ଗଳ୍ପ

ଅପରାଧୀର ଚେହେରା

Gaurahari Das's odia story Aparadheera Cheheraa

ସେ ଜାଣେ ଅପରାଧୀଙ୍କ ଚେହେରା କେମିତି ଦିଶେ । ସେମାନଙ୍କ ଚେହେରା ଡଉଲଡାଉଲ । ସେମାନେ ସଫା ଲୁଗା, ପିନ୍‌ପିନ୍ ଇସ୍ତ୍ରୀକରା ପୋଷାକ ପିନ୍ଧନ୍ତି । ତାଙ୍କ ଜୋତା ଚକ୍ ଚକ୍ କରୁଥାଏ । ସେମାନେ ଅଙ୍ଗୁର, କାଜୁ ଓ ବାସୁମତୀ ଚାଉଳରେ ତାଙ୍କ ଚେହେରା ସଜାଡ଼ି ରଖିଥାନ୍ତି ।

ଅପରାଧୀର ଚେହେରା

-: ପୂର୍ବରୁ :-

ସେଦିନ ଅଗଷ୍ଟ ମାସର ୧୪ ତାରିଖ ଥିଲା ।

ଡିଏସ୍ପିଙ୍କ ପୁଅ ବବି ରାତିସାରା ଶୋଇନଥିଲା । ଘରଟା ଭିତରେ ଖାଲି ପାଟିତୁଣ୍ଡ କରୁଥିଲା । ସକାଳୁ ସକାଳୁ କେଶବ ଓ ସଦାଶିବ ଦିହେଁ ବଗିଚାରେ କାମ କରୁଥିଲେ । ବବିବାବୁ ହଠାତ୍ ଆସିଲେ ଓ ସଦାଶିବକୁ ପଚାରିଲେ, “ମୋ ଜିନିଷ କାହିଁକି ଆଣିଲୁ ନାହିଁ ବେ ?”

ସଦାଶିବ କ’ଣ କହିବାକୁ ଯାଉଥିଲା ।

ବବିବାବୁ ପାଖରେ ପଡ଼ିଥିବା କୋଦାଳଟାକୁ ଉଠେଇ ନେଇ ତା’ ମୁଣ୍ଡରେ ଦେଲେ ଶକ୍ତ ପାହାର । ସଦାଶିବ ବୋଉ ଲୋ କହି ତଳେ ପଡ଼ିଗଲା । ବବିବାବୁଙ୍କର ଏ କାରବାର ଦେଖି କେଶବ ଦଉଡ଼ି ଦଉଡ଼ି ପଳେଇଗଲା ମହାନଦୀ କୂଳକୁ ।

ସଞ୍ଜବେଳକୁ ସିଏ ଜାଣିଲା, ତାକୁ ପୁଲିସ୍ ଖୋଜୁଛି, ସଦାଶିବ ପଡ଼ିଛି ବଡ଼ ଡାକ୍ତରଖାନାରେ । ତା’ ମୁଣ୍ଡରୁ ବହୁତ ଗୁଡ଼ାଏ ରକ୍ତ ବୋହିଯାଇଛି ।

କେଶବ ତା’ ଘରକୁ ପଳେଇବାକୁ ବାହାରିଥିଲା । ହାକିମ ଓ ହାକିମାଣୀ ତାକୁ ତିରିଶ ହଜାର ଟଙ୍କା ଦେଇ କହିଲେ, “ତୁ ତୋ ଘରକୁ ଯିବୁ । କିନ୍ତୁ ଆମକୁ ଗୋଟେ ସାହାଯ୍ୟ କରିବାକୁ ପଡ଼ିବ ।”

ଡିଏସ୍ପି କହିଥିଲେ, “ସଦାଶିବର ଚିକିତ୍ସା ଲାଗି ତାକୁ ସେ ଦିଲ୍ଲୀ ପଠେଇବେ । ତା’ର କିଛି ହେବ ନାହିଁ । କେଶବକୁ ବି ମାସକୁ ସାତ ହଜାର ଲେଖାଏଁ ଟଙ୍କା ମିଳିବ । ଖାଲି ସିଏ କହିଦେବ ଯେ, ରାଗରୋଷରେ ସେ ସଦାଶିବକୁ ପାହାରେ ପକେଇଛି ।”

