ଗଳ୍ପ

ଅହିନନ୍ଦିନୀ ଉଲୂପୀ

Dr Archana Nayak's odia story Ahinandini Ulupi

ହେ କ୍ରୁରା ନାରୀ, ଏବେ ତୁମେ ଏକା ସାଙ୍ଗରେ ତିନୋଟି ମୃତ୍ୟୁକୁ ଅବଲୋକନ କରି ପ୍ରସନ୍ନ ହୁଅ ।

ଅହିନନ୍ଦିନୀ ଉଲୂପୀ

– : ପୂର୍ବରୁ :-

କିନ୍ତୁ “ହେ ପୁତ୍ର, ତୁମ୍ଭେ କ୍ଷତ୍ରିୟ ପିତା ଓ କ୍ଷତ୍ରିୟ କନ୍ୟାଙ୍କର ସନ୍ତାନ । ତୁମ୍ଭ ସମ୍ମୁଖରେ ଉପସ୍ଥିତ ହୋଇ ତୁମ୍ଭଙ୍କୁ ଯିଏ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି ତୁମ୍ଭେ ତା’ର ପ୍ରତ୍ୟୁତ୍ତର ଦେବା ପାଇଁ ପ୍ରସ୍ତୁତ ହୁଅ । ସେ ଯଦି ତୁମ୍ଭଙ୍କୁ ତାଙ୍କର ପୁତ୍ର ବୋଲି ଜାଣି ମଧ୍ୟ ଯୁଦ୍ଧକୁ ଆହ୍ୱାନ କରୁଛନ୍ତି ତେବେ ତୁମ୍ଭେ ମଧ୍ୟ ତାଙ୍କୁ ତୁମ୍ଭର ପିତା ବୋଲି ଜ୍ଞାନ ନ କରି ପ୍ରତିପକ୍ଷ ଯୋଦ୍ଧା ଭାବରେ ସ୍ୱୀକାର କରି କ୍ଷତ୍ରିୟ ଧର୍ମାନୁସାରେ ଯୁଦ୍ଧରେ ପ୍ରବୃତ୍ତ ହୁଅ । ଏହା ମାତାର ଆଜ୍ଞା ଭାବରେ ଗ୍ରହଣ କରି ପ୍ରସ୍ତୁତ ହୁଅ ।”

ହଠାତ୍ ସେଠାରେ ଉଲୂପୀଙ୍କୁ ଦେଖି ଅର୍ଜୁନ ଆନନ୍ଦିତ ହୋଇଗଲେ । ତାଙ୍କ ପ୍ରତି ସର୍ବାନ୍ତଃକରଣରେ ନିବେଦିତା ଉଲୂପୀ ତାଙ୍କୁ କେବଳ ପ୍ରଣାମ ଜଣାଇଲେ, କିନ୍ତୁ ଅନ୍ୟ କୌଣସି ସମ୍ଭାଷଣ ନ ଜଣାଇ ପୁତ୍ର ବଭ୍ରୁବାହନଙ୍କ ସହିତ କଥା ହେଉଥିବାର ଲକ୍ଷ୍ୟକରି ସେ ବିସ୍ମିତ ହେବା ସ୍ୱାଭାବିକ୍ ଥିଲା । କିନ୍ତୁ ଯୁଦ୍ଧକୁ ଜଣକୁ ଆହ୍ୱାନ କରି ପ୍ରତିପକ୍ଷ ଯୋଦ୍ଧା ଭାବରେ ନିଜକୁ ପ୍ରତିପାଦିତ କରିଥିବାରୁ କ୍ଷତ୍ରିୟ ବୀର ଅର୍ଜୁନ ମଧ୍ୟ ନିଜର ଭାବାନ୍ତର ପ୍ରକାଶ କଲେ ନାହିଁ ।

