ଗଳ୍ପ

ଅସହାୟ ସନ୍ଧ୍ୟା

Ritika Pattanaik's Odia Story ASAHAAYA SANDHYAA

ମେଘା ରୋଷେଇ ଘରକୁ ଗଲା, ଟିଣ ଡବା ମଝିରୁ କାଗଜରେ ଗୁଡ଼ା ହେଇଥିବା ଭଜା ମାଂସଖଣ୍ଡଗୁଡ଼ିକୁ ଏକ ପଲିଥିନ୍‌ରେ ଭର୍ତ୍ତି କରି ଘରର ପଛପଟ ଗେଟ୍ ଦେଇ ବାହାରକୁ ଯିବାକୁ ବସିଥିଲା ବେଳେ ଭାଇଭାଉଜଙ୍କ କିଛି କଥୋପକଥନ ଶୁଣିପାରି ଅଟକିଗଲା ।

ଅସହାୟ ସନ୍ଧ୍ୟା

-: ପୁର୍ବରୁ :-

“ଆଜି କ’ଣ ଟ୍ୟୁସନ୍ ନାହିଁ କି ?” ରାଜନ୍ ପିଲାମାନଙ୍କୁ ତାଗିଦ୍ କଲା । ସିପୁନ୍ ଓ ପିଙ୍କି ବହୁତ ଖୁସିରେ ଦାନା ଖୁଆଉଥିଲେ. . . ଡରି ଡରି ରହୁଥିବା ପକ୍ଷୀଟି ଏବେ ବେଶ୍ ସହଜ ହୋଇଯାଇଥିଲା । ୟା’ ଭିତରେ ଦୀର୍ଘ ୨୭ ଘଣ୍ଟା ବିତିଯାଇଥିଲା ଯେ ।

ପିଲା ଦୁଇଜଣ ନୂତନ ଆଗନ୍ତୁକ ଅର୍ଥାତ୍ କୁକୁଡ଼ାଟି ସଙ୍ଗେ ଖେଳିବାରେ ଲାଗିପଡ଼ିଥିଲେ । ତା’ ବେକରେ ମୋଟା ସୂତୁଲିଟିଏ ବାନ୍ଧି ତାକୁ ବାହାରକୁ ନେବା ପାଇଁ ଉଦ୍ୟତ ଥିଲେ କି ରାଜନ ସିପୁନ୍‌କୁ ଟେକି ନେଇ, ପିଙ୍କିର ହାତ ଧରି ଭିଡ଼ି ଭିଡ଼ି ଘର ଫାଟକ ପାଖକୁ ଗଲା । ସିପୁନ୍ କାନ୍ଦି କାନ୍ଦି କହୁଥିଲା, “ବାବା ଆଜି ଟ୍ୟୁସନ୍ ଯିବିନି ।” କିନ୍ତୁ ରାଜନ କିଛି ନ ଶୁଣି ତା’ର ଦୁଇ ବାହୁ ଟେକି ଟେକି, ପିଙ୍କିକୁ ବହି ବ୍ୟାଗ ଧରି ଆସିବାକୁ କହି ରାସ୍ତାକୁ ବାହାରିଗଲା । ଉଦ୍ଦେଶ୍ୟ ପଡ଼ିଶା ଘରର କବିତା ଦିଦିଙ୍କ ଘରେ ପିଲା ଦୁଇଟିକୁ ଟ୍ୟୁସନ୍ ପାଇଁ ଛାଡ଼ି ଆସିବା ।

