ଗଳ୍ପ

ଅହିନନ୍ଦିନୀ ଉଲୂପୀ

Dr Archana Nayak's odia story Ahinandini Ulupi

ହେ ପରନ୍ତପ, ଦେବରାଜ ମଧ୍ୟ ଆପଣଙ୍କୁ ଯୁଦ୍ଧରେ ପରାଜିତ କରିପାରିବେ ନାହିଁ । ଆତ୍ମା ପୁତ୍ର ରୂପେ ଉତ୍ପନ୍ନ ହେବାରୁ ତାକୁ ଆତ୍ମଜ କୁହାଯାଏ । ସେହି କାରଣରୁ ଆପଣ ନିଜେ ନିଜଠାରୁ ପରାସ୍ତ ହୋଇଛନ୍ତି ଓ ବସୁଗଣଙ୍କ ଦ୍ୱାରା ପ୍ରଦତ୍ତ ଅଭିଶାପ ମଧ୍ୟ ଖଣ୍ଡିତ ହୋଇଛି ।

ଅହିନନ୍ଦିନୀ ଉଲୂପୀ

-: ପୂର୍ବରୁ :-

ପିତାଙ୍କ ବିନୀତ ନିବେଦନରେ ସେମାନେ ପ୍ରସନ୍ନ ହୋଇ ପିତାଙ୍କୁ କହିଲେ ଯେ “ଅର୍ଜୁନ ନିଜ ପୁତ୍ରର ଶରାଘାତରେ ଭୂପତିତ ହେଲେ ହିଁ ଶାପମୁକ୍ତ ହେବେ ।”

ପିତାଙ୍କ ନିକଟରୁ ମୁଁ ଏହା ଶ୍ରବଣ କରିଥିଲି । ତେଣୁ ସେହି କାଳରୁ ମୁଁ ଏପରି ଏକ ସମୟକୁ ଅପେକ୍ଷା କରୁଥିଲି । ଆପଣ ନିଜ ପୁତ୍ରର ବଳ ପରୀକ୍ଷା କରିବା ପାଇଁ ଯେତେବେଳେ ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲେ ମୁଁ ସେତେବେଳେ ଆପଣଙ୍କର ଶାପମୁକ୍ତିର ସମୟ ଆସନ୍ନ ବୋଲି ବୁଝିପାରି ଆନନ୍ଦିତ ହୋଇଥିଲି । ସେଥିପାଇଁ ଯୁଦ୍ଧ ବିମୁଖ ରାଜପୁତ୍ରକୁ ଆପଣଙ୍କ ସହ ଦ୍ୱନ୍ଦ୍ୱ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ଉତ୍ସାହ ଦେଇଥିଲି । ଆପଣ ପୁତ୍ରର ଶରାଘାତରେ ଭୂତଳରେ ନିପତିତ ହୋଇ ମୁକ୍ତ ହେଲେ ।

“ହେ ପରନ୍ତପ, ଦେବରାଜ ମଧ୍ୟ ଆପଣଙ୍କୁ ଯୁଦ୍ଧରେ ପରାଜିତ କରିପାରିବେ ନାହିଁ । ଆତ୍ମା ପୁତ୍ର ରୂପେ ଉତ୍ପନ୍ନ ହେବାରୁ ତାକୁ ଆତ୍ମଜ କୁହାଯାଏ । ସେହି କାରଣରୁ ଆପଣ ନିଜେ ନିଜଠାରୁ ପରାସ୍ତ ହୋଇଛନ୍ତି ଓ ବସୁଗଣଙ୍କ ଦ୍ୱାରା ପ୍ରଦତ୍ତ ଅଭିଶାପ ମଧ୍ୟ ଖଣ୍ଡିତ ହୋଇଛି ।”

ଉଲୂପୀ ଏତିକି କହି ନିରବ ରହିଲେ ।

ସମସ୍ତଙ୍କ ମୁଖକୁ ଆଚ୍ଛାଦିତ କରିଥିବା ସଂଶୟର କଳାଛାଇ ଅପସରି ଯାଇଥିଲା । ପ୍ରସନ୍ନତା ଓ କୃତଜ୍ଞତାବୋଧରେ ବିଗଳିତ ଚିତ୍ରାଙ୍ଗଦା ଉଲୂପୀଙ୍କୁ ଆଲିଙ୍ଗନ କରିବାବେଳେ ବଭ୍ରୁବାହନମାତା ଉଲୂପୀଙ୍କୁ କଠୋର ବାକ୍ୟ କହିଥିବାରୁ ତାଙ୍କ ନିକଟରେ କ୍ଷମାପ୍ରାର୍ଥନା କରବା ପାଇଁ ନତଜାନୁ ହେବାବେଳେ ଉଲୂପୀ ପରମ ସ୍ନେହରେ ପୁତ୍ରକୁ କୋଳାଗ୍ରତ କରି ମସ୍ତକ ଆଘ୍ରାଣ କଲେ ।

