ଗଳ୍ପ

ଅନୁପମା ସୁକନ୍ୟା

Dr Archana Nayak's Odia Story ANUPAMAA SUKANYAA

ତାଙ୍କର ଅଜାଣତରେ ତାଙ୍କୁ ଯେ କେହି ଅବଲୋକନ କରି ମୁଗ୍ଧ ହେଉଛନ୍ତି, ତାହା ଜାଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସେମାନେ ପାର୍ଥିବ ଜଗତର କେହି ନଥିଲେ, ତେଣୁ ତାହାଙ୍କୁ ଦର୍ଶନ କରିପାରିବା ପାଇଁ ମଣିଷର ସ୍ଥୂଳ ଚକ୍ଷୁ ସମର୍ଥ ନଥିଲା ।

ଅନୁପମା ସୁକନ୍ୟା

ନର୍ମଦା ତୀରବର୍ତ୍ତୀ ଘନ ଅରଣ୍ୟ । ଅରଣ୍ୟଶୋଭା ଦର୍ଶନ କରିବା ଓ ନର୍ମଦାର ପବିତ୍ର ଶୀତଳ ଜଳରେ ସ୍ନାନକ୍ରୀଡ଼ା କରିବା ଉଦ୍ଦେଶ୍ୟରେ ରାଜା ଶର୍ଯ୍ୟାତି ତାଙ୍କର ପତ୍ନୀଗଣଙ୍କ ସହିତ ସେଠାକୁ ଆଗମନ କରିଥିଲେ । ସାଙ୍ଗରେ ଆସିଥିଲେ ରାଜାଙ୍କର ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ କନ୍ୟା ସୁକନ୍ୟା । ତାରା ମଣ୍ଡଳୀ ଭିତରେ ଚନ୍ଦ୍ରମା ଶୋଭା ପାଇବା ପରି ସଖୀ ପରିଚାରିକା ଗହଣରେ ଦିବ୍ୟସୌନ୍ଦର୍ଯ୍ୟର ଅଧିକାରିଣୀ ରାଜକନ୍ୟା ସେହିପରି ଶୋଭା ପାଉଥିଲେ ।

ବୟସର ଚପଳତା ସହ ରାଜକନ୍ୟା ହେବାର ଅହଂକାର ପଣରେ ସୁକନ୍ୟା ମତ୍ତହସ୍ତିନୀ ପରି ଭ୍ରମଣ କରୁ କରୁ ବୃକ୍ଷର ପୁଷ୍ପିତ ଶାଖା ସବୁ ନିର୍ବିଚାରରେ ଭାଙ୍ଗି ଚାଲିଥିଲେ । ପ୍ରଚୁର ଫଳ ଓ ପୁଷ୍ପ ଚୟନ କରି ତାକୁ ଇତସ୍ତତଃ ଫୋପାଡ଼ିବାରେ ଆନନ୍ଦ ପାଉଥିଲେ । ସଖୀମାନଙ୍କ ସହ ହାସପରିହାସରେ ବନଭୂମିର ନିର୍ଜନତା ଭଙ୍ଗ ହେଉଥିବା ପ୍ରତି ତାଙ୍କର ଧ୍ୟାନ ନଥିଲା ।

ଅତ୍ୟନ୍ତ ଚଞ୍ଚଳମତି ଓ ଚପଳଗତି ପାଇଁ ସେ କେତେବେଳେ ପରିଚାରିକା ଗହଣରୁ ବିଚ୍ଛିନ୍ନ ହୋଇ ଏକାକିନୀ ଗଭୀର ଅରଣ୍ୟରେ ପ୍ରବେଶ କରିଛନ୍ତି ଜାଣିପାରି ନ ଥିଲେ । ତେବେ ନିଜକୁ ଏକାକିନୀ ଥିବା ଜାଣିବା ପରେ ବି ତାଙ୍କର ଚପଳତା କମି ନ ଥିଲା । ବରଂ ବନହରିଣୀ ପରି ସ୍ୱଚ୍ଛନ୍ଦ ଗତିରେ ସେ ଧାଇଁ ବୁଲୁଥିଲେ । ରାଜପ୍ରାସାଦର ଏକ ପ୍ରକାର ବନ୍ଦୀ ଜୀବନରୁ ମୁକ୍ତ ହେବାର ଆନନ୍ଦରେ ସେ ଦିଗହରା ହୋଇଯାଇଥିଲେ । ତାଙ୍କର ମନ ଓ ଶରୀର ଯେପରି କୌଣସି ବନ୍ଧନ ମାନିବାକୁ ପ୍ରସ୍ତୁତ ନ ଥିଲା ।

