ଗଳ୍ପ

ଅପୋଡ଼ା

Matrudatta Mohanty's odia story Apodaa

ଜୁଇ ସଜାଡିବାରେ ଲାଗି ପଡିଲେ କିଛି ଲୋକ । ସାରିଆ ଦୂରରେ ବସି ସବୁ ଦେଖୁଥାଏ । ମଝିରେ ମଝିରେ ପାଟିକରି ଏସା ନାହିଁ ତେସା ନାହିଁ କହୁଥାଏ । ଦେଖୁଦେଖୁ ମୁର୍ଦ୍ଧାର ଦେହରେ ନିଆଁ ଲାଗିଲା ।

ଅପୋଡ଼ା

ଧଡ଼ଧଡ଼ କରି ଭଙ୍ଗା କବାଟକୁ ଦି ଚାରି ଧକ୍କା ମାରିଲା କେହି ଜଣେ । ଧକ୍କା ମାଡରେ ଦୋହଲିଗଲା ପୂରା ଚାଳିଆ । ଛିଣ୍ଡା ପଲିଥିନ୍‌ର ଆଁ ଭିତରେ ମୋଡି ଜାକି ହୋଇ ପଡିଥିବା ଦଦରା ଚାଳିଆର ରୋଗଣା କଙ୍କାଳ ଥରିଉଠିଲା । ସତେ ଯେମିତି ଭୁମିକମ୍ପ ହୋଇଗଲା ପରଦେଶୀପଡା ବସ୍ତିରେ । ଭିତରୁ ଖେଁ ଖେଁ କାଶ ସହିତ ତାଳ ମିଳେଇ ଶୁଭିଲା ‘କିଏରେ ପୋଡାମୁହାଁ ରାତି ଅଧରେ କବାଟ ପିଟୁଛି । ଯୋଗନି ଖାଉନି ତତେ । ନିଆଁ ନାଗୁନି ତୋ ଘରେ । ଘଡିଏ ଶୋଇବାକୁ ବିଛଣାକୁ ଆଇଲି ଯେ ତମ ଆଖି ଫୁଟିଗଲା । କଣ ହେଲା । କିଏ କିଏ ସେ?’ । କବାଟ ପିଟୁଥିବା ହାତଟା ତଥାପି ଥକି ନଥାଏ । ସମାନ ତାଳରେ କବାଟ ପିଟି ପିଟି କହିଲା ସାରିଆ ମାଉସୀ ମୁଁ ପରା ମେଡିକାଲରୁ ଆସିଛି । କବାଟ ଖୋଲ । ଆଲୋ କବାଟ ଖୋଲ । ସାରିଆ ବିରକ୍ତ ହୋଇ କହିଲା କଣ ହେଲା । ବାଡି ହେଲାକି ? କିଏ ମରିଗଲା କି ? । ହାତ୍ କବାଟ ଖୋଲୁନୁ । କଣ ବାଘ ନା ଭାଲୁ ତତେ ଚାଟି ଯିବି । ଅନ୍ଧାରରେ ଉଣ୍ଡାଳି ଉଣ୍ଡାଳି ସାରିଆ ଡିବି ଲଗେଇଲା । ଡାହାଣ ହାତରେ ଡିବି ଧରି ଉଠି ଛିଡା ହେଲା । ଆର ହାତରେ ଘୋଷାରି କବାଟ ଖୋଲିଲା ।

ହଁ କଣ ହେଲା କାଇଁ ରଡୁଛୁ ।

ଦୁଆର ମୁହଁରେ ଭୁତପରି ଛିଡା ହୋଇଥିବା ଲୋକଟା କହିଲା ଆସୁନୁ । ଆଲୋ ଆସୁନୁ । ଦେଖୁଛୁ କଣ । ସାରିଆ କହିଲା କେତେ ଦବୁ । ଯାହା ଖର୍ଚ୍ଚ ନବୁ । କେତେ ଦବୁ କହୁନୁ । ରାତି ଅଧରେ ବିଛଣାରୁ ଉଠେଇ ନଉଚ । କାମ ସରିଲେ କାସିଆ କିଏ ନା କପିଳା କିଏ । ଆଗ ପାଉଣା ଛିଣ୍ଡା ପରେ କଥାବାର୍ତ୍ତା । ହଉ ଚାଲ୍ । ଯାହା କହିବୁ ତାହା ଦେବି । ହଉ ରହ ହାତରେ ଠେଙ୍ଗାଟା ଘେନେ କହି ସାରିଆ ଘର ଭିତରକୁ ଗଲା । ଘର ଭିତରେ ଲଣ୍ଠଣ ସଜେଇଲା । ହାତରେ ତେଲ ଚିକିଟା କାଳିଆ ବାଡ଼ିଟା ଧରି ବାହାରି ଆସିଲା । ହଉ ଚାଲ୍ । ଘର ଭିତରୁ ଡାକ ଶୁଭିଲା ବୋଉ କୁଆଡେ ଯାଉଛୁ ଲୋ । ପାଟି ଣୁଣି ସାରିଆ ଅଟକି ଗଲା । ଶୋଇଥା ତୁ । ହେଇ ଗଲି ହେଇ ଆସିଲି । ଆଗେ ଆଗେ ସେ ଲୋକଟା । ପଛେ ପଛେ ସାରିଆ । ବସ୍ତିଠୁ ଡାକେ ହବ ବାଟ ଖାନନଗର ମଶାଣି । ଦି’ ଚାରିଟା ନିଶ୍ୱାସ ମାରିଲା ବେଳକୁ ପାଦ ପଡିଲାଣି ମଶାଣି ମାଟିରେ । ମଶାଣିରେ ଲୋକ ହାଉ ଯାଉ । ଟ୍ରଲି ଉପରେ ଶୋଇଛି ତାଳଗଛ ପରି ଲମ୍ବା ମର୍ଦ୍ଧଟା । ବିଶ ଫିଶ ଖାଇଛି ନା କଣ । ଠେଙ୍ଗା ହୋଇ ଯାଇଛି । ସାରିଆ ଟ୍ରଲି ପାଖକୁ ଲାଗିଗଲା । ମଶାଣି ଭିତରେ ଜଳୁଥିବା ଦୁର୍ବଳିଆ ଲାଇଟ୍‌ରେ ମୁର୍ଦ୍ଧାର ମୁହଁ ଦେଖିବା ଏକବାର ମୁସ୍କିଲ । ଲଣ୍ଠଣ ଟେକି ମଲା ମଣିଷଟାର ମୁହଁକୁ ନିରେଖି ଚାହିଁଲା । ଡାକ୍ତର ସାଟିଫିକେଟ୍ ଅଛି ?

