ଗଳ୍ପ

ଅଭିଯୁକ୍ତ

Arabinda Das's odia story Abhijukta

କ’ଣ ହେଲାଣି ଆଜି ଦୁନିଆର ଅବସ୍ଥା? ଚାରିପାଞ୍ଚ ବର୍ଷର କୋମଳମତି ଅବୋଧ ଶିଶୁଙ୍କୁ ରେପ୍ କରିବାକୁ ପଛାଉନାହାନ୍ତି ଏ ପଶୁମାନେ? ଏଗୁଡାଙ୍କୁ ଗୁଳି କରି ମାରି ଦେବା ଉଚିତ୍ । ସମସ୍ତଙ୍କ ସାମ୍ନାରେ ଏମାନଙ୍କୁ ଫାଶୀ ଦେବା ବରଂ ଠିକ୍ ।

ଅଭିଯୁକ୍ତ

“ସାର୍, ଜଣେ ସ୍ତ୍ରୀଲୋକ ଆପଣଙ୍କ ନାଁରେ ରେପ୍‌କେସ୍ ଦାୟାର୍ କରିବାକୁ ଆମ ଥାନାରେ ଜିଦି କରି ବସିଛି  ।”

ଇନ୍‌ସ୍ପେକ୍ଟର ମିଶ୍ର ବାବୁଙ୍କ ଫୋନ୍ ପାଇ ଚମକିପଡିଲେ ପୋଲିସ୍ କମିଶନର ପ୍ରତୀକ୍ ମହାନ୍ତି  । ଦକ୍ଷ, ନିଷ୍ଠାପର, ସାହାସୀ ଓ ସଚ୍ଚୋଟ ଅଫିସର ହିସାବରେ ଯଥେଷ୍ଟ ସୁନାମ ଅଛି ପ୍ରତୀକଙ୍କର  । ତାଙ୍କ ନାଁରେ ପୁଣି ରେପ୍ କେସ୍ ! ଆକାଶରୁ ଯେମିତି ଖସିପଡିଲେ ସେ  ।

“କିଏ ସେ ସ୍ତ୍ରୀ ଲୋକଟା? ପାଗିଳୀ କିମ୍ବା କୌଣସି ଅପରାଧୀର ରିଲେଟିଭ୍ ନୁହେଁ ତ ? ବିରକ୍ତିଭରା କଣ୍ଠରେ କହୁଥିଲେ ପ୍ରତୀକ୍  । ଅନ୍ୟ ନାଁରେ ମିଛ ଅଭିଯୋଗ ଆଣିବା ଆଜିକାଲି ଫେସନ୍ ହୋଇଗଲାଣି  । କିଏ ବ୍ଲାକ୍‌ମେଲ୍ କରିବାକୁ ଚାହୁଁଛି ତ କିଏ ରିଏଲିଟି ଶୋ’ରେ ଭାଗ ନେବା ପାଇଁ ନିଜର ପବ୍ଲିସିଟି ପାଇଁ ଏସବୁ କରୁଛି  । ବମ୍ବେରେ ଜଣେ ଉଚ୍ଚପଦସ୍ଥ ପୋଲିସ୍ ଅଫିସରଙ୍କ ନାଁରେ ନିକଟ ଅତୀତରେ ଏମିତି ଗୋଟେ କେସ୍ ରୁଜ୍ଜୁ କରିଥିଲେ ଜଣେ ମହିଳା ।

ଆରପଟୁ ଇନ୍‌ସ୍ପେକ୍ଟରଙ୍କ ସ୍ୱର, “ନିଜ ନାଁ ନୟନା ଦାସ ବୋଲି କହୁଛି ସେ ସ୍ତ୍ରୀ ଲୋକଟା  । ହାଉସ ୱାଇଫ୍ ପରି ଲାଗୁଛନ୍ତି । ପଇଁଚାଳିଶ, ପଚାଶ ବର୍ଷ ଭିତରେ ବୟସ ହେବ ବୋଧେ  । ସାଧାସିଧା ବେଷଭୂଷା  । କଥାବାର୍ତ୍ତା  ଏକଦମ୍ ନର୍ମାଲ୍  । ଅନେକଥର ତାକୁ ପଚାରି ସାରିଲିଣି କିନ୍ତୁ ଆପଣଙ୍କ ନାଁଟା ହିଁ କହୁଛି  । କିଛି ବୋଧେ ଭୁଲ୍ ବୁଝାମଣା ହୋଇଥାଇପାରେ  । ଆପଣ ଟିକେ ଏଠିକି ଆସିଲେ ଭଲ ହୁଅନ୍ତା ସାର୍  ।”

“ଠିକ୍ ଅଛି, ଅଧ ଘଣ୍ଟା  ଭିତରେ ମୁଁ ପହଞ୍ଚୁଛି । ଏ.ସି.ପି. ପଦ୍ମନାଭଙ୍କୁ ମୋତେ କଣ୍ଟାକ୍ଟ କରିବାକୁ କୁହ  ।”

“ଓକେ ସାର୍  । ଖାଲି ଏଇ ମିଡିଆବାଲାଙ୍କୁ ଭୟ  । ମଢ ଗନ୍ଧ ପାଇ ଶାଗୁଣା, ବିଲୁଆ ଛୁଟିଲା ପରି ଏମାନେ ଏମିତି ଜିନିଷର ସୁରାକ୍ ପାଇଲାମାନେ ଏଇଠି ଆସି ଭିଡ ଜମାଇବେ ଥାନାରେ  ।” ମିଶ୍ର ବାବୁ କହୁଥିଲେ  ।

ଫୋନ୍‌ଟା ବନ୍ଦ କଲାବେଳେ କାହିଁକି କେଜାଣି ମନକୁ ପାପ ଛୁଉଁଥିଲା ପ୍ରତୀକଙ୍କର  । ଦୁଇମାସ ତଳେ କମିସନେରଟ୍ ୧ରୁ ଟାଉନ୍ କମିଶନେରଟ୍ ୨କୁ ବଦଳି ହୋଇଥିଲା ପ୍ରତୀକଙ୍କର  । ଡ୍ରେସ୍ ଚେଞ୍ଜ କରୁ କରୁ ମନ ଭିତରେ ବିଗତ ଦିନର ଜିନିଷ ସବୁ ବିଶ୍ଳେଷଣ କରୁଥିଲେ  । ସେମିତି କିଛି ମନେପଡୁ ନଥିଲା ତାଙ୍କର  ।

