ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ନାରୀମାନଙ୍କ ମଧ୍ୟରେ ତୁମେ ଯେପରି ସର୍ବଶ୍ରେଷ୍ଠ ରୂପବତୀ ପୁରୁଷମାନଙ୍କ ମଧ୍ୟରେ ନଳ ସେହିପରି ବିରଳ ସୌନ୍ଦର୍ଯ୍ୟର ଅଧିକାରୀ । ଆପଣ ତାଙ୍କୁ ବିବାହ କଲେ ତାହା ମଣିକାଞ୍ଚନ ସଂଯୋଗ ପରି ହେବ ।

ଅନୁବ୍ରତା ଦମୟନ୍ତୀ

ଧୀରେ ଧୀରେ ତନ୍ଦ୍ରା ଅପସରି ଯାଇଥିଲା । ବିଦର୍ଭ ରାଜନନ୍ଦିନୀ, ନିଷଧ ଦେଶର ରାଜରାଣୀ ଦମୟନ୍ତୀ ଆଖି ମେଲି ଚାହିଁଲେ । ଚତୁର୍ଦ୍ଦିଗରେ ବିଶାଳ ବନସ୍ପତିମାନ ଆକାଶକୁ ମସ୍ତକ ଉତ୍ତୋଳିତ କରି ଛିଡ଼ା ହୋଇଛନ୍ତି । ଘଞ୍ଚବୁଦାରେ ପରିପୂର୍ଣ୍ଣ ଅଞ୍ଚଳ । ଚତୁର୍ଦ୍ଦିଗରେ ଶ୍ୟାମଳ ସୁଷମା ।

ମସ୍ତକରେ କଠିନ ମୃତ୍ତିକା ପିଣ୍ଡର ସ୍ପର୍ଶରେ ସେ ଚମକିତ ହୋଇ ଉଠିବସିଲେ । ଇଏ କ’ଣ ? ସେ ଯେ ତାଙ୍କ ସ୍ୱାମୀ ରାଜା ନଳଙ୍କର କୋମଳ ବାହୁକୁ ଉପାଧାନ କରି ତାରି ଉପରେ ନିଜର ମସ୍ତକ ରଖି କ୍ଳାନ୍ତ ଶରୀରକୁ ଘାସର ଆସ୍ତରଣ ଉପରେ ଲୋଟାଇ ଦେଇଥିଲେ । ଏ ଭିତରେ କେତେ ସମୟ ବିତିଯାଇଛି ସେ ତ ଜାଣିପାରୁନାହାନ୍ତି । କେତେଦିନ ହେଲାଣି ବନରୁ ବନକୁ ଘୂରି ବୁଲିବାବେଳେ ତାଙ୍କର ଦୁଇଟି ସୁକୁମାର ପାଦ କଣ୍ଟକବିଦ୍ଧ ହୋଇ ରକ୍ତାକ୍ତ ହୋଇଛି, ଖାଦ୍ୟ ଅଭାବରୁ ଶରୀର ଦୁର୍ବଳ ଅବସନ୍ନ ହୋଇପଡ଼ିଛି । ତେଣୁ ଅତ୍ୟଧିକ କ୍ଳାନ୍ତିରେ ସେ ଟିକେ ବିଶ୍ରାମ କରିବାକୁ ଚାହିଁବାରୁ ନଳ ମଧ୍ୟ ତାଙ୍କ ନିକଟରେ ଶାୟିତ ହୋଇ ନିଜର ବାହୁ ବିସ୍ତାରି ଦେଇ ଦମୟନ୍ତୀଙ୍କର ମସ୍ତକକୁ ଆଦରରେ ତା’ ଉପରେ ଆଉଜାଇ ନେଇଥିଲେ ।

କେତେବେଳେ ଦମୟନ୍ତୀ ଗଭୀର ନିଦ୍ରା ଭିତରକୁ ଚାଲିଗଲେ ଜାଣିପାରିଲେ ନାହିଁ । କିନ୍ତୁ ତାଙ୍କ ପାଖରେ ଶୟନ କରିଥିବା ତାଙ୍କର ସ୍ୱାମୀ ରାଜ୍ୟହରା ନଳ କାହାନ୍ତି । ସେ ଚତୁର୍ଦ୍ଦିଗକୁ ବ୍ୟାକୁଳ ହୋଇ ଚାହିଁଲେ । କେଉଁଠାରେ ବି ତ ସେ ଦୃଶ୍ୟ ହେଉନାହାନ୍ତି । ଏ ଘୋର ଅରଣ୍ୟରେ ତାଙ୍କୁ ଏକାକିନୀ ଛାଡ଼ି ସେ କୁଆଡ଼େ ଯାଇଛନ୍ତି । ଦମୟନ୍ତୀ, ଉଚ୍ଚସ୍ୱରରେ ନଳଙ୍କୁ ସମ୍ୱୋଧନ କରି ଶୀଘ୍ର ଫେରିଆସିବାକୁ ନିବେଦନ କଲେ । କିନ୍ତୁ ତାଙ୍କର ସେ ବ୍ୟାକୁଳ କଣ୍ଠସ୍ୱର ତାଙ୍କ ପାଖକୁ ପ୍ରତିଧ୍ୱନି ଆକାରରେ ଫେରିଆସୁଥିଲା ।

