ଗଳ୍ପ

ଅଭୁଲା ଅନ୍ଧାର

Matrudatta Mohanty's odia story Abhulaa Andhaar

ମଞ୍ଚରେ ବାବାଜୀ ବେଶରେ ବୁଲୁଛି ମାୟା ରାବଣ । ହାତରେ କମଣ୍ଡୁଳ । ମୁହଁରେ ଦାଢି ଭର୍ତ୍ତି । ସୀତା ମାତାଙ୍କୁ ହରଣ କରିବା ପାଇଁ ପହଞ୍ଚି ଯାଇଛି କୁଡିଆ ଆଗରେ । କିନ୍ତୁ ଲକ୍ଷ୍ମଣ ରେଖା ଡେଇଁ ପାରୁନି ।

ଅଭୁଲା ଅନ୍ଧାର

ଚିକ୍ ମିକ୍ ଆଲୁଅରେ ଉଛୁଳି ପଡୁଛି ମହାଦେବ ପଡିଆ । ଭଳିକିଭଳି ରଙ୍ଗିନ ଆଲୁଅ ଆଖି ଜଳକା କରି ପକାଉଛି । ମଣ୍ଡପ ଉପରେ ଝୁଲୁଛି ନାଲି, ନୀଳ, ହଳିଦଆ କପଡ଼ା । ପୁଣି ମଣ୍ଡପ ପଛ ପାଖରେ ବଡ଼ କପଡ଼ାରେ ଅଙ୍କା ହୋଇଛି ପାହାଡ଼ ପର୍ବତ ଝରଣା ଏମିତି କେତେ କଣ । ସଂଧ୍ୟାରୁ ଭଲ ଜାଗା ଦେଖି ଅଖା ପାରିଛି ବିଭୁ । ସାଙ୍ଗରେ ଆସିଛି ଝୁନୁନାନୀ । ପାଖକୁ ପାଖ ମସିଣା ବିଛେଇଛନ୍ତି ସାହିର ଆଉ କିଛି ପିଲା । ରାମଲୀଳା ଆରମ୍ଭ ହବ ହବ ବୋଲି ରାତି ଅଧ ହେଲାଣି । ରହି ରହି ମଣ୍ଡପ ପଛପାଖ ଖାଲ ଭିତରୁ ଶୁଭୁଛି ତବଲା ନାଦ । ପୁଣି ପେଁ ପେଁ ହୋଇ ବାଜୁଛି ହାରମୋନିୟମ । ରାମ, ଲକ୍ଷ୍ମଣ, ସୀତାଙ୍କ ଦେଖା ନାହିଁ । ୟା ଭିତରେ ଝୁନୁନାନୀର ହାତ ଧରି ଥରେ ଦି ଥର ଝୁେଙ୍କଇ ସାରିଲାଣି ବିଭୁ । କେତେବେଳେ ଆରମ୍ଭ ହେବ ରାମଲୀଳା । ପାଟିଅର ସବୁ କାଆନ୍ତି । ଝୁନୁ ନାନୀ ରହିଥା ରହିଥା କହି ତାକୁ ସମ୍ଭାଳିଛି । ମହାଦେବ ପଡ଼ିଆରେ ରାମଳୀଲା ଦେଖିବା ପାଇଁ ପାଞ୍ଚଖଣ୍ଡ ଗାଁର ଲୋକ ଏକାଠି ହୋଇଛନ୍ତି । ବର୍ଷରେ ଥରେ ଗାଁ ଲୋକଙ୍କ ପାଇଁ ଗୋଟେ ବଡ଼ ପରବ । ବିଭୁ ର ପରୀକ୍ଷା ସରିଲାଣି । ବୋଉ କହିଥିଲା ପଞ୍ଚମଶ୍ରେଣୀ ପରୀକ୍ଷା ପାଇଁ ମନଦେଇ ପାଠ ପଢ଼ିଲେ ରାମଲୀଳା ଦେଖିବାକୁ ଛାଡ଼ିବ । ବିଭୁ ବଡ଼ କଷ୍ଟରେ ଏଥିପାଇଁ ପଡ଼ିଶାଘର ଝୁନୁ ନାନିକୁ ରାଜି କରେଇଛି । ଝୁନୁ ନାନି ଭାରି ଚାଲାକ ଚତୁର । କଲେଜ୍‌ରେ ପଢୁଛି । ସବୁ ଆଡ଼କୁ ତାର ନଜର । ଭଲ ମନ୍ଦ ବିଚାର କରିବାର ବୁଦ୍ଧି ତାର ଅଛି । ସେଇଥି ପାଇଁ ତ ଆସିଲା ବେଳେ ବୋଉ ବାର ବାର କରି କହିଛି “ଝୁନୁ ପିଲାଟାର ହାତ ଜମା ଛାଡ଼ିବୁନି । ପାଖରେ ବସେଇବୁ । ବିଡ଼ି ସିଗାରେଟ ଖାଉଥିବା ଲୋକଗୁଡ଼ାଙ୍କ ପାଖକୁ ବିଲକୁଲ ଛାଡ଼ିବୁନି । ନ ହେଲେ ରାତି ପାହିଲେ ପାଟିରେ କାଉଁରିଆକାଠି ପୂରେଇ ମୋ ଆଗରେ ଯାତରା କରିବ । ବାପ ଦେଖିଲେ ପିଠିରୁ ଛାଲ ଉତ୍ତାରି ଦେବ” । ଝୁନୁନାନି ଦାୟିତ୍ୱରେ ଆସିଥିବାରୁ ଟିକି ନିଖି କଥା ବିଭୁ ତାକୁ ହିଁ ପଚାରୁଛି । ହଠାତ୍ ମାଇକ୍ ଚିତ୍କାର କଲା “ସୋଗରପଡା ଗାଁର ରଂଗୀନ ରଙ୍ଗମଞ୍ଚରେ ମଞ୍ଚସ୍ଥ ହେବାକୁ ଯାଉଛି ମାୟାମିରିଗ ବଧ, ସୀତା ହରଣ” । ବିଭୁ କାନ ଡ଼େରିଲା । ଝୁନୁନାନୀ କହୁଣିକୁ ଧରି ପଚାରିଲା କେତେ ବେଳେ ଆରମ୍ଭହେବ ରାମଲୀଳା । ହେଇ ଆରମ୍ଭ ହବ କହି ଝୁନୁନାନୀ ପାଟିରେ ମଟର ପକେଇଲା । ବିଭୁ ହାତକୁ ଦି’ଟା ବଢ଼େଇ ଦେଇ ପାଟି ଚୁପ୍ କରି ବସିବାକୁ କହିଲା ।