ମୁକ୍ତ ବିହଙ୍ଗୀ ପରି ସ୍ୱଚ୍ଛନ୍ଦରେ ଘୂରି ବୁଲୁଥିବା ବେଳେ ସୁକନ୍ୟାଙ୍କର ଦୃଷ୍ଟିଗୋଚର ହେଲା ଏକ ବିରାଟ ବଲ୍ମୀକ । ସେ ତାକୁ ନିକଟରୁ ଯାଇ ନିରୀକ୍ଷଣ କରିବାକୁ ଲାଗିଲେ । ପୂର୍ବରୁ ସେ ଏତେବଡ଼ ଆକାରର ବଲ୍ମୀକ କେବେ ଦେଖି ନ ଥିଲେ । କୌତୂହଳାକ୍ରାନ୍ତ ରାଜକନ୍ୟା ହଠାତ୍ ଲକ୍ଷ୍ୟ କଲେ ସେଇ ବିରାଟ ବଲ୍ମୀକ ଭିତରୁ ଗୋଟିଏ ସ୍ଥାନରୁ ଦୁଇଟି ଉଜ୍ଜ୍ୱଳ ବସ୍ତୁ କିଛି ଦେଖାଯାଉଛି । ତାହା କ’ଣ ହୋଇପାରେ ସେ ବୁଝିପାରିଲେ ନାହିଁ, କିନ୍ତୁ ଏକ ଅଦ୍ଭୁତ କୌତୁକ ଭାବ ତାଙ୍କୁ ଆଚ୍ଛନ୍ନ କଲା । ନିକଟବର୍ତ୍ତୀ କୌଣସି କଣ୍ଟାଗଛରୁ କଣ୍ଟାଟିଏ ସଂଗ୍ରହ କରି ସେହି ଉଜ୍ଜ୍ୱଳ ବସ୍ତୁକୁ ସେ ବିଦ୍ଧ କରିଦେଲେ ।

ସୁକନ୍ୟା ତଥାପି ଜାଣିପାରିଲେ ନାହିଁ ଯେ ନିଜର ଅଜାଣତରେ ସେ କେତେବଡ଼ ଅପରାଧ କରିସାରିଛନ୍ତି ।

ହଠାତ୍ ରାଜାଙ୍କର ସୈନ୍ୟସାମନ୍ତଗଣ ଏକ ଅଦ୍ଭୁତ ରୋଗରେ ପୀଡ଼ିତ ହୋଇ ପଡ଼ିଲେ । ସମସ୍ତଙ୍କର ମଳମୂତ୍ର ରୋଧ ହୋଇଯିବାରୁ ସେମାନେ ଯନ୍ତ୍ରଣା କାତର ହେବାର ଦେଖି ରାଜା ଶର୍ଯ୍ୟାତି ବୁଝିପାରିଲେ ସେମାନଙ୍କ ମଧ୍ୟରୁ କେହି ନିଶ୍ଚୟ କୌଣସି ଅପରାଧ କରିଛି, ଯାହାର ପରିଣତି ଏତେ ଭୟାବହ ହୋଇଛି । ପ୍ରତ୍ୟେକଙ୍କୁ କେହି କିଛି ସେପରି ଅପରାଧ କରିଛି କି ନାହିଁ ଜାଣିବା ପାଇଁ ସେ ପଚାରି ଚାଲିଲେ, କିନ୍ତୁ ସମସ୍ତଙ୍କର ଏକା ଉତ୍ତର ଯେ ସାମାନ୍ୟ ଅପକର୍ମ ବି କେହି କରିନାହାନ୍ତି ।