ସ୍କୁଲ୍ ଫିସ୍ ଖର୍ଚ୍ଚ, ଟ୍ୟୁସନ୍ ଖର୍ଚ୍ଚ ଆଉ କେତେ ଅନ୍ୟାନ୍ୟ ଖର୍ଚ୍ଚ । ନା. . . ଏ ଗୌରୀ କିଛି ବୁଝୁଛି ନା ଏ ପିଲାମାନେ. . . ଏତେ ଖଟିବି ଦି’ପଇସା ରୋଜଗାର କରୁଛି, ସବୁ ନିଜ ପରିବାର ପିଛା ଖର୍ଚ୍ଚ କରୁଛି. . . ହେଲେ ଏମାନେ ତା’ର ମୂଲ୍ୟ ବୁଝୁନାହାନ୍ତି । କେତେ ସ୍ୱପ୍ନ ଏମାନଙ୍କ ପାଇଁ. . . ଆଜି ଦି’ଜଣ ଫେରନ୍ତୁ. . . ଭଲ କରି ଗାଳି ମାଡ଼ ନ ଦେଲେ. . . ପ୍ରଭୁ ଯଦି ସେ କାମଟା ହେଇଯାଏ. . . ତ ମୁଁ ତୁମକୁ. . . ଏମିତି କେତେ କ’ଣ ଭାବୁ ଭାବୁ ରାଜନ କେତେବେଳେ ଘର ପିଣ୍ଡାରେ ଆସି ବସିପଡ଼ିଲା । ସେ ଗାଁ ଜମି ବିଷୟରେ ନିଶ୍ଚୟ ଗୋଟେ କିଛି ଫଇସଲା କରିବାକୁ ହେବ । ବୋଉ ଯଦି ଗାଁ ଜମିରୁ କିଛି ବିକିବାକୁ ରାଜି ହେଇଯାଆନ୍ତା. . . ।

xxxxxxxxxxxxxxxxxxxx

ସିପୁନ କୁକୁଡ଼ା ସହିତ ଖେଳିବାକୁ ଚେଷ୍ଟାରତ ଥିଲା, ପକ୍ଷୀଟି ଡେଣା ଫଡ଼ଫଡ଼ କରି ଟିକେ ଉଡ଼ି ପୁଣି ତଳେ ବସିଯାଉଥିଲା ।

ରାଜନକୁ ଦେଖି ସିପୁନ୍ କହିଲା- “ବାବା. . . ମୁଁ ତାକୁ ଟିକେ ବାହାରକୁ ନେବି ? ଦିପୁକୁ ଦେଖାଇବି. . . ?” କିନ୍ତୁ ରାଜନ୍ ହାତରେ ବଡ଼ ଛୁରୀ ଦେଖି ତା’ କଥା ଅଧାରୁ ଅଟକିଗଲା ।

“ନା. . . ଜମା ନୁହେଁ. . . ।”

ରାଜନ ହାତରେ ଅସ୍ତ୍ର ଦେଖି ମେଘା ବି ପ୍ରାୟ ଚମକି ପଡ଼ିଲା, ପୂର୍ବ ଅନୁଭୂତ ଭୟ ତଥା ଯନ୍ତ୍ରଣାର ତଡ଼ିତ୍ ସ୍ମରଣରେ. . . ବୋଧେ ଭାଇ ପୁଣି ସେହି ରାସ୍ତାରେ. . . ।

“ମେଘା ବଡ଼ ଡେକଚିଟା ନେଇଆ. . . ।”

“ଭାଇ ତୁ କୁକୁଡ଼ାଟିକୁ. . . ତା’ହେଲେ. . . ।” ଟିକେ ଆଶ୍ୱସ୍ତ ତଥା ନିଶ୍ଚିତ ହେଲା ମେଘା. . . ତା’ଭାଇ ତା’ହେଲେ ଆଗଭଳି କୌଣସି ଗୁଣ୍ଡାଗିରି କରିବାକୁ ବାହାରିନି ।

“ଆଉ କ’ଣ ଘରେ ପୋଷିବାକୁ ଆଣିଥିଲି ?” କୁକୁଡ଼ାଟିର ଡେଣା ଦୁଇଟି ଧରିଥିଲା ରାଜନ, ଚେହେରାରେ ଏକ ପୈଶାଚିକ କ୍ରୁରତା ।

ପିଙ୍କି “ନା. . . ନା. . .” କହୁ କହୁ ରାଜନ କୁକୁଡ଼ାଟିର ବେକରେ ଏକ ଶକ୍ତ ପ୍ରହାର ଦେଲା. . . ।

ଆଉ ତା’ପରେ. . . ପର ସବୁ ଛିଣ୍ଡାଇ ସଫା କଲା ।

ପିଙ୍କି କାନ୍ଦି କାନ୍ଦି ଦୌଡ଼ି ପଳାଇଲା. . . କିନ୍ତୁ ସିପୁନ୍‌ର ନଥିଲା କିଛି ବି ପ୍ରତିକ୍ରିୟା । ତାହାର ବିସ୍ଫାରିତ ନିରୀହ ଆଖି ଦୁଇଟି ଏ ସବୁ ଦୃଶ୍ୟକୁ ଦେଖି ଚାଲିଥିଲା କେବଳ ।

