ଗଳ୍ପ

ଅନୁବ୍ରତା ଦମୟନ୍ତୀ

Dr Archana Nayak's odia story Anubrataa Damayanti

ମୁଁ ଜଣେ ପତିବ୍ରତା ନାରୀ । ମୋର ସ୍ୱାମୀ ମୋ ପ୍ରତି ଅନୁଗତ । ବହୁ ଉତ୍ତମଗୁଣର ଅଧିକାରୀ । ଭାଗ୍ୟଦୋଷରୁ ଆମେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛୁ ।

ଅନୁବ୍ରତା ଦମୟନ୍ତୀ

-:ପୂର୍ବରୁ:-

ଉନ୍ମାଦିନୀ ପରି ଦମୟନ୍ତୀ ବନରୁ ବନକୁ ଘୂରି ବୁଲିଲେ ନଳଙ୍କ ସନ୍ଧାନରେ । ଅରଣ୍ୟ ପଥରେ କିଛି ବଣିକ ନିଜର ହସ୍ତୀ, ଅଶ୍ୱ ଓ ପଣ୍ୟଦ୍ରବ୍ୟ ନେଇ ଯାଉଥିବାବେଳେ ଦମୟନ୍ତୀ ସେହି ଦୀନହୀନ ଅବସ୍ଥାରେ ନଳଙ୍କୁ ପାଇବା ଆଶାରେ ସେମାନଙ୍କର ଅନୁସରଣ କଲେ । କିନ୍ତୁ ରାତ୍ରିକାଳରେ ବନ୍ୟହସ୍ତୀମାନଙ୍କର ଆକ୍ରମଣରେ ବଣିକମାନଙ୍କ ମଧ୍ୟରୁ ଅଧିକାଂଶ ମୃତ୍ୟୁ ମୁଖରେ ପଡ଼ିଲେ । ସୁକୋମଳା ଦମୟନ୍ତୀ ଆଖି ଆଗରେ ଏତେ ମଣିଷ ଓ ପଶୁଙ୍କର ରକ୍ତାକ୍ତ ମୃତଶରୀର ଦେଖି ଭୟଭୀତା ହୋଇ ପୁଣି ବନରେ ପ୍ରବେଶ କଲେ ।

ମନେ ମନେ ଭାବିଲେ ମୋ ପ୍ରତି ବିଧାତାଙ୍କର ଏ ଦାରୁଣ କୋପ କାହିଁକି ? ମୋର ଜ୍ଞାନ ହେବାଦିନରୁ ମୁଁ କାୟ, ମନ ଓ ବାକ୍ୟ ଦ୍ୱାରା କାହାରି ଅପକାର କରିନାହିଁ । ତେବେ କେଉଁ କାରଣରୁ ମତେ ଏପକାର ଦୁର୍ଦ୍ଦଶା ଭୋଗ କରିବାକୁ ହେଉଛି । ଏହା ନିଶ୍ଚୟ ମୋର ଜନ୍ମାନ୍ତର କୃତ ପାପର ଫଳ ରାଜ୍ୟ ଗଲା, ପତି ନିରୁଦ୍ଦିଷ୍ଟ ହେଲେ ବନ୍ଧୁବର୍ଗ କୋଉଠି ରହିଗଲେ ଦୁଇ ସନ୍ତାନଙ୍କଠାରୁ ଦୂରରେ ରହିଛି । ଦୀନ ହୀନ ମଳିନ ବେଶରେ ମୁଁ ରାଜପୁତ୍ରୀ ଅନିଶ୍ଚିତ ଭାବରେ ଘୂରିବୁଲୁଛି । ଏତେଦିନ ପରେ କିଛି ମନୁଷ୍ୟଙ୍କର ସଙ୍ଗ ପାଇଥିଲି ଓ ସେମାନଙ୍କ ସହାୟତାରେ କୌଣସି ନଗର ଅଭିମୁଖରେ ଯିବାବେଳେ ସେମାନେ ଅକସ୍ମାତ ହତ ହେଲେ । ଏସବୁ ମୋର ମନ୍ଦ ଭାଗ୍ୟର ଫଳ । ମୃତ୍ୟୁ ମଧ୍ୟ ମୋତେ ଗ୍ରହଣ କରୁନାହିଁ । ରାଜପୁରୀରେ ବୃଦ୍ଧାମାନଙ୍କଠାରୁ ଶୁଣିଥିଲି କାଳପ୍ରାପ୍ତ ନ ହେଲେ କାହାରି ମୃତ୍ୟୁ ହୁଏନାହିଁ । ବୋଧହୁଏ ସେହି କାରଣରୁ ବନ୍ୟ ହସ୍ତୀଯୂଥ ମତେ ମର୍ଦ୍ଦନ କଲେ ନାହିଁ ।

