ଗଳ୍ପ

ଆଦିତ୍ୟକନ୍ୟା ତପତୀ

Dr Archana Nayak's Odia Story AADITYAAKAANYAA TAPATI

ସେହି ଅନୁପମା ନାରୀ ଯେଉଁଠାରେ କ୍ଷଣିକ ପାଇଁ ସ୍ଥିର ହୋଇ ଠିଆ ହେଉଥିଲେ ସେ ଅଞ୍ଚଳ ଆଲୋକିତ ହୋଇ ରହୁଥିଲା । ସେ ପୁଣି ଆଗକୁ ଆଗକୁ ଯିବାବେଳେ ଅରଣ୍ୟର ଅନ୍ଧକାର ଗ୍ରାସି ଯାଇଥିଲା ସେ ଛାଡ଼ିଯାଇଥିବା ସ୍ଥାନକୁ । ସେ ଦିଶୁଥିଲେ ଚଳମାନ ଏକ ପ୍ରଭାମଣ୍ଡଳ ସଦୃଶ ।

ଆଦିତ୍ୟକନ୍ୟା ତପତୀ

ଗଙ୍ଗା ନଦୀର ତଟଦେଶ । ଆକାଶରେ ଅରୁଣାଭା ବିଚ୍ଛୁରିତ କରି ନବୋଦିତ ସୂର୍ଯ୍ୟଙ୍କର ପ୍ରକାଶ ଘଟିଛି । ନଦୀର ତଟଦେଶକୁ ଲାଗି ସୁବିସ୍ତୃତ ଘନସବୁଜ ଅରଣ୍ୟାନୀ । ବିଶାଳ ବିଶାଳ ବନସ୍ପତିଙ୍କର ଉର୍ଦ୍ଧ୍ଵଦେଶରେ ଥିବା ଘନପତ୍ରମାଳାକୁ ଭେଦ କରିପାରିନି ପ୍ରଥମ ସୂର୍ଯ୍ୟରଶ୍ମି । ଏବେ ବି ଅନ୍ଧକାର ରାଜତ୍ୱ କରୁଛି ବନାଞ୍ଚଳରେ ।

ଅରଣ୍ୟର ଅନ୍ଧକାରକୁ ପୃଷ୍ଠଭାଗରେ ରଖି ଏକ ପ୍ରସ୍ତରଖଣ୍ଡ ଉପରେ ପଦ୍ମାସନରେ ଉପବେଶନ କରିଥିଲେ କୁରୁବଂଶର ଶ୍ରେଷ୍ଠ ବଳବାନ ନୃପତି ସମ୍ୱରଣ । ସୂର୍ଯ୍ୟଦେବତାଙ୍କର ଧ୍ୟାନରେ ନିମଗ୍ନ ଥିଲେ ସେ । ପ୍ରାତଃକାଳୀନ ଶୀତଳ ସମୀର ତାଙ୍କର ଉନ୍ମୁକ୍ତ କେଶରାଶିରେ ଖେଳି ବୁଲୁଥିଲା । ସୂର୍ଯ୍ୟକିରଣର ସୁନେଲି ଆଭା ଗଙ୍ଗା ଜଳରେ ପତିତ ହେଉଥିବାବେଳେ ତା’ର କିଛି ଉଦ୍ଭାସ ପ୍ରତିଫଳିତ ହେଉଥିଲା ସମ୍ୱରଣଙ୍କର ମୁଖମଣ୍ଡଳରେ । ତାଙ୍କର ପ୍ରଶସ୍ତ କପାଳ, ଦୀର୍ଘ ଆୟତ ଚକ୍ଷୁ, ଉନ୍ନତ ନାସା ଓ ପରିପୁଷ୍ଟ ଅଧରକୁ ସୂର୍ଯ୍ୟଙ୍କର କରୁଣା ପରମ ଶ୍ରଦ୍ଧାରେ ସ୍ପର୍ଶ କରି ଯାଉଥିଲା ।

ଦୀପ୍ତାଂଶୁ ସବିତାଙ୍କର ଆଲୋକ ସ୍ୱର୍ଗମର୍ତ୍ତ୍ୟକୁ ଆଲୋକିତ କରିବା ପରେ ସମ୍ୱରଣଙ୍କର ତେଜ ତାଙ୍କର ରାଜ୍ୟ ଓ ପ୍ରଜାବର୍ଗଙ୍କର ଜୀବନକୁ ଆଲୋକିତ କରିଚାଲିଥିଲା । ପ୍ରଜାବତ୍ସଳ ନରପତିଙ୍କର ଖ୍ୟାତି ସର୍ବତ୍ର ପଚାରିତ ହୋଇସାରିଥିଲା । ରାଜକର୍ମ ଓ ପ୍ରଜାପାଳନର ଗୁରୁଦାୟିତ୍ୱ ସତ୍ତ୍ୱେ ରାଜା ସମ୍ୱରଣ ପ୍ରତ୍ୟହ ସୂର୍ଯେ୍ୟାପାସନା ପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଆସି ଉପସ୍ଥିତ ହେଉଥିଲେ ତାଙ୍କର ନିଷ୍ଠାପୂର୍ଣ୍ଣ ଆରାଧନା ସୂର୍ଯ୍ୟଦେବଙ୍କର ପ୍ରସନ୍ନତାର କାରଣ ହେଉଥିଲା । ସୂର୍ଯ୍ୟୋପାସକ ରାଜା ସମ୍ୱରଣ ତେଜରେ ସୂର୍ଯ୍ୟ ଓ କାନ୍ତିରେ ଚନ୍ଦ୍ର ସଦୃଶ ପ୍ରତୀୟମାନ ହେଉଥିଲେ ।