ମଢ଼ା ନେଇ ଆସିଥିବା ଲୋକଙ୍କୁ ସାରିଆ ପଚାରିଲା । ହଁ ହଁ ଅଛି ହେଇ ନେ । ଇଂରାଜୀରେ ଲେଖାଥିବା ସେ କାଗଜରୁ ସାରିଆ କଣ ବୁଝିଲା କେଜାଣି ବଡ ହୁଁଟାଏ ମାରି କାଗଜ ଅଣ୍ଟାରେ ଖୋସିଲା । ଖଡିକା ଝାଡୁ ଧରି ଶବ ପୋଡା ଜାଗାଟା ଭଲକରି ଓଳେଇ ଦେଲା । ପାଣି ଛିଞ୍ଚି ଲୁହା ଫ୍ରେମ୍ ଉପରେ ମୁର୍ଦ୍ଧାର ଥୋଇବାକୁ ଇସାରା କଲା । ଜୁଇ ସଜାଡିବାରେ ଲାଗି ପଡିଲେ କିଛି ଲୋକ । ସାରିଆ ଦୂରରେ ବସି ସବୁ ଦେଖୁଥାଏ । ମଝିରେ ମଝିରେ ପାଟିକରି ଏସା ନାହିଁ ତେସା ନାହିଁ କହୁଥାଏ । ଦେଖୁଦେଖୁ ମୁର୍ଦ୍ଧାର ଦେହରେ ନିଆଁ ଲାଗିଲା । ଏଣେ ସାରିଆ ମୁନସିପାଲିଟି କାଗଜ କାଢି ବଢେଇ ଦେଲା ମୁର୍ଦ୍ଧାର ନେଇ ଆସିଥିବା ଲୋକଙ୍କ ହାତକୁ । କାମ ସରୁ ସରୁ ପାହାନ୍ତା । ଅଣ୍ଟାରେ ଟଙ୍କା ପଚାଶ ମାରି ସାରିଆ ଫେରି ଆସିଲା ତା ଠିକଣାକୁ ।

