ଗଳ୍ପ

ଆଉଏକ ପ୍ରେମିକର ସନ୍ଧାନରେ

Adhyapak T. Hrusikesh's odia story Aaueka Premikara Sandhaanare

କଲେଜ୍‌ରେ ଯୋଉ ବେବିନାକୁ ମୋହରା ବନେଇ କେତେକେତେ ପୁଅଙ୍କୁ ବ୍ଲାକ୍ ମେଲିଂ କରି ସେ ଶେଷରେ ଚୟନ କରିଥିଲା ଏଇ ଶୁଭକାନ୍ତକୁ ।

ଆଉଏକ ପ୍ରେମିକର ସନ୍ଧାନରେ

ସନ୍ଧ୍ୟା ଛଅଟା ବେଳକୁ ‘ମନ୍ଦାକିନୀ’ ଧଡ଼ପଡ଼ ହୋଇ ‘ବେବିନା’ର ରୁମ୍ ଭିତରକୁ ପଶିଆସି ଭିତରପାଖୁ କବାଟଟାକୁ ବନ୍ଦ କରିଦେଲା । ବେବିନାର ଆଉ ତିନିଜଣ ରୁମ୍‌ମେଟ୍‌ଙ୍କ ଭିତରୁ ସେତେବେଳକୁ କେହି ଜଣେବି ତା’ ରୁମ୍‌ରେ ନଥିଲେ । ନିଜନିଜ ପାଇଁ କିଛି ନିତ୍ୟ ବ୍ୟବହାର୍ଯ୍ୟ ସଉଦା କିଣିବା ଉଦ୍ଧେଶ୍ୟରେ ସେମାନେ ସମସ୍ତେ ବଜାରକୁ ପଳେଇ ଯାଇଥିଲେଯେ, ସେଯାଏଁ ଫେରିନଥିଲେ କେହି ଜଣେବି । ହୁଏତ ସେମାନେ ଛାତ୍ରୀନିବାସର ହତାରେ ଥିବା ପେସ୍ତାବାଦାମ ଗଛ ଚାନ୍ଦିନୀଟା ଉପରେ ବସି ପବନ ଖାଉଥିବେଯେ, ଅଧଘଣ୍ଟାଏ କି ଘଣ୍ଟାଏ ଗଲେ ଯାଇ ଆସିପାରନ୍ତି । ଖରାଦିନେ ଛାତ୍ରୀନିବାସର ପ୍ରାୟତଃ ସବୁପିଲା ସନ୍ଧ୍ୟାରେ ସେଇଠିକୁ ଯାଇ ବସନ୍ତି । ମାତ୍ର ବେବିନା ସେଠିକୁ ପ୍ରାୟ ଯାଏନା ବୋଲି ମନ୍ଦାକିନୀକୁ ଜଣାଥିଲା । ଲାଗୁଥିଲା ବୋଧହୁଏ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଏଇଭଳି ଏକ ସୁଯୋଗର ଅପେକ୍ଷାରେ ଥିଲା ‘ମନ୍ଦାକିନୀ’ ।

‘ବେବିନା’ ଆଉ ‘ମନ୍ଦାକିନୀ’ ଦୁହେଁ ହେଲେ କ୍ଲାସ୍‌ମେଟ୍ ସାଙ୍ଗ । ଯୁକ୍ତ ତିନି ତୃତୀୟବର୍ଷ ସମ୍ମାନର ଛାତ୍ରୀ । ଦୁହେଁ କଲେଜ୍‌ର ଛାତ୍ରୀନିବାସରେ ରହନ୍ତି । ଅବଶ୍ୟ ଦିଜଣ ଯାକର ଅନର୍ସ ବିଷୟ ଆଉ ଛାତ୍ରୀନିବାସର ରୁମ୍ ବି ଥିଲା ଅଲଗା । ମାତ୍ର ଦିଇଜଣ ଯାକର ରୁମ୍ ଅଲଗା ହେଲେବି ବେଶି ବ୍ୟବଧାନ ନୁହେଁ । ବେବିନାର ରୁମ୍‌ଠାରୁ ମାତ୍ର ଦୁଇଟି ରୁମ୍ ପରେହିଁ ଥିଲା ମନ୍ଦାକିନୀର ରୁମ୍ ।

ଶାନ୍ତ,ସରଳ ଆଉ ନିଷ୍କପଟ ସ୍ୱଭାବର ଝିଅଟିଏ ହେଲା ବେବିନା । କିନ୍ତୁ… କୋଉ ଜନ୍ମରେ କାହାର କି ପାପ ସେ କରିଥିଲା କେଜାଣି, ଭଗବାନ ତାକୁ ଏ ଜନ୍ମରେ ଭିନ୍ନକ୍ଷମଟିଏ କରି ତିଆରି ଦେଲେ । ଯଦିଓ ତା’ର ସେଇଟା ଆଜନ୍ମ ବିକଳାଙ୍ଗ ନୁହେଁ, ତଥାପି ସେୟା ବୋଲି ଭାବିବାକୁ ହିଁ ପଡ଼ିବ । କାହିଁକିନା ତା’ ଭାଗ୍ୟ ହିଁ ତାକୁ ପ୍ରାୟତଃ ପିଲାଦିନରୁ କରେଇଥିଲା ସେତକ । ଗୋଟେ ରୋଡର଼୍ ଆକ୍ସିଡେଣ୍ଟରେ ତା’ର ହୋଇଥିଲା ସେ ଅବସ୍ଥା ।

ବୟସ ତାକୁ ସେତେବେଳେ ଜମାରୁ ସାତଟା ବର୍ଷ । ବାପା ତା’ର ନିଜ ଘର ପାଖକୁ ଲାଗି ଛୋଟ ଚା’ ଦୋକାନଟିଏ କରି ସେଇଥିରୁ ଯାହା ଆୟମିଳେ, ସେଇଥିରେ ହିଁ ନିଜ ପରିବାରର ଦୈନିକ ଗୁଜୁରାଣ ମେଣ୍ଟାନ୍ତି । ପରିବାର କହିଲେ ଗୋଟିଏ ପୁଅ, ଅର୍ଥାତ୍ ବେବିନାର ସାନଭାଇ ଆଉ ‘ବେବିନା’ ଏକମାତ୍ର ଝିଅ । ବାକି ବାପା, ବୋଉ ଓ ବୁଢ଼ୀ ମାଆଙ୍କୁ ମିଶାଇ ମୋଟ ପାଞ୍ଚଜଣଙ୍କର ଛୋଟିଆ ସଂସାର ତାଙ୍କର । ବୁଢ଼ାବାପା ଥିଲେଯେ, ସେ ଗଲା ଛଅବର୍ଷ ତଳୁ ଗୋଟେ କୋହଲା ମାଘୁଆ ଶୀତରାତିଟାରେ ଆଖି ବୁଜି ଦେଇଥିଲେ ସବୁଦିନ ପାଇଁ । ପୁଅ, ଝିଅ ଦିଇଟା ଯାକକୁ ବାପା ଖୁବ୍ ଭଲ ପାଆନ୍ତି । ସେଇ ଛୋଟିଆ ଚା’ ଦୋକାନର ସ୍ୱଳ୍ପ ରୋଜଗାରରୁବି ପିଲାମାନଙ୍କୁ ଚଳେଇ ସେମାନଙ୍କ ଖୁସିପାଇଁ ନିଜକୁ କେବେକେବେ ଜଳାଞ୍ଜଳି ଦେବାକୁ ମଧ୍ୟ ପଛାନ୍ତିନି ବାପା ତା’ର । ନିଜ ଆୟରୁ ସେ ଯୋଉକିଛି ସାମାନ୍ୟ ଅର୍ଥବି ସଂଚୟ କରନ୍ତି, ସେଇଥିରୁ କିଛିକିଛି ଖର୍ଚ୍ଚକରି ପିଲା ଦିଇଟାଙ୍କୁ ପ୍ରତିବର୍ଷ କୁଆଡ଼େନା କୁଆଡ଼େ ନେଇ ଟିକେ ବୁଲେଇକିରି ଆଣନ୍ତି । ଏଇମିତି ଗୋଟେଥର କେନ୍ଦୁଝରର ‘ସାନଘାଗରା’ରେ ଯାଇଥିଲେ ବଣଭୋଜି କରିବାକୁ । ସେଇଠୁ ଭୋଜିସାରି ଫେରିବା ବାଟରେ ହୋଇଥିଲା ତାଙ୍କର ସେ ଆକ୍ସିଡେଣ୍ଟ । ବୁଢ଼ୀମାଆଟାତ ଡାକ୍ତରଖାନାକୁ ଆଣିବା ରାସ୍ତାରେ ହିଁ ଆଖି ବୁଜି ଦେଇଥିଲା । ସମସ୍ତଙ୍କର ଯାହା ଯେମିତି ଅଳ୍ପେ ବହୁତେ ଖଣ୍ଡିଆ ଖାବରା ହୋଇଥିଲା, ଚିକିତ୍ସା ପରେ ସେସବୁ ଭଲହୋଇ ଯାଇଥିଲା । କିନ୍ତୁ ବେବିନାର ଡାହାଣ ହାତ ଓ ବାମ ଗୋଡ଼ଟା ଗାଡ଼ିର ଗୋଟାଏ ପାଖ ଡୋର୍ ଭିତରେ ଚିପିହୋଇ ଅବାଗିଆରେ ରହିଯାଇଥିଲାଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଦୁଇଟି ଯାକ ଅଙ୍ଗକୁ ତାକୁ ସବୁଦିନ ପାଇଁ ହରାଇବାକୁ ପଡ଼ିଥିଲା । ସେଇଦିନଠୁ ଆଶାବାଡ଼ିଟାହିଁ ତା’ର ସବୁ ଆଶା ଓ ଭରସା ପାଲଟି ଯାଇଥିଲା ।

