ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ହେ ଆରାଧ୍ୟ ଦେବଗଣ, ମୁଁ ପ୍ରାର୍ଥନା କରୁଛି ଆପଣମାନେ ମତେ ମୋର ସତ୍ୟରକ୍ଷାରେ ସହାୟତା କରନ୍ତୁ । ଆପଣମାନଙ୍କର କଲ୍ୟାଣ ବିନା ମୁଁ ଏହି ସଙ୍କଟରୁ ସ୍ୱଚେଷ୍ଟାରେ ବର୍ତ୍ତିପାରିବି ନାହିଁ ।

ଅନୁବ୍ରତା ଦମୟନ୍ତୀ

-: ପୂର୍ବରୁ :-

ଏବେ ତ ପ୍ରଶ୍ନ ନ କରି ଉପାୟ ନାହିଁ । ରାଜାଙ୍କ ନିକଟରେ ତାଙ୍କର ଆଦରଣୀୟା କନ୍ୟାର ସମ୍ୱାଦ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଜାଣିବାକୁ ପଡ଼ିବ ଦମୟନ୍ତୀଙ୍କର ଚିନ୍ତାଗ୍ରସ୍ତ ହେବାର ରହସ୍ୟ ।

ସଖୀମାନଙ୍କର ବାରମ୍ୱାର ଅନୁରୋଧ ନିକଟରେ ନିଜକୁ ଖୋଲି ଦେଲେ ଦମୟନ୍ତୀ । ରହସ୍ୟ ଜଣାପଡ଼ିଗଲା । ନିଷଧ ଦେଶର ନରପତି ନଳ ହିଁ ତାଙ୍କର ମନପ୍ରାଣକୁ ପୂରାପୁରି ଆଚ୍ଛନ୍ନ କରି ରଖିଛନ୍ତି ।

ମହାରାଜ ଭୀମ ମଧ୍ୟ ସବୁ କଥା ଜାଣିବାକୁ ପାଇଲେ । କନ୍ୟାର ବିବାହ ବୟସ ଆସିଯାଇଥିବାରୁ ଆଉ ବିଳମ୍ୱ କରିବା ଉଚିତ୍ ନୁହେଁ । ସ୍ଵୟମ୍ବରର ଆୟୋଜନ କରାଗଲା । ରାଜାଙ୍କର ବିଶ୍ୱାସ ଥିଲା ଏଥିରେ ଯୋଗ ଦେବାକୁ ଆସିଥିବା ରାଜା ଓ ରାଜପୁତ୍ରଙ୍କ ମଧ୍ୟରୁ ତାଙ୍କର କଲ୍ୟାଣୀ କନ୍ୟା ନିଜ ଇଚ୍ଛାନୁରୂପ ବର ନିର୍ବାଚନ କରିପାରବେ ।

ରାଜ୍ୟରୁ ରାଜ୍ୟକୁ ଏ ସମ୍ୱାଦ ପ୍ରସରିଗଲା । ରାଜନ୍ୟବର୍ଗ ନିମନ୍ତ୍ରିତ ହେଲେ । ବିଦର୍ଭ ନଗରୀରେ ଆରମ୍ଭ ହେଲା ଅଦ୍ଭୁତପୂର୍ବ ଆୟୋଜନ । ରାଜଅତିଥିମାନଙ୍କର ସ୍ୱାଗତ ପାଇଁ ବିପୁଳ ବ୍ୟବସ୍ଥା କରାଗଲା ।

ହସ୍ତୀ, ଅଶ୍ୱ ଓ ରଥର ନିଘୋର୍ଷରେ ବସୁନ୍ଧରାକୁ ନିନାଦିତ କରି, ବିଚିତ୍ରମାଲ୍ୟ ଓ ଆଭରଣ ଧାରଣ କରି ସ୍ୱ ସ୍ୱ ପ୍ରଶିକ୍ଷିତ ଓ ସୁସଜ୍ଜିତ ସେନାବାହିନୀ ସହ ଜଣକ ପରେ ଜଣେ ରାଜାଙ୍କର ବିଦର୍ଭ ନଗରୀକୁ ଆଗମନ ହେଲା ।

ସ୍ୱର୍ଣ୍ଣପକ୍ଷ ହଂସ ନିକଟରୁ ଦମୟନ୍ତୀଙ୍କର ବାର୍ତ୍ତା ପାଇ ସାରିଥିଲେ ନିଷଧ ପତି ନଳ । ଦମୟନ୍ତୀଙ୍କର ବରମାଲ୍ୟ ତାଙ୍କ ଗଳାରେ ଶୋଭା ପାଇବା ବିଷୟରେ ସେ ନିଃସନ୍ଦେହ ଥିଲେ । ସ୍ଵୟମ୍ବର ସଭାରେ ଯୋଗ ଦେବା ପାଇଁ ରାଜା ନଳ ତାଙ୍କ ରାଜକୀୟ ଆଟୋପରେ ଯାତ୍ରା ଆରମ୍ଭ କଲେ ।

