ଗଳ୍ପ

ଆଶ୍ଚର୍ଯ୍ୟ ପ୍ରଦୀପର ଶେଷକଥା

Manoj Das's odia story Ascharjya Pradeepara Sheshakathaa

ତମକୁ କେତେଦୂର ବୁଦ୍ଧି ଶିଖାଇପାରିବି । ଶିଖାଇବା ପାଇଁ ମୋର ଅଧିକାର ବି ନାହିଁ । ତମେ ମଣିଷ, ସବୁଠାରୁ ବିବେକୀ ଓ ଜ୍ଞାନୀ । ଟିକିଏ ବୁଦ୍ଧି ଖେଳାଅ ହେ ବାବୁ ! ଏମିତି ହୁକୁମ ଦିଅ, ଯାହା ଫଳରେ ତମେ ତ୍ରାହି ପାଇଯିବ ।

ଆଶ୍ଚର୍ଯ୍ୟ ପ୍ରଦୀପର ଶେଷକଥା

ସାଆନ୍ତେ ଏବଂ ଅବୋଲକରା ଯେତେବେଳେ ନିଶାର୍ଦ୍ଧରେ ପରିତ୍ୟକ୍ତ ଘରଟି ଭିତରେ କମ୍ୱଳ ପାରିଥିଲେ, ସେତେବେଳେ ଚତୁର୍ଦ୍ଦିଗ ଅନ୍ଧକାର । ପ୍ରଭାତର ମୃଦୁ ଆଲୋକରେ ଅବୋଲକରା ବାହାରକୁ ଅନାଇ ଦେଖିଲା, ନାତିଉଚ୍ଚ ପର୍ବତ-ବଳୟିତ ଉପତ୍ୟକା ଭିତରେ ଏକ ପ୍ରାସାଦ । ପ୍ରାସାଦକୁ ବେଷ୍ଟନ କରିଛନ୍ତି ଛୋଟ ଛୋଟ କେତୋଟି କୋଠା । ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଅବସ୍ଥିତ ଅବୋଲକରାର ଆଶ୍ରୟ ଭିତରକୁ ସେସବୁ ଦିଶୁଥିଲେ ଗୋଟିଏ ମଧୁର ସ୍ୱପ୍ନ ଭଳି ଏବଂ ସ୍ୱପ୍ନାବିଷ୍ଟ ସଦୃଶ ଅବୋଲକରା ବାହାରକୁ ବାହାରିଆସିଲା ।

ପଣ୍ଡିତେ ସେ ଯାଏଁ ଶୋଇଥିଲେ । ଅବୋଲକରା ଏକ ନୂତନ ଜନପଦ ସହ ପରିଚିତ ହେବାର ସମ୍ଭାବନାରେ ପୁଲକିତ ହୋଇ ଅପେକ୍ଷା କଲା ।

ଏଡ଼େ ସୁନ୍ଦର ଅଟ୍ଟାଳିକା, ଅଥଚ ତା’ର ପରିବେଶ ଏଡ଼େ ନିରବ । ଅବୋଲକରା ବିସ୍ମୟ ଅନୁଭବ କଲା । ହଠାତ୍ ଦମକାଏ ପ୍ରଚଣ୍ଡ ପବନ ସେ ଉପତ୍ୟକାକୁ ସତେ ଅବା ଦୋହଲାଇ ଦେଲା । ଅଟ୍ଟାଳିକାର ଶତାଧିକ ଝରକା କବାଟ ନିର୍ମମ ଭାବରେ ପରସ୍ପର କାନ୍ଥଦେହରେ ବାଡ଼େଇ ଦେଲେ । ସେମାନଙ୍କୁ କେହି ଆୟତ୍ତ କରିବା ଆଖିରେ ପଡ଼ିଲା ନାହିଁ ।

ଖଣ୍ଡିଏ ଚିକ୍‌କଣ ପର୍ଦ୍ଦା ଉଡ଼ିଆସିଲା ପ୍ରାୟ ଅବୋଲକରାର ହାତପାଆନ୍ତା ଯାଏ । ତା’ର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଅବୋଲକରା ବୁଝିଲା, ବହୁଦିନ ଧରି ସେ ଖଣ୍ଡିକ ମଣିଷର ହେପାଜତ୍‌ରୁ ବଞ୍ଚିତ ଥିଲା ।

