ଗଳ୍ପ

ଅଧା ପାଗଳର କମାଲ୍ କଥା…

Prasanta Kumar Behera's odia Story Adhaa Paagalara Kamaal Kathaa

ଯେଉଁ ପୁଅ ଉପରେ ତା ମାଆ ବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡେ ଯେଉଁ ମାଟିରେ ହାତ ଦିଏ ସେଇ ମାଟି ବି ସୁନା ହୋଇଯାଏ ।

ଅଧା ପାଗଳର କମାଲ୍ କଥା .....

ଏଇ ଦିନ ୧୧ ପାଖା ପାଖି ହେବ । ଅଧା ପାଗଳଟା ହଠାତ୍ ଆମ ଘର ଭିତରକୁ ପଶିଆସି ନମସ୍କାରଟେ ଫୋପାଡ଼ି ଦେଇ ଫାଙ୍କା ଥିବା ଗୋଟେ ଚେୟାର୍‌ରେ ବସିପଡିଲା ।

ମୁଁ ପଚାରିଲି, “କଣ ଆଉ ସବୁ ଭଲ ତ ?”

ଉତ୍ତରରେ ସେ କହିଲା, “ହଁ ସାର୍ ସବୁ ଭଲ । ଏମିତି ଟିକେ ଆପଣଙ୍କୁ ଦେଖା କରିବାକୁ ଆସିଲି ।”

ପାଖରେ ଆଉ ଗୋଟେ ଚେୟାରରେ ମୋ ବୋଉ ବସିଥାନ୍ତି । ଶୀତ ଦିନ ହେତୁ ତାକୁ ଚାହା ଦେବା ଠିକ୍ ହେବ ବୋଲି ଚିନ୍ତା କରି ମୋ ସ୍ତ୍ରୀକୁ ଦୁଇ କପ୍ ଚାହା କରିବାକୁ କହିଲି । ଏମିତିରେ ସ୍ତ୍ରୀ ନିୟମ କରିଥାଏ ସକାଳ ବେଳା କପେ ଓ ସନ୍ଧ୍ୟାରେ କପେ – ଏଇ ମାତ୍ର ଦୁଇ କପ୍ ଚାହା ଦିନକୁ ମୋତେ ମିଳେ । କିନ୍ତୁ ଯଦି କିଏ ଅତିଥି ଆସିଗଲେ ତାହେଲେ ଡାଳୁଅ ପାଇଁ ଯେମିତି କନସିରି ପାଣି ପାଇଯାଏ ସେମିତି ମୋତେ ମଧ୍ୟ ମୋ କୋଟା ବାହାରୁ ଚାହା ମିଳିଥାଏ ।

କିଛି ଲୋକ ସେ ଲୋକଟିକୁ ଅଧା ପାଗଳ କାଇଁ କୁହନ୍ତି ମୁଁ ଏ ଯାଏ ମଧ୍ୟ କିଛି ସେମିତି ବଳିଷ୍ଠ କାରଣ ଖୋଜି ପାଇନି । ଏଇ କଥା ମନକୁ ଆସିବା ମାତ୍ରେ ଅଧା ପାଗଳ ଆଉ ଫୁଲ୍ ପାଗଳ ବିଷୟରେ ଗୋଟେ ଗପ ମନେ ପଡେ । ଗପ କହିବା ଅପେକ୍ଷା ଗୁଲି ବୋଲି କହିବା ଠିକ୍ ହେବ । କିନ୍ତୁ ସେଇ ଗୁଲିରେ ମୁଁ ହସି ହସି ବେଦମ୍ ହୋଇଥିଲି ।

ସେ ଗୁଲି ଗପଟି ଥିଲା ଏମିତି :-

ଗୋଟେ ପ୍ରାଇମେରୀ ସ୍କୁଲ୍‌କୁ ନିରିକ୍ଷଣ କରିବା ପାଇଁ ସ୍କୁଲ ଇନ୍ସପେକ୍ଟର ପରଦିନ ଆସିବା ପାଇଁ ସ୍ଥିର ହୋଇଥାଏ । ସ୍କୁଲର ସବୁ ସାର୍ ଓ ମାଡାମ୍ ମାନେ ପୁରା ବିଚଳିତ ହେଉଥାନ୍ତି । କାହା ଚାକିରି ଯିବ କି କଣ ହେବ ଏମିତି ଭୟ ସମସ୍ତଙ୍କୁ ଘାରୁଥାଏ । ସ୍କୁଲର ହେଡ୍ ସାର୍ ସବୁ ଶ୍ରେଣୀର ଭଲ ପିଲା ମାନଙ୍କୁ ଡାକି ବୁଝାଉଥନ୍ତି । ଯାହା ପ୍ରଶ୍ନ ଇନ୍ସପେକ୍ଟର କରିବେ ସେମାନେ ହାତ ଟେକି ସଠିକ୍ ଉତ୍ତର ଯେମିତି ଦେବେ । ମେଧାବୀ ପିଲା ମାନେ ହେଡ୍ ସାର୍ ଙ୍କ କଥାରେ ମୁଣ୍ତ ହଲାଇ ହଁ ମାରୁଥାନ୍ତି ।

