିସରଙ୍କ ସାନ୍ତ୍ୱନା ଭରା କଥାଗୁଡାକ ସୁଜିତ୍‌ଙ୍କ କାନକୁ ଅମୃତବାଣୀ ଭଳି ଲାଗୁଥିଲା । ତଥାପି ତାଙ୍କ ମନ ମାନୁନଥାଏ ।

କିନ୍ତୁ ଯାହା କୁହନ୍ତୁ ସୁଜିତ୍ ବାବୁ , ଆପଣଙ୍କ ଝିଅଟା ବହୁତ ଲକି । ନହେଲେ ଆଜିକାଲି କିଏ ଏମିତି ରିସ୍କ ନେଇ ଗୁଣ୍ଡାଙ୍କ ସହ ଏକୁଟିଆ ଲଢିବାକୁ ସାହାସ କରିବ ଆଶୁତୋଷ ଭଳି ? ପିଲାଟା ଭାରୀ ସାହାସୀ । ଆମ ଡିପାର୍ଟମେଣ୍ଟ୍‌ ତରଫରୁ କମିଶନର ସାହେବ ତାକୁ ପୁରସ୍କାର ଦେବେ ନିଶ୍ଚୟ । ଆଶୁତୋଷ ଭଳି ଦୁଇ ଚାରିଟା ପିଲା ଯଦି ଏମିତି କାମ କରିବେ, ତେବେ ଆମ ସମାଜର ଆଖି ଫିଟିଯିବ । ନହେଲେ ରୋଡ୍ ଆକ୍ସିଡେଣ୍ଟ୍‌ରେ ଛଟପଟ ହେଉଥିବା ଲୋକଙ୍କୁ
ହସପିଟାଲ୍ ନେବା ତ ଦୂରର କଥା, ପାଣି ମୁନ୍ଦାଏ ବି ପାଟିରେ ଦେଉନାହାନ୍ତି ଲୋକମାନେ । ଅଜଣା, ଅଦେଖା କରି ଚାଲିଯାଉଥିବେ ନହେଲେ ସର୍କସ ଦେଖିଲା ପରି ଠିଆ ହୋଇ ମୋବାଇଲ୍‌ରେ ଭିଡିଓ, ଫଟ ଉଠାଉଥିବେ । ମାନବିକତା ବୋଲି ଜିନିଷଟା ଆଜିକାଲି ହଜିଗଲାଣି ।

କରେଣ୍ଟ୍ ଶକ୍ ଖାଇଲା ଭଳି ଚମକି ପଡିଲେ ସୁଜିତ୍ । ପୋଲିସ୍ ଅଫିସରଙ୍କ କଥା ପଦକ ଶୁଣି । ତାଙ୍କ ଅର୍ନ୍ତରାତ୍ମାଟା ଯେମିତି ଘାଣ୍ଟି ଚକଟି ହୋଇଯାଇଥିଲା ଭଳି ଲାଗୁଥିଲା । ରୀତୁ’ର ଷ୍ଟେଟମେଣ୍ଟ୍‌ ନେବାକୁ ରୁମ୍ ଭିତରକୁ ପ୍ରତିଭାଙ୍କ ସହ ଗଲେ ମହିଳା ପୋଲିସ୍ ଇନସ୍ପେକ୍ଟର୍ ଓ ଜଣେ କନେଷ୍ଟବଳ ।

ଭାବନା ରାଜ୍ୟରେ ପୁଣି ବୁଡିଗଲେ ସୁଜିତ୍ । ଅତୀତର କିଛି ପୃଷ୍ଠା ତାଙ୍କ ସାମ୍ନାରେ ମେଲି ହୋଇଯାଉଥିଲା । କିଛି ବର୍ଷ ତଳର ଘଟଣା । ଗତକାଲି ଭଳି ଲାଗୁଥିଲା ସୁଜିତ୍‌ଙ୍କୁ ।

