ଗଳ୍ପ

ଆତ୍ମହତ୍ୟା

Kalindicharana Panigrahi's odia story Aatmahatyaa

ମନେକଲା ଦୁଃଖ କ’ଣ ? ଦୁଃଖ ତ ଆନନ୍ଦର ଗୋଟିଏ ଅଂଶ ମାତ୍ର, ଘର ପାଇଁ ପାଇଖାନା ଯେପରି ଆବଶ୍ୟକ, ସୁଖ ଆନନ୍ଦ ସଙ୍ଗେ ଦୁଃଖ ନୈରାଶ୍ୟ ଯେ ସେହିପରି ଆବଶ୍ୟକ । ଦୁଃଖ ସିନା ବାଲି ଅଙ୍ଗାର ପାଣିକୁ ନିର୍ମଳ କଲାପରି ସୁଖକୁ, ଆନନ୍ଦକୁ ବିଶୁଦ୍ଧ କରେ ।

ଆତ୍ମହତ୍ୟା

ଇସ୍, ମସ୍ତ ଭୁଲ୍ । ଚକ୍ଷୁ ଖୋଲି ଦେଖିଲା, ମେଘଶୂନ୍ୟ ନୀଳାକାଶରେ ଚନ୍ଦ୍ର ତା’ ପ୍ରତି ବିକଟ ହାସ୍ୟ କରୁଛି । ମେରା ବି ଖାତିର୍ ନେହିଁ । ଭୂମିଶଯ୍ୟାରୁ ଧୀରେ ଧୀରେ ଅଖିଳ ଉଠିଲା । ପ୍ରକାଣ୍ଡ ପଡ଼ିଆଟା ଚିତ୍ପଟାଙ୍ଗ ହୋଇପଡ଼ିଛି । ନିକଟସ୍ଥ ଆମ୍ରବନକୋଳରୁ ଶୀତଳ ପବନଟା ଆସ୍ତେ ଆସି ତା’ ଗରମ ବକ୍ଷସ୍ଥଳରେ ଲାଗିଲା । ଛି ! ଏତେ ବଦମାସୀ କହି ଅଖିଳ ଗୃହ ଅଭିମୁଖରେ ଚାଲିଲା । ପିଲାଏ ନୂଆ ନୂଆ ଚାଲି ଶିଖିଲାବେଳେ ଗୋଡ଼ ଦି’ଟା ଅଭ୍ୟାସ ଅଭାବରୁ ଯେମିତି ବେଧାରାରେ ଏପାଖ ସେପାଖ ପଡ଼ିଯାଏ, ତା’ ଚିତ୍ତ ସେହିପରି ବିଶୃଙ୍ଖଳା ତା’ ଚାଲି ସେହିପରି ଅସଂଯତ । ମତୁଆଲାଙ୍କ ପରି ସମସ୍ତ ପଡ଼ିଆରେ ଝୁଙ୍କି ଝୁଙ୍କି ଘର ନିକଟରେ ପହଞ୍ଚିଲା ।

ପଢ଼ିବା ଘରେ ବହିଟାକୁ ପୁଣି ଚାହିଁଲା । ପୂର୍ବପରି ଅକ୍ଷରଗୁଡ଼ାକ ଅସ୍ଥିର ହୋଇ ଏଣେ ତେଣେ ଧାଇଁଛନ୍ତି । ବହୁବାର ମିନତି କଲା, ଥିର ହୋଇ ଟିକିଏ ରହ, ଥରଟାଏ ରହ, ଥରଟାଏ ଭଲା ପଢ଼ିନିଏଁ । ତା’ କଥା ଶୁଣୁଛି କିଏ ମାନୁଛି କିଏ ? ସେ ଘରଟା ଛାଡ଼ି ପୁଣି ବାହାରି ଯିବ ବୋଲି ଇଚ୍ଛା ହେଲା । କ’ଣ ମନରେ ପାଞ୍ଚି ଦୀପ ନିଭାଇ ଦେଇ ବିଛଣା ଉପରେ ପଡ଼ିଗଲା । ନିଦ ଆସିଲା ନାହିଁ, କିନ୍ତୁ ଜଗତର ଚିନ୍ତା ଆସି ତା’ ମସ୍ତିଷ୍କ ଗ୍ରାସ କରି ବସିଲା । ତା’ ଆଶା ଆକାଂକ୍ଷା, ଜୀବନର କୁଟିଳ ଅନ୍ଧକାରାଚ୍ଛନ୍ନ ଭବିଷ୍ୟତ୍, ହାହାକାରମୟ ଅତୀତ, ବିଶୁଷ୍କ ନିରାଶପୂର୍ଣ୍ଣ ବର୍ତ୍ତମାନ । ଓଃ ! ସେ ବଞ୍ଚିବ କିପରି- କେଉଁ ଅବଲମ୍ୱନ ଧରି ବଞ୍ଚିବ ?

ଆତ୍ମହତ୍ୟା ! ସେ କି ଭୀଷଣ, କି କଠୋର ! ବକ୍ଷ ଉପରେ ହାତଦେଲା, ଚଳନ୍ତା ଇଞ୍ଜିନ୍ ପରି ଦପ୍ ଦପ୍ ହେଉଛି । ଲୌହପରି କଠିନ ଓ ଜ୍ୱଳନ୍ତ ଅଗ୍ନିପରି ତପ୍ତ । ଆତ୍ମହତ୍ୟା ! ଓଃ, ସେ କିପରି ? ସେ ଯେ ଅନୁଭୂତ ନୁହେଁ । ଆଦିକାଳରୁ କେହି ଅନୁଭବ କରି ମାନବସମାଜରେ ପ୍ରକାଶ କରିନାହିଁ । ଆତ୍ମହତ୍ୟା ! ହଁ, ସେଇଟା କିନ୍ତୁ- କିନ୍ତୁ ଜୀବନ ଯେ ନାହିଁ- ପ୍ରତି ଦିବସର ଅସଂଖ୍ୟ ମୃତ୍ୟୁଯାତନା ତା’ ଦୁର୍ବଳ ପ୍ରାଣ ସହିବ କିପରି, କାହିଁକି ବା ସହିବ ?

ମନ ବୁଝିଲା ନାହିଁ । ବିଛଣାରୁ ଉଠି ଘର ପିଣ୍ଡାରେ ଆସ୍ତେ ଆସ୍ତେ ଚଲାବୁଲା କରିବାକୁ ଲାଗିଲା । ପ୍ରତିଦିନ ପରି ସକାଳ ହେଲା, କୁଆ ରାବିଲା, ଆଲୋକେ ଯେଝା କର୍ମରେ ବାହାରିଲେ । ଅଖିଳ ବିଶ୍ୱବ୍ରହ୍ମାଣ୍ଡର ମାନବଜୀବନ ଉପରେ ଥରେ ଦୃଷ୍ଟିପକାଏ, ଥରେ ନିଜ ଜୀବନ ଉପରେ । ଓଃ ମନୁଷ୍ୟ ବଞ୍ଚିଛି କିପରି ? କି ଅଦ୍ଭୁତ, ମୁହୂର୍ମୁହୂଃ ନୈରାଶ୍ୟର କଷାଘାତ, ସହସ୍ର ବ୍ୟଥା, ଅସଂଖ୍ୟ ମୃତ୍ୟୁଯାତନାରେ ବିଶ୍ୱମାନବର ପ୍ରାଣ ଭାଙ୍ଗି ନ ପଡ଼ିଛି କାହିଁକି ? ଜଗତରେ କିଏ ତା’ର- କାହାପାଇଁ ଜୀବନ ପ୍ରତି ଏତେ ଲୋଭ କରି ବଞ୍ଚିବ ? ଏଠାରେ ଦାନ କରି ମନୁଷ୍ୟ କ’ଣ ପ୍ରତିଦାନ ପାଏ ? ସାଧୁତା ଦେଖାଇ ଯାବତୀୟ ପ୍ରତାରଣାରେ ଜୀବନ ଅସମ୍ଭବ ହୋଇଉଠେ । ବନ୍ଧୁବୋଲି ଯାହାକୁ କହେ, ସେ ଭିତରେ ଭିତରେ ଶତ୍ରୁ । ନିଜର ବୋଲି ଯାହାକୁ ସ୍ନେହ ଆଦର କରେ, ସେ ପରକୁ ନିଜର କରେ । ଏ କ’ଣ, ବିଶ୍ୱବ୍ରହ୍ମାଣ୍ଡ, ଏ ପ୍ରାଣୀଜଗତ୍ ? ଅସଂଖ୍ୟ ଆଘାତରେ ଜଗତ୍ ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ଭାଙ୍ଗିପଡ଼ି ଭସ୍ମ ହୁଏ, ମନୁଷ୍ୟ ବେଞ୍ଚ, କେବଳ ନିର୍ଲଜ୍ଜ ହୋଇ, ଅଜ୍ଞ ହୋଇ । ଲୋକ ବଞ୍ଚିଛି ଅଥଚ ଥରେ ହେଲେ ଭାବୁନାହିଁ, କାହିଁକି ବଞ୍ଚିଛି ? ତା’ହେଲେ ସିନା ବୁଝନ୍ତା ହୃଦୟର କେତେଅଂଶ କ୍ଷତବିକ୍ଷତ, ରକ୍ତାକ୍ତ । ବଞ୍ଚିବାଟାକୁ ମନୁଷ୍ୟ ଗୋଟାଏ ଅନ୍ଧବିଶ୍ୱାସର ତାଡ଼ାରେ କୁସଂସ୍କାରରେ ଅବଶ୍ୟ ବୋଲି ଧରିନେଇଛି । ଏଡ଼େ ବିଶାଳ ସାନ୍ଧ୍ର ରହସ୍ୟର ପର୍ଦ୍ଦାଟାଏ ସମ୍ମୁଖରେ, ତାକୁ ଉଠେଇବାକୁ କେହି ଇଚ୍ଛେ ନାହିଁ, ଅପର ପାର୍ଶ୍ୱରେ ତାର କ’ଣ ଅଛି କେହି ଜାଣିବାକୁ ଚାହୁଁ ନାହିଁ, ଅଥଚ ସେହି ନିତିଦିନିଆ କାମରେ ଠିକ୍ ଗୋଟାଏ କଳଦ୍ୱାରା ଚାଳିତ ହେଲା ପରି ସମସ୍ତେ ବିଧିମତେ ଚାଲିଛନ୍ତି । ବଞ୍ଚିବାଟା ମନୁଷ୍ୟର କୁସଂସ୍କାର, ଅଲାଜୁକପଣିଆ, ଅଜ୍ଞତା ଛଡ଼ା ଆଉ କିଛି ନୁହେଁ । ଅକାରଣ ସହସ୍ର ମନୋବେଦନାରେ ମନୁଷ୍ୟ ବଞ୍ଚିବ କାହିଁକି ? ମୋ ଜାତିଟା ତେବେ କ’ଣ ଜଗତ୍‌ବାସୀଙ୍କଠାରୁ ପୃଥକ୍ ? ସେମାନେ କ’ଣ ଯାହା ଆଶା କରିଛନ୍ତି, ଯାଗା ପାଇବାକୁ କଳ୍ପନା କରିଛନ୍ତି, ସାଥେ ସାଥେ ପାଇ ଯାଇଛନ୍ତି ? ନା, ନା ତା’ କିପରି ? ଆଶାର ଯେ ଆକାଶରେ ବାସ- ସେ ଯେ ଆକାଶ, ଶୂନ୍ୟ ଅନନ୍ତ ଶୂନ୍ୟ । ତାକୁ ସମ୍ପୂର୍ଣ୍ଣ ଲାଭ କରିବା ଯେ ଦେହଧାରୀ ଜୀବ ପକ୍ଷରେ ଏକାବେଳକେ ଅସମ୍ଭବ ।

