ଗଳ୍ପ

ଅଗ୍ନିକାଣ୍ଡ

Dr Bibhuti Pattanaik's odia story Agnikaanda

କିନ୍ତୁ ପର ମୁହୂର୍ତ୍ତରେ ତା’ର ଭୟ ହୋଇଛି, ଯଦି ମେଡ଼ିକାଲ୍ ଟେଷ୍ଟରୁ ଜଣାପଡ଼ିଯାଏ ଯେ, ସେ ସନ୍ତାନର ଜନକ ହେବା ପାଇଁ ଅସମର୍ଥ, ତାହାହେଲେ ନିଜର ପୋଡ଼ାମୁହଁ ଲୁଚାଇବା ଲାଗି ତାକୁ ଜାଗା ମିଳିବ ନାହିଁ ।

ଅଗ୍ନିକାଣ୍ଡ

ଦାନାପାଣି ବହିର ପୃଷ୍ଠାରୁ ହୁ’ଦସ୍ତ ଉଠିଆସି ତା’ର ଟାଇପ୍ ଫୋର୍ କ୍ଵାଟର ସାମ୍ନାରେ ଠିଆ ହୋଇଗଲା ବଳିଦତ୍ତ ।

ଗେଟ୍ ଖୋଲା, କିନ୍ତୁ ଦାଣ୍ଡଘର ଦରଜାରେ ତାଲା ।

ଘରେ ତାଲା ପକାଇଦେଲେ କୁଆଡ଼େ ଯାଇଛି ସରୋଜିନୀ ।

ଦୁଇଦିନ ହେଲା ରାୟଗଡ଼ା ଟୁର୍‌ରେ ଯାଇଥିଲା ବଳିଦତ୍ତ । କିରାନି ଚାକିରୀ । ଚାରିବର୍ଷ ହେଲା ଗ୍ରେଡ୍ ଟୁ’ରେ ବାଦୁଡ଼ି ଭଳି ସେ ଝୁଲି ରହିଛି । ଗ୍ରେଡ୍ ୱାନ୍‌କୁ ପ୍ରମୋସନ୍ ହୋଇପାରୁ ନାହିଁ । ତା’ ତଳେ ଦୁଇଜଣ କିରାନି ଉପରକୁ ଉଠିଗଲେ । କିନ୍ତୁ ସେ ଦୁହେଁ ଯେଉଁ ଉପାୟରେ ତଳୁ ଉପରକୁ ଉଠିଗଲେ ସେଇ ଉପାୟରେ ଉପରକୁ ଉଠିବାକୁ ସଫା ସଫା ମନା କରିଦେଲା ସରୋଜିନୀ ।

ଦେଖ, ଗ୍ରେଡ୍ ଟୁ’ କିରାନିର ସ୍ତ୍ରୀ ହୋଇ ରହିବାରେ ମୋର କୌଣସି ଲଜ୍ଜା ନାହିଁ । କିନ୍ତୁ ଖୋସାମତିଆର ପତ୍ନୀ ହୋଇଗଲେ ମୁଁ ଏ କିରାନି-କଲୋନିରେ କାହା ପାଖରେ ମୁଣ୍ଡଟେକି ଚାଲିପାରିବି ନାହିଁ ।

ସ୍ତ୍ରୀର କଥାକୁ ଅମାନ୍ୟ କରିବାକୁ ବଳିଦତ୍ତ୍ ସାହସ କରିପାରେ ନାହିଁ । କିନ୍ତୁ ଖୁଣ୍ଟରେ ବନ୍ଧା ହୋଇ ରହିଥିବା ବଳଦ ଭଳି ସେ ବର୍ଷ ବର୍ଷ ଧରି ଗ୍ରେଡ୍ ଟୁ’ରେ ଝୁଲି ରହିବାକୁ ଅପମାନଜନକ ମନେ କରେ ।