ଦିନେ ରାଜା ଏକାକୀ ଅଶ୍ୱପୃଷ୍ଠରେ ଆରୋହଣ କରି ମୃଗୟା ନିମନ୍ତେ ଘନଅରଣ୍ୟରେ ପ୍ରବେଶ କରିଥିଲେ । ଗୋଟିଏ ମୃଗକୁ ତୀରବିଦ୍ଧ କରିବାକୁ ଯିବାବେଳେ ତୀର ଲକ୍ଷ୍ୟଭ୍ରଷ୍ଟ ହୋଇ ଏକ ବୃକ୍ଷର ଗଣ୍ଡିକୁ ଭେଦକଲା । ସେଇ ଶବ୍ଦରେ ମୃଗ ଚମକି ପଡ଼ି ଦ୍ରୁତଗତିରେ ବନର ଗଭୀରତା ଭିତରେ ପ୍ରବେଶ କରିବାରୁ ରାଜା ମଧ୍ୟ ତାହାର ପଶ୍ଚାଦ୍ଧାବନ କଲେ । କେତେବେଳେ ଦୂରରେ କେତେବେଳେ ନିକଟରେ ସାମାନ୍ୟ ମାତ୍ର ଦୃଶ୍ୟ ହୋଇ ପୁଣି ଅଦୃଶ୍ୟ ହୋଇଯାଉଥିବା ମୃଗର ସନ୍ଧାନ କରୁ କରୁ ରାଜା କ୍ଷୁଧାତୃଷା ଭୁଲି ଯାଇଥିଲେ । କ୍ଳାନ୍ତ ହୋଇ ପଡ଼ିଥିବା ଅଶ୍ୱ ପ୍ରତି ମଧ୍ୟ ତାଙ୍କର ଧ୍ୟାନ ଯାଇନଥିଲା ।

ଏହିପରି କିଛି କାଳ ଅତିକ୍ରମୀ ଯିବାପରେ ହଠାତ୍ କ୍ଳାନ୍ତ ଅଶ୍ୱ ତଳେ ପଡ଼ି ମୃତ୍ୟୁବରଣ କଲା । ରାଜା ଏଥର ଏକାକୀ ଚାଲିବାକୁ ଆରମ୍ଭ କଲେ । କିନ୍ତୁ ଅରଣ୍ୟର ଘନ ପତ୍ରଗହଳରେ ଆଚ୍ଛାଦିତ ପ୍ରାୟତଃ ଅନ୍ଧକାର ବନଭୂମିରେ ପଥ ଖୋଜି ପାଇବା ସହଜ ନଥିଲା । ତଥାପି ରାଜା ସମ୍ୱରଣ ପଥସନ୍ଧାନରୁ ନିବୃତ୍ତ ନ ହୋଇ ଆଗେଇ ଚାଲିଥିଲେ । କିନ୍ତୁ କୋଉ ଦିଗରେ ଯାଉଛନ୍ତି ତାଙ୍କୁ ଜଣାନଥିଲା ।

ହଠାତ୍ ବନଭୂମିର କିଛି ଅଂଶ ଆଲୋକିତ ହୋଇ ଉଠିବା ପରେ ମନେହେଲା । ରାଜା ସେଇ ଦିଗରେ ଆଗେଇବାକୁ ଲାଗିଲେ । ତାଙ୍କର ମନେହେଲା ବନଭୂମିର ସେ ଆଲୋକିତ ଅଂଶଟି ସ୍ଥିର ନୁହେଁ ଗତିଶୀଳ । ଆଲୋକ ରଶ୍ମି ବିକିରଣ କରି କରି ପ୍ରଭା ପିଣ୍ଡଟିଏ ଅରଣ୍ୟରେ ବେଳେବେଳେ କିଛିକ୍ଷଣ ପାଇଁ ସ୍ଥିର ତ କେବେ ସଞ୍ଚରଣ କରୁଛି ।