ସରକାରୀ ଚାକିରୀ  । ତାହା ପୁଣି ପୋଲିସ୍ ଚାକିରୀରେ ଆରୋପ, ପ୍ରତ୍ୟାରୋପ ଅତି ସାଧାରଣ କଥା  । କିନ୍ତୁ କେତେକ ଅଭିଯୋଗ ବହୁତ ସମ୍ବେଦନଶୀଳ ହୋଇଥାଏ ତ କେତେକ ଏକଦମ୍ ଭିତ୍ତିହୀନ  । ତେବେ ଅଭିଯୋଗ ଯଦି କୌଣସି ମହିଳାଙ୍କର ହୋଇଥାଏ, ତା’ହେଲେ ମହିଳା କମିଶନ, ମାନବାଧିକାର କମିଶନ ଓ ମିଡିଆ, ସମସ୍ତେ ପଛରେ ପଡିଯିବେ  । ଠାକୁରଙ୍କୁ ମନେ ମନେ ସ୍ମରଣ କରି ପ୍ରତୀକ ଭାବୁଥିଲେ ତାଙ୍କରି ନାଁ କାହିଁକି ନେଉଛି ସ୍ତ୍ରୀ ଲୋକଟା? କୌଣସି ଘଟଣା ବା ମହିଳାଙ୍କ ସହ ତାଙ୍କର ସଂପୃକ୍ତି ନାହିଁ ବୋଲି ସେ ଏକଦମ୍ ନିଶ୍ଚିତ ଥିଲେ  ।

ଥାନାରେ ପହଁଞ୍ଚି ସେହି ମହିଳାଙ୍କୁ ଦେଖି, ପ୍ରତୀକଙ୍କୁ ଟିକେ ଦୋଦୋ ଚିହ୍ନା ଭଳି ଲାଗିଲା  । ଆଗରୁ ଯେମିତି କେଉଁଠି ଦେଖିଛନ୍ତି ନୟନା ଦାସଙ୍କୁ  । କିନ୍ତୁ କେଉଁଠି ଦେଖିଛନ୍ତି ତାହା ଭଲକରି ମନେପଡୁନଥିଲା  ।

ଜଣେ ମହିଳା ସବ୍ଇନସ୍ପେକ୍ଟର ଓ ଦୁଇଜଣ ମହିଳା କନେଷ୍ଟବଳ ନୟନାଙ୍କ ପାଖରେ ଠିଆ ହୋଇଥା’ନ୍ତି  । ପ୍ରତୀକଙ୍କୁ ସାଲ୍ୟୁଟ୍ ମାରିଲେ ସମସ୍ତେ  । “ଗୋଟେ ଏଫ୍.ଆଇ.ଆର୍ ଦେବା ପାଇଁ କେତେ ସମୟ ମୋତେ ଅପେକ୍ଷା କରିବାକୁ ପଡିବ?” ନୟନା ଦାସ ପାଟି କରି ପଚାରୁଥିଲେ  ।

ଟେବୁଲ୍ ପାଖରୁ ଗୋଟାଏ ଚେୟାର ଭିଡିଆଣି ସାମ୍ନାରେ ବସିଲେ ପ୍ରତୀକ ଓ ଧୀର ସ୍ୱରରେ କହିଲେ, “ମ୍ୟାଡମ୍, କିଏ ଆପଣଙ୍କୁ ଏଠାକୁ ପଠାଇଛି ଏମିତି ମିଛ ଆଲିଗେସନ୍ ଦେବା ପାଇଁ? କୌଣସି ଭଦ୍ରଲୋକ ନାଁରେ ମିଥ୍ୟା ଅଭିଯୋଗ କରିବା ଆଇନ୍ ଅନୁଯାୟୀ ଅପରାଧ ବୋଲି ଆପଣ ଜାଣିଛନ୍ତି ନା ନାହିଁ? ମୁଁ ହିଁ ପ୍ରତୀକ ମହାନ୍ତି; କିନ୍ତୁ ଆପଣଙ୍କୁ କେବେ ପୂର୍ବରୁ ଭେଟିବାର ମୋର କାହିଁକି ମନେପଡୁନି  ।

ନୟନା ଏଥର ସିଧା ଅନାଇଲେ ପ୍ରତୀକଙ୍କ ମୁହଁକୁ  । ତାଙ୍କ ଆଖି ଦୁଇଟା ଯେମିତି ଜଳୁଥିଲା, ରଡ ନିଆଁ ଭଳି  । ମୁହଁରେ କେମିତି ଏକ ଘୃଣା ଓ ବିରକ୍ତିର ଭାବ ନେସି ହୋଇଥିଲା  ।

“ଆପଣଙ୍କର କାହିଁକି ମନେପଡିବ? ଆପଣ ମୋର ସର୍ବସ୍ୱ ଲୁଟି ନେଇଛନ୍ତି । ଅଭିଜିତ୍ ଦାସ ମୋ ପୁଅ  । “ପ୍ରତିଭା ଇଣ୍ଟରନ୍ୟାସନାଲ୍” ସ୍କୁଲ୍‌ରେ ଡ୍ୟାନ୍ସ ଟିଚର  । ମନେପଡିଲା ଏଥର?”

ଆଶ୍ଚର୍ଯ୍ୟ ହୋଇ ମହିଳାଙ୍କ ମୁହଁକୁ ଅନାଇଲେ ପ୍ରତୀକ  । ଝାପ୍ସା ଝାପ୍ସା ହୋଇ ମନ ଭିତରେ ନାଚୁଥିବା ମୁହଁଟା ଏଥର ପରିଷ୍କାର ହୋଇଯାଉଥିଲା  । ଇୟେ ତାହାହେଲେ ଅଭିଜିତ୍ ଦାସର ମା’? ସେଇ ଅଭିଜିତ୍ ଦାସ ଯାହାକୁ ନେଇ କିଛିମାସ ତଳେ ଏ ସହରରେ ଝଡ ଉଠିଥିଲା? ଝଡ ନୁହେଁ ବରଂ ଯେମିତି ସୁନାମୀ ଆସିଥିଲା  ।

ଭାବନା ରାଜ୍ୟରେ ବୁଡି ଯାଉଥିଲେ ପ୍ରତୀକ  । ସହରର ନାମଜାଦା ସ୍କୁଲଭାବେ “ପ୍ରତିଭା ଇଣ୍ଟରନ୍ୟାସନାଲ୍ ସ୍କୁଲ୍”ର ବହୁତ ନାଁ  । ଧନୀ ଆଭିଜାତ୍ୟ ରୁଚିସଂପୂର୍ଣ୍ଣ ଉଚ୍ଚବର୍ଗ ତଥା ଉଚ୍ଚ ପଦବୀର ଲୋକମାନଙ୍କର ପ୍ରଥମ ପସନ୍ଦ ଏଇ ସ୍କୁଲ୍  । କିଛିମାସ ତଳେ ଏଇ ସ୍କୁଲ୍‌ଟା ହଠାତ୍ ହେଡ୍‌ଲାଇନ୍ ବନିଯାଇଥିଲା  ।