କେଶବ ଡରି ଯାଇଥିଲା ।

ହାକିମାଣୀ କହିଥିଲେ, “ବବିର ବ୍ରାଇଟ୍ କ୍ୟାରିୟର୍ ନଷ୍ଟ ହେଇଯିବ । ସିଏ ସିଭିଲ୍ ପାଇଁ ପ୍ରସ୍ତୁତ ହେଉଛି । ତୁ ଆମ ସମସ୍ୟା ବୁଝୁଥିବୁ । ତୋର କିଛି କ୍ଷତି ହେବନାହିଁ । ବରଂ ତୋର ସାହାଯ୍ୟ ଲାଗି ଆମେ ତୋତେ ଦି’ ଲକ୍ଷ ଟଙ୍କା ଦେବୁ ।

– ଏବଂ କନେଷ୍ଟବଳ ଚାକିରୀ ।” – ଡିଏସ୍ପି ଯୋଡ଼ିଥିଲେ ।

ସାହାବାଣୀ କହିଥିଲେ, “ଆମ କଥାରେ ରାଜି ନହେଲେ ବି ପୁଲିସ୍ ତୋତେ ଗିରଫ୍ କରିବ । କାରଣ ସଦାଶିବ ତା’ ଷ୍ଟେଟ୍‌ମେଣ୍ଟ୍‌ରେ ତୋ ନାଁ କହିଛି । ପୁଣି, ଏ ଘଟଣା ପରେ ତୁ ସେଠୁ ଦୌଡ଼ି ପଳେଇ ନଥିଲୁ କି । ସେଥିପାଇଁ ପୁଲିସ୍ ତୋତେ ସନ୍ଦେହ କରୁଛି ।”

ସାହାବାଣୀଙ୍କ ନୀଳଆଖି ସାପର ଆଖି ପରି ଦିଶୁଥିଲା । କେଶବ ମୁହୂର୍ତ୍ତକ ପାଇଁ ଭାବିଥିଲା, କ୍ଷତି କ’ଣ ? ଏଠି ସକାଳୁ ସଞ୍ଜ ମାଟି ସାଙ୍ଗରେ ମାଟି ହୋଇ ଖଟିବାକୁ ପଡୁଛି । କିନ୍ତୁ ଦରମା ନାହିଁ । ଜେଲ୍ ଭିତରେ ଖାଇବା ଲାଗି ମିଳିବ, ତା’ ସାଙ୍ଗରେ ମାସକୁ ମାସ ସାତ ହଜାର ଟଙ୍କା ଦରମା । ଏସବୁ ସାଙ୍ଗକୁ ଅଧିକା ଲାଭ ଦୁଇ ଲକ୍ଷ ଟଙ୍କା । ପୁଣି ଚାକିରୀ ।

ସେ ପୁଲିସ୍ ଆଗରେ ବୟାନ୍ ଦେଇ କହିଥିଲା, “ସଦାଶିବ ମୁଣ୍ଡକୁ ସିଏ କୋଦାଳରେ ପିଟି ଫଟେଇଛି ।”

ଖବରକାଗଜରେ ତା’ ଫଟୋ ବାହାରିଲା ।

ଟେଲିଭିଜନ୍‌ରେ ତା’ର ଅପକୀର୍ତ୍ତିର ବିବରଣୀ ପ୍ରଚାରିତ ହେଲା ।

ସିଏ ଖୁନୀଆସାମୀ ପାଲଟିଗଲା ଚବିଶ ଘଣ୍ଟା ଭିତରେ ସାରା ଦେଶ ସ୍ୱାଧୀନତା ଦିବସ ପାଳୁଥିବା ବେଳେ କେଶବ ପୁଲିସ୍ ହାଜତ୍ ଭିତରେ ଅଟକ ରହିଲା । ସପ୍ତାହେ ପରେ ଗାଁରୁ ପଡ଼ିଉଠି ତା’ ବିଧବା ବୋଉ ଆସିଥିଲା । ଜେଲ୍‌ର ମୁଲାକାତ୍ ବେଳାରେ ତାକୁ କୁଣ୍ଢେଇ ଧରି ବୁହେ କାନ୍ଦିଥିଲା । ଛାତିକୁ ବିଧାଚାପୁଡ଼ା ମାରି କହିଥିଲା, “ପିମ୍ପୁଡ଼ିକୁ ନ ମାରିବା ପିଲା ତୁ କିମିତି ଏ କାମ କଲୁରେ କେଶବ ?”