ଲିଭିଗଲା ମଞ୍ଚର ସବୁ ଆଲୁଅ । ବାହାରେ ଜଳୁଥିବା ଆଲୁଅ ବି ଫଟଫାଟ୍ ବନ୍ଦ ହୋଇଗଲା । ମହାଦେବ ପଡିଆ ସାରା ମାଡିଗଲା ଘନ ଅନ୍ଧାର । ଖାଲି ଲୋକଗହଳି ଶବ୍ଦ ବାରି ପାରୁଥିଲା ବିଭୁ । ଭୟରେ ଜାବୁଡ଼ି ଧରିଲା ଝୁନୁ ନାନୀର ଅଣ୍ଟାକୁ । ଝୁନୁ ନାନୀ ଦେହରେ ମାରିଥିବା ସେଣ୍ଟ୍‌ର ବାସ୍ନାରେ ତା ମୁଣ୍ଡ ଘୁରେଇ ଦେଲା । ନିଜକୁ ସେ ବାସ୍ନା ଭିତରୁ ମୁକ୍ତ କରିବା ପାଇଁ ଚାହିଲାନି । ଆହୁରି ଜୋରରେ ଭିଡ଼ି ଧରିଲା ଝୁୁନୁନାନୀର ମହ ମହ ବାସୁଥିବା ଗୋରା ଦେହଟାକୁ । ନାନୀ ବିଭୁ ମୁଣ୍ଡରେ ହାତ ବୁଲେଇ ଆଣି ନାନୀ କହିଲା “ବୋକାଟା କିରେ ହେଇ ଦେଖ କିଏ ଆସିଲାଣି ।” ନାରାୟଣ ନାରାୟଣ କହି ଦେବର୍ଷୀ ନାରଦ ମଞ୍ଚ ଉପରେ ଏପାଖ ସେପାଖ ହେଉଥିଲେ । ବିଭୁ ଚିହ୍ନି ପାରିଲା ତାଙ୍କୁ । ଖୁସିରେ ଚିତ୍କାର କରି ଉଠିଲା । “ଏଇ ତ ଝୁନୁ ନାନୀ, ଏଇ ଲୋକଟା ଗଲା ଥର ବି ନାରଦ ପାଟ୍ କରିଥିଲା ନା” । ପଛକୁ ପଛ ରାମଲୀଳାର ଅନ୍ୟ ଚରିତ୍ରମାନେ ବି ଆସିଯାଇଥିଲେ ମଞ୍ଚ ଉପରକୁ । ଜମି ଉଠିଲା ନାଟକ । ପିଲାମାନେ ତାଳି ମାରି କମ୍ପେଇ ଦେଲେ ମହାଦେବ ପଡ଼ିଆକୁ । ମହାଦେବ ପଡ଼ିଆ ମଝିରେ ଝଲସୁଥିଲା ରାମଲୀଳା ମଞ୍ଚ । କିନ୍ତୁ ବାକି ସବୁ ଅନ୍ଧାର ହୋଇଯାଇଥିଲା । ସେ ଅନ୍ଧାର ଘୋଟିଥିଲା ଆକାଶଠୁ ମାଟି ଯାଏ । ପୁଣି ମାଟିରୁ ମହାଦେବ ମନ୍ଦିର ଭିତର ଯାଏ । ମହାଦେବ ମନ୍ଦିର ପଛଆଡ଼କୁ ବେଢ଼ାରେ ଥିବା ରୋଷଘର ବି ଦିଶୁ ନଥିଲା ଅନ୍ଧାରରେ । ଖରାଦିନିଆ ପବନରେ ବେଳେ ବେଳେ ଧୂଳି ଉଡ଼ି ଆସୁଥିଲା ଭିଡ଼ ଭିତରକୁ । ଯେଉଁମାନେ ଜାଗା ଛାଡ଼ି ୟାଡେ ସିଆଡେ ଚାଲି ଯାଇଥିଲେ ସେମାନଙ୍କ ଅଖା ଉଡ଼ି ଆସି ଏଣେ ତେଣେ ପଡ଼ୁଥିଲା । ରାମଲୀଳା ଚରିତ୍ରଗୁଡ଼ାଙ୍କ ଭିତରେ ଏକବାର ହଜି ଯାଇଥିଲା ବିଭୁ । ଅନ୍ୟମନସ୍କ ଭାବେ ହାତ ପକେଇ ଦେଲାରୁ ଜାଣିଲା ପାଖରେ ଝୁନୁ ନାନୀ ନାହିଁ । ନାନୀର ଜାଗା ଖାଲି ପଡିଛି । ବ୍ୟସ୍ତ ହୋଇ ପଡ଼ିଲା ସେ । ଏଣେ ତେଣେ ନଜର ବୁଲେଇ ଆଣିଲା । ଉଠି ଯିବାକୁ ବାହାରିଛି ଦେଖିଲା ଖଣ୍ଡେ ଦୂରରେ ନାନୀ ଆର ଗାଁ ଟୋକା ସାଙ୍ଗରେ ଗପ ଜମେଇ ଦେଇଛି । ବିଭୁ ଧାଇଁ ଗଲା ପାଖକୁ । ଝୁନୁନାନୀ ବିରକ୍ତ ହେଲା । କହିଲା କିରେ ଟୋକା ରାମଲୀଳା ନଦେଖି କାଇଁ ପଳେଇ ଆସିଲୁ । କ’ଣ ତତେ ବାଘ ଭାଲୁ ଖାଇ ଯାଉଛନ୍ତି? ବିଭୁ ଜଳଜଳ କରି ଚାହିଁଲା ଉଭୟଙ୍କ ମୁହଁକୁ । ସେ ଡେଙ୍ଗା ଟୋକାଟା ଝୁନୁନାନୀ ହାତରେ ବାଦାମ ପୁଡିଆଟା ଧରେଇ ଦେଇ ହଜିଗଲା ଅନ୍ଧାର ଭିତରେ ।

