ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ସେ ଏପରି ଜଣେ ସୁନ୍ଦରୀ ନାରୀକୁ ନିଃସହାୟା ଦେଖି ନିଜର ବାସନା ଚରିତାର୍ଥ କରିବାକୁ ଚାହିଁବାରୁ ଦମୟନ୍ତୀଙ୍କର ସତୀତ୍ୱର ତେଜ ପ୍ରଜ୍ୱଳିତ ହୋଇଉଠିଲା ।

ଅନୁବ୍ରତା ଦମୟନ୍ତୀ

-: ପୂର୍ବରୁ:-

ତେଣିକି ନଳଙ୍କ ଆଚରଣରେ ଓ କଥାରେ ଅଦ୍ଭୁତ ପରିବର୍ତ୍ତନ ଦେଖାଦେଲା । ସେ ରାଜ୍ୟଶାସନ ବ୍ୟାପାରରେ ନିଜର ଦକ୍ଷ ଅମାତ୍ୟମାନଙ୍କ ପରାମର୍ଶ ଗ୍ରହଣ କଲେ ନାହିଁ । ତାଙ୍କର ବ୍ୟବହାର ରୁକ୍ଷ ହେଲା, କଳହ ପ୍ରବଣତା ପ୍ରକାଶ ପାଇଲା । ଏହି ଅବସ୍ଥାରେ କଳି ନଳଙ୍କର ଭ୍ରାତା ପୁଷ୍କରଙ୍କ ନିକଟରେ ପହଞ୍ଚି ନାନା କୁପରାମର୍ଶ ଦେଲେ । ମୁଖ୍ୟତଃ ସେ ତାଙ୍କୁ ନଳଙ୍କ ସହ ଦ୍ୟୁତକ୍ରୀଡ଼ାରେ ପ୍ରବୃତ୍ତ ହେବାକୁ କହିଲେ ଓ ତାଙ୍କ ସାହାଯ୍ୟରେ ପୁଷ୍କର ସେହି ଅକ୍ଷକ୍ରୀଡ଼ାରେ ନଳଙ୍କୁ ପରାଜିତ କରି ତାଙ୍କର ସମସ୍ତ ଧନସମ୍ପତ୍ତି ଓ ରାଜ୍ୟଲାଭ କରିପାରିବେ ।

କଳିଙ୍କର ମନ୍ଦ ଅଭିପ୍ରାୟ ଫଳବତୀ ହେଲା । ପୁଷ୍କରଙ୍କ ଦ୍ୱାରା ଆହୂତ ହୋଇ ନଳ ଅକ୍ଷକ୍ରୀଡ଼ାରେ ପ୍ରବୃତ୍ତ ହୋଇ ଧୀରେ ଧୀରେ ସବୁ କିଛି ହରାଇ ଚାଲିଲେ । ଏ ପ୍ରକାର ବିଷମ ଅବସ୍ଥା ଲକ୍ଷ୍ୟ କରି ରାଜା ନଳଙ୍କୁ ଦ୍ୟୁତକ୍ରୀଡ଼ାର ନିବୃତ୍ତ ହେବା ପାଇଁ ମନ୍ତ୍ରୀମାନେ ଯେତେ ଅନୁରୋଧ କଲେ ବି ସେ ସେଥିପ୍ରତି କର୍ଣ୍ଣପାତ କଲେ ନାହିଁ ।

ମନ୍ତ୍ରୀମାନଙ୍କର ପରାମର୍ଶରେ ନଳଙ୍କର ପ୍ରିୟତମା ପତ୍ନୀ ମଧ୍ୟ ନଳଙ୍କୁ ନିବୃତ୍ତ କରାଇବାର ବହୁ ଚେଷ୍ଟା କଲେ । ସମସ୍ତ ବନ୍ଧୁ, ସ୍ୱଜନ ଓ ପୁରବାସୀ ମଧ୍ୟ ସେଠାରେ ଉପସ୍ଥିତ ରହି ନଳକୁ ସଚେତନ କରିବାକୁ ଚେଷ୍ଟା କରି ବିଫଳ ହେଲେ । ଏଥର ସମସ୍ତେ ନଳଙ୍କ ଆଚରଣରେ ହତୋତ୍ସାହ ହୋଇ ସ୍ଥାନ ପରିତ୍ୟାଗ କରି ଚାଲିଗଲେ ।