– କେଶବ ଦୀର୍ଘଶ୍ୱାସ ନେଲା ।

ଜେଲର୍ କହୁଥିଲେ, “ଆସନ୍ତା ଅଗଷ୍ଟ ୯ ତାରିଖକୁ କେଶବର ମିଆଦ ପୁରିବ । କେଶବ ଯାଇ ପୁଣି ସମାଜର ମୁଖ୍ୟ ସ୍ରୋତରେ ମିଶିପାରିବ ।”

କେଶ ହସିଲା । ନିଜକୁ ନିଜେ ଅନେଇଲା । ସେ ନିଜକୁ ଚିହ୍ନି ପାରୁନଥିଲା । ଏଇ କେଶବ କ’ଣ ଦଶବର୍ଷ ତଳେ ଜେଲ୍‌କୁ ଆସିଥିଲା । ପୁଣି ଏଠୁ ଫେରିଗଲା ପରେ ସେ କୁଆଡ଼କୁ ଯିବ । ମାଆ ମରିଯାଇଛି । ମାଳତୀ ବାହା ହୋଇଯାଇଛି । ତା’ର ଗାଁ ଘର ଖଣ୍ଡିକ କୋଉଦିନୁ ବର୍ଷା ଖରାରେ ମାଟିରେ ମିଶିଯାଇଥିବ । ସେ କୁଆଡ଼େ ଯିବ ?

ସେଦିନ ନୂଆ କଏଦୀ ମନୋଜ ଦଳବେହେରା କହୁଥିଲା- “ଚୋରି କେସ୍‌ରେ ଚାରିମାସ ଜେଲ୍‌ରେ ରହି ଗାଁକୁ ଫେରିଥିଲା । ଗାଁରେ ପହଞ୍ଚୁ ପହଞ୍ଚୁ ତା’ କକେଇ ତାକୁ ଚିଡ଼େଇଥିଲା, “ତମ ଘର ଭାତ ସୁଆଦିଆ ନା ଜେଲ୍ ଭାତ ?”

ପାଖରେ ବସିଥିବା ଆଉ ଦି’ଜଣ ବୁଢ଼ା ହୋ’ ହୋ’ ହୋଇ ହସି ଉଠିଥିଲେ । ମନୋଜ ଦଳବେହେରାର ନୂଆ ପରିଚୟ ତିଆରି ହୋଇଯାଇଥିଲା- ଜେଲ୍ ଫେରନ୍ତା । ମନୋଜ ସମ୍ଭାଳି ପାରିଲା ନାହିଁ । ଧାଇଁ ଯାଇ ତା’ କକେଇର ତୋଟିକୁ ଚିପି ଧରିଥିଲା ।

ଏହାର ନଅଦିନ ପରେ ସିଏ ପୁଣି ଘୋଷରା ହୋଇଥିଲା ଥାନାକୁ । ଥାନାରୁ କଚେରୀ ଓ କଚେରୀରୁ ଜେଲ୍ । ଏବେ ମନୋଜ ଏଇଠି ଅଛି । କହେ- “ଜେଲ୍ ଆସିବା ନେଇ ତା’ର ଦୁଃଖ ନାହିଁ, ଗୋଟିଏ ଅବଶୋଷ, ସେ ସେଇ ଧପ୍‌ପାବାଜ୍‌ଟାକୁ ଜୀବନରୁ ମାରି ଦେଇପାରିଲା ନାହିଁ ।”

ଡିଏସ୍ପି ମଙ୍ଗରାଜ ବଦଳି ହୋଇଗଲେ । ତା’ପରେ ଟଙ୍କା ଆସିବା ବନ୍ଦ ହୋଇଗଲା । ତିନିବର୍ଷ ପରେ, ସଦାଶିବ ବାବଦରେ ଖବର ପାଇଲା କେଶବ ଆଡ୍‌ଭୋକେଟ୍ ପାଖରୁ । ସେ କହିଥିଲେ, “ସଦାଶିବ କେବେ ବି କେଶବ ବିରୋଧରେ ବୟାନ୍ ଦେଇନଥିଲା । କେଶବ ନିଜେ ନିଜ ବେକରେ କୁରାଢ଼ି ଚୋଟ ମାରିଛି ।”

