ଗଳ୍ପ

ଅନ୍ୟ ଜଣେ ଚାର୍ବାକ୍

Dr Bibhuti Pattanaik's odia story Anya Jane Charbaak

ଆରେ ନିଲୁ ଯେ ! ତୁ କେଉଁଦିନ ଆସିଛୁ ? ତୁ ନ ଆସିଥିଲେ ମୁଁ ତୋ ପାଖକୁ ଭୁବନେଶ୍ୱର ଯାଇଥାଆନ୍ତି । ଅନିର ବାହାଘର ପାଇଁ ତତେ ଛୁଟି ନେଇ ଆସିବାକୁ ପଡିବ । ତୁ ତ ବରଧରା ହୋଇଯିବୁ

ଅନ୍ୟ ଜଣେ ଚାର୍ବାକ୍

ବାଲ୍ୟ କୈଶୋର ଆଉ ଆଦ୍ୟ ଯୈାବନର ସେ ଦିନଗୁଡିକ ଗ୍ରାମରେ କଟାଇଲା ବେଳେ ସମସ୍ୟାର ମୁହଁ ଯେ ମୁଁ ଦେଖି ନଥିଲି ସେ କଥା ନୁହେଁ । କିନ୍ତୁ ଏତେ ଦିନ ସହରରେ ରହି କଦବା କ୍ୱଚିତ୍ ଗ୍ରାମକୁ ଗଲେ ସେଇ ସବୁ ଦେହସୁହା ସମସ୍ୟା ମତେ ସବୁ ବିକଟାଳ ରାକ୍ଷାସର ମୁହଁ ଭଳି ଦେଖା ଯାଉଥିଲା । ଆଉ ଗ୍ରାମର ଅନେକ ସମସ୍ୟାପୀଡିତ ଲୋକଙ୍କର କିପରି ଧାରଣା ଥିଲା ଯେ ଯେହେତୁ ମୁଁ ଓଡିଶାର ରାଜଧାନୀ ସହରରେ ରହୁଛି, ମୁଁ ସେମାନଙ୍କର ସମସ୍ୟାର ସମାଧାନ କରିପାରିବା ଭଳି ଜଣେ ଯାଦୁକର !

କେତେ ଲୋକଙ୍କର କେତେ ପ୍ରକାର ଦୁଃଖ । ଶୁଣିଲେ ମନ ଖରାପ ହୋଇଯାଏ । କାହାକୁ କିଛି ସାହାଯ୍ୟ କରି ପାରୁନଥିବାର ଗ୍ଲାନିରେ ଛାତି ଭିତର ଭାରି ହୋଇଯାଏ । ନିଜକୁ ବେଳେବେଳେ ସ୍ୱାର୍ଥପର ମନେ ହୁଏ । କିନ୍ତୁ ଦିନେ ଦୁଇ ଦିନ ଗ୍ରାମରେ ରହି ପୁଣି ନିଜର ପାରାଖୋପକୁ ଫେରି ଆସିଲା ପରେ ସବୁ କଥା ପାସୋରା ହୋଇଯାଏ ।

ମୋର କଣ କମ୍ ଦୁଃଖ ? କମ୍ ସମସ୍ୟା ? ମୋ ବ୍ୟତୀତ ସେ କଥା ବୁଝିବାକୁ ଯଦି ଆଉ କେହି ନାହାନ୍ତି, ଅନ୍ୟର ଦୁଃଖ ଆଉ ବିଷମ-ସମସ୍ୟା ପାଇଁ ମୋର ଏତେ ଭାବନା କାହିଁକି ?

ଏହିପରି ଏକ ଯୁକ୍ତିର-ପ୍ରତିମା ତିଆରି କରିଦେଇ ଦୁଃଖୀ ଗ୍ରାମବାସୀମାନଙ୍କ ପାଇଁ ଥିବା ମୋର ଆତ୍ମଗ୍ଲାନି ମୁଁ ଭୁଲିଯିବାକୁ ଚେଷ୍ଟା କରେ ।

କିନ୍ତୁ ସେଦିନ ଗ୍ରାମରେ ଆମ ଘର ଦୁଆରେ ଚେୟାର ପକାଇ ଖରା ପୋଉଁଥିବା ବେଳେ ହଠାତ୍ ଅନି ବୋଉ ଖୁଡୀକୁ ଦେଖି ମୋର ଯୁକ୍ତିର ପ୍ରତିମା ଭାଙ୍ଗି ଚୂନା ହୋଇଗଲା ।