ଏମିତିଆ କାମରେ ହାତ ଦେଇ ଟିକେ ଶାନ୍ତିରେ ଖାଇବା ପିଇବାକୁ ସମୟ ମିଳେନା । ଯିଏ ଯେତେବେଳେ ଡାକେ ଅଣ୍ଟାରେ ଲୁଗା ଭିଡି ଘରୁ ବହାରିଯାଏ । ଶବ ପୋଡିବାରେ ସାହାଯ୍ୟ କରେ । ମ୍ୟୁନିସିପାଲିଟି ଫର୍ମ ଦିଏ । ‘ଶବ ପୋଡିବା କେଡେ ମହତକାମ । ସେ କାମକୁ ମନା କଲେ କଣ ଚଳିବ । ତେଣିକି ଦେହକୁ ଯାହା କଷ୍ଟ ହଉ ପଛେ’ । ଏମିତି ଭାବେ ସାରିଆ । ନିଜ କର୍ମକୁ ଈଶ୍ୱର ଭାବି ପୂଜା କରେ । ବେଳ ଅବେଳରେ ସିନା ଲୋକଗୁଡାଙ୍କ ଉପରେ ଚିଡି ଉଠେ । କିନ୍ତୁ ଶବ ନଆଇଲେ ତା ଚୁଳି ଅଜଳା ରହେ । ଏ କାମ ଆଜି କି କାଲି ତା କାନ୍ଧରେ ପଡ଼ିନି । କୋଡ଼ିଏ ବର୍ଷ ହେଲାଣି ସାରିଆ ଖାନନଗର ମଶାଣି ଜଗିଛି । ଗେରସ୍ତ ମୁନିସିପାଲଟିରେ ଚାକିରି ପାଇଥିଲା । ମଶାଣି ଜଗିବା କାମ । ଭଲ ଦରମା ଦିଟା ପାଉଥିଲା । ଦରମା ଗଣ୍ଡାକରେ ଚଳି ଯାଉଥିଲେ ତିନି ଝିଅ ବାପା ମା’ ଦି’ ଜଣ । ସାରିଆ ପାଖ କଲୋନିରେ କାମ ଦାମ କରି ଯାହା କମୋଉ ଥିଲା ଗେରସ୍ତକୁ ସାହା ହେଉଥିଲା । ଦଇବ ସୁଖ ସହିଲାନି । ଗାଡି ଧକ୍କାରେ ଗେରସ୍ତର ଜୀବନ ଗଲା । ଗେରସ୍ତର ଚାକିରି ଖଣ୍ଡିକ ପାଇବା ପାଇଁ ସାରିଆ ମେୟର ସାହେବଙ୍କୁ ନେହୁରା ହେଲା । ମେୟର କଥା ଦେଲେ ଚାକିରି ତୋର ପକ୍କା । ଯା’ କାମରେ ଲାଗିଯା । ଏଣିକି ମଶାଣି ତୋ ଜିମାରେ ରହିଲା । ସାରିଆ କାମରେ ଲାଗିଗଲା । କିନ୍ତୁ ଦରମା ନାହିଁ । ଅଫିସ୍ କାଗଜପତ୍ରର ମାୟା ଜାଲରେ ଦରମା ଗଣ୍ଡାକ ହୋଇ ପାରିଲାନି । କେତେ କାହାକୁ ନେହୁରା ହେଲା । ଗୋଡ଼ହାତ ଧଇଲା । ବର୍ଷ ପରେ ବର୍ଷ ବିତିଗଲା ସିନା ସାରିଆ କଥା କେହି ଶୁଣିଲେନି । ସେହି ଦିନଠାରୁ ବିନା ଦରମାରେ ସାରିଆ ମଶାଣି ଦାୟିତ୍ତ୍ୱ ମୁଣ୍ଡେଇଛି । ଶବ ପୋଡ଼ିବା ପରେ ଲୋକେ ଦୟାରେ ଯାହା ହାତଖର୍ଚ୍ଚ ଦେଇ ଯାଆନ୍ତି ସେଥିରେ ପରିବାର ଚଳେ । ସେହି ରୋଜଗାରରେ ଦି ଝିଅଙ୍କୁ ପାଖ ବସ୍ତିରେ ବାହା ଦେଇଛି । ସାଙ୍ଗରେ ଆଉ ଗୋଟିଏ ଅଭିଆଡ଼ିଆ ଝିଅ । ପରଦେଶୀପଡ଼ା ବସ୍ତିରେ ମା ଝିଅଙ୍କ ଅଭାବୀ ସଂସାର ଚଳେ । ତଥାପି ଗେରସ୍ତର ଚାକିରିଟା ପାଇବାର ଆଶା ଏ ଯାଏ ମଉଳି ଯାଇନି । ମନେ ପଡିଗଲେ ଧାଇଁ ଯାଉଛି ମୁନିସିପାଲିଟି ଅଫିସକୁ । ବେଳ ଅବେଳରେ ରାଉରାଉ ହେଉଛି ସରକାରୀ ଘର କଥା ବଖାଣୀ ।

ରାତି କଣେ ପାଇନି ସାରିଆ ମଶାଣିରେ ହାଜିରା ପକେଇଲା । ମଶାଣି ସାରା ପାଣି ଛିଞ୍ଚିଲା । ଓଳେଇ ସାରି ପାଖ ଚା ଦୋକାନରେ ଟିକେ ଚା ମାରିଲା । ଚା ଦୋକାନି ଥଟା କରି କହିଲା କିଲୋ ସାରିଆ ଆଉ କେତେ ଦିନ ଏମିତି ଶୁଖିଲାରେ ମଶାଣିର ମାଲିକାଣି ହୋଇଥିବୁ କିଲୋ । କଣ କିଛି ମିଳିଲାଣି ନା ନାହିଁ । ସାରିଆ ଚା ଗିଲାସ ବାଁ ହାତକୁ ଆଣି କହିଲା ସକଳଖିଆଗୁଡା ମୋ ସାଙ୍ଗରେ ଖେଳୁଛନ୍ତି ପରା । ଏ କାଗଜ ନାହିଁ ସେ କାଗଜ ନାହିଁ କହି ମୋତେ ଦଉଡୋଉଛନ୍ତି । ମୁନସିପାଲଟିକୁ ଧାଇଁ ଧାଇଁ ମୋ ପାଦରୁ ପାଣି ମଲାଣି । କ’ଣ କରିବି କହୁନୁ । ଆଜି ପୁଣି ଥରେ ଯା । ରୋଜ ଯା ସେଠିକି । ସରକାରୀ ଘର କଥା । ଦୈନିକ ମୁହଁ ନ ମାରିଲେ ତୋ କଥା କିଏ ଶୁଣିବ । ଚା’ ଦୋକାନୀ କଥାରେ ବଳ ପାଇଲା ପରି ସାରିଆ କହିଲା ହଁ ଆଜି ଯିବି । ଆଜି ଯେମିତି ହେଲେ ଯିବି । ବସ୍ତିରେ ଖରା ହରିଣ ପରି ଧାଉଁଥିଲା । କେତେବେଳେ ସାରିଆ ଚାଳ ଉପରେ ତ ଆଖି ଫେରାଇ ଚାହିଁଲା ବେଳକୁ ପାଖ ଟିବଲ ଦେହରେ ଦୋଳି ଖେଳୁଥିଲା ଖରା । ନଇଁ ପଡିଥିବା ଝୁମ୍ପୁଡି ଆଗରେ ଜଳୁଥିଲା ଚୁଲି । ଭାତ ପାଣି ସଜାଡି ଘର ପାଇଟିରେ ଲାଗିଥିଲା ସାରିଆର ଝିଅ । ଝିଅକୁ ଶୁଣେଇବା ପରି କହିଲା ମୁଁ ଯାଉଛି ମୁନିସିପାଲିଟି । ଫେରୁ ଫେରୁ ଡେରି ହବ । ତୁ ରନ୍ଧାବଢା ସାରି ଖାଇଦବୁ । ମୁର୍ଦ୍ଧାରିଆ କିଏ ଡାକିଲେ ମାଶାଣିକୁ ଯିବୁ । ମନା କରିବୁନି । ଏତକ କହି ସାରିଆ ଚାଲିଲା ତା ବାଟରେ ।

