ଗଳ୍ପ

ଅହିନନ୍ଦିନୀ ଉଲୂପୀ

Dr Archana Nayak's odia story Ahinandini Ulupi

ଏବେ ତୁମର ସପତ୍ନୀ ଚିତ୍ରାଙ୍ଗଦାଙ୍କ ପୁତ୍ର ଦ୍ୱାରା ନିଜ ପତିଙ୍କର ମୃତ୍ୟୁ ବିଧାନ କରାଇ ତୁମେ ଆନନ୍ଦ ଅନୁଭବ କରୁଛ । ମୋ ଅଜାଣତରେ ମୁଁ ତୁମର ପ୍ରିୟ କାର୍ଯ୍ୟ ସମ୍ପାଦନ କରି ଘୋର ପାପ କର୍ମ କରିଛି । ମୋର ନରକ ଭୋଗରୁ ନିଷ୍କୃତି ନାହିଁ ।

ଅହିନନ୍ଦିନୀ ଉଲୂପୀ

– : ପୂର୍ବରୁ :-

କିନ୍ତୁ ଯେତେବେଳେ ସେ ଜଣେ କ୍ଷତ୍ରିୟର କର୍ତ୍ତବ୍ୟ ଓ ଜଣେ ପୁତ୍ରର ପିତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିଭାବନା ମଧ୍ୟରୁ କାହାକୁ ଶ୍ରେୟ ଭାବରେ ଗ୍ରହଣ କରିବେ ବୋଲି ଦ୍ୱନ୍ଦ୍ୱରେ ପଡ଼ିଥିଲେ ସେତିକିବେଳେ ନାଗକନ୍ୟା ଉଲୂପୀଙ୍କର ଅକସ୍ମାତ ଆବିର୍ଭାବ ଘଟିଥିଲା । ସେ ତାଙ୍କର ଅନ୍ୟତମା ମାତା ବୋଲି ଜାଣିଥଲେ । ମା’, ଭାବରେ ପିତାଙ୍କ ସହିତ ଯୁଦ୍ଧ କରିବାକୁ ସେ ହିଁ ତାଙ୍କୁ ପ୍ରବର୍ତ୍ତାଇଥିଲେ । ତା’ଦ୍ୱାରା ସେ ତାଙ୍କ ପିତାଙ୍କର ଶ୍ରଦ୍ଧାଭାଜନ ହୋଇପାରିବେ ବୋଲି ପ୍ରତ୍ୟୟ ଦେଇଥିଲେ । ସେ ତାଙ୍କ କଥାରେ ପ୍ରଭାବିତ ହୋଇ ପିତାଙ୍କ ସହିତ କ୍ଷାତ୍ରଧର୍ମ ପାଳନ ପୂର୍ବକ ଯୁଦ୍ଧରେ ପ୍ରବୃତ୍ତ ହେଲେ ଓ ଶେଷରେ ତାଙ୍କର ନିଧନର କାରଣ ହେଲେ ।

ଏବେ ସେହି ମାତା ତାଙ୍କର ପତିଙ୍କର ମୃତ୍ୟୁ ଓ ଶୋକଗ୍ରସ୍ତ ହୋଇ ସଂଜ୍ଞା ହରାଇଥିବା ସପତ୍ନୀଙ୍କର ଅବସ୍ଥାରେ ଆଦୌ ବିଚଳିତ ଜଣାପଡୁନାହାନ୍ତି ତ । ଏହାର କାରଣ କ’ଣ ହୋଇପାରେ ? ପିତୃହରା ପୁତ୍ରର ହୃଦୟ କାରୁଣ୍ୟରେ ବିଗଳିତ ଏଣଏ ସଂଜ୍ଞାହତା ମାତାଙ୍କର ଦୟନୀୟ ଅବସ୍ଥାରେ ମର୍ମାହତ ବଭ୍ରୁବାହନଙ୍କର ମନରେ ଉଲୂପୀଙ୍କ ପ୍ରତି ଅନ୍ୟଭାବ ସୃଷ୍ଟି ହେଲା ।

