ଗଳ୍ପ

ଅନାମିକା ପ୍ରିୟତମା

Durga Prasad Pattanaik's Odia Story ANAAMIKAA PRIYATAMAA

ସୁଭେନ୍ଦୁ ଯାଇ ଦେଖେ ତ ଗୋଟାଏ ଝିଅ ଦ୍ରୁତଗତିରେ ମାଡ଼ିଯାଉଛି ଅରଣ୍ୟ ଆଡ଼କୁ । ଲମ୍ୱାବେଣୀରେ ମଲ୍ଲୀଫୁଲର ମାଳ ବେଶ୍ ମାନୁଥାଏ ଝିଅଟିକୁ । ଧଳା ପଞ୍ଜାବୀ ସାଲୁଆର ସାଙ୍ଗକୁ କଳା ଓଢ଼ଣୀ ।

ଅନାମିକା ପ୍ରିୟତମା

ଗାଁ ସ୍କୁଲରେ ଶିକ୍ଷକତା କରୁଥିବା ସୁଭେନ୍ଦୁକୁ ପ୍ରତ୍ୟେକ ଦିନ ଚାରିଟା ପରେ କାର୍ଯ୍ୟରୁ ମୁକ୍ତି ମିଳିବା ମାତ୍ରେ କି, ସେ ଘରର ବିପରୀତ ପାର୍ଶ୍ଵକୁ ନିଜର ମଟର ସାଇକେଲ୍ ମାଧ୍ୟମରେ ଦ୍ରୁତଗତିରେ ମାଡ଼ିଯାଏ ଗାଁ ଶେଷ ଭାଗରେ ଗୋଟାଏ ବଟବୃକ୍ଷ ଆଡ଼କୁ । ସେ ବୃକ୍ଷ ମୂଳରେ ବିଶାଳ ବର୍ଗାକାର ବିଶିଷ୍ଟ ଏକ କଳା ମିଚ୍ ମିଚ୍ ମୁଗୁନି ପଥର ଉପରେ ବସି ପଡ଼େ ଓ ମନେ ଦେଇ ଶୁଣେ ସେ ବଟବୃକ୍ଷରେ ବାସ କରୁଥିବା ସେ ଚଢ଼େଇମାନଙ୍କ କିଚିରି ମିଚିରି ଶବ୍ଦକୁ, ବେଶ୍ କିଛି ସମୟ ସେଠାରେ ବସିବା ପରେ ସେ ଘରକୁ ଫେରେ । ନିରୋଳା ଜାଗା, ଶାନ୍ତି ବାତାବରଣ, ସୁଭେନ୍ଦୁକୁ ବେଶ୍ ଆନନ୍ଦିତ କରିଥାଏ । ସେଇ ବଟବୃକ୍ଷ ମୂଳରେ ସେ ଟିକିଏ ସମୟ କାର୍ଯ୍ୟରତ ଜୀବନର ଫାଙ୍କା ପାଇଲା ମାତ୍ରେ କି ଗୋଟେ ନିଶ୍ୱାସରେ ଯାଇ ପହଞ୍ଚିଯାଏ ସେଠାରେ । ସେ ସ୍ଥାନକୁ ଗ୍ରାମବାସୀମାନଙ୍କର ମୋଟେ ଯାତାୟାତ ନଥାଏ । କହିବାକୁ ଗଲେ ପୁରାପୁରି ନିଛାଟିଆ ପୂର୍ଣ୍ଣ ସେ ବଟବୃକ୍ଷ ମୂଳ, ସେଇ ବଟବୃକ୍ଷରେ କୁଆଡ଼େ ଭୂତର ଆସର ଜମେ । କିନ୍ତୁ ସେମିତି କିଛି ଅନୁଭବ କୌଣସି ଦିନ କରିନଥାଏ ସୁଭେନ୍ଦୁ । ପ୍ରତ୍ୟେକ ଦିନ ସେଠାକୁ ଯାଇ ବସିଥାଏ ଆନନ୍ଦର ସହିତ । ପାଖରେ ଛୋଟ ଏକ ଅରଣ୍ୟ ଥିବାରୁ ସୁଲୁ ସୁଲିଆ ପବନ ଆସି ଦେହରେ ବାଡ଼େଇ ହୋଇଥାଏ ସୁଭେନ୍ଦୁର । ସେଇ ଅରଣ୍ୟଟି ଛୋଟ ଥିଲେ ମଧ୍ୟ ବୃକ୍ଷ ବହୁଳ ଅରଣ୍ୟ । ସାମାନ୍ୟ କିଛି କିଛି