ଗଳ୍ପ

ଅଭିସାରିକା ଉର୍ବଶୀ

Odia Author Dr. Archana Nayak
ଅଭିସାରିକା ଉର୍ବଶୀ

ସ୍ୱର୍ଗପୁରରେ ଏକ ବିଶେଷ ଉସବର ଆୟୋଜନ । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ଅପୂର୍ବ ସୁନ୍ଦର ଭାବରେ ସୁସଜ୍ଜିତ ସଭାସ୍ଥଳ । ସମସ୍ତ ଦେବତା, ଗନ୍ଧର୍ବ, ଯକ୍ଷ, କିନ୍ନର, ଅରା, ସିଦ୍ଧ ଓ ଋଷିଙ୍କ ସମେତ ଦେବର୍ଷି ନାରଦ ଓ ଦେବଗୁରୁ ବୃହସ୍ପତି ମଧ୍ୟ ସ୍ୱସ୍ୱ ସ୍ଥାନରେ ବିରାଜମାନ ହୋଇଥିଲେ । କିନ୍ନରମାନଙ୍କର ସୁମଧୁର ବାଦ୍ୟଧ୍ୱନି ପରିବେଶରେ ସଞ୍ଚରି ଯାଉଥିଲା ।

ସୁସଜ୍ଜିତ ସଭାସ୍ଥଳକୁ ପ୍ରବେଶ କଲେ ଦେବରାଜ ଇନ୍ଦ୍ର । ସାଙ୍ଗରେ କୁନ୍ତୀପୁତ୍ର ଅର୍ଜୁନ । ଆଜି ସେ ଦେବସଭାର ନୂତନ ଅତିଥି । ପିତୃତ୍ୱର ଗୌରବବୋଧରେ ଇନ୍ଦ୍ରଙ୍କର ମୁଖମଣ୍ଡଳରେ ଅପୂର୍ବ ଦୀପ୍ତି ।

ପୃଥିବୀର ମାନବୋତ୍ତମ, ଉଚ୍ଚକୁଳବଂଶଜ ଶୂରବୀର, ଶ୍ରେଷ୍ଠ ଧନୁର୍ଦ୍ଧାରୀ, ଶିବକୃପାରୁ ଅପ୍ରତିରୋଧ୍ୟ ପାଶୁଗତ ଅସ୍ତ୍ର ସମେତ ବିଭିନ୍ନ ଦେବାସ୍ତ୍ରର ଅଧିକାରୀ ଓ ବିଶେଷ କରି ମର୍ତ୍ତ୍ୟରେ ଅବତୀର୍ଣ୍ଣ ସ୍ୱୟଂ ପୁରୁଷୋତ୍ତମ କୃଷ୍ଣଙ୍କର ପ୍ରିୟସଖା ଅର୍ଜୁନଙ୍କର ପିତା ହୋଇଥିବା କାରଣରୁ ସତେକି ଇନ୍ଦ୍ରଙ୍କର ଦେବମହିମା ବହୁଗୁଣିତ ହୋଇଯାଇଥିଲା ।

ସେ ଜଣ ଜଣ କରି ସଭାସ୍ଥ ମହାନ୍ ଦେବସତ୍ତା ସହ ପୁତ୍ରଙ୍କର ପରିଚୟ କରାଇ ଦେଉଥିଲେ । ଯେଉଁମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ମହୀମଣ୍ଡଳରେ ଅହରହ ପୂଜାପାଠ ସ୍ତବ ସ୍ତୁତିଗାନ ଓ ଯଜ୍ଞାନୁଷ୍ଠାନ କର୍ମ ଚାଲିଥାଏ ସେହି ଦେବତାମାନେ ତାଙ୍କୁ ସାଦର ଅଭିନନ୍ଦନ ଜଣାଉଥିବାରୁ ଅର୍ଜୁନ ଅଭିଭୂତ ହୋଇ ପଡୁଥିଲେ । ପ୍ରତ୍ୟେକଙ୍କୁ ଯଥୋଚିତ ସମ୍ମାନ ଜଣାଇ ଇନ୍ଦ୍ରଙ୍କର ନିକଟ ଆସନରେ ଉପବେଶନ କଲେ ଧନଞ୍ଜୟ ।