ମୁଁ ତାଙ୍କ ପାଦତଳେ ମୁଣ୍ଡ ଲଗାଇ ପ୍ରଣାମ କଲା ବେଳେ ସେ ମୋ ମୁଣ୍ଡରେ ଚୁମା ଖାଇ କହିଲେ-‘ଥାଉ,ଥାଉ ବାପା ! ବର୍ଷକେ ଛଅମାସେ ଥରେ ଆସିବୁ । ଦିନେ ଓଳିଏ ରହି ଚାଲିଯିବୁ, ତତେ ଦେଖିବି ଦେଖିବି ବୋଲି ଛୁଟି ଆସିଛି’-

ଧୂଳିଆଦିଙ୍କ ସଂସାରରେ ଏଇ ଖୁଡୀ ହେଉଛନ୍ତି ମଧ୍ୟମଣି । ସେ ଜଗି ରଖି ଚଳି ନଥିଲେ ଧୂଳିଆଦିଙ୍କ ମଦ ନିଶା ଯୋଗୁଁ ତାଙ୍କର ସଂସାର ଉଚ୍ଛନ୍ନ ହୋଇ ଯାଆନ୍ତାଣି ।

କିନ୍ତୁ ଧୂଳିଆଦି ପାଞ୍ଚବର୍ଷତଳେ ଏମିତି ନଥିଲେ । ଆମ ଗାଁରେ ତାଙ୍କର ସବୁଠାରୁ ବେଶି ଜମି ଥିଲା । ତାଙ୍କ ଖଳାରେ ଦୁଇ ଦୁଇଟା ଉଚ୍ଚା ଧାନଗଦା ଦେଖି ଅନେକ ଈର୍ଷାରେ ଜଳି ଯାଉଥିଲେ ।

କିନ୍ତୁ ବର୍ଷ କେତେଟା ଭିତରେ ମଦ ନିଶାରେ ଏକର ପରେ ଏକର ଜମି ବିକିବାକୁ ଲାଗିଲେ ଧୂଳିଆଦି, ଖୁଡୀଙ୍କ କ୍ରୋଧ, ରାଗ, ଅବଶେଷରେ ମୁଣ୍ଡ ବାଡେଇ କାନ୍ଦିବା ସବୁ ନିଷ୍ଫଳ ହେଲା । ତାଙ୍କ ଅଜ୍ଞାତସାରରେ ଦାଦି ଶାଗ ମାଛ ଦରରେ ଜମି ବିକି ଦେଲେ ।

ଧୂଳିଆଦିଙ୍କ ଏହି ଅର୍ଥନୈତିକ ବିପର୍ଯ୍ୟୟରେ ମୁଁ ବିସ୍ମିତ ହୋଥିଲି । ଲୋକ ହିସାବରେ କିଛି ଖରାପ ସେ ନଥିଲେ । ଗାଁରେ କାହାରି ମୃତ୍ୟୁ ହେଲେ ଧୂଳିଆଦି ପ୍ରଥମେ ଯାଇ ତାଙ୍କ ଘରେ ପହଞ୍ଚନ୍ତି । ସମସ୍ତେ ଦୁଃଖରେ ଶୋକରେ କାନ୍ଦୁଥିବା ବେଳେ ସେ ଶବ ସଂସ୍କାରର ବ୍ୟବସ୍ଥା କରନ୍ତି । ମୃତ ବ୍ୟକ୍ତି ତାଙ୍କର ଆପଣାର ହୋଇଥିଲେ ବି ତାଙ୍କ ଆଖିରେ କେହି ଲୁହ ଦେଖନ୍ତି ନାହିଁ । ବାସୀ ମଡା ପକାଇ ନ ରଖିବା ପାଇଁ ତାଙ୍କର ତତ୍ପରତା ଦେଖି ସମସ୍ତେ ଅବାକ୍ ହୋଇଯାଆନ୍ତି । କୋକେଇ ବନ୍ଧା ଠାରୁ କାଠ ହଣା ପର୍ଯ୍ୟନ୍ତ-ସବୁ କାମରେ ସେ ଆଗ । ସେଥିପାଇଁଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବାରେ ତାଙ୍କର କାର୍ପଣ୍ୟ ନଥାଏ । ଘର ଘର ବୁଲି ମଡା ସାଙ୍ଗିଆମାନଙ୍କୁ ହାତ ଓଠ ଧରି ଡାକି ଆଣନ୍ତି । ଶବଦାହ ଶେଷ ହେବା ପର୍ଯ୍ୟନ୍ତ ଜଗି ବସିଥାଆନ୍ତି । ସେଥିପାଇଁ ଧୂଳିଆଦିଙ୍କୁ ଅନ୍ୟ ଗ୍ରାମର ଲୋକ ପରିହାସରେ ମଶାଣିଆ ମହାନ୍ତି ବୋଲି ମନ୍ତବ୍ୟ କରନ୍ତି ।