ପ୍ରାୟ ଦି ଘଣ୍ଟା ହବ ସାରିଆ ଅପେକ୍ଷା କରିଛି ବାବୁଙ୍କୁ । ବାବୁ ଆସିଲେ ତା ଫାଇଲ୍ ଖୋଲିବେ । ବେଳ ଗଡି ଯାଉଛି । ତେଣେ ମଶାଣି କାମ କଣ ହେଲା । ହେଲା କି ନହେଲା । ଅଫିସ୍ କାନ୍ଥର ଝୁଲୁଥିବା ଘଣ୍ଟାକୁ ବଲବଲ କରି ଚାହୁଁଥିଲା ସାରିଆ । ଯିବା ଆସିବା ଲୋକଙ୍କୁ ଟାଇମ୍ କେତେ ବୋଲି ପଚାରୁଥିଲା । ହାତରେ ବଡ ବେଗ୍ ଖଣ୍ଡେ ଝୁଲେଇ ବଡ଼ବାବୁ ଆସିଲେ । ସାରିଆ ଧାଇଁ ଯାଇ ବଡ଼ବାବୁଙ୍କ ପାଖରେ ଗୁହାରି କଲା । ବାବୁ ମୋ କାମଟା କାହିଁକି ଅଟକିଛି । ଯାହା କାଗଜ ମାଗିଲ ସବୁ ତ ଯୋଗାଡ କରିଦେଲି । ମୋ ଗେରସ୍ତ ଚାକିରିଟା ମୋତେ ଦିଅ । ମୁଁ ଗରିବ ଲୋକ କେମିତି ମୋ ପରିବାର ପୋଶିବି ଆଜ୍ଞା । ଦିନେ କି ଦି ଦିନ ନୁହେଁ କୋଡ଼ିଏ ବରଷ ହେଲାଣି ସୁଖିଲାଟାରେ ଧନ୍ଦି ହଉଛି । ଟେବୁଲ ତଳେ ଥିବା ଡଷ୍ଟବିନ୍‌ରେ ବାବୁ ଗଳଗଳ କରି ପାନ ଛେପ ଗୁଡା କାଢି ପକେଇଲେ ।

ସରିଲା ତୋ କଥା । ଏବେ ଶୁଣୁ ମୁଁ କହୁଛି । ଏ ଅଫିସ୍‌ରେ କଣ କେବଳ ତୋ କାମ ହେବ । ଆଉ କାହାର ହବନି । ଆଁ । ତତେ ଗଲା ଥର କହିଥିଲି କାଗଜପତ୍ର ଠିକ୍ ନାହିଁ । ମେୟରଙ୍କ ପାଖକୁ ପଠେଇଥିଲି ତୋ କାଗଜ ଫେରି ଆସିଛି ।

ସାରିଆ ବୋକାଙ୍କ ପରି ବାବୁଙ୍କ ମୁହଁକୁ ଚାହିଁଥିଲା । ଫାଇଲ୍ କଣ ? ମେୟର କିଏ ? ସେ କିଛି ବୁଝୁ ନଥିଲା । ସେ କେବଳ ବୁଝିଥିଲା ମୁନସିପାଲିଟି ବାଲାଏ ତା ଗେରସ୍ତ ଚାକିରିଟା ତାକୁ ଦେବେ । ସେ ବାବଦକୁ ମାସକୁ ମାସ ଟଙ୍କା ଗଣ୍ଡାକ ତାକୁ ଦେବେ । ବାବୁ ଚିତ୍କାର କରି ଉଠିଲେ । ହଇଲୋ ଏମିତି ଅନେଇଛୁ କଣ । କାମ ବେଳ ଏଠି ଭିଡ କରନା । ଯା ପହିଲା ପରେ ଆସିବୁ । ସାରିଆ କଣ ବୁଝିଲା କେଜାଣି ପଛକୁ ଫେରି ଆସିଲା ।