ରୀତୁ ସେତେବେଳେ ଷ୍ଟାଣ୍ଡାର୍ଡ ସିକ୍ସରେ ପଢୁଥିଲା । ସବୁଦିନ ଭଳି ସେଦିନ ବି ରୀତୁକୁ ସ୍କୁଟରରେ ବସାଇ ସ୍କୁଲ୍ ନେଲାବେଳେ, ହଠାତ୍ ରାସ୍ତା ଉପରକୁ ସ୍ତ୍ରୀ ଲୋକଟାଏ ଚାଲିଆସିଲା । ତରବର ହୋଇ ବ୍ରେକ୍ କଷିଲେ ସୁଜିତ୍ ବିରକ୍ତ ହୋଇ । କି ଅଭଦ୍ର ଓ ଅଶିକ୍ଷିତ ସ୍ତ୍ରୀଲୋକଟା କେଜାଣି । କାମବାଲୀ ପରି ଦିଶୁଥିଲା ତା ବେଶଭୂଷା । ତେବେ ନିକଟରୁ ତାକୁ ଦେଖି ଚମକି ପଡିଲେ ସୁଜିତ୍ ।

ସ୍ତ୍ରୀ ଲୋକଟାର ଦେହ, ହାତ, ଶାଢୀ ତାଜା ରକ୍ତରେ ବୋଳି ହୋଲାଭଳି ଦିଶୁଥାଏ । ଆଖିଟା ବନ୍ଦ ହୋଇଯାଉଥିଲା ସୁଜିତ୍‌ଙ୍କର । “ସାର୍, ଦୟାକରି ବଞ୍ଚାନ୍ତୁ ସାର୍ ମୋ ସ୍ୱାମୀ, ଝିଅ ଓ ସାର୍ , ମ୍ୟାଡାମ୍‌ଙ୍କୁ । ଗୋଟିଏ ବଦମାସ୍ ଆମ ସାର୍‌ଙ୍କ ଘରେ ପଶି ଛୁରୀ ଧରି ସମସ୍ତଙ୍କୁ ମାରିବାକୁ ଗୋଡାଉଛି । ପାଗଳ ହୋଇଯାଇଛି ବୋଧେ ଲୋକଟା ।”

“ପୋଲିସ୍‌କୁ ଡାକ । ତମ ସାର୍ କଣ କରୁଛନ୍ତି ?”

ସୁଜିତ୍‌ଙ୍କ କଥାଶୁଣି କାଳ କାଳ ସ୍ୱରରେ ସ୍ତ୍ରୀ ଲୋକଟା କହୁଥିଲା, “ଏଇ ହଳଦିଆ କୋଠାଟା ଆମ ସାର୍‌ଙ୍କର । ମା, ବାବୁଙ୍କୁ ବି ମାରିବାକୁ ଲୋକଟା ଗୋଡାଉଛି । ମୋ ସ୍ୱାମୀ ୱାଚମ୍ୟାନ୍ । ଟିକିଏ ସାହାଯ୍ୟ କରନ୍ତୁ ସାର୍ । ପୋଲିସ୍‌କୁ ଖବର କରନ୍ତୁ । ଆପଣଙ୍କୁ ଦେଖିଲେ ହୁଏତ ଡରି ପଳାଇବ । ଟିକିଏ ଆସନ୍ତୁ ମୋ ସହିତ ସାର୍ । ମୋତେ ବି ଛୁରୀ ମାରିଛି ସାର୍ । ଗେଟ୍ ଖୋଲି କୌଣସି ମତେ ବାହାରକୁ ଚାଲିଆସିଛି ମୁଁ ।” ସ୍ତ୍ରୀ ଲୋକଟି ଅତିମାତ୍ରାରେ ଭୟଭୀତ ହୋଇପଡିଥିବା ଭଳି ଲାଗୁଥିଲା । ଯେମିତି ନିଜ ଆଖିଆଗରେ ମୃତ୍ୟୁର ତାଣ୍ଡବଲୀଳା ଦେଖିଛି ।