ସେ ଦ୍ରୁତ ବେଗରେ ସେହି ଦିଗରେ ଆଗେଇ ଯାଉ ଯାଉ କ୍ରମେ ସେ ଆଲୋକ ଉତ୍ସର ନିକଟତର ହୋଇ ଏକ ଅପୂର୍ବ ଦୃଶ୍ୟ ଦେଖିଲେ । ଯେଉଁ ଦୃଶ୍ୟକୁ ବିଶ୍ୱାସ କରିବା ତାଙ୍କ ପକ୍ଷରେ ସହଜ ନଥିଲା । ଏକ ବୃକ୍ଷ ଗଣ୍ଡିର ଅନ୍ତରାଳରେ ରହି ସେ ନିବିଷ୍ଟ ଦୃଷ୍ଟିରେ ସେହି ଦିଗରେ ଚାହିଁ ରହିଲେ ।

କ’ଣ ଦେଖୁଛନ୍ତି ସେ ? ସତେ କୌଣସି ଦେବୀ କ’ଣ ପୃଥିବୀ ଉପରକୁ ଓହ୍ଲାଇ ଆସିଛନ୍ତି ? ଏପରି ଦିବ୍ୟସୌନ୍ଦର୍ଯ୍ୟର ଅଧିକାରିଣୀ ଅନିନ୍ଦିତା ନାରୀ ମୂର୍ତ୍ତିକୁ ଦର୍ଶନ କରି ସମ୍ୱରଣ ଅଭିଭୂତ ହୋଇ ରହିଲେ । ସେହି ଅନୁପମା ନାରୀର ଶରୀରରୁ ବିଭାବସୁର ତେଜ ପରି ଦୀପ୍ତି ବିଚ୍ଛୁରିତ ହେଉଥିଲା, ମୁଖମଣ୍ଡଳରେ ପ୍ରକାଶିତ ପ୍ରସନ୍ନତା ଓ କାନ୍ତି ଥିଲା ବିମଳ ଚନ୍ଦ୍ରରେଖା ସଦୃଶ । ସେ ଦିଶୁଥିଲେ ହିରଣ୍ମୟୀ ପ୍ରତିମାଟିଏ ପରି । ତାଙ୍କରି ପ୍ରଭାରେ ଚତୁଃପାର୍ଶ୍ଵର ବୃକ୍ଷଲତା ଗୁଳ୍ମ ସହିତ ପ୍ରସ୍ତର ଖଣ୍ଡମାନ ମଧ୍ୟ ସ୍ୱର୍ଣ୍ଣାଭ କାନ୍ତିଧାରଣ କରିଥିଲେ ।

ସେହି ଅନୁପମା ନାରୀ ଯେଉଁଠାରେ କ୍ଷଣିକ ପାଇଁ ସ୍ଥିର ହୋଇ ଠିଆ ହେଉଥିଲେ ସେ ଅଞ୍ଚଳ ଆଲୋକିତ ହୋଇ ରହୁଥିଲା । ସେ ପୁଣି ଆଗକୁ ଆଗକୁ ଯିବାବେଳେ ଅରଣ୍ୟର ଅନ୍ଧକାର ଗ୍ରାସି ଯାଇଥିଲା ସେ ଛାଡ଼ିଯାଇଥିବା ସ୍ଥାନକୁ । ସେ ଦିଶୁଥିଲେ ଚଳମାନ ଏକ ପ୍ରଭାମଣ୍ଡଳ ସଦୃଶ ।

ରାଜା ବିସ୍ମୟରେ ହତ୍‌ବାକ୍ ହୋଇ ଯାଇଥିଲେ । ତାଙ୍କ ଆଗରୁ ସେ ପ୍ରଭାମଣ୍ଡଳ କେତେ ବେଳେ ଅପସରି ଯାଇଛି ଜାଣିପାରିନଥିଲେ । ରାଜା ସଚେତନ ହେଲେ । କୌଣସି ପ୍ରକାରେ ନିଜକୁ ସମ୍ଭାଳି ନେଇ ବନ ମଧ୍ୟରୁ ପଥସନ୍ଧାନ କରି ନିଷ୍କ୍ରାନ୍ତ ହେଲେ ।