ଅଚାନକ ତା’ ରୁମ୍ ଭିତରେ ‘ମନ୍ଦାକିନୀ’କୁ ଦେଖି ଆଶ୍ଚର୍ଯ୍ୟ ହେଲା ବେବିନା । ତା’ ଆଶ୍ଚର୍ଯ୍ୟ ହେବାର କିଛି ଖାସ୍ କାରଣ ମଧ୍ୟ ଥିଲା । କାହିଁକିନା.. ତା’ର ଅସହାୟତାର ସୁଯୋଗ ନେଇ ଏମିତି ଅନେକ ସମୟରେ ଅନେକ ଫାଇଦା ହାସଲ କରୁଥିଲା ମନ୍ଦାକିନୀ । ବଦଳରେ କେବଳ ଫୋପାଡ଼ିଦିଏ ସେ ତା’ ମୁହଁକୁ କେତେଟା ହାତ ଗଣତି ଟଙ୍କା । ସାମାନ୍ୟ କେତେଟା ଟଙ୍କା ବଦଳରେ ସେ ମନ୍ଦାକିନୀ ପାଇଁ ଅନେକ ଅକାର୍ଯ୍ୟବି କରିଛି କେବଳ ନିଜ ଇଜ୍ଜତକୁ କାହାପାଖେ ନିଲାମ କରିଦେବା ବ୍ୟତୀତ ।

ଏମିତି କହିବାକୁ ଗଲେତ ବାପା ତା’ର ତାକୁ ପାଠ ପଢ଼େଇବାରେ କିଛି କୋଉଥେରେ ଅବହେଳା କରୁ ନଥିଲେ କେତେବେଳେ । କିନ୍ତୁ କଲେଜରେ ପାଠ ପଢ଼ୁଥିବା ଗୋଟେ କଲେଜ ପଢ଼ୁଆ ଝିଅର ପାଠପଢ଼ାରେ ଯେତିକି ସର୍ବନିମ୍ନ ଖର୍ଚ୍ଚର ଆବଶ୍ୟକତା ରହିବା କଥା ବେଳେବେଳେ ତା’ ବାପାଙ୍କର ଅଭାବ ଜୀବିକା ସେତକ ପୂରା କରିବାରେ ଅସମର୍ଥ ହେଉଥିଲା । ଗଲାବର୍ଷ ସେୟା ହିଁ ଘଟିଥିଲା । ଯୁକ୍ତତିନି ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ଫର୍ମ ଫିଲପ୍ ପାଇଁ ମାତ୍ର ତିନିଶହ ଟଙ୍କା ଯୋଗାଡ଼ ହୋଇପାରି ନଥିଲେ ତା’ ପାଠପଢ଼ାରେ ସେଇଠି ହିଁ ଡୋରି ବନ୍ଧାହୋଇ ରହିଯାଇ ଥାଆନ୍ତା । ଶେଷକୁ ବାଧ୍ୟ ବାଧକତାରେ ବଡ଼ ନେହୁରା ହୋଇ ମାଗିବାରେ ଏଇ ମନ୍ଦାକିନୀ ହିଁ ତା’ ପାଇଁ ଟଙ୍କା ଦେବାରେ ସେ ଫର୍ମ ଫିଲପ୍ କରି ପରୀକ୍ଷା ଦେଇଥିଲା । କିନ୍ତୁ ତା’ ସରଳ ମନ ମସ୍ତିଷ୍କରେ ଏତକ ଭେଦ କରି ନଥିଲାଯେ, ସେଇ ସାମାନ୍ୟ କେତେଟା ଟଙ୍କାର ପ୍ରତିବଦଳରେ ମନ୍ଦାକିନୀ ତାକୁ ଗୋଟେ ମୋହରାରେ ପରିଣତ କରିଦେବ ବୋଲି । “ତା’ର ଯେତେବେଳେ ଯାହା ଟଙ୍କା ଦରକାର ତାକୁ ‘ମନ୍ଦାକିନୀ’ ପୂରଣ କରିବ । ମାତ୍ର ସେଥିପାଇଁ ସେ ଯାହା କହିବ ସେକାମ ତାକୁ ନିଃସର୍ତରେ କରିବାକୁ ହିଁ ହେବ’’ ବୋଲି ଫର୍ମ ଫିଲପ୍ ପାଇଁ ଟଙ୍କା ଭରିବା ପୂର୍ବରୁ ତା’ ପାଖରେ ଏଭଳି ସର୍ତ ରଖିଥିଲା ମନ୍ଦାକିନୀ । ବିଚାରୀ ବେବିନା ମନ୍ଦାକିନୀର ଏଭଳି ସର୍ତରେ ଡରି ଯାଇଥିଲା ପ୍ରଥମେ । ଡରିଡରି ପାଲଟା ପ୍ରଶ୍ନବି କରିଥିଲା ସେ ତାକୁ । ଯେ,”ଏମିତି କି କାମ କରିବାକୁ ହେବ ମୋତେ ?” ଜବାବରେ ମନ୍ଦାକିନୀ କହିଥିଲା, ‘‘କିଲୋ… ଏତେ ଡରିଯାଉଚୁ କ’ଣଲୋ ? ଭାବୁଚୁ କ’ଣ ତତେ କୋଉଠିକି ମୁଁ ଭଡ଼ାରେ ପଠେଇବି ନା କ’ଣ ! ରିଲାକ୍ସ୍…ରିଲାକ୍ସ୍ । ସେତକ ଛାଡ଼ିକି ତତେ ଆଉକିଛି ଅଲଗା କାମ କରିବାକୁ ପଡ଼ିବ । କ’ଣ ରାଜିତ ?” ପ୍ରଥମେ ପ୍ରଥମେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେବି ପରେ କିନ୍ତୁ ତା’ଠାରୁ ସବୁଶୁଣି ରାଜି ହୋଇଯାଇଥିଲା ତା’ କଥାରେ ସେ । କାହିଁକିନା ତା’ ପାଠପଢ଼ା ପାଇଁ କିଛି ଅର୍ଥର ଆବଶ୍ୟକତା ବି ଜରୁରୀ ଥିଲା । ଯାହାକୁକି ଭରଣା କରିବାକୁ ମନ୍ଦାକିନୀ ତାକୁ ପ୍ରତିଶ୍ରୁତି ଦେଇଥିଲା । ମନ୍ଦାକିନୀ ଠାରୁ କିଛି ଅନିତି କାର୍ଯ୍ୟ କରିବାର ସର୍ତ ଶୁଣିବାବେଳେ ମନେପଡ଼ି ଯାଉଥିଲା ବେବିନାର ତା’ ବୁଢ଼ୀମାଆ ବଞ୍ଚିଥିଲା ବେଳେ କହିଥିବା ଗୋଟେ କଥା । “ଜୀବନରେ କିଛି ବୃହତ ସ୍ୱାର୍ଥର ହାସଲ ପାଇଁ ନିଜର ଅନିଚ୍ଛା ସତ୍ୱେବି ବେଳେବେଳେ ମଣିଷକୁ କେତେକ ଅନ୍ୟାୟ ଓ ଅନିତିକୁବି ବରଦାସ୍ତ କରି ଯିବାକୁ ପଡ଼େ ।’’ ହୁଏତ ବୁଢ଼ୀମାଆଙ୍କର ଏଇତକ କଥାକୁ ମନେ ପକାଇ ସେ ରାଜି ହୋଇଥିଲା ମନ୍ଦାକିନୀର ସର୍ତରେ ।