କ’ଣ କରିବେ ଜାଣିପାରୁନଥିଲେ ସୁଜିତ୍ । ସେ ବଦ୍‌ମାସ୍‌ଟା ଯଦି ତାଙ୍କୁ କିମ୍ବା ରୀତୁକୁ ଛୁରୀମାରିଦିଏ ? ତା’ ଛଡା ଏ ସ୍ତ୍ରୀଲୋକଟା ସତ କହୁଛି ତା ଗ୍ୟାରେଣ୍ଟି କ’ଣ? ପାଖ ଆଖରେ ବେଶୀ ଘରଦ୍ୱାର ନାହିଁ । ଏପଟ ଏରିଆରେ ଘରଭଡା ବହୁତ ଶସ୍ତା ବୋଲି ସୁଜିତ୍ ଏଠାକୁ ଚାଲିଆସିଛନ୍ତି, ଯଦିଓ ରୀତୁର ସ୍କୁଲ୍‌ଟା ଟିକିଏ ଦୂର ପଡୁଛି । ଆଜି ପୁଣି ଅଫିସ୍‌ରେ ଠିକ୍ ସାଢେ ନଅଟା ବେଳେ ଇମ୍ପୋର୍ଟାଣ୍ଟ୍‌ ମିଟିଂ ଅଛି । ଏ ଝାମଲାରେ ପଶିଲେ ହୁଏତ ବାହାରିବା କଷ୍ଟହେବ । ରୀତୁର ପୁଣି ଆଜି ୟୁନିଟ୍ ଟେଷ୍ଟ ଅଛି ।

ମାନବିକତା ଓ ସ୍ୱାର୍ଥପରତାର ନିକିତିରେ ବୋଧେ ନିଜକୁ ତଉଲୁଥିଲେ ସୁଜିତ୍ । ସ୍ୱାର୍ଥର ଜୟ ହୋଇଥିଲା । ସ୍କୁଟର ଷ୍ଟାର୍ଟ କରି, ସ୍ତ୍ରୀ ଲୋକଟାକୁ ସାମ୍ନାରୁ ଆଡେଇ ଦେଇ, ଆଗେଇଯାଇଥିଲେ ସୁଜିତ୍ ନିଜ ରାସ୍ତାରେ । ସ୍ତ୍ରୀ ଲୋକଟାର ଆକୁଳକଣ୍ଠର ମିନତି ଓ କାନ୍ଦଣା ଯେମିତି ତାଙ୍କ କାନରେ ପଶୁନଥିଲା । ରାସ୍ତାରେ କାଁ ଭାଁ ଗୋଟାଏ ଦୁଇଟା ଲୋକ ବି ଅଣଦେଖା କରି ଚାଲିଯାଉଥିଲେ ସୁଜିତ୍‌ଙ୍କ ପରି ।

ସ୍କୁଟରର ମିରରରେ ଦେଖୁଥିଲେ ସୁଜିତ୍ । ସ୍ତ୍ରୀ ଲୋକଟା ବାୟାଣୀ ଭଳି ଦୈାଡୁଥିଲା ଇଆଡେ ସିଆଡେ । “ବାପା, ସେ ଆଣ୍ଟି କାହିଁକି କାନ୍ଦୁଥିଲେ? ଆମେ ତାଙ୍କୁ କାହିଁକି ହେଲ୍ପ କଲେନି? ଆମ ମିସ୍ କହିଥିଲେ ଅସୁବିଧା ସମୟରେ ଲୋକଙ୍କୁ ହେଲ୍ପ କରିବା କଥା ।”

“ପାଟି ଚୁପ୍ କର । ଆଜି ପରା ତୋର ମ୍ୟାଥ୍ ଟେଷ୍ଟ । ମନଦେଇ ପରୀକ୍ଷାରେ ଲେଖିବୁ । ମଦର ତେରେସା ହେବା ଦରକାର ନାହିଁ । ସେ ଆଣ୍ଟିକୁ ଅନ୍ୟଲୋକମାନେ ଓ ପୋଲିସ୍ ହେଲ୍ପ କରିବେ ।” କଠୋର କଣ୍ଠରେ କହିଲେ ସୁଜିତ୍ ।

“କିନ୍ତୁ ପାପା, କେହିତ ହେଲ୍ପ କରୁନାହାଁନ୍ତି । ଆମେ କାହିଁକି କରିବାନି?” ରୀତୁ ପ୍ରଶ୍ନର ଉତ୍ତର ଦେଇନଥିଲେ ସୁଜିତ୍ ।