ରାଜପୁତ୍ର ବିମାତାଙ୍କ ଉଦ୍ଦେଶ୍ୟରେ ରୁଷ୍ଟସ୍ୱରରେ କହିଲେ, “ହେ ନାଗସୁତା, ତୁମେ ଦେଖିଲ ତ ତୁମ ପରାମର୍ଶର ପରିଣତି କ’ଣ ହେଲା । ମୋର ପିତା ମୃତ୍ୟୁବରଣ କଲେ ଓ ମୋର ମାତା ମୃତପ୍ରାୟ । କିନ୍ତୁ ତୁମ ମନରେ ସାମାନ୍ୟ ବିରସତା ନାହିଁ । ଏହିଥିରୁ ମୁଁ ହୃଦୟଙ୍ଗମ କରୁଛି ଯେ ତୁମେ ତୁମର ପତିଙ୍କର ବହୁଦାରା ଗ୍ରହଣରେ ସୁଖୀ ନଥିଲ । ବିଶେଷ କରି ମୋ ମାତାଙ୍କ ପ୍ରତି ପିତାଙ୍କର ପ୍ରେମ, ମଣିପୁରରେ ଦୀର୍ଘ ତିନିବର୍ଷ ଅବସ୍ଥାନ ଓ ମୋ ମାତାଙ୍କର ପୁତ୍ରପ୍ରାପ୍ତି ତୁମର କ୍ରୋଧର କାରଣ ହୋଇଥିଲା । ସେହି କାରଣରୁ ତୁମେ ପ୍ରତିଶୋଧ ନେବାର ସୁଯୋଗକୁ ଅପେକ୍ଷା କରୁଥିଲ । ଏବେ ତୁମର ସପତ୍ନୀ ଚିତ୍ରାଙ୍ଗଦାଙ୍କ ପୁତ୍ର ଦ୍ୱାରା ନିଜ ପତିଙ୍କର ମୃତ୍ୟୁ ବିଧାନ କରାଇ ତୁମେ ଆନନ୍ଦ ଅନୁଭବ କରୁଛ । ମୋ ଅଜାଣତରେ ମୁଁ ତୁମର ପ୍ରିୟ କାର୍ଯ୍ୟ ସମ୍ପାଦନ କରି ଘୋର ପାପ କର୍ମ କରିଛି । ମୋର ନରକ ଭୋଗରୁ ନିଷ୍କୃତି ନାହିଁ ।”

ଏହା କହି ବଭ୍ରୁବାହନ ନିଜର ଭାଗ୍ୟ ଓ କର୍ମକୁ ନିନ୍ଦା କରି ରୋଦନ କରିବାକୁ ଲାଗିଲେ ।

ଚିତ୍ରାଙ୍ଗଦା ମଧ୍ୟ ସଂଜ୍ଞା ଫେରିପାଇ ଭୂତଳରେ ଉଠି ବସି କାତର ଭାବରେ କ୍ରନ୍ଦନ କରୁଥିବା ପୁତ୍ରକୁ କ’ଣ ସାନ୍ତ୍ୱନା ଦେବେ ବୁଝି ନ ପାରି ନିଜେ ମଧ୍ୟ ଉଚ୍ଚ କଣ୍ଠରେ ଅର୍ଜୁନଙ୍କର ଗୁଣ ସୁମରଣା କରି ରୋଦନ କଲେ ।

ମାତା ଓ ପୁତ୍ରଙ୍କ ଦୁଃଖଦ ସ୍ଥିତି ଦେଖୁଥିବା ଉଲୂପୀ ସେଥିପ୍ରତି ଧ୍ୟାନ ନ ଦେଇ ନାଗଲୋକର ପରମ ସମ୍ପଦ ସଞ୍ଜୀବନୀ ମଣିକୁ ସ୍ମରଣ କଲେ । ସେ ସ୍ମରଣ କରିବାର କିଛି କ୍ଷଣ ମଧ୍ୟରେ ଉକ୍ତ ମଣି ନାଗରାଜାଙ୍କର କନ୍ୟା ଉଲୂପୀଙ୍କ ହାତରେ ଆସି ଶୋଭା ପାଇଲେ ।

