ଗଳ୍ପ

ଅଜା ନାତି କଥା

Byaasakabi Fakir Mohan Senapati's odia story Ajaa Naati Kathaa

ହଇରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି । ସତ, ଗୋପପୁରଟା ତ ଏତେ ବଡ଼ ନୁହେଁ । ପୂତନା ମଡ଼ାଟା ଉଣେଇଶ ଯୋଜନ ମାଡ଼ି ଗୋପପୁରରେ କିମିତି ପଡ଼ିଲା ।

ଅଜା ନାତି କଥା

ଅଜା ରାମ ଦ୍ୱିବେଦୀଏ- ଆରେ ଗଣି ! ଆମ ଜମିର ରୋଡ଼ସେସ୍ ଟଙ୍କା ଦାଖଲ କରିବା ଲାଗି କଚେରିକୁ ଯାଇଥିଲି । କାଳି ସଞ୍ଜବେଳେ ଘରକୁ ଫେରି ଆସିଛି । ଆମ ମୁକ୍ତାର ରାମ ମିଶ୍ରେ ଆଉ ଦି’ଚାରିଜଣ ଓକିଲଙ୍କୁ ପଚାରିଲି, କାହିଁ, କେହି ତ ସେ ମକର୍ଦ୍ଦମା କଥା ଶୁଣିଥିବାର କହିଲେ ନାହିଁ । ପୁରୀ ସହର ଭିତରେ ବି କେତେ ଲୋକଙ୍କ ସାଙ୍ଗରେ ଦେଖା ହେଲା । ଯାହାକୁ ପଚାରିଲି, ସମସ୍ତେ କହିଲେ, ପୁରୀରେ ଏ କଥା ଶୁଣାନାହିଁ । ଏ କିମିତିକା କଥାରେ ।

ନାତି ଗଣପତି- କେଉଁ ମକର୍ଦ୍ଦମା କଥା ଅଜା ?

ଅଜା- ଆରେ ତୁ ସେଦିନ ପରା ଗେଜେଟ୍‌ରେ ପଢ଼ି ଶୁଣାଉଥିଲୁ, ଗୋଟିଏ ମାଇକିନିଆ ଗୋଟିଏ ପୁରୁଷ ଦୁଇଜଣ ଚୋର ଚୋରଣୀ ମଉନା ମଉନୀ ବାବାଜି ସାଜି ଖଣ୍ଡଗିରିର ଗୋଟାଏ ଗୁହା ଭିତରେ ବସି ମିଛ ତପସ୍ୟା କରୁଥିଲେ । ପୁଲିସ ସେମାନଙ୍କୁ ଚଲାଣ ଦେଲା । ମେଜେଷ୍ଟର ସାହେବ ଦି’ ଦି’ ବରଷ ମିଆଦି ଦେଲେ ।

ଗଣପତି- ହୋଃ ହୋଃ ହୋଃ ! ଏଇ କଥା । ନାହିଁ ନାହିଁ ଅଜା, ସେଇଟା ଗେଜେଟ୍ ନୁହେଁ, ସେଇଟା ସାହିତ୍ୟ ମାସିକପତ୍ରିକା । ସେଥିରେ ମଉନା ମଉନୀ ବୋଲି ଗୋଟିଏ ଗଳ୍ପ ଲେଖାଥିଲା, ସେଇଟା ପଢ଼ି ଶୁଣାଉଥିଲି ।

ଅଜା- ଆରେ ଗେଜେଟ୍‌ରେ କ’ଣ ମିଛ କଥା ଲେଖା ହୁଏ ? ସେଗୁଡ଼ାକ ତୁ କିଆଁ ପଢୁ ? ମଲା ଯା ! ମୁଁ ଜାଣିଥିଲି ସରକାରରୁ ଯେତେ ଛାପା ଗେଜେଟ୍ ଆସେ, ସେଥିରେ ସବୁ ସତ କଥା ଲେଖା ଥାଏ । ତେବେ ଏଇଭଳି ମିଛକଥା ଗୁଡ଼ାଏ ଥାଏ । ସେ ଗୁଡ଼ାକ ତୁ କିଆଁ ପଢୁରେ ? ତୁମ ଇସ୍କୁଲରେ କ’ଣ ଏଇ ମିଛ କଥାଗୁଡ଼ାକ ପଢ଼ା ହୁଏ ? ହବ ନାହିଁ । ମ୍ଳେଚ୍ଛ ପାଠ ତ !