ରାତି ଅନେକ ହେଲାଣି । ୟା ଭିତରେ ଦୃଶ୍ୟ ବଦଳି ଗଲାଣି । ମଞ୍ଚରେ ବାବାଜୀ ବେଶରେ ବୁଲୁଛି ମାୟା ରାବଣ । ହାତରେ କମଣ୍ଡୁଳ । ମୁହଁରେ ଦାଢି ଭର୍ତ୍ତି । ସୀତା ମାତାଙ୍କୁ ହରଣ କରିବା ପାଇଁ ପହଞ୍ଚି ଯାଇଛି କୁଡିଆ ଆଗରେ । କିନ୍ତୁ ଲକ୍ଷ୍ମଣ ରେଖା ଡେଇଁ ପାରୁନି । ନିଦରେ ବିଭୁ ଆଖିପତା ବୁଜି ହୋଇ ଯାଉଛି । ଥଣ୍ଡା ପବନ ଦେହରେ ବାଜିବାରୁ ନିଦ ମାଡ଼ି ବସୁଛି । ଥରେ ଦି ଥର ଢୋଳେଇ ପଡିଲାଣି ୟା ତା ଉପରେ । ନାନୀକୁ କହି ପାରୁନି ଘରକୁ ଯିବା କଥା । ରାତିଟାରେ କେମିତି ଦିହେଁ ଯିବେ ଘରକୁ । ବାଟରେ ରାବଣ ନଥିବ ତ? ଏମିତି ୟାଡୁ ସିଆଡୁ ଗୁଡାଏ କଥା ଭାବୁଥାଏ । ନିଜ ଅଜାଣତରେ ପୁଣି ଥରେ ଢୋଳେଇ ପଡିଲା ସେ ଝୁନୁନାନୀ ଉପରେ । ନାନୀ ତାର ମୁଣ୍ଡକୁ ସାଉଁଳେଇ ଦେଲା । କହିଲା ନିଦ ମାଡ଼ିଲାଣି କିରେ । ନିଦ ମଳମଳ ଆଖିରେ ନାନୀ ମୁହଁକୁ ଚାହିଁ ସେ କହିଲା ହଁ । ଘରକୁ ପଳେଇବା ?