“ପ୍ରତିଭା ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ପ୍ରଥମ ଷ୍ଟାଣ୍ଡାର୍ଡରେ ଜଣେ ନିରୀହ ବାଳିକା ଧର୍ଷଣର ଶିକାର  । ସ୍କୁଲ୍ କର୍ମଚାରୀ କିମ୍ବା ଶିକ୍ଷକଙ୍କ ସଂପୃକ୍ତିର ସନ୍ଦେହ  । ସ୍କୁଲ୍ କର୍ତ୍ତୃପକ୍ଷଙ୍କ କଥାକୁ ଚପାଇଦେବାର ଚେଷ୍ଟା  ।”

ସମ୍ବାଦପତ୍ର, ଟି.ଭି., ସୋସିଆଲ୍ ମିଡିଆ ସବୁଠି ସେଇ ଗୋଟାଏ ଚର୍ଚ୍ଚା  । ପିଲାର ବାପା ଓ ମା’ ଅନ୍ୟ ଅଭିଭାବକମାନଙ୍କ ସହ ମିଶି ସ୍କୁଲ୍‌ରେ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ  । ଡାକ୍ତରୀ ମାଇନା ପରେ ଶିଶୁର ବୟାନକୁ ଭିତ୍ତିକରି ଗୋଟେ କେସ୍ ଦାୟାର୍ ହୋଇଥିଲା  । ସାରା ସହର ଯେମିତି ଚେଇଁ ଉଠିଥିଲା  ।

“ସରକାର୍ ଡାଉନ୍ ଡାଉନ୍  । ପୋଲିସ୍ ଡାଉନ୍ ଡାଉନ୍” ଧ୍ୱନିରେ କମ୍ପୁଥିଲା ସହର  ।

ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ କଥା ହୋଇଥିଲେ ପ୍ରତୀକଙ୍କ ସହିତ  ।

“ଏଇଟା ବହୁତ ସେନ୍‌ସିଟିଭ୍ ଇସ୍ୟୁ   । ତମେ ନିଜେ ଏହାକୁ ହ୍ୟାଣ୍ଡେଲ୍ କର ପ୍ରତୀକ  । ଘଟଣାକୁ ପାଞ୍ଚଦିନ ହୋଇଗଲାଣି  । କେହି ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରାପଡିନାହାନ୍ତି  । ମିଡିଆ ଟ୍ରାଏଲ୍ ଚାଲିଲାଣି ଏବଂ ବିରୋଧୀ ଦଳ ଆସେମ୍ଲିରେ ଆମ ଅବସ୍ଥା ଖରାପ କରିଦେଲେଣି  । ପ୍ଲିଜ୍ ସି ଦ୍ୟାଟ୍ ଦ କେସ୍ ଇଜ୍ ସଲଭଡ୍ କୁଇକଲି  ।”

ତଦନ୍ତର ଭାର ନିଜେ ନେଇଥିଲେ ପ୍ରତୀକ  । ଏକ ଦକ୍ଷ ଓ ଅଭିଜ୍ଞ ଟିମ୍‌ର ଗଠନ କରିଥିଲେ  ।

“ସାର୍, ସ୍କୁଲ୍‌ର ଓନର ହଁସଲାଲ୍ ମେହେଟ୍ଟା ବହୁତ ପାୱାରଫୁଲ୍ ଲୋକ  । ହଜାରେ ପଲିଟିକାଲ୍ କନେକସନ୍ ଏବଂ ସବୁ ବଡବଡିଆ ଅଫିସରଙ୍କ ସହ କନେକ୍ସନ୍ ଅଛି ବୋଲି ଆମ ଉପରେ ପ୍ରେସର ପକାଯାଉଛି  । ତେବେ ଇନ୍ଭେଷ୍ଟିଗେସନ୍ ମୁଁ ଭଲଭାବେ କରିଥିଲି ସାର୍  ।

ସି.ସି.ଟିଭି. ଫୁଟେଜ୍‌ରୁ ସେମିତି କିଛି ପ୍ରମାଣ ମିଳିନି  ।” କେସ୍ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଯଜ୍ଞଦତ୍ତ  ଦାସ କହୁଥିଲେ  ।

“କାହା ଉପରେ ସନ୍ଦେହ ହେଉଛି?” ପ୍ରତୀକ ପଚାରିଥିଲେ  ।

“ଝିଅଟାର ବୟସ ମାତ୍ର ୬ ବର୍ଷ  । ବିଚାରୀ ବହୁତ ଡରିଯାଇଛି  । ଠିକ୍ କରି କିଛି କହି ପାରୁନି କିମ୍ବା ତା’ ଉପରେ ଅଧିକ ପ୍ରେସର ପକାଇବାକୁ ଡକ୍ଟର ମନା କରିଛନ୍ତି  । ତେବେ କିଛି ଚତୁର୍ଥ ଶ୍ରେଣୀ କର୍ମଚାରୀ କିମ୍ବା ଟିଚରଙ୍କ ଉପରେ ସନ୍ଦେହ ଆସୁଛି  ।”

କେସ୍ ଫାଇଲ୍‌କୁ ଭଲକରି ଦେଖୁଥିଲେ ପ୍ରତୀକ  । ତାଙ୍କ ମନ ଭିତରେ ବି ଜଳୁଥିଲା ଘୃଣାର ନିଆଁ  । ଇସ୍, କେତେ ଅବିବେକୀ ଓ କୁତ୍ସିତ ଚିନ୍ତାଧାରା ଏଇ ଲୋକଗୁଡାଙ୍କର ! କ’ଣ ହେଲାଣି ଆଜି ଦୁନିଆର ଅବସ୍ଥା? ଚାରିପାଞ୍ଚ ବର୍ଷର କୋମଳମତି ଅବୋଧ ଶିଶୁଙ୍କୁ ରେପ୍ କରିବାକୁ ପଛାଉନାହାନ୍ତି ଏ ପଶୁମାନେ? ଏଗୁଡାଙ୍କୁ ଗୁଳି କରି ମାରି ଦେବା ଉଚିତ୍  । ସମସ୍ତଙ୍କ ସାମ୍ନାରେ ଏମାନଙ୍କୁ ଫାଶୀ ଦେବା ବରଂ ଠିକ୍  ।