ଦୂର ଅତିକ୍ରମ କଲା ପରେ ପଡ଼େ କ୍ଷୁଦ୍ର ଝରଣାଟିଏ । ସୁଭେନ୍ଦୁ ଅନେକଥର ସେଇ ଝରଣା ନିକଟକୁ ଯାଇଛି । ଓ ପାଗଳଙ୍କ ପରି ସେଇ ଝରଣାରେ ଏକା ଏକା ଗାଧୋଇଛି । ଝରଣା ସେ ପାରିରେ ରହିଛି ଶୁଦ୍ର ସାହି, ସମାଜର ସବୁଠାରୁ ନୀଚ୍ଚ ଜାତିରେ ପରିଗଣିତ ହେଉଥିବା ବ୍ୟକ୍ତି ବିଶେଷଙ୍କ ବାସସ୍ଥାନ । ଯେଉଁଟାକି ତଳ ସାହି ବୋଲି କୁହାଯାଏ ଓ ଶୁଦ୍ର ସାହି କହିଲେ ମଧ୍ୟ ଏଠି ସମସ୍ତଙ୍କୁ ଜ୍ଞାତ ହୁଏ । ଗାଁ ମଧ୍ୟରେ ରହିଛି ସେଇ ବଟବୃକ୍ଷ ଓ କ୍ଷୁଦ୍ର ଅରଣ୍ୟ । ଗାଁକୁ ଦୁଇ ଭାଗରେ ବିଭକ୍ତ କରୁଥିବା ସେ କ୍ଷୁଦ୍ର ଝରଣା । ସୁଭେନ୍ଦୁର ଘର ସ୍ଥାନଟିକୁ ଉପର ସାହି କୁହାଯାଏ । ଯେଉଁଠାରେ କି ସମାଜର ଉଚ୍ଚଜାତିର ଲୋକମାନେ ବାସ କରନ୍ତି । ସୁଭେନ୍ଦୁ ଜଣେ ସରକାରୀ ଶିକ୍ଷକତା କରୁଥିବାରୁ, ଯେଉଁ ଦିନ ସରକାରୀ ଛୁଟିଟିଏ ମିଳିଗଲେ, ବାସ୍ ସେଇ ଦିନଟା ସେଇ ବଟବୃକ୍ଷ ମୂଳରେ ହିଁ କଟିଥାଏ । ଘରର ଅନ୍ୟ ସଦସ୍ୟମାନଙ୍କୁ ସେ ଜଣାଏ ନାହିଁ କି ସେ କେଉଁଠାରେ ସମୟ ଅତିବାହିତ କରୁଛି ।

ଏମିତି ଦିନେ ଅତ୍ୟଧିକ ବିରକ୍ତ ମନୋଭାବ ମନରେ ସୃଷ୍ଟି ହେବାରୁ, ସେ ଶ୍ରେଣୀରେ ଛାତ୍ରମାନଙ୍କୁ ପାଠ ପଢ଼ାଇବାରେ ଅସମର୍ଥ୍ୟ ମନେକଲା ନିଜକୁ ଓ ମୁଖ୍ୟଶିକ୍ଷକଙ୍କୁ ଅନୁରୋଧ କରି ଚାଲି ଆସିଲା ଘଣ୍ଟାଏ ପୂର୍ବରୁ ସେଇ ବଟବୃକ୍ଷ ମୂଳରେ ଥିବା ବର୍ଗାକାର ବିଶିଷ୍ଟ କଳା ମିଚ୍ ମିଚ୍ ମୁଗୁନି ପଥର ଉପରେ ବସିପଡ଼ିଲା ଓ ଦିନ ଚାରିଟା ଦୀର୍ଘ ନିଶ୍ୱାସ ତ୍ୟାଗ କରି ଲମ୍ୱିତ ଆକାରରେ ଶୋଇ ପଡ଼ିଲା । ବୃକ୍ଷ ଉପରକୁ ଅନୁଧ୍ୟାନ କରିଲା ଚଢ଼େଇମାନେ ନିଜ ନିଜ ବସାକୁ ଫେରିନଥାନ୍ତି । ଗୋଟାଏ ଦିଟା ଚଢ଼େଇ ଆସି କିଚିରି ମିଚିରି ଶବ୍ଦ କରି ଚାଲି ଥିଲେ । ହେଲେ ଶବ୍ଦରେ ସେତେଟା କମ୍ପିତ କଲାପରି ଟାଣ ନଥିଲା । ସୁଭେନ୍ଦୁ ଏମାନଙ୍କୁ ଚାହିଁ ଚାହିଁ ଆଖିପତା ଦ୍ୱୟ ଧିରେ ଧିରେ ବନ୍ଦ ହେବାକୁ ଲାଗିଲା । ଆଖିପତା ଦ୍ୱୟ ବନ୍ଦ ହେଇଛି ସତ, ହେଲେ ଗୋଟେ ଲୟରେ ସେଇ ଚଢ଼େଇମାନଙ୍କ ଶବ୍ଦ ଶୁଣିବାକୁ ଚେଷ୍ଟା କରୁଥିଲା । ତାଙ୍କ ଭାଷାକୁ ବୁଝିବାକୁ ଚେଷ୍ଟା କରୁଥିଲା । ତା’ ସହିତ ସେଇ ଅରଣ୍ୟ ମଧ୍ୟରୁ ସୁଲୁସୁଲୁ ହୋଇ ଯେଉଁ ଶୀତଳ ପବନ ଦେହରେ ବାଜୁଥାଏ ତାକୁ ମଧ୍ୟ ଅନୁଭବ କରୁଥାଏ । ହଠାତ୍ ସୁଭେନ୍ଦୁ କାନରେ ଛମ୍ ଛମ୍ ହୋଇ ପାଉଁଜିର ଶବ୍ଦ ଆସି ଗୁଞ୍ଜୁରି ହୁଏ । ସତେ କି ଯେମିତି କୌଣସି ସୁନ୍ଦରୀ ନର୍ତ୍ତକୀ ପାଖକୁ ଆସୁଛି ନୃତ୍ୟ ପରିବେଷଣ କରିବା ଉଦ୍ଦେଶ୍ୟରେ । ଠିକ୍ ସେତିକିବେଳେ ମନେ ପଡ଼ିଯାଏ ଗ୍ରାମବାସୀମାନଙ୍କ ସେଇ ଅନ୍ଧବିଶ୍ୱାସ କଥା । ତାଙ୍କ କହିବା ଅନୁଯାୟୀ ସେ ବଟବୃକ୍ଷରେ କାଳେ ଭୂତପ୍ରେତର ଆସର ଜମେ । ଏଇ ସେ ଭୂତର ପାଉଁଜି ଶବ୍ଦ ନୁହେଁ ତ ? ସେ ମୋ ପାଖକୁ ଧିରେ ଧିରେ ଅଗ୍ରସର ହେଉ ନାହିଁ ତ ? ଏମିତି ଭାବନା ସବୁ ଜାତ ହୋଇଥାଏ ସୁଭେନ୍ଦୁର ମନରେ ଓ ସେ ଭୟଭୀତ ହୋଇପଡ଼େ । ହେଲେ ସେ ମନ ବଳ ଦୃଢ଼ କରି ସେ ଭୟଭୀତ ଭାବନାରୁ ବାହାରି ଆସେ ଓ ସାହାସିକତାର ସହ ଉଠିପଡ଼େ ଏବଂ ଶବ୍ଦ ଆସୁଥିବା ଦିଗକୁ ମାଡ଼ିଯାଏ । ସେଇ ପାଉଁଜିର ଶବ୍ଦ ବଢ଼ିବାରେ ଲାଗେ । ସୁଭେନ୍ଦୁ ଯାଇ ଦେଖେ ତ ଗୋଟାଏ ଝିଅ ଦ୍ରୁତଗତିରେ ମାଡ଼ିଯାଉଛି ଅରଣ୍ୟ ଆଡ଼କୁ । ଲମ୍ୱାବେଣୀରେ ମଲ୍ଲୀଫୁଲର ମାଳ ବେଶ୍ ମାନୁଥାଏ ଝିଅଟିକୁ । ଧଳା ପଞ୍ଜାବୀ ସାଲୁଆର ସାଙ୍ଗକୁ କଳା ଓଢ଼ଣୀ । ଓଢ଼ଣୀଟି ପବନ ଆହୁଲା ମାଡ଼ରେ କାଳେ ଖସି ପଡ଼ିବ ଜାବୁଡ଼ି ଧରିଥାଏ ଗୋଟିଏ ହାତରେ ଓଢ଼ଣୀଟି ଓ ଦ୍ରୁତଗତିରେ ମାଡ଼ି ଯାଉଥାଏ ଅରଣ୍ୟ ଆଡ଼କୁ । ଏହା ଦେଖି ଶୁଭେନ୍ଦୁ ସେଇ ପିଲାବେଳେ ଜେଜେଙ୍କ ଠାରୁ ଶୁଣି ଆସୁଥିବା ଭୂତ କାହାଣୀର କଥା ମନେ ପଡ଼ିଯାଏ । ଜେଜେ ପିଲାଦିନେ ଦାଣ୍ଡପିଣ୍ଢାରେ ବସାଇ ସନ୍ଧ୍ୟା ସମୟରେ କେମିତି ଭଳିକି ଭଳି ଭୂତ କାହାଣୀ ଶୁଣାଉଥାନ୍ତି । କାହାଣୀ ଶୁଣାଇଲା ସମୟରେ ଜେଜେଙ୍କ ପାନଖିଆ ପାଟିରୁ, ପାନଛେପ ପାଟି କୋଣ ହୋଇ ଖସୁଥିବ । କେତେବେଳେ କେମିତି ପାନ ଛେପର ଛିଟିକା ମାରୁଥିବ ମୁହଁ ସାରା । ହେଲେ ମଧ୍ୟ ଧ୍ୟାନ ମଗ୍ନ ହୋଇ ଶୁଣୁଥାଏ ମୁଁ । ଜେଜେଙ୍କ ସେ ଭୂତ କାହାଣୀ ଶୁଣାଇଲା ସମୟରେ ବିଭିନ୍ନ ପ୍ରକାରର ଅଭିନୟ ମୁଖମଣ୍ଡଳକୁ ସଜେଇ ଥାନ୍ତି । ଏଇ ଯେମିତି କୋରଡ଼ ଭିତରୁ ଆଖି ଯୋଡ଼ାକୁ କାଢ଼ି ଏମିତି ବିକୃତ ଭଙ୍ଗୀରେ ସଜେଇ ଥାନ୍ତି, ସତେ ଯେମିତି ତାଙ୍କ ସମ୍ମୁଖରେ ସେ କାହାଣୀର ଭୂତ ବସିଛି ମନେହୁଏ । ଛାତି ଭୟରେ କମ୍ପି ଯାଉଥାଏ, ଲୋମ ଟାଙ୍କୁରି ଉଠେ । ଭୟଭୀତ ଭଙ୍ଗୀରେ ଚାହିଁଥାଏ ଜେଜେଙ୍କୁ ଓ ତାଙ୍କର ସେଇ ଅଭିନୟକୁ ଅନୁଭବ କରୁଥାଏ । ଜେଜେ ସବୁ ଭୂତ କାହାଣୀରେ କହନ୍ତି, ଭୂତ ପ୍ରାୟତଃ ପଛପଟରୁ ଦେଖାଯାଏ । ଜେଜେଙ୍କ ଏହି ଭୂତ କାହାଣୀ ସେତେବେଳେ ମନେ ପଡ଼ି ଯାଉଥିବାରୁ ସୁଭେନ୍ଦୁ ସେଇ ଝିଅକୁ ପଛପଟୁ ଦେଖି ତା’ ମନକୁ ପ୍ରଶ୍ନ କରେ । ଏ ଝିଅଟି ମତେ ପଛପଟୁ ଦୃଷ୍ଟିପାତ ହେଉଛି ମାନେ ଇଏ କ’ଣ ଭୂତ ? ନା ମଣିଷ ? ନା ନା ଇଏ ନିଶ୍ଚୟ ଭୂତ ହୋଇଥିବ । ଭୂତ ନ ହୋଇଥିଲେ ଏତେ ଦ୍ରୁତଗତିରେ ସେ ଅରଣ୍ୟ ଆଡ଼କୁ କାହିଁକି ମାଡ଼ି ଯାଆନ୍ତା ? ଇଏ ନିଶ୍ଚୟ ଭୂତ । ମନେ ମନେ ନିଜେ ନିଜକୁ ପ୍ରଶ୍ନ କଲି ଓ ନିଜେ ଉତ୍ତର ଦେଲି ଏବଂ ଭୟଭୀତ ହୋଇଯାଉଥାଏ । ପୁଣି ମନ ଭିତରୁ ଅନ୍ତର ଆତ୍ମା ପ୍ରଶ୍ନ କରେ, କିରେ ସୁଭେନ୍ଦୁ ତୁ ଆଜି କାଲିକା ବିଜ୍ଞାନ ଯୁଗର ଗୋଟାଏ ଶିକ୍ଷିତ ପିଲା ହୋଇ ଏଇ ଭୂତ ପ୍ରେତକୁ ବିଶ୍ୱାସ କରୁଛୁ । ତୁ ଭୁଲି ଯାଆନି ତୁ ଜଣେ ଶିକ୍ଷକ । ପିଲାଙ୍କୁ ଶିକ୍ଷାଦାନ ଦେବା ତୋର ବୃତ୍ତି । ତା’ହେଲେ ତୁ କ’ଣ ଏହି ଅନ୍ଧବିଶ୍ୱାସର ଶିକ୍ଷା ପ୍ରଦାନ କରିବୁ । ଏମିତି ବିଭିନ୍ନ ପ୍ରଶ୍ନ ଉପରେ ପ୍ରଶ୍ନ କରେ ଅନ୍ତର ଆତ୍ମା । ସୁଭେନ୍ଦୁ ନିଜ ଅନ୍ତରଆତ୍ମାର ପ୍ରଶ୍ନ ଉପରେ ପ୍ରଶ୍ନର ପ୍ରହାରରେ ଜେଜେଙ୍କ ସେଇ ଭୂତ କାହାଣୀ ଓ ଗ୍ରାମବାସୀଙ୍କ ମନରେ ଥିବା ଏହି ବଟବୃକ୍ଷ ପ୍ରତି ଧାରଣା ସମ୍ପୂର୍ଣ୍ଣ ଭାବରେ ମନରୁ ପୋଛି ଦେଇ ସେ ଏହି ସିଦ୍ଧାନ୍ତ ନିଏ ଯେ, ଭୂତ ପ୍ରେତ ଏଇ ଦୁନିଆଁରେ ନାହାନ୍ତି । ସେସବୁ ଗୋଟେ ଅନ୍ଧବିଶ୍ୱାସ, ତାତ୍ସଲ୍ୟ ବ୍ୟତୀତ ଆଉ କିଛି ହୋଇ ନପାରେ । ତେଣୁ କରି ଏବେ କିଛି ସମୟ ପୂର୍ବରୁ ଏଠୁ ଦ୍ରୁତଗତିରେ ପଳାଉଥିବା ଝିଅଟି ଭୂତ ନୁହେଁ । ଯଦି ଝିଅଟି ଭୂତ ନୁହେଁ ତାହାହେଲେ ଏଠି ସେ କ’ଣ କରୁଥିଲା ? ମତେ ସିନା ନିରୋଳା ଜାଗାରେ ସମୟ ଅତିବାହିତ କରିବା ପାଇଁ ଭଲ ଲାଗେ ବୋଲି ମୁଁ ବଟବୃକ୍ଷ ମୂଳକୁ ଚାଲି ଆସେ । ହେଲେ ଝିଅଟି ଏଠିକି କାହିଁକି ଆସିଥିଲା ? କ’ଣ କାମ ଥିଲା ? ତାକୁ ମଧ୍ୟ ମୋ ପରି ଏମିତି ନିରୋଳା ସ୍ଥାନ ଭଲ ଲାଗେ । ଏମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ସୁଭେନ୍ଦୁ ମନ ଭିତରେ ଏବଂ ସବୁ ପ୍ରଶ୍ନର ଉତ୍ତ ନିଶ୍ଚୟ ଖୋଜି କାଢ଼ିବାର ନିଷ୍ପତ୍ତି ନିଏ ସୁଭେନ୍ଦୁ । ଏହା ମଧ୍ୟରେ ସୂର୍ଯ୍ୟଅସ୍ତ ହୋଇ ସାରିଥାଏ । ସଞ୍ଜ ନଇଁ ଆସିଥାଏ ଓ ଚଢ଼େଇମାନେ ନିଜ ନିଜ ବସାକୁ ଫେରି ସାରିଥାନ୍ତି । ତାଙ୍କର କିଚିରି ମିଚିରି ଶବ୍ଦରେ ସୁଭେନ୍ଦୁକୁ କହି ଚାଲିଥାନ୍ତି । ସୁଭେନ୍ଦୁ ସନ୍ଧ୍ୟା ହେଲାଣି ତୁ ଏଥର ଘରକୁ ଫେରି ଯା’ । କାହିଁକି ନା ତାଙ୍କ ଗହଣରେ ରହି ରହି ସୁଭେନ୍ଦୁ ସବୁ କିଚିରି ମିଚିରି ଶବ୍ଦରୁ ସେସବୁ ପରିଭାଷାକୁ ବୁଝିପାରୁଥାଏ । ଏଥର ସୁଭେନ୍ଦୁ ଘରକୁ ଫେରିଛି ।

