ଗଳ୍ପ

ଅଦିନ ବଉଳ

Aravind Das's odia story Adina Baula

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବୋହୁ ରୀନା ଗମ୍ଭୀର କଣ୍ଠରେ କହିଲା । “ଯଦି ଗଛଟା କଟା ହେବ ତେବେ ବୋଉ ଓ ମୁଁ ଏ ଘରେ ପାଣି ଛୁଇଁବୁନି ବୋଲି ଆଗରୁ କହିଦେଉଛି ।”

ଅଦିନ ବଉଳ

ସୁମିତ୍ରା ନିଜକୁ ଦର୍ପଣରେ ଦେଖୁଥିଲେ । ଅଜଣାତରେ ହାତଟାକୁ ନିଜ ପେଟ ଉପରେ ବୁଲାଇ ଆଣିଲେ । ସତରେ କଣ କିଛି ପରିବର୍ତ୍ତନ ଜଣାପଡ଼ୁଛି? ଡାହାଣ, ବାଁକୁ ବୁଲି ପୁଣି ନଜ ଅଣ୍ଟା ଓ ପେଟକୁ ପରୀକ୍ଷା ନିରୀକ୍ଷା କରୁଥିଲେ ସୁମିତ୍ରା ।

ସେ ଯେ ପୁଣି ମା ହେବାକୁ ଯାଉଛନ୍ତି, ଏକଥା ସେ ବିଶ୍ୱାସ କରିପାରୁନଥିଲେ । ପୁଅ ଝିଅଙ୍କର ବାହାଘର କରିସାରି ନାତି ନାତୁଣୀଙ୍କୁ ନେଇ ନିଜ ସଂସାର ଚଳାଉଥିଲା ବେଳେ, ହଠାତ୍ ଏମିତି ଏକ ଆକସ୍ମିକ ବିଡ଼ମ୍ବନା?

ଦୁଃସମ୍ବାଦ କହିବେ ନା ସୁସମ୍ବାଦ? ମୁଣ୍ଡରେ ତାଙ୍କର କିଛି ପଶୁନଥିଲା । ଏ ବୟସରେ ସେ ଯେ ମା ହେବାକୁ ଯାଉଛନ୍ତି, ଏକଥା ସମସ୍ତଙ୍କୁ କେମିତି କହିବେ ? ସ୍ୱାମୀ ସୁଧାକରଙ୍କ ଅପେକ୍ଷା ନିଜ ଉପରେ ବେଶୀ ରାଗ ଆସୁଥିଲା ।

ସେ ଚାହିଁଥିଲେ ବୋଧେ ଏମିତି ଏକ ଅପ୍ରତ୍ୟାଶିତ ଦୁର୍ଘଟଣାକୁ ରୋକି ପାରିଥାନ୍ତେ । ଡାକ୍ତରୀ ରିପୋର୍ଟଟା ମିଛ ହୋଇ ଯାଆନ୍ତାନି?

“ବୋଉ ଦେଖିଲେଣି ଏ ବୁଢ଼ା ଆମ୍ବଗଛରେ ବଉଳ ଆସିଛି । ପୁରା ଅଦିନିଆ ବଉଳ, ଆଶ୍ୱିନ ମାସରେ ବଉଳ ଆସିବା ପୁରା ନୂଆ କଥା । ଆମ୍ବ ହେବକି ନାହିଁ କେଜାଣି?”

ବୋହୁ ରୀନାର କଥା ଶୁଣି ନିଜକୁ ସଜାଡ଼ି ନେଇ ବାଲକୋନୀକୁ ଆସିଲେ ସୁମିତ୍ରା । ଆରେ ସତରେ ତ, ଏତେ ଗୁଡ଼ାଏ ବଉଳ ହୋଇଛି କେମିତି ତାଙ୍କ ଆଖିରେ ପଡ଼ିନି କେଜାଣି? ଏଇ ଦେଶୀ ଆମ୍ବଗଛ କୁ ନିଜ ହାତରେ ଲଗାଇଥିଲେ ସୁମିତ୍ରା । ତାଙ୍କରି ଗାଁରୁ ଟାକୁଆ ଆଣିଥିଲେ । ଭାରୀ ମିଠା ଆମ୍ବ, ବହୁତ ଫଳେ ମଧ୍ୟ । ଏବେ ଗଛରେ ବେଶୀ ଫଳ ହେଉନି, ଘର ଚାରିଆଡ଼େ ବଡ଼ ବଡ଼ କୋଠାଘର ତିଆରି ହୋଇ ଯାଇଥିବାରୁ ଖରା ଭଲକରି ପାଉନି ଗଛଟା ବୋଧେ ।

