ଗଳ୍ପ

ଅଭିସାରିକା ଉର୍ବଶୀ

Odia Author Dr. Archana Nayak

ଆସ ଅର୍ଜୁନ, ମୋର ଏହି ମୃଣାଳନିନ୍ଦି ବାହୁଯୁଗଳକୁ ତୁମର କଣ୍ଠଲଗ୍ନ କର । ମତେ ନିବିଡ଼ ଭାବରେ ଆଲିଙ୍ଗନ କରି ଅନୁଭବ କର ଯେ ଏପର୍ଯ୍ୟନ୍ତ ନୀତି ଅନୀତିର ଦ୍ୱନ୍ଦ୍ୱରେ ପଡ଼ି ତୁମେ କେଉଁ ମହାସୁଖକୁ ଏଡ଼େଇ ଦେଉଥିଲ ।

ଅଭିସାରିକା ଉର୍ବଶୀ

-: ପୁର୍ବରୁ :-

କିନ୍ତୁ ତାଙ୍କର ନୀରବତା ଉର୍ବଶୀଙ୍କୁ ଶାନ୍ତ କରିବା ପରିବର୍ତ୍ତେ କୁପିତ କଲା । ସେ କଠୋର ସ୍ୱରରେ କହିଲେ, “ହେ ପାର୍ଥ ! ତୁମେ ବାରମ୍ୱାର ମତେ ମାତା ସମ୍ୱୋଧନ କରି ଅପମାନିତ କରୁଛ । ମନେରଖ ମୋର ନାରୀତ୍ୱ ସହିତ ମାତା ଭାବଗିନୀ ପ୍ରଭୃତି ଅବାନ୍ତର ସମ୍ପର୍କର ସୂତ୍ର ଯୋଡ଼ନାହିଁ । ମୁଁ କେବଳ ନାରୀ, କାମିନୀ, ମୋହିନୀ । ମୋର କାର୍ଯ୍ୟ ହେଲା ପୁରୁଷକୁ କାମମୋହିତ କରିବା ସଙ୍ଗେ ନିଜର କାମା ପୂର୍ଣ୍ଣ କରିବା । ଦେବକାର୍ଯ୍ୟ ସାଧନ ପାଇଁ ଦେବରାଜଙ୍କର ଆଜ୍ଞାରେ ଯେକୌଣସି ପୁରୁଷକୁ ବଶୀଭୂତ କରିବା ଓ ସିଦ୍ଧ ଋଷିଙ୍କର ତପଃ ଭଙ୍ଗ କରିବା ମୋର କର୍ତ୍ତବ୍ୟର ଅନ୍ତର୍ଭୁକ୍ତ ।” “ହେ ପାର୍ଥ, ଆଜି ମୁଁ ତୁମକୁ ସମ୍ଭୋଗ ସୁଖ ଦେବା ଉଦ୍ଦେଶ୍ୟ ନେଇ ଆସିଥିଲେ ବି ପ୍ରକୃତରେ ମୁଁ ତୁମ ରୂପରେ ଅଧିକ ଆକୃଷ୍ଟ ହୋଇ ତୁମ ସଙ୍ଗ ସୁଖ ଇଚ୍ଛା କରୁଛି । ତୁମେ ଅଯଥାରେ ତୁମ ମର୍ତ୍ତ୍ୟରେ ପ୍ରଚଳିତ ନୈତିକତା, ପାପବୋଧ ନିଷିଦ୍ଧ ସମ୍ପର୍କର କଥା କହି ନିଜକୁ ସଙ୍କୁଚିତ କର ନାହିଁ ।”

ଆସ ଅର୍ଜୁନ, ମୋର ଏହି ମୃଣାଳନିନ୍ଦି ବାହୁଯୁଗଳକୁ ତୁମର କଣ୍ଠଲଗ୍ନ କର । ମତେ ନିବିଡ଼ ଭାବରେ ଆଲିଙ୍ଗନ କରି ଅନୁଭବ କର ଯେ ଏପର୍ଯ୍ୟନ୍ତ ନୀତି ଅନୀତିର ଦ୍ୱନ୍ଦ୍ୱରେ ପଡ଼ି ତୁମେ କେଉଁ ମହାସୁଖକୁ ଏଡ଼େଇ ଦେଉଥିଲ । ଆସ ।