ସାଆନ୍ତେ ଆସି ଇତିମଧ୍ୟରେ ଅବୋଲକରା ପଛରେ ଠିଆ ହୋଇଥିଲେ ।

ଇଏ ଆଜ୍ଞା. . . ଆମେ କୁଆଡ଼େ ଆସିଲୁ ? ଏ ମୁଲକ ତ ଜନଶୂନ୍ୟ ମନେହୁଏ । ଅବୋଲକରା ପରିବେଷଣ କଲା ତା’ ପ୍ରଶ୍ନ ତଥା ମନ୍ତବ୍ୟ ।

ଅବଶ୍ୟ ଜନଶୂନ୍ୟ ! ଶୁଣ ଅବୋଲକରା, କହୁଛି ସେ କଥା ।

ସାଆନ୍ତେ ଗପିଲେ- “ଖୁବ୍ ବେଶୀଦିନ ତଳର କଥା ନୁହେଁ । ଏ ପ୍ରାସାଦ ତୋଳିଥିଲେ ଜଣେ ସମୃଦ୍ଧ ବଣିକ । ନାନା ସହର- ନଗରରେ ତାଙ୍କର ଥିଲା ବ୍ୟାପକ କାରବାର, ସାଧୁ ବା ଅସାଧୁ ସେ ପ୍ରସଙ୍ଗ ଆପାତତଃ ଅବାନ୍ତର । ପରିଣତ ବୟସରେ, ଶାନ୍ତି ଓ ସ୍ୱାସ୍ଥ୍ୟର ସନ୍ଧାନରେ ସେ ମଧ୍ୟେ ମଧ୍ୟେ ଏଠାକୁ ପଳାଇ ଆସୁଥିଲେ ।

ଅବଶ୍ୟ ତାଙ୍କ ସହ ଗୋଡ଼ାଇ ଗୋଡ଼ାଇ ଆସୁଥିଲା ରାଜଦରବାର ଓ ନାନା ସାମାଜିକ ଅନୁଷ୍ଠାନରୁ ପ୍ରାପ୍ତ ଦାନବୀର ଭଦ୍ରବୀର ଭଳି ତାଙ୍କର ନାନାଦି ଉପାଧି ତଥା ପ୍ରତିପତ୍ତି- ଅତଏବ ଶାନ୍ତି ଓ ସ୍ୱାସ୍ଥ୍ୟ ତାଙ୍କୁ ମିଳୁଥିଲା କି ନାହିଁ, ତାହା ଭିନ୍ନ ପ୍ରସଙ୍ଗ ।

ଦିନେ ତାଙ୍କ ଉଦ୍ୟାନରେ କୂଅଟିଏ ଖୋଳା ହେଉଥିଲା । ସନ୍ଧ୍ୟାବେଳକୁ ଶ୍ରମିକମାନେ ଚାଲିଯିବା ପରେ ବଣିକ ଆସି କାର୍ଯ୍ୟର ଅଗ୍ରଗତି ଦେଖୁଥିଲେ । ଗର୍ତ୍ତ- ନିର୍ଗତ ମାଟି ଉପରେ ସେ ଠିଆ ହୋଇଛନ୍ତି, ଗୋଡ଼ ସାମାନ୍ୟ ଖସିଗଲା । ସେ ନରମ ମାଟି ଭିତରେ ଥିବା କୌଣସି ଧାତବ ବସ୍ତୁ ଦେହରେ ତାଙ୍କ ପାଦ ଘଷି ହୋଇଗଲା । ବସ୍ତୁଟିକୁ ସେ ଉଠାଇ ନେଇ ଦେଖନ୍ତି ତ, ତାହା ଗୋଟିଏ ପୁରୁଣା ପ୍ରଦୀପ । ତାଙ୍କ ପାଇଁ ମୂଲ୍ୟହୀନ ସେ ବସ୍ତୁଟିକୁ ସେ ଫୋପାଡ଼ି ଦେବାକୁ ଯାଉଛନ୍ତି, ହଠାତ୍ ତାଙ୍କ ଆଗରେ ଅତିକାୟ ବାୟବୀୟ ଏକ ଦାନବ ।

