ଗଳ୍ପ

ଅସହାୟ ସନ୍ଧ୍ୟା

Ritika Pattanaik's Odia Story ASAHAAYA SANDHYAA

ରିଚାର୍ଜ କରିବା ପାଇଁ ପଇସା କୋଉଁଠୁ ଆଣୁଛୁ ? ମୁଁ ଜାଣିବାରେ ତୁ ତ କିଛି କାମ ଧାମ କରୁନୁ. . . ସିଲେଇ ଶିଖିବାକୁ କହି. . . ।

ଅସହାୟ ସନ୍ଧ୍ୟା

“ହେମନ୍ତ ଭାଇ । ଏଇ ତାଲିକା ନିଅ ।”

“ଆଗ ବାକି ଟଙ୍କା ସବୁ ସୁଝ । ତା’ପରେ ଜିନିଷ ଦେବି । ଦେଖ୍ ସେଠି କ’ଣ ଲେଖା ହେଇଛି ।” ଦୋକାନର ଡାହାଣପଟ କାନ୍ଥରେ ଏ୪ ସାଇଜ୍ ପେପର୍‌ରେ ବଡ଼ ବଡ଼ ଅକ୍ଷରରେ ଡି.ଟି.ପି. କରାଯାଇଥିବା କିଛି ଲେଖା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରି ହେମନ୍ତ ସାହୁ କହିଲା, କିଛିଟା ଚଢ଼ା ଗଳାରେ ।

“ହଉ ହଉ ଜଲଦି ଦିଅ । ଆଜି ମୁଁ ନଗଦ ଟଙ୍କା ଦେଇ ନେବି । କିନ୍ତୁ ବାକି ସବୁ ପରେ ସୁଝି ଦେବି ।”

“ହଇରେ ଶୁଣିଛି, ଆଜିକାଲି ତୋର ତା’ ସାଙ୍ଗେ ଭାରି ବସାଉଠା ।”

“କ’ଣ ହେମନ୍ତ ଭାଇ. . . କାହା କଥା କହୁଛ କିହୋ. . . ଆରେ କ’ଣ ଗୁଡ଼ାଏ ଥଣ୍ଡା, ଚକଲେଟ୍ ରଖିଲଣି ଭାଇନା. . . କ’ଣ. . . ବିଜ୍‌ନେସ୍ ବଢ଼ିଲା ଏଥର. . . ।”

“ତୋତେ ମୁଁ କ’ଣ ପଚାରୁଛି ଆଉ ତୁ କଥା କୁଆଡେ଼ ବୁଲଉଛୁ ।” ଥାକରୁ ତେଲ ପାକେଟ୍ କାଢୁ କାଢୁ ରାମ ସାହୁ କହୁଥିଲା ।

