ଗଳ୍ପ

ଆଉ ଜଣେ ବୁଦ୍ଧ

Matrudatta Mohanty's odia story Aau Jane Buddha

ଚିତ୍କାର କରି ଉଠିଲେ ସତ୍ୟପ୍ରିୟ । ପାଖ ଚାମ୍ବରରୁ ଉଠି ଆସିଲେ ଅନ୍ୟମାନେ । ଚମକି ପଡିଲେ ସତ୍ୟପ୍ରିୟ ।

ଆଉ ଜଣେ ବୁଦ୍ଧ

ନିର୍ଜନ ରାତିର ବୋଝ ବୋଝ ଶୂନ୍ୟତାକୁ ଚିରି ଏକାକାର ହୋଇ ଯାଇଥିଲା ଦୁଇଟି ଦେହ । ଉଭୟଙ୍କ ଭିତରେ ନା ଥିଲା ବ୍ୟବଧାନ ନା ବାକି ରହିଯାଇଥିଲା ମିଳନର ଆଉ କିଛି କଳା କୌଶଳ । କିଛି ସମୟର ନିଃସେଙ୍କାଚ ଆଲିଙ୍ଗନ ପରେ ପରସ୍ପରଠୁ ମୁକ୍ତ ହେଲେ ଲତିକା ଓ ସତ୍ୟପ୍ରିୟ । ନିଜକୁ ପ୍ରିୟ ମଣିଷର ବାହୁ ବନ୍ଧନରୁ ମୁକ୍ତ କରିବା ପରେ ସବୁ ରାତି ପରି ଫିସ୍ କରି ହସିଦେଲେ ଲତିକା । ତାଙ୍କ ଓଠ କୋଣରେ ଏଇ ଚେନାଏ ହସ ଏକ ମହାଜାଗତିକ ଦୃଶ୍ୟ ପରି ମନେ ହୁଏ । ମଳିନ ଆଲୋକ ଭିତରେ ତାଙ୍କ ହସ ବିଜୁଳି ପରି ଖେଳିଗଲା ସାରା ବଖରାରେ । ଲତିକାଙ୍କ ଛାତି ଉପରୁ ମୁହଁ ଉଠାଇ ଆଣି ତାଙ୍କ ମୁହଁକୁ ଚାହିଁଲେ ସତ୍ୟପ୍ରିୟ । ପ୍ରତି ରାତିର ଏକ ନିର୍ଦ୍ଧିଷ୍ଟ ସମୟରେ ନିଜ ସୁନ୍ଦରୀ ପତ୍ନୀଙ୍କ ଓଠରେ ଏ ରହସ୍ୟମୟ ହସ ଅନେକ ସମୟରେ ତାଙ୍କୁ ଦ୍ୱନ୍ଦ୍ୱରେ ପକାଏ । ବିଛଣାରେ ନିଷ୍କ୍ରିୟ ହେବା ପରେ ସେ ଅର୍ଥପୂର୍ଣ୍ଣ ହସର କାରଣ ଖୋଜିବା ପାଇଁ ତାଙ୍କର ଆଗ୍ରହ ନ ଥାଏ କି ନ ଥାଏ ଆବଶ୍ୟକତା । ଜିରୋ ଲାଇଟ୍‌ର ଝାପ୍ସା ଆଲୁଅରେ ଲତିକାଙ୍କ ମୁହଁ ସ୍ପଷ୍ଟ ଦିଶୁଥିଲା । କାହିଁକି ନା ସେ ତାଙ୍କ ମୁହଁ ପାଖାିପାଖି ନିଜ ମୁହଁ ରଖିଥିଲେ । ଅନୁଭବ କରିପାରୁଥିଲେ ଲତିକାଙ୍କ ଘନଘନ ତତଲା ନିଶ୍ୱାସ, ଯାହା ଜାଳି ଦେଉଥିଲା ତାଙ୍କ ଦେହକୁ । ନିଶ୍ୱାସର ଧାସରେ ପୋଡ଼ି ଯାଉଥିଲା ଗାଲ, ମୁହଁ, ଆଖି ଓ କାନ । ତଥାପି ସେଥିରେ ଥିଲା ଗୋଟେ ଭିନ୍ନ ମଧୁରତା । ମିଠାମିଠା ସ୍ପର୍ଶ । ଅତିମିଠା । ମହୁ ପରି । ବାରମ୍ବାର ଜଳିବା ପରେ ଆହୁରି ଅଧିକ ଜଳିବା ପାଇଁ ସେ ଇଚ୍ଛା କରୁଥିଲେ । ତାଙ୍କ ସହିତ ଜଳୁଥିଲା ତମାମ ରାତି ବିଛଣା ସାରା ଖେଳି ଯାଇଥିଲା ଏଇ ତାତି । ଏମିତି ମଧୁର ଅନୁଭବ ଆଜିର ନୁହେଁ । ବିଭାଘର ପରଠାରୁ ଏଇ ସୁଯୋଗ ପାଇଛନ୍ତି ସତ୍ୟପ୍ରିୟ । ସୁନ୍ଦରୀ ପତ୍ନୀଙ୍କ ସାନିଧ୍ୟ ପାଇବା ପରେ ଅନେକ କିଛି ପାଇଛନ୍ତି ବୋଲି ତାଙ୍କ ମନରେ ବେଳ ଅବେଳରେ ଉଙ୍କିମାରେ ଚେନାଏ ଅହଂକାର । ତାଙ୍କ ବନ୍ଧୁଙ୍କ ମଧ୍ୟରେ ସେହିଁ ତ ଭାଗ୍ୟବାନ । କାହିଁକି ନା ଲତିକାଙ୍କ ପରି ସୁନ୍ଦରୀ ସ୍ତ୍ରୀ ଆଉ କାହାର ଅଛି ଯେ ! ଏ କଥା ତାଙ୍କ ବନ୍ଧୁମାନେ ହିଁ ତ କହନ୍ତି । ଏଇ କେଇ ଦିନର ବୈବାହିକ ଜୀବନରୁ ସେ ସାଉଁଟି ପାରିଛନ୍ତି ଏମିତି କିଛି ସ୍ୱର୍ଗୀୟ ଅନୁଭବ । ସତ୍ୟପ୍ରିୟ ମୁଣ୍ଡ ଟେକିଲେ । ନିରିଖେଇ ଚାହିଁଲେ ଲତିକାଙ୍କୁ ।

କ’ଣ ଦେଖୁଛ? ଲତିକା ନିଜ ବେକ ତଳୁ ମୁଣ୍ଡ ଆଡକୁ ତକିଆ ଘୁଞ୍ଚେଇ ନେଉ ନେଉ ପ୍ରଶ୍ନକଲେ ।

ହଁ, ଦେଖୁଛି ତମକୁ । ତମ ସୁନ୍ଦର ମୁହଁକୁ । ବିଲକୁଲ ‘ଜହ୍ନମାମୁଁ’ ବହିର ରାଜକୁମାରୀ ପରି ସେ ମୁହଁ, ଆଖ, ଓଠ ଓ ନାକ ।

କ’ଣ ଆଜି ନୂଆ ଦେଖୁଛ? ଲତିକାଙ୍କ ପ୍ରଶ୍ନରେ ନିଜକୁ ଟିକେ ହାଲ୍କା କରିନେଇ ତାଙ୍କ ଛାତି ଉପରୁ ବିଛଣାକୁ ମୁହଁ ଖସେଇ ନେଲେ ସତ୍ୟ ।

ନା ନୂଆ ଦେଖୁ ନି । ସବୁ ପୁରୁଣା ଦେଖୁଛି । ସେଇ ପୁରୁଣା ଭିତରେ ବି କିଛି ନୂଆ ଦେଖୁଛି ।

କ’ଣ ନୂଆ ଦେଖୁଛ ? ଲତିକା ସତ୍ୟପ୍ରିୟଙ୍କ ମୁଣ୍ଡରେ ହାତ ବୁଲାଇ ଆଣୁ ଆଣୁ ପ୍ରଶ୍ନକଲେ ।

ଛାଡ଼ ସେ କଥା । ଗୋଟେ କଥା ପଚାରିବି- କହିବ ? ସତ୍ୟପ୍ରିୟ ଟିକେ ଗମ୍ଭୀର ସ୍ୱରରେ ଲତିକାଙ୍କୁ ପ୍ରଶ୍ନ କଲେ ।

ହଁ ପଚାର, ଉତ୍ତର ଦେବାକୁ ଚେଷ୍ଟା କରିବି ।

ଏ ହସ ବିଜୟର ନା ସମର୍ପଣର?

