ଗଳ୍ପ

ଅନ୍ଧକାର ଭବିଷ୍ୟତ

ମୋ ନାମ ସୀମା । ମୋତେ ସରୋଜ ବହୁଦିନରୁ ବିବାହ କରିଛନ୍ତି । ଏଇ ପୁଅ ଏବଂ ଝିଅ ତାଙ୍କର ଏବଂ ମୋର । ନିଜ ଦୋଷରୁ ତାଙ୍କୁ ଚାକିରୀରୁ ବିତାଡ଼ିତ କରାଯାଇଛି । ସେ ଆମକୁ ଚଳେଇବାପାଇଁ ସବୁ ଜମିବାଡ଼ି ବିକ୍ରି କରିଛନ୍ତି ।

ଅନ୍ଧକାର ଭବିଷ୍ୟତ

ଶାରଦା ତାଙ୍କ ସ୍ୱାମୀ ସରୋଜଙ୍କ ଶବ ପାଖରେ ଠିଆ ହୋଇଛି । ପାଖରେ ଜଣେ ଗ୍ରାମରକ୍ଷୀ । ଶାରଦାଙ୍କ ମୁହଁ ଶୁଖି କଳା କାଠ । ଭାବିନଥିଲେ ତାଙ୍କ ସ୍ୱାମୀ ସରୋଜ ବିଷ ଖାଇ ଆତ୍ମହତ୍ୟା କରିବେ । ଶବଟି ଡାକ୍ତରଖାନା ଚୀରାଖାନା ପାଖରେ ରହିଛି । ଚିରିଲାବାଲା ପ୍ରସ୍ତୁତ, କିନ୍ତୁ ଡାକ୍ତର ଆସିନାହାନ୍ତି । ପୋଷ୍ଟ୍‌ମଟମ୍ ସରିଲେ ସରୋଜର ମୃତ ଶରୀରଟି ଶାରଦାକୁ ହସ୍ତାନ୍ତର କରାଯିବ । ଗ୍ରାମରକ୍ଷୀ, ଚିରିଲାବାଲା ଏବଂ ଡାକ୍ତରଙ୍କ କାର୍ଯ୍ୟ ଶେଷ ହେବ । ହୁଏତ ତା’ପରେ ଆରମ୍ଭ ହେବ ଶାରଦାର କାମ । ମୃତ ଶରୀରଟି ନେଇ ପାଖ ଶ୍ମଶାନରେ ଦାହ କିମ୍ୱା ପୋତା ଯିବ । ଏତିକି କାମ କରିବାକୁ ତାଙ୍କ ପାଖରେ ସରୋଜଙ୍କର ବନ୍ଧୁବାନ୍ଧବ କିମ୍ୱା ତାଙ୍କର ବାପଘର ତରଫ୍‌ରୁ କୌଣସି ବ୍ୟକ୍ତି ଏଠାରେ ଉପସ୍ଥିତ ନାହାନ୍ତି । କ’ଣ କରିବ ତାହା ହିଁ ଚିନ୍ତାର କାରଣ ହୋଇଛି ଶାରଦାଙ୍କର ।

ଡାକ୍ତରଙ୍କ ଆସିବା ପର୍ଯ୍ୟନ୍ତ ଶାରଦା ମୁଣ୍ଡରେ ନିଜ ପିନ୍ଧା କାନିଟି ପକେଇ ଦେଇ ଦାରୁଭୂତ ହୋଇ ଠିଆ ହୋଇଥାନ୍ତି ଏବଂ ବିଗତ ଦିନରେ ଘଟିଥିବା ଘଟଣା ସବୁ ଭାସିଆସିଲା ତାଙ୍କ ମନରେ । ଭବିଷ୍ୟତରେ କ’ଣ କରିବେ, କେମିତି ଚଳିବେ, ପିଲାକୁ କ’ଣ କରିବେ ଇତ୍ୟାଦି ଇତ୍ୟାଦି । ଏତିକିବେଳେ ଗ୍ରାମରକ୍ଷୀଟି କହିଲା- “ମ୍ୟାଡ଼ାମ୍ ! କେତେ ସମୟ ଠିଆ ହେବେ, ଆସନ୍ତୁ ଚୀରାଖାନା ପିଣ୍ଡାରେ ବସିବା ଏବଂ ଡାକ୍ତରଙ୍କୁ ଅପେକ୍ଷା କରିବା । ତାଙ୍କ ଆସିବାକୁ ନିଶ୍ଚୟ ଡେରି ହେବ ।” ଶାରଦା ହାତ ଘଣ୍ଟାକୁ ଚାହିଁଲେ । ଦିନ ୧୨ଟା । ଆକାଶକୁ ଚାହିଁଲେ । ସୂର୍ଯ୍ୟଦେବ ମୁଣ୍ଡ ଉପରେ ରହି କିରଣ ଦେଉଛନ୍ତି । ବାଧ୍ୟ ହୋଇ ଚୀରାଖାନା ପିଣ୍ଡାରେ ବସିପଡ଼ିଲେ ଗ୍ରାମରକ୍ଷୀ ସହିତ । ଭବିଷ୍ୟତ ତାଙ୍କ ଅନ୍ଧକାର ଦେଖାଗଲା । କ’ଣ କରିବେ ?

ଶାରଦା ପିଲାଦିନୁ ବାପା ଏବଂ ମା’ଛେଉଣ୍ଡ । ଆଈ ମା’ଙ୍କ ପାଖରେ ରହି ପାଠ ପଢ଼ା ଆରମ୍ଭ କରିଥିଲେ । ପିଲାଦିନରୁ ପାଠ ଭଲ ପଢୁଥିବାରୁ ସ୍କଲାର୍ସିପ୍ ପାଇ ହାଇସ୍କୁଲ୍ ପାଠ ଶେଷ କରିଥିଲେ । ଆଈମା’ ହାଇସ୍କୁଲ ପାଠ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିନଥିଲେ । ଏକା ଏକା ପାଠ ପଢ଼ି ମଧ୍ୟ ହାଇସ୍କୁଲ୍‌ରେ ଟପର ହୋଇଥିଲେ । ସ୍କଲାର୍ସିପ୍ ମଧ୍ୟ ପାଇଥିଲେ । ଏହି ଅର୍ଥରେ କଲେଜ୍‌ର ପାଠ ଶେଷ ହେଲା । ଗ୍ରାଜୁଏସନ୍ ପରେ ବିଇଡ଼ି ପାସ୍ କରି ସରୋଜ ଘର ପାଖ ଗାର୍ଲ ହାଇସ୍କୁଲ୍‌ରେ ଚାକିରୀ କଲେ । ଶିକ୍ଷୟିତ୍ରୀଭାବେ ଯୋଗ ଦେଇ କିଛିବର୍ଷ ଚାକିରୀ କଲାପରେ ସ୍କୁଲ୍ ସରକାର ନେଇଯିବାରୁ ଶାରଦା ସରକାରୀ ଶିକ୍ଷକ ହେଲେ । ଦରମା ସରକାରୀଙ୍କଠାରୁ ପାଇଲେ । ଭରା ଯୌବନ, ମନ ଖୋଜିଲେ ସବୁ ମିଳେନା । ଶାରଦାଙ୍କର କିଏ ଅଛି ଯେ ତାଙ୍କ ବାହାଘର କଥା ବୁଝିବ । ସ୍ୱପ୍ନ ଏବଂ ବାସ୍ତବତା ସକାଳ ଠାରୁ ସନ୍ଧ୍ୟା ଓ ସତ ଠାରୁ ବାସ୍ତବତା ଭିତରେ ବହୁତ ତଫାତ୍ । ଶାରଦା ଭାବିଲେ ତାଙ୍କର ଆଉ ବୋଧହୁଏ ଏ ଜୀବନରେ ସମ୍ଭବ ହେବନି । ଏମିତି ଏମିତି ଏ ଜୀବନକୁ ସାରି ଦେବାକୁ । ଏ ଦୁନିଆଁରେ ବହୁ ସ୍ତ୍ରୀଲୋକ ଅଛନ୍ତି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂସାର କରିନାହାନ୍ତି ।