ବଣିକ ଆତଙ୍କିତ ହେଲେ । ଉଦ୍ୟାନ ଭିତରେ ସେତେବେଳେ ଆଉ କେହି ନଥିଲେ ।

“ତମେ କିଏ ମହାଶୟ ?” – ବଣିକ କୌଣସି ମତେ ପ୍ରଶ୍ନ କଲେ ।

“ମୁଁ ମହାଶୟ ନୁହେଁ- ତମ ଭୃତ୍ୟ !” କିନ୍ତୁ ଆଲ୍ଲାଦୀନ ଓ ମୋର ଅନ୍ୟ ଖାଉନ୍ଦମାନେ ମୋତେ ରୂପ ଦେବା ପାଇଁ ପ୍ରଦୀପକୁ ହାତରେ ଘଷୁଥିଲେ, ତମଭଳି ଗୋଡ଼ରେ ଘଷି କେହି ଅପମାନ ଦେଇନଥିଲେ । ବର୍ତ୍ତମାନ ବୁଝୁଛି, ମୋ ପୂର୍ବ ଖାଉନ୍ଦ ତମକୁ ମାରିପକାଇବା ନିମନ୍ତେ ମୋତେ ଆଜ୍ଞା ଦେଇ କିଛି ଭୁଲ କରିନାହାନ୍ତି ।

ବଣିକ ଚମକି ପଡ଼ିଲେ । ଆଲ୍ଲାଦୀନ ଓ ଆଶ୍ଚର୍ଯ୍ୟପ୍ରଦୀପ କଥା ମୁଁ ଆରବ ଦେଶର ସୌଦାଗରମାନଙ୍କଠୁଁ ଶୁଣିଛି, କିନ୍ତୁ ମୁଁ ତ ଆଲ୍ଲାଦୀନଙ୍କର କୌଣସି ଅନିଷ୍ଟ କରିନାହିଁ, ମୋତେ ମାରିବାକୁ ସେ ତମକୁ କାହିଁକି କହିଲେ ?

ଆଲ୍ଲାଦୀନ କାହିଁକି କହନ୍ତେ ? ସେ ଥିଲେ ଅତ୍ୟନ୍ତ ଭଦ୍ରଲୋକ । ତାଙ୍କ ଅନ୍ତେ କେତେ ଖାଉନ୍ଦଙ୍କ ପରେ ମୁଁ ପଡ଼ିଥିଲି ଜଣେ କ୍ରୁରମତି ସୌଦାଗର ହାତରେ । ସେ ହିନ୍ଦୁସ୍ଥାନରେ ବେପାର ଶେଷ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏଇଠି ଗୋଟାଏ ବାଘ ହାବୁଡ଼ରେ ପଡ଼ିଲେ । ବାଘ ଆକ୍ରମଣରେ ଆହତ ହୋଇ ସେ ମୋତେ ଡାକିବାବେଳକୁ ମୃତ୍ୟୁ ପାଇଁ ଆଉ ବିଳମ୍ୱ ନାହିଁ । ମୋଠୁଁ ସେ ଆଉ କିଛି ଲାଭ ପାଇବେ ନାହିଁ, ଅଥଚ ତାଙ୍କ ସାଙ୍ଗସାଥୀଙ୍କ ଭିତରୁ କେହି ଜଣେ ମୋର ପ୍ରଭୁ ହେବ, ଏଇ ଦୁଃଖରେ ସେ ଅତିଶୟ କାତର ହେଲେ । ସେହି ଅସହାୟବୋଧ ଭିତରୁ ମୋତେ ଏଇ ନିର୍ଦ୍ଦେଶ ଦେଲେ କି, ତାଙ୍କ ପରେ ଯିଏ ପ୍ରଦୀପଟି ଆୟତ୍ତ କରି ମୋତେ ଡାକିବ, ତାକୁ ଯେପରି ମୁଁ ହତ୍ୟା କରିବି । ଏହାପରେ କ୍ରୁରମତି ମରିଗଲେ । ତାଙ୍କ ସାଥୀମାନେ କେହି ପ୍ରଦୀପ ଛୁଇଁବାକୁ ସାହସ କଲେ ନାହିଁ । ଏଇଠି ପଡ଼ି ରହି କ୍ରମେ ତାହା ପୋତି ହୋଇଗଲା । ଆଜି ଦେଖିଲି, ତମେ ମୋତେ ଡକାଇଲ । ମୋ ପୂର୍ବ ଖାଉନ୍ଦଙ୍କ ଆଜ୍ଞାନୁସାରେ ବର୍ତ୍ତମାନ ମୁଁ ତମକୁ ମାରିବାକୁ ବାଧ୍ୟ । କିନ୍ତୁ ତମେ ବି ମୋ ଖାଉନ୍ଦ, ମୋତେ ଗୋଟାଏ କିଛି ଆଜ୍ଞା ଦିଅ । ସେତକ ପ୍ରଥମେ ତୁଲାଇବି । ଜିନ୍ କହିଲା ଓ ହାତଯୋଡ଼ି କରି ଆଣ୍ଠୁଭାଙ୍ଗି ଠିଆ ହେଲା ।

