ଗଳ୍ପ

ଅଶ୍ରୁମୁଖୀ ରେଣୁକା

Dr Archana Nayak's odia story Ashrumukhi Renukaa

ପରପୁରୁଷକୁ ଅବଲୋକନ କରିବାର ଧୃଷ୍ଟତା ପାଇଁ ଏକମାତ୍ର ଶାସ୍ତି ମୃତ୍ୟୁଦଣ୍ଡ ।

ଅଶ୍ରୁମୁଖୀ ରେଣୁକା

ଜଳଘଟଟି ଧରି ଋଷିପତ୍ନୀ ରେଣୁକା ତର ତର ହୋଇ ଆଗେଇ ଚାଲିଥିଲେ ନଦୀଘାଟକୁ । ମାହେନ୍ଦ୍ର ବେଳାରୁ ଶଯ୍ୟା ତ୍ୟାଗ କରି ଆଶ୍ରମ ପରିସରକୁ ପରିଚ୍ଛନ୍ନ କରିବା, ଯଜ୍ଞସ୍ଥଳକୁ ଗୋମୟରେ ଲେପନ କରିବା, ଗାଭୀ ସକଳଙ୍କ ସ୍ଥାନ ପରିଷ୍କାର କରି ଆହାର ଦେବା ଏବଂ ସ୍ୱାମୀ ଋଷି ଜମଦଗ୍ନି ଓ ପାଞ୍ଚପୁତ୍ରଙ୍କର ନିତ୍ୟକର୍ମ ନିମନ୍ତେ ଉପକରଣ ଯୋଗାଇଦେବା ପ୍ରଭୃତି କର୍ମ ସାରି ନର୍ମଦାର ସ୍ୱଚ୍ଛଜଳ ପାନୀୟ ରୂପେ ସଂଗ୍ରହ କରିବା ପାଇଁ ସେ ପ୍ରତ୍ୟହ ନଦୀଘାଟକୁ ଆସିଥାନ୍ତି ।

ଆଜି ତାଙ୍କର ଆଶ୍ରମର କାର୍ଯ୍ୟ ସାରିବାରେ ସାମାନ୍ୟ ବିଳମ୍ୱ ହୋଇଯାଇଥିଲା । ଋଷିପତ୍ନୀ ଓ କନ୍ୟାମାନେ ପ୍ରାୟ ସମସ୍ତେ ଜଳପୂର୍ଣ୍ଣ କଳସୀଟିମାନ ନେଇ ନିଜ ନିଜର ଆଶ୍ରମ ଦିଗରେ କିଛି ଆଗରୁ ଫେରିଗଲେଣି ।

ରେଣୁକା ଘାଟରୁ ତଳକୁ ଓହ୍ଲାଇଗଲେ । ପାଣି ଗୋଳିଆ ଜଣାପଡୁଛି । ହୁଏତ ବହୁସଂଖ୍ୟାରେ କେହି ସେଠାରେ ସଦ୍ୟସ୍ନାନ ସାରି ଫେରିଛନ୍ତି । ରେଣୁକା ସେଠାରୁ ଉଠି ଆସିଲେ । ସ୍ୱଚ୍ଛଜଳ ପାଇଁ ସ୍ରୋତର ବିପରୀତ ଦିଗରେ ପୂର୍ବଆଡ଼କୁ କିଛି ବାଟ ଆଗେଇ ଗଲେ ସେ ।

ନିକାଞ୍ଚ ସ୍ଥାନ । ଆଗରେ ବହି ଯାଉଥିବା ନର୍ମଦାର ସୁଶୀତଳ ସ୍ଫଟିକତୁଲ୍ୟ ଜଳଧାର ଉପରେ ପ୍ରାକ୍ ମଧ୍ୟାହ୍ନ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଝଲ୍‌ମଲ୍‌ କରୁଥିଲା । ନଦୀ ଭିତରକୁ ମାଡ଼ି ଯାଇଥିବା ବୁଦାର କଡ଼ଦେଇ ଅର୍ଦ୍ଧବୃତ୍ତାକାରରେ ବହିଯାଇଥିବା ଜଳଧାରରେ ଭାସୁଥିବା ବର୍ଣ୍ଣିଳ ଅରଣ୍ୟଫୁଲ ଇନ୍ଦ୍ରଧନୁ ପରି ଦୃଶ୍ୟ ହେଉଥିଲା । ସେହି ବୁଦା ନିକଟରେ ଟିକେ ବସିପଡ଼ି ଚତୁଃପାର୍ଶ୍ଵର ଶ୍ୟାମଳ ଶୋଭାକୁ ଆଖି ପୁରାଇ ଦେଖିବାର ଆଗ୍ରହଟିଏ ତାଙ୍କ ମନକୁ ଆଚ୍ଛନ୍ନ କରି ପକାଇଲା ।