ତେବେ କ’ଣ କାରଣ ହୋଇପାରେ ଏପରି ଅଘଟଣର । ରାଜା ଚିନ୍ତାରେ ବିମୂଢ଼ ହୋଇଗଲେ । ଏପରି ନିର୍ଜନ ବନଭୂମି, ନିକଟରେ କୌଣସି ଋଷି ଆଶ୍ରମ ମଧ୍ୟ ନାହିଁ, କେହି ଏ ପର୍ଯ୍ୟନ୍ତ କୌଣସି ପଶୁ ଶିକାର କରିନାହାନ୍ତି, ଦେବାଳୟ ମଧ୍ୟ ନାହିଁ କି ବନଦେବତାଙ୍କର ଆସ୍ଥାନ ମଧ୍ୟ ନାହିଁ- ତେଣୁ କେଉଁ କ୍ଷେତ୍ରରେ ଅବା ଅପରାଧ ଘଟିପାରେ ?

ଶେଷରେ ଚିନ୍ତିତ, ବିମର୍ଷ ରାଜାଙ୍କ ନିକଟରେ ପହଞ୍ଚି ସୁକନ୍ୟା କହିଲେ “ସେ ଗୋଟେ କର୍ମ କୌତୂହଳବଶରୁ କରିଛନ୍ତି । ଗୋଟିଏ ବଲ୍ମୀକ ଭିତରୁ ଦିଶୁଥିବା ଦୁଇଟି ଉଜ୍ଜ୍ୱଳ ବସ୍ତୁକୁ ସେ କଣ୍ଟକବିଦ୍ଧ କରିଛନ୍ତି ।”

ରାଜା ଶର୍ଯ୍ୟାତି ଚମକି ପଡ଼ିଲେ । ସେ ବିନା ବାକ୍ୟବ୍ୟୟରେ ସୁକନ୍ୟାଙ୍କୁ ବାଟ ଦେଖେଇବାକୁ କହି ସମସ୍ତଙ୍କ ସହ ଯାଇ ସେହି ବଲ୍ମୀକ ନିକଟରେ ଉପସ୍ଥିତ ହେଲେ । ମନୁଷ୍ୟାକୃତିର ଏକ ବିରାଟ ବଲ୍ମୀକ । ହଠାତ୍ ତାଙ୍କର ମନେପଡ଼ିଗଲା ରାଜା ନହୁଷ ଓ ସେହି ଶୈବାଳଲିପ୍ତ ସନ୍ନ୍ୟାସୀଙ୍କ କଥା । କିଛି ବର୍ଷ ତଳେ ରାଜା ନହୁଷଙ୍କର ରାଜ୍ୟ ଦେଇ ପ୍ରବାହିତ ହେଉଥିବା ଗଙ୍ଗା ଓ ଯମୁନା ନଦୀର ଜଳଧାରା ମିଶିଯାଇଥିବା ସ୍ଥାନରୁ କୈବର୍ତ୍ତମାନଙ୍କର ମାଛଧରା ଜାଲ ଭିତରେ ପଡ଼ିଯାଇଥିଲା ଏକ ଶୈବାଳଲିପ୍ତ ମଣିଷର ଧ୍ୟାନମୂର୍ତ୍ତି । ବହୁ ଆୟାସ ପରେ ରାଜା ଜାଣିବାକୁ ପାଇଥିଲେ ଋଷି ଭୃଗୁଙ୍କର ପୁତ୍ର ଭାର୍ଗବ ଚ୍ୟବନ ହିଁ ଜଳ ଗର୍ଭରେ ଦୀର୍ଘକାଳ ଧରି ତପସ୍ୟାରତ ରହିବା ଫଳରେ ତାଙ୍କର ଶରୀର ଘନ ଶୈବାଳରେ ଆଚ୍ଛାଦିତ ହୋଇଥିଲା । ବହୁ ପ୍ରାର୍ଥନା ଫଳରେ ସେ ଜଳ ମଧ୍ୟରୁ ନିର୍ଗତ ହୋଇ, ପୁନଶ୍ଚ ତପଶ୍ଚରଣ ପାଇଁ ଗଭୀର ଅରଣ୍ୟକୁ ପ୍ରବେଶ କରିଥିଲେ ।