ଏକ ବେଖାତିର ଢଙ୍ଗରେ ରାଜନ କିନ୍ତୁ କୌଣସି ପ୍ରତିଉତ୍ତର ନ ଦେଇ ବି.ପି.ଏଲ୍. କାର୍ଡଟି ସଯତ୍ନେ ସାର୍ଟ ପକେଟ୍‌ରେ ରଖିଲା । ଅଧ ବସ୍ତା ଉଷୁନା ଚାଉଳ, ଦୁଇ ପ୍ୟାକେଟ୍ ସରୁ ବାସୁମତି ଚାଉଳ, ଚାରି ପ୍ୟାକେଟ୍ ସୋରିଷ ତେଲ ଏକ କନା ବ୍ୟାଗ୍‌ରେ ଭର୍ତ୍ତି କରି ଚକ୍ ଚକ୍ କରୁଥିବା ନିଜର ନୂଆ ପଲସର ବାଇକ୍‌ରେ ଲଦିଲା । କିଛି ସ୍ୱପ୍ନ, କିଛି ଚେଷ୍ଟାର ସମ୍ଭାବିତ ସଫଳତାର କଳ୍ପନାର ଉଚ୍ଚାଟ ଜୁଆରରେ ରାଜନ ଭାସି ବୁଲୁଥିଲା । କେବେ ତା’ର ମନୋସ୍ଥିତି ସହିତ ତାଳ ମିଲାଇ ତ କେବେ ବାସ୍ତବତାର ପ୍ରହାରରେ ସମ୍ଭିତ ଫେରିପାଇ ହେଇ ବାଇକ୍‌ଟିର ଗତି କମୁଥିଲା ଆଉ ବଢୁଥିଲା । ଆରେ. . . ଆଉ ଗୋଟିଏ ଜିନିଷ ରହିଲା. . . ପ୍ରଭୁ ମିଳିଯାଉ ସୁବିଧାରେ. . . ଦେଖାଯାଉ. . . ବାଇକ୍‌ର ମୋଡ଼ ବଦଳେଇଲା ସେ । ମୁନା ବ୍ରୟଲର୍ ଦୋକାନ ଦିଗକୁ । ବାଇକ୍‌ଟି ଦୃତଗତିରେ ଗଳି ରାସ୍ତାର ଗହଳି କାଟି କାଟି ଆଗକୁ ଯାଉଥିଲା ବେଳେ ଗଳିର ମୋଡ଼ରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହିତ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଲା । ଭୁଲ୍ ତ ଦୁହିଁଙ୍କର । ନା ଅଟୋବାଲା ହର୍ଣ୍ଣ ବଜାଇଥିଲା ନା ପ୍ରାୟ ବେପାରୁଆ ଢଙ୍ଗରେ ଗାଡ଼ି ଚଲାଉଥିବା ରାଜନ । ଅନ୍ୟ କେଉଁ ଦିନ ହେଇଥିଲେ ଭଲ କରି ବହେ ଗାଳି କରିଥାଆନ୍ତା, ଅପର ପକ୍ଷର ଦୋଷ ଥାଉ ବା ନଥାଉ । ଆଜି କିନ୍ତୁ ତା’ ମନକୁ ଜଡ଼ାଇ ରଖିଥିଲା କିଛି ସୁଖଦ ବ୍ୟଗ୍ରତା ଉଷ୍ଣତା, ସାହି ମୁଣ୍ଡରେ ଥିବା ପାନ ଦୋକାନରୁ ପିଲାଙ୍କ ପାଇଁ କିଛି ଚକୋଲେଟ୍ ଓ ଚାରିଟି କଡ଼ା ପାନ କିଣିଲା. . . ପାଟିରେ ଗୋଟିଏ ଜାକି ବାକିତକ ସାର୍ଟ ପକେଟ୍‌ରେ ପୁରାଇଲା ।