ଇତ୍ୟବସରରେ ଦେବର୍ଷି ନାରଦ ଇନ୍ଦ୍ରଭୁବନରେ ପହଞ୍ଚି ଦମୟନ୍ତୀଙ୍କ ସ୍ଵୟମ୍ବର ପ୍ରସଙ୍ଗ ଆଲୋଚନା କରିଥିଲେ । ଦେବତାମାନେ ଯେତେବେଳେ ଜାଣିଲେ ଯେ ଦମୟନ୍ତୀଙ୍କ ପରି ରୂପବତୀ ନାରୀ ପୃଥିବୀରେ ଅନ୍ୟ କେହି ନାହାନ୍ତି ସେମାନଙ୍କ ମନରେ ମଧ୍ୟ ସ୍ଵୟମ୍ବର ସଭାରେ ଯୋଗ ଦେବାର ଆଗ୍ରହ ସୃଷ୍ଟି ହେଲା । ଏହି ନାରୀରତ୍ନକୁ ଲାଭ କରିବା ପାଇଁ ସେମାନେ ମଧ୍ୟ ଉତ୍ସୁକ ହୋଇପଡ଼ିଲେ ।

ସ୍ୱର୍ଗରୁ ଅବରଣ କରୁଥିଲା ଲୋକପାଳ ଦେବତାମାନଙ୍କର ଦିବ୍ୟଯାନ । ଏଣେ ଭୂତଳରେ ସମାନ ସମୟରେ ରାଜା ନଳ ନିଜର ସୁସଜ୍ଜିତ ରଥ ଆରୋହଣ କରି ବନପଥରେ ଗମନ କରୁଥିଲେ । ଶୂନ୍ୟରୁ ତାଙ୍କୁ ନିରୀକ୍ଷଣ କଲେ ଅଗ୍ନି-ଇନ୍ଦ୍ର-ବରୁଣ ଓ ଯମ ପ୍ରଭୃତି ଦେବତାଗଣ । ନଳଙ୍କର ସୂର୍ଯ୍ୟସମ ଦୀପ୍ତି ଓ କନ୍ଦର୍ପସମ କାନ୍ତିମାନ ରୂପ ଦର୍ଶନ କରି ସେମାନେ ହତାଶା ଅନୁଭବ କଲେ । ସେମାନଙ୍କର ଅନୁଭବ ହେଲା ଯଦି ଏହି ରାଜା ସ୍ଵୟମ୍ବର ସଭାରେ ଯୋଗ ଦେବେ ତେବେ ରାଜକନ୍ୟାଙ୍କ ବରମାଲ୍ୟ ଅନ୍ୟ କାହାରି ଭାଗ୍ୟରେ ରହିବ ନାହିଁ ।

ଦେବଗଣ ସ୍ୱ ସ୍ୱ ଯାନକୁ ଅନ୍ତରୀକ୍ଷଣରେ ରଖି ଭୂମିକୁ ଓହ୍ଲାଇ ଆସିଲେ । ଏକା ସାଙ୍ଗରେ ଚାରିଜଣ ତେଜସ୍ୱୀ ଦିବ୍ୟପୁରୁଷଙ୍କୁ ତାଙ୍କ ନିକଟକୁ ଆସିବାର ଦେଖି ନଳ ବିସ୍ମିତ ହୋଇଗଲେ । ସେ କିଛି ଜିଜ୍ଞାସା କରିବା ପୂର୍ବରୁ ଇନ୍ଦ୍ରଦେବ ନିଜର ପରିଚଣ ଦେବାସହ ଅଗ୍ନି, ବରୁଣ ଓ ଯମଦେବଙ୍କୁ ମଧ୍ୟ ଚିହ୍ନାଇ ଦେଲେ । ସେମାନେ କେଉଁ ଉଦ୍ଦେଶ୍ୟରେ ଧରାବତରଣ କରିଛନ୍ତି ତାହାର କାରଣ ମଧ୍ୟ ବ୍ୟକ୍ତ କଲେ ।

ରାଜା ନଳ ରଥରୁ ଅବତରଣ କରି ସେମାନଙ୍କୁ ପ୍ରଣିପାତପୂର୍ବକ ନିଜର ପରିଚୟ ଦେବା ସହ ସେ ମଧ୍ୟ ସ୍ଵୟମ୍ବର ସଭାରେ ଯୋଗ ଦେବାକୁ ଯାଉଥିବା କଥା କହିଲେ । କିନ୍ତୁ ଦେବତାମାନେ ସେମାନଙ୍କ ପାଇଁ ଦୌତ୍ୟ କରିବା ଲାଗି ନଳଙ୍କୁ ବାଧ୍ୟ କଲେ ଯେ ନଳ କୌଣସି ପ୍ରକାରେ ଚାରିଜଣ ପାଣିପ୍ରାର୍ଥୀ ଦେବତାମାନଙ୍କ ମଧ୍ୟରୁ ପସନ୍ଦ ଅନୁରୂପ ଜଣଙ୍କୁ ବରଣ କରିବା ପାଇଁ ଦମୟନ୍ତୀଙ୍କୁ ସମ୍ମତ କରାଇବାର ଯତ୍ନ କରିବେ ।

ନଳ ଦେବତାମାନଙ୍କର ଅନୁରୋଧ ପରି ମନେ ହେଉଥିବା ନିର୍ଦ୍ଦେଶକୁ ମାନିବାକୁ ଏକପ୍ରକାର ବାଧ୍ୟ ହେଲେ । ଦେବ ପ୍ରଭାବରେ ବିଦର୍ଭ ନଗରୀରେ ପ୍ରବେଶ କରି ସେ ରାଜକନ୍ୟାଙ୍କର କକ୍ଷଯାଏ ଥିବା ପ୍ରତିଟି ସୁରକ୍ଷା ବଳୟକୁ ଅନାୟାସରେ ଅତିକ୍ରମ କରିଗଲେ ।

ନଳଙ୍କ ମନରେ ଗଭୀର ଦ୍ୱନ୍ଦ୍ୱ ଲାଗି ରହିଥିଲା । ସେ ଯେଉଁ ନାରୀ ପାଇଁ କୃତସଂକଳ୍ପ, ଏକାଗ୍ର ହୋଇ ରହିଛନ୍ତି ଓ ଯାହାଙ୍କୁ ସେ ପତ୍ନୀରୂପରେ ମନରେ ଗ୍ରହଣ କରିସାରିଛନ୍ତି, ତାଙ୍କୁ ଅନ୍ୟ କେହି ପୁରୁଷକୁ ପତିରୂପେ ବରଣ କରିବା କଥା ସେ ନିଜେ କିପରି ବା କହିପାରିବେ ।

କିନ୍ତୁ ଦେବତାମାନେ ନିଜର ପରିଚୟ ଦେଇ ତାଙ୍କ ପାଇଁ ଗୋଟିଏ କାମ କରିଦେବାର ପ୍ରତିଶ୍ରୁତି ତାଙ୍କଠାରୁ ପ୍ରଥମେ ନେଇଯାଇଥିଲେ । ନଳ ମଧ୍ୟ ଦେବକର୍ମରେ ସହଯୋଗୀ ହେବା ପରମ ଭାଗ୍ୟ ବୋଲି ମନେକରି ଆନନ୍ଦରେ ନିଜର ସମ୍ମତି ଜଣାଇଥିଲେ । ସେ କଣ ସେତେବେଳେ ଅନୁମାନ କରିପାରିଥିଲେ କି କେଉଁ ବିଷମ କାର୍ଯ୍ୟ ତାଙ୍କୁ କରିବାକୁ ହେବ ? କିନ୍ତୁ ସେ ଯେ କ୍ଷତ୍ରିୟ ! ନିଜର ହୃଦୟ ଛିନ୍ନଭିନ୍ନ ହେଉଥିବା ବେଳେ ବି ସେ ତାଙ୍କର ପ୍ରଦତ୍ତ ପ୍ରତିଶ୍ରୁତି ନିଶ୍ଚୟ ରକ୍ଷା କରିବେ ।

ସେ ଅଦୃଶ୍ୟ ଭାବରେ ପହଞ୍ଚିଗଲେ ଦମୟନ୍ତୀଙ୍କର କକ୍ଷରେ । ସଖୀଗଣଙ୍କ ମଧ୍ୟରେ ମୁକ୍ତକେଶା ଦମୟନ୍ତୀ ପ୍ରସାଧନ ପାଇଁ ପ୍ରସ୍ତୁତ ହେଉଥିଲେ । ସେହି ବରବର୍ଣ୍ଣିନୀ ସୁମଧ୍ୟମା ଓ ଚାରୁହାସିନୀ ରାଜକନ୍ୟାଙ୍କର ରୂପଶୋଭାରେ ନଳ ମୋହିତ ହୋଇଗଲେ । କିନ୍ତୁ ପର ମୁହୂର୍ତ୍ତରେ ଦେବତାମାନଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି ସ୍ମରଣ କରି ନିଜକୁ ସଂଯତ କରିନେଲେ ।

ଏବେ ସେ ହଠାତ୍ ପ୍ରତ୍ୟକ୍ଷ ହେଲେ ସମସ୍ତଙ୍କ ସମ୍ମୁଖରେ । ରାଜକନ୍ୟାଙ୍କର ସୁରକ୍ଷିତ ପ୍ରକୋଷ୍ଠ ମଧ୍ୟକୁ ଆକସ୍ମିକ ଭାବରେ ଜଣେ ପୁରୁଷର ପ୍ରବେଶ ସେମାନଙ୍କୁ ଯେତିକି ଆଶ୍ଚର୍ଯ୍ୟ ଓ ଭୀତ କରିନଥିଲା ତା’ ଠାରୁ ଅଧିକ ସେମାନେ ପ୍ରୀତ ହୋଇଥିଲେ । ଏପରି ଜଣେ ସୌମ୍ୟଦର୍ଶନ ତେଜସ୍ୱୀ ତରୁଣଙ୍କୁ କେହି କେବେ ପୂର୍ବରୁ ଦର୍ଶନ କରିବାର ସୁଯୋଗ ପାଇନଥିଲେ । ସମସ୍ତେ ସ୍ୱ ସ୍ୱ ଆସନରୁ ଉତ୍ଥିତ ହୋଇ ନିର୍ବାକ୍ ଭାବରେ ତାଙ୍କୁ ଚାହିଁ ରହିଥିଲେ ।

ସମସ୍ତେ ନିରବ, କିନ୍ତୁ ମନ ଭିତରେ ସମସ୍ତଙ୍କର ସେଇ କେତୋଟି ପ୍ରଶ୍ନ ଗୁଞ୍ଜରିତ ହେଉଥିଲା ।

ଏହି କନ୍ଦର୍ପକାନ୍ତି ପୁରୁଷ କିଏ ? ଇଏ କ’ଣ କେହି ଦେବତା ନା କେହି ଯକ୍ଷ ନା ଗନ୍ଧର୍ବ ? ଏପରି ରୂପଶାଳୀ ପୁରୁଷ କିଏ ହୋଇପାରନ୍ତି ? କ’ଣ ଆ’ଙ୍କର ପରିଚୟ ?

ପ୍ରଶ୍ନ ସବୁ ମନରେ ଅନୁଚ୍ଚାରିତ ହୋଇ ରହିଗଲା, ଦୃଷ୍ଟି ମୁଗ୍ଧ ବିଭୋର ହୋଇ ରହିଥିଲା ନଳଙ୍କର ରୂପ ସଂଦର୍ଶନରେ ।

ଦମୟନ୍ତୀ ନିଜର ମୁଗ୍ଧତା ସତ୍ତ୍ୱେ ସଚେତନ ଭାବରେ ପ୍ରଶ୍ନ କଲେ, “ହେ ସୁଦର୍ଶନ ପୁରୁଷଶ୍ରେଷ୍ଠ ଆପଣ କିଏ ? କ’ଣ ଆପଣଙ୍କର ପରିଚୟ ? ଆମ୍ଭର ରାଜପ୍ରାସାଦ ସମ୍ପୂର୍ଣ୍ଣ ସୁରକ୍ଷିତ । ବିଶେଷ କରି ପ୍ରମଦାନିବାସର ସୁରକ୍ଷା ଖୁବ୍ ଦୃଢ଼ । ଆପଣ ସୁରକ୍ଷା ବଳୟ ଭେଦ କରି କିପରି ଏଠାରୁ ଆସିପାରିଲେ ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି । ଏହାର ରହସ୍ୟ କ’ଣ ଜଣାଇବେ କି ?”

ନଳ ବିନୀତ ଭାବରେ ନିଜର ପରିଚୟ ହେଲେ ମୁଁ ନିଷଧ ଦେଶରେ ମହୀପତି ନଳ ।

ନଳଙ୍କର ନାମ ଶ୍ରବଣ କରୁ କରୁ ଦମୟନ୍ତୀଙ୍କର ମୁଖ ଲଜ୍ଜାରେ ଅରୁଣ ବର୍ଣ୍ଣ ଧାରଣ କଲା । ଯେଉଁ ନାମଟିକୁ ସେଦିନ ସ୍ୱର୍ଣ୍ଣସାରସ ମୁଖରୁ ଶୁଣିବା ପରଠାରୁ ସେ ତାକୁ ଜପାମାଳି କରୁଛନ୍ତି, ସେ ଆସି ସ୍ୱୟଂ ତାଙ୍କ ସମ୍ମୁଖରେ । ଏହା କ’ଣ ବିଶ୍ୱାସଯୋଗ୍ୟ ! କିନ୍ତୁ ବିଶ୍ୱାସ ଅବିଶ୍ୱାସର ଆଉ ପ୍ରଶ୍ନ ତ ନାହିଁ । ତାଙ୍କର ଅଭିଷ୍ଟ ପୁରୁଷ ରାଜା ନଳ ତ ସଶରୀରେ ତାଙ୍କ ସମ୍ମୁଖରେ ଉପସ୍ଥିତ ।

ନଳ ଖୁବ୍ ସଂଯତ ଓ ଧୀର ଭାବରେ ନିଜର ପ୍ରକୃତ ମନୋଭାବକୁ ଗୋପନ ରଖି ଦମୟନ୍ତୀଙ୍କ ନିକଟରେ ଦେବତାମାନଙ୍କର ପ୍ରସ୍ତାବ ରଖିଲେ । ଇନ୍ଦ୍ର, ଅଗ୍ନି, ବରୁଣ ଓ ଯମଙ୍କ ମଧ୍ୟରୁ ଜଣକୁ ବରଣ କରିବା ପାଇଁ ଦେବତାମାନେ କରିଥିବା ଅନୁରୋଧ ସେ ବିନୀତ ଭାବରେ ଜଣାଇଦେଲେ ।

ନଳଙ୍କଠାରୁ ଦେବତାମାନଙ୍କର ତାଙ୍କଠାରେ ଆଗ୍ରହ ଜାଣି ରାଜନନ୍ଦିନୀଙ୍କର ହୃଦୟ ଶୋକାକୁଳ ହେଲା । ନେତ୍ରଦ୍ୱୟ ଲୋତକାପ୍ଳୁତ ହେଲା । ସେ ବାଷ୍ପରୁଦ୍ଧ କଣ୍ଠରେ ନଳଙ୍କୁ ସମ୍ୱୋଧନ କରି କହିଲେ, “ହେ ରାଜନ୍, ମୁ ଆପଣଙ୍କ ବ୍ୟତୀତ ଅନ୍ୟ କାହାକୁ ପତି ରୂପେ ବରଣ କରିପାରିବି ନାହିଁ ।”

ନଳ ଉତ୍ତର ଦେଇ କହିଲେ “ହେ ଶୁଭାଙ୍ଗୀ, ଆମ୍ଭେ ଦେବତାମାନଙ୍କର ପ୍ରଦତ୍ତ କାର୍ଯ୍ୟ ସମ୍ପନ୍ନ କରିଛୁ । ଏଣିକି ତୁମେ କ’ଣ କରିବ, ସେ ବିଷୟରେ ତୁମେ ହିଁ ଜାଣ ।”