‘ମନ୍ଦାକିନୀ’ର ବାପା ହେଲେ ଜଣେ ‘ତହସିଲ୍‌ଦାର’ ଆଉ ମାଆ ଜଣେ ‘ଅଧ୍ୟାପିକା’ । ସେଇ ଦୃଷ୍ଟିରୁ ପଇସାପତ୍ରରେବି କୌଣସି ଅଭାବ ନଥିଲା ତା’ର । ଏମିତିରେବି ବାପା ମାଆଙ୍କର ସେ ଗୋଟିଏ ମାତ୍ର ଝିଅ ହୋଇ ଥିବାରୁ ବେଶ୍ ଗେହ୍ଲୀ ସେ ତା’ ବାପା,ମାଆଙ୍କର । ଯେତେବେଳେ ଯାହାବି ସେ କହିଛି ସେତେବେଳେ ତା’ ପାଇଁ ଆଣି ଦେଇଛନ୍ତି ସେମାନେ । କଲେଜ ଆସିବା ଦିନଠୁ ପାଠପଢ଼ା ଯାହା ହଉ କି ନହେଉ, ମଉଳା ଫୁଲକୁ ଉତାରି ଠାକୁରଙ୍କ ମୁଣ୍ଡରେ ନିଇତି ନୂଆଫୁଲ ବଦଲେଇବା ପରି ନୂଆନୂଆ ପ୍ରେମିକ ବଦଳାଇବା ଗୋଟେ ଧରାବନ୍ଧା ରୁଟିନ୍‌ରେ ପରିଣତ ହୋଇ ଯାଇଥିଲା ତା’ର । ଏମିତିରେବି ଦେଖିବାକୁ ସେ ଟିକେ ସୁନ୍ଦରୀ ବୋଲିତ ଏ ଟୋକା ଗୁଡ଼ାକବି କିଛି ନବୁଝି ନବିଚାରି ତା’ରି ପଛରେ ପଡ଼ି ଯାଆନ୍ତି ସବୁବେଳେ । କଥା କଥାରେ ସେ ଯୁକ୍ତିକରି କହେ କ’ଣନା, ପୁଅ ଗୁଡ଼ାକ ହେଉଛନ୍ତି କୁଆଡ଼େ ମହା ବେଇମାନ୍ ଆଉ ସୁବିଧାବାଦୀ । ଭଲଭଲ ସୁନ୍ଦରୀ ଝିଅ ଦେଖି ପ୍ରେମର ବାହାନା କରି ତାଙ୍କ ପଛରେ ଗୋଡ଼େଇବେ ଓ ପଟେଇବେ । ପ୍ରଜାପତି ନୂଆନୂଆ ଫୁଲ ଉପରେ ବସି ମହୁ ଶୋଷିବା ପରି ଝୁଣି ଖାଇଯିବେ ସେମାନଙ୍କର ସର୍ବାଙ୍ଗ ଶରୀରକୁ । କିନ୍ତୁ ବାହାହେବା ବେଳକୁ ସେମାନଙ୍କୁ ଛାଡ଼ି ଧନସମ୍ପତି ପାଇବା ଆଶାରେ ଧନୀ ଧନୀ ଝିଅଦେଖି ବାହାହେବେ । ସେଇଥିପାଇଁ ସେ ବି କୁଆଡ଼େ କେତେବେଳେ ନୂଆନୂଆ ଟୋକାଙ୍କ ସାଙ୍ଗରେ ବୁଲୁଛିତ, ପୁଣି କେତେବେଳେ କୋଉ ଟୋକାକୁ ଲାଇନ୍ ମାରିବା ଓ କମେଟ୍ କରିବାକୁବି ପଛାଏନି । ଖାଲି ସେତିକି ନୁହେଁ । ରଙ୍ଗ୍ ନମ୍ବରରେ ଡାଏଲ୍ କରି କେତେକ ପୁଅକୁ ଅଯଥାରେ ବ୍ଲାକ୍ ମେଲିଂ ମଧ୍ୟ କରିବା ଗୋଟେ ନିତିଦିନିଆ ଅଭ୍ୟାସ ହୋଇ ଯାଇଥିଲା ତା’ର । ମୋଟାମୋଟି ଭାବରେ କହିବାକୁ ଗଲେ ଦୁନିଆର ପ୍ରତ୍ୟେକ ପୁଅଙ୍କୁ ସନ୍ଦେହ କରୁଥିଲା ସେ । ତା’ କହିବାନୁଯାୟୀ ଯେଉଁ ପୁଅ ତା’ ପାଖରେ ପରୀକ୍ଷାରେ ଜିତିଯିବ, ସେ ତାକୁହିଁ ବିବାହ କରିବ ।

ମାତ୍ର କଥାଟାରେ ଯେ ଆଉକିଛି ଅଲଗା ରହସ୍ୟ ଭରିହୋଇ ରହିଥିଲା, ଏକଥାଟା ମନ୍ଦାକିନୀ ସିଧାସଳଖ ନକହିଲେବି ତା’ ପ୍ରବୃତି ଓ ହାବଭାବରୁ ହିଁ ସମସ୍ତେ ଠଉରେଇ ସାରିଥିଲେ । ବଗ ପାଣିରୁ ମାଛଟିମାନ ଖୁଣ୍ଟିଖୁଣ୍ଟି ଖାଇବା ପରି ଗୋଟେ ବାରମାସି ଅଣ୍ଡାଦିଆ କୁକୁଡ଼ାର ସନ୍ଧାନରେ ଥିଲା ସେ । ଅର୍ଥାତ୍ ତାକୁ ଦରକାର ଥିଲା ଧନୀ ଘରର ଭଲ ଚାକିରିଆ ସଙ୍ଗକୁ ଗୋଟେ ଉତମ ସ୍ୱଭାବର ପୁଅ । ଯାହା ପାଖରୁକି ସେ ସମ୍ମାନ, ଆଧି ଓ ଭଲ ପାଇବା ଏ ତିନିଟା ଯାକ ମିଳି ପାରୁଥିବ । ଖାସ୍ ସେଇଥିପାଇଁ ସେ ବିଚାରା ପୁଅ ଗୁଡ଼ାକୁ ବ୍ଲାକ୍ ମେଲିଂ କରି ବାଛି ଚାଲିଥିଲା ଗୋଟାକ ପରେ ଗୋଟେ । ଆଉ ଏଭଳି ବ୍ଲାକ୍ ମେଲିଂ ତନଖି କାମରେ ମନ୍ଦାକିନୀ ବେବିନାକୁ ହିଁ ତା’ର ମୁଖ୍ୟ ହାତବାରିସି ରୂପେ ବ୍ୟବହାର କରୁଥିଲା ।

ମନ୍ଦାକିନୀର ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁ ବେବିନା ପ୍ରଶ୍ନକଲା, ‘‘ ଏଥର ଆଉ ପୁଣି କିଏ…’’?