ପରଦିନ ଠିକ୍ ସକାଳ ୧୧ ଟାରେ ଇନ୍ସପେକ୍ଟର ସ୍କୁଲରେ ପହଞ୍ଚିଗଲେ । ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଲେସନ୍ ପ୍ଲାନ୍ ସବୁ ଦେଖିସାରି ପଞ୍ଚମ ଶ୍ରେଣୀକୁ ଇନସ୍ପେକସନରେ ଯିବାକୁ ସ୍ଥିର କଲେ । ତାଙ୍କ ସହ ସ୍କୁଲର ହେଡ୍ ସାର୍ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମଧ୍ୟ ସେ କ୍ଲାସ ରୁମ୍ ଅଭିମୁଖେ ଚାଲିଲେ । ସେଠି ପହଞ୍ଚି ଇନ୍ସପେକ୍ଟର ମହାଶୟ ସମସ୍ତ ପିଲା ମାନଙ୍କ ଉପରେ ଆଗ ଭଲକରି ଆଖି ବୁଲାଇ ଆଣିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୁରା ଶଙ୍କାଗ୍ରସ୍ତ ଅବସ୍ଥାରେ ଥାଆନ୍ତି । ପିଲା ମାନେ ମଧ୍ୟ ତାଙ୍କ ସାର୍ ଓ ମାଡାମ୍ ମାନଙ୍କ ଅବସ୍ଥା ଦେଖି ପୁରା ଡରି ମରି ଥାଆନ୍ତି । ସ୍କୁଲ ପରିବେଶ ସାରା କେମିତି ଏକ ଭୟର ବାତାବରଣ ସୃଷ୍ଟି ହୋଇଥାଏ । ସମସ୍ତେ ପୁରା ଚୁପ୍ ଚାପ୍ ହୋଇ ଥାଆନ୍ତି । ଏତେ ନୀରବତା ବିରାଜମାନ କରୁଥାଏ ଯାହାକୁ କଥାରେ କୁହନ୍ତି ଛୁଞ୍ଚି ପଡିଲେ ବି ଶବ୍ଦ ହେବ ।

ଏମିତି ଏକ ସମୟରେ ଇନ୍ସପେକ୍ଟର ହଠାତ୍ ପ୍ରଶ୍ନ ପଚାରିଲେ , ” ଆଛା ପିଲାଏ କହିଲ ଦେଖି ? ଯଦି ବଜାରରେ ଆଳୁ କିଲୋ ୧୦ ଟଙ୍କା ତାହେଲେ ମୋ ବୟସ କେତେ ? ”

ଏମିତି ପ୍ରଶ୍ନ ଶୁଣି ହେଡ୍ ସାର୍‌ଙ୍କ ମୁଣ୍ତ ପୁରା ଗୋଳମାଳ ଧରିଗଲା । ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆବାକାବା ହୋଇ ପରଷ୍ପର ମୁହଁକୁ ଚାହାଁଚହିଁ ହେଉଥାନ୍ତି । ଏମିତିକା ପ୍ରଶ୍ନର ଉତ୍ତର ତାଙ୍କୁ ତ ମାଲୁମ୍ ନାହିଁ ପିଲାମାନେ କଣ ବା ଉତ୍ତର ଦେବେ ? ସେ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ମାନେ ବଡ ବିକଳ ହୋଇ ତାଙ୍କ ହେଡ୍ ସାରଙ୍କ ମୁହଁକୁ ଅନେଇଥାନ୍ତି ।

ହଠାତ୍ ଦେଖାଗଲା ପୁରା ଶ୍ରେଣୀର ପଛ ଲାଇନ୍‌ରେ ବସିଥାବା ଟୁନା ହାତ ଟେକିଦେଲା । ଟୁନା ହଉଛି ସ୍କୁଲର ସବୁଠୁ ବାଳୁଙ୍ଗା ଟୋକା । ପାଠ ପଢା କଥା ଛାଡ ଶାଠରେ ମଧ୍ୟ ଶୁନ୍ । ଟୁନା ହାତ ଟେକିବା ମାତ୍ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁରା ପ୍ରମାଦ ଗଣିବା ଆରମ୍ଭ କରିଦେଲେ । ଯେଉଁ ପ୍ରଶ୍ନର ଉତ୍ତର ସେମାନଙ୍କୁ ଜଣା ନାହିଁ ଏ ବାଳୁଙ୍ଗା ଟୁନା କଣ କହିବ କେଜାଣି ?

ଇନ୍ସପେକ୍ଟର ଟୁନା ହାତ ଟେକିବା ଦେଖି କହିଲେ, “ଯାହା ହେଉ ଏତେ ପିଲାଙ୍କ ଭିତରେ ଗୋଟେ ଭଲ ପିଲା ଅଛି । କହିଲୁ ବାପା କଣ ଉତ୍ତର ? ”

ଟୁନା ଗୋଟେ ବେପରୁଆ ଠାଣିରେ ଠିଆ ହେଲା । ହେଡ୍ ସାରଙ୍କର ସେତେବେଳକୁ ବିନା ଗରମ ପାଗରେ ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥାଏ ।

ଟୁନା ଠିଆ ହୋଇ ବଡ ପାଟି କରି କହିଲା, “କହିବି ତାହାଲେ ?”