ତାଙ୍କର କୃଷ୍ଣଙ୍କ ପରି ଉଜ୍ଜ୍ୱଳ ଶ୍ୟାମଳକାନ୍ତି, କ୍ଷାତ୍ରଧର୍ମାଶ୍ରିତ ସୁଗଠିତ ଦୀର୍ଘ ସବଳ ଶରୀର, ଶାଳ ବୃକ୍ଷର ଗଣ୍ଡି ପରି ଅଜାନୁଲମ୍ୱିତ ବଳିଷ୍ଠ ଭୁଜଯୁଗଳ, ପ୍ରଶସ୍ତ ବକ୍ଷ ଓ ତାଙ୍କର ମତ୍ତଗଜ ଚାଲିବାର ଠାଣି ଦେବଲୋକରେ ଅସାମାନ୍ୟ ମନେ ହେଉଥିଲା । ଅର୍ଜୁନଙ୍କୁ କୃଷ୍ଣସଖା ଭାବରେ ଜାଣିଥିବାରୁ ଦେବତା, ଗନ୍ଧର୍ବ ସିଦ୍ଧ ଓ ଋଷିଗଣ ମଧ୍ୟ ତାଙ୍କୁ ସମ୍ମାନନୀୟ ଦୃଷ୍ଟିରେ ଦେଖୁଥିଲେ ।

ଏହାଙ୍କ ପୂର୍ବରୁ ମଧ୍ୟ ଦେବଦାନବ ଯୁଦ୍ଧରେ ଦେବତାଙ୍କୁ ସହାୟତା କରିବା ପାଇଁ ମର୍ତ୍ତ୍ୟମଣ୍ଡଳରୁ ଆଗମନ କରିଥିଲେ ସୂର୍ଯ୍ୟବଂଶୀ ମହାପ୍ରତାପଶାଳୀ ତେଜସ୍ୱୀ ରାଜା ଦିଲୀପ । ଭିନ୍ନ କାରଣରୁ ରାଜା ପୁରୁରବା ମଧ୍ୟ ସ୍ୱଦେହରେ ସ୍ୱର୍ଗଲୋକକୁ ଆସିଥିଲେ । ପୃଥିବୀର ସେହି ବିରଳ ବ୍ୟକ୍ତିମାନଙ୍କ ପାଇଁ ସ୍ୱର୍ଗ ଅପହଞ୍ଚ ହୋଇ ରହିନାହିଁ ।

କିନ୍ତୁ ଆଜି ଯାହାଙ୍କର ଆଗମନ ହୋଇଛି ସେ ସ୍ୱର୍ଗର ଦେବରାଜଙ୍କ ଔରସରେ ମର୍ତ୍ତ୍ୟର ଜଣେ ମାନବୀ ଗର୍ଭରେ ଜନ୍ମ । ସେ ଜଣେ ଦେବମାନବ ଓ ଭଗବାନକୃଷ୍ଣଙ୍କର ପ୍ରିୟସଖା । ତେଣୁ ସ୍ୱର୍ଗଲୋକରେ ତାଙ୍କର ଉପସ୍ଥିତି ଦେବତାମାନଙ୍କ ପାଇଁ ମଧ୍ୟ ମହାର୍ଘ ସମୟ ଥିଲା ।

ଦେବରାଜ ଇନ୍ଦ୍ର ନିଜ ଆସନରୁ ଉଠି ଠିଆ ହେଲେ । ତାଙ୍କର ମନ୍ଦ୍ରଗମ୍ଭୀର ସ୍ୱରରେ ଅର୍ଜୁନଙ୍କର ଆଗମନର କାରଣ ଜଣାଇବାକୁ ସଭାକୁ ସମ୍ୱୋଧନ କରି କହିଲେ, ଆପଣମାନେ ପୃଥିବୀରେ ଘଟୁଥିବା ସମସ୍ତ ଘଟଣ ଅଘଟଣ ସମ୍ପର୍କରେ ଅବଗତ ଅଛନ୍ତି । ହସ୍ତିନାପୁରର ଯୁବରାଜ ଦୁର୍ଯ୍ୟୋଧନଙ୍କର ଷଡ଼ଯନ୍ତ୍ରର ଶରବ୍ୟ ହୋଇ ପାଣ୍ଡବ ପଞ୍ଚଭ୍ରାତା ବନବାସୀ ହୋଇଛନ୍ତି । ଏହି କାରଣରୁ ପୃଥିବୀରେ ଏକ ମହାସମର ଅନୁଷ୍ଠିତ ହେବାକୁ ଯାଉଛି । ପାଣ୍ଡବମାନେ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ମଧ୍ୟରୁ ମୋର ପୁତ୍ର ଅର୍ଜୁନ ଦିବ୍ୟାସ୍ତ୍ର ଲାଭ କରିବା ପାଇଁ ବନବାସ କାଳରେ ମହାଦେବଙ୍କୁ ଆରାଧନା କରୁଥିଲେ । ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ଶିବ କିରାତ ରୂପରେ ଆସି ତାଙ୍କର ଶକ୍ତିପରୀକ୍ଷା କରିଛନ୍ତି ଓ ତାଙ୍କୁ ପ୍ରଦାନ କରିଛନ୍ତି ଦେବଦାନବ ଦ୍ୱାର ଅପ୍ରତିରୋଧ୍ୟ ମହାନ୍ ଅସ୍ତ୍ର ପାଶୁପତ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା କିରାତବେଶୀ ଶିବଙ୍କୁ ଚିହ୍ନି ନପାରି ଅର୍ଜୁନ ତାଙ୍କ ସହିତ ଯେଉଁ ଶରୀର ସଂଘାତ କଲେ ସେଥିରେ ତାଙ୍କର ଏ ଶରୀର ଶିବକୃପାଧନ୍ୟ ହୋଇ ଅମୋଘ ହୋଇଛି ।

ପିନାକପାଣି ଅର୍ଜୁନଙ୍କୁ ଅସ୍ତ୍ର ପ୍ରଦାନ ଓ ତା’ର ପ୍ରୟୋଗ କୌଶଳ ଶିକ୍ଷା ଦେଇ ସେଠାରୁ ଅନ୍ତର୍ହିତ ହୋଇଯିବା ପରେ ବୈଦୁର୍ଯ୍ୟବର୍ଣ୍ଣଶୋଭିତ ଜଳେଶ୍ୱର ସମସ୍ତ ଜଳଜନ୍ତୁଙ୍କ ଦ୍ୱାରା ବେଷ୍ଟିତ ହୋଇ ସର୍ବଦିଗକୁ ଆଲୋକିତ କରି ଆବିର୍ଭୂତ ହେଲେ । ତାଙ୍କ ପଛକୁ ସୁବର୍ଣ୍ଣକାନ୍ତିଧାରୀ କୁବେର ଦିବ୍ୟ ଦ୍ୟୁତିମନ୍ତ ବିମାନ ଆରୋହଣ କରି ଯକ୍ଷମାନଙ୍କ ଦ୍ୱାରା ବେଷ୍ଟିତ ହୋଇ ଅର୍ଜୁନଙ୍କ ନିକଟକୁ ଆଗମନ କଲେ । ତାଙ୍କ ପରେ ପରେ ପ୍ରାଣିମାନଙ୍କର ଅନ୍ତକାରୀ ସୂର୍ଯ୍ୟତନୟ ଯମଦେବଙ୍କ ସମେତ ବହୁ ଲୋକପାଳଙ୍କର ଆଗମନ ହେଲା । ସମସ୍ତେ ଅର୍ଜୁନଙ୍କ ପ୍ରତି ସନ୍ତୁଷ୍ଟ ଚିତ୍ତରେ ସେମାନଙ୍କର ସ୍ୱତଃ ଆଗମନର କାରଣ ଜଣାଇ କହିଥିଲେ ଯେ ପୂର୍ବଜନ୍ମରେ ଅର୍ଜୁନ ନରନାମରେ ଜଣେ ଅପରିମିତ ତେଜ ସମ୍ପନ୍ନ ଋଷି ଥିଲେ । ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ସ୍ୱୟଂ ବ୍ରହ୍ମଦେବ ତାଙ୍କ ଦ୍ୱାରା ପୃଥିବୀର ଅନିଷ୍ଟକାରୀ ଦୁଷ୍ଟଶକ୍ତିକୁ ସଂହାର କରିବା ଉଦ୍ଦେଶ୍ୟରେ ହିଁ ତାଙ୍କୁ ମର୍ତ୍ତ୍ୟମଣ୍ଡଳରେ ସମ୍ଭବ କରିଛନ୍ତି । ତେଣୁ ଦେବତାମାନେ ଏହି ମହାନ୍ କାର୍ଯ୍ୟରେ ସହଯୋଗ କରିବା ପାଇଁ ତାଙ୍କର ଅସ୍ତ୍ରଶସ୍ତ୍ର ଓ ତା’ର ପ୍ରୟୋଗ କୌଶଳ ସମ୍ପର୍କରେ ଅର୍ଜୁନଙ୍କୁ ଯଥୋଚିତ ଶିକ୍ଷା ଦେଇଛନ୍ତି ।