ଠିକ୍ ନାମ ଅନୁସାରେ ଠିକ୍ କାର୍ଯ୍ୟଟି ସର୍ବଦା ହୋଇ ନଥାଏ, ଠିକ୍ ଅର୍ଥଟି ସବୁବେଳେ ପ୍ରକାଶ ପାଏ ନାହିଁ । ଜୀବସୃଷ୍ଟିରେ ମନୁଷ୍ୟ ନାମଧେୟ ଯେଉଁ ଶ୍ରେଣୀଟି ଅଛି, ତା’ ମଧ୍ୟରେ ଅଳ୍ପ କେତୋଟିଙ୍କୁ ବାଦ୍ ଦେଲେ ବାକିଗୁଡ଼ିକ ଜନ୍ତୁ । ଏଇ ଜନ୍ତୁଗୁଡ଼ିକଙ୍କ ମତରେ ବଞ୍ଚିବା ଅର୍ଥ ଖାଇ ପିଇ ସୁଖରେ ରହିବା ।

ଅଖିଳର ପ୍ରାଣରେ ଜଗତର ଅନନ୍ତ ବେଦନା ବାଜିଛି । ଜୀବନଟା ତା’ ପକ୍ଷରେ ମସ୍ତଭୁଲ୍, ବଞ୍ଚି ରହିବାଟା ଘୋର କୁସଂସ୍କାର । ଅକାରଣ ବ୍ୟାଥାରେ ତା’ ମସ୍ତିଷ୍କ ମରୁଭୂମି ପରି ଶୁଷ୍କ, ତା’ ଅନ୍ତରରୁ ଦାଉ ଦାଉ ଅଗ୍ନିଶିଖା ଉଠୁଛି । ମନକୁ କେତେକ ସାନ୍ତ୍ୱନା ଦେଇଛି । ଅନ୍ଧ-ବିଶ୍ୱାସ କରି ପ୍ରଭୁ ବୋଲି ଶୂନ୍ୟରେ କେତେଥର ଡାକିଛି । ସମସ୍ତ ବିଫଳ, ହାୟ ସମସ୍ତ ବିଫଳ । ତା’ର ଏ ଅକାଳବାର୍ଦ୍ଧକ୍ୟ ଦେଖି ପିତା, ବନ୍ଧୁ-ସୃଜନ କେତେ ସଦୁପଦେଶ ଦେଇଅଛନ୍ତି । ହାୟ ସଦୁପଦେଶ, ସେ ଯେ ଜୀବନ-ସମ୍ପର୍କୀୟ କୌଣସି ପ୍ରଶ୍ନର ମୀମାଂସା କରେ ନାହିଁ ।

ତା’ ଜୀବନ ସମ୍ପର୍କୀୟ ଲୋକମାନଙ୍କ ନିକଟରେ ଅତୀବ ରହସ୍ୟମୟ । ତା’ର ଚିନ୍ତା କାହିଁକି ? ତା’ର କ’ଣ ନାହିଁ ? ବାପ, ମା’, ଭାଇ, ଭଉଣୀ, ଧନସମ୍ପତ୍ତି କାହିଁରେ ତା’ର ଅଭାବ ଅଛି ? ପୁତ୍ରର ବିଷାଦଗ୍ରସ୍ତ କପାଳ ଦେଖି ପିତା ଚିନ୍ତିତ ଥିଲେ । କ୍ରମେ ସେ ଚିନ୍ତା ବିରକ୍ତରେ ପରିଣତ ହେଲା । ଅଖିଳର ଅନ୍ୟମନସ୍କତା, ସବୁ ପ୍ରତି କିପରି ବିରାଗ ଏବଂ ସ୍ୱୀୟ ଉପଦେଶ ତା’ ନିକଟରେ ମୂଲ୍ୟହୀନ ଦେଖି ବାତ୍ସଲ୍ୟତରଳ ଅନ୍ତଃକରଣ କର୍କଶ ହୋଇ ପଡ଼ିଲା । ପାହାନ୍ତାରୁ ଉଠି ପିଣ୍ଡାଟାରେ ଟହଲ କରୁଛି । ପୁଣି ଡାକି ପଠାଇ ପଚାରିଲେ, “ଏ ସବୁ କି କାରଖାନା ତୋର ?” ପିତାଙ୍କ ପଚ୍ଚ୍ୱକେଶ ଗଣିଲା ପରି ଅଖିଳ କେବଳ ବକ୍ ବକ୍ ଚାହିଁ ରହିଛି । ପୁତ୍ରର ନିସ୍ତବ୍ଧତାରେ ଅଧିକ ପ୍ରଜ୍ୱଳିତ ହୋଇ ପିତା କହି ଉଠିଲେ, “ଛି, ଏପରି ପୁଅର ମୁହଁ ଚାହିଁକରି ନାହିଁ । ବହି ସଙ୍ଗେ ସାକ୍ଷାତ୍ ନାହିଁ, ନିଷ୍କର୍ମା ହୋଇ ବସି ଖାଇବାକୁ ଭଲ ଲାଗୁଛି ।” ଅଖିଳ ଚିନ୍ତିତ ମନରେ ପୂର୍ବପରି ଧୀରେ ଧୀରେ ଫେରିଆସିଲା । ସଂସାରଟା କ’ଣ ଏଡ଼େ ସ୍ନେହହୀନ, ଏଡ଼େ ସ୍ୱାର୍ଥାନ୍ଧ ! ବାପ କହୁଛି ପୁଅକୁ- ବସି ଖାଇଲେ ଚଳିବ ନାହିଁ । ଭାବିଲା ସେହି ମୁହୂର୍ତ୍ତରେ ଆତ୍ମହତ୍ୟା କରିବ, କିନ୍ତୁ ଚିନ୍ତା କରି ବୁଝିଲା, ଏପରି ଭାବରେ ଆତ୍ମହତ୍ୟା ବୃଦ୍ଧପିତାଙ୍କ ପ୍ରାଣକୁ ସାଂଘାତିକ ଅନୁତାପ ଆଣିବ । ସୁତରାଂ ସେ ଇଚ୍ଛା ବର୍ତ୍ତମାନ ପାଇଁ ସ୍ଥଗିତ ରଖିଲା ।

