ଗଳ୍ପ

ଅଚିହ୍ନା ନକ୍ଷତ୍ର

Pradip Nayak's odia story Achihnaa Nakshyatra

କେତେ ଦୁଃଖ କଷ୍ଟ ସହି ନିଜ ପୁଅ ପାଇଁ ଗୋଟାଏ ସବଳ ଇଚ୍ଛାକୁ ପରିଣତି ବୟସରେ ଦୁର୍ବଳ ଛାତିରେ ସାଇତି ରଖିଥିବା ମଣିଷ ।

ଅଚିହ୍ନା ନକ୍ଷତ୍ର

ଓଃ ! ଦେବବ୍ରତ ମୁହଁରୁ କଷ୍ଟ ଜନିତ ନୁହେଁ ବରଂ ହତାଶାଜନିତ ଏଇ ବେଦନା ମିଶ୍ରିତ ସ୍ୱର ବାହାରି ଯାଉଚି । କିନ୍ତୁ ତା’ ଆଗ୍ରହ ଆଗରେ ପୁରା ରାଜଧାନୀ ଏତେ ଛୋଟ ଲାଗୁଚି ଯେମିତି କେହି ଯଦି ଖଣ୍ଡଗିରିରୁ ପଟିଆ ଯାଏ ତାକୁ ଦଉଡ଼େଇ ଦବ ତ ସିଏ ସହଜରେ ଦଉଡ଼ି ପାରିବ ।

ଝାଳରେ ତିନ୍ତି ସାରିଚି ଗୋଟାଟା ଦେହ । ଶରୀରର ଉତ୍ତାପ ବାଷ୍ପ ହେଇ ଉଡ଼ି ଯାଉଚି । ସେ ଭିତରେ ବଡ଼ିସ୍ପ୍ରେ’ର ମହକ ରୂପାନ୍ତରିତ ହୋଇ ନିଜ ନାକକୁ ମଧ୍ୟ ଦୁର୍ଗନ୍ଧ ଦଉଚି । ନା ସରୁଚି ତା ଦଉଡ଼ିବା, ଖୋଜିବା । ରାସ୍ତାର ଦୁଇ କଡ଼ରେ ସୁଇଟସ୍ ଲେଖାଥିବା ଯେତେ ଦୋକାନ ଆସୁଚି କଉ ଗୋଟାକ ସେ ଛାଡ଼ି ନାହିଁ, ଅବଶ୍ୟ ସେମିତି ଆଖିକି ଲାଗୁନଥିବା କିଛି ମିଠା ଦୋକାନ ଗୁଡ଼ିକୁ ସିଏ ଛାଡ଼ି ସାରିଚି ଆଜି ଦିନର ଅନୁଭୂତିରୁ ।

ବାଙ୍ଗାଲୋର୍‌ରୁ ସିଏ ରାତି ଟ୍ରେନ୍‌ରେ ଆସି ଷ୍ଟେସନ୍‌ରେ ପହଞ୍ଚିଥିଲା ସକାଳ ଆଠରେ । ଭି.ଏସ୍.ଏସ୍. ନଗରରେ ପହଞ୍ଚିଲା ବେଳକୁ ସାଢ଼େ ଆଠ । ବ୍ୟାଗପତ୍ର ରଖି ଟିକିଏ ବି ଫ୍ରେସ୍ ହେଇନି ତ ବାହାରି ଆସିଛି ପୁଣି ଟାଉନ୍ ଭିତରକୁ । ଏବେ ଦିନ ବାର । ଓଲଡ୍‌ଟାଉନ୍ ଦାମ ମହାରାଜ ପାଖରେ ଅଟକି ଦୋକାନ ଭିତରକୁ ପଶିଯାଇ କାଉଣ୍ଟରରେ ପଚାରିଲା “ଆଜ୍ଞା ସୁଗାର ଫ୍ରି’ ମିଠା. . . ।”

ଅଭାବିତ ହସରେ ଦୋକାନୀ ଜଣକ ମୁଣ୍ଡ ଟୁଙ୍ଗାରିଲା-ନା ! ଦେବବ୍ରତ ଫେରି ପଡୁଥିବା ବେଳେ ଲୋକଟା କହିଲା ଆଜ୍ଞା ଏଇ ଆଗଛକରେ ଟିକିଏ ବାଁ ହାତି ଯେଉଁ ବଉଳଗଛ ଅଛି ତା’ ବାଁ ପାଖରେ ଗୋଟେ କୋଲକତା ସୁଇଟସ୍ ଅଛି । ଦେଖନ୍ତୁ ସେଇଠି ମିଳିଯାଇପାରେ ।