ବାହା ନିମିତରେ ମଧ୍ୟ ଧୂଳିଆଦି ଆଗ କେଉଁଠି ଖନ୍ଦା ଲାଗିବ, କେଉଁ ତରକାରିରେ କେଉଁ ପରିବା କେତେ ପଡିବ । ବେଦି ବନ୍ଧା ଠାରୁ କନ୍ୟା ବିଦା ପର୍ଯ୍ୟନ୍ତ ସବୁ କାମ ସେ ଅଖିଆ ଅପିଆ କରିଯିବେ ।

ମୋର ମନେ ଅଛି ମୋ ଦୁଇ ଭଉଣୀଙ୍କ ବାହାଘର ବେଳେ ଧୂଳିଆଦି ସାରା ରାତି ଅନିଦ୍ରା ହୋଇ କାମ କଲେ । କିନ୍ତୁ ଯେତେ କହିଲେ ବି ଭୋଜି ସଭାରେ ବସିଲେ ନାହିଁ ।

ଯେଉଁ ଲୋକ ନିଜ ଆପଣାର ଆତ୍ମୀୟସ୍ୱଜନଙ୍କ ମୃତ୍ୟୁରେ ସୁଦ୍ଧା ଆଖିପତା ଓଦା କରନ୍ତି ନାହିଁ, ଝିଅ ବିଦା ବେଳେ ତାଙ୍କ ଆଖିର ଲୁହର ବନ୍ୟା କୈାଣସି ବନ୍ଧବାଡ ମାନେ ନାହିଁ । ମୋ ଦୁଇ ଭଉଣୀ-କୁନି, ମନିଙ୍କୁ ବିଦା କରି ସାରିବା ପରେ ମୁହଁରେ ଗାମୁଛା ଚାପି ସେ ଯେପରି ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦିଥିଲେ- ସେ କଥା ମୁଁ କୈାଣସି ଦିନ ଭୁଲିପାରିବି ନାଇଁ ।

ଏକା ମୋ ଭଉଣୀ ଦୁହିଁଙ୍କ ପାଇଁ ନୁହେଁ । ଗ୍ରାମର ଯେକୈାଣସି ଘରର ଝିଅ ଶବାରିରେ ବସି ଶାସୁ ଘରକୁ ଗଲାବେଳେ ସେ ମନ ଭରି କାନ୍ଦନ୍ତି । ଅଥଚ ତାଙ୍କର ଏକମାତ୍ର ଝିଅ ଅନୁପମା ମୋ ଦୁଇ ଭଉଣୀଙ୍କଠାରୁ ବଡ ହେଲେ ସୁଦ୍ଧା ଅଭିଆଡୀ ରହିଛି । ଝିଅ ବାହାଘର କଥା ସେ ମୁହଁରେ ଧରନ୍ତି ନାଇଁ । ଗାଁ ଲୋକେ ତାଙ୍କ ପଛରେ ଫୁସ୍‌ଫାସ୍ ହୁଅନ୍ତି-ଝିଅ ବିଦା କଲାବେଳେ କାନ୍ଦିବାକୁ ପଡିବ ବୋଲି ଧୂଳ ଝିଅ ବାହାଘର କରିବାକୁ ଭୟ କରୁଛି ।

ଗତ ଥର ମୁଁ ଗ୍ରାମକୁ ଆସିଥିବା ବେଳେ ଧୂଳିଆଦି ମତେ ଧରିଥିଲେ-ନିଲୁ ! ମୁଁ କରଜରେ ବୁଡିଯାଇଛି । ତମ ବାରିତଳ ଜମି ମାଣକ ନବିକିଲେ ରକ୍ଷା ନାହିଁ । ତୁ ସେ ଜମିଟା ରଖ୍ ।

ଗ୍ରାମରେ ଅନ୍ୟ ପାଞ୍ଚଜଣଙ୍କ ଭଳି ତାଙ୍କର ମଧ୍ୟ ଧାରଣା, ମୁଁ ଯେହେତୁ ରାଜଧାନୀ ସହରରେ ଚାକିରି କରିଛି, ମୁଁ ଜଣେ ଲକ୍ଷପତି ହୋଇଥିବି, ବ୍ୟାଙ୍କରେ ଟଙ୍କା ଜମା ହୋଇ ରହିଛି-ଗାଁରେ ଜମି କିଣିବା ନାମ ଶୁଣିଲେ ଆଖିର ପଲକମାତ୍ରେ ମୁଁ ଦଶ ହଜାର ପନ୍ଦର ହଜାର ସେଠାରୁ ଉଠାଇ ଆଣିବି !

ସେଥିପାଇଁ ଧୂଳିଆଦିଙ୍କ ସହିତ ଅନି ବୋଉ ଖୁଡୀ ମଧ୍ୟ ଧୁମ୍ ଲଗାଇଥିଲେ ସବୁ ଜମିତ ଗଲାଣି । ଗହଣା ଭିତରେ ନିମ କାଠି ଭଳି ଅଛି ସେଇ ବାରିତଳ ଜମି କେଇ ମାଣ । ଅଉଲ ଜମି । ଫସଲ ହୁଏ । କହିବାକୁ ଗଲେ ଆମର ଭାତ ହାଣ୍ଡି ! କିନ୍ତୁ ଯଦି ସେ ଜମି ବିକିବାକୁ ହୁଏ-ତତେ ହିଁ ବିକିବୁ-ଯଦି ନ କିଣିବୁ ବନ୍ଧା ରଖ୍ –

ମୁଁ ଯେତେବେଳେ ଶୋଚନୀୟ ଆର୍ଥିକାବସ୍ଥା କଥା କହି ଜମି କିଣିବା କିମ୍ବା ବନ୍ଧା ରଖିବା ଅବସ୍ଥାରେ ନାହିଁ ବୋଲି ବୁଝାଇଲି, ଧୂଳିଆଦି ଅନ୍ୟ ଗ୍ରାହକ ସନ୍ଧାନରେ ବାହାରି ଯାଇଥିଲେ ।

ତା ପରେ ଅନି ବୋଉ ଖୁଡୀ ମତେ ଧରି କହିଥିଲେ-ଜମି ନରଖିଲୁ ନହିଁ- ମୋର ଆଉ ଗୋଟିଏ କଥା ରଖ୍ –

ମୁଁ ପଚାରିଲି ଆଉ କି କଥା ?

ଖୁଡୀ ବଡ କରୁଣ ଦୃଷ୍ଟିରେ ଚାହିଁ ମତେ କହିଥିଲେ-ନିଲୁ ! କୁନି, ମନି କଣ ତୋର ଏକା ଭଉଣୀ, ଅନି ପର ! ତାକୁ ବାଇଶି ପୂରି ତେଇଶି ଚାଲିଲା । କେତେଦିନ ପର ଜିନିଷକୁ ଆପଣା ବେକରେ ବାନ୍ଧି ବୁଲୁଥିବି ! କିରାଣିଟିଏ ହେଉକି ସ୍କୁଲ ମାଷ୍ଟରଟିଏ ହେଉ-ତୁ ସମ୍ବନ୍ଧ ପକା । ତାକୁ ଉଠାଇ ଦେଲେ ମୋର ମୁକ୍ତି –

ମୁଁ ଥ ଥ ମ ମ ହୋଇ ହଁ ଭରିଥିଲି । ଗୋଟାଏ ଦୁଇଟି ଜାଗାରେ ପ୍ରସ୍ତାବ ପକାଇଥିଲି । ଅନିର ରଙ୍ଗ ଟିକିଏ ଶ୍ୟାମଳ ହେଲେ ବି ଗଢଣ ସୁନ୍ଦର । ଧୂଳିଆଦିଙ୍କ ଭଳି ଲମ୍ବା ଦେହ, ଧାର ନାକ । ଆଖି କୋଣରେ ସବୁବେଳେ ହସର ବିଜୁଳି ନାଚୁଥାଏ । ଦୁଃଖରେ ସୁଖରେ ସବୁବେଳେ ତା ମୁହଁରେ ଲାଗି ରହିଥାଏ ହସର ଆଲେଖ୍ୟ । ଅବିଗୁଣ ଭିତରେ-ଅନି ଭାରି ଫାଜିଲ୍ । ସବୁବେଳେ ତା ମୁହଁରେ ଖଇ ଫୁଟୁଥାଏ- କିନ୍ତୁ ଅବିଗୁଣ ପାଇଁ ମୁଁ ପ୍ରସ୍ତାବ ପକାଇଥିବା କୈାଣସି ପାତ୍ର ବିିବାହ ପାଇଁ ମନା କରିନଥିଲେ । ସେମାନଙ୍କ ଯୌତୁକ ଦାବି ଶୁଣି ମୁଁ ଆଉ ଅଧିକ ଅଗ୍ରସର ହୋଇନଥିଲି ।