କେତେଥର ଏଇ ଗଛଟାକୁ ହାଣିଦେବାକୁ ଜିଦି କଲେଣି ସୁଧାକର । ଗଛ ଚେର ଗୁଡ଼ାକ କାଳେ ଘର କାନ୍ଥ ଓ ପାଚେରୀ ଫଟେଇ ଦେଉଛି । ପ୍ରତି ବର୍ଷ ମରାମତି ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଛି । ହେଲେ ଗଛଟା ପାଇଁ ଏକ ଅଦ୍ଭୁତ ଦୁର୍ବଳତା ଥିଲା ସୁମିତ୍ରାଙ୍କର । ନିଜ ହାତରେ ବଢ଼ାଇଥିବା ଜିନିଷଟାକୁ କିଏ କଣ ନଷ୍ଟ କରିପାରେ?

ନିଜକୁ ଆଜି ଆମ୍ବଗଛ ସହ ତୁଳନା କରୁଥିଲେ ସୁମିତ୍ରା । ସେ ନିଜେ ବି ଅଦିନରେ ବଉଳିଛନ୍ତି । ଅଦିନିଆ ବଉଳ ଯେମିତି ଆମ୍ବଫଳ ଦେବାର ନିଶ୍ଚିତତା ନାହିଁ, ଠିକ୍ ସେମିତି ତାଙ୍କରି ଗର୍ଭସ୍ଥଭୃଣର ଅବସ୍ଥା । କିନ୍ତୁ ଡାକ୍ତରାଣୀ ତାଙ୍କୁ କାଲିଯେଉଁ କଥା କହିଛି, ସେଥିରେ ତାଙ୍କ ପାଇଁ ଆଉ କିଛି ବିକଳ୍ପ ନାହିଁ । ଏ ଭୃଣକୁ ନଷ୍ଟ କଲେ ତାଙ୍କ ଜୀବନକୁ ବିପଦ ଅଛି । ନିଜ ମନକୁ ଦୃଢ଼ କରିବାକୁ ଚେଷ୍ଟା କରୁଥିଲେ ସୁମିତ୍ରା । ଗଛଟା ପାଇଁ ସିନା ସୁଧାକରଙ୍କ ସହ ଯୁକ୍ତି କରନ୍ତି ସେ, ହେଲେ ଏ ଛୁଆଟା ପାଇଁ ! ସୁମିତ୍ରା ଜାଣନ୍ତି ସ୍ୱାମୀ ସତକଥା କହୁଛନ୍ତି । ଗଛଟା ବହୁତ ବଡ଼ ହୋଇ ଯାଇ ଯାଇଥିବାରୁ ତା ଛାଈରେ ଅନ୍ୟ ଗଛ ଉଧୋଉ ନାହିଁ । ଆମ୍ବଫଳିଲା ସମୟରେ ପିଲାଙ୍କୁ ଜଗିରହନ୍ତି ନିଜେ । ତଥାପି ଗଛଟି ପାଇଁ ତାଙ୍କର ଅଶେଷ ଆକର୍ଷଣ । ନିଜ ହାତରେ ଛୁଆଟି ପରି ବଢ଼ାଇଛନ୍ତି ଗଛଟିକୁ । କେମିତି କାଟିବାକୁ ଦେବେ?

“ବୋଉ, ବୋଉ” । ବୋହୁ ରୀନାର ଡାକରେ ସମ୍ଭିତ ଫେରିପାଇଲେ ସୁମିତ୍ରା । କଣ ଭାବୁଛନ୍ତି ? ଆପଣଙ୍କୁ ପରା ବାପା ଡାକୁଛନ୍ତି ।