ନଳଙ୍କର କାର୍ଯ୍ୟରେ ଅନ୍ୟ ସମସ୍ତେ ବିମୁଖ ହୋଇ ଚାଲିଗଲେ ମଧ୍ୟ ଦମୟନ୍ତୀ ତାଙ୍କ ଉପରେ କ୍ରୋଧ ପ୍ରକାଶ କଲେ ନାହିଁ । ତାଙ୍କର ଅନୁଭବ ହେଲା ନଳ କୌଣସି ଦୁଷ୍ଟଶକ୍ତିର ପ୍ରଭାବରେ ଏପରି କରୁଛନ୍ତି । କାରଣ ପୁଷ୍କରଙ୍କ ଦ୍ୱାରା ନରପତି ଯେତେ ପରାଜିତ ହେଉଛନ୍ତି ଦ୍ୟୁତକ୍ରୀଡ଼ାରେ ତାଙ୍କର ଆସକ୍ତି ସେତେ ବଢୁଛି । ପୁଷ୍କରଙ୍କର ଅକ୍ଷଦାନ ତାଙ୍କର ଆଜ୍ଞାବର୍ତ୍ତୀ ହେବା ସ୍ଥଳେ ନଳଙ୍କ କ୍ଷେତ୍ରରେ ତାହା ବିପରୀତ ହେଉଛି । ରାଜା ଭୂତଗ୍ରସ୍ତ ବ୍ୟକ୍ତି ସଦୃଶ ଆଚରଣ କରୁଛନ୍ତି ଓ ତାଙ୍କୁ ନିବୃତ୍ତ କରାଇବାର କୌଣସି ପ୍ରୟାସ ସଫଳ ହେଉନାହିଁ ।

ଦମୟନ୍ତୀ ରାଜ୍ୟ ହରାଇବା ନିଶ୍ଚିତ ବୋଲି ଜାଣିଗଲେ । କିନ୍ତୁ ସବୁ ସମ୍ପତ୍ତି ହରାଇବାର ଭୟ ଅପେକ୍ଷା ନିଜ ସନ୍ତାନ ଦୁହିଁଙ୍କର ନିରାପତ୍ତା ତାଙ୍କୁ ଚିନ୍ତିତ କଲା । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଦମୟନ୍ତୀ ଉପାୟ ଚିନ୍ତାକରି ରାଜାଙ୍କର ବିଶ୍ୱସ୍ତ ସାରଥି ବାଷ୍ଣେୟଙ୍କୁ ଡକାଇ କହିଲେ, “ହେ ସାରଥେ ! ମୁଁ ଜାଣେ ତୁମେ ରାଜାଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି । ରାଜା ବର୍ତ୍ତମାନ ମୋହାଚ୍ଛନ୍ନ ହୋଇ କିପରି କାର୍ଯ୍ୟ କରିଚାଲିଛନ୍ତି ତାହା ତୁମ ସମସ୍ତଙ୍କୁ ଜଣା । ଏ ବିପଦ ବେଳେ ମୁଁ ତୁମର ସହାୟତା କାମନା କରୁଛି ।”

ବାଷ୍ଣେୟ ରାଜରାଣୀ ଦମୟନ୍ତୀଙ୍କର ଏ ବିନୀତ ବଚନରେ ବ୍ୟସ୍ତ ଓ ଦୁଃଖିତ ହୋଇଗଲେ ଓ ତାଙ୍କଦ୍ୱାରା ରାଣୀମା’ କେଉଁ କାର୍ଯ୍ୟ କରାଇବାକୁ ଚାହାଁନ୍ତି ତାହା ତାଙ୍କୁ ଆଜ୍ଞା ଦିଅନ୍ତୁ ଓ ସେ ତାହା ପ୍ରାଣପାତ କରି ପାଳନ କରିବେ ବୋଲି ନିବେଦନ କଲେ ।