ଅବିଚଳିତ ରାଜନ ସେହି ଛୁରୀରେ ପକ୍ଷୀଟିର ପ୍ରାଣହୀନ ଶରୀରକୁ ଖଣ୍ଡ ଖଣ୍ଡ କାଟି ଡେକଚିରେ ରଖିବାରେ ଲାଗିଥିଲା ।

“ନେ. . . ଏ ଡେକଚି. . . ଭାଉଜକୁ ଦେଇ ଦେ’ ମେଘା ।” ମେଘାକୁ ନିର୍ଦ୍ଦେଶ ଦେଇ ଟ୍ୟୁବ୍‌ୱେଲ୍ ନିକଟକୁ ଧୁଆଧୁଇ ହେବାକୁ ଚାଲିଗଲା ରାଜନ । ସେ ପିନ୍ଧିଥିବା ହାଲ୍କା ଗହମ ରଙ୍ଗର ସାର୍ଟରେ ଲାଗିଥିଲା ଲାଲ୍ ରଙ୍ଗର ଅନେକ ଛିଟା । ରାଜନ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା କି ଯେମିତି ହେଉ ଟେଣ୍ଡରଟି ପାସ୍ ହେଇଯାଉ । ସେମାନଙ୍କ ସନ୍ତୁଷ୍ଟ କରିବାର ଏହା ପ୍ରଥମ ପର୍ଯ୍ୟାୟ । କେତେ କ’ଣ ତାକୁ କରିବାକୁ ପଡ଼ିବ କେଜାଣି ? ପଇସାପତ୍ର, ଭୋଜିଭାତ ଦେଇ ଶାସକ ଦଳର କିଛି ତଳ ସ୍ତରର କର୍ମୀ କିନ୍ତୁ ସ୍ଥାନୀୟ ଦଳୀୟ ମନ୍ତ୍ରୀଙ୍କ ନିକଟବର୍ତ୍ତୀ ଜଣକୁ ତଥା ତାଙ୍କର କିଛି ଚେଲାଙ୍କୁ ସେ ଭୋଜିରେ ଆପ୍ୟାହିତ କରିବାକୁ ପଡ଼ିବ କେତେଥର କେଜାଣି ? ଆରେ. . . ଅସଲ ଜିନିଷ ତ ମୁଁ ଭୁଲି ଯାଇଛି । ବିଦେଶୀ ନ ହେଲେ କ’ଣ ହେବ ? ଘରେ କାହାକୁ କିଛି ନ କହି ସେ ସାଇକେଲ୍ଟା ବାହାର କରି ଗେଟ୍ ବାହାରକୁ ଯିବାବେଳେ ସିପୁନ୍ ଡାକୁଥିଲା. . . “ବାବା. . . ବାବା. . . !”

ରାତି ସାତଟା ପଇଁଚାଳିଶ । ରାଜନ ବାରଣ୍ଡାରେ ମୋବାଇଲ୍ ଫୋନ୍‌ରେ କାହା ସଙ୍ଗେ କଥା ହେଉଥିଲା । ମେଘା ତା’ ସାମ୍ନାରେ ଆସିବା କ୍ଷଣି ସେ ହଠାତ୍ ଗପିବା ବନ୍ଦ କରି ଚିହିଁକି ଉଠିଲା ।

“କ’ଣ ଏମିତି ଏପଟ ସେପଟ ହେଉଛୁ ? ଭାଉଜକୁ ଟିକେ ସାହାଯ୍ୟ କଲେ ହଅନ୍ତାନି ? ଶୁଣ. . . ମୁଁ ଯେଉଁ ଗୋଲାପି ଡ୍ରେସ୍‌ଟା ମୁଁ ଆଣିଥିଲି ନା. . . ସେଇଟିକୁ ପିନ୍ଧି ପକା. . . ।”

“କିଏ ଆସୁଛି କି ? କ’ଣ ମୋତେ ଦେଖିବା ପାଇଁ. . . ? ନ ହେଲେ ମୁଁ କାହିଁକି ସଜବାଜ ହେବି ? କାହିଁ ବୋଉ ତ ମୋତେ କିଛି କହିନି ?”

“ନା !” ଟିକେ ଧିମା ସ୍ୱରରେ କହିଲା ରାଜନ ।

ରୋଷେଇ ଘର ଆଡ଼େ ଗଲାବେଳେ ମେଘା ଭାବୁଥିଲା. . . ସେଇ ଟିଭି ସିରିଏଲ୍ କଥା. . . ସେଥିରେ ଭାଇ ନିଜ ସ୍ୱାର୍ଥ ପାଇଁ ନିଜ ଭଉଣୀକୁ ବିକ୍ରି କରିଦିଏ । ଭାଇ ଏମିତି କିଛି କରୁନି ତ ? ମାନସ କାହିଁକି କେଜାଣି ଏବେ ବାହା ହେବାକୁ ରାଜି ହେଉନି ? ଯେତେ ଶୀଘ୍ର ଏ ଘରୁ ସେ ଯିବ ସେତେ ଭଲ । କିନ୍ତୁ. . . ?

ଗୌରୀ ମାଛ ଭାଜି ସାରି, ମାଂସ କଷୁଥିଲା । ଘରଟା ସାରା ଖେଳେଇ ଯାଇଥିଲା ଆଇଁଷିଣିଆ ଗନ୍ଧ । ସତ୍ୟଭାମାଙ୍କୁ ଭୀଷଣ ଅଡୁଆ ଲାଗୁଥାଏ । ଛାତ ଉପରକୁ ଉଠିଲେ ସେ, ଚମ୍ପାଫୁଲର ବାସ୍ନାରେ ଭିଜା ଦଲକାଏ ଶୀତଳ ପବନ ଛୁଇଁଗଲା ତାଙ୍କୁ, ଉପର ପାହାଚରେ ନାତି ସିପୁନ୍‌କୁ ଦେଖି ଟିକେ ହାଲ୍କା ଲାଗିଲା, କିନ୍ତୁ ଚିନ୍ତିତ ହେଇପଡ଼ିଲେ, ସେ ଛଅ ବର୍ଷର ପିଲାଟିର କୁକୁଡ଼ା ହତ୍ୟା ହେବାର ଟିକିନିକି ବିବରଣୀ ବଖାଣିବାର ଦେଖି । ପିଙ୍କିକୁ ତ ସେ କେତେବେଳୁ ଦେଖିନାହାନ୍ତି. . . କୁଆଡ଼େ ଗଲା କେଜାଣି ?

“ପିଙ୍କି କୁଆଡ଼େ କି ବାବା. . . ?”

“ନାନୀ. . . ରାଗିଛି. . . ବାବା କୁକୁଡ଼ାକୁ ମାରିଦେଲେ ତ. . . ମୁଁ ଯାଉଛି ଜେଜି . . . ମୋତେ ବହୁତ ଭୋକ ।”

ଏ ମେଘା. . . ଶୁଣ. . . ପାମ୍ପଡ଼ ଛାଣୁଥା. . . ମୁଁ ଟଏଲେଟ୍ରୁ ଆସୁଛି ଗୌରୀ ଏତିକି କହି ଯେମିତି ରୋଷେଇ ଘର ବାହାରକୁ ଯାଇଛି, ମେଘା କିଛି ସମୟ ଏପଟ ସେପଟ ଚାହିଁ ଏକ ପୁରୁଣା ଖବରକାଗଜ ଫର୍ଦ୍ଦରେ କିଛି ଭଜା ମାଂସ ଖଣ୍ଡ ରଖି ତରବରରେ ଗୁଡ଼େଇ ଦେଇ କବାଟ କୋଣରେ ଥିବା ଦୁଇ ଟିଣ ଡବା ମଝିରେ ଲୁଚାଇ ଦେଲା । ମାନସକୁ ବହୁତ ଭଲ ଲାଗେ ଫ୍ରାଇଡ୍ ଚିକେନ୍. . . ପରା. . . । ସେ ଗୁଣୁଗୁଣଉ ଥିଲା ସଦ୍ୟ ରିଲିଜ୍ କୌଣସି ଓଡ଼ିଆ ଚଳଚ୍ଚିତ୍ରର ଏକ ରୋମାଣ୍ଟିକ ଗୀତ । କରେଇରେ ପାମ୍ପଡ଼ଗୁଡ଼ିକ ପୋଡ଼ି ଯାଉଥିବା ଜାଣି ଦୌଡ଼ି ଆସି ପୋଡ଼ା ପାମ୍ପଡ଼ କେତେ ଖଣ୍ଡ ଝରକା ଦେଇ ବାହାରକୁ ଫୋପାଡ଼ି ଦେଲା । ପ୍ୟାକେଟ୍ରୁ ଭଲ ପାମ୍ପଡ଼ଗୁଡ଼ିଏ କାଢ଼ି କରେଇରେ ପକାଇଲା ।

“କ’ଣ ହେଲା ମେଘା. . . ପୋଡ଼ା ଗନ୍ଧ କ’ଣ. . . ?”

