ଗଳ୍ପ

ଅବଶିଷ୍ଟ ଅପରାହ୍ଣ

Matrudatta Mohanty's odia story Abashishta Aparaahna

କ’ଣ କହି ସ୍ୱାମୀଙ୍କୁ ଆଶ୍ୱାସନା ଦେବେ ଭାବି ହେଉଥିଲେ ବିଚିତ୍ରା । କାରଣ ତାଙ୍କ ମନ ଭିତରେ ବି ତ ଏଇ ସବୁ ଦୁଃଖର ଢେଉ ମୁଣ୍ଡ ପିଟିବାରେ ଲାଗିଥିଲେ ବେଳ ଅବେଳରେ ।

ଅବଶିଷ୍ଟ ଅପରାହ୍ଣ

ଅନ୍ଧାର ପୂରା ଛାଡି ଯାଇନି । ଆହୁରି ବାକି ଅଛି ରାତି । ଘଣ୍ଟା ଟା ଟୁଁ ଟୁଁ କରି ଘରଟାକୁ କମ୍ପାଇ ଦେଲା । କଡ ଲେଉଟାଇଲେ ବିଷ୍ଣୁ ପ୍ରସାଦ । ଖଟ ଉପରେ ଝୁଲୁଥିବା ଲାଇଟ୍ ସ୍ୱିଚ୍ ଅନ୍ କଲେ । ଘଣ୍ଟାରେ ସାଢେ ଚାରିଟା । ଆହୁରି ଢେର ସମୟ ବାକି ଅଛି ରାତି ପାହିବାକୁ । ଝରକାର ପରଦା ଆଡେଇ ବାହାରକୁ ଚାହିଁଲେ ସେ । ଏତେ ଅନ୍ଧାର ଯେ ଅନ୍ଧାର କିଛି ଜଣା ପଡୁନି । ରାସ୍ତା ଆର ପାଖ ତରାଟ ଓ କନିଅର ଗଛରେ ଫୁଲ ଫୁଟିଛି କି ନାହିଁ ତାହା ମଧ୍ୟ ଜାଣିବା ମୁସ୍କିଲ । ଷ୍ଟ୍ରୀଟ୍ ଲାଇଟ୍ ତଳେ ବୋଝ ବୋଝ କୁହୁଡ଼ିଙ୍କ ଭିଡ଼ । ପାଚେରୀ ପାଖ କଦଳୀଗଛର ପତ୍ରରୁ ଟପ୍ ଟପ୍ ଝରି ପଡୁଥିବା କାକର ବୁନ୍ଦାର ଶବ୍ଦରେ ଚହଲି ଯାଉଥିଲା ପାହାନ୍ତାର ନିରବତା । ଲାଇଟ୍ ଅପ୍ କରି ବାଲକୋନିକୂ ଚାଲି ଗଲେ ସେ । ବାଲକୋନିରେ ପଡିଥିବା ରକିଙ୍ଗ୍ ଚେୟାରେ ବସି ଧୀରେ ଧୀରେ ଝୁଲିବାକୁ ଲାଗିଲେ । ପଡୋଶୀଙ୍କ ଘରୁ କଅଁଳା ପିଲାଟାର କାନ୍ଦ ତା ସାଙ୍ଗକୁ କଲୋନି କୁକୁରଙ୍କ ଝଗଡ଼ା ପରିବେଶକୁ ଆଉ ଅଧିକ ସମୟ ଗମ୍ଭୀର ରହିବା ପାଇଁ ଦେଲାନି । ସେଇ ଚେୟାରରେ ଝୁଲୁ ଝୁଲୁ କେତେବେଳେ ବୟସ୍କ ଆଖି ହଳକ ଲାଗି ଯାଇଥିଲା ତାହା ତାଙ୍କୁ ଜଣା ନଥିଲା । ବିଷ୍ଣୁଙ୍କ କାନ୍ଧରେ ହାତ ରଖି ଟିକେ ହଲେଇ ଦେଲେ ପତ୍ନୀ ବିଚିତ୍ରା । କହିଲେ- କ’ଣ ସେଠୁ ଉଠି ଆସି ଏଠି ଶୋଇ ପଡ଼ିଲ? ତୁମ ପିଲାଳିଆମି ଗଲାନି । ନିଅ ତୁମ ଲେମନ୍ ଟି । ପତ୍ନୀଙ୍କ ହାତରୁ ଚା’ କପ୍ ତୋଳି ନେଉ ନେଉ ବିଷ୍ଣୁ ପଚାରିଲେ ସୋମା ଆସିନି କି ?

ସେ କଣ ଏବେ ଆସିବ । ତାର ଆସିବା ସମୟ ହୋଇନି । କଲୋନି ଗୋଟାକର କାମ ତା’ ମୁଣ୍ଡରେ । ସେ ଆସୁ ଆସୁ ସାତଟା ।

ପତ୍ନୀଙ୍କ କଥା ମଝିରେ ପୂର୍ଣ୍ଣଚ୍ଛେଦ ଟାଣି ବିଷ୍ଣୁ ପୁଣି ପଚାରିଲେ- ଏବେ କେତେଟା ବାଜିଛି ତାହାଲେ ?

ସାଢ଼େ ପାଞ୍ଚଟା ।

ସମୟ ସମ୍ପର୍କରେ ପତ୍ନୀଙ୍କ ମୁହଁରୁ ନିଶ୍ଚିତ ହେବା ପରେ ତରତର ହୋଇ ବେସିନ୍ ପାଖକୁ ଚାଲିଗଲେ ସେ । ମୁହଁ ଧୋଇ ଫ୍ରିଜ୍ ଭିତରୁ ଭଙ୍ଗା ପାନ ଖଣ୍ଡେ ପାଟିରେ ପୂରେଇ ବାହାରି ପଡ଼ିଲେ ଫୁଲ ତୋଳିବାକୁ ।

ବିଷ୍ଣୁଙ୍କ ଏମିତି ରୁଟିନ୍ ବନ୍ଧା ଜୀବନ । ଏଥିରେ କେବେ ବ୍ୟତିକ୍ରମ ହୁଏନା । ଘଣ୍ଟାର କଣ୍ଟା ସହିତ ତାଳ ମିଳେଇ ସେ କାମ କରନ୍ତି । ଚାକିରିରୁ ଅବସର ନେବା ପରେ ଏହି ଜୀବନ ସହ ସେ ନିଜକୁ ଖାପଖୁଆଇ ନେଇଛନ୍ତି । ଚାକିରି ଜୀବନରେ ବିଭିନ୍ନ ଜାଗାରେ ବୁଲିବା ପରେ ଅବସର ବେଳକୁ ଧରାଧରି କରି ଫେରି ଆସିଥିଲେ ଏଇ ସହରକୁ । ଶସ୍ତା ସମୟରେ ସହରରେ ପକେଇଥିବା ଜାଗା ଖଣ୍ଡକରେ ଘର କଲେ । ସେହି ଦିନଠାରୁ ପତ୍ନୀଙ୍କ ସହ ସେ ରହୁଛନ୍ତି ଏହି ସହରରେ । ଏବେ ସେ ଏଇ ସହରର ସ୍ଥାୟୀ ବାସିନ୍ଦା । ଏ ସହରଟା ବି ବଡ଼ ବିଚିତ୍ର । ନିଜ କୋଳରେ କାହାକୁ ଆଶ୍ରୟ ଦେବା ବେଳେ ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ କିଛି ଦେଖେନା । କାହା ପ୍ରତି ତା’ର ନଥାଏ ବାଛବିଚାର । ଯିଏ ଆସିଲା ସେ ଏଠି ରହିଲା । ସେଇଥିପାଇଁ ତ କିଛି ବର୍ଷ ଭିତରେ ଏ ସହରଟା ବେଶ୍ ଫୁଲି ଉଠିଛି । ଗାଁ ଭିଟା ମାଟି ଛାଡି ଲୋକେ ଧାଇଁଛନ୍ତି ଏଇ ସହରକୁ । ଗାଁ ମାଟିକୁ ଶାଗ ମାଛ ଦରରେ ବିକି ଚାଲିଛନ୍ତି ସହର ମାଟିର ମୋହରେ । ଏଇ ସହରରେ ଯୋଉଠି ଦିନେ ଶବ ଜଳୁଥିଲା ଆଜି ସେଠି ଲୋକଙ୍କ ଚୁଲି ଜଳୁଛି । ପରିବାର ନେଇ ଲୋକେ ରହୁଛନ୍ତି । ବିଷ୍ଣୁଙ୍କ ଜୀବନ କିନ୍ତୁ ଏ ଭିଡ଼ ଭିତରୁ ଟିକେ ଅଲଗା ପରି ମନେ ହୁଏ । ଏ ସହରର ସେ ଜଣେ ସାଧାରଣ ବାସିନ୍ଦା ନୁହନ୍ତି । ଗରିବ ଅଥବା ମଧ୍ୟବିତ୍ତ ନୁହନ୍ତି ସେ । ସେ ଜଣେ ସମ୍ଭ୍ରାନ୍ତ ଓ ଧନୀ ଶ୍ରେଣୀର ମଣିଷ । ସହରର ଏଲିଟ୍ ଗ୍ରୁପ୍‌ରେ ତାଙ୍କ ନାଁ ଗଣାଯାଏ । ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସେ ଥିଲେ ଉଚ୍ଚପଦସ୍ଥ ଅଧିକାରୀ । ଭଲ ଦରମା ସାଙ୍ଗକୁ ସବୁ ସୁବିଧା ସୁଯୋଗ, ଚାକର ବାକର ଯୋଗାଇ ଦେଇଥିଲେ ସରକାର । ଅବସର ପରେ ବି ସେଇ ପରମ୍ପରାକୁ ସେ ବଜାୟ ରଖିଛନ୍ତି । ମୋଟା ଅଙ୍କର ପେନସନ୍ ପାଉଛନ୍ତି । ପିଲାମାନେ ବି ନିଜ ନିଜ କ୍ଷେତ୍ରରେ ବେଶ୍ ସଫଳ; ରୋଜଗାରକ୍ଷମ ଓ ପ୍ରତିଷ୍ଠିତ ।

ଯେତେ ଯାହା କାମ ଥାଉ ସକାଳ ସାଢେ ଦଶଟା ସୁଦ୍ଧା ଗାଧୁଆ ଖାଇବା ଶେଷକରି ବିଷ୍ଣୁ ବାହାରକୁ ବାହାରିଯାଆନ୍ତି କିଛି ସମୟ ପାଇଁ । କିଛି ଦିନ ହେବ ତାଙ୍କଠାରେ ଏ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି ପତ୍ନୀ ବିଚିତ୍ରା । ସ୍ୱାମୀ ତାଙ୍କର ପ୍ରତିଦିନ ଏଇ ସମୟକୁ ତରତର ହୋଇ କୁଆଡେ ବାହାରି ଯାଉଛନ୍ତି, ତା’ର ଟେର୍ ପାଆନ୍ତିନି ସେ । ଗେଟ୍ ଖୋଲି ଚାଲିଗଲା ବେଳେ ବିଚିତ୍ରା ବାଲକୋନିରେ ଛିଡ଼ାହୋଇ ସ୍ୱାମୀଙ୍କ ଯିବା ବାଟକୁ ଚାହିଁଥାଆନ୍ତି । ସେଦିନ ବି ଏମିତି ବ୍ୟସ୍ତ ବିବ୍ରତ ହୋଇ ଘରୁ ବାହାରିଯିବାବେଳେ ପଛରୁ ଡାକିଦେଲେ ବିଚିତ୍ରା- କୁଆଡ଼େ ଯାଉଛ ଏମିତି ବ୍ୟସ୍ତ ହୋଇ । ଅଟକି ଗଲେ ସେ । ମୁହଁ ଫେରାଇ ପଚାରିଲେ କ’ଣ ହେଲା?

ନାଇଁ, କିଛି ନାଇଁ ଯେ ବଜାରରୁ କିଛି ଜନିଷ ଆଣିଥାଆନ୍ତ ।

ଉତ୍ତମ କୁଆଡେ ଗଲା କି ?

ତାକୁ ଦରମା ଦଉଛି କ’ଣ ମୋ ଘରେ ବସିବା ପାଇଁ ନା କ’ଣ? ତାକୁ କହୁନ ବଜାର ଯାଇ ଜିନିଷ ନେଇ ଆସିବ । ମୁଁ ଟିକେ କାମରେ ବାହାରକୁ ଯାଉଛି, ଅଳ୍ପ ସମୟରେ ଫେରି ଆସିବି । ସ୍ୱାମୀଙ୍କ ପ୍ରତ୍ୟୁତ୍ତରରେ ଚୁପ୍ ରହିଲେ ବିଚିତ୍ରା । ସ୍ୱାମୀଙ୍କ ଏପରି ବ୍ୟବହାର ତାଙ୍କୁ ଆଘାତ ଦେଲା ନିଶ୍ଚିତ । କିଛି ଉପାୟ ବି ନ ଥିଲା । ସେ କ’ଣ କଥା ମାନିବା ଲୋକ ଯେ କାହା କଥା ଶୁଣିବେ । ଗୁଣୁ ଗୁଣୁ ହୋଇ ଘର ଭିତରକୁ ଚାଲିଗଲେ ସେ । ରାତିରେ ବିଛଣାରେ ବସି ପତ୍ରିକା ଖଣ୍ଡେ ଲେଉଟାଇବା ବେଳେ ବିଚିତ୍ରା କହିଲେ କାଲି ମୁନୁର ଜନ୍ମ ଦିନ । ସକାଳୁ ଉଠି ଶିବ ମନ୍ଦିର ଯାଇ ଟିକେ ପାଣି ଢାଳିବି ତା’ ନାଁରେ । ତମର କାଲି କିଛି କାମ ରଖିବନି । ସନ୍ଧ୍ୟାରେ ମୁଁ ଜଗନ୍ନାଥ ମନ୍ଦିରରେ ଆଳତି କରିବି । ତମେ ମୋ ସାଙ୍ଗରେ ଯିବ । ପତ୍ନୀଙ୍କ କଥାରେ ନିରବ ସମର୍ଥନ ଜଣାଇ ଲାଇଟ୍ ଅଫ୍ କଲେ ବିଷ୍ଣୁ । ପରଦିନ ସକାଳୁ ମନ୍ଦିର ଯିବା ଆଗରୁ ସବୁ ଦିନ ପରି ବିଷ୍ଣୁ ଫେରାର ହୋଇଗଲେ କେଉଁଆଡ଼େ । ଏ ନେଇ ବିଚିତ୍ରାଙ୍କ ଭିତରେ ଦିନକୁ ଦିନ ବ୍ୟସ୍ତତା ବଢିବାରେ ଲାଗିଥିଲା । ସ୍ୱାମୀଙ୍କ ଉପରେ ସନ୍ଦେହ କରିବାର ଅବକାଶ ନ ଥିଲା । ପୁଣି ସ୍ୱାମୀଙ୍କ କାର୍ଯ୍ୟ କଳାପ ବି ବିଶ୍ୱାସଯୋଗ୍ୟ ନ ଥିଲା । କ’ଣ କରିବେ? ଏ କଥା କାହାକୁ କହିବେ କିଛି ବୁଝିପାରୁ ନ ଥିଲେ । ଏ ବୟସରେ ସେ ଆଉ କେଉଁଠି ପାଦ ଖସେଇ ଦେଲେନି ତ । ନା, ନା, ସେମିତି ହୋଇ ନ ଥିବ । ବୟସ ବେଳେ ତ ତାଙ୍କଠାରେ ଏମିତି କିଛି ଲକ୍ଷଣ ସେ ଦେଖିନାହାନ୍ତି । ପୁଣି ଏ ବୟସରେ? ନା, ନା । ତଥାପି ପୁରଷ ମନ, କେତେବେଳେ କୋଉ କଥା । କିଛି କହି ହେବନି ।

ପିଲାମାନଙ୍କୁ ଏ ବିଷୟରେ କିଛି କହିବା ପାଇଁ ଉଚିତ ମନେ କଲେନି ବିଚିତ୍ରା । ସେମାନଙ୍କୁ କ’ଣ କହିବେ ଯେ । ପାଖରେ ବସିଲେ ସିନା ବୁଝାଇ କହିବେ । ପିଲାମାନେ ତ ଶହଶହ କୋଶ ଦୂରରେ । ଦଶ ପନ୍ଦର ଦିନରେ ଥରେ ଖାଲି ଯାହା ଫୋନ୍‌ରେ ଟିକେ ସ୍ୱର ଶୁଣିବା ପାଇଁ ମିଳେ । ବଡ ଝିଅଟି ବାହା ହୋଇ ନିଜ ସ୍ୱାମୀ ସହିତ ବିଦେଶରେ । ବଡପୁଅ ମୁନୁ ଏବେ ଲଣ୍ଡନରେ ନିଜ ପିଲାଛୁଆ ନେଇ । ସାନ ପୁଅ ଅଶୋକ ବି ନିଜ ପରିବାର ସହ ହାଇଦରାବାଦରେ । ବଡର ଗୋଟିଏ ପୁଅ । ସାନର ପୁଅଟେ ଝିଅଟେ । କୋଉ ବର୍ଷେ ଦି ବର୍ଷରେ ଆସନ୍ତି ଓଡିଶା । ଦିନେ କି ଦି ଦିନ ଘରେ ରହନ୍ତି ପୁଣି ଉଡି ଯାଆନ୍ତି । ଯେତିକି ଦିନ ଓଡିଶାର ରହନ୍ତି ବୋହୁମାନଙ୍କର ଅଧା ଦିନ ଚାଲିଯାଏ ପୁରୀ କୋଣାର୍କ ଭିତରକନିକା ବୁଲିବାରେ । ବାକି ଦିନ ତକ ନିଜ ବାପ ଘରେ । ପୁଅମାନେ ବି
ସେମିତି ସାଙ୍ଗସାଥୀ କ୍ଲବ୍‌ରେ ସମୟ କାଟି ଫେରି ଯାଆନ୍ତି । ଉଭୟ ପ୍ରାୟ ପାଞ୍ଚ ବର୍ଷ ହେବ ଓଡିଶା ଫେରି ନହାନ୍ତି । ପ୍ରତି ବର୍ଷ ଦଶରାରେ ଆସିବା ପାଇଁ କହନ୍ତି ହେଲେ ଆସନ୍ତିନି । ଦଶରା ଆଗରୁ ପୁଅ ବୋହୂ ନାତି ନାତୁଣିଙ୍କ ପାଇଁ ଘରଟାକୁ ସ୍ୱର୍ଗ କରି ପକାନ୍ତି ଉଭୟ ସ୍ୱାମୀ ସ୍ତ୍ରୀ । ସବୁଆଡ ପରିଷ୍କାର ପରିଛନ୍ନ । ଚାକର ବାକରଙ୍କ ପାଇଁ ନୂଆ ଜାମାପଟା । ପୁଣି ପିଠା ପଣା କେତେ କ’ଣ । ଶେଷରେ ସବୁ ଯାଏ ପାଖ ବସ୍ତିକୁ । ଆଉ କିଛି କାଉ କୁକୁର ଖାଇ ଯାଆନ୍ତି । ପୁଣି ମନକୁ ବୁଝେଇ ଜୀବନକୁ ଆଗକୁ ନେଇ ଚାଲନ୍ତି ଏମାନେ । ବେଶ୍ କିଛି ବର୍ଷ ଧରି ଏହି ପ୍ରକ୍ରୀୟା ଲାଗି ରହିଛି । ଏସବୁ ପରେବି ବୁଢା ବାପା ମାଙ୍କର ନିଜ ପିଲାଙ୍କ ପ୍ରତି କିଛି ଅଭିଯୋଗ ନଥାଏ । କି ନଥାଏ ଅଭିମାନ । ଏ ସବୁ ଭାବି ବିଚିତ୍ରାଙ୍କ ମନ ବ୍ୟାକୁଳ ହୋଇ ଉଠିଲା । ଦିନେ ସ୍ୱାମୀଙ୍କୁ ଏ ବିଷୟରେ ପଚାରିବା ପାଇଁ ମନଃସ୍ଥ କରି ନିଜକୁ ପ୍ରସ୍ତୁତ କରି ନେଲେ ସେ । ସଂଧ୍ୟା ନଇଁ ଆସୁଥିଲା ସହର ଉପରେ । ଷ୍ଟ୍ରୀଟ୍ ଲାଇଟ ସବୁ ଧପ୍‌ଧାପ୍ କରି ଜଳି ଉଠିଲା । ସ୍କାଇଲାଇଟ୍ ଫାଙ୍କରେ ଝୁଣାଧୂଅାଁ ଭସ୍‌ଭାସ ହୋଇ ବାହାରି ଆସୁଥିଲା । ପାଖ ମନ୍ଦିରରୁ ଶୁଭୁଥିଲା ଇଲୋକ୍ଟ୍ରୋନିକ୍ ବାଦ୍ୟର ନିଖୁଣ ତାଳ । ବାଲକୋନିରେ ବସି ଚେନାଏ ଆକାଶକୁ ନିରିକ୍ଷଣ କରୁଥିଲେ ବିଷ୍ଣୁ । ଚା’କପ୍ ତାଙ୍କ
ହାତକୁ ବଢ଼େଇ ଦେଉଦେଉ ବିଚିତ୍ରା କହିଲେ, ତୁମକୁ ଗୋଟେ କଥା ପଚାରିବାର ଥିଲା । ଆକାଶରୁ ଆଖି ଫେରାଇ ଆଣିଲେ ବିଷ୍ଣୁ । କହିଲେ ସବୁ ପଚାରିବ କିନ୍ତୁ ଗୋଟିଏ କଥା ପଚାରିବିନ । କେଉଁ କଥା ବୋଲି ଜାଣିବା ପାଇଁ ଚାହିଲେ ବିଚିତ୍ରା । ବିଷ୍ଣୁ ଟିକେ ଗମ୍ଭୀର ହୋଇ ପଡିଲେ । ମୁନୁ ଓ ଅଶୋକଙ୍କ ଆସିବା କଥା ମୋଡ଼ ପଚାରିବନି । ତୁମର ଯଦି ସେ ବିଷୟରେ କିଛି ଜାଣିବାର ଥାଏ ତେବେ ସେମାନେ ଯେତେବେଳେ ଫୋନ୍ କରୁଛନ୍ତି ତାଙ୍କୁ ସିଧା ପଚାରିଦେବ । କିମ୍ବା ଆସିବା କଥା ପଚାରିବ ତୁମ ବୋହୂମାନଙ୍କୁ ।