ଇନ୍ସପେକ୍ଟର ବଡ ବ୍ୟଗ୍ର ହୋଇ କହିଲେ, ” ହଁ କୁହ ତୁମେ । ଆଦୌ ଡରନି ।”

ଟୁନା ହେଡ୍ ସାରଙ୍କ ଆଡକୁ ଇଙ୍ଗିତ କରି କହିଲା, “ନାଇଁ ଥାଉ କହିବିନି । ଆପଣ ଚାଲିଗଲା ପରେ ଏ ସାର୍ ମୋତେ ଧୁମ୍ ପିଟିବେ ।”

ସେତେବେଳେ ସ୍କୁଲ ମାନଙ୍କରେ ଆଜିକାଲି ପରି ଦଣ୍ତମୁକ୍ତ ଅଞ୍ଚଳ ନଥିଲ। । ପିଲା ମାନେ ପାଠ ନ ପଢିଲେ କିମ୍ୱା ଦୁଷ୍ଟାମି କଲେ ଶିକ୍ଷକ ମାନେ ଦଣ୍ତ ଦେଉଥିଲେ ।

ଟୁନା କଥାରେ ଇନ୍ସପେକ୍ଟର ତାକୁ ପୁରା ଆଶ୍ୱାସନା ଦେଇ କହିଲେ , “ମୁଁ ପରା କହୁଛି , ତୁମେ କୁହ , କେହି ତୁମକୁ ମାରିବେନି ।”

ଟୁନା ତଥାପି ଡରି ମରି ହେଡ୍ ସାରଙ୍କ ଆଡକୁ ଟିକେ ଶେଷଥର ପାଇଁ ଅନାଇଲା ତା ପରେ କହିଲା, “ବଜାରରେ ଯଦି ଆଳୁ କିଲୋ ୧୦ ଟଙ୍କା ତାହେଲେ ଆପଣଙ୍କୁ ଏବେ ନିଶ୍ଚେ ୪୦ ବର୍ଷ ।”

ସ୍କୁଲ ଇନ୍ସପେକ୍ଟର ଟୁନାର ଉତ୍ତରରେ ପୁରା ଖୁସି ହୋଇଗଲେ । ସେ ଟୁନାକୁ ସଙ୍ଗେ ସଙ୍ଗେ ପକେଟରୁ ୧୦ ଟଙ୍କା ବାହାର କରି ପୁରଷ୍କାର ଦେବା ସହ ହେଡ୍ ସାରଙ୍କୁ ପ୍ରଶଂସାରେ ପୋତି ପକାଉଥାନ୍ତି ।

ସେ କହିଲେ, “ଯେତେ ସ୍କୁଲ ଯାଇଛି, ସବୁଠି ଏ ପ୍ରଶ୍ନ ପଚାରିଛି । କିନ୍ତୁ କେହି ଏ ଯାଏ ସଠିକ୍ ଉତ୍ତର ଦେଇ ପାରି ନଥିଲେ । ଆପଣମାନେ ଠିକ୍ ପାଠ ପଢାଇଥିବାରୁ ଆଜି ସଠିକ୍ ଉତ୍ତର ମୁଁ ପାଇଗଲି । ଉପରକୁ ବହୁତ ଭଲ ରିପୋର୍ଟ ଆପଣ ମାନଙ୍କ ବିଷୟରେ ଦେବି ।”

ଇନ୍ସପେକ୍ଟରଙ୍କ ସବୁତକ ପ୍ରଶଂସା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦେହରେ ଛୁଞ୍ଚି ଫୁଟିଲା ପରି ଲାଗୁଥାଏ । ବହୁତ ଖୁସି ହୋଇ ଇନ୍ସପେକ୍ଟର ସେଦିନ ସ୍କୁଲରୁ ବିଦାୟ ନେଲେ ।

ଇନ୍ସପେକ୍ଟର ସ୍କୁଲରୁ ଯିବା ପରେ ସମସ୍ତେ ଏକାଠି ହୋଇ ପୁଣି ସେଇ ପଞ୍ଚମ ଶ୍ରେଣୀକୁ ଗଲେ । ଟୁନା ଭିତରେ ଭୟ କରୁଥାଏ । ସେ ସମସ୍ତଙ୍କୁ ପୁଣି ଏକାଠି ହୋଇ ଆସିବାର ଦେଖି ଜଣିଗଲା ମାଡ଼ ବସିବାର ବେଳ ଏବେ ଅତି ନିକଟରେ । ହେଡ ସାର୍ ତାକୁ କହିଲେ ଠିଆ ହେବାକୁ । ସେ ଚୁପ୍ କରି ସୁନା ପିଲାଟେ ପରି ଠିଆ ହୋଇଗଲା ।

ହେଡ୍ ସାର୍ ତାକୁ ବୁଝାଇ କହିଲେ, “ନାଇଁ ମାରିବି ନାହିଁ, କିନ୍ତୁ ସେ ପ୍ରଶ୍ନର ଉତ୍ତର କେମିତି ଦେଲୁ ସତ କହିଲୁ ବାପା ?”

ଟୁନା ଡରି ଡରି କହିଲା, “ସାର୍ ଆମ ଗାଁରେ ଗୋଟେ ଅଧା ପାଗଳ ଅଛି । ତାକୁ ୨୦ ବର୍ଷ । ଏ ଯେଉଁ ସାର୍ ଆସିଥିଲେ ସେ ହେଉଛନ୍ତି ଫୁଲ୍ ପାଗଳ , ତେଣୁ ତାଙ୍କୁ ନିଶ୍ଚେ ୪୦ ବର୍ଷ ହୋଇଥିବ ବୋଲି ଜାଣିଦେଲି ।”