ଉଲୂପୀ ମାତା ଓ ପୁତ୍ରଙ୍କର ତାଙ୍କ ପ୍ରତି କଟୁ ଆକ୍ଷେପରେ ଆଦୌ ବିମୁଖ ହେଲେ ନାହିଁ ବା ବିଚଳିତ ମଧ୍ୟ ହେଲେ ନାହିଁ । ବରଂ ଖୁବ୍ ଶାନ୍ତ ଭାବରେ ବଭ୍ରୁବାହନଙ୍କୁ ସମ୍ୱୋଧନ କରିକହିଲେ, “ହେ ପୁତ୍ର, ଶୋକ ସମ୍ୱରଣ କରି ମୋ କଥା ଶ୍ରବଣ କର । ତୁମ୍ଭର ପିତା ବୀର ଫାଲ୍ଗୁନି ଅଜେୟ । ଯୁଦ୍ଧରେ ଦେବରାଜ ଇନ୍ଦ୍ର ଓ ଅନ୍ୟ ସୁରଗଣ ମଧ୍ୟ ତାଙ୍କର ସମକକ୍ଷ ନୁହଁନ୍ତି । ତୁମେ କ’ଣ ଭାବୁଛ ସେ ତୁମ୍ଭ ଦ୍ୱାରା ପରାଜିତ ହୋଇ ଭୂମିଶଯ୍ୟା ଗ୍ରହଣ କରିଛନ୍ତି । ଏ ସମଗ୍ର ଘଟଣାଟି ଥିଲା ମୋର ମୋହିନୀ ମାୟାର ଫଳ ।

ତୁମ୍ଭର ପିତା କ୍ଷତ୍ରିୟଶ୍ରେଷ୍ଠ ଅର୍ଜୁନ ମଣିପୁର ରାଜ୍ୟରେ ପ୍ରବେଶ କରି ଅତ୍ୟନ୍ତ ଆନନ୍ଦିତ ହେଉଥିଲେ । ପୁତ୍ରକୁ ଭେଟିବାର ସୁଯୋଗ ଆସିଥିବାରୁ ସେ ପ୍ରୀତ ହେଲେ ବି ପୁତ୍ର କ୍ଷତ୍ରିୟ ଧର୍ମ ଆଚରଣ କରନ୍ତି କି ନାହିଁ ଉପଯୁକ୍ତ ରଣକୌଶଳ ଜାଣନ୍ତି କି ନାହିଁ ସେ ବିଷୟରେ ଅବଗତ ହେବାକୁ ଚାହୁଁଥିଲେ । ପୁତ୍ର ଦ୍ୱାରା ପିତାର ପରାଜୟ ଲଭିବା ପିତା ପାଇଁ ଗୌରବର ବିଷୟ । ସେ ତାହା ହିଁ ଚାହୁଁଥିଲେ । ତେଣୁ ଆମ୍ଭେ ତୁମ୍ଭଙ୍କୁ ଯୁଦ୍ଧ ପାଇଁ ପ୍ରେରଣ କରିଥିଲୁ । ପତିଙ୍କର ଆନନ୍ଦ ବର୍ଦ୍ଧନ କରିବା ତ ସ୍ତ୍ରୀର ଧର୍ମ । ଏହି ଯେ ମଣି ମୁଁ ହସ୍ତରେ ଧାରଣ କରିଛି । ଏହା ନାଗଲୋକର ସଞ୍ଜୀବନୀ ମଣି । ଏହାର ସ୍ପର୍ଶରେ ମୃତ ବ୍ୟକ୍ତି ଜୀବନ ଲାଭ କରେ । ତୁମେ ଏହାକୁ ହସ୍ତରେ ନେଇ ପାର୍ଥଙ୍କର ବକ୍ଷସ୍ଥଳରେ ସ୍ଥାପନ କର ।”