ନିତ୍ୟାନନ୍ଦ ଆଉ ସଦାନନ୍ଦ- ଯେଉଁ ଦୁଇଜଣ ଜୁନିୟର୍ ଗ୍ରେଡ୍ ଟୁ’ ତାକୁ ନାତମାରି, ଖୋସାମତିର ନିଶୁଣିରେ ପାଦ ରଖି, ତାକୁ ପଛକୁ ଠେଲି ଗ୍ରେଡ୍ ୱାନ୍‌କୁ ଉଠିଗଲେ, ସେମାନଙ୍କ ଅପେକ୍ଷା ଉପରିସ୍ଥ ହାକିମଙ୍କୁ ଖୋସାମତ କରିବାର କଳାକୌଶଳ ତାକୁ ଭଲ ଜଣା । କେବଳ ପ୍ରତିବନ୍ଧକ ସରୋଜିନୀ- ତା’ର କିଙ୍ଗ ସାଇଜ୍‌ର ଇଗୋ ତା’ର ପ୍ରମୋସନ୍‌ର ପ୍ରତିବନ୍ଧକ ।

ସେକ୍ରେଟାରୀ ହରପ୍ରସାଦ ଚୌଧୁରୀଙ୍କ ହାତରେ ପ୍ରମୋସନ୍‌ର ଚାବିକାଠି । ତା’ର ଦୁଇବର୍ଷର ଜୁନିୟର୍ ନିତ୍ୟାନନ୍ଦ ରାଉଳ, ଉପରେ ପଡ଼ି ଚୌଧୁରୀ ସାହେବଙ୍କର ଦୋକାନ ସଉଦା କରେ । ପଚାଶ ଟଙ୍କାର ପରିବା ଆଣିଦେଇ ମିସେସ୍ ଚୌଧୁରୀଙ୍କଠାରୁ ତିରିଶ ଟଙ୍କା ନିଏ । ବାକି କୋଡ଼ିଏ ଟଙ୍କା ହାତରୁ ଦେଇଦିଏ । ମିସେସ୍ ଚୌଧୁରୀ ପିଅନ ହାତରେ ମଗାଇଥିବା ପରିବା ପାଇଁ ଯେତିକି ଟଙ୍କା ଦେଇଥାଆନ୍ତି, ତା’ଠାରୁ ତିରିଶ ଶତାଂଶ କମ୍ ମୂଲ୍ୟରେ ନିତ୍ୟାନନ୍ଦ ରାଉଳ ତାଜା ପରିବା ଆଣି ଦେଇଥିବାରୁ ଖୁସି ହୋଇଯାଇ ସ୍ୱାମୀଙ୍କ ସାମ୍ନାରେ ତା’ର ପ୍ରଶସ୍ତି ଗାନ କରନ୍ତି । କହନ୍ତି- “ତମ ପିଅନ ୟାସିନ୍ ଖାଁ ଗୋଟାଏ ମସ୍ତ ଠକ । ବାଜେ ପରିବା ବେଶି ଦାମ୍ ଦେଇ କିଣି ଆଣୁଚି । ଆଉ ନିତ୍ୟାନନ୍ଦ ବାବୁ ଖାଣ୍ଟି ଲୋକ । କମ୍ ଦାମ୍‌ରେ ଭଲ ପରିବା ଆଣି ଦେଉଛନ୍ତି । ତମେ ତୁରନ୍ତ ସେ ପଠାଣ ଟୋକାକୁ ଅନ୍ୟତ୍ର ବଦଳି କରିଦିଅ- ନିତ୍ୟାନନ୍ଦକୁ ପ୍ରମୋସନ୍ ଦେଇ ଦେଲେ ସେ ଅଫିସ୍ ଯିବା ଆଗରୁ ଆମର ପରିବା, ମାଛ କିଣିଆଣି ଦେଇଯିବେ ।”

ନିତ୍ୟାନନ୍ଦ ରାଉଳଙ୍କର ଗ୍ରେଡ୍ ଟୁ’ରୁ ଗ୍ରେଡ୍ ୱାନ୍‌କୁ ପ୍ରମୋସନ୍ ହୋଇଗଲା । ଶସ୍ତାରେ ମିସେସ୍ ଚୌଧୁରୀଙ୍କୁ ପରିବା କିଣି ଆଣିଦେବା ପାଇଁ ତାଙ୍କୁ ଖୁବ୍ ବେଶି ହେଲେ ମାସକୁ ତିନି ଚାରି ଶହ ଟଙ୍କା ନିଜ ହାତରୁ ଦେବାକୁ ପଡ଼ିଥିବ ।