ସଂଜ ନଇଁ ଆସିଲାଣି । ଦିନ ତମାମ ମୁନସିପାଲିଟିରେ ବିତିଲା । ଝିଅ ଭାରି ସୁକୁମାରି । ମୁର୍ଦ୍ଧାର ଫୁର୍ଦ୍ଧାରକୁ ତା’ର ଘୃଣା । ଘରୁ ଗୋଡ କାଢିନି । ଆଜି ହାତ ଖାଲି । ରାତିରେ ଚୁଲି ଜଳିବ କେମିତି । ଘରକୁ ଚାଉଳ ତେଲ ଆଳୁ କିଣି ନେବାକୁ ଟଙ୍କା ପଚାଶ ଲୋଡା । ନହେଲେ ରାତିରେ ଉପାସ । ଏ ମହଙ୍ଗା ଯୁଗରେ ଦି ପରାଣି କେମିତି ପେଟ ପୋଶିବେ ଭାବୁଥାଏ ସାରିଆ । କାଠଯୋଡି ନଦୀ ଆରପଟେ ଆକାଶରେ କେହି ଯେମିତି ମେଞ୍ଚାଏ ସିନ୍ଦୁର ବୋଳି ଦେଇଛି । ସାରା ଆକାଶଟା ଲାଲ । ପାଖ ପାର୍କରେ ପୁଅ ଝିଅମାନେ ହାତରେ ହାତ ଛନ୍ଦି ଏକାକାର ହୋଇ ଯାଇଥାଆନ୍ତି । ବୁଦା ଆଢୁଆଳରେ କେହି କେହି ଟିକେ ଅଧିକ ଅନ୍ତରଙ୍ଗ ହୋଇ ଉଠିଥାଆନ୍ତି । ପାର୍କରେ ପ୍ରେମ । ପ୍ରେମ ଭିତରେ ଜୀବନ । ବଂଚିବାର ସ୍ୱପ୍ନ । ମିଳନର ଆହ୍ୱାନ । ଏପେଟ ମଶାଣୀରେ ମୃତ୍ୟୁ । ବିଛେଦର କୋହ । ହରେଇବାର ଲୁହ । ମଣିଷ ଜୀବନର ଚରମ ସତ୍ୟକୁ ସାମନା କରିବାର ସୁଯୋଗ । ସତରେ ବଡ ବିଚିତ୍ର ଏ ସଂସାର । ସାରିଆର ହାଡୁଆ ମୁହଁରେ ବିଶାଦର ରେଖା । କୋରଡିଆ ଆଖିରେ ମୃତ ସ୍ୱପ୍ନମାନଙ୍କର ଛାଇ । ମଇଳା ଲୁଗା କାନିରେ ନିଜକୁ ଢାଙ୍କିନେଇ ମଶାଣି ଭିତରେ ଥିବା କଂକ୍ରିଟ୍ ବେଞ୍ଚ ଉପରକୁ ଉଠିଗଲା ସେ । ବେଳ ଗଡି ଯାଉଛି । ଏଠି ଜୁଇ ଜଳିଲେ ଘରେ ଚୁଲି ଜଳିବ । ନଚେତ୍ ପାଣି ପିଇ ରାତି କଟିବ । ‘ପୋଡାମୁହିଁ ଟୋକିଟାର ଭାରି ଗଉଁ । ଦିନମାନ ଘରେ ଶୋଇଲା ସିନା ମଶାଣିକୁ ଅଇଲାନି । ଏବେ ଓପାସ ଶୋଇବ । ମୁଁ ଆଉ କଣ କରିବି’ । ମନେ ମନେ ଝିଅକୁ ଗାଳି ଦେଇ ଶବ ଆସିବା ବାଟକୁ ଚାହିଁ ବସିଲା ସେ । ଫଟଫାଟ ଜଳି ଉଠିଲା ମଶାଣିର ଲାଇଟ । ମଶାମାନଙ୍କ ଗୁଣୁଗୁଣୁ ଆବାଜକୁ ଡରି କାନିରେ କାନ ଘୋଡେଇଲା ସେ । ଦୂରରୁ ଶୁଭିଲା ରାମ ନାମ ସତ୍ୟ ହେ । ଶବ ଆସିଲା । ହଁ ହଁ ଶବ ଆସିଲା । ସାରିଆ ପାଟିରୁ ବାହାରି ପଡିଲା ‘ହେ ଭଗବାନ’ ।