ଧୂଳିଆଦିଙ୍କୁ ଖବର ନେଇ ଦେଇନଥିଲି । କିରାଣି ବର ମଧ୍ୟ ଆଜିକାଲି କଲର ଟି.ଭି. ଆଉ ମଟର ସାଇକେଲ୍ ଦାବି କରୁଥିଲେ । ମୁଁ ଖୁଡୀଙ୍କ ଆର୍ଥିକ ଅବସ୍ଥା ଜାଣିଥିଲି । ଯୌତୁକ ଦାବି କରୁଥିବା ସେ ପାତ୍ରମାନଙ୍କୁ ଝିଅ ଦେଖୀବା ଲାଗି ପଠାଇ ମୁଁ ଦାଦି ଓ ଖୁଡୀଙ୍କୁ ଅପମାନିତ କରିବାକୁ ଚାହିଁ ନ ଥିଲି ।

ତେଣୁ ସେଦିନ, ସେଇ ମୁହୂର୍ତରେ ଅନି ବୋଉ ଖୁଡୀଙ୍କୁ ଦେଖି ମୁଁ ଭୟ ପାଇଗଲି । ଅନିର ପାତ୍ର ଅନ୍ୱେଷଣ କଥା କଣ ହେଲା ସେ ନିଶ୍ଚୟ ଜାଣିବାକୁ ଚାହିଁବେ । ମୁଁ କଣ ଉତ୍ତର ଦେବି-ଠିକ୍ ଭାବିପାରୁନଥିଲି ।

ସେ ମୋ ମୁହଁକୁ ଚାହିଁବା ମାତ୍ରେ ମୁଁ ଅପରାଧୀଟି ଭଳି ମୁଖ ମଳିନ କରି କହିଲି, ଖୁଡୀ ! ଅନୁ ପାଇଁ ଏ ପର୍ଯ୍ୟନ୍ତ ମୁଁ ପାତ୍ର ଠିକ୍ କରିପାରିଲି ନାଇଁ । ତାଭଳି ଏତେ ଭଲ ଝିଅ ପାଇଁ ଯେ ଉପଯୁକ୍ତ ବରପାତ୍ର ପାଇବା ଏମିତି କଷ୍ଟକର ହେବ, ଏକଥା ମୁଁ ଭାବି ନଥିଲି ।

ମୋ କଥା ଶୁଣି ଖୁଡୀଙ୍କ ମୁହଁରେ ହସ ଫୁଟି ଉଠିଲା ।

ସେ ମୋତେ ଚମକାଇ ଦେଇ କହିଲେ –ତତେ ଆଉ ପାତ୍ର ଖୋଜିବାକୁ ପଡିବ ନାଇଁ । ତା ବାପା ଶେଷରେ ଗୋଟିଏ ଭଲ ପିଲା ଖୋଜି ପାଇଛନ୍ତି । ପିଲାଟି ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର । ନିର୍ବନ୍ଧ ସରିଛି । ତିଥି ସ୍ଥିର ହୋଇଯାଇଛି । ଅସଲ ହେଉଛି ଯୌତୁକ ପାଇଁ ଟଙ୍କା । ତୁ ତ ଜାଣୁ ସବୁ ବିକ୍ରି ସରିଛି । ବାକି ଘର ବାରି ଆଉ ଚାଷ ଜମି ଦୁଇମାଣ । ସେତକ ହାତ ଛଡା ହୋଇଗଲେ ଆମେ ଖାଇବୁ କଣ ? ପୋଷିବା ପାଇଁ ତ ପୁଅ ନାହିଁ –

ପୁଣି ଏକ ମର୍ମଦାହୀ ବିଷଣ୍ଣତା ମୋର ସତାଗ୍ରାସ କରିଗଲା ।

ମୁଁ ଅବା ଅନିବୋଉ ଖୁଡୀଙ୍କୁ ଏ ଦିଗରେ କଣ ସାହାଯ୍ୟ କରିପାରେ ?