ଇଏ ଭୃଗୁ ନନ୍ଦନ ଋଷି ଚ୍ୟବନ ନୁହନ୍ତି ତ ! ଏପରି କଠୋର ତପସ୍ୟା ସେ ହିଁ କେବଳ କରିପାରନ୍ତି । ଦୀର୍ଘକାଳ ଧରି ସମାଧିମଗ୍ନ ତାଙ୍କର ନିଶ୍ଚଳ ଶରୀରର ଚତୁଃପାର୍ଶ୍ୱରୁ ଉଇମାନେ ହିଁ ମୃତ୍ତିକାର ପିଣ୍ଡ ନିର୍ମାଣ କରି ଦେଇଥିବେ । ଯଦି ତା’ ହୋଇଥାଏ ତେବେ ଧ୍ୟାନଭଙ୍ଗର ଅପରାଧ କରାଯାଇଥିବାରୁ ସେ କୋପୀ ମୁନି କେବେ ବି କ୍ଷମା କରିବେ ନାହିଁ । ତାଙ୍କରି କ୍ରୋଧବଶରୁ ସୈନ୍ୟମାନେ ଯେ ବ୍ୟାଧିପୀଡ଼ିତ ହୋଇଛନ୍ତି ଏଥିରେ ରାଜାଙ୍କର ଆଉ ସନ୍ଦେହ ନଥିଲା ।

ସେ କାଳବିଳମ୍ୱ ନ କରି ଯୋଡ଼ହସ୍ତରେ ବଲ୍ମୀକ ନିକଟରେ ଆଣ୍ଠୁମାଡ଼ି ବସି କାତର କଣ୍ଠରେ ବିନତି କଲେ, “ହେ ଭାର୍ଗବ, ଆରମ୍ଭ ଏ ବୃଦ୍ଧିହୀନା, ଅଜ୍ଞାନ, ଚପଳମତି କନ୍ୟାର ଦୋଷ କ୍ଷମା କରନ୍ତୁ । ସେ କେବଳ କୌତୂହଳବଶରୁ ତା’ର ନିଜର ଅଜାଣତରେ ଏପରି ଦୋଷ କରିଛି । ସେଥିପାଇଁ ମୁଁ ଓ ଏଠାରେ ଉପସ୍ଥିତ ରାଜପରିବାରର ସମସ୍ତେ ଆପଣଙ୍କୁ ଯୋଡ଼ହସ୍ତରେ କ୍ଷମା ପ୍ରାର୍ଥନା କରୁଛୁ । ଆପଣ ଦୟାକରି ମୋର ନିରପରାଧ ସୈନ୍ୟମାନଙ୍କୁ ଯନ୍ତ୍ରଣାମୁକ୍ତ କରନ୍ତୁ ।”

ବଲ୍ମୀକର ବାହ୍ୟଖଣ୍ଡଗୁଡ଼ିକ ଖୋଳପା ପରି ଖସି ପଡ଼ିବାକୁ ଲାଗିଲା । ଧୀରେ ଧୀରେ ସ୍ପଷ୍ଟ ହୋଇଉଠିଲା ଧ୍ୟାନମୁଦ୍ରାରେ ଉପବିଷ୍ଟ ଋଷିଙ୍କର ଶରୀର । ବୃଦ୍ଧ, ଅସ୍ଥିକଙ୍କାଳସାର ଶରୀର । ଚକ୍ଷୁଦ୍ୱୟରୁ ନିଃସୃତ ହେଉଥିଲା ରକ୍ତର ଧାର ।