ଘରେ ବଢ଼ିଲା ଝିଅ । ବାହା ବୟସ ହୋଇ ଗଲାଣି । ଝିଅ ଘିଅ । ଆଉ କେତେଦିନ ଘରେ ଧରି ବସିବି । ଜାଗା ଦି ଜାଗା ପ୍ରସ୍ତାବ ନଜରରେ ପଡିଛି । ହାତରେ ଦି ପଇସା ହେଲେ ସିନା ଝିଅକୁ ଉଠେଇବ । ରାତି ପାହିଲେ ତେଲ ଲୁଣ ଚିନ୍ତା । ସେଥିରେ ପୁଣି ଝିଅ ବାହା ଦେବା କଥା କେମିତି ଭାବିବ । ମଶାଣିରୁ ଯାହା ରୋଜଗାର ହେଉଛି ପେଟକୁ ନିଅଣ୍ଟ । ଏଣେ ଭଙ୍ଗା ଘରେ ବର୍ଷା କାକର ଗଳୁଛି । ଜରି ଖଣ୍ଡେ କିଣି ପକେଇବାର ଅଉକାତ ନାହିଁ । ବୋଝ ଉପରେ ବୋଝ । ମା କାଳୀଙ୍କ ଉଦ୍ଧେଶ୍ୟରେ ମୁଣ୍ଡିଆ ମାରିଲା ସାରିଆ । ଆଜି କାଇଁ ଧୀଅଟା ଟିକେ କସମସ ହଉଛି । ମୁଣ୍ଡ ବଥା ହଉଛି । ଗୋଡ ହାତ ଘୋଳେଇ ପକୋଉଛି । କିଏ ଟିକେ ହାତ ମାରି ଦିଅନ୍ତା କି ଜୋର ଆସନ୍ତା । ଝିଅକୁ ପାଖକୁ ଡାକି ନାଲି ଚା ବରାଦ କଲା । ସକାଳେ ଶବ ପୋଡି ଚା’ ଚିନି ଟିକେ ଆଣିଥିଲି ବୋଲି ଏବକୁ କାମରେ ଆସିଲା । ତେଣେ ମୁନିସିପାଲିଟି ବାଲାଙ୍କ ଉପରେ କୋଡିଏ ବର୍ଷର ପାଉଣା ଗଡୁଛି । କାହିଁରେ କେତେ ଟଙ୍କା ଜମା ହବନି । କେମିତି ପାଇିବି । ହେ ମା କାଳୀ ମୋ ପାଉଣା ମିଳିଗଲେ ପେଡା ଭୋଗା କରିବି ଲୋ ମା । ମାଙ୍କୁ ମୁଣ୍ଡିଆ ମାରିଲା ସେ । ଘରେ ପଡିଥିବା ଟିଣ ବାକ୍ସକୁ ପାଖକୁ ଟାଣି ଆଣି ଖେଳେଇବାରେ ଲାଗି ପଡିଲା । ସ୍ୱାମୀର ରାସନକାର୍ଡ ଚାକିରି କାଗଜପତ୍ର ପରିଚୟପତ୍ର ଏମିତି କେତେ କଣ ବାହାରିଲା । ସେ ସବୁକୁ ସାଉଁଟି ଏକାଠି କଲା । ଯାହା ହଉ ବର୍ଷା ଖରାରୁ ଦଇବ ରକ୍ଷା କରିଛି ଏତକ । ଏ ସବୁ ତ ଅଫିସ୍ ରେ ଜମା କରିଛି । ଆଉ ପୁଣି କଣ । ମନେ ମନେ ଗୁଣି ହେଉଥିଲା ସେ । ଝିଅ କଂସାରେ ନାଲି ଚା ଆଣି ପାଖରେ ଥୋଇଲା । ଜଳୁଥିବା ଡିବି ଆଲୁଅରେ ଲାଲ ଦିଶୁଥିଲା ସାରିଆର ମୁହଁ । ମୁହଁ ଉପରକୁ ଓହଳି ପଡିଥିବା ନୁଖୁରା ବାଳ କେରାକ ବୁଢା ବରଗଛର ଓହଳ ପରି ଏପାଖ ସେପାଖ ଦୋହୋଲୁଥିଲା । ଢୋକେ ଚା ପାଟିକୁ ନେଇ ଝିଅକୁ ଡାକିଲା । ଶୁଣୁ କାଲି ତୁ ମୋ ସାଙ୍ଗରେ ଅଫିସ୍ ଚାଲ । ମା ଝିଅ ଏକାଠି ବାବୁଙ୍କୁ ଗୁହାରି କରିବା । ଆମ ଦୁଃଖ ଦେଖି ତାଙ୍କ ମନ ତରଳିବ ଜରୁର । ଝିଅ ଭାବୁଥିଲା ବୋଉଟା ମୋର ପାଗେଳି ହୋଇ ଗଲାଣି । ନହେଲେ ସଞ୍ଜଟାରେ ଏମିତି ବିଳିବିଳି ହନ୍ତାନି । ହଇଲୋ ଛଟକି ଏମିତି ବଲବଲ କରି ଚାହିଁଚୁ କଣ । କାଲି ସକାଳେ ମୋ ସାଙ୍ଗରେ ଅଫିସ ଚାଲ୍ । ଝିଅ ଫେରିଗଲା ଚୁଲି ପାଖକୁ । ଚୁଲିରେ ଟକଟକ ଫୁଟୁଥିଲା ଭାତ ପାଣି ।

ପହିଲା ଯିବା ଚାରିଦିନ ଗଲାଣି । ବଡ ବାବୁ କହିଥିଲେ ପହିଲା ପରେ ଦେଖା କରିବାକୁ । ମା ଝିଅ ବଡ ବାବୁଙ୍କ ଅଫିସ୍ ବାହାରେ ବେଞ୍ଚରେ ବସି ଥାଆନ୍ତି । ପିଅନକୁ କହିଥାଆନ୍ତି ବାବୁଙ୍କୁ ଭେଟିବାକୁ ଆସିଛୁ । ପିଅନ କହିଥାଏ ଅପେକ୍ଷା କରିବାକୁ । ଜଣ ପରେ ଜଣେ କାମ ସାରି ବାବୁଙ୍କ ଅଫିସ୍‌ରୁ ବାହାରି ଯାଉଥାଆନ୍ତି । ଶେଷରେ ସାରିଆକୁ ଡକରା ଅଇଲା । ମା’ ଝିଅ ଦିହେଁ ଧରାପରା ହୋଇ ବାବୁଙ୍କ ଆଗରେ ହାଜର ହେଲେ ।

ପୁଣି କଣ ହେଲା । ତତେ କହିଥିଲି ପରା ପହିଲା ଗଲେ ଆସିବୁ । ହଁ ତୋର କାଗଜପତ୍ର ମୁଁ ଦେଖୁଥିଲି । ସବୁ ଠିକ୍ ଅଛି । କିନ୍ତୁ ତୋ ଗେରସ୍ତର ଡେଥ୍ ସାର୍ଟିଫିକେଟ ଦାଖଲ କରିନୁ ।

ବଡବାବୁଙ୍କ ମୁହଁରୁ ଏତକ ଶୁଣି ସାରିଆ ହଡବଡେଇ ଗଲା । ସେଇଟା ପୁଣି କଣ ଆଜ୍ଞା ।

ଆଲୋ ତୋ ଗେରସ୍ତ ମରିଛି ବୋଲି ଆମେ କେମିତି ଜାଣିବୁ ।

ଆଜ୍ଞା ମୋ ଗେରସ୍ତ ମଲାରୁ ତାକୁ ଖାନନଗର ମଶାଣିରେ ପରା ପୋଡିଥିଲି । ସମସ୍ତେ ଦେଖିଛନ୍ତି । ଯାଉନ ଆମ ବସ୍ତିରେ ପଚାରିବ ।

