ଗଳ୍ପ

ଅସୁରକ୍ଷିତ ରାତି

Dr Nilamani Lenka's odia story Asurakshita Raati

ତା’ ଛଡ଼ା ମୁଁ ବୁଝିପାରୁ ନଥିଲି କ୍ଷୀରୁଆ ଏ ନିରାଶ୍ରୟୀ ସହିତ କାହିଁକି ଲାଗୁଥିଲା ? କ’ଣ ଇଜ୍ଜତ ନା ଟଙ୍କା ଲୁଟ ପାଇଁ ?

ଅସୁରକ୍ଷିତ ରାତି

ରାତିର ବୟସ ବଢ଼ିଲେ ରାମ୍ ବାହାଦୂରର ହୁଇସିଲ୍ ଶବ୍ଦ ଘନଘନ ଶୁଭେ । ଛୋଟିଆ ସହରର କେତୋଟି ମାତ୍ର ବଜାର ବିଭିନ୍ନ ଭାବରେ ବିଭକ୍ତ କରିଛି ସମଗ୍ର ବ୍ୟାବସାୟିକ ପେଣ୍ଠସ୍ଥଳକୁ । ବଜାରର ପ୍ରତ୍ୟେକ ଶାଖାରେ ସୃଷ୍ଟି ହୋଇଥିବା ସଂଘମାନଙ୍କର ସଭାପତି- ସମ୍ପାଦକ ଏବଂ କର୍ମକର୍ତ୍ତାମାନଙ୍କ ମିଳିତ ଉଦ୍ୟମରେ ବେତନ ପାଇ କାର୍ଯ୍ୟ କରି ଆସୁଥିବା ରାମ୍ ବାହାଦୂର ରାତ୍ର ଜଗୁଆଳ ଭାବରେ ସେପରି ଅଧିକ କିଛି ଦରମା ପାଏନାହିଁ । ମାସର ପହିଲା ହେଲେ ସହରର ଏ ମୁଣ୍ଡରୁ ସେମୁଣ୍ଡ ଯାଏ ପ୍ରତ୍ୟେକ ଦୋକାନ ସାମ୍ନାରେ ଠିଆ ହୋଇ ସଲାମଟିଏ କରେ । କେଉଁ ଦୋକାନୀ ସଙ୍ଗେ ସଙ୍ଗେ ଦେଇଦିଅନ୍ତି ତ ଆଉ କେତେକ ଆଜି କାଲି କହି ଯାହା ଦଶ-ପଚାଶ ଦେବା କଥା ତାହା ଆର ମାସ ପହିଲାକୁ ଗଡ଼ିଯାଏ । ବେଳେବେଳେ ପ୍ରଶ୍ନ ଉଠେ ପେଟପାଟଣା ନିମିତ୍ତ ସୁଦୂର ନେପାଳ ଛାଡ଼ି ନିଜ ଜୀବନକୁ ବାଜି ଲଗେଇ ସାରା ରାତି ଏଠି ଉଜାଗର ରହେ । ସହରର ଦୋକାନଗୁଡ଼ିକ ନିରାପତ୍ତା ନିମିତ୍ତ କାମ କରି ସେ କ’ଣ ଉଚିତ୍ ମୂଲ୍ୟ ପାଏ ? ତଥାପି ସହରର ମୋହରେ ବାହାଦୂର ବନ୍ଧା ପଡ଼ିଛି ଦୁଇ ଦଶନ୍ଧି ଧରି ।

ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାହାଦୂରକୁ ଦେଖିବାକୁ ମିଳେ ନାହିଁ । ଏହାର କାରଣ ହୁଏତ ରାତିର ଅନିଦ୍ରାକୁ ଲାଘବ କରିବା ନିମିତ୍ତ ନିଜର ନିତ୍ୟକ୍ରମ ସରି ସେ ଶୋଇଯାଏ । ମଧ୍ୟାହ୍ନ ପରେ ତା’ର ଦେଖା ମିଳେ । ରାତି ଦଶ ପରେ ସେ ସମ୍ପୂର୍ଣ୍ଣ ସଜାଗ ହୋଇଯାଏ । ବେକରେ ପଡ଼ିଥାଏ ଲମ୍ୱା ଡୋରରେ ବନ୍ଧା ଯାଇଥିବା କଳା ରଙ୍ଗର ପ୍ଲାଷ୍ଟିକ୍ ହୁଇସିଲ୍ । ପାଖରେ ସେପରି କିଛି ଅସ୍ତ୍ର ନାହିଁ । କେବଳ ଲାଠିଟିଏ । ଲାଇସେନ୍ସ ନ ଥିବାରୁ ତା’ ପାଇଁ ଅଛି ବନ୍ଧୁକ ବ୍ୟବହାରର କଟକଣା । ଏବକାର ସମୟରେ ଚୋରି କରିବାର ନୂଆ କୌଶଳ ନିକଟରେ ସେ ବେଳେବେଳେ ହାର ମାନିଯାଏ । ବଜାରର ମୁଖ୍ୟ ରାସ୍ତାରେ ପହରା ଦେଉ ଦେଉ ଦୋକାନ ପଛପଟୁ ସିନ୍ଧି ଦ୍ୱାରା ଚୋରି ହେବା ବିରଳ ଘଟଣା ହୋଇନାହିଁ । ସେଥିପାଇଁ ବାହାଦୂରକୁ ଦାୟୀ କରାଯାଇନପାରେ ।