ନା, ମୁଁ ସେ କଥା ପଚାରିବିନି ।

ତାହାଲେ କୁହ କ’ଣ ପଚାରିବ ।

ତମେ ପ୍ରତିଦିନ ସକାଳୁ ଗାଧୋଇପାଧୋଇ ଏକ ନିର୍ଦ୍ଧିଷ୍ଟ ସମୟରେ କୁଆଡେ ବାହାରି ଯାଉଛ ? ଅଫିସ୍ ଗଲାବେଳେ କେବେ ତ ଏମିତି ତରତର ହୋଇ ଯିବାର ମୁଁ ତୁମକୁ ଦେଖିନି । ଅବଶ୍ୟ ଘଣ୍ଟା ସହିତ ଚାଲିବାର ଅଭ୍ୟାସ ତୁମର ବେଶ୍ ପୁରୁଣା । କିନ୍ତୁ ଏଇ କିଛି ଦିନ ଯେମିତି ତୁମେ ଘରୁ ବାହାରି ଯାଉଛ ତାହା ମୁଁ ଆଗରୁ କେବେ ଦେଖି ନଥିଲି ।

ବିଚିତ୍ରାଙ୍କ ପ୍ରଶ୍ନରେ ଆଦୌ ବିଚଳିତ ହୋଇପଡୁ ନଥିଲେ ବିଷ୍ଣୁ । ଓଠରୁ ଚା କପ୍ ଅଲଗାକରି ପତ୍ନୀଙ୍କ ମୁହଁକୁ ଚାହିଁଲେ ।

କାଇଁ, ମୁଁ ତ କୁଆଡ଼େ ଯାଉନି ଏମିତି ତରତର ହୋଇ ଯେମିତି ତୁମେ କହୁଛ ।

ଗାଧୋଇ ଖାଇ ଯିବା କଥା ଯଦି ଜାଣିବା ପାଇଁ ଚାହୁଁଚ, ତେବେ ଜାଣିଥାଅ ମୁଁ ଟିକେ ହାଲ୍କା ହେବା ପାଇଁ ପାର୍କ ଆଡେ ପଳାଏ । ବାସ୍ । ସ୍ୱାମୀଙ୍କ ଉତ୍ତର ସନ୍ତୁଷ୍ଟ କରିପାରିଲାନି ବିଚିତ୍ରାଙ୍କୁ । ଆଖିରେ ତାଙ୍କର ଅସୁମାରି ପ୍ରଶ୍ନ । ଓଠରେ ଶବ୍ଦ ହୋଇ ଫୁଟି ପଡିବାକୁ କିନ୍ତୁ ସାହସ କରୁ ନ ଥାଏ । ଅବଶ୍ୟ ସ୍ୱାମୀ ତାଙ୍କ ଉପରେ କେବେ ରାଗି ନାହାନ୍ତି କିମ୍ବା ଟାଣକରି କେବେ କିଛି କହି ନାହାନ୍ତି । ତଥାପି ପୁରଷ ମନ । କେତେବେଳେ କୋଉ କଥା । ଏ ବୟସରେ ଫଡ଼ଫଡ଼ ହୋଇ ଦି’ ପଦ କହିଦେଲେ ସହିବା ବଡ କଷ୍ଟ ହୋଇ ପଡିବ । ପିଲାଛୁଆର ଘର କରି ସେ ନିଜ ସ୍ୱାମୀଙ୍କୁ କେବେ କୌଣସି ଅଭିଯୋଗର ସୁଯୋଗ ଦେଇ ନାହାନ୍ତି । ସ୍ୱାମାଙ୍କ କାନ୍ଧରେ କାନ୍ଧ ମିଳାଇ ସଂସାର ପଥ ଅତିକ୍ରମ କରିଛନ୍ତି । ତିନିଟା ଛୁଆଙ୍କୁ ମଣିଷ କରିଛନ୍ତି । ଏବେ ତାଙ୍କ ଆଗରେ ଯେଉଁ ସମସ୍ୟା ପାହାଡ଼ ପରି ଛିଡ଼ାହୋଇଛି, ସେଥିରୁ ମୁକୁଳିବାର ବାଟ ପାଉ ନାହାନ୍ତି ବିଚିତ୍ରା ।

ରାତି ଆସି ଅନକେ ହେଲାଣି । ଆକାଶମନସ୍କ ହୋଇ ବାଲକୋନିରେ ଛିଡ଼ା ହୋଇଛନ୍ତି ବିଚିତ୍ରା । ପାଖ ଲନ୍‌ରେ ଥିବା ଲାଇଟପୋଷ୍ଟ ଉପରେ ଲଥ୍‌କିନା ବସି ପଡ଼ି ହୁଁ ମାରିଲା ପେଚାଟାଏ । ଚମକି ପଡି ନିଜ ଦୁନିଆକୁ ଫେରିଲେ ସେ । ସ୍ୱାମୀଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି । କିଛି ନା କିଛି କରିବା ପାଇଁ ପଡ଼ିବ । ଲୋକଟାକୁ ଏମିତି ଖୋଲା ଛାଡ଼ିଦେଇ ହେବନି । ଆଜିକାଲି ସମୟ ଯାହା, କାହା ବିଷୟରେ କିଛି ବି କହିବା ମୁସ୍କିଲ । ତାଛଡା ଏ ସହରରେ କିଏ ବା କାହାକୁ ଚିହ୍ନେ । କିଏ କୁଆଡେ ଗଲା । କୋଉଠି ବସିଲା କି ହସିଲା କାହାର କିଛି ଯାଏ ଆସେନା । ନିଜ କଥା ମୋତେ ନିଜେ ବୁଝିବାକୁ ହେବ ।

ରାତି କ’ଣ ପାହିନି ବିଛଣା ଛାଡିଲେ ବିଚିତ୍ରା । ଚାକର ଉତ୍ତମକୁ ପାଖକୁ ଡାକିଲେ । କିଛି କହିବେ ନା କହିବେ ନି ଭାବୁଥାନ୍ତି । ଚାକରଟାକୁ ଏ ସବୁ କଥାରେ ପୂରେଇବା ଉଚିତ ହେବ ନା ହେବନି ସେ ଜାଣି ପାରୁ ନଥାନ୍ତି । ତଥାପି ଏ ଚାକରବାକରଙ୍କ ବ୍ୟତୀତ ଆଉ କିଏ ଅଛି ଯେ କାହା ସହିତ ସୁଖ ଦୁଃଖ ବାଣ୍ଟିବେ । ନିରବତା ଭାଙ୍ଗି ଉତ୍ତମ ପଚାରିଲା ମା’, କାହିଁ ଡାକିଲେ । ବିଚିତ୍ରା କହିଲେ ଦେଖ୍ ତତେ ଆଜି ମୋ ପାଇଁ ଗୋଟେ କାମ କରିବାକୁ ହେବ । ହଁ, ମା’ କହୁ ନାହାନ୍ତି । ଆପଣଙ୍କ କାମ କରିବାକୁ ତ ଏଠି ଅଛି । ନା ନା ସେ କାମ ନୁହେଁ । ଆଉ ଗୋଟେ କାମ । ବାହାର କାମ । ହଁ ମା କହୁ ନାହାନ୍ତି । ଶୁଣୁ, ବାବୁ ସବୁଦିନେ ତରତର ହୋଇ କୁଆଡେ ବାହାରି ଯାଉଛନ୍ତି । ତୁ ଆଜି ବାବୁଙ୍କ ପିଛା କରିବୁ । ବାବୁ କୁଆଡେ ଯାଉଛନ୍ତି କଣ କରୁଛନ୍ତି ମୋତେ କହିବୁ । ହଁ ଏ କଥା ଯେମିତି କେହି ନଜାଣନ୍ତି । ଉତ୍ତମ ବୋକାଙ୍କ ପରି ଚାହିଁଥିଲା । ଆରେ ଏମିତି ଚାହିଁଚୁ କଣ । ଯା ତୋ କାମ କରିବୁ ।