ଧେତ୍ ବସ୍ତିରେ ପଚାରିବି । ବଡ଼ ବାବୁ ଚିଡି ଉଠିଲେ । ବୁଝି ପାରିଲୁନି । ତୋ ଗେରସ୍ତ ମରିଛି ବୋଲି ମୁନସିପାଲିଟି ବାଲା ଲେଖିଦେବେ ।

ହଁ ତେମେ ପରା ମୁନସିପାଲିଟି ବାଲା । ତେମେ ନେଖି ଦଉନା ।

ଶୁଣୁ ମୁଁ ତତେ ବୁଝେଇ ପାରିବିନି । ତୁ ନିରୋଳା ବେଳେ ଆସେ । ମୋ ମୁଣ୍ଡ ଖରାପ କରନା । ପଳା ଏଠୁ । ପିଅନ ମା ଝିଅଙ୍କୁ ବାହାରକୁ ଝିଙ୍କି ଆଣିଲା ।

ଦିନକୁ ଦିନ ସାରିଆ ଧିଅରୁ ଜୋର କମୁଛି । ଦୁର୍ବଳ ହେଉଛି ଶରୀର । ଦେହପା ଭଲ ମନ୍ଦ ଲାଗି ରହିଛି । କେତେବେଳେ କୋଉ କଥା । ମଶାଣି ଧୁଆଁରେ ହାଡୁଆ ଧିଅଟା କଳା ପଡିଗଲାଣି । ପୋଡାମୁହାଁ କାଶଟା ରାତି ହେଲେ ବେଶି ମାତୁଛି । ଯେତେ ଔଷଧ ଗିଳିଲେବି ଫରକ ପଡୁନି । ବଡ ଡାକ୍ତର ପାଖକୁ ଯିବାକୁ ସମ୍ଭଳ କାଇଁ । ନିଜକଥା ଯେତିକି ଭାବୁଥିଲା ସେ ତା ଯବାନ ଝିଅ କଥା ତାଠୁ ବେଶି ଭାବୁଥିଲା । ଚିନ୍ତାରେ ଦିନକୁ ଦିନ କଣ୍ଟା ପରି ଦିଶୁଥିଲା ସାରିଆ ।