ଗଣପତି- ନାହିଁ ଅଜା, ସେ ଗୁଡ଼ାକ ମିଛ ନୁହେଁ, ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣ୍ଣନା କରାଯାଇଛି ।

ଅଜା- କିଆଁ ? ମିଛ କଥା ଗୁଡ଼ାଏ ଲେଖି ବର୍ଣ୍ଣନା କରିବା ଦରକାର କ’ଣ ? ପଢ଼ିଲୁ, ଆମର ଏତେ ପୁରାଣ ଅଛି, ପଢ଼ିଲୁ, ପଦେ ମିଛ ପାଇବୁ କି !

ଗଣପତି- ଆଚ୍ଛା, ସେ କଥା ପଛେ ହେବ । ଆଉ କଥା ହେଉ ଅଜା, ଏହି କାନ୍ଥବାଡ଼ରେ କି ଚିତ୍ର ? କ’ଣ ଲେଖା ହୋଇଛି ?

ଅଜା- ଆରେ ଏତିକି ବୁଝିପାରୁ ନାହୁଁ । ତୋ ଆଈ ଗେରୁ, ହରତାଳ, କଳାରଙ୍ଗ, ନଡ଼ିଆ ସଢେ଼ଇରେ ଗୋଳେଇ କନାତୂଳିରେ ଏସବୁ ଚିତ୍ର କରିଛି । ସେ ଖୁବ୍ ଚିତ୍ର କରି ଜାଣେ । ଏଇ ଦେଖ, ଏଇଟା ହେଲା କଦମ୍ୱଗଛ, ଫୁଲ ଫୁଟିଛି, ତା’ ମୂଳରେ ଶ୍ରୀକୃଷ୍ଣ ରାଧିକା ଯୁଗଳ ମୂର୍ତ୍ତି ଛିଡ଼ା ହୋଇଛନ୍ତି । ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି ।

ଗଣପତି- କାହିଁ ଅଜା, ବଇଁଶୀ ତ ଶୁଭୁ ନାହିଁ ।

ଅଜା- ହୋଃ ହୋଃ ହୋଃ ! ତୁ କିମିତିକା ଓଲା ଟୋକାଟାରେ । ହବ ନାହିଁ କିଆଁ । ମ୍ଳେଚ୍ଛ ପାଠ ପଢ଼ି ତୁମମାନଙ୍କ ବୁଦ୍ଧି ବିଗିଡ଼ି ଯାଇଛି । ଆରେ ଏ କ’ଣ ସତକୁ ସତ ଶ୍ରୀକୃଷ୍ଣ ବଇଁଶୀ ବଜାଉଛନ୍ତି । ଇଏ ହେଲା ଛବି ।

ଗଣପତି- ତେବେ ଏ ସତ କୃଷ୍ଣ ନୁହେଁ, ମିଛ କୃଷ୍ଣ କହ ।

ଅଜା- (ଟିକିଏ ଖପା ହୋଇ ତେଜରେ) ରାମ ! ରାମ ! ରାମ ! ମିଛ କୃଷ୍ଣ କ’ଣରେ ? ଏ ହେଲା କୃଷ୍ଣଙ୍କ ଚିତ୍ର ।

ଗଣପତି- ତେବେ ଅଜା ଶୁଣନ୍ତୁ । କଥା କ’ଣ କି, ଚିତ୍ର ବିଦ୍ୟା ଗୋଟିଏ ଲଳିତ କଳା । ସେ ଦୁଇ ରକମ- ଗୋଟିଏ ଚିତ୍ର ବାହାରର ଜଡ଼ ଦେହର, ଆଉ ଗୋଟିଏ ମାନସିକ କ୍ରିୟାର । ଆଚ୍ଛା, ଆପଣଙ୍କ ବୁଝିବା ପାଇଁ ମୁଁ ଗୋଟାଏ କଥାରେ କହେ- ଗୋଟିଏ ଆଧିଭୌତିକ ଚିତ୍ର, ଆଉ ଗୋଟିଏ ଆଧ୍ୟାତ୍ମିକ ଚିତ୍ର । ଚିତ୍ରକର ଯେ, ସେ ତୂଳି ଗୋଟାଏ ଧରି ମନୁଷ୍ୟ ଶରୀର ଚିତ୍ର କରେ, କବି କ’ଣ କରେ କି, ମନୁଷ୍ୟ ମନର ଗତି, କାର୍ଯ୍ୟ ପ୍ରଣାଳୀ, କ୍ରିୟା ଇତ୍ୟାଦି କଲମରେ ଲେଖେ । ଏଇଟାକୁ ମାନସିକ ଚିତ୍ର ବୋଲାଯାଇପାରେ । ଲୋକ ଶିକ୍ଷା ପାଇଁ କିମ୍ୱା ଲୋକନେତ୍ର ରଞ୍ଜନ ପାଇଁ କବି ଆଉ ଚିତ୍ରକରମାନେ ଏହିପରି ଚିତ୍ର କରିଥାନ୍ତି ।