ନିତ୍ୟାନନ୍ଦ ରାଉଳ ଯଦି ସେକ୍ରେଟାରୀ ସାହେବଙ୍କ ହାଟ ବଜାର କରି ପ୍ରମୋସନ୍ ହାତେଇ ନେଇଥିଲା, ସଦାନନ୍ଦ ସାମଲ ନିଜ ସ୍ତ୍ରୀ ହାତରନ୍ଧା, ସାହେବଙ୍କ ପ୍ରିୟ ପ୍ରନ୍ ଆଇଟମ୍ ସପ୍ଲାଇ ଦେଇ ପ୍ରମୋସନ୍ ପାଇଗଲା । ସରୋଜିନୀକୁ ଥରେ ସେ ତା’ର ପ୍ରମୋସନ୍ ବିଷୟ ମିସେସ୍ ଚୌଧୁରୀଙ୍କୁ ମନେପକାଇ ଦେବା କଥା କହିବା ମାତ୍ରେ ହିଂସ୍ର ନାଗୁଣୀ ଭଳି ଫଣା ତୋଳି ସେ ଠିଆ ହୋଇଗଲା ।

ତମେ ଚୌଧୁରୀ ସାହେବଙ୍କ ପାଖରେ ଚାକିରୀ କରିଛ । ମୁଁ ତାଙ୍କର ଚାକରାଣୀ ନୁହଁ । ତମକୁ ପ୍ରମୋସନ୍ ଦେବା କଥା ତାଙ୍କ ସ୍ତ୍ରୀକୁ ମୁଁ କାହିଁକି କହିବି ? ଛି –ଛି – ଏମିତି ଧରାଧରି କରି ପ୍ରମୋସନ୍ ପାଇବା ଅପେକ୍ଷା ନିଜର ଆତ୍ମସମ୍ମାନ ରଖି ଅବଶିଷ୍ଟ ଜୀବନ ଏଇ କ୍ଲାସ୍ ଟୁ’ରେ କଟାଇ ଦେବା ଭଲ । ଆମର ତ ପିଲାଛୁଆ ନାହାନ୍ତି । ଦୁଇଟା ବୋଲି ପେଟ । ଏଇ ଗ୍ରେଡ୍ ଟୁ’ରେ ତମେ ଯେତିକି ଦରମା ପାଉଛ, ସେଇ ଯଥେଷ୍ଟ ।

ବାରବର୍ଷର ବିବାହିତ ଜୀବନରେ ସେ ସରୋଜିନୀ କୋଳକୁ ସନ୍ତାନଟିଏ ଦେଇପାରି ନାହିଁ- ଏ କଥା ତାକୁ ମନେପକାଇ ଦେଇ ତା’ର ପୁରୁଷପଣିଆ ଦେହରେ ପିନ୍ ମାରିଦେଲା । କଣ୍ଟା ଫୁଟି ତା’ ଛାତିର କଲିଜାରୁ ରକ୍ତ ବାହାରିଲା । କିନ୍ତୁ ସେ ରକ୍ତକ୍ଷରଣର ଦୁଃଖ ସେ ବାହାରେ ପ୍ରକାଶ କରିପାରିଲା ନାହିଁ ।

ପିଲାଛୁଆ ନାହାନ୍ତି ବୋଲି ଟଙ୍କା ପଇସା ଦରକାର ନାହିଁ- ଚାକିରୀରେ ପ୍ରମୋସନ୍‌ର ପ୍ରୟୋଜନ ନାହିଁ- ପ୍ରିୟତମା ପତ୍ନୀଙ୍କ ଏ ମନ୍ତବ୍ୟରେ ସମବେଦନା ଅପେକ୍ଷା ଅଧିକ ତାତ୍ସଲ୍ୟ ଭରି ରହିଥିଲା ଭଳି ଅନୁଭବ କରେ ବଳିଦତ୍ତ ।