ଯାହା ହେଉ ଆଜି କାମରୁ ଟିକେ ଜଲଦି ତ୍ରାହି ମିଳିଲା । ମାଲିକ ଯେଉଁ ଲୋକ ନା. . . ତା’ ମୁଡ଼୍‌ଟା ଭଲ ରହୁଛି ଗତ କିଛିଦିନ ହେବ । ଦଶବର୍ଷ ତଳେ ଯଦି ରାଜନ କୌଣସି ନିଯୁକ୍ତିଦାତାଠାରେ ଏଭଳି ବେଳ ଅବେଳରେ ଚିରାଚରିତ ବ୍ୟବହାରର କିଛିଟା ବ୍ୟତିକ୍ରମ ଲକ୍ଷ୍ୟ କରିଥାଆନ୍ତା ତ ଖୁସି ହେଇଥାଆନ୍ତା, ଏହି ଧାରଣା କରି ଯେ ବୋଧହୁଏ ମାଲିକ ତା’ର ନିଷ୍ଠାପର ତଥା କର୍ମପ୍ରଖରତା ଦେଖି ତା’ ପ୍ରତି ପ୍ରସନ୍ନ ଅଛି । କିନ୍ତୁ ଏବେ ଯେମିତି ମଣିଷ ମନସ୍ତତ୍ତ୍ୱ ବିଷୟରେ ତା’ର କିଛିଟା ଜ୍ଞାନ ଆସିଗଲାଣି, ମାଲିକର ମୁଡ୍‌ର ସମ୍ୱନ୍ଧ ନିଶ୍ଚୟ ତା’ ପୁଅର ଇଞ୍ଜିନିୟରଂ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ଆଇ.ଆଇ.ଟି. ଭଳି ସୂନାମଧନ୍ୟ ପ୍ରତିଷ୍ଠାନରେ ପଢ଼ିବାକୁ ସୁଯୋଗ ପାଇଥିବା ହେତୁ । ଅବଶ୍ୟ ଅହଂକାର ବି ବଢ଼ିଯାଇଛି କିଛିଟା । ଶ. . . ଯାହା ତ ଦରମା ଦେଉଛି, ସମୁଦ୍ରକୁ ଶଙ୍ଖେ, ତାହା ପୁଣି ଠିକ୍ ସମୟରେ ନୁହେଁ, କେତେବେଳେ ମାସର ପ୍ରଥମ ସପ୍ତାହରେ ତ କେତେବେଳେ ୧୫ ତାରିଖ ବି ଗଡ଼ିଯାଏ । ପର ପାଇଁ କାମ କରି କରି ଜୀବନ ସରିଯିବ । ବୋଉର ପେନ୍‌ସନ୍, ଗାଁରୁ କିଛି ମିଳୁଥିବା ଯୋଗୁଁ ସିନା ଘର ଯାହା ଯେମିତି ଚଳିଯାଉଛି । ନ ହେଲେ. . . ପିଙ୍କିଟା ଭଲ ପଢୁଛି, ସେ ବି ଦିନେ ମାଲିକର ପୁଅ ଭଳି. . ., ଏମିତି ଭାବୁ ଭାବୁ ସେ କେତେବେଳେ ଘର ସାମ୍ନାରେ ପହଞ୍ଚିଯାଇଥିଲା ବାଇକ୍ ବୋଝେଇ ଜିନିଷ ଧରି । ସେତେବେଳକୁ ପ୍ରାୟ ସନ୍ଧ୍ୟା ୬:୧୫ । ବାଇକ୍‌ଟିକୁ ଫାଟକ ଭିତର ପାଚେରୀ କଡ଼ରେ ରଖି ନିଜ ସ୍ଥିତି ବିଷୟରେ ଆକଳନ ଜାରି ରଖିଥିଲା ରାଜନ ମନେ ମନେ । ଏକ ପରିବା ପାଇକରି ଗୋଦାମରେ ସୁପରଭାଇଜର୍ କାମ କରୁଥିବା ରାଜନ, ପ୍ଲସ୍ ଟୁ ପାସ୍, ୩୫ ବର୍ଷର ଏକ ଉଚ୍ଚାଭିଳାଷୀ ତଥା ନିମ୍ନ ମଧ୍ୟବିତ୍ତ ପରିବାରର ଏକମାତ୍ର ରୋଜଗାରକ୍ଷମ ମଣିଷ ।

– ବାବା. . . ସିପୁନ୍, ରାଜନର ୫ ବର୍ଷର ପୁଅ ଦୌଡ଼ି ଆସିଲା ଆଉ ତା’ ହାତ ଧରି ପ୍ରାୟ ଓହଳି ପଡ଼ିଲା ।

ରାଜନର ପ୍ରାୟ ରାତି ୯/୧୦ ବାଜି ଯାଏ ଘରକୁ ଫେରିଲା ବେଳକୁ । ଅପରାହ୍ଣରେ ଖାଇବା ପାଇଁ ମଧ୍ୟ ସେ ପ୍ରାୟ ଘରକୁ ଆସି ପାରେନା । ଗୌରୀ ଯେତିକି ଖୁସି ହେଲା ସେତିକି ଆଶ୍ଚର୍ଯ୍ୟ ବି. . . ।