ରାଜା ଶର୍ଯ୍ୟାତି ଭୟବିହ୍ୱଳ ହୋଇ ଆଣ୍ଠୁମାଡ଼ି କୁତାଞ୍ଜଳିପୁଟରେ ବଲ୍ମୀକ ମଧ୍ୟରୁ ଆତ୍ମପ୍ରକାଶ କରିଥିବା ଋଷିଙ୍କୁ ଉଦ୍ଦେଶ୍ୟ କରି ବିନୀତ କଣ୍ଠରେ କହିଲେ, “ହେ ପ୍ରଭୋ, ମୋର କନ୍ୟା ବାଳିକା ମାତ୍ର । ଭଲମନ୍ଦର ଜ୍ଞାନ ତା’ର ହୋଇନାହିଁ । ବୟସର ଚପଳତା ବଶରୁ ସେ କୌତୂହଳୀ ହୋଇ ଏ ପ୍ରକାର ଅଘଟଣ ଘଟାଇଅଛି । ତା’ର ଏହି ଅଜ୍ଞାନଜନିତ ଅପରାଧ ପାଇଁ ମୁଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି । ଆପଣ ଦୟାପୂର୍ବକ ତା’ର ଦୋଷ ଘେନା କରନ୍ତୁ ନାହିଁ ।”

ମହାରାଜା ନିରବରେ ମୁଣ୍ଡପାତି ଋଷିଙ୍କର ଆଦେଶକୁ ଅପେକ୍ଷା କରୁଥିଲେ । ରାଜାଙ୍କର ଅଙ୍ଗରକ୍ଷକ, ସୈନ୍ୟ ଓ ପତ୍ନୀଗଣ ସମସ୍ତେ ନତମସ୍ତକ ହୋଇ ନିରବରେ ଠିଆ ହୋଇ ରହିଲେ । ଚପଳମତି ସୁକନ୍ୟା ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ସାରିଥିଲେ । ନିଜର କୃତକର୍ମ ପାଇଁ ସେ ଗଭୀର ଭାବରେ ଅନୁତାପ କରୁଥିଲେ । ଅଜାଣତରେ ହେଉ ପଛେ ଅଯଥା କୌତୂହଳ ପାଇଁ ସେ ଯେ କେତେବଡ଼ ଅପରାଧ କରିଛନ୍ତି, ତାହା ଅନୁମାନ କରିପାରୁଥିଲେ । ରାଜାଙ୍କ ସହିତ ଆସିଥିବା ସମସ୍ତେ ଯେ ତାଙ୍କର ଅପକର୍ମ ପାଇଁ ଭୟଙ୍କର ଶରୀର ପୀଡ଼ା ଭୋଗୁଛନ୍ତି, ତାହା ସେ ଜାଣିବା ପରେ ଅତ୍ୟନ୍ତ ବିମର୍ଷ ହୋଇପଡ଼ିଥିଲେ । ମନେ ମନେ ସେ ଯେ କୌଣସି କଠିନ ଦଣ୍ଡ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । ଭାବୁଥିଲେ ଋଷିବର ଦୋଷୀକୁ ଦଣ୍ଡ ଦେଇ ଅନ୍ୟମାନଙ୍କୁ ମୁକ୍ତି ଦେବା ସମୀଚୀନ ହେବ । କିନ୍ତୁ ପାଟି ଖୋଲି କିଛି କହିବା ତାଙ୍କ ପକ୍ଷରେ ସମ୍ଭବ ହେଉନଥିଲା ।

ହଠାତ୍ ଶୁଣାଗଲା ଏକ ଜଳଦଗମ୍ଭୀର ସ୍ୱର । ସମସ୍ତେ ତଟସ୍ଥ ହୋଇ ସେହି ବଲ୍ମୀକ ମୂର୍ତ୍ତି ଆଡ଼କୁ ଚାହିଁଲେ । ବୃଦ୍ଧ ଭୃଗୁପୁତ୍ର ଚ୍ୟବନ ରାଜାଙ୍କୁ ଉଦ୍ଦେଶ୍ୟ କରି କହିଲେ, “ହେ ରାଜନ, ମୁଁ ଜାଣେ ତୁମ୍ଭର କନ୍ୟା ଅଜ୍ଞାନବଶତଃ ଏହି ଅପକର୍ମ କରିଅଛି । କିନ୍ତୁ ଜଣେ ଉଚ୍ଚକୁଳଶୀଳା କନ୍ୟାର ଏ ପ୍ରକାର ଚପଳତା ପ୍ରକାଶ ସ୍ଫୃହଣୀୟ ନୁହେଁ । ରାଜା, ସେ ଅପରାଧ କରିଅଛି । ମୁଁ ଗୋଟିଏ ସର୍ତ୍ତରେ ତାକୁ କ୍ଷମା କରିବି ଓ ତୁମର ଲୋକମାନଙ୍କୁ ବ୍ୟାଧିମୁକ୍ତ କରିବି ।”