ଦମୟନ୍ତୀ ତାଙ୍କ କଥାରେ ଆଶ୍ୱସ୍ତ ହୋଇ କହିଲେ, ତୁମ୍ଭେ ମହାରାଜାଙ୍କର ପ୍ରିୟ ଓ ମନଃସଦୃଶ ବେଗମାଳୀ ଅଶ୍ୱମାନଙ୍କୁ ରଥରେ ଯୋଡ଼ି ଆମର ପୁତ୍ର ଇନ୍ଦ୍ରସେନ ଓ ପୁତ୍ରୀ ଇନ୍ଦ୍ରସେନାକୁ ନେଇ ବିଦର୍ଭ ନଗରୀକୁ ଗମନ କର । ସେଠାରେ ମୋ ପିତ୍ରାଳୟରେ ଦୁଇ ପୁତ୍ରକନ୍ୟା, ଅଶ୍ୱ ଓ ରଥକୁ ରଖି ଇଚ୍ଛା ହେଲେ ସେଠାରେ ଅବସ୍ଥାନ କରିବ, ନତୁବା ଇଚ୍ଛା କଲେ ଅନ୍ୟତ୍ର ଯାଇପାରିବ ।

ରାଣୀଙ୍କର ଏ ପ୍ରକାର ଆଜ୍ଞାକଥା ସାରଥି ରାଜ୍ୟର ମନ୍ତ୍ରୀମାନଙ୍କୁ ଜଣାଇଲେ । ରାଜାଙ୍କର ଅବସ୍ଥା ଦେଖି ସମସ୍ତେ ରାଣୀଙ୍କ କଥାରେ ସହମତ ହେଲେ । ବାଷ୍ଣେୟ ଅନ୍ୟ ସମସ୍ତଙ୍କ ଅଜାଣତରେ ରାଜପୁତ୍ର ଓ କନ୍ୟାଙ୍କୁ ନେଇ ନିରାପଦ ସ୍ଥାନରେ ପହଞ୍ଚାଇ ଦେଲେ ।

ନିଷଧ ରାଜସଭାରେ ଯାହା ଘଟିବା କଥା ଘଟିଗଲା । ନଳ ସର୍ବସ୍ୱ ହରାଇ ପୁଷ୍କରଦ୍ୱାରା ବହୁଭାବରେ ଅପମାନିତ ହେଲେ । ଶେଷରେ ପୁଷ୍କର ତାଙ୍କୁ ପରିହାସ କରି କହିଲେ “ଏବେ ମୁଁ ଦେଖୁଛି ଆପଣଙ୍କ ନିକଟରେ କେବଳ ଆପଣଙ୍କର ଏକମାତ୍ର ମହିଷୀ ଦମୟନ୍ତୀ ଅବଶେଷ ଅଛନ୍ତି । ଚାହିଁବ ଯଦି ତାଙ୍କୁ ପଣ ରଖି ଅକ୍ଷକ୍ରୀଡ଼ା କରିପାର ।”

ନଳ ନିରବରେ ସେତକ ଶୁଣିଲେ ଓ ଏକବସ୍ତ୍ର ପରିଧାନ କରି ରାଜ୍ୟ ତ୍ୟାଗ କରିଯିବା ପାଇଁ ବାହାରିବାରୁ ଦମୟନ୍ତୀ ମଧ୍ୟ ନିଜର ସମସ୍ତ ଆଭୂଷଣ ପରିତ୍ୟାଗ କରି ଏକବସ୍ତ୍ରରେ ସ୍ୱାମୀଙ୍କର ଅନୁଧାବନ କଲେ ।

ପୁଷ୍କର ସିଂହାସନ ଅଧିକାର କରି ରାଜା ଆଜ୍ଞା ପ୍ରଦାନ କଲେ ଯେ “ରାଜ୍ୟର କୌଣସି ବ୍ୟକ୍ତି ଯଦି ନଳଙ୍କୁ ଆଶ୍ରୟ ଦିଏ, ତେବେ ତା’ର ମସ୍ତକ ଛେଦନ ହେବ ।” ତେଣୁ କେହି ତାଙ୍କୁ ସାହାଯ୍ୟ କଲେନାହିଁ ।

ରାଜା ନଳ ନିଜ ରାଜ୍ୟରେ ମଧ୍ୟ ଆଶ୍ରୟ ପାଇଲେ ନାହିଁ । ରାଜ୍ୟର ସୀମାନ୍ତ ଅତିକ୍ରମ କରି ଅରଣ୍ୟରେ ପ୍ରବେଶ କଲେ । କ୍ଷୁଧାରେ ଅସ୍ଥିର ହେଲେ ବି ଜଳପାନ କରି ଜୀବନଧାରଣ ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନ ଥିଲା ।