କିନ୍ତୁ ଏବେ ଶୟନେ ସପନେ ଜାଗରଣେ ତାଙ୍କ ଆଖି ଆଗରେ ସେଇ ଗୋଟିଏ ରୂପ ସ୍ଥିର ହୋଇ ରହିଲା । କିଏ ସେ ରମଣୀ ? କ’ଣ ତାଙ୍କର ପରିଚୟ ? କିଏ ଦେବ ତାଙ୍କର ସନ୍ଧାନ ? ଜନ୍ମ ହେବା ଅବଧି ସମ୍ୱରଣ ଯେତେ ସୁନ୍ଦରୀ ନାରୀଙ୍କୁ ଦେଖିଥିଲେ କେହି ତାଙ୍କର ସମକକ୍ଷ ନଥିଲେ । ଏପରି ସୌନ୍ଦର୍ଯ୍ୟ ଏ ମର୍ତ୍ତ୍ୟରେ କିପରି ବା ସମ୍ଭବ ହେଲା ? ସେ କ’ଣ ଦେବୀ, ଗନ୍ଧର୍ବୀ ନାଁ ଅପ୍ସରା ? ଏକାକିନୀ ସେ ଘନ ଅରଣ୍ୟରେ କିପରି ବା ନିର୍ଭୟରେ ଭ୍ରମଣ କରୁଥିଲେ ? ଏହା ତ କୌଣସି ମାନବୀ ପକ୍ଷରେ ସମ୍ଭବ ନୁହେଁ । ସେ କ’ଣ କେହି ମାୟାବିନୀ ? ରାଜାଙ୍କୁ ମୋହଗ୍ରସ୍ତ କରି ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି ।

ରାଜା ସମ୍ୱରଣଙ୍କର କୋଉଥିରେ ଆଉ ଏକାଗ୍ରତା ଆସିଲା ନାହିଁ । ଉକ୍ତ ରମଣୀଙ୍କ ପରିଚୟ ନ ପାଇବା ଯାଏ ତାଙ୍କର ସ୍ଥିରତା ଆସିବ ନାହିଁ ବୋଲି ସେ ବୁଝିପାରୁଥିଲେ ।

ସୂର୍ଯ୍ୟଦେବଙ୍କର ଆରାଧନା ପାଇଁ ସେ ପ୍ରତିଦିନ ବ୍ରାହ୍ମମୁହୂର୍ତ୍ତରେ ଗଙ୍ଗାତଟରେ ଉପସ୍ଥିତ ଥିଲେ । ସେଥିରେ କୌଣସି ବ୍ୟତିକ୍ରମ ହେଉନଥିଲା । କିନ୍ତୁ ଚିତ୍ତର ଏକାଗ୍ରତା ସେ ହରାଇ ସାରିଥିଲେ, ଶତ ଚେଷ୍ଟା କରିବି ମନ ଧ୍ୟାନ ନିବିଷ୍ଟ ହେଉନଥିଲା । ସେ କେବଳ ଶୂନ୍ୟଦୃଷ୍ଟିରେ ଚାହିଁ ରହୁଥିଲେ ପାବନୀ ଗଙ୍ଗାର ପ୍ରବାହକୁ । ପୂର୍ବଦିଗରେ ଉଷାର ପ୍ରକାଶ, ପ୍ରଥମ ଅରୁଣାଭା ତାଙ୍କୁ ସଚେତନ କରାଇ ଦେଉଥିଲା ଯେ ସେ କେଉଁ ଉଦ୍ଦେଶ୍ୟରେ ସେଠାରେ ଉପବେଶନ କରିଛନ୍ତି । ସମ୍ୱରଣ ମନକୁ ଏକାଗ୍ର କରିବାକୁ ଚେଷ୍ଟା କରୁ କରୁ ଉଦିତ ସୂର୍ଯ୍ୟର ସ୍ୱର୍ଣ୍ଣକିରଣ ସ୍ପର୍ଶରେ ଆନମନା ହୋଇ ଯାଉଥିଲେ । କିଛି ସମୟ ପାଇଁ ତାଙ୍କର ମନେ ହେଉଥିଲା ସେଇ ସ୍ୱର୍ଣ୍ଣକାନ୍ତିମୟୀ ରମଣୀର ଶରୀରରୁ ଏ ଆଲୋକ ବିଚ୍ଛୁରିତ ହେଉନାହିଁ ତ ?

ରାଜାଙ୍କର ମାନସିକ ଅବସ୍ଥା ଅନ୍ୟ କାହାରିକୁ ବିଦିତ ନଥିଲା । ଏକପ୍ରକାର ଅସ୍ଥିରତା ଓ ଉଦ୍‌ବେଗର ଚିହ୍ନ ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ବାରି ହୋଇ ପଡୁଥିଲେ ବି କେହି କାରଣ ଜିଜ୍ଞାସା କରିବାକୁ ସାହାସ କରୁନଥିଲେ । ରାଜକର୍ମରୁ ଅବସର ନେଇ ସମ୍ୱରଣ ଅରଣ୍ୟର ସେଇ ଅଞ୍ଚଳକୁ ଛୁଟି ଯାଉଥିଲେ ଯେଉଁଠାରେ ସେ ଦର୍ଶନ କରିଥିଲେ ସେଇ ଅନୁପମା ରମଣୀଙ୍କୁ । ହୁଏତ ସେହି ସ୍ଥାନରେ ସେ ତାଙ୍କୁ ଆଉ ଥରେ ଦେଖିପାରିବାର ସୁଯୋଗ ପାଇପାରିବେ ।