କ୍ଷତ୍ରିୟ ରାଜା ବଭ୍ରୁବାହନଙ୍କର ମାନସିକ ଦ୍ୱନ୍ଦ୍ୱ ଅପସରି ଯାଇଥିଲା । ମାତା ରୂପରେ ଉଲୂପୀଙ୍କର ଉପସ୍ଥିତି ଓ ତାଙ୍କର ସମୟୋଚିତ ଉପଦେଶ ତାଙ୍କର ପିତାପୁତ୍ରର ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ଦୁର୍ବଳତାକୁ ଦୂର କରି ଦେଇଥିଲା ।

ବଭ୍ରୁବାହନଙ୍କ ମଧ୍ୟରେ ଜାଗି ଉଠିଲା ଶତସିଂହର ବଳ । ଅର୍ଜୁନଙ୍କର ଆହ୍ୱାନର ସମ୍ମୁଖୀନ ହେବା ପାଇଁ ସେ କାଞ୍ଚନ ନିର୍ମିତ ପ୍ରଭାସମନ୍ୱିତ ବର୍ମ ଓ ଶିରସ୍ତ୍ରାଣ ପରିଧାନ କଲେ । ଯୁଦ୍ଧରେ ପ୍ରୟୋଗ କରାଯାଉଥିବା ଅସ୍ତ୍ରଶସ୍ତ୍ର ରଥରେ ପ୍ରସ୍ତୁତ ରଖି ଉତ୍ତମ ଅଶ୍ୱଯୁକ୍ତ ରଥରେ ଆରୋହଣ କରି ପାର୍ଥରକ୍ଷିତ ଯଜ୍ଞୀୟ ଅଶ୍ୱକୁ ଧାରଣ କରିବା ପାଇଁ ଧାବିତ ହେଲେ ।

ଚିତ୍ରାଙ୍ଗଦାଙ୍କ ନିର୍ଦ୍ଦେଶରେ ତରୁଣ ରାଜା ବଭ୍ରୁବାହନଙ୍କ ସହ ସବ୍ୟସାଚୀ ଅର୍ଜୁନଙ୍କୁ ଆଦର ସହକାରେ ଆମନ୍ତ୍ରଣ କରିବା ପାଇଁ ରାଜପ୍ରାସାଦରୁ ମଙ୍ଗଳାଚରଣ କରି ଆସିଥିବା ବ୍ରାହ୍ମଣ ସକଳ, ରାଜସଭାର ମନ୍ତ୍ରୀଗଣ, ପାରିଷଦବର୍ଗ, ସେନା ଓ ସେନାପତି ଏବଂ ସାଧାରଣ ପ୍ରଜାସକଳ ଘଟଣାକ୍ରମର ବିପରୀତ ଗତିରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ସେଠାରେ ସେ ପରିସ୍ଥିତିର କର୍ତ୍ତବ୍ୟ କ’ଣ ନିରୂପଣ କରିବା ସମ୍ଭବ ହେଉନଥିଲା । ସମସ୍ତେ ଭାବୁଥିଲେ ଏ ଯୁଦ୍ଧ କେବେ ବି ଦୁଇ ସମକକ୍ଷ ଯୋଦ୍ଧାଙ୍କ ଭିତରେ ସଂଗଠିତ ହେବନାହିଁ । ଅର୍ଜୁନଙ୍କ ପରି ଶ୍ରେଷ୍ଠ ଧନୁର୍ଦ୍ଧାରୀ ବିଶ୍ୱବିଜୟୀ ଯୋଦ୍ଧାଙ୍କ ବିପକ୍ଷରେ ଯୁଦ୍ଧର କୌଣସି ଅଭିଜ୍ଞତା ନଥିବା ସୁକୁମାର ତରୁଣ ରାଜପୁତ୍ର କିପରି ବା ତିଷ୍ଠି ପାରିବେ ! ଏ କ୍ଷେତ୍ରରେ ତାଙ୍କର ବିଜୟ ନୁହେଁ ମୃତ୍ୟୁ  ସୁନିଶ୍ଚିତ !