ରାତି ପାହିଲା ବେଳୁ ବସିଛି ମଶାଣିରେ । ଗୋଟେ ହେଲେ ବି ମଢା ଦେଖା ନାହିଁ । ମଶାଣି ଗେଟ୍ ପାଖରେ ଏପାଖ ସେପାଖ ହେଉଛି ସେ । ପୁଣି ଧାଇଁ ଯାଇ କଂକ୍ରିଟ୍ ବେଞ୍ଚ ଉପରେ ବସି ପଡୁଛି । କାଠଯୋଡି ବନ୍ଧରେ ପେଁ ପାଁ କରି ଗାଡି ମଟର ଧାଉଁଛି । ସମସ୍ତେ ବ୍ୟସ୍ତ ଆପଣା ଜୀବନକୁ ନେଇ । ସାରିଆ ବ୍ୟସ୍ତ ଜୀବୀକାକୁ ନେଇ । ଏଇ କୋଡିଏ ବର୍ଷ ଭିତରେ କାହିଁରେ କେତେ ଶବ ନିଜ ହାତରେ ପୋଡିଲାଣି ସେ । ଯବାନ ଟୋକା ଟୋକିଙ୍କ ଶବ । ପୁଣି ବୁଢା ହଡାଙ୍କ ଶବ । କେବେ କେବେ ନୂଆ ବୋହୂର ଗୋରା ତକତକ ନିର୍ଜିବ ଦେହଟାକୁ ବି ନିଜ ହାତରେ ପୋଡିଛି । ଦରପୋଡା ଶବର ଚାରି ପାଖ ଗୋଜିଣାରେ ଉଖୁରେଇଛି । କିନ୍ତୁ କେବେ ତା ମନରେ ଘୃଣା କି ଭୟ ଆସିନି । ପେଟ ଚାଖଣ୍ଡକ ପାଇଁ ମାଇପିଟା ଏଇ କାମକୁ ଆଦରି ନେଇଛି । ଡରିଲେ ପେଟ ପୋଶିବ କେମିତି । ଆଜି କିନ୍ତୁ ସାରିଆକୁ କେମିତି କେମିତି ଲାଗୁଛି । ଆଉ କେତେ ଦିନ ଏମିତି ଚାଲିବ ? ପୋଡାମୁହାଁ ଅଫିସ ବାଲାଏ ତ ଦୁଃଖ ବୁଝିଲେନି । ବୟସ ହଟିବାରେ ଲାଗିଛି । କେତେବେଳେ କୋଉ କଥା । ଘରେ ଅଭିଆଡିଆ ଝିଅଟା । ଏମିତି କେତେ କଣ ଗୁଣି ହେଉହେଉ ଦିନ ଯିବାକୁ ବସିଥାଏ । କେତେବେଳେ ଶବଟା ପାଖରେ ଆସି ହାଜର ହେଲାଣି ଜଣା ପଡିଲାନି । ଶବ ପାଖକୁ ଧାଇଁଗଲା ସେ । ଲୁଗାକାନିରୁ ଧୁଅାଁପତ୍ର କାଢି ପାପୁଲି ମଝିରେ ଦଳି ଚଟକିନା ଜିଭ ତଳେ ଜାକି ଦେଲା । ଶବ ପୋଡା ଜାଗାକୁ ପାଣି ଛିଞ୍ଚି ପବିତ୍ର କଲା । ଶବ ନେଇ ଆସିଥିବା ଲୋକଙ୍କ ହାତକୁ ବଢେଇ ଦେଲା କାଗଜ । ପାଖରେ ଜଗି ରହି ଶବ ପୋଡିବାର ସବୁ କୌଶଳ ବତେଇ ଦେଲା । ଦେଖୁ ଦେଖୁ ପୋଡିଗଲା ମଲା ମଣିଷର ସେତା ପଡି ଯାଇଥିବା ଦେହଟା । ମୁଣ୍ଡ ଭିତରୁ ତରଳି ବୋହିଗଲା ଦହିତକ । ଆଖି ଦିଟା କାଚଗୁଲି ପରି ଚିକ୍ ଚିକ୍ କରୁଥିଲା ନିଅାଁର ଅାଁ ଭିତରେ । ସେତିକି ବି ବେଶି ସମୟ ଧରି ରହିଲାନି । ମୋଟା ଜଙ୍ଘ ଦିଟା ପାଚିଲା ପଣସ ପରି ଚଡଚଡ ହୋଇ ଫାଟିଗଲା ନିଆଁ ଧାସରେ । ଚାହୁଁ ଚାହୁଁ ପାଉଁସ ପାଲଟିଗଲା ମଣିଷଟା । ସବୁ ପୋଡିଗଲା । ଜୁଇ ନିଆଁ କୋଳେଇ ନେଲା ସବୁ କିଛି । ସାଙ୍ଗରେ ବୁହା ହୋଇ ଆସିଥିବା କନ୍ଥା କମଳ ଶପ ମଶିଣାକୁ କେହି ଜଣେ ଛାଟି ଦେଲା ଜୁଇ ଉପରକୁ । ସାପ ପରି ଫଣା ଟେକି ଳହଲହ ହେଉଥିବା ନିଆଁର ବିଶାକ୍ତ ପାଟି ସେ ସବୁକୁ ବି ଚଟ୍ କରିଗଲା । ମାଶାଣି ଛାଡିଲା ବେଳକୁ ସାରିଆର ପାଉଁସ ସାଲୁବାଲୁ ହାତରେ ଟଙ୍କା ତିରିଶିଟା ଗୁଞ୍ଜି ଦେଇଗଲେ ଶବ ବାହକମାନେ । ସାରିଆ ଟଙ୍କା ଅଣ୍ଟାରେ ଖୋସି ଜୁଇ ନିଅାଁ ପାଖରେ ଛିଡା ହୋଇଥିଲା । ଜୁଇ ନିଆଁରେ ତାର ପତଳା ଦେହଟା ବଡ ବିକୃତ ଦିଶୁଥିଲା । ଲାଗୁଥିଲା ଯେମିତି ଶବଟା ଜୁଇରୁ ଉଠି ଛିଡା ହୋଇଛି । ଅଟ୍ଟହାସ୍ୟ କରୁଛି ସେ ନିଆଁକୁ ଚାହିଁ । ତାର ବୟସ୍କ ମୁହଁରେ ନିଆଁର ଛାଇ ଚିକ୍ ଚିକ୍ କରୁଥିଲା । ବୋଝ ବୋଝ ଦୁଃଖର ଛାପ ମାଡି ବସିଥିଲା ସେ ଅସହାୟ ଚେହେରାକୁ । ସାରିଆ ମନେ ମନେ ଭାବୁଥିଲା ଏ ନିଆଁଟାରେ ସବୁ ପୋଡି ଜଳି ଯାଉଛି । ଧିଅକୁ ପଥର କରି ଜୀବନ ଯାକର ସୁଖ ଦୁଃଖ ସହିଥିବା ମଣିଷଟା ବି ଶେଷରେ ପୋଡି ପାଉଁସ ହୋଇଯାଉଛି । କିନ୍ତୁ ତା ନିଜର ଦୁଃଖ ଖାଲି ଯାହା ନପୋଡି ରହି ଯାଇଛି । ବର୍ଷ ବର୍ଷ ଧରି ଜୁଇ ନିଆଁକୁ ଆୟତ୍ତ କରୁଥିବା ତା’ ସର୍କଟା ଧିଅଟା ପଡି ରହିଛି ସବୁ ଦୁଃଖ ସହିବାକୁ । କାଠଯୋଡି ଆରପଟେ ବିନ୍ଦୁଏ ସୂର୍ଯ୍ୟ ମୁହଁ ଲୁଚାଉଥିଲା । ସାରା ଆକାଶରେ ଜୁଇ ନିଆଁର ନାଲିରଂଗ ଭରି ଯାଇଥିଲା । ସେହି ରଙ୍ଗ ଚରି ଯାଇଥିଲା ସମଗ୍ର ଆକାଶକୁ । ମଲା ମଣିଷଟାର କଞ୍ଚା ଚମଡା ପୋଡି ଯିବା ପରେ ଫୁର୍କୁଟିଆ ଗନ୍ଧରେ ଫାଟି ପଡୁଥିଲା ମଣାଣିର ଚଉହଦି । ଲିଭି ଆସୁଥିବା ଜୁଇର ଧୁଅାଁ କୁଣ୍ଡଳି କାଟି ହଜି ଯାଉଥିଲା ଆକାଶ ଛାତିରେ । ସେଇ ଧୁଆଁର ଧୁଷରିଆ ପରଦା ଆରପଟେ ଖୁଣ୍ଟ ପରି ଛିଡା ହୋଇଥିଲା ସାରିଆ ଆଉ ଏକ ଶବ ଅପେକ୍ଷାରେ ।

ଲୋକପ୍ରିୟ ଲେଖା

To Top