ଧେତ୍ ଛୋଟ ପିଲାଟା ଭଳିଆ ହଉଛୁ । ଏମିତି ଅଧାରୁ ଉଠି କିଏ କ’ଣ ଘରକୁ ଯାଏ । ଚାଲ୍ ରୋଷଘର ପିଣ୍ଡାରେ ଟିକେ ଗଡି ପଡିବୁ । ନିଦ ଭାଙ୍ଗିଲେ ପୁଣି ଆସି ଦେଖିବୁ ।

ରୋଷଘର ନା ଶୁଣି ବିଭୁ ଛାତିରେ ଛନକା ପଶିଲା । ସେ ଅନ୍ଧାରରୁ ନଯିବା ପାଇଁ ଗୋଡ କଚାଡିଲା ।

ହୁଣ୍ଡାଟା । ପାଖରେ ପରା ମୁଁ ଶୋଇବି । ମୋତେ ବି ନିଦ ମାଡୁଛି ନା ।

କାଇଁ, ତୁ ତ କହୁ ନ ଥିଲୁ ।

ହଁ ପରା, ତୋ ପାଖରେ ଅଳି କରିଥାଆନ୍ତି ମୋତେ ନିଦ ମାଡୁଛି ବୋଲି…

ଝୁନୁ ନାନୀ ହାତ ଧରି ଉଠିଗଲା ବିଭୁ । ରୋଷଘର ପିଣ୍ଡାରେ ପଡ଼ିଥିବା ନଡ଼ିଆ ଚାଞ୍ଚରା ଉପରେ ଦିହେଁ ଗଡ଼ି ପଡ଼ିଲେ । ଗଛ ଫାଙ୍କ ଦେଇ ଛିଟିକି ପଡ଼ିଥିଲା ଚେନାଏ ଆଲୁଅ । ପବନରେ ପିଟି ହେଉଥିଲା ରୋଷଘର ପଛ ପାଖ ଝରକା । ବିଭୁକୁ ଡ଼ରଲାଗୁଥାଏ । ଝୁନୁ ନାନୀ ତାକୁ ନିଜ ଆଡ଼କୁ ଆଉଜେଇ ନେଲା । ବିଭୁ କୁଣ୍ଢେଇ ଧରିଲା ନାନୀକୁ । ପୁଣିଥରେ ନାନୀ ଦେହର ମହମହ ବାସ୍ନା ଶୁଙ୍ଘିବାର ସୁଯୋଗ ତାକୁ ମିଳିବ ବୋଲି ସେ ଭାବି ନଥିଲା । ନାନୀ ଦେହର ତାତି ତାକୁ ଟାଣି ନେଲା ଆହୁରି ପାଖକୁ । ସେ ନାନୀର ପେଟ ପାଖରେ ମୁହଁ ଗୁଞ୍ଜିଦେଲା । ତା ଆଖିରୁ କ୍ଷଣକ ଭିତରେ ନିଦ ସବୁ ଫେରାର ହୋଇ ଗଲେ କୁଆଡେ । ଝୁୁନୁ ନାନୀ ଛଟପଟ ହେଉଥାଏ । ତାକୁ ନିଦ ହେଉ ନଥାଏ ବୋଧେ । ଚେଇଁ ରହିଲେ ରାବଣ ଉଠେଇ ନେଇ ଯିବ ଭାବି ବିଭୁ ନିଘୋଡ ନିଦରେ ଶୋଇବାର ଅଭିନୟ କଲା । ନାନୀ ଧୀରେ ବିଭୁର ହାତକୁ ତା ଅଣ୍ଟା ଉପରୁ ଖସେଇ ଆଣିଲା । ବିଭୁ ଆହୁରି ଜୋରରେ ଭିଡ଼ି ଧରିଲା ତାକୁ । ଝୁନୁନାନୀର ଦେହକୁ ଛୁଇଁଲେ ଏତେ ମଜା ଥାଏ, ଏ ରହସ୍ୟ ଆବିଷ୍କାର କରିବା ପରେ ସେ ନିଜକୁ ସେଥିରୁ ଦୂରେଇ ରଖିବା ପାଇଁ ଆଦୌ ଚାହୁଁ ନଥିଲା । ନାନୀ ବିଭୁ ମୁଣ୍ଡରେ ହାତ ସାଉଁଳେଇଲା । ଏଥର ଜୋର କରି ବିଭୁକୁ ଅଲଗା କରିଦେଲା ନିଜ ଦେହରୁ । ବିଭୁ ଅନ୍ଧାର ଭିତରେ ଆଖି ଖୋଲିଲା । କେହି ଜଣେ ଝୁନୁ ନାନୀର ଅତି ପାଖରେ ଛିଡ଼ା ହୋଇଛି । ବେଶ୍ ଡେଙ୍ଗା ମଣିଷଟା । ଝୁନୁ ନାନୀ ତା ହାତକୁ ଟାଣି ପାଖରେ ବସେଇ ଦେଲା । ଦିହେଁ ବେଶ୍ କିଛି ସମୟ କୁଣ୍ଢାକୁଣ୍ଢି ହୋଇ ବସି ରହିଲେ । ଲୋକଟା ନାନୀ ଗାଲରେ ଗେଲ କଲା । ତା ବେକ ପାଖରେ ମୁହଁ ଘସିଲା । ବିଭୁ ବୁଝି ପାରୁ ନଥିଲା ଝୁନୁ ନାନୀର କ’ଣ ହେଇଛି । ଜର ହେଲେ ନାଥ ମଉସା ତାକୁ ଝାଡିବା ପାଇଁ ଆସି ଦେହରେ ଯେମିତି ହାତ ବୁଲାଏ ସେ ଲୋକଟା ଝୁନୁ ନାନୀ ଦେହରେ ସେମିତି ହାତ ବୁଲୋଉଥିଲା । ନାନୀ ଛଟପଟ ହେଉଥିଲା । ଥାଉ ଥାଉ କହୁଥିଲା । ନାନୀ ସେ ଲୋକଟାର ହାତକୁ ଛାଟି ଦେଇ କହିଲା “ସେ ସାନ ହେଉ କି ବଡ଼ ସବୁ ପୁରୁଷ ଗୁଡ଼ା ସମାନ । ଦେଖୁନ ମେଞ୍ଚଡ଼ ଟୋକାଟାକୁ ପାଖରେ ଶୁଆଇ ଦେଲି ଯେ ମୋ ଦେହରେ ସାପ ପରି ଗୁଡ଼େଇ ହଉଛି । ମୋ ପେଟରେ ମୁହଁ ଗେଞ୍ଜି ସଲସଲ କରୁଛି” । ଝୁନୁ ନାନୀର କଥାରେ ଫେଁ କିନା ହସି ଉଠିଲା ସେ ଲୋକଟା । ନାନୀକୁ ତଳେ ଶୁଆଇ ଦେଇ ତାକୁ ଭିଡ଼ି ଧରିଲା । ତା କାନ୍ଧରୁ ଜାମା ଖସେଇ ଆଣିଲା । ଝୁନୁ ନାନୀ କହୁଥାଏ ଛାଡ କିଏ ଦେଖି ଦେବ ପରା । “ଛୁଆଟା ତ ଶୋଇପଡ଼ିଛି ଆଉ ଦେଖିବ କିଏ” । ଲୋକଟାର ଏହି ପଦିଏ କଥାରେ ଦିହେଁ ପୁଣି ଥରେ ହସି ଉଠିଲେ । ସେଠୁ ଉଠି ଚାଲିଯିବାକୁ ବିଭୁର ସାହାସ ହେଉ ନଥାଏ । ସେ ମନେ ମନେ ନାନୀ ଉପରେ ରାଗୁଥାଏ ।