ସେଦିନ ସ୍କୁଲରୁ ଘରକୁ ଫେରିଲା ବେଳେ ଅନ୍ୟ ରାସ୍ତା ଦେଇ ଆସିଥିଲେ ସୁଜିତ୍ । ପରଦିନ ଖବର କାଗଜରେ ସମ୍ବାଦଟା ପଢି ଚମକି ପଡିଥିଲେ ସୁଜିତ୍ । “ଭୁବନେଶ୍ୱରରେ ଟ୍ରିପଲ୍ ମର୍ଡର । ଜଣେ ଇଞ୍ଜିନିୟରଙ୍କ ଘରେ ପଶି, ଗୋଟେ ମାନସିକ ବିକାର ବ୍ୟକ୍ତି ଇଂଜିନିୟରଙ୍କ ସହ ତାଙ୍କ ପତ୍ନୀ ଓ ୱାଚମ୍ୟାନ୍‌ଙ୍କୁ ହତ୍ୟା କରିଛି । ସ୍ଥାନୀୟ ଲୋକମାନେ ଓ ପୋଲିସ୍ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀକୁ କାବୁ କରିନେଇଥିଲେ ।”

ନ୍ୟୁଜ୍‌ ପେପର୍‌ଟା ସୁଜିତ୍‌ଙ୍କ ହାତରୁ ଖସିପଡିଥିଲା । ଯଦି ସେ ସାଙ୍ଗେ ସାଙ୍ଗେ ସେଇ ସ୍ତ୍ରୀଲୋକଟା ସହିତ ଘରକୁ ଯାଇଥାନ୍ତେ ତେବେ ହୁଏତ ପରିସ୍ଥିତି ଅଲଗା ହୋଇଥାନ୍ତା । ସେଦିନ କେତେ ପ୍ରଶ୍ନ କରିଥିଲା ରୀତୁ ? ସେସବୁ ପ୍ରଶ୍ନ ଗୁଡାକ ଆଜି ଯେମିତି ଚଟକଣା ହୋଇ ବସିଯାଉଥିଲା ସୁଜିତ୍‌ଙ୍କ ଗାଲରେ ।

ଭାବନା ରାଜ୍ୟରୁ ଫେରିଆସିଲେ ସୁଜିତ୍ । ସେତେବେଳେ ଆଜିକା ଭଳି ଗଣ୍ଡାଗଣ୍ଡା ଓଡିଆ ଟିଭି ଚ୍ୟାନେଲ୍ ନଥିଲା । ଆଜି ସବୁ ଟିଭି ଚ୍ୟାନେଲ୍‌ର ଆଙ୍କରମାନେ ଆଶୁତୋଷର ସାହାସିକତାକୁ ପ୍ରଶଂସା କରି କଥା କହୁଛନ୍ତି । ଭାଗ୍ୟଭଲ ସେମାନେ ସୁଜିତ୍‌ଙ୍କର ପୁରୁଣା କାପୁରୁଷତାର ଇତିହାସ ଜାଣିନାହାନ୍ତି । ନିଜକୁ ଆଶୁତୋଷ ସହ ତୁଳନା କରି ଆତ୍ମଗ୍ଲାନିରେ ସଢିଯାଉଥିଲେ ସୁଜିତ୍ । ଆଶୁତୋଷ ଯଦି ତାଙ୍କ ଭଳି ବାଟ ଆଡେଇ ଚାଲିଯାଇଥାନ୍ତା, ତେବେ ଆଜି କଣ ରୀତୁ ବଞ୍ଚିଥାନ୍ତା ?

ମେଡିକାଲ୍ ରିପ୍ରେଜେଣ୍ଟେଟିଭ୍ ଭାବେ କାମ କରୁଥିବା ଆଶୁତୋଷ ଜଙ୍ଗଲିଆ ବୁଦା ଆଢୁଆଳରୁ ରୀତୁର ଚିତ୍କାର ଶୁଣି, ନିଜ ଜୀବନକୁ ପାଣି ଛଡାଇ ଲଢିଥିଲା ସେଇ ବଦ୍‌ମାସ୍‌ଙ୍କ ସାଙ୍ଗରେ । ଆଜି ଏକ ମହାପୁରୁଷ ଭଳି ଲାଗୁଥିଲା ପିଲାଟାକୁ ସୁଜିତ୍‌ଙ୍କୁ । ରକ୍ତରେ ନେସି ହୋଇ ଝାଉଁଳି ପଡିଥିବା ଆଶୁତୋଷର ମୁହଁଟା ବାରମ୍ବାର ମନେ ପଡୁଥିଲା । ଆଶୁତୋଷର ବିଧବା ମା ଆଇ.ସି.ୟୁ. ସାମ୍ନାରେ ଠିଆ ହୋଇ ଆଖି ପୋଛୁଥାନ୍ତି । ପାଖରେ କିଛି ବନ୍ଧୁ ବାନ୍ଧବ ଠିଆ ହୋଇ
ସାନ୍ତ୍ୱନା ଦେଉଥାନ୍ତି ।