ମୁଁ ନିରବ ରହିବା ଦେଖି ଖୁଡୀ କହିଲେ –

– ତୋ ଦାଦି କିନ୍ତୁ ନିଶ୍ଚିନ୍ତ ହୋଇ ବସିଛନ୍ତି । କହିଲେ କହୁଛନ୍ତି, ଟଙ୍କାପାଇଁ କଣ ବାହାଘର ଅଟକିଯିବ ? ମୁଁ କେତେ ବାହାଘର ଉଠାଇଛି – ଏଇଟା ପାରିବି ନାହିଁ ? ଦେଖିବ-ଖୁବ୍ ଜାକଜମକରେ ଅନିର ବାହାଘର ହେବ ।

ମୁଁ ଭାରମୁକ୍ତ ହେଲା ଭଳି ମୃଦୁ ହସି କହିଲି-

– ଦାଦି ଠିକ୍ କହିଛନ୍ତ । ଟଙ୍କା ଯୋଗୁଁ କିଛି ଅଟକି ରହିବ ନାହିଁ ।

ଖୁଡୀ ଚିନ୍ତିତ ଭାବରେ ପଚାରିଲେ- କିନ୍ତୁ ଏତେ ଟଙ୍କା ସେ ଆଣିବେ କେଉଁଠୁ ? ଆଖପାଖ ପଚାଶ ଖଣ୍ଡ ଗ୍ରାମରୁ ସେ ହାତ ଉଦ୍ଧାର ଆଣି ଶୁଝି ନାହାଁନ୍ତି, ଆଉ ଦେବ କିଏ ? ମୋର ଭୟ ହେଉଛି-ବାପା ! ଶେଷକୁ ଘରବାରି ବୋଧହୁଏ ବିକ୍ରି କରିଦେବେ । ଝିଅ ସିନା ଶାଶୂ ଘରକୁ ଯିବ ? ଆମେ ? ଆମେ ଯିବୁ କୁଆଡେ ?

ଧୂଳିଆଦିଙ୍କ ପାଖରେ ସବୁ ସମ୍ଭବ । ଜିଦ୍ ପଡିଲେ ଘରବାରି ବିକିଦେଇ ବାହାଘର କରି ସେ ମଠ ପିଣ୍ଡାକୁ ଉଠିଯାଇପାରନ୍ତି । ଖୁଡୀଙ୍କର ସନ୍ଦେହ ଅମୂଳକ ନୁହେଁ ।

ପ୍ରଥମେ ଖୁଡୀ ଝିଅ ବାହାଘର ପାଇଁ ବ୍ୟସ୍ତ ହେଉଥିଲେ । ବର୍ତମାନ ଘରବାରି ବିକ୍ରି ହୋଇଯିବା ଭୟରେ ସଂତ୍ରସ୍ତ !

ନେହୁରା ହେଲାଭଳି ମୁଖଭଙ୍ଗୀ କରି ଖୁଡୀ ମତେ ଶେଷରେ କହିଲେ – ତୁ ଟିକିଏ ତୋ ଦାଦିକୁ ପଚାର । ବାହାଘର ପାଇଁ ସେ କେଉଁଠୁ ଟଙ୍କା ଆଣୁଛନ୍ତି ବୁଝ । ତତେ ସେ ମିଛ କହିପାରିବେ ନାହିଁ । ଗାଁ ଭିତରେ ତତେ ହିଁ ସେ ସବୁଠାରୁ ଆପଣାର ଭାବନ୍ତି । ଭୟ କରନ୍ତି ।

