ଗଳ୍ପ

ଅଶୋକ ବନ

Manjurani Mishra's Odia Story Ashoka Bana

ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି ଆସିବ, ସହିପାରିବ ।

ଅଶୋକ ବନ

ତୁମେ ସବୁଦିନ ମୋ ପୃଥିବୀ ଚାରିପଟର ସମୁଦ୍ର । ତୁମ ପାଇଁ କେତେ ଯେ ଲୋଭ ମୋ ମନରେ, ତୁମ ଗଳ୍ପର ସଂଳାପଟିଏ କି ତୁମ କବିତାର ଶବ୍ଦଟିଏ ପାଇଁ । ତୁମେ କିଛି ବି ବୁଝନା । ତୁମ କବିତା ପରି ତୁମେ ଭାରି ଅସହଜ । ତୁମେ କହ ତୁମେ ମୋରି ପାଇଁ କବିତା ଲେଖୁଛ । ମୁଁ ନଥିଲେ କୁଆଡ଼େ ତୁମ କବିତାର ସହକାରରେ ଶ୍ୟାମଳିମା ନଥାନ୍ତା । ସେ ଶୋଭାଶ୍ରୀରେ ବିମୁଗ୍ଧ ହୋଇ ପଡ଼ିଲାବେଳେ ମୋ ମୁହଁରେ ଫଗୁ ବୁଣି ହୋଇଯାଏ । ତୁମ କବିତା ଥରେ ଆବୃତ୍ତି କରିଦେଲେ ମୁଁ ଭୁଲିଯାଏ ଜୀବନର ସବୁ ଦୁଃଖ ।

ଆଉଥରେ କ’ଣ ଦେଖା ହୁଅନ୍ତା ନାହିଁ । ଶରତର ଶେଫାଳୀଝରା ସକାଳରେ କି ପଉଷର ଶୀତ ବିଜଡ଼ିତ ସନ୍ଧ୍ୟାରେ । ଆଦ୍ୟ ବର୍ଷାର ଭିଜା ମାଟିର ବାସ୍ନାରେ ତୁମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ ଅଟକି ଯାଆନ୍ତି । ପାହାଡ଼ ସେପଟୁ ମେଘର ଦର୍ଜା ଖୋଲି ହୋଇଯାଉଥାନ୍ତା । ସେଇ ବିଭାସିନୀ ଚନ୍ଦ୍ରମାର ଆଲୁଳାୟିତ ଜ୍ୟୋତ୍ସ୍ନାରେ ମୋ ମନର ଇତସ୍ଥତଃ ପାଣ୍ଡୁଲିପିର ଫର୍ଦ୍ଦ ସବୁକୁ ସଜାଡ଼ି ସଜାଡ଼ି ମୁଁ କ୍ଳାନ୍ତ ହୋଇ ପଡୁଥାନ୍ତି । ତୁମେ ପୁଣି ପଚାରୁଥାନ୍ତ ସେଇ ପ୍ରଶ୍ନର ଉତ୍ତର । ତୁମର ସେଇ ପ୍ରଶ୍ନର ଉତ୍ତର ସପନଠୁ ଅନେକ ଦୂର, ଭାରି ଅପହଞ୍ଚ । ସେଇ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୋ ମନ ଆସ୍ତେ ଆସ୍ତେ ନିରୀହ ପକ୍ଷୀ ଶାବକଟିଏ ପରି ଶୋଇଯାଏ ମୋ ବିଛଣାରେ । ସ୍ମୃତିର ଗହନ ବନରେ ମୁଁ ବାଟବଣା ହୋଇଯାଏ । ଖୋଜି ପାଏନା ସେଇ ସ୍ୱାର୍ଥପର ସହରକୁ । ରାସ୍ତା ସବୁ ଝାପ୍ସା ଦେଖାଯାଏ । ମୋର କଲେଇ କରା ନୂଆ ପୃଥିବୀ, ଏକାକୀତ୍ୱର ଜୀବନ, ସ୍କୁଲ୍, ହଷ୍ଟେଲ୍, କ୍ଲାସ୍, ଫୁଲ ବଗିଚା, ଥୁଣ୍ଟା ବରଗଛର ଦୀର୍ଘଶ୍ୱାସ ।