ଜିନିଷପତ୍ର ସବୁ ବାଇକ୍‌ରୁ କାଢ଼ି ଘରକୁ ବୋହି ନେବାକୁ ପିଙ୍କି ହେଲା ତତ୍ପର, ଏମିତି ବି ସେ ପଢ଼ାପଢ଼ି ସହିତ ଘର କାମ କରିବାକୁ ବହୁତ ଉତ୍ସୃକ । ଏକ ପ୍ରକାରର ଦାୟିତ୍ୱବୋଧ ଯେମିତି ଏହି ୯ ବର୍ଷ ବୟସର ମୁଣ୍ଡେଇ ସାରିଥିଲା ।

“ବାବା ଏଇଟା କ’ଣ ?” ବାଇକ୍‌ର ହାଣ୍ଡଲରେ ଝୁଲୁଥିବା ଏକ ଓଜନିଆ ବ୍ୟାଗ୍‌ଟିକୁ କାଢ଼ି ବାହାର କରିବାର ଅସଫଳ ଚେଷ୍ଟାରେ ସେ ବ୍ୟସ୍ତ ଯେତିକି ହେଲା, କୌତୂହଳି ତତୋଽଧିକ । ବ୍ୟାଗ୍ ଭିତରେ ଯେମିତି କୌଣସି ଜିନିଷ ହଲଚଲ ହେଉଥିଲା ଓ ଏହା ଖୁବ୍ ଶୀଘ୍ର ଭାଇଭଉଣୀଙ୍କର ଦୃଷ୍ଟି ଆକର୍ଷଣ କଲା ।

ଏମିତି ଭିଡ଼ିମୋଡ଼ି ହେଲା ଭଳି ଲାଗୁଛି ଯେ. . . ପିଙ୍କି ବ୍ୟାଗ୍‌ଟିକୁ ହ୍ୟାଣ୍ଡଲ୍‌ରୁ କାଢ଼ିବାକୁ ଚେଷ୍ଟା କରୁ କରୁ କହିଲା । କିନ୍ତୁ ସେତେବେଳକୁ ରାଜନ ରୋଷେଇ ଘର ଭିତରକୁ ଚାଲିଯାଇଥିଲା ଓ ଗୌରୀକୁ କିଛି ନିର୍ଦ୍ଦେଶ ଦେଉଥିଲା ।

ପିଲାମାନଙ୍କର ଜିଜ୍ଞାସା ତୀବ୍ର ହେଲା ତ ଭାଇଭଉଣୀ ଦିହେଁ ମିଶି ବ୍ୟାଗ୍‌ଟିକୁ କୌଣସି ମତେ ତଳକୁ ଆଣି ଖୋଲି ଦେଲେ, ଭିତରୁ ବାହାରି ଆସି ଘୋଷାଡ଼ି ହେଇ, ଟିକେ ଖଣ୍ଡି ଉଡ଼ା ଦେଇ ବାରଣ୍ଡାର ଏକ କୋଣକୁ ଚାଲିଗଲା ପକ୍ଷୀଟି । ସିପୁନ୍‌ର ଆଶ୍ଚର୍ଯ୍ୟ କହିଲେ ନସରେ । “ଓଃ ! ବାବା. . . କୁକୁଡ଼ା !”