ସରୋଜ ଏମ୍.ସି.ଏଜି. ପାସ୍ କରି କିଛିଦିନ ସରକାରୀ ଚାକିରୀ କରିଥିଲେ । ସେ ଚାକିରୀ ଛାଡ଼ି କମ୍ପାନୀ ଚାକିରୀ କରିଥିଲେ । ସେ ଜଣେ ଅଦ୍ଭୁତ ବ୍ୟକ୍ତି । ହଠାତ୍ ଦିନେ ଶାରଦାଙ୍କ ସ୍କୁଲ୍କୁ ଆସି ତାଙ୍କୁ କହିଲେ- ମୁଁ ତମକୁ ବିବାହ କରିବାକୁ ଚାହେଁ । ତମ ବିଷୟରେ ସବୁ ବୁଝିଛି । ଶାରଦା ଲାଜରେ କିଛି ଉତ୍ତର ଦେଇନଥିଲେ । ସରୋଜ ତାଙ୍କୁ କହିଲେ- ତମେ ଚିନ୍ତାକର, ମୁଁ ତମ ମତାମତ ଜାଣିବାକୁ ଆସିଛି । ସରୋଜ ଚାଲିଗଲା ପରେ ସାଙ୍ଗ ଶିକ୍ଷୟିତ୍ରୀମାନେ ଶାରଦାଙ୍କୁ ସରୋଜଙ୍କ ପ୍ରସ୍ତାବରେ ସମ୍ମତି ଦେବାକୁ କହିଥିଲେ । ଶାରଦା କିଛିଦିନ ସମୟ ନେବାକୁ ସାଥୀମାନଙ୍କୁ କହିଥିଲେ ।

ସରୋଜଙ୍କ ବିଷୟରେ କିଛି ନ ଜାଣି ତାଙ୍କ ପ୍ରସ୍ତାବରେ ହଠାତ୍ ସମ୍ମତ ହେବା ଉଚିତ୍ ନୁହେଁ । କେବଳ ଚାଷ ସମ୍ପର୍କୀୟ ପାଠ ପଢ଼ି ଗୋଟାଏ ଚାକିରୀ କରିଛନ୍ତି । ତାଙ୍କର ମୁରବି କିଏ, କ’ଣ କରନ୍ତି, ସେମାନେ ଏ ବିବାହରେ ସମ୍ମତି ଦେବେ କି ନାହିଁ, ତା ଛଡ଼ା ସରୋଜଙ୍କୁ ବିବାହ କଲେ ଶାରଦା ଖୁସି ଜୀବନ କଟାଇ ପାରିବେ ତ । ଏମିତି କେତେ କ’ଣ ପ୍ରଶ୍ନ ମନରେ ଉଙ୍କି ମାରିଲା । ସବୁ କଥା ବୁଝିବା ନିହାତି ଆବଶ୍ୟକ । ତାଙ୍କ ଲାଗି କିଏ ଅଛି ଏ କଥା ବୁଝିବାକୁ । ସ୍ଥିର କଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଦାୟିତ୍ୱ ଦେଲେ ଭଲ ହେବ । ତାହା ହିଁ ହେଲା । ସେ ବୁଝାବୁଝି କରି ଜାଣିଲେ ସରୋଜ ପିତାଙ୍କର ବହୁ କାଳରୁ ଦେହାନ୍ତ ହୋଇଛି । ଘରେ କେବଳ ବିଧବା ମା’ । ସରୋଜ ଯୋଉଠି ଚାହିଁବ ସେଇଠି ବାହାହେବ । ତା’ର ପତ୍ନୀକୁ ତାଙ୍କ ମା’ ଆଦରରେ ଗ୍ରହଣ କରିବେ । ସରୋଜ ଭଲ ପିଲା ଇତ୍ୟାଦି ଇତ୍ୟାଦି । ଶାରଦାଙ୍କୁ ବିବାହ କଲେ କିଛି ଅସୁବିଧା ହେବନି । ସରୋଜ ଘରର ମୁରବି ସରୋଜ ନିଜେ । ଏସବୁ ଜାଣିଲା ପରେ ଶାରଦା ବହୁ ସମୟ ଚିନ୍ତା କଲେ କ’ଣ କରିବେ ? ଏ ପାଖେ ସାଥୀ ଶିକ୍ଷୟିତ୍ରୀମାନଙ୍କ ଚାପ ଏବଂ ଅନ୍ୟପକ୍ଷରେ ସରୋଜଙ୍କର ଅନୁରୋଧ । ସେ କ’ଣ କରିବେ ? କେଉଁ କଥାକୁ ଗ୍ରହଣ କରିବେ ? ବ୍ୟସ୍ତ ହୋଇପଡ଼ିଥିଲେ ଶାରଦା ।