ଆମ୍ବ ଗଛଉପରୁ ଆଖିଫେରେଇ ଆଣିଲେ ସୁମିତ୍ରା । ସତେତ ସୁଧାକରଙ୍କ କଥା ପୁରା ଭୁଲି ଯାଇଛନ୍ତି । ନିଜେ ବାଢ଼ି ନଦେଲେ ଜଳଖିଆ ଖାଇବେ ନାହିଁ । ବୁଢ଼ାଟିଏ ହେଲେଣି… ତଥାପି କ୍ଷଣଟେ ରହିଗଲେ ସୁମିତ୍ରା । ସେ ମଧ୍ୟ ବୁଢ଼ୀ ହେଲେଣି । ପୁଅ ଝିଅ ବାହାକରେଇଲେଣି । ଏ ବୟସରେ ଏମିତି ଗୋଟେ କଥା ହୋଇଛି ତାହା ଜାଣିଲେ ପିଲାମାନେ କଣ ଭାବିବେ ? ସାଇପଡ଼ିଶାଙ୍କୁ ମୁହଁ ଦେଖାଇ ପାରବେ ସେ? ଲାଜର ଓଢ଼ଣୀରେ ଘୋଡ଼େଇ ଯାଉଥିଲେ ସେ ।

କେମିତି କେଜାଣି ଜାଣି ପାରିଲେନି ସେ? ଅଜୀର୍ଣ୍ଣ କିମ୍ବା ଗ୍ୟାସ୍ ହୋଇଛି ବୋଲି ପ୍ରଥମେ ଭାବୁଥିଲେ ।

ଟୁଣୁକା ଟାଣିକି ଔଷଧ ଖାଇ ଉପଷମ ଲାଗୁଥିଲା ତାଙ୍କୁ । ମଝିରେ ମଝିରେ ବାନ୍ତି ଲାଗୁଥିଲେ ମଧ୍ୟ ତାଙ୍କ ମନକୁ ଏକଥା ଜମା ଆସି ନଥିଲା । ବିନା ପ୍ରତିଷେଧକ ବ୍ୟବସ୍ଥାରେ ପୌରୁଷତ୍ୱର ବାହାସ୍ଫୋଟ ମାରୁଥିବା ସୁଧାକରଙ୍କ ଫୁଟାଣି ପାଇଁ ଏ ଅବସ୍ଥା ।

ଗଲାକାଲି ସେ ଲେଡ଼ି ଡକ୍ଟର ଯେତେବେଳେ ହସିହସି କହିଲା, “ମାଉସୀ, କଂଗ୍ରାଜୁଲେସନ୍ । ଆପଣ କଣ ପ୍ଲାନ୍ କରି ଏମିତି କରିଛନ୍ତି ନା ହଠାତ୍ ହୋଇଯାଇଛି ଆକ୍ସିଡେଣ୍ଟାଲି ? ଆବାକାବା ହୋଇ ବୋକାପରି ବାଲବାଲୁ କରି ଅନୋଉଥିଲେ ସୁମିତ୍ରା ସେଇ ତରୁଣୀ ଲେଡ଼ି ଡକ୍ଟରକୁ । ପୁଣିଥରେ ଭଲକରି ପରୀକ୍ଷା କରିବାକୁ ଅନୁରୋଧ କଲେ ତାକୁ । ଟେଷ୍ଟ କିଟ୍ ରିପୋର୍ଟଟା ତାଙ୍କୁ ଦେଖାଇଲା ସେ । ଥରେ ନୁହେଁ ଦୁଇଥର ପରୀକ୍ଷା ହୋଇଥିଲା । ସମାନ ଫଳାଫଳ ଚାରିମାସ ପୁରିଗଲାଣି । ଔଷଧ ଲେଖାଇଆଣି ବାହାରକୁ ଆସି ବୋହୁ ରୀନାର ମୁଁହକୁ ଅନାଇପାରୁ ନଥିଲେ ସୁମିତ୍ରା ଲାଜରେ ।

ଡକ୍ଟର କଣ କହିଲା ? ବାନ୍ତି କାହିଁକି ହେଉଛି ? ଆଚର ଓ ମସଲା ଖାଇବାକୁ ମନା କଲା ତ ?” ରୀନା ପଚାରୁଥିଲା ।

କିଛି ଉତ୍ତର ଦେଇନଥିଲେ ସୁମିତ୍ରା । ଛାତିଟା ତାଙ୍କର ଧଡ଼୍ ଧଡ଼୍ ହେଉଥିଲା । ସତେ ଯେମିତି ପ୍ରଥମ ଥର ମା ହେବାକୁ ଯାଉଛନ୍ତି । ଏକ ଅଜଣା ଆକର୍ଷଣ ଆସୁଥିଲା ଅନାଗତ ପିଲାଟି ପ୍ରତି ।