ଦେବବ୍ରତ ଚାରି ଖେପାରେ ବଉଳଗଛ ପାଖ ଦୋକାନ ପାଖରେ ପହଞ୍ଚି ସାରିଛି । ଭାରି ଗହଳି । ଦୋକାନୀ ମଧ୍ୟ ବ୍ୟସ୍ତ । କଉ ଗୋଟେ ପାଟି ପାଇଁ ଅର୍ଡର ପ୍ୟାକ୍ କରୁଚି । ଟିକିଏ ଠିଆ ହେଇ ପଡ଼ିଚି ତ ଶ୍ରମଜନିତ ଝାଳ ମୁଣ୍ଡରୁ ସରୁଧାର ହେଇ ବହି ଆସୁଚି ନାକ ଦେଇ ତଳକୁ । ବଉଳ ଗଛର ଛାଇ ଯୋଗୁଁ ସ୍ଥାନଟା ଅପେକ୍ଷାକୃତ ଥଣ୍ଡା ଲାଗୁଚି । ଏ ଭିତରେ ଦିଟା ନିଃଶ୍ୱାସ ନେଇ ଟିକିଏ ବିଶ୍ରାମ କରିବାକୁ ଶରୀର ତାକୁ ବାଧ୍ୟ କରୁଚି । ମିଠା କଥା ପଚାରିବ ତ ନିଶ୍ଚୟ । ଟିକେ ଗହଳି ଭାଙ୍ଗିବା ଯାଏ ଅପେକ୍ଷା କରାଯାଉ ।

କାଉଣ୍ଟର ପାଖରେ ପଡ଼ିଥିବା ଗୋଟେ ଷ୍ଟୁଲ ଟାଣିଆଣି ବସିପଡ଼ିଲା । ଜୀବନରେ ବୋଧହୁଏ କେବେ ଚାଲି ଚାଲି ସିଏ ଏତେ ଗୁଡ଼ାଏ ରାସ୍ତା ଆସିନି । ତଥାପି ସିଏ ଥକି ପଡ଼ିଚି. . . ଏମିତି ଭାବନା ମଧ୍ୟ ତାକୁ ବିଚଳିତ କରିନି । ମନ ଭିତରେ ସାମାନ୍ୟ ଅସନ୍ତୁଷ୍ଟ ମଧ୍ୟ ନାହିଁ । କେମିତି ଆସନ୍ତା । ତା’ ଚାକିରୀର ପ୍ରଥମ ଖୁସିକୁ ସିଏ ଯାହା ସହ ବାଣ୍ଟିବାକୁ ଚାହୁଁଚି ତାଙ୍କୁ ଖୁସି କରିବା ତ ତା’ର ପ୍ରଥମ କାମ । ତା’ ପାଖରେ ଏ ଥକ୍କାପଣ ତୁଚ୍ଛ !

ବାପା !

ଇଏ ଗୋଟିଏ ମଣିଷ, ବୁଢ଼ା ମଣିଷ ତ ନିଶ୍ଚୟ । ଜନ୍ମଦାତା । କେତେ ଦୁଃଖ କଷ୍ଟ ସହି ନିଜ ପୁଅ ପାଇଁ ଗୋଟାଏ ସବଳ ଇଚ୍ଛାକୁ ପରିଣତି ବୟସରେ ଦୁର୍ବଳ ଛାତିରେ ସାଇତି ରଖିଥିବା ମଣିଷ ।

ବାପା !

ସବୁ ତ୍ୟାଗ ତିତିକ୍ଷାର ମୂର୍ତ୍ତିମନ୍ତ ମାନେ ଯେଉଁଠି ଭାଙ୍ଗିପଡ଼ନ୍ତି, ଓହରି ଯାଆନ୍ତି, ଦୂରେଇ ଯାଆନ୍ତି ଏମିତି ଏକ ଅଭାବବୋଧକୁ ହରଣ କରିବାକୁ ଅଭଙ୍ଗା ପାହାଡ଼ ପରି ଠିଆ ହେଇଥାଆନ୍ତି ।

ବାପା !

ଏମାନଙ୍କ ଉଦାରପଣର ଇତିହାସ ଲେଖା ହୁଏନା, ଲେଖାଯାଇ ପାରେନା, ଲେଖି ବସିଲେ ଅପୂର୍ଣ୍ଣ ରହେ । ରହିବାକୁ ବାଧ୍ୟ ।

ବାପା !

