ଗଳ୍ପ

ଅମାନିଆ ମନ

Shreebatsa Prasad Nath's odia story Amaaniaa Mana

ଚିତ୍ରରେ ଅତି ନିପୁଣତାର ସହିତ ତାହା ଫୁଟାଇବା ପାଇଁ ଆକାଶବାବୁ ଅତି ସତର୍କ ହୋଇ ଯେତେ ଥର ହସ୍ତରେ ତୁଳିକାଧାରଣ ପୂର୍ବକ ଉଦ୍ୟମ କରିଛନ୍ତି, ପ୍ରତିଥର କାହିଁକି କେଜାଣେ ତାଙ୍କ ହାତ ଥରି ଉଠେ ।

ଅମାନିଆ ମନ

ସଞ୍ଜବେଳ ଗଡ଼ିଗଲେ ଝିଅଟି ହାର୍ମୋନିୟମ୍ ଧରି ଗୀତ ଗାଏ । ହାର୍ମୋନିୟମ୍ ସ୍ୱର ସହିତ ତା’ କଣ୍ଠ ମିଶାଇ ସେ ଏଭଳି ଗୀତ ଗାଉଥିଲା, ଯହିଁରେ ଭରି ରହିଥିଲା ମଧୁର ମୂର୍ଚ୍ଛନା । ତା’ ବୀଣାଭିଣା କଣ୍ଠର ମଧୁଝଙ୍କାର ଲହଡ଼ି ଭାଙ୍ଗି ଚାଲି ଯାଉଥିଲା ଦୂର ଅଦୂରରେ ଥିବା ପାଖପଡ଼ିଶାଙ୍କ ପାଖକୁ । କି, ଲଳିତ କୋମଳ ସେ ଝିଅଟିର କଣ୍ଠସ୍ୱର । ସେ ପ୍ରାୟ ପ୍ରତିଦିନ ପ୍ରାର୍ଥନା କିମ୍ୱା ଭକ୍ତି ସଂଗୀତ ଗାଉଥିଲା । ତାହା କିଛି ସମୟ ପାଇଁ ଅନିର୍ବଚନୀୟ ଶିହରଣ ସୃଷ୍ଟି କରୁଥିଲା ସେହି ଅଞ୍ଚଳରେ । ସତେ ଯେମିତି ବହୁଦିନର ବ୍ୟଥା ଓ ବେଦନା ପୁରି ରହିଛି ସେଇ ଝିଅଟିର ନମନୀୟ ଗଳାରେ ।

ଆଜକୁ ଚାରିବର୍ଷ ହେବା ଆକାଶବାବୁ ଏଠାରେ ସ୍ତ୍ରୀ ପିଲା ନେଇ ବସବାସ କରି ଆସୁଥିଲେ ସୁଦ୍ଧା ଏଭଳି ସଂଗୀତ ଗାଇବା ପୂର୍ବରୁ କେବେ ଶୁଣି ନ ଥିଲେ । ଏଇ କେଇ ଦିନ ହେବ ସେ ତାହା ଶୁଣିବାକୁ ପାଉଛନ୍ତି ନିତିଦିନ ସନ୍ଧ୍ୟାବେଳେ । ବୋଧହୁଏ ଅଳ୍ପଦିନ ହେବ ସପରିବାର ଏଠିକାର ଭଡ଼ାଘରେ ବାସ କରୁଛନ୍ତି କୌଣସି ଭଦ୍ରବ୍ୟକ୍ତି । ସେଇ ମହନୀୟା ଗାୟିକା ତାଙ୍କର ଝିଅ ହୋଇଥିବ ନିଶ୍ଚୟ । ଏହିପରି କେତେ କଥା ଭାବନ୍ତି ଆକାଶବାବୁ ।