ଋଷିଙ୍କର ଏହି ରୁକ୍ଷବାଣୀ ରାଜା ଶର୍ଯ୍ୟାତିଙ୍କ ହୃଦୟର ଆଶାର ସଞ୍ଚାର କଲା । ସେ ଚାହାନ୍ତି ତାଙ୍କ ଅନୁଚରବର୍ଗ ଏ ପୀଡ଼ାଦାୟକ ବ୍ୟାଧିରୁ ଯଥାଶୀଘ୍ର ମୁକ୍ତ ହୁଅନ୍ତୁ । ତେଣୁ ସେ ବ୍ୟଗ୍ରତା ପ୍ରକାଶ କରି କହିଲେ, “ହେ ଋଷିବର, ଆପଣ ଯାହା ଆଜ୍ଞା ଦେବେ ତାହା ଆମେ ନିର୍ବିଚାରରେ ପାଳନ କରିବୁ ।”

କାଳବିଳମ୍ୱ ନ କରି ଋଷି ଚ୍ୟବନ କହିଲେ, “ହେ ରାଜନ ! ତୁମ୍ଭର ଏହି କନ୍ୟା ଅପୂର୍ବ ସୁନ୍ଦରୀ, ଯୁବତୀ । ଆମ୍ଭେ ଏ ପର୍ଯ୍ୟନ୍ତ କାହାରି ପାଣିଗ୍ରହଣ କରିନଥିଲୁ । ଏହାକୁ ଦେଖିବା ପରେ ଆମ୍ଭ ମନରେ ବଂଶରକ୍ଷା କରିବାର ଆଗ୍ରହ ସୃଷ୍ଟି ହୋଇଛି । ଏହି କନ୍ୟାକୁ ତୁମ୍ଭେ ଆମ୍ଭଙ୍କୁ ପ୍ରଦାନ କର ।”

ଶର୍ଯ୍ୟାତିଙ୍କର ଆଉ କିଛି ଚିନ୍ତା କରିବାର ଅବକାଶ ନଥିଲା ଓ ସୁକନ୍ୟାଙ୍କର ଏ ପ୍ରସଙ୍ଗରେ ମତାମତ ଜାଣିବାର ଆବଶ୍ୟକତା ସେ ଅନୁଭବ କଲେ ନାହିଁ । ପରିସ୍ଥିତିର ଗାମ୍ଭୀର୍ଯ୍ୟ ଦୃଷ୍ଟିରୁ ତତ୍‌କ୍ଷଣାତ୍‌ ଋଷିଙ୍କର ପ୍ରସ୍ତାବରେ ଆନନ୍ଦର ସହ ସମ୍ମତ ହେଲେ । ବିନା ବିଳମ୍ୱରେ ସମସ୍ତଙ୍କର ଉପସ୍ଥିତିରେ ନିଜର ସୁକୁମାରୀ ନବଯୁବତୀ କନ୍ୟାକୁ ବୃଦ୍ଧ ଋଷିଙ୍କୁ ଶାସ୍ତ୍ର ମତେ ସମ୍ପ୍ରଦାନ କରି ରାଜା ସ୍ୱନଗରୀକୁ ଫେରିଗଲେ ।

ସୁକନ୍ୟାଙ୍କର ଅସମ୍ମତି ପ୍ରକାଶର ପ୍ରଶ୍ନ ଉଠିଲା ନାହିଁ । ନିଜର ଅପରକର୍ମର ଫଳ ଅନ୍ୟମାନେ ଭୋଗ କରୁଥିବାରୁ ସେମାନଙ୍କୁ ସେ କଷ୍ଟରୁ ରକ୍ଷା କରିବା ପାଇଁ ସେ ନିଜକୁ ପ୍ରସ୍ତୁତ କରିସାରିଥିଲେ ।