ଏବେ ମୋ ସାମ୍ନାରେ ବସିଥିବା ଅଧା ପାଗଳର କମାଲ୍ କଥାକୁ ଯିବା । ଅବଶ୍ୟ ପ୍ରଥମରୁ ମୁଁ କହିଛି ତାକୁ ଅଧା ପାଗଳ କାହିଁକି କିଛି ଲୋକ କୁହନ୍ତି ତାର ଯୁକ୍ତିଯୁକ୍ତ କାରଣ ମୁଁ ଏଯାଏ ପାଇନି । ବେଳେ ବେଳେ ଦେଖେ ସେ ଗୋଟେ ଖାତା କଲମ ଧରି ଛକି ଶୂନ ଖେଳୁଥାଏ ବା କିଛି ଗାର କାଟିବାରେ ବ୍ୟସ୍ତଥାଏ । ଆଉ କେତେବେଳେ ଗୁଣୁଗୁଣ୍ ହୋଇ କିଛି ମନକୁ ମନ ବୋଲୁଥାଏ । କିନ୍ତୁ ଯଦି କାହାକୁ ଦେଖିଦେଲା ତାହେଲେ ସେସବୁ କାର୍ଯ୍ୟରୁ ସଙ୍ଗେ ସଙ୍ଗେ ବିରତ ହୋଇଯାଏ । ଅର୍ଥାତ୍ ଏକୁଟିଆ ଥିବାବେଳେ ସେ ଏମିତି ସବୁ କରେ । କିନ୍ତୁ ଏସବୁ ପାଇଁ ତାକୁ ଅଧା ପାଗଳର ଆଖ୍ୟା କାହିଁକି ଦିଆଯିବ ? ଏମିତିରେ ତ ବହୁତ ଲୋକ ବିନା କାରଣରେ ବହୁତ କାମ କରିଥାନ୍ତି ।

ମୁଁ ଶୁଣିଛି କୁଆଡେ କ୍ରିକେଟର ଭଗବାନ୍ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଯେତେବେଳେ ଖେଳୁଥିଲେ ସେତେବେଳେ ନିଶ୍ଚୟ ନିତି ଦିନ କିଛି ସମୟ ବାହାର କରି ପାର୍କ ବା ଅନ୍ୟ କୌଣସି ନିରୋଳା ଜାଗାରେ ଚୁ୍ପ୍ ଚାପ୍ ବସି ଅଳ୍ପ ଦୂରତାରେ ଥିବା ଗୋଟେ ଗଛର ବା ଅନ୍ୟକିଛି ବସ୍ତୁର ନିଦ୍ଧିଷ୍ଟ ବିନ୍ଦୁପରି ଥିବା ଚିହ୍ନକୁ ଏକଲୟରେ ପଲକ ନପକାଇ ବହୁତ ସମୟ ଚାହିଁ ରୁହନ୍ତି । ଯେହେତୁ ସେ ଏତେବଡ ଖେଳାଳି ତେଣୁ ତାଙ୍କୁ ଏ ଅବସ୍ଥାରେ ଯିଏ ବି ଦେଖନ୍ତି ଫୁଲ୍ ପାଗଳ କିମ୍ବା ଅଧା ପାଗଳ ବୋଲି ଭାବି ପାରନ୍ତିନି । ବରଂ ନିଜ ନିଜ ଭିତରେ କୁଆଡେ କୁହାକୁହି ହୁଅନ୍ତି – “ହେଇ ଦେଖ, ସେଠି ସଚିନ୍ ବସି କେମିତି ନିଜର ଏକାଗ୍ରତା ( Concentration ) ବଢାଉଛନ୍ତି ।”

ତାମାନେ ସଚିନ୍ ଏକ ଲୟରେ ଅନାଇଁ ଥିବା ବିନ୍ଦୁ ବାଟ ଦେଇ ଯେମିତି କ୍ରିକେଟ୍ ବଲ୍ ସବୁ ବାରମ୍ବାର ଆସୁଥାନ୍ତି ଆଉ ଏମିତି ଅନେଇବା ଭିତରେ କ୍ରିକେଟ ବଲ୍ ତାଙ୍କୁ ଫୁଟବଲ୍ ପରି ଦେଖାଯାଏ ଆଉ ତାର ପ୍ରଭାବରେ ଖେଳପଡିଆ ପିଚ୍‌ରେ ସେଥିପାଇଁ ବଲ୍‌କୁ ସମ୍ମୁଖିନ ହେବା ତାଙ୍କ ପକ୍ଷରେ ଖୁବ୍ ସହଜ ହୋଇଯାଏ ବୋଧେ । ଯଦି ସଚିନ୍ ଏଥିପାଇଁ ଅଧା ପାଗଳ ନହେବେ ତାହେଲେ ଏ ଲୋକଟି କାଇଁ ହେବ ?

ଥରେ ସେ ବସିଥିବା ରୁମ୍ ଭିତରକୁ ହଠାତ୍ ପଶିଯାଇ ଦେଖିଲି କଣ ଗୁଣୁଗୁଣ୍ ହୋଇ ବୋଲୁଛି । ମୋତେ ଦେଖି ସେ ପୁରା ଚୁପ୍ ହୋଇଗଲା । ମୁଁ ତାକୁ ପଚାରିଲି, “ଆଚ୍ଛା ଏବେ ଗୁଣୁଗୁଣ୍ ହୋଇ କଣ ସବୁ କହି ଯାଉଥିଲ ?”