ତୁମ ପ୍ରଶ୍ନର ଉତ୍ତରକୁ ମନେ ମନେ ପୁନରାବୃତ୍ତି କଲାବେଳେ ମୋ ମନର ଶୂନ୍ୟସ୍ଥାନଟା ମତେ ଚଉଡ଼ା ଆଖି କରି ଚାହେଁ । ହାତ ବଢ଼େଇଲେ ଘୁଞ୍ଚିଯାଏ । ପ୍ରଶ୍ନବାଚୀର ବର୍ଷା ସୃଷ୍ଟି କରି ତୁମେ ଯେତେବେଳେ ବ୍ୟସ୍ତ ହୋଇଉଠ, ଅନେକ ଉତ୍ତରର ବାଲିଘର ଗଢ଼ି ଗଢ଼ି ମୁଁ ଅଣନିଶ୍ୱାସୀ ହୋଇଯାଏ । ତା’ପରେ ବିଜନ ବେଳାରେ ଅଟ୍ଟହାସ୍ୟ ଶୁଣାଯାଏ । ସ୍ୱପ୍ନର ଭିଟାମାଟିଟା ସବୁବେଳେ ସେମିତି ଖାଲି ପଡ଼ିଥାଏ । ରକ୍ତମେଘର ଉଜାଣିରେ ପକ୍ଷୀଟିଏ ହୋଇ ଉଡ଼ିଯିବାର ଆକଣ୍ଠ ତୃଷ୍ଣା ଆତ୍ମହତ୍ୟା କରେ । ସେଇଠି ଋତୁ ଆସେ ବିଷାଦ ଋତୁଟିଏ । ଦିନ ସବୁ ମୋଟେ ସରେନି । ଶେଷ ବସନ୍ତର ଉପତ୍ୟକାରେ ମନ ବିହଙ୍ଗୀ କାହାପାଇଁ ବାହୁନେ ।

ମନେଅଛି ଦିନେ ମୁଁ ଜିଦ୍ କରିଥିଲି ଅରଣ୍ୟକୁ ଯିବାକୁ ।

ତୁମେ ଦୁଷ୍ଟାମୀ କରିଥିଲ ବଣକୁ ଯିବ । କୋଳି ଖାଇବ । ବାଘ ଆସିଲେ ଡରିବନି । ସେ ଅରଣ୍ୟରେ କ’ଣ ସତରେ ବାଘ ଅଛନ୍ତି ? ଆଉ ତୁମେ ଯଦି ସତକୁ ସତ ବାଘ ପାଲଟି ଯାଅ, ପାଲଟା ବାଘ ! ମୁଁ ଡରି ଯାଇଥିଲି ।

କିନ୍ତୁ ଅରଣ୍ୟରେ ତୁମେ ବାଘ ପାଲଟିନଥିଲ । ଅଥଚ ଅରଣ୍ୟପରି ଗମ୍ଭୀର ଆଉ ନିର୍ବିକାର ହୋଇଯାଇଥିଲ । ଅରଣ୍ୟର ସୁନ୍ଦର ଦୃଶ୍ୟରେ ବିଭୋର ହେଲାବେଳେ ଆକାଶଟା ମେଘରେ ଛାଇ ହୋଇଯାଇଥିଲା । ଆକାଶରେ ଝଡ଼ ବହିଗଲା । ଅରଣ୍ୟରେ ପ୍ରଥମ କରି ଦେଖିଥିଲି ପ୍ରକୃତିର ତାଣ୍ଡବ ନୃତ୍ୟ । ଆମେ ବାଧ୍ୟ ହୋଇ ଆଶ୍ରୟ ନେଇଥିଲୁ ସେ ଭଙ୍ଗା ମନ୍ଦିର ଭିତରେ । ଅରଣ୍ୟର ପୈଶାଚିକ ପ୍ରବୃତ୍ତି କ’ଣ ସଂକ୍ରମିତ ହୋଇ ଆସିବନି ତୁମ ପାଖକୁ । ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି ଆସିବ, ସହିପାରିବ । ତୁମଠୁ ପରୀ ରାଇଜର ଗପ ଶୁଣିବା ପାଇଁ ଅପେକ୍ଷା କରିଥିବା ମୋର ପ୍ରଗଳ୍ଭା ମନଟା ଏମିତି ଏକ ପ୍ରଶ୍ନରେ ବିଚଳିତ ହୋଇପଡ଼ିଥିଲା । ମୋ ମନର ସବୁ ଉତ୍ତେଜନା ବରଫ ଭଳି ଥଣ୍ଡା ହୋଇ ଯାଇଥିଲା । ଆଉ ମୋ ମନର ଛୋଟ ଅହଙ୍କାରଟି ଆସ୍ତେ ଘୁମେଇ ପଡ଼ିଥିଲା । ଯେତେବେଳେ ଆମେ ବାହାରକୁ ଆସିଲୁ ସେତେବେଳେ ମେଘ ବିମୁକ୍ତ ଆକାଶ । ଦ୍ୱାଦଶୀ ଚନ୍ଦ୍ରମା ନିରିଖେଇ ମୋର ଭାବାନ୍ତର ଲକ୍ଷ୍ୟ କରୁଥିଲା । ମୋର ଦୁଇହାତକୁ ଏକାଠି କରି ତୁମେ କହିଥିଲ ଏଇ ଝଡ଼ରାତିଟାକୁ ତୁମେ ଭୟ କରୁଛ କି ? ଦୁଃଖର ଭିଜାମାଟିରେ ହିଁ ଅଭିଜ୍ଞତାର ଫସଲ ଉପୁଜେ ।

