ଗଳ୍ପ

ଅନନ୍ୟ ଯୌତୁକ

Manorama Mishra's odia Story Ananya Joutuka

ଏତେ ବଡ଼ ଜାଗା ଏମିତି ଖାଲି ପଡ଼ିଲା । ହେଲେ ଖାଲି ଝୁରିବା ଛଡ଼ା ଆଉ ଉପାୟ ବା କ’ଣ ?

ଅନନ୍ୟ ଯୌତୁକ

ଆଶୁତୋଷ ମହାପାତ୍ରଙ୍କର ରାଜଧାନୀରେ ସୁଦୃଶ୍ୟ ଏକ ଦ୍ୱିତଳ ପ୍ରାସାଦ । ପ୍ରାସାଦ ଆଗରେ ଥିବା ଜାଗାଟା ଖୁବ୍ ବଡ଼ । ସେଥିରେ ପାଚେରି ଘେରା ହୋଇ ଲୁହା ଗେଟ୍ ଲାଗିଛି । କିନ୍ତୁ ଚେନାଏ ମାଟି ତା’ ଭିତରେ ନାହିଁ । ସବୁ ଟାଇଲ ପଡ଼ି ସଫା ସୁତୁରା । ବନ ବିଭାଗର ଅବସର ପ୍ରାପ୍ତ ଅଫିସର୍ ମହାପାତ୍ର ବାବୁ । ସ୍ତ୍ରୀ ତାଙ୍କର ତମସା । ଦୁହିଁଙ୍କର ନାକଟେକା କଥା ଛିଃ, ଛିଃ, ମାଟି, ଗଛ ଏସବୁ ଯାବତୀୟ ଅଳିଆ ଅସନାର ହେତୁ । କିନ୍ତୁ ଦୁହିଁଙ୍କର ସବୁଜ ଶ୍ୟାମଳ ବୃକ୍ଷଲତା ପ୍ରୀତି ବାରି ହୋଇପଡ଼େ ତାଙ୍କ ଘର କ୍ୟାଲେଣ୍ଡରରୁ, ସ୍କ୍ରିନ୍‌ରୁ, ଚିନାମାଟିର ବଡ଼ ବଡ଼ ବୃକ୍ଷଲତାର ଚିତ୍ର ବାଉଲ୍ ଏବଂ ପ୍ଲେଟ୍‌ରୁ । କେଉଁଥିରେ ଶ୍ୟାମଳ ବୃକ୍ଷଲତାର ଚିତ୍ର ତ କେଉଁଥିରେ ଘଞ୍ଚ ସବୁଜ ବନାନୀର ଛବି । ସମୟକ୍ରମେ ଜଣାପଡ଼ିଥିଲା ଏସବୁ । ମହାପାତ୍ର ବାବୁଙ୍କର ଅବସରକାଳୀନ ବନ୍ଧୁମାନଙ୍କ ପ୍ରଦତ୍ତ ଉପହାର ।