ଦମୟନ୍ତୀ ଦୃଢ଼ତାର ସହ କହିଲେ, “ଠିକ୍ ଅଛି, ଆପଣ ଦେବତାମାନଙ୍କର କର୍ମ ପୂର୍ଣ୍ଣ ନିଷ୍ଠାର ସହ କରିଛନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ମୋର ସ୍ଵୟମ୍ବର ସଭାକୁ ଆପଣ ମଧ୍ୟ ଦେବତାମାନଙ୍କ ସହିତ ଆସି ଉପବେଶନ କରିବେ । ମୁଁ ସେ ସମସ୍ତ ଲୋକପାଳ ଦେବତାଙ୍କ ସମକ୍ଷରେ ଆପଣଙ୍କୁ ବରଣ କରିବି । ଏଥିରେ ଆପଣଙ୍କର କୌଣସି ଦୋଷ ରହିବ ନାହିଁ ।”

ନଳ ସେହିପରି ଅଦୃଶ୍ୟ ଭାବରେ ଦମୟନ୍ତୀଙ୍କ ପୁରରୁ ଅପେକ୍ଷମାଣ ଦେବତାଙ୍କ ନିକଟକୁ ଫେରିଗଲେ । ରାଜକନ୍ୟାର ପ୍ରତିକ୍ରିୟା ଜାଣିବାପାଇଁ ଉତ୍ସୁକ ହୋଇ ଅପେକ୍ଷା କରିଥିବା ଦେବଗଣଙ୍କୁ ନଳ ସମସ୍ତ କଥା ବିସ୍ତୃତ ଭାବରେ ଜଣାଇଦେଲେ । ଦମୟନ୍ତୀ ଯେ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି କରିସାରିଛନ୍ତି ତାହା ମଧ୍ୟ ବିନାଦ୍ୱିଧାରେ ସେ ସେମାନଙ୍କୁ ଅବଗତ କରାଇଲେ । ତାଙ୍କର ସତ୍ୟବାଦୀତାରେ ସନ୍ତୁଷ୍ଟ ଦେବତାମାନେ ଏକତ୍ର ସ୍ଵୟମ୍ବର ସଭାକୁ ଆଗମନ କଲେ ।

ମହାରାଜ ଭୀମ ପବିତ୍ର ଜପ ଓ ପବିତ୍ର ତୀର୍ଥ ଜଳରେ ଉପସ୍ଥିତ ନରପତିଗଣଙ୍କୁ ସ୍ଵୟମ୍ବର ସଭାକୁ ଆମନ୍ତ୍ରଣ ଜଣାଇଲେ । ଉଜ୍ଜ୍ୱଳ ମଣିକୁଣ୍ଡଳ, ମୁକୁଟ ହାର ପରିଧଆନ କରିଥିବା ଓ ବହୁ ମୂଲ୍ୟ ବସ୍ତ୍ରର ଅଙ୍ଗାଭରଣରେ ସଜ୍ଜିତ ନରପତିମାନେ ତାଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ଉପବେଶନ କରି ଉଦ୍‌ଗ୍ରୀବ ନେତ୍ରରେ ରାଜକନ୍ୟାଙ୍କର ଆଗମନକୁ ଅପେକ୍ଷା କଲେ ।

ସଭା ମଧ୍ୟକୁ ପ୍ରବେଶ କଲେ ଲାବଣ୍ୟବତୀ ଦମୟନ୍ତୀ । ତାଙ୍କ ଉପରେ ଦୃଷ୍ଟିପାତ ମାତ୍ରେ ରାଜନ୍ୟବର୍ଗ ତାଙ୍କର ଅପୂର୍ବ ସୌନ୍ଦର୍ଯ୍ୟ ଦର୍ଶନ କରି ସମୋହିତ ହୋଇଗଲେ । ରାଜସଭାରେ ଏକ ପ୍ରକାର ଅଦ୍ଭୁତ ସ୍ତବ୍ଧତା ଛାଇଗଲା । କେବଳ ଧୀର ମନ୍ଥର ଗତିରେ ଚାଲିଚାଲି ଆସୁଥିବା ଦମୟନ୍ତୀଙ୍କର କଟକିଙ୍କିଣୀ ଓ ପାଦ ନୁପୂରର ରୁଣୁଝୁଣୁ ଧ୍ୱନି ରହି ରହି ଶୁଣାଯାଉଥିଲା ।

ରାଜକନ୍ୟାଙ୍କ ସହ ଚାଲିଥବା ସଖୀ ପ୍ରତି ଆସନରେ ଉପବିଷ୍ଟ ରାଜାଙ୍କର ସମ୍ମୁଖୀନ ହେଉଥିବାବେଳେ ତାଙ୍କର ପରିଚୟ ଦେଉଥିଲା ।