କିନ୍ତୁ କିଏ ବାରଣ କରିପାରିବ ଏହି ଅବଶ୍ୟମ୍ଭାବୀ ବିପର୍ଯ୍ୟୟକୁ ? ଦେବୀ ଚିତ୍ରାଙ୍ଗଦାତ ବହୁ ଦୂରରେ, ରାଜପ୍ରାସାଦର ଅନ୍ତଃପୁରରେ । ତାଙ୍କ ନିକଟରେ ସମ୍ୱାଦ ପହଞ୍ଚିବା ପୂର୍ବରୁ ତ ଅନର୍ଥ ଘଟିଯାଇଥିବ । କ’ଣ କରିବେ ସେମାନେ ? ସେମାନଙ୍କୁ ସବୁଠାରୁ ବେଶି ବିବ୍ରତ କରୁଥିଲା ନାଗକନ୍ୟା ଉଲୂପୀଙ୍କର ଆକସ୍ମିକ ଆବିର୍ଭାବ ଓ ରାଜପୁତ୍ରଙ୍କୁ ଅର୍ଜୁନଙ୍କର ଯୁଦ୍ଧରେ ସମ୍ମୁଖୀନ ହେବାର ପ୍ରଚୋଦନା ।

ବ୍ରାହ୍ମଣମାନଙ୍କର ମଙ୍ଗଳାଚରଣ ପାଠ ନିରବ ହୋଇଯାଇଥିଲା, ସ୍ତବ୍ଧ ହୋଇ ଯାଇଥିଲା ମଙ୍ଗଳବାଦ୍ୟର ଧ୍ୱନି ତରଙ୍ଗ । ସୁନ୍ଦର ବସନଭୂଷଣରେ ସୁସଜ୍ଜିତ ହୋଇ ନାନା ମୂଲ୍ୟବାନ୍ ବସ୍ତ୍ରକୁ ଉପହାରସ୍ୱରୂପ ସ୍ୱର୍ଣ୍ଣରୌପ୍ୟ ପାତ୍ରରେ ଧରି ଆସିଥିବା ଦାସଦାସୀ ସକଳ ପଥରର ମୂର୍ତ୍ତି ପାଲଟି ଯାଇଥିଲେ । କାହାରି ଆଉ ବାକ୍ ସ୍ଫ୍ରୁରଣ ଘଟୁନଥିଲା ।

ବଭ୍ରୁବାହନ ପ୍ରବଳ ବିକ୍ରମରେ ଯାଇ ଅଶ୍ୱକୁ ରକ୍ଷା କରୁଥିବା ସେନାଙ୍କୁ ପରାଭୂତ କରି ଅଶ୍ୱକୁ ଧାରଣ କଲେ ।

ଅର୍ଜୁନଙ୍କର ଚିତ୍ତ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇଉଠିଲା । ସେ ବାହ୍ୟତଃ ତାହା ପ୍ରକାଶ ନ କରି ରାଜପୁତ୍ରଙ୍କୁ ଅଶ୍ୱଧାରଣରୁ ନିବୃତ କରିବା ପାଇଁ ଶର ନିକ୍ଷେପ କଲେ । ବଭ୍ରୁବାହନ ରଥ ଉପରୁ ବାଣ ବର୍ଷଣ କରି ଅର୍ଜୁନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି କଲେ । ଅର୍ଜୁନ ତାଙ୍କୁ ପ୍ରତିହତ କରିବାକୁ ଯାଇ ଶର ନିକ୍ଷେପ କରିବାରୁ ରାଜା ବଭ୍ରୁବାହନ ଭଲ୍ଲ ଦ୍ୱାରା ସେହି ଗାଣ୍ଡୀବ ଧନୁରୁ ନିର୍ମୁକ୍ତ ବଜ୍ର ସଦୃଶ ନାରାଚ ସମୂହକୁ ଦୁଇ ତିନି ଖଣ୍ଡ କରି ଛେଦନ କଲେ । ଅର୍ଜୁନଙ୍କର ଶରାଘାତରେ ତାଙ୍କର ଅଶ୍ୱମାନେ ନିଧନ ହେଲେ ରଥରୁ ବିଜୟ ଧ୍ୱଜ ଛିନ୍ନ ହୋଇ ଭୂପତିତ ହେଲା । ବଭ୍ରୁବାହନ ରଥରୁ ଅବତରଣ କରି ଭୂମି ଉପରେ ଅବସ୍ଥିତ ଥିବା ପିତାଙ୍କ ସହ ପ୍ରବଳ ପରାକ୍ରମରେ ଯୁଦ୍ଧ କରିବାକୁ ଲାଗିଲେ । ଉଭୟ ପିତା ପୁତ୍ର ପରସ୍ପର ପ୍ରତି ଆକ୍ରମଣ ଓ ପ୍ରତି ଆକ୍ରମଣରେ କ୍ଷତବିକ୍ଷତ ହୋଇ ଅତିଶୟ ପୀଡ଼ା ପାଉଥିଲେ ବି କେହି ଯୁଦ୍ଧରୁ ନିବୃତ୍ତ ହେବାକୁ ଚାହିଁଲେ ନାହିଁ । କ୍ରମଶଃ ସମର ଘୋରତର ହେଲା ।