ଏବେ ସେମାନଙ୍କ ଏକମାତ୍ର ପୁତ୍ର ଆକାଶର ବିବାହ ସ୍ଥିର ହୋଇଛି ରାଜଧାନୀ ନିକଟସ୍ଥ ଏକ ପ୍ରଖ୍ୟାତ ଗ୍ରାମର ବାସିନ୍ଦା ଭର୍ତ୍ତୃହରି ମିଶ୍ରଙ୍କ ଝିଅ ବନାନୀ ସହିତ । ଅବଶ୍ୟ ପୁତ୍ର ନିଜେ କନ୍ୟା ନିର୍ବାଚନ କରିଛି । ବାଙ୍ଗାଲୋର୍‌ରେ ତାରି କମ୍ପାନିରେ ସେ କାମ କରୁଛି । ଦୁଇପକ୍ଷ ଅରାଜି ହେବାର କିଛି କାରଣ ନଥିଲା । ପୁଅର ବାପା, ମା’ ବେଶି ଖୁସି ଝିଅର “ବନାନୀ” ନାଁଟିକୁ ନେଇ । କାରଣ ତାଙ୍କ ଭଳି ବାସ୍ତବରେ ନ ହେଲେ ବି ମନରେ ଥିବା ଜଙ୍ଗଲ ପ୍ରୀତିକୁ ଖାପ୍ ଖାଇଲା ଭଳି ବୋହୂ ନାଁଟା ହୋଇଛି । ଏହାକୁ କୁହନ୍ତି ଅପୂର୍ବ ଯୋଗାଯୋଗ । ତେବେ ଭର୍ତ୍ତୃହରି ମିଶ୍ରଙ୍କ ପରିବାର ଜ୍ୱାଇଁଙ୍କର ରାଜଧାନୀ ନିବାସ ଦେଖି ଯାଇ ସାରିଲା ପରେ ମହାପାତ୍ରବାବୁ ସସ୍ତୀକ ଗଲେ ବୋହୂ ଘରକୁ । ଅବଶ୍ୟ ପାତ୍ରପାତ୍ରୀଙ୍କର ଏଥିରେ କିଛି ଭୂମିକା ନଥିଲା । ସେ ଦୁହେଁ ବାଙ୍ଗାଲୋର୍‌ରେ । ଇଏ ଖାଲି ସମ୍ପର୍କକୁ ଆଗେଇ ନେବାର ଗୋଟେ ଔପଚାରିକତା ।

ଭର୍ତ୍ତୃହରି ମିଶ୍ରଙ୍କ ଗାଁ ଏମିତି କିଛି ଅନୁନ୍ନତ ଅଞ୍ଚଳ ନୁହେଁ । ରାଜଧାନୀ ପାଖାପାଖି, ପୁଣି ଜଗନ୍ନାଥ ସଡ଼କରୁ ମାତ୍ର ଦେଢ଼ କିଲୋମିଟର ଦୂର । ସେ ମଧ୍ୟ ଭୁବନେଶ୍ୱର ସଚିବାଳୟରୁ ଏକ ଉଚ୍ଚପଦରୁ ଅବ୍ୟାହତି ନେଇଛନ୍ତି । କିନ୍ତୁ ସେ ତାଙ୍କ ଗାଁରୁ ପ୍ରତିଦିନ ଯିବା ଆସିବା କରି ଚାକିରୀ ବଜାୟ ରଖିଥିଲେ । ସୁତରାଂ ଖାନଦାନୀ ଘର । ବନ୍ଧୁଙ୍କୁ ଅପେକ୍ଷା କରି ଦାଣ୍ଡରେ ଠିଆ ହୋଇଥିଲେ । କାର୍‌ରୁ ଓହ୍ଲାଇଲା ମାତ୍ରେ ପାଛୋଟି ନେଲେ । ତାଙ୍କ ଘର ବି କିଛି କମ୍ ନୁହେଁ । ମହାପାତ୍ର ବାବୁଙ୍କ ପରି ସୌଖୀନ୍ ନ ହେଲେ ବି ସୁଦୃଢ଼ କୋଠା, ସେମିତି ଆଗପଟ ଓ କଡ଼ରେ ବିରାଟ ଜାଗା । ପାଚେରୀ ନ ହେଲେ ବି ତାରଜାଲି ଘେରା । କିନ୍ତୁ ମିଶ୍ର ପରିବାର ମାଟିକୁ ଅନାଦର କରିନାହାନ୍ତି । ନାନାଦି ବୃକ୍ଷ ଶୋଭିତ ସୁଦୃଶ୍ୟ ବଗିଚାଟି ଦେଖି କେହି ଅସ୍ୱୀକାର କରିବନି ସେମାନଙ୍କ ବୃକ୍ଷଲତା ପ୍ରୀତିକୁ । ସବୁଠୁ ମଜାର କଥା ମାଟି ଓ ଗଛଲତାକୁ ଯାବତୀୟ ଅସନାର ହେତୁ ଭାବୁଥିବା ମହାପାତ୍ର ଦମ୍ପତି ଖୁବ୍ ଉତ୍‌ଫୁଲ ହୋଇ ଉଠିଲେ ବଗିଚାଟି ଦେଖି । ତମସା ତ ତାଙ୍କ ଘରେ ବସୁ ବସୁ ବଗିଚାର ପ୍ରଶଂସାରେ ମୁଖର ହୋଇ ଉଠିଲେ । ଆଶୁତୋଷ ବାବୁ ବି କିଛି କମ୍ ପ୍ରଶଂସା କଲେନି ।