ଚଳଚଞ୍ଚଳ ସହରର ଦୋକାନ କବାଟ ବନ୍ଦ ହେଉ ଦେଉ ରାତି ପ୍ରାୟ ଏଗାରଟା ବାଜିଯାଏ । ଅନ୍ୟ ହୋଟେଲ୍ ବାଲା କେହି କେମିତି ଅଧିକ ରାତିଯାଏ ଖୋଲି ବେପାର କରିବାର ଇଚ୍ଛା କଲେ ବି ଆରକ୍ଷୀ ବିଭାଗର କଟକଣା ସେସବୁ କରିବାକୁ ସୁଯୋଗ ଦେଇନଥାଏ ।

ରାତି ଏଗାରରୁ ଭୋର ପାଞ୍ଚଟା ଯାଏ ସହରର ସମ୍ରାଟ ହୋଇଯାଏ ବାହାଦୂର । ଟିକେ ସନ୍ଦେହ ଆସିଲେ ଲମ୍ୱା ହୁଇସିଲ୍ ମାରି ଠିଆ ହୋଇ ଚାରିଆଡ଼କୁ ଚାହେଁ । ତା’ପରେ ପକେଟ୍‌ରୁ ବିଡ଼ି ଖଣ୍ଡିଏ କାଢ଼ି ଟାଣେ । ପାଟିରେ ଧୂଆଁର କୁଣ୍ଡଳୀରେ ଉପରକୁ ଚାହେଁ । କେଡେ଼ ସୁନ୍ଦର ସୁନ୍ଦର ରିଙ୍ଗ୍ ଗୁଡ଼ିଏ ସେ ସୃଷ୍ଟି କରି ଆକାଶକୁ ଛାଡ଼ି ଦେଉଛି । ୟା’ ଭିତରେ ତା’ର ଦମ୍ଭ ଆସେ ।

ବାହାଦୂରକୁ କେତେଥର ଅନେକ ଦୋକାନୀ ପ୍ରଶ୍ନ କରିଛନ୍ତି ।

– ବାହାଦୂର ! ରାତିରେ ଏକୁଟିଆ ବୁଲିଲେ ଏଠି ଡର ଲାଗେନି ?

– ହଁ ବେଳେବେଳେ. . . ହେଲେ ଚୋରଙ୍କୁ ନୁହେଁ, ମଦୁଆଙ୍କୁ ।

ବାହାଦୂର ଉପରକୁ ହାତଟେକି କହେ- “ସବ୍‌ସେ ବଡ଼ା ମାଲିକ୍ ହେ ବାବୁ ! ଉନ୍କା ଇଚ୍ଛା ପାସ୍ ହମ୍ କ୍ୟା କରେଗା ?”

ସବୁ ଦୋକାନୀ ଏବଂ କିଛି ଲୋକଙ୍କର ପ୍ରିୟ ହୋଇଯାଇଛି ବାହାଦୂର । କାହାର କେମିତି ଦିନବେଳା କିଛି ଭୋଜି କିମ୍ୱା ଉତ୍ସବ ହେଲେ ଡକା ଆସେ ବାହାଦୂରକୁ । ରାତିର ଅନିଦ୍ରା ଜନିତ କ୍ଳାନ୍ତି ଟିକେ ବି ତା’ର ନ ଥାଏ ସେଦିନ । ସାଜସଜା ତୋରଣ ନିକଟରେ ରହି ଆସୁଥିବା ଅତିଥିମାନଙ୍କୁ ସଲାମ କରି ସନ୍ତୁଷ୍ଟ କରିଦିଏ । ପ୍ରତି ବଦଳରେ କିଛି ବକ୍ସିସ୍ ପାଇ ତାକୁ ପୁଞ୍ଜି କରି ସଞ୍ଚୟ କରେ ।

କର୍ମତତ୍ପର ବାହାଦୂର ସମସ୍ତଙ୍କ ନିମିତ୍ତ ଏକ ଆଦର୍ଶ । କାରଣ ପାରିଶ୍ରମିକ ନିମିତ୍ତ ସେ କେବେ କାହା ପାଖେ ଜୁଲମ୍ କରେ ନାହିଁ । ନମ୍ର ବ୍ୟବହାର ସାଙ୍ଗକୁ କମନୀୟ ଚେହେରା ବକ୍ସିସ୍ ଆଣିବାରେ ଅନେକ ସାହାଯ୍ୟ କରିଥାଏ । ବିଳମ୍ୱିତ ରାତିରେ କୌଣସି ନିଶାଖୋର ବ୍ୟକ୍ତି କିମ୍ୱା ଅନ୍ୟମନସ୍କତାରେ କେହି କିଛି ଦ୍ରବ୍ୟ ଛାଡ଼ି ଦେଇଗଲେ ପରଦିନ ପର୍ଯ୍ୟନ୍ତ ବାହାଦୂର ଯତ୍ନରେ ରଖିଥାଏ । ଅନେକ ପ୍ରଶଂସା ତା’ ପାଇଁ ଥାଏ, ବେଳେବେଳେ ବକ୍ସିସ୍ ପାଇଥାଏ ।

ନିଜ ଦେଶରେ ଥିବା ପତ୍ନୀକୁ କେବେ ସେ କହିନାହିଁ ମୁଁ ସହରର ଦୋକାନ ଜଗେ, ବରଂ ସେମାନେ ଜାଣନ୍ତି ବାହାଦୂର ଓଡ଼ିଶାରେ ସରକାରୀ ନୌକରୀ କରୁଛି । ଓଡ଼ିଶା ତଥା ଏ ସହରର ମାଟି ପାଣି ପବନ ତାକୁ ମୋହଗ୍ରସ୍ତ କରିଦେଲା ପରେ ଏଠୁ ବାହାରି ଯିବାକୁ ସେ ବି ନାଚାର ।

ଦୀର୍ଘ ଦୁଇ ଦଶନ୍ଧି ଭିତରେ ବାହାଦୂର ଚୋରମାନଙ୍କୁ ଯେତିକି ଜଗେ ବରଂ ସେମାନେ ବାହାଦୂରକୁ ରାତିସାରା ଜଗନ୍ତି । ଚୋର ପୋଲିସ୍‌ର ଖେଳ ଭଳି ବାହାଦୂରର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖନ୍ତି ଚୋର ଦଳ ।