ବଣିକ ଏଣେ ତେଣେ ଅନାଇଲେ ତ୍ରସ୍ତ ଆଖିରେ । ପଳାଇବାର ଉପାୟ ନାହିଁ- ଜିନ୍ ଅକ୍ଳେଶରେ ଧରିନେବ । ଜଣେ ମାଳୀ ଉଦ୍ୟାନ ଭିତରକୁ ପଶିଆସୁଥିଲା, ଜିନ୍‌କୁ ଦେଖି ନିଃଶବ୍ଦରେ ମୂର୍ଚ୍ଛାଗଲା ।

କୁହ, ହୁକୁମ କ’ଣ ?

ବାବୁ ଜିନ୍ ! ହୁକୁମ କରି ଲାଭ କ’ଣ- ଯଦି ମୁହୂର୍ତ୍ତକ ପରେ ମରିବ । ବଡ଼ ଦୁଃଖପୂର୍ଣ୍ଣ କଣ୍ଠରେ ବଣିକ କହିଲେ ।

ମହାଶୟ ! ଧୈର୍ଯ୍ୟ ହରାଅ ନାହିଁ । ମୁଁ ଥରେ ବାହାରିଲେ ଦଶ ମିନିଟ୍ କାଳ ହୁକୁମ ଅପେକ୍ଷାରେ ରହିପାରେ । ଭାବିଚିନ୍ତି ମୋତେ ଗୋଟାଏ କିଛି କରିବାକୁ କୁହ ।

ବଣିକ କିନ୍ତୁ ଜିନ୍ କଥାରେ ଧ୍ୟାନ ନ ଦେଇ ନିଜର ନବନିର୍ମିତ କୋଠାଆଡ଼େ ଅନାଇଥିଲେ । ଏତେ ଶ୍ରମ ସ୍ୱୀକାର କରି, ଏତେ ବିତ୍ତ ଖର୍ଚ୍ଚ କରି ଏସବୁ ନିର୍ମାଣ କଲି- ଏଡ଼େ ସହଳ ଏଇଠି କ’ଣ ପ୍ରାଣ ଦେବା ପାଇଁ ? ସେ କାନ୍ଦ କାନ୍ଦ ହୋଇ କହିଲେ ।

ମହାଶୟ ! ମୁଁ ସାମାନ୍ୟ ଜିନ୍ । ତମକୁ କେତେଦୂର ବୁଦ୍ଧି ଶିଖାଇପାରିବି । ଶିଖାଇବା ପାଇଁ ମୋର ଅଧିକାର ବି ନାହିଁ । ତମେ ମଣିଷ, ସବୁଠାରୁ ବିବେକୀ ଓ ଜ୍ଞାନୀ । ଟିକିଏ ବୁଦ୍ଧି ଖେଳାଅ ହେ ବାବୁ ! ଏମିତି ହୁକୁମ ଦିଅ, ଯାହା ଫଳରେ ତମେ ତ୍ରାହି ପାଇଯିବ ।

ଜିନ୍ ! କାକୁତି ମିନତି କରୁଛି- ମୋତେ ମାରନାହିଁ ।

ବାବୁ ! ତମେ କେମିତି ସାମାନ୍ୟ ଏଇ କଥା ବୁଝୁନାହିଁ ଯେ ମୋତେ ଖୋସାମଦ କରି ଲାଭ ନାହିଁ । ମୋ ପୂର୍ବ ଖାଉନ୍ଦଙ୍କ ଆଜ୍ଞା ଅବଜ୍ଞା କରିବା ପାଇଁ ଯେମିତି ମୋର ଶକ୍ତି ନାହିଁ, ସେମିତି ତମେ ବି କେବଳ ଆଜ୍ଞା ଦେଲେ ମୁଁ ତାହା ତାମିଲ କରିବି, କାକୁତିମିନତି ପ୍ରତି ଧ୍ୟାନ ଦେବା ଏ ଭୃତ୍ୟର କ୍ଷମତାର ବାହାରେ ।