ବିତିଗଲା ବେଶ୍ କିଛିଦିନ । କିନ୍ତୁ ରାଜାଙ୍କର ଅରଣ୍ୟରେ ସନ୍ଧାନ ଅବ୍ୟାହତ ରହିଲା । ତାଙ୍କର ହୃଦୟରେ ସେଇ ଗୋଟିଏ ଅଭିଳାଷ ତୀବ୍ର ହୋଇ ଚାଲିଥିଲା । ତାଙ୍କର ହୃଦ୍‌ବୋଧ ହୋଇ ସାରିଥିଲା ଯେ ସେ ଉକ୍ତ ରମଣୀଙ୍କୁ ପ୍ରାପ୍ତ ନ ହେଲେ ଅନ୍ୟ କୌଣସି ପ୍ରାପ୍ତି ତାଙ୍କର ଆନନ୍ଦ ବିଧାନର କାରଣ ହୋଇପାରିବ ନାହିଁ ।

ସେଦିନ ଅରଣ୍ୟରୁ ନିରାଶ ମନରେ ଫେରି ଆସୁଥିବା ରାଜା ସମ୍ୱରଣଙ୍କ ଦୃଷ୍ଟି ଆଗରେ କିଛି ଝଲସି ଉଠିବା ପରି ମନେ ହୋଇଥିଲା । ପୁଣି ବ୍ୟାକୁଳ ହୋଇ ସେ ଅରଣ୍ୟ ମଧ୍ୟକୁ ପ୍ରବେଶ କଲେ । ସେଇ ଆଲୋକ ଶିଖାର ସନ୍ଧାନରେ ସେ ଇତସ୍ତତଃ ଚାହୁଁଥିବା ବେଳେ ଲତାଗୁଳ୍ମରେ ଆଚ୍ଛାଦିତ ଏକ ସ୍ଥାନ ଉଦ୍ଭାସିତ ହୋଇଥିବାର ଲକ୍ଷ୍ୟ କରି ରାଜା ସେହିଦିଗରେ ଧାବିତ ହେଲେ । ଉକ୍ତ ସ୍ଥାନରେ ପହଞ୍ଚି ସେ ନିଜର ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ଯେ ଯେଉଁ ରୂପର ସନ୍ଧାନ ସେ ଦିନ ଦିନ ଧରି ଏତେ ବ୍ୟାକୁଳ ଭାବରେ କରିଆସିଛନ୍ତି ସେହି ରୂପ ତାଙ୍କ ଆଗରେ ସ୍ଥିର ହୋଇ ରହିଛି ।

ସେହି ଅପୂର୍ବ ନାରୀ ରାଜାଙ୍କର ଉପସ୍ଥିତି ସମ୍ପର୍କରେ ସଚେତନ ନଥିଲେ । କୁଞ୍ଜବନରେ ଥିବା ଲତା ପ୍ରସ୍ତୁତ ଦୋଳନରେ ବସି ନିକଟରେ ଠିଆ ହୋଇଥିବା ଏକ ମୃଗଶିଶୁର ପୃଷ୍ଠଦେଶରେ ତାଙ୍କର ସୁକୋମଳ ହସ୍ତର ମୃଦୁ ସ୍ପର୍ଶ ଦେଉଥିଲେ ।

ହଠାତ୍ ବୃକ୍ଷ ଅନ୍ତରାଳରୁ ବାହାରି ଆସିଲେ ସମ୍ୱରଣ । ଅଚାନକ ସେଠାରେ ଜଣେ ଅପରିଚିତ ପୁରୁଷର ଉପସ୍ଥିତି ଲକ୍ଷ୍ୟ କଲେ ବି ସେ ରମଣୀ ଆଦୌ ଭୟଭୀତ ହେଲେ ନାହିଁ । ତାଙ୍କର ସେ ଲତାଦୋଳନ ଉପରେ ସେ ସେମିତି ଏକ ଅପୂର୍ବ ଭଙ୍ଗୀରେ ବସି ରହିଲେ । ସମ୍ୱରଣ ନିଜର ଏତେ ଦିନର ଉଦ୍‌ବେଗକୁ ଆଉ ନିୟନ୍ତ୍ରଣରେ ରଖିପାରିଲେ ନାହିଁ ।