ଅର୍ଥାତ୍ ୟା’ ପୂର୍ବରୁ ଏମିତି ଅନେକଥର ଅନେକ ପୁଅଙ୍କୁ ବ୍ଲାକ୍ ମେଲିଂ କରି ପରୀକ୍ଷା ନେବାରେ ବେବିନା ହିଁ ମନ୍ଦାକିନୀର ନିର୍ଦ୍ଧେଶରେ ଅଭିନୟ କରି ସାରିଥିଲା । ମନ୍ଦାକିନୀ ଯେତେବେଳେ ଯାହାର ମୋବାଇଲ୍ ନମ୍ବର ଆଣି ତାକୁ ଦେଉଥିଲା, ସେଇ ନମ୍ବରରେ ମନ୍ଦାକିନୀର ଅଭିନୟ କରି ବେବିନା ହିଁ ଫୋନ୍‌ରେ ତା’ ସହ ଆଳାପ କରୁଥିଲା । କଥାରେ କଥାରେ ସମ୍ପର୍କ ବଢ଼ୁବଢ଼ୁ ପ୍ରତ୍ୟେକ୍ଷ ସାକ୍ଷାତ ପାଇଁ କେତେବେଳେ କୋଉ ପୁଅ କୌଣସି ପାର୍କ୍ ତ, ପୁଣି କିଏ କୋଉ ସିନେମା ହଲ୍ ଅବା ସପିଙ୍ଗ୍ ମଲ୍‌କୁ ଡାକୁଥିଲେ, ମନ୍ଦାକିନୀର ଅଭିନୟ କରି ବେବିନା ହିଁ ସେଇଠିକୁ ଯାଉଥିଲା । କୋଉଠି କେମିତି ଲୁଚି ସେମାନଙ୍କୁ ପଛରୁ କେବଳ ଲକ୍ଷ୍ୟ କରୁଥିଲା ମନ୍ଦାକିନୀ । ଆଗରୁ ଏମିତି ଅନେକ ଥର ବେବିନା ଅନେକ ପୁଅଙ୍କୁ ଫୋନ୍ କରିଛି ଆଉ ସେମାନଙ୍କ ଅନୁରୋଧରେ ସେମାନଙ୍କୁ ସାକ୍ଷାତବି କରିବାକୁ ଯାଇଛି । କିନ୍ତୁ ତା’ ଭିନ୍ନକ୍ଷମ ଶରୀରକୁ ଦେଖିବାପରେ, କେତେବେଳେ କୋଉ ପୁଅ ତାକୁ ଆଉ ଫୋନ୍‌କଲ୍‌ଟେ ବି କରିନିତ ପୁଣି ଆଉ କିଏ ତା’ ନମ୍ବରରୁ ଫୋନ୍‌କଲ୍ ଗଲେ ରିସିଭ୍ ମଧ୍ୟ କରିନି । କେତେକ ପୁଅତ କାଳେ ତା’ ଫୋନ୍ ଆସି ଯାଇପାରେ ବୋଲି ଭାବି ତା’ ନମ୍ବରକୁ ବ୍ଲାକ୍ ଲିଷ୍ଟେଡ୍ କରି ଦେଇଛନ୍ତି ଓ ଆଉ କିଏ ନିଜ ସିମ୍‌କାର୍ଡକୁ ମୂଳରୁ ହିଁ ବଦଳେଇ ଦେଇଛନ୍ତି । ଗୋଟେଥରତ ଗୋଟେପୁଅ ଦୂରରୁ ତାକୁ ଆଗୁଆ ଚିହ୍ନି ପକେଇଲା ନା କ’ଣ ଯେ, ଆଉ ସେ ତା’ପାଖକୁ ଜମାରୁ ଆସିଲା ନାହିଁ ଯେ, ଗୋଟେ ମଲ୍ ପାଖରେ ପ୍ରାୟ ଦୁଇ/ତିନି ଘଣ୍ଟା ଅପେକ୍ଷା କରିକରି ଶେଷରେ ସେଠାରୁ ଖାଲିଖାଲି ଫେରି ଆସିବାକୁ ବାଧ୍ୟ ହୋଇଥିଲା ବେବିନା । ଅଥଚ ସେମାନଙ୍କର ଏପରି ବ୍ୟବହାରରେ ସେ କେବେବି ମନଦୁଃଖ କରି ନଥିଲା । କାରଣ ସେ ଜାଣିଥିଲା ଯେ, ସେ କେବଳ ଏକ ‘ଛଦ୍ମବେଶୀ ମନ୍ଦାକିନୀ’ର ଅଭିନୟ ହିଁ କରୁଥିଲା ।

ଅନ୍ୟପାଇଁ ଅଭିନୟ କରୁକରୁ ତା’ ନିଜ ଜୀବନ ପରିଧି ଭିତରେ ପଶିଯାଇ ବେଳେବେଳେ ଅନେକ ଦୁଃଖ କରୁଥିଲା ସେ । ଅନ୍ୟ କାହା ଉପରେ ନୁହେଁ । ବରଂ ଈଶ୍ୱରଙ୍କ ଉପରେ । ମନେମନେ କହୁଥିଲା, ‘‘ହେ ପ୍ରଭୁ, ତମର ମୁଁ କିଅବା ଅପରାଧ କରିଥିଲିଯେ, ଶେଷରେ ମୋତେ ପଙ୍ଗୁ କରିଦେଲ? କେହି ଜଣେବି ମୋତେ ପସନ୍ଦ କରୁ ନାହାଁନ୍ତି । ସାରା ଜୀବନ ବାପାମାଆଙ୍କ ଉପରେ ବୋଝହୋଇ ବଞ୍ଚି ରହିବା ଅପେକ୍ଷା ବରଂ ମାରିଦିଅ ମୋତେ ।’’

ଟିକେ ଗମ୍ଭୀର ହୋଇ ମନ୍ଦାକିନୀ ଏଥର ଉତର ଦେଲା । ‘‘ଦେଖ୍ ବେବିନା ଏଥରର ଖେଳଟା କିନ୍ତୁ ଟିକେ ବି କେୟାର୍ଫୁଲ୍ ଖେଳିବାର ଅଛି । କାହିଁକିନା ଟୋକାଟାର କଥାବାର୍ତାରୁ ମୋତେ ଯାହା ଲାଗୁଛି ସେ ଟିକେ ଗୁଡ୍ କ୍ୟାରେକ୍ଟରର ହେଇଥିବ । ଏଇ..ନେଏ ତା’ ନମ୍ବର । ଏବେ ଏଠି କେହି ନାହାଁନ୍ତି । ଲଗା ଫୋନ୍ ତାକୁ ଏଇ ସାଙ୍ଗେସାଙ୍ଗେ ।’’ ଏତକ କହିସାରି କିଭଳି କଥାବାର୍ତା କରିବାକୁ ହେବ ସେତକବି ବତେଇ ଦେଇଥିଲା ସେ ତାକୁ । ଅନନୋପାୟ ବେବିନା ମନ୍ଦାକିନୀ ଦେଇଥିବା ଅଜଣା ଆଉଏକ ପୁଅର ମୋବାଇଲ୍ ନମ୍ବରରେ ଡାଏଲ୍ କରି କଥାହେଲା । ସେତକବି ମନ୍ଦାକିନୀର ନିର୍ଦ୍ଧେଶକ୍ରମେ ସ୍ପିକର୍ ଫୋନ୍‌କୁ ଅନ୍ କରି । କାଳେ ସେ କଥାରେ କିଛି ଏପଟ ସେପଟ କରିବ ଏଇ ସନ୍ଦେହରେ ।

ୟା’ ଭିତରେ କେତେ ପୁଅଙ୍କୁ ଯେ ସେ ପରୀକ୍ଷା କରିଛି ଅଥବା ବ୍ଲାକ୍ ମେଲିଂ, ସେତକର ହିସାବ ରଖିନି ସେ; କି ମନ୍ଦାକିନୀ ନିଜେ ମଧ୍ୟ ।

ଇତି ମଧ୍ୟରେ ପାଖାପାଖି ତିନିମାସ ହେଲାଣି । ମନ୍ଦାକିନୀର ନିର୍ଦ୍ଧେଶରେ ବେବିନା ମଝିରେ ମଝିରେ ମନ୍ଦାକିନୀର ଅଭିନୟ କରି ‘ଶୁଭକାନ୍ତ’ ସହ ଫୋନ୍‌ରେ ଅନେକ ସମୟ ଧରି ଗପେ । ପୁଅଟା‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ମଣିପୁର ରାଜ୍ୟଶାଖାରେ କ୍ଲାସ୍‌ୱାନ୍ ଅଫିସର୍ ଅଛି । ନାଁ ତା’ର‘ଶୁଭକାନ୍ତ’ । ବାପା, ମାଆଙ୍କର ଗୋଟିଏ ବୋଲି ପୁଅ । ଭଉଣୀ ଗୋଟେଯେ ତା’ର ବି ଦିଇବର୍ଷ ତଳୁ ବାହାଘର ସରି ଯାଇଛି । ବାପା ସେଲ୍‌ଟ୍ୟାକ୍ସ୍ ଇନିସ୍ପେକ୍ଟର୍ ଓ ମାଆ ତା’ର ପୋଷ୍ଟାଲ୍ ଡିପାର୍ଟମେଣ୍ଟ୍‌ରୁ ସିନିଅର୍ ଆସିଷ୍ଟାଣ୍ଟ୍ ପଦରୁ ଅବସର ନେଇଛନ୍ତି । ଏତକ ଜାଣି ସାରିବା ପରେ ମନ୍ଦାକିନୀର ମନ ଅଥୟ ହଉଥିଲା ସେ ପୁଅକୁ ଦେଖା କରିବାକୁ । ଅଥୟ ହେବାର ଆଉଗୋଟେ ଖାସ୍ କାରଣ ବି ଥିଲା । ସେଇଟା ହେଲା ଯେ, ଏଥର ତା’ ନିର୍ଦ୍ଧେଶରେ ବେବିନା ତାକୁ ଆଗୁଆ କହି ଦେଇଥିଲାଯେ, ସେ ଜଣେ ଭିନ୍ନକ୍ଷମ ଝିଅବୋଲି । ଅଥଚ ଏତକ ଶୁଣିବା ପରେବି ଶୁଭକାନ୍ତର ଉତର ଥିଲା ଏଇଆଯେ, ‘‘ଭିନ୍ନକ୍ଷମ ବୋଲି ତମର କ’ଣ ମନ ନାହିଁ ନା ହୃଦୟ ନାହିଁ? ମନେରଖ ମନ୍ଦାକିନୀ; ଭିନ୍ନକ୍ଷମ ବୋଲି ଜାଣିବା ଆଗରୁ ତମକୁ ମୁଁ ଯେତିକି ଭଲପାଉଥିଲି, ଏବେବି ଠିକ୍ ସେତିକି ଭଲପାଉଛି’’ । ସେଦିନ ଶୁଭକାନ୍ତ ପାଟିରୁ ଏଇ ପଦକ ଉତରରେ ମନ୍ଦାକିନୀ ଖୁସିରେ ଆତ୍ମହରା ହୋଇ ଯାଇଥିଲା । ଏମିତିକା ସୁଯୋଗ ପୁଣି ଛାଡ଼େ କିଏ? କାହିଁକିନା ଯେଉଁ ପୁଅ ଏତକ ନିଜ ପାଟିରେ କହି ପାରୁଛି, ତା କଥାରୁ ଯାହା ଜଣା ପଡ଼ୁଛି ଭବିଷ୍ୟତରେ ନିଜର କିଛି ଅଘଟଣ ଘଟିଗଲେ ବି ସେ ତା’ ପାଖରୁ ଦୂରେଇ ଦେବନି କେବେବି ।

ଶୁଭକାନ୍ତ ଓଡ଼ିଶା ଆସିବାକୁ ଯେତିକି ବିଳମ୍ବ କରୁଥିଲା, ମନ୍ଦାକିନୀର ହୃଦୟରେ କିନ୍ତୁ ଶୁଭକାନ୍ତକୁ ଟିକେ ଦେଖିବାର ଉତ୍କଣ୍ଠା ତା’ର ଦ୍ୱିଗୁଣିତ ବୃଦ୍ଧି ପାଉଥିଲା । ଅଥଚ ଶୁଭକାନ୍ତ ଏତକ ଆଗରୁ ଜଣାଇ ଦେଇଥିଲା ଯେ, ମଝିରେ ଛୁଟି ନଥିବାରୁ ସେ ଓଡ଼ିଶା ଫେରୁଫେରୁ ଆଉ ସାତ ଆଠମାସ ଲାଗିପାରେ । ତଥାପି ତା’ର ମନର ମଣିଷ ଶୁଭକାନ୍ତର ଅପେକ୍ଷାରେ ଥିଲା ମନ୍ଦାକିନୀ ।

ଗୋଟେଥର ମନ୍ଦାକିନୀ ତା’ ନିଜ ନମ୍ବରରୁ ଶୁଭକାନ୍ତକୁ ଡାଏଲ୍ କରି ଏକଥା ଜଣାଇ ଦେଇଥିଲାଯେ, ‘‘ଶୁଭକାନ୍ତ ବାବୁ, ମୁଁ ମନ୍ଦାକିନୀ । ଏଇଟା ମୋ’ର ନୂଆ ନମ୍ବର । ଆପଣ କେବେ ଚାହିଁଲେ ପୁରୁଣା ନମ୍ବର ପରିବର୍ତେ ମୋ’ର ଏଇ ନୂଆ ନମ୍ବରରେ ଡାଏଲ୍ କରିବେ । ଆଉ ହଁ, ମୁଁ ଆପଣଙ୍କ ସହ ଜୋକ୍ କରୁଥିଲି । ସତରେ କିନ୍ତୁ ମୁଁ ଭିନ୍ନକ୍ଷମ ନୁହେଁ । ଆପଣଙ୍କୁ ମୁଁ ପରୀକ୍ଷା କରି ଦେଖୁଥିଲିଯେ, ଭବିଷ୍ୟତରେ ଯଦି ମୋ’ର କିଛି ହୋଇଯାଏ, ତେବେ ଆପଣ ମୋ’ ହାତ ଅଧା ରାସ୍ତାରେ ଛାଡ଼ି ଦେବେନିତ’’? ଶୁଭକାନ୍ତବି ବୁଝିଯାଇଥିଲା ତା’ କଥା ଓ ଖୁବ୍ ଖୁସିହୋଇ ଦୀର୍ଘଶ୍ୱାସଟେ ଛାଡ଼ିଥିଲା । କାରଣ କୋଉ ପୁଅ ନଚାହିଁବେଯ, ଭଲ ସୁନ୍ଦରୀ ଝିଅଟିଏ ବାହାହେବା ପାଇଁ ? ଶୁଭକାନ୍ତବି ସେୟା ଭାବୁଥାଇ ପାରେ । ଏଣେ ସେପଟେ ବେବିନାକୁବି ତାଗିଦ୍ କରି କହିଦେଇଥିଲାଯେ, ଆଉ ଯେମିତି ସେ ତା’ ନମ୍ବରରୁ କେବେବି ଶୁଭକାନ୍ତକୁ ଫୋନ୍ ନକରେ । ବେବିନାବି ସେଇ ଦିନଠୁ କେବେବି ଫୋନ୍ କରି ନଥିଲା ଶୁଭକାନ୍ତକୁ ।