ସ୍ୱାମୀଙ୍କ ପଛରେ ଏତେ ସବୁ ଷଡଯନ୍ତ୍ର ରଚନାକରି ବ୍ୟସ୍ତ ହୋଇ ପଡୁଥାଆନ୍ତି ବିଚିତ୍ରା । ନିଜକୁ ପାପ କଲା ପରି ଲାଗୁଥାଏ । କଣ କରିବେ । ପରିସ୍ଥିତି ଯାହା ହେଲାଣି ଚୁପ୍ ବସିବା ବି ଠିକ୍ ହେବନି । ତାଙ୍କର ଏହି ନିରବତା ତାଙ୍କ ସଂସାର ବୁଡେଇ ଦେବନି ତ । ଏଇ ଚିନ୍ତାରେ ସେ ଘାରି ହେଉଥାଆନ୍ତି । ଡ୍ରେସିଙ୍ଗ ଟେବୁଲ ଆଗରେ ଛିଡା ହୋଇ କାଖ ଟେକି ସେଁ ସାଁ କରି ପରଫ୍ୟୁମ ମାରିଲେ ବିଷ୍ଣୁ । ପକେଟ୍‌ରେ ପର୍ସ ପୂରେଇ ଘରୁ ତରତର ହୋଇ ବାହାରି ପଡିଲେ । ଗେଟ୍ ଖୋଲି ରାସ୍ତାକୁ ବାହାରି ଗଲେ । ପଛେ ପଛେ ଉତ୍ତମ । ଉପଗଳିରୁ ଗଳି ପୁଣି ରାସ୍ତା ତା ପରେ ମୁଖ୍ୟରାସ୍ତାରେ ପହଞ୍ଚି ୟାଡେ ସାଡେ ଚାହଁଲେ ବିଷ୍ଣୁ ପ୍ରସାଦ । ପାଖ ଦୋକାନକୁ ପଶିଗଲେ । ହାତରେ ରଙ୍ଗ ବେରଙ୍ଗ ଜରି ପ୍ୟାକେଟ୍ କିଛି ଧରି ବାହାରି ଆସିଲେ । ରାସ୍ତାରେ ଛିଡା ହୋଇ ଦ୍ରୁତଗତିରେ ସହର ବାହାରକୁ ମୁହାଁଇଥିବା ଅଟୋକୁ ହାତ ମାରି ସେଥିରେ ବସି ଛୁ ହୋଇଗଲେ । ଉତ୍ତମ ବାଧ୍ୟ ହୋଇ ଘରକୁ ଫେରି ଆସିଲା । ଉତ୍ତମ ପାଖରୁ ଘଟଣା ସମ୍ପର୍କରେ ଶୁଣିବା ପରେ ବିଚିତ୍ରାଙ୍କ ମୁହଁ ସୁଖିଗଲା । ସ୍ୱାମୀ ତାଙ୍କର ଯେ ନିଶ୍ଚୟ କୋଉ ଖରାପ ରାସ୍ତାରେ ପାଦ ଥାପିଛନ୍ତି ଏଥିରେ ତାଙ୍କର କୌଣସି ସନ୍ଦେହ ରହିଲାନି । ତେବେ ତାଙ୍କୁ ଧରିବା ପାଇଁ ପଡିବ । ଛାଡି ଦେଲେ ଅସୁବିଧା ।

ୟା’ ଭିତରେ ଅନେକ ଦିନ ବିତିଗଲାଣି । ବିଷ୍ଣୁଙ୍କ ଆଚରଣରେ ବେଶ୍ କିଛି ପରିବର୍ତ୍ତନ ଘଟିଲାଣି । ଏବେ ଥରେ ନୁହେଁ, ଦୁଇଥର ସେ ଘରୁ ପଦାକୁ ଯାଉଛନ୍ତି । ଦିନ ଦଶଟା ବ୍ୟତୀତ ତାଙ୍କର ଏବେ ନୂଆ ସମୟଟା ହେଉଛି ସକାଳ ୭ଟା । ଖରା, ବର୍ଷା, ଶୀତ ନ ମାନି ସେ ନିଜ କାମରେ ଲାଗି ପଡିଛନ୍ତି । କିନ୍ତୁ କଣ ଏମିତି କାମ ଯାହା ସେ ନିଜ ସ୍ତ୍ରୀଙ୍କୁ ବି ଲୁଚାଇଛନ୍ତି । ସ୍ୱାମୀଙ୍କ ସମ୍ପର୍କରେ ଚିନ୍ତା କରି କରି ଶରୀର କ୍ଷୀଣ କରିବାରେ ଲାଗିଥାନ୍ତି ବିଚିତ୍ରା । ତଥାପି ସ୍ୱାମୀଙ୍କ ଗୁପ୍ତ କାମ ସମ୍ପର୍କରେ କିଛି ଟେର୍ ପାଉ ନଥାନ୍ତି ସେ । ଚାକର ବାକରଙ୍କୁ ସ୍ୱାମୀଙ୍କ ପଛରେ ଲଗାଇ ବିଶେଷ କିଛି ଲାଭ ପାଇଲେନି ସେ । ତଥାପି ସେ ହାରି ଯାଇ ନାହାନ୍ତି । ସ୍ୱାମୀଙ୍କ କାର୍ଯ୍ୟକଳାପ ଉପରୁ ତାଙ୍କୁ ପରଦା ଉଠାଇବାକୁ ହେବ । ନଚେତ୍ ତାଙ୍କ ସ୍ୱାମୀ ଯେ ହାତରୁ ଖସି ଯିବେ ଏଥିରେ ସନ୍ଦେହ ରହିଲାନି । ଅନେକ ଥର ପଚାରିଲା ପରେ ବି ସ୍ୱାମୀଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇଲେନି ସେ । ଏବେ ନିଜ ଶଙ୍ଖା ସିନ୍ଦୂରର ସୁରକ୍ଷା ପାଇଁ ସେ ଅଣ୍ଟାରେ ଲୁଗା ଭିଡିବାକୁ ନିଷ୍ପତ୍ତି ନେଲେ । ଯେମିତି ହେଉ ସ୍ୱାମୀଙ୍କ କାରନାମା ଉପରୁ ତାଙ୍କୁ ପରଦା ଉଠେଇବାକୁ ହେବ ।