ସେ ଅତି ବ୍ୟଗ୍ର ଭାବରେ ତାଙ୍କର ନିକଟକୁ ଯାଇ କହିଲେ, “ହେ ପଦ୍ମନୟନା, ତୁମେ କିଏ ? ତୁମେ କାହାର କନ୍ୟା ? ଏ ପର୍ଯ୍ୟନ୍ତ ଆମ୍ଭେ ଦେଖିଥିବା ନାରୀ ତୁମର ଏ ଅପୂର୍ବ ସୌନ୍ଦର୍ଯ୍ୟ ତୁଳନାରେ ମ୍ଳାନ ଜଣାପଡ଼ିଛନ୍ତି । ତୁମେ ସର୍ବପ୍ରକାର ଆଭରଣରେ ଭୂଷିତା ହୋଇଛ । ତୁମ ଶରୀରରେ ଯେଉଁ ଅଷ୍ଟ ଅଳଙ୍କାର ଶୋଭା ପାଉଛି ସେସବୁ ତୁମ ଶରୀରର କାନ୍ତି ଦ୍ୱାରା ଅଧିକ ମନୋରମ ଦିଶୁଛନ୍ତି । ମତେ ଅନ୍ୟ ଏକ କଥା ବିସ୍ମିତ କରୁଛି ଯେ ତୁମେ ଏପରି ପ୍ରଭାମୟୀ କିପରି ହୋଇପାରିଛ ? ତା’ ଛଡ଼ା ଏ ଶ୍ୱାପଦସଙ୍କୁଳ ନିର୍ଜନ ଘନଅରଣ୍ୟରେ ତୁମେ ଏକାକିନୀ ନିର୍ଭୟରେ କିପରି ବିଚରଣ କରିପାରୁଛ ? ଏହା ତ କୌଣସି ମାନବୀ ପକ୍ଷରେ ସମ୍ଭବ ନୁହେଁ । ମୁଁ ହେଉଛି ଏ ରାଜ୍ୟର ଅଧୀଶ୍ୱର ରାଜା ସମ୍ୱରଣ । କିଛିଦିନ ପୂର୍ବେ ଥରଟିଏ ତୁମକୁ ଦେଖିବାର ସୌଭାଗ୍ୟ ମୋର ହୋଇଥିଲା । ତା’ ପରଠାରୁ ତୁମକୁ ସାକ୍ଷାତ କରିବା ପାଇଁ ମୁଁ ଘନ ଅରଣ୍ୟରେ ଇତସ୍ତତଃ ଭ୍ରମଣ କରିଆସୁଛି । ମତେ ଅଧିକ କ୍ଳେଶ ନ ଦେଇ ତୁମେ ଦୟାକରି ତୁମର ପରିଚୟ ପ୍ରଦାନ କର !”

ରାଜାଙ୍କର ଏ ପ୍ରକାର ବ୍ୟାକୁଳତାର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼ିଲା ନାହିଁ । ବରଂ ମେଘରେ ସାମାନ୍ୟ ସ୍ଫୁରିତ ହୋଇ ସୌଦାମିନୀ ଲୀନ ହୋଇଯିବା ପରି ସେ ରମଣୀ ମୁହୂର୍ତ୍ତକରେ ଅନ୍ତର୍ହିତ ହୋଇଗଲେ ।

ବିସ୍ମୟାବିଷ୍ଟ ରାଜା କିଛି ସମୟ ସେହିପରି ସ୍ତବ୍ଧ ହୋଇ ରହିଲେ । ପରମୁହୂର୍ତ୍ତରେ ଅନୁଭବ କରିପାରିଲେ ଯେ ସେ ତାଙ୍କର ପରମ ଆକାଂକ୍ଷିତା ରମଣୀଙ୍କୁ ହରାଇ ବସିଛନ୍ତି । ହିତାହିତ ଜ୍ଞାନଶୂନ୍ୟ ରାଜା ସେହିଠାରେ ଭୂମି ଉପରେ ଶାୟିତ ହୋଇ ଉଚ୍ଚକଣ୍ଠରେ ବିଳାପ କରିବାକୁ ଲାଗିଲେ । ଏକ ମହାନ୍ ରାଜବଂଶର ସମର୍ଥ ରାଜା ଏପରି ମାୟାଗ୍ରସ୍ତ ହୋଇ ଅସହାୟ ଭାବରେ ରୋଦନ କରିବା ଥିଲା ଏକ ଅଭାବିତ ଘଟଣା ।

କିଛିକ୍ଷଣ ପରେ ରାଜା ଶୁଣିପାରିଲେ ଏକ ମୃଦୁମନ୍ଦ କଣ୍ଠସ୍ୱର ।

ସେ ଚକିତ ହୋଇ ଉଠି ବସି ଦେଖିଲେ ତାଙ୍କର ଅଭିଳାଷିତା ନାରୀ ତାଙ୍କ ନିକଟରେ ଉପସ୍ଥିତ ହୋଇ କହୁଛନ୍ତି, “ହେ ରାଜନ, ଆପଣ ଏ ଭୂମଣ୍ଡଳରେ ଜଣେ କୀର୍ତ୍ତିମାନ ରାଜା ରୂପରେ ବିଖ୍ୟାତ ଅଟନ୍ତି । ଆପଣଙ୍କର ରାଜ୍ୟ ଶାସନରେ ଦକ୍ଷତା, ପ୍ରଜାବତ୍ସଳତା, ସୂର୍ଯ୍ୟୋପାସନାରେ ଏକନିଷ୍ଠତା ସର୍ବ ଜନ ବିଦିତ । ଆପଣ ଶତ୍ରୁ ସଂହାରକାରୀ, ଅରକ୍ଷଜନଙ୍କର ରକ୍ଷାକାରୀ ଓ ସମଦର୍ଶୀ ରାଜା ଭାବରେ ସମସ୍ତଙ୍କର ପ୍ରୀତିଭାଜନ ଅଟନ୍ତି । ଆପଣଙ୍କ ପକ୍ଷରେ ଏପରି ମୋହଗ୍ରସ୍ତ ହୋଇ ବିଳାପ କରିବା ଆଦୌ ଶୋଭନୀୟ ନୁହେଁ ।”