ବୁଝି ପାରିଲି ନି ।

କ’ଣ ଅବୁଝା ପଚାରିଲିଦେଲି ଯେ । ପ୍ରତିରାତିରେ ଦେହର ଏ ଦହନରୁ ନିଜକୁ ମୁକ୍ତ କଲା ରେ ତୁମର ଏ ହସ ମୁଁ ବେଶ୍ କିଛି ମାସ ହେବ ଦେଖି ଆସୁଛି । ସେଥିପାଇଁ ଜାଣିବାକୁ ଚାହୁଁଛି ।

ସତ୍ୟପ୍ରିୟଙ୍କ ପ୍ରଶ୍ନରେ ଟିକେ ଅପ୍ରସ୍ତୁତ ହୋଇପଡ଼ି ଲତିକା ପ୍ରଶ୍ନ କଲେ କାହାର ବିଜୟ, କାହା ପାଖରେ ସମର୍ପଣ ? ମୁଁ କିଛି ବୁଝି ପାରୁନି ସତ୍ୟ । ଛାଡ ସେ ବାଜେ କଥା । ମୋତେ ବହୁତ ନିଦ ଲାଗିଲାଣି । ଚାଲ ଶୋଇ ପଡ଼ିବା କହି ସ୍ୱାମୀଙ୍କ ଛାତି ଉପରକୁ ଅଜାଡି ହୋଇ ପଡ଼ିଲେ ସେ । ଏବେ ସୁନ୍ଦରୀ ପତ୍ନୀଙ୍କୁ ନିଜ ଛାତି ଉପରକୁ ଆଉଜେଇ ନେବାର ସମୟ ଅତିକ୍ରାନ୍ତ ହୋଇ ସାରିଥିଲା । ରାତି ଢଳିଢଳି ସକାଳ ଅଭିମୁଖୀ ହୋଇ ସାରିଥିଲା । ଆଉ ଅଳ୍ପ ସମୟ ପରେ ଫରଚା ଦିଶିବ । ପୁଣିଥରେ ଏକାନ୍ତ ହେବା ପାଇଁ ଅପେକ୍ଷା କରିବାକୁ ହେବ ଆଉ ଏକ ରାତିକୁ । ଏ ରାତିର ଆବଶ୍ୟକତା ହୁଏତ ଆଜି ଆଉ ନାହିଁ ବୋଲି ଅନୁଭବ କରୁଥିଲେ ସତ୍ୟ । ଲତିକାଙ୍କ ଓଠକୁ ପାପୁଲିରେ ତୋଳି ଧରି ଅନିଚ୍ଛାରେ ଚୁମାଟିଏ ଦେଉଦେଉ ସେ କହିଲେ- ଉଁ ହୁଁ, ଏମିତି ଚଳିବନି । ମୋ ପ୍ରଶ୍ନର ଉତ୍ତର ଦିଅ । ଏ ହସ ବିଜୟର ନା ସମର୍ପଣର? ସ୍ୱାମୀଙ୍କ ମୁଁହକୁ ଚାହିଁ ଲତିକା କହିଲେ- ନା ବୁଝି ପାରୁନି । ଟିକେ ବୁଝେଇ କୁହ ।

ପ୍ରତିଥର ସହବାସ ପରେ ତମ ଓଠରେ ଚେନାଏ ହସ ଇନ୍ଦ୍ରଧନୁ ପରି ମୁହଁ ଦେଖେଇ କେଉଁଠି ମିଳେଇ ଯାଏ । ମୁଁ ବୁଝି ପାରେନା ସେ ହସର ରହସ୍ୟ । ଜଣେ ପରାକ୍ରମୀ ପୁରୁଷକୁ ନିଜ ସୌନ୍ଦର୍ଯ୍ୟର ଶକ୍ତି ପାଖରେ ହରାଇ ପାରୁଥିବାରୁ ତମେ ନିଜକୁ ବିଜୟୀ ମନେ କରି ହସିଦିଅ ନା ପୁରୁଷ ପାଖରେ ନିଜକୁ ସମର୍ପି ଦେବାରେ ସଫଳ ହେବା ପରେ ତୁମର ଏ ହସ ତୁମ ଓଠରେ ଖେଳିଯାଏ ।

ଏ ପ୍ରଶ୍ନର କି ଉତ୍ତର ଦେବେ ଲତିକା କିଛି ଠିକ୍ କରି ପାରିଲେନି । ସ୍ୱାମୀଙ୍କ କପାଳରେ ପ୍ରେମ ଭର୍ତ୍ତି ଚୁମାଟିଏ ଦେଇ କହିଲେ- ତମ ପ୍ରଶ୍ନର ଉତ୍ତର ଦେବା କ’ଣ ନିହାତି ଜରୁରି?

ବିଲ୍‌କୁଲ ନୁହେଁ । କିଛି ବି ଜରୁରି ନୁହେଁ । କିନ୍ତୁ ମୁଁ ଏ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଚାହିଁବି ଲତିକା ।

ସ୍ୱାମୀଙ୍କ ଜିଦ୍ଧି ଆଗରେ ପରାସ୍ତ ହେବାଟା ନିଶ୍ଚିତ ଜାଣି ଉତ୍ତର ଖୋଜିବା ଆରମ୍ଭ କରିଦେଲେ ସେ ।

ମୋ ଉତ୍ତର ଶୁଣି ତମେ କିଛି ଭାବିବନି ତ ?

ନା କିଛି ଭାବିବିନି । କୁହ ।

ଏ ହସ ମୋର ବିଜୟର ହସ ବୋଲି କହିପାର । ତୁମ ଉପରେ । ତୁମ ପୁରୁଷପଣିଆ ଉପରେ ।

ସତରେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନକଲେ ସତ୍ୟପ୍ରିୟ । ହଁ ଭରିଲେ ଲତିକା ।

ଭାବିଲ ତମେ ପୁରୁଷମାନେ ସାରା ପୃଥିବୀର ଶାସନକର୍ତ୍ତା ସାଜିଛ । ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ଦେଶ ଜୟ କରୁଛ । ଜୟ କରୁଛ ଅନ୍ୟର ସମ୍ପତ୍ତି । ନାରୀଠାରୁ ସବୁ ଗୁଣରେ ତୁମେ ଅଧିକ । କିନ୍ତୁ ଦେହ ଭୋକକୁ ମେଣ୍ଟାଇବା ସୁଯୋଗ ଆସିଲେ ତମେ ମୂଷା ପାଲଟି ଯାଉଛ । ଶିଶୁଟି ପରି ଉଲଗ୍ନ ହୋଇ ଅଳି କରୁଛ । ଅସହାୟ ହୋଇପଡୁଛ । ନିଜ ଅସ୍ତିତ୍ୱ ଭୁଲି ଯାଇ ନାରୀର ସୌନ୍ଦର୍ଯ୍ୟ ଆଗରେ କେମିତି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେବାରେ କୁଣ୍ଠା ପ୍ରକାଶ କରୁନ ! ତମର ଏ ଅବସ୍ଥା ଦେଖିଲେ ମୁଁ ସବୁ ପୁରଷଙ୍କ କଥା ଭାବେ । ସାରା ପୁରୁଷ ସମାଜ ଉପରେ ଭାରି ଦୟା ହୁଏ । ହୁଏତ ଏହି ଭାବନା ହସ ହୋଇ ଖେଳି ଯାଏ ମୋ ଓଠରେ ।

ଲତିକାଙ୍କ ମୁହଁରେ ଏହି ନିଷ୍ଠୁର ସତ୍ୟପାଠ ଶୁଣିବା ପରେ ସତ୍ୟପ୍ରିୟ ବିସ୍ମୟ ହୋଇ ପଡ଼ିଲେ । ବେଡ୍ ରୁମ୍‌ରେ କାୟା ବିସ୍ତାର କରିଥିବା ଝାପସା ଆଲୁଅର ଶୀତଳତା ଅତିକ୍ରମକରି ତାଙ୍କ ସମଗ୍ର ଶରୀରକୁ କଳାବାଦଲ ଢାଙ୍କିଦେଲା । ଛାତି ଉପରୁ ଲତିକାଙ୍କୁ ଧୀରେ ଠେଲି ଦେଲେ ।