“ସ୍କୁଲ୍‌ର ସବୁ ପୁରୁଷ ଟିଚର ଏବଂ କର୍ମଚାରୀଙ୍କୁ ଆଉ ଥରେ ଜେରା କରିବା ଏବଂ ସନ୍ଦେହ ଘେରକୁ ଆସୁଥିବା ଲୋକଗୁଡାଙ୍କୁ ସେଇ ଝିଅ ସାମ୍ନାରେ ଆଇଡେଣ୍ଟିଫିକେସନ୍ ପ୍ୟାରେଡ୍ କରାଇବା  ।” ପ୍ରତୀକଙ୍କ କଥା ଶୁଣି ଯଜ୍ଞଦତ୍ତ ସି.ସି.ଟି.ଭି.ର ଭିଡିଓ ଫୁଟଜ୍ ଦେଖାଇ କହିଲେ, “ସାର୍, ଝିଅଟା ସକାଳ ୮ଟାରୁ ୧୦ଟା ଭିତରେ ନିଜ କ୍ଲାସ୍‌ରୁମ୍ ଛଡା ଦୁଇଥର ଟଏଲେଟ୍, ଥରେ ଡ୍ୟାନ୍ସ କ୍ଲାସ୍ ଏବଂ ସୁଇମିଙ୍ଗ୍ କ୍ଲାସ୍ ଆଟେଣ୍ଡ କରିବାକୁ ଯାଇଛି  । ତା’ଛଡା ସ୍କେଟିଂ ସାର୍‌ଙ୍କ ସହିତ ପ୍ରାକ୍ଟିସ୍ କରିଛି  ।”

ଭଲକରି ସବୁ ଜିନିଷ ପରଖି ନେଉଥିଲେ ପ୍ରତୀକ୍  ।

“ସବୁ ଟିଚରଙ୍କ ବାୟୋଡାଟା ଯୋଗାଡ କର ସ୍କୁଲରୁ  । ଉପର ମହଲରୁ ଗୁଡାଏ ଚାପ  । ଜଲଦି ଗାଡିରେ ମୋ ସହିତ ଚାଲ  ।”

ସ୍କୁଲ ଫାଟକ ପାଖରେ ପହଞ୍ଚିଲାବେଳକୁ ସେଠାରେ ତୁମୁଳକାଣ୍ଡ  । ଗତ ଚାରିଦିନ ହେଲାଣି ସ୍କୁଲ ଯଦିଓ ବନ୍ଦ ଥିଲା, ତଥାପି ଟିଚିଂ ଷ୍ଟାଫ୍ କର୍ମଚାରୀ ଏବଂ ସ୍କୁଲ୍ ସିକ୍ୟୁରିଟି ଷ୍ଟାଫ୍ ଆସୁଥିଲେ  । ସ୍କୁଲ୍ ପିଲାଙ୍କ ଅଭିଭାବକମାନେ, କିଛି ଏନ୍.ଜି.ଓ. ଓ ଅନ୍ୟକିଛି ରାଜନୈତିକ ଦଳର ଲୋକମାନେ ସ୍କୁଲ୍ ସାମ୍ନାରେ ଧାରଣା ଦେବା ସହିତ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ  । ସ୍କୁଲ୍ ଭିତରେ ଭଙ୍ଗାରୁଜା ଆରମ୍ଭ ହୋଇଯାଇଥିଲା  ।

ସମସ୍ତଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରି ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ପ୍ରତୀକ ଏବଂ ଖୁବ୍ ଶୀଘ୍ର ଦୋଷୀକୁ ଆରେଷ୍ଟ କରିବେ ବୋଲି ପ୍ରତିଶ୍ରୁତି ଦେଲା ପରେ ଅବସ୍ଥା ଶାନ୍ତ ପଡିଥିଲା  ।

ଝିଅଟିର ବାପା କାନ୍ଦି କାନ୍ଦି କହୁଥିଲେ, “ଥରେ ମୋ ଝିଅ ଜାଗାରେ ଆପଣଙ୍କ ନିଜ ଝିଅକୁ ରଖି ଭାବନ୍ତୁ  । ପାଞ୍ଚଦିନ ହେଲାଣି ଆମ ଘରେ ଖିଆପିଆ ନାହିଁ  । ମୋ ସ୍ତ୍ରୀ ପାଗିଳୀ ହୋଇଗଲାଣି  । କି ଦୋଷ କରିଥିଲା ମୋ ଝିଅ? ସ୍କୁଲ୍ ମ୍ୟାନେଜମେଣ୍ଟ କ’ଣ କରୁଛି? କାହିଁକି ଆପଣ ସ୍କୁଲ୍ ଡାଇରେକ୍ଟରଙ୍କୁ ଗିରଫ କରୁନାହାଁନ୍ତି?”

ଦୁନିଆରେ ଓ ମଣିଷ ଜୀବନରେ ଦୁଃଖ ଓ ଯନ୍ତ୍ରଣା ଅପରିମିତ  । କାହା ଭାଗ୍ୟରେ କେତେ ଦୁଃଖ କଷ୍ଟ ସହିବାକୁ ଅଛି ତାହା କେବଳ ସମୟହିଁ କହି ପାରିବ  । ଏଇ କୁନି ଝିଅଟିର ବାପା, ମା’ଙ୍କ ଉପରେ ବର୍ତ୍ତର୍ମାନ ଦୁଃଖର ପାହାଡ ଧସେଇ ହୋଇପଡିଛି  । ଅସହାୟତା ଓ କ୍ଷୋଭ ମଣିଷକୁ ବ୍ୟତିବ୍ୟସ୍ତ କରିପକାଏ  । ସେମିତି ଏକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏଇ ନିରୀହ ଝିଅଟିର ବାପା  । ମନକୁମନ ଭାବୁଥିଲେ ପ୍ରତୀକ  ।

ଭଦ୍ର ବ୍ୟକ୍ତିଙ୍କ କାନ୍ଧରେ ହାତ ରଖି ସାନ୍ତ୍ୱନା ଦେବା ଢଙ୍ଗରେ କିଛି କହିବା ପୂର୍ବରୁ ମିଡିଆର କ୍ୟାମେରା ଲାଇଟ୍ ସହ ସାମ୍ବାଦିକମାନଙ୍କ ପ୍ରଶ୍ନବାଣ “ନିଜ ଡିପାର୍ଟମେଣ୍ଟର ଅପାରଗତା କେତେ ଆଉ ଲୁଚାଇବେ? କେତେ ପଇସା ଲାଞ୍ଚ ଦେଇଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ? ପୋଲିସ୍ କ’ଣ ସତରେ ଦୋଷୀକୁ ଚିହ୍ନିପାରୁନି ଅଥବା ଘଣ୍ଟ  ଘୋଡାଇବାର ପ୍ରୟାସ କରୁଛି  ।”

ନିଜ ବିରକ୍ତି ଓ କ୍ରୋଧକୁ ଚାପି ରଖି ପ୍ରତୀକ କହିଲେ, “ପ୍ଲିଜ୍ ମୋତେ ଚବିଶ ଘଣ୍ଟା ସମୟ ଦିଅନ୍ତୁ  । ଦୋଷୀକୁ ଆପଣଙ୍କ ସାମ୍ନାରେ ହାଜର କରିବି  ।”