ଅଖିଳର ସନ୍ଦେହ ହେଲା, ତାକୁ ଭୂତ ଗ୍ରାସିଛି । ଏହି ଭୂତ ଭୟରେ ସେ ଘର ଛାଡ଼ି ସନ୍ନିହିତ ପ୍ରକାଣ୍ଡ ପଡ଼ିଆରେ କେତେ ରାତ୍ର କାଟିଛି । ଦମ୍ ଦମ୍ ବର୍ଷାପଡୁଛି, ଘଡ଼ଘଡ଼ି ବିଜୁଳି ମାରୁଛି, ଆକାଶ ତଳେ ସହାୟହୀନ ହୋଇ ଅଖିଳ ନିଜ ତପ୍ତ ପ୍ରାଣ ଶୀତଳ କରୁଛି । କେତେ ରାତ୍ରି ତାରାଲୋକରେ ଦଗ୍ଧ ଅନ୍ତର ଖୋଲି ଦେଇ ଶୀତଳିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ସମସ୍ତ ବୃଥା । ସେ ପ୍ରାଣ ଖୋଲି ହସି ପାରେ ନାହିଁ, କାନ୍ଦି ପାରେ ନାହିଁ, ମନ ପୁରାଇ ଜୀବନର ଅକାରଣ ଅସଂଖ୍ୟ ଦୁଃଖ ବିଷାଦ ଗୀତିରେ ଗାଇ ଯିବାକୁ ଆଗପରି ତା’ କଣ୍ଠରେ ସ୍ୱର ନାହିଁ । ନିରାଟ ନୀରସ ଜୀବନଟା ସହଜରେ ବାହାରି ମଧ୍ୟ ଯିବ ନାହିଁ ।

ସନ୍ଧ୍ୟା ଆକାଶରେ ପକ୍ଷୀପଲ ଉଡ଼ିଗଲେ । ଅଖିଳର ଚିତ୍ତ ଧାଇଁଲା, ଏହି ସୁନୀଳ ଅନନ୍ତ ଆକାଶରେ ଉଡ଼ି ଏ ତପ୍ତ ପ୍ରାଣଟା ଜଗତ୍ ଚକ୍ଷୁରୁ ଲୁଚାଇ ଦେଇପାରନ୍ତା କି ! ବିନୋଦକୁ ଅଖିଳର ପ୍ରାଣେ ପ୍ରାଣେ ଭୟ, ଦୂରରୁ ଦେଖିଲେ ନ ଦେଖିଲା ପରି ଭିନ୍ନ ଦିଗରେ ଚାଲିଯିବ । ତା’ର ଶବ୍ଦ ଶୁଣିଲେ ତା’ର ଅଷ୍ଟାଙ୍ଗ କମ୍ପିଉଠେ । କାରଣ ବିନୋଦ ତାକୁ ସ୍ଥିର ହୋଇ ବସି ରହିବାକୁ ଦିଏ ନାହିଁ । ଆଜି କିନ୍ତୁ ଜାଣିପାରିଲା ନାହିଁ । ବିନୋଦ ନିକଟକୁ ଆସି ପଚାରିଲା, “କି ହେ, ଏଥର ଜ୍ୟୋତିର୍ବିଦ୍ ସାଜିବ କି ?” ଅଖିଳ ଆକାଶ ଭ୍ରମଣର ଯେ ପ୍ଲାନ୍‌ଟା ଆଙ୍କୁଥିଲା, ବିନୋଦର ଅନଧିକାର ଚର୍ଚ୍ଚାରେ ସେ ଅକାରଣ ହେଲା । ବ୍ୟଥିତ ହୋଇ କହିଲା, “ବିନୁ ତୁମର କେତେବେଳେ ଏକଥା ଗଲା ନାହିଁ ।” ବିନୋଦ ଦେଖିଲା, ଅଖିଳ ବଡ଼ ଦୁଃଖୀ । ସେ ଅନେକଥର ତାକୁ ଏ ଅବସ୍ଥାରେ ଦେଖିଛି, ଆଜି କାହିଁକି ତା’ ମନରେ ମଧ୍ୟ କଷ୍ଟ ହେଲା । ଘର ଭିତରକୁ ଅଖିଳକୁ ଟାଣି ନେଇ ପଚାଲିଲା, “ଅଖିଳ, କ’ଣ ହେଇଛି, ତୁମେ ଜୀବନଟାକୁ ଏଡ଼େ ଭାରାମୟ କରି ପକାଉଛି ।” ଅଖିଳ ବିନୁ ନିକଟରେ ବେଶି ଧରା ପଡ଼ିବାକୁ ଅପେକ୍ଷା ନ ରଖି ସଂକ୍ଷେପରେ ଉତ୍ତର ଦେଲା-

