ଗଳ୍ପ

ଅବଶୋଷ

Dr Sharat Chandra Parida's odia Story Abashosha

ପୁଅ ଖାଲି ବ୍ୟବସାୟରେ ଆର୍ଥିକ ଦୁର୍ଗତିକୁ ଟାଣି ଆଣି ନ ଥିଲା କୁସଙ୍ଗରେ ପଡ଼ି ନାନା ନିଶା ଓ ମାଦକ ଦ୍ରବ୍ୟ ସେବନରେ ପୁରାପୁରି ଅଭ୍ୟସ୍ତ ହୋଇ ଯାଇଥିଲା ।

ଅବଶୋଷ

ସେହିନ ହୀରାଖଣ୍ଡ ଟ୍ରେନ୍‌ରୁ ଓହ୍ଲାଇଲେ ନୀରଦ ବାବୁ ସମ୍ପୂର୍ଣ୍ଣ ଏକ ଅଜଣା ଜାଗାରେ । ଶୂନ୍ୟରେ ଅନ୍ଧକାର କୁଆଡ଼େ ମିଳାଇ ଯାଇଥିଲା । ପୂର୍ବ ଆକାଶରେ ସିନ୍ଦୂରା । ଗ୍ରୀଷ୍ମ ସକାଳର ସୁଲୁସୁଲୁ ଥିରିଥିରି ପବନରେ ଦେହଟା ଟିକେ ଶୀତେଇ ଯାଉଥିଲା । ଚାରିଆଡ଼କୁ ଆଖି ବୁଲେଇ ଚାଇଁଲେ । ଖାଲି ବିଲ ଆଉ ବିଲ । ପାଦକୁ ପାଦ ଛନ୍ଦି ଲମ୍ୱି ଯାଇଛନ୍ତି ଦୂର ଗାଁ ଡେଙ୍ଗା ଗଛଗୁଡ଼ିକ ପର୍ଯ୍ୟନ୍ତ । ଖଣ୍ଡେ ଦୂରରେ ଗେରୁଆ ପାହାଡ଼ । ପାହାଡ଼କୁ ଲାଗି ଆମ୍ୱତୋଟା । ବୁଢ଼ା ବୁଢ଼ା ଉଁଚା ଝଙ୍କାଳିଆ ଗଛ । କିଛି ଗୋଟାଏ ଭୁଲ ଜାଗାରେ ରହିଗଲି କି- ସନ୍ଦେହ ଦାନା ବାନ୍ଧୁବାନ୍ଧୁ ହଠାତ୍ ଦୃଷ୍ଟି ପଡ଼ିଗଲା ବୋର୍ଡରେ ଲେଖା ହୋଇଥିବା ଖଲିକୋଟ ଷ୍ଟେସନ ଉପରେ । ନିର୍ଜନ ଷ୍ଟେସନ୍‌ରେ ନୀରଦ ବାବୁ ଏକମାତ୍ର ଯାତ୍ରୀ । ଚାରିଆଡ଼ ନିଛାଟିଆ ଲାଗୁଥାଏ । ପାଖକୁ ଲାଗି ଗାଁ କି ସହର ନାଇଁ । ଲୋକମାନଙ୍କର ଚିହ୍ନ ବର୍ଣ୍ଣ ବି ନାଇଁ । ଭିତରେ ଭିତରେ ଭୟମିଶା ଶୂନ୍ୟତା ତୁହାକୁ ତୁହା କୁହାଟ ଛାଡୁଥାଏ । ସେ ହଠାତ୍ ଆବିଷ୍କାର କଲେ ବୁଦା ଗହଳି ଭିତରେ ଲୁଚି ରହିଥିବା ଏକ ଛୋଟିଆ ବସ୍ତିଟିଏ । କେତୋଟି ଝୁପୁଡ଼ି । ଅଳ୍ପ କେତେକ ଲୋକ ଶେଯ ଛାଡ଼ି ଚଳପ୍ରଚଳ ହେଲେଣି । ହେଲେ ଆଜି ଅନ୍ୟ ହିଂସ୍ର ଜନ୍ତୁମାନଙ୍କୁ ଯେତେ ଡର ନଥାଏ ମଣିଷର ମଣିଷକୁ ବେଶି ଡର । ଭୟ ସବୁକୁ ସାଉଁଟି ସୁଉଁଟି ସାହସର ବୁଜୁଳା ଭିତରେ ପୁରାଇ ଖଲିକୋଟକୁ ପଥ ପଚାରିଲି । ନୂଆ ଭୁଆସୁଣୀର ଲମ୍ୱା ଓଢ଼ଣି ତଳେ ମୁହଁ ଧାପ୍ସା ଦିଶିଲା ପରି ଆମ୍ୱ ତୋଟାର ଉହାଡ଼ରେ ଲୁଚି ଲୁଚି ଦେଖା ଯାଉଥିଲା ଖଲିକୋଟ । ସାତ ଆଠ କିଲୋମିଟର ଦୂର । ଚାଲି ଚାଲି ଯିବା ସମ୍ଭବ ନୁହେଁ । ହଠାତ୍ ଦୂରରୁ ସରୁ ମୁହଁ ଦେଖାଇଲା ଏକ ମାଟାଡ଼ୋର । ନଇଁ ନଇଁ ଧାଇଁଧାଇଁ ଅଙ୍କାବଙ୍କା ରାସ୍ତା ଦେଇ ଆସୁଥାଏ । ଯାତ୍ରୀ ପୁରାପୁରି ଚୁଣ୍ଟି ହୋଇଥାନ୍ତି । ଭିଡ଼ ଭିତରେ ଲଢ଼େଇ କରି ନିଜ ପାଇଁ ଗୋଟିଏ ସ୍ଥାନ ସଂରକ୍ଷଣ କରିବା ଅସମ୍ଭବ ହେଲେ ମଧ୍ୟ ଅନ୍ୟ କିଛି ଚାରା ନ ଥିଲା । ଓଡ଼ିଶୀ ନୃତ୍ୟର ଗୋଟିଏ ମୁଦ୍ରାରେ ପନ୍ଦର ମିନିଟ୍ ରହିଲା ପରେ ସକାଳୁ ସକାଳୁ ପହଞ୍ଚିଲି ଖଲିକୋଟ ବସ୍‌ଷ୍ଟାଣ୍ଡରେ । ଖୋଲା ଜାଗାରେ ଗରମ ଗରମ ଚାର ବାମ୍ଫ ଧୂଆଁ ଭଳି ଉପରକୁ ଉଠୁଥାଏ । ସବୁ ନୂଆ ନୂଆ ଲାଗୁଥାଏ । ଜାଗା ନୂଆ, ଲୋକ ନୂଆ, ରାସ୍ତା ନୂଆ । ସାମାନ୍ୟ ଅନୁସନ୍ଧାନ ପରେ କଲେଜ ଆଡ଼େ ମୁହାଁଇଲେ ନୀରଦ ବାବୁ ।