“ମୋ ପାଖରେ ଶୋଇବାର ବାହାନାକରି ଆର ଲୋକଟା ପାଖରେ ଶୋଇ ପଡ଼ିଲା । ମେଞ୍ଚଡ଼ଟା କହିଲା କାଲିଠୁ ନାନୀ ସହିତ ବିଲକୁଲ କଥା ହେବିନି । ବୋଉ ଆଗରେ ଯାଇ ସବୁ କହିଦେବି” । ମନେ ମନେ ବିଭୁ ଅଭିମାନ କଲା ନାନୀ ଉପରେ ।

ବେଶ୍ କିଛି ସମୟ ବିତିଗଲାଣି । ମାଇକ୍‌ରେ ଶୁଭୁଥାଏ ରାବଣର ବିକଟାଳ ହସ । ଅସହାୟ ସୀତା- “ହେ ପ୍ରଭୁ, ମୋତେ ରକ୍ଷାକର ମୋତେ ରକ୍ଷାକର” ବିକଳ ଚିତ୍କାର କରୁଥାଆନ୍ତି । ଏଣେ ଅଗିରା ଦେହରେ କଖାରୁ ଡଙ୍କ ଗୁଡ଼େଇ ହେବା ପରି ଝୁନୁ ନାନୀ ଦେହରେ ଗୁଡ଼େଇ ହୋଇଥାଏ ସେ ଲୋକଟା । ସଁ ସଁ ଆବାଜରେ ଥରି ଉଠୁଥାଏ ରୋଷଘର ପିଣ୍ଡା । ନାନୀ ଲୋକଟା ଉପରେ ଆଉ ବରିକ୍ତ ହେଉ ନଥିଲା । ମନ୍ଦିର ବେଢା ଦେଇ ରୋଷଘର ପାଖକୁ ପଶି ଆସୁଥିଲା ଥଣ୍ଡା ପବନ । ବିଭୁର ଆଖି ଲାଗି ଗଲା ।