ସେଦିନ ପାହାନ୍ତାରେ ବିଛଣାରୁ ଉଠି ପଡିଲେ ବିଷ୍ଣୁ । ପତ୍ନୀଙ୍କ ହାତରୁ ଚା କପ୍ ନେଇ ବାଲକୋନିକୁ ଚାଲିଗଲେ । ରାସ୍ତା ଆଡେ ଏକ ଲୟରେ ଚାହିଁ ରହିଲେ । ସେ ଅତ୍ୟନ୍ତ ଅନ୍ୟମନସ୍କ ଜଣା ପଡୁଥିଲେ । ଚେହେରାରେ ଏକ ଭାରାକ୍ରାନ୍ତ ଭବିଷ୍ୟତର ଚିତ୍ର ସ୍ପଷ୍ଟ ଦିଶୁଥିଲା । ବିଚିତ୍ରା କେତେବେଳେ ଆସି ପାଖରେ ଛିଡା ହୋଇଥିଲେ ତାହା ବି ତାଙ୍କୁ ଜଣା ନଥିଲା । ଅନ୍ୟମନସ୍କତା ଭାଙ୍ଗି ପତ୍ନୀଙ୍କ ମୁହଁକୁ ଚାହିଁଲେ ସେ । କହିଲେ ବିଚିତ୍ରା ତୁମ ମୁଁହ କାହିଁକି ଶୁଖି ଯାଇଛି । କଣ ହୋଇଛି ତୁମର । କାଲି ରାତିରେ ଠିକ୍ ସେ ଶୋଇନ ବୋଧେ । ଚା କପ୍‌କୁ ଝରକା ଦାଢରେ ଥୋଇ ଚଉକିରେ ବସି ପଡ଼ିଲେ ବିଚିତ୍ରା ।

ନା ସେମିତି କିଛି ନାହିଁ । ସବୁ ଠିକ୍ ଅଛି । ମୋ ଦେହ ଟିକେ ଭଲ ଲାଗୁନି ।

ତାହାଲେ ଚାଲ ଡାକ୍ତର ପାଖକୁ । ଟିକେ ପ୍ରେସର୍ ଚେକ୍ ଅପ୍ କରିନେବା ।

ହଁ ଯିବି । ମୁଁ ଏକା ଚାଲିଯିବି । ତୁମେ ତୁମ କାମରେ ଯାଅ । ମୋ ପାଇଁ ତମର ଗୁରୁତ୍ୱପୂର୍ଣ୍ଣ କାମଟା କାହିଁକି ଅଟକି ଯିବ ।

ପତ୍ନୀଙ୍କ ଉତ୍ତରରେ ମୁଣ୍ଡ ହଲେଇ ହଲେଇ ଭିତରକୁ ଚାଲିଗଲେ ବିଷ୍ଣୁ ।

ନିଜକୁ ପ୍ରସ୍ତୁତ କରିନେଇ ସବୁଦିନ ପରି ଘରୁ ବାହାରିଗଲେ ସେ । ଆଜି ସ୍ୱାମୀଙ୍କ ସବୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ବିଚିତ୍ରା । ଅଟୋଟେ ଭଡା କରି ସ୍ୱାମୀଙ୍କ ପଛେ ପଛେ ସେ ଭିଡ଼ ଭିତରେ ହଜିଗଲେ । ସହରର ଭିଡ ଭାଡରୁ ବେଶ୍ କିଛି ବାଟ ଅଟୋ ଯିବା ପରେ ନୂଆକରି ହୋଇଥିବା ପାର୍କ ପାଖରେ ବିଷ୍ଣୁଙ୍କ ଅଟୋ ଅଟକି ଗଲା । ଅଟୋରୁ ଓହ୍ଲାଇ ରାସ୍ତା ଆର ପଟରେ ଥିବା ଝଙ୍କାଳିଆ ବରଗଛ ଆଢୁଆଳରେ ନିଜକୁ ଲୁଚାଇ ନେଲେ ବିଚିତ୍ରା । ବିଷ୍ଣୁ ଇଆଡେ ସିଆଡେ ଚାହିଁ ପାର୍କ କଡରେ ଥିବା ଗଳିରେ ଆଗକୁ ଆଗକୁ ଚାଲିଲେ । ଗଳିରେ କିଛି ବାଟ ଯିବା ପରେ ଗୋଟେ ଦୁଇ ମହଲା କୋଠାର ଫାଟକ ଆଗରେ ଅଟକି ଗଲେ । ହାତରେ ଥିବା ଜରି ବ୍ୟାଗ୍ ଆଡେ ଟିକେ ଆଖି ବୁଲାଇ ଆଣିଲେ । ପକେଟ୍ରୁ ପାନ କାଢି କଳରେ ଜାକିଲେ । କପାଳରେ ଫୁଟି ଉଠିଥିବା ଝାଳ ବିନ୍ଦୁକୁ ବେଶ୍ ବେପରୁଆ ଢଙ୍ଗରେ ପାପୁଲିରେ ପୋଛିନେଲେ ସେ । ବ୍ୟସ୍ତ ହୋଇ ହାତଘଣ୍ଟାକୁ ବାରମ୍ବାର ଚାହୁଁଥିଲେ; ଯେମିତି କାହାର ଆସିବାକୁ ଅପେକ୍ଷା କରିଥିଲେ । ଢଙ୍ଗ୍ ଢଙ୍ଗ୍ ଆବାଜ କରି ଦି ଚାରିଥର କେହି ଜଣେ ଘଣ୍ଟି ପିଟିଦେଲା । କିଛି ସମୟ ଭିତରେ ଗେଟ୍ ଡେଇଁ ପଦାକୁ ବାହାରି ଆସିଲେ କିଛି କୁନି କୁନି ପିଲା । କାନ୍ଧରେ ରଂଗ ବେରଂଗର ବ୍ୟାଗ୍ । ହାତରେ ୱାଟର ବଟଲ । ବଗିଚାରେ ପ୍ରଜାପତି ଏ ଫୁଲରୁ ସେ ଫୁଲକୁ ଛପି ଛପି ଆସିଲା କରି ଆସି ହାଜର ହୋଇଗଲେ ବିଷ୍ଣୁଙ୍କ ପାଖରେ । ସମସ୍ତେ ଘେରି ଗଲେ ବିଷ୍ଣୁଙ୍କୁ । ଜରି ଭିତରୁ ହାତ ପୂରାଇ କିଛି ଜିନିଷ ବାହାରକରି ସେ ପିଲାଙ୍କ ଭିତରେ ବାଣ୍ଟି ଚାଲିଲେ । କାହା ପାଇଁ ଚକୋଲେଟ୍, କାହା ପାଇଁ ସ୍କେଚ୍ ପେନ୍ । ପୁଣି କାହା ପାଇଁ ପ୍ଲାଷ୍ଟିକ୍ ବଟରଫ୍ଲାଏ ତ’ ଆଉ କାହା ପାଇଁ ଟାଟୋ । ବିଷ୍ଣୁଙ୍କ ହାତରୁ ଉପହାର ନେଉଥିବା ପ୍ରତ୍ୟେକ ପିଲା ତାଙ୍କ ଗାଲରେ ଚୁମାଟିଏ ଦେଇ ସ୍କୁଲ ବସ୍ ଭିତରକୁ ପଶି ଯାଉଥିଲେ । ମୁଣ୍ଡ ଉପରେ ଖରା ଟାଣ ହେବାରେ ଲାଗିଥାଏ । ବୟସର ବୋଝ ସାଙ୍ଗକୁ ପାଗର ଉଷ୍ମତା ବିଷ୍ଣୁଙ୍କ ଉତ୍ସାହରେ ଭଟ୍ଟା ପକାଇ ପାରୁ ନଥିଲା । ପିଲାଙ୍କ ମୁଣ୍ଡରେ ହାତ ବୁଲାଇ ଆଣିଲା ବେଳେ ତାଙ୍କ ମୁହଁରେ ଆତ୍ମତୃପ୍ତିର ଚେନାଏ ହସ ଝଲସି ଉଠୁଥିଲା । ପିଲାଙ୍କ ଭିଡ ପତଳା ହୋଇ ଆସୁଥାଏ । କୁନି କୁନି ହାତର ଗହଳି ଭିତରେ ଗୋଟେ ବୟସ୍କ ହାତ ଲମ୍ବି ଆସିଲା ବିଷ୍ଣୁଙ୍କ ଆଡ଼େ କିଛି ପାଇବା ଆଶାରେ । ପିଲାଙ୍କ ହସ ଓ କୋଳାହଳ ଭିତରେ ହଜି ଯାଇଥିବା ବିଷ୍ଣୁ ଚମକି ପଡିଲେ । ତାଙ୍କ କପାଳରେ ପୁନର୍ବାର ଜକେଇ ଆସିଲା ବିନ୍ଦୁ ବିନ୍ଦୁ ଝାଳ । ମୁହଁ ତାଙ୍କର କଳା ପଡିଗଲା । ସେ ହସିବାକୁ ଚେଷ୍ଟା କରୁଥିଲେ । ତାଙ୍କର ଅକୃତ୍ରିମ ହସରେ ସତେ ଯେମିତି ଭଟ୍ଟା ପଡ଼ିଗଲା । ସାମନାରେ ଛିଡ଼ା ହୋଇଥିଲେ ପତ୍ନୀ ବିଚିତ୍ରା । ଓଦା ହୋଇଯାଇଥିଲା ତାଙ୍କର ଦୁଇଟି ଯାକ ଆଖି । ଓଠରୁ ଫେରାର ହୋଇଯାଇଥିଲେ ଶବ୍ଦମାନେ । ସେତେବେଳକୁ ଶୂନ୍ୟ ହୋଇଯାଇଥିଲା ଡିଭାଇନ୍ ପ୍ଲେ ସ୍କୁଲର ପରିସର । ଆଉ ଶୁଭୁ ନଥିଲା ଘୋ ଘୋ ଶବ୍ଦ । ବିଚିତ୍ରାଙ୍କ ହାତକୁ ନିଜ ହାତ ବଢେଇ ଦେଉ ଦେଉ ବିଷ୍ଣୁ ପଚାରିଲେ କଣ ଦେଖୁଛ ?