ନା, ମନେ ମନେ ନିଷ୍ପତ୍ତି ନେଇ ସାରିଥିଲେ ସୁମିତ୍ରା । ସୁଧାକର କଦାପି ଅବରସନ୍ କରାଇ ଦେବେନି । ଆଜି କାଲି ଆଉ ଏଇଟା କେଉଁ ନୂଆ କଥା କି? ହେଲେ ପୁଅବୋହୁ ଓ ଝିଅଜୋଇଁଙ୍କ କଥା ଭାବି ଲାଜ ଲାଗୁଛି । ବୋହୁକୁ କେମିତି କହିବେ? ତାଙ୍କ ପେଟ ଦେଖି ନାତି ନାତୁଣୀ କଣ ସବୁ ପଚାରିବେ? ରାଗ ମାଡ଼ୁଥିଲା ସ୍ୱାମୀଙ୍କ ଉପରେ ।

ବୁଢ଼ାଖଣ୍ଡକ ଅସଲ ନାଟର ଗୋବର୍ଦ୍ଧନ । ଏ ବୟସରେ ଏମିତି କାମ ! ଲୋକଲଜ୍ୟା ତାଙ୍କୁହିଁ ସହିବାକୁ ପଡ଼ିବ । ସାହିର ମାଇପିମାନେ କଣ ରଖିବେ ତାଙ୍କୁ ? ମୁରୁକି ମୁରୁକି ହସି ଟାହିଟାପରା କରିବେ ।

ସ୍ୱାମୀଙ୍କୁ ଭଲଭାବେ ଜାଣିଛନ୍ତି ସେ । ତାଙ୍କ ପେଟରେ କୌଣସି କଥା ଲୁଚି ରହିପାରେନା । କିନ୍ତୁ ଏଥର ତାଙ୍କୁ ଟିକିଏ ଶକ୍ତ ହେବାକୁ ପଡ଼ିବ । ଅନ୍ୟ ମାନଙ୍କ କଥାକୁ ସେ ଖାତିର କରିବେ ନାହିଁ । ୮୦-୯୦ ବର୍ଷରେ ବି ସ୍ତ୍ରୀ ମାନେ ମା ହେଉଛନ୍ତି । ଏହାତ ଗର୍ବର କଥା ।

ତଳ ବଖରାକୁ ଆସିଲେ ସୁମିତ୍ରା । ଡାଇନିଂଟେବୁଲ୍ ରେ ବସି ପେପର ପଢ଼ୁଛନ୍ତି ସୁଧାକର । ପାଖରେ ପୁଅ ରଜତ ଜଳଖିଆ ଖାଉଛି ।

“ଆଜି ଦେହ କେମିତି ଲାଗୁଛି?” ପେପର୍ ଉପରୁ ମୁଁହ କାଢ଼ି ପ·ରିଲେ ସୁଧାକର । ପ୍ଲେଟ୍ରେ ଇଟିଲି, ସମ୍ବର ବାଢ଼ିଦେଇ ଚୁପ୍ ଚାପ୍ ଚାଲି ଆସିଲେ ସୁମିତ୍ରା । ମୁଣ୍ଡଟା ଟିକେ ବୁଲୋଉଛି ତାଙ୍କର । ହୁଏତ ମାନସିକ ଚିନ୍ତା ଯୋଗୁଁ ଏମିତି ଲାଗୁଛି ।

“ବୋଉ ଆପଣ ଖାଇଦେଇ ଶୁଅନ୍ତୁ । ବ୍ଲଡ଼୍ ପ୍ରେସର ଆପଣଙ୍କର ଲୋ ହୋଇଛି ବୋଧେ” ।

“ତମେ ମାନେ ଖାଇଦିଅ, ମୁଁ ପରେ ଖାଇବି” ଚଦର ଘୋଡାଇ ଶୋଇବାକୁ ଚେଷ୍ଟାକଲେ ସୁମିତ୍ରା । ମନଭିତରେ ତାଙ୍କର ଚିନ୍ତା ଗୁଡାକ ଖେଳିବୁଲୁଥାଏ, ପବନରେ ଗଛଡାଳ ହଲିଲାପରି ।

ସୁଧାକର ରୁମ୍ କୁ ଆସିଲାପରେ କବାଟଟା ଭିତରୁ ଆଉଜେଇ ସବୁକଥା କହିଦେଲେ ସୁମିତ୍ରା । ସେ ଭାବିଥିଲେ କଥାଟା ଶୁଣି ଖୁସିରେ ଖଟ ଉପରେ ଡ଼େଇଁ ପଡ଼ିବେ ସୁଧାକର । ଡାକ୍ତରଙ୍କ ପରାମର୍ଶ ନେଇ ସାେଙ୍ଗସାେଙ୍ଗ ଔଷଧ ଖାଇବାକୁ କହିବେ । ଭାରୀ ଛୁଆରଙ୍କୁଣା ସୁଧାକର । ହୋ ହୋ ହୋଇ ହସିବେ ।

