ଗଳ୍ପ

ଅଗ୍ନିକାଣ୍ଡ

Dr Bibhuti Pattanaik's odia story Agnikaanda

– ତମକୁ ବନ୍ଧ୍ୟାତ୍ୱ, ଲଜ୍ଜା ଓ ଅପମାନରୁ ମୁକ୍ତ କରିବା ପାଇଁ ଆଜି ମୁଁ. . . ।

ଅଗ୍ନିକାଣ୍ଡ

-: ପୂର୍ବରୁ :-

ଆକାଶରେ ଜହ୍ନ ଥିଲା, ପୂର୍ଣ୍ଣମୀ ତିଥିର ଜହ୍ନ । ମୁଠା ମୁଠା ମଲ୍ଲୀଫୁଲ ଭଳି ଝରି ପଡୁଥିବା ଜହ୍ନ ଆଲୁଅରେ ଭିଜି ଭିଜି ସେମାନେ ଯୋଗେଶ୍ୱର ଧାମରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ।

ରିସେପ୍ସନ୍ କାଉଣ୍ଟର୍‌ରେ ଲମ୍ୱା ଧାଡ଼ି । ମୁକ୍ତ ଦର୍ଶନ ଯୋଗ ଥିବାରୁ ଓଡ଼ିଶା ଛତିଶଗଡ଼ରୁ ବହୁ ଭକ୍ତ ଆଶ୍ରମରେ ରୁଣ୍ଡ ହୋଇଥିଲେ ।

ଚାରିଦିନ ତଳେ ଗେରୁଆ ବସ୍ତ୍ର ପିନ୍ଧି ଜଣେ ମାଓବାଦୀ ଆଶ୍ରମ ଭିତରେ ପଶି ବାବାଙ୍କ ବିଶ୍ରାମ ଭବନ ଉପରକୁ ବୋମାମାଡ଼ କରିଥିଲା । ବାବା ବିଶ୍ରାମ ଭବନରେ ନ ଥିଲେ, ଶୟନ ମନ୍ଦିରରେ । ସେଥିପାଇଁ ବୋମାର ବିସ୍ଫୋରଣରେ ତାଙ୍କର କ୍ଷତି ହୋଇନଥିଲା । କିନ୍ତୁ କିଛି ସାରା ଯୋଗେଶ୍ୱର ଧାମରେ ଆତଙ୍କ ଖେଳି ଯାଇଥିଲା ।

ସରକାର ବାବାଙ୍କ ସୁରକ୍ଷା ପାଇଁ ଅର୍ଦ୍ଧସାମରିକ କେନ୍ଦ୍ରୀୟ ବାହିନୀ ମୁତୟନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଭୂତପୂର୍ବ ପୋଲିସ୍ ଡିଜି ସରକାରୀ ନିରାପତ୍ତା ବାହିନୀର ସାହାଯ୍ୟ ନେବାକୁ ମନା କରିଦେଲେ । ସ୍ୱୟଂ ଈଶ୍ୱର ଯାହାର ସହାୟ, ଅନ୍ୟର ସହାୟତା ନେବା ତା’ର କି ପ୍ରୟୋଜନ !

କିନ୍ତୁ ଆଶ୍ରମର ଅନ୍ତେବାସୀ ସରକାରୀ ପୁଲିସ କିମ୍ୱା ଅର୍ଦ୍ଧସାମରିକ ବାହିନୀର ସହାୟତା ନେବା ପାଇଁ ସାକ୍ଷାତ୍-ଈଶ୍ୱର ବାବା ଯୋଗେଶ୍ୱରଜୀ ମନା କରିଦେଲେ ମଧ୍ୟ ଶରୀର-ସାଧକ ସନ୍ନ୍ୟାସୀମାନେ ଶାଣିତ ତ୍ରିଶୂଳ ଧରି ଆଶ୍ରମ ଭିତରେ ବାହାରେ ଦିନରାତି ପହରା ଦେଉଛନ୍ତି । ବାବାଙ୍କ ସହିତ ଦେଖା କରିବାକୁ ଆସୁଥିବା ନାରୀ ଓ ପୁରୁଷମାନଙ୍କ ଶରୀର ସର୍ଚ୍ଚ କରାଯାଉଛି ।

ମୁକ୍ତ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା ।

ଟିକେଟ୍‌ର ନମ୍ୱର ଅନୁସାରେ ଦର୍ଶନାର୍ଥୀମାନଙ୍କୁ ଜଣକ ପରେ ଜଣକୁ ଭିତରକୁ ଛଡ଼ା ଯାଉଛି ।

ପ୍ରାୟ ରାତି ନଅଟା ବେଳକୁ ବଳିଦତ୍ତର ଦର୍ଶନ ପାଇଁ ଶୁଭଲଗ୍ନ ଆସିଗଲା ।

ସୁରକ୍ଷା ଦାୟିତ୍ୱରେ ଥିବା ତ୍ରିଶୂଳଧାରୀ ସନ୍ନ୍ୟାସୀ ସ୍ୱାମୀ-ସ୍ତ୍ରୀ- ଦୁଇଜଣଙ୍କ ଭିତରୁ ଜଣକୁ ବାବାଙ୍କ ଦର୍ଶନରେ ଯିବା ପାଇଁ ବିନୟର ସହିତ ଅନୁରୋଧ କଲେ ।