ସନ୍ତାନହୀନତା ପାଇଁ ସେ ନିଜକୁ ଦାୟୀ ଆଗରୁ ତା’ ମନରେ ସନ୍ଦେହର କଳା ମେଘ ଘୋଟିଆସେ । ତା’ର ସନ୍ଦେହ ହୁଏ ତା’ର ଅଣପୁରୁଷାପଣ ଯୋଗୁଁ ସରୋଜିନୀ ମାଆ ହୋଇପାରୁ ନ ଥିବା କଥା ପ୍ରତିଶତ ଶହେ ଭାଗ ସତ୍ୟ ନୁହେଁ । ତା’ର ଦେହର ରଙ୍ଗ ହାତୀଭଳି ଅନୁଜ୍ଜ୍ୱଳ କଳା । ପୁଅ ଯଦି କଳା କୃଷ୍ଣ ହୁଏ, ଚିନ୍ତା ନାହିଁ । କିନ୍ତୁ ତା’ର ରଙ୍ଗ ନେଇ ଯଦି ଗୁଣ୍ଠୁଣୀ ହାତୀ ରଙ୍ଗର ଝିଅ ହୁଏ । କାଳୀ ଝିଅକୁ ଭଲ ଘର, ଭଲ ବରପାତ୍ର ଦେଇପାର ଉଦ୍ଧାର କରିବା ତା’ ଭଳି ଗ୍ରେଡ୍ ଟୁ’ କିରାଣି ପକ୍ଷରେ କାଠିକର ପାଠ । ସେଇ କଥା ମନରେ ଭାବି ସରୋଜିନୀ ହୁଏତ ମାଆ ହେବାକୁ ଚାହେଁ ନାହିଁ । ତା’ର ଅଜ୍ଞାତସାରରେ ସେ ଗର୍ଭନିରୋଧ ବଟିକା ଖାଉଥିବା ସମ୍ଭବ ।

ସେ ଅନେକ ଥର ଭାବିଛି, ସନ୍ଦେହ ମୋଚନ ପାଇଁ ସେ ଡାକ୍ତରଙ୍କ ଦ୍ୱାରା ନିଜର ପୁରୁଷପଣିଆ ପରଖି ନେବ । କିନ୍ତୁ ପର ମୁହୂର୍ତ୍ତରେ ତା’ର ଭୟ ହୋଇଛି, ଯଦି ମେଡ଼ିକାଲ୍ ଟେଷ୍ଟରୁ ଜଣାପଡ଼ିଯାଏ ଯେ, ସେ ସନ୍ତାନର ଜନକ ହେବା ପାଇଁ ଅସମର୍ଥ, ତାହାହେଲେ ନିଜର ପୋଡ଼ାମୁହଁ ଲୁଚାଇବା ଲାଗି ତାକୁ ଜାଗା ମିଳିବ ନାହିଁ ।

ଯେଉଁମାନଙ୍କର ପିଲାଛୁଆ ନ ଥାନ୍ତି ସ୍ୱଭାବତଃ ସେମାନେ କୃପଣ ହୁଅନ୍ତି । ଏ କଥାଟା କେଉଁଠି ପଢ଼ିଥିବା କି କାହାଠାରୁ ଶୁଣିଥିଲା ମନେ ନାହିଁ, କିନ୍ତୁ କଥାଟା ଅଠା ଭଳି ତା’ ମନରେ ଲାଖି ରହିଛି । ଗ୍ରେଡ୍ ଟୁ’ରେ ସେ ଯାହା ଦରମା ପାଉଛି, ସେଥିରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର ଚଳିଯାଉଛି । ସରୋଜିନୀ ଅଳ୍ପରେ ସନ୍ତୁଷ୍ଟ ହେବା ଝିଅ । ଭଲ ଶାଢ଼ି କିମ୍ୱା ସୁନା ଗହଣା ପାଇଁ ସେ କେବେ ଅଳି କରି ନାହିଁ କି ଅଡ଼ି ବସି ନାଇଁ । କିନ୍ତୁ ସେ ଯାହା ଦରମା ପାଏ, ସବୁ ଖର୍ଚ୍ଚ ହୋଇଯାଏ । ସଞ୍ଚୟ କରିବା ଲାଗି ଟଙ୍କା ବଳେ ନାହିଁ । ଯଦି ତା’ର ଗ୍ରେଡ୍ ୱାନ୍ ହୋଇଥାଆନ୍ତା- ତାହାହେଲେ ତିନିଚାରି ବର୍ଷ ପରେ ସରକାର ଓ.ଏ.ଏସ୍. କୋଟାରେ ପ୍ରମୋସନ୍ ଦେଇ ତାକୁ ଅଫିସର୍ କରି ଦିଅନ୍ତେ । ବି.ଡ଼ି.ଓ. କିମ୍ୱା ତହସିଲଦାର ହେଲେ ଉପୁରି ଦୁଇ ପଇସା ହାତକୁ ଆସନ୍ତା । ରିଟାୟାର୍ କଲାବେଳକୁ ପାଞ୍ଚ ଦଶ ଲକ୍ଷ ଟଙ୍କା ସଞ୍ଚୟ କରି ହୁଅନ୍ତା ।