ଦେଖୁଛି- ମୋ ସ୍ୱାମୀଙ୍କ ପିଲା ଦିନ । ମୋ ସ୍ୱାମୀଙ୍କ ଜାଗାରେ ଦେଖୁଛି ଗୋଟେ ଛୋଟ ପିଲାକୁ ।

କିଛି ସମୟର ନିରବତା । ପୁଣି ଥରେ ଉଭୟ ପାସୋରି ବସିଲେ ପରସ୍ପରକୁ ସେଙ୍ଖାଳିବାର ଶବ୍ଦ ସବୁ । କେହି କାହାକୁ ଅଧିକ କିଛି କହିବା ପାଇଁ ଭାଷା ସାଉଁଟି ପାଉ ନଥିଲେ । କେତେବେଳୁ ବିଚିତ୍ରାଙ୍କ ଆଖି କୋଣରେ ଜକେଇଥିବା ଲୁହ ନିଗିଡି ଆସିଲା ତାଙ୍କ ଗାଲ ଉପରକୁ । ବିଷ୍ଣୁ ବି ନିଜ ଲୁହକୁ ନିୟନ୍ତ୍ରଣ କରି ପାରିଲେନି । ବର୍ଷ ବର୍ଷ ଧରି ଛାତିରେ ଜମାଟ ବାନ୍ଧିଥିବା କୋହ ଫୁଟି ପଡ଼ିଲା । କାନ୍ଦିକାନ୍ଦି ବିଷ୍ଣୁ କହିଲେ, ମୋତେ ଭୁଲ ବୁଝିବନି ବିଚିତ୍ରା । ତୁମକୁ ଏ ସବୁ ଲୁଚାଇ ଯେଉଁ ପାପ କରିଛି ସେଥିପାଇଁ ମୋତେ କ୍ଷମା କରିଦେବ । ଅର୍ଦ୍ଧାଙ୍ଗିନୀ ଭାବେ ମୋର ସବୁ କାର୍ଯ୍ୟ ଓ ନିଷ୍ପତ୍ତିକୁ ଜାଣିବାର ଅଧିକାର ତୁମର ଅଛି । କିନ୍ତୁ ମୁଁ ତୁମକୁ ସେଥିରୁ ବଂଚିତ କରି ଭୁଲ କରିଛି । ମୁଁ ବି କଣ କରିବି । କାହିଁ କେଉଁ ଦିନରୁ ମନୁ ଓ ଅଶୋକଙ୍କ ପାଦ ପଡିନି ଘରେ । ନାତିନାତୁଣୀଙ୍କ ମୁହଁ ଟିକେ ଦେଖିବା ପାଇଁ ମୋ ମନ ବ୍ୟାକୁଳ ହୋଇ ପଡିଲାଣି । ସେମାନଙ୍କ ମୁଁହରୁ ଜେଜେ ଡାକ ଶୁଣିବା ପାଇଁ ଭାରି ଇଚ୍ଛା ହେଉଛି । ସେଇଥିପାଇଁ ଚାଲି ଆସିଲି ଏଠିକି । ମୋ ନିଜର ନହେଲେ ନାହିଁ ଏମାନେ ବି ତ ମୋ ନାତିନାତୁଣୀଙ୍କ ପରି ନା । ଏକା ନିଶ୍ୱାସରେ ମନ କଥା କହିସାରି ପ୍ରଶ୍ନୀଳ ଦୃଷ୍ଟିରେ ସେ ଚାହିଲେ ପତ୍ନୀଙ୍କ ମୁହଁକୁ ।

କ’ଣ କହି ସ୍ୱାମୀଙ୍କୁ ଆଶ୍ୱାସନା ଦେବେ ଭାବି ହେଉଥିଲେ ବିଚିତ୍ରା । କାରଣ ତାଙ୍କ ମନ ଭିତରେ ବି ତ ଏଇ ସବୁ ଦୁଃଖର ଢେଉ ମୁଣ୍ଡ ପିଟିବାରେ ଲାଗିଥିଲେ ବେଳ ଅବେଳରେ ।