ଉଲୂପୀଙ୍କ ନିର୍ଦ୍ଦେଶ ମତେ ବଭ୍ରୁବାହନ ମଣିକୁ ହସ୍ତରେ ଧାରଣ କରି ମୃତ ପିତାଙ୍କ ବକ୍ଷରେ ସ୍ଥାପନ କଲେ । ତତ୍‌କ୍ଷଣାତ୍ ବୀର ଅର୍ଜୁନ ଉଜ୍ଜୀବିତ ହୋଇଉଠିଲେ । ବଭ୍ରୁବାହନ ଆନନ୍ଦ ମନରେ ପିତାଙ୍କୁ ଅଭିନନ୍ଦନ ଜଣାଇବାରୁ ଅର୍ଜୁନ ସ୍ନେହରେ ତାଙ୍କୁ କୋଳାଗ୍ରତ କରି ତାଙ୍କର ମସ୍ତକ ଆଘ୍ରାଣ କଲେ ।

କିନ୍ତୁ ଉକ୍ତ ସ୍ଥାନରେ ସମବେତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କାହାକାହା ମୁଖରେ ଶୋକର ଚିହ୍ନ ଲିଭିନଥାଏ, କାହା ମୁଖରେ ହର୍ଷୋଲ୍ଲାସର ଲକ୍ଷଣ ତ କେହି ବିସ୍ମୟାବିଷ୍ଟ ଅବସ୍ଥାରେ ସ୍ଥାଣୁ ହୋଇ ଠିଆ ହୋଇଥାଏ । ଅର୍ଜୁନ ଏସବୁ ଲକ୍ଷ୍ୟ କଲେ ଓ ଦୂରରେ ଉପସ୍ଥିତ ଥିବା ତାଙ୍କର ଦୁଇ ପତ୍ନୀ ଉଲୂପୀ ଓ ଚିତ୍ରାଙ୍ଗଦାଙ୍କୁ ଦେଖି ସେ ନିଜେ ବିସ୍ମିତ ହେଲେ । ଲୋକମାନଙ୍କର ଏ ପ୍ରକାର ଅଦ୍ଭୁତ ଆଚରଣ ଓ ରଣଭୂମିରେ ଦୁଇ ରାଜକନ୍ୟାଙ୍କର ଆଗମନର କାରଣ ସେ ବଭ୍ରୁବାହନଙ୍କ ନିକଟରୁ ଜାଣିବାକୁ ଚାହିଁଲେ ।

ମଣିପୁରର ତୁରଣ ରାଜା ସେ ସମସ୍ତ କଥା ଅର୍ଜୁନଙ୍କ ନିକଟରେ ବିବୃତ କଲେ ଏବଂ ସମସ୍ତ ଘଟଣା ନାଗକନ୍ୟା ଉଲୂପୀଙ୍କ ନିର୍ଦ୍ଦେଶରେ ଘଟିଥିବା ସମ୍ୱାଦ ମଧ୍ୟ ଅର୍ଜୁନଙ୍କୁ ଅବଗତ କରାଇଲେ ।

ଅର୍ଜୁନ ଆଶ୍ଚର୍ଯ୍ୟ ହୋଇ ଉଲୂପୀଙ୍କୁ ପଚାରିଲେ, “ହେ ବରାରୋହା ରାଜପୁତ୍ରୀ, ଆମ୍ଭର ଅଜ୍ଞାତରେ ମଧ୍ୟ ତୁମ୍ଭଠାରେ କିଛି ଅପରାଧ ଘଟିଛି ବୋଲି ମୋର ମନେହୁଏ ନାହିଁ । ଏହି ମଣିପୁର ରାଜକନ୍ୟା ଚିତ୍ରାଙ୍ଗଦା ବା ତାଙ୍କର ଏହି ତରୁଣ ପୁତ୍ର ତୁମ୍ଭର କ୍ରୋଧଜାତ କରାଇବାର କୌଣସି କର୍ମ କରିଛନ୍ତି କି ? ତୁମ୍ଭେ କେଉଁ କାରଣରୁ ଏପରି ପରିସ୍ଥିତି ସୃଷ୍ଟି କଲ ?”