ଏ ବୟସରେ ବାପା ହେବାକୁ ହେବାକୁ ଯାଉଥିବାରୁ ଗର୍ବ ଅନୁଭବ କରିବେ । ତାଙ୍କୁ ଚିଡ଼େଇ କରି କଥା ଦିପଦ କହିବେ । କିନ୍ତୁ ଭଜାଣି ସୁଅ ପରି ସୁଧାକର ଆଶ୍ଚର୍ଯ୍ୟ ଚକିତ ହୋଇଯାଇ କହିଲେ, “ତମେ ଏକଥା କାଲି ମୋତେ କହିଲନି? କେତେ ମାସ ହେଲାଣି ? ଆଗରୁ ବଟିକା ଗୋଟେ ଖାଇଦେଇଥିଲେ କାମ ସରନ୍ତାଣି । କିଛି ଗୋଟେ ତମର ବୁଦ୍ଧିନାହିଁ । କାଲି ସଂନ୍ଧ୍ୟାରେ ପେଟ ୱାସ କରାଇଦେଇଥାନ୍ତ । ଠିକ୍ ଅଛି କାଲି କରାଇ ଦେବା ।”

ଆବାକାବା ହୋଇଗଲେ ସୁମିତ୍ରା । ଯାହାଙ୍କଠାରୁ ସହଯୋଗ ଆଶାକରୁଥିଲେ ସେତ ହାତକାଟି ଦେଉଛନ୍ତି ।

ଅବଶ୍ୟ ସୁଧାକରଙ୍କ ଏ ବୟସରେ ଏମିତିକା କଥା କହିବା ହୁଏତ ସଠିକ୍ ହୋଇଥାଏ ପାରେ । ଏ ବୟସରେ ପିଲାଟିଏ ଜନ୍ମକରିବା ଏକ ବଡ଼ ରିସ୍କ ନେବା ସହ ସମାନ । କିନ୍ତୁ ସେ ରିସ୍କ ନେବାକୁ ସୁମିତ୍ରା ପ୍ରସ୍ତୁତ, କାରଣଟା ସେ ଜାଣି ନାହାନ୍ତି, ଯେଉଁ ସମୟରେ ସେ ମା ହୋଇଥିଲେ, ତାଙ୍କୁ କଣ ତାଙ୍କର ମତ ପଚରା ଯାଇଥିଲା?

“ଶୁଣ, କମ୍ପ୍ଲକେସି ଅଧିକ ରହିଛି । ଆବର୍ସନ କଲେ ମୋଜୀବନ ପ୍ରତି ବିପଦ ଅଛି ବୋଲି ଡକ୍ଟର କହୁଥିଲା । କଣ ଏ ବୁଢ଼ାବୟସରେ ବାପା ହେବାକୁ ଡରୁଛ?

“ତା ମାନେ, ତମେ କଣ ଏ ଛୁଆଟାକୁ ଜନ୍ମଦେବ? ଅନ୍ୟ ବଡ଼ ଡାକ୍ତରଙ୍କୁ ଦେଖାଇବା ।” ସୁଧାକର ରୁମ୍ ବାହାରକୁ ଦୁମ୍ ଦୁମ୍ ହୋଇ ବାହାରିଗଲେ । ତଳକୁ ମୁଣ୍ଡପୋତି ବସିଥିଲେ ସୁମିତ୍ରା । ନୀରବ ଅସମତ୍ତି ଥିଲା ତାଙ୍କର ମୌନରାଗରେ । ସୁଧାକର ଯେତେ କହିଲେ ବି ମାନିବାକୁ ପ୍ରସ୍ତୁତ ନଥିଲେ ସୁମିତ୍ରା । ନିଜ ଉପରେ କଣ କର୍ତ୍ତୃତ୍ତ୍ୱ ନାହିଁ ତାଙ୍କର? ପିଲାଟିଏ ଜନ୍ମକରିବାର ଅଧିକାର କେବଳ ମା’ର ହିଁ ଅଛି । ବୟସର ଉତ୍ତରାର୍ଦ୍ଧରେ କଣ ପାଇଁ ଗୋଟେ ମା’ର ଦାବୀକୁ, ହରାଇବେ ସେ ? କାହାକୁ ଡରିବେ ? କାହିଁକି ଡରିବେ ? ଯେତେବେଳେ ପାଖରେ କେହି ଲୋକବଳ ନଥିଲେ, ସମୟରେ ଶାରିରୀକ ଅସୁସ୍ଥତା ଥାଇବି ସେ ବାଧ୍ୟ ହୋଇଥିଲେ ମା ହେବାକୁ । ପିଲା ଜନ୍ମ କରିବାର ମେସିନ୍ଟିଏ ଭଳି; ସେତେବେଳେ କଣ ତାଙ୍କର ଇଚ୍ଛା ଓ ଅନିଚ୍ଛା କଥା କିଏ ପଚାରିଥିଲା?