ବଭ୍ରୁବାହନ ନିଶିତ ପତ୍ରିଦ୍ୱାରା ଅର୍ଜୁନଙ୍କର ମର୍ମଭେଦ କରିବାରୁ ସେ ବିମୋହିତ ହୋଇ ଭୂମିରେ ନିପତିତ ହେଲେ । ପୂର୍ବରୁ ଅର୍ଜୁନଙ୍କ ଶର ଦ୍ୱାରା ବହୁଭାବରେ କ୍ଷତାକ୍ତ ହୋଇ ସାରିଥିବା ବଭ୍ରୁବାହନ ମଧ୍ୟ ନିଶ୍ଚେଷ୍ଟ ହୋଇ ଭୂମିରେ ପତିତ ହେଲେ ।

ଇତ୍ୟବସରରେ ଚିତ୍ରାଙ୍ଗଦା ପିତା ପୁତ୍ରଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦ୍ୱ ବିଷୟରେ ଅବଗତ ହୋଇ ତ୍ୱରିତ ବେଗରେ ଆସି ଯୁଦ୍ଧ ସ୍ଥାନରେ ପହଞ୍ଚି ଯାଇଥିଲେ । ସେତେବେଳକୁ କିନ୍ତୁ ସମର ଏତେ ଗୁରୁତର ଆକାର ଧାରଣ କରିଥିଲା ଯେ ସେ କାହାରିକୁ ସେଥିରୁ ନିବୃତ କରିପାରିନଥିଲେ । ନିରୁପାୟ ହୋଇ କେବଳ ଚାହିଁ ରହିଥିଲେ ।

ପତି ଓ ପୁତ୍ର ନିଶ୍ଚେଷ୍ଟ ହୋଇ ଭୂମିରେ ପତିତ ହେବାରୁ ଚିତ୍ରାଙ୍ଗଦା ଶୋକ ସମ୍ୱରଣ ନ କରିପାରି ହତଜ୍ଞାନ ହୋଇ କିଛିକ୍ଷଣ ଭୂମିରେ ପଡ଼ିଗଲେ । ଏପରି ଅଭାବିତ ଘଟଣାରେ ସମସ୍ତେ କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପ୍ରସ୍ତରୀଭୂତ ଅବସ୍ଥାପ୍ରାପ୍ତ ହେଲେ ।

ଏକାକିନୀ ଉଲୂପୀ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ସ୍ଥିର ଭାବରେ ଠିଆ ହୋଇଥିଲେ । ତାଙ୍କ ମୁଖମଣ୍ଡଳରେ ଏକପ୍ରକାର ପ୍ରସନ୍ନ ଭାବ ଫୁଟି ଉଠୁଥିଲା ।

ଚିତ୍ରାଙ୍ଗଦା ସଂଜ୍ଞା ଫେରିପାଇ ପତିଙ୍କ ମୃତ୍ୟୁରେ ରୋଦନ କରୁଥିବାବେଳେ ତାଙ୍କର ଦୃଷ୍ଟି ଅଦୂରରେ ଠିଆ ହୋଇଥିବା ଉଲୂପୀଙ୍କ ଉପରେ ପଡ଼ିଲା । ସେ ଜାଣି ସାରିଥିଲେ ଯେ ଉଲୂପୀଙ୍କର ପ୍ରରୋଚନାରେ ହିଁ ତାଙ୍କର ତରୁଣ ପୁତ୍ର ଯୁଦ୍ଧରେ ପ୍ରବୃତ୍ତ ହୋଇ ତାଙ୍କର ପିତାଙ୍କର ମୃତ୍ୟୁର କାରଣ ହୋଇଛନ୍ତି ଓ ନିଜେ ମଧ୍ୟ ମୃତ୍ୟୁ କବଳିତ ହୋଇଛନ୍ତି । ସେ ପୁତ୍ର ସମ୍ପର୍କରେ ଚିନ୍ତା ନ କରି ପତି ପାଣ୍ଡବଶ୍ରେଷ୍ଠ ଅର୍ଜୁନଙ୍କ ପାଇଁ ଶୋକବିହ୍ୱଳା ହୋଇ ଉଲୂପୀଙ୍କୁ ଆକ୍ଷେପ କରି କହିଲେ, “ହେ ଉଲୂପୀ ତୁମ୍ଭ ହେତୁରୁ ଆମ୍ଭର ବାଳକ ପୁତ୍ର ଓ ପତି ଉଭୟ ନିହତ ହେଲେ । ଆମ୍ଭ ଦୁହିଁଙ୍କର ପତି ଏକ ହୋଇଥିବାରୁ ତୁମ୍ଭେ ମଧ୍ୟ ପତିଙ୍କୁ ହରାଇଲ । ପୁଣି ପୁତ୍ରଦ୍ୱାରା ପତିଙ୍କୁ ନିଧନ କରାଇବା ପରି କ୍ରୁର କର୍ମ କରିବା ସତ୍ତ୍ୱେ ତୁମ୍ଭଠାରେ କୌଣସି ଅନୁଶୋଚନା ବା ଦୁଃଖ ପ୍ରକାଶ ନ ପାଇବା ଦେଖି ମୁଁ ବିସ୍ମିତ ହେଉଛି । ଏହାର କାରଣ ମୁଁ ଏବେ ଅନୁମାନ କରିପାରୁଛି । ମଧ୍ୟମ ପାଣ୍ଡବ ତୁମ୍ଭଭିନ୍ନ ମୋର ପାଣିଗ୍ରହଣ କରିଥିବାରୁ ତୁମେ ନିଶ୍ଚୟ ଈର୍ଷାନ୍ୱିତା ହୋଇ ଏ ପ୍ରକାର ପ୍ରତିଶୋଧ ନେଇଛ । ହେ ଉଲୂପୀ, ପୁରୁଷ ଏକାଧିକ ପତ୍ନୀ ଗ୍ରହଣକରିବା ଶାସ୍ତ୍ରସମ୍ମତ । ଅର୍ଜୁନ ତ କ୍ଷତ୍ରିୟ ରାଜବଂଶୀ । ତାଙ୍କର ବହୁ ଦାରା ଗ୍ରହଣ ପାପ କାର୍ଯ୍ୟ ନୁହେଁ । ତୁମେ କ’ଣ ଆର୍ଯ୍ୟଧର୍ମ ଜାଣନାହିଁ ? ତୁମ କୁଳରେ ପତି ହତ୍ୟା କ’ଣ ଗ୍ରହଣୀୟ ହୁଏ ? ତୁମେ ମଧ୍ୟ ମୋର ସପତ୍ନୀ, କିନ୍ତୁ ସେହି କାରଣରୁ ମୁଁ ତୁମ ପ୍ରତି କେବେ ବି ବିମୁଖ ହୋଇନାହିଁ । ବରଂ ଆମ୍ଭର ପତି ମଧ୍ୟମ ପାଣ୍ଡବଙ୍କ ନିକଟରୁ ତୁମ ସମ୍ପର୍କରେ ବହୁ ପ୍ରଶଂସାସୂଚକ ବାକ୍ୟ ଶ୍ରବଣ କରି ତୁମ ପ୍ରତି ଶ୍ରଦ୍ଧାଶୀଳା ହୋଇଛି । ତୁମଙ୍କୁ ମୋର ଭଗିନୀ ସଦୃଶ ଜ୍ଞାନ କରିଛି । ତୁମର ପତିଙ୍କ ପ୍ରତି ଏକନିଷ୍ଠ ପ୍ରେମ ମୋ ପାଇଁ ଆଦର୍ଶ ମନେ ହୋଇଛି ।