ଲମ୍ୱା ହୁଇସିଲ୍ ମାରି ସହରର ଏ ପଟରୁ ସେ ପଟକୁ ଯିବା ଭିତରେ ତା’ର କିନ୍ତୁ ନଜର ଥାଏ ପାଗଳ-ପାଗିଳୀଙ୍କ ଉପରେ । ବେଳେବେଳେ ଏମାନଙ୍କ ଅସ୍ୱାଭାବିକ ଉପଦ୍ରବ ଏବଂ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବାହାଦୂରକୁ ନାକେଦମ କରିପକାଏ । ମନ ଦବିଗଲେ ସେ କ୍ଳାନ୍ତ ଅନୁଭବ କରେ ।

ବାହାଦୂରକୁ ଅନେକ ଦିନୁ ଦେଖି ଆସୁଛି । ସିଧାସଳଖ ତା’ର ମୋ ସହିତ ସମ୍ପର୍କ ନାହିଁ । ପୋଲିସ୍ ଭଳି ମାଟିଆ ପୋଷାକ ସାଙ୍ଗକୁ ତା’ ମୁଣ୍ଡରେ ନେପାଳୀ ଟୋପି ଦେଖିଲେ ମୋତେ ଖୁସି ଲାଗେ । ଟିକେ ମୁରୁକି ହସିଦେଲେ ସେ ନ ଚିହ୍ନିଲେ ବି ସଲାମ କରିଦିଏ । ବାସ୍ ଏତିକି ସମ୍ପର୍କ ଆମ ଭିତରେ ।

ସହରର ମଧ୍ୟସ୍ଥଳରେ ସରକାରୀ ଡାକ୍ତରଖାନା । ମୁଖ୍ୟ ଫାଟକ ପାଖକୁ ଲାଗି ରହିଥିବା ଉଠାଦୋକାନୀଙ୍କ ବିଭିନ୍ନ ପ୍ରକାରର ବ୍ୟବସାୟ ହେତୁ ସ୍ଥାନ ସଂକୀର୍ଣ୍ଣ ହୋଇଯାଇଛି । ଡାକବଙ୍ଗଳା ଛକରୁ ଚାରିଆଡ଼କୁ ଯାଇଥିବା ରାସ୍ତାର ଫୁଟପାଥ ସ୍ଥାନ ଉଠା ଦୋକାନୀଙ୍କ କବଜାରେ ଆବଦ୍ଧ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶରେ କିଛି ମାସ ଉଚ୍ଛେଦ ହେଲା ପରେ ଏବେ ପୁନର୍ବାର ପୂର୍ବ ଅବସ୍ଥା । ପରିବା ଏବଂ ଫଳ ବେପାରୀମାନେ ରାତିରେ ପାଲ ଟାଣି ସେମାନଙ୍କର ଦୋକାନ ବନ୍ଦ କରୁଥିବା ସ୍ଥଳେ କେତେକ ଯୋତା କାରିଗର ଗ୍ରାହକଙ୍କ ଛିଣ୍ଡା ଚପଲ ଏବଂ ନିଜ ଯନ୍ତ୍ରପାତିକୁ ପାଞ୍ଚ ଛଅ ଫୁଟିଆ କାଠ ପେଟି ଭିତରେ ରଖି ଚାଲିଯାଆନ୍ତି ।

ଶହେ ଆଠ କିମ୍ୱା ଶହେ ଦୁଇ ଆମ୍ୱ୍ରଲାନ୍ସ ପ୍ରତି ରାତିରେ ଡାକ୍ତରଖାନାକୁ ଆସେ । ଗାଡ଼ିକୁ ଦେଖିଲେ ବାହାଦୂରର ମନରେ ଅନେକ ସାହସ ଆସେ । ଅହୋରାତ୍ରର ସତର୍କ ପ୍ରହରୀ ଭଳି ମାଡ଼ି ଆସୁଥିବା ଆମ୍ବୁଲାନ୍ସ ପାଇଁ ରାସ୍ତା ସଫା କରିବାକୁ ବେଳେବେଳେ ମଝିରେ ପ୍ରତିବନ୍ଧକ ସାଜି ଶୋଇପଡ଼ିବା ପାଗଳ – ପାଗିଳୀମାନଙ୍କୁ ଉଠାଇବାରେ ସେ ନାକେଦମ୍ ହୋଇଯାଏ ।

ଆମ ଘର ମେଡ଼ିକାଲ ପାଖରୁ ମାତ୍ର ଅଧା କିଲୋମିଟର ବ୍ୟବଧାନ ହୋଇଥିବାରୁ କାହାର ଟିକେ ଦେହ ଖରାପ ହେଲେ ବାରମ୍ୱାର ଡାକ୍ତରଙ୍କ ପାଖକୁ ଯିବା ଅଭ୍ୟାସ ଅନେକ ଦିନରୁ ଥିଲା । ତା’ ଛଡ଼ା ଝିଅ ସାନ୍ସା ଅସୁସ୍ଥ ହେବାରୁ ତାକୁ ବାରମ୍ୱାର ମେଡ଼ିକାଲ୍ ନେବାକୁ ପଡେ଼ ।