ଲତିକା ଓଠରେ ବକ୍ର ହସଟେ ଖେଳାଇ କହିଲେ କ’ଣ ହେଲା ? ମଜା କରୁଥିଲି । ଏବେ ଶୋଇବା ।

ସତରେ ପ୍ରେମ ପ୍ରଣୟର ଏ ଖେଳକୁ କେହି ଏମିତି ଭାବି ପାରେ । ଏ କଥାକୁ ଆଦୌ ସହଜରେ ଗ୍ରହଣ କରିପାରୁ ନଥିଲେ ସତ୍ୟ । ମୁହଁ ବୁଲେଇ ଶୋଇବାକୁ ଚେଷ୍ଟା କଲେ । ହୁଏତ ସେତେବେଳକୁ ନିଦ ଅଭିମାନରେ ବାଟ ଭାଙ୍ଗି ଚାଲି ଯାଇଲେ ।

ରାତିରେ ଭଲ ଭାବେ ନିଦ ହୋଇନି । ଆଖି ପୋଡୁଛି । ତଥାପି ଅନିଚ୍ଛାରେ ବିଛଣା ଛାଡିଲେ ସତ୍ୟପ୍ରିୟ । ତରତର ହୋଇ ଅଫିସ୍ ବାହାରିଲେ । ଅଫିସ୍ ପାଇଁ ଦରକାର ହେଉଥିବା ଜିନିଷ ସବୁକୁ ଗଣିଗଣି ଆଟାଚ୍‌ରେ ଭର୍ତ୍ତି କଲେ । ରୋଷେଇ ଘରୁ ବାହାରି ଆସି ଶୋଇବା ଘରେ ସ୍ୱାମୀଙ୍କୁ ବ୍ୟସ୍ତ ବିବ୍ରତ ଅବସ୍ଥାରେ ଦେଖି ଲତିକା ତାଙ୍କ ହାତରୁ ଆଟାଚ ଛଡେଇ ନେଲେ ।

ଡାଇନିଙ୍ଗ୍ ଟେବୁଲରେ ବ୍ରେକ୍‌ଫାଷ୍ଟ ରଖି ଆସିଛି । ତୁମେ ଗଲ ଖାଇବ । ମୋତେ ଆଟାଚ ଦିଅ । ଛାଡ଼ ବାବା । ମୁଁ ସବୁ ଜିନିଷ ରଖୁଛି ଆଟାଚରେ । ଯାଅ ତୁମେ । ତୁମ ଅଫିସ୍ ଟାଇମ ହୋଇ ଗଲାଣି ପରା ।

ସତ୍ୟପ୍ରିୟ କହିଲେ ନା ନା ତମେ ଯାଅ । ମୋ ଦରକାର ଜିନିଷ ମୁଁ ସଜାଡ଼ି ନେଉଛି । ଅଭିମାନ ଭରା ସ୍ୱରରେ ଲତିକା କହିଲେ କାହିଁ ମୁଁ କ’ଣ ଆଜି ଏ କାମ ନୂଆ କରୁଛି ଯେ ! ବିଭାଘର ପରଠାରୁ ତ ତୁମର ସବୁ ଦାୟିତ୍ୱ ମୋର । ଆଜି କାହିଁ ଏମିତି କହୁଛ ?

ସରୀ ଲତିକା ! ଏଇଟା ମୋ କାମ । ମୋତେ କରିବାକୁ ଦିଅ ।

ସ୍ୱାମୀଙ୍କ ମୁହଁରେ ବିରକ୍ତି ଭାବ ଦେଖି ପାଦେ ପଛକୁ ଘୁଞ୍ଚି ଆସିଲେ ଲତିକା । ଆଗରୁ ତ କେବେ ଏମିତି ବ୍ୟବହାର କରି ନାହାନ୍ତି ସେ । ଆଜି କାହିଁକି !

ଆଜି ଅଫିସ୍ରେ ବହୁତ କାମ । ବିଜ୍‌ନେସ ମ୍ୟାଟରରେ ଡେଲିଗେଟ୍ସ ଆସୁଛନ୍ତି । ସେମାନଙ୍କୁ ଡିଲ୍ କରିବା ପାଇଁ ପଡିବ । ପୁରୁଣା ଫାଇଲ ସବୁକୁ ଡିପାଟମେଣ୍ଟ ୱାଇଜ୍ ବାଛିବାକୁ ହେବ । ପୁଣି ଆଫ୍‌ଟରନୁନ୍‌ରେ ବସ୍‌ଙ୍କ ସହିତ ମିଟିଙ୍ଗ୍ । ନିଜ ଚାମ୍ବରରେ ବସି କାମର ବୋଝ କଥା ଭାବୁ ଭାବୁ ସିଗାରେଟରେ ନିଅାଁ ଧରାଇଲେ ସତ୍ୟ । ଚେୟାରରୁ ଉଠିଯାଇ ଝରକା ଆରପଟକୁ ଚାହିଁଲେ । ଅକାଶମୁହାଁ ଅସଂଖ୍ୟ କୋଠା । ସମସ୍ତେ ପାଖାପାଖି ଛିଡ଼ା ହୋଇଛନ୍ତି ଅଥଚ କାହା ସହିତ କାହାର କଥାବାର୍ତ୍ତା ନାହିଁ । ଏତେ ନିକଟରେ ଥାଇ ବି କେହି କାହାକୁ ଛୁଇଁ ପାରୁ ନାହାନ୍ତି । ବରଂ ସାରା ଜୀବନ ଅନ୍ୟର ବୋଝ ମୁଣ୍ଡେଇ ଛିଡ଼ା ହୋଇଛନ୍ତି । ମଣିଷ ଜୀବନଟା ବି ବିଲକୁଲ ସେମିତି । ପରସ୍ପର ଏତେ ପାଖରେ ଥାଇ ବି କେହି କାହା ମନ କଥା ବୁଝି ପାରନ୍ତ ନାହିଁ । ସମସ୍ତେ ନିଜ
ନିଜ ସ୍ୱାର୍ଥରେ ମାତିଛନ୍ତି । ପ୍ରେମ, ଭଲ ପାଇବ, ଭାବପ୍ରବଣତା… ଏ ସବୁର ଯେମିତି କିଛି ମାନେ ନାହିଁ । ସତରେ ମଣିଷ କେତେ ଅସହାୟ । ବରଂ ମଣିଷ ନ ହୋଇ କୋଠା ହୋଇଯିବା ଭଲ । ସିମେଣ୍ଟ ଆଉ ଇଟା ପଥରରେ ତିଆରି କୋଠା । ଯାହାର ହୃଦୟ ନାହିଁ । ଆପଣା ମଣିଷକୁ ଛୁଇଁ ନ ପାରିଲେ ମନେର ଦୁଃଖ ନାହିଁ । ପାଖରେ କୌଣସି କୋଠା ଭୁଶୁଡ଼ି ପଡିଲେ ବି ଲୁହ ଝରିବା ପାଇଁ ଅନ୍ୟ କୋଠାଗୁଡ଼ିକର ଆଖି ନାହିଁ । ଇସ୍ କେତେ ଭଲ ହୁଅନ୍ତା ମଣିଷ ଯଦି କୋଠା ପାଲଟି ଯାଆନ୍ତି! ଏମିତି ବିଚିତ୍ର ଚିନ୍ତାରେ ବୁଡ଼ିଥିଲେ ସତ୍ୟପ୍ରିୟ । ସିଗାରେଟ ସରି ସରି ଆସୁଥିଲା । ବଡ୍‌କୁ ନିଅାଁ ଛୁଇଁବା ଆଗରୁ ଝର୍କା ଆରପଟକୁ ଫିଙ୍ଗି ଦେଲେ ଅଧାଜଳା ସିଗାରେଟକୁ । ବୋଧହୁଏ ସେହି କୋଠାଙ୍କ ଉଦ୍ଧେଶ୍ୟରେ । ୟା’ ଭିତରେ କବାଟ ଠକ୍ ଠକ୍ କରି ଭିତରକୁ ଆସିବାର ଅନୁମତି ମାଗୁଥିଲେ ସୁନ୍ଦରୀ ଷ୍ଟେନୋ ଡେଜି ।

ୟସ୍, କମ୍ ଇନ୍ ।

ସାର୍ ଆଜି ଆଫ୍ଟର୍‌ନୁନ୍‌ରେ ଆପଣଙ୍କର ବସ୍‌ଙ୍କ ସହ ମିଟିଙ୍ଗ୍ ଅଛି । ମନେ ପକାଇ ଦେବା ପାଇଁ ଆସିଥିଲି ।

ହଁ ମୋର ମନେ ଅଛି । ହେଲେ ତୁମେ କାହିଁକି ମୋତେ ମନେ ପକେଇ ଦେବା ପାଇଁ ଚାହିଁଲ ଯେ?