ତୁମ କଥାରେ ତୁମ ଗଳ୍ପର ଭଗ୍ନାଂଶ ଝରିଯାଏ ଅବାରିତ । ତୁମ ଗଳ୍ପର ସଂଳାପ ଗୁଡ଼ିକ ମୋ ମନରେ ଝଡ଼ ତୋଳେ । ତୁମେ ଲେଖିଥିଲ, ଏକ ଅସମାପ୍ତ ଇଲାକାର ଏକ ପ୍ରାନ୍ତରେ ତୁମେ ଓ ଆର ପ୍ରାନ୍ତରେ ମୁଁ । ଆଉ ତା’ ଭିତରେ ସ୍ତର ସ୍ତର ଅନ୍ଧାରର ଆସ୍ତରଣ । ଏମିତି ଆମର ମିଳନ ହେବ । ଗଳ୍ପରେ କି ଉପନ୍ୟାସରେ । କାହିଁକି ଏମିତି କହୁଥିଲ ମତେ ଚିଡ଼େଇବାକୁ ? ଏମିତି କ’ଣ କିଏ କାହାକୁ କହେ ? ବେଳେବେଳେ ଭାବୁଥିବା ଦୁର୍ଭାବନା ସତ ହୋଇଯାଏ । ମୋର ପୃଥିବୀ ଚାରିପଟେ ସେ କାଚର ପାଚେରୀଟା ଏଡ଼େ ଶକ୍ତ ଆଉ ତାକୁ ଭାଙ୍ଗିଦେବାର ଶକ୍ତି ତୁମ ବଜ୍ର ମୁଠାରେ ନିଶ୍ଚୟ ଅଛି । ତେବେ ମୁଁ କାହାକୁ ଡରୁଛି, ଈଶ୍ୱରଙ୍କୁ ନା ସମାଜକୁ !

ଏଇ ଆଗରେ ଝୁମୁରୀ ନଈ । ତା’ ପାଖକୁ ଲାଗି ନାରଙ୍ଗ ପାହାଡ଼ । ବେଶ୍ ଅନୁଚ୍ଚ ଆଉ ସମତଳ ପାହାଡ଼ । ତା’ ପାଖରେ ଅଜସ୍ର କୁରେଇ ଫୁଲର ଅରଣ୍ୟ । କୁରେଇର ଋତୁ ଆସିଯାଏ । ତା’ ବାସ୍ନାରେ ନାରଙ୍ଗ ପାହାଡ଼ ଆଉ ଝୁମୁରୀ ନଦୀ ମତୁଆଲା ହୋଇଯାଏ । ନାରଙ୍ଗ ପାହାଡ଼ ଉପରକୁ ଗଲେ ଘନନୀଳ ଦେଖାଯାଏ ଝୁମୁରୀର ଅବୟବ । ଛାଡ଼ି ଛାଡ଼ିକା ବାଉଁଶ ବଣ । ଅନେକ ଥର ଯାଇଛି ଝୁମୁରୀ ନଦୀ କୂଳକୁ । ପୌଷର ଦ୍ୱିପ୍ରହରରେ । ଫାଲଗୁନର ରକ୍ତାଭ ଗୋଧୂଳିରେ । ହେମନ୍ତର କାକର ଭିଜା ସକାଳରେ । କେବେ ଅନ୍ୟମାନଙ୍କ ସହିତ, କେବେ ପୁଣି ଏକା ଏକା । ଝୁମୁରୀକୁ ପଚାରିଛି, ତୁ କୁମାରୀ ନା ସିମନ୍ତିନୀ ? ଝୁମୁରୀ ହସି ଦେଇଛି । ଅପେକ୍ଷା କରିଛି । ମୋ ଉଜ୍ଜ୍ୱଳ ତନୁର ଆଲୁଅ ଆଉ ମୋ ରୂପର ଐଶ୍ୱର୍ଯ୍ୟକୁ ଦେଖି ତୋ ପ୍ରଶ୍ନର ଉତ୍ତର କ’ଣ ପାଇପାରୁନୁ । ଝୁମୁରୀ ପାଇଁ ବେଳେ ବେଳେ ଈର୍ଷା ଆସୁଛି ମନରେ । ହଷ୍ଟେଲ୍‌କୁ ଲାଗି ବହିଯାଉଛି । ଝୁମୁରୀ ନଦୀ । ଲୁଚି ଲୁଚି ଅନେକ ଥର ସ୍ନାନ କରିଛି । ଝୁମୁରୀ ତା’ ପଣତରେ ମୋ ମନର ଅବସାଦ ଦାଗ ସବୁ ପୋଛି ଦେଇ ପ୍ରଶାନ୍ତିର ବିନ୍ଦୁ ବିନ୍ଦୁ ଚନ୍ଦନ ଟିପା ମୋ କପାଳରେ ସଜେଇ ଦେଇଛି । ଅନେକଥର ଭାବିଛି ତୁମ ପାଇଁ ନଦୀଟିଏ ହୋଇ ବହିଯାଆନ୍ତି କି ଏଇ ଝୁମୁରୀ ପରି ।

ଅନେକ ଥର ଝୁମୁରୀକୁ କହିଛି ମୋ ମନକଥା । ଅନେକ ଅନୁରୋଧ କରିଛି ମୋ ସ୍ନେହ ଅନୁରାଗର ଫରୁଆକୁ ଆର ତୁଠରେ ପହେଞ୍ଚଇ ଦେବା ପାଇଁ । କାଳେ ତୁମେ ଅପେକ୍ଷା କରିଥିବ, କବିତା ଲେଖୁଥିବ ମୋ ପାଇଁ । ଝୁମୁରୀ ହସି ଦେଇଛି ମୋ ମୁହଁକୁ ଚାହିଁ । ଚୁପ୍ ଚୁପ୍ କହିଛି, “ଆଲୋ ଏ କେଶବତୀ କନ୍ୟା ! ନିଜ ହାତରେ କେଶରୁ ଗୋଟିଏ ଛିଣ୍ଡାଇ ଫରୁଆରେ ଭର୍ତ୍ତି କରି ଭସାଇ ଦେ ମୋ କୋଳରେ । ଯେଉଁଦିନ ବି ସେ ରଜାପୁଅଟା ଆସିବ ପକ୍ଷୀରାଜ ଘୋଡ଼ା ଚଢ଼ି ଏ ଅସୁରୁଣୀ ରାଇଜକୁ ।” ମୁଁ କ୍ଷଣକ ପାଇଁ ଦୃଷ୍ଟି ଫେରାଇଛି ନିଜ ଉପରେ । ମୋର ଦୀର୍ଘ କେଶଗୁଚ୍ଛକୁ ଝୁମୁରୀର ଉନ୍ମୁକ୍ତ ବକ୍ଷରେ ଲୋଟେଇ ଦେଲାବେଳେ ମୁଁ ମନେ ମନେ ଅଭିମାନ କରିଛି । ନିଜକୁ ପୁଣି ଆବିଷ୍କାର କରିଛି ଚନ୍ଦ୍ରମାର ଜ୍ୟୋତ୍ସ୍ନା ଭିଜିଲା ବେଳେ କି କାକ କୃଷ୍ଣ ରାତ୍ରୀର ପଣତରେ ନିଜକୁ ଲୁଚାଇ ଦେଲାବେଳେ । ଗବାକ୍ଷ ଖୋଲି ଦେଖିଛି ତାରାଙ୍କର ପୁଟୁଆର ।

ଫଗୁଣର ରଙ୍ଗବୋଳା ନାରଙ୍ଗ ପାହାଡ଼ ପଛପଟେ ଯେଉଁଠି ନାଲିମାଟିର ଅଣଓସାରିଆ ରାସ୍ତାଟା ହଜିଯାଇଛି ପାହାଡ଼ ତଳକୁ । ବହଳ ଘାସର ଶେଯ ଆଉ ଅଜଣା ଫୁଲଙ୍କ ନୃତ୍ୟରେ । ଜୀବନର ପ୍ରଥମ ସକାଳକୁ ଆଉଥରେ ମନେ ପକେଇବାକୁ ଇଚ୍ଛା ହୁଏ । ସେଇ ଫୁଲମାନଙ୍କ ନରମ ଚିବୁକରେ ସ୍ନେହର ସ୍ୱାକ୍ଷର ଦେଇ ଭାବେ ତୁମ ପାଇଁ ଫୁଲଟିଏ ହୋଇ ଫୁଟନ୍ତି କି !