ଉଲୂପୀ ଖୁବ୍ ବିନୀତ ଭାବରେ ଉତ୍ତର ଦେଲେ “ହେ ସ୍ୱାମୀ, ଆପଣ ବା ଏମାନେ କୌଣସି ଅପରାଧ ମୋଠାରେ କରିନାହାନ୍ତି । କିନ୍ତୁ ଏପରି ଘଟଣା ପଛରେ ଏକ କାରଣ ରହିଛି, ଯାହା କେବଳ ମୁଁ ଜାଣିଛି । ଆପଣ ଧ୍ୟାନପୂର୍ବକ ଶ୍ରବଣ କରନ୍ତୁ । ମହାଭରାରତ ଯୁଦ୍ଧରେ ପିତାମହ ଭୀଷ୍ମଙ୍କୁ ନିଧନ କରିବା ପାଇଁ ଆପଣ କପଟାଚରଣ କରିଥିଲେ । ଏକାକୀ ତାଙ୍କୁ ପରାହିତ କରିବା ସମ୍ଭବ ହେବନାହିଁ ଜାଣି ଆପଣ ଶିଖଣ୍ଡିଙ୍କୁ ରଥରେ ବସାଇ ତାଙ୍କୁ ନିରସ୍ତ୍ର କରାଦେଇଥିଲ ଓ ପରେ ନିଧନ କଲେ । ଏଥିରେ କ୍ରୋଧିତ ବସୁଗଣ ଭାଗୀରଥୀଙ୍କ ନିକଟକୁ ଆଗମନ କରି କହିଲେ “ହେ ମାତଃ, ସବ୍ୟସାଚୀ ଭୀଷ୍ମଙ୍କ ସହ ଏକାକୀ ସଂଗ୍ରାମ ନ କରି ଅନ୍ୟ ବ୍ୟକ୍ତିର ସହଯୋଗର ଛଳପୂର୍ବକ ତାଙ୍କୁ ନିଧନ କରିଥିବାରୁ ଆମ୍ଭେମାନେ ତାଙ୍କୁ ଶାପଯୁକ୍ତ କରୁଛୁ ।”

ସେମାନଙ୍କ ଏହି ବାଣୀ ଶୁଣି ଗଙ୍ଗା ମଧ୍ୟ ତଥାସ୍ତୁ କହିଲେ । ସେତେବେଳେ ମୁଁ ଗଙ୍ଗାଜଳରେ ଅବସ୍ଥାନ କରୁଥିବାରୁ ତାହା ଶୁଣିପାରିଥିଲି ଏବଂ ସେହି କାରଣରୁ ବ୍ୟଥିତ ହୋଇ ପିତାଙ୍କ ନିକଟରେ ତା’ର ପ୍ରତିବିଧାନର ଉପାୟ କରିବାକୁ ବାରମ୍ୱାର କହିଥିଲି । ଏହି ଘଟଣାରେ ମୋର ପିତା ନାଗରାଜା ମଧ୍ୟ ଅତ୍ୟନ୍ତ ବିଷଣ୍ଣ ହୋଇ ବସୁମାନଙ୍କ ନିକଟରେ ପହଞ୍ଚି ଯୋଡ଼ହସିତ ହୋଇ ଆପଣଙ୍କୁ ଶାପମୁକ୍ତ କରିବାକୁ ପ୍ରାର୍ଥନା କଲେ ।”

ତା’ପରେ

ଲୋକପ୍ରିୟ ଲେଖା

To Top