ଦିନେ ଝିଅଟି ଗୀତ ଗାଉଛି । କିଛି ସମୟ ପାଇଁ ଏକ ଅବ୍ୟକ୍ତ ମଧୁର ଗୁଞ୍ଜନରେ ଆଖପାଖ ଅଞ୍ଚଳ ପରିପୂର୍ଣ୍ଣ ହୋଇଛି । ଜଣାପଡୁଛି ସତେ ଯେପରି ବାୟୁମଣ୍ଡଳରେ ସୃଷ୍ଟି ହୋଇଛି ହିଲ୍ଲୋଳିତ ମଧୁର ଗୁଞ୍ଜରଣ । ସେବେଳରେ ଆକାଶବାବୁ ସବୁ କାମ ଛାଡ଼ି ଚାହିଁ ରହିଛନ୍ତି ଅପଲକ ନେତ୍ରରେ ସେଇ ଖୋଲା ଝରକା ଆଡ଼େ । ଯେଉଁଠାରୁ କି ତରଙ୍ଗାୟିତ ହୋଇ ଭାସି ଆସୁଛି ସୁମଧୁର କଣ୍ଠସ୍ୱର । ସେତେବେଳେ ଆକାଶବାବୁ ପାଶୋରି ପକାନ୍ତି ଜୀବନର ସମସ୍ତ ଦୁଃଖ ଓ ଶୋକା ତାଙ୍କ ଅମାନିଆ ମନଟା ଚାଲିଯାଏ ଅନ୍ୟ ଏକ ରାଜ୍ୟକୁ । ସେ ଆପେ ଆପେ କହି ଉଠନ୍ତି- ଓହୋଃ ! ଏ ସ୍ୱରରେ ପୁଣି ଏତେ ବ୍ୟଥା, ଏତେ ବେଦନା । ଆଉ କିଛି ଭାବି ପାରନ୍ତି ନାହିଁ ।

କିଛିଦିନ ପରେ ସେ ଜାଣିବାକୁ ପାଇଲେ ସେହି ଝିଅଟିର ନାମ ନୀଳିମା । ତା’ ବାପା ଏଇ କଟକ ସହରର କୌଣସି ଗୋଟିଏ ବ୍ୟାଙ୍କରେ ଚାକିରୀ କରନ୍ତି । ଘରେ ବାପାବୋଉଙ୍କୁ ଛାଡ଼ି ତା’ର ସାନ ଭାଇ ଓ ସେ । ନୀଳିମା ବିବାହ କରିଥିଲା । ବିବାହର କିଛିଦିନ ପରେ ତା’ର ସ୍ୱାମୀ ମାରାତ୍ମକ ରୋଗରେ ପଡ଼ିଲେ । ଅବଶ୍ୟ ସେ ପରବର୍ତ୍ତୀକାଳରେ ସୁସ୍ଥ ହୋଇଗଲେ । କିନ୍ତୁ ସେହିଦିନ ଠାରୁ କାହିଁକି କେଜାଣେ ଶାଶୁଘରର ଲୋକେ ତାକୁ ଅଲକ୍ଷଣୀ କହି ନାନା ନିର୍ଯାତନା ଦେଲେ । ଶେଷରେ ଘରୁ ତଡ଼ି ହେଲେ । ସେ ବର୍ତ୍ତମାନ ବାଧ୍ୟ ହୋଇ ବାପାମାଆଙ୍କ ପାଖରେ ରହୁଛି । ନିକଟରେ ଗୋଟିଏ କମ୍ପ୍ୟୁଟର ସଂସ୍ଥାରେ କାମ କରୁଛି । ଶାଶୁ ଶ୍ୱଶୁର ଓ ସ୍ୱାମୀଙ୍କ ନାମରେ ଯୌତୁକଜନିତ ଅପରାଧ ଆଇନ୍ ବଳରେ ବାପା କେସ୍ କରିବେ ବୋଲି ଜିଦ୍ ଧରିଥିଲେ । କେବଳ ନୀଳିମାର ବିନୀତ ଅନୁରୋଧ ରକ୍ଷା କରି ତହିଁରୁ ସେ ନିବୃତ ହୋଇଛନ୍ତି । ସେହିଦିନ ଠାରୁ ବାପା ମଧ୍ୟ ନୀଳିମାକୁ ଭଲ ଦୃଷ୍ଟିରେ ଦେଖନ୍ତି ନାହିଁ । ହେଲେ, ତା’ ବୋଉ ଯୋଗୁଁ ସେ ସେଠାରେ ରହି ପାରିଛି । ଅଶାନ୍ତି ଓ ନିରାନନ୍ଦ ସତେ ଯେପରି ତା’ କପାଳ ଲିଖନ ।

ନୀଳିମାର କଣ୍ଠସ୍ୱର ସହିତ ବହୁ ଦିନ ଧରି ଆକାଶବାବୁ ସୁପରିଚିତ ଥିଲେ ସୁଦ୍ଧା ତାକୁ ସେ କେବେ ଦେଖିବାର ସୁଯୋଗ ପାଇ ନାହାଁନ୍ତି । ମନେ ମନେ ଭାବନ୍ତି ଯାହାର ଗଳାରେ ରହିଛି ଏତେ ମଧୁରତା ସେ ଯେ ନିଶ୍ଚିତ ଭାବରେ ଜଣେ ରୂପଶୀ ଝିଅ ହୋଇଥିବ, ଏଥିରେ ସନ୍ଦେହ କରିବାର କ’ଣ ଅଛି ! ପୁଣି ଚିନ୍ତା କରନ୍ତି ଗୁଣ ସହିତ ଯେ ରୂପର ମେଳ ରହିବ, ଏହା ତ ସବୁ କ୍ଷେତ୍ରରେ ଦେଖାଯାଏ ନାହିଁ । କ୍ୱଚିତ୍ ଦେଖା ଦେଇଥାଏ କେଉଁଠି କେମିତି ! କୋଇଲିର କୁହୁ ସ୍ୱର ସଙ୍ଗେ ତା’ ରୂପରଙ୍ଗ କ’ଣ ତୁଳନୀୟ ହେବ ? ଆକାଶବାବୁଙ୍କ ମନ ଧାଇଁଲା ସେ ଝିଅଟିକୁ ପ୍ରତ୍ୟକ୍ଷରେ ଦେଖିବା ପାଇଁ ।