ଉତ୍ତରରେ ସେ କହିଲା, “ନାଇଁ ସାର୍ କିଛି ନାଇଁ ।”

ମୁଁ କିନ୍ତୁ ମୋ ଜିଜ୍ଞାସାକୁ ଖତମ୍ କରିବା ଚକ୍କରରେ ତାକୁ ପୁଣି ପଚାରିଲି , “କଣ ନାଇଁ ? ମୁଁ ପରା ଏ ରୁମ୍ ରେ ପଶିବା ବେଳେ ଆପଣ କଣ ଗୁଣୁଗୁଣ୍ ହୋଇ ଗାଉଥିଲେ ।”

ସେ ଟିକେ ହସିଦେଇ କହିଲା, “ସାର୍ ମୁଁ, ଟିକେ ହନୁମାନ୍ ଚାଳିଶା ବୋଲୁଥିଲି ।”

ତା’ କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମନେ ମନେ ଭାବିଲି ଏ ଲୋକ ତାହେଲେ ଅହରହ ଗୁଣୁଗୁଣ୍ ହୋଇ ମନ୍ତ୍ର ସବୁ ଉଚ୍ଚାରଣ କରେ । ତଥାପି ମନରେ ପ୍ରଶ୍ନ ଆସିଲା – ଏମିତି କାହିଁକି ସେ କରେ ?

ତାକୁ ପୁଣି ପଚାରିଲି, “ଆଚ୍ଛା ଠାକୁରଙ୍କୁ ପୂଜା ଅର୍ଚ୍ଚନା କଲାବେଳେ ତ ମନ୍ତ୍ର ଉଚ୍ଚାରଣ କରୁଥିବେ । ଏଠି ସେଠି ବସି ଏମିତି ଗୁଣୁଗୁଣ୍ ହୋଇ ମନ୍ତ୍ର ବୋଲିବାର କାରଣ କଣ ?”

ସେ ପୁଣି ହସିଦେଇ କହିଲା, “ଆଜିକାଲି ସମୟ ଖୁବ୍ ଖରାପ । ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତଲବ୍ ମନରେ ରଖି ବୁଲୁଛନ୍ତି । ହନୁମାନ୍ ଚାଳିଶା କିମ୍ବା ଗାୟତ୍ରୀ ମନ୍ତ୍ରରୁ କିଛି ପଦ ବୋଲି ଦେଲେ ଏଇ ଏରିଆରେ ତାର ଗୋଟେ ଫୋକସ୍ ପଡେ । ଗୋଟେ ଖୁବ୍ ଶକ୍ତିଶାଳୀ ଚକ୍ର ମୋ ଚାରିପଟେ ବୁଲେ ଫଳରେ ଏଠି ବୁଲୁଥିବା ଭୟଙ୍କର ଲୋକମାନେ ମୋର କୌଣସି କ୍ଷତି କରିପାରିବେନି ବରଂ ଏଇ ମନ୍ତ୍ରର ପ୍ରଭାବରେ ସେମାନଙ୍କର କୁ -ସ୍ୱଭାବରେ ପରିବର୍ତ୍ତନ ଆସିପାରିବ । ଦୁନିଆର ସବୁଆଡେ ଯେହେତୁ ସେଇ ଖଳ ପକୃତିର ଲୋକ ଖୁନ୍ଦି ହୋଇ ରହିଛନ୍ତି ତେଣୁ ମୁଁ ଯେଉଠିକୁ ବି ଯାଏ ସେଠି ସୁବିଧା ପାଇବା ମାତ୍ରେ ମନ୍ତ୍ର ବୋଲେ ।”

ମୁଁ ତା କଥାରେ ସେଦିନ ବହୁତ ଭାବିଲି । ସେ ତା ମନ ଭିତରେ ଗୋଟେ ପଜେଟିଭ୍ ଭାବନା ଧରି ଯୁଆଡେ ଯାଉଛି ସେଠି ମନ୍ତ୍ର ବୋଲୁଛି । ଖଳ ଲୋକଙ୍କୁ ସେ ମନ୍ତ୍ରର ଫୋକସ୍ ପକାଇ ଭଲ ବାଟକୁ ଆଣିବାକୁ ଚେଷ୍ଟା କରୁଛି । ଖଳ ଲୋକ ତା’ ମନ୍ତ୍ର ପ୍ରଭାବରେ ଭଲ ମଣିଷ ହେଉଥିବେ କି ନା ସେକଥା ମୋ ମନ ଭିତରର ପ୍ରଶ୍ନ ହୋଇଥିଲେ ବି ଯଦି ସେ ସେମିତି ଭାବୁଛି ତାହେଲେ ସେଥିରେ କିଛି ଅସୁବିଧା ନାହିଁ । ଏମିତିରେ ଯଦି ସଚିନ୍ ଏକାଗ୍ରତାର ସହିତ ଆଖିରେ ପଲକ ନପକାଇ ଗୋଟେ ବିନ୍ଦୁକୁ ବହୁତ ସମୟ ଧରି ଚାହିଁ ରହି ତାର ପ୍ରଭାବରେ ଖେଳ ପଡିଆରେ କ୍ରିକେଟ୍ ବଲ୍ ତାଙ୍କୁ ଫୁଟବଲ୍ ପରି ଦେଖା ଯାଉଛି ତାହେଲେ ଏ ଲୋକ ବି ଗୋଟେ ମହତ୍ ଉଦ୍ଦେଶ୍ୟ ରଖି ଯଦି ଏଠି ସେଠି ହନୁମାନ୍ ଚାଳିଶା ବା ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କଲା ତାହେଲେ ତାକୁ ଅଧା ପାଗଳ କାହିଁକି କୁହାଯିବ ?