କଲେଜର ଦୋମହଲା କୋଠା । ଲମ୍ୱି ଯାଇଛି ରାସ୍ତା ସହିତ ସମାନ୍ତରାଳ ଭାବେ । ବେରଙ୍ଗ ପଡ଼ି ଯାଇଛି କୋଠାର ଚେହେରା । ମଝିରେ ମଝିରେ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଦାନ୍ତ ନିକୁଟୁଛି । କୋଠାର ପ୍ରତିଟି କୋଣରେ ଶୋଭା ପାଉଛି ରଙ୍ଗିନ୍ ସିନ୍ଥେଟିକ୍ ଶାଢ଼ି ପରି ଅଜସ୍ର ପାନ ଛେପର ଛିଟା । ସେଠି ଚଳ ପ୍ରଚଳ ହେଉଥିବା ଭାଇମାନଙ୍କର ଏହା ନିତି ଦିନିଆ ଦେହ ସୁହା କଥା । ବରଂ ସେମାନଙ୍କ ପାନଛେପକୁ ସେହି କୋଣମାନେ ଅପେକ୍ଷା କରିଥାନ୍ତି ଅସରନ୍ତି ଶୋଷରେ । ନଣ୍ଡାଏ ଛେପ ପଚ୍‌କିନା ପକାଇ ଦେଲେ ଉଭୟଙ୍କ ଭାରି ତୃପ୍ତି । ତଳେ କୋଠା ଦେହରେ ଘଷି ହୋଇ ଆକାଶକୁ ଅନେଇ ରହିଛି ଏକ କଣ୍ଟା ଝଟାର ମିନି ଜଙ୍ଗଲ । ଖାଲିପାଦ ଥାପିଲେ ତାହା ଭୂଇଁକୁ ସହିପାରିବ ନାଇଁ । କେଉଁଠି କଣ୍ଟାଳିଆ ଗୋଡ଼ି ତ କେଉଁଠି ପଥୁରିଆ କଣ୍ଟା । ନୀରଦ ବାବୁ କମନ ରୁମ୍‌ରେ ଫ୍ରେସ୍ ହେଲା ପରେ ଅଧ୍ୟକ୍ଷ ଆସିଲେ । ଚଳଚଞ୍ଚଳ ବ୍ୟକ୍ତିତ୍ୱ ମଧ୍ୟରେ ବାରି ହୋଇ ପଡୁଥାଏ ଏକ ସହାନୁଭୂତିଶୀଳ ହୃଦୟ । ତାଙ୍କଠୁଁ ଝରିଝରି ଯାଉଥାଏ ମହୁ ଠିକ୍ ନିର୍ମଳଝର ପରି । ଦୂରରୁ ଆସିଥିବା ଅତିଥିଙ୍କ ରହଣି ନିମନ୍ତେ ସୁବନ୍ଦୋବସ୍ତ କଲେ ଡାକବଙ୍ଗଳାରେ । ଚିହ୍ନା ରାତିଟା ଅଚିହ୍ନା ଅଚିହ୍ନା ଲାଗୁଥାଏ । ଦ୍ୱିତୀୟ ଦିନ ଆସି ଡାକବଙ୍ଗଳାରେ ପହଞ୍ଚିଲେ ଜଣେ ବରିଷ୍ଠ ଅଧ୍ୟାପକ ନରି ସାର୍ । ପୁନେଠାରେ ଅଲ୍ ଇଣ୍ଡିଆ ଓରିଏଣ୍ଟାଲ୍ କନ୍‌ଫରେନ୍ସ ଚାଲିଥିଲା ବେଳେ ନୀରଦବାବୁଙ୍କ ପ୍ରଫେସର ଚିହ୍ନାଇ ଦେଇଥିଲେ । ବନ୍ଧୁତା ଜମିଲା । ଅଧ୍ୟାପକ ବନ୍ଧୁ କହିଲେ- “ମୋର ସାନ ଭାଇର ସଡୁ ଏହି ସହରରେ ରହନ୍ତି ସପରିବାର । ଜଣେ କ୍ଲାସ ଟୁ ଅଫିସର । କହିଛନ୍ତି ବେଳ ବୁଡ଼ିଲା ବେଳକୁ ଆସିବେ ।”