ଏମିତି ଏକ ଛୁଟି ଦିନ ଶାରଦା ନିଜ କାମଦାମ ଶେଷ କରି ପରଦିନ ପାଇଁ ପ୍ରସ୍ତୁତ ହେଉଥିଲେ । ଦାଣ୍ଡ କବାଟରେ ଠକ୍ ଠକ୍ ଶବ୍ଦ । ରାତି ହୋଇଥିଲେ ହୁଏତ କବାଟ ଖୋଲିବା ପ୍ରଶ୍ନ ଉଠୁ ନଥିଲା । ଦିନବେଳା ଶାରଦା କବାଟ ଖୋଲି ଦେଖନ୍ତି ସରୋଜ । ଶାରଦା ତାଙ୍କୁ ପଚାରିଲେ- “ଆପଣ କୁଆଡ଼େ ଏଠାକୁ ଆସିଛନ୍ତି ?” ସରୋଜ କହିଲା- “ଆପଣଙ୍କ ଠାରୁ ଉତ୍ତର ପାଇବାକୁ, କ’ଣ ସ୍ଥିର କଲେ ?” ଶାରଦା କହିଲା- “ମୋତେ କିଛିଦିନ ସମୟ ଦିଅନ୍ତୁ, ମୁଁ ଭାବିକି ଏବଂ ସ୍ଥିର କରି କହିବି ।” ସରୋଜ କହିଲେ- “ଠିକ୍ ଅଛି, ଆପଣ ଭାବନ୍ତୁ, ତେବେ ଚାଲନ୍ତୁ ଆମ ଗାଁ ମଙ୍ଗଳା ମନ୍ଦିର ଯିବା, ମା’ଙ୍କ ଦର୍ଶନ କରି ଆସିବା ।” ଶାରଦା ଯିବା ଅନିଚ୍ଛା ଥିଲେ ମଧ୍ୟ ବାଧ୍ୟ ହୋଇ ସରୋଜ ସହ ମଙ୍ଗଳା ମନ୍ଦିର ଗଲେ । ବୁନିଆଦ ଘର ଥିଲା । ସରୋଜ ବୁନିଆଦ ପିଲା ହେଲେ ମଧ୍ୟ ସେ ବୁନିଆଦ ଏବେକୁ ନାହିଁ । ସମ୍ପୂର୍ଣ୍ଣ ହଜିଯାଇଛି । କର୍ପୂର ଉଡ଼ିଯାଇଛି, କେବଳ କନା ପଡ଼ି ରହିଛି ।

ସରୋଜ ଶାରଦାଙ୍କ ସହିତ ଗପି ଗପି ମଙ୍ଗଳା ମନ୍ଦିରରେ ପହଞ୍ଚିଲେ । ଶାରଦା ତାଙ୍କୁ ବିଶେଷ କିଛି ଉତ୍ତର ଦେଇ ନଥିଲେ । ମଙ୍ଗଳା ଠାକୁରାଣୀଙ୍କ ଦର୍ଶନ କରିସାରିବା ପରେ ସରୋଜ କହିଲେ- “ବୁଝିଲ ଶାରଦା ! ମୁଁ ମୋ ପାଇଁ ଅପେକ୍ଷା କରିପାରିବି ନାହିଁ । ତମେ ଚିନ୍ତା କରି ମୋତେ ଉତ୍ତର ଦେବାକୁ ଏତେ ସମୟ ନେଇଥିବାରୁ ମୋର ଧୈର୍ଯ୍ୟଚ୍ୟୁତି ଘଟିଲାଣି । ଆଜି ଏବଂ ଏଇଠି ମନ୍ଦିରରେ ବାହା ହେଲେ କ୍ଷତି କ’ଣ ?”