ଅଦୂରରେ ଠିଆ ହୋଇଥିଲେ ଅର୍ଜୁନ । ଉଲୂପୀଙ୍କ ସମ୍ପର୍କରେ ତାଙ୍କ ମନରେ କିୟତକାଳ ପାଇଁ ଉଠିଥିବା ପ୍ରଶ୍ନବାଚୀ ମଧ୍ୟ ତାଙ୍କ ହୃଦୟକୁ ମଥିତ କରୁଥିଲା । କିନ୍ତୁ ଦୁଇ ସପତ୍ନୀ ପରସ୍ପରକୁ ଭଗିନୀ ଭାବରେ ଆଲିଙ୍ଗନ କରୁଥିବା ଓ ବିମାତା ଉଲୂପୀଙ୍କର ସପତ୍ନୀଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ମମତା ଲକ୍ଷ୍ୟ କରି ଧନଞ୍ଜୟଙ୍କ ମନ ପ୍ରସନ୍ନ ହୋଇ ଉଠିଥିଲା ।

ସେ ପ୍ରେମପୂର୍ଣ୍ଣ କଣ୍ଠରେ ଉଲୂପୀଙ୍କୁ ଉଦ୍ଦେଶ୍ୟକରି କହିଲେ “ହେ ଅହିନନ୍ଦିନୀ, ମୁଁ ଜାଣେ ତୁମ୍ଭେ କେବେ ହେଲେ ମୋର ଅପ୍ରିୟ କାର୍ଯ୍ୟ କରିବ ନାହିଁ । କିନ୍ତୁ ଆଜି ଜାଣିଲି ଯେ ତୁମେ ମୋର ମଙ୍ଗଳକାମନାରେ କେତେ ଦୀର୍ଘତର ତପସ୍ୟା କରିଛ । ମୁଁ ଯେ ବସୁମାନଙ୍କ ଦ୍ୱାରା ଶାପଯୁକ୍ତ ହୋଇଛି ତାହା ମତେ ଜଣାନଥିଲା । ଫଳରେ ଅନୁଶୋଚନାର ଅଗ୍ନିରେ ମୁଁ ଦହିତ ହୋଇନାହିଁ । ମୋ ମନରେ ସାପଜନିତ କୌଣସି ଶଙ୍କା ନଥିଲା । ନରକ ଭୋଗର ଭୟ ନଥିଲା । ମହାଭାରତ ଯୁଦ୍ଧ ପରେ ମହାରାଜ ଯୁଧିଷ୍ଠିର ହସ୍ତିନାପୁରରେ ଅଭିଷକ୍ତ ହେବା ପରଠାରୁ ଆମ୍ଭର ସମସ୍ତ କଷ୍ଟ ଦୂର ହୋଇଥିଲା । ଆମ୍ଭେ ଦୀର୍ଘ ଦିନର ବନବାସ ଜନିତ ଦୁଃଖ ପୁଣି ଯୁଦ୍ଧକାଳୀନ କ୍ଳେଶରୁ ମୁକ୍ତ ହୋଇ ଖୁବ୍ ସ୍ୱଚ୍ଛନ୍ଦ ଓ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲୁ । ଏବେ ବିଶ୍ୱ ବିଜୟର ଆକାଂକ୍ଷାରେ ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କରିଅଛୁ । ସେହି କାରଣରୁ ନିଜର ବୀରତ୍ୱ ଓ ପରାକ୍ରମ ପ୍ରଦର୍ଶନ କରିବାର ସୁଯୋଗ ପାଇ ମୁଁ ଯଜ୍ଞୀୟ ଅଶ୍ୱ ପଛରେ ଅନୁସରଣ କରିଚାଲିଛି । ଯେଉଁ ଦେଶର ରାଜା ଆମ୍ଭର ପ୍ରଭୁତ୍ୱକୁ ସ୍ୱୀକାର କରି ବଶ୍ୟତା ସ୍ୱୀକାର କରୁଛନ୍ତି ଆମ୍ଭେ ସେଠାରେ ପ୍ରୀତି ପ୍ରକାଶ କରୁଛୁ ଏବଂ ଯେଉଁଠାରେ ବିରୋଧ ସୃଷ୍ଟି ହେଉଛି ସେଠାରେ ଆମ୍ଭେ ତାହାକୁ ନିର୍ମମ ଭାବରେ ଖଣ୍ଡନ କରୁଛୁ । ଉଭୟ କ୍ଷେତ୍ରରେ ଆମ୍ଭେ ଆତ୍ମପ୍ରସାଦ ହିଁ ଲାଭ କରୁଛୁ ।