ଦୀର୍ଘ ଆଠମାସ ପରେ ଶୁଭକାନ୍ତ ଓଡ଼ିଶା ଆସିଥିଲା । କିନ୍ତୁ ଏଣେ ଏପାଖେ ତା’ର ପାଞ୍ଚମାସ ଆଗରୁ ଶେଷବର୍ଷ ବାର୍ଷିକ ପରୀକ୍ଷା ସରିଯିବା ପରେ ସାର୍ଟିଫିକେଟ୍ ନେଇ କଲେଜ୍ରୁ ବିଦାୟ ନେଇ ସାରିଥିଲେ ଉଭୟେ ବେବିନା ଓ ମନ୍ଦାକିନୀ । ମନ୍ଦାକିନୀ କିଛି ନକରୁ ଥିଲେବି ବେବିନା କିନ୍ତୁ ବି.ଇ.ଡି ପାଇଁ ପ୍ରିପିୟାର କରୁଥିଲା ।

ଅଚାନକ ଦିନେ ଫୋନ୍ କରୁକରୁ ପଚାରିବାରେ ଶୁଭକାନ୍ତଙ୍କ ଠାରୁ ଓଡ଼ିଶା ଆସିଥିବା କଥା ଖବର ପାଇବା ପରେ ଅଥୟ ମନ୍ଦାକିନୀ ଶୁଭକାନ୍ତକୁ ଭେଟିବାକୁ ଅନୁରୋଧ କରିଥିଲା । ଶୁଭକାନ୍ତ ତାକୁ କହିଥିଲା, ‘‘ଦେଖ…ମନ୍ଦାକିନୀ ଆମେ କେହିବି କାହାରିକୁ ଦେଖିନେ କି ଜାଣିନେ ମଧ୍ୟ । କେବଳ ଫୋନ୍‌ରେ ଯାହା ଆମର କଥାବାର୍ତା । ହଁ… ଅବଶ୍ୟ ମୁଁ ମେଲ୍ କରି ମୋ’ ଫଟୋଟା ତୁମକୁ ପଠାଇଥିଲି । ଆଉ ତୁମେ ତୁମ ଫଟୋ ମୋ’ ପାଖକୁବି ପଠେଇଥିଲ । ତଥାପି ତମକୁ ବିବାହ କରିବାରେ ମୋ’ର କିଛି ପ୍ରତିବାଦ ନାହିଁ ବୋଲି ମୁଁ ତୁମକୁ କହିଦେଇଥିଲି । ଆଉ ସେଇ ଏକା କଥା ତୁମେବି ମୋତେ ତମର ପ୍ରତ୍ୟୁତ୍ତରରେ ଜଣେଇ ଦେଇଥିଲ । କିନ୍ତୁ ତୁମ ବାପା ମାଆ ! ସେମାନେ ରାଜି ହେବେତ ଏଥିରେ?’’ ।

-‘‘ସେକଥା ତୁମେ ମୋ’ ଉପରେ ଛାଡ଼ିଦିଅ ।’’ ଶୁଭକାନ୍ତର ପ୍ରଶ୍ନରେ ଜବାବ ଦେଇଥିଲା ମନ୍ଦାକିନୀ ।

-‘‘ହଉ ହେଲାଯେ; କିନ୍ତୁ ଯାହା ହେଲେବି ମୁଁ ତ ପୁଣି ମୋ’ ବାପା ବୋଉଙ୍କ ସହିତ ତୁମର ପରିଚୟ ଟିକେ କରେଇବା ଦର୍‌କାରନା ?’’ ଶୁଭକାନ୍ତ ପଚାରିଲା ।

-‘‘ଠିକ୍ ଅଛି ବାବା.. । ମୁଁ ବା କେତେବେଳେ ମନାକଲି ସେଥିପାଇଁ?’’ ନିଜର ଉତ୍ତରରେ ମନ୍ଦାକିନୀ ଏତକ ଶୁଭକାନ୍ତକୁ କହିଲା ।

-‘‘ଆଚ୍ଛା ଠିକ୍ ଅଛି । ତମେ ତାହାଲେ ଗୋଟେ କାମକର । ଆସନ୍ତା ବୁଧବାର ଦିନ ତମେ ଆସି ଉତ୍କଳ ୟୁନିଭର୍ସିଟି ପାଖ ବରଗଛ ତଳେ ଛିଡ଼ା ହୋଇଥିବ । ମୁଁ ଯାଇ ସେଠି ପହଁଚି ତୁମକୁ ଆମ ଘରକୁ ସାଙ୍ଗରେ ନେଇ ଆସିବି ।’’ ଏତକ ପ୍ରତ୍ୟୁତ୍ତର ରଖିଥିଲା ଶୁଭକାନ୍ତ । ଯାହାହେଉ ମନେମନେ ଭାରି ଖୁସିହୋଇ ଭାବୁଥିଲା ସେ, ‘‘ଏବେ ଭଲ ପୁଅଟେ ପାଇବାର ସନ୍ଧାନ ତା’ର ଶେଷ ହୋଇଛି । ଏଥର ଆରମ୍ଭ କରିବ ସେ ତା’ର ଖୁସିର ସମୟ ଓ ଜୀବନର ନୂଆଧାରା ।’’

ତା’ପରେ ଅପେକ୍ଷା କଲା ସେ ଆଗାମୀ ବୁଧବାରକୁ ।

ବୁଧବାର ଦିନ ଦଶଟା ପଇଁତିରିଶି ମିନିଟ୍‌ରେ ଶୁଭକାନ୍ତ ପହଞ୍ଚିଥିଲା ନିର୍ଦ୍ଧାରିତ ସ୍ଥାନରେ । ମନ୍ଦାକିନୀକୁ ସାଙ୍ଗରେ ନେଇ ଶୁଭକାନ୍ତ ଘରେ ପହଞ୍ଚି ମନ୍ଦକିନୀକୁ ପରିଚୟ କରେଇ ଦେଲା ବାପା, ବୋଉଙ୍କ ସାଙ୍ଗରେ । ମନ୍ଦାକିନୀ ପ୍ରଣାମ କଲା । କିଛି ସମୟ ପରେ ବୋଉ ତା’ର ଜଳଖିଆ ପ୍ରସ୍ତୁତ କରି ପଠେଇ ଦେଲେ ଡ୍ରଇଂରୁମ୍‌କୁ । ଜଳଖିଆ ଥାଳିଟା ଥୁଆ ହଉହଉ ଆଶ୍ଚର୍ଯ୍ୟ ଏବଂ ସ୍ତମ୍ବୀଭୂତ ନୟନରେ ଉପରକୁ ଚାହିଁ ରହିଥିଲା ମନ୍ଦାକିନୀ । ଅଚାନକ ପାଟିରୁ ବାହାରି ଆସିଲା ତା’ର, ‘‘ଆରେ.. ବେବିନା.. ତୁ ଏଠି…?’’