ଋଷିପତ୍ନୀ ଅନ୍ୟମନସ୍କ ହୋଇ ଚାହିଁଥିଲେ ନର୍ମଦାର କଲ୍ଲୋଳିତ ଧାରାକୁ । ବିନ୍ଧ୍ୟ ପର୍ବତରୁ ବାହାରି କେତେ ଅରଣ୍ୟ, ପଲ୍ଲୀ ଓ ଜଳପଥ ଦେଇ ବହିଯାଉଛି ସେ ସାଗର ସହିତ ମିଳିତ ହେବା ପାଇଁ । କେତେ କେତେ ଋଷି ଆଶ୍ରମ ଗଢ଼ି ଉଠିଛି ଉଭୟ ତଟରେ, ପ୍ରତ୍ୟହ ମନ୍ତ୍ରପାଠରେ କେତେ ପବିତ୍ର ଏହାର ଜଳଧାର !

ହଠାତ୍ କାହାର କଳକଳ ହସର ତରଙ୍ଗରେ ଧ୍ୟାନ ଭାଙ୍ଗିଗଲା ରେଣୁକାଙ୍କର । ସେ ଚମକି ଚାହିଁଲେ, ରାଜା ଚିତ୍ରରଥ ଓ ତାଙ୍କର ଅତି ସୁନ୍ଦରୀ ପତ୍ନୀ ଦୁହେଁ କ୍ଷିପ୍ର ବେଗରେ ଜଳରେ ପହଁରି ପହଁରି ଆସୁଛନ୍ତି । ମତ୍ସ୍ୟକନ୍ୟା ପରି ଅନାୟାସରେ ସନ୍ତରଣ କରୁଥିବା ରାଣୀଙ୍କୁ ଧରିବା ପାଇଁ ଚିତ୍ରରଥଙ୍କର ଚେଷ୍ଟା ବାରମ୍ୱାର ବିଫଳ ହେଉଛି । ଜଳଆଲୋଡ଼ନ ଜନିତ ଶବ୍ଦ ଓ ଦୁହିଁଙ୍କର ମଧୁର ହାସ୍ୟରୋଳର ମିଶ୍ରଣରେ ସୃଷ୍ଟି ହେଉଥିବା ଅପୂର୍ବ ଜଳତରଙ୍ଗ ।

ରେଣୁକା ମୁଗ୍ଧ ହୋଇ ଦେଖୁଥିଲେ ଦୁହିଁଙ୍କୁ । କି ସୁନ୍ଦର ଏ ଯୁଗଳ ମୂର୍ତ୍ତି ! କି ଅନୁପମ ସୌନ୍ଦର୍ଯ୍ୟ ଦେଇ ବିଧାତା ଦୁହିଁଙ୍କୁ ଗଢ଼ିଛନ୍ତି ! ରାଜାରାଣୀଙ୍କର ମଝିରେ ମଝିରେ ଜଳଉପରକୁ ଦୃଶ୍ୟମାନ ହେଉଥିବା କଟୀଦେଶରେ ଝଲକି ଉଠୁଥିଲା ଅଷ୍ଟରତ୍ନ ଖଚିତ ଚନ୍ଦ୍ରହାର, ଜଳକୁ ଦ୍ୱିଭାଗ କରୁଥିବା ବାହୁରେ ଚମକୁଥିଲା ହୀରାନୀଳା ବୈଦୁର୍ଯ୍ୟର ସ୍ୱର୍ଣ୍ଣକଙ୍କଣ ମାନ ।

ରେଣୁକା ନିଜକୁ ଚାହିଁଲେ । ରୁକ୍ଷ ଗୈରିକ ବସନ ପରିହିତ ତାଙ୍କର ତପସ୍ୟା ଦଗ୍ଧ ଶୁଷ୍କ ଦେହ । ଭିତରୁ ଅଚାନକ ବାହାରି ଆସିଲେ ରାଜା ପ୍ରସେନ୍‌ଜିତ୍‌ଙ୍କର ସୁନ୍ଦରୀ ସୁକୁମାରୀ କନ୍ୟା କୋଙ୍କଣା । ଷୋଡ଼ଶୀ ତନୁରେ ତାଙ୍କର ଯୌବନର ମଧୁର ଉଦ୍‌ବେଳନ, ନୀଳନୟନରେ ଅସୁମାରି ସ୍ୱପ୍ନର ତରଙ୍ଗ, ଘନକୃଷ୍ଣ କୁଞ୍ଚିତ କେଶରାଶିରେ ସୁଗନ୍ଧିତ ପୁଷ୍ପ ସମ୍ଭାର, ଶରୀରର ସର୍ବାଙ୍ଗରେ ଅଷ୍ଟରତ୍ନର ଅଳଙ୍କାର ଓ ରକ୍ତାଧରରେ ମଧୁର ସ୍ମିତର ଚନ୍ଦ୍ରରେଖା, ନକ୍ଷତ୍ର ଗହଣରେ ପୂର୍ଣ୍ଣିମାର ଚନ୍ଦ୍ର ପରି ଶୋଭାବତୀ କୋଙ୍କଣା, ଦାସୀ, ସହଚରୀ ଗହଣରେ ସେଦିନ ଉପବନ ବିହାର ସାରି ପ୍ରାସାଦ ଦିଗରେ ପ୍ରତ୍ୟାବର୍ତ୍ତନ କରୁଥିଲେ ।

କିଛିଦୂରରେ ପଥ ଉପରେ ଠିଆ ହୋଇ, ତାଙ୍କୁ ଚାହିଁଥିବା ଜଣେ ତରୁଣ ତପସ୍ୱୀଙ୍କୁ ଦେଖି ନିରବ ହୋଇଯାଇଥିଲା ତାଙ୍କ ସଖୀମାନଙ୍କର କୋଳାହଳ । କୋଙ୍କଣା ଦୃତବେଗରେ ଆସି ପ୍ରଥମ ପ୍ରଣାମ ଜଣାଇଥିଲେ ତପସ୍ୱୀଙ୍କ ପଦପ୍ରାନ୍ତରେ । ତା’ପରେ ସମାନ ଭାବରେ ତାଙ୍କର ଶତ ସହଚରୀଙ୍କର ପ୍ରଣାମ ନିବେଦିତ ହୋଇଥିଲା ସନ୍ନ୍ୟାସୀଙ୍କ ଉଦ୍ଦେଶ୍ୟରେ । ସେମାନଙ୍କୁ ଆଶୀର୍ବାଦ ଜଣାଇ ପ୍ରାସାଦ ଅଭିମୁଖେ ପ୍ରସ୍ଥାନ କରିଥିଲେ ତପସ୍ୱୀ ଜଣକ ଓ ତାଙ୍କଠାରୁ ବେଶ୍ ଦୂରତ୍ୱ ଓ ସମ୍ଭ୍ରମତା ରକ୍ଷା କରି କୋଙ୍କଣା ସହଚରୀମାନଙ୍କ ସହିତ ଫେରିଯାଇଥିଲେ ପ୍ରାସାଦର ଅନ୍ତଃପୁରକୁ ।

ସେଦିନ ତାଙ୍କର ପଥଚଲା କ୍ଳାନ୍ତି ଦୂର କରିବା ପାଇଁ ଶତ ପରିବାରୀ ପରିଚର୍ଯ୍ୟାରେ ବ୍ୟସ୍ତ ରହିଥିଲେ । ଗଜଦନ୍ତ ପଲଙ୍କର ତୂଳୀତଳ୍ପ ଶଯ୍ୟାରେ ନିଦ୍ରାବିଭୋର ରାଜକନ୍ୟା ହଜିଯାଇଥିଲେ କେଉଁ ସ୍ୱପ୍ନରାଜ୍ୟରେ ।