ତେଣୁ ମୁଁ ମନେକଲି ଅର୍ଜୁନଙ୍କୁ ସ୍ୱର୍ଗଲୋକକୁ ଆମନ୍ତ୍ରିତ କରିଆଣିଲେ ଅନ୍ୟ ସମସ୍ତେ ମଧ୍ୟ ତାଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।

ଇନ୍ଦ୍ର ଏତିକି କହି ସ୍ୱଆସନରେ ଉପବେଶନ କଲେ । “ସାଧୁ” “ସାଧୁ” ଶବ୍ଦରେ ଉପସ୍ଥିତ ଦେବ, ଗନ୍ଧର୍ବ, ସିଦ୍ଧ ଓ ଋଷିଗଣ ନିଜର ଆନନ୍ଦ ପ୍ରକଟ କଲେ ।

କିନ୍ନରମାନଙ୍କର ବାଦ୍ୟଧ୍ୱନି ବାଜି ଉଠିଲା । ସମସ୍ତେ ଲକ୍ଷ୍ୟ କଲେ ଦେବପ୍ରଭାରେ ଉଜ୍ଜ୍ୱଳ ଥିବା ସଭାସ୍ଥଳରେ ଏକ ରମଣୀୟ କାନ୍ତି ସଞ୍ଚରିଗଲା । ଅପୂର୍ବ ସୌନ୍ଦର୍ଯ୍ୟର ଅଧିକାରିଣୀ ମେନକା, ରମ୍ଭା, ସ୍ୱୟଂପ୍ରଭା, ମିଶ୍ରକେଶୀ, ଘୃତାଚାରୀ ବରଥିନୀ, ଚିତ୍ରଲେଖା, ଗୋପାଳୀ, ସହଜନ୍ୟା, ପ୍ରଦାଗରା ଓ ଚିତ୍ରସେନା ପ୍ରଭୃତି ଅପ୍‌ସରାଗଣ ଲୀଳାୟିତ ଭଙ୍ଗୀରେ କଟାକ୍ଷପାତ ଓ ହାବଭାବ ଲାଳିତ୍ୟ ଦ୍ୱାରା ସଭାଜନଙ୍କୁ ମୁଗ୍‌ଧ କରି ପ୍ରବେଶ କଲେ । ହର୍ଷୋଲ୍ଲାସରେ ଭରିଗଲା ସଭାସ୍ଥଳ ।

କିନ୍ତୁ ସମସ୍ତଙ୍କ ମୁଖରେ ଏକ ଉତ୍କଣ୍ଠିତ ଅପେକ୍ଷାର ଆଭାସ ଫୁଟି ଉଠୁଥିଲା । ସବୁରି ଦୃଷ୍ଟି ଅପ୍‌ସରାମାନେ ଯେଉଁ ପଥ ଦେଇ ଆଗମନ କରିଥିଲେ ସେହି ଦିଗରେ ସ୍ଥିର ହୋଇ ରହିଥିଲା ।