ଘନ ଅରଣ୍ୟରେ ଜଣେ ବୃଦ୍ଧ, ଅସମର୍ଥ, କ୍ଷୀଣ ଶିରାଳ ଶରୀର ସନ୍ୟାସୀଙ୍କ ସହିତ ଅନିନ୍ଦ୍ୟ ସୁନ୍ଦରୀ ରାଜଦୁହିତା ସୁକନ୍ୟାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ ହେଲା । ଦାସୀ ପରିଚାରିକାଙ୍କ ଦ୍ୱାରା ସର୍ବଦା ପରିବେଷ୍ଟିତା ରହୁଥିବା, ରାଜପ୍ରାସାଦର ସୁଖ ସମ୍ଭୋଗରେ ପରିପାଳିତା ହୋଇଥିବା, ଜୀବନଧାରଣର କୌଣସି କଷ୍ଟ ସମ୍ପର୍କରେ ଅବହିତ ନ ଥିବା କୋମଳାଙ୍ଗୀ ସୁକନ୍ୟାଙ୍କ ପାଇଁ ଅରଣ୍ୟ ଜୀବନ ଦୁର୍ବହ ହେବା ସ୍ୱାଭାବିକ୍ ଥିଲା । ନିଜର ଏକ ସାଧାରଣ କୌତୂହଳର ଏ ପ୍ରକାର ବିଷମ ପରିଣତି ଲାଗି ମସ୍ତକରେ ନିଜର ଦୁର୍ଭାଗ୍ୟ ପାଇଁ କରାଘାତ କରିବା ସାଧାରଣ କଥା ଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ରାଜକନ୍ୟା ସୁକନ୍ୟା ଖୁବ୍ ଶାନ୍ତ ଚିତ୍ତରେ ନିୟତିର ବିଧାନକୁ ସ୍ୱୀକାର କରିନେଲେ । ବୃଦ୍ଧ, କଙ୍କାଳସାର ଋଷିଙ୍କୁ ନିଜର ପତିରୂପେ ଲାଭ କରିବାକୁ ସେ ତାଙ୍କର ପରମ ସୌଭାଗ୍ୟ ବୋଲି ମନେକଲେ ।

ଅରଣ୍ୟରେ ନିଜର ଅନଭ୍ୟସ୍ତ ହସ୍ତରେ କାଷ୍ଠ ସଂଗ୍ରହ କରିବା, ଭୋଜନ ପ୍ରସ୍ତୁତ କରିବା, କିଛି ଦୂରରେ ପ୍ରବାହିତ ନଦୀରୁ ମୃତ୍ତିକା ପାତ୍ରରେ ଜଳ ସଂଗ୍ରହ କରି କୁଟୀରକୁ ଆଣିବା ଓ ବୃଦ୍ଧ ସ୍ୱାମୀଙ୍କର ପ୍ରୀତ୍ୟର୍ଥେ ସାଧ୍ୟ ମତେ ସେବା କରିବା ସୁକନ୍ୟାଙ୍କର ଜୀବନଚର୍ଯ୍ୟାର ସହଜ ଅଙ୍ଗ ପାଲଟି ଯାଇଥିଲା ।

ଏମିତି ବିତିଯାଉଥିଲା ଦିନ ପରେ ଦିନ ।

ସେଦିନ ପ୍ରାତଃକାଳରେ ସ୍ନାନ କରିବାକୁ ଯାଇ ନଦୀ ଜଳରେ ପ୍ରବେଶ କଲେ ସୁକନ୍ୟା । ନିଘଞ୍ଚ ନିକାଞ୍ଚନ ବନଭୂମି, ଦିଗନ୍ତବ୍ୟାପୀ ସବୁଜଶ୍ରୀ ମଣ୍ଡିତ ପରିବେଶ । ଜନମାନବର ଚିହ୍ନ ନାହିଁ । ପ୍ରାତଃ କାଳରେ ପକ୍ଷୀମାନଙ୍କର କାକଳି ଓ ନଦୀରେ ତରଙ୍ଗମାଳାର କୁଳୁକୁଳୁ ଧ୍ୱନି ବ୍ୟତୀତ ବନଭୂମିର ନିସ୍ତବ୍ଧତା ଭଙ୍ଗ କରିବା କରିବା ପରି ଭିନ୍ନ କିଛି ଶବ୍ଦ ନଥିଲା ।