ବେଳେବେଳେ ଇଚ୍ଛା ହୁଏ ମିଛ ଆଲୁଅର ପରିଧି ଭିତରେ ନିଜ ସହିତ ଖେଳିବା ଅପେକ୍ଷା ନିଜକୁ ମୁକ୍ତ କରିଦେବା ଉଚିତ୍ । ତୁମ ପ୍ରଶ୍ନର ଉତ୍ତର କେତେ ଛୋଟ ଅଥଚ କେମିତି ଦୁର୍ବୋଧ୍ୟ ।

ତୁମ ଅନୁପସ୍ଥିତିରେ ମୁଁ ନିଜକୁ ପ୍ରସ୍ତୁତ କରେ । ଅଭୀପ୍ସାର ବୀଜମାନେ ମୋ ମନର ନଦୀ ତୀରରେ ସବୁଜ ଫସଲ ହୋଇ ଲୋଟି ପଡ଼ନ୍ତି । ମୋ ମନରେ ବେପଥୁ ସୃଜେ । ମୁଁ ପୁଣି ନିରୋଳାରେ ଅଭିସାରିକା ବେଶ ହୁଏ । ଅଥଚ ପରକ୍ଷଣରେ ମନେ ପଡ଼େ ପୃଥିବୀଟା ନିହାତି ପର ଆଉ ଅପ୍ରିୟ । ମୋ ଚାରିପଟେ ଶକ୍ତ ଏକ କାଚର ପାଚେରୀ । ତୁମେ ପ୍ରଶ୍ନ ପଚାର, ମୁଁ ପୁଣି ସମୟ ମାଗେ । ତୁମେ ଫେରିଯାଅ ସବୁଥର ପରି । ଅଭିମାନରେ ମୁଁ ଫାଟିପଡ଼େ । ହାହାକାରର ଭଗ୍ନପୋତ ମୋ ମନର ବେଳାଭୂଇଁରେ ମଥା ପିଟେ । ଦୂର ବତୀଘରର ଆଲୁଅ ଲିଭିଯାଏ । ଜୀବନଟା ଏମିତି ।

ମନ ଯାହା ଖୋଜେ ତାହା ସହଜରେ ଧରାଦିଏନି । ଆଉ ଯାହା ମିଳେ ତାହା ଗ୍ରହଣ କରିହୁଏନି ।

ତୁମ ସହିତ ଆଉଥରେ ଦେଖା ହୁଅନ୍ତା କି ! ତୁମେ ପୁଣି ପୁନରାବୃତ୍ତି କରନ୍ତ ଢେଉ ଆଉ ଶାମୁକାର କଥା । ଆଫ୍ରିକାର ନିଘଞ୍ଚ ଅରଣ୍ୟ ଆଉ ସ୍ପାଇଡର୍ ଲିଲି ଫୁଲ ଫୁଟୁଥିବା ଦ୍ୱୀପର କଥା । ଲବଙ୍ଗ ଦ୍ୱୀପର କଥା ଶୁଣୁଶୁଣୁ ମୋ ଆଖି ବୁଜି ହୋଇ ଆସୁଥାନ୍ତା ।