ନିଜର ଅବଦମିତ ଆତ୍ମଅଭିମାନ ରହିରହି ଫୁତ୍କାର ମାରୁଥିଲା, ଠିକ୍ ଆଗ୍ନେଗିରିର ଲାଭା ପରି । ହେଲେ ନିଜର ମନର ଅନ୍ତଭାବନାକୁ ଯୁକ୍ତି ସଙ୍ଗତ କରି ଅନ୍ୟ ମାନଙ୍କ ଆଗରେ ଉପସ୍ଥାପନା କରିବାର ଅସାମର୍ଥ୍ୟତା କୁ ତାଙ୍କୁ ଭୁଲ ବୋଲି ପ୍ରମାଣ କରିବାକୁ ପଡ଼ିବ । ମନକୁ ଦୃଢ଼କରି ନେଇଥିଲେ ସେ । ଯାହାହେଉପଛେ ଏ ପିଲାଟିକୁ ଦୁନିଆକୁ ଆଣିବେ ସେ ।

ମୁଣ୍ଡର ଝାଳ ଓ ଆଖି କୋଣର ଲୁହକୁ ପୋଛି ପକାଇ କବାଟ ଖୋଲି ବାହାରକୁ ଆସିଲା ବେଳେ ବାହାରେ ଚୁପ୍- ଚାପ୍ ରୀନାକୁ ଠିଆ ହୋଇ ଥିବାର ଦେଖି ଶଙ୍କିଗଲେ ମନେମନେ ସୁମିତ୍ରା । ଆଉଜା ହୋଇଥିବା କବାଟ ପାଖରୁ ବୋହୁ କଣ ସେମାନଙ୍କ କଥା ଶୁଣି ନେଇଛି କି ? ରୀନାର ଆଖିକୁ ସିଧାକରି ଅନେଇବାର ସାହାସ ହେଉନଥିଲା ତାଙ୍କର ।

ପୁଅ ରଜତ କହୁଥିଲା, “ବୋଉ, ସେ ବୁଢ଼ା ଆମ୍ବଗଛଟା କାଟିବା ପାଇଁ ବାପା ଯେଉଁ ଲୋକଙ୍କୁ କହିଥିଲେ ସେମାନେ ଆସିଛନ୍ତି । ଗୁଡ଼ାଏ ପଟା ବାହାରିବ ଏଇ ଗଛରୁ । ଉପର ମହଲା ପାଇଁ ଦରକାର ଥିବା କବାଟ, କବାଟ ବନ୍ଧ ଓ ଥାକ ତିଆରି ହୋଇସାରିଲା ପରେ ବଳକା କାଠ ବିକ୍ରୀ କରାଯାଇ ପାରିବ ବୋଲି ବଢ଼େଇ କହୁଥିଲା ।”

ସୁଧାକର କହିଲେ । “ମଞ୍ଜକାଠରେ ଭଲ କବାଟ ହୋଇପାରିବ”

କଣ କହିବେ ଭାବିପାରୁ ନଥିଲେ ସୁମିତ୍ରା । ନିଜର ପ୍ରିୟ ଗଛଟିକୁ ହରାଇବାକୁ ଚାହୁଁ ନଥିଲେ ସୁମିତ୍ରା ।

ସୁଧାକର ଅନେଇ ରହିଥିଲେ ସୁମିତ୍ରାଙ୍କ ଉତ୍ତର ଅପେକ୍ଷାରେ । ରୀନା, ରଜତକୁ ଲକ୍ଷ୍ୟକରି କହିଲା, “ଗଛରେ ଆମ୍ବଚଣା ଆସିଗଲାଣି । ଫଳଟା ହୋଇଯାଉ, ତା ପରେ ଦେଖିବା ।”