ଦମୟନ୍ତୀଙ୍କର ଭୟ ଏବେ ଆଶଙ୍କାରେ ପରିଣତ ହେଲା । ନଳ ତାଙ୍କୁ ପରିତ୍ୟାଗ କରିନାହାନ୍ତି ତ । ତାଙ୍କ ମନେପଡ଼ିଗଲା ଗତକାଲି ନଳ ତାଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, “ହେ ପ୍ରିୟା, ତୁମେ ମୋର ପତ୍ନୀ ! ତୁମର ମଙ୍ଗଳ ହେବା ମୁଁ ଚାହେଁ । ମୋର ଅବସ୍ଥା ତ ଦେଖୁଛ । ରାଜ୍ୟହରା ! ନିର୍ବାସିତ ଅବସ୍ଥାରେ ଖାଦ୍ୟ ସଂଗ୍ରହ ପାଇଁ ମତେ କିପରି ବିଭିନ୍ନ ସ୍ଥାନରେ ଘୂରି ବୁଲିବାକୁ ପଡୁଛି । ତେଣୁ ମୁଁ ତୁମକୁ ଯେଉଁ କଥା କହୁଛି ତାହା ଧ୍ୟାନ ଦେଇ ଶୁଣ । ଦେଖ ଏଇ ଦିଗରେ ଗଲେ ଦକ୍ଷିଣ ଦେଶକୁ ଯିବାକୁ ହୁଏ । ଦେଖ ସୁଦୂରରେ ବିନ୍ଧ୍ୟ ପର୍ବତ ଦୃଶ୍ୟ ହେଉଛି । ଏ ଦିଗକୁ ଚାହଁ, ଏଇ ପଥରେ ଗଲେ ସମୁଦ୍ରଗାମିନୀ ପୟୋଷ୍ଣୀ ନଦୀ ପ୍ରବାହିତ ହେଉଛି । ଏହି ନଦୀର ତଟଦେଶରେ ବହୁ ଋଷିମୁନିଙ୍କର ଆଶ୍ରମ ଅଛି । ସେଠାରେ ଆଶ୍ରୟ ଗ୍ରହଣ କରାଯାଇପାରିବ । ଏହି ପଥ ପଡ଼ିଛି କୋଶଳ ଦେଶ ଦିଗରେ ଓ ତା’ ନିକଟପଥଟି ବିଦର୍ଭ ଦେଶ ଆଡ଼କୁ ଯାଇଛି । ଭଲ କରି ଦେଖ ଏଇ ପଥ ବିଦର୍ଭ ଦିଗରେ ଯାଇଛି ।”

ନଳ ବାରମ୍ୱାର ବିଦର୍ଭ ଦେଶ କଥା କହିବାରୁ ଦମୟନ୍ତୀଙ୍କ ମନରେ ଶଙ୍କା ଜାତ ହୋଇଥିଲା । ସେ ଅନୁମାନ କଲେ ବୋଧହୁଏ ନଳ ତାଙ୍କୁ ନିଜ ପିତାଙ୍କର ରାଜ୍ୟକୁ ଫେରିବାକୁ କହୁଛନ୍ତି ।

ସେ ବ୍ୟାକୁଳ ହୋଇ କହିଲେ, “ହେ ସ୍ୱାମୀ ପରିସ୍ଥିତି ଯେତେ ବିଷମ ହେଲେ, କ୍ଷୁଧାତୃଷା ଯେତେ କଷ୍ଟପ୍ରଦ ହେଲେ ବି ମୁଁ ଆପଣଙ୍କୁ ପରିତ୍ୟାଗ କରିବି ନାହିଁ । ଆପଣଙ୍କ ସାନ୍ନିଧ୍ୟ ହିଁ ମୋର ସ୍ୱର୍ଗସୁଖ । ସର୍ବପ୍ରକାର ଦୁଃଖରେ ପତ୍ନୀର ଉପସ୍ଥିତି ସ୍ୱାମୀ ପାଇଁ ସବୁଠାରୁ ସାନ୍ତ୍ୱନାପ୍ରଦ ହୁଏ ।”

ନଳ ଚମକି ଉଠି କହିଥିଲେ, “ତୁମେ ଅଯଥା ଆଶଙ୍କା କରୁଛ । ମୁଁ ମୋ ଆତ୍ମାକୁ ତ୍ୟାଗ କରିପାରେ, କିନ୍ତୁ ତୁମକୁ କେବେ ବି ତ୍ୟାଗ କରିବି ନାହିଁ ।”