କିନ୍ତୁ ସେତେବେଳେ କେଶବର ଏସବୁ ଜାଣିବାକୁ ଯୁ’ ନଥିଲା । ମଙ୍ଗରାଜ କହିଥିଲେ, “ସଦାଶିବ ମରିଯାଇଛି । ମଲା ଆଗରୁ କେଶବ ନାଁରେ ବୟାନ୍ ଦେଇଯାଇଛି ।”

ଆଡ୍ଭୋକେଟ୍ ଦୀପକ୍ ଦାସ କହିଥିଲେ, “ତୁମେ ଗୋଟେ ଦରଖାସ୍ତ ଲେଖ । ସବୁକଥା ଖୋଲିକି କୁହ । ତୁମର ସଜା କମିବ । ଅସଲ ଆସାମୀ ଗିରଫ୍ ହେବ ।”

କେଶବ ହସିଥିଲା । ସତରେ କ’ଣ ଏସବୁ ସମ୍ଭବ ହେବ ? ସିଏ ତ ନିଜେ ହାତକାଟି ଦସ୍ତଖତ କରିଛି । ପୁଲିସ୍ ଆଗରେ ବୟାନ୍ ଦେଇଛି ଯେ ସିଏ ଅପରାଧୀ । ପୁଣି କେମିତି କଥା ବଦଳେଇବ ?

ଆଡ୍ଭୋକେଟ୍ କହିଥିଲେ, “ତୁମକୁ ମିଛ କୁହାଯାଇଥିଲା । ସଦାଶିବ ମରିନାହିଁ, ବଞ୍ଚିଛି । ସିଏ ବି ବୟାନ୍ ଦେବାକୁ ପ୍ରସ୍ତୁତ । ତୁମେ ମୁହଁ ଖୋଲ । ସାରା ଓଡ଼ିଶା ଦୋହଲିଯିବ । ବଡ଼ ବଡ଼ ହାକିମଙ୍କ ଡ୍ରଗ୍-ଖିଆ ପିଲାଏ କେମିତି ଅପରାଧ ଘଟାନ୍ତି ସେକଥା ସମସ୍ତେ ଜାଣିବେ ।”

– କେଶବ ପଚାରିଥିଲା, “ଏଥିରେ କ’ଣ ଲାଭ ହେବ ?”

ମୋ ବୋଉ ବଞ୍ଚିଯିବ । ମାଳତୀ ଫେରିଆସିବ । ମୁଁ ଫେରି ପାଇବି ମୋର ପୁରୁଣା ଦିନର ପରିଚୟ । କିଛି ଲାଭ ହେବନାହିଁ ।

ଆଡ୍‌ଭୋକେଟ୍ ଅପମାନିତ ହୋଇ ଫେରି ଯାଇଥିଲେ । ଆମ୍ୱଗଛ ପାଖ ବେଞ୍ଚ ଉପରୁ ଉଠିପଡ଼ିଲା କେଶବ । ଦୀର୍ଘଶ୍ୱାସ ନେଲା । ଜେଲ୍‌ର ଚାରିପଟକୁ ଚାହିଁଲା । ଚାରିପଟେ ଉଚ୍ଚା ପାଚେରୀ । ଲୁହା ଗ୍ରୀଲ୍ । ଭିତରେ ପାରାଭାଡ଼ି ପରି ଛୋଟିଆ ଛୋଟିଆ କୋଠରୀ । ଦଶଟା ଲୋକଙ୍କ ଶୋଇବା ଜାଗାରେ ସେମାନେ ରହନ୍ତି ଅଠର ଜଣ । ପାଇଖାନା ଅବସ୍ଥା ଶୋଚନୀୟ । ମୁଣ୍ଡ ଉପର ପଙ୍ଖା ଥାଇ ନଥିଲା ପରି । ଏଠି ଦିନରେ ଦି’ବେଳା, ଗମୁରା ଚାଉଳ ଓ ପୋକା ଡ଼ାଲିର ପାଣି, ତା’ ସାଙ୍ଗରେ ମେଞ୍ଚାଏ ଲେଖାଁ ସନ୍ତୁଳା । ଚାରିଶହ ଚଉଦ ଜଣ କଏଦୀ ଅଛନ୍ତି ଏଇ ଜେଲ୍‌ରେ । ସବୁଦିନ ଯିବା ଆସିବା ଲାଗିଛି ।

ଆଉ କିଛିଦିନ ପରେ ସିଏ ବି ଏଠୁ ବାହାରି ଯିବ ।

କିନ୍ତୁ ଯିବ କୁଆଡ଼େ ?