“ହେଃ. . . ତାକୁ ଛାଡ଼. . .” ରାଜନ ଚିହିଁକି ଦୌଡ଼ି ଆସିଲା । ପକ୍ଷୀଟିର ଗୋଡ଼, ଦୁଇଟିକୁ ବନ୍ଧା ଯାଇଥିବା ମୋଟା ସୂତୁଲିଟିକୁ ଖୋଲିବାକୁ ଉଦ୍ୟତ ହେଉଥିଲା ସିପୁନ୍, ତା’ର କୁନି ହାତରେ କୁକୁଡ଼ା ଥଣ୍ଟର ହାଲ୍କା ଚୋଟ ବସିବା ସତ୍ତ୍ୱେ । ଠିକ୍ ସେତିକି ବେଳକୁ ରାଜନ୍ ଆସି ଦୁଇ ହାତରେ ପକ୍ଷୀଟିକୁ ଉଠେଇ ନେଲା ।

“ମାମା. . .” ସିପୁନ୍ ଭିତରକୁ ଦୌଡ଼ିଗଲା ।

“ମାମା. . . ଆ, ଦେଖିବୁ, ବାବା କୁକୁଡ଼ା ଆଣିଛନ୍ତି. . . ସେ କ’ଣ ଖାଇବ ? କେବେ ଅଣ୍ଡା ଦେବ. . . ଆଉ କୁନି କୁନି ଛୁଆ ବି. . . ତ. . .” ଏମିତି କେତେ କଥା କହୁ କହୁ ଏକ ଟିଣ ଡବା ଖୋଲି ସେଥିରେ ଥିବା କିଛି କଞ୍ଚାବାଦାମ ଉଠାଇ ନେଲା ଆଉ ଚୋପା ଛଡ଼ାଇବାକୁ ଲାଗିଲା ।

“ବାବା ଦେଖ. . . ମୁଁ କୁକୁଡ଼ା ପାଇଁ କ’ଣ ନେଇ ଆସିଛି ?” ଆଞ୍ଚୁଳାଏ ଚୋପାଛଡ଼ା ବାଦାମ ଧରି ସିପୁନ୍ ପହଞ୍ଚିଗଲା କୁକୁଡ଼ା ପାଖରେ ।

କୁକୁଡ଼ାଟିର ଆଗରେ ସେ ବୁଣିଦେଲା କିଛି ବାଦାମ । ଏକ ନୂତନ ବାତାବରଣରେ ନିଜକୁ ପାଇ କୁକୁଡ଼ାଟି କେତେବେଳେ ଆକ୍ରମଣାତ୍ମକ ହେଇପଡୁଥିଲା ତ କେତେବେଳେ ଭୟଭୀତ । ବାରଣ୍ଡାର କାନ୍ଥକୁ ଆଉଜି ଯାଇ କାକୁସ୍ଥ ଅବସ୍ଥାରେ ଥିବା କୁକୁଡ଼ାଟି ସିପୁନ୍‌ର ଅଯାଚିତ ଚର୍ଚ୍ଚାରେ ଯେମିତି ଆହୁରି ଡରି ଯାଉଥିଲା ।

“ସିପୁନ୍ ଆ’ ପଢ଼ିବୁ. . .” ପିଙ୍କି ନାନୀର ଡାକରେ ସେ ଉଠିବାକୁ ବାଧ୍ୟ ହେଇ ପଢ଼ିବାକୁ ବସିଲା ସତ କିନ୍ତୁ ମନ ଥାଏ କୁକୁଡ଼ା ପାଖରେ ।

“ରାଜୁ. . . କ’ଣ ନେଇ ଆସିଛୁ. . . ଘର ଦୁଆର ଅଳିଆ କରିବ. . . କିଏ ସଫା କରିବ. . . ?” ସତ୍ୟଭାମା ବ୍ୟସ୍ତ ହେଲେ ।

“ସବୁଦିନ ରହିଲେ ତ. . .” ରାଜନ ବା ରାଜୁ ବାରଣ୍ଡାରେ ପଡ଼ିଥିବା କାଠ ଚେୟାର୍ ଉପରେ ଆଉଜି ପଡ଼ି ଗୁଣୁ ଗୁଣୁ ହେଇ କହିଲା ।