ଶାରଦା ହଠାତ୍ ଏ କଥା ବା ଅବସ୍ଥାକୁ ପ୍ରସ୍ତୁତ ନ ଥିଲେ । ସେ ବିନୀତ ଭାବେ ମନା କରିଥିଲେ ସରୋଜଙ୍କୁ । ବାହାଘର ଏମିତି ହୁଏନା । ସେ ଏଇ ଦିନେ ବା ଦୁଇ ଦିନ ଭିତରେ ସବୁ ଜଣାଇ ଦେବାକୁ ସରୋଜଙ୍କୁ କହିଲେ । ସରୋଜ ଯେମିତି କିଛି ବୁଝିବାକୁ ପ୍ରସ୍ତୁତ ନଥିଲେ । ମଙ୍ଗଳା ମା’ଙ୍କ ସମ୍ମୁଖରେ ସେ ଶାରଦାଙ୍କ ମସ୍ତକରେ ପିନ୍ଧାଇ ଦେଇଥିଲେ ସିନ୍ଦୂର । ଶାରଦା ସ୍ତମ୍ଭିତ ହୋଇ ତଳକୁ ମୁହଁ ପୋତି ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ । ଜୀବନର ଶ୍ରେଷ୍ଠ ଏବଂ ମୂଲ୍ୟବାନ ମୁହୂର୍ତ୍ତ ଏମିତି ଏମିତି ଚଳିଯିବ । ବେଦୀ, ବ୍ରାହ୍ମଣ, ବନ୍ଧୁ କେହି ନ ଥାଇ ବାହାଘର ମୂଲ୍ୟହୀନ । ପୁଣି ମଙ୍ଗଳା ମା’ଙ୍କ ସମ୍ମୁଖରେ ସିନ୍ଦୂର ଦେବା ଅନ୍ୟପକ୍ଷରେ ଧର୍ମଦ୍ରୋହୀ ହେବାକୁ ପଡ଼ିବ । କ’ଣ କରିବେ ଶାରଦା । ଏହା ଗ୍ରହଣ କରିବେ ନା ପରିତ୍ୟାଗ କରିବେ କିଛି ସ୍ଥିର କରିପାରୁ ନ ଥିଲେ । ଏମିତି ଚିନ୍ତିତ ଥିବା ଅବସରରେ ସରୋଜ ଶାରଦାଙ୍କ ହାତ ଧରି ମନ୍ଦିରରୁ ନିଜ ଘରକୁ ଆଣିଲେ ଏବଂ ବଡ଼ ପାଟିରେ ମା’ଙ୍କୁ କହିଲେ- “ମା’ ! ତୋ ବୋହୂକୁ ନେ । ଆମେ ମଙ୍ଗଳା ମା’ଙ୍କ ମନ୍ଦିରରେ ବାହା ହେଇ ଆସିଛୁ ।” ମା’ ଶାରଦାଙ୍କୁ କୁଣ୍ଢେଇ ଘରକୁ ନେଇଯାଇଥିଲେ । ସବୁ ଯେମିତି ଯନ୍ତ୍ରଚାଳିତ ଭଳି ହୋଇଥିଲା । ଶାରଦାଙ୍କର ମୁହଁରୁ କିଛି ଶବ୍ଦ ବାହାରୁ ନଥିଲା । କେବଳ ଆଖିରୁ ଝରଝର ହୋଇ ଲୁହ ଧାର ଗଡ଼ି ଚାଲୁଥିଲା । କ’ଣ ସବୁ ହୋଇଯାଉଛି ।

ବାହାଘର ପାଇଁ ସରୋଜ ଗାଁରେ ଗୋଟାଏ ଭୋଜି ଦେଇଥିଲେ । ପ୍ରାୟ ସମସ୍ତେ ଯୋଗ ଦେଇଥିଲେ । ସ୍କୁଲର ଶିକ୍ଷୟିତ୍ରୀମାନେ ଆସିଥିଲେ, କିନ୍ତୁ ଶାରଦାଙ୍କ ଆଖି ଲୁହର ଶେଷ ନଥିଲା । ବେଦୀ ନାହିଁ, ହସ୍ତଗଣ୍ଠି, ସପ୍ତପଦୀ ଏବଂ ହୋମ ନାହିଁ, ଏ କି ବାହାଘର ! ତାଙ୍କ ମନରେ ଆଘାତ ଦେଉଥିଲା । କିଛି ନ ଥାଇ ବାହାଘର । ସାଙ୍ଗ ଶିକ୍ଷୟିତ୍ରୀମାନେ ବୁଝାଇ ଦେଇଥିଲେ ଶାରଦାଙ୍କୁ ଯାହା ହେଉଛି ଠିକ୍ ହେଉଛି । କିଛି ବ୍ୟସ୍ତ ହେବାର ନାହିଁ, କିନ୍ତୁ ଶାରଦାଙ୍କ ମନ କେମିତି ବୁଝୁ ନ ଥିଲା ।