ଚବିଶ ଘଣ୍ଟା ! ପ୍ରତୀକ ନିଜ ପାଇଁ ଯେମିତି ଏକ ନିର୍ଘଣ୍ଟ  ପ୍ରସ୍ତୁତ କରି ରଖିଥିଲେ  । ନିଜ ଷ୍ଟାଇଲ୍‌ରେ ପୁଣି ଥରେ ଇନ୍‌ଭେଷ୍ଟିଗେସନ୍ ଆରମ୍ଭ କଲେ ପ୍ରତୀକ  ।

ସ୍ତ୍ରୀ ନମ୍ରତାଙ୍କର ଫୋନ୍, “ପ୍ରତୀକ୍, ଏଇଟା ଆମ ସହରର ଏକ ପ୍ରେଷ୍ଟିଜ୍ ଇସ୍ୟୁ   । ନ୍ୟାସନାଲ୍ ହେଡ୍ଲାଇନ୍ ବନିଗଲାଣି ଏଇ ଖବର  । ଆମ ମହିଳା ସଂଘ ବି ଆଜି ପ୍ରୋସେଶନ୍ ବାହାର କରୁଛି  । ପ୍ଲିଜ୍ ଡୁ ସମଥିଙ୍ଗ୍ ଟୁ ଆରେଷ୍ଟ ଦ କଲପ୍ରିଟ୍  ।”

ନିଜ ପୁଅ, ଝିଅଙ୍କର ନିବେଦନ, “ପାପା, ଜଲ୍ଦି କିଛି କର  । ଆମର ତମ ଉପରେ ଭରସା ଅଛି  ।”

ନିଜ ଉପରେ ଚାପ ପଡିଲେ ମଣିଷ ବ୍ୟସ୍ତ ହୋଇପଡେ  । କିନ୍ତୁ ଅତ୍ୟଧିକ ଚାପ ପଡିଲେ ମଣିଷ ଅଣନିଃଶ୍ୱାସୀ ହୋଇଉଠେ  । ପ୍ରତୀକଙ୍କୁ ଠିକ୍ ସେମିତି ଲାଗୁଥିଲା  ।

ଜଏଣ୍ଟ  କମିଶନର ଦେବାଶିଷ ପାତ୍ର କହିଲେ, “ସାର୍, ଲୋକ ଏବଂ ମିଡିଆଙ୍କ ମୁହଁ ବନ୍ଦ କରିବା ପାଇଁ ଆମେ ଯେମିତିହେଲେ ଗୋଟେ ଦୁଇଟା ଆରେଷ୍ଟ କରିଦେବା  ।”

“ବିନା ପ୍ରମାଣରେ?” ପ୍ରତୀକ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

“ଦେଖନ୍ତୁ ସାର୍, ଏ କେସ୍‌ରେ ଡି.ଏନ୍.ଏ. ପ୍ରମାଣ ତ ନାହିଁ  । ଯାହା ଖାଲି ପାରିପାଶ୍ୱିର୍କ ପ୍ରମାଣ, ଡାକ୍ତର ସାର୍ଟିଫିକେଟ୍ ଏବଂ ଝିଅ ବୟାନ୍ ।

ଝିଅଟା ତ ନାଁ କହିପାରୁନି  । ତେଣୁ ଏମିତି କେସ୍‌ରେ ସସ୍ପେକ୍ଟ ଅନ୍ ଡାଉଟ୍ ହିସାବରେ ଆମକୁ ଆଗେଇବାକୁ ପଡିବ  ।”

ଡାଉଟ୍; କେବଳ ସନ୍ଦେହରେ, ବିନା ପ୍ରମାଣରେ ଏମିତି କେସ୍‌ରେ ଆରେଷ୍ଟ?” ଚିନ୍ତା ସବୁ ଆକାଶରେ ଗୁଡି ଉଡିଲାଭଳି ଉଡୁଥିଲା ପ୍ରତୀକ ମନରେ  ।

ଡ୍ୟାନ୍ସ ଟିଚର ଅଭିଜିତ୍‌କୁ  ଆରେଷ୍ଟ କରାଯାଇଥିଲା  । ତା ମୋବାଇଲ୍ ଓ ଲ୍ୟାପଟପ୍‌ରୁ ଇଣ୍ଟରନେଟ୍‌ରୁ ଡାଉନ୍‌ଲୋଡ୍ ହୋଇଥିବା କିଛି ଫିଲ୍ମ ହିରୋଇନ୍‌ଙ୍କ ଉତ୍ତେଜକ ଭଙ୍ଗୀର ଫଟ ବି ମିଳିଥିଲା  । ତା’ଛଡା ଅଭିଜିତ୍ କାଳେ ଏହା ପୂର୍ବରୁ ଚାକିରୀ କରୁଥିବା ସ୍କୁଲ୍‌ରେ ଏକ ଛାତ୍ରୀ ସହ ଅସଦାଚରଣ ଅଭିଯୋଗରେ ତଡା ଖାଇଥିଲା  ।

“ମୋତେ ବିଶ୍ୱାସ କରନ୍ତୁ ସାର୍, ମୁଁ କିଛି କରିନି  । ଏ ଝିଅକୁ ଆପଣ ଆଉ ଥରେ ଭଲ କରି ପଚାରନ୍ତୁ  । ସେଦିନ ଡ୍ୟାନ୍ସ କ୍ଲାସ୍ ସାରି ସିଏ ସିଧା ଚାଲିଯାଇଥିଲା  । ମୋ ବାପା, ମା’ଙ୍କ ରାଣ ଖାଇ କହୁଛି ସାର୍ ଏମିତି କାମ ମୁଁ ଜମା କରିନାହିଁ  ।” କାନ୍ଦି କାନ୍ଦି କହୁଥିଲା ଅଭିଜିତ୍  ।

ଏଇ ନ୍ୟୁଡ଼  ଫଟଗୁଡାକ? “ସାର୍ ମ୍ୟାଗାଜିନ୍‌ରେ, ଇଣ୍ଟରନେଟ୍‌ରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି  । ସମସ୍ତେ କ’ଣ ରେପିଷ୍ଟ, ଦୋଷୀ ?

ଅଭିଜିତ୍ କଥା ଶୁଣି ଜଏଣ୍ଟ କମିଶନର ଦେବାଶିଷ ଗୋଟାଏ ଚାପୁଡା ମାରି ପଚାରିଲା, ପୂର୍ବ ଚାକିରୀରେ ପରା ଏମିତି କାମ ପାଇଁ ତଡା ଖାଇଛୁ? କେତେଟା ରେପ୍ କରିଛୁ ତୁ? ତୋ ମୋବାଇଲ୍ ଓ ଲାପ୍‌ଟପ୍‌ରେ ଏସବୁ କ’ଣ ଠାକୁରାଣୀଙ୍କ ଫଟ ?”