ଏ ଭିତରେ ବିତିଯାଇଥିଲା ତିନିଦିନ । ବୃକ୍ଷ ଅନ୍ତରାଳରୁ ନଳ ଦେଖିପାରିଲେ କେତେଗୁଡ଼ିଏ ପକ୍ଷୀ ଭୂମିରେ ବିଚରଣ କରୁଛନ୍ତି । ସେମାନଙ୍କୁ ଧରି ସେମାନଙ୍କ ମାଂସ ଆହାର କରିବାର ଇଚ୍ଛାରେ ନଳ ନିଜର ପିନ୍ଧା ବସ୍ତ୍ର ଖଣ୍ଡିକ ସେମାନଙ୍କ ଉପରକୁ ଫୋପାଡ଼ି ଦେଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ପକ୍ଷୀମାନେ ବସ୍ତ୍ର ସହ ଆକାଶକୁ ଉଡ଼ିଗଲେ ଓ ନଗ୍ନ ରାଜାଙ୍କୁ ପରିହାସ କରି କହିଲେ, “ହେ ସର୍ବହରା ନଳ, ଆମେ ପକ୍ଷୀ ନୋହୁ । ଯେଉଁ ଅକ୍ଷରେ କ୍ରୀଡ଼ା କରି ସର୍ବସ୍ୱ ହରାଇଛୁ ଆମେ ସେ ଅକ୍ଷ । ତୋ ଦେହରେ ବସ୍ତ୍ର ଖଣ୍ଡିକ ଦେଖି ଆମ ମନ ସନ୍ତୁଷ୍ଟ ହେଲା ନାହିଁ । ଆମେ ତାକୁ ମଧ୍ୟ ହରଣ କରିନେଲୁ ।”

ନଗ୍ନ ନଳ ଲଜ୍ଜାରେ ଅଧୋବଦନ ହୋଇ ଭୂମିରେ ବସିପଡ଼ିଲେ । ତାଙ୍କର ଅନୁଶୋଚନାର ସୀମା ନ ଥିଲା, କିନ୍ତୁ କୃତକର୍ମର କୌଣସି ପ୍ରାୟଶ୍ଚିତ ମଧ୍ୟ ନଥିଲା । ଦମୟନ୍ତୀ ପତିତ ସ୍ୱାମୀଙ୍କୁ ନିଜ ଶରୀରରେ ପରିହିତ ବସ୍ତ୍ର ଅର୍ଦ୍ଧେକରେ ଢାଙ୍କି ଦେଇ ଆଶ୍ୱାସନା ଦେଲେ ଯେ ଦୁର୍ଦ୍ଦିନ ଚିରକାଳ ପରିହିତ ବସ୍ତ୍ରର ଅର୍ଦ୍ଧେକରେ ଢାଙ୍କି ଦେଇ ଆଶ୍ୱାସନା ଦେଲେ ଯେ ଦୁର୍ଦ୍ଦିନ ଚିରକାଳ ରହିବ ନାହିଁ, ପୁନଶ୍ଚ ସୌଭାଗ୍ୟଲକ୍ଷ୍ମୀ ନଳଙ୍କ ନିକଟକୁ ଫେରିଆସିବେ । ସେଥିପାଇଁ ଏତେ ବିମର୍ଷ ନ ହୋଇ ଧୈର୍ଯ୍ୟ ଧରି ପରିସ୍ଥିତିର ସମ୍ମୁଖୀନ ହେବାକୁ ହେବ । କିନ୍ତୁ ନଳ ପତ୍ନୀଙ୍କର କଥା ନ ଶୁଣି ଅନ୍ୟ କିଛି ଚିନ୍ତା କରୁଥିଲେ ।

ଦମୟନ୍ତୀଙ୍କୁ ବିଦର୍ଭ ନଗରୀର ପଥ ଦର୍ଶାଇଥିବାରୁ ସେ ତାହାକୁ ଗୁରୁତ୍ୱ ନ ଦେଇ ନଳଙ୍କ ସହିତ ସୁଖଦୁଃଖରେ ଏକାଠି ରହିବାର ନିଷ୍ପତ୍ତି ଜଣାଇ ଦେଇଥିଲେ ।