ନଈ ସେପଟେ ବର୍ଷାର ନିମନ୍ତ୍ରଣ । ତୁମେ ଦେଖିନ ମୋ କ୍ୱାଟରଠୁ ଅଳ୍ପ ଦୂରରେ କଦମ୍ୱ ଗଛଟିଏ, ଏକୁଟିଆ ମୋ ପରି । ବର୍ଷା ଆସିଲେ କଦମ୍ୱ ଗଛରେ ରୋମାଞ୍ଚ ଲାଗେ । କଦମ୍ୱ ଫୁଲମାନେ ବିଭୋର ହୋଇଯାଆନ୍ତି ଅଥଚ ଅନ୍ୟ ଋତୁମାନଙ୍କରେ ଶୁଣେ ସେଇ କଦମ୍ୱ ଗଛ ତଳେ ମୁର୍ଛାହତ ହୋଇ ପଡ଼ିଥିବା ଛମଛମ ଶୋକର ସଙ୍ଗୀତ । ବର୍ଷାର ଘୁଙ୍ଗୁର ଶବ୍ଦରେ ମୋର ବି ଇଚ୍ଛା ହୋଇଛି କଦମ୍ୱ ଫୁଲ ପରି ନାଚି ଯିବାକୁ । ବର୍ଷା ଆସିଛି । ଝୁମୁରୀ ପୁଥୃଳା ହୋଇଛି । ତା’ ଶରୀରକୁ ନିରିଖେଇ ମୁଁ ଗାଲରେ ହାତ ଦେଇ ବସିପଡ଼ିଛି । ଆଉ କେଉଁ ପରମ ପ୍ରାପ୍ତିର ଆଶ୍ୱାସନାରେ ମୋ କେଶରୁ ଗୋଟିଏ ଛିଣ୍ଡାଇ ଫରୁଆରେ ନୁହେଁ ଆଞ୍ଜୁଳାଏ କଦମ୍ୱ ଫୁଲ ଝୁମୁରୀ କୋଳରେ ଭସେଇ ଦେଇଛି । ଝୁମୁରୀ ହସି ଦେଇଛି । ମୁଁ ନଦୀ ଆଉ ତୁ ନାରୀ ! ଦୁହିଁଙ୍କର ଲକ୍ଷ୍ୟ ଏକ । ଆଉ ଏଇ ତୃଷ୍ଣା ଆଉ ଜ୍ୱଳନର ସମ୍ଭାବିତ ପ୍ରଶ୍ନର ବ୍ୟୁହ । ତୁମେ କହିଲ, “ନଦୀ କ’ଣ ନାରୀର ମନ କଥା ବୁଝେ ?”

ତୁମେ କ’ଣ ସତରେ ବିଶ୍ୱାସ କରିବ ? ତୁମ ପ୍ରଶ୍ନର ଉତ୍ତର ଦେବା ପାଇଁ ମୋ ହାତରେ ପ୍ରଚୁର ସମୟ । ବହୁଦିନ ତଳେ ତୁମେ ପଚାରିଥିବା ପ୍ରଶ୍ନର ଉତ୍ତର ମୁଁ ଠିକ୍ କରିସାରିଛି । ଦୁନିଆଁରେ ବଞ୍ଚିବାକୁ ହେଲେ କିଛି ଗୋଟାଏ ସମ୍ପର୍କ ସହିତ ଚୁକ୍ତିବଦ୍ଧ ହୋଇଯିବାକୁ ପଡ଼େ । ସାଲିସ୍ କରିଦେବାକୁ ହୁଏ । ଆମ ପରିଚୟର ସମାନ୍ତର ରାସ୍ତା ଦୁଇଟି ଆମକୁ ସବୁଦିନ ଅଲଗା କରିଦେଲା ପରେ ବି ଆମ ଭିତରେ ଦ୍ୱନ୍ଦ ଆଶଙ୍କା ଆଉ ଅବଶୋଷ ନଥିବ । ଆମେ ଜୀବନକୁ ଦେଖି ଦେଖି ଚିହ୍ନି ବାଟ ଚାଲୁଥିବା, ଯେଉଁଥିରେ ହୁଡ଼ିବାର ପ୍ରଶ୍ନ ନଥିବ ।

ଠାକୁରଙ୍କୁ ଅଳି କରିବି ଆୟୁଷ୍ମାନ୍ ସକାଳ ସବୁକୁ ଫେରି ପାଇବାକୁ । କେଉଁ ବନସ୍ପତି ଶାଖାରେ ସବୁଜ ପତ୍ରଟେ ପାଇଁ କି କାହା ଓଠରେ ହସଟିଏ ହୋଇ ଝୁଲି ପଡ଼ିବାକୁ । ବିଳମ୍ୱିତ ସନ୍ଧ୍ୟାର ପତ୍ର ଗହଳରେ ଝୁମି ଆସେ ଓଦା ଓଦା ନିସଙ୍ଗ କାରୁଣ୍ୟ । ମୌନାବତୀ ରାତି ନଇଁ ଆସେ ସବୁ ଫୁଲ ଆଖିରେ ଆଖିରେ, ଆଉ ସପନର କୁହୁଡ଼ି ଭିତରେ କେତେ ଶୀଘ୍ର ଚାଲିଆସ ତୁମେ ।

ଲୋକପ୍ରିୟ ଲେଖା

To Top