ଆଗକୁ ଆଉ ଭାବିପାରୁନି ଦେବବ୍ରତ । କ’ଣ ଭାବିବ କେତେ କଥା ଭାବିବ । ତା’ ଜନ୍ମରୁ ଅଦ୍ୟାବଧି, ଦେହର ପ୍ରତିଟି ରକ୍ତକଣିକାରେ ଯାହାଙ୍କ ଛୁଆଁ । ପ୍ରତିଟି ପରିବର୍ତ୍ତନରେ ତାଙ୍କରି ସ୍ୱାକ୍ଷର । ଏଇ ତ କେତେ ଦେବଦେବୀଙ୍କ ବ୍ରତମନାସି ପୁଅଟିଏ ପାଇଛନ୍ତି ବୋଲି ତା’ ନାଆଁ ଦେଇଛନ୍ତି ଦେବବ୍ରତ । ନିଜ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତୁଚ୍ଛ କରି ସ୍ନେହର ସିଂହାସନରେ ବସାଇଛନ୍ତି ବୋଲି ତ ତା’ ଶ୍ରଦ୍ଧାର ନାଆଁ ବାବୁ ।

ଅବଶ୍ୟ ପ୍ରାକ୍ ସ୍ୱାଧୀନତା କାଳରେ ରାଜା ଜମିଦାରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିବା ଏଇ ସମ୍ୱୋଧନଟି ଦେଶ ସ୍ୱାଧୀନତା ପରେ ସାର୍ବଜନୀନ ହେଇଚି । ତଥାପି ତା’ ଶ୍ରଦ୍ଧାର ଡାକ ନାଁ ବାବୁ ପଛରେ ଏମିତି ଭବାଯାଇପାରେ ଯେ ବାପା ବୋଉ ତା’ର ସବୁ ଅଳି ଅର୍ଦ୍ଦଳିକୁ ହସି ହସି ସ୍ୱୀକାର କରିବା, ଜିଦ୍, ଜବରଦସ୍ତିକୁ ମୁଣ୍ଡପାତି ସହିନେବାକୁ ଜମିଦାର ରୟତର ଉପମାଟିଏ ଦେଲେ କେବେ ଭୁଲ୍ ହେବକି !

ପିଲାଦିନର ଅନେକ ଝାପ୍ସା ସ୍ମୃତି ଭିତରେ ଏବେ ବି ଗୋଟିଏ କଥା ଦେବବ୍ରତର ଆଖିରେ ଭାରି ସଚିତ୍ର, ସତେଜ । ସେଇ ଚିତ୍ରଟିକି କେବେ କେବେ ଏକାନ୍ତ ମୁହୂର୍ତ୍ତରେ ରଙ୍ଗଦେବାକୁ ଚେଷ୍ଟା କରିଚି ସିଏ । ନାଆଁଟିଏ ରଖିବାକୁ ଶବ୍ଦ ଖୋଜିଚି ସିଏ, ଅଥଚ ସବୁଥର ବିଫଳ । ଚିତ୍ରଟି ପ୍ରାୟ ଏଇମିତି ।

ଡାଲିମିଶା ଭାତ, ବାପା ଗୋଳେଇ ପୋଳେଇ ହାତରେ ଧରିଥିବେ ଗୁଣ୍ଡା । ଆଁ- ଆଁ କର ବଡ଼ ଆଁ, ସାପ କେମିତି ବେଙ୍ଗ ଖାଏ । ଆଁ- ଆଁ, ମୋ ସୁନା ପୁଅଟା । ମାଛର କଣ୍ଟାକୁ ଆଙ୍ଗୁଠିରେ ଅଲଗା କରି ତା’ ଭର୍ତ୍ତି ପାଟିରେ ଗୋଟେ ପଟକୁ ଗେଞ୍ଜି ଦଉଥିବା ଲୋକଟାକୁ ପିଲାବେଳେ ଅନେକଥର ଦେଖିଥିବ ପାଖରୁ, ଖୁବ୍ ପାଖରୁ । ଅଥଚ ବୁଝି ପାରିନଥିବ ଏମିତି କାହିଁକି ହୁଏ । ସବୁ ବାପାମାନେ କ’ଣ ଏମିତି ! ଚିତ୍ରଟି ଆଙ୍କେ ଭାତ ଥାଳି ପାଖରେ ବାପାଙ୍କ ପାଖରେ ବସିଥିବା ଗୋଟେ ପୁଅର । ପୁଅ ନାଇଁ- ନାଇଁ କରି ମୁହଁ ବୁଲଉଥିବ । ଥର ଥର କରି ଢୋକେ ଢୋକେ ପାଣି ପିଆଇ ସିଏ ପୁଅର ପେଟକୁ ଭର୍ତ୍ତି କରିସାରିଥିବେ ଅଥଚ. . . ଅଥଚ. . . ।