ସରୀ ସାର୍ ! ବୁଝି ପାରିଲିନି ଆପଣ କ’ଣ କହୁଛନ୍ତି ।

ମାନେ ତୁମେ କାହିଁକି ମୋତେ ମନେ ପକେଇ ଦେବାପାଇଁ ଆସିଲ କି ମୋର ଆଫ୍‌ଟରନୁନ୍‌ରେ ବସ୍‌ଙ୍କ ସହ ମିଟିଙ୍ଗ୍ ଅଛି ।

ଟିକେ ଡରି ଯାଇ ଡେଜି ଉତ୍ତର ଦେଲେ ତାହା ତ ମୋର ଡିୟୁଟି ସାର୍ । ମୁଁ ତ ସେଇଥି ପାଇଁ ଅଛି ।

ନା, ତୁମର ଏ ସବୁ କିଛି କରିବାର ଦରକାର ନାହିଁ । ମୋ କାମ ମୁଁ କରିବି । ବିରକ୍ତ ହୋଇ ଉତ୍ତର ଫେରାଇଲେ ସତ୍ୟପ୍ରିୟ । ମୋର ସ୍ମୃତିଶକ୍ତି ବେଶ୍ ମଜବୁତ୍ । ତା’ ନ ହୋଇଥିଲେ ମୁଁ ଏ ଚେୟାର୍‌ରେ ବସି ନ ଥାନ୍ତି । କ’ଣ ଭାବୁଚ ପୁରୁଷମାନେ ତୁମ ପରି ସୁନ୍ଦରୀମାନଙ୍କ ସାହାଯ୍ୟ ବିନା କୌଣସି କାମ କରିପାରିବେ ନାହିଁ ? ତମେ ପାଖେ ପାଖେ ଥାଇ ଏ ସବୁ ମନେ ପକେଇ ଦେବ । ତମେ ସୁଯୋଗ ପାଇଲେ ପୁଣି କହିବ ଯେ ସାର୍ ଆପଣଙ୍କର କିଛି ମନେରହେନା । ସେଇଥିପାଇଁ ମୁଁ ଆପଣଙ୍କୁ ଗୋଡେ଼ଗୋଡେ଼ ଜଗିଛି । ସେତିକି ନୁହେଁ ଏହା ବି କହିବ- ମୋର ଭୁଲିଯିବାରେ ତୁମକୁ ଭାରି ଦୟା ଲାଗେ । ପୁରୁଷମାନେ ଅସହାୟ । ବିଲକୁଲ ଶିଶୁଟି ପରି । ଠିକ୍ କହିଲି ନା ? ଚିତ୍କାର କରି ଉଠିଲେ ସତ୍ୟପ୍ରିୟ । ପାଖ ଚାମ୍ବରରୁ ଉଠି ଆସିଲେ ଅନ୍ୟମାନେ । ଚମକି ପଡିଲେ ସତ୍ୟପ୍ରିୟ ।

ଓଃ ସରୀ । ସରୀ ଡେଜି । ମୁଁ ଟିକେ ଅନ୍ୟମନସ୍କ ଥିଲି । ଆଶା କରୁଛି କିଛି ମନେ କରିବନି । ଏଗେନ୍ ଆଇ ଆମ୍ ସରୀ ।

ନିଜ କପାଳରେ ମୁହଁ କାଢ଼ିଥିବା ବିନ୍ଦୁ ବିନ୍ଦୁ ଝାଳକୁ ରୁମାଲରେ ପୋଛି ନେଇ ଝରକା ଆଡ଼କୁ ଚାହିଁ ଆଉ ଗୋଟେ ସିଗାରେଟରେ ଲଗାଇଲେ ସେ ।

ଘରେ ପହଞ୍ଚି ଟି-ପଏ ଉପରେ ଆଟାଚ୍ କଚାଡ଼ି ଦେଲେ ସତ୍ୟପ୍ରିୟ । ସବୁଦିନ ପରି ଲତିକା ପାଣି ଗ୍ଲାସ୍ ନେଇ ପାଖରେ ଛିଡା ହେଲେ । ସ୍ୱାମୀଙ୍କ ମୁଣ୍ଡରେ ହାତ ବୁଲେଇ ଆଣିଲେ । ପାଣି ଗ୍ଲାସ୍ ଓଠରେ ଦେଉଦେଉ ସତ୍ୟପ୍ରିୟ କଣେଇ ଚାହଁଲେ ଲତିକାଙ୍କ ମୁହଁକୁ । କ’ଣ ଦେଖୁଚ? ଏମିତି ଆଶ୍ଚର୍ଯ୍ୟ ହୋଇ ଚାହୁଁଚ ଯେ । ଲତିକାଙ୍କ ଏ ପ୍ରଶ୍ନର କୌଣସି ଉତ୍ତର ଅପେକ୍ଷା ନ କରି ନିରବରେ ପାଣିତକ ପିଇ ନେଲେ ସେ ।

ପ୍ଲିଜ୍ ମୋତେ ଡିଷ୍ଟର୍ବ କରନି । ମୋ ମୁଣ୍ଡ ବିନ୍ଧୁଛି । ମୁଁ ବିଶ୍ରାମ ନେବାକୁ ଚାହେଁ । ଦୟାକରି ମୋତେ ଏକା ଛାଡ଼ି ଦିଅ ।

ସ୍ୱାମୀଙ୍କର ଏ ବ୍ୟବହାରରେ ଚମକି ପଡିଲେ ଲତିକା । ଆଗରୁ ତ କେବେ ଏମିତି ବ୍ୟବହାର ସେ କରିନାହାନ୍ତି । ତେବେ ଆଜି କାହିଁକି? ନିରବରେ ରୋଷେଇ ଘରକୁ ଫେରିଗଲେ । ବାଲକୋନିରେ ବସି ଶୂନ୍ୟଆକାଶକୁ ଚାହୁଁଥିଲେ ସତ୍ୟପ୍ରିୟ । ପାଖରେ ସୁନ୍ଦରୀ ସ୍ତ୍ରୀଙ୍କ ଉପସ୍ଥିତି ପୁଣି ଝାପ୍ସା ଅନ୍ଧାର । ସ୍ୱାମୀଙ୍କ ପାଖକୁ ଆଉଜି ପଡିଲେ ଲତିକା । ମୁଣ୍ଡରେ ହାତ ବୁଲେଇ ଆଣୁଆଣୁ ପ୍ରଶ୍ନ କଲେ ସବୁ ଠିକ୍ ଅଛି ତ? ତୁମର କିଛି ଅସୁବିଧା ହୋଇନି ତ? କାହିଁକି ତମ ମୁହଁ ଆଜି ଶୁଖି ଯାଇଛି? କ’ଣ ହୋଇଛି କୁହ? ଲତିକା ଏହି ସବୁ ପ୍ରଶ୍ନର ବୋଝ ନେଇ ଏକ ପ୍ରକାର ସ୍ୱାମୀଙ୍କ ପାଖରେ ଅଳି କରିବା ଆରମ୍ଭ କରିଦେଲେ । ମୋର କିଛି ହୋଇନି; ପୂରାପୂରି ଠିକ୍ ଅଛି । ତେବେ ଏ ନିରବତା କାହିଁକି? ଅଫିସ୍‌ରୁ ଫେରି ମୋ କପାଳରେ ତମର ଚୁମା କାହିଁ ଆଜି ମୁଁ ଜାଣି ପାରିଲିନି । ମୋ ଅଣ୍ଟା ଚାରିପାଖରେ ତମର ସେ ବାହୁର ବନ୍ଧନୀ ପୁଣି ମୁଁ କଫି କଲାବେଳେ ମୋ ଖୋଲା ଚୁଟି ତଳେ ତମ ଓଠର ଉଷ୍ମତା ବିଞ୍ଚି ଦେବା, ମୋତେ ଅସ୍ତବ୍ୟସ୍ତ କରିବା ସବୁ କ’ଣ ତମେ ଭୁଲି ଯାଇଛ?