କିନ୍ତୁ ତା’ର ସବୁ ଭବିଷ୍ୟତ ଯୋଜନା ଏଇ ଗ୍ରେଡ୍ ଟୁ’ପାଖରେ ଅଟକିଛି । ସେକ୍ରେଟାରୀ ଚୌଧୁରୀ ସାହେବ ତା’ ପ୍ରମୋସନ୍ ଫାଇଲ୍‌ରେ ନାଲିଫିତା ବାନ୍ଧି ଆଲମିରା ବନ୍ଦୀ କରି ରଖିଛନ୍ତି ।

କେହି ଜଣେ ତାଙ୍କୁ ଫାଇଲ୍‌ର ଫିତା ଖୋଲିବା ପାଇଁ କହିବା ଦରକାର । କିଏ କହିବ ।

ଯୋଗେଶ୍ୱର ବାବା ! ଆଉ କିଏ ?

ସେକ୍ରେଟାରୀ ହରପ୍ରସାଦ ଚୌଧୁରୀଙ୍କ ସାନଭାଇ ଯୋଗେଶ୍ୱର ଚୌଧୁରୀ ଛତିଶଗଡ଼ କ୍ୟାଡ଼ର୍ର ଆଇ.ପି.ଏସ୍. ଅଫିସର୍ । ଛତିଶଗଡ଼ରେ ମାଓବାଦୀ ଗରିଲା ମାତିଛନ୍ତି । ମାଓ ଦମନ ପାଇଁ ଛତିଶଗଡ଼ ସରକାର ଯୋଗେଶ୍ୱର ଚୋßଧୁରୀଙ୍କୁ ବସ୍ତର ଜିଲ୍ଲାକୁ ପଠାଇଥିଲେ । ବସ୍ତରର ଅରଣ୍ୟାଞ୍ଚଳରେ ବଡ଼ ବଡ଼ କର୍ପୋରେଟ୍ ହାଉସ୍‌ର ଶିଳ୍ପ କାରଖାନା । ସ୍ଥାନୀୟ ଆଦିବାସୀମାନଙ୍କୁ ମତାଇ, ତତାଇ ମାଓବାଦୀମାନେ ଶିଳ୍ପାଞ୍ଚଳରେ ସନ୍ତ୍ରାସ ସୃଷ୍ଟି କରୁଥିଲେ । ପୁଲିସ୍ ଡାଇରେକ୍ଟର ଜେନେରାଲ୍ ପଦବୀକୁ ପ୍ରମୋସନ୍ ପାଇ ଯୋଗେଶ୍ୱର ଚୌଧୁରୀ କେନ୍ଦ୍ରୀୟ ଅର୍ଦ୍ଧ ସାମରୀକ ବାହିନୀ ସହାୟତାରେ ମାଓବାଦୀମାନଙ୍କ ହୋସ୍ ଉଡ଼ାଇ ଦେଇଥିଲେ । ଏନ୍‌କାଉଣ୍ଟର୍‌ରେ ଶହ ଶହ ମାଓନେତା, ନେତ୍ରୀଙ୍କର ରାମ ନାମ ସତ୍ୟ ହୋଇଯାଇଥିଲା ।