ପରଦିନ ଏହି ପ୍ରାକ୍ ମଧ୍ୟାହ୍ନ କାଳ ଥିଲା ତାଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ । ଯେଉଁ ମୁହୂର୍ତ୍ତରୁ କି ତାଙ୍କ ଜୀବନର ପଥ ଐଶ୍ୱର୍ଯ୍ୟପୂର୍ଣ୍ଣ, ସୁଖ ବିଳାସମୟ, ସ୍ୱପ୍ନାଭିସାରୀ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଏକମୁଖୀ ଭାବରେ ଆଗେଇ ଯାଇଥିଲା ନିଘଞ୍ଚ ଅରଣ୍ୟର ଏକ ତପସ୍ୱୀ କୁଟୀରକୁ ! ତରୁଣ ଋଷି ଜମଦଗ୍ନି ରାଜା ପ୍ରସେନ୍‌ଜିତ୍‌ଙ୍କ ନିକଟରେ ତାଙ୍କ କନ୍ୟାର ପାଣିଗ୍ରହଣ କରିବାର ଆକାଂକ୍ଷା ପ୍ରକାଶ କରିଥିଲେ ଓ ତାହା ତତ୍‌କ୍ଷଣାତ୍ ଆନନ୍ଦରେ ପୂରଣ କରିଥିଲେ ରାଜା !

ସେହି ମୁହୂର୍ତ୍ତରୁ ହଜିଗଲା ରାଜକନ୍ୟା କୋଙ୍କଣାଙ୍କର ପରିଚୟ, ସେ ହେଲେ ଋଷିପତ୍ନୀ ରେଣୁକା । ଅଷ୍ଟଅଳଙ୍କାର, ଝୀନବସନ, ଦାସୀପରିବାରୀ ଓ ବିଳାସପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରି ଏକଖଣ୍ଡି କଷାୟ ବସ୍ତ୍ରରେ କଣ୍ଟକମୟ ଅରଣ୍ୟପଥରେ ସ୍ୱାମୀଙ୍କର ପଦାନୁସରଣ କରି ଚାଲିଆସିଥିଲେ ରେଣୁକା । ଆଶ୍ରମରେ କଠିନ ଜୀବନ, କୃଚ୍ଛସାଧନା ଓ ନିତ୍ୟ ହେମାଗ୍ନିର ଉଷ୍ମ ସ୍ପର୍ଶରେ ତାଙ୍କର ସମୟ ଅତିବାହିତ ହେଲା ।

ରେଣୁକା ଭୁଲିଗଲେ ତାଙ୍କର ଅତୀତର ସୁଖକର ଦିନମାନଙ୍କୁ । ମନପ୍ରାଣ ଶରୀରରେ ଏକମୁଖୀ ହୋଇ ସାଧନାରେ ନିବିଷ୍ଟ ରହିଲେ ସେ । ଗୋଟିଏ ପରେ ଗୋଟିଏ ପଞ୍ଚ ପୁତ୍ରର ଜନନୀ ହୋଇ ରେଣୁକାଙ୍କର ଚେତନା ଆଶ୍ରମର ଜୀବନଧାରା ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ହୋଇସାରିଥିଲା । ତଥାପି ତାଙ୍କର ଅନ୍ତଲୋକରେ କେଉଁଠି ସଂଗୁପ୍ତ ଥିଲା ସୌନ୍ଦର୍ଯ୍ୟ ପ୍ରତି ଏ ନିବିଡ଼ ଆକର୍ଷଣ ! ତାଙ୍କର ନିସ୍ତରଙ୍ଗ ଚିତ୍ତଲୋକରେ କେଉଁଠି ଆତ୍ମଗୋପନ କରିଥିଲା ଏ ସ୍ପନ୍ଦନଟିକକ ! ତପସ୍ୟାରତ ମନୋଭୂମିର କେଉଁ କୋଣରେ ନିଃଶବ୍ଦରେ ରହିଥିଲା ଏତେ ମଧୁର କୋଳାହଳ !

ଋଷିପତ୍ନୀ ରେଣୁକା ସମାହିତ ହୋଇ ସାରିଥିଲେ ରାଜକନ୍ୟା କୋଙ୍କଣାର ଆତ୍ମସତ୍ତା ମଧ୍ୟରେ ।

ଚିତ୍ରରଥ ଓ ତାଙ୍କର ପତ୍ନୀ କେବେଠାରୁ ତାଙ୍କ ଦୃଷ୍ଟିପଥରୁ କାହିଁ କେତେଦୂରକୁ ଚାଲିଗଲେଣି ସେ କଥା ସେ ଜାଣିପାରିନଥିଲେ । କିନ୍ତୁ ତାଙ୍କର ଚକ୍ଷୁ ସମ୍ମୁଖରୁ ଅନ୍ତର୍ହିତ ହେଉନଥିଲା ସେଇ ସୁନ୍ଦର ଯୁଗଳରୂପ, ତାଙ୍କ କାନରେ ତଥାପି ଶୁଣାଯାଉଥିଲା ସେମାନଙ୍କର ପ୍ରାଣୋଚ୍ଛଳ ହାସ୍ୟଧ୍ୱନି ।

ବିମୋହିତ ଅବସ୍ଥା ତାଙ୍କର ଧୀରେ ଧୀରେ କଟିଆସୁଥିଲା । ରେଣୁକା ଆତ୍ମସ୍ଥ ହେଲେ । ନର୍ମଦାର ପବିତ୍ର ଜଳରେ ପୂର୍ଣ୍ଣ କଲେ ତାଙ୍କର ଶୂନ୍ୟକଳସୀ । ଧୀରେ ଧୀରେ ଫେରିଆସିଲେ ଆଶ୍ରମକୁ ।

ମଧ୍ୟାହ୍ନ ଅତିକ୍ରାନ୍ତ ହୋଇଗଲାଣି । ଅରଣ୍ୟରୁ ସମିଧ ସଂଗ୍ରହ କରି ଜମଦଗ୍ନି ଆଶ୍ରମକୁ ଫେରିଆସିଲେ । ପୁତ୍ରମାନଙ୍କ ସହିତ ରେଣୁକାଙ୍କର ବିଳମ୍ୱ ଜନିତ କାରଣରୁ ଉତ୍କଣ୍ଠିତ ହେଇଥିଲେ ଋଷି ।

ଅପେକ୍ଷାରତ ସ୍ୱାମୀଙ୍କୁ ଦେଖି ଅନୁଶୋଚନାରେ ପୀଡ଼ିତ ହୋଇଗଲା ରେଣୁକାଙ୍କର ହୃଦୟ । ଅଯଥା ବିଳମ୍ୱ ପାଇଁ ସେ ନିଜକୁ ଦୋଷୀ ମନେ କରୁଥିଲେ ! ତାଙ୍କର ବିଳମ୍ୱର କାରଣ ଚାହିଁଲେ ଜମଦଗ୍ନି ।

ଅଧୋମୁଖ ହୋଇ ବିଳମ୍ୱ ହେବାର କାରଣ ସହଜ ଭାବରେ କହି ଦେଲେ ରେଣୁକା ।

ମୁହୂର୍ତ୍ତକରେ ସତେକି ଏକ ଭୀଷଣ ଭୂକମ୍ପ ଘଟିଗଲା । ଆଶ୍ରମର ଶାନ୍ତ ତପଃଭୂମିରେ, ନିମିଷକେ ମାଡ଼ି ଆସିଲା ପ୍ରଳୟଙ୍କରୀ ଝଡ଼ବତାସ, ନିଥର ନିଃଶବ୍ଦ ଶୂନ୍ୟମଣ୍ଡଳରେ ସୃଷ୍ଟି ହେଲା ବଜ୍ରର ଘୋର ନିର୍ଘୋଷ । ଶ୍ୟାମଳ ଶୀତଳ ବନଭୂମିରେ ଜାଗିଉଠିଲା ଅଗ୍ନିତାଣ୍ଡବ ।

ଦୀର୍ଘକାଳର ତପସ୍ୟା, ଈଶ୍ୱରଚିନ୍ତା ଓ ଶାସ୍ତ୍ରଅଧ୍ୟୟନ ପ୍ରଭୃତିର ନିତ୍ୟ ଅନୁଶୀଳନ ରହିଥିବା ସତ୍ତ୍ୱେ ଜମଦଗ୍ନି ନିଜକୁ ଶାନ୍ତ, ସଂଯତ ରଖିପାରିଲେ ନାହିଁ । କ୍ରୋଧରେ ତାଙ୍କର ଚକ୍ଷୁ ରକ୍ତବର୍ଣ୍ଣ ଧାରଣ କରିଥିଲା । ତାଙ୍କର ବିକୃତ ଓଷ୍ଠାଧାରରୁ ନିର୍ଗତ ହେଉଥିଲା ବଜ୍ର କଠିନ ଶବ୍ଦ ।

ଋଷିପତ୍ନୀଙ୍କର ସାମାନ୍ୟ ଚିତ୍ତଚାଞ୍ଚଲ୍ୟ କ୍ଷମଣୀୟ ନୁହେଁ । କୌଣସି ପ୍ରକାର ବାହ୍ୟ ସୌନ୍ଦର୍ଯ୍ୟ ପ୍ରତି ମୁଗ୍ଧତା ସ୍ଫୃହଣୀୟ ହୋଇପାରେନା । ପରପୁରୁଷକୁ ଅବଲୋକନ କରିବାର ଧୃଷ୍ଟତା ପାଇଁ ଏକମାତ୍ର ଶାସ୍ତି ମୃତ୍ୟୁଦଣ୍ଡ । ନିକଟରେ ଉପସ୍ଥିତ ଥିବା ଚାରିପୁତ୍ର ମଧ୍ୟରୁ ଜଣକ ପରେ ଜଣକୁ ସେ ନିର୍ଦ୍ଦେଶ ଦେଲେ, “ଏପରି ଚଞ୍ଚଳଚିତ୍ତା ନାରୀର ମସ୍ତକ ଛେଦନ କର ।”

ପିତାଙ୍କର ଆଜ୍ଞାକୁ ସ୍ୱୀକାର କରିପାରିଲେ ନାହିଁ ସେମାନେ । ନାରୀହତ୍ୟା ପୁଣି ମାତୃହତ୍ୟା, ଏତେ ସାଧାରଣ ଗୋଟେ ଘଟଣା ପାଇଁ । ରାଗରେ ଜଳି ଉଠିଲେ ଋଷି । ପିତାର ଆଜ୍ଞା ପୁତ୍ରର ଶିରୋଧାର୍ଯ୍ୟ ହେବା ବିଧେୟ । କାରଣର ଗୁରୁତ୍ୱ ବିଚାର କରିବାକୁ ସେମାନେ କିଏ !

ରେଣୁକା ଭୟରେ ବରଡ଼ାପତ୍ର ପରି ଥରୁଥିଲେ । କ’ଣ ତାଙ୍କର ଅପରାଧ ! ସତ୍ୟ ନ କହି ସେ ଯଦି ତାଙ୍କର ବିଳମ୍ୱର ଅନ୍ୟ କିଛି କାରଣ କହି ଦେଇଥାନ୍ତେ ତେବେ କ’ଣ ଜମଦଗ୍ନି ଏପରି କୁପିତ ହୋଇଥାନ୍ତେ ! କିନ୍ତୁ ସେ ସତ୍ୟ ପଛରେ ତାଙ୍କର ତ କୌଣସି ଅପରାଧବୋଧ ନଥିଲା ଯାହାକୁ ସେ ଗୋପନ କରିବାକୁ ଚାହିଁଥାନ୍ତେ ! ଏତେ ସହଜ ସରଳ ସାଧାରଣ କଥାଟିଏ କାହିଁକି ଋଷିଙ୍କ ମନକୁ ଏପରି କୋପାନ୍ୱିତ କଲା ?

ତଥାପି ରେଣୁକା ନତଜାନୁ ହୋଇ କ୍ଷମା ଭିକ୍ଷା କରୁଥିଲେ ବି ଜମଦଗ୍ନିଙ୍କର କୌଣସି ପରିବର୍ତ୍ତନ ହେଲାନାହିଁ ।

ଅରଣ୍ୟରୁ ସେହି ସମୟରେ ଫେରୁଥିବା ତାଙ୍କ ଚତୁର୍ଦ୍ଦଶ ବର୍ଷୀୟ ସର୍ବକନିଷ୍ଠ ପୁତ୍ର ପରଶୁରାମଙ୍କୁ ଦେଖି ଜମଦଗ୍ନି ସେହି ସମାନ ନିର୍ଦ୍ଦେଶ ଦେଲେ । ପରଶୁରାମ କୌଣସି ପ୍ରଶ୍ନ ପଚାରିଲେ ନାହିଁ ।

ତାଙ୍କର ତୀକ୍ଷ୍ଣ ପରଶୁ ବିଦ୍ୟୁତ ବେଗରେ ଚମକି ଆସିଥିଲା ରେଣୁକାଙ୍କର ମସ୍ତକ ଉଦ୍ଦେଶ୍ୟରେ ।

ଲୋକପ୍ରିୟ ଲେଖା

To Top