ଅତିଥି ଚର୍ଚ୍ଚା ପରେ ଭର୍ତ୍ତୃହରିବାବୁ ଯୌତୁକ କଥା ଉଠାଇଲେ । ଆଶୁତୋଷବାବୁ ହାଁ ହାଁ କହି ବାରଣ କଲେ କହିଲେ କିଛିମାନେ କିଛି ଦେବେନି । ଆମ ପୁଅ ଜନ୍ମ ହେଲାବେଳଠୁ ଆମେ ଯୌତୁକ ନ ନେବାକୁ ସିଦ୍ଧାନ୍ତ ନେଇଛୁ ।

ତମସା କିନ୍ତୁ ହସି ହସି ଭର୍ତ୍ତୃହରିବାବୁଙ୍କ ପତ୍ନୀ ସ୍ନେହପ୍ରଭାଙ୍କ ପାପୁଲି ଚାପିଧରି ବଡ଼ ଥଟ୍ଟାମଜାର ସ୍ୱରରେ ପ୍ରିୟବାନ୍ଧବୀ ଭଳି କହିଲେ, “ବୁଝିଲେ ! ବନାନୀକୁ ତ ନେବୁ । ଯଦି ନେଇ ହୁଅନ୍ତା ଆପଣଙ୍କର ଏ ସବୁଜିମା ଭରା ବଗିଚାଟିକୁ ଯୌତୁକ ସୂତ୍ରରେ ନେଇ ଯାଇଥାଆନ୍ତୁ ।” ହୋ’ ହୋ’ ହସରେ ବନ୍ଧୁ ମିଳନ ପର୍ବ ସରିଲା । ନିର୍ଦ୍ଦିଷ୍ଟ ଦିନ ଧୁମ୍‌ଧାମ୍‌ରେ ବିବାହ ପର୍ବ ମଧ୍ୟ ସରିଲା । ସର୍ତ୍ତ ଅନୁସାରେ ବିନା ଯୌତୁକରେ ଝିଅ ଜ୍ୱାଇଁଙ୍କୁ ବିଦା କଲେ ମିଶ୍ର ପରିବାର । ହେଲେ ସମୁଦୁଣୀଙ୍କର ସେହି ଥଟ୍ଟାମଜା ଆବେଦନଟିକୁ ଭୁଲି ନଥିଲେ ।