କିନ୍ତୁ ଦମୟନ୍ତୀ ସେସବୁ ଶୁଣିବି ନ ଶୁଣୁନଥିଲେ । ତାଙ୍କର ଦୃଷ୍ଟି ଖୋଜି ଚାଲିଥିଲା ନିଷଧର ନରପତି ନଳଙ୍କୁ । ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଲା ନଳଙ୍କ ଉପରେ । ସେ ପୁଲକିତା ହୋଇ ଉଠିଲେ । କିନ୍ତୁ ନଳ ତ ଜଣେ ନୁହନ୍ତି, ପାଞ୍ଚ ଜଣ ନଳ କ୍ରମରେ ଉପବେଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ଭେଦଦର୍ଶନ ଆଦୌ ସମ୍ଭବ ନୁହେଁ ।

ବିଦର୍ଭନନ୍ଦିନୀ ଭଲଭାବରେ ବୁଝିପାରିଲେ ଯେ ନଳ କହୁଥିବା ଚାରିଜଣ ଦେବତା ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ନଳଙ୍କ ପ୍ରତି ତାଙ୍କର ଆକର୍ଷଣ କଥା ଜାଣିଥିବାରୁ ସେମାନେ ସମସ୍ତେ ନଳଙ୍କର ରୂପ ଧାରଣ କରିଛନ୍ତି । ରାଜକନ୍ୟା ଭ୍ରମବଶତଃ ସେମାନଙ୍କ ମଧ୍ୟରୁ ଯାହାକୁ ପତିରୂପେ ବରଣ କଲେ ବି ଅନ୍ୟମାନେ ଆନନ୍ଦିତ ହେବେ ।

କିନ୍ତୁ ଦମୟନ୍ତୀ ସେ ରହସ୍ୟ ଜାଣିବେ କିପରି ? କିଏ ନର କିଏ ଦେବତା ? ଏପରି କୌଣସି ଚିହ୍ନ ନାହିଁ, ଯାହା ମାଧ୍ୟମରେ ସେ ଅନୁମାନ ମଧ୍ୟ କରିପାରିବେ । ସେ ସ୍ଥିର କଲେ ପାଞ୍ଚଜଣ ସମାନ ଦିଶୁଥିବାରୁ ସେ ପ୍ରକୃତ ନଳଙ୍କୁ ହୁଏତ ନ ଚିହ୍ନି ଅନ୍ୟ କାହା ଗଳାରେ ବରଣମାଳା ଦେଇପାରନ୍ତି । ତାହା ତ ତାଙ୍କର ମୃତ୍ୟୁ ସହିତ ସମାନ ହେବ । ସେ ସ୍ଥିର କଲେ ଯେଉଁ ଦେବତାମାନଙ୍କ ପାଇଁ ଏପରି ଏକ ବିଷମ ସମସ୍ୟା ସୃଷ୍ଟି ହୋଇଛି ସେ ବିନୀତ ଭାବରେ ସେହିମାନଙ୍କର ଶରଣ ନେବେ । ସେ ମନେ ମନେ ସେମାନଙ୍କୁ ପ୍ରଣାମ ଜଣାଇ କହିଲେ, “ହେ ଦେବଗଣ, ସ୍ୱର୍ଣ୍ଣପକ୍ଷ ହଂସ ନିକଟରୁ ନିଷଧ ରାଜା ନଳଙ୍କ ପ୍ରସଙ୍ଗ ଶୁଣିବା ପରଠାରୁ ମୁଁ ତାଙ୍କୁ ମୋର ସର୍ବାନ୍ତଃକରଣରେ ପତି ରୂପେ ଗ୍ରହଣ କରିସାରିଛି ଏବଂ ତାଙ୍କୁ ସର୍ବସମକ୍ଷରେ ପ୍ରାପ୍ତ ହେବା ପାଇଁ ଏହି ସ୍ଵୟମ୍ବର ସଭାର ଆୟୋଜନ ମଧ୍ୟ କରିଛି । ମୁଁ ଅନ୍ୟ କେଉଁ ପୁରୁଷର କଥା ଚିନ୍ତା କରି ନାହିଁ ବା ବାକ୍ୟରେ ଅନ୍ୟ କାହାରି ନାମ ମଧ୍ୟ ଉଚ୍ଚାରଣ କରିନାହିଁ । ତେଣୁ ହେ ଆରାଧ୍ୟ ଦେବଗଣ, ମୁଁ ପ୍ରାର୍ଥନା କରୁଛି ଆପଣମାନେ ମତେ ମୋର ସତ୍ୟରକ୍ଷାରେ ସହାୟତା କରନ୍ତୁ । ଆପଣମାନଙ୍କର କଲ୍ୟାଣ ବିନା ମୁଁ ଏହି ସଙ୍କଟରୁ ସ୍ୱଚେଷ୍ଟାରେ ବର୍ତ୍ତିପାରିବି ନାହିଁ ।”

ଦମୟନ୍ତୀଙ୍କର ସତ୍ୟବଚନ ଓ ବିନୀତ ପ୍ରାର୍ଥନୀ ଦେବତାମାନଙ୍କୁ ସ୍ପର୍ଶ କଲା । ସ୍ୱଭାବତଃ ମଙ୍ଗଳକାରୀ ଦେବଗଣ ଦମୟନ୍ତୀଙ୍କ ଅଭିଷ୍ଟ ପୂରଣ ନିମନ୍ତେ ତାଙ୍କର ଦେବଚିହ୍ନ ପ୍ରକାଶ କଲେ, ଯେପରି ଦମୟନ୍ତୀ ସହଜରେ ସେମାନଙ୍କୁ ଜାଣିପାରିବେ ଓ ମର୍ତ୍ତ୍ୟପ ମାନବ ନଳଙ୍କୁ ବରଣ କରିବେ ।

ରାଜକନ୍ୟା ଏଥର ଦେଖିପାରିଲେ ପାଞ୍ଚଜଣ ନଳଙ୍କ ମଧ୍ୟରୁ ଚାରିଜଣ ବାରି ହୋଇ ପଡୁଛନ୍ତି । ସେମାନଙ୍କର ଶରୀରର ଛାୟା ପଡୁନାହିଁ, ଶରୀରରୁ ସ୍ୱେଦ ନିର୍ଗତ ହେଉନାହିଁ, ଚକ୍ଷୁରେ ପଲକପାତ ହେଉନାହିଁ, ପିନ୍ଧିଥିବା ବସନ ଧୂଳିହୀନ ଅମ୍ଳାନ ଦିଶୁଛି, ଗଳାରେ ଶୋଭିତ ପୁଷ୍ପମାଳ ସତେଜ ରହିଛି ଓ ସବୁଠାରୁ ବିଶେଷ ଲକ୍ଷଣ ହେଲା ସେମାନଙ୍କର ପାଦ ଭୂମି ସ୍ପର୍ଶ କରୁନାହିଁ । ଦମୟନ୍ତୀ କୃତଜ୍ଞତା ଜଣାଇ ସେମାନଙ୍କୁ ପ୍ରଣାମପୂର୍ବକ ତାଙ୍କର ଆନନ୍ଦକର ଦାମ୍ପତ୍ୟ ପାଇଁ ଆଶୀର୍ବାଦ ଭିକ୍ଷା କଲେ । ଏବେ ତାଙ୍କର ଦୃଷ୍ଟିରେ ଆଉ କୌଣସି ଭ୍ରମ ନ ଥିଲା । ପାଦ ତାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥାନରେ ପହଞ୍ଚିଗଲା । ସମସ୍ତ ଉପସ୍ଥିତ କନ୍ୟାପ୍ରାର୍ଥୀ ରାଜା ଓ ସଭାସଦଙ୍କର ଉତ୍କଣ୍ଠିତ ପ୍ରତୀକ୍ଷାର ଅନ୍ତ ଘଟାଇ ଏକାଗ୍ରଚିତ୍ତା, ସୁହାସିନୀ ରାଜକନ୍ୟା ଦମୟନ୍ତୀଙ୍କର ସଲ୍ଲଜ କରଯୁଗଳ ରାଜା ନଳଙ୍କ ଗଳାରେ ତାଙ୍କର ବରମାଲ୍ୟ ପିନ୍ଧାଇ ଦେଲା ।

ହର୍ଷୋଲ୍ଲାସରେ ସଭାମଣ୍ଡଳ ପୂରିଉଠିଲା । ଦେବତାମାନେ ଅଦୃଶ୍ୟ ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ କଲେ ଓ ଆଗନ୍ତୁକ ନରପତିମାନେ ମଧ୍ୟ କ୍ଷତ୍ରିୟରୀତିକୁ ମର୍ଯ୍ୟାଦା ଦେଇ ସ୍ୱ ସ୍ୱ ରାଜ୍ୟକୁ ଫେରିଗଲେ ।

ଏକାନ୍ତରେ ମହୀପତି ନଳ ସଲ୍ଲଜବଦନା ଦମୟନ୍ତୀଙ୍କୁ ଉଦ୍ଦେଶ୍ୟ କରି କହିଲେ “ହେ ଶୁଭାଙ୍ଗୀ, ଦେବତାମାନଙ୍କୁ ଅସ୍ୱୀକାର କରି ତୁମେ ମତେ ପତି ରୂପେ ବରଣ କରିଛ । ମୁଁ ଧନ୍ୟ ହୋଇଛି । ମୁଁ ପ୍ରତିଶ୍ରୁତି ଦେଉଛି ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ତୁମର ହୋଇ ରହିବି ।”

ଦେବତାମାନେ ଅନ୍ତରୀକ୍ଷରେ ଉପସ୍ଥିତ ରହିଥିବାର ଦମ୍ପତିଙ୍କୁ ଦୃଶ୍ୟ ହେଲା । ସେମାନେ କୁପତି ନ ହୋଇ ଆନନ୍ଦିତ ହେଉଥିବାର ଦେଖି ନଳ ଦମୟନ୍ତୀ ଭକ୍ତିଭରେ ସେମାନଙ୍କୁ ପ୍ରଣାମ ଜଣାଇଲେ ।

ଶଚୀପତି ଦେବରାଜ ଇନ୍ଦ୍ର ଆଶୀର୍ବାଦ କଲେ “ହେ ନଳ ! ତୁମ୍ଭେ ଯଜ୍ଞରେ ମୋର ପ୍ରତ୍ୟକ୍ଷ ଦର୍ଶନ ଲାଭ କରିବ । ଅନ୍ତଃକାଳରେ ତୁମ୍ଭର ସର୍ବୋତ୍ତମ ଶୁଭଗତି ହେବ ।”

