ଗଳ୍ପ

ଅନୁପମା ସୁକନ୍ୟା

Dr Archana Nayak's Odia Story ANUPAMAA SUKANYAA

ତୁମେ ସୁନ୍ଦରୀ ରୂପବତୀ ତରୁଣୀ । ତୁମ ଭିତରେ ସୌନ୍ଦର୍ଯ୍ୟ ପ୍ରତି, ଯୌବନ ପ୍ରତି ଆକର୍ଷଣ ତୀବ୍ର ହେବା ସ୍ୱାଭାବିକ । ତୁମ ଭିତରେ କାମତୃଷ୍ଣା ତୁମକୁ ଅସ୍ଥିର କରୁଥିବ ।

ଅନୁପମା ସୁକନ୍ୟା

-: ପୁର୍ବରୁ :-

ଅନ୍ତରୀକ୍ଷରେ ସୂକ୍ଷ୍ମ ଶରୀରରେ ରହି ଏହି ଅପୂର୍ବ ରୂପବତୀ ନାରୀର ସୌନ୍ଦର୍ଯ୍ୟ ଦର୍ଶନ କରି କେବଳ ସନ୍ତୁଷ୍ଟ ହେବାର ବ୍ୟକ୍ତି ସେମାନେ ନଥିଲେ । ଧୀରେ ଧୀରେ ନିଜକୁ ଦୃଶ୍ୟମାନ କରାଇ ଦୁଇଜଣ ତରୁଣ ଦେବତା ଅଶ୍ୱିନୀକୁମାର ନଦୀରୁ ସ୍ନାନ ସାରି କୂଳକୁ ଉଠି ଆସିଥିବା ସୁକନ୍ୟାଙ୍କ ସମ୍ମୁଖରେ ପ୍ରକାଶିତ ହେଲେ ।

ନିର୍ଜନ ବନରେ କେବେ କୌଣସି ମନୁଷ୍ୟର ଗତାଗତ ଲକ୍ଷ୍ୟ କରିନଥିବା ସୁକନ୍ୟା ହଠାତ୍ ନିଜ ସମ୍ମୁଖରେ ଦିବ୍ୟକାନ୍ତ ବିଚ୍ଛୁରଣ କରି ଦଣ୍ଡାୟମାନ ହୋଇଥିବା ନବଯୁବକଦ୍ୱୟଙ୍କୁ ଦେଖି ସଙ୍କୁଚିତ ହୋଇପଡ଼ିଲେ । ନିଜର ସିକ୍ତ ବସ୍ତ୍ର ପଣତରେ ନିଜର ଉଦ୍ଭିନ୍ନ ଯୌବନକୁ ଢାଙ୍କି ରଖିବାକୁ ଚେଷ୍ଟା କରୁ କରୁ ଶାନ୍ତ କଣ୍ଠରେ ପଚାରିଲେ, “ଆପଣମାନଙ୍କର ପରିଚୟ ଜାଣିପାରିବି କି ?”

ମୃଦୁ ହାସ୍ୟ କରୁ କରୁ ସେ ଦୁହେଁ କହିଲେ, “ପ୍ରଥମେ ତୁମର ପରିଚୟ ଦିଅ । ଏହି ନିର୍ଜନ ବନରେ ତୁମେ ଏକାକିନୀ ତରୁଣୀ ଭ୍ରମଣ କରିବା ଆମକୁ ବିସ୍ମିତ କରିଛି । ହେ ଶୋଭନାଙ୍ଗୀ, ତୁମେ କାହାର କନ୍ୟା ଓ କେଉଁ କାରଣରୁ ଏହି ନିର୍ଜନ ବନର ଶୋଭା ବର୍ଦ୍ଧନ କରୁଛ ?”

ସୁକନ୍ୟା ସେମାନଙ୍କର ଉପସ୍ଥିତିରେ ଲଜ୍ଜା ଅନୁଭବ କରୁଥିଲେ ବି ମୁଖନତ କରି କହିଲେ, “ମୁଁ ରାଜା ଶର୍ଯ୍ୟାତିଙ୍କର ଦୁହିଁତା ସୁକନ୍ୟା । ଋଷି ଭାର୍ଗବଙ୍କର ପତ୍ନୀ ।”

ତାଙ୍କ ଉତ୍ତର ଶୁଣି ସେ ଦୁହେଁ ପରିହାସ କରି କହିଲେ, “ତୁମେ ସେହି ବୃଦ୍ଧ, କଙ୍କାଳସାର ଋଷି ଭାର୍ଗବଙ୍କର ପତ୍ନୀ ! ଆଶ୍ଚର୍ଯ୍ୟର କଥା ତୁମର ପିତା ଜଣେ ରାଜା ହୋଇ, କୋଉ ବିଚାରରେ ତୁମ ପରି ଏକ ନବୀନବୟସୀ କନ୍ୟାକୁ ଜଣେ ମୃତକଳ୍ପ ଅବସ୍ଥାରେ ଥିବା ବ୍ୟକ୍ତିକୁ ବିବାହ ଦେଲେ । ସେ ଋଷି ମଧ୍ୟ କିପରି ତୁମକୁ ଗ୍ରହଣ କଲେ ? ସେ କ’ଣ ଜାଣନ୍ତି ନାହିଁ ଯେ ସେ ଜଣେ ସମ୍ଭୋଗ ସୁଖ-ବିରହିତ, ଅସମର୍ଥ ଜରାଗ୍ରସ୍ତ ବ୍ୟକ୍ତି ? ଏପରି ସୁନ୍ଦରୀ ଯୁବତୀକୁ କୌଣସି ପ୍ରକାର ସୁଖ ଦେବାକୁ ଅକ୍ଷମ ଓ ପତ୍ନୀର ଭରଣପୋଷଣ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ଜାଣି ମଧ୍ୟ ସେ ବିବାହ କଲେ କିପରି ?