ସମ୍ୱରଣ ଭୂମିଶଯ୍ୟା ତ୍ୟାଗ କରି ପ୍ରେମାଶ୍ର୍ରପୂର୍ଣ୍ଣ ନୟନରେ ଉତ୍ତର ଦେଲେ, “ହେ ଶୁଚିସ୍ମିତେ, ତୁମେ ମୋ ସମ୍ପର୍କରେ ଯାହା କହିଲ ତାହା ସତ୍ୟ । କିନ୍ତୁ ତା’ ସହିତ ମୋର ଏ ବ୍ୟାକୁଳତା ମଧ୍ୟ ସତ୍ୟ । ମୁଁ ତୁମକୁ ଦର୍ଶନ କରିବା ପରଠାରୁ ମୋର ହୃଦୟ ଅନୁକ୍ଷଣ ଆବେଗ ସ୍ପନ୍ଦିତ ହେଉଛି । ମୁଁ ସେହି ମୁହୂର୍ତ୍ତରୁ ତୁମ ନିକଟରେ ମୋର ଅନ୍ତରର ପ୍ରେମ ନିବେଦନ କରିଚାଲିଛି । ଯଦିବା ମୁଁ ଜାଣେ ନାହିଁ ତୁମେ କିଏ ବା କାହାର କନ୍ୟା ଅଟ ! ତୁମେ ଯିଏ ବି ହୁଅନା କାହିଁକି ଗାନ୍ଧର୍ବ ବିବାହ ଦ୍ୱାରା ତୁମେ ମତେ ପତି ରୂପେ ସ୍ୱୀକାର କର ! ସବୁପ୍ରକାର ବିବାହ ବିଧି ବ୍ୟବସ୍ଥା ମଧ୍ୟରେ ଗାନ୍ଧର୍ବ ବିବାହ ରୀତି ଶ୍ରେଷ୍ଠ ଅଟେ । ଧର୍ମାନୁମୋଦିତ ବୈବାହିକ ସମ୍ପର୍କ ଭିତରେ ମୁଁ ତୁମକୁ ଗ୍ରହଣ କରିବାକୁ ଚାହେଁ ।”

ତାଙ୍କ କଥା ଶୁଣି ରମଣୀଜଣକ ସ୍ମିତହାସ୍ୟ ପୂର୍ବକ କହିଲେ “ଆପଣ ମୋର ପିତୃ ପରିଚୟ ଜାଣିବାକୁ ଚାହିଁବେ କି ?”

ସମ୍ୱରଣ ଉଚ୍ଛ୍ୱସିତ ହୋଇ କହିଲେ, “ମୁଁ ନିଶ୍ଚୟ ଜାଣିବାକୁ ଚାହିଁବି କିଏ ଆପଣଙ୍କର ସେ ସୌଭାଗ୍ୟଶାଳୀ ପିତା ! ଯାହାଙ୍କ ନିକଟରେ ମୁଁ ନତଜାନୁ ହୋଇ ତାଙ୍କର କନ୍ୟାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ପ୍ରାର୍ଥନା କରିପାରିବି ।”

ପ୍ରାର୍ଥନା ତ ଆପଣ ପ୍ରତ୍ୟହ ତାଙ୍କୁ କରୁଛନ୍ତି ।

ମୁଁ ପ୍ରତ୍ୟହ ପ୍ରାର୍ଥନା କରୁଛି ? କାହାକୁ ?

ନିତିଦିନ ବ୍ରାହ୍ମ ମୁହୂର୍ତ୍ତରେ ଗଙ୍ଗାତଟରେ ଉପବେଶନ କରି ଆପଣ ଯାହାଙ୍କର ଆଗମନକୁ ଅପେକ୍ଷା କରନ୍ତି, ଯାହାଙ୍କୁ ଶୁଦ୍ଧଚିତ୍ତରେ ଆରାଧନା କରିଥାନ୍ତି । ଏବେ ସ୍ମରଣ କରିପାରୁଛନ୍ତି ତ !