ହେଲାନି ତ ହେଲାନି ଏ ଛୋଟ କଥାକୁ ନେଇ ତମେ ଏତେ ବ୍ୟସ୍ତ କାହିଁକି ? ମୋର ଚୁମ୍ବନ ଆଲିଙ୍ଗନ… ଏ ସବୁ କ୍ଷଣିକ । କ୍ଷଣିକ ଉତ୍ତେଜନା । ସେହି ଟିକକ ମିଳିଲାନି ବୋଲି ତମେ ଏତେ ଚିନ୍ତିତ ହୋଇ ପଡ଼ନି । ଏ ପୃଥିବୀ କ୍ଷଣସ୍ଥାୟୀ । ଏଠି କିଛି ବି ସ୍ଥାୟୀ ନୁହେଁ ଲତିକା । ନା ଆମ ପ୍ରେମ କି ଚୁମ୍ବନ । ବରଂ ସତ କଥା ତ ଆଉ କିଛି । ତମକୁ ଲାଗୁନି ଏ ସୌନ୍ଦର୍ଯ୍ୟ ଏ ଦେହ ସବୁ କିଛି ଯେମିତି ଗୋଟେ ଗୋଟେ ମାୟାଜାଲ । ଆମେ ସେଥିରେ ଅସହାୟ ପତଙ୍ଗ । ସ୍ୱାମୀଙ୍କ କପାଳରୁ ହାତ ଫେରାଇ ଆଣି ନିଜ ଦୁଇ ପାପୁଲି ଭିତରେ ସ୍ୱାମୀଙ୍କ ପାପୁଲିକୁ ବନ୍ଦି କରିନେଲେ ଲତିକା ।

ଆଜି ଏମିତି କ’ଣ କହୁଛ? ମୁଁ ମାନୁଛି ଏ ଜୀବନ କ୍ଷଣସ୍ଥାୟୀ । ଏଠି ମିଳୁଥିବା ସବୁକିଛି ବି କ୍ଷଣସ୍ଥାୟୀ । କିନ୍ତୁ ଧରା ଦେଉଥିବା ସୁଯୋଗକୁ ହାତଛଡା କରିବା କ’ଣ ନିର୍ବୋଧଙ୍କ ପରିଚୟ ହେବନି? ଆମକୁ ଏବେ ଯେଉଁ ସୁଯୋଗ ଓ ସୁଖ ମିଳୁଛି, ତାହା ଆଉ କିଛି ବର୍ଷ ପରେ ନଥିବ । ତେବେ ଆଜି କାହିଁକି ସେ ସବୁକୁ ଉପଭୋଗ ନ କରିବା । ତା’ ଛଡା ଆଜି ହଠାତ୍ ତୁମେ ଏମିତି ଦାର୍ଶନିକ ପରି କାହିଁକି କଥାବାର୍ତ୍ତା କରୁଛ ।

ନା ଲତିକା ମୁଁ ଦାର୍ଶନିକ ନୁହେଁ; ବରଂ ନିଷ୍ଠୁର ସତ୍ୟକୁ ନିର୍ଲଜ ପରି ସ୍ୱୀକାର କରୁଛି କୁହ ।

ମୁଁ ସେ ସବୁ କିଛି ଜାଣିନି । ଆସ ମୁଁ ବେଡ୍‌ରେ ତୁମକୁ ଅପେକ୍ଷା କରିଛି । ସତ୍ୟ ମୁହଁ ବୁଲାଇଲେ ତାରା ଭର୍ତ୍ତି ଆକାଶ ଆଡେ଼ । ଆକାଶ ଛାତିରେ ମିଞ୍ଜି ମିଞ୍ଜି କରୁଥିବା ତାରାମାନେ ହଠାତ୍ ଯେମିତି ଅଟ୍ଟହାସ୍ୟ କରିବା ଆରମ୍ଭ କରିଦେଲେ । ତାଙ୍କୁ ଲାଗୁଥିଲା ତାରାମାନେ ତାଙ୍କ ଅସହାୟତା ପାଇଁ ହସୁଛନ୍ତି । ସେ ଜଣେ ଉପେକ୍ଷିତ ପୁରୁଷ ବୋଲି ହୁଏତ ତାରାମାନେ କାଲି ରାତିରେ ଝରକା ଆରପଟେ ଥାଇ ଶୁଣି ପାରିଛନ୍ତି । ଅନ୍ୟପଟେ ସତ୍ୟପ୍ରିୟ ଆକାଶର ବିଶାଳତା ପାଖରେ ଅସହାୟ ଅନୁଭବ କରୁଥିଲେ । ଅନ୍ଧାର ତାଙ୍କୁ ଆଲିଙ୍ଗନ ପାଇଁ ଆହ୍ୱାନ କରୁଥିଲା । ଶୂନ୍ୟରେ କେହି ଯେମିତି ତାଙ୍କୁ ଟାଣି ନେବାକୁ ପ୍ରୟାସ କରୁଥିଲା କେଉଁ ଏକ ଆଦିମ ଯୁଗକୁ । ଯେଉଁଠି ମଣିଷ ଭାଷାକୁ ଆୟତ୍ତ କରି ନଥିଲା । କେବଳ ଭାବରେ ବଞ୍ଚୁଥିଲା । କାଳେକାଳେ ଅନ୍ୟ ପାଖରେ ମଣିଷ ଏମିତି ଛୋଟ ହୋଇଯାଏ । ତାର ଅସ୍ତିତ୍ୱ ହଜିଯାଏ । ଯେ ପର୍ଯ୍ୟନ୍ତ କାହାର ବିଶାଳତା ସହ ସେ ତୁଳନା କରି ହୋଇ ନ ଥାଏ, ସେ ପର୍ଯ୍ୟନ୍ତ ନିଜ ଉଚ୍ଚତାକୁ ନେଇ ଗର୍ବ କରେ ମଣିଷ । ବାସ୍, ଏକ ନିର୍ଦ୍ଧିଷ୍ଟ ସମୟ ଆସିଲେ ତାର ସବୁ ଅହଂକାର ପାଣି ଫୋଟକା ପରି ମିଳେଇ ଯାଏ । ସତ୍ୟ ସହ ସାମନା ସାମନି ହୋଇଯାଏ । ସେଇଠି ମଣିଷ ଚମକି ପଡେ । ଚମକି ପଡିଲେ ସତ୍ୟ । ନିଜ ଭିତରେ ହଜି ଯିବା ଆଗରୁ ଚେତନା ଫେରି ପାଇଲେ । ତାଙ୍କ କାନ ପାଖରେ ପ୍ରତିଧ୍ୱନିତ ହେଉଥିଲା ଗତ ରାତିର ଶବ୍ଦସବୁ । ‘ତୁମେ ଅସହାୟ । ଉଲଗ୍ନ ଶିଶୁ ପରି ଜିଦ୍ଧି କରୁଛ । ନାରୀର ସୌନ୍ଦର୍ଯ୍ୟ ପାଖରେ ତୁମେ ଶକ୍ତିହୀନ । ତୁମକୁ ବିଚରା କହିବାକୁ ଇଚ୍ଛା ହେଉଛି । ହଁ ହଁ ତମକୁ ବିଚରା କହିବାକୁ ଇଚ୍ଛା ହେଉଛି । ତୁମେ ବିଚରା ଭାରି ଅସହାୟ । ନା, ମୁଁ ଅସହାୟ ନୁହେଁ । ମୁଁ ଆଦୌ ଅସହାୟ ନୁହେଁ, ନୁହେଁ, ନୁହେଁ କହୁଛି । ଶୋଇବା ଘରୁ ଦଉଡ଼ି ଆସିଲେ ଲତିକା । କ’ଣ ହେଲା ବୋଲି ପଚାରିଲେ । ସତ୍ୟ ମୁହଁ ଫେରାଇଲେ ଲତିକାଙ୍କ ପାଖକୁ ।

କିଛି ନାହିଁ । ମୁଁ ଟିକେ ଅନ୍ୟମନସ୍କ ହୋଇ ପଡିଥିଲି ।

ଝାପସା ଆଲୁଅରେ ବି ସ୍ୱାମୀଙ୍କ କପାଳରେ ବିନ୍ଦୁ ବିନ୍ଦୁ ଝାଳର ସମାହାରକୁ ବେଶ୍ ସ୍ପଷ୍ଟ ଭବେ ବାରି ପାରୁଥିଲେ ଲତିକା ।