ନିଜ ପାଟିକୁ ନେଇଥିବା ତୁଚ୍ଛା ଭାତଗୁଣ୍ଡା ପାଇଁ ତୁଣ ଟିକେ ନେବାକୁ ଭୁଲି ସାରିଥିବେ ବାପା । ତାକୁ ଗୁଣ୍ଡା ପରେ ଗୁଣ୍ଡା ଖୁଆଇ ଚାଲିଥିବା ବେଳେ ନିଜେ ତୁଚ୍ଛା ଭାତକୁ ଢୋକି ଦେଉଥିବେ । ସେ ହାତଧୋଇ ଉଠିସାରିଲା ବେଳକୁ ଖାଲି ତରକାରୀ ଗିନାକୁ ଚାହିଁ ଦେଇ ପାଣି ଗ୍ଲାସେ ପିଇ ଦେଇ ହାତ ଧୋଇବାକୁ ଉଠିଯିବେ ।

ଦେବବ୍ରତ ବିତିଯାଇଥିବା ଶୈଶବରୁ ଆଦ୍ୟ ଯୌବନ, କଲେଜ ପାଠପଢ଼ା, ରୋଗିଣା ମା’ର ଜିଦ୍ ପାଇଁ ଜଲ୍ଦି ବାହା ହେବା, ବାହା ହେବାର ବର୍ଷଟା ଭିତରେ ଗୋଟେ ଝିଅ ହେବା ଏବଂ ଚାକିରୀ କରିବା ଯାଏ ପାରିବାରିକ ଅବୁଝାମଣାରେ ଛଟପଟ ହେଉଥିବା ସମୟରେ ବି କେତେ ଥର ଭାବିଚି ଅଥଚ ସେଇ କଥାଟିକୁ କିଛି ବି ନାଆଁ ଦେଇପାରିନି । ଭାବିଲାବେଳେ ବାପା ଶବ୍ଦର ସୀମିତ ପରିଧିରେ ଛୋଟ ହେଇଯାଉଥିବା ପରି ତା’ର ଅନୁଭବ ହୁଏ ।

ବାପାଙ୍କ ବିଷୟରେ ସେ ଭାବି ବସେ. . . । ତାଙ୍କ ଭାବମୂର୍ତ୍ତି ଉପରେ ପ୍ରଶ୍ନ ଉଠାଯାଉଥିବା ସମୟରେ, ତାଙ୍କ ବ୍ୟକ୍ତିତ୍ୱକୁ ସନ୍ଦେହ କରୁଥିବା ମଣିଷ ପ୍ରଶ୍ନରେ, ତାଙ୍କ ବର୍ତ୍ତମାନକୁ ଗ୍ରହଣ କରିପାରୁନଥିବା ପରିସ୍ଥିତି ପାଖରେ, ତାଙ୍କ ବିଚାରବୋଧକୁ ଅପାଂକ୍ତେୟ କରାଯାଉଥିବା ସମୟରେ । ତାଙ୍କ ନାପସନ୍ଦକୁ ପସନ୍ଦ କରୁଥିବା ପରିବାର ସଦସ୍ୟମାନଙ୍କ ଆପତ୍ତିରେ, ତାଙ୍କ ପ୍ରତ୍ୟାଶାଶୂନ୍ୟ ଉଦାରତାକୁ ସ୍ୱାର୍ଥୀ ମଣିଷର ରଙ୍ଗ ଦିଆଯାଉଥିବା ବେଳେ ।

ତାଙ୍କ ପାଇଁ ଏତେ ଟିକେ ବି କିଛି କରିପାରି ନଥିବା ଅପାରଗ ମଣିଷର ବିକଳପଣ ପାଖରେ, ସର୍ବୋପରି ପରିବାରର ତାଙ୍କ ପିତୃତ୍ୱ ବିପନ୍ନ ହେଉଥିବା ସମୟରେ ।

ଅଥଚ. . . ,

– ଆଜ୍ଞା କ’ଣ ନେବେ କି ? ଦୋକାନୀ ପାଟିରେ ସଚେତନ ହେଲେ ଦେବବ୍ରତ ।

– ଏଁ- ହଁ-ହଁ !