କିଛିଦିନ ସ୍ୱାମୀ ସ୍ତ୍ରୀ ଭାବେ ଚଳାଚଳ ହୋଇ ସରୋଜ ପୂର୍ବଭଳି ଚାକିରୀ ସ୍ଥାନକୁ ଚାଲିଯାଇଥିଲେ । ଏମିତି ମଝିରେ ମଝିରେ ସରୋଜ ଆସନ୍ତି ଏବଂ କିଛିଦିନ ରହି ଚାଲିଯାନ୍ତି । ବର୍ଷ ଦୁଇ ବର୍ଷ ପରେ ସେମାନଙ୍କ ସଂସାରକୁ ଆସିଲା ପୁଅଟିଏ ଲାଟୁ । ଲାଟୁକୁ ପାଇ ଶାରଦାଙ୍କ ମନରେ ଆସିଥିଲା କିଛି ପରିବର୍ତ୍ତନ । ସେ ବେଶ୍ କିଛି ଆନନ୍ଦିତ ହୋଇଥିଲେ । ଲାଟୁ ଆସିବା ପରେ ଶାରଦା ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ପଦୋନ୍ନତି ପାଇଲେ । ସେହି ବର୍ଷ ସ୍କୁଲ୍‌ର ପରୀକ୍ଷା ଫଳ ବହୁତ ଭଲ ହେଲା । ଦରମାରେ ବେଶ୍ କିଛି ପରିବର୍ତ୍ତନ ହେଲା । ଏମିତି କେତେ କ’ଣ ।

ଏମିତି ଆନନ୍ଦ ବେଶିଦିନ ସ୍ଥାୟୀ ହେଲାନାହିଁ । ଦିନେ ସନ୍ଧ୍ୟାରେ ରହୁଥିବା ଘର କବାଟ ଠକ୍ ଠକ୍ ହେଲା । ଶାରଦା କବାଟ ଖୋଲି ଦେଖିଲେ ଜଣେ ସ୍ତ୍ରୀଲୋକ । ତାଙ୍କ ସହ ଗୋଟିଏ ପୁଅ ଏବଂ ଝିଅ । ସ୍ତ୍ରୀଲୋକଟି ପଚାରିଲେ- “ଆପଣ ଶାରଦା ଦେବୀ ?” ଶାରଦା ସମ୍ମତି ଜଣାଇବା ପରେ ସ୍ତ୍ରୀଲୋକଟି ଘର ଭିତରକୁ ଆସିବାକୁ ଅନୁମତି ନେଇ ଶାରଦାଙ୍କ ବିଛଣାରେ ବସିପଡ଼ି ଆରମ୍ଭ କଲେ- “ଭଉଣୀ ! ମୋ ନାମ ସୀମା । ମୋତେ ସରୋଜ ବହୁଦିନରୁ ବିବାହ କରିଛନ୍ତି । ଏଇ ପୁଅ ଏବଂ ଝିଅ ତାଙ୍କର ଏବଂ ମୋର । ନିଜ ଦୋଷରୁ ତାଙ୍କୁ ଚାକିରୀରୁ ବିତାଡ଼ିତ କରାଯାଇଛି । ସେ ଆମକୁ ଚଳେଇବାପାଇଁ ସବୁ ଜମିବାଡ଼ି ବିକ୍ରି କରିଛନ୍ତି । ଆମକୁ ଚଳାଚଳ କରିବାକୁ ଅକ୍ଷମ ହେବାରୁ ଆମମାନଙ୍କୁ ସହରରେ ଛାଡ଼ି ଦେଇ ଆମ ପାଖକୁ ଆଉ ଆସୁନାହାନ୍ତି । ଆମେ ଉପାୟଶୂନ୍ୟ ହୋଇ ତାଙ୍କ ଖୋଜ ଖବର ନେଇ ଏଠାକୁ ଆସିଲୁ । ଆମ୍ଭମାନଙ୍କୁ ଟିକେ ସ୍ଥାନ ଦେଲେ ଅବଶିଷ୍ଟ ଜୀବନ ଏଇଠି ବିତେଇ ଦିଅନ୍ତୁ ।” ଶାରଦା ହତବାକ୍ ହୋଇ ଚାହିଁ ରହିଲା ସୀମା ଆଡ଼କୁ ଏବଂ ସେହି ଛୁଆମାନଙ୍କୁ ।