ନିଜ ଗାଲକୁ ଧରି ଅଭିଜିତ୍ କହିଲା, “ସେଠାର ଭାଇସ୍ ପ୍ରିନ୍ସିପାଲ୍‌ଙ୍କ ସହ ମୋର ଟିକେ ମନାନ୍ତର ହୋଇଯାଇଥିଲା  । ତାଙ୍କରି ଝିଅ ଏମିତି ଫାଲ୍‌ତୁ ଅଭିଯୋଗ କରିଥିଲା  । କିଛି ପ୍ରମାଣ ନ ଥିଲା  । ସେମାନେ ମୋତେ ବାହାର କରିନଥିଲେ ବରଂ ମୁଁ ରିଜାଇନ୍ ଦେଇଥିଲି  ।”

‘ଠାଏ’ କରି ଦୁଇ, ତିନି ଚାପୁଡା ପୁଣି ବସାଇଲେ ଦେବାଶିଷ  । ପାଖରେ ଠିଆ ହୋଇଥିବା ସେଇ କୁନି ଝିଅଟା ଅଭିଜିତ୍ ମାଡ ଖାଉଥିବାର ଦେଖି ଜୋର୍‌ରେ କାନ୍ଦି ଉଠିଲା  ।

“ଦେଖିଲେ ସାର୍, ଏଥିରୁ ପ୍ରମାଣିତ ହେଲା ନା ନାହିଁ ? ଝିଅଟାର ପୁରୁଣା କଥା ମନେପଡିଯାଉଛି ନିଶ୍ଚୟ  । ଏ ଦୁଷ୍ଟ ରାକ୍ଷାସକୁ ଦେଖି ଭୟରେ କାନ୍ଦୁଛି ଝିଅଟା  ।” ମାଡ ଉପରେ ମାଡ ବସିଲା ଅଭିଜିତ୍ ଉପରେ  । ବାସ୍, ଆରେଷ୍ଟ ହୋଇଯାଇଥିଲା ଅଭିଜିତ୍  । ଟି.ଭି. ସମ୍ବାଦପତ୍ର, ସୋସିଆଲ୍ ନେଟ୍‌ୱାର୍କରେ ‘ଅଭିଜିତ୍’ର ଫଟ ସହ ପ୍ରତୀକ ମହାନ୍ତିଙ୍କ ହସ ହସ ମୁହଁରେ ବୟାନ୍, “ଆପଣଙ୍କୁ ମୁଁ କହିଥିଲି ନା ଚବିଶ ଘଣ୍ଟା ଭିତରେ ଦୋଷୀ ସାମ୍ନାକୁ ଆସିବ ବୋଲି  ।”

ତଥାପି କେତେଟା ଅଡୁଆ ପ୍ରଶ୍ନ ପ୍ରତୀକଙ୍କ ମନରେ ଗୁଡାଇ ହୋଇ ରହିଥିଲା  । ତେବେ ବର୍ତ୍ତମାନ ପରିସ୍ଥିତି ପାଇଁ ତ ମୁକ୍ତି ମିଳିବ ତାଙ୍କୁ  । ଅନ୍ୟକୁ ଢାଲ ବନାଇ ନିଜେ ଆତ୍ମରକ୍ଷା କରିବା ହେଉଛି ବୁଦ୍ଧିମାନର କର୍ତ୍ତବ୍ୟ  ।

ତେବେ ଅନ୍ୟକୁ ନିଜ ବଦଳରେ ଫସାଇବା ଯେ ସ୍ୱାର୍ଥପରର ପରିଚାୟକ ତାହା ବୋଧେ ସେଦିନ ଭୁଲିଯାଇଥିଲେ ପ୍ରତୀକ୍  ।

ଅଭିଜିତ୍‌ର ଘର ଖାନ୍ତଲାସ୍‌ବେଳେ ବେଶୀ କିଛି ତଥ୍ୟ ମିଳିନଥିଲା  । ସେଇଠି ବୋଧେ ଦେଖିଥିଲେ ଅଭିଜିତ୍ର ମା’ ଓ ବାପା ଏବଂ ତା’ ଭଉଣୀଙ୍କୁ  । ପ୍ରତୀକଙ୍କ ପାଦଧରି ଛୋଟ ପିଲାଙ୍କ ଭଳି ଭେଁ ଭେଁ ହୋଇ କାନ୍ଦୁଥିଲେ ଅଭିଜିତ୍ର ବାପା, ମା’  ।

“ଆମ ପୁଅ ନିର୍ଦ୍ଧୋଷ ସାର୍  । ଆପଣ ଭଲକରି ଯାଞ୍ଚ୍‌ କରନ୍ତୁ ସାର୍  । ଅଭିଜିତ୍ ସେମିତି ପିଲା ନୁହେଁ ବୋଲି ଆମେ ଭଲଭାବେ ଜାଣିଛୁ  ।”

ମନେ ମନେ ହସୁଥିଲେ ପ୍ରତୀକ  । ସବୁ ଦୋଷୀ, ଅଭିଯୁକ୍ତ ଏବଂ ସେମାନଙ୍କ ବାପା, ମା’ ତ ଏମିତି ହିଁ କହନ୍ତି  । କିଏ କ’ଣ ନିଜ ପୁଅକୁ ଦୋଷୀ ବୋଲି କହେ ?

ପନ୍ଦର ଦିନ ପରେ କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ସରକାର ଏଇ କେସ୍ ସିବିଆଇକୁ ହସ୍ତାନ୍ତର କରିଥିଲେ  । ସେଇ ସ୍କୁଲ୍‌ର ସୁଇମିଙ୍ଗ୍‌କୋଚ୍‌କୁ ସି.ବି.ଆଇ. ଆରେଷ୍ଟ କରିବା ପରେ, ଅଭିଜିତ୍‌କୁ ଜେଲ୍‌ରୁ ଖଲାସ କରିଦିଆଯାଇଥିଲା  । ମିଡିଆ ଚାପରେ ରାଜ୍ୟ ସରକାର ପ୍ରତୀକ୍‌ଙ୍କୁ କମିଶନରେଟ୍-୨କୁ ବଦଳି କରିଦେଇଥିଲେ  ।

ଏଇ ନୟନା ଦାସ ବୋଧେ ପବ୍ଲିସିଟି ପାଇଁ ନ ହେଲେ ରାଗ ସୁଝାଇବାକୁ ଏମିତି ଅଭିଯୋଗ ନେଇ ଆସିଛି  । ଘଟି ଯାଇଥିବା ଜିନିଷ ପାଇଁ ଯଦିଓ ପ୍ରତୀକଙ୍କ ମନରେ ସମବେଦନା ଜାତ ହେଉଥିଲା, ତଥାପି ଏମିତିକା ମିଡିଲ୍‌କ୍ଲାସ୍ ସ୍ତ୍ରୀ ଲୋକଗୁଡାକ ଯେ ନିଜ ଉପରେ ମିଛରେ ରେପ୍ ହୋଇଛି ବୋଲି ନିର୍ଲଜଙ୍କ ଭଳି ଥାନାରେ କହିପାରନ୍ତି, ତା’ ଭାବି ଘୃଣାରେ ଭରିଯାଉଥିଲା ତାଙ୍କ ମନ  । ଏତେ ବିଷାକ୍ତ ମାନସିକ ଅବସ୍ଥା ଓ ପ୍ରତିଶୋଧପରାୟଣା ହୋଇପାରେ ଜଣେ ବୟସ୍କା ମହିଳା? ଛିଃ, ଛିଃ…..