– କ’ଣ କହନ୍ତୁ ଆଜ୍ଞା ।

– ଏଇ ସୁଗାର ଫ୍ରି ମିଠା ଅଛି କି ?

– ଆଜ୍ଞା ଆଜ୍ଞା ।

– ଶହେ ଟଙ୍କାର ଗୋଟେ ପ୍ୟାକ୍ କରିଦେବେ ।

– ଆଜ୍ଞା ।

ପର୍ସରୁ ଟଙ୍କା ଦେଇ ପ୍ୟାକେଟ୍‌ଟା ହାତରେ ଧରିଲାବେଳେ ଦେବବ୍ରତକୁ ଲାଗୁଚି ତା’ର ସବୁ କାମନା, ସବୁ ଅପୂରଣୀୟ ଇଚ୍ଛା, ଆଗ୍ରହ, ଆବେଗ ଯେମିତି ଏଇ ପ୍ୟାକେଟ୍‌ରେ ବନ୍ଧା ହେଇଯାଇଚି । ଆଉ ଗୋଟିଏ ମିନିଟ୍ ଡେରି କରିବାର ନୁହଁ । ଏବେ ସିଧା ଘରକୁ. . . ।

ରାସ୍ତାରୁ ଅଟୋ ଅଟକେଇ ଉଠି ପଡ଼ିଲା ସିଏ । ଓଃ ଏତେ କଥା କାହିଁକି ଘଟି ଥାଆନ୍ତା କି ? ଚାକିରି ପାଇଁ କମ୍ପାନୀର ଆପଏଣ୍ଟମେଣ୍ଟ ଅର୍ଡର ପାଇବା ଦିନ ବାପାଙ୍କର ସେଇ ଖୁସି ଖୁସିର ଭାବ ଆଜି ବି ମନେ ଅଛି । ପୁଣି ଷ୍ଟେସନ ପାଖରେ ବାଙ୍ଗାଲୋର୍‌କୁ ବିଦାୟ ଦେବାବେଳର ବେଦନାରେ ଭର୍ତ୍ତି ମୁହଁ ବି ଭୁଲି ନାହିଁ । ଆହୁରି ମଧ୍ୟ ଦୁଃଖକୁ ନିଜ ଛାତି ଭିତରେ ଦଫନ୍ କରିବାରେ ତାଙ୍କ ସମର୍ଥ ବ୍ୟକ୍ତିତ୍ୱ କଥା ମନେଅଛି ।

ବାଙ୍ଗାଲୋରରେ ଚାକିରିର ଦି’ମାସ ଯାଇଚି କି ନାହିଁ କମ୍ପାନୀର ନୂଆ ପ୍ରୋଜେକ୍ଟ କାମରେ ତାକୁ ସିଙ୍ଗାପୁର ଯିବାକୁ ହେଇଚି । ସିଙ୍ଗାପୁରରେ ଏକାଦି କ୍ରମେ ଗୋଟିଏ ପରିବର୍ଦ୍ଧିତ ପ୍ରୋଜେକ୍ଟ କାମକୁ ଶେଷ କରିବାକୁ ତାକୁ ଅଟକିଯିବାକୁ ପଡ଼ିଚି ଦୀର୍ଘ ପାଞ୍ଚବର୍ଷ । ସେଠୁ ଫେରି ସେ ଜିଦ୍ କରି ଘରକୁ ଆସିଚି ।

ପାଞ୍ଚବର୍ଷ ରହଣି ଭିତରେ ସିଏ ଦିନଟାଏ ଭୁଲିପାରିନାହିଁ ବାପାଙ୍କ କଥା । ତା’ର ଚାକିରି କରିବାର ସ୍ୱାଦ ଆଜି ପ୍ରଥମ ଥର କରି ବାପା ଚାଖିବେ । ଆସିବାବେଳେ ସବୁଠୁ ଦାମୀମିଠା ପ୍ୟାକେଟ୍ ସାଙ୍ଗରେ ଆଣିବାକୁ ଭୁଲି ନଥିଲା । ଅଥଚ. . . ।