ସେ ଆମ ଘରେ ମୋ ସମ୍ମୁଖରେ ବସିଛି । ମୁଁ ଠିକ୍ ଜାଣିଛି ଯଦି ତାକୁ ଏକୁଟିଆ କିଛି ସମୟ ଛାଡି ଦିଆଯିବ ତାହେଲେ ସେ ମୋ ଘରେ ମଧ୍ୟ ସେଇ ମନ୍ତ୍ର ସବୁକୁ ଗୁଣୁଗୁଣ୍ କରି ବୋଲିବା ଆରମ୍ଭ କରିଦେବ । ଅର୍ଥାତ୍ ଆମ ଘରେ ଆମ ପରିବାର ସଦସ୍ୟ ମନଙ୍କ ଭିତରେ ଯାହା କିଛି ଖଳ ଭାବନା ଥିବ ତାକୁ ସେ ନିଜର ମନ୍ତ୍ରର ଫୋକସ୍ ରେ ଭଲ ଗୁଣରେ ରୂପାନ୍ତରିତ କରିଦେଇ ପାରିବ । ଅବଶ୍ୟ ମୁଁ କିଛି ସମୟ ପାଇଁ ଉଠିଯାଇ ପାରେ କିନ୍ତୁ ମୋ ବୋଉ ସେଇ ପାଖରେ ଗୋଟେ ଚେୟାର୍‌ରେ ବସିଥାନ୍ତି । ତେଣୁ ତାକୁ ଏକୁଟିଆ ସେଠି ବସିବାକୁ ଛାଡି ହେବନି ଚିନ୍ତାକଲି ।

ସନ୍ଧ୍ୟା ଦୁଇ କପ୍ ଚାଆ ଆଣି ସାମ୍ନାରେ ଥିବା ଟିପୟ ଉପରେ ରଖିଲା । ଆମେ ଦୁହେଁ ଚାଆ ପିଇବାରେ ଲାଗିଲୁ । ଏମିତି ଭିତରେ ହଠାତ୍ ମୋ ବୋଉ ତାକୁ ପଚାରିଲେ , “ପୁଅ ତମର ପିଲାପିଲି କଣ ?”

ମୋ ବୋଉ ପଚାରିଲା, “କେତେ ବଡ ବଡ ହେଲେଣି ସେମାନେ ।”

ସେ କହଲା, “ଝିଅଟି ବଡ, ୧୦ ବର୍ଷର 4th ଷ୍ଟାଣ୍ଡାର୍ଡରେ ଓ ପୁଅକୁ ଏଇ ୪ ବର୍ଷ ହେବ ।”

“ଆଉ ସବୁ ଘରେ କିଏ ଅଛନ୍ତି ? ତମ ସ୍ତ୍ରୀ ଚାକିରି କରିଛନ୍ତି ନା ଘରେ ?” ବୋଉ ପୁଣି ପଚାରିଲ। ।

ସେ କହିଲା, “ସ୍ତ୍ରୀ ଘରେ ରୁହନ୍ତି ଆଉ ମୋ ବୋଉ ବି ଅଛନ୍ତି । ବାପା ୧୦ ବର୍ଷ ତଳୁ ଏ ଦୁନିଆରୁ ଚାଲିଯାଇଛନ୍ତି । ମୋ ବଡ ଭାଇ ଆଉ ଗୋଟେ ଜାଗାରେ ଘର ଦ୍ୱାର କରି ତାଙ୍କ ପିଲାପିଲି ଧରି ରହୁଛନ୍ତି । ”

ମୁଁ ଚୁପ୍ ଚାପ୍ ବସି ସେମାନଙ୍କ କଥା ଶୁଣୁଥାଏ । ମୋ ବୋଉର ପ୍ରକୃତି ହେଉଛି ସବୁକଥା ଭଲକରି ବୁଝିବ । ମୁଁ ବୋଉର ପ୍ରଶ୍ନ କରିବାର ଷ୍ଟାଇଲରୁ ଜାଣିଗଲି ଆଜି ସହଜରେ ଏ ଲୋକ ଏଠୁ ଛାଡ ପାଇବାର ନାହିଁ ।

ବୋଉ ପୁଣି ପ୍ରଶ୍ନ କଲା, “ମାଆ କଣ ବଡ ଭାଇଙ୍କ ପାଖରେ ରୁହନ୍ତିନି ?”

ଉତ୍ତରରେ ସେ କହିଲା, “ନାଇଁ ମୋ ପାଖରେ ସବୁବେଳେ ରୁହନ୍ତି । ଭାଇ ବାହାରେ ଚାକିରି କରିଛନ୍ତି ।”

ବୋଉ – “ମାଆଙ୍କୁ କେତେ ବର୍ଷ ହେଲାଣି ?”

ସେ – “୭୭ ବର୍ଷ ହେଲାଣି । ବାପା ସରକାରୀ ଚାକିରି କରିଥିଲେ । ତେଣୁ ବୋଉ ପେନସନ୍ ବି ପାଆନ୍ତି ।”

ବୋଉ – “ମୋତେ ବି ସେଇ ୭୭ ହେଲାଣି । ବୟସ ବଢିବା ସହ ଆଣ୍ଠୁଗଣ୍ଠି ଦରଜ ହେଉଛି । ତମ ବୋଉଙ୍କ ଦେହ ଭଲ ରହୁଛି ତ ?”