ଜୀବନ ଆକାଶରେ କଳା ବାଦଲ ଘୋଟି ଆସିଲା । ଶାରଦାଙ୍କର ମନରେ ସରୋଜଙ୍କ ପ୍ରତି ଘୃଣାଭାବ ଆସିଲା । ଏମିତି ଜଣେ ଚରିତ୍ରହୀନ ବ୍ୟକ୍ତିଙ୍କୁ ସ୍ୱାମୀ ବୋଲି ସ୍ୱୀକାର କରିବାକୁ ଇଚ୍ଛା ହେଲାନି । ଶାରଦା ସୀମାକୁ କହିଲେ- “ଭଉଣୀ ! ଆପଣ ଏ ଘରେ ରୁହନ୍ତୁ । ମୁଁ ପ୍ରଧାନ ଶିକ୍ଷୟିତ୍ରୀ କ୍ୱାଟରକୁ ଚାଲିଯାଉଛି ।”

କିଛି ସମୟ ଭିତରେ ନିଜର ଜିନିଷପତ୍ର ଧରି ଶାରଦା ପ୍ରଧାନ ଶିକ୍ଷୟିତ୍ରୀଙ୍କ କ୍ୱାଟରକୁ ଚାଲିଗଲେ । ଏ ଘରକୁ ଆଉ ଫେରିବାର ଆଶା ରଖିନଥିଲେ । ସରୋଜଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ ସ୍ଥିର କଲେ । ଅନ୍ତତଃ ଏ ଜୀବନରେ ତାଙ୍କୁ ଭୁଲିଯିବେ । ମନରେ ଝଡ଼ ବତାସର ସୂଚନା । ତାହା ବଢ଼ି ବଢ଼ି ଯାଉଛି, କିନ୍ତୁ ଶାନ୍ତ ହେବାର କିଛି ସୂଚନା ନାହିଁ ।

ମନ ଭିତରେ ସେହି ଅଶାନ୍ତ ବାତାବରଣରେ ଶାରଦା ସମୟ ଅତିବାହିତ କରୁଥିବାବେଳେ ଗାଁ ଲୋକଙ୍କଠାରୁ ଖବର ପାଇଲେ ସରୋଜ ଆତ୍ମହତ୍ୟା କରିଛନ୍ତି । ଲୋକ ନିନ୍ଦାକୁ ଭୟ କରି ଶାରଦା ନିଜ ଘରକୁ ଗଲେ । ଦେଖିଲେ ପୋଲିସ ଉପସ୍ଥିତ ଅଛନ୍ତି । ସୀମା ଏବଂ ପିଲାମାନେ ଘର ଛାଡ଼ି ଚାଲିଯାଇଛନ୍ତି । ଶାରଦାଙ୍କୁ ପୋଲିସ ଦେଖି କହିଲେ- ସରୋଜବାବୁ ଗୋଟାଏ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ସେଥିରେ ଲେଖିଛନ୍ତି ତାଙ୍କ ଆତ୍ମହତ୍ୟା ପାଇଁ ସୀମା କିମ୍ୱା ଶାରଦା ଆଦୌ ଦାୟୀ ନୁହଁନ୍ତି । ସେମାନଙ୍କୁ ମିଛ କହି ବିବାହ କରିଥିବାରୁ ମୋର ବିବେକ ବାଧା ଦେଲା । ଏହାଛଡ଼ା ସ୍ୱାମୀ ଭାବରେ ସେମାନଙ୍କ ଚଳାଚଳ ଏବଂ ଭରଣପୋଷଣ ଆଉ ଯୋଗାଇବାକୁ ସମ୍ପୂର୍ଣ୍ଣ ଅକ୍ଷମ ହେବାରୁ ଆତ୍ମହତ୍ୟା କରୁଛି । ପୋଷ୍ଟମଟମ୍ ପାଇଁ ତାଙ୍କ ମୃତ ଶରୀର ଆସିଛି । ଶାରଦା ଛଡ଼ା ନିଜର ବୋଲି କେହି ନଥିବାରୁ ଆସିବାକୁ ପଡ଼ିଲା ।