ଦୁଇମାସ କଟିଗଲା । ଆଶୁତୋଷବାବୁ ଓ ତମସା ଅପରାହ୍ନରେ ବାଲ୍କୋନିରେ ବସି ବାହାରକୁ ଚାହିଁଛନ୍ତି ଏବଂ ସବୁଦିନ ପରି ସମୁଦିଙ୍କ ଗାଁ ଘରର ସୁନ୍ଦର ବଗିଚାଟି କଥା ଆଲୋଚନା କରୁଛନ୍ତି । ବଗିଚାଟି ଖାଲି ସୁଦୃଶ୍ୟ ନୁହେଁ, ଫଳଠୁ ଫୁଲଠୁ ପତ୍ର ଯାଏ ସବୁ ସେଥିରେ ଉପଲବ୍ଧ । ସ୍ୱାସ୍ଥ୍ୟପ୍ରଦ ମଧ୍ୟ । କାହିଁକି ତାଙ୍କୁ ଏ ବୁଦ୍ଧି ଦିଶିଲାନି । ଏତେ ବଡ଼ ଜାଗା ଏମିତି ଖାଲି ପଡ଼ିଲା । ହେଲେ ଖାଲି ଝୁରିବା ଛଡ଼ା ଆଉ ଉପାୟ ବା କ’ଣ ? ଠିକ୍ ଏତିକି ବେଳେ ତାଙ୍କ ଗେଟ୍ ପାଖେ କାର୍‌ଟିଏ ଅଟକିଲା । ସେଥିରୁ ସମୁଦି ଓ ସମୁଦୁଣୀ ହସ ହସ ମୁହଁରେ ବାହାରି ଆସିଲେ । ପରେ ପରେ ଗେଟ୍ ପାଖରେ ସଶବ୍ଦେ ଦୁଇଟା ବଡ଼ ବଡ଼ ଟ୍ରକ୍ ରହିଲା । ସେଥିରୁ ଚାରି-ଛଅ ଜଣ ଲୋକ ଖପ୍‌ଖାପ୍ ତଳକୁ ଡେଇଁଲେ । କଥା କ’ଣ ? ଦୁହେଁ ଯାକ ତଳକୁ ଓହ୍ଲାଇ ଆସି ଗେଟ୍ ପାଖରେ ପହଞ୍ଚିଲେ । ଦେଖିଲେ ଟ୍ରକ୍ ଭର୍ତ୍ତି କଂକ୍ରିଟ୍ ତିଆରି ବଡ଼ସାନ ଗୁଡ଼ିଏ କୁଣ୍ଡରେ ଚାରାଗଛ ସବୁ । କାରଣ ବୁଝିବା ଆଗରୁ ସେ ଲୋକମାନେ ସମୁଦିଙ୍କ ନିର୍ଦ୍ଦେଶରେ କୁଣ୍ଡଗୁଡ଼ିକ ଟେକି ଆଣି ଗୋଟି ଗୋଟି ଯଥା ସ୍ଥାନରେ ପାଚେରି ଭିତରେ ସ୍ଥାପନ କରିଦେଲେ । ସ୍ତବ୍ଧ ହୋଇ ଚାହିଁଛନ୍ତି ଦୁହେଁ । ଇସ୍ ! ଅଧଘଣ୍ଟା/ପଇଁଚାଳିଶ ମିନିଟ୍‌ରେ ଘର ସାମ୍ନାରେ ଗୋଟେ ବଗିଚା ତିଆରି ହୋଇଗଲା ଏବଂ ଭର୍ତ୍ତୃହରି ମିଶ୍ର ଯୋଡ଼ ହସ୍ତରେ ବିନମ୍ର ଭାବେ କହିଲେ ଏଇ ସାମାନ୍ୟ ଯୌତୁକ କିନ୍ତୁ ଗ୍ରହଣ କରିବେ । ସ୍ନେହପ୍ରଭାଙ୍କ ଆଖିରେ ମଧ୍ୟ ଏହି ବିନମ୍ରତା । ତମସା ଏବଂ ଆଶୁତୋଷବାବୁ ସମସ୍ୱରରେ କହିଉଠିଲେ, “ଆଃ ! ମନଜାଣି ଯୌତୁକ କିନ୍ତୁ ଦେଲେ । ଗ୍ରହଣ ନ କରି ଆଉ ଉପାୟ ଅଛି ।” ତା’ପରେ ଚାରି ଜଣଙ୍କର ହୋ’ ହୋ’ ହସରେ ପରିବେଶ ମୁଖରିତ ହୋଇ ଉଠିଲା ।

ଲୋକପ୍ରିୟ ଲେଖା

To Top