ଆମ ଘରଟା ଯେମିତି ବଡ ସେମିତି ଶୂନ୍ୟ ବି । କିଛି ବର୍ଷ ତଳେ ଘରଟାରେ ଯାହା ଯେଉଁଠି ସଜେଇ ରଖିଥିଲ ଆଜି ବି ଠିକ୍ ସେମିତି ରହିଛି । ଘରର ଜିନିଷ ପତ୍ର ଏପାଖ ସେପାଖ କରି ଦେବାକୁ ଘରେ ପିଲା ବକଟେ ନାହିଁ । ମୁଁ ଚାହେଁ ପିଲାଟି ଘର ଭିତରକୁ ପଶି ଆସି ସାଇତା ଜିନିଷ ସବୁକୁ ଅସ୍ତବ୍ୟସ୍ତ କରି ଦେଉ । ଫୁଲଗଛରୁ ଫୁଲ ଛିଣ୍ଡେଇ ନେଇ ଘର ଅପରିଷ୍କାର କରି ଦେଉ । ଇଟା ପଥରରେ ତିଆରି ଆମ ଘର ଭିତରଟା ପିଲାମାନଙ୍କ କୋଳାହଳରୁ ଦୂରରେ ରହି ମୃତ ପ୍ରାୟ ପାଲଟି ଯାଇଛି ବିଚିତ୍ରା । ଆମ ଅଗଣାରେ ଫୁଲ ଅଛି କିନ୍ତୁ ସେଥିରେ ବାସ୍ନା ନାହିଁ । ପବନ ଅଛି ସେଥିରେ ମାଦକତା ନାହିଁ । କାହିଁକି ଜାଣିଛ ଆମ ଅଗଣାରେ ପିଲା ନାହାନ୍ତି । ଆମ ଅଗଣାରେ ଈଶ୍ୱର ନାହାନ୍ତି । ବିଷ୍ଣୁଙ୍କ ଛାତି ଭିତରେ ଥିବା କୋହ ସବୁ ଲୁହ ହୋଇ ନିଗିଡି ପଡୁଥିଲେ । ମୋର କଣ ଇଚ୍ଛା ହେଉନି କୁନି କୁନି ପିଲାମାନଙ୍କୁ ଛାତି ଉପରକୁ ଆଉଜେଇ ନେବାକୁ । ସେମାନଙ୍କ ଗାଲରେ ଟିକେ ଗେଲ କରିଦେବାକୁ । ମୋର କଣ ଇଚ୍ଛା ନୁହେଁ ଘର ଭିତରକୁ ପଶୁପଶୁ ମୋ ଉପରକୁ ଡେଇଁ ପଡି ମୋ ପକେଟ୍‌ରେ ସାଇତା କାଗଜପତ୍ରକୁ ଟାଣି ନେଇ ମୋ ନାତି ନାତୁଣୀ ମାନେ ଏଣେ ତେଣେ ଫୋପାଡି ଦିଅନ୍ତୁ । ମୁଁ ସେମାନଙ୍କ ଉପରେ ମିଛରେ ମିଛରେ ବିରକ୍ତ ହୁଅନ୍ତି । ମାରିବା ପାଇଁ ତାଙ୍କ ପଛରେ ଘରର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଦଉଡନ୍ତି । ସେ ସବୁ କଣ ଆମ ଭାଗ୍ୟରେ ଅଛି ? ଜୀବନ ତମାମ ପିଲାମାନଙ୍କ ପାଇଁ ଯାବତୀୟ ଦୁଃଖ କଷ୍ଟ ଭୋଗିବା ପରେ ଶେଷରେ ମଣିଷ ଏଇ ସୁଖ ଟିକକ ଖୋଜେ । ମଣିଷ ନିଜ ପିଲାଙ୍କ ପିଲାଦିନ ଖୋଜେ ତାର ନାତି ନାତୁଣିଙ୍କ ଭିତରେ । ତା ଛଡା ଆମେ ଏବେ ଜୀବନର ଅପରାହ୍ନରେ ପାଦ ରଖି ସାରିଲେଣି । ଅବଶିଷ୍ଟ ଜୀବନ ପାଇଁ ଖାଦ୍ୟ ପାନୀୟ ଯେତିକି ଲୋଡା ନୁହେଁ ସେତିକି ଲୋଡା ଆପଣା ଲୋକର ସ୍ପର୍ଶ । ଏ ଦୁନିଆରେ ଆମର କିଏ ଅଛି ଆପଣାର କହିଲ ।

କାନିରେ ଲୁହ ପୋଛୁ ପୋଛୁ ସ୍ୱାମୀଙ୍କ ହାତରେ ହାତ ଛନ୍ଦି ବିଚିତ୍ରା କହିଲେ- ତୁମେ କାହିଁକି ଚିନ୍ତା କରୁଛ । ଅବଶିଷ୍ଟ ଜୀବନ କାଟିବା ପାଇଁ ମୁଁ ପରା ତୁମ ପାଖରେ ଅଛି । ତାଛଡା ପିଲାମାନେ ବି ତ ସେମାନଙ୍କ ସଂସାର ଗଢିବେ ତାଙ୍କ ପରିବାରର ଭବିଷ୍ୟତ ଦେଖିବେ । ଏ ବୁଢା ମା’ବାପାଙ୍କ ପାଖରେ ପଡ଼ି ରହିଥିବେ ନା କ’ଣ? ଆମେ ପରସ୍ପର ପାଇଁ ଅଛୁ ପରା । ମୋ ଉପରେ ତୁମର କଣ ଭରସା ନାହିଁ । ବିଚିତ୍ରାଙ୍କ ହାତକୁ ଜୋର କରି ଚାପି ଧରିଲେ ବିଷ୍ଣୁ । ଟିକେ ଆଗରୁ ତାଙ୍କ ଗାଲ ଉପରେ ଢେଉ ଖେଳୁଥିବା ଲୁହଧାର ସବୁ ମୃତ ନଈ ପରି ଶୁଖି ଯାଇଥିଲେ ।

ବିଚିତ୍ରାଙ୍କ ମୁହଁରୁ ବାହାରି ପଡିଲା ସତ କଥାଟା । ମୋତେ ଭୁଲ ବୁଝିବନି । ମୁଁ ତୁମକୁ ଅଯଥାରେ ସନ୍ଦେହ କରି ଏତେ ବାଟ ଚାଲି ଆସିଲି । ହଁ, ଯଦି ତୁମେ ଭାବୁଛ ମୋତେ ଏ ସବୁ ଲୁଚାଇ ତମେ ଭୁଲ କରିଚ ତେବେ ତମକୁ ଦଣ୍ଡ ଭୋଗିବା ପାଇଁ ପଡିବ ।

ହଁ ମୁଁ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛି ବିଚିତ୍ରା । କୁହ ମୋ ପାଇଁ ତୁମ ପାଖରେ କି ଶାସ୍ତି ଅଛି । ମୋ ପାପର ପ୍ରାୟଶ୍ଚିତଟା କୁହ ମୋତେ ।

କାଲିଠାରୁ ତୁମେ ଏଠିକି ଏକା ଆସିବନି । ମୋତେ ବି ସାଙ୍ଗରେ ଆଣିବ । ଅବଶିଷ୍ଟ ଜୀବନ ଆମେ ଏଇ ପିଲାମାନଙ୍କ କୋଳାହଳ ଭିତରେ କାଟି ଦେବା ।

ବିଚିତ୍ରାଙ୍କ କଥା ଶୁଣି ବିଷ୍ଣୁଙ୍କ ଓଠ ଫାଙ୍କରେ ଚେନାଏ ହସ ଖେଳିଗଲା । ନିଜ ଲୁହକୁ ନିୟନ୍ତ୍ରଣ କରି ନେଉ ନେଉ ସେ କହିଲେ ନିଶ୍ଚୟ ତୁମକୁ ଆଣିବି ।

ସମୟ ପାକଳ ହେବାରେ ଲାଗିଥିଲା । ଖରାର ବୟସ ବଢୁଥିଲା । ଉଭୟ ହାତରେ ହାତ ଛନ୍ଦି ଘର ମୁହାଁ ହୋଇ ସାରିଥିଲେ । ବିଚିତ୍ରା ବୁଲିବୁଲି ସ୍କୁଲ ଆଡେ ଚାହୁଁଥିଲେ ।

ଲୋକପ୍ରିୟ ଲେଖା

To Top