ନୂଆ ଜାଗାରେ ନୂଆ ଲୋକଙ୍କୁ ଭେଟିବା ଆଣି ଦେଇଥାଏ ନିଆରା ଅନୁଭବ । ଗୋଧୂଳି ବେଳକୁ ଆସି ପହଞ୍ଚିଲେ ଜଣେ ମଧ୍ୟମ ବୟସର ଭଦ୍ର ବ୍ୟକ୍ତି ତ୍ରିପାଠୀ ବାବୁ । ଉଚ୍ଚତା ବେଶି ନୁହେଁ । ଚେକା ଚଉଡ଼ା ଦେହ ! ଶ୍ୟାମଳ ବର୍ଣ୍ଣ ! କେଶ ଅସଜଡ଼ା କଥା କିନ୍ତୁ ସଜଡ଼ା ! ପରିମାର୍ଜିତ ! ଭଦ୍ର ! ଶିଷ୍ଟ ! କଥାରେ ବାଟୁଳି ବାଜୁ ନଥାଏ । ସ୍ଫୂର୍ତ୍ତିଶୀଳ ବ୍ୟକ୍ତିତ୍ୱ । କିଛି ସମୟ ଭାବ ବାଣ୍ଟିଲେ ବନ୍ଧୁତାପୂର୍ଣ୍ଣ ଭାବରେ । କିଛି ଜରୁରୀ କାମ ଅଛି ବୋଲି କହି ନରି ସାର୍ଙ୍କୁ ସାଙ୍ଗରେ ଡାକି ନେଇଗଲେ । ନୀରଦ ବାବୁଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ ଯିବା ପାଇଁ । ନୀରଦବାବୁ ହଲିଲା ପାଣିକୁ ଗୋଡ଼ ନ ବଢ଼ାଇବା ଲୋକ । ତ୍ରିପାଠୀ ବାବୁଙ୍କ ହାବ ଭାବରେ କିଛି ବିଚଳିତ ପଣ ଦେଖି ଥମ୍ ହୋଇ ଯାଇଥିଲେ ସେ । ପରେ ଯିବି ବୋଲି କହି ସାଦର ସ୍ୱୀକୃତି ଜଣାଇଥିଲେ । ମୁହଁସଞ୍ଜ କଟେଇ ଫେରିଲେ ନରି ସାର୍ । ସାଙ୍ଗରେ ଆଣିଥିବା ଅନୁଭୂତି ବାଢ଼ି କହିବାକୁ ଆରମ୍ଭ କଲେ- ତ୍ରିପାଠୀ ବାବୁଙ୍କ ଘର ପୁରୀ ସହର ଠାରୁ ଅଳ୍ପ ଦୂର । ଅଚଳାଚଳ ଭୂସମ୍ପତ୍ତି । ଭାରି ଖାନଦାନ ଘରର ପୁଅ । ଜଣେ ଜଣାଶୁଣା ମନ୍ତ୍ରୀଙ୍କ ଝିଆରୀ ତାଙ୍କର ଧର୍ମପତ୍ନୀ । ଏ ସଂସାରରେ ସନ୍ତାନ ସୁଖ କେଉଁ ଦମ୍ପତି ନ ଚାହାଁନ୍ତି । ପୁଅଟିଏ ପାଇଁ କେତେ ଦିଅଁକୁ ମୁଣ୍ଡିଆ ମାରି କେତେ କ’ଣ ମନାସି ଥିଲେ । ଠାକୁରେ ଡାକ ଶୁଣିଲେ । ତ୍ରିପାଠୀ ଦମ୍ପତି ଗୋଟିଏ ନୁହେଁ ଦୁଇ ଦୁଇଟି ରାଜକୁମାର ପରି ପୁତ୍ର ସନ୍ତାନ ଲାଭ କଲେ । କେବଳ ତାଙ୍କ ପରିବାରରେ ନୁଏଁ ସମଗ୍ର ଖଣ୍ଡମଣ୍ଡଳରେ ଆନନ୍ଦର ଶିହରଣ ଖେଳି ଯାଇଥିଲା । ପୁଅ ଦି’ଓଟି ପୂର୍ଣ୍ଣଚନ୍ଦ୍ର ପରି ବଢ଼ିବାକୁ ଲାଗିଲେ । ବଡ଼ ମାଟ୍ରିକ୍ ପାଶ୍ କଲା ପରେ ପାଠରେ ଅମନଯୋଗୀ ହେଲା । ଫାଙ୍କା ମନ ଭୂତର ଆଖଡ଼ା ଘର । ବାପାଙ୍କ ମନ ଚିନ୍ତାରେ ଭାଙ୍ଗି ପଡୁଥାଏ । ଏହି ସମୟରେ ପୁଅ ବାପାଙ୍କ ଆଗରେ ଗୋଟିଏ ପ୍ରସ୍ତାବ ରଖିଲା- “ମୁଁ ଟି.ଭି.ର କେବୁଲ୍ ଲାଇନ୍ ବ୍ୟବସାୟ କରିବି ।” ସେତେବେଳେ ଟି.ଭି. ନୂଆ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚୁ ଥାଏ । ଟି.ଭି.ର ଆଦୃତି ଓ ଚାହିଦା ବଢ଼ିବାରେ ଲାଗିଥାଏ । ପୁଅର ପ୍ରସ୍ତାବ କିଛି ମନ୍ଦ ନୁହେଁ ବୋଲି ବାପା ତାହା ଅନୁମୋଦନ କଲେ । ଅନ୍ତତଃ କିଛି କାମରେ ତ ବ୍ୟସ୍ତ ରହିଯିବ ।