ଅଜା- ଆଚ୍ଛା, ଆମ ପୂର୍ବ ପୂର୍ବ ମହର୍ଷିମାନେ ଲୋକ ଶିକ୍ଷା ପାଇଁ ଏତେ ପୁରାଣ ଗ୍ରନ୍ଥ ରଚନା କଲେ, ଗୋଟିଏ ହେଲେ ତ ମିଛ କଥା ଲେଖି ନାହାନ୍ତି । ଜ୍ଞାନ ପାଇଁ ସେ ସବୁକୁ ପଢ଼ । ଏପରି ମିଛ କଥାଗୁଡ଼ାକ କିଆଁ ପଢ଼ିବ ।

ଗଣପତି- ଆଚ୍ଛା ଅଜା, ମୁଁ ଯାହା କହୁଛି, ଧୀର ହୋଇ ଶୁଣନ୍ତୁ । ଖପା ହୋଇ ଯିବେ ନାହିଁଟି । ଆପଣ ତ ମହାଭାରତ ବନପର୍ବରେ ପଢ଼ିଥିବେ, ଅଜଗର ସାପଟାଏ ଭୀମସେନଙ୍କୁ ଗିଳିବ ବୋଲି ଖୁବ୍ ଆଣ୍ଟ କରି ଧଇଲା । ଭୀମ ଭାରି ବଳୁଆ କି ନା । ପଳେଇ ଯିବା ପାଇଁ ଖୁବ୍ ଗୁଡ଼ାଏ ଟଣାଓଟରା କଲେ, ସାପ ତ ନ ଛାଡେ଼ । ତା’ ବାଦ ଭୀମ ଢେର ରକମ କଥା କହି ନେହୁରା ହେଲେ । ଅଜଗରକୁ ଦାତାରାମ । ଏତେ ଦିନ ଭୋକିଲା ପଡ଼ିଥିଲା, ଆଜି ମୋଟା ମଣିଷଟାଏ ପାଇଛି, ସେ କି ଛାଡେ଼ । ଏତିକିବେଳେ ଯୁଧିଷ୍ଠିର ପହଞ୍ଚିଗଲେ । ଅଜଗର ଯୁଧିଷ୍ଠିର ଭିତରେ ଢେର କଥା ଭାଷା ଚଳିଲା । ଆଚ୍ଛା ଅଜା, ଅଜଗର ସାପ କ’ଣ କଥା କହୁଥିଲା ?

ଅଜା- ହୋଃ ହୋଃ ହୋଃ ! ଆରେ ତୁମେ ପିଲାଗୁଡ଼ାକ ତ ଧର୍ମଗ୍ରନ୍ଥ ପୁରାଣ ଆଦି ପଢ଼ିଲା ନାହିଁ, ତୁଚ୍ଛା ମିଛ ଗେଜେଟ୍‌ଗୁଡ଼ାକ ପଢ଼ିବ, ମୂଳଜ୍ଞାନ କଥା କାହୁଁ ଜାଣିବ । ଆରେ ଜାଣୁ, ଏ ହେଲା ଦ୍ୱାପର-ଯୁଗର ପୁରାଣର କଥା । ଇଏ କ’ଣ ଆଜିକାଲିକାର କଥା । ତୁ ତ ଜ୍ଞାନଶାସ୍ତ୍ର ପଢ଼ିନାହୁଁ, ଜାଣିବୁ କେଉଁଠୁ ? ତୁ ଯାହାକୁ ଅଜଗର ସାପ କହୁଛୁ, ସେ ସାପ ନୁହେଁ- ସୂର୍ଯ୍ୟବଂଶର ରାଜା ନହୁଷ । ବ୍ରାହ୍ମଣମାନଙ୍କୁ ଆପଟ କରି ତାଙ୍କ କାନ୍ଧ ଉପରେ ଚଢ଼ିଥିଲା । ବ୍ରାହ୍ମଣମାନେ ବି ସିମିତି ଖପା ହୋଇ ଅଭିଶାପ ଦେଲେ । ରାଜା ସାଙ୍ଗେ ସାଙ୍ଗେ ଅଜଗର ସାପ ପାଲଟି ଗଲା । ଦେଖିଲୁ ଆଗେ କିମିତି ବ୍ରାହ୍ମଣମାନଙ୍କର ତେଜ ଥିଲା ।