ଉର୍ବଶୀଙ୍କର କାମକମ୍ପିତ ଶରୀର ଓ ତାଙ୍କୁ ଆଲିଙ୍ଗନ କରିବାକୁ ପ୍ରସାରିତ ହୋଇ ଆସୁଥିବା ବାହୁ ଯୁଗଳକୁ ଏଡ଼େଇ ଦେବା ପାଇଁ ଅର୍ଜୁନ ବେଶ୍ ପଛକୁ ଘୁଞ୍ଚିଗଲେ ଓ କରଯୋଡ଼ି କହିଲେ, “ହେ ଶୁଭାନନେ, ମୁଁ ଜଣେ ମର୍ତ୍ତ୍ୟର ସାଧାରଣ ମାନବ । ମୁଁ ସହଜରେ ପ୍ରଲୋଭନର ଶରବ୍ୟ ହୋଇଯାଏ । ନାରୀର ଆକର୍ଷଣ ମୋ ନିକଟରେ ଅପ୍ରତିହତ ହେବା ଏକ ସ୍ୱାଭାବିକ୍ କଥା । କିନ୍ତୁ ମୁଁ ପୃଥିବୀରେ ପ୍ରାଣୀଗଣଙ୍କ ମଧ୍ୟରେ ଅଭିବ୍ୟକ୍ତ ହୋଇଥିବା ଏକ ଉତ୍ତରିତ ଚେତନସତ୍ତା । ଏକ ମହତ୍ତର ଜୀବନ ବଞ୍ଚିବା ଲକ୍ଷ୍ୟରେ ମୁଁ ନିଜ ପାଇଁ ନୀତିନିୟମ, ଶାସ୍ତ୍ର ପ୍ରଣୟନ କରିଛି । ଜୀବନରେ ଶୁଦ୍ଧତା ରକ୍ଷା କରିବା ପାଇଁ କେତେକ ସମ୍ପର୍କକୁ ନିଷିଦ୍ଧ ଘୋଷଣା କରିଛି, ଯାହା ଲଙ୍ଘନ କରିବାର ଅର୍ଥ ପଶୁ ସ୍ତରକୁ ଖସିପଡ଼ିବା । ମୁଁ ଜାଣେ, କାୟ, ମନ ଓ ବାକ୍ୟରେ ପ୍ରକାଶିତ ହେଉଥିବା ପ୍ରବେଗମାନ ଓ ଉଚ୍ଚାରିତ ହେଉଥିବା ଶବ୍ଦମାନଙ୍କ ପାଇଁ ମଧ୍ୟ ମୁଁ ଦାୟୀ ହେବାକୁ ବାଧ୍ୟ । ତେଣୁ ଜୀବନବ୍ୟାପୀ ସାଧନା କରେ ସେସବୁକୁ ନିୟନ୍ତ୍ରଣରେ ରଖିବା ପାଇଁ । ହାରୁଥାଏ ପୁଣି ଜିତୁଥାଏ । କିନ୍ତୁ ସବୁ ସମୟରେ ମୁଁ ମୋର କ୍ରିୟା ପ୍ରତିକ୍ରିୟା ସମ୍ପର୍କରେ ସଚେତନ ଥାଏ ।”

“ହେ ସ୍ୱର୍ଲୋକବାସିନୀ, ତୁମେ କେବଳ ଗୋଟିଏ ଉଦ୍ଦେଶ୍ୟକୁ ମନରେ ପରିପାଳିତ କର । ସୁଖ ଦେବା ଓ ସୁଖ ପାଇବା । ତୁମର ଉତ୍ଥାନ ନାହିଁ ବା ପତନ ମଧ୍ୟ ନାହିଁ । ଏକ ହିଁ ଭୂମିରେ ତୁମେ ସ୍ଥିର ଥାଅ । କିଛି ହରାଇବାର ଭୟ ତୁମର ନଥାଏ ବା ଉଚ୍ଚତର କିଛି ପ୍ରାପ୍ତିର ଆକାଂକ୍ଷା ମଧ୍ୟ ନ ଥାଏ ।