ହଠାତ୍ ଦିନେ ସାନ୍ସାର ଦେହ ଖରାପ ହୋଇଯିବାରୁ ମଟରସାଇକେଲ୍‌ରେ ମେଡ଼ିକାଲ୍ ନେଲୁ । ଏମିତି କେତେଥର ଯିବା ଭିତରେ ଟ୍ରାଫିକ୍ ଛକର ଉଜ୍ଜ୍ୱଳ ଆଳୋକ ସ୍ତମ୍ଭ ପାଖରେ ତ କେତେବେଳେ ମେଡ଼ିକାଲ୍‌ର ଆଖପାଖ ବଜାର ସ୍ଥାନରେ ବାହାଦୂରକୁ ମୁଁ ଦେଖେ । ସେ ହସିଦେଇ ସଲାମ୍ କରି ପାଖକୁ ଦୌଡ଼ିଆସି ଭଲ ମନ୍ଦ ପଚାରି ଖୁବ୍ ବ୍ୟସ୍ତ ହୋଇପଡେ଼ । ବେଳେବେଳେ ମୋ ପଛେ ପଛେ ଯାଇ ମେଡ଼ିକାଲ୍‌ରେ ପହଞ୍ଚି ରୋଗୀର ଅବସ୍ଥା ଦେଖିଆସେ ।

ଆତ୍ମୀୟତାରେ ବାରମ୍ୱାର ନିକଟତର ହୋଇଯାଇଥିବା ବାହାଦୂରକୁ ମୁଁ ସେଦିନ ଆଉ ଟ୍ରାଫିକ୍ ଛକର ଉଜ୍ଜ୍ୱଳ ଆଲୋକ ସ୍ତମ୍ଭ ପାଖ କିମ୍ୱା ମେଡ଼ିକାଲ୍ର ପଛ ଗେଟ୍ ପାଖରେ ଦେଖିବାକୁ ପାଇଲି ନାହିଁ । ମେଡ଼ିକାଲ୍ ପରିସରରେ ଖୋଲିଥିବା ଅସ୍ଥାୟୀ ଫାଣ୍ଡିରେ ଥିବା ଏକମାତ୍ର ଗୃହରକ୍ଷୀ ବୋଧହୁଏ ଭିତରେ ଶୋଇ ଯାଇଥିଲେ । ସାନ୍ସାକୁ ଡାକ୍ତର ଇେଞ୍ଜକ୍ସନ୍ ଦେଇ କିଛି ସମୟ ବିଶ୍ରାମ ନେବାକୁ କହିବାରୁ ମୋତେ ସମୟ ମିଳିଗଲା ବାହାଦୂରର ସନ୍ଧାନ ନେବା ପାଇଁ । ଗଣେଷ ପୂଜା ଭସାଣୀକୁ ନେଇ ସୃଷ୍ଟି ହୋଇଥିବା ସାମୟିକ ସାମ୍ପ୍ରଦାୟିକ ଦଙ୍ଗା ହେତୁ ସହରର ଅପର ପାର୍ଶ୍ୱରେ ସେ ଅଧିକ ସମୟ କଟାଉଥିବା ଅନୁମାନ କଲି ।

ସତରେ ମୋ ଅନୁମାନ ଠିକ୍ ଥିଲା । ମେଡ଼ିକାଲ୍ରେ ସାନ୍ସା ଏବଂ ତା’ର ମାଆ ସୁଲୋଚନାକୁ ସାନଭାଇ ସହିତ ଛାଡ଼ି ଦେଇ ମୁଖ୍ୟ ଗେଟ୍ ଦେଇ ଡାକବଙ୍ଗଳା ଛକ ଆଡ଼କୁ ଚାଲି ଚାଲି ଗଲି ।

ରାତି ଗର୍ଜୁଥାଏ । କଳା ମିଚିମିଚି ଅନ୍ଧାରକୁ ବିବସ୍ତ୍ର କରିଦେଇ ଲାଇଟ୍ ପୋଷ୍ଟ ମାନଙ୍କର ଆଲୁଅ ଗୁଡ଼ିକ ବିଛେଇ ହୋଇ ପଡ଼ିଥାଏ ସହର ଭିତର ଢଳେଇ ରାସ୍ତା ଉପରେ । କେଉଁଠି ବୁଲା କୁକୁରଙ୍କ ମେଳି ନିଦ୍ରା ତ କେଉଁଠି ଲଗାମଛଡ଼ା ଗୋରୁଙ୍କର ଅସ୍ଥାୟୀ ଗୋଠ ରାତିର ଟ୍ରାଫିକ୍ ସମସ୍ୟାକୁ ଜଟିଳ କରିଦେଇଥିଲା ।

ମେଡ଼ିକାଲ୍‌ରୁ ଡାକବଙ୍ଗଳା ଛକ ଆଡ଼କୁ ଗଲାବେଳେ ବାମପଟର ଛାଇଛାଇକା ଫୁଟପାଥରେ ଥିବା ଯୋତା କାରିଗରଙ୍କ କାଠପେଟି ଉପରେ ଆଶ୍ରୟ ନେଇଥିବା ପାଗିଳୀଟି କିଛି ସମୟ ପୂର୍ବରୁ ଶୋଇଥିବାର ମୁଁ ଦେଖିଥିଲି । ଏବେ କିନ୍ତୁ ସେ ଦୃଶ୍ୟ ବଦଳି ଯାଇଥିଲା । ସେଠାରେ ମୁଁ ପହଞ୍ଚିବାର ମାତ୍ର କେତେ ସେକେଣ୍ଡ ପୂର୍ବରୁପାଗିଳୀଟି ଉଠି ବସି ଅସ୍ଥିର ହେଉଥିଲା । ବକ୍‌ବକ୍ ହୋଇ ୟା’ଡୁ ସିଆଡୁ ଅନେକ ଗପୁଥିଲା ।

ମୁଁ ଡରିଗଲି । ମତିଭ୍ରମ ପାଗିଳୀର ଏ ପ୍ରକାର ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହେବା ନୂଆ କଥା ହୋଇନଥିଲେ ହେଁ ଗହନ ରାତିରେ ଏ ଦୃଶ୍ୟ ଦେଖି ଆଗକୁ ଯିବା ମୋ ପକ୍ଷେ କଷ୍ଟକର ହେଲା । ମେଡ଼ିକାଲ୍‌ର ମୁଖ୍ୟ ଫାଟକ ଆଡ଼କୁ ପଛେଇ ପଛେଇ କେତେ ପାଦ ପକାଉ ପକାଉ ଅସ୍ଥାୟୀ ଯୋତା କାରିଗରଙ୍କର ଆରପଟୁ କେହି ଜଣେ ନଇଁ ନଇଁ ଆସି ପାଗିଳକୁ ଟଣାଓଟରା କଲା ।

ପାଗିଳୀ ଆହୁରି ଜୋର୍‌ରେ ଗପିଲା । ଉଠି ଠିଆ ହୋଇ ନିଜ ଶକ୍ତି ମୁତାବକ ପ୍ରତିରୋଧ କଲା । ଏହି ଟଣାଓଟରା ଭିତରେ ମନେପଡ଼ିଲା ବାହାଦୂରର କଥା । ପୂର୍ବରୁ ସେ କହିଥିଲା “ସେ ରାତିରେ କିପରି ପାଗଳ-ପାଗିଳୀମାନଙ୍କୁ ଜଗେ । କେତେ ଧର୍ମ କାର୍ଯ୍ୟ ସେ କରେ ।”

ମୁଁ ଅସ୍ଥିର ହୋଇଗଲି । ଆଗପଛ କିଛି ବିଚାର ନ କରି ଏକମୁହାଁ ହୋଇ ଲମ୍ୱା ପାହୁଣ୍ଡ ପକାଇ ଆଗକୁ ଚାଲିଲି ।

– ଆରେ କିଏରେ ? କିଏ ସେଠି ? ଏଃ. . . କ’ଣ କରୁଚ ସେଠି ?

ଟଣାଓଟରା କରୁଥିବା ଯୁବକ ଜଣକ ମୋତେ ପାଖକୁ ଯିବାରୁ ଦେଖି ବିରକ୍ତ ହୋଇ ମୋ ଆଡ଼କୁ କଟମଟ କରି ଚାହିଁ ପଳାଇବାକୁ ଚେଷ୍ଟା କଲା । ମୁଣ୍ଡତଳେ ତକିଆ କରି ଶୋଇଥିବା ପାଗିଳୀର ଝୁଲା ବ୍ୟାଗ୍‌କୁ ସେ ନ ନେଇପାରି ଦୁମ୍ କରି ଫୋପାଡ଼ି ଦେଇ ମୋ ଦେହରେ ଘଷି ହୋଇ ଦୌଡ଼ି ପଳାଇଲା । ମୁଁ ତାକୁ ଅବଶ୍ୟ ଧରିବାକୁ ଉଦ୍ୟମ କରି ବିଫଳ ହେଲି ।

ଦେହରୁ ଖସି ଆସିଥିବା ଲୁଗାକାନିକୁ ଟେକିଧରି ପାଗିଳୀ ତା’ର ବ୍ୟାଗ୍‌କୁ ଉଠେଇଲା । ରାତିରେ ଖାଦ୍ୟ ନିମିତ୍ତ କୌଣସି ହୋଟେଲ୍‌ରୁ ସଂଗ୍ରହ କରିଥିବା ରୁଟି ଓ କେତେଟା ଶୁଖିଲା ଇଡ଼ଲି ବ୍ୟାଗ୍‌ରୁ ଖସି ପଡ଼ିଥିବାରୁ ତାକୁ ଗୋଟାଇ ପୁଣି ସେ ବ୍ୟାଗ୍‌ରେ ରଖିଲା ।

ଯୁବକଟିକୁ ଧରିବାକୁ ତ ଚେଷ୍ଟା କରି ଧରିପାରିଲି ନାହିଁ । ଛାଇଛାଇକା ଆଲୁଅରୁ ବାହାରି ସେ ଯେତେବେଳେ ମୁଖ୍ୟ ରାସ୍ତାରେ ଦୌଡ଼ିବାକୁ ଲାଗିଲା, ମୁଁ ତାକୁ ଚିହ୍ନିବାରେ କୌଣସି ଅସୁବିଧା ନଥିଲା । ପାଖ ବସ୍ତି ଅଞ୍ଚଳରେ ରହୁଥିବା ବୀର ରାଜମିସ୍ତ୍ରୀର ପୁଅ କ୍ଷୀରୁଆ ।

ସେ ମୋତେ ଭଲଭାବରେ ଜାଣିଥିବାରୁ ପାଗିଳୀକୁ ଛାଡ଼ି ସେ ପଳାଇଲା ଏହା ସ୍ୱୀକାର କରିବାକୁ ପଡ଼ିଲା ।

ପାଗିଳୀ ପାଖରୁ ଅଳ୍ପଦୂର ଆଗକୁ ଯିବାପରେ କ୍ଷୀରୁଆକୁ ଧରିବା ଉଦ୍ଦେଶ୍ୟରେ ମୁଁ ବିଫଳ ହେଲା ପରେ ଠିଆ ହୋଇ ପଛକୁ ଚାହିଁଲି । ପାଗିଳୀ ସେଠି ଠିଆ ହୋଇ କଟମଟ କରି ଚାହିଁଥିଲା କ୍ଷୀରୁଆ ପଳାଇବା ରାସ୍ତାକୁ ।