“କିଛି ନୁହେଁ ଭାଉଜ. . . ଗୋଟିଏ. . . ଟିକେ ପୋଡ଼ି ହେଇଗଲା ତ. . .” “ହଉ ମୁଁ ଯାଉଛି. . .” କହି ପ୍ରାୟତଃ ଦୌଡ଼ି ପଳାଇଲା ।

ରାତି ୯.୦୦. . . ରାଜନ ବ୍ୟସ୍ତ ହେଇ କାହାକୁ ଫୋନ୍ କରିବାକୁ ଚେଷ୍ଟିତ କିନ୍ତୁ ସେପଟୁ ଫୋନ୍ ସୁଇଚ୍ ଅଫ୍ ଥିବା ଜାଣି ସେ ବିବ୍ରତ ହେଇପଡ଼ିଲା । କ’ଣ ହେଲା ଏମାନଙ୍କର ଏତେ ବେଳକୁ ତ ଆସିଯିବା କଥା । କ’ଣ ଆଉ କୁଆଡ଼େ ପୋଗ୍ରାମ୍ କଲେ ନା କିଛି ଅଘଟଣ ଘଟିଲା ? ଏହିଭଳି ନାନା ଦୁଃଚିନ୍ତାରେ ସେ ବ୍ୟତିବ୍ୟସ୍ତ ଆଉ ବିରକ୍ତ ହେଇଉଠୁଥିଲା ।

ଗୌରୀ ପିଙ୍କିକୁ ନେଇ ବେଶ୍ ଚିନ୍ତିତ ଥିଲା । ସେତେବେଳୁ ପିଲାଟା କିଛି ଖାଇନି । କାହିଁକି କୁକୁଡ଼ାଟିକୁ ଘରକୁ ଆଣୁଥିଲେ. . . ବାହାରୁ କାଟି ଆଣିଥିଲେ କ’ଣ ଚଳିନଥାନ୍ତା ? କେତେ ବାନ୍ତି ହେଲା ପିଲାଟାର ସେସବୁ ଦେଖି. . . ପିଲାମାନଙ୍କ ସାମ୍ନାରେ. . . କିନ୍ତୁ ଗୌରୀ କେବେ ମୁହଁ ଖୋଲି ନିଜ ସ୍ୱାମୀଙ୍କୁ କିଛି କୁହେନି । ରାଜନ୍‌ ଯେତେ ଯାହା କଲେ ବି ସେ ଯେମିତି ସବୁଥିରେ ରାଜି ସବୁଥିରେ ନିରବ ସମର୍ଥନ । ଆଜି ବି ଆଉ ବୋଧହୁଏ ଭବିଷ୍ୟତରେ ବି ।

ମେଘା ରୋଷେଇ ଘରକୁ ଗଲା, ଟିଣ ଡବା ମଝିରୁ କାଗଜରେ ଗୁଡ଼ା ହେଇଥିବା ଭଜା ମାଂସଖଣ୍ଡଗୁଡ଼ିକୁ ଏକ ପଲିଥିନ୍‌ରେ ଭର୍ତ୍ତି କରି ଘରର ପଛପଟ ଗେଟ୍ ଦେଇ ବାହାରକୁ ଯିବାକୁ ବସିଥିଲା ବେଳେ ଭାଇଭାଉଜଙ୍କ କିଛି କଥୋପକଥନ ଶୁଣିପାରି ଅଟକିଗଲା ।

“କ’ଣ. . . କେତେବେଳେ ?”

ରାଜନ ନିଜ ଭାଗ୍ୟକୁ ଗାଳି ଦେଇ ଦେଇ ଗୌରୀକୁ କହୁଥିଲା. . . ।

“ଆଉ ସେ କାମ ହେବନି. . . କେତେ ପଇସା ଖର୍ଚ୍ଚ କଲି. . . ଆହୁରି ଖର୍ଚ୍ଚ କରିବାକୁ ରାଜି ଥିଲି. . . କିନ୍ତୁ. . . ?”