ଆଖି ଆଗରେ ସେଇ ବଟବୃକ୍ଷ ମୂଳର ଦୃଶ୍ୟମାନ ନାଚି ଯାଉଛି ସତେକି ଯେମିତି ସେଇ ଝିଅଟି ଆଖିଆଗରେ ଦ୍ରୁତଗତିରେ ଦୌଡ଼ିବାରେ ଲାଗିଛି । ଏମିତି କି ରାତିରେ ଶୋଇଥିବା ସମୟ ବିଛଣାରେ କଡ଼ ଯେତେ ଲେଉଟାଇଲେ ମଧ୍ୟ ନିଦ ଆସୁନି ସୁଭେନ୍ଦୁକୁ । ସାରା ରାତି ସେଇ ଝିଅଟି ଦ୍ରୁତଗତିରେ ମାଡ଼ି ଯାଉଥିବା ଅରଣ୍ୟପଟୁ ଦୃଶ୍ୟଟି ଆଖି ଆଗରେ ଝଲସି ଯାଉଥାଏ । ମନ ଭିତରେ ସେଇ ଝିଅଟି କିଏ ? ତା’ର ବଟବୃକ୍ଷ ମୂଳରେ କ’ଣ କାମ ଥିଲା ? ତା’ର ଉଦ୍ଦେଶ୍ୟ କ’ଣ ଥିଲା । ସେ କାହିଁକି ଏତେ ଦ୍ରୁତଗତିରେ ଅରଣ୍ୟ ପଟକୁ ମାଡ଼ିଯାଉ ଥିଲା ? ସେ କ’ଣ ତଳ ସାହିର ଝିଅ ? ଯଦି ତଳ ସାହିର ଝିଅ ତାହା ହେଲେ ଏମିତି ନିରୋଳା ଜାଗାକୁ କାହିଁକି ଆସିଥିଲା ? ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ମନରେ । ପୁଣି ମଝିରେ ମଝିରେ ହଁ ଏଇଟା ଗୋଟେ କି କଥା ଯେ ମୁଁ ଏତେ ଚିନ୍ତା କରୁଛି । ଆଜି ନ ହେଲେ କାଲି ତ ନିଶ୍ଚୟ ଜାଣିବାକୁ ପାଇବି ନା ସେ ଝିଅଟି କିଏ ? କାହିଁକି ଆସିଥିଲା ? ହଉ ଏଥର ରାତି ଅନେକ ହେଲାଣି, ଶୋଇ ପଡ଼ିବା କହି ମନକୁ ମନ ସାନ୍ତ୍ୱନା ଦେଇଥାଏ, କିନ୍ତୁ ରାତିସାରା ମୋଟେ ନିଦ ଆସୁ ନଥାଏ ତା ଆଖିକୁ ।

ସକାଳ ହୁଏ, ବଡ଼ ଭାଉଜ ଚା’ କପଟେ ନେଇ ଆସନ୍ତି ପାଖକୁ ଓ କୁହନ୍ତି ଥଟ୍ଟାରେ କ’ଣ ବାବୁଙ୍କ ନିଦ ଭାଙ୍ଗିନି କି ଏ ଯାଏ ? ହଁ . . . ରାତିରେ କାହା କଥା ଭାବି ବୋଧେ ନିଦ ଆସି ନଥିବ । ଶୋଉ ଶୋଉ ବୋଧେ ଲେଟ୍ ହେଇ ଯାଇଥିବ ନୁହେଁ ସୁଭେନ୍ଦୁ । ଭାଉଜଙ୍କ କଥା ଶୁଣି ମୁଁ କ’ଣ ସାରାରାତି ଶୋଇଛି ନା କ’ଣ ଭାଉଜ, ମୁଁ ପରା ସାରାରାତି ସେଇ ଝିଅଟିର ଭାବନାରେ ହିଁ କଟେଇ ଦେଇଛି, ମନେ ମନେ କହୁଥିଲି । ଅଳ୍ପ ହସି ଦେଇ କୁହେ, “ନାଇଁ ମ ଭାଉଜ ସେମିତି କିଛି ନୁହେଁ”, “ତା’ହେଲେ ଆଖି ଦୁଇଟା କାହିଁକି ନାଲି ପଡ଼ି ଯାଇଛି ମୁଁ ଶୁଣେ” ଭାଉଜ କୁହନ୍ତି । ମୁଁ କୁହେ “ନାଇଁ ମ, ଭାଉଜ ଆଖିରେ ସକାଳୁ ସକାଳୁ ଧୂଳି ପଡ଼ିଗଲା ତ ସେଥିପାଇଁ ।” ଭାଉଜ ଟିକିଏ ହସି ଦେଇ କୁହନ୍ତି, “ହଉ ହଉ ଚା’ଟା ଥଣ୍ଡା ହୋଇଯାଉଛି ପିଇ ଦିଅ । କ’ଣ ଏଇ ଭାଉଜ ହାତରୁ ସବୁଦିନେ ଏମିତି ଚା’ ପିଉଥିବ ନା କ’ଣ ? ଗୋଟେ ସୁନ୍ଦରୀ ସ୍ତ୍ରୀ ବିବାହ କରି ତା’ ହାତରୁ ଚା’ କେବେ ଠାରୁ ପିଇବା ଆରମ୍ଭ କରିବ ?” ଭାଉଜ ପ୍ରଶ୍ନ କରନ୍ତି । ହସି ଦିଏ ସୁଭେନ୍ଦୁ ଭାଉଜଙ୍କ ପ୍ରଶ୍ନ ଶୁଣି । ମଝିଆ ଭାଉଜ ପାଟି କରନ୍ତି, ସୁଭେନ୍ଦୁ ତମ ଗାଧୋଇବା ପାଇଁ ପାଣି ଗରମ କରି ଦେଇଛି ସଅଳ ଗାଧେଇ ପକାଅ ଆଜି ସୋମବାର ମନ୍ଦିର ଯିବନି କି ? ଏତକ ଶୁଣୁ ଶୁଣୁ ସୁଭେନ୍ଦୁ ଚଟାପଟ୍ ଉଠିପଡ଼େ ଓ ବଡ଼ ଭାଉଜଙ୍କ ହାତରେ ଚା’ କପଟି ଧରେଇ ଦେଇ ଓ ଗାଧେଇ ସାରି ପହଞ୍ଚି ଯାଏ ଗାଁ ଶିବମନ୍ଦିରରେ । ସେଠି ମହାପ୍ରଭୁଙ୍କୁ ଭକ୍ତିର ସହ ପ୍ରାର୍ଥନା କରି ମନର କଥା ସବୁ ଗୋଟି ଗୋଟି କରି କହିଥାଏ । ସେତେବେଳକୁ ସମୟ ଆସିଯାଇଥାଏ ସ୍କୁଲ୍ ଯିବା ପାଇଁ । ତେଣୁ ଚଟାପଟ୍ ଘରକୁ ଆସି କ’ଣ ଦି’ଟା ଖାଇ ବାହାରି ପଡ଼େ ସ୍କୁଲ୍ । ରାତ୍ରି ଅନିଦ୍ରା ହେତୁ ଦେହଟା କେମିତି ଖସ୍‌ଖସିଆ ଲାଗୁଥାଏ । ସ୍କୁଲ୍ ଯିବା ପାଇଁ ମୋଟେ ଇଚ୍ଛା ହେଉନଥାଏ । ହେଲେ କ’ଣ କରିବ ନିଜର କର୍ତ୍ତବ୍ୟରେ କେମିତି ଅବା ଅବହେଳା କରିବ । ତେଣୁ ବାଧ୍ୟ ହୋଇ ସ୍କୁଲ୍ ଯାଏ । ସ୍କୁଲ୍‌ରେ ପାଠପଢ଼ା ଚାଲିଥାଏ । ଠିକ୍ ପ୍ରାୟ ଏଗାରଟା ସମୟରେ ଦଳେ ରାଜନୈତିକ ଦଳର କିଛି ବ୍ୟକ୍ତି ବିଶିଷ୍ଟମାନେ ଆସି ମୁଖ୍ୟ ଶିକ୍ଷକଙ୍କୁ ସ୍କୁଲ୍ ବନ୍ଦ କରିବା ପାଇଁ କହିଥାନ୍ତି । ତାଙ୍କ ଦଳର କୌଣସି ଦାବି ନେଇ ସେହି ଦିନ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ । ସ୍କୁଲ୍ ମୁଖ୍ୟ ପରିଚାଳକ ଶେଷରେ ସ୍କୁଲ୍ ବନ୍ଦ କରିବା ପାଇଁ ବାଧ୍ୟ ହୋଇଥିଲେ । ସ୍କଲ୍ ବନ୍ଦ ହେବା ପରେ ସୁଭେନ୍ଦୁ ପ୍ରବଳ ଆନନ୍ଦିତ ହୋଇଗଲା । ତା’ ଦେହରୁ ଅନିଦ୍ରା ଜନିତ ଯେତକ ଦୁର୍ବଳ ଥିଲା ସେତକ କୁଆଡ଼େ ଉଭେଇଗଲା । ସଙ୍ଗେ ସଙ୍ଗେ, ମଟର ସାଇକେଲ୍ ଧରି ଦ୍ରୁତଗତିରେ ମାଡ଼ିଚାଲିଲା ସେଇ ଶୁନ୍‌ଶାନ୍ ବଟବୃକ୍ଷ ମୂଳକୁ । ସେଠାରେ ସେଇ କଳା ମିଚ୍‌ମିଚ୍‌ ବର୍ଗାକାର ମୁଗୁନି ପଥର ଉପରେ ଚକା ମାରି ବସି ପଡ଼ିଲା ଓ ନିଜର ଚାରି ପାର୍ଶ୍ଵରେ ଆଖି ବୁଲେଇ ଆଣିଲା, କେହି କୁଆଡ଼େ ଦୃଷ୍ଟିମାନ ହେଉ ନାହାନ୍ତି । ଗଛ ଉପରେ ବି ମଧ୍ୟ କୌଣସି ପକ୍ଷୀ ନାହାନ୍ତି, ସମସ୍ତେ ନିଜ ନିଜ ଖାଦ୍ୟ ସଂଗ୍ରହ କରିବା ପାଇଁ ଚାଲିଯାଇଛନ୍ତି । କିଛି ସମୟ ନିରବ ବସିଲା ପରେ ମନେ ପଡ଼ିଯାଏ ବଡ଼ଭାଉଜଙ୍କ ସକାଳର କଥା ଓ ସ୍କୁଲ୍‌ରେ କେତେଜଣ ଛାତ୍ରଛାତ୍ରୀଙ୍କ କଥା । ଉଭୟଙ୍କ କଥା ଥିଲା ସମାନ ଉଭୟ କହିବା ଅନୁସାରେ କୁଆଡ଼େ ତା’ ଆଖି ନାଲି ପଡ଼ିଯାଇଛି । ତେଣୁ ସଙ୍ଗେ ସଙ୍ଗେ ତା’ ପକେଟ୍‌ରୁ ନିଜ ମୋବାଇଲ୍ କାଢ଼ି ସାମ୍ନା କ୍ୟାମେରା ଅନ୍ କରି ନିଜ ମୁଖ ମଣ୍ଡଳକୁ ପ୍ରଥମେ ଦେଖିଛି ଓ ପରେ ଆଖି ଆଡ଼କୁ ଦୃଷ୍ଟି ଦେଇଛି ଦେଖିଛି ସତରେ ଆଖି ଦ୍ୱୟ ନାଲି ପଡ଼ିଛି । ଏମିତି ନିଜ ମୋବାଇଲ୍‌ର ସାମ୍ନା କ୍ୟାମେରା ଖୋଲି ନିଜ ମୁଖ ମଣ୍ଡଳ ଓ ଆଖିକୁ ଦୃଷ୍ଟି ପକାଏ ହଠାତ୍ ତା’ ପଛପଟେ ସେଇ ବଟବୃକ୍ଷର ଗଣ୍ଡି ପଛପଟୁ ଗୋଟେ ସୁନ୍ଦରୀ ଝିଅ ଛପି ଛପି ତା’ ଆଡ଼କୁ ଚାହିଁଲା ପରି ଦୃଶ୍ୟ ମୋବାଇଲ୍‌ରେ ଦେଖାଯାଏ, ଇଏ କ’ଣ ? ଶେଷକୁ ମୋବାଇଲ୍‌ର ପରଦା ଉପରେ ମଧ୍ୟ ମତେ ଝିଅ ଦେଖାଗଲାଣି । ମନକୁ ମନ ପଚାରେ ପୁଣି ଭଲ ଭାବରେ ଦେଖିବାକୁ ଚେଷ୍ଟା କରେ ନା ନା ଇଏ ଗୋଟେ ସୁନ୍ଦରୀ ଝିଅ, ଇଏ ନିଶ୍ଚୟ ଭାବରେ ସେଇ ଝିଅ । ହେଲେ ଆଶ୍ଚର୍ଯ୍ୟର କଥା । ସେ ମୋ ଆଡ଼କୁ ମଝିରେ ମଝିରେ ଚାହୁଁଛି । ପୁଣି କ’ଣ ଅସୁବିଧା ହେଉଛି କେଜାଣି ଛପି ଯାଉଛି ସେ ବଟବୃକ୍ଷର ବିଶାଳକାୟ ଗଣ୍ଡି ପଛରେ । ଏ ନିଶ୍ଚୟ ମତେ ହିଁ ଦେଖୁଛି ।

– ତା’ପରେ –

ଲୋକପ୍ରିୟ ଲେଖା

To Top