ତା’ ପାଇଁ ଜଳଖିଆ ଥାଳି ଧରି ସେଇ ବେବିନା ହିଁ ଆସିଥିଲା ଡ୍ରଇଂରୁମ୍‌କୁ । କଲେଜ୍‌ରେ ଯୋଉ ବେବିନାକୁ ମୋହରା ବନେଇ କେତେକେତେ ପୁଅଙ୍କୁ ବ୍ଲାକ୍ ମେଲିଂ କରି ସେ ଶେଷରେ ଚୟନ କରିଥିଲା ଏଇ ଶୁଭକାନ୍ତକୁ । ଅର୍ଥ, ଆଧିପତ୍ୟ ଓ ସମ୍ମାନ, ଏ ତିନିଟା ଯାକ ପାଇ ପାରିବ ବୋଲି ସେ ତା’ଠୁ । ହଁ ଏ ସେଇ ବେବିନା । କିନ୍ତୁ ଏଠି ପୁଣି…! ଇଏ କ’ଣ କରୁଛି? ହାତରେ ଚୁଡ଼ି ଆଉ ମଥାରେ ସିନ୍ଦୂର..!..! ସେତେବେଳକୁ ମଳିନ ପଡ଼ି ଆସୁଥିଲା ମନ୍ଦାକିନୀର ମୁଖମଣ୍ଡଳ । କିଛି ବୁଝିପାରୁ ନଥିଲା ସେ । ପୁନର୍ବାର ବେବିନାର ସର୍ବାଙ୍ଗ ଶରୀର ଉପରେ ଗୋଟେଥର ଦୃଷ୍ଟି ନିବଦ୍ଧ କରି ଶୁଭକାନ୍ତ ମୁହଁକୁ ଚାହିଁ ପ୍ରଶ୍ନକଲା, ‘‘ଶୁଭକାନ୍ତ ବାବୁ, ଆପଣଙ୍କର ଆଉ କେହି ଭାଇ ଫାଇ ଅଛନ୍ତିନା କ’ଣ ? କିନ୍ତୁ.. ମୁଁ ତ ଶୁଣିଥିଲି…!’’

‘‘ଠିକ୍ ଶୁଣିଛ ତୁମେ । ମୁଁ କେବେବି ଭୁଲ୍ କହିନି ତୁମକୁ । ମୁଁ ଗୋଟିଏ ମାତ୍ର ପୁଅ ମୋ’ ବାପା ମାଆଙ୍କର । ମୋ’ର ଆଉକେହି ଭାଇଫାଇ ବି ନାହାଁନ୍ତି ।’’ କଥାକୁ ଛଡ଼େଇ ନେଇ ଶୁଭକାନ୍ତ ଉତ୍ତର ଦେଲା ଏତକ ।

-‘‘ଇଏ ତେବେ…?’’ ଏକରକମ ଆବାକାବା ହୋଇ ପ୍ରଶ୍ନକଲା ମନ୍ଦାକିନୀ ।

ମନ୍ଦାକିନୀର ପାଟିରୁ କଥା ନସରୁଣୁ ଶୁଭକାନ୍ତ ବର୍ଣ୍ଣନା କରି ଶୁଣେଇଦେଲା ସବୁ ଘଟଣା ।

‘‘ଦେଖ ମନ୍ଦାକିନୀ, ତମେ ଦେଇଥିବା ନୂଆ ନମ୍ବରକୁ ମୁଁ ମୋ’ ମୋବାଇଲ୍‌ରେ ଭୁଲ୍ ବସତଃ ଷ୍ଟୋର୍ କରିପାରି ନଥିଲି । ବେବିନା ତା’ର ଯୋଉ ନମ୍ବରରୁ ତମର, ଅର୍ଥାତ୍ ମନ୍ଦାକିନୀର ଅଭିନୟ କରି ମୋ’ ପାଖକୁ କଲ୍ କରୁଥିଲା ତମର ବୋଲି କେବଳ ସେଇ ଗୋଟିକ ନମ୍ବରହିଁ ସେତେବେଳକୁ ଥିଲା ମୋ’ ପାଖରେ । ଓଡ଼ିଶା ଆସିବା ଆଗରୁ ମୋ’ ଆସିବା ଖବରଟା ମୁଁ ଟିକେ ତମକୁ ଜଣାଇବାକୁ ଚାହୁଁଥିଲି । ସେଥିପାଇଁ ସେଇ ନମ୍ବରରେ କଲ୍ କଲାପରେ ଜାଣିଲି ଯେ, ସେ ଝିଅ କିନ୍ତୁ ତମେ ନୁହଁ । ବରଂ ସେ ହେଲା ‘ବେବିନା’ । ଯେଉଁ କଣ୍ଠସ୍ୱର ସହ ବହୁଆଗରୁ ପରିଚିତ ମଧ୍ୟ ଥିଲି ମୁଁ ।

ଯେଉଁଦିନ ତମେ ତମ ନୂଆ ନମ୍ବର ମୋତେଦେଇ ମୋ’ ପାଖକୁ ଫୋନ୍ କରିଥିଲ, ସେଦିନ ଥିଲା ତମ କଣ୍ଠସ୍ୱର ଶୁଣିବା ମୋ’ପାଇଁ ପ୍ରଥମ । ସେତେବେଳେବି ମୁଁ ମନେମନେ ସନ୍ଦେହ କରୁଥିଲି ତମକୁ ଯେ, ତମେ ବୋଧହୁଏ ଆଉକେହି ହୋଇଥିବ । ଯେ’କି ମୋ’ ମନ୍ଦାକିନୀ ପାଖରୁ ମୋ’ ନମ୍ବରକୁ ଲୁଚେଇ ଆଣି ମୋ’ ଭିତରେ ପଶିବାକୁ ଉଦ୍ଧ୍ୟମ କରୁଛି । କାରଣ ଝିଅମାନଙ୍କରବି ଏମିତିକା ପକୃତି ଥିବାକଥା ବହୁ ଆଗରୁ ମୁଁ ଜାଣିଥିଲି । ଗୋଟିଏ ଝିଅ ଅନ୍ୟ କୌଣସି ଝିଅର କେହି ସୁନ୍ଦର ରୋଜଗାରିଆ ପ୍ରେମିକ ଥିବାକଥା ଜାଣିଲେ, ତାକୁ ପଟେଇ ନିଜର କରିବାକୁ କିଛିବି କରିଦେଇ ପାରେ ।

ମନେମନେ ମୁଁ ଭାବିଲି, ଭିନ୍ନକ୍ଷମ ବୋଲି ମଜାରେ ମିଛ କହିବା ହୁଏତ ସମ୍ଭବ ହୋଇପାରେ ତୁମ ପକ୍ଷରେ । କିନ୍ତୁ କଣ୍ଠସ୍ୱର ଅଲଗା ହେବାତ ସଂପୂର୍ଣ୍ଣ ଅସମ୍ଭବ । ତଥାପି ସେ ସମ୍ପର୍କରେ ତମକୁ କିଛିବି ନକହି ତାକୁ ନିଜ ଭିତରେ କେବଳ ଅନ୍ୱେଷଣ କରୁଥିଲି ମୁଁ । ତମ କଣ୍ଠସ୍ୱର ଶୁଣି ସାରିବା ପରେବି ମୁଁ କିନ୍ତୁ ଯାହାର ସେଇ ପୁରୁଣା କଣ୍ଠସ୍ୱର, ଅର୍ଥାତ୍ ବେବିନାକୁ ହିଁ ମନେମନେ ଆନ୍ତରିକ ଭଲପାଇ ଯାଇଥିଲି । ଖାସ୍ ସେଇଥିପାଇଁ ଆଠମାସ ପରେ ମୋ’ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲେବି ଜରୁରୀ ଛୁଟିନେଇ ଚାରିମାସ ତଳେ ଆଗୁଆ ଓଡ଼ିଶା ଆସିଥିଲି । ଆସିବା ପରେ ବେବିନାର ନମ୍ବରରେ ଫୋନ୍ କରି ତାକୁ ଭେଟିବାକୁ ଅନୁରୋଧ କରିଥିଲି । ଅବଶ୍ୟ ସେ ମୋତେ ଭେଟିବାକୁ ମନା କରୁଥିଲେହେଁ ମୋ’ର ବାଧ୍ୟ ବାଧକତାରେ ସେ ଭେଟିଥିଲା ମୋତେ ।