“କାରଣ, ମୁଁ କାହାକୁ ବିଶ୍ୱାସ କରିପାରୁ ନାହିଁ ।”

“କାହାକୁ” ଅର୍ଥ “ଈଶ୍ୱର” ବିଶ୍ୱାସ ବି ନାହିଁ ।”

ଅଖିଳ ଗମ୍ଭୀର ହୋଇ ଉତ୍ତର କଲା, “ଈଶ୍ୱର ବିଶ୍ୱାସ ନାହିଁ ବୋଲି ଅନ୍ୟ କାହାକୁ ବିଶ୍ୱାସ ନାହିଁ ? ଈଶ୍ୱର କ’ଣ ? ଯେଉଁ ଜଗତରେ ଲୋକ ହୃହୟର ଆଦରର ସାମଗ୍ରୀ ଦାନ କରେ, ଅଥଚ ଗ୍ରହୀତା ତାକୁ ଅବହେଳାରେ ଫିଙ୍ଗିଦିଏ, ନୈରାଶ୍ୟ ଯେଉଁଠାରେ ସ୍ତୂପାକାରର ଜମି ଆକାଶ ଫୁଟାଇବାକୁ ଉପକ୍ରମ କଲାଣି, ସହସ୍ର ଚିତ୍କାରରେ ବକ୍ଷଫାଟି ରୁଧିର ବାହାରେ, ଈଶ୍ୱର ଟିକିଏ ଶୁଣନ୍ତି ନାହିଁ, ସେଠାରେ କାହାକୁ ଈଶ୍ୱର କହିବି ? ଈଶ୍ୱର କହିବି, ଗୋଟାଏ ରୁଧିରପାୟୀ ରଣୋନ୍ମତ୍ତ ରାକ୍ଷସ, ପରଦୁଃଖରେ କୌତୁକ ଉପଭୋଗୀ ଗୋଟାଏ ସ୍ୱେଚ୍ଛାଚାରୀ ପିଶାଚ ।”

ବିନୋଦ କ’ଣ କହି ବୁଝାଇବ ବୁଦ୍ଧି ଦିଶିଲା ନାହିଁ । ଦେଖିଲା ଅଖିଳ ପ୍ରାଣର ସମସ୍ତ କଥା ଖୋଲି କହି ପାରୁ ନାହିଁ, କେତେ କଥା କଣ୍ଠ ନିକଟକୁ ଆସି ଅଟକି ଯାଉଛି, କେତେ କଥାକୁ ଜୋର୍ ଜବରଦସ୍ତିରେ ଯନ୍ତ୍ରଣା ସତ୍ତ୍ୱେ ହୃଦୟରୁ ଟାଣି ଆଣୁଛି । ତା’ ଅନ୍ତର କି ଗଭୀର ବ୍ୟଥାରେ ଉବେଇ ଟୁବେଇ ହେଉଛି, ତା’ ଜୀବନ କି ରହସ୍ୟ ଜାଲରେ ଘେରା । କେତେକ କ୍ଷଣ ନିରବ ରହି ବିନୋଦ ଈଶ୍ୱର ଅଛନ୍ତି, ଅଖିଳ । କହି ଧୀରେ ଧୀରେ ଘରୁ ବାହାରିଗଲା ।

ଅଖିଳ ଭାବିଥିଲା, ନିଜ ମତରେ ଅନ୍ୟମାନଙ୍କୁ ଦୀକ୍ଷିତ କରିପାରିବ, କିନ୍ତୁ ବିନୋଦର ନିର୍ବୋଧ ଉତ୍ତରରେ ସେ ବିସ୍ମିତ ହେଲା । ଲୋକେ ଏପରି ଭୁଲ୍ କରି ବିଶ୍ୱାସ କରନ୍ତି । ଠିକ୍ ଯେମିତି ଈଶ୍ୱର ଆସି ଖଡ଼ି ଧରି ଏମାନଙ୍କୁ ପାଠ ପଢ଼ାଇ ଯାଇଛନ୍ତି ।

ପରଦିନ ବିନୋଦ ଆସିଲା । ଅଖିଳର କେଉଁ ଦାନ ପ୍ରତିଦାନରୂପେ ମିଳିବା ଦୂରେ ଥାଉ ଗୃହୀତ ପର୍ଯ୍ୟନ୍ତ ହୋଇନାହିଁ, ଜଗତଟାକୁ କାହିଁକି ଅକୃତଜ୍ଞ କରି ସେ ଠଉରାଇଛି, ଈଶ୍ୱରଙ୍କୁ ନେଇ କାହିଁକି ତା’ର ଏ ଅଦ୍ଭୁତ ଧାରଣା, ଭାବି ଭାବି ବିନୋଦ କିଛି ଠିକ୍ କରି ପାରିଲା ନାହିଁ । ତା’ ହୃଦୟର ପ୍ରକୃତ ରହସ୍ୟ ଜାଣିବାକୁ ବିନୋଦର ଯୁବକ ପ୍ରାଣ ବ୍ୟଗ୍ର ହୋଇଉଠିଲା । ସକାଳୁ ଉଠିଯାଇ ଅଖିଳ ପାଖରେ ହାଜର- “କହ ଅଖିଳ, ତୁମର କ’ଣ ହୋଇଛି ?” ଅଖିଳ ଅଳ୍ପ ହସି ଉତ୍ତର ଦେଲା, “କାଲି ଯେ କହିଥିଲି, ମୋର କାହା ପ୍ରତି ବିଶ୍ୱାସ ଜନ୍ମୁ ନାହିଁ ।”