ପୋଷ୍ଟମଟମ ପାଇଁ ଡାକ୍ତର ପହଞ୍ଚିଲେ । ସ୍ୱୀପର ପହଞ୍ଚିଥିଲା ଆଗରୁ । ଗ୍ରାମରକ୍ଷୀ ଉପସ୍ଥିତ ଥିଲା । କିଛି ସମୟ ଭିତରେ ପୋଷ୍ଟମଟମ୍ ଶେଷ ହେଲା । ଡାକ୍ତର କାମ ଶେଷ କରି ଚାଲିଗଲେ । ଶାରଦା ଏବଂ ଗ୍ରାମରକ୍ଷୀଙ୍କ ବହୁ ଅନୁରୋଧ କ୍ରମେ ସ୍ୱୀପର ମୃତ ଶରୀର ଦାୟିତ୍ୱ ନେଲା । ଶେଷ କାର୍ଯ୍ୟ କରିବା ପାଇଁ ସେ ବାବଦରେ କିଛି ଅର୍ଥ ନେଲା । ସେ ଅନ୍ୟ ସ୍ୱୀପର ଆଣିବାକୁ ଗଲା । ଗ୍ରାମରକ୍ଷୀ ଚାଲିଗଲା ।

ଶାରଦା ଧୀରେ ଧୀରେ ଆଗକୁ ଯାଇ ପାଖରେ ଥିବା ପୋଖରୀରେ ଗାଧୋଇ ହାତର ଚୁଡ଼ି ଭାଙ୍ଗି ମୁଣ୍ଡର ସିନ୍ଦୂର ସମ୍ପୂର୍ଣ୍ଣ ପୋଛି ସେହି ଓଦା ଲୁଗା ପିନ୍ଧି ଆଗକୁ ଆଗକୁ ଚାଲିଲା । ମନରେ ପ୍ରଶ୍ନ କ’ଣ କରିବି ? ପୁରା ଗାଁ ଛାଡ଼ି ଚାଲିଯିବ ନା ଜୀବନର ଶେଷ ପର୍ଯ୍ୟନ୍ତ ଏଇ ସ୍କୁଲ୍‌ରେ ରହିଯିବ । ବାରମ୍ୱାର ତା’ ଛାତିକୁ ଆଘାତ କରୁଛି । ସେ ଅସହାୟା ଅନୁଭବ କରୁଛି ଲାଟୁ ପାଇଁ ମଧ୍ୟ । ଜୀବନର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସଂଗ୍ରାମ କରିଆସିଛି ଆଉ କେତେଦିନ ସଂଗ୍ରାମ କରିବେ । ମନରେ ପୁରି ରହିଛି ଅସୀମ ଯନ୍ତ୍ରଣା ।

ପଶ୍ଚିମ ଆକାଶକୁ ସୂର୍ଯ୍ୟ ଆଗେଇ ଯାଉଛନ୍ତି । ପୂର୍ବ ଆକାଶରେ ଘନ ବାଦଲର ସୂଚନା । କିଛି ସମୟ ପରେ ବୋଧହୁଏ ବର୍ଷା ହୋଇପାରେ । ଶାରଦା ଆଗକୁ ଚାଲୁଥାଏ । ମନରେ ସେହି ଗୋଟିଏ ପ୍ରଶ୍ନ କ’ଣ କରିବ ସିଏ ? ଭବିଷ୍ୟତ ତା’ର ଅନ୍ଧକାର !

ଲୋକପ୍ରିୟ ଲେଖା

To Top