କିନ୍ତୁ ତୁମେ ଏ କ’ଣ କଲ ? ପୁତ୍ର ଦ୍ୱାରା ପତି ହତ୍ୟା, ପୁଣି ଉଭୟଙ୍କର ମୃତ୍ୟୁ ଘଟାଇଲ । ଏବେ ମୋର ଏ ପ୍ରାଣ ରକ୍ଷା କରିବାର ଆଉ ପ୍ରୟୋଜନ ନାହିଁ । ମୁଁ ଏ ଦୁହିଁଙ୍କୁ ହରାଇ ବଞ୍ଚିପାରିବି ନାହିଁ । ତେଣୁ ଏହିଠାରେ ପ୍ରୟୋପବେଶନ ପୂର୍ବକ ପ୍ରାଣତ୍ୟାଗ କରିବି । ମୁଁ ଜାଣେ ଯିଏ ନିଜ ସ୍ୱାମୀଙ୍କର ମୃତ୍ୟୁର କାରଣ ହୋଇ ମଧ୍ୟ ଅବିଚଳ ଭାବରେ ଠିଆ ହୋଇଛନ୍ତି, ମୋର ପ୍ରାଣ ତ୍ୟାଗ ବା ତାଙ୍କୁ କାହିଁକି ବିଚଳିତ କରିବ ?

ହେ କ୍ରୁରା ନାରୀ, ଏବେ ତୁମେ ଏକା ସାଙ୍ଗରେ ତିନୋଟି ମୃତ୍ୟୁକୁ ଅବଲୋକନ କରି ପ୍ରସନ୍ନ ହୁଅ ।”

ରୋରୁଦ୍ୟମାନା ଚିତ୍ରାଙ୍ଗଦା ମୃତ ପତିଙ୍କର ପାଦ ଦୁଇଟିରେ ନିଜର ମସ୍ତକ ସ୍ଥାପନ କରି ନିଶ୍ଚଳ ହୋଇ ରହିଲେ ।

ଇତ୍ୟବସରରେ ବଭ୍ରୁବାହନ ସଂଜ୍ଞା ଫେରିପାଇ ଧୀରେ ଧୀରେ ଉଠି ବସିଲେ ଓ ମୃତ ପିତାଙ୍କର ପାଦ ଦୁଇଟି ଉପରେ ମସ୍ତକ ରଖି ନିଶ୍ଚଳ ହୋଇ ପଡ଼ିଥିବା ମାତାଙ୍କୁ ଦେଖି ସେ ଦୁଃଖରେ ଅଧୀର ହୋଇ ରୋଦନ କରିବାକୁ ଲାଗିଲେ । ସେ ଯେ ପିତାଙ୍କର ହତ୍ୟାର କାରଣ ହୋଇଛନ୍ତି ଜାଣି ତାଙ୍କର ଅନୁଶୋଚନା ବହୁଗୁଣିତ ହେଲା ।