ହେ ଶୁଭାଙ୍ଗୀ, ଆମ୍ଭେ ଅନୁଭବ କରିପାରୁଛୁ ଯେ ଋଷି ଚ୍ୟବନ ନିଜର ବୃଦ୍ଧାବସ୍ଥା ସତ୍ତ୍ୱେ ତୁମର ନବଯୌବନ ଦର୍ଶନ କରି ଲୋଭାସକ୍ତ ହୋଇଛନ୍ତି ଓ ତୁମ୍ଭର ପିତା ଅଭିଶାପ ଭୟରେ ବା କିଛି ପୂଣ୍ୟାର୍ଜନ ଲୋଭରେ ତୁମ୍ଭଙ୍କୁ ତାଙ୍କୁ ପ୍ରଦାନ କରିଛନ୍ତି ।”

ସୁକନ୍ୟା ସେମାନଙ୍କୁ କଣ ଉତ୍ତର ଦେବେ ଚିନ୍ତା କରୁ କରୁ ଅନ୍ୟ ଜଣେ ଦେବକୁମାର କହିଲେ, “ହେ ଶୁଭାନନେ, ଅଯଥାରେ ନିଜର ଜୀବନ ଓ ଯୌବନକୁ ନଷ୍ଟ ହେବାକୁ ଦିଅନାହିଁ । ତୁମେ ସୁନ୍ଦରୀ ରୂପବତୀ ତରୁଣୀ । ତୁମ ଭିତରେ ସୌନ୍ଦର୍ଯ୍ୟ ପ୍ରତି, ଯୌବନ ପ୍ରତି ଆକର୍ଷଣ ତୀବ୍ର ହେବା ସ୍ୱାଭାବିକ । ତୁମ ଭିତରେ କାମତୃଷ୍ଣା ତୁମକୁ ଅସ୍ଥିର କରୁଥିବ । ନିରାଭରଣା ହେଲେ ବା ଏକ ମଳିନ କଷାୟ ବସ୍ତ୍ର ପରିଧାନ କଲେ କ’ଣ ଶରୀରର କାମନା ବିନଷ୍ଟ ହୋଇଯାଏ ନାଁ ତାପସୀର ରୂପ ତଳେ ଯୌବନର ଅଗ୍ନି ଅଧିକ ପ୍ରଜ୍ୱଳିତ ହେଉଥାଏ ।

ଦେଖ, ଆମ କଥା ଶୁଣ । ସେହି ଜରାଗ୍ରସ୍ତ ଋଷିଙ୍କୁ ପରିତ୍ୟାଗ କରି ଆମ ଦୁହିଁଙ୍କ ଭିତରୁ ଜଣକୁ ତୁମ ଇଚ୍ଛାନୁସାରେ ବରଣ କରିନିଅ । ଜୀବନ ମଧୁମୟ ହୋଇଉଠିବ । ଯୌବନର ମଦମତ୍ତ ସଂଗୀତର ସ୍ୱର ଝଙ୍କାରରେ ତୁମର ଏହି ରୁକ୍ଷ ପତ୍ରଝରା ଶ୍ରୀହୀନ ଜୀବନରେ ଆନନ୍ଦ ଉଲ୍ଲାସର ପ୍ରସୂନମାନ ବିକଶିତ ହୋଇଉଠିବ ।”

ସୁକନ୍ୟା ନିରବରେ ସେମାନଙ୍କ କଥା ଶୁଣୁଥିଲେ । ସେମାନଙ୍କୁ କିଛି ଉତ୍ତର ଦେବା ପୂର୍ବରୁ ସେମାନଙ୍କର ପରିଚୟ ଜାଣିବା ପାଇଁ ପଚାରିଲେ, “ଆପଣମାନଙ୍କର ପରିଚୟ ମୁଁ ଜାଣିପାରିବି କି ?”

ଉତ୍ସାହିତ ହୋଇ ସେ ଦୁହେଁ ଏକ ସଙ୍ଗରେ କହି ଉଠିଲେ, “ଆମେ ହେଉଛୁ ସ୍ୱର୍ଗର ଯୁଗ୍ମ ଦେବତା ଅଶ୍ୱିନୀକୁମାର ।”

ସୁକନ୍ୟା ତାଙ୍କର ପରିଚୟ ଜାଣି ପ୍ରଥମେ ବିସ୍ମିତ ହୋଇଗଲେ ବି ନିଜକୁ ଯଥାସମ୍ଭବ ସ୍ୱାଭାବିକ୍ ରଖି ହାତଯୋଡ଼ି କହିଲେ, “ମୋର ପ୍ରଣାମ ଗ୍ରହଣ କରନ୍ତୁ ଦେବତା ଅଶ୍ୱିନୀ କୁମାର ! କିନ୍ତୁ ଆପଣଙ୍କର ଦେବ ପରିଚୟ ପାଇବା ପରେ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଆପଣ ଦୁହେଁ ଦେବତା ହୋଇ ଏପରି ଅନାର୍ଯ୍ୟ ବାକ୍ୟ କିପରି ଉଚ୍ଚାରଣ କରୁଛନ୍ତି ? ମୁଁ ଋଷି ଚ୍ୟବନଙ୍କର ପତ୍ନୀ । ସେ ଜରାଗ୍ରସ୍ତ ବୃଦ୍ଧ ହେଲେ ମଧ୍ୟ ମୁଁ ତାଙ୍କର ସମ୍ପୂର୍ଣ୍ଣ ଅନୁଗତା । ମୁଁ ଅଗ୍ନିକୁ ସାକ୍ଷୀ ରଖି ତାଙ୍କର ପତ୍ନୀତ୍ୱ ସ୍ୱୀକାର କରିଛି । କୌଣସି ପ୍ରଲୋଭନ ମତେ ପଥଭ୍ରଷ୍ଟ କରିପାରିବ ନାହିଁ । ତେଣୁ ଆପଣମାନେ ଦୟାକରି ସେ ସମ୍ପର୍କରେ ଆଉ ଶବ୍ଦଟିଏ ମଧ୍ୟ ଉଚ୍ଚାରଣ କରନ୍ତୁ ନାହିଁ ।”