ଦମୟନ୍ତୀ କହିଥିଲେ, “ଯଦି ଆପଣ ସେପରି କିଛି ଭାବୁନାହାନ୍ତି ତେବେ ମତେ ବିଦର୍ଭ ନଗରୀର ପଥ ବାରବାର ଦର୍ଶାଉଛନ୍ତି କାହିଁକି ? ତେବେ ମୁଁ ବିଦର୍ଭ ରାଜ୍ୟକୁ ଫେରିଯିବା ଉଚିତ୍ ବୋଲି ଯଦି ଆପଣ ମନେ କରୁଥାନ୍ତି ତେବେ ଚାଲନ୍ତୁ ଆମେ ଦୁହେଁ ସାଙ୍ଗ ହୋଇ ଯିବା । ବିଦର୍ଭ ନଗରୀ ଆପଣଙ୍କୁ ସ୍ୱାଗତ କରିବ । ମୋ ପିତା ଆପଣଙ୍କର ବହୁ ଆଦର ସତ୍କାର କରିବେ । ଆମେ ଭାଗ୍ୟଦୋଷରୁ ରାଜ୍ୟହରା ହୋଇ ସବୁ ସୁଖରୁ ବଞ୍ଚିତ ହୋଇଛେ । ଏବେ ଆମେ ବିଦର୍ଭରେ ପହଞ୍ଚି ପୁଣି ସବୁ ସୁଖପ୍ରାପ୍ତ ହେବା । ସମସ୍ତେ ଆମ ଉପସ୍ଥିତିରେ ଆନନ୍ଦିତ ହେବେ । ଆମ ଅବସ୍ଥା ଜାଣିବା ପରଠାରୁ ମୋର ପିତା ଯେଉଁ ପ୍ରକାର ଶଙ୍କା ଓ ଦୁଃଖରେ କାଳାତିପାତ କରୁଛନ୍ତି ତାହା ଦୂର ହେବ ।”

ନଳ ବିଷର୍ଣ୍ଣ ହୋଇ କହିଥିଲେ, “ନା ମୁଁ ସେଠାକୁ ଦିନେ ଐଶ୍ୱର୍ଯ୍ୟବାନ୍, ସମୃଦ୍ଧ ରାଜପୁରୁଷ ଭାବରେ ଯାଇ ସମସ୍ତଙ୍କର ଆନନ୍ଦବର୍ଦ୍ଧନର କାରଣ ହୋଇଥିଲି, ଆଜି ଏହି ଦୀନହୀନ ଭାବରେ ସେଠାରେ ପହଞ୍ଚି ସମସ୍ତଙ୍କର ଦୁଃଖର କାରଣ ହୋଇପାରିବି ନାହିଁ ।”

ଦମୟନ୍ତୀ ସେ ବିଷୟରେ ଆଉ ପଦଟିଏ କିଛି କହିଲେ ନାହିଁ । ବରଂ ସେମାନେ ଏକତ୍ର ଥିବାରୁ ସବୁ ଦୁଃଖଦୁର୍ଦ୍ଦଶାର ସମ୍ମୁଖୀନ ହୋଇପାରିବେ ବୋଲି ନଳଙ୍କୁ ପ୍ରତ୍ୟୟ ଦେଲେ ।

ଖଣ୍ଡିଏ ବସ୍ତ୍ରକୁ ଦୁହେଁ ପରିଧାନ କରିଥିବାରୁ କ୍ଳାନ୍ତ ଦମୟନ୍ତୀଙ୍କ ନିକଟରେ ନଳ ମଧ୍ୟ ବିଶ୍ରାମ ନେଉଥିଲେ ।

କିନ୍ତୁ ନିଦ୍ରାରୁ ଉଠି ଦମୟନ୍ତୀ ସ୍ୱାମୀଙ୍କୁ ନ ଦେଖି ପୂର୍ବ କଥା ସ୍ମରଣ କରି ବୁଝିଗଲେ ଯେ ନଳ ତାଙ୍କୁ ପରିତ୍ୟାଗ କରି ଚାଲିଯାଇଛନ୍ତି । କିନ୍ତୁ ସେ ଚରମ ସତ୍ୟକୁ ସ୍ୱୀକାର କରିନପାରି ଦମୟନ୍ତୀ ରୋଦନ କରିବାକୁ ଲାଗିଲେ । ପୁନଃପୁନଃ ନଳଙ୍କ ଉଦ୍ଦେଶ୍ୟରେ ଆର୍ତ୍ତସ୍ୱରରେ ଆହ୍ୱାନ କରି ତାଙ୍କୁ ଫେରି ଆସିବାକୁ ନିବେଦନ କଲେ । ସବୁ ବୃଥା ଗଲା ।