ଗୋଟିଏ ଶୀତଦିନର ଘଟଣା । ସେଦିନ କୌଣସି ଛୁଟିଦିନ ପଡ଼ିଥାଏ, ଆକାଶବାବୁ ଯାଉଛନ୍ତି ବଜାର ଆଡ଼େ । ନୀଳିମା ରହୁଥିବା ଘରକୁ ଲାଗି ରାସ୍ତାରେ ଦୈବାତ୍ ସେ ଯାଉଛନ୍ତି । କଅଁଳିଆ ଶୀତୁଆ ଖରା ପଡ଼ିଥିବା ଘରର ବାରଣ୍ଡାରେ ଗୋଟିଏ ପାହାଚ ଉପରେ ବସି ତଳପାହାଚରେ ପାଦ ରଖିଛି ନୀଳିମା । ହଠାତ୍ ଦୃଷ୍ଟି ପଡ଼ିଗଲା ଆକାଶବାବୁଙ୍କର । ସେ ଛଳନା କରି ଟିକେ ଅଟକି ଗଲେ ସେଠାରେ । ସେତେବେଳେ ତାଙ୍କ ଆଖି ଆଗରେ ଆଙ୍କି ହୋଇଗଲା ପୃଥିବୀର ରହସ୍ୟମୟୀ ନାରୀ ମୋନାଲିସାର ଛବି । ଲିଓନାଡ଼-ଦା-ଭିଞ୍ଚଙ୍କ ବିଶ୍ୱର ଅଦ୍ୱିତୀୟ ତୈଳଚିତ୍ର, ଯାହାକି ରହସ୍ୟମୟୀ ନାରୀ ଜାତିର ପ୍ରତୀକ । ଏଥିରେ ତାଙ୍କର ମୃଦ୍ୟୁହାସ୍ୟ, ସୁଢ଼ଳ କେଶପାଶ, ଅଙ୍ଗୁଳିର କମନୀୟତା, କଳା ପୋଷାକରେ ଆବୃତ ଅଙ୍ଗ ପରିପାଟୀ ଓ ଉନ୍ନତ ଗ୍ରୀବର ଠାଣି ଥିବାପରି ନୀଳିମାର ଚେହେରାରେ ଥିଲା ଅବିକଳ ସାଦୃଶ୍ୟ । ବିଶ୍ୱ ବିଦିତ ଇଟାଲୀୟ ଚିତ୍ରଶିଳ୍ପୀ ଦା- ଭିଞ୍ଚଙ୍କ ତୈଳଚିତ୍ର ମୋନାଲିସା, ସାରା ପୃଥିବୀରେ ଚହଳ ପକାଇ ଥିଲା । ସେହି କାଳାକୃତିକୁ ନେଇ କିଏ କେତେ କଥା କହନ୍ତି, ତା’ର ଇୟତ୍ତା ନାହିଁ । ଆକାଶବାବୁଙ୍କ ମନ ଓ ହୃଦୟ ବେଳକୁ ବେଳ ଭାବାକୁଳ ହୋଇ ଉଠିଲା । ସେ ଆଗକୁ ଆଉ ପାଦ ନ ପକାଇ ସେହିଠାରୁ ହିଁ ଫେରି ଆସିଲେ ନିଜ ଘରକୁ ।

ଆକାଶବାବୁ ରେଭେନ୍ସା କଲେଜିଏଟ୍ର ଆର୍ଟି ଟିଚର୍ । ସହରରେ ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ହିସାବରେ ତାଙ୍କର ସୁନାମ ରହିଛି । ସେ ମନସ୍ଥ କଲେ ତାଙ୍କ ହୃଦୟ-ମନ-ଆହ୍ଲାଦଦାୟିନୀ ସେଇ ନୀଳିମାର ଗୋଟିଏ ତୈଳଚିତ୍ର ପ୍ରସ୍ତୁତ କରିବେ । ଯାହାକି ହେବ ବିଶ୍ୱର ଦ୍ୱିତୀୟ ମୋନାଲିସା । ସେହି ଦିନ ଠାରୁ କାମ ଆରମ୍ଭ କରିଦେଲେ । କିଛି ଦିନ କାମ ଚାଲିଲା । ସବୁ ଠିକ୍ଠାକ୍ ହୋଇଗଲା । କେବଳ ବାକି ରହିଲା ନୀଳିମା ଅଧରର ସ୍ମିତହାସ୍ୟ । ଚିତ୍ରରେ ଅତି ନିପୁଣତାର ସହିତ ତାହା ଫୁଟାଇବା ପାଇଁ ଆକାଶବାବୁ ଅତି ସତର୍କ ହୋଇ ଯେତେ ଥର ହସ୍ତରେ ତୁଳିକାଧାରଣ ପୂର୍ବକ ଉଦ୍ୟମ କରିଛନ୍ତି, ପ୍ରତିଥର କାହିଁକି କେଜାଣେ ତାଙ୍କ ହାତ ଥରି ଉଠେ । ସେ ବାଧ୍ୟ ହୋଇ ପୁନର୍ବାର ନୀଳିମାକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ମନେ ମନେ ସ୍ଥିର କଲେ ।