ଅଗତ୍ୟା ମତେ ସେଦିନ ସଂଧ୍ୟାବେଳେ ଧୂଳିଆଦିଙ୍କ ଘରକୁ ଯିବାକୁ ହେଲା ।

ସେ ପିଣ୍ଡା ଉପରେ ବସି ଗୋଟାଏ ବିିଡି ଟାଣୁଥିଲେ ।

ମତେ ଦେଖି କୋଟିନିଧି ପାଇଲାଭଳି ଉଲ୍ଲସିତ ହୋଇ ଉଠି କହିଲେ- ଆରେ ନିଲୁ ଯେ ! ତୁ କେଉଁଦିନ ଆସିଛୁ ? ତୁ ନ ଆସିଥିଲେ ମୁଁ ତୋ ପାଖକୁ ଭୁବନେଶ୍ୱର ଯାଇଥାଆନ୍ତି । ଅନିର ବାହାଘର ପାଇଁ ତତେ ଛୁଟି ନେଇ ଆସିବାକୁ ପଡିବ । ତୁ ତ ବରଧରା ହୋଇଯିବୁ –

ତା ପରେ ମୋ ଉତ୍ତର ଶୁଣିବାକୁ ଅପେକ୍ଷା ନ ରଖି ସେ ଡାକ ପକାଇଲେ- ମାଆ ଅନୁ ! ତୋ ନିଲୁ ଭାଇ ଆସିଛି । ଚାହା ଆଣ –

ଅନୁ ବୋଧହୁଏ ମୋତେ ଦେଖିବାମାତ୍ରେ ଚାହା ବସାଇଥିଲା । କାରଣ ଧୂଲିଆଦିଙ୍କ କଥା ନସରୁଣୁ ସେ ଚାହା କପ୍ ଧରି ହାଜର !

ଅନୁ ଥିଲା ଆମ ଗାଁ ର ସବୁଠାରୁ ବଳି ହସକୁରୀ ଫାଜିଲ ଝିଅ । ମତେ ଦେଖିଲେ ଉଚ୍ଛୁଳା ନଦୀର ବନ୍ୟାଜଳ ଭଳି ଉଛୁଳି ଉଠୁଥିଲା । କିନ୍ତୁ ସେ ମୁହୂର୍ତରେ ସେ ଅନ୍ୟ ରୂପ ଧରିଥିଲା । ଚୁପ୍‌ଚାପ୍ । ମୁହଁରେ କାନ୍ଦକାନ୍ଦ ଭାବ । ମୁଣ୍ଡରେ ଲମ୍ବା ଓଢଣା । ବାହାଘର ସ୍ଥିର ହୋଇଗଲା ପରେ ତା ଠାରେ ବୋହୂ ବୋହୂ ଭାବ !

ଝିଅମାନେ ଏମିତି । ବାପଘରେ ଉଲୁକୁମତୀ, ଶାସୁ ଘରେ ଲାଜକୁଳୀ ଲତା !

ଚାହା ପର୍ବ ଶେଷ ହେଲା ପରେ ମୁଁ ପଚାରିଲି –

– ବାହାଘରରେ କେତେ ଖର୍ଚ୍ଚ ହେବ ?

ଧୂଳିଆଦି ଖଣ୍ଡିଆ ବିଡିରେ ଶେଷଟାଣ ଦେଇ ଦୂରକୁ ଫିଙ୍ଗିଦେଲେ । ଧୁଆଁ ଛାଡିସାରି କହିଲେ –କେତେ ଆଉ ? ସୁନାଗହଣା ତୋ ଖୁଡୀର ଯାହା ଅଛି, ସେଥିରେ ଚଳେଇଦେବି । କୋଡିଏ, ପଚିଶି ହଜାର ହେଲେ କୈାଣସି ମତେ ଉଠିଯିବ ।

-କିନ୍ତୁ କୋଡିଏ ପଚିଶି ହଜାରତ କିଛି କମ୍ ନୁହେଁ । ତମେ ଏତେ ଟଙ୍କା ଆଣିବ କେଉଁଠୁ ?

ସେ ଟିକିଏ ହେଲେ ବିଚଳିତ ନହୋଇ ଉତର ଦେଲେ -ଆଉ କେଉଁଠୁ ଆଣିବି ? ଆଜିକାଲିତ ସବୁ ଟଙ୍କା ସରକାରୀ ବ୍ୟାଙ୍କରେ । ସେହି ବ୍ୟାଙ୍କରୁ ପଚିଶି ହଜାର ଟଙ୍କା କୃଷି ଋଣ ଆଣିବି । ବ୍ୟାଙ୍କବାଲାଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇଯାଇଛି । ସେମାନେ ପାଞ୍ଚ ନେବେ-ମତେ ଦେବେ କୋଡିଏ । କୋଡିଏ ହଜାର ହାତକୁ ଆସିଲେ ମୁଁ ଚାଳିଶି ହଜାର ଟଙ୍କାର ମାମଲତ୍ ଉଠାଇଦେବି । ଯାହା ବାକି ଆସିଥିବ, ପରେ ଶୁଝା ହେବ –

ମୁଁ ଭୟଭୀତ ହୋଇ କହିଲି- ଏତେଗୁଡାଏ ଟଙ୍କା ବ୍ୟାଙ୍କ୍ ଋଣ ଆଣି ଶୁଝିବ କେମିତି ?