ଅଶ୍ୱିନୀକୁମାରଦ୍ୱୟ ପରସ୍ପରକୁ ଚାହିଁ କିଛି ଇଙ୍ଗିତ କଲେ । ତନ୍ମଧ୍ୟରୁ ଜଣେ କହିଲେ, “ହେ ଚାରୁଶୀଳେ ! ତୁମ୍ଭଙ୍କୁ ଆମେ ଅନ୍ୟ ଏକ ପ୍ରସ୍ତାବ ଦେଉଛୁ । ଆମ୍ଭେ ଦୁହେଁ ହେଉଛୁ ଦେବବୈଦ୍ୟ । ଜରା, ବାର୍ଦ୍ଧକ୍ୟ ଓ ଦୁରାରୋଗ୍ୟ ବ୍ୟାଧି ସବୁକୁ ଆମେ ଦୂର କରିଦେଇପାରିବୁ । ତୁମେ ତୁମର ପତିଙ୍କୁ ଜଣାଅ ଯେ ଆମେ ତାଙ୍କୁ ଯୁବକ ଓ ରୂପବନ୍ତ କରିଦେଇପାରିବୁ । କିନ୍ତୁ ତା’ପରେ ଆମ ଭିତରୁ ତୁମେ ଯାହାକୁ ଚାହିଁବ ପତିରୂପେ ଗ୍ରହଣ କରିପାରିବା ପାଇଁ ସେ ପ୍ରଥମରୁ ଅନୁମତି ଦେବେ । ଆମେ ଏହିଠାରେ ଅପେକ୍ଷା କରୁଛୁ । ତୁମେ କୁଟୀରକୁ ଯାଇ ଆମ ପ୍ରସ୍ତାବ ବିଷୟରେ ଚ୍ୟବନଙ୍କୁ ଅବଗତ କରାଅ । ତୁମେ ଯଦି ଅବିଳମ୍ୱେ ଏଠାକୁ ଫେରିନଆସ, ତେବେ ଆମେ ତୁମ ପତିଙ୍କର ଏଥିରେ ସମ୍ମତି ନାହିଁ ଜାଣି ଏଠାରୁ ଫେରିଯିବୁ ଏବଂ ତୁମେ ମୃତ୍ୟୁପଥଗାମୀ ବୃଦ୍ଧଜଣକ ସହ ଏହି ଅରଣ୍ୟରେ ଦୁଃଖକଷ୍ଟରେ କାଳାତିପାତ କରିବ ।”

ସୁକନ୍ୟା ଏହି ପ୍ରସ୍ତାବ ସମ୍ପର୍କରେ ନିଜର କୌଣସି ମତାମତ ଜଣାଇଲେ ନାହିଁ । ନିରବରେ କୁଟୀର ଅଭିମୁଖରେ ପ୍ରସ୍ଥାନ କଲେ । ଋଷି ଚ୍ୟବନ ତାଙ୍କର ସ୍ନାନାନ୍ତେ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ୱ ହେବାର କାରଣ ଜିଜ୍ଞାସା କଲେ । ସୁକନ୍ୟା ଭାବୁଥିଲେ ଦେବତାମାନଙ୍କ ପ୍ରସ୍ତାବ କଥା ସେ କହିବେ କି ନାହିଁ । ଚ୍ୟବନ ହୁଏତ କୁପିତ ହୋଇ ନାନା ଅନର୍ଥ କରିପାରନ୍ତି । କିନ୍ତୁ ସେ ଯେ ପତିଙ୍କ ସମ୍ମୁଖରେ ସତ୍ୟ ଭିନ୍ନ ଅନ୍ୟ କିଛି ଉଚ୍ଚାରଣ କରିପାରିବେନି । ସୁକନ୍ୟା ନିଷ୍କମ୍ପ ସ୍ୱରରେ ଅଶ୍ୱିନୀକୁମାରଙ୍କ ପ୍ରସଙ୍ଗ ଓ ସେମାନଙ୍କର ପ୍ରଦତ୍ତ ପ୍ରସ୍ତାବ ସମ୍ପର୍କରେ ଋଷି ଚ୍ୟବନଙ୍କୁ ଜଣାଇ ଦେଲେ ଓ ଶାନ୍ତ ଭାବରେ ପତିଙ୍କର ପ୍ରତିକ୍ରିୟାକୁ ଅପେକ୍ଷା କରୁଥିଲେ ।

ତାଙ୍କୁ ବିସ୍ମିତ କରି ଋଷି ଭାର୍ଗବ କହିଲେ, “ସୁକନ୍ୟା, ଅଶ୍ୱିନୀକୁମାରଦ୍ୱୟ ତୁମକୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଗ୍ରହଣକର । ମୁଁ ତୁମକୁ ଅନୁମତି ଦେଉଛି ।”

ପତିଙ୍କର ନିର୍ଦ୍ଦେଶ ନେଇ ରାଜକନ୍ୟା ସୁକନ୍ୟା ନଦୀ କୂଳକୁ ଫେରିଗଲେ ଓ ସେଠାରେ ଅପେକ୍ଷାମାଣ ଦେବବୈଦ୍ୟ ଦୁହିଁଙ୍କୁ ତାଙ୍କର ପ୍ରସ୍ତାବ ସ୍ୱୀକାର କରିବା କଥା କହିଲେ ।

ଆଶା ଓ ଆନନ୍ଦରେ ସେ ଦୁହିଁଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା । ସେମାନେ ନିଜର ପ୍ରତିଶ୍ର୍ରତି ରକ୍ଷା କରି ଚ୍ୟବନଙ୍କୁ ନଦୀ ଜଳରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦେଲେ । ଚ୍ୟବନ ବିନା ବାକ୍ୟବ୍ୟୟରେ ନଦୀ ଜଳରେ ପ୍ରବେଶ କରିବାକୁ ଆଗେଇଗଲେ । ତାଙ୍କ ପଛେ ପଛେ ଦେବକୁମାରଦ୍ୱୟ ମଧ୍ୟ ପରମ ଉତ୍ସାହରେ ସେହି ଦିଗରେ ଆଗେଇଲେ ।