ପାଗିଳୀ ପାଖକୁ ଆସିଲି । ତା’ ସାମ୍ନାରେ ପଡ଼ିଥିବା କେତେଗୁଡ଼ିଏ ଟଙ୍କାଏ ଦୁଇଟଙ୍କିଆ କଏନ୍ ବିଛେଇ ହୋଇ ପଡ଼ିଥିଲା ମୁଖ୍ୟ ରାସ୍ତାର ମଝିଯାଏ । ଗୋଟି ଗୋଟି କରି ଗୋଟାଇ ଦେଖିଲି ପ୍ରାୟ ତିରିଶ ଚାଳିଶ ଟଙ୍କାରୁ ଅଧିକ ହେବ । ପାଗିଳୀର ଆହୁରି ନିକଟତର ହୋଇ ତା’ ଟଙ୍କା ନେବାକୁ କହିଲି ।

– ନେ, ତୋ ଟଙ୍କା ନେ. . . ।

କିଛି କହିଲା ନାହିଁ । ମୋତେ ବଡ଼ ବଡ଼ ଆଖିରେ ଚାହିଁଲା । ମୁଁ ଭୟ କରିଗଲି । ଭାବିଲି ମସ୍ତିଷ୍କ ବିକୃତି ଘଟି ଯାଇଥିବାରୁ ସେ ହୁଏତ ମୋ ଉପରେ ବି ଆକ୍ରମଣ କରିପାରେ । ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଭୟଭୀତ ହୋଇ ସାଉଁଟି ଥିବା ଟଙ୍କାକୁ ତା’ ପାଖରେ ଥିବା ଯୋତା କାରିଗରର ପେଟି ଉପରେ ରଖି ଫେରି ଆସିଲି ମେଡ଼ିକାଲ୍ ଭିତରକୁ ।

ପାଗିଳୀ ସେଠୁ ତା’ ଟଙ୍କା ନେଲା କି ନାହିଁ ନଜର ରଖିବାକୁ ମୋ ପାଖରେ ସମୟ ନ ଥିଲା । ତା’ ଛଡ଼ା ମୁଁ ବୁଝିପାରୁ ନଥିଲି କ୍ଷୀରୁଆ ଏ ନିରାଶ୍ରୟୀ ସହିତ କାହିଁକି ଲାଗୁଥିଲା ? କ’ଣ ଇଜ୍ଜତ ନା ଟଙ୍କା ଲୁଟ ପାଇଁ ? ଅବଶ୍ୟ ଏ ସହରରେ ତ ଅନେକ ଘଟଣା ଘଟିଯାଇଛି । ଏହି ବାରମ୍ୱାର ପ୍ରକ୍ରିୟା ଭିତରେ କେତେବେଳେ ଅର୍ଥ ପୁଣି କେତେବେଳେ ଇଜ୍ଜତ ପାଇଁ ମୃତ୍ୟୁଦଣ୍ଡ ଭଳି କଳଙ୍କର ଛାପ ଲାଗିଯାଇଛି ଏ ସହରର ମାନଚିତ୍ରରେ ।

ମେଡ଼ିକାଲ୍ ଭିତରକୁ ଆସିଲାପରେ ବୁଝିଲି ସାନ୍ସା ସକାଳ ଯାଏ ବେଡ୍‌ରେ ରହିବ । ଡାକ୍ତର ତାକୁ ଅବଜରଭେସନ୍‌ରେ ରଖିଛନ୍ତି । ସାନଭାଇ ଆସି ସୁଲୋଚନା ସହିତ ରୋଗୀର ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିବାରୁ ମୋତେ ଆହୁରି ସମୟ ମିଳିଗଲା ପାଗିଳୀର ଗତିବିଧି ଉପରେ ନଜର ରଖିବା ପାଇଁ ।

ମୁଖ୍ୟ ଫାଟକ ଆଡ଼କୁ ପୁନର୍ବାର ଗଲି । ଦୂରରୁ ଥାଇ ନିରୀକ୍ଷଣ କଲି ପାଗିଳୀ ଆଉ ସେଠି ନାହିଁ । ସାହସ ବାନ୍ଧି ଯୋତା କାରିଗରର ପେଟି ପାଖକୁ ଗଲି । ପାଗିଳୀର ବୁଜୁଳି କିମ୍ୱା ମୁଁ ରଖି ଆସିଥିବା ଟଙ୍କା ସେଠାରେ ନାହିଁ ।

ମୋ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଆସିଲା । ମୁଁ ଯିବାପରେ କ୍ଷୀରୁଆ ତାକୁ ହଇରାଣ କରିନାହିଁ ତ । ସହରର ଅତୀତ ଇତିହାସରେ ପାଗିଳୀର ରକ୍ତ ଜୁଡୁବୁଡୁ ମୃତ ଶରୀର ଉପରେ ଲୋଟିପଡ଼ି ସକାଳ ଯାଏ କ୍ଷୀର ଖାଇବା ଆଶାରେ ବସିଥିବା ଶିଶୁର ଚିତ୍ର ଏଯାଏ ଲୋକଙ୍କ ମନରୁ ଲିଭିନାହିଁ । ଅନ୍ତଃସତ୍ତ୍ୱା ପାଗିଳୀର ଫୁଟପାଥ୍‌ରେ ପ୍ରସବ ଯନ୍ତ୍ରଣା ସହରର ଛାତିରେ ଭୂମିକମ୍ପ ସୃଷ୍ଟି କରିଥିଲା ।