ଜିନ୍ ! ମୋତେ ବଞ୍ଚାଅ । – ବଣିକ ଏଥର କାନ୍ଦିଲେ ।

ଓଃ, ତମ ନିର୍ବୋଧତା ଯୋଗୁଁ ମୁଁ ପାଗଳ ହୋଇଯିବି । ଏଣେ ଆଠ ମିନିଟ୍ ଗଲାଣି । ଶୀଘ୍ର ମୁଣ୍ଡ ଖେଳାଅ, ଶୀଘ୍ର ! ମୋତେ ଏମିତି ଆଜ୍ଞା ଦିଅ ଯାହା ଦ୍ୱାରା ତମର ମଙ୍ଗଳ ହେବ- ମୋର ବି ହେବ ! ମୁଁ ମୁକ୍ତି ପାଇଯିବି ।

ମାତ୍ର ଦୁଇ ମିନିଟ୍ । ବାବୁ ଜିନ୍, ତୁ କ’ଣ ମୋତେ ନିଶ୍ଚେ ମାରିବୁ ?

ତମର ତ ଦୁର୍ଭାଗ୍ୟ- ମୋର ବି ! ଅତ୍ୟନ୍ତ ସନ୍ତପ୍ତ କଣ୍ଠରେ କହିଲା ଜିନ୍ ଓ ବଣିକଙ୍କୁ ଧରିନେଲା । ତା’ର ଦୁଇ ଆଙ୍ଗୁଳି ଭିତରେ ବଣିକଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା ।

ତୁ ମରୁନୁ ! – ହତାଶ ବଣିକ ଏତକ କହି ଚେତା ହରାଇଲେ ।

ସାବାସ୍ ! – କହିଲା ଜିନ୍, ତମେ ଏତକ କହୁନଥିଲ କାହିଁକି ? ତମେ ମଣିଷଗୁଡ଼ା ଏଡ଼େ ବୁଦ୍ଧିହୀନ । ପ୍ରଥମେ ମୋତେ ମରିବାକୁ ଆଜ୍ଞା ଦେଇଥିଲେ ତ ତମେ ଏତକ କଷ୍ଟ ପାଇନଥାନ୍ତ । ଏହା କହି ଜିନ୍ ହାତମୁଠା ଖୋଲିଦେଲା । ବଣିକ ତଳେ ପଡ଼ି କିନ୍ତୁ ମରିଗଲେ- କିଛି ଭୟ, କିଛି କଣ୍ଠରୋଧ ଓ କିଛି ସେ ପତନ ଯୋଗୁଁ ।

ଖାଉନ୍ଦ ହିସାବରେ ବଣିକ ଜିନ୍‌କୁ ଦେଇଥିବା ଆଜ୍ଞା ଅନୁସାରେ ଜିନ୍ ମରିବାକୁ ବାଧ୍ୟ ଥିଲା । କିନ୍ତୁ ବଣିକକୁ ମାରିଥିବା ଦୁଃଖରେ ସେ ପାଗଳ ପ୍ରାୟ ହୋଇ ଯାହାକୁ ପାଇଲା ତାକୁ କଚଡ଼ାଏ ଦେଲା । ପ୍ରାସାଦର କିୟଦଂଶ ଧୂଳିସାତ୍ କରି ତା’ପରେ ସେ ମରିଗଲା- ଅର୍ଥାତ୍ ଅଭିଶପ୍ତ ଜିନ୍-ଜୀବନରୁ ମୁକ୍ତି ପାଇଗଲା । ବଣିକ-ବଂଶର ଉଦ୍‌ବୃତ୍ତ ଲୋକେ ଓ ପରିଚାରକବର୍ଗ ଉପତ୍ୟକା ଛାଡ଼ି ପଳାଇଗଲେ । ଏହିପରି ଭାବରେ ଏ ବସତି ହେଲା ଜନଶୂନ୍ୟ ।”

ଅବୋଲକରା ଆବିଷ୍ଟ ଭାବରେ କିଛି ସମୟ ଚୁପ୍ ରହି କହିଲା, “ଆମେ ମଣିଷଗୁଡ଼ା ବାସ୍ତବରେ ଏଡ଼େ ନିର୍ବୋଧ, ସାଆନ୍ତେ ।”

ଲୋକପ୍ରିୟ ଲେଖା

To Top