ନଳ ମଧ୍ୟ ମୃଦୁ ହସି ପତ୍ନୀଙ୍କର କଥାକୁ ସ୍ୱୀକାର କରିଥିଲେ । ସେଥିରେ ଦମୟନ୍ତୀ ଆଶ୍ୱସ୍ତ ହୋଇ ତାଙ୍କର କ୍ଳାନ୍ତ ଶରୀରକୁ ସ୍ୱାମୀଙ୍କ ଶରୀର ସଂଲଗ୍ନ ହୋଇ ମାଟିରେ ଲୋଟାଇ ଦେଇଥିଲେ । କିନ୍ତୁ ତାଙ୍କ ନିଦ୍ରାଭଙ୍ଗ ପରେ ! !

ହଠାତ୍ ପାଦ ପାଖରେ କିଛି ଅସ୍ୱାଭାବିକ ସଞ୍ଚାଳନର ଶବ୍ଦରେ ତାଙ୍କର ଅନ୍ୟମନସ୍କତା ଦୂର ହୋଇଗଲା । ସେ ଚାହିଁ ଦେଖିଲେ ତାଙ୍କ ପାଦ ଦିଗରେ ବିରାଟ ଏକ ଅଜଗର ତା’ର ଭୟଙ୍କର ମୁଖବ୍ୟାଦାନ କରି ଆଗେଇ ଆସୁଛି । ସେ ଚମକିପଡ଼ି ଉଠିବାର ଚେଷ୍ଟା କରୁ କରୁ ଶିକାର ଖସିଯିବାର ଉପକ୍ରମ ଦେଖି ଅଜଗର କ୍ଷୀପ୍ରବେଗରେ ମାଡ଼ିଆସି ତାଙ୍କ ପାଦ ଦୁଇଟିକୁ ତା’ ପାଟି ଭିତରକୁ ନେଇ ଯାଇ ଗିଳିବାକୁ ଆରମ୍ଭ କଲା । ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ଦମୟନ୍ତୀ ନିଜର ବିନାଶ ଅପେକ୍ଷା ନଳ କେଉଁ ଅବସ୍ଥାରେ ଥିବେ ଭାବି ଶୋକ କରୁଥିଲେ । ତାଙ୍କର ସଦ୍‌ବୁଦ୍ଧି ଉଦୟ ହେଲେ ସେ ଯେ ତାଙ୍କ ପତ୍ନୀର ସନ୍ଧାନ କରି ପାଇବେ ନାହିଁ ଓ ଦୁଃଖାର୍ତ୍ତ ହେବେ, ସେହି ଚିନ୍ତା ତାଙ୍କୁ ବ୍ୟଥିତ କରୁଥିଲା ।

ଧୀରେ ଧୀରେ ଅଜଗର ତାଙ୍କ ଶରୀରର ଅର୍ଦ୍ଧେକ ଭାଗ ଗିଳିସାରିଥିଲା । ତାଙ୍କର ଯନ୍ତ୍ରଣାକାତର ଧୂନି ଶୁଣି ଅଦୂରରେ ଯାଉଥିବା ଜଣେ ବ୍ୟାଧ ଘଟଣା ସ୍ଥଳକୁ ଧାଇଁ ଆସି ସର୍ପଗ୍ରସ୍ତା ଏକ ଅପୂର୍ବ ସୁନ୍ଦର ନାରୀକୁ ଦେଖି ତତ୍‌କ୍ଷଣାତ ତୀକ୍ଷ୍ଣ ଶରର ଅଗ୍ରଭାଗରେ ଅଜଗରର ମୁଖ ଛେଦନ କରି ଦମୟନ୍ତୀଙ୍କୁ ଉଦ୍ଧା କଲା ।