ଏକାକିନୀ ସୁକୁମାରୀ ରାଜକନ୍ୟା ଦମୟନ୍ତୀ ଘନ ଅରଣ୍ୟ ମଧ୍ୟରେ ଅସହାୟ ଅନୁଭବ କରୁଥିଲେ । ତାଙ୍କର ଅବସନ୍ନ ଶରୀରେ ଏକପାଦ ଯିବା ପାଇଁ ସାମର୍ଥ୍ୟ ନଥିଲା । ତାଙ୍କର ପ୍ରିୟତମ ସ୍ୱାମୀ ତାଙ୍କୁ ନିରାଶ୍ରୟା କରି ଚାଲିଯାଇଥିବାର ଘଟଣାରେ ସେ ତାଙ୍କର ମନୋବଳ ହରାଇ ସାରିଥିଲେ ।

ଏବେ ଜୀବନ ଓ ମୃତ୍ୟୁ ତାଙ୍କ ପାଇଁ ଅର୍ଥହୀନ ହୋଇଯାଇଥିଲା । ତାଙ୍କ ଶରୀରରେ ଥିବା ବସ୍ତ୍ର ଆଉ ପୂର୍ଣ୍ଣ ହୋଇନଥିଲା । ନଳ ପରିଧାନ କରିଥିବା ବସ୍ତ୍ରର ଅଂଶ କର୍ତ୍ତିତ ହୋଇ ଅର୍ଦ୍ଧେକ ରାଜକନ୍ୟାଙ୍କ ଶରୀରକୁ କିଛିମାତ୍ରାରେ ଆଚ୍ଛାଦିତ କରିଥିଲା ।

ଦମୟନ୍ତୀ ନିଜର କ୍ଳାନ୍ତ ଅବସନ୍ନ ଶରୀରକୁ କୌଣସି ପ୍ରକାରେ ଚଳାଇ ନେଇ ନିକଟରେ ଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ବସିପଡ଼ିଲେ । ଆଖି ଆଗରେ ଅତୀତ ଦୃଶ୍ୟ ପରେ ଦୃଶ୍ୟ ହୋଇ ଭାସିଆସିଲା ।

ବିଦର୍ଭ ଦେଶର ରାଜକନ୍ୟା ଭୁବନମୋହିନୀ ଦମୟନ୍ତୀ । ତପ୍ତ କାଞ୍ଚନ ପରି ତାଙ୍କର ଦେହର ବର୍ଣ୍ଣ । ପାନପତ୍ର ପରି ସୁନ୍ଦର ମୁଖାକୃତି । ହରିଣୀ ଆଖି ପରି ଦୀର୍ଘ ସୁନ୍ଦର ଆୟତ ନେତ୍ରଯୁଗଳ । ତିଳ ପୁଷ୍ପ ସମାନ ନାସିକା, ନବ କିଶଳୟ ସମୟ ରକ୍ତିମ ଓଷ୍ଠଧାର, ମୁକ୍ତାବଳୀ ପରି ଦନ୍ତପରି, କୃଷ୍ଣକୁଞ୍ଚିତ ଦୀର୍ଘ କବରୀ, ସୁବର୍ଣ୍ଣ ଶଙ୍ଖ ପରି କମନୀୟ ଗ୍ରୀବା ଦେଶ, କୃଶକଟି, ସୁଗଠିତ ନିତମ୍ୱ ଓ ଆଦ୍ୟ ତାରୁଣ୍ୟର ସ୍ପର୍ଶରେ ସ୍ନିଗ୍ଧ ସୁନ୍ଦର ଅବୟବ ।

ଅନୁପମ ସୌନ୍ଦର୍ଯ୍ୟର ଅଧିକାରିଣୀ ଦମୟନ୍ତୀ ସଖୀ ଓ ପରିଚାରିକାମାନଙ୍କ ସହ ରାଜପ୍ରାସାଦ ସଂଲଗ୍ନ ପୁଷ୍ପବାଟିକାରେ ଭ୍ରମଣ କରୁଥାନ୍ତି । କନ୍ୟା ଦମୟନ୍ତୀଙ୍କ ପାଇଁ ପରାକ୍ରମୀ ମହାରାଜ ଭୀମସେନ ସ୍ୱତନ୍ତ୍ର ଭାବରେ ନିର୍ମାଣ କରାଇଥିଲେ ସେହି ଉପବନ । ବିବିଧବର୍ଣ୍ଣା ସୁଗନ୍ଧିତ ପୁଷ୍ପରେ ଶୋଭିତ ନାନା ଆକୃତିର ବୃକ୍ଷରାଜି, ସଯତ୍ନବର୍ଦ୍ଧିତ ଲତାକୁଞ୍ଜ, ଶୁଭ୍ର ଓ ଲେହିତ ବର୍ଣ୍ଣର ପଦ୍ମପୁଷ୍ପରେ ପରିପୂର୍ଣ୍ଣ ସରୋବର ଥିବା ରମଣୀୟ ପରିବେଶ ତାଙ୍କର ପ୍ରିୟତମା କନ୍ୟା ଦମୟନ୍ତୀଙ୍କର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଥିଲା । ତା’ର ନାଁ ଥିଲା ପ୍ରମଦାବନ । ନାରୀର ବ୍ୟତୀତ ଅନ୍ୟ କାହାରି ପ୍ରବେଶ ସେଠାରେ ନଥିଲା ।