ଆଚ୍ଛା, ପ୍ରକୃତ କଥାଟା କ’ଣ କହ ନା, ଏଇ ତ ପ୍ରକୃତ କଥା । ବିଶ୍ୱାସ ନ ଜନ୍ମିବାର କାରଣ । କାରଣ ବିଶ୍ୱାସ-ଯୋଗ୍ୟ କେହି ନୁହନ୍ତି । ଧେତ୍, ତୁମକୁ ବୁଝାଇବାର ଉପାୟ ନାହିଁ । ଅଖିଳ ବ୍ୟାଥାମିଶ୍ରିତ ସ୍ୱରରେ ଉତ୍ତର ଦେଲା “ଭାଇ, ମୁଁ ତ ନିଜେ ମତେ ବୁଝିପାରୁ ନାହିଁ । ତମେ ବୁଝିବ କ’ଣ ?”

ଅଖିଳ ଭଲ ରକମ ବୁଝିଛି ଜଗତ୍‌ବାସୀଙ୍କଠାରୁ ସେ ବାହାର । ତା’ ଜୀବନର ସଙ୍ଗେ କାହାରି ସମ୍ପର୍କ ନାହିଁ । ନିରୋଳାରେ ଲୋକଲୋଚନ ଅଗୋଚରରେ ତା’ ପ୍ରାଣବାୟୁ ବାହାରି ଯିବ, ତା’ ଅନନ୍ତ ଦୁଃଖର ଅବସାନ ହେବ ଆତ୍ମହତ୍ୟା, ଆଉ ଉପାୟ ନାହିଁ । ଆତ୍ମହତ୍ୟା ! ନିଶା ଗର୍ଜୁଛି, ବାଟଘାଟ ଜନ-ମାନବ-ଶୂନ୍ୟ, ଅଖିଳ ଗୃହ ମଧ୍ୟରୁ ଏକାକୀ ବାହାରିଲା । କାହାକୁ କୌଣସି ସଙ୍କେତଦ୍ୱାରା ଜଣାଇଲା ନାହିଁ, ପିତାଙ୍କ ନିକଟକୁ ଦି’ଧାଡ଼ି ଲେଖି ଦେଇଗଲା ନାହିଁ ଗେଞ୍ଜି ଖଣ୍ଡିଏ-ଲୁଗା ଖଣ୍ଡିଏ ପରିଧାନ । ବହୁ ଦିବସର ପରିଚିତ ଗୃହ ଉପରେ ଦୀର୍ଘ ନିଶ୍ୱାସଟିଏ ପକାଇଲା । କେଉଁଠାରେ ଆତ୍ମହତ୍ୟା କରିବ ? ଗୃହ ମଧ୍ୟରେ ? ନା, ତାରି ସ୍ନେହର ଭ୍ରାତା, ଭଗିନୀ ସେ ଘରେ ଭୂତ ଅଛି ବୋଲି ରାତିରେ ଭୟ କରିବେ । ତାଙ୍କ ବଂଶରେ କେତେ ପୁରୁଷଯାଏ ସେ ଘରଟା ଚିହ୍ନଟ ହୋଇ ରହିବ- ମାଆମାନେ ପିଲାଙ୍କୁ ଛାଡ଼ିବେ ନାହିଁ । ନା, ତାହା ହେବ ନାହିଁ । ସମସ୍ତଙ୍କ ଅଗୋଚରରେ, ବିଶ୍ୱର ନିଭୃତତମ ପ୍ରଦେଶରେ । ଘରୁ ବାହାରି ଏକାକୀ ଆସି ପଥ ଉପରେ ହେଲା । ଥରେ ମାତ୍ର ଫେରି ଗୃହ ଉପରେ ଦୃଷ୍ଟି ପକାଇଲା, ତତ୍ପରରେ ଦ୍ରୁତ ପଦକ୍ଷେପରେ ପଥ ଅତିକ୍ରମ କରି ଚାଲିବାକୁ ଲାଗିଲା । ନଦୀ ନିକଟରେ ପହଞ୍ଚି ଫେରି ଚାହିଁଲା, ସେ କୋଳାହଳଶୂନ୍ୟ ମୃତ୍ୟୁରାଜ୍ୟର ନିଶାଣ ପରି ଗୃହଟା ନୈଶ ଆକାଶ ତଳେ ଅସଂଖ୍ୟ ତାରକା ନିମ୍ନରେ ମୁଣ୍ଡଟେକି ଠିଆ ହୋଇରହିଛି । ପଢ଼ାଘରର ଆଲୋକ ନିଭାଇ ଆସିବାକୁ ମନେ ନାହିଁ । ସେଇ ଆଲୋକିତ ଗୃହଟାକୁ ସାକ୍ଷୀ ରଖି ଜୀବନର ଆଲୋକ ନିଭାଇ ଦେବାକୁ ତା’ର ଇଚ୍ଛା ହେଲା ନାହିଁ । ପୁଣି ଦ୍ରୁତଗତିରେ ଚାଲିବାକୁ ଆରମ୍ଭ କଲା । ପଛକୁ ଚାହିଁଲେ ସେ ଘରଟା ପୁଣି ଦିଶେ, ଏ ଭୟରେ ଆଉ ନ ଚାହିଁ ଚାଲିବାକୁ ଲାଗିଲା । ସେଇ ଘରେ ଜୀବନର ଅସଂଖ୍ୟ ସୁଖ ଦୁଃଖର ସ୍ମୃତି ଅଙ୍କିତ ରହିଛି । କେତେ ନିଭୃତ ଆଶା ସେଇ ଘରେ ଜାତ ହୋଇ ନିଭିଛି । ବାଲ୍ୟସଙ୍ଗୀମାନଙ୍କ ସଙ୍ଗେ ସେଇ ଅଗଣାରେ ସଞ୍ଜ ସକାଳେ କେତେ ସୁଖଦୁଃଖର ଖେଳ ଖେଳିଛି । ସେଇ ବିକଳ ସ୍ମୃତି ଘେନି କିପରି ଆତ୍ମହତ୍ୟା କରିବ ?