ତା’ଠାରୁ ସବୁ ଶୁଣିଲା ପରେ ତମର କୌଣସି ବି କାରନାମା ସମ୍ପର୍କରେ ଅଛପା ରହି ନଥିଲା ମୋତେ । ତମେ କ’ଣ… ! ହୁଏତ ଏ ଦୁନିଆର ସବୁ ଝିଅ ସେଇଆ ଭାବନ୍ତିଯେ, ତମପରି ସୁନ୍ଦରୀ ଝିଅକୁ ଛାଡ଼ି ବେବିନା ପରି ଗୋଟେ ଭିନ୍ନକ୍ଷମ ଝିଅକୁ କୋଉ ପୁଅବା କାହିଁକି ଆପଣେଇବ? କିନ୍ତୁ ମନେରଖ ମନ୍ଦାକିନୀ.. ଧନୀ ଘର ଆଉ ଭଲ ଚାକିରିଆ ବର ମିଳିଗଲେ ତମପରି ଝିଅଯାକ, ପ୍ରେମକରି ପ୍ରତିଶ୍ରୁତି ଦେଇଥିବା ପ୍ରେମିକକୁ ଗୋଡ଼ରେ ଆଡ଼େଇ ଦେଇପାର ବୋଲି ପୁଅମାନଙ୍କୁବି କ’ଣ ସେୟା ଧରିନେଲ ତୁମେ ? ଏବଂ ସେଇଥିପାଇଁ ତମେ ବେବିନା ପରି ଗୋଟେ ଝିଅର ଦୟନୀୟତାକୁ ଅସ୍ତ୍ରକରି ଖାଲି ମୋତେ ନୁହେଁ, ମୋ’ ପରି ଅନେକ ପୁଅଙ୍କର ପରୀକ୍ଷା ନେଉଥିଲ? ନିଜର ଅଭାବବୋଧ ଭିତରେ ବିଚାରୀ ବଳି ପଡ଼ି ଯାଇଥିଲା ବାଧ୍ୟହୋଇ । ତମକୁ ଦେଖେଇବାକୁ ନୁହେଁ । ବରଂ ମୁଁ ତାକୁ ଆନ୍ତରିକ ଭାବେହିଁ ଭଲ ପାଇ ଯାଇଥିଲି ପ୍ରଥମ ଦିନରୁ । ଏଣୁ କାଳେ ତୁମେ କିଛି ଅଘଟଣ ଘଟେଇପାର ଏଇ ଭୟରେ ମୋ’ ବାପା, ବୋଉଙ୍କୁ ସବୁକଥା ବୁଝେଇ ଦିନଧାର୍ଯ୍ୟ କରି ମୁଁ ତାକୁ ବାହା ହୋଇ ସାରିଛି । ଏବେ ସେ ମୋ’ର ଧର୍ମପତ୍ନୀ । କାଳେ ତମର ବିଶ୍ୱାସ ହେବକି ନହେବ, ସେଇଥିପାଇଁ ତୁମକୁ ସାଙ୍ଗରେ ନେଇ ଏଠିକୁ ଆସିଥିଲି ତୁମକୁ ପ୍ରତ୍ୟେକ୍ଷରେ ଦେଖେଇବାକୁ । ତା’ଛଡ଼ା ବେବିନାଠୁ ସବୁ ଶୁଣିବା ପରେ ମୁଁ ବି ତମକୁ ମୋର ସ୍ୱଚକ୍ଷୁରେ ଟିକେ ଦେଖେଇବାକୁ ଚାହୁଁଥିଲି ଯେ, ଗୋଟେ ଭିନ୍ନକ୍ଷମ ଝିଅର ହୃଦୟକୁ ବୁଝି ତାକୁ ଗ୍ରହଣ କରିବାକୁ ମୋ’ପରି ପୁଅବି ଏ ସଂସାରରେ ଅଛନ୍ତି । ଯାଅ ଫେରିଯାଅ ମନ୍ଦାକିନୀ । କେତେ କରିବାର ଅଛି ତମେ କରିଚାଲ ପୁଅମାନଙ୍କୁ ଆହୁରି ପରୀକ୍ଷା । ତଥାପି ମୋ’ ମନ କହୁଛି ପୁଅଙ୍କୁ ପରୀକ୍ଷା କଲେ ତମେ କେବେବି ତାଙ୍କର ଆଦିଅନ୍ତ ପାଇବନି ।’’

ଅନେକ ବେଳଠୁ ବେବିନା ଜଳଖିଆ ଥାଳି ରଖିଦେଇ ଘର ଭିତରକୁ ଯାଇ ସାରିଥିଲା । ଶୁଭକାନ୍ତର କଥାକୁ ଅପଲକ ନୟନରେ ଶୁଣୁଥିବା ମନ୍ଦାକିନୀ ବାଁ ହାତରେ ପାଣି ଗ୍ଲାସ୍‌ଟା ଉଠାଇ ଢୋକଟେ ପିଇ ଟେବୁଲ୍ ଉପରେ ରଖି ଦେଉଦେଉ ଶୁଭକାନ୍ତକୁ କହିଲା, ‘‘ମୁଁ ଏବେ ଆସୁଛି ଶୁଭକାନ୍ତ…।’’

ଶୁଭକାନ୍ତ ତାକୁ କହିଲା, ‘‘ରୁହ ମନ୍ଦାକିନୀ । ତମକୁ ଛାଡ଼ିଦେଇ ଆସିବି’’ । ‘‘ନା..ନା.. ମୁଁ ନିଜେ ଫେରିଯିବି’’ । ଏତକ କହି ମନ୍ଦାକିନୀ ବସିବା ଯାଗାରୁ ଉଠି ମୁହଁ ବୁଲେଇ ବାହାରି ଗଲା ବାହାରକୁ ।

ସେତେବେଳକୁ ଭିତରଘରୁ ବେବିନା ଆସି ଶୁଭକାନ୍ତକୁ କହୁଥିଲା, ‘‘ଆରେ ଆରେ କିଛି ନଖାଇ ଚାଲିଗଲେ ଯେ.. ! ତାଙ୍କୁ ଡାକ…।’’ ସ୍ଥାଣୁପରି ଛିଡ଼ାହୋଇ ରହିଥିଲା ଶୁଭକାନ୍ତ । ବେବିନା ଦଉଡ଼ିଯାଇ ଦାଣ୍ଡଦୁଆରେ ଦେଖେତ ମନ୍ଦାକିନୀ ଗୋଟେ ପାସେଞ୍ଜର ଅଟୋରେ ବସି ପଳେଇ ଯାଇଥିଲା ଅନେକ ଦୂରକୁ । ବୋଧହୁଏ ଆଉ ଏକ ପ୍ରେମିକର ସନ୍ଧାନରେ ।

ଲୋକପ୍ରିୟ ଲେଖା

To Top