ବୈଶ୍ୱାନର ଅଗ୍ନି କହିଲେ, “ହେ ନିଷଧରାଜ, ତୁମ୍ଭେ ଯେଉଁଠାରେ ଆମ୍ଭଙ୍କ ଅଭିଳାଷ କରିବ ଆମ୍ଭେ ସେହିଠାରେ ଆବିର୍ଭୂତ ହେବୁ ।”

ଯମଦେବ ସ୍ମିତ ହସି କହିଲେ “ହେ ସତ୍ୟବାଦୀ ପୁରୁଷ, ତୁମେ ଯେପରି ପାକ ପ୍ରସ୍ତୁତ କରନା କାହିଁକି ତାହା ଅତ୍ୟନ୍ତ ସ୍ୱାଦିଷ୍ଟ ହେବ । ଧର୍ମରେ ତୁମ୍ଭର ନିଷ୍ଠା ଦୃଢ଼ ହେବ ।”

ବରୁଣଦେବ ମଧ୍ୟ ଆଶୀର୍ବାଦ ପୂର୍ବକ ବର ଦେଇ କହିଲେ, “ହେ ମହୀପତି, ତୁମ୍ଭେ ମତେ ଯେଉଁଠାରେ ସ୍ମରଣ କରିବ ମୁଁ ପ୍ରକାଶ ହେବି । ଏହି ସୁଗନ୍ଧମାଲ୍ୟ ମଧ୍ୟ ତୁମ୍ଭେ ଯେଉଁଠାରେ ଇଚ୍ଛା କରିବ ତାହା ତୁମ୍ଭର ପ୍ରାପ୍ୟ ହେବ ।”

ଦେବତାମାନଙ୍କର ଆଶୀର୍ବାଦ ଲାଭକରି ଆରମ୍ଭ ହେଲା ନଳଦମୟନ୍ତୀଙ୍କର ସୁଖୀ ଦାମ୍ପତ୍ୟଜୀବନ । ନିଷଧ ନଗରୀରେ ରାଜଦମ୍ପତିଙ୍କୁ ସ୍ୱାଗତ କରିବା ପାଇଁ ଯେଉଁ ରାଜକୀୟ ବିପୁଳ ଆୟୋଜନ କରାଯାଇଥିଲା, ଯାହା ବଳି ଯାଇଥିଲା ଇନ୍ଦ୍ରଭୁବନର ସୌନ୍ଦର୍ଯ୍ୟକୁ । ନିଷଧ ରାଜ୍ୟର ସମବେତ ପ୍ରଜାସକଳଙ୍କର ହର୍ଷୋଲ୍ଲାସ ଧ୍ୱନିରେ ମୁଖରିତ ହେଉଥିଲା ସେ ରମଣୀୟ ପରିବେଶ ।

ଦମୟନ୍ତୀ ଯେଉଁ ପୁରୁଷଙ୍କ ନିକଟରେ ଏକାଗ୍ରଚିତ୍ତ ଓ କାୟମନୋବାକ୍ୟରେ ସମର୍ପିତା ଥିଲେ ତାଙ୍କୁ ହିଁ ପତି ରୂପରେ ଲାଭ କରିଥିବାରୁ ଏବଂ ନଳ ତାଙ୍କର ଅଭିଳଷିତା ନାରୀଙ୍କୁ ପତ୍ନୀରୂପେ ପାଇଥିବାରୁ ଏକ ପରିପୂର୍ଣ୍ଣ ଦାମ୍ୟତ୍ୟ ଜୀବନ ଭୋଗ କରୁଥିଲେ । ସମୟକ୍ରମେ ଦୁଇଟି ପୁତ୍ରକନ୍ୟାଙ୍କର ପିତାମାତା ହେବାର ସୌଭାଗ୍ୟ ଦୁହେଁ ଅର୍ଜନ କଲେ ।

କିନ୍ତୁ ଏ ଆନନ୍ଦ ଦୀର୍ଘସ୍ଥାୟୀ ହେଲା ନାହିଁ । ଦମୟନ୍ତୀଙ୍କ ପରି ରମଣୀଶ୍ରେଷ୍ଠଙ୍କୁ ପତ୍ନୀ ରୂପେ ଲାଭ କରିଥିବା ନଳଙ୍କ ପ୍ରତି ମନ୍ଦବୁଦ୍ଧି କଳି ଈର୍ଷାପରାୟଣ ହୋଇ ତାଙ୍କର କ୍ଷତି କରିବା କଥା ଚିନ୍ତା କରୁଥିଲେ । ସେ ସୁଯୋଗ ତାଙ୍କୁ ମିଳିଗଲା । ନୀତିନିଷ୍ଠ, ସତ୍ୟବାଦୀ ନଳ ଦିନେ ସନ୍ଧ୍ୟା ଉପାସନା କରିବା ପୂର୍ବରୁ ଅନ୍ୟମନସ୍କତା କାରଣରୁ ପାଦପ୍ରକ୍ଷାଳନ କରିନଥିଲେ । ସେଇ ପଥଦେଇ କଳି ରାଜାଙ୍କ ଶରୀରରେ ପ୍ରବେଶ କଲେ ଓ ତାଙ୍କର ବିଚାରବୁଦ୍ଧିକୁ ମଧ୍ୟ ସମ୍ପୂର୍ଣ୍ଣ କରାୟତ କରିନେଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top