ବେଞ୍ଚ୍‌ରୁ ଉଠି ସୁଜିତ୍, ଆଶୁତୋଷର ମା’ଙ୍କ ପାଖର ପହଞ୍ଚି କହିଲେ, “ଭଗବାନଙ୍କ ଉପରେ ଭରସା ରଖନ୍ତୁ । ଭଲ କାମ କରୁଥିବା ଏମିତିକା ପିଲାଙ୍କର କିଛି ହେବନି ।”

ନିଜ କୋହକୁ ସମ୍ଭାଳି ଆଶୁତୋଷର ମା ପଚାରିଲେ, “ଝିଅର ହୋସ୍ ଆସିଲାଣି ବୋଲି ଶୁଣିଲି । ଭଲ ଅଛି ତ ?” ଚମତ୍କୃତ ହେଲେ ସୁଜିତ୍ ।

ଗୋଟିଏ ବୋଲି ପୁଅ ମୃତ୍ୟୁ ସହିତ ସଂଗ୍ରାମ କଲାବେଳେ ଏକ ମା’ ମୁହଁରୁ ଅନ୍ୟର ଝିଅ ପାଇଁ ଏମିତି ସାନ୍ତ୍ୱନା ଓ ଆଶ୍ୱସନା ଶୁଣିବେ ବୋଲି ବିଶ୍ୱାସ କରିପାରିନଥିଲେ ସୁଜିତ୍ । “ଆଶୁ ପାଖରେ ଆମେ ଚିରଋୁଣୀ ହୋଇ ରହିଲୁ ।”

“ନା, ନା ସେ ତା କର୍ତ୍ତବ୍ୟ କରିଛି । ତା ଜାଗାରେ ଆପଣ ଥିଲେ ବି ଏମିତି କରିଥାନ୍ତେ । ଭଗବାନଙ୍କ ଦୟାରୁ ନିଶ୍ୱାସ ଚାଲିଛି ମୋ ଆଶୁର ।”

ଧକ୍କା ଖାଇଲା ପରି ଲାଗିଲା ସୁଜିତ୍‌ଙ୍କୁ । ସଙ୍କୁଚିତ ହୋଇ ପୁଣି ଥିଲେ ନିଜେ ପୁରୁଣା ଘଟଣା ମନେପକାଇ । ଆଶୁତୋଷର ମାନବିକତା ତାଙ୍କ ଆଖି ଖୋଲି ଦେଉଥିଲା । ମନେ ମନେ କିଛି ଦୃଢ ନିଷ୍ପତ୍ତି ନେଉଥିଲେ ସୁଜିତ୍ ।

ଦେଢମାସ ପରେ ଆଶୁତୋଷ ଭଲ ହୋଇ ଘରକୁ ଫେରିଥିଲା । ଦୁଇ ପରିବାରରେ ଖେଳୁଥିଲା ଖୁସିର ଲହରୀ । ରାଜ୍ୟ ସରକାରଙ୍କ ତରଫରୁ ଆଶୁତୋଷର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ସାହସିକତା ପାଇଁ ପୁରସ୍କୃତ କରାଯାଇଥିଲା ।