ହେ ବରାନନେ ! ତୁମ୍ଭେ ହିଁ ଜାଣିଥିଲ ବସୁଦତ୍ତ ଅଭିଶାପର କଳାଛାଇ ଆମ୍ଭଙ୍କୁ ସର୍ବଦା ଅନୁସରଣ କରିଚାଲିଛି ଓ ତା’ର ପ୍ରଭାବ ଆମ୍ଭର ପାର୍ଥିବ ଜୀବନକୁ ହଠାତ୍ ଯନ୍ତ୍ରଣାକ୍ଳିଷ୍ଟ କରିବା ସହ ପରଲୋକରେ ସୁନିଶ୍ଚିତ ନରକ ଭୋଗ ପାଇଁ ପଥ ପ୍ରସ୍ତୁତ କରିଦେବ । ତେଣୁ ତୁମ୍ଭେ ବ୍ୟାକୁଳ ଚିତ୍ତରେ ଉତ୍କଣ୍ଠିତ ଭାବରେ ମୋର ମଣିପୁର ଆଗମନକୁ ଅପେକ୍ଷା କରୁଥିଲ । ତୁମ୍ଭେ ଜାଣିଥିଲ ମୋର ପୁତ୍ରର ଶରାଘାତ ମତେ ଶାପମୁକ୍ତ କରିବ । କିନ୍ତୁ ଏକଥା ମଧ୍ୟ ଜାଣିଥିଲ ମୋର ବୀରପୁତ୍ର ଅଭିମନ୍ୟୁ ଯୁଦ୍ଧରେ ନିହତ ହୋଇଛି ଓ ଅନ୍ୟ ଏକ ବାଳୁତ ପୁତ୍ରର ଅଶ୍ୱତ୍ଥାମାର ଖଡ୍ଗାଘାତରେ ନିଦ୍ରିତ ଅବସ୍ଥାରେ ମୃତ୍ୟୁ ଘଟିଛି ।

ତୁମେ ଉତ୍ତମ ରୂପେ ଜାଣିଥିଲ ଏବେ ଅବଶେଷ ଅଛି କେବଳ ମଣିପୁର ରାଜନନ୍ଦିନୀ ତୁମର ସପତ୍ନୀ ଚିତ୍ରାଙ୍ଗଦାଙ୍କର ପୁତ୍ର ବଭ୍ରୁବାହନ । ତେଣୁ ତାଙ୍କରି ମାଧ୍ୟମରେ ମତେ ଶାପମୁକ୍ତ କରାଯାଇପାରିବ ବୋଲି ତୁମେ ବିଚାର କରି ସେହି ସୁଦିନର ଅପେକ୍ଷା କରୁଥିଲ । ମୁଁ ଏବେ ଅନୁଭବ କରୁଛି ସେ ଯଜ୍ଞୀୟ ଅଶ୍ୱ ଇଚ୍ଛାନୁସାରେ ବିଚରଣ କରି ମଣିପୁର ରାଜ୍ୟରେ ପ୍ରବେଶ କରିନାହିଁ । ତୁମର ପ୍ରାର୍ଥନା ହିଁ ତାକୁ ଏହି ରାଜ୍ୟକୁ ଆକର୍ଷିତ କରିଆଣିଛି ।

ହେ ବରାନନେ, ତୁମ୍ଭଙ୍କୁ ପତ୍ନୀରୂପେ ଲାଭ କରି ମୋର ଜୀବନ ଧନ୍ୟ ହୋଇଛି । ମୁଁ ନାଗଲୋକରେ ତୁମ୍ଭର ଭବନରେ ମାତ୍ର ଏକ ଦିନ ତୁମ୍ଭ ସହିତ ଅତିବାହିତ କରିଥିଲି । ନିଜର ରାଜ୍ୟରକ୍ଷା, ଯୁଦ୍ଧ ବିଗ୍ରହ, ଭ୍ରାତାଙ୍କର ସମସ୍ୟା, ରାଣୀ ଦ୍ରୌପଦୀ ଓ ମାତା କୁନ୍ତୀଙ୍କ ସହ ଏପର୍ଯ୍ୟନ୍ତ ବିବିଧ କାର୍ଯ୍ୟରେ ସଂଲଗ୍ନ ହୋଇ ତୁମ୍ଭ ପ୍ରତି ମୋର କୌଣସି କର୍ତ୍ତବ୍ୟ ଅଛି ବୋଲି ଚିନ୍ତା ମଧ୍ୟ କରିନାହିଁ । ଚିତ୍ରାଙ୍ଗଦାଙ୍କ ପରି ତୁମ୍ଭଙ୍କୁ ମୁଁ ମାତୃତ୍ୱର ଆନନ୍ଦ ଦେଇପାରିନି । ସନ୍ତାନଟିଏ କ୍ରୋଡ଼ରେ ଧାରଣ କରିବାର ସନ୍ତୋଷ ପ୍ରାପ୍ତିରୁ ତୁମ୍ଭେ ବଞ୍ଚିତ ।