ବିଧାତାଙ୍କର ତୁମେ ଏକ ସୁନ୍ଦରତମ ସୃଷ୍ଟି ମାତ୍ର । ତୁମର ସୌନ୍ଦର୍ଯ୍ୟ ହିଁ ବିଧାତାର ସନ୍ତୋଷର କାରଣ, ଅଧିକ କିଛି ନୁହେଁ । ତୁମ ଭିତରେ ତୁମ ସ୍ରଷ୍ଟାଙ୍କୁ ଜାଣିବା ପାଇଁ ତାଙ୍କୁ ଅନୁଭବ କରିବା ପାଇଁ ଆକାଂକ୍ଷାର ବୀଜଟିଏ ବପିତ ହୋଇନାହିଁ । ତୁମର ସୃଷ୍ଟି ପରଠାରୁ ତୁମର ଅସ୍ତିତ୍ୱ ତାଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛି, ସ୍ୱତନ୍ତ୍ର ହୋଇଯାଇଛି । ତେଣୁ ତୁମକୁ ସେ ହଁ ଓ ନାଁର ଦ୍ୱନ୍ଦ୍ୱ ଭିତରେ ପରୀକ୍ଷା କରନ୍ତି ନାହିଁ । ପତନ ଓ ଉତ୍ତରଣ ତୁମ ପାଇଁ ନୁହେଁ । କାରଣ ଦେବଲୋକରେ ପାପପୁଣ୍ୟର ପରିଭାଷା ଭିନ୍ନ ।”

“ହେ ଦେବୀ, ମର୍ତ୍ତ୍ୟର ଏକ ଆସ୍ପୃହାବନ୍ତ ମଣିଷକୁ ସେ ପ୍ରତିନିୟତ ପରୀକ୍ଷା କରୁଥାନ୍ତି । ତାଙ୍କ ସୃଷ୍ଟିର ପ୍ରତି ଅଣୁକଣାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ ସ୍ଥିତିରେ ସ୍ରଷ୍ଟାର ପରିଚୟ ସେ ଅଦୃଶ୍ୟ ଲିପିରେ ଲେଖି ଦେଇଥାନ୍ତି । ତାଙ୍କୁ ବୁଝିବା ପାଇଁ ମଧ୍ୟ ସେ ନିଜେ ସାହାଯ୍ୟ କରୁଥାନ୍ତି । ତା’ର ପତନ ତାଙ୍କର ଦୁଃଖର କାରଣ ହୁଏ । କିନ୍ତୁ ସେ ହିଁ ସେ ଅନ୍ଧଗହ୍ୱର ମଧ୍ୟରୁ ପତିତ ସତ୍ତାର ହାତ ଧରି ଉଠାଇ ଆଣନ୍ତି ଓ ତାକୁ ଉତ୍ଥାନର ମାର୍ଗ ଦର୍ଶାଇ ଦିଅନ୍ତି । ବାରମ୍ୱାର ଏପରି ଘଟୁଥିଲେ ବି ସେ କ୍ଳାନ୍ତ ହୁଅନ୍ତି ନାହିଁ ବରଂ ପ୍ରତି ପତନ ପରେ ତାକୁ ଅଧିକ ଶକ୍ତି ସାମର୍ଥ୍ୟ ଯୋଗାଇ ଦିଅନ୍ତି ଅଗ୍ରସର ହେବା ପାଇଁ ।”

“ହେ ସୌନ୍ଦର୍ଯ୍ୟର ଦେବୀ, ଆଜି ମୁଁ ମର୍ତ୍ତ୍ୟରୁ ସ୍ୱଦେହରେ ଆସି ସ୍ୱର୍ଗଲୋକରେ ଉପସ୍ଥିତ ହୋଇପାରିଛି ତାହା ଦେବରାଜଙ୍କର ପୁତ୍ର ହୋଇଥିବା କାରଣରୁ କେବଳ ନୁହେଁ । ଜନ୍ମଜନ୍ମାନ୍ତର ଧରି ମୁଁ ଘୋର ତପସ୍ୟା କରି ନିଜକୁ ସ୍ୱର୍ଗର ଯୋଗ୍ୟ କରିପାରିଛି । ସ୍ୱର୍ଗ ତ କିଛି ମାତ୍ର ନୁହେଁ । ମୋର ତପଃସିଦ୍ଧି ମତେ ପୁରୁଷୋତ୍ତମଙ୍କର ସଖା ହେବା ସୌଭାଗ୍ୟ ପ୍ରଦାନ କରିଛି ।”

“ହେ ମାତ ! କୃଷ୍ଣସଖା ଅର୍ଜୁନ କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇପାରିବ ନାହିଁ । ମୋର ଚିନ୍ତା ଚେତନା ବିଚାର, ଅନୁଭବ ସବୁକିଛି ତାଙ୍କରି ଚେତନାରେ ନିର୍ଜିତ ହୋଇ ରହିଛି । ମତେ କ୍ଷମାକର ଓ ସ୍ୱପୁରକୁ ପ୍ରତ୍ୟାବର୍ତ୍ତନ କର ।”

ଅର୍ଜୁନଙ୍କ କଥାରେ କୌଣସି ପ୍ରଭାବ ଉର୍ବଶୀଙ୍କ ଉପରେ ନଥିଲା । ସେ କେବଳ ଗୋଟିଏ କଥା ବୁଝି ସାରିଥିଲେ ଯେ ତାଙ୍କର ଅଭିସାର ବ୍ୟର୍ଥ ହୋଇଯାଇଛି ଓ ତାଙ୍କର ପ୍ରେମ ନିବେଦନ ପ୍ରତ୍ୟାଖ୍ୟାତ ହୋଇଛି । ଉର୍ବଶୀ ଏପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ବ୍ୟର୍ଥ ମନୋରଥା ହୋଇ ନ ଥିଲେ । ଉର୍ବଶୀଙ୍କର ଦୁର୍ଲଭ ସାନ୍ନିଧ୍ୟ ଟିକେ ପାଇଁ ଦେବତା, ଯକ୍ଷ, ଗନ୍ଧର୍ବ ଓ ଋଷିମୁନିଙ୍କର ବ୍ୟାକୁଳତାର କଥା ସେ ଜାଣନ୍ତି । ତାଙ୍କର ଥରଟିଏ କଟାକ୍ଷପାତ, ସାମାନ୍ୟ ସ୍ମିତହାସ, ଯେଉଁ ପୁରୁଷ ପାଇଁ ଉଦ୍ଦିଷ୍ଟ ହୁଏ ସେ ନିଜକୁ କୃତାର୍ଥ ମନେ କରିଥାଏ । ତାଙ୍କର ସ୍ପର୍ଶ ଟିକେ ଲାଭ କରୁଥିବା ପୁରୁଷର ଜୀବନ ମଧ୍ୟ ହୋଇଯାଏ । ଯେକୌଣସି ପୁରୁଷ ତାଙ୍କର ଉପସ୍ଥିତିରେ ନିଜର ସ୍ଥିତି ହରାଇ ବସେ । ସେ ଯାହା ଚାହାନ୍ତି ତାହା ହିଁ ହୋଇଥାଏ ।

ସେଠି ନାଁ ଦ୍ୱନ୍ଦ୍ୱ ଥାଏ ନାଁ କୌଣସି ପ୍ରଶ୍ନବାଚୀ । ପୁରୁଷର ପରିପୂର୍ଣ୍ଣ ଆତ୍ମସମର୍ପଣ ହିଁ ତାଙ୍କର ପ୍ରାପ୍ତି ।

ଅଥଚ ଆଜି ଏ ମର୍ତ୍ତ୍ୟାଗତ ସାଧାରଣ ମାନବ ଜଣକ ତାଙ୍କୁ ଅଦ୍ଭୁତ ନୀତିନିୟମର ଦ୍ୱାହି ଦେଇ ପ୍ରତ୍ୟାଖ୍ୟାନ କରିବାକୁ ସାହସ କରୁଛି । ଉର୍ବଶୀଙ୍କର ତୀବ୍ର କାମୋତ୍ତେଜନା ପ୍ରଶମିତ ହୋଇ ସେ ସ୍ଥାନରେ ପ୍ରବଳ କ୍ରୋଧାଗ୍ନି ପ୍ରଜ୍ୱଳିତ ହେବାକୁ ଲାଗିଲା । ସେ ଭୁଲିଗଲେ ଅର୍ଜୁନ ଦେବାରାଜ ଇନ୍ଦ୍ରଙ୍କର ପୁତ୍ର । ଭୁଲିଗଲେ ପୃଥିବୀରେ ଅନୁଷ୍ଠିତ ହେବାକୁ ଥିବା ମହାନ୍ କର୍ମରେ ଏହି ମହାନାୟକଙ୍କର ଭୂମିକା । ସେ କେବଳ ଅନୁଭବ କରୁଥିଲେ ଅଭିସାରିକା ଉର୍ବଶୀର ପ୍ରତ୍ୟାଖ୍ୟାତ ହେବାର ଅପମାନ ଜ୍ୱାଳା ।