ୟା ଭିତରେ ବେଶ୍ କିଛି ଦିନ ବିତିଗଲାଣି । ଆଗ ପରି ଚଞ୍ଚଳତା ହରାଇ ବସିଛନ୍ତି ସତ୍ୟ । ଏ କଥା ବେଶ୍ ଅନୁଭବ କରୁଥିଲେ ସୁଦ୍ଧା ଲତିକାଙ୍କର କିଛି କରିବାର ବାଟ ନଥିଲା । ସତ୍ୟ ଦୁର୍ବଳ ହୋଇ ପଡୁଥିଲେ ଦିନକୁ ଦିନ । ଖାଇବା ପିଇବା ଠିକ୍ ନଥିଲା । ଅଫିସ୍ କାମ ବି ଠିକ୍ରେ ହେଉ ନଥିଲା । ଅଫିସ୍‌ରୁ କଲ୍ ଆସିଲେ ବିରକ୍ତ ହେଉଥିଲେ । ସ୍ୱାମୀଙ୍କର ଏ ପରିବର୍ତ୍ତନରେ ଆତଙ୍କିତ ହୋଇ ପଡ଼ିଥିଲେ ଲତିକା । ନିଜ ସୌନ୍ଦର୍ଯ୍ୟରେ ସ୍ୱାମୀଙ୍କୁ ବାନ୍ଧି ରଖିବାର ସମସ୍ତ କଳାକୌଶଳ ସେ ଭୁଲି ସାରିଥିଲେ । ଗୋଟିଏ ବିଛଣାରେ ଏକାଠି ଶୋଉଥିଲେ ସୁଦ୍ଧା ପରସ୍ପର ପାଇଁ ଥିଲେ ଅପରିଚିତ । ସ୍ୱାମୀଙ୍କ ଭିତରେ ଏତେ ବଡ଼ ପରିବର୍ତ୍ତନର କାରଣ ଖୋଜି ଖୋଜି ଥକି ପଡ଼ିଥିଲେ ସେ । ଏ ବାବଦରେ ତାଙ୍କୁ ନିରାଶ ହେବାକୁ ପଡୁଥିଲା ବାରମ୍ବାର । ସ୍ୱାମୀଙ୍କ ଏ ଅବସ୍ଥା ସମ୍ପର୍କରେ କାହାକୁ କହିବେ କ’ଣ କହିବେ କିଛି ବୁଝିପାରୁ ନ ଥିଲେ ।

ରାତି ଆସି ଅନେକ ହେଲାଣି । ବିଛଣାରେ ପଡି ଛଟପଟ ହେଉଛନ୍ତି ଲତିକା । ବାଲକୋନିରେ ବସି ସିଗାରେଟ ପରେ ସିଗାରେଟ ଟାଣି ଚାଲିଛନ୍ତି ସତ୍ୟ । ଚେନାଏ ଷ୍ଟ୍ରୀଟ୍ ଲାଇଟ୍ ଛିଟିକି ପଡିଛି ବାଲକୋନିକୁ । ସେହି ଚେନାଏ ଆଲୁଅର ହାତ ଧରି ଗଛପତ୍ରର ଛାଇ ମେଞ୍ଚାଏ ଦୋଳି ଖେଳୁଛି ବାଲକୋନି କାନ୍ଥ ସାରା । କାନ୍ଥରେ ଝୁଲୁଥିବା ଭଗବାନ ବୁଦ୍ଧଙ୍କ ପୋଟ୍ରେଟ୍ ଉପରେ ଅଧା ଛାଇ ଅଧା ଆଲୁଅର ଖେଳ ଚାଲିଛି । ରାତିର ନିର୍ଜନତା, ସୁନ୍ଦରୀ ନାରୀର ଅହଂକାର, ଯାବତୀୟ କାମନା ବାସନା କିଛି ବି ସ୍ପର୍ଶ କରିପାରୁନି ତଥାଗତଙ୍କୁ । ସେ ନିରବ ନିଶ୍ଚଳ । ବୁଦ୍ଧଙ୍କର ଧ୍ୟାନମଗ୍ନ ଫଟୋଚିତ୍ର ପାଖରେ ଅହଂକାରୀ ସମୟ ବି ଲାଞ୍ଜ ହଲାଇବା ପରି ମନେ ହେଉଥିଲା । ଝାପ୍ସା ଆଲୁଅରେ ବୁଦ୍ଧଙ୍କ ଆଖି ସହ ବାରମ୍ବାର ଆଖି ମିଶାଉଥିଲେ ସତ୍ୟ । ତାଙ୍କ କାନରେ କେହି ଫିସ୍ ଫିସ୍ କହିଦେଉଥିଲା ‘ବୁଦ୍ଧଂ ସରଣଂ ଗଚ୍ଛାମି’ । ରାତିର ବୟସ ବଢିବା ସେଙ୍ଗ ସେଙ୍ଗ ଅନ୍ଧାର ଛାତିରେ ନିର୍ଜନତା ପରିମାଣ ବଢିବାରେ ଲାଗିଥିଲା । ଘର ଭିତରୁ ଢଂ-ଢଂ ଘଣ୍ଟି ବାଡେଇ କାନ୍ଥଘଣ୍ଟା ଚେତାଇ
ଦେଲା ଅଧ ରାତି ହେଲାଣି ବୋଲି । ଘଣ୍ଟାର ସତର୍କତା ଦୋହଲାଇ ପାରିଲାନି ତାଙ୍କୁ । କିନ୍ତୁ ଏହି ଶବ୍ଦରେ ନିଦରୁ ଉଠି ପଡିଲେ ଲତିକା । ଶୋଇବା ଘରର ଲାଇଟ୍ ଅନ୍ କରି ଡ୍ରେସିଙ୍ଗ୍ ଟେବୁଲ ଆଗରେ ଛିଡ଼ାହେଲେ । ଶାଢ଼ୀ ସଜାଡ଼ି ନେଇ ବାଥରୁମ୍‌କୁ ପଶିଗଲେ । କିଛି ସମୟ ପରେ ବାହାରି ଆସି ପୁନଶ୍ଚ ଡ୍ରେସିଙ୍ଗ୍ ଟେବୁଲ ଆଗରେ ଛିଡ଼ା ହେଲେ ମୂର୍ତ୍ତି ଟିଏ ପରି । ଶାଢ଼ୀ ପାଲଟି ଗୋଟେ ଗୋଲାପି ରଙ୍ଗର ଗାଉନ୍ ପିନ୍ଧିଲେ । ଦେହରେ ପାଉଡର ପୁଣି ପରେ ପରେ ପରଫ୍ୟୁମ ମାରିଲେ । ଡ୍ରୟର୍‌ରୁ କୋଟେଡେ଼୍ ଅଳେଇଚ କାଢ଼ି ପାଟିରେ ପକେଇ ବାଲକୋନିରେ ପହଞ୍ଚିଲେ । ପାଖ ଚଉକିରେ ବସି ସ୍ୱାମୀଙ୍କ ବାମ କାନ୍ଧରେ ମୁଣ୍ଡ ରଖି ଆକାଶକୁ ଚାହିଁଲେ । ଆଜି ଆକାଶଟା କେତେ ନିରବ ଲାଗୁଛି ନା । ବିଲକୁଲ ତମ ପରି । ନିରବ ଅଥଚ ସୁନ୍ଦର । କେତେ ବିଶାଳ । କେତେ ଶୀତଳ ।

ତମେ ନ ଶୋଇ ଏଠିକି କାହିଁକି ଚାଲି ଆସିଲ ।

ତମ ଆକର୍ଷଣରେ ମୁଁ ଏଠିକି ଟାଣିହୋଇ ଆସିଲି ସତ୍ୟ । ଚାଲନା ରାତି ସରି ସରି ଆସୁଛି । ଆଉ କେତେ ସମୟ ଏଠି ଏକା ଏକା ବସିବ ଯେ ! ତମକୁ କ’ଣ ରାତିର ବୟସ ଜଣା ପଡୁନି କି?

ସତ୍ୟଙ୍କ ହାତଧରି ଘର ଭିତରକୁ ଭିଡିଲେ ଲତିକା । ପରେ ପରେ ଶୋଇବା ଘରର ଲାଇଟ୍ ଲିଭିଗଲା । ସ୍ୱାମୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସମସ୍ତ କୌଶଳ ଆପଣେଇବା ଆରମ୍ଭ କରିଦେଲେ ସେ । ସ୍ୱାମୀଙ୍କ ଦେହରେ ସେହି ଆଦିମ ସ୍ପର୍ଶ ଦେଇ ଚାଲିଲେ ବାରମ୍ବାର । ନିଜକୁ ସମ୍ପୂର୍ଣ୍ଣ ଭାବେ ଅଜାଡ଼ିଦେଲେ ସ୍ୱାମୀଙ୍କ ଦେହ ଉପରେ । ଲତିକାଙ୍କ ମାର୍ବଲ ପରି ଦେହରୁ ଛୁଟି ଆସୁଥିବା ବିଦେଶୀ ପରଫ୍ୟୁମର ଭୁରୁଭୁରୁ ଗନ୍ଧ ସ୍ପର୍ଶ କରି ପାରୁ ନଥିଲା ସତ୍ୟପ୍ରିୟଙ୍କ ନିରବତାକୁ । ତାଙ୍କ ସ୍ଥାଣୁତାରେ ତିଳେମାତ୍ର ପ୍ରଭାବ ପକାଇ ପାରୁ ନ ଥିଲା ଲତିକାଙ୍କ ଦାମି ମେକ-ଅପ୍ । ତାଙ୍କ ଆକର୍ଷଣୀୟ ଚେହେରା ପୁଣି ଦେହର ତାତି ସ୍ୱାମୀଙ୍କ ଭିତରେ ଜମାଟ ବାନ୍ଧିଥିବା ଅସଂଖ୍ୟ ଅନ୍ୟ ମନସ୍କତାକୁ ତରଳାଇବାରେ ବାରମ୍ବାର ବିଫଳ ହେଉଥିଲା ନାଇଟ୍ ଗାଉନ୍ ତଳେ ଚିକ୍ ଚିକ୍ ମାରୁଥିବା ମାଂସଳ ଦେହଟା ଆଉ ଆଗ ପରି କମାଲ ଦେଖାଇ ପାରୁ ନଥିଲା ।