ବ୍ୟାଧ ତାଙ୍କୁ ଅଜଗର ଗ୍ରାସରୁ ଉଦ୍ଧାର କଲା ସତ କିନ୍ତୁ ଦମୟନ୍ତୀଙ୍କର ଅନିନ୍ଦ୍ୟ ରୂପ ଦର୍ଶନ କରି କାମାସକ୍ତ ହୋଇଉଠିଲା । ସେ ଏପରି ଜଣେ ସୁନ୍ଦରୀ ନାରୀକୁ ନିଃସହାୟା ଦେଖି ନିଜର ବାସନା ଚରିତାର୍ଥ କରିବାକୁ ଚାହିଁବାରୁ ଦମୟନ୍ତୀଙ୍କର ସତୀତ୍ୱର ତେଜ ପ୍ରଜ୍ୱଳିତ ହୋଇଉଠିଲା । ସେ ତାଙ୍କର ରକ୍ଷାକର୍ତ୍ତା ବ୍ୟାଧ ପ୍ରତି ମନରେ ଯେଉଁ କୃତଜ୍ଞତା ଭାବ ପୋଷଣ କରିଥିଲେ ତାହା ତା’ର ନୀଚ ଆଚରଣରେ କ୍ରୋଧାଗ୍ନିର ରୂପ ନେଲା ।

ସେ ଅନାଥିନୀ ଥିଲେ, କିନ୍ତୁ ଆମଶକ୍ତି ବିରହିତ ନ ଥିଲେ । ଦମୟନ୍ତୀ ତେଜୋଦୀପ୍ତ ବାଣୀ ଉଚ୍ଚାରଣ କରି କହିଲେ, “ହେ ଦଶଦିଗପାଳ, ତୁମ୍ଭମାନଙ୍କୁ ସାକ୍ଷୀ କରି କହୁଛି ଯଦି ମୁଁ କାୟମନୋବାକ୍ୟରେ ମୋର ସ୍ୱାମୀ ନଳଙ୍କ ପ୍ରତି ଏକାନ୍ତ ଅନୁଗତା ହୋଇ ରହିଛି, ତେବେ ଏ ବ୍ୟାଧ ଅବସ୍ଥାର ସୁଯୋଗ ନେଇ ମୋ ପ୍ରତି ପାପ ଇଚ୍ଛା ରଖିଥିବାରୁ ଧ୍ୱଂସ ହୋଇଯାଉ ।”

ସତୀ ବାକ୍ୟ ବଜ୍ର ପରି ନିଘୋଷିତ ହେଲା । ଚାହୁଁ ଚାହୁଁ ବ୍ୟାଧ ସେହି ଭୂମି ଉପରେ ନିର୍ଜୀବ ଅବସ୍ଥାରେ ଟଳିପଡ଼ିଲା ।

ଦମୟନ୍ତୀ ସେ ସ୍ଥାନରେ ଆଉ ମୁହୂର୍ତ୍ତଟିଏ ନ ରହି ସ୍ୱାମୀଙ୍କର ସନ୍ଧାନରେ ସେହି ଶ୍ୱାପଦସଙ୍କୁଳ ଘନ ଅରଣ୍ୟରେ ପ୍ରବେଶ କଲେ । ତାଙ୍କର ହୃଦୟ ସମ୍ପୂର୍ଣ୍ଣ ଭୟଶୂନ୍ୟ ହୋଇଯାଇଥିଲା । ନିଜର ନିରାପତ୍ତା ପାଇଁ କୌଣସି ଚିନ୍ତା ନ ଥିଲା । ଛିନ୍ନ ବସ୍ତ୍ର ପରିହିତା, ଧୂଳି ଧୂସରିତା କ୍ଷୀଣାଙ୍ଗୀ ରାଜରାଣୀ କ୍ଷୁଧାତୃଷା ଭୁଲି ସ୍ୱାମୀଙ୍କୁ ଆହ୍ୱାନ କରି କରି ଘୂରି ବୁଲିଲେ । ମଣିଷ, ପଶୁ, ବୃକ୍ଷଲତା, ନଦୀ ପର୍ବତ ଯାହାସବୁ ତାଙ୍କ ପଥରେ ଦେଖାଦେଲେ ଦମୟନ୍ତୀ ସମସ୍ତଙ୍କୁ ସେଇ ଗୋଟିଏ ପ୍ରଶ୍ନ ପଚାରି ଚାଲିଥିଲେ ଯେ “କେହି ତାଙ୍କର ସ୍ୱାମୀ ନଳଙ୍କୁ ଦେଖିଛନ୍ତି କି ?”

ସଜୀବ ଓ ନିର୍ଜୀବ ସମସ୍ତେ ନିରୁତ୍ତର ରହିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top