ପ୍ରାତଃକାଳ ! ସୂର୍ଯ୍ୟ ପୂର୍ବାଶାକୁ ସିନ୍ଦୂରିତ କରି ଉଦିତ ହୋଇ ଗଲେଣି । ଦମୟନ୍ତୀ କେତେଜଣ ପରିଚାରିକାଙ୍କ ସଙ୍ଗେ ଉପବନ ବିହାର କରୁଛନ୍ତି । ପ୍ରାତଃକାଳୀନ ସୁରଭିତ ଶୀତଳ ପବନର ମୃଦୁମନ୍ଦ ସ୍ପର୍ଶରେ ଏକ ଅପୂର୍ବ ଆନନ୍ଦର ଅନୁଭବ ।

ହଠାତ୍ ସଖୀ ଜଣେ ଚିତ୍କାର କରି ଉଠିଲା ସରୋବରର ଶଙ୍ଖମର୍ମର ପାବଚ୍ଛ ଶ୍ରେଣୀରେ ଏମାନେ କିଏ ?

ଆଃ କି ସୁନ୍ଦର ଏମାନେ !
ସ୍ୱର୍ଣ୍ଣପକ୍ଷ ସାରସଦଳ !
ଏତେ ଲୀଳାୟିତ ଗତି !
କୋଉଠୁ ଆସିଛନ୍ତି ଏମାନେ !

ପରିଚାରିକା ଜଣେ ସେହି ଦିଗରେ ଆଗେଇଯିବା ମାତ୍ରେ ସେମାନେ ଏକାସାଙ୍ଗରେ ସେମାନଙ୍କର ପକ୍ଷ ବିସ୍ତାର କରି ଉଡ଼ିଗଲେ । ସେମାନଙ୍କର ସ୍ୱଚ୍ଛ ସ୍ୱର୍ଣ୍ଣବର୍ଣ୍ଣର ପକ୍ଷ ଉପରେ ଝଲସି ଉଠିଲା ଉଦିତ ସୂର୍ଯ୍ୟଙ୍କର ସ୍ୱର୍ଣ୍ଣାଭ କିରଣମାଳା ।

ଚତୁର୍ଦ୍ଦିଗରେ ସୁବର୍ଣ୍ଣ ଦ୍ୟୁତି ।
ଆହା ଉଡ଼ିଗଲେ ଯେ !

ସମସ୍ତଙ୍କୁ ଉଚ୍ଚକିତ କରି ସ୍ୱର୍ଣ୍ଣପକ୍ଷ ସାରସଦଳ ପୁଣି ଓହ୍ଲାଇ ପଡ଼ିଲେ ଶ୍ୟାମଦୁର୍ବାଦଳର ମସୃଣ ଆସ୍ତରଣ ଉପରେ । ଅପୂର୍ବ ଭଙ୍ଗୀରେ ଘୂରି ବୁଲିବାକୁ ଲାଗିଲେ ।

ସେମାନଙ୍କର ସୁନ୍ଦର ଆକୃତି ସୁଢ଼ଳ ଗତିରେ ମୁଗ୍ଧ ବିଭୋର ଦମୟନ୍ତୀ ପରିଚାରିକାମାନଙ୍କୁ ନିର୍ଦ୍ଦେଶ ଦେଲେ କୌଣସି ପ୍ରକାରେ ସେମାନଙ୍କୁ ଧରିବାକୁ ହେବ । ସବୁଜ ଆସ୍ତରଣର କଡ଼େ କଡ଼େ ଥିବା ପୁଷ୍ପିତ ଲତାକୁଞ୍ଜ ପଛରେ ଆତ୍ମଗୋପନ କରି କରି ପରିଚାରିକାଙ୍କ ସହ ଦମୟନ୍ତୀ ମଧ୍ୟ ସାରସଦଳକୁ ଘେରି ଗଲେ । ଏଥର ଏକାସାଙ୍ଗରେ ଦଉଡ଼ିଯିବାକୁ ପଡ଼ିବ ଅପ୍ରସ୍ତୁତ ସାରସଙ୍କ ଦିଗରେ ।