ସୁକନ୍ୟା ତଟଦେଶରେ ନିର୍ବାକ୍ ହୋଇ ଠିଆ ହୋଇଥାନ୍ତି । ତାଙ୍କ ହୃତ୍ସ୍ପନ୍ଦନ କ୍ରମଶଃ ଦ୍ର୍ରତ ହୋଇଉଠୁଥାଏ । ଦେବଦ୍ୱୟଙ୍କ ସହ ମନୁଷ୍ୟଟିଏ ମଧ୍ୟ ଏକ ଚମତ୍କାରିତାର ଅଂଶ ହୋଇ ଉଠିଛନ୍ତି । କିନ୍ତୁ ପରିଣତି କ’ଣ ହେବ କିଏ ଜାଣେ !

ଦୁର୍ବଳ ବୃଦ୍ଧ ମଣିଷଟିର ଜଳନିମଜ୍ଜନ ନିଶ୍ଚିତ ଜାଣି ସେ ଉତ୍କଣ୍ଠିତ ହୋଇ ପଡୁଥିଲେ । ଚ୍ୟବନଙ୍କ ପ୍ରତି ତାଙ୍କର ହୃଦୟ କରୁଣାକୋମଳ ହୋଇଉଠୁଥିଲା । ସୁକନ୍ୟା ବୁଝିପାରୁନଥିଲେ ଭାର୍ଗବଙ୍କ ପରି ଏତେ କ୍ରୋଧୀ ବ୍ୟକ୍ତି ସେ ଦେବତାଦ୍ୱୟଙ୍କୁ ତାଙ୍କର ଅପମାନକର ପ୍ରସ୍ତାବ ପାଇଁ ଅଭିଶାପ ନ ଦେଇ ବିନା ଆପତ୍ତିରେ ତାହାକୁ ଗ୍ରହଣ କରିଗଲେ କାହିଁକି !

ସେ ତେବେ କ’ଣ ନିଜର ବାର୍ଦ୍ଧକ୍ୟ ଓ ଶାରୀରିକ ଅସାମର୍ଥ୍ୟକୁ ସହ୍ୟ କରିପାରୁନଥିଲେ ? ସୁକନ୍ୟାଙ୍କର ଅଜାଣତରେ ଘଟିଥିବା ଏକ ଭୁଲ୍ ପାଇଁ ସେ କ’ଣ ତାଙ୍କୁ ଦଣ୍ଡିତ କରିବା ବାହାନାରେ ତାଙ୍କର ଯୌବନଦୀପ୍ତ ଶରୀର ପ୍ରତି ଅକୃଷ୍ଟ ହୋଇ ତାଙ୍କୁ ବିବାହ କରିବାକୁ ରାଜା ଶର୍ଯ୍ୟାତିଙ୍କୁ ଏକପ୍ରକାର ବାଧ୍ୟ କରିନଥିଲେ ! କିନ୍ତୁ ବିବାହ ପରେ ହିଁ କ’ଣ ଜଣେ ସୁଶ୍ରୀ ତରୁଣୀକୁ ଜରାଗ୍ରସ୍ତ ଅବସ୍ଥାରେ ବିବାହ କରି ଅନ୍ୟାୟ କରିଥିବା କଥା ବୁଝିପାରିଥିଲେ ? ଏଇ ଅନୁଭବ ହୁଏତ ତାଙ୍କ ମର୍ମାନ୍ତିକ ପୀଡ଼ା ଦେଇଛି ।

ସୁକନ୍ୟାଙ୍କର ଜରାଗ୍ରସ୍ତ ସ୍ୱାମୀଙ୍କୁ ବିନା ଆପତ୍ତିରେ ସ୍ୱୀକାର କରିନେବା, ଯୌବନର ପ୍ରବେଗକୁ ସମ୍ପୂର୍ଣ୍ଣ ଭାବରେ ସଂଯତ କରିନେଇ ଏକ ସହଜ ଅରଣ୍ୟ ଜୀବନ ବଞ୍ଚିବା ଓ ନିଜର ସମସ୍ତ ସମୟ ବୃଦ୍ଧ ସ୍ୱାମୀଙ୍କର ପରିଚର୍ଯ୍ୟାରେ କଟାଇବା ବୋଧହୁଏ ଋଷିଙ୍କ ଉପରେ ଅପରାଧର ଏକ ଅଦୃଶ୍ୟ ଭାର ହୋଇ ରହିଛି । ସେଥିରୁ ମୁକ୍ତି ପାଇବା ପାଇଁ କ’ଣ ସେ ଅଶ୍ୱିନୀକୁମାରଙ୍କ ପ୍ରସ୍ତାବକୁ ସ୍ୱୀକାର କରିଗଲେ !