ଡାକବଙ୍ଗଳା ଛକ ଆଡ଼କୁ ଆଗେଇଲି । କଲେଜ ରୋଡ଼ର ଗୋଟିଏ ପାର୍ଶ୍ୱରେ ଥିବା ଅନ୍ଧାରିଆ ଦୋକାନ ପିଣ୍ଡାରେ କ୍ଷୀରୁଆ ବିକୃତ ମସ୍ତିଷ୍କ ପୁରିଆ ସହିତ ଗେଞ୍ଜଇ ଟାଣୁଛି । ସେମାନଙ୍କ ନଜର ମୋ ଉପରେ ପଡ଼ିବା ପୂର୍ବରୁ ମୁଁ ପଛୁଆ ପାଦ ପକେଇ ପଳାଇ ଆସିଲି । ପୁରିଆ ପ୍ରତି ମୋର ଅନେକ ଭୟ ଥିଲା । ବିକୃତ ମସ୍ତିଷ୍କ ଥିବାରୁ ନାନା ଅଗଟଣ ଘଟାଇବାରେ ସେ ପ୍ରାୟ ସମୟରେ ଲିପ୍ତ ରହିଥିଲା । ରାତି କଥା ତ ଭିନ୍ନ । ଦିନରେ କଲେଜ ପଢୁଆ ଝିଅ କିମ୍ୱା ମଫସଲରୁ ଆସୁଥିବା ସରଳମନା ମହିଳାମାନଙ୍କୁ ଖୁବ୍ ହଇରାଣ ହରକତ କରୁଥିଲା । ନିଶାଖୋର ପୁରିଆ ଯେକୌଣସି ସମୟରେ ବିଭିନ୍ନ ପ୍ରକାର ଗଣ୍ଡଗୋଳ ସୃଷ୍ଟି କରିପାରେ ଏ ବିଶ୍ୱାସ ମୋର ଦୃଢ଼ ଥିଲା ।

ଭୋର ଚାରିଟା ପ୍ରାୟ ହୋଇଆସିଲାଣି । ଚା’ ଦୋକାନୀମାନେ ସେମାନଙ୍କର ବ୍ୟବସାୟ ନିମିତ୍ତ ଉଠି କାଁ ଭାଁ ତାଟି କବାଟ ଖୋଲିଲେଣି । ମୋର ସାହସ ଆହୁରି ବଢ଼ିଗଲା ରାତିର ଭୟ କ୍ରମେ ଦୂର ହୋଇଯାଉଥିଲା ସକାଳର ଆଗମନ ପାଇଁ ।

ମେଡ଼ିକାଲରେ ଥରେ ଦେଖାହେବା ପରଠାରୁବାହାଦୂରକୁ ରାତିସାରା ମୁଁ ଆଦୌ ଦେଖି ନଥିଲି । ଦଙ୍ଗା ଆଶଙ୍କାରେ ସହରର ଆରପଟରେ ଥିବା ବାହାଦୂର ୟା’ ଭିତରେ ଯେ କେତେବେଳେ ଆସି ମେଡ଼ିକାଲ୍ ଭିତରେ ମୋତେ ଖୋଜି ମୁଖ୍ୟ ଫାଟକ ଦେଇ ମୋ ପାଖକୁ ଆସୁଛି ଜାଣିପାରିଲି ନାହିଁ । ବୋଧହୁଏ ମେଡ଼ିକାଲର ପଛ ଫାଟକ ଦେଇ ସେ ଆସିଥିଲା ବୁଝିବାକୁ ବାକୀ ରହିଲା ନାହିଁ ।

ବାହାଦୂର ମୋତେ ଖୋଜି ପାଖରେ ପହଞ୍ଚିବା ପରେ ପୂର୍ବ ପରି ସଲାମ କଲା । ସେ ପାଖରେ ପହଞ୍ଚିବାର ଶତସିଂହର ବଳ ମୋ ଶରୀରରେ ପ୍ରବେଶ କଲାପରି ମୁଁ ଅନୁଭବ କଲି । ରାତିର ଘଟଣାକ୍ରମ ସମ୍ପର୍କରେ ତାକୁ କହିଲି । କ୍ଷୀରୁଆ ଓ ପୁରିଆଙ୍କ ଦୌରାତ୍ମ୍ୟ କଥା କହିଲା ପରେ ସେ ମୋତେ ପୂର୍ବ ରାତିର ଘଟଣା କିପରି ଘଟେ ଏବଂ ସେ କେଉଁଭଳି ସେମାନଙ୍କ ରୋଷର ଶିକାର ହୋଇ ଆସିଛି ସବୁ ମନ ଖୋଲି କହିଲା । ଅବଶ୍ୟ କିଛିବର୍ଷ ହେଲା ସେ ଏହି ସହରରେ ରହି ଆସୁଥିବାରୁ ସମ୍ପୂର୍ଣ୍ଣ ଓଡ଼ିଆରେ କଥାବାର୍ତ୍ତା କରିପାରେ । କହିଲାବେଳେ ବେଳେବଳେ ହିନ୍ଦୀ ଭାଷା ତା’ ପାଟିରେ ତଥାପି ପଶିଯାଏ ।

ପ୍ରାଞ୍ଜଳ ଓଡ଼ିଆରେ ସେ କହିଲା- ପ୍ରାୟ ସବୁ ରାତିରେ ମୁଁ ନାକେଦମ୍ ହେଇଯାଏ । ଚୋରଙ୍କୁ ଜଗିବା ସହିତ ଏଇ କ୍ଷୀରୁଆ ପୁରିଆ ଭଳି ଆହୁରି କିଛି ମାରାତ୍ମକ ମଣିଷକୁ ରାତିରେ ସହର ଭିତରୁ ଘଉଡେ଼ଇବା ପାଇଁ ବହୁତ ହଇରାଣ ହୁଏ । ବେଳେବେଳେ ଚୋରଙ୍କ ସହିତ ସଲାସୁତୁରା କରି ଏପଟେ ପାଗିଳୀଙ୍କ ସହିତ ଲାଗନ୍ତି । ମୁଁ ଏମାନଙ୍କୁ ୟାଡେ଼ ଘଉଡେ଼ଇବା ବେଳକୁ ସେପଟରେ ଚୋରି । ଏକୁଟିଆ କ’ଣ କରିବି କୁହନ୍ତୁ ? ମୋ ପାଖରେ ଲାଠି ବ୍ୟତୀତ ଆଉ କିଛି ନାହିଁ । ଜୀବନ ମରଣ ଅଙ୍କ କଷୁ କଷୁ ସବୁ ରାତି ଏଇମିତି କଟିଯାଏ ।