ତାଙ୍କ ସମ୍ମୁଖରେ ବିନୀତ ଭାବରେ ଦଣ୍ଡାୟମାନ ପୁରୁଷ ଜଣକ ତାଙ୍କ ମହାଅହଂକାରୀ, ଗର୍ବମତ୍ତ, ନିଷ୍ଠୁର ମନେ ହେଲେ । ସେ ଇଚ୍ଛା କରି ତାଙ୍କୁ ଅପମାନିତ କରିଛନ୍ତି ବୋଲି ତାଙ୍କର ମନେ ହେବାରୁ ସେ ଆହତ ସର୍ପିଣୀ ପରି ଗର୍ଜି ଉଠି କହିଲେ, “ହେ ଦର୍ପୀପୁରୁଷ ! ତୁମ୍ଭ ପିତାଙ୍କ ନିର୍ଦ୍ଦେଶରେ ମୋର ଏଠାକୁ ଆଗମନ ହୋଇଥିଲା । ମୁଁ ମଧ୍ୟ କାମତାପିତା ହୋଇ ତୁମର ସଙ୍ଗ ବାଞ୍ଛା କରୁଥିଲି । କିନ୍ତୁ ତୁମ୍ଭେ ନିଜକୁ ମହାନ ପ୍ରତିପାଦିତ କରିବା ପାଇଁ ମତେ ପ୍ରତ୍ୟାଖ୍ୟାନ କରି ଅପମାନିତ କରିଛ । ତେଣୁ ତା’ର ପ୍ରତିଫଳ ତୁମକୁ ଭୋଗ କରିବାକୁ ପଡ଼ିବ । ଯେଉଁ ପୁରୁଷତ୍ୱର ଅହଂକାର ନେଇ ମତେ ପ୍ରତ୍ୟାଖ୍ୟାନ କରିବାକୁ ସାହସ କରିଛ, ତାହା ତୁମେ ହରାଇ ବସିବ । ପୁରୁଷଶ୍ରେଷ୍ଠ ପରିବର୍ତ୍ତେ ତୁମେ ନଂପୁସକରେ ପରିଣତ ହେବ । କେବଳ ସେତିକି ନୁହେଁ ଏଠାରେ ଯେଉଁ ନୃତ୍ୟକଳା ଶିକ୍ଷା କରୁଛ ତା’ର ପରିଣତି ହେବ ଯେ ଏକ ମାନହୀନ ନର୍ତ୍ତକ ଭାବେ ସ୍ତ୍ରୀମାନଙ୍କ ଗହଣରେ ତୁମେ ଗୋଟେ କ୍ଳୀବର ଜୀବନଯାପନ କରିବ ।”

କ୍ରୋଧରେ ପ୍ରଜ୍ୱିଳିତା ଉର୍ବଶୀ ତ୍ୱରିତ ଗତିରେ ସ୍ୱପୁରକୁ ଫେରିଗଲେ ।

କିନ୍ତୁ ତାଙ୍କର ପ୍ରତିଟି ଅଭିଶାପ ବାଣୀ ଅର୍ଜୁନଙ୍କର ମସ୍ତକରେ ଅକାଳ ବଜ୍ରପାତ ଘଟାଇ ଚାଲିଥିଲା । ସେ ସ୍ଥାଣୁ ପାଲଟି ଯାଇଥିଲେ । ତାଙ୍କର ସ୍ୱର୍ଗାଗମନ ପରଠାରୁ ହୃଦୟରେ ପ୍ରତିଷ୍ଠିତ ହୋଇଥିବା ଦିବ୍ୟ ଆନନ୍ଦ ମୁହୂର୍ତ୍ତକ ମଧ୍ୟରେ ଅପସରି ଯାଇଥିଲା । ଭୟ ଓ ଆତଙ୍କରେ ସେ ବିଚଳିତ ହେବାକୁ ଆରମ୍ଭ କଲେ ।