ଦମୟନ୍ତୀ ଇସାରା କଲେ ପରିଚାରିକାମାନଙ୍କୁ । ଦେଖୁ ଦେଖୁ ସାରସମାନେ ବିଭିନ୍ନ ଦିଗରେ ଧୀର ଗତିରେ ଉଡ଼ିଯାଉଥିବାବେଳେ ତାଙ୍କୁ ଧରିବା ଓ ପୁଣି ନ ଧରି ପାରିବା ଅବସ୍ଥାରେ ଯିଏ ଯୁଆଡ଼େ ଦୌଡୁଥିଲେ ।

ରାଜକନ୍ୟା ଦମୟନ୍ତୀ ଗୋଟିଏ ସାରସ ପଛରେ ଦୌଡ଼ି ଯାଉ ଯାଉ ଉପବନର ନିଭୃତ ସ୍ଥାନରେ ପହଞ୍ଚି ଯାଇଥିଲେ ।

ହଠାତ୍ ସ୍ୱର୍ଣ୍ଣପକ୍ଷ ସାରସଟି ଦମୟନ୍ତୀଙ୍କୁ ମନୁଷ୍ୟର ସ୍ୱରରେ କହିଲା, “ହେ ରୂପୋତ୍ତମା ରାଜକନ୍ୟା ! ମୋ କଥା ଧ୍ୟାନପୂର୍ବକ ଶ୍ରବଣ କର । ନିଷଧ ଦେଶରେ ନଳ ନାମରେ ଜଣେ ନରପତି ଅଛନ୍ତି । ସେ ଅଶ୍ୱିନୀକୁମାନଙ୍କ ପରି ରୂପବାନ, କନ୍ଦର୍ପ ମୂର୍ତ୍ତିମନ୍ତ ହେବା ପରି ତାଙ୍କର ସୁନ୍ଦର ସ୍ୱରୂପ । ଆମ୍ଭେମାନେ ଆକାଶମାର୍ଗରେ ଗମନ କରି କେତେ ନା କେତେ ରାଜ୍ୟ ଭ୍ରମଣ କରିଛୁ । କେତେ ଦେବତା, ଗନ୍ଧର୍ବ ଓ ଉତ୍ତମ ମନୁଷ୍ୟମାନଙ୍କୁ ଦର୍ଶନ କରିଅଛୁ, କିନ୍ତୁ କେହି ଜଣେ ବି ସୌନ୍ଦର୍ଯ୍ୟରେ ନଳଙ୍କର ସମକକ୍ଷ ନୁହଁନ୍ତି । ନାରୀମାନଙ୍କ ମଧ୍ୟରେ ତୁମେ ଯେପରି ସର୍ବଶ୍ରେଷ୍ଠ ରୂପବତୀ ପୁରୁଷମାନଙ୍କ ମଧ୍ୟରେ ନଳ ସେହିପରି ବିରଳ ସୌନ୍ଦର୍ଯ୍ୟର ଅଧିକାରୀ । ଆପଣ ତାଙ୍କୁ ବିବାହ କଲେ ତାହା ମଣିକାଞ୍ଚନ ସଂଯୋଗ ପରି ହେବ ।

ଦମୟନ୍ତୀ ହଂସର ମଣିଷ ସ୍ୱର ଶୁଣି ପ୍ରଥମେ ବିସ୍ମିତ ହୋଇଥିଲେ । କିନ୍ତୁ ହଂସ ମୁଖରୁ ରାଜା ନଳଙ୍କ ପ୍ରସଙ୍ଗ ଶୁଣି ତାଙ୍କର ମନ ପ୍ରାଣରେ ସୃଷ୍ଟି ହେଲା ଅପୂର୍ବ ଉଲ୍ଲାସ । ଏପରି ଜଣେ ନରୋତ୍ତମ ଏ ସଂସାରରେ ଅଛନ୍ତି ଜାଣି ତାଙ୍କର କୁମାରୀ ମନ ସ୍ୱତଃ ସେହି ଅଜଣା ପୁରୁଷଙ୍କ ଦିଗରେ ଆକର୍ଷିତ ହେଲା ।

ସେ ନିଜକୁ ସମ୍ୱରଣ କରି ପଚାରିଲେ, “ହେ ହଂସ, ନିଷଧରାଜ ନଳ କେବଳ ଜଣେ ରୂପବାନ ପୁରୁଷ ନା ତାଙ୍କର ଅନ୍ୟ କିଛି ଗୁଣ ଅଛି ?”