ଏଥିରୁ ମୁଁ ଭାବୁଛି ମୋର ଭାଗ୍ୟରେ ଆହୁରି ଅନେକ ଦୁଃଖଭୋଗ ଅବଶେଷ ଅଛି । ମୋର ଏତେ ଦୁଃଖର କାରଣ କ’ଣ ମୋର ସ୍ୱୟଂବର ସଭାରେ ଲୋକପାଳ ଦେବଗଣଙ୍କୁ ଉପେକ୍ଷା କରି ନଳଙ୍କୁ ବରଣ କରିବା । ସେମାନେ କ’ଣ ମତେ ଅବିଶାପ ଦେଇଛନ୍ତି ! କିନ୍ତୁ ସମସ୍ତେ ତ ସେଦିନ ସହାସ୍ୟ ବଦନରେ ମୋର ଦାମ୍ପତ୍ୟ ସୁଖମୟ ହେଉ ବୋଲି ଆଶୀର୍ବାଦ ଦେଇଥିଲେ । କେଉଁ କାଳପୁରୁଷର ଆକ୍ରୋଶ ନଳଙ୍କ ଉପରେ ପଡ଼ିଲା । ଏତେ ସତ୍ୟବାଦୀ, ଶୁଦ୍ଧଚେତା, ପୁଣ୍ୟଶ୍ଳୋକ ନରପତି ହିତାହିତ ଜ୍ଞାନଶୂନ୍ୟ ହୋଇ ଅକ୍ଷକ୍ରୀଡ଼ାରେ ପ୍ରମତ୍ତ ହୋଇ ସର୍ବସ୍ୱ ହରାଇ ବସିଲେ ! !

ଏହିପରି ଶୋଚନା କରି କରି ଅନିର୍ଦ୍ଦିଷ୍ଟ ଭାବରେ ବୁଲୁଥିବା ଦମୟନ୍ତୀ କେତେକ ବେଦପାରଗ ବ୍ରାହ୍ମଣଙ୍କୁ ଭେଟିଲେ ଓ ସେମାନଙ୍କ ସହିତ ଯାଇ ପହଞ୍ଚିଲେ ଚେଦିରାଜାଙ୍କର ମହତୀ ନଗରୀରେ ।

ଶରୀରରେ ଥିବା ଶତଚ୍ଛିନ୍ନ ମଳିନ ବସ୍ତ୍ର, ଯତ୍ନ ଅଭାବରେ ଜଟ ହୋଇ ଯାଇଥିବା ମୁକ୍ତକେଶ, ଅପରିଷ୍କୃତ ଅଙ୍ଗ ଓ ଉନ୍ମତ୍ତାପ୍ରାୟ ଆଚରଣ କରୁଥିବା ଦମୟନ୍ତୀଙ୍କୁ ଦେଖି ଚେଦିନଗରୀର ବାଳକମାନେ କୌତୂହଳୀ ହୋଇ ତାଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରି ବିରକ୍ତ କରୁଥିବାର ଦୃଶ୍ୟ ପ୍ରାସାଦ ଉପରୁ ଲକ୍ଷ୍ୟ କଲେ ରାଜମାତା ।