କିନ୍ତୁ ପରମୁହୂର୍ତ୍ତରେ ସେ ଅନୁଭବ କଲେ ତାଙ୍କ ହୃଦୟର ଗଭୀରତାରେ ଏକ ପ୍ରଗାଢ଼ ପ୍ରଶାନ୍ତି ବିରାଜମାନ କରୁଛି । ସେ ସତ୍ୟ ଓ ନୀତି ପଥରୁ ବିଚ୍ୟୁତ ହୋଇନାହାନ୍ତି, ପ୍ରଲୋଭନ ପାଖରେ ପରାଜିତ ହୋଇ ନିଜକୁ ସମର୍ପି ଦେଇନାହାନ୍ତି । ମର୍ତ୍ତ୍ୟ ମାନବର ନୀତିନିଷ୍ଠ ଅବିଚଳିତ ଚିତ୍ତ ପାଖରେ ସ୍ୱର୍ଗଲୋକର ଯାଦୁକରୀ ମାୟା ନିଷ୍ପ୍ରଭ ହୋଇଯାଇଛି । ଏଇ କେତୋଟି ମୁହୂର୍ତ୍ତର ମହାବିଷମ ପରୀକ୍ଷାର କଷଟି ପଥରରେ ସେ ନିଜ ସୁବର୍ଣ୍ଣସତ୍ତାର ଶୁଦ୍ଧତା ପରଖି ନେଇଛନ୍ତି ଓ ଅତିକ୍ରମୀ ଯାଇଛନ୍ତି ଚେତନାର କେତୋଟି ସୋପାନ ।

ତାଙ୍କର ଏହି ବଳିଷ୍ଠ ଶୌର୍ଯ୍ୟବନ୍ତ ପୁରୁଷର ଶରୀର ପୌରୁଷ ହରାଇବା ତାଙ୍କ ପାଇଁ ଚରମ ଦୁଃଖ ଓ ଲଜ୍ଜାର କାରଣ ହେବା ନିଶ୍ଚିତ । କିନ୍ତୁ ତାଙ୍କର ପ୍ରାଣ ଓ ଏଥିପାଇଁ କଳୁଷିତ ହେଲାନାହିଁ, ମନ ବିକାରଗ୍ରସ୍ତ ହେଲାନାହିଁ । ଆତ୍ମାର ଔଜ୍ଜ୍ୱଲ୍ୟତ ବହୁଗୁଣିତ ହୋଇପାରିଲା ।

ତେଣୁ ଉର୍ବଶୀଙ୍କର ମଧୁର ଅଭିସାରକୁ ସ୍ୱାଗତ କରିବା ଅପେକ୍ଷା ତାଙ୍କର ଭୟଙ୍କର ଅଭିଶାପକୁ ବରଣ କରିବା ତାଙ୍କ ପାଇଁ ଶତଗୁଣ ଶ୍ରେୟସ୍କର ହୋଇଛି ।

ତେବେ ଏ ଘଟଣାତ ଗୋପନ ରଖାଯାଇ ପାରିବନାହିଁ । ତାଙ୍କୁ ଜଣାଇବାକୁ ପଡ଼ିବ । ରାତ୍ରିର ସେହି ଗଭୀର ଯାନରେ ସେ ବ୍ୟାକୁଳ ହୋଇ ପହଞ୍ଚିଲେ ଚିତ୍ରସେନ ଗନ୍ଧର୍ବଙ୍କ ପୁରରେ । ତାଙ୍କ ନିକଟରେ ଉକ୍ତ ଘଟଣାର ବିବରଣୀ ଦେଲେ । ଚିତ୍ରସେନଙ୍କ ପାଇଁ ମଧ୍ୟ ଏହା ସମ୍ପୂର୍ଣ୍ଣ ଅଭାବିତ ଥିଲା । ତାଙ୍କ ପାଖରେ ଏହାର କୌଣସି ସମାଧାନ ନ ଥିଲା ।