ଅଥଚ ହେ ଦେବୀ, ତୁମ୍ଭର ହୃଦୟ ମନ୍ଦିରରେ ମୋ ପାଇଁ ପ୍ରେମର ପ୍ରଦୀପଟିଏ ପ୍ରଜ୍ଜ୍ୱଳିତ ହୋଇ ରହିଛି । ମୋରି ମଙ୍ଗଳ କାମନାରେ ଅହରହ ପ୍ରାର୍ଥନୀ କରିଛ । ମୋତେ ଶାପମୁକ୍ତ କରିବା ପାଇଁ ଏତ ବର୍ଷ ହେଲାଣି ତୁମେ ଏକାଗ୍ର ଚିତ୍ତରେ ମଣିପୁର ରାଜ୍ୟରେ ମୋର ଆଗମନକୁ ଅପେକ୍ଷା କରି ରହିଛ ।

ତୁମ୍ଭ କାର୍ଯ୍ୟର ଉଦ୍ଦେଶ୍ୟ ନ ବୁଝିପାରି ଆମେ ସମସ୍ତେ ତୁମ୍ଭର ଅଭିପ୍ରାୟର ମନ୍ଦ ଅର୍ଥ ବାହାର କରି ତୁମ୍ଭଙ୍କୁ ନାନା କଟୁକଥା କହିଛୁ ।

ସେ ମାତା ପୁତ୍ରଙ୍କ କ୍ଷେତ୍ରରେ ତୁମ ପ୍ରତି ସନ୍ଦିଗ୍ଧତା ପୋଷଣ କରିବା ହୁଏତ ସ୍ୱାଭାବିକ୍ ଥିଲା, କିନ୍ତୁ ମୁଁ ଏପରି ସନ୍ଦେହର ବଶବର୍ତ୍ତୀ ହେଲି ।

ହେ ମୋର ପ୍ରିୟତମା ଉଲୂପୀ, ସ୍ୱଳ୍ପକାଳ ତୁମ ସହିତ ଅତିବାହିତ କରିଥିଲେ ବି ମୁଁ ତୁମ ହୃଦୟର ସ୍ୱଚ୍ଛତା, ପବିତ୍ରତା ଓ ଏକନିଷ୍ଠ ପ୍ରେମର ଯେଉଁ ପରିଚୟ ପାଇଥିଲି ଆଜି ପରିସ୍ଥିତିର ବଶରେ ସେଥିପାଇଁ ପ୍ରଶ୍ନ କରିଥିବାରୁ ମୁଁ ଲଜ୍ଜିତ । ମତେ କ୍ଷମାକର ।”

ଅର୍ଜୁନଙ୍କୁ ଆଉ ଅଧିକ କହିବାକୁ ନ ଦେଇ ଉଲୂପୀ ତ୍ୱରିତ ବେଗରେ ଆସି ତାଙ୍କର ପାଦରେ ପ୍ରଣାମ ଜଣାଇଲେ । ଅର୍ଜୁନ ତାଙ୍କୁ ଭୂମିରୁ ଉଠାଇ ନିକଟରେ ଅଭିଭୂତ ଅବସ୍ଥାରେ ଠିଆ ହୋଇଥିବା ମାତା ପୁତ୍ରଙ୍କୁ ଏକତ୍ର ନିଜର ବିଶାଳ ପ୍ରଶସ୍ତ ବକ୍ଷରେ ପରମ ଶ୍ରଦ୍ଧାରେ ଧରି ରଖିଲେ ।

ଏହି ମହାର୍ଘ ମୁହୂର୍ତ୍ତଟି ପାଇଁ ତିନୋଟି ପ୍ରାଣ କେଉଁ ଯୁଗରୁ ସ୍ପନ୍ଦିତ ହୋଇ ଚାଲିଥିଲା । ଏଇ କେଇଟି ମୁହୂର୍ତ୍ତ କେତେ ଜନ୍ମର ଆନନ୍ଦ ଓ ସନ୍ତୋଷକୁ ସେମାନଙ୍କର ସମଗ୍ର ସତ୍ତାରେ ସଞ୍ଚାରିତ କରି ଦେଇଥିଲା ।