“ତମେ କଣ ପାଗଳ ହେଲଣି ନା କଣ? ଏବେ କ’ଣ ଆମ୍ବ ସିଜିନ୍? ଚଣା ଗୁଡ଼ିକ ଝଡ଼ି ପଡ଼ିବ ନିଶ୍ଚୟ ।”

“ତମେ କେମିତି ଜାଣିଲ ସବୁ ଚଣାଗୁଡ଼ିକ ଖସି ପଡ଼ିବ ବୋଲି? ଯତ୍ନ ନେଲେ ନିଶ୍ଚୟ ଆମ୍ବ ଫଳିବ ଏବର୍ଷ । ବୋଉ ଆପଣ କିଛି କୁହନ୍ତୁ ।”

ଏ ଅଯଥା ଯୁକ୍ତି ତର୍କରେ ପଶିବାକୁ ଇଚ୍ଛା ନଥିଲା ସୁମିତ୍ରାଙ୍କର ତାଙ୍କ ଇଚ୍ଛା ଅନିଚ୍ଛାକୁ ମାନିବାକୁ କଣ ସମସ୍ତେ ମୁଣ୍ଡପାତି ମାନି ନେବେ? କିଛି ସମୟ ଆଗରୁ ପରା ତାଙ୍କର ଇଚ୍ଛାକୁ ଗୋଇଠା ମାରିଲା ପରି ଅନାଦାର ଭାବ ଦେଖାଇ ସୁଧାକର ଚାଲିଆସିଲେ ।

ସୁଧାକର ମୁଁହ ଖୋଲିଲେ “ତାହା ହେଲେ ଗଛଟା କାଟିଦେବା ?

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବୋହୁ ରୀନା ଗମ୍ଭୀର କଣ୍ଠରେ କହିଲା । “ଯଦି ଗଛଟା କଟା ହେବ ତେବେ ବୋଉ ଓ ମୁଁ ଏ ଘରେ ପାଣି ଛୁଇଁବୁନି ବୋଲି ଆଗରୁ କହିଦେଉଛି ।”

ହତବାକ୍ ହୋଇ ଅନେଇଥିଲେ ସୁମିତ୍ରା । ସତେ ଯେମିତି ତାଙ୍କରି ମନକଥାଟା କହିଦେଇଥିଲା ବୋହୁ ।

ସୁଧାକର ଓ ରଜତ ବୋକାଙ୍କ ପରି ଆଁ କରି ଅନେଇଥିଲେ ପରସ୍ପରକୁ । ସାମାନ୍ୟ ଗଛଟା ପାଇଁ ପାଣି ନଛୁଇଁବା ଯାଏଁ କଥା ଗଲାଣି? ବୋହୁ ଦେହରେ କଣ ଭୂତ ସବାର୍ ହୋଇଛି? ଚୁପ୍ ଚାପ୍ ଘର ଭିତରକୁ ଚାଲିଯାଇ ଖଟଉପରେ ମୁଁହମାଡ଼ି ଶୋଇବାକୁ ଚେଷ୍ଟାକଲେ ସୁମିତ୍ରା । ତାଙ୍କରି ଭିତରେ ବଢ଼ୁଥିବା ନୂଆ ଜୀବନ ଓ ଏଇ ଆମ୍ବଗଛଟା ଯେମିତି ଗୋଟିଏ ସୂତାରେ ବନ୍ଧା । ଦୁଇଟି ଯାକ ତାଙ୍କର ପ୍ରିୟ । ଗୋଟିଏ ନୂଆ ଏବଂ ଅନ୍ୟଟି ପୁରୁଣା । ଦୁହିଙ୍କୁ ନଷ୍ଟ ହେବାକୁ ଦେବେନି ସେ ।

ରୀନା ତାଙ୍କରି ପଛେପଛେ ଆସି ପାଖରେ ବସି ମୁଣ୍ଡର ବାଳକୁ ସ୍ନେହରେ ସାଉଁଳାଇ ଦେଉଦେଉ କହିଉଠିଲା “ଆପଣ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ପୁରାପୁରି ଠିକ୍ । ମା ହେବା ଗର୍ବର ବିଷୟ । ଆମ ମାନଙ୍କର ସବୁକାମ ଆପଣ ତୁଲାଇଛନ୍ତି । ଏଥର ଏଇ କୁନି ଅତିଥିଟିର ସବୁ ଦାଇତ୍ତ୍ଵ ଆମର । ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ବାପାଙ୍କୁ ଆମେ ବୁଝାଇ ଦେବୁ ।”