ଦେବପ୍ରହରୀ ଘୋଷଣା କଲେ, “ବର୍ତ୍ତମାନ ଭୁବନମୋହିନୀ ଦେବରାଜ ପ୍ରିୟା ଅପ୍‌ସରାଶ୍ରେଷ୍ଠା ଦେବୀ ଉର୍ବଶୀ ଆଗମନ କରୁଛନ୍ତି ।”

ଚଞ୍ଚଳ ହୋଇଉଠିଲା ସଭାସ୍ଥଳ । ଏକ ଅପୂର୍ବ ଭଙ୍ଗୀରେ ପ୍ରବେଶ କଲେ ଅନିନ୍ଦ୍ୟା ଉର୍ବଶୀ । ଏପର୍ଯ୍ୟନ୍ତଯାଏ ଅପ୍‌ସରାମାନଙ୍କୁ ଅବଲୋକନ କରି ଅର୍ଜୁନ ମନେ କରୁଥିଲେ ଏପରି ନାରୀସୌନ୍ଦର୍ଯ୍ୟ ପୃଥିବୀରେ କେବେ ବି ସମ୍ଭବ ନୁହେଁ । ଏତେ ରାଜକନ୍ୟା ଓ ରାଣୀମାନଙ୍କୁ ସେ ଦର୍ଶନ କରିଛନ୍ତି କିନ୍ତୁ ଏହି ଚିରଯୌବନା ରମଣୀମାନଙ୍କର ସୌନ୍ଦର୍ଯ୍ୟର କେହି ବି ସମକକ୍ଷା ନୁହନ୍ତି ।

କିନ୍ତୁ କିଏ ଏଇ ଅପୂର୍ବ ନାରୀ ! ଏ ଯେ କଳ୍ପନାତୀତ ସୌନ୍ଦର୍ଯ୍ୟର ଅଧିକାରିଣୀ । ଉର୍ବଶୀଙ୍କର ତପ୍ତ କାଞ୍ଚନବର୍ଣ୍ଣ ଶରୀର ନୃତ୍ୟାଙ୍ଗନାର ଆଭୂଷଣରେ ସୁସଜ୍ଜିତ ହୋଇଥିଲା । ପାନପତ୍ର ସଦୃଶ୍ୟ ତାଙ୍କର ସୁନ୍ଦର ମୁଖାକୃତିରେ ଘନ ପଲ୍ଲବଯୁକ୍ତ ମୃଗନୟନ ପରି ଦୀର୍ଘ ସୁନ୍ଦର ସ୍ନିଗ୍ଧ ନୟନଯୁଗଳ, ତିଳପୁଷ୍ପ ସମ ନାସାରେ ହୀରାର ନକ୍ଷତ୍ର, ରକ୍ତିମ ଓଷ୍ଠଧାର, ରମଣାୟ ଦନ୍ତପନ୍ତି, ମରାଳୀର ଗ୍ରୀବା ପରି ମସୃଣ ଚାରୁଗ୍ରୀବା ପୁଷ୍ପସଜ୍ଜିତ ଘନକେଶ ଓ ଅଷ୍ଟ ଅଳଙ୍କାରଭୂଷିତା ଉର୍ବଶୀ ଥିଲେ ସର୍ବୋତ୍ତମ ସୌନ୍ଦର୍ଯ୍ୟର ବିମଳ ଅଭିବ୍ୟକ୍ତି ।