ସେ କହିଲା, “ନାଇଁ ସେମିତି ଭଲ ନାହିଁ । ବୋଉ ଏଇ ନିକଟରେ ପଡିଯିବାରୁ ହାତ ଭାଙ୍ଗି ଯାଇଛି । ସେଇ ଆଣ୍ଠୁଗଣ୍ଠି ଆଗରୁ ଦରଜ ରହୁଥିଲା । ଏବେ ବେଶି କଷ୍ଟ ପାଉଛି । ଭାଙ୍ଗିଥିବା ହାତଟା ପୁରା ପ୍ଲାଷ୍ଟର୍ ହୋଇଛି ।”

ବୋଉ ପୁଣି କହିଲା, “ହଁ ବୟସ ହେଲେ ଗୋଡ ହାତ ଭାଙ୍ଗିଲେ ବହୁତ କଷ୍ଟ । ମୋ ଗୋଡ ପରା ସେମିତି ଏଇ କେଇ ବର୍ଷ ତଳେ ଭାଙ୍ଗି ଯାଇଥିଲା । ପୁରା ଠିକ୍ ହେବାକୁ ତିନି ବର୍ଷରୁ ଅଧିକ ସମୟ ଲାଗିଲା ।”

ଏଥର ସେ ବୋଉକୁ ଉତ୍ତରରେ ବହୁତ କଥା କହିଗଲା । ସେଥିରେ କିଛି କ୍ଲାରିଫିକେସନ୍ ସହ କମାଲ୍ କଥା ସବୁ ଥିଲା । ଅବଶ୍ୟ ମୋ ବୋଉ ତାକୁ କିଛି କ୍ଲାରିଫିକସନ୍ ମାଗି ନଥିଲା । ତଥାପି ସେ ତା ନିଜ ଆଡୁ ସେମିତି ସବୁ କହିଗଲା । ସେ ଯାହା ସବୁ କହିଲା ତାକୁ ନିମ୍ନରେ ରଖୁଛି –

“ଆଜିକାଲି ପରା ଓଲଟା ଯୁଗ ? ଶଶୁର ଶାଶୁଙ୍କ ୧୦୦ଟା କଥା ରହିବ କିନ୍ତୁ ବାପ ମାଆଙ୍କର ଗୋଟେ କଥା ବି ରହୁନି । ତାମାନେ ମୁଁ କହୁନି ଶାଶୁ ଶଶୁରଙ୍କୁ ଅସମ୍ମାନ କରିବାକୁ । ମୁଁ ମୋ ବୋଉର ସବୁ କାମ କରେ । ସ୍ତ୍ରୀକୁ କିଛି କରିବାକୁ ଦିଏନି । ସେ ହେଲା ପର ଝିଅ । ମୁଁ ଯେମିତି ମୋ ବୋଉର ମନକଥା ବୁଝିପାରିବି , ସେ କଣ ସେମିତି ବୁଝି ପାରିବ ? ମୋ ବୋଉର ଯେଉଁଦିନ ପେନସନ୍ ମିଳେ ସେଦିନ ଆଗ ସ୍ତ୍ରୀକୁ ୬୦୦ ଟଙ୍କା ଦେଇ ଦିଏ । ସେ ଟଙ୍କାକୁ ସ୍ତ୍ରୀ ତା’ ଇଚ୍ଛା ମୁତାବକ ଖର୍ଚ୍ଚ କରିବ । ତାକୁ କହିଛି ମୁଁ ଯେହେତୁ ଦିନସାରା ଘରେ ରହୁନି ସେଥିପାଇଁ ବୋଉକୁ ଦୁଇ ବେଳା ଠିକ୍ ସମୟରେ ଖାଇବାକୁ ଦେବୁ । ଯେହେତୁ ଦିନକୁ ୨୦ ଟଙ୍କା ହିସାବରେ ନେଉଛି ତେଣୁ ବୋଉକୁ ଠିକ୍ ସମୟରେ ଖାଇବାକୁ ଦେବାକୁ ନିଶ୍ଚିତ ମନେ ପଡିଯିବ । ଏମିତି ନ କରିଥିଲେ କିଛିଦିନ ପରେ ସେ କହିଥାନ୍ତା – ‘ମୁଁ ଏତେ କାମ କରି ପାରିବିନି ।’ ଆଉ ଗୋଟେ କଥା ମଧ୍ୟ ମୁଁ କରିଛି । ପୁଅ ଝିଅ ଦୁହିଙ୍କୁ ପ୍ରତିଦିନ ୫ ଟଙ୍କା ଲେଖାଏ ଦିଏ ଚକଲେଟ୍ ଖାଇବାକୁ । ସେମାନଙ୍କୁ କହିଛି ଦିନକୁ ନିଶ୍ଚେ ମୋ ବୋଉ ସହିତ କିଛି ସମୟ କଥା ହେବେ । ବୁଢି ଲୋକଙ୍କ ସହିତ ଛୋଟ ନାତି ନାତୁଣୀ କଥାବାର୍ତ୍ତା ହେଲେ ତାର ବହୁତ ସୁଫଳ ରହିଛି । ସେମାନେ କେବେ ନିଜକୁ ଆଉ ଅସହାୟ ବୋଲି ଭାବିବେନି । ସବୁବେଳେ ସେମାନଙ୍କ ମନ ଖୁବ୍ ପ୍ରଫୁଲ୍ଲ ରହିବ । ମୁଁ ସନ୍ଧ୍ୟାରେ ଅଫିସରୁ ଫେରି ଆଗ ମୋ ବୋଉ ସହିତ କିଛି ସମୟ କଥା ହୁଏ । ରାତିରେ ବୋଉର ମୋର ଏକାଠି ଖାଉ । ବୋଉ ଶୋଇବା ବେଳେ କିଛି ସମୟ ତାକୁ ମୋଡାଘଷା କରିଦେଲେ ସେ ନିଦରେ ଶୋଇଯାଏ । ଘରେ କେଇଟି ଗାଈ ମଧ୍ୟ ରଖିଛି । ଗୋ-ସେବା ଠାରୁ ଆଉ ପୁଣ୍ୟ କାମ କିଛି ନାହିଁ ଏ ଦୁନିଆରେ । ପିଲାମାନେ ଭଲ ଖୀର ପାଇବେ ଆଉ ଏମିତିରେ ଘରେ ଯଦି କାହାର ଦେହ କିଛି ଅସୁବିଧା ହେଲା ସେମାନେ ହିଁ ଆଗ ମୁଣ୍ତ ଦେଖାଇ ଦେବେ ।”