ହସ୍ତିନାଧିପତି ମହାରାଜ ଯୁଧିଷ୍ଠିରଙ୍କର ନିର୍ଦ୍ଦେଶରେ ଅଶ୍ୱମେଧ ଯଜ୍ଞ ପାଇଁ ଉଦ୍ଦିଷ୍ଟ ଅଶ୍ୱର ସୁରକ୍ଷାରେ ଥିବା ଅର୍ଜୁନଙ୍କ ସହିତ ଯେଉଁ ବେଦପାରଗ ବ୍ରାହ୍ମଣମାନେ ଆସିଥିଲେ ସେମାନଙ୍କୁ ଉଦ୍ଦେଶ୍ୟ କରି ସେ ମୃତ ଅର୍ଜୁନଙ୍କର ଶାନ୍ତି ବିଧାନର ଉପାୟ ବତାଇବାକୁ କହିଲେ । ପିତୃହତ୍ୟା ପାପର କେଉଁ ପ୍ରକାର ପ୍ରାୟଶ୍ଚିତ ବ୍ୟବସ୍ଥା ଶାସ୍ତ୍ରରେ ରହିଛି ତାହା ତାଙ୍କୁ ଜଣାଇବାକୁ ପ୍ରାର୍ଥନା କଲେ ।

ସମସ୍ତେ ନିରୁତ୍ତର । ଏପରି ଏକ ଘଟଣା ସମ୍ପର୍କରେ କାହାରି ମନରେ ଭାବନାଟିଏ ସୃଷ୍ଟି ହୋଇନଥିଲା । ମଣିପୁରରେ ପ୍ରବେଶ କରି ସମସ୍ତେ ଜାଣିଥିଲେ ଯେ ମଣିପୁରର ରାଜକନ୍ୟା ଚିତ୍ରାଙ୍ଗଦାଙ୍କୁ ଅର୍ଜୁନ ବନବାସ କାଳରେ ବିବାହ କରିଥିଲେ ଓ ତାଙ୍କ ଔରସରେ ଜାତ ହୋଇଥିବା ପୁତ୍ର ବଭ୍ରୁବାହନ ବର୍ତ୍ତମାନ ରାଜା ଭାବରେ ଶାସନ କରୁଛନ୍ତି । ତେଣୁ ବହୁ ବର୍ଷ ପରେ ପତିପତ୍ନୀଙ୍କର ସାକ୍ଷାତ୍ ହେବ ପିତା ପୁତ୍ରଙ୍କର ମିଳନ ହେବ । କି ଆନନ୍ଦକର ସମୟ ଇଏ । ସମସ୍ତେ ଆଶା କରୁଥିଲେ ଅଶ୍ୱ ଇଚ୍ଛାନୁସାରେ ଭ୍ରମଣ କରୁଥିଲେ ବି ମଣିପୁରର ସବୁଜ ଶସ୍ୟପୂର୍ଣ୍ଣ କ୍ଷେତର ଆକର୍ଷଣରେ ହୁଏତ କିଛି ଦିନ ଏହି ରାଜ୍ୟରେ ବିଚରଣ କରିବ । ମଣିପୁର ରାଜ ପରିବାର ପାଇଁ ଏହି ସମୟତକ ମହାର୍ଘ ହେବ । ଅହରହ ଅର୍ଜୁନଙ୍କ ସହିତ ଅଶ୍ୱପଛରେ ଘୂରି ବୁଲୁଥିବା ବ୍ରାହ୍ମଣ, ସୈନ୍ୟସାମନ୍ତ, ପାରିଷଦ ବର୍ଗ ଓ ଭାରବାହୀ ଅଶ୍ୱସକଳଙ୍କୁ କିଛିଦିନ ସୁଖପ୍ରଦ ବିଶ୍ରାମ ମିଳିବ ।

କିନ୍ତୁ ହେଲା କ’ଣ ? ଯାହାଙ୍କ ଭରସାରେ ଅଶ୍ୱମେଧ ଯଜ୍ଞାନୁଷ୍ଠାନ ହୋଇଛି, ଯାହାଙ୍କର ସୁରକ୍ଷା କବଚ ତଳେ ସମଗ୍ର ରାଜ୍ୟବାସୀ ସୁରକ୍ଷିତ ସୁଖକର ଜୀବନ ନିର୍ବାହ କରନ୍ତି ଆଜି ସେ ରାଜଧାନୀଠାରୁ ବହୁ ଦୂରରେ ଏକ ଅଜଣା ଅଞ୍ଚଳରେ ନିହତ ହୋଇଛନ୍ତି, ପୁଣି ନିଜ ପୁତ୍ରଙ୍କର ଶସ୍ତ୍ରାଘାତରେ । ଏହା କିପରି ଘଟିଲା ତାହା ବୁଝିବା କାହାରି ପକ୍ଷରେ ସମ୍ଭବ ନଥିଲା । ସମସ୍ତେ ଶୋକାକୁଳ ଓ ବିମୂଢ଼ ।