ଦେବୀ ଉର୍ବଶୀ ଦେବସଭାକୁ ପ୍ରଣାମ ଜଣାଇଲେ ।

ସେହି ସମୟରେ ସାମଗାନ ବିଶାରଦ ତମ୍ବୁର ପ୍ରଭୃତି ଗନ୍ଧର୍ବମାନେ ସାମଗାଥାମାନ ଗାୟନ ଆରମ୍ଭ କଲେ । ସମତାଳରେ କିନ୍ନରମାନଙ୍କର ନିପୁଣ ହସ୍ତରେ ବାଜିଉଠିଲା ବୀଣା, ବେଣୁ, ମୃଦଙ୍ଗ ପ୍ରଭୃତି ବାଦ୍ୟମାନ । ନୃତ୍ୟାରମ୍ଭ ହେଲା । ଅପ୍‌ସରାଗଣଙ୍କର ମଧ୍ୟଭାଗରେ ନୃତ୍ୟ କରୁଥିଲେ ଉର୍ବଶୀ । ତାଙ୍କର ପଦବିକ୍ଷେପ, ହସ୍ତମୁଦ୍ରା, କଟିଚାଳନା ଓ କଟାକ୍ଷପାତର ଅନନ୍ୟତା ସ୍ପଷ୍ଟ ବାରି ହୋଇପଡୁଥିଲା । ନକ୍ଷତ୍ରମାଳାରେ ସେ ଚନ୍ଦ୍ରମା ପରି ଶୋଭା ପାଉଥିଲେ । ସଭାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କର ଦୃଷ୍ଟି ତାଙ୍କରି ଉପରେ କେନ୍ଦ୍ରିତ ହୋଇ ରହିଥିଲା । ସତେ ଯେମିତି ସେ ଅପୂର୍ବ ସୌନ୍ଦର୍ଯ୍ୟ ଅବଲୋକନର ମହାର୍ଘ ବେଳାରୁ ପଲକଟିଏ ବି ଊଣା ନ ପଡ଼ିଯାଉ ।

କିନ୍ନର ଗନ୍ଧର୍ବମାନଙ୍କର ମଧୁର ସଙ୍ଗୀତ, ବାଦ୍ୟଧ୍ୱନି ଓ ଉର୍ବଶୀଙ୍କର ନୃତ୍ୟ ସଂଦର୍ଶନ କରି ଅର୍ଜୁନ ସତେକି ଏକ ମଗ୍‌ଧ ପ୍ରତିମା ପାଲଟି ଯାଇଥିଲେ । ନେତ୍ର ଥିଲା ଅପଲକ, ଶରୀର ଥିଲା ନିଶ୍ଚଳ; କିନ୍ତୁ ତାଙ୍କର ମନେ ହେଉଥିଲା । ସତେ ଯେମିତି ସେ ଭାସିଭାସି ଚାଲିଛନ୍ତି କେଉଁ ଅପୂର୍ବ କଳ୍ପଲୋକରେ, ସାଗରର ଉତ୍ତାଳ ତରଙ୍ଗ ତାଙ୍କ ହୃଦୟରେ ଲହଡ଼ି ଭାଙ୍ଗୁଥିଲା । ଆକାଶର ଅନନ୍ତ ଶାନ୍ତ ନୀଳିମା ମନପ୍ରାଣ ଶରୀରର ପ୍ରତିଟି ଅଣୁକଣାରେ ଏକ ଅପୂର୍ବ ସ୍ପନ୍ଦନ ସୃଷ୍ଟି କରୁଥିଲା ।

କିନ୍ତୁ ଦେବରାଜ ଇନ୍ଦ୍ରଙ୍କର ଦୃଷ୍ଟି କେବଳ ତାଙ୍କର ମାନବପୁତ୍ର ଅର୍ଜୁନଙ୍କ ମୁଖ ଓ ହାବଭାବକୁ ଗଭୀର ଭାବରେ ଲକ୍ଷ୍ୟ କରୁଥିଲା । ଅର୍ଜୁନଙ୍କର ମଗ୍‌ଧତା ସେ ଅନୁଭବ କରିପାରି ଖୁବ୍ ଆନନ୍ଦ ଅନୁଭବ କରୁଥିଲେ । ଅର୍ଜୁନଙ୍କର ବିହ୍ୱଳ ଦୃଷ୍ଟି ଉର୍ବଶୀଙ୍କ ଉପରେ ସ୍ଥିର ରହିଥିବା ପ୍ରସଙ୍ଗରେ ସେ ଅଦୂରରେ ଉପସ୍ଥିତି ଥିବା ଚିତ୍ରସେନ ଗନ୍ଧର୍ବଙ୍କୁ ଇଙ୍ଗିତରେ କିଛି ଜଣାଉଥିଲେ ।