ପାହାନ୍ତାରେ ଘରପାଖ ପିଲା ବିଭୁକୁ ହଲେଇ ଉଠେଇ ଦେଲେ । ନିଦରୁ ଉଠି ସେ ବୋକାଙ୍କ ପରି ଚାହିଁଲା ସାଙ୍ଗ ମୁହଁକୁ । କାଲି ରାତିରେ କେମିତି ସୀତାହରଣ ହେଲା ସେ ବିଷୟରେ ପିଲାଙ୍କ ଭିତରେ ଆଲୋଚନା ଜୋର୍ ଧରିଥିଲା । ବିଭୁ ଘର ମୁହାଁ ହେଲା । ଝୁନୁ ନାନୀର ବୋଉ ଗଳାଫଟେଇ ଚିତ୍କାର କରୁଥାଏ “ଚକ୍ରାନ୍ତକରି ମୋ ସୁନା ଝୁଅଟାକୁ ନଷ୍ଟ କରିଦେଲେ ଗାଁ ବାଲା । ମୋ ଝୁଅର ରୂପ ଗୁଣକୁ ସହି ପାରିଲେନି” । ମଝିରେ ମଝିରେ ବାହୁନି ବାହୁନି କାନ୍ଦୁଥାଏ । ଗାଁଟା ସାରା ଟୁପୁରୁଟାପୁରୁ ହେଉ ଥାଆନ୍ତି । ଅଧା ଅନିଦ୍ରା ହୋଇ ରାମଲୀଳା ଦେଖି ବିଭୁର ଆଖି ମାଡ଼ିମାଡ଼ି ପଡ଼ୁଥାଏ । ଧାନଉଁସା ଚୁଲି ପାଖରେ ମୁହଁ ମାଡ଼ି ପଡ଼ିଥିବା ମାଟିନନ୍ଦିଆ ଉପରେ ମାଙ୍କଡ ପରି ବସି କ’ଣ କ’ଣ ଭାବୁ ଥାଏ ସେ । ତା’ ଖୁଆ ପାଖରୁ ଧରି ବୋଉ ତାର ଭିଡ଼ିନେଲା ଘର ଭିତରକୁ । ମରିଗଲି ମରିଗଲି ଚିତ୍କାର ଛାଡ଼ି କାନ୍ଦି ଉଠିଲା ସେ । କାହା ସାଙ୍ଗରେ ଗଲା ସେ ସବାଖାଇ କହ ? ବିଭୁ କାନ୍ଦ କାନ୍ଦ ହୋଇ କ’ଣ ଗୁଡ଼ାଏ ଗପୁ ଗପୁ ବୋଉ ତା ମୁହଁରେ ହାତଦେଇ ତାକୁ ଚୁପ କରିଦେଲା । ଶୁଣୁ, କ’ଣ ଦେଖିଲୁ କ’ଣ ଶୁଣିଲୁ କାହାକୁ କିଛି କହିବୁନି । ଯଦି ପାଟି ଖୋଲିଥିବୁ ତୋ ଜିଭ କାଟିଦେବି । ବୋଉର ଏ ଧମକରେ ବିଭୁ ଦେହରୁ ଗୋଟାପଣ ଝାଳ ବୋହିଗଲା । ସାହି ମଝିରୁ ରହିରହି ଶୁୁଭୁଥିଲା ଝୁନୁ ନାନୀ ବୋଉର କାନ୍ଦଣା । ବୋକାଙ୍କ ପରି ଏଣେ ତେଣେ ଚାହୁଁଥିଲା ସେ । ବିଭୁ ଆଖିରେ ନାଚି ଯାଉଥିଲା ଗଲା ରାତିର ଚିତ୍ର ସବୁ । ରାମଲୀଳା ନୁହେଁ ବରଂ ଅନ୍ଧାର ଭିତରେ ଘଟିଥିବା ଘଟଣା ସବୁ ତାର ମନରେ ଛାପି ହୋଇ ଯାଇଥିଲା । ସେ ଭୁଲି ପାରୁ ନଥିଲା ଝୁନୁନାନୀ ଦେହର ସେ ବିଚିତ୍ର ବାସ୍ନା । ପୁଣି ସେ ଲୋକଟାର ଝାଡଫୁଙ୍କ । ପଛରୁ ବୋଉ ଚିତ୍କାର କଲା “କିରେ ଯାଉନୁ ଗାଧେଇବୁ” । ଅଣ୍ଟାରେ ଗାମୁଛା ଗୁଡେଇ ଘରୁ ବାହାରିଗଲା ସେ । ପୋଖରୀ ହୁଡାରେ ମନମାରି ବସି ରହିଲା । ସାଙ୍ଗ ପିଲାମାନେ ବେଙ୍ଗ ପରି ଖପ୍ ଖାପ୍ ଡେଇଁ ପଡିଲେ ପାଣିକୁ । କେହି ଜଣେ ପଚାରିଲା “ବିଭୁ ଆଜି ରାବଣ ବଧ ହବ, ଆମେ ସବୁ ଯିବୁ ତୁ ଯିବୁନା ?” ବିଭୁ ପାଖରେ ଏ ନେଇ କିଛି ଉତ୍ତର ନଥିଲା । ତା ଆଖି ଆଗରେ ଘୋଟିଗଲା ପୂର୍ବ ରାତିର ଅନ୍ଧାର ସବୁ । ସେ ଅନ୍ଧାର ମାଡିଥିଲା ପୋଖରୀ ହୁଡାରୁ ତାଙ୍କ ଘରଯାଏ ପୁଣି ସେଠୁ ରୋଷଘର ପିଣ୍ଡା ପର୍ଯ୍ୟନ୍ତ । ସେ ମନେ ମନେ ଭାବୁଥିଲା “ଆଉ କେବେ ରାମଲୀଳା ଦେଖିବାକୁ ଯିବିନି । ଝୁନୁ ନାନୀ ଭଳିଆ ପୁଣି କିଏ ଠକି ଦେବ କାଳେ । ଅନ୍ଧାରରେ ତାକୁ ଶୁଆଇ ଦେଇ ହଜିଯିବ କେଉଁଆଡେ…”

ଲୋକପ୍ରିୟ ଲେଖା

To Top