ଦୋକାନୀର ସସ୍ପେଣ୍ଡରୁ ଚା’ ଫୁଟିବାରୁ ବାସ୍ନା ଆସିଲାଣି । ମେଡ଼ିକାଲରେ ରାତି କଟେଇଥିବା ଆମ ଭଳି କିଛି ଲୋକ ବି ଚା’ ପିଇବା ଲାଗି ଠିଆ ହେଲେଣି ।

ବାହାଦୂର ଓ ମୁଁ ଚା’ ପିଇଲୁ । ଏ ଛୋଟିଆ ସହରର ନିତିଦିନିଆ ଘଟଣାରେ ମୁଣ୍ଡ ପୁରାଇ ଅଧିକ ଭାରାକ୍ରାନ୍ତ ହେବାକୁ ଉଚିତ୍ ମନେକଲି ନାହିଁ । ଏସବୁ ଘଟଣାକ୍ରମର ଆଢୁଆଳରେ କେତେକ ପ୍ରଶ୍ନ ବାରମ୍ୱାର ଆନ୍ଦୋଳିତ କରିଆସୁଥିବାରୁ ଆଜି ମୁଁ ନିଶ୍ଚିନ୍ତ ହୋଇଗଲି । ବିଦ୍ୟାଳୟ କିମ୍ୱା ସରକାରୀ ଅଫିସ୍ ଗୁଡ଼ିକର ଖୋଲାମେଲା ବାରଣ୍ଡାରେ ଅଥବା ଦୋକାନ ବାରମ୍ୱାରେ ଅସହାୟ ମଣିଷ କାହିଁକି ଆଶ୍ରୟ ନିଅନ୍ତି ନାହିଁ ? କାହିଁକି ସରକାରୀ ଡାକ୍ତରଖାନାର ପରିତ୍ୟକ୍ତ ବାରଣ୍ଡା ଓ ଜନଗହଳିପୂର୍ଣ୍ଣ ରେଳ ପ୍ଲାଟଫର୍ମ ତଥା ବସ୍‌ଷ୍ଟାଣ୍ଡ ଗୁଡ଼ିକରେ ରାତିରେ ଆଶ୍ରୟ ନିଅନ୍ତି ।

ଏସବୁ ପ୍ରଶ୍ନର ମିମାଂସା ହୁଏତ ନିଶ୍ଚୟ ଥିଲା ଯେ ସହରରେ ରାତ୍ର ଆଶ୍ରୟସ୍ଥଳୀର ଘୋର ଅଭାବ । କିମ୍ୱା ହୁଏତ ହୋଇପାରେ ସ୍ମାର୍ଟ ସିଟିମାନଙ୍କରେ ଥିବା ରାତ୍ର ଆଶ୍ରୟସ୍ଥଳୀରେ ଜଗୁଆଳୀଙ୍କ ଅଭାବ ।

ଅସୁରକ୍ଷିତ ମନେ କରୁଥିବା ଏହି ପାଗଳ-ପାଗିଳୀ କିମ୍ୱା ବୟୋବୃଦ୍ଧମାନଙ୍କର ସୁରକ୍ଷାଦାତା କିଏ । କଣ ଏହି ପରିବାର ପ୍ରତିପୋଷଣ ନିମିତ୍ତ ନିଜ ଜୀବନକୁ ବାଜି ଲଗାଇ ପ୍ରତି ରାତିରେ ସଂଗ୍ରାମ କରୁଥିବା ରାମ ବାହାଦୂରର । ପାୱାର କଟ୍ ଦ୍ୱାରା ବାରମ୍ୱାର ଦୁଷ୍କର୍ମର ଶିକାର ହେଉଥିବା ରାତିର ସୁରକ୍ଷା ଜାଣେ କିଏ ?

ସମ୍ପୂର୍ଣ୍ଣ ସକାଳ । ସାରା ରାତି ଘାଲେଇ ପଡ଼ିଥିବା ସହରଟା ଏଭେ ଚଳଚଞ୍ଚଳ ହୋଇଗଲାଣି । ମେଡ଼ିକାଲ ବାରଣ୍ଡା କିମ୍ୱା ଇତସ୍ତତଃ ରାତି କଟେଇଥିବା ଅସହାୟ ଅସହାୟାମାନଙ୍କର ଦେଖା ନ ଥିଲା । ବୋଧହୁଏ ସକାଳର ଖାଦ୍ୟ ଅନ୍ୱେଷଣରେ ସେମାନେ ବାହାରି ଯାଇଥିଲେ ବିଭିନ୍ନ ସ୍ଥାନକୁ ।

ଅବିଶ୍ୱସନୀୟ ସତ୍ୟତାରେ ଓତଃପ୍ରୋତ ଥିବା ମନୋଭାବକୁ ତଥାପି ମୁଁ ସଜାଡ଼ି ପାରୁନଥିଲି ।

ପଛରୁ ସାନଭାଇ ଆସି ଡାକିଲା, “ସାନ୍ସାକୁ ଘରକୁ ନେଇଯିବାକୁ ଡାକ୍ତର କହିଲେଣି, ଆସ ଯିବା ।”

ବାହାଦୂର ସାଙ୍ଗରେ କରମର୍ଦ୍ଦନ କରି ପୁନର୍ବାର ମୁଁ ଫେରି ଆସିଲି ମୋ ତେଲ ଲୁଣ ସଂସାରର ଚିନ୍ତା ଭିତରକୁ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top