ନିର୍ଜନ ତଟଭୂମି, ନଦୀରେ ସ୍ନାନରତା ସୁକନ୍ୟା । ଜଳର ସ୍ନିଗ୍ଧ ଶୀତଳ ସ୍ପର୍ଶରେ ତାଙ୍କ ଶରୀରର ସମସ୍ତ କ୍ଳାନ୍ତି ଯେମିତି ଦୂର ହୋଇଯାଉଥିଲା । ଜଳରେ ସନ୍ତରଣ କରି କିଛି ଆଗକୁ ଯାଇ ପୁଣି ସେ କୂଳକୁ ଫେରି ଆସୁଥିଲେ । ଦେହରୁ ବସନ ବେଳେ ବେଳେ ଅପସାରିତ ହୋଇ ତାଙ୍କର ନଗ୍ନ ଶରୀରର ଶୋଭା ବିକଶି ଉଠୁଥିଲା । ସିକ୍ତ ବସ୍ତ୍ରାଞ୍ଚଳରେ ନିଜକୁ ଢାଙ୍କି ଦେଉଥିବାବେଳେ ବି ତାଙ୍କର ଯୌବନଦୀପ୍ତ ସୁଗଠିତ ତନୁ ପତଳା ଶୁଭ୍ର ମେଘଖଣ୍ଡ ତଳୁ ପୂର୍ଣ୍ଣିମାର ଉଜ୍ଜ୍ୱଳ ଜହ୍ନ ପରି ଝଟକି ଉଠୁଥିଲା । ଅରଣ୍ୟ ନିବାସ ପରଠାରୁ ସୁକନ୍ୟାଙ୍କ ଶରୀର ଥିଲା ଅଳଙ୍କାର ଓ ପ୍ରସାଧନ ଶୂନ୍ୟ । ନିରାଭରଣା ସ୍ୱଭାବସୁନ୍ଦରୀ ସୁକନ୍ୟା ପ୍ରସ୍ଫୁଟିତ ମଲ୍ଲୀଫୁଲ ପରି ସତେଜ ସୁନ୍ଦର ଦିଶୁଥିଲେ ।

ସେଦିନ ସେ ନଦୀ ଜଳରେ ଏକାକିନୀ ଅର୍ଦ୍ଧନିମଗ୍ନ ଅବସ୍ଥାରେ ରହି ନଦୀର ଚତୁଃପାର୍ଶ୍ୱରେ ଥିବା ବନଶୋଭା ଦର୍ଶନ କରି ଅନ୍ତରରେ ଅନୁଭବ କରୁଥିଲେ ଏକ ଅପୂର୍ବ ପୁଲକ ।

ତାଙ୍କର ଅଜାଣତରେ ତାଙ୍କୁ ଯେ କେହି ଅବଲୋକନ କରି ମୁଗ୍ଧ ହେଉଛନ୍ତି, ତାହା ଜାଣିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସେମାନେ ପାର୍ଥିବ ଜଗତର କେହି ନଥିଲେ, ତେଣୁ ତାହାଙ୍କୁ ଦର୍ଶନ କରିପାରିବା ପାଇଁ ମଣିଷର ସ୍ଥୂଳ ଚକ୍ଷୁ ସମର୍ଥ ନଥିଲା । ସୁକନ୍ୟା ସେମାନଙ୍କ ଉପସ୍ଥିତି ଜାଣିପାରିନଥିଲେ । ସେଥିପାଇଁ ସେ ନିଜର ଶରୀରର ନଗ୍ନତା ସମ୍ପର୍କରେ ମଧ୍ୟ ସଚେତନ ନଥିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top