ବାଲ୍‌କୋନୀରେ ଠିଆ ହୋଇ ସୁଜିତ୍ ଅନ୍ୟମନସ୍କ ହୋଇ ବାହାରକୁ ଅନାଇଥିଲେ । ରୀତୁ ଆସି ତାଙ୍କୁ ପଛପଟୁ କୁଣ୍ଢାଇ ପକାଇ କହିଲା, “ବାପା, ରିଏଲି ଆଇ ଆମ୍ ପ୍ରାଉଡ୍ ଅଫ୍ ୟୁ । ତମେ ଆଶୁତୋଷ ପାଇଁ ଯାହା କଲ, ତାହା କେବଳ ଜଣେ ହୀରୋ କରିପାରିବ । ସ୍କୁଲ୍‌ ବେଳର ସେଇ ଘଟଣା ପାଇଁ ମୁଁ ଆଜି ପର୍ଯ୍ୟନ୍ତ ତମକୁ ଡରକୁରା ଓ ସ୍ୱାର୍ଥପର ବୋଲି ଭାବୁଥିଲି । ହେଲେ ତମେ ମୋତେ ଭୁଲ୍ ପ୍ରମାଣିତ କରିଦେଲ । ୟୁ ଆର୍ ମାଇଁ ହୀରୋ ।”

ରୀତୁର ମୁଣ୍ଡରେ ସ୍ନେହର ଚୁମାଟିଏ ଦେଇ ସୁଜିତ୍ ଦେଖୁଥିଲେ ଝିଅ ମୁହଁର ଆନନ୍ଦକୁ । ପାଖରେ ଠିଆ ହୋଇ ପ୍ରତିଭା ଖୁସିର ଲୁହକୁ ସମ୍ଭାଳିବାକୁ ଚେଷ୍ଟା କରୁଥାନ୍ତି । ଏକ ଦୀର୍ଘ ନିଶ୍ୱାସ ଛାଡି ସୁଜିତ୍ ନିଜ ଅଣ୍ଟା ପାଖରେ ଷ୍ଟିଚ୍ ଉପରେ ହାତ ବୁଲାଇ ଆଣିଲେ । ସେଦିନ ଛୁରା ମାଡରେ ଆଶୁତୋଷର ଦୁଇଟାଯାକ କିଡ୍‌ନୀ ନଷ୍ଟ ହୋଇଯାଇଥିଲା ବୋଲି ସୁଜିତ୍ ନିଜର ଗୋଟାଏ କିଡ୍‌ନୀ ଦାନ କରିଥିଲେ । ଏକ ପରିତୃପ୍ତିର ଆଭା ଫୁଟିଉଠୁଥିଲା ଅନ୍ତର ଭିତରେ ତାଙ୍କର ଆଶୁତୋଷକୁ ନୂଆ ଜୀବନ ଦେଉଥିବାରୁ । ଅନେକ ବର୍ଷ ହେଲା ରାତି ଅଧରେ ସୁଜିତ୍‌ଙ୍କ ନିଦ ଭାଙ୍ଗିଯାଉଥିଲା ଏକ ସ୍ୱପ୍ନ ଦେଖି । ରକ୍ତଲଗା ଶାଢୀପିନ୍ଧି ସେଇ ସ୍ତ୍ରୀ ଲୋକଟିର ଆକୁଳ ନିବେଦନ । ନିଜକୁ ଦୋଷୀ ବୋଲି ଭାବନ୍ତି ସୁଜିତ୍ । ସେଦିନ ହୁଏତ ସେ ଚାହିଁଥିଲେ କିଛି ଜୀବନ ରକ୍ଷା କରିପାରିଥାନ୍ତେ । ସେଦିନ ସେ ସ୍ୱାର୍ଥପରତାର ଶିକାର ହୋଇଥିଲେ । ତେବେ ଆଶୁତୋଷକୁ ଗୋଟାଏ କିଡନୀ ଦେଇ ରୀତୁର ଜୀବନ ବଞ୍ଚାଇବାର ଋଣ ସୁଝିବାରେ ସ୍ୱାର୍ଥ ତାଙ୍କର ପୁଣି ଲୁଚି ରହିନି ତ ? ଉତ୍ତର ଖୋଜୁଥିଲେ ସୁଜିତ୍ । ମନେ ମନେ ଭାବୁଥିଲେ ମାନବିକତାର କୋମଳ ଆତ୍ମାକୁ ତ ନିଜ ହାତରେ ସେଇଦିନ ମର୍ଡର କରିଦେଇଥିଲେ, ଯେଉଁଦିନ ସେଇ ୱାଚ୍‌ମ୍ୟାନର ସ୍ତ୍ରୀକୁ ଅସହାୟ ଅବସ୍ଥାରେ ଛାଡିଦେଇ ଚାଲିଯାଇଥିଲେ ରାସ୍ତା ମଝିରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top