“କ’ଣ କହୁଛୁ. . .” ଯେ ସତ୍ୟଭାମା ପଚାରିଲେ ।

“ତୋ ରୁମ୍‌କୁ ଯା’. . . ଏଥିରେ ବେଶି ମୁଣ୍ଡ ଖେଳାନା ।” ପାଟିରୁ ପାନ ଛେପ ମେଞ୍ଚେ ଥୁ’ କରି ପକାଇ ଦେଇ ରାଜନ ଟିକେ ବଡ଼ ପାଟିରେ କହିଲା ।

ସତ୍ୟଭାମା ମନେ ମନେ ବିରକ୍ତ ହେଲେ । କେବେ. . . ଅତି ଆଜ୍ଞାବହ ଥିବା, ଦିଅଁ ଦେବତା, ପର୍ବପର୍ବାଣୀ ମାନୁଥିବା ଏହି ପୁଅ ଆଜି କେତେ ବଦଳି ଗଲାଣି । ଆଉ କେଉଁ ରୁମ କଥା ସେ କହୁଛି ? ସ୍ୱାମୀଙ୍କ ଯିବାର ଏକ ବର୍ଷ ପରେ ତ ଭଙ୍ଗା ଦଦରା ଅବସ୍ଥାରେ ଥିବା ତାଙ୍କ କୋଠରୀକୁ ମରାମତି କରି ରାଜନ ଦୁଇଜଣ ଛାତ୍ରୀଙ୍କୁ ଭଡ଼ା ଦେଇ ଦେଲା । ସ୍ୱାମୀ ବଞ୍ଚିଥିବା ବେଳେ ବି ତାଙ୍କ କୋଠରୀର ଛାତରୁ ଟିକିଏ ବର୍ଷା ହେଲେ ପାଣି ଲିକ୍ କରେ । ବହୁତ ସନ୍ତସନ୍ତିଆ ଲାଗୁଥିଲା ବର୍ଷା ଋତୁରେ । ଅଭିମାନରେ ସେ ସିଡ଼ି ତଳ ଚା’ଖଣ୍ଡେ ଜାଗାରେ, ପରଦାଟିଏ ଝୁଲାଇ ନିଜର ଜିନିଷପତ୍ର ଇତ୍ୟାଦି ରଖି ସେଇଠି ପଡ଼ି ରହିଛନ୍ତି ଆଜିକୁ ଦି’ବର୍ଷ ହେଲା । ରାଜୁର ଟିକିଏ ବି ଦୟାମାୟା ନାହିଁ । କିନ୍ତୁ ମେଘା. . . ପାଇଁ ତା’ର ବାହାଘର. . . । ସେ ବି ତ ରୋଷେଇ ବଖରାଟିକୁ ଟିଣ ବାକ୍ସ, କାଠପଟା ଆଉ ପରଦା ଦ୍ୱାରା ଦୁଇ ଭାଗ କରି ଗୋଟିଏ ଭାଗରେ ରହୁଛି ।

“କେଉଁ ରୁମ୍ କଥା କହୁଛୁ ରାଜୁ. . .”

ତାଙ୍କ ବାକ୍ୟ ସରିବାକୁ ନ ଦେଇ ରାଜୁ ସତେ କି ତାଙ୍କ ମନ କଥା ପଢ଼ିପାରିବା ଭଳି କହିଲା, “ଭାବ ନା, ଯେ ମୁଁ ତୋ ଅସୁବିଧା ଜାଣି ବି ନ ଜାଣିବାର ବାହାନା କରୁଛି. . . ଆଉ ମେଘା. . . ତା’ ବାହା. . . ।”

ରାଜନର କଥାରୁ ପୂର୍ଣ୍ଣ ହେବାକୁ ନ ଦେଇ, ମୁହଁ ବୁଲେଇ ଚାଲିଯାଉ ଯାଉ ସତ୍ୟଭାମା କହିଗଲେ. . . “କାଲି ପୂଣ୍ଣିମା ଗୌରୀକୁ କହିଦେ’ ଘର ଧୁଆଧୁଇ ହେବ ।”