ଗଣପତି- ଆଜି ବି କ’ଣ ତେଜ ନାହିଁ ? ଯଜମାନଙ୍କୁ, ଯାତ୍ରୀଙ୍କୁ ଛାନିଆ କରି ପକାଉଛନ୍ତି ।

ଅଜା- (ଟିକିଏ ରାଗିଯାଇ କହିଲେ) କ’ଣ ? ବ୍ରାହ୍ମଣ ନିନ୍ଦା କରୁଛୁ ।

ଗଣପତି- ନାହିଁ ନାହିଁ ଅଜା, ମୁଁ ଥଟ୍ଟା କରି କହିଲି । ଆଚ୍ଛା, ମହାଭାରତର ଆଉ ଗୋଟିଏ କଥା ଶୁଣନ୍ତୁ । ଗୋଟିଏ ଶୁଆ ଚଢେ଼ଇ ବଣ ଭିତରେ ବସା ବାନ୍ଧିଥିଲା । ସଞ୍ଜବେଳେ ଜଣେ ଅତିଥି ତା’ ଦୁଆରେ ପହଞ୍ଚିଲେ । ଶୁଆଟି ବଡ଼ ଅତିଥି ସେବା କରେ । ସେ କ’ଣ କଲା ନା, ଧାଇଁ ଯାଇ ଚଞ୍ଚଳ ଅତିଥିଙ୍କୁ ଗୋଡ଼ ଧୋଇବାକୁ ପାଣି ଦେଲା, ଆସନ ଖଣ୍ଡିଏ ପକାଇ ଦେଲା, ଆଉ ଭୋଜନ ପାଇଁ କିଛି ଚାଉଳ ଆଣି ଦେଲା । ଅତିଥି ଭାତ ରାନ୍ଧିଲେ । ମଲା ଯା’ । ତିଅଣ ଯେ ନାହିଁ । ଅତିଥି କ’ଣ କଲେ କି, ତୁନି ଯାଇ ଶୁଆ ବେକ ମୋଡ଼ି ଦେଲେ । ତା’ ମାଉଁସ ତରକାରି କରି ସୁନ୍ଦର ଭୋଜନ କଲେ । ଆଚ୍ଛା ଅଜା, ଶୁଆ ଯେ ଚାଉଳ ଆଣି ଦେଲା, ତା’ ଘରେ ସେ ଚାଉଳ କିଏ କୁଟି ଦେଲା ? ଶୁଆଣୀ କୁଟି ଦେଲା ପରା ।

ଅଜା ତ ଟିକିଏ ହଇରାଣରେ ପଡ଼ିଗଲେ- । ଅଣ୍ଟାରୁ ନାସଦାନୀ କାଢ଼ି ଲାଗ ଲାଗ ତିନି ଚାରି ଟିପା ନାସ ଶୁଙ୍ଘି ଦେଲେଣି । ତହିଁ ଉତ୍ତାରେ ଖନେଇ ଖନେଇ କହିଲେ, “ଆଚ୍ଛା ଗଣି, ମୁଁ ଉଛୁଣି ଭଲ ବୁଝିପାରୁନାହିଁ । କାଲି ମୁଁ ତତେ ବେଶ କରି କହିବି, ବେଶ ବୁଝିପାରିବୁ । ମୁଁ ଟୀକା ପଢ଼ିନାହିଁ । ରାମ ମିଶ୍ରେ ବେଶ ସଂସ୍କୃତ ଜାଣନ୍ତି । ସେ ଟୀକା ପଢ଼ିଛନ୍ତି- ସେ ବୁଝାଇ ଦେବେ ।”