ନୃତ୍ୟ ସଙ୍ଗୀତ ଶେଷ ହେଲା । ଧୀରେ ଧୀରେ ସ୍ୱସ୍ଥାନକୁ ସମସ୍ତେ ପ୍ରତ୍ୟାବର୍ତ୍ତନ କରିଗଲେ । ଅର୍ଜୁନଙ୍କର ବିହ୍ୱଳ କଟିନଥିଲା । ସେ ସେହି ଅବସ୍ଥାରେ ସ୍ୱର୍ଗପୁରରେ ତାଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ କକ୍ଷକୁ ଫେରିଆସିଲେ ।

ଉନ୍ମୁକ୍ତ ବାତାୟନ ଦେଇ ଅର୍ଜୁନ ବାହାରକୁ ଚାହିଁଲେ । ସ୍ୱର୍ଗଲୋକରେ ବି ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ହୁଏ । କିନ୍ତୁ ପ୍ରତି ରାତ୍ରି ଶୋଭାପାଏ ଚନ୍ଦ୍ରଲେଖା ଓ ନକ୍ଷତ୍ର ମାଳାରେ । ସ୍ୱର୍ଗ ପୁଷ୍ପ ପାରିଜାତର ସୁଗନ୍ଧ ପରିବେଶକୁ ସଦା ସୁରଭିତ କରିଥାଏ ।

ଅର୍ଜୁନଙ୍କୁ ସ୍ୱର୍ଗାଗମନ ସ୍ୱପ୍ନପ୍ରାୟ ପ୍ରତୀତ ହେଉଥିଲା । ଯେଉଁ ଦିନ ସେ ଶିବକୃପା ସ୍ୱରୂପ ପାଶୁପତ ଓ ଅନ୍ୟାନ୍ୟ ଦେବାସ୍ତ୍ର ଲାଭ କରି ପ୍ରସନ୍ନ ଚିତ୍ତ ଥିଲେ ତାଙ୍କର ସେ ପ୍ରସନ୍ନତାକୁ ବହୁଗୁଣିତ କରି ସେଦିନ ତାଙ୍କ ସମ୍ମୁଖରେ ଦିବ୍ୟରଥ ନେଇ ଉପସ୍ଥିତ ହୋଇଥିଲେ ଦେବରାଜଙ୍କ ସାରଥି ମାତଳି । ବିସ୍ମୟାବିଷ୍ଟ ଚିତ୍ତରେ ଅର୍ଜୁନ ଲକ୍ଷ୍ୟ କରୁଥିଲେ ସେ ରଥକୁ । ପବନର କ୍ଷିପ୍ରବେଗ ପରି ବେଗଗାମୀ ଅଶ୍ୱମାନଙ୍କ ଦ୍ୱାରା ଯୋଚିତ ହୋଇଥିଲା ସୁବର୍ଣ୍ଣାଚ୍ଛାଦିତ ବିଶାଳକାୟ ରଥ । ତାର ଶୀର୍ଷଦେଶରେ ଇନ୍ଦୀବର ସଦୃଶ ଶ୍ୟାମଳ ବର୍ଣ୍ଣର ମହାପ୍ରଭାନ୍ୱିତ ବୈଜୟନ୍ତ ନାମକ ପତାକା ହିଲ୍ଲୋଳିତ ହେଉଥିଲେ । ଉଜ୍ଜ୍ୱଳ ସୁବର୍ଣ୍ଣାଳଙ୍କାରରେ ଭୂଷିତ ଇନ୍ଦ୍ରଙ୍କର ସାରଥି ମାତଳିଙ୍କ ରୂପ ପ୍ରଥମେ ଅର୍ଜୁନଙ୍କ ମନରେ ସ୍ୱୟଂ ଦେବରାଜଙ୍କର ଭ୍ରମ ସୃଷ୍ଟି କରିଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top