ମୋ ପ୍ରଶ୍ନ ଶୁଣି ଧୂଳିଆଦି ଆକାଶରୁ ଖସିପଡିଲା ଭଳି ଅବାକ୍ କଣ୍ଠରେ ଉତର ଦେଲେ –

– ଶୁଝିବା ଦରକାର କଣ ? ହରିଆନାରେ କେହି କୃଷି ଋଣ ଶୁଝିଲା ? କିନ୍ତୁ ବିଜୁବାବୁତ ଘୋଷଣା କରିସାରିଳେଣି. ଆସନ୍ତା ନିର୍ବାଚନରେ ତାଙ୍କ ଦଳ ସରକାରକୁ ଆସିଲେ ଅଳ୍ପ ଜମି ଥିବା ସବୁ ଚାଷୀ ବ୍ୟାଙ୍କରୁ ଆଣିଥିବା କୃଷି ଋଣ ସଂପୂର୍ଣ୍ଣ ଛାଡ କରିଦେବେ । ଆମର ତ ବାକି ଅଛି ମାତ୍ର ଦୁଇମାଣ ଚାଷ ଜମି ! ଆମେ କଣ ବଡ ଚାଷୀ ଯେ ଋଣ ଶୁଝିବୁ ?

ଧୂଳିଆଦିଙ୍କ କଥା ଶୁଣି ମୋ ପାଟିରୁ କଥା ବାହାରିଲା ନାହିଁ । ମୁଁ ତାଙ୍କୁ ଆଗରୁ ଯେପରି ନିର୍ବୁଦ୍ଧିଆ, ମାତାଲ ବୋଲି ଭାବିଥିଲି, ପ୍ରକୃତରେ ସେ ଥିଲେ ତାର ବିପରୀତ ।

ତଥାପି ମୁଁ ଯୁକ୍ତି କଲି- ଯଦି ଆସନ୍ତା ନିର୍ବାଚନରେ ବିଜୁବାବୁଙ୍କ ଦଳ ସରକାରକୁ ନ ଆସେ । କୃଷି ଋଣ ଛାଡ ନ ହୁଏ !

ଏଥର ସେ ସଶଦ୍ଧରେ ହସି ଉଠିଲେ ।

କହିଲେ – ଜାଣିଲୁ ନିଲୁ ! ଆସନ୍ତା ନିର୍ବାଚନରେ କେଉଁ ଦଳ ସରକାରକୁ ଆସିବ ମତେ ଠିକ୍ ଜଣା ନାହିଁ । କିନ୍ତୁ ବ୍ୟାଙ୍କର କୃଷିଋଣ ଛାଡିବା ପ୍ରତିଶୃତି ଦେଇଥିବା ଦଳ ହିଁ ଜିଣିବ । ଆଜିକାଲି ଯାହା ଯୌତୁକ ଡିମାଣ୍ଡ ହେଲାଣି, ଆମଭଳି ଲୋକ ଲୋନ୍ ନ କରି ଝିଅ ବାହାଘର କରିପାରିବ ? କହ- ଚୁପ୍ ରହିଲୁ କାହିଁକି ?

ମୁଁ ଶେଷ ପର୍ଯ୍ୟନ୍ତ ଚୁପ୍ ରହିଥିଲି । ଧୂଳିଆଦି କେଉଁଠୁ ଟଙ୍କା ଆଣି ଝିଅ ବାହାଘର କରିବାକୁ ବାହାରିଛନ୍ତି । ସେକଥା ମଧ୍ୟ ଅନିବୋଉ ଖୁଡୀଙ୍କୁ ମୋର ମୁହଁଖୋଲି କହିବା ଦରକାର ନଥିଲା । ସେ ଦରଆଉଜା କବାଟ ଫାଙ୍କରେ ଠିଆହୋଇ ସବୁକଥା ଶୁଣିସାରିଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top