ମହିଳା ସବ୍ଇନସ୍ପେକ୍ଟର କହିଲେ, “ମାଉସୀ, ଆପଣ ଟିକେ ଥଣ୍ଡା ମିଜାଜ୍‌ରେ ଭାବି ଦେଖନ୍ତୁ  । ସାର୍‌ଙ୍କ ବିପକ୍ଷରେ କ’ଣ ପ୍ରମାଣ ଅଛି?

ନୟନା ବୁଲିପଡି ଅନେଇଲେ  । ଆଖିରେ ତାଙ୍କର ଏକ ହିଂସ୍ର ଜଙ୍ଗଲୀ ଜାନୁଆର୍‌ର ଚାହାଣୀ  । ଗରମ ନିଶ୍ୱାସ ବାହାରୁଥାଏ ନାକ ପୁଡାରୁ, “ପ୍ରମାଣ ଦରକାର  । ଚାଲ ମୋ ସାଙ୍ଗରେ  । ଏ ଲୋକଟା ଯେଉଁଠି ମୋତେ ରେପ୍ କରିଥିଲା ଦେଖିବ ଚା ଲ  । ସବୁବେଳେ ଧର୍ଷିତାକୁହିଁ ପ୍ରମାଣ ଯୋଗାଡ କରିବାକୁ ପଡିବ?… ଝଡ ବେଗରେ ବାହାରକୁ ବାହାରିଗଲେ ନୟନା । ପୋଲିସ ଗାଡିରେ ବସି ତାଙ୍କ ଘରକୁ ନେବା ପାଇଁ କହିଲେ ।

ପଛେ ପଛେ ପୋଲିସ୍ ଟିମ୍ ଏବଂ ତାଙ୍କ ସହିତ ପ୍ରତୀକ ମଧ୍ୟ ଅନୁସରଣ କରି ପହଞ୍ଚିଲେ ସେଇ ଘରେ, ଯେଉଁଠି କିଛି ମାସ ତଳେ ପ୍ରତୀକ ଆସିଥିଲେ ଅଭିଜିତ୍‌ର ଘର ଖାନ୍ତଲାସ କରିବାକୁ । ଝାପ୍ସା ଝାପ୍ସା ମନେପଡୁଥିଲା ତାଙ୍କର  । ଏଇ ନୟନା ଦାସ ଓ ତାଙ୍କ ସ୍ୱାମୀଙ୍କର ଆକୁଳ ନିବେଦନ, “ସାର୍, ଆମ ପୁଅ ଜମାରୁ ସେମିତି ନୁହେଁ  । କିଏ ଆପଣଙ୍କୁ ଭୁଲ୍ ଖବର ଦେଇଛି  । ସେ ଛୋଟ ଝିଅଟା ବୋଧେ ଡରିଯାଇ ଭୁଲ୍‌ରେ କିଛି କହିଥିବ  ।”

ପ୍ରତୀକ ଆଶ୍ଚର୍ଯ୍ୟ ହେଉଥିଲେ  । ସେଇଦିନ ପରେ ଆଉ କେବେ ବି ସେ ଏଠାକୁ ଆସିନାହାନ୍ତି କିମ୍ବା ନୟନାଙ୍କୁ ଭେଟି ନାହାନ୍ତି  । ତଥାପି ଏତେ ଦମ୍ଭରେ…

ହଠାତ୍ ନୟନା, ପ୍ରତୀକ୍‌ଙ୍କ ହାତ ଟାଣି ନେଇ ଘର ଭିତରକୁ ନେଇଯାଇ କହିଲା, “ଏଇ ଦେଖନ୍ତୁ ମୋ ସ୍ୱାମୀଙ୍କୁ  । ଅଭିଜିତ୍‌ର ଆରେଷ୍ଟ ପରେ ଲଜ୍ଜ୍ୟା, ଅପମାନ ସହି ନ ପାରି ହାର୍ଟ ଷ୍ଟ୍ରୋକ୍‌ର ଶିକାର ହେଲେ  । ତାଙ୍କର ଦୁଇଟା କିଡ୍ନୀ କାମ କରୁନି  । ଜାଣିଛନ୍ତି ? ଲୋକମାନେ ଆକ୍ଷେପ କରି ତାଙ୍କୁ ପଚାରୁଥିଲେ “ଏମିତି ଛୋଟ ଝିଅଙ୍କୁ ରେପ୍ କରିବାକୁ ତୋ ପୁଅକୁ ତୁ ଶିଖାଇଥିଲୁରେ ବୁଢା ? ବାପର ବୋଧେ ଆଗରୁ ଏକ୍ସପେରିଏନ୍ସ ଥିବ  ।”

ସହିପାରିଲେନି ଏମିତି କଟୁକ୍ତି  ।

ମୋ ଝିଅର ବାହାଘର ଭାଙ୍ଗିଗଲା  । ଗୋଟେ ଧର୍ଷଣକାରୀର ଭଉଣୀକୁ କିଏ ବୋହୂ କରିବ? ଏ ସାହି ଓ ଆଖପାଖ ଛକରେ ଛତରା ଟୋକାମାନଙ୍କର ଆକ୍ଷେପ, “ଏ ମା, ଝିଅ ବୋଧେ ଘରେ ସେକ୍ସ ରାକେଟ୍ ଚଳାଇଥିବେ  । ସେଥିପାଇଁ ଟୋକା ବୋଧେ ବାହାରେ ବୁଲି ଏମିତି କରୁଛି  ।” ଘରୁ ଆମେ ବାହାରିପାରିନୁ  । ଆମ ଘରକୁ ଟେକା, ପଥର ଫିଙ୍ଗା, ଅସଭ୍ୟ ଭାଷାରେ ଗାଳି, ହତ୍ୟା ଧମକ  । ଝିଅଟା ଖାଇବା ପିଇବା ଛାଡି ଦେଇଛି ଡର ଓ ଭୟରେ  ।”

ଟିକିଏ ନିଶ୍ୱାସ ନେଲେ ନୟନା  । ପୁଣି ଆଖି ପୋଛି ଆରମ୍ଭ କଲେ, “ୟାଙ୍କ ମେଡିକାଲ୍ ଖର୍ଚ୍ଚ ଓ ଅଭିର କୋର୍ଟ କେସ୍ ପାଇଁ ମୋର ସବୁ ଗହଣାପତ୍ର, ଗାଁର ଜମିବାଡି ବିକିଦେଇଛି  । ଏବେ କାହା ପାଖରେ ହାତ ପତାଇବି ? ଘରୁ ଗୋଡ କାଢି ବାହାରକୁ ଗଲେ ହଜାରେ ବିଦ୍ରୂପର ଶିକାର ହେବାକୁ ପଡୁଛି  । ଜୀବନଟା ମୋର ନର୍କ ବନିଯାଇଛି  । କାହା ପାଇଁ ମିଷ୍ଟର ପ୍ରତୀକ?