ନଦୀ ଜଳରେ ପ୍ରବେଶ କରିବାକୁ କୁଟୀରରୁ ଆସି କୂଳରେ ଉପସ୍ଥିତ ହେଲେ ବୃଦ୍ଧ ଋଷି । ସୁକନ୍ୟା ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟ କରିଥିଲେ ଯେ ଚ୍ୟବନଙ୍କର ଶ୍ମଶ୍ର୍ରମଣ୍ଡିତ ଶୁଷ୍କ ମୁଖ ଲୁଳିତ ଚର୍ମ ଓ ନଇଁ ଆସିଥିବା ଆଖିପତା ତଳୁ ଆଖି ତୋଳି ସେ ସୁକନ୍ୟାଙ୍କୁ ସତେ ଯେମିତି ଶେଷଥର ପାଇଁ ଦେଖୁଛନ୍ତି । କେତେ କରୁଣ ଅସହାୟ ସେ ଦୃଷ୍ଟି । କିନ୍ତୁ ତାରି ଭିତରୁ ଝରି ଆସୁଥିଲା ଭଲ ପାଇବାର ଏକ ସ୍ନିଗ୍ଧ ମଧୁର ଅନୁଭବର ଧାରା । ତାଙ୍କର କ୍ଷୀଣ ଶିଥିଳ ବାହୁର ଆଲୋଡ଼ନରୁ ମନେହେଉଥିଲା ସତେ ଯେମିତି ପ୍ରଥମ ଓ ଶେଷଥର ପାଇଁ ସୁକନ୍ୟାଙ୍କୁ ସେ ପରମ ଆଦରରେ ଆଲିଙ୍ଗନ କରିବାକୁ ବ୍ୟାକୁଳ ହୋଇ ଉଠିଛନ୍ତି । କିଛି ହରାଇବାର ଆଶଙ୍କାରେ ମଧ୍ୟ ତାଙ୍କର ମ୍ରିୟମାଣତାକୁ ସୁକନ୍ୟା ଅନୁଭବ କରିପାରୁଥିଲେ । କିନ୍ତୁ କେହି କାହାର ଅନୁଭବକୁ ବୁଝି ତାହା ପ୍ରକାଶ କରିବାର ଅବକାଶ ଆଉ ନଥିଲା । ଦେବଦ୍ୱୟଙ୍କର ଉପସ୍ଥିତି ଏକ ସମ୍ମୋହନକାରୀ ଅବସ୍ଥା ସୃଷ୍ଟି କରିଥିଲା ।

ସୁକନ୍ୟାଙ୍କର ଅନ୍ୟମନସ୍କତା କଟିଗଲା । ସେ ଚମକିପଡ଼ି ଚାହିଁ ଦେଖିଲେ ବୃଦ୍ଧ ଚ୍ୟବନ ନିଜର ଅବସନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ପ୍ରାୟତଃ ବାଧ୍ୟ କରି ଜଳ ରାଶିର ଗଭୀରତା ଭିତରକୁ ଧୀରେ ଧୀରେ ପ୍ରବେଶ କରୁଛନ୍ତି । କିନ୍ତୁ ତାଙ୍କର ଦୁଇ ପାର୍ଶ୍ଵ ଦେଇ ତରୁଣ ଦେବକୁମାରଦ୍ୱୟ ପରମ ଉଲ୍ଲାସରେ ପରସ୍ପରକୁ ଜଳନିକ୍ଷେପ କରୁ କରୁ ଆଗକୁ ଅତିକ୍ରମ କରିଗଲେ । ସେମାନେ ନିଜର ସୁଗଠିତ ତରୁଣ ଅଙ୍ଗର କ୍ଷିପ୍ର ଚାଳନାରେ ନଦୀଜଳକୁ ଆହୁରି ତରଙ୍ଗାୟିତ କରିଚାଲିଥିଲେ । ସେ ଦୁହିଁଙ୍କର ହାସରୋଳରେ ବନ ଭୂମିରେ ଏକ ମୃଦୁ ମନ୍ଦ ଗୁଞ୍ଜରଣ ସଞ୍ଚରି ଯାଉଥିଲା । ସେମାନେ ନଦୀର ଗଭୀର ଜଳକୁ ଅନାୟାସରେ ପ୍ରବେଶ କରି ଯାଉଥିଲା । ସେମାନଙ୍କର ଦୀର୍ଘ ଦେହ ଜଳ ଉପରୁ ବେଶ୍ ଦୃଶ୍ୟମାନ ହେଉଥିଲା ।

କିନ୍ତୁ କୂଳରୁ ଅଳ୍ପ ଦୂର ନଦୀ ଭିତରକୁ ଯାଇଥିବା ଭାର୍ଗବଙ୍କର ଜରାଗ୍ରସ୍ତ ଶରୀର ପ୍ରାୟତଃ ଲୁଚିଯାଇଥିଲା । ସୁକନ୍ୟାଙ୍କର ମନେ ହେଲା ସେ ନିଜେ ଏବେ ନଦୀ ଗର୍ଭକୁ ଲମ୍ଫ ଦେଇ ଭାର୍ଗବଙ୍କୁ କୂଳକୁ ଟାଣି ଆଣିବେ । ଆବଶ୍ୟକ ନାହିଁ ଦେବତାଙ୍କର ଏହି ପ୍ରଚ୍ଛନ୍ନ ଭୋଗପ୍ରବଣ ଛଳାଚ୍ଛନ୍ନ ସର୍ତ୍ତକୁ ମାନିଯିବା । ପୃଥିବୀର ମଣିଷକୁ ପାର୍ଥିବ ନିୟମ ସକଳ ଅବଶ୍ୟ ମାନିବାକୁ ହେବ । ପ୍ରକୃତିର ବିଧାନକୁ ବିରୋଧ କରି ତିଷ୍ଠି ରହିବା ମଣିଷ ପକ୍ଷରେ ସମ୍ଭବ ନୁହେଁ ।

ମର୍ତ୍ତ୍ୟର ମଣିଷ ମନକୁ ପ୍ରଭାବିତ କରିବା ପାଇଁ ଇଏ ଏକ ଦେବକୂଟ ନିଶ୍ଚୟ !