ହଂସ କହିଲା “ହେ ସୁନ୍ଦରୀ, ମୁଁ ଯାହାଙ୍କ କଥା ତୁମ ନିକଟରେ କହିଲି ସେ କେବଳ ରୂପବାନ ନୁହନ୍ତି ଗୁଣରେ ମଧ୍ୟ କେହି ତାଙ୍କର ସମତୁଲ ନାହିଁ । ସେ ବେଦଜ୍ଞ, ବୀର, ସତ୍ୟବାଦୀ, ଜିତେନ୍ଦ୍ରିୟ, ଉଦାର ସ୍ୱଭାବ, ଅକ୍ଷପ୍ରିୟ, ବହୁସେନାର ଅଧିପତି, ଶ୍ରେଷ୍ଠ ଧନୁର୍ଦ୍ଧାରୀ ଓ ଅତ୍ୟନ୍ତ ଦୟାଳୁ ।”

ଦମୟନ୍ତୀ ହଂସବାଣୀରେ ଅଭିଭୂତ ହୋଇ ପଡ଼ିଥିଲେ । ନଳଙ୍କୁ ଦୟାଳୁ କହି ହଂସ ତାଙ୍କ ପ୍ରତି କୃତଜ୍ଞତା ଜଣାଉଥିଲା । କାରଣ କିଛିଦିନ ପୂର୍ବେ ସେହି ସ୍ୱର୍ଣ୍ଣପକ୍ଷ ହଂସଟି ନିଷଧ ରାଜାଙ୍କର ଅନ୍ତଃପୁର ସମୀପରେ ଥିବା ଘଞ୍ଚ ବୃକ୍ଷରାଜ ମଧ୍ୟରେ ବିଚରଣ କରୁଥିବା ସମୟରେ ରାଜା ନଳଙ୍କ ହାତରେ ଧରାପଡ଼ି ଯାଇଥିଲା । ସେ ଭୟରେ ମୃତ୍ୟୁର ଆଶଙ୍କା କରୁଥିବାବେଳେ ନଳ ତା’ର ସ୍ୱଚ୍ଛ ପକ୍ଷ ଉପରେ ସ୍ନେହରେ କର ସଞ୍ଚାଳନ କରିଥିଲେ । ସେହି ସମୟରେ ସେ ତାଙ୍କର ସ୍ନେହର ପ୍ରତିଦାନ ଦେବା କଥା ମନରେ ଭାବି ଦମୟନ୍ତୀଙ୍କ କଥା କହିଥିଲା ଓ ଏହି ରୂପବତୀ ରାଜକନ୍ୟାଙ୍କର ମନରେ ନଳଙ୍କ ପ୍ରତି ଅନୁରାଗ ସଞ୍ଚାର କରିବାର ପ୍ରୟାସ କରିବା କଥା ମଧ୍ୟ କହିଥିଲା ।

ନଳ ତାକୁ ମୁକ୍ତ କରିଦେଇଥିଲେ । ସେ ସ୍ୱର୍ଣ୍ଣପକ୍ଷ ବିହଙ୍ଗ ତା’ର ଅନ୍ୟ ବନ୍ଧୁମାନଙ୍କ ସହ ବିଦର୍ଭ ନଗରୀକୁ ଉଡ଼ି ଆସିଥିଲା । ସେ ପୂର୍ବରୁ ଏ ଅଞ୍ଚଳରେ ବିହାର କରିବାବେଳେ ପ୍ରମଦାବନରେ ସଖୀ ପରିବୃତା ଦମୟନ୍ତୀଙ୍କୁ ଦେଖିବାର ସୁଯୋଗ ପାଇଥିଲା । ତେଣୁ ତାଙ୍କ ଆଗମନକୁ ଅପେକ୍ଷା କରି ସେ ଅନ୍ୟ ହଂସମାନଙ୍କ ସହ ସରୋବରରେ ସନ୍ତରଣ ଓ ପାବଚ୍ଛମାନଙ୍କରେ କ୍ରୀଡ଼ାରତ ଥିଲା ।

ଦମୟନ୍ତୀଙ୍କର ଆବେଶ କଟିଗଲା । ସେ ଆନନ୍ଦରେ ଉତ୍ ଫୁଲ୍ଲିତା ହୋଇ କହିଲେ, “ହେ ସ୍ୱର୍ଣ୍ଣସାରସ, ତୁମେ ଯାଇ ନିଷଧ ମହୀପତି ନଳଙ୍କୁ ଜଣାଇଦିଅ ଯେ ମୁଁ ତାଙ୍କୁ ହିଁ ମୋର ପତି ରୂପେ ବରଣ କରିବି । ତାଙ୍କ ଭିନ୍ନ ଅନ୍ୟ କୌଣସି ପୁରୁଷ ମତେ ଆକୃଷ୍ଟ କରିପାରିବେ ନାହିଁ । ମୋର ଏହି ସତ୍ୟବଚନ ତାଙ୍କୁ ଅବଗତ କରାଇବ ।”

ପରିଚାରିକାମାନଙ୍କ ହାତରେ ଧରାପଡ଼ିଥିବା ଦୁଇଚାରୋଟି ହଂସଙ୍କୁ ସେହିକ୍ଷଣି ମୁକ୍ତ କରିଦେବାକୁ ରାଜକନ୍ୟା ନିର୍ଦ୍ଦେଶ ଦେଲେ ।