ରାଜନର କୁତ୍ସତ ଭ୍ରୁକୁଂଚନ ତଥା ରକ୍ତିମ ପଡ଼ି ଆସୁଥିବା ଗୋରା ମୁହଁ ତା’ର ରାଗମିଶା ବିରକ୍ତି ଭାବ ସୂଚାଉଥିଲା । ତା’ହେଲେ କାଲି ତ ହେଇପାରିବନି. . . ବୁଢ଼ୀ ରଖେଇ ଦେବନି । ମୁଁ ବଳିଆ ଭାଇକୁ ଜଣେଇ ଦିଏ. . . ବୁଧବାର ରଖିଲେ ଠିକ୍ ହେବ ।

“ଏ ମେଘା ଶୁଣ, କୁଆଡେ଼ ବୁଲୁଛୁ. . . ମୁଁ ତ ତତେ କେବେ ଘରେ ଦେଖୁନି. . . ସବୁବେଳେ ମୋବାଇଲ୍‌ଟା କାନରେ. . . କ’ଣ ଏତେ ଗପୁଛୁ. . . ଆଉ ଏତେ ଦାମିକା ମୋବାଇଲ୍ ପାଇଲୁ କେଉଁଠୁ ? ରିଚାର୍ଜ କରିବା ପାଇଁ ପଇସା କୋଉଁଠୁ ଆଣୁଛୁ ? ମୁଁ ଜାଣିବାରେ ତୁ ତ କିଛି କାମ ଧାମ କରୁନୁ. . . ସିଲେଇ ଶିଖିବାକୁ କହି. . . ।”

“ମୋ କଥାରେ ମୁଣ୍ଡ ପୁରାନା ଭାଇ ଏତେ ଯଦି ଚିନ୍ତା ବାହାଘର କରିଦେଉନୁ. . .” ମେଘା ମୋବାଇଲ୍‌ରେ କୌଣସି ନମ୍ୱର ଡାଏଲ୍ କରୁ କରୁ କହିଲା ଓ ରୋଷେଇ ଘର ଆଡେ଼ ଚାଲିଗଲା ।

ଝରକା ରେଲିଂକୁ ଜାବୁଡ଼ି ଧରି ବସିଥିଲା ବୁଢ଼ା ପାତିମାଙ୍କଡ଼ଟିଏ, ବର୍ଷାରୁ ରକ୍ଷା ପାଇଁ ଖୋଜୁଥିଲା ଶୁଖିଲା ଆଶ୍ରୟ । ରାଜୁ ଏକ ବାଡ଼ି ଧରି ଗୋଡ଼େଇ ଗଲା ତ ମାଙ୍କଡ଼ଟି ଡେଇଁ ନିକଟସ୍ଥ ପିଜୁଳି ଗଛକୁ ଚଢ଼ିଗଲା । ମେଘାର କଟାକ୍ଷ, ସଭ୍ୟଭାମାଙ୍କ କ୍ଷୋଭ ଆଉ ତା’ ନିଜର ନ ପାରିଲାପଣିଆ ତାକୁ ଉତ୍ତେଜିତ କରୁଥିଲା । ବାଡ଼ିଟିକୁ ବାରଣ୍ଡାରେ ଜୋର୍‌ରେ ଛାଟି ଦେଇ ସେ ଟ୍ୟୁବ୍‌ୱେଲ୍‌ରୁ ପାଣି କାଢ଼ି ଭଲ କରି ଗାଧେଇ ଆସୁ ଆସୁ ଗୋରୀ ତାକୁ ଏକ ବଡ଼ ବେଲା ଭର୍ତ୍ତି ମୁଢ଼ି ବରାପିଆଜି ଦେଲା, କପେ ଚାହା ସହିତ । ରାଜନ ଖାଉଥିଲା ଆଉ ଦେଖୁଥିଲା ଅଳ୍ପ କିଛିଦିନ ପାଇଁ ତାଙ୍କ ଘରକୁ ଅତିଥି ହେଇ ଆସିଥିବା କୁକୁଡ଼ାଟିକୁ. . . ଦୂରରୁ ଭାସି ଆସୁଥିଲା ସାହି ଝିଅମାନଙ୍କ ସମ୍ମିଳିତ ସୁଲଳିତ କଣ୍ଠସ୍ୱରରେ ତଅପୋଇ ଚରିତ୍ରଟିର ଜୀବନ ବାଖ୍ୟା, ଖୁଦୁରୁକୁଣୀ ପୂଜା ଅବସରରେ ।