ହଠାତ୍ ତା’ ମନରେ ଉଦିତ ହେଲା କାହିଁକି ? ଘରଟାକୁ ଚାହିଁ କାହିଁକି ଆତ୍ମହତ୍ୟା କରି ହେବ ନାହିଁ ? ସେଇ ଘର, ଯେଉଁ ଘରେ ଏ ଜୀବନର ବେଶି ଭାଗଟା କେବଳ ବିଷମ ବେଦନାରେ କଟିଯାଇଛି, ନୈରାଶ୍ୟ ସହସ୍ର ବିକଟମୂର୍ତ୍ତି ଧରି ସେ ଘରେ ମତେ ଭୟ ଦେଖାଇଛି, ସୁଖର ଭାଗ ତ ସେଠାରେ କାଣିଚାଏ ହେବ ନାହିଁ । ସେ ଘର ବିଷପରି ଲାଗିଛି, କେତେ ଅନିଦ୍ରା ବିଭାବରୀ ନିର୍ଜନରେ ଯାପିଛି, ସେ ଘରର ମୁରବି ପୁଅକୁ କୁହନ୍ତି, “ବସି ଖାଇଲେ ଚଳିବ ନାହିଁ ।” ସେ ଘରଟା ପ୍ରତି ମମତା କ’ଣ ? ମନ କିନ୍ତୁ ବୁଝେନା । ସକାଳ ହେଲାବେଳକୁ ଅଖିଳ ଘରଠାରୁ ଅନେକ କ୍ରୋଶ ଦୂରରେ ଆସି ପହଞ୍ଚିଛି । ନିକଟରେ ଘରଦ୍ୱାର ନାହିଁ । ପାହାଡ଼ ମୁଣ୍ଡିଆଗୁଡ଼ାକ ପଡ଼ି ଉଠି ବାରଆଡ଼େ ଧାଇଁଛନ୍ତି । ସମସ୍ତ ରାତ୍ରର ପଥଶ୍ରମ ଅଖିଳକୁ ବାଧିଲା । ଏଠାରେ ଖାଇବ କ’ଣ, ପିଇବ କଣ ? ଉପରେ ଶୂନ୍ୟ ଆକାଶ, ଚତୁଃପାର୍ଶ୍ଵରେ ବଣ ଜଙ୍ଗଲ । ଯାହାହେଉ ବସିପଡ଼ି ଟିକିଏ ବିଶ୍ରାମ ନେଲା, ଆତ୍ମହତ୍ୟା କରିବାକୁ ଆସି ଖାଇବା ଚିନ୍ତା ତା’ର କ’ଣ ? ଏ ଜଙ୍ଗଲଟା ଦେଖିଲା ତା’ ଉଦ୍ଦେଶ୍ୟ ସିଦ୍ଧିର ଉପଯୁକ୍ତ ।

ନିକଟରେ ଠକ୍ ଠକ୍ ଶବ୍ଦ ଶୁଣି ଚାହିଁ ଦେଖେ, କନ୍ଧ ଜଣେ କାଠ କାଟୁଛି । କନ୍ଧ ବିଚାରା ଅଖିଳକୁ ଦେଖି ଆସି ତା’ର ନାମ ଧାମ ପଚାରି ବୁଝିଲା । ବଡ଼ ଆଦର ସମ୍ଭାଷଣରେ ନିଜ ଘରକୁ ଡାକି ନେଇ, କତରାଖଣ୍ଡିରେ ବସାଇ, ଫଳମୂଳ ଦି’ଓଟି, ଜଳ ମୁନ୍ଦିଏ ପତର ଠୋଲାଟିରେ ଆଣି ଦେଲା । କନ୍ଧୁଣୀଟି ଶିଶୁଟିଏ କ୍ରୋଡ଼ରେ ଧରି କେତେ ସୁଖ ଦୁଃଖ ଅଖିଳକୁ କହିଲା । ଅଖିଳର ଚିତ୍ତ କିନ୍ତୁ କଥାବାର୍ତ୍ତାରେ ବା ଖାଇବାରେ ନଥାଏ । ସେ ଦେଖୁଥାଏ ଏଇ ଅସଭ୍ୟ କନ୍ଧ ସ୍ତ୍ରୀ ଶିଶୁଟିର ଅଯଥା ଅଝଟ ଗୋଇଠା ମାଡ଼ସବୁ ବକ୍ଷରେ ଧରି ପ୍ରତିଦାନସ୍ୱରୂପ କେବଳ ଚୁମ୍ୱନ ଦେଉଛି । ଅଖିଳର ପ୍ରାଣ କାନ୍ଦି ଉଠିଲା । ଏ ନିବିଡ଼ ଅରଣ୍ୟରେ ଏପରି ନିର୍ଜନ ସ୍ଥାନରେ ଅସଭ୍ୟ କନ୍ଧ ବାଳିକାକୁ ଏ ବିଶୁଦ୍ଧ ସ୍ନେହ କିଏ ଶିଖାଇଲା । ଅଖିଳର ଜନନୀ ଏପରି ଗୋଇଠା ବକ୍ଷରେ ଧରି ପ୍ରତିଦାନରୂପେ କେତେ ଚୁମ୍ୱନ ଦେଇଥିବେ ସେ ସମସ୍ତ ଚୁମ୍ୱନ, ସେ ନିଃସ୍ୱାର୍ଥ ସ୍ନେହ ଅଖିଳ ନିକଟରେ ଜୀବନ୍ତ ହୋଇଉଠିଲା । ସେ ଗଣ୍ଡଦେଶରେ ଜନନୀଙ୍କ ମୁଖସ୍ପର୍ଶ ଅନୁଭବ କଲା ।