ରାତି ପାହିଗଲା ନିରବରେ । ବିନିଦ୍ର ରଜନୀ କାଟିବା ପରେ ଉଭୟ ବେଶ୍ ଦୁର୍ବଳ ଅନୁଭବ କରୁଥିଲେ । ଅଫିସ୍ ପାଇଁ ନିଜକୁ ପ୍ରସ୍ତୁତ କଲେ ସତ୍ୟପ୍ରିୟ । ଡାଇନିଙ୍ଗ୍ ଟେବୁଲ ଉପରେ ବଢା ଯାଇଥିବା ବ୍ରେକ୍‌ଫାଷ୍ଟ ପ୍ରତି ଦୃଷ୍ଟି ଦେବାକୁ ବି ତାଙ୍କ ପାଖରେ ଯେମିତି ସମୟ ନଥିଲା । ଲତିକା ହାତରେ ଟିଫିନ୍ ବକ୍ସ ନେଇ ତାଙ୍କ ପଛେ ପଛେ ଚାଲିଥିଲେ କିନ୍ତୁ ସୁନ୍ଦରୀ ସ୍ତ୍ରୀଙ୍କ ଆଡ଼କୁ ମୁହଁ ଫେରାଇ ଚାହିଁବା ପାଇଁ ବି ସାମାନ୍ୟ ଆଗ୍ରହ ନଥିଲା ତାଙ୍କଠାରେ । ସ୍ୱାମୀ ତାଙ୍କର ଅନ୍ୟ ନାରୀ ପ୍ରତି ଆକର୍ଷିତ ହୋଇ ପଡ଼ିବା ଆଶଙ୍କାରେ ଥିଲେ ଲତିକା । ଏ ନେଇ ମନରେ ମୁହଁ କାଢୁଥିବା ସବୁ ପ୍ରଶ୍ନକୁ ନିଜ ଭିତରେ ତାଙ୍କୁ କବର ଦେବାକୁ ହେଉଥିଲା ।

ସନ୍ଧ୍ୟାରେ ଅଫିସ୍ରୁ ଫେରି ମୁ୍ୟଜିକ୍ ଲଗେଇ ଶୁଣିବାକୁ ବସି ପଡ଼ିଲେ ସତ୍ୟପ୍ରିୟ । ଦୀର୍ଘଦିନର ବ୍ୟବଧାନ ପରେ ସ୍ୱାମୀଙ୍କଠାରେ ପରିବର୍ତ୍ତନର ଚିହ୍ନ ଦେଖି ସାମାନ୍ୟ ଆଶ୍ୱସ୍ତ ହେଲେ ଲତିକା । ଗରମ କଫି କପ୍ ଧରି ହାଜର ହେଲେ ସ୍ୱାମୀଙ୍କ ପାଖରେ । ଲତିକାଙ୍କ ହାତରୁ କଫି କପ୍ ନେଇ ଟି-ପଏ ଉପରେ ରଖି ଦେଲେ ସତ୍ୟ । ଟିକେ ଲେମନ୍ ଟି ମିଳିବ ? ଏଇ ଟିକକ ଶୁଣିବା ପାଇଁ ଯେମିତି ଚାତକ ପରି ଚାହିଁଥିଲେ ଲତିକା । ନିଶ୍ଚୟ, ଟିକେ ଅପେକ୍ଷା କର । ଏଇ ଗଲି ଆଉ ଏଇ ଆସିଲି । କିଛି ସମୟ ପରେ ଲତିକା ଲେମନ୍ ଟି ନେଇ ଫେରିଲେ । ହଜି ଯାଇଥିବା ମୂଲ୍ୟବାନ ଜିନିଷ ପାଇବା ପରେ ମଣିଷ ମୁଖମଣ୍ଡଳରେ ଯେମିତି ଆତ୍ମତୃପ୍ତିର ରେଖାଟିଏ ଆଙ୍କି ହୋଇଯାଏ ଠିକ୍ ସେମିତି ଚିତ୍ର ସ୍ୱାମୀଙ୍କ ମୁହଁରେ ଦେଖି ପାରୁଥିଲେ ସେ । କିନ୍ତୁ ସାହସ କରି ପଚାରି ପାରୁ ନ ଥିଲେ କିଛି । ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ ସେ । ତାଙ୍କୁ ଲାଗୁଥିଲା ଯେମିତି ବର୍ଷବର୍ଷ ଧରି ସ୍ୱାମୀ ତାଙ୍କୁ ଛାଡି କେଉଁ ବନବାସରେ ଥିଲେ । ଗୋଟିଏ ଛାତ ତଳେ ଉଭୟ ଅପରିଚିତ ପରି ରହୁଥିଲେ । ଗୋଟିଏ ବିଛଣାରେ ଥାଇ ବି ସ୍ୱାମୀଙ୍କଠାରୁ ଦୂରେଇ ରହିବାର କଷ୍ଟ ବେଶ୍ କିଛି ଦିନ ଧରି ଅନୁଭବ କରୁଥିଲେ ସେ । ବିଛଣାରେ ନିଜ ସୌନ୍ଦର୍ଯ୍ୟକୁ ପଛ କରି ସ୍ୱାମୀ ନିର୍ଜୀବ ପରି ଶୋଇବା ସୁନ୍ଦରୀ ସ୍ତ୍ରୀ ପାଇଁ ମୃତ୍ୟୁ ପରି । ସେ ଯନ୍ତ୍ରଣା ବି ଅେଙ୍ଗ ଲିଭାଇ ସାରିଥିଲେ ଲତିକା । ଦେହର ମାୟାଜାଲରେ ସ୍ୱାମୀ ନାମକ ପୁରଷକୁ କିଭଳି ପଙ୍ଗୁ କରିବାକୁ ହୁଏ ତାହା ଆପଣାର ଲୋକଙ୍କଠାରୁ ନୀତିଶିକ୍ଷା ପରି ଶିଖିଥାଏ ନାରୀ । ସେଇଥିପାଇଁ ନିଜକୁ ସଜେଇ ସ୍ୱାମୀ ପାଖରେ ଉପସ୍ଥାପନ କରିବାରେ ସେ କେବେ ଭୁଲ କରେନା । ଅବଶ୍ୟ ସବୁ ସ୍ତ୍ରୀଙ୍କୁ ଏ କଳାଟି ଜଣା ନ ଥାଏ ।

ରାତ୍ରଭୋଜନ ଶେଷ କରିବା ପରେ ଉଭୟ ବାଲକୋନିରେ ବସି ପଡିଲେ ।

ବେଶ୍ କିଛି ସମୟ ନିରବରେ ବସିବା ପରେ ସତ୍ୟପ୍ରିୟ ଲତିକାଙ୍କ ମୁଣ୍ଡ ଆଉଁସି ଦେଲେ ।

ଲତିକାଙ୍କୁ ସତେ ଯେମିତି ସ୍ୱର୍ଗ ସୁଖ ମିଳିଗଲା ।

– ଯାଅ ଢେର୍ ରାତି ହେଲାଣି । ଏବେ ତୁମେ ଶୋଇ ପଡ଼ ।

– ତମେ ଚାଲୁନ ।

– ହଁ, ଯିବି । ତୁମେ ଯାଅ ମୁଁ ପଛେପଛେ ଆସୁଛି ।

ଲତିକା ସ୍ୱାମୀଙ୍କ ଉପରୁ ନିଜକୁ ତୋଳି ଆଣି ଶୋଇବା ଘରକୁ ଚାଲିଗଲେ ।

ଆଜି ତାଙ୍କୁ ଟିକେ ଶାନ୍ତିରେ ନିଦ ହେବ । କାରଣ ମାସମାସ ଧରି ସ୍ୱାମୀଙ୍କ ସମସ୍ୟାରୁ ସେ ମୁକୁଳି ପାରିଛନ୍ତି ।