ପୁଅ ବାପାଙ୍କଠୁ ତିନି ଲକ୍ଷ ଟଙ୍କା ନେଲା । ପୁରୀରେ ବ୍ୟବସାୟ ଆରମ୍ଭ କଲା । ବାପା ମା’ ଟିକେ ଆଶ୍ୱସ୍ତି ଲାଭ କଲେ । ବାପାଙ୍କ ପଛକୁ ପୁଅ ଯଦି ଯୋଗ୍ୟ ଓ ସମର୍ଥ ହୋଇ ଛିଡ଼ା ହୁଏ ବାପା ମା’ଙ୍କ ମନୋବଳ ବଢ଼େ । ସ୍ଥିତି ମଜବୁତ୍ ହୁଏ । ମାତ୍ର ଏ ଆନନ୍ଦ ବେଶି ଦିନ ରହିଲା ନାଇଁ । ମାତ୍ର ବର୍ଷ ଦୁଇଟା ଭିତରେ ପୁଅ ବାପାଙ୍କୁ ଲାଭର ହିସାବ ଦେବ କ’ଣ ବେଉସାର ମୂଳ ବୁଡ଼ିଗଲା ବୋଲି ଦୁଃସମ୍ୱାଦ ଦେଇଥିଲା । ବାପା ମା’ ସ୍ଥାଣୁ ପାଲଟି ଯାଇଥିଲେ । ଛାତିକୁ ପଥର କରି ପୁଅକୁ ପାଖକୁ ନେଇ ଆସିଥିଲେ । ବେପାର ପଛେ ଉଜୁଡୁ, ପୁଅ କିନ୍ତୁ ବୁଡ଼ି ନଯାଉ । ପୁଅ ଖାଲି ବ୍ୟବସାୟରେ ଆର୍ଥିକ ଦୁର୍ଗତିକୁ ଟାଣି ଆଣି ନ ଥିଲା କୁସଙ୍ଗରେ ପଡ଼ି ନାନା ନିଶା ଓ ମାଦକ ଦ୍ରବ୍ୟ ସେବନରେ ପୁରାପୁରି ଅଭ୍ୟସ୍ତ ହୋଇ ଯାଇଥିଲା । ବାପାଙ୍କ ଅଗୋଚରରେ । ନିଶାଖୋର ପୁଅ କଥା ଜାଣି ତ୍ରିପାଠୀ ଦମ୍ପତିଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ଅନ୍ଧାର ଦିଶିଲା ଦୂର ଦିଗ୍‌ବଳୟ ।