ଘରେ ପହଞ୍ଚି ଯେତେବେଳେ ସିଏ ବୋଉ ପାଖରେ ଜିଦ୍ କରେ ତା’ର ଏଇ ପ୍ୟାକେଟ୍‌ରୁ ଯଦି କେହି ପ୍ରଥମେ ଖାଇବେ ସିଏ ବାପା ହିଁ ହୁଅନ୍ତୁ । ଏମିତିକି ନିଜ ହାତରେ ଖୁଆଇ ଦେଇ ଥରେ ବାପାଙ୍କର ଚାକିରି ବେଳର ସେଇ ଖୁସି ଖୁସିର ମୁହଁକୁ ଦେଖିବ । ଏବଂ ଆଜିଯାଏ ସିଏ ନାଆଁଟିଏ ଦେଇପାରି ନଥିବା ସେଇ ତୁଚ୍ଛା ଭାତକୁ ଗିଳି ପକାଉଥିବା ଲୋକର ଚିତ୍ର ନାଁଟିଏ ଦବ ।

ବାପା ଡାଇନିଂ ଟେବୁଲ୍ ପାଖରେ ତ ବସିଥିଲେ । ଏ ଭିତରେ ତାଙ୍କର ସେ ପୂର୍ବ ଚେହେରା ନାହିଁ । ଶେଥା ଶେଥା ଦିଶୁଛନ୍ତି । କିନ୍ତୁ କେଜାଣି କାହିଁକି ଦେବବ୍ରତ ଏଇ ଜିଦ୍‌ଟେ କଲାବେଳେ ମଉଳି ଯାଉଥିଲା ବୋଉର ମୁହଁ । ତା’ ବନ୍ଧଭଙ୍ଗା ବନ୍ୟା ପରି ଆଗ୍ରହ ପାଖରେ ବୋଉର ବା କି ପ୍ରତିବାଦ କରିବାର ଥିଲା । ଏଇ କଥାଟି କିନ୍ତୁ ବୁଝିପାରି ନଥିଲା ସିଏ ।

ଡାଇନିଂ ଟେବୁଲ୍ ପାଖରେ ବସିଥିବା ବାପାଙ୍କ ପାଖକୁ ଯାଇ ସିଏ ପ୍ୟାକେଟ୍ରୁ ପ୍ରଥମ ମିଠାଟି ଖୁଆଇ ଦେବାକୁ ବଢ଼େଇ ଦେଇଥିଲା ତା’ ହାତ । ବାପା ଥରେ ତା’ ହାତକୁ, ଥରେ ତା’ ମିଠା ପ୍ୟାକେଟ୍କୁ ଚାହିଁଲେ । ଓଃ ସେ କି କରୁଣ ଚାହାଁଣି ! ! !

ଅଥଚ ଆଁ କରିପାରୁନଥିଲେ କେତେ ସମୟ ଯାଏ । ଦେବବ୍ରତ ଆବାକ୍ ! ପଛରୁ ବୋଉ ଗୋଟେ ମଉଳାସ୍ୱରରେ ଅନୁନାସିକ ହୋଇ କହୁଥିଲା ସିଏ କ’ଣ ତୋ ମିଠା ଖାଇବେ କିରେ ବାବୁ ! ଡାକ୍ତର ଆଜି ଆସି ପରା ଇନ୍‌ସୁଲିନ୍ ଦେଇ ଯାଇଛନ୍ତି । କହିଛନ୍ତି ଖାଇବାକୁ ଟିକେ ନିଜର ନ ଦେଲେ. . . ।

ଆଁ କରି ଚାହିଁ ରହିଥିଲା ଦେବ । ଆଖି ଆଗରେ ଭାସି ଯାଉଥିଲା ପିଲାଦିନର ଅପୂର୍ଣ୍ଣାଙ୍ଗ ସେଇ ଚିତ୍ର । ସିଏ ଶୁଣିପାରୁଥିଲା କି ନାହିଁ ବୋଉ ଗୋଟେ ଭାରି ଭାରି ସ୍ୱରରେ କହୁଥିଲା ତୋ ବାପାଙ୍କର ଦି’ବର୍ଷର ଡାଇବେଟିସ୍, ଏବେ ଶହେ ଅଶୀ ।

ବୋଉଠୁ ଏତକ ଶୁଣି ସାରିଲା ପରେ ଦେବ ଉଠି ଯାଇଚି ଯେ ସକାଳ ପହରୁ. . . ମନରେ ଗୋଟାଏ ଜିଦ୍ ଯୋଉଠୁ ବି ହେଉ ବାପାଙ୍କ ପାଇଁ ସୁଗାର ଫ୍ରି ମିଠା ଆଣିବ ଇ ଆଣିବ ।

ଲୋକପ୍ରିୟ ଲେଖା

To Top