ଏଇ ଅନ୍ଧାର ସାଙ୍ଗରେ ତା’ର ବନ୍ଧୁତା ହୋଇଗଲାଣି । ସେ କ’ଣ ବାହାରର ଆଲୁଅକୁ ସିଧା ଆଖିରେ ଅନେଇ ପାରିବ ?

ତାକୁ ଏଇ ଜେଲ୍ ଭଲ ଲାଗୁଥିଲା । ଏହା ଭିତରେ ସିଏ ବି ଏଠିକାର କୌଶଳ ଶିଖିଯାଇଛି । ଏଠି ବଞ୍ଚି ରହିବାକୁ ହେଲେ ବାରମ୍ୱାର ଫଁଣା ଉଠେଇବାକୁ ପଡ଼େ । ମାନବିକ ଅଧିକାର ଉଲ୍ଲଙ୍ଘନର ଧମକ ଦେବାକୁ ପଡ଼େ ।

ତା’ର ମୁଖ୍ୟ ସହଯୋଗୀ ମଦନ ଡାକୁଥିଲା । କହୁଥିଲା, “ସେ କଜଳପାତି ଏପଟ ୱାର୍ଡକୁ ଆସିବ ବୋଲି କହୁଛି । କ’ଣ କରିବା ?”

କେଶବ ଉଠିପଡ଼ିଲା । କହିଲା, “ଚାଲ୍ ମୁଁ ଯାଉଛି । ତା’ ଭଦ୍ରଲୋକଗିରି ଛଡ଼ଉଛି ।”

ସେ ଉପରକୁ ଅନେଇଲା । ଲୁଗାପଟା ଝାଡ଼ି ଉଠିଲା । କାଲି ଭୋଟ୍ ହେବ, ସିଏ ହେବ କଏଦୀଙ୍କ ସର୍ଦ୍ଦାର ।

ତା’ର ଆଜି ଜଗନ ଦାସ କଥା ମନେପଡୁଥିଲା । ସେଦିନ ସେ ତା’ର ପ୍ରଶ୍ନର ଉତ୍ତର ଦେଇ ପାରିନଥିଲା । କିନ୍ତୁ ଆଜି ଜଗନ ଦାସ ଦେଖାହେଲେ ସେ କହିବ, ସେ ଜାଣେ ଅପରାଧୀଙ୍କ ଚେହେରା କେମିତି ଦିଶେ । ସେମାନଙ୍କ ଚେହେରା ଡଉଲଡାଉଲ । ସେମାନେ ସଫା ଲୁଗା, ପିନ୍‌ପିନ୍ ଇସ୍ତ୍ରୀକରା ପୋଷାକ ପିନ୍ଧନ୍ତି । ତାଙ୍କ ଜୋତା ଚକ୍ ଚକ୍ କରୁଥାଏ । ସେମାନେ ଅଙ୍ଗୁର, କାଜୁ ଓ ବାସୁମତୀ ଚାଉଳରେ ତାଙ୍କ ଚେହେରା ସଜାଡ଼ି ରଖିଥାନ୍ତି ।

ସେମାନେ ଥଣ୍ଡା ଘରେ ବସନ୍ତି, ଗାଡ଼ିରେ ବୁଲନ୍ତି, ଉଡ଼ାଜାହାଜରେ ଉଡ଼ନ୍ତି । ସେମାନଙ୍କ ପାଖରେ ମଣିଷକୁ ମାରିବା ଲାଗି ଖଣ୍ଡା କି ଭୁଜାଲି ନଥାଏ । ସେମାନେ କଲମ ଗାରରେ ମଣିଷକୁ ମାରି ପକାନ୍ତି ।

ସେ ସେମାନଙ୍କୁ ଚିହ୍ନେ ।

ଲୋକପ୍ରିୟ ଲେଖା

To Top