ଗଣପତି- ଆଚ୍ଛା ଅଜା, ଆଉ ଦିନେ ଦୁଇଜଣ ସାଙ୍ଗସୁଙ୍ଗା ହୋଇ ମିଶ୍ରଙ୍କ କତିକି ବୁଝାବୁଝି କରିବା ଲାଗି ଯିବା । ଆଉ ଗୋଟିଏ କଥା ମୋତେ ବୁଝାଇ ଦେଉନ୍ତୁ, ଦେଖେ । ପିଲା ଶ୍ରୀକୃଷ୍ଣ ଗୋପପୁରେ ଥିଲେ । ତାଙ୍କୁ ମାରି ପକାଇବା ପାଇଁ କଂସ ପୂତନା ରାକ୍ଷସୀକୁ ପଠାଇ ଦେଲା । ସେ ପୂତନା କ’ଣ କଲା କି, ନାରୀ ବେଶ ଧରି ଆପଣା ସ୍ତନରେ ବିଷ ଭର୍ତ୍ତି କରି ଗୋପପୁରକୁ ଆସିଲା । ଶ୍ରୀକୃଷ୍ଣ ବିଷ ମିଶା କରି ତା’ ସ୍ତନ ଚଁ କରି ଟାଣି ଦେଲେ, ପୂତନା ରଡ଼ିଟାଏ କରି ମରି ପଡ଼ିଗଲା । ସେ କଥା ମହାଭାରତରେ ବି ଲେଖା ଅଛି । ଶ୍ରୀକୃଷ୍ଣ ଜନ୍ମବେଳେ ଗୋଟାଏ ଶକୁନି ଗ୍ରାମରେ ଆସି ବସିଲା । ଶକୁନି ଅର୍ଥ ପୂତନା । ମହାଭାରତରେ ପୂତନା କଥା ଏହିପରି ଲେଖା । ଆଉ ଗୋଟାଏ ପୁରାଣରେ ଲେଖା ଅଛି ପିଲାବେଳେ ଶ୍ରୀକୃଷ୍ଣଙ୍କୁ ପିହୁଡ଼ା ରୋଗ ହୋଇଥିଲା । ପିହୁଡ଼ା ରୋଗ ପୂତନା । ବୋଇଲ ଅଜା, କେଉଁ ପୁରାଣଟା ସତ ? ଆଚ୍ଛା ଅଜା । ଆହୁରି ଗୋଟାଏ କଥା କହନ୍ତୁ ତ । ପୂତନା ତ ଉଣେଇଶ ଯୋଜନ ମାଡ଼ି ପଡ଼ିଲା, ତେବେ ଗୋପପୁରରେ ଯେତେ ମଣିଷ, ଗୋରୁ, ପଶୁ, ପକ୍ଷୀ ଥିଲେ, ସବୁ ତ ଚାପା ପଡ଼ି ମରିଗଲେ- ଗୋପପୁରର ସବୁ ଗଉଡ଼ ବଂଶ ବି ମରିଗଲେ । କାହିଁ, ସେ କଥା ତ କେଉଁ ପୁରାଣରେ ହେଲେ ଲେଖା ନାହିଁ ।

ଅଜା ତ ବଡ଼ ହଇରାଣରେ ପଡ଼ିଲେଣି । କିଛି ଉତ୍ତର ନ ଦେଇପାରି କେବଳ ନାସ ଶୁଙ୍ଘୁଛନ୍ତି । ଶେଷରେ କହିଲେ, “ହଇରେ ଗଣି, ମୁଁ ତ ବୃନ୍ଦାବନ ଯାଇଥିଲି । ସତ, ଗୋପପୁରଟା ତ ଏତେ ବଡ଼ ନୁହେଁ । ପୂତନା ମଡ଼ାଟା ଉଣେଇଶ ଯୋଜନ ମାଡ଼ି ଗୋପପୁରରେ କିମିତି ପଡ଼ିଲା । ପୁଣି ପୁରାଣରେ ଲେଖା ଅଛି, ସେ ଗୋପପୁରରେ ପଡ଼ିଲା ।” କଥା କ’ଣ ?

ଗଣପତି- ଜାଣ ତ ଅଜା, ପୁରାଣ ବୋଲ, କି ଉପନ୍ୟାସ ବୋଲ, କି ଗଳ୍ପ ବୋଲ, ଲୋକଶିକ୍ଷା ଲାଗି କବିମାନେ ଏହିପରି ଲେଖି ଯାଇଛନ୍ତି । ପୁରାଣ ଅର୍ଥ କ’ଣ ନା, ପୁରୁଣା କଥା । ଆଜିକାଲି ଯେ ଉପନ୍ୟାସ ସବୁ ବାହାରୁଛି, ତାକୁ ହଜାର ବରଷ ଉତ୍ତାରେ ଲୋକମାନେ ପଢ଼ିଲେ, କେହି କେହି ସତ ବୋଲି ମଣିବା ଆଶ୍ଚର୍ଯ୍ୟ ନୁହେଁ ।

ଅଜା- ନାହିଁରେ ଗଣି । ମୋ ମନ ମାନୁନାହିଁ । ଆଚ୍ଛା ମୁଁ ପଣ୍ଡିତ ରାମମିଶ୍ରଙ୍କୁ ଏ କଥା ପଚାରି ତତେ କହିବି ।

ଲୋକପ୍ରିୟ ଲେଖା

To Top