ସେ ସେହିକ୍ଷଣି ଜଣେ ଧାତ୍ରୀଙ୍କୁ ଡାକି ନିର୍ଦ୍ଦେଶ ଦେଇ କହିଲେ, “ଦେଖ ରାଜରାସ୍ତାରେ ଉନ୍ମତ୍ତାପ୍ରାୟ ଦିଶୁଥିବା ନାରୀଟି ନିଶ୍ଚୟ ଅନାଥା ଓ ଆଶ୍ରୟହୀନା । କିନ୍ତୁ ମୁଁ ତା’ର ସେ ମଳିନ ବେଶ ଭିତରୁ ପ୍ରକାଶ ପାଉଥିବା ତା’ର ଶରୀରର ଦୀପ୍ତି ଦେଖିପାରୁଛି । ମୋର ମନେହେଉଛି ଦେବୀ ଲକ୍ଷ୍ମୀ ଏହି ଭାବରେ ପ୍ରଚ୍ଛନ୍ନ ହୋଇ ଆସିଛନ୍ତି । ତୁମେ ଶୀଘ୍ର ଯାଇ ସେ ନାରୀଙ୍କୁ ଆଦରର ସହ ମୋ ନିକଟକୁ ନେଇଆସ ।”

କାଳବିଳମ୍ୱ ନକରି ଧାତ୍ରୀ ତ୍ୱରିତ ବେଗରେ ଯାଇ ଦମୟନ୍ତୀଙ୍କ ପାଖରେ ପହଞ୍ଚିଗଲେ ଓ ତାଙ୍କର ଜ୍ୟୋତିର୍ମୟୀ ସ୍ୱରୂପକୁ ନିକଟରୁ ନିରୀକ୍ଷଣ କରିପାରିଲେ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ ତୁମେ କିଏ ? ତୁମର ଏ ପ୍ରକାର ଦୁରବସ୍ଥା ମଧ୍ୟରେ ବି ତୁମର ସୌନ୍ଦର୍ଯ୍ୟର ଦୀପ୍ତି ଜାଜ୍ଜ୍ୱଲ୍ୟମାନ ରହିଛି । ତୁମ ଦେହରେ କୌଣସି ଅଳଙ୍କାର ନାହିଁ ତଥାପି ତୁମେ ଦେବୀ ପରି ଦେଖାଯାଉଛ । ତୁମର କେହି ସହାୟ ନ ଥିବା ସତ୍ତ୍ୱେ ତୁମେ ସମ୍ପୂର୍ଣ୍ଣ ନିର୍ଭୟ ଜଣାପଡୁଛ । ଏହା କିପରି ସମ୍ଭବ ?

ଧାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦମୟନ୍ତୀ କହିଲେ, “ମୁଁ ଜଣେ ପତିବ୍ରତା ନାରୀ । ମୋର ସ୍ୱାମୀ ମୋ ପ୍ରତି ଅନୁଗତ । ବହୁ ଉତ୍ତମଗୁଣର ଅଧିକାରୀ । ଭାଗ୍ୟଦୋଷରୁ ଆମେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛୁ । ମୁଁ ଦେବସଦୃଶ ମୋର ପ୍ରଭୁ ସେହି ପ୍ରାଣେଶ୍ୱରଙ୍କର ମୂର୍ତ୍ତି ଏବେ ଦେଖିବାକୁ ପାଉନାହିଁ । ତାଙ୍କୁ ହିଁ ସନ୍ଧାନ କରିବା ପାଇଁ ବିଭିନ୍ନ ସ୍ଥାନରେ ଘୂରିବୁଲୁଛି ।”

ରାଜମାତା ତାଙ୍କର ସବୁ କଥା ଶୁଣିବା ପରେ ତାଙ୍କୁ ଆଶ୍ୱାସନା ଦେଇ କହିଲେ “ହେ ସୁଲକ୍ଷଣୀ କନ୍ୟା, ତୁମେ ଏହି ପ୍ରାସାଦରେ ବାସକର । ଆମ୍ଭର ଅନୁଚରମାନେ ତୁମ ପତିଙ୍କର ଅନ୍ୱେଷଣ କରିବେ କିମ୍ୱା ସେ ନିଜେ ହୁଏତ ଭ୍ରମଣ କରୁ କରୁ ଏଠାକୁ ଆସିଯାଇପାରନ୍ତି ।”