ସେଇ ଘର-କଥା ମନେପଡ଼ିଲା । ଯେଉଁ ଘରେ ଏପରି ଉଜାଡ଼ି କରି ପ୍ରଭୁ ପ୍ରେମ ବାଣ୍ଟି ଦେଇଛନ୍ତି, ସେଇ ଘର ମନେପଡ଼ିଲା । ପୁଣି ଯେଉଁ ଗୃହର ଦୃଷ୍ଟି ଏଡ଼ାଇ ଆସିଛି, ସେହି ଦୁଃଖପୂର୍ଣ୍ଣ ଗୃହକୁ, ସେହି ଜନନୀଙ୍କୁ, ଭ୍ରାତା, ଭଗିନୀଙ୍କୁ ଏ ଅରଣ୍ୟ ମଧ୍ୟରେ ପାଇବାକୁ ତା’ ପ୍ରାଣ ବିକଳ ହୋଇଉଠିଲା । ମନେକଲା ଦୁଃଖ କ’ଣ ? ଦୁଃଖ ତ ଆନନ୍ଦର ଗୋଟିଏ ଅଂଶ ମାତ୍ର, ଘର ପାଇଁ ପାଇଖାନା ଯେପରି ଆବଶ୍ୟକ, ସୁଖ ଆନନ୍ଦ ସଙ୍ଗେ ଦୁଃଖ ନୈରାଶ୍ୟ ଯେ ସେହିପରି ଆବଶ୍ୟକ । ଦୁଃଖ ସିନା ବାଲି ଅଙ୍ଗାର ପାଣିକୁ ନିର୍ମଳ କଲାପରି ସୁଖକୁ, ଆନନ୍ଦକୁ ବିଶୁଦ୍ଧ କରେ । ହାୟ କନ୍ଧ-ବାଳିକା ! ଏ ପ୍ରେମ କାହୁଁ ପାଇଲୁ । ଶିଶୁଦତ୍ତ ଦୁଃଖ ଏବଂ କଷ୍ଟକୁ ଆନନ୍ଦର ଅଂଶ ମଣି ତାକୁ ଚୁମ୍ୱନ କରୁଛୁ । ଆହା ସେଇ ପ୍ରେମ କାହିଁ- ଦୁଃଖ ନୈରାଶ୍ୟକୁ ଆଦରରେ ବରି ଆଣି ଚୁମ୍ୱନ ଦେବାକୁ ସେଇ ପ୍ରେମ ମୋର କାହିଁ !

ବୃକ୍ଷ ଅନ୍ତରାଳରୁ ଲୋହିତ କିରଣ ଝରି ଜଗତଟାକୁ ସ୍ୱପ୍ନମନ କରି ଦେଉଛି । ଅସଂଖ୍ୟ ବନବିହଙ୍ଗର କଳଗୀତରେ ବନପ୍ରାଣ ପୂରି ଉଠିଛି । ପ୍ରଭାତବାୟୁ ବନଦେଶରେ ଶାନ୍ତିର କୋଳାହଳ ଲଗାଇଛି । ଅଖିଳ ସମ୍ପୂର୍ଣ୍ଣ ନୂତନ କରି ନିଜକୁ ଅନୁଭବ କଲା । ଚତୁର୍ଦ୍ଦିଗକୁ ଏବଂ ନିଜକୁ ଚାହିଁ ଦେଖିଲା, ସେ ଯଥାର୍ଥରେ ଆତ୍ମହତ୍ୟା କରିଛି । ଆବେଗପୂର୍ଣ୍ଣ କଣ୍ଠରେ ଗାଇ ଉଠିଲା-

“ଆଜି ଉଜାଡ଼ କରି ଦିଅ ଗୋ ପ୍ରେମ
ତୃଷିତ ବକ୍ଷସ୍ଥଳ,
ପିଇବି ଆକାଶୁ କିରଣ ହେମ
ବନବିହଙ୍ଗ କଳ ।

ଦୁଃଖ ସେ ମୋ ସୁଖର ସାଥୀ,
ନିରାଶା ସେ ଯେ ଆଶାର କାନ୍ତି,
ଆଜି ଶତଶ କିରଣେ ବିକସି ହସୁ ଗୋ
ପ୍ରେମର ଶତଦଳ ।

ହେ’ ଉଦାର ଦାନୀ ଦେଇଛ ଦାନ,
ପଦେ ପଦେ ଦେଲି କି ଅପମାନ !
ଲୁଟାଇ ନେଇଛ ହୃଦର ସକଳ
ତୁଟାଇ ଦେଇଛ ବଳ ।

ମାରିଛ ନିଜକୁ ନିଜ ଅନୁତାପେ
ଅଯାଚିତରୂପେ କ୍ଷମିଅଛି ଆପେ,
ପୁନରଜନକ ନୂତନ ଜୀବନ
ଦେଇଅଛ ନିରମଳ ।”

ଲୋକପ୍ରିୟ ଲେଖା

To Top