ମୁଁ ତା କଥା ସବୁ ଶୁଣି ମନେ ମନେ ଭାବୁଥାଏ ସତରେ ଏମିତିକା ପୁଅ ବି ଅଛନ୍ତି ଏ ଦୁନିଆରେ । ଗରିବ ଗୁରୁବା ଘର ହେତୁ ଟଙ୍କା ପଇସାର ତାକତ୍ ନାହିଁ କିନ୍ତୁ ଖୁବ୍ ସୁନ୍ଦର ମନଟେ ରହିଛି । ଆଜିକାଲି ଚିକିତ୍ସା ଖୁବ୍ ବ୍ୟୟ ବହୁଳ ହୋଇ ଗଲାଣି । ଏ ଲୋକ ସେମିତି ଦାମିକା ପଦ୍ଧତିର ଚିକିତ୍ସା ତା ମାଆକୁ ଦେଇ ନପାରେ କିନ୍ତୁ ଖୁବ୍ ମନପ୍ରାଣ ଦେଇ ସେବା ଯତ୍ନ କରିବାରେ ଟିକେ ବି ଉଣା କରିବନି । ମୁ୍ଁ ଖବର କାଗଜରେ ଆଜିକାଲି ମନକୁ ବହୁତ ଆଘାତ ଦେଲାପରି ଖବର ବହୁତ ପଢିଛି ଏଇ ପରିଣତ ବୟସର ବାପ ମାଆ ମାନଙ୍କୁ ତାଙ୍କ ପିଲାଙ୍କ ଅବହେଳା କରିବାର କଥାସବୁ । ପିଲା ମାନଙ୍କୁ ବୁଢା ବୁଢି ମାନଙ୍କ ପାଖକୁ ନ ଯିବାକୁ ତାଗିଦ୍ କରନ୍ତି ତାଙ୍କ ବାପ ମାଆ ମାନେ । ଅଥଚ ଏଠି ଗୋଟେ ପୁଅ ତା ମାଆ ସହିତ କେମିତି ତା ପୁଅ ଝିଅ କଥା ହେବେ ସେଥି ପାଇଁ ସେମାନଙ୍କୁ ପ୍ରତିଦିନ ୫ ଟଙ୍କା କରି ଚକଲେଟ୍ ଖାଇବାକୁ ଲାଞ୍ଚ ଦେଉଛି । ଯାହା ସବୁ କହିଗଲା ସେଥିରେ କିଛି ମିଛ ବା ଭେଜାଲ୍ ଥିବ ସେମିତି ମୋତେ ଆଦୌ ଲାଗୁ ନଥାଏ ।

ଏ ଭିତରେ ଚାହା ପିଇବା ସରି ଯାଇଥାଏ । ସେ ମୋତେ ଅନାଇଁ କହିଲା , “ସାର୍ ମୁଁ ଆସୁଛି ।”

ମୁଁ କେବଳ ମୁଣ୍ତ ହଲାଇ ହଉ ବୋଲି ସଂକେତ ଦେଲି । ସେ ମୋ ବୋଉ ସହିତ ମୋତେ ନମସ୍କାର କରି ଆମ ଘରୁ ବାହାରି ଗଲା । ସେ ଘର ଗେଟ୍ ପାଖରେ ପହଞ୍ଚିବା ପରେ ମୋ ବୋଉ କହିଲା , “ବୁଝିଲୁ ଟିକା , ଭଲ ପୁଅଟିଏ ।”

ମୋ ବୋଉର ଏଇ ଦୁଇ ପଦ କଥା – “ଭଲ ପୁଅଟିଏ” ଯେମିତି ବହୁତ କିଛି କଥା କହିବା ସହ ତାକୁ ଅଧା ପାଗଳ କହୁଥିବା ଲୋକମାନଙ୍କୁ ଉଚିତ୍ ଜବାବ୍ ଦେଉଥିଲା ।

ମୁଁ କେଉଁଠି ଗୋଟେ ପଢିଥିଲି , “ଯେଉଁ ପୁଅ ଉପରେ ତା ମାଆ ବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡେ ଯେଉଁ ମାଟିରେ ହାତ ଦିଏ ସେଇ ମାଟି ବି ସୁନା ହୋଇଯାଏ ।”

ମୋ ଆଖି ଆଗରୁ ଆମ ଘର ଗେଟ୍ ଦେଇ ଠିକ୍ ସେମିତିକା ପୁଅଟିଏ ଆସ୍ତେ ଆସ୍ତେ ଚାଲି ଯାଉଥିଲା ।

ଲୋକପ୍ରିୟ ଲେଖା

To Top