ଋଷି ଚ୍ୟବନ ତ ସ୍ୱଇଚ୍ଛାରେ ଜଳ ପ୍ରବେଶ କରିଛନ୍ତି । ଯଦି ସେ ସେଥିରେ ନିମଜ୍ଜିତ ହୋଇ ମୃତ୍ୟୁବରଣ କରିବେ ତେବେ କେହି ତ ଅଶ୍ୱିନୀକୁମାରଙ୍କୁ ଦୋଷ ଦେବେ ନାହିଁ, ବରଂ ଏହା ଋଷିଙ୍କର ଅବିଚାରିତ କର୍ମ ବୋଲି କହିବେ ଏବଂ ସୁକନ୍ୟା ଯେ ତାଙ୍କୁ ଏଥିପାଇଁ ବାଧ୍ୟ କରିଥାଇପାରନ୍ତି ବୋଲି ମଧ୍ୟ କେହି ସନ୍ଦେହ କରିବା ଆଶ୍ଚର୍ଯ୍ୟ ନୁହେଁ ।

ଏ ପ୍ରକାର ଚିନ୍ତା ମନରେ ଆସିଯିବା ମାତ୍ରେ ସୁକନ୍ୟା ନିଜ ଭିତରେ ଏକ ପ୍ରକାର ସ୍ତବ୍ଧତା ଅନୁଭବ କଲେ । ନିଜ ଚିତ୍ତଲୋକକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ । ତାଙ୍କର ନିଜର ପ୍ରଚ୍ଛନ୍ନ କାମନା ଓ ଭୋଗତୃଷ୍ଣା ତାଙ୍କର ବୃଦ୍ଧ ପତିଙ୍କ ମନରେ ଯୌବନ ପ୍ରାପ୍ତିର ଦୁରାକାଂକ୍ଷା ସୃଷ୍ଟି କରିନି ତ ? ତାଙ୍କର ସମ୍ଭୋଗ ସାମର୍ଥ୍ୟହୀନତା ପାଇଁ ସୁକନ୍ୟାଙ୍କର ରକ୍ତ ମାଂସର ଶରୀର ଓ ସ୍ୱପ୍ନାଚ୍ଛନ୍ନ ମନ ବିଦ୍ରୋହ କରିନାହିଁ ତ ! ସେ ନିଜେ ଆଜିର ଏ ଅଭାବିତ ଘଟଣା ପାଇଁ ଦାୟୀ ନୁହନ୍ତି ତ ! ନିଜ ଭିତରେ ସେ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜୁଥିଲେ । ମୁହୂର୍ତ୍ତକ ଭିତରେ ତାଙ୍କର ଚିତ୍ତଲୋକ ସ୍ୱଚ୍ଛ ଦର୍ପଣ ପରି ଉଦ୍ଭାସିତ ହୋଇଉଠିଲା । ସେଠାରେ ସେ ଦେଖିପାରିଲେ ପତିଙ୍କର ବୃଦ୍ଧାବସ୍ଥାଜନିତ ତାଙ୍କ ମନର ସାମାନ୍ୟ ବିରାଗ ସେହି ଦର୍ପଣ ଉପରେ କୃଷ୍ଣରେଖାଟିଏ ପକାଇପାରିନି ।

ଏହା କ’ଣ ତ୍ରିକାଳଦର୍ଶୀ ଋଷି ଚ୍ୟବନ ଜାଣନ୍ତି ନାହିଁ ? ତେବେ ଆଜି କାହିଁକି ସେ ନିଜକୁ ଦେବକୂଟର ଶରବ୍ୟ ହେବାକୁ ଦେଉଛନ୍ତି !

ସୁକନ୍ୟା ଆତ୍ମସ୍ଥ ହେଲେ । ତାଙ୍କ ହୃଦୟର କେଉଁ ଗଭୀରରୁ କୋହଭରା ଆର୍ତ୍ତନାଦଟିଏ ଉଠିଆସୁଥିଲା, “ଫେରି ଆସନ୍ତୁ ସ୍ୱାମୀ, ଫେରିଆସନ୍ତୁ ।” କିନ୍ତୁ ସେ ଆର୍ତ୍ତନାଦଟି କଣ୍ଠମୁକ୍ତ ହେବା ପୂର୍ବରୁ ହିଁ ଋଷି ଚ୍ୟବନଙ୍କର ଜଟାମଣ୍ଡିତ ମସ୍ତକଟି ଗଭୀର ଜଳ ଭିତରେ ହଜିଗଲା ।

ସୁକନ୍ୟାଙ୍କର ଭିତରଟା ହାହାକାର କରିଉଠିଲା । ସମଗ୍ର ପୃଥିବୀରେ ସେ ଯେମିତି ସମ୍ପୂର୍ଣ୍ଣ ଏକାକିନୀ ହୋଇଯାଇଛନ୍ତି । କେଇଟି ମୁହୂର୍ତ୍ତ ଭିତରେ ନିଃସଙ୍ଗତାର ପୀଡ଼ା ତାଙ୍କର ଅନ୍ତଃସତ୍ତାକୁ ଆଚ୍ଛନ୍ନ କରିଦେଲା । ଏକପ୍ରକାର ଶୂନ୍ୟତାବୋଧର ଅନୁଭବ ତାଙ୍କର ଚେତାକୁ ଗ୍ରାସ କରିଗଲା । ସେ ବାଷ୍ପରୁଦ୍ଧ କଣ୍ଠରେ ତାଙ୍କର ପଲକହୀନ ଆଖିକୁ ଜଳନିବଦ୍ଧ କରି ଏକ ପାଷାଣ ପ୍ରତିମା ପରି ଠିଆ ହୋଇ ରହିଲେ । ତାଙ୍କ ଭିତରେ ଆଶା ଆଶଙ୍କାରେ ଜର୍ଜରିତ ହୃଦୟର ଦ୍ରୁତସ୍ପନ୍ଦନ ହିଁ କେବଳ ତାଙ୍କର ଅସ୍ତିତ୍ୱର ସୂଚନା ଦେଉଥିଲା ।

ନଦୀ ଗର୍ଭରେ ଜଳର ଆବର୍ତ୍ତ ସତେ ଯେମିତି ସ୍ଥିର ହୋଇଯାଇଥିଲା । ନିସ୍ତରଙ୍ଗ ହୋଇଯାଇଥିଲା ସଦା ଚଞ୍ଚଳ ନଦୀର ଜଳଧାର । ଚତୁଃପାର୍ଶ୍ଵର ବନଭୂମିରେ ଅଖଣ୍ଡ ନିରବତା ଛାଇଯାଇଥିଲା ।

ହଠାତ୍ ଜଳ ଭିତରେ ସୃଷ୍ଟି ହେଲା ଆଲୋଡ଼ନ । ନଦୀର ଗଭୀର ଜଳ ଭିତରୁ ଉପରକୁ ମସ୍ତକ ଉତ୍ତୋଳନ କଲେ ଜଣେ ସୌମ୍ୟକାନ୍ତ ତରୁଣ । ଧୀରେ ଧୀରେ ତାଙ୍କର ସମଗ୍ର ଶରୀର ଦୃଶ୍ୟମାନ ହେଲା । ଗୌରବର୍ଣ୍ଣ, ସୁଗଠିତ ବପୁ, ଦୀର୍ଘଦେହ, କୃଷ୍ଣକେଶଦାମରେ ଶୋଭିତ ତାରୁଣ୍ୟଦୀପ୍ତ ସୁନ୍ଦର ମୁଖମଣ୍ଡଳ । ପ୍ରଶସ୍ତ ଲଲାଟପଟ, ଦୀର୍ଘ ଆୟତଚକ୍ଷୁ, ସୁଉଚ୍ଚ ନାସା, ପରିପୁଷ୍ଟ ଓଷ୍ଠ ଧାର, ଉନ୍ନତ ଗ୍ରୀବା, ବିଶାଳ ବକ୍ଷଦେଶ, ଆଜାନୁଲମ୍ୱିତ ବାହୁ, କ୍ଷୀଣକଟୀ ଓ ଦୃଢ଼ ଜାନୁଯୁଗଳରେ ଗଠିତ ଥିଲେ ସେହି ଅନୁପମ ତରୁଣ । ମଣିମୁକ୍ତା ଖଚିତ ଅଳଙ୍କାର ଓ ଦିବ୍ୟ ଆଭୂଷଣରେ ଶୋଭମାନ ଥିଲା ସେହି ଦିବ୍ୟରୂପ ।

ସୁକନ୍ୟାଙ୍କର ବିସ୍ମୟ କଟିବା ପୂର୍ବରୁ ଜଣକ ପରେ ଜଣେ ଆହୁରି ଦୁଇଜଣ ସମଦର୍ଶନ ତରୁଣ ମଧ୍ୟ ଜଳରୁ ନିଷ୍କ୍ରାନ୍ତ ହେଲେ । ତିନୋଟି ତରୁଣ ମୂର୍ତ୍ତି କ୍ରମଶଃ ତାଙ୍କର ନିକଟତର ହେଲା । ତିନିଙ୍କର ରୂପ ଓ ବେଶଭୂଷାରେ ସାମାନ୍ୟ ତାରତମ୍ୟ ନାହିଁ ।

ନିର୍ବାକ୍ ସୁକନ୍ୟା । ସତେ ଯେମିତି ସେ ପାଷାଣ ମୂର୍ତ୍ତିରେ ପରିଣତ ହୋଇଯାଇଛନ୍ତି ।

ହଠାତ୍ ଏକ ଗମ୍ଭୀର ସ୍ୱର ଧ୍ୱନିତ ହେଲା । ତାଙ୍କର ବିମୂଢ଼ତା କଟିଗଲା । ସେ କାନ ପାତିଲେ- “ଏ ସ୍ୱର କ’ଣ ଏ ତିନିଜଣଙ୍କ ଭିତରୁ କାହାରି ହୋଇପାରେ ! କିନ୍ତୁ ସେ ତିନିଜଣଙ୍କର ଓଷ୍ଠ ସ୍ଫୁରିତ ହେଉନଥିଲା ।”

ପୁଣି ଶୁଣାଗଲା ସେହି ସ୍ୱର । ଶୂନ୍ୟରେ ଉଚ୍ଚାରିତ ହେଉଥିଲା, “ଶୁଣ ସୁକନ୍ୟା, ଦେବତା ଅଶ୍ୱିନୀକୁମାର ଦ୍ୱୟ ତାଙ୍କର ପ୍ରତିଶ୍ର୍ରତି ରକ୍ଷା କରିଛନ୍ତି । ତୁମର ଜରାଗ୍ରସ୍ତ ପତି ନବଯୌବନ ଲାଭ କରିଛନ୍ତି ଓ ତୁମ ସମ୍ମୁଖରେ ଦଣ୍ଡାୟମାନ ହୋଇଛନ୍ତି । ଏବେ ତୁମ ପରୀକ୍ଷାର ବେଳ । ତୁମ ସମ୍ମୁଖରେ ଦୁଇଜଣ ଦେବତା ଓ ଜଣେ ମନୁଷ୍ୟ ଏକା ରୂପରେ ଆବିର୍ଭୂତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତୁମେ ଜଣକୁ ହିଁ ବାଛିବ । ସେ ତୁମର ସ୍ୱାମୀ ଚ୍ୟବନ ହୋଇପାରନ୍ତି ବା ଦେବତାଦ୍ୱୟଙ୍କ ମଧ୍ୟରୁ କେହି ଜଣେ ହୋଇପାରନ୍ତି । ସର୍ତ୍ତ ଅନୁସାରେ ତୁମେ ତାଙ୍କର ପତ୍ନୀତ୍ୱ ଗ୍ରହଣ କରିବ । ଧୀର ବୁଦ୍ଧି ସ୍ଥିର ଚିତ୍ତରେ ନିଷ୍ପତ୍ତି ଗ୍ରହଣ କର ।”