“କ’ଣ ହେଲା ? ସେମାନେ କ’ଣ ମନା କରିଦେଲେ ?”

“ମନା କରିବାର ଅବସ୍ଥାରେ ଥିଲେ ସିନା. . . ଭାଇନା ତ ଫୋରାର୍ ହେଇଗଲା କିନ୍ତୁ ତା’ ସାଙ୍ଗମାନଙ୍କୁ ଧରି ନେଇଛି ପୁଲିସ୍ ଘଟଣା ସ୍ଥଳରୁ. . . ।”

“ମାନେ. . . ?”

“କୁଆଡ଼େ ଗୋଟିଏ ଟୋକାକୁ ଛୁରୀ ମାଡ଼ କରିଛନ୍ତି. . . ।”

ଗୌରୀ କିଛି କହିବ କହିବ ବୋଲି କହିପାରିଲାନି ।

ସିପୁନ୍ ଖାଇ ସାରି କେତେବେଳୁ ଶୋଇ ପଡ଼ିଥାଏ. . . ତା’ ମୁହଁରେ ଉକୁଟୁ ଥାଏ ପ୍ରସନ୍ନତା ତ ପିଙ୍କି ଗୁମ୍ ମାରି ବସିଥିଲା ବିଛଣାରେ. . . କାନ୍ଦି କାନ୍ଦି ମୁହଁ ଫୁଲିଯାଇଛି ଓ ଗାଲରେ ସ୍ପଷ୍ଟ ଶୁଖିଲା ଲୁହର କିଛି ଧାରା ।

ମେଘା ପୁଣି ଘରୁ ବାହାରି ରାସ୍ତା ଉପରକୁ ଯିବାବେଳେ ଶୁଣିଲା କିଛି ଲୋକ କ’ଣ କଥା ହେଇ ଯାଉଛନ୍ତି. . . ।

“ଆରେ ଇଏ ତ ମାନସର ସାଙ୍ଗମାନେ. . . ।”

“ମାନସ ଆଉ ବଞ୍ଚିବନି. . . କିନ୍ତୁ ଯା’ହେଉ ସେ ଗୁଣ୍ଡାଗୁଡ଼ିକ ଏବେ ଧରାପଡ଼ିଗଲେ ନ ହେଲେ ମୋ ଉପରେ ବି ବିପଦ ଥିଲା. . .” କହୁଥିଲା ଦେବେଶ. . . ମାନସର ଅନ୍ତରଙ୍ଗ ସାଙ୍ଗ ।

ବୋଧହୁଏ. . . ମାନସର ଘର ଦିଗରୁ ଏକ ମିଳିତ କାନ୍ଦଣାର ସ୍ୱର ଭାସି ଆସୁଥିଲା ।

ମେଘା ହାତରୁ ପ୍ୟାକେଟ୍‌ଟି ଖସି ପଡ଼ିଲା । ରାସ୍ତା ମରାମରି ପାଇଁ ଗଦା ହେଇଥିବା ବାଲି ସ୍ତୁପ ଉପରେ ଥପ୍ କରି ବସିପଡ଼ିଲା ସେ, ରାସ୍ତା କଡ଼ରେ ଘୁମଉଥିବା ଦୁଇଟି ଭୋକିଲା କୁକୁର ଦୌଡ଼ି ଆସିଲେ. . . ଆଉ ପରସ୍ପର ଭିତରେ ଝଗଡ଼ା କରିବା ଆରମ୍ଭ କରିଦେଲେ ।

ପୂର୍ବ ଆକାଶରେ ଧିରେ ଧିରେ ଉଇଁବା ଆରମ୍ଭ କରିଥିଲା କୃଷ୍ଣପକ୍ଷ ତୃତୀୟା ଜହ୍ନର ମଉଳା ମୁହଁଟି । କ୍ରମଶଃ ନିର୍ଦ୍ଦିଷ୍ଟତା ହରାଉଥିବା ତା’ର ରୂପରେଖା ତଥା ମ୍ଳାନ ଔଜଲ୍ୟର ତାଡ଼ନାରେ ଯେମିତି ସେ ଥିଲା ଅସହାୟ ।

ଲୋକପ୍ରିୟ ଲେଖା

To Top