ବଭ୍ରୁବାହନ କାହାରିଠାରୁ କୌଣସି ଉତ୍ତର ପାଇଲେ ନାହିଁ । ମୃତ ପିତାଙ୍କର ଶବ ପାଖରେ ମାତାଙ୍କର ନିଶ୍ଚଳ ଶରୀର, ଅର୍ଜୁନଙ୍କର ସହଗମନ କରୁଥିବା ସମସ୍ତ ଲୋକ ଓ ମଣିପୁର ରାଜପ୍ରାସାଦରୁ ବହୁ ଆଡ଼ମ୍ୱର ସହଜାରେ ଉପଢୌକନର ସମ୍ଭାର ନେଇ ଆସିଥିବା ଅନୁଚର ରାଜ୍ୟର ଅମାତ୍ୟଗଣ ଓ ସେନା ସକଳ ସତେ ଯେପରି ମୂକ ହୋଇଯାଇଥିଲେ ।

ଅଦୂରରେ ଠିଆ ହୋଇଥିବା ଉଲୂପୀଙ୍କ ଉପରେ ବଭ୍ରୁବାହନଙ୍କର ଦୃଷ୍ଟି ନିବଦ୍ଧ ହେଲା । କିଛି ଘଟିନଥିବା ପରି ସେ ସ୍ୱାଭାବିକ୍ ଜଣାପଡୁଥିଲେ । ମୁଖମଣ୍ଡଳରେ କୌଣସି ଦୁଃଖର ଚିହ୍ନ ନଥିଲା, ବରଂ ସେ ପ୍ରସନ୍ନ ଜଣା ପଡୁଥିଲେ । ତାଙ୍କର ଏ ପ୍ରକାର ଆଚରଣରେ ରାଜପୁତ୍ର କ୍ଷୁର୍ଣ୍ଣ ହେଲେ । ତାଙ୍କର ଭିତରେ କ୍ରୋଧ ଜାତ ହେଲା । ସେ ଅନୁଭବ କଲେ ଯେ ତାଙ୍କୁ ତାଙ୍କର ପିତା ଅର୍ଜୁନ ଯୁଦ୍ଧକୁ ଯେତେ ପ୍ରକାର ଆହ୍ୱାନ କରିଥିଲେ ବି ସେ କେବେ ବି ତାଙ୍କୁ ପ୍ରତ୍ୟୁତ୍ତର ଦେଇନଥାନ୍ତେ । ପିତାଙ୍କର ରୋଷର କାରଣ ବରଂ ହୋଇଥାନ୍ତେ କିନ୍ତୁ ପୁତ୍ର ଭାବରେ ତାଙ୍କ ଉପରେ ଶସ୍ତ୍ର ପ୍ରୟୋଗ କରିନଥାନ୍ତେ । ଯେଉଁ ପିତାଙ୍କ ନିକଟରୁ ଟିକିଏ ମମତାର ସ୍ପର୍ଶ ପାଇବା ପାଇଁ ସେ ଏତେ ବର୍ଷ ଧରି ବ୍ୟାକୁଳ ଭାବରେ ଅପେକ୍ଷା କରୁଥିଲେ, ତାଙ୍କ ଶରୀରକୁ ସେ କେବେ ବି ରୁଧିର ସ୍ନାନ କରାଇ ନଥାନ୍ତେ ।

ତା’ପରେ

ଲୋକପ୍ରିୟ ଲେଖା

To Top