ଠିକ୍ ଏହି ସମୟରେ ଘରୁ ଫୋନ୍ ଆସିଲା । ଆକାଶବାବୁ ତରବର ହୋଇ ଗାଁକୁ ପଳାଇ ଗଲେ । ସେଠାରେ ପ୍ରାୟ ଗୋଟିଏ ସପ୍ତାହ ତାଙ୍କୁ ରହିବାକୁ ପଡ଼ିଲା । ତା’ପରେ ସେ କଟକ ଫେରି ଆସିଲେ । ସେଦିନ ସନ୍ଧ୍ୟାବେଳେ ସେ ଘରେ ବସି ଅନୁଭବ କଲେ ସବୁ ଯେପରି ନିରବ ଓ ନିସ୍ପନ୍ଦ । ପଡ଼ିଶାଘରର ସେଇ ଝରକା ଆଡ଼କୁ ଚାହିଁଲେ ବାଷ୍ପାକୁଳ ନେତ୍ରରେ । କାହିଁ, ନୀଳିମାର ସୁମଧୁର କଣ୍ଠସ୍ୱର ମୃଦୁଳ ପବନରେ ଆଉ ତ ଭାସି ଆସୁ ନାହିଁ । ଅଥବା ସେହି ଅଞ୍ଚଳରେ ଗୋଟିଏ ସକରୁଣ ଆଲୋଡ଼ନ ସୃଷ୍ଟି କରୁ ନାହିଁ । କ’ଣ ହେଲା ନୀଳିମାର ? ସେ କ’ଣ ଏଠାରେ ଆଉ ନାହିଁ ? ନାନା ପ୍ରଶ୍ନବାଚୀ ଉଦ୍ରେକ ହେଲା ଆକାଶବାବୁଙ୍କ ମାନସ ପଟ୍ଟରେ, ସେ ଅସ୍ଥିର ହୋଇ ଉଠିଲେ ।

ତହିଁଆରଦିନ ସକାଳୁ ସେ ଶୀଘ୍ର ବାହାରି ପଡ଼ିଲେ ବାହାରକୁ । ନୀଳିମା ରହୁଥିବା ଘର ପାଖରେ ପହଞ୍ଚି ସେଠାରେ କେତେକ ଅପରିଚିତ ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ- ଏଠାରେ ଯେଉଁ ଭଦ୍ରଲୋକ ରହୁଥିଲେ ସେ ଗଲେ କୁଆଡ଼େ । ଉତ୍ତର ପାଇଲେ ସେମାନେ ଗତ ତିନିଦିନ ହେବ ଏ ଘର ବଦଳାଇ ଅନ୍ୟସ୍ଥାନକୁ ଚାଲି ଯାଇଛନ୍ତି । ଆକାଶବାବୁଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା ପରି ଲାଗିଲା । ତାଙ୍କୁ ଚାରିଆଡ଼ ଅନ୍ଧକାର ଦେଖାଗଲା । ସେ ବିଷାଦ ଭରା ମନ ନେଇ ଫେରିଲେ ଘରକୁ । କୌଣସି କଥା ତାଙ୍କୁ ଭଲ ଲାଗିଲା ନାହିଁ । ଭାବିଲେ, ଏତେବଡ଼ ସହରଟାରେ ସେ ସେମାନଙ୍କୁ ଖୋଜିବେ କେତେ, ପାଇବେ ଅବା କେଉଁଠି ? ହତାଶାରେ ମନ ତାଙ୍କର ଭରିଗଲା ।

ଏତିକିବେଳେ ଆକାଶବାବୁଙ୍କ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ କହି ପକାଇଲେ- କ’ଣ ହୋଇଛି ତୁମର ? କାହିଁକି ସେମିତି ପାଗଳଙ୍କ ଭଳି ହେଉଛ ? ଆକାଶବାବୁ ବ୍ୟଥାତୁର ଭଙ୍ଗାଗଳାରେ କହିଲେ- ନା କିଛିନାହିଁ ।

ଲୋକପ୍ରିୟ ଲେଖା

To Top