ଗରମ ଚା’ର ବାମ୍ଫକୁ ଗୋଟିଏ ଲୟରେ ଚାହିଁ, ଡାହାଣ ହାତରେ ନିଜ ଆଣ୍ଠୁକୁ ଆଉଁସୁ ଥିଲେ ସତ୍ୟଭାମା । କୋହଲା ପାଗ, ଝିପି ଝିପି ବର୍ଷା ଓ ବୟସାଧିକ ଯୋଗୁଁ ସତ୍ୟଭାମାଙ୍କ ଆଣ୍ଠୁଗଣ୍ଠି ରୋଗ ପୁଣି ବଢ଼ିଯାଇଥିଲା ବୋଧହୁଏ । ୬୦ ୱାଟ୍ର ଇଲେକ୍ଟ୍ରିକ୍ ବଲବ୍ଟି ଅଣଓସାରିଆ ବଖରାଟିକୁ ହାଲ୍କା ଆଲୋକିତ କରୁଥିଲା ଯାହା, ବିଷ୍ଣୁ ପୁରାଣ ବହିଟି ଅର୍ଦ୍ଧମେଲା ହେଇ ପଡ଼ିଥିଲା, ତା’ଉପରେ ମୋଟା ଲେନ୍ସର ଚଷମାଟି ସତ୍ୟଭାମାଙ୍କ କ୍ଷୀଣ ପଡ଼ିଆସୁଥିବା ଦୃଷ୍ଟିଶକ୍ତି, ଅଳ୍ପ ଶକ୍ତି ସମ୍ପନ୍ନ ବଲବ୍ ତଥା ଲୋ’ ଭୋଲ୍ଟେଜ୍ ହେତୁ ବହି ନ ପଢ଼ି ପାରିବାର ଅସହାୟତାକୁ ଦେଖି ସହାନୁଭୂତି ଦେଖାଉଥିଲା ଯେମିତି ।

ସାହି ମୁଣ୍ଡରେ ଥିବା ମନ୍ଦିରରୁ ସନ୍ଧ୍ୟା ଆଳତିର ଘଣ୍ଟ ଘଣ୍ଟାର ଧ୍ୱନି ଓ ପ୍ରାଙ୍ଗଣରେ ପ୍ରତ୍ୟହ ବସୁଥିବା ସତ୍ସଙ୍ଗରୁ ଭଜନ କୀର୍ତ୍ତନର ଝଙ୍କାର ଭାସି ଆସୁଥିଲା । କେବେ ଭାସମାନ ମେଘ ଖଣ୍ଡମାନଙ୍କର ଆଡୁଆଳରେ ତ କେବେ ନିଜ ସମ୍ପୂର୍ଣ୍ଣ ଅସ୍ତିତ୍ୱ ଜାହିର କରି ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ଜହ୍ନର ବିଚ୍ଛୁରିତ ଶୁଭ୍ର ଆଭା କିନ୍ତୁ ସାହିର ଇଲେକ୍ଟ୍ରିକ୍ ଖୁଣ୍ଟିରେ ଲାଗିଥିବା ମରକ୍ୟୁରୀ ଲାଇଟ୍‌ର ସୁନେଲି ରଶ୍ମୀ ସାମ୍ନାରେ ଯେମିତି କିଛିଟା ନିଷ୍ପ୍ରଭ ଲାଗୁଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top