ସୂର୍ଯ୍ୟକିରଣର ସ୍ପର୍ଶରେ ସାରସଦଳ ନିଜ ନିଜର ସ୍ୱର୍ଣ୍ଣପକ୍ଷରୁ ସ୍ୱର୍ଣ୍ଣାଭ ଦ୍ୟୁତି ବିଚ୍ଛୁରିତ କରି କରି ନୀଳ ଆକାଶରେ ଭାସି ଚାଲିଲେ ।

କିଛି ମୁହୂର୍ତ୍ତ ପୂର୍ବର ସେହି ଅଭାବିତ ଘଟଣାଟି ରାଜକନ୍ୟା ଦମୟନ୍ତୀଙ୍କର କୁମାରୀ ଜୀବନର ଆବେଗଚପଳ ଆନନ୍ଦ ମୁଖର ଜୀବନଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା ।

ରାଜା ନଳଙ୍କର କାଳ୍ପନିକ ରୂପ ମନରେ ସେ ଆଙ୍କି ସାରିଥିଲେ । ସେହି ରୂପର ଧ୍ୟାନରେ ଚିତ୍ତ ତାଙ୍କର ନିମଗ୍ନ ରହିଲା । ସେ ଆଖି ଆଗରେ ଦେଖୁଥିବା ଦୃଶ୍ୟକୁ ଦେଖିପାରୁନଥିଲେ ବା ଶୁଣାଯାଉଥିବା କଥାର ଅର୍ଥ କିଛି ବୁଝିପାରୁନଥିଲେ । ତାଙ୍କର ସବୁପ୍ରକାର ଚଞ୍ଚଳତା ସରିଯାଇଥିଲା । ମୁହଁରୁ ହସ ଲିଭିଯାଇଥିଲା । କିନ୍ତୁ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହୋଇ ବସିଥିବାବେଳେ ତାଙ୍କ ଓଷ୍ଠଧାରରେ ଈଷତ୍ ହାସର ରେଖାଟିଏ ଫୁଟି ଉଠୁଥିଲା । ଗଣ୍ଡଦେଶ ଲାଜର ଅରୁଣିମାରେ ରଞ୍ଜିତ ହୋଇ ଉଠୁଥିଲା । ବସନଭୂଷମ ପ୍ରତି ଧ୍ୟାନ ନଥିଲା । ସେ ପ୍ରାୟତଃ ନିରାହାର ରହିଲେ । ରାତ୍ରିକାଳ କେବଳ ଶଯ୍ୟାରେ ପଡ଼ି ରହିବା ସାର ହେଲା । ତନୁ କ୍ଷୀଣ ହେବାକୁ ଲାଗିଲା । ରମଣୀୟ ମୁଖମଣ୍ଡଳରେ ପାଣ୍ଡୁରତା ଦେଖା ଦେଲା ।

ଧୀରେ ଧୀରେ ତାଙ୍କର ଏ ଅବସ୍ଥା ସଖୀ ଓ ପରିଚାରିକାଗଣଙ୍କୁ ବ୍ୟଥିତ କରିପକାଇଲା । କିନ୍ତୁ କ’ଣ ଏହାର ରହସ୍ୟ । ସେଦିନ ସେ ସ୍ୱର୍ଣ୍ଣପକ୍ଷ ସାରସଟି ପଛରେ ଦମୟନ୍ତୀ ଉଚ୍ଚକିତ ହୋଇ ପ୍ରଧାବିତ ହେବାର ଦୃଶ୍ୟ ସମସ୍ତେ ଦେଖିଥିଲେ । କୌତୂହଳ ଓ ଆନନ୍ଦରେ ଉଲ୍ଲସିତ ହୋଇ ଉଠୁଥିବା ରାଜକନ୍ୟାଙ୍କର କଥା ତ ସମସ୍ତଙ୍କର ସ୍ମରଣରେ ଅଛି । କିନ୍ତୁ ତା’ପରେ କ’ଣ ହେଲା ? ଲତାକୁଞ୍ଜର ଅନ୍ତରାଳରୁ ବାହାରି ଆସିଥିଲେ ଦମୟନ୍ତୀ ସମ୍ପୂର୍ଣ୍ଣ ଭିନ୍ନ ଅବସ୍ଥାରେ । ତାଙ୍କର ସେ ଅଦ୍ଭୁତ ନିରବତା ଓ ଅନ୍ୟମନସ୍କ ଭାବ ସମସ୍ତଙ୍କୁ ସେଦିନ ଚକିତ କରିଥିଲା । କିନ୍ତୁ ହଠାତ୍ ସେ ସମ୍ପର୍କରେ କିଏ ବା ପ୍ରଶ୍ନ କରିଥାନ୍ତା ?

ତା’ପରେ

ଲୋକପ୍ରିୟ ଲେଖା

To Top