ସେ ନିରୁପାୟ ହୋଇ ଅର୍ଜୁନଙ୍କୁ ସାଙ୍ଗରେ ନେଇ ପହଞ୍ଚିଲେ ଦେବରାଜ ଇନ୍ଦ୍ରଙ୍କ ଭବନରେ । ଅର୍ଜୁନଙ୍କଠାରୁ ଶୁଣିଥିବା ଉକ୍ତ ଘଟଣାର ସବିଶେଷ କଥା ଇନ୍ଦ୍ରଙ୍କୁ ଅବଗତ କରାଇଲେ ।

ଇନ୍ଦ୍ରଙ୍କ ମୁଖରେ ଫୁଟି ଉଠିଲା ଏକ ଅଦ୍ଭୁତ ପ୍ରସନ୍ନଭାବ । ଯାହାର ରହସ୍ୟ ଭେଦ କରିବା ଚିତ୍ରସେନଙ୍କ ପକ୍ଷରେ ସମ୍ଭବ ନଥିଲା । ସେ ବିନା ପ୍ରଶ୍ନରେ ଅପସରି ଗଲେ ।

ଦେବରାଜ ଶାପଗ୍ରସ୍ତ ହୋଇଥିବା ଅର୍ଜୁନଙ୍କୁ ନିର୍ଜନ ସ୍ଥାନକୁ ଡାକି ଆଣି ସାନ୍ତ୍ୱନା ପ୍ରଦାନ କରି କହିଲେ “ହେ ଅର୍ଜୁନ, ଆଜି ମୁଁ ତୁମକୁ ପୁତ୍ର ରୂପରେ ପାଇଥିବାରୁ ଧନ୍ୟ ହୋଇଯାଇଛି । ଧନ୍ୟ ତୁମର ମାତା ପୃଥା, ଯିଏ ତୁମ ପରି ସତ୍ୟବାଦୀ, ନୀତିନିଷ୍ଠ ସ୍ଥିରଚେତା ଓ ସଂଯମୀ ପୁତ୍ରକୁ ଜନ୍ମ ଦେଇଛନ୍ତି । ଆଜି ତୁମର ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣରେ ରଖିପାରିବାର ସାମର୍ଥ୍ୟ ନିକଟରେ ସିଦ୍ଧ ଓ ଯୋଗୀମାନେ ମଧ୍ୟ ପରାଜିତ ହୋଇଛନ୍ତି । ଯାହା ଦେବତାର ସାଧ୍ୟାତୀତ ତୁମେ ତାହା ସାଧ୍ୟ କରିପାରିଛ ।”

“ହେ ଧନଞ୍ଜୟ, ତୁମେ ନିଷ୍ପାପ ହୃଦୟରେ ଦେବୀ ଉର୍ବଶୀଙ୍କୁ ମାତା ରୂପରେ ଜ୍ଞାନ କରିଛ । ତେଣୁ ସେ ତୁମ ପାଇଁ ମାତା ଭିନ୍ନ ଅନ୍ୟ କିଛି ନୁହନ୍ତି । ମନେରଖ ମାତାର ଅଭିଶାପ ମଧ୍ୟ ସନ୍ତାନ ପାଇଁ ଆଶୀର୍ବାଦ ପାଲଟିଯାଏ । ତୁମ କ୍ଷେତ୍ରରେ ତାହା ହିଁ ଘଟିବ । ମୁଁ ସ୍ପଷ୍ଟ ଦେଖିପାରୁଛି ଯେଉଁ ମହାସଂଗ୍ରାମ ପୃଥିବୀରେ ଘଟିବାକୁ ଯାଉଛି ତା’ ପୂର୍ବରୁ ଯେଉଁ ପ୍ରକାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ସେଥିରେ ତୁମର ଓ ତୁମ ଭ୍ରାତା ସକଳଙ୍କର ରହିଛି ମହାନ୍ ଭୂମିକା । ସେଥିପାଇଁ ତୁମେମାନେ ବହୁ ଅକଳ୍ପନୀୟ ପରିସ୍ଥିତି ଭିତରେ ଗତି କରିବ । ସମୟ ଆସିବ ଯେତେବେଳେ ତୁମକୁ ଆତ୍ମଗୋପନ କରିବାକୁ ହେବ ସ୍ତ୍ରୀମାନଙ୍କ ଗହଣରେ ଜଣେ ନୃତ୍ୟଗୁରୁ ଭାବରେ । ସେହି ଏକବର୍ଷ ତୁମେ ପୁରୁଷତ୍ୱବିହୀନ ହୋଇ ନାରୀମାନଙ୍କ ମେଳେ ସ୍ୱଚ୍ଛନ୍ଦରେ ବିଚରଣ କରିବ । ଦେବୀ ଉର୍ବଶୀଙ୍କର ଅଭିଶାପ ତୁମ ପାଇଁ ବରଦାନ । ତାଙ୍କର ଅଜାଣତରେ ହେଲେ ମଧ୍ୟ ତୁମେ ତାଙ୍କୁ ମାତାଜ୍ଞାନ କରିଥିବାରୁ ତାଙ୍କର ଅଭିଶାପ ତୁମ ପାଇଁ ସୁରକ୍ଷାର ବଳୟ ପାଲଟିଯିବ ।”