ଦେଶର ସବୁ ନ୍ୟାସ୍‌ନାଲ୍ ଡେଲିରେ ଯୋଗେଶ୍ୱର ଚୌଧୁରୀଙ୍କ ମାଓ ଦମନର ସଫଳତା ସମ୍ୱାଦ ବଡ଼ ବଡ଼ ଅକ୍ଷରରେ ଛପା ହୋଇଥିଲା ।

ହଠାତ୍ ଦିନେ ଖବର ପ୍ରକାଶ ପାଇଲା ଯେ ପ୍ରମୋସନ୍‌କୁ ପ୍ରତ୍ୟାଖ୍ୟାନ କରି ଛତିଶଗଡ଼ର ଡି.ଜି. ଯୋଗେଶ୍ୱର ଚୌଧୁରୀ ସରକାରୀ ଚାକିରୀରୁ ସନ୍ନ୍ୟାସ ନେଇଛନ୍ତି । ଶହ ଶହ ଆଦିବାସୀ ନାରୀ-ପୁରୁଷ ମାଓବାଦୀମାନଙ୍କ ରକ୍ତରେ ହାତ ଧୋଇଥିବାରୁ ଅନୁତାପର ଅନଳରେ ସେ ଦଗ୍ଧ ହେଉଛନ୍ତି । ପାପର ପ୍ରାୟଶ୍ଚିତ୍ତ ପାଇଁ ଖାକି ପୋଷାକ ଓହ୍ଲାଇ ଦେଇ ସେ ଗୌରିକ ବସନ ଧାରଣ କରିଛନ୍ତି । ନାମ ବଦଳାଇ ନିଜକୁ ବାବା ଯୋଗେଶ୍ୱର ଭାବରେ ପରିଚିତ କରାଇଛନ୍ତି ।

ଓଡ଼ିଶା ରାୟଗଡ଼ା ସୀମାନ୍ତ ଅରଣ୍ୟରେ-ଯୋଗେଶ୍ୱର ବାବାଙ୍କର ଯାହା ଉପରେ କୃପାଦୃଷ୍ଟି ପଡ଼େ, ତା’ର କୌଣସି ଇଚ୍ଛା ଅପୂର୍ଣ୍ଣ ରହେ ନାହିଁ । ସେ ଯଦି ବାବା କୃପାଦୃଷ୍ଟି ଆକର୍ଷଣ କରିପାରେ- ସେ ଯଦି ତାଙ୍କ ବଡ଼ ଭାଇ ସେକ୍ରେଟାରୀ ହରପ୍ରସାଦ ଚୌଧୁରୀଙ୍କୁ ତା’ ପ୍ରମୋସନ୍ ଫାଇଲ୍‌ର ନାଲିଫିତା ଖୋଲିବା ପାଇଁ ମୋବାଇଲ୍‌ରେ ଥରେ କହି ଦିଅନ୍ତି, ତାହାହେଲେ ତା’ର ଭାଗ୍ୟ ଖୋଲିଯିବ ।

ଯୋଗେଶ୍ୱର ଧାମ ଓଡ଼ିଶାର ନୂଆପଡ଼ି ସହରଠାରୁ ମାତ୍ର ସାତ କିଲୋମିଟର ଦୂର । ନୂଆପଡ଼ାରେ ଗୋଟାଏ ଅଫିସ୍ ଟୁର୍ ପକାଇ ଦୁଇଦିନ ତଳେ ବଳିଦତ୍ତ ଯୋଗେଶ୍ୱର ଧାମ ଯାଇଥିଲା ।

ଏ ମାତ୍ର ଫେରୁଛି ।

କିନ୍ତୁ ଘରେ ପହଞ୍ଚି ମଧ୍ୟ ସେ ଘରେ ପ୍ରବେଶ କରିପାରୁ ନାହିଁ । ତାଲା ପକାଇ କୁଆଡ଼େ ଯାଇଛି ସରୋଜିନୀ ।