ଦୁଆର ମୁଁହରେ ସୁଧାକର ବାବୁ ଠିଆ ହୋଇଥିଲେ । ଶାଶୁ ବୋହୁଙ୍କ ବାର୍ତ୍ତାଳାପକୁ ଶୁଣୁଥିଲେ ବିସ୍ମୟାଭୂତ ହୋଇ । ସୁମିତ୍ରାଙ୍କ ମିନୋଭାବନାକୁ ହତାଦାର କରିଥିବାରୁ ନିଜ ଉପରେ ବିରକ୍ତି ଆସୁଥିଲା । ସ୍ତ୍ରୀ ଓ ବୋହୁଙ୍କୁ ଶୁଣାଇ ବଡ଼ ପାଟିରେ ପୁଅ ଉଦ୍ଧେଶ୍ୟରେ କହିଲେ, “ସେ ଲୋକଗୁଡ଼ାଙ୍କୁ ଚାଲି ଯିବାକୁ କହ । ଏଥର ଏଇ ଆମ୍ବଗୁଡ଼ାକୁ ବୋଧେ ଆମକୁ ଜଗିବାକୁ ପଡ଼ିବ ।” ବାପାଙ୍କ କଥା ଶୁଣିରଜତ କିଛି ବୁଝିପାରୁ ନଥିଲା । ସୁଧାକରଙ୍କ ପାଟିଶୁଣି ବୁଲିପଡ଼ି ଅନେଇଲେ ସୁମିତ୍ରା ଓ ରୀନା । ଆସ୍ତେକରି ବୋହୁର କୋଳରେ ନିଜର ମୁଣ୍ଡକୁ ଥାପିଦେଲେ । ତାଙ୍କୁ ଲାଗୁଥିଲା ରୀନା ଯେମିତି ତାଙ୍କର ବୋହୁ ନୁହେଁ, ଶାଶୁ ପାଲଟି ଯାଇଛି । ଗୋଟିଏ ମା ହିଁ ଆଉ ଗୋଟେ ମାକୁ ବୁଝିପାରେ । ଏକ ନିର୍ଭର ଆଶ୍ୱାସନାର ମେରୁଦଣ୍ଡ ହୋଇ ରୀନା ସତେ ଯେମିତି ତାଙ୍କରି ପାଖରେ ଠିଆହୋଇଛି ।

ତଳକୁ ମୁଣ୍ଡନୋଇଁ ଚାଲିଯାଉଥିଲେ ସୁଧାକର । ସୁମିତ୍ରାଙ୍କ ଜିଦି ଆଗରେ ସେ ହାରି ଯାଇଥିଲେ । ସୁମିତ୍ରା ଆଖି ବୁଜିଲେ ଆଶ୍ୱସ୍ତ ହୋଇ । ଆଉ ତାଙ୍କୁ ଡରମାଡ଼ୁନି । ମନରେ ଏକ ନୂଆ ବିଶ୍ୱାସ ଧୀରେ ଧୀରେ ଦୃଢ଼ୀଭୁତ ହେବାକୁ ଲାଗୁଥିଲା ।

ନୂଆକରି ଗଜୁରିଥିବା ପେନ୍ଥା ପେନ୍ଥା ବଉଳ ଗୁଡ଼ାକ ଚୋରା ପବନକୁ ଯେମିତି ତାଳିମାରି ଆହ୍ୱାନ କରୁଥିଲେ ଦ୍ୱନ୍ଦଯୁଦ୍ଧ ପାଇଁ, “କେତେ ବଳ ତୋର ଅଛି ଦେଖା । ଯାହା ହେଲେ ବି ତୁ ଆମକୁ ଝଡ଼େଇ ପାରିବୁନି ।”

ଶିରିଶିରି ପବନରେ ମୁଣ୍ଡହଲାଇ ନାଚୁଥିଲେ ଖୁସିମନରେ ବଉଳପେନ୍ଥା ଗୁଡ଼ାକ । ଆମ୍ବଗଛଟା କଟା ନହେବାର ଆରୁଆ ସୁସମ୍ବାଦଟା ଯେମିତି ସେମାନେ ପାଇଯାଇଥିଲେ ।

ଲୋକପ୍ରିୟ ଲେଖା

To Top