ଅଶ୍ରୁ ସଜଳ କଣ୍ଠରେ ବଭ୍ରୁବାହନ ମାତା ଦୁହିଁଙ୍କ ସହ ମଣିପୁର ରାଜଭବନରେ ଏକ ରାତ୍ରି ଅବସ୍ଥାନ କରିବା ପାଇଁ ପିତାଙ୍କୁ ପ୍ରାର୍ଥନା କଲେ । କିନ୍ତୁ ଅର୍ଜୁନ ପୁତ୍ରକୁ ପୁଣି ଥରେ ଆଲିଙ୍ଗନ କରି କହିଲେ ଯେ “ସେ ହସ୍ତିନା ପୁରରୁ ଯେଉଁ ନିୟମରେ ଦୀକ୍ଷିତ ହୋଇ ବାହାରିଛନ୍ତି ତା’ର ବ୍ୟତିକ୍ରମ କରିବା ସମ୍ଭବ ନୁହେଁ । ଏହି ଯଜ୍ଞୀୟ ଅଶ୍ୱକୁ ବନ୍ଧନ କରାଯାଇପାରିବ ନାହିଁ । ସେ ସ୍ୱଇଚ୍ଛାରେ ଗମନଶୀଳ । ତେଣୁ ତାଙ୍କର ରାତ୍ରିକାଳୀନ ଅବସର ସମୟରେ ଅଶ୍ୱ ହୁଏତ ଅନ୍ୟତ୍ର ଚାଲିଯାଇପାରେ । ତାକୁ ଅରଣ୍ୟ ଭୂମିରେ ସନ୍ଧାନ କରିବା ସମ୍ଭବପର ନୁହେଁ । ତେଣୁ ସୁଦୂର ହସ୍ତିନାପୁରରେ ଯେଉଁ ମହାନ୍ ଯଜ୍ଞର ଆୟୋଜନ କରାଯାଉଛି ତାହା ନିଷ୍ଫଳ ହୋଇଯିବ ।” ବରଂ ଯଜ୍ଞାନୁଷ୍ଠାନରେ ଦୁଇ ମାତାଙ୍କୁ ସାଙ୍ଗରେ ନେଇ ରାଜା ବଭ୍ରୁବାହନ ଯୋଗ ଦେବା ପାଇଁ ଅର୍ଜୁନ ନିମନ୍ତ୍ରଣ କଲେ ।

ଦୀର୍ଘ ଏତେ ସମୟ ଧରି ଦୃଷ୍ଟି ପଥରେ ଥିବା ଯଜ୍ଞଅଶ୍ୱ ହଠାତ୍ କ୍ଷିପ୍ର ବେଗରେ ଧାବିତ ହେବାକୁ ଆରମ୍ଭ କଲା । କାଳବିଳମ୍ୱ ନ କରି ଅର୍ଜୁନଙ୍କର ରଥର ଅଶ୍ୱମାନେ ତାହାର ପଶ୍ଚାଦ୍ଧାବନ କଲେ । ଚାହୁଁ ଚାହୁଁ ସେ ଅଶ୍ୱ, ଅର୍ଜୁନଙ୍କର ରଥ ଓ ତାଙ୍କ ସହିତ ପରିଭ୍ରମଣ କରୁଥିବା ବ୍ରାହ୍ମଣ ଗଣ ଓ ସେନା ସକଳ ସମସ୍ତଙ୍କର ଦୃଷ୍ଟି ଅନ୍ତରାଳକୁ ଚାଲିଗଲେ ।

ଚିତ୍ରାଙ୍ଗଦା ଓ ବଭ୍ରୁବାହନଙ୍କର ମୁଖମଣ୍ଡଳରେ ଆନନ୍ଦର ପରିପ୍ରକାଶ ଘଟିଥିବା ବେଳେ ଉଲୂପୀଙ୍କର ସମଗ୍ର ଶରୀର ଏକ ଅପୂର୍ବ ଆଶ୍ୱସ୍ତି, ଆନନ୍ଦ, ସନ୍ତୋଷ, ପ୍ରସନ୍ନତା ଓ ପ୍ରେମାନୁଭବରେ ଏକ ସ୍ନିଗ୍ଧ ପ୍ରଭାମୟ ବିଗ୍ରହ ପରି ପ୍ରତୀୟମାନ ହେଉଥିଲା ।

ଲୋକପ୍ରିୟ ଲେଖା

To Top