ଜଏଣ୍ଟ କମିଶନର ପରିସ୍ଥିତି ସମ୍ଭାଳିବା ପାଇଁ କହିଲେ, “ଦେଖନ୍ତୁ ମ୍ୟାଡମ୍, ସେ ସମୟରେ ପରିସ୍ଥିତି ଭିନ୍ନ ଥିଲା  । ଆମ ଉପରେ ବହୁତ ପ୍ରେସର ଥିଲା  । ତା’ଛଡା ଅଭିଜିତ୍ ତ ଖଲାସ ହୋଇଗଲା  । ଏଗୁଡାକ ଏକ ଦୁଃସ୍ୱପ୍ନ ଭାବି ଭୁଲିଯାଆନ୍ତୁ  । ସାର୍‌ଙ୍କର ତ ଟ୍ରାନ୍ସଫର ହୋଇଗଲା  ।”

ଆଟମ୍ ବମ୍ ବିସ୍ଫୋରଣ ହେଲା ପରି ଚିକ୍ରାର କରିଉଠିଲେ ନୟନା, “ଭୁଲିଯିବି? ତମ ଦୋଷ ଲୁଚାଇବାକୁ, ପଦବୀ ସମ୍ଭାଳିବାକୁ ନିର୍ଦ୍ଧୋଷ ଲୋକଟାର ଜୀବନ ମାଟି କରିଦେବ? ଏଇ ଦେଖ, ଅଭିଜିତ୍‌କୁ  ।”

ଅନ୍ୟ ଗୋଟେ ରୁମ୍‌ର କବାଟ ଖୋଲିଦେଲେ ନୟନା, ତଳେ ଗଡୁଥିବା କଙ୍କାଳସାର ଟୋକାଟାର ମୁହଁସାରା ଅଯତ୍ନରେ ବଢିଥିବା ଦାଢୀ, ନିଶରେ ପୂର୍ଣ୍ଣ  । ଇସ୍, କି ଅବସ୍ଥା ହୋଇଛି ଅଭିଜିତ୍‌ର ! ପ୍ରତୀକ ଆଶ୍ଚର୍ଯ୍ୟ ହୋଇଯାଉଥିଲେ  । ଅଭିଜିତ୍‌କୁ ଚିହ୍ନି ହେଉନଥିଲା  ।

“ସିଭିଅର୍ ଡିପ୍ରେସନ୍‌କୁ ଚାଲିଯାଇଛି ମୋ ପୁଅ  । ବିନା ଦୋଷରେ ସେ ଧର୍ଷଣକାରୀ ପାଲଟିଯାଇଛି  । ଖାଉନି, ପିଉନି, ଆଲୁଅ ଦେଖିଲେ ଡରୁଛି  । ଡାକ୍ତର କହୁଛି ଭଲହେବା ଚାନ୍ସ କମ୍  ।”

ହଠାତ୍ ଅଭିଜିତ୍ ଆଖି ଖୋଲି ସମସ୍ତଙ୍କୁ ଦେଖି ଚିତ୍କାର କରି ଖଟ ତଳକୁ ଯାଇ ଲୁଚିଗଲା  ।

“ଦେଖୁଛନ୍ତି ତା ଅବସ୍ଥା! କୁଆଡେ ଗଲେ ସେ ଆନ୍ଦୋଳନକାରୀ ଓ ମହିଳା ସଂଘର ନେତ୍ରୀମାନେ? ମୋ ପାଇଁ, ମୋ ପିଲାଙ୍କ ପାଇଁ ମଶାଲ୍ ଶୋଭାଯାତ୍ରା ବାହାର କରିବେନି ? କୁଆଡେ ଗଲେ ଟିଭି ଓ ମିଡିଆବାଲା ! ରେପ୍ ପରେ ନାରୀଟି କେବଳ ତା ଇଜ୍ଜତ ହରାଏ; କିନ୍ତୁ ମୋର ଇଜ୍ଜତ୍, ପ୍ରତିଷ୍ଠା, ପରିବାର ସବୁ ଲୁଟିଯାଇଛି । ମୁଁ ଓ ମୋର ପରିବାର ଆପଣଙ୍କର କି ଦୋଷ କରିଥିଲୁ । ମିଷ୍ଟର ପ୍ରତୀକ୍ ମହାନ୍ତି, ଆପଣ ଖାଲି ମୋର ଧର୍ଷଣକାରୀ ନୁହଁନ୍ତି, ମୋ ପୁଅର ହତ୍ୟାକରୀ ମଧ୍ୟ  । ମୋ ପରିବାରକୁ ଧ୍ୱଂସ କରିଦେଇଥିବା ଗୋଟେ ଜହ୍ଲାଦ  । ୟୁ ଆର ଏ କିଲର୍ ରେପିଷ୍ଟ ମିଷ୍ଟର ପ୍ରତୀକ୍  । ମୋର ଯାହା ଯାହା କ୍ଷତି ହୋଇଛି, ତା’ର ଭରଣା କରିପାରିବ?

କାନ୍ଦି କାନ୍ଦି ଖଟ ଉପରେ ବସିପଡିଥିଲେ ନୟନା ଦାସ । ପାଖରେ ଠିଆ ହୋଇ ତାଙ୍କ ଝିଅ ନୟନାଙ୍କ ମୁଣ୍ଡକୁ ଆଉଁସୁ ଥାଏ  । ଘର ଭିତରେ ଅସମ୍ଭବ ଧରଣର ନୀରବତା  । ପ୍ରତୀକ ମହାନ୍ତି ମୁହଁ ପୋତି ଚୁପ୍‌ଚାପ୍ ଠିଆ ହୋଇଥିଲେ କଚେରୀର କାଠଗଡାରେ ଠିଆ ହୋଇଥିବା ଅଭିଯୁକ୍ତଟିଏ ଭଳି  ।

ଲୋକପ୍ରିୟ ଲେଖା

To Top