ସନ୍ତାନ ଯେତେ ଦୋଷତ୍ରୁଟି କରି ଦୁନିଆଁ ଆଖିରେ ନିନ୍ଦିତ ହେଲେ ବି ଉତ୍ତମ ବାପା ମା’ ତାକୁ ସୁଧାରିବାକୁ ପ୍ରାଣପଣେ ଲାଗି ପଡ଼ନ୍ତି । ମନର କ୍ଷତକୁ ଆଖିର ଲୁହରେ ଧୋଇ ଦେଇଥାନ୍ତି । ପୁଅକୁ ସୁଧାରିବା ଆଶାରେ ପାଖରେ ରଖିଲେ । କେତେ ବୁଝାସୁଝା କଲେ । କିନ୍ତୁ ହାୟ ! ବୁଡ଼ିଗଲା ଗୋଡ଼ ତଳକୁ ତଳକୁ । ବାପା ମା’ଙ୍କ ସମସ୍ତ ଆଶା ଆକାଂକ୍ଷାକୁ, ସ୍ୱପ୍ନ ସଂକଳ୍ପକୁ ଚୁର୍ମାର କରି ପୁଅ ଆରମ୍ଭ କରି ଦେଇଥିଲା ନିର୍ଯାତନାର ନୂତନ ଅଧ୍ୟାୟ । ବାପାଙ୍କ ପକେଟ୍‌ରୁ ଚୋରି କରି ଓ ମା’ଙ୍କୁ ମାରି ଦିନକୁ ଦିନ ନିଶାଗ୍ରସ୍ତ ପୁଅର ଉପଦ୍ରବ ବଢ଼ିବାକୁ ଲାଗିଲା । ପ୍ରତିବାଦ କଲେ ବିବାଦ ଛିଡ଼ା ହୁଏ । ପ୍ରତିରୋଧ କଲେ ଆରମ୍ଭ ହୁଏ ହାଙ୍ଗାମା । ଝଗଡ଼ାଝାଟିରେ ସୁଖୀ ପରିବାରର ମୂଳଦୁଆ ଦୋହଲି ଯାଏ । ବହିଯାଏ ଥରକୁ ଥର ଅଶାନ୍ତିର ଝଡ଼ । ଘରେ ଯାହା ପାଇଲା ସବୁ ଫିଙ୍ଗାଫୋପଡ଼ା କଲା । ମୂଲ୍ୟବାନ୍ ଆସବାବପତ୍ର ଯାହା ହାତପାହାନ୍ତାରେ ପଡ଼ିଲା ବାହାରେ ବିକ୍ରିବଟା କରି ନିଶା ଖର୍ଚ୍ଚ ତୁଲାଇଲା । ନୂଆ କୁସଙ୍ଗରେ ପଡ଼ିଲା । ଭିନ୍ନ କୁପଥରେ ଚାଲିଲା । ଛିଣ୍ଡା ଚପଲ ଜୋତା ପିନ୍ଧିଲା । ପୁଅର ଏ ଦଶା ଦେଖି ବାପା ମା’ କେମିତି ଧୈର୍ଯ୍ୟ ଧରି ରହିପାରନ୍ତେ ! ବେଳେ ବେଳେ ବାତ୍ସଲ୍ୟ ସ୍ନେହରେ ପିତୃହୃଦୟ ତରଳି ଯାଏ । ପୁଅ ପିନ୍ଧିବ ବୋଲି ହଳେ ନୂଆ ଚପଲ କିଣି ଆଣନ୍ତି । ତା’ର ସାଙ୍ଗମାନେ ସେ ନୂଆ ଚପଲକୁ ଦ୍ୱିତୀୟବାର ପିନ୍ଧିବାକୁ ସୁଯୋଗ ଦିଅନ୍ତି ନାଇଁ । ନିଶା ଖାଇ ପୁଅ ଚୁର୍ ଥିଲାବେଳେ ସାଙ୍ଗମାନେ ଜୋତାକୁ ବିକି ଦେଇ ଭଲ ନିଶାଦ୍ରବ୍ୟ ଯୋଗାଡ଼ କରନ୍ତି । ସେଦିନ ନିଶା ପାଣିରେ ଆସରଟା ଜମିଯାଏ । ପରିଣାମରେ ପୁଅ ପିନ୍ଧେ ଯେଉଁ ଛିଣ୍ଡା ଚପଲକୁ ସେହି ଛିଣ୍ଡା ଚପଲ । ପ୍ୟାଣ୍ଟ ସାର୍ଟର ଅବସ୍ଥା ମଧ୍ୟ ସେଇଆ । ପୁଅ ବାପାଙ୍କ ଖାତିରିରେ ଜୋତା ଓ କପଡ଼ା ଦୋକାନୀମାନଙ୍କ ଠାରୁ ବାକିରେ ମଧ୍ୟ ଜିନିଷ ନେଇ ଆସେ । ମାତ୍ର ବେକାର ଖର୍ଚ୍ଚର ଆତିଶଯ୍ୟ ହେତୁ ଦୋକାନୀମାନଙ୍କୁ ସେଥିରୁ ବାରଣ କରିଥିଲେ ଶ୍ରୀଯୁକ୍ତ ତ୍ରିପାଠୀ ।

– ତା’ପରେ –

ଲୋକପ୍ରିୟ ଲେଖା

To Top