ସ୍ୱର ନିରବ ହୋଇଗଲା । ସୁକନ୍ୟାଙ୍କର ସମଗ୍ର ସତ୍ତାର ଅଣୁ ପରମାଣୁରେ ଆରମ୍ଭ ହୋଇଗଲା ବିଷମ କୋଳାହଳ । ନିୟତି କାହିଁକି ତାଙ୍କୁ ଏହି ସଙ୍କଟମୟ ଅବସ୍ଥାକୁ ଟାଣି ଆଣିଛି ସେକଥା ଜାଣିବା ତାଙ୍କ କଳ୍ପନାର ବାହାରେ ଥିଲା । ତେବେ ଏହି ମୁହୂର୍ତ୍ତରେ ତାଙ୍କର ନିଷ୍ପତ୍ତି ହିଁ ତାଙ୍କର ଜୀବନମରଣର କାରଣ ହେବ ।

କିନ୍ତୁ ତାଙ୍କର ନିଷ୍ପତ୍ତି ତ କେବେଠାରୁ ସ୍ଥିର ହୋଇସାରିଛି । ସେ ସର୍ବାନ୍ତଃକରଣରେ ତାଙ୍କର ପତି ଚ୍ୟବନଙ୍କୁ ହିଁ ଚାହାଁନ୍ତି । ଜରାଗ୍ରସ୍ତ ସ୍ୱାମୀଙ୍କ ପ୍ରତି ତ ସେ ମୁହୂର୍ତ୍ତକ ପାଇଁ ବିମୁଖ ହୋଇନଥିଲେ । ତାଙ୍କର ସେବା ଯତ୍ନ କରି ସେ ଯେଉଁ ଅପୂର୍ବ ପରିପୂର୍ଣ୍ଣତାର ଆନନ୍ଦ ପାଉଥିଲେ, ତାହା ତାଙ୍କର ସବୁ ଅଭାବବୋଧକୁ ଦୂରେଇ ଦେଇ ପାରିଥିଲା । ଅଥଚ ଏବେ ନବଯୌବନପ୍ରାପ୍ତ ତାଙ୍କର ଆକାଂକ୍ଷିତ ପୁରୁଷକୁ ଯଦି ସେ ଏ ବିଷମ ପରିସ୍ଥିତିରେ ଚିହ୍ନି ନ ପାରନ୍ତି କ’ଣ ହେବ ତାଙ୍କ ଜୀବନର ଅବଶିଷ୍ଟ କାଳ ! କେବଳ ମନସ୍ତାପ, ଅନୁଶୋଚନା ଓ ଅନ୍ତର୍ଦାହରେ ଜୀବନର ଅର୍ଥ ହଜିଯିବନା ! କ’ଣ କରିବେ ସେ ! ସୁକନ୍ୟା ନିଜର ଅସ୍ଥିର ମନକୁ ଓ ବିଚଳିତ ଚିତ୍ତବୃତ୍ତିକୁ ସ୍ଥିର କରିବାକୁ ଚେଷ୍ଟା କଲେ । ଅନ୍ତରରୁ ଉଦ୍‌ବେଗ ଓ ଉତ୍କଣ୍ଠା ଦୂର କରିଦେଲେ । ବିଚାର, ଚିନ୍ତା ଓ ସଂଶୟରେ ଆଲୋଡ଼ିତ ମନକୁ ଶାନ୍ତ କଲେ ।

ନିଷ୍ପତ୍ତି ଲାଗି ଏବେ ସେ ନିଜ ହୃଦୟ ଭିତରେ ଧ୍ୟାନମଗ୍ନ ହୋଇଗଲେ । ଏବେ ତାଙ୍କର ଚରମ ନିଷ୍ପତ୍ତି ନେବାର ମୁହୂର୍ତ୍ତ ଆସନ୍ନ । ନିଜର ସ୍ଥିର ଦୃଷ୍ଟିକୁ ପ୍ରତିଟି ମୁଖ ଉପରେ ନିବଦ୍ଧ କଲେ । ମୁଖର ଆକାର ପ୍ରକାର ସମାନ । କୌଣସି ବ୍ୟତିକ୍ରମ କେଉଁଠାରେ ବି ଲକ୍ଷ୍ୟ କରାଯାଇପାରିବନି । କିନ୍ତୁ ଦୁଇଟି ମୁଖରେ ଉଲ୍ଲାସର ଦ୍ୟୁତି ଚହଟି ଉଠିବାବେଳେ, ଅନ୍ୟ ମୁଖଟିରେ ଥିଲା ଏକ ଅପୂର୍ବ ଉଦାସ ଭାବ । ଆଖି ଦୁଇଟିରେ ସ୍ଥିର ଥିଲା ସେହି ମୁଗ୍ଧ ପ୍ରୀତି-କାତର ଚାହାଁଣି; ଯେଉଁ ଚାହାଁଣୀ ସେ ଜଳ ପ୍ରବେଶ ପୂର୍ବରୁ ବୃଦ୍ଧ ଚ୍ୟବନଙ୍କର ନିମୀଳିତ ଆଖି ଦୁଇଟିରେ ଦେଖିଥିଲେ ।

ସୁକନ୍ୟାଙ୍କର ସର୍ବାଙ୍ଗରେ ଆନନ୍ଦର ତଡ଼ିତ ପ୍ରବାହିତ ହୋଇଗଲା । ବାହ୍ୟଜ୍ଞାନଶୂନ୍ୟ ରାଜକନ୍ୟାଙ୍କର ସୁକୋମଳ ଦୁଇବାହୁର ହାର ତରୁଣ ଚ୍ୟବନଙ୍କ କଣ୍ଠରେ ଶୋଭା ପାଉଥିଲା । ସମ୍ୱିତ୍ ଫେରି ପାଇ ଋଷିପତ୍ନୀ ସୁକନ୍ୟା ଆବିଷ୍କାର କଲେ ନଦୀକୂଳର ଆଦିଗନ୍ତ ବନଭୂମି ଭିତରେ କେବଳ ସେ ଓ ତାଙ୍କର ପତି ଚ୍ୟବନ ପରସ୍ପରର ପ୍ରଗାଢ଼ ଆଲିଙ୍ଗନ ଭିତରେ ଆବଦ୍ଧ ରହିଛନ୍ତି ।

ଲୋକପ୍ରିୟ ଲେଖା

To Top