ରାଜା ବିସ୍ମୟରେ ହତବାକ୍ ହୋଇଗଲେ । ବିଜୁଳି ପରି ନାମଟିଏ ତାଙ୍କର ମନାକାଶରେ ଝଲକିତ ହୋଇଉଠିଲା । କିନ୍ତୁ ସେ ନାମକୁ ଉଚ୍ଚାରଣ କରିବାର ସାମର୍ଥ୍ୟ ତାଙ୍କ ଓଷ୍ଠର ନଥିଲା । ସେ ନିଜ ଭିତରେ ଏକ ଅଦ୍ଭୁତ କମ୍ପନ ଅନୁଭବ କରୁଥିଲେ । ଖୁବ୍ ଗୋଟେ ଅପରାଧ କରି ଦେଇଥିବା ପରି ତାଙ୍କର ମନେ ହେଉଥିଲା । କ’ଣ କରିବେ ସେ ବୁଝିପାରୁନଥିଲେ ।

ତାଙ୍କର ଏ ଅବସ୍ଥା ଦେଖି ସେହି ଅସାମାନ୍ୟା ନାରୀ ଖୁବ୍ ମଧୁର କଣ୍ଠରେ କହିଲେ, “ହେ ରାଜନ, ଆପଣ ଏବେ ନିଶ୍ଚୟ ବୁଝିପାରିଛନ୍ତି ମୁଁ କାହାର କନ୍ୟା । ମୁଁ ସୂର୍ଯ୍ୟଦେବଙ୍କର କନିଷ୍ଠା କନ୍ୟା । ମୋର ନାମ ତପତୀ । ମୋର ଜ୍ୟେଷ୍ଠା ଭଗିନୀ ହେଉଛନ୍ତି ସାବିତ୍ରୀ ।”

ସମ୍ୱରଣ କ’ଣ ଉତ୍ତର ଦେବେ ! ଏହି ଭାମିନୀ ଯେ ତାଙ୍କର ଆରାଧ୍ୟ ଦେବତାଙ୍କର କନ୍ୟା । କିନ୍ତୁ କ’ଣ ଏବେ ସେ କରିବେ ? ଏହି ଅନୁପମା ନାରୀଙ୍କର ପରିଚୟ ନ ଜାଣି ତ ସେ ନିଜର ପ୍ରାଣମନ ତାଙ୍କଠାରେ ସମର୍ପି ଦେଇଛନ୍ତି । ଏବେ ତ ତାହା ପ୍ରତ୍ୟାହାର କରିନେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ।

ତାଙ୍କର ଏ ମାନସିକ ଦ୍ୱନ୍ଦ୍ୱର ସ୍ପଷ୍ଟଛାୟା ତାଙ୍କ ମୁଖମଣ୍ଡଳରେ ପଡ଼ିସାରିଥିଲା । ତପତୀ ପୁଣି ମଧୁର କଣ୍ଠରେ କହିଲେ “ରାଜନ୍ ଆପଣ ମତେ ପ୍ରଥମେ କେବେ ଦେଖିଥିଲେ ମୁଁ ଜାଣେନା । ସେବେଠାରୁ ମୁଁ ଆପଣଙ୍କର ଧ୍ୟାନର କାରଣ ହୋଇଛି । କିନ୍ତୁ ମୁଁ ଏଇମାତ୍ର ଆପଣଙ୍କୁ ଦର୍ଶନ କରିବା ଠାରୁ ଆପଣଙ୍କୁ ସର୍ବାନ୍ତଃକରଣରେ ଚାହିଁବାକୁ ଆରମ୍ଭ କରିଛି । ଆପଣଙ୍କ ପରି ଉଚ୍ଚକୁଳ ସମ୍ଭୁତ ଯଶସ୍ୱୀ ସୌମ୍ୟଦର୍ଶନ ନରପତିଙ୍କୁ କେଉଁ କନ୍ୟା ବା ବାଞ୍ଛା ନ କରିବ ।”

ତପତୀଙ୍କର ତାଙ୍କ ପ୍ରତି ପ୍ରେମଭାବନା ଆସିଛି ଜାଣି ରାଜା ସମ୍ୱରଣ ଆଶ୍ୱସ୍ତ ହେଲେ । ତେଣିକି ପରବର୍ତ୍ତୀ ଅବସ୍ଥା ଯାହାହେଉନା କାହିଁକି ଗାନ୍ଧର୍ବ ରୀତିରେ ବିବହା କରିନେବା ସମୀଚୀନ ହେବ । କାରଣ ଏ ସମସ୍ତ ପ୍ରସଙ୍ଗ ଜାଣିବା ପରେ ତପତୀଙ୍କର ପିତା ଯେତେ ଅସନ୍ତୁଷ୍ଟ ହେଲେ ବି ବିବାହିତା କନ୍ୟା ଓ ଜାମାତାଙ୍କୁ ପରିହାର କରିବା ତାଙ୍କ ପକ୍ଷରେ ସହଜ ହେବନି ।

– ତା’ପରେ

ଲୋକପ୍ରିୟ ଲେଖା

To Top