ବଳିଦତ୍ତ ସରୋଜିନୀର ପରଚୟ ପତ୍ରିକାରେ ମାଇଁ ୱାଇଫ୍ ବୋଲି ଉଲ୍ଲେଖ କରିଥିଲା ।

ପ୍ରଥମେ ଏକାକିନୀ ଯିବା ପାଇଁ ଆପତ୍ତି କରୁଥିଲା ସରୋଜିନୀ ।

ତାକୁ ପଛରୁ ପେଲି କରି ପଠାଇଲା ବଳିଦତ୍ତ ।

ସରୋଜିନୀ ବାବାଙ୍କ ବିଶ୍ରାମ ଭବନରେ ପ୍ରବେଶ କରିବା ମାତ୍ରେ ଘୃତ ଦୀପର ଆଲୋକରେ ସ୍ୱଳ୍ପାଲୋକିତ କୋଠରୀ ହଠାତ୍ ଉଦ୍ଭାସିତ ହୋଇ ଉଠିଲା ।

ଝଲସି ଉଠିଲା ବାବା ଯୋଗେଶ୍ୱରଙ୍କ ଦୁଇ ଆଖି ।

ଏକ ଦୀର୍ଘାଙ୍ଗୀ ଲାବଣ୍ୟବତୀ ଖର୍ବକାୟ କୃଷ୍ଣାଙ୍ଗ ବଳିଦତ୍ତର ୱାଇଫ୍ ।

ସରୋଜିନୀ କେବଳ ରୂପର ଶିଖା ନୁହେଁ, ସେ ମଧ୍ୟ ରିପୁର ଶିଖା ।

ସନ୍ନ୍ୟାସୀ ଯୋଗେଶ୍ୱରଙ୍କ ଭିତରେ ହଠାତ୍ ନିଦ୍ରା ପରିହାର କରି ଜାଗିଉଠିଲା ରିରଂସା ।

ବନ୍ଧ୍ୟା ନାରୀକୁ ସନ୍ତାନବତୀ କରିବାର ପବିତ୍ର ଇଚ୍ଛାରେ ସେ ବ୍ୟାଘ୍ରଛାଲ ଆଚ୍ଛାଦିତ ଆସନ ତ୍ୟାଗ କରି ଧୀରେ ଧୀରେ ଶୁଭ୍ରାଙ୍ଗୀ ସରୋଜିନୀର ସମୀପବର୍ତ୍ତୀ ହେଲେ ।

କାଷ୍ଠ ନିର୍ମିତ ରୁଖା ଉପରେ ସ୍ଥାପିତ ଘୃତ ଦୀପର ଶିଖା ମୃଦୁ ପବନରେ ପ୍ରକମ୍ପିତ ହେଉଥିଲା ।

ବାବା ଯୋଗେଶ୍ୱରଙ୍କ ଆଖିରେ ଲାଳସାର ଲୋହିତ ଅଗ୍ନିଶିଖା ଦେଖି ସରୋଜିନୀ ସତର୍କ ହୋଇ ଉଠିଲା ।

ସେ ଦୃଢ଼ କଣ୍ଠରେ ପ୍ରତିବାଦ କଲା- ଆପଣ ଏ କ’ଣ କରୁଛନ୍ତି ?

– ତମକୁ ବନ୍ଧ୍ୟାତ୍ୱ, ଲଜ୍ଜା ଓ ଅପମାନରୁ ମୁକ୍ତ କରିବା ପାଇଁ ଆଜି ମୁଁ. . . ।

କଥା ଶେଷ କରିବା ଆଗରୁ ସରୋଜିନୀର ଅଙ୍ଗସ୍ପର୍ଶ କରିବା ପାଇଁ ଯୋଗେଶ୍ୱର ଚୌଧୁରୀଙ୍କ ଲୋମଶ କଳା ହାତ ଲମ୍ୱିଗଲା । କିନ୍ତୁ ଲାଳସାର ଲମ୍ୱା ହାତ ତା’ ଦେହ ସ୍ପର୍ଶ କରିବା ଆଗରୁ ସେ ଜୀବନ ବିକଳରେ ରୁଖା ଉପରେ ଥୁଆ ହୋଇଥିବା ଜ୍ୱଳନ୍ତ ଘିଅଦୀପ ଉଠାଇ ତାଙ୍କ ଉପରକୁ ଫୋପାଡ଼ି ଦେଲା ।

ବାବା ଯୋଗେଶ୍ୱରଙ୍କ ଗୈରିକ ବସ୍ତ୍ରରେ ନିଆଁ ଧରିଗଲା । ଉଡ଼ନ୍ତ ଅଗ୍ନିର ନାରଙ୍ଗୀ ଶିଖା ଲହ ଲହ ଜିହ୍ୱା ବିସ୍ତାର କରି ଆଶ୍ରମ ଗ୍ରାସ କରିବା ଆଗରୁ ଦୀପ ଲିଭିଗଲା ।

ସେଇ ଅନ୍ଧକାର ଭିତରେ ଦରଜା ଖୋଲି ବଳିଦତ୍ତର ହାତ ଧରି ଆଶ୍ରମ ଅତିକ୍ରମ କରିଗଲା ସରୋଜିନୀ ।

ତା’ ଆରଦିନ ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ସମ୍ୱାଦ ପ୍ରକାଶ ପାଇଲା- “ତ୍ରିଶୂଳଧାରୀ ସନ୍ନ୍ୟାସୀମାନଙ୍କ ଅତନ୍ଦ୍ର ପହରା ସତ୍ତ୍ୱେ ଜଣେ ମାଓବାଦୀ ଗରିଲା ଆକ୍ରମଣରେ ଆଶ୍ରମରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱୟଂ ସନ୍ଥ ଯୋଗେଶ୍ୱର ଅର୍ଦ୍ଧଦଗ୍ଧ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ।”

ଲୋକପ୍ରିୟ ଲେଖା

To Top