ଦମୟନ୍ତୀ ବିଚାର କଲେ ଏହି ପ୍ରସ୍ତାବ ତାଙ୍କ ପାଇଁ ଉପଯୋଗୀ ହେବ । କିନ୍ତୁ ଛଦ୍ମଭାବରେ ରହିଲେ ମଧ୍ୟ ସେ ଯେ ଜଣେ ରାଜକନ୍ୟା ଓ ରାଜରାଣୀ । ଯେଉଁଠାରେ ଆଶ୍ରୟ ନେଲେ ବି ତାଙ୍କୁ ତ ନିର୍ଦ୍ଦିଷ୍ଟ ଶୃଙ୍ଖଳା ଭିତରେ ରହିବାକୁ ହେବ । ତେଣୁ ସେ ପ୍ରଥମରୁ ସେ କଥା ସ୍ପଷ୍ଟ କରିଦେବାକୁ ଯାଇ କହିଲେ, “ହେ ମାତ, ମୁଁ ଏଠାରେ ରହିବାକୁ ଚାହୁଁଛି, କିନ୍ତୁ ସେଥିପାଇଁ ମୋର କେତୋଟି ସର୍ତ୍ତ ରହିଛି । ପ୍ରଥମ କଥା ହେଲା ମୁଁ କାହାରି ଉଚ୍ଛିଷ୍ଟ ଭୋଜନ କରିବି ନାହିଁ । କାହାରି ପାଦ ଧୋଇ ଦେବି ନାହିଁ । କୌଣସି ପୁରୁଷ ସହିତ କଥା କହିବି ନାହିଁ । ଯଦି କେହି ପୁରୁଷ ସେଥିପାଇଁ ଚେଷ୍ଟା କରେ ସେ ଦଣ୍ଡନୀୟ ହେବ । ମୋର ସ୍ୱାମୀଙ୍କର ସନ୍ଧାନ କରିବା ସମ୍ପର୍କରେ ମୁଁ ବ୍ରାହ୍ମଣମାନଙ୍କୁ ସାକ୍ଷାତ କରି କଥାବାର୍ତ୍ତା କରିପାରିବି । ଆପଣ ଯଦି ମୋର ଏହି ସର୍ତ୍ତମାନ ଗ୍ରହଣ କରିବେ ତେବେ ମୁଁ ସୈରିନ୍ଧ୍ରା ଭାବରେ ଏଠାରେ ଅବସ୍ଥାନ କରିବି ।”

ଚେଦି ରାଜମାତା ଦମୟନ୍ତୀଙ୍କର ପରିଚୟ ନ ଜାଣି ଥିଲେ ବି ତାଙ୍କର ତେଜସ୍ୱିନୀ ସ୍ୱରୂପ ଲକ୍ଷ୍ୟ କରି ସେ ଯେ ଜଣେ ଉଚ୍ଚକୂଳସମ୍ଭୁତା ନାରୀ ତାହା ଉପଲବ୍ଧି କରି ପାରିଥିଲେ । ସେ ସହାସ୍ୟ ବଦନରେ ତାଙ୍କର ସମସ୍ତ କଥା ଗ୍ରହଣ କଲେ । ନିଜର କନ୍ୟା ସୁନନ୍ଦାଙ୍କୁ ଡାକି କହିଲେ, “କନ୍ୟା, ଏହି ଦେବୀରୂପିଣୀଙ୍କୁ ତମେ ସୈରିନ୍ଧ୍ରୀ ବୋଲି ଜାଣ । ଏହାଙ୍କୁ ସଖୀ ଭାବରେ ଗ୍ରହଣ କରି ଆଦର ସହକାରେ ତୁମ ସହିତ ରହିବାର ବ୍ୟବସ୍ଥା କର ।”

ସୁନନ୍ଦା ଆନନ୍ଦ ମନରେ ଦମୟନ୍ତୀଙ୍କର ହାତଧରି ତାଙ୍କ ପୁରକୁ ନେଇଗଲେ । ଏତେ ଦିନର ଅନିଶ୍ଚିତ ଜୀବନକୁ ଏକ ଉତ୍ତମ ରାଜା ମିଳିଗଲା । ଚେଦିପୁରରେ ତାଙ୍କର ଆଉ କୌଣସି ଅଭାବ ରହିଲା ନାହିଁ । ସୁସ୍ଥ ଭାବରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ତାଙ୍କୁ ମିଳିଲା । କିନ୍ତୁ ଅନ୍ତରରେ ସେ ମୁହୂର୍ତ୍ତକ ପାଇଁ ମଧ୍ୟ ସ୍ୱାମୀଙ୍କ ଚିନ୍ତାରୁ ନିଜକୁ ବିଚ୍ଛିନ୍ନ କଲେ ନାହିଁ । ନଳ କିପରି ଓ କେଉଁଠାରେ ଥିବେ ସେହି ଚିନ୍ତା ତାଙ୍କୁ ଅହରହ ବ୍ୟଥିତ କରୁଥିଲା । ସମସ୍ତଙ୍କ ଅଗୋଚରରେ ଦମୟନ୍ତୀ ନଳଙ୍କ ପାଇଁ ଅଶ୍ରୁତର୍ପଣ କରି ଚାଲିଥିଲେ ।

ନିଜ ରାଜ୍ୟରୁ ନିର୍ବାସିତ ରାଜା ନଳ ଅବସ୍ଥାଚକ୍ରରେ ପଡ଼ି ପତ୍ନୀ ଦମୟନ୍ତୀଙ୍କୁ ପରିତ୍ୟାଗ କରିଥିଲେ ବି ତାଙ୍କର ଅନ୍ତରାତ୍ମାଙ୍କୁ ଏଥିପାଇଁ ଭତ୍ର୍ସନା କରିଚାଲିଥିଲା । ତାଙ୍କ ବାହୁକୁ ଆଶ୍ରୟ କରି ଖଣ୍ଡିଏ ବସ୍ତ୍ରର ଅର୍ଦ୍ଧେକ ପରିଧାନ କରି ଭୂମିଶଯ୍ୟାରେ ନିଶ୍ଚିନ୍ତ ଭାବରେ ଶୋଇଥିବା ତାଙ୍କର ଅନୁଗତା ପତ୍ନୀ ସୁକୁମାରୀ ରାଜକନ୍ୟାଙ୍କ ମୁଖ ତାଙ୍କ ହୃଦୟପଟ୍ଟରେ ସ୍ଥିର ହୋଇ ରହିଥିଲା । ଦ୍ୟୁତ ପ୍ରତି ତାଙ୍କର ପ୍ରଚଣ୍ଡ ଆସକ୍ତି ଥିବା ସତ୍ତ୍ୱେ ସେ ଯେ ଅକ୍ଷକ୍ରୀଡ଼ାରେ ନିପୁଣ ନଥିଲେ ତାହା ତାଙ୍କୁ ଜଣାଥିଲା । ତା’ ସତ୍ତ୍ୱେ ଅକ୍ଷର ଦୁରାକର୍ଷଣକୁ ସେ ଏଡ଼େଇ ଦେଇପାରିଲେ ନାହିଁ । ବାରମ୍ୱାର ପରାଜିତ ହେଉଥିବା ସତ୍ତ୍ୱେ ସେ ସେହି କର୍ମରେ ପ୍ରବୃତ୍ତ ରହିଲେ । ନଳ ବୁଝିପାରୁନଥିଲେ କେଉଁ ଅପଶକ୍ତିର ପ୍ରରୋଚନାରେ ସେ ଏପରି କରୁଥିଲେ । ତାଙ୍କର ମନେ ପଡ଼ିଯାଉଥିଲା ତାଙ୍କର ଅମାତ୍ୟଗଣ କିପରି ଭାବରେ ତାଙ୍କୁ ସେଥିରୁ କ୍ଷାନ୍ତ କରିବାକୁ ବାରମ୍ୱାର ପ୍ରୟାସ କରି ବିଫଳ ହେଉଥିଲେ, କିପରି ଭାବରେ ସେ ପରିଚାରିକା ମୁଖରୁ ଦମୟନ୍ତୀଙ୍କର ତାଙ୍କୁ କ୍ରୀଡ଼ାନିବୃତ୍ତ ହେବାକୁ କରିଥିବା ଅନୁରୋଧକୁ ପ୍ରତ୍ୟଖ୍ୟାନ କରିଥିଲେ । କିପରି ନିଜର ସନ୍ତାନ ଦ୍ୱୟଙ୍କର ନିରାପତ୍ତାର ଚିନ୍ତା ବି ତାଙ୍କ ମନକୁ ଆଣି ନଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top