ପଶ୍ଚିମ ଦିଗନ୍ତରେ ସୂର୍ଯ୍ୟ ଅସ୍ତ ଯାଉଛନ୍ତି । ଗୋଧୂଳି ବେଳା । ଘର ଭିତରେ ପ୍ରବେଶ କରି ନ ପାରି ବଳିଦତ୍ତ ସରୋଜିନୀର ସଜ୍ଜିତ ଉଦ୍ୟାନରେ ବୁଲିବାକୁ ଲାଗିଲା । ସେ ଅଫିସର୍ ନୁହେଁ, ତା’ର ମାଳୀ ନାହିଁ । ନିଜେ ସରୋଜିନୀ ଦିହ ମେହନତ କରି କ୍ୱାର୍ଟର୍ସ ସାମ୍ନାରେ ଥିବା ଏଇ ଛୋଟ ବଗିଚାକୁ ଫୁଲରେ ଭର୍ତ୍ତି କରି ଦେଇଛି । ସିଜନାଲ୍ ଫ୍ଲାୱାର୍ ସହିତ କୁଣ୍ଡରେ ଲାଲ୍, ଗୋଲାପୀ, ଧଳା, ହଳଦିଆ ଗୋଲାପ ମୃଦୁ ସମୀରଣରେ ମୁଣ୍ଡ ହଲାଉଛନ୍ତି ।

ଗୋଲାପ ଫୁଲ ଫୁଟି ଝଡ଼ିଯାଏ । ସେଥିରେ କାହାକୁ ହାତ ଲଗାଇବାକୁ ଦିଏ ନାହିଁ ସରୋଜିନୀ ।

ଇଚ୍ଛା ଥିଲେ ବି ନ ଛିଣ୍ଡାଇ ଗୋଟିଏ ଲାଲ୍ ଗୋଲାପକୁ ଆଉଁଶି ଦେଲାବେଳେ ହଠାତ୍ ଡାହାଣ ପଟ ପଡ଼ୋଶୀ ରମାକାନ୍ତବାବୁଙ୍କ ଚାକର ଟୋକା ରଘୁଆ ଦଉଡ଼ି ଦଉଡ଼ି ଆସି କହିଲା- “ଅଙ୍କଲ ! ଆଣ୍ଟି ଗଲାବେଳେ ଆପଣଙ୍କୁ ଦେବା ପାଇଁ ଘରର ଚାବିଟା ମତେ ଦେଇଯାଇଥିଲେ ।” ମୁଁ ସାଇକେଲ୍ ଶିଖିବାକୁ ସ୍କୁଲ୍ ପଡ଼ିଆକୁ ଯାଇଥିଲି- ଆପଣ କେତେବେଳେ ଆସି ପହଞ୍ଚି ଯାଇଛନ୍ତି, ଦେଖିପାରି ନ ଥିଲି । ଏଇ ନିଅନ୍ତୁ ଚାବି-

ମଉସା, ମାଉସୀ କିମ୍ୱା ଦାଦା, ଖୁଡ଼ୀ ନ କହି ଅଙ୍କଲ ଆଉ ଆଣ୍ଟି ବୋଲି ସମ୍ୱୋଧନ କରିବାକୁ ତାକୁ ଶିଖାଇ ଦେଇଛି ସରୋଜିନୀ ।

ତା’ ହାତରୁ ଚାବି ନେଇ ତାଲା ଖୋଲିଲାବେଳେ ସେ ତାକୁ ପଚାରିଲା- “ତୋ ଆଣ୍ଟି ତୋ ଜିମା ଚାବି ଦେଇ କୁଆଡ଼େ ଯାଇଛନ୍ତି ?”

– ଆପଣ ଜାଣି ନାହାନ୍ତି ? ଜନତା ମଇଦାନରେ ଯୋଗଗୁରୁ ରାମଦେବ ଓଲମ-ବିଲୋମ ଶିଖାଉଛନ୍ତି । ଆମ ମାଆ ବି ଆଣ୍ଟିଙ୍କ ସାଙ୍ଗରେ ଯାଇଛନ୍ତି ।

ସରୋଜିନୀ ଯୋଗ ଶିକ୍ଷା ପାଇଁ ଯାଇଛି ବୋଲି ଶୁଣି ବଳିଦତ୍ତର କପାଳରେ ଭାଙ୍ଗ ପଡ଼ିଗଲା ।

ତା’ପରେ

ଲୋକପ୍ରିୟ ଲେଖା

To Top