“ହେ ପୁତ୍ର, ମନରୁ ସବୁ ଶଙ୍କା ଦୂର କରି ସ୍ୱଚ୍ଛ ମନରେ ଏହି ସ୍ୱର୍ଗବାସ ସମୟକୁ ନୃତ୍ୟ, ବାଦ ଓ ସଙ୍ଗୀତ ଶିକ୍ଷାରେ ନିୟୋଜିତ କର ।”

ଅର୍ଜୁନ ହୃଦୟରେ କୃଷ୍ଣଙ୍କୁ ସ୍ମରଣ କଲେ । ତାଙ୍କ ଚିତ୍ତପଟଳରେ ଭାସି ଉଠିଥିଲା ତାଙ୍କର ପରମ ସଖାଙ୍କର ମୋହନ ରୂପ । ଅଧରରେ ତାଙ୍କର ମୃଦୁ ମନ୍ଦ ହାସର ସୁମଧୁର ପ୍ରକାଶ, ଆଖିରେ ଦିବ୍ୟ ଆଶ୍ୱାସନାକାରୀ ଦୃଷ୍ଟି, ମସ୍ତକରେ ଆଲୋଡ଼ିତ ମୟୂର ଚନ୍ଦ୍ରିକା ।

ଅର୍ଜୁନଙ୍କର ଅନୁଭବ ହେଲା ଏହାଙ୍କର କ୍ଷଣିକ ସାନ୍ନିଧ୍ୟ ନିକଟରେ ଏହି ସ୍ୱର୍ଗବାସର ସୁଖ କେତେ ତୁଚ୍ଛ ।

ତାଙ୍କର ହୃଦୟ କାହିଁ ଦୂରରେ ଛାଡ଼ି ଆସିଥିବା ପୃଥିବୀକୁ, ନିଜର ଜଗତକୁ ଫେରିଆସିବା ପାଇଁ ବ୍ୟାକୁଳ ହେଲା । ଏହି ନକ୍ଷତ୍ରଖଚିତ ମହାକାଶ ମଧ୍ୟରେ କେଉଁଠି ତାଙ୍କର ଆବାସଭୂମି ? କେଉଁଠି ତାଙ୍କର ପ୍ରିୟ ମର୍ତ୍ତ୍ୟଲୋକ ?

ଅର୍ଜୁନଙ୍କର ଆଖି ନିର୍ଣ୍ଣୟ କରିପାରୁ ନଥିଲା ତା’ର ପାର୍ଥିବ ସ୍ଥିତି । କିନ୍ତୁ ସେ ନିଜ ଭିତରେ କୋଉଠି ଶୁଣିପାରୁଥିଲେ ଧରଣୀ ତାଙ୍କୁ ଆହ୍ୱାନ କରୁଥିବାର ସ୍ୱର, ସେ ଅନୁଭବ କରିପାରୁଥିଲେ ପୃଥିବୀ ତା’ର ବିଜୟୀ ପୁତ୍ରକୁ ସ୍ୱାଗତ କରିବା ପାଇଁ ସତେ ଯେପରି ତା’ର ସହସ୍ରବାହୁ ପ୍ରସାରିତ କରି ତାଙ୍କୁ ଅପେକ୍ଷା କରୁଛି ।

ଲୋକପ୍ରିୟ ଲେଖା

To Top