ଆଲାର୍ମର ଚିକ୍ରାରରେ ଲତିକାଙ୍କ ନିଦ ଭାଙ୍ଗିଗଲା । ଘଣ୍ଟାରେ ଛ’ଟା । ବିଛଣାରେ ସତ୍ୟପ୍ରିୟ ନାହାନ୍ତି । ହୁଏତ ଟିକେ ଶୀଘ୍ର ଉଠି ପଡିଛନ୍ତି । ବାଲକୋନିରେ ବସିଥିବେ ନିଶ୍ଚୟ । ବିଛଣାରୁ ଉଠି ଡ୍ରେସିଙ୍ଗ୍ ଟେବୁଲ ଆଗରେ ଛିଡ଼ା ହେଲେ ଲତିକା । ଖୋଲା ଚୁଟିକୁ ବଡ ବେପରୁଆ ଭାବେ ଗଣ୍ଠି କରୁକରୁ ଗାଧୁଆଘରେ ପଶିଗଲେ । ସ୍ୱାମୀଙ୍କ ପାଇଁ ଖାଦ୍ୟ ବନେଇବାକୁ ହେବ । ପୁଣି ଆଜି କିଛି ଭଲ ଟିଫିନ୍ ତିଆରି କରି ସାଙ୍ଗରେ ଦେବାକୁ ହେବ । ଏତେ ଦିନ ପରେ କିଛି ଖାଇବା ପାଇଁ ମନ ବଳାଇଛନ୍ତି ସେ । ଗାଧୁଆଘରୁ ଆସି ଶୋଇବାଘରେ, ପରେପରେ ଡ୍ରଇଂ ରୁମ୍ ପୁଣି ବାଲକୋନିରେ ମୁହଁ ମାରିଲେ । ହେଲେ ସତ୍ୟ କେଉଁଠି ନ ଥିଲେ । ମର୍ଣ୍ଣିଂୱାକ୍ ପାଇଁ ବାହାରି ଗଲେକି । ଉଁ ହୁଁ ଟ୍ରାକ୍ ସୁଟ୍ ଯେମିତି ରହିବା କଥା ସେମିତି ରହିଛି । ସ୍ୱାମୀଙ୍କ ମୋବାଇଲ୍କୁ ଡାଏଲ କଲେ । ରିଂ
ହେଲା । କିନ୍ତୁ ଫୋନ୍ ଖଟ ଉପରେ ତକିଆ ତଳେ । ବେଶ୍ କିଛି ସମୟ ଖୋଜାଖୋଜି ଚାଲିଲା । ପାଖ ପଡୋଶୀଙ୍କ ଘର ପୁଣି ପରିଚିତ ଲୋକ, ଅଫିସ୍ ଷ୍ଟାଫ୍ । ଏମିତି ଅନେକ ଲୋକଙ୍କୁ ଫୋନ୍ କରି ଥକି ପଡିଲେ ଲତିକା । ମନ ଭିତରେ ଏକ ଅଜଣା ଭୟ କାୟା ବିସ୍ତାର କରିବାରେ ଲାଗିଥିଲା । ଆଖିରେ ଲୁହ ଜକେଇ ଆସୁଥିଲା । ଏ ଅଜଣା ସହରରେ ବଡ ଅସହାୟ ମନେ କରୁଥିଲେ ସେ ନିଜକୁ । କାହାକୁ କହିବେ କ’ଣ କରିବେ । ଧୀରେ ଧୀରେ ପଡୋଶୀମାନେ ରୁଣ୍ଡ ହେଲେ । କେହି କେହି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ; କିନ୍ତୁ ଏ ସବୁଥିରେ ଲତିକାଙ୍କ ମନ ମାନୁ ନ ଥିଲା । ନିରବରେ ଲୁହ ଗଡେଇ ଚାଲିଥିଲେ ସେ । ଗଲା ରାତିର କଫି କପ୍ ତଳେ ଚାପି ହୋଇ ରହିଥିବା ଖଣ୍ଡେ କାଗଜ ତାଙ୍କ ନଜରରେ ପଡ଼ିଲା । କାଗଜଟିକୁ ଉଠାଇ ଆଣିଲେ ସେ । ସେଥିରେ ଯାହା ଲେଖାଥିଲା ପଢ଼ିବା ପରେ ତାଙ୍କ ହୋସ୍ ଉଡ଼ିଯିବା ପରି ଅବସ୍ଥା ସୃଷ୍ଟି ହେଲା । ସାରା ପୃଥିବୀଟା ତାଙ୍କୁ ଅନ୍ଧାର ଦିଶିଲା । ଦେହରେ ପ୍ରବାହିତ ଉଷ୍ମ ରକ୍ତ ବରଫ ପାଲିଟି ଯିବାକୁ
କ୍ଷଣଟିଏ ବି ସମୟ ନେଲାନି । ତାଙ୍କ ପାଟିରୁ ବାହାରି ପଡ଼ିଲା ଓଃ, ମୁଁ ଏ କଣ ଦେଖୁଛି ।

ଚିଠିରେ ଲେଖାଥିଲା,

ଲତିକା,

ଜୀନଟା ଗୋଟେ ମରୀଚିକା । ଯେତେ ଧାଇଁଲେ ବି ଏଠି କିଛି ମିଳେନା ବରଂ ଶେଷରେ ନିରାଶ ହେବାକୁ ପଡେ । ଧନ ଯୌବନ ସୌନ୍ଦର୍ଯ୍ୟ ଗୋଟେ ଗୋଟେ ମାୟା । ତା’ ପଛରେ ଧାଇଁ ଆମେ ଆଣ୍ଠୁଗଣ୍ଠି ଛିଣ୍ଡେଇ ଦେଉ ସିନା ଶେଷକୁ ଆମ ହାତ ଖାଲିଥାଏ । ଏ ସବୁ ମୁଁ ତମୁଠୁ ଶିଖିଲି । ତୁମେ ମୋ ଆଖି ଖୋଲି ଦେଲ ଲତିକା ! ତୁମ ସୌନ୍ଦର୍ଯ୍ୟର ସାଗରରେ ବୁଡ଼ି ମରିବା ଆଗରୁ ତୁମେ ହିଁ ମୋତେ ସେଥିରୁ ଉଦ୍ଧାର କଲ । ତୁମ ମୁହଁରୁ ସତ କଥା ଶୁଣିବା ପରେ ମୋ ଜୀବନର ମୋଡ ବଦଳିଗଲା । ‘ମଣିଷ ଯେ ଅସହାୟ ଶିଶୁ ପରି’ ତୁମର ଏ କଥା ପଦକ ମୋତେ ମୋ ଅସ୍ତିତ୍ୱ ସହ ପରିଚିତ କରାଇଲା । ମୋ ଜୀବନର ମୂଳ ଲକ୍ଷ୍ୟ ମୁଁ ଖୋଜି ପାଇଲି । ତମେ ମୋତେ ସତ୍ୟ ସହିତ ମୁହାଁମୁହିଁ କରାଇଲ । ତମେ ହିଁ ମୋ ଗୁରୁ । ତମକୁ ପ୍ରଣାମ କରୁଛି । କୁଆଡେ ଯାଉଛି ଜାଣେନା । ପୁଣି ଭେଟ ହେବ କି ନ ହେବ ତାହା ବି ଜାଣେନା । ତେବେ ଏତକି କହିବି ତୁମେ ଭଲରେ ଥାଅ । ଈଶ୍ୱର ଭେଟ ହେଲେ ତୁମ ମୁକ୍ତି ପାଇଁ ପ୍ରାର୍ଥନା କରିବି ନିଶ୍ଚୟ ।

।। ଇତି ।।
ସତ୍ୟ

ଲତିକାଙ୍କ ହାତରୁ କାଗଜ ଖଣ୍ଡକ ଉଡ଼ିଯାଇ ତଳେ ଲୋଟି ପଡ଼ିଲା । କାଗଜରେ ଲେଖାଥିଲା ଜୀବନର ମହାମନ୍ତ୍ର । ସମୟର ନିଷ୍ଠୁର ସତ୍ୟପାଠ । ତାଙ୍କର ଲୁହ ଝରିବାରେ ଲାଗିଥିଲା । ସେହି ତତଲା ଲୁହରେ ଓଦା ହେଉଥିଲା ତାଙ୍କ ସାରା ଶରୀର; ଯାହା ମୂଲ୍ୟବାନ ନୁହେଁ ମୂଲ୍ୟହୀନ ବୋଲି ପ୍ରମାଣ କରି ଚାଲି ଯାଇଥିଲା ଜଣେ ପୁରୁଷ ।

ଲୋକପ୍ରିୟ ଲେଖା

To Top