ଗଳ୍ପ

ଅଟଳ ବିଶ୍ୱାସ

Kalindicharana Panigrahi's odia story Atala Biswas

ଚାହାଳିକୁ ଯାଇ ଅକ୍ଷର ଚିହ୍ନିବା ଶକ୍ତି ହାସଲ କରିବା ଦୂରେ ଥାଉ, ଖାଇବା ପିନ୍ଧିବା ଛଡ଼ା ଆଉ କିଛି କାମ ତାହାକୁ ଆସେ ନାହିଁ- ଦୁନିଆଁର ସମ୍ପୂର୍ଣ୍ଣ ଅନାବଶ୍ୟକ ।

ଅଟଳ ବିଶ୍ୱାସ

ଚାରିମାଣ ଜମିକୁ ପାଞ୍ଚପ୍ରାଣୀ କୁଟୁମ୍ୱ । ସଦାଶିବ ଏଇ ପାଞ୍ଚଜଣଙ୍କ ଭିତରେ ଜଣେ । ସେ କେବେହେଲେ ଭାବିନି, କାହିଁକି ସଂସାରକୁ ଆସିଲା, କିନ୍ତୁ ଏଠାରେ ତାହାକୁ ଯେ ଖାଇପିଇ ରହିବା ଲୋଡ଼ା, ସେ କଥା ନ ଭାବିଲେ ତ ଚଳେ ନାହିଁ ।

ଘର ଭିତରେ ସେ ଅନେକ ଦିନ ମାଆଠାରୁ ଭାତ ଖାଇବାକୁ ନ ପାଇ ଗାଳି ମାଡ଼ ଖାଏ । ଆହୁରି ଅନେକ ଦିନ ତୋରାଣି ଭିତରୁ ଭାତ ଛାଣି ନ ପାରି ସବୁତକ ଢକ ଢକ କରି ପିଏ । କୁଆ, ଶାଗୁଣା, ବିଲେଇ, କୁକୁର ନିଜ ନିଜ ଆହାର ଖୋଜି ଖାଉଛନ୍ତି, ତୁ ସବୁବେଳେ କୋଢ଼ି ହୋଇବସିବୁ, କିଏ ତୋ ମୁହଁରେ ଦି’ଓଳି ହାଣ୍ଡିଏ ଲେଖାଏଁ ଭାତ କୁଢ଼େଇବରେ ? ଏତେ ଲୋକ ସଂସାରରେ ମରୁଛନ୍ତି, ତୁ ନ ମଲୁ କାହିଁକି ?

ଖାଇ ବସିଲେ ଗାଳି, ଘରେ ପଶିଲେ ଗାଳି । ବାସ୍ତବିକ୍ ସଦାଶିବ କାହିଁକି ନ ମଲା, ଆଦୌ ତାହା ବୁଝିପାରେ ନାହିଁ । ବୁଝିବାକୁ ଚେଷ୍ଟା କଲେ ଅବା ମରନ୍ତା, କିନ୍ତୁ ସେତକ ଶକ୍ତି ତାହାର ନ ଥିଲା । ଚାହାଳିକୁ ଯାଇ ଅକ୍ଷର ଚିହ୍ନିବା ଶକ୍ତି ହାସଲ କରିବା ଦୂରେ ଥାଉ, ଖାଇବା ପିନ୍ଧିବା ଛଡ଼ା ଆଉ କିଛି କାମ ତାହାକୁ ଆସେ ନାହିଁ- ଦୁନିଆଁର ସମ୍ପୂର୍ଣ୍ଣ ଅନାବଶ୍ୟକ ।

କିରେ ସଦା ! ଆଚ୍ଛା, ତୋର କେତୁଟା ଆଙ୍ଗୁଠି, କହିଲୁ ?

ସଦା ଘଡ଼ିଏ ପର୍ଯ୍ୟନ୍ତ ଗୋଟି ଗୋଟି କରି ନିଜ ଆଙ୍ଗୁଠିଗୁଡ଼ିକୁ ଗଣତି କରେ- ଏକ-ଦୁଇ-ତିନି- ତାହାପରେ ଆଉ ଗଣି ଆସେନି ତାକୁ, କାରଣ ଏଇ ପର୍ଯ୍ୟନ୍ତ ତା’ର ଅଙ୍କଜ୍ଞାନ । ଆଙ୍ଗୁଠି ଗଣତିରେ ଯଥାସାଧ୍ୟ ମେହେନତ କରିସାରି ଶେଷରେ ସେ ଉତ୍ତର ଦିଏ- ତିନିଟା । ସାଙ୍ଗ ପିଲାମାନେ ଠୋ’ ଠୋ’ ହସିଉଠନ୍ତି । ସଦା କିଛି ସମୟ ଆବା କାବା ହୋଇ ତାଙ୍କୁ ତକାଏ । ତାହାପରେ ନିଜେ ମଧ୍ୟ ତାଙ୍କ ସହିତ ହସି ପକାଏ ।

ବାପ ମାଆଙ୍କ ଭିତରେ ଝଗଡ଼ା ହୁଏ । ବାପ କହେ, “ତୁ ସେଇଟାକୁ ଖୁଆଇ ଖୁଆଇ ଗଧ କରିଦେଲୁ ।”

ମାଆ କହେ- “ଘରେ କେତେ ଚାଉଳ ଅଛି କି, ମୁଁ ତାକୁ ଖୁଆଇଲି । କାମରେ ନ ଲଗାଇଲେ ସେ ତ ଆହୁରି ଗଧ ପାଲଟିଯିବ । ତାକୁ ତୁମେ କାମ ଦେଉନ ।”

ସଦା କାମରେ ଲାଗେ । କୋଡ଼ି ଧରି ହିଡ଼ ହାଣୁ ହାଣୁ ଆପଣା ଗୋଡ଼ରେ ଚୋଟ ବସେ । ସେଠୁଁ ଆସି ଚାରିଦିନ ଘରେ ପଡ଼ିରହେ । ସେ ଅନ୍ଧ, କାଲ କି ବୋକା ନୁହେଁ, ସବୁ ମଣିଷଙ୍କ ପରି ସେ କଥା କହେ, ହସେ ଶୁଣେ ଓ ଦେଖେ । ସମସ୍ତଙ୍କ ପରି ବେଶ୍ ଚଲାବୁଲା ମଧ୍ୟ କରିପାରେ । ଅଥଚ କିଛି ଟିକିଏ ଟାଣୁଆ କାମ ବତେଇଲେ ଶଙ୍କିଯାଏ ।

ଘର ଭିତରେ ସମସ୍ତଙ୍କୁ ସେ ଡରି ଡରି ଚଳେ । କାହିଁକି ନା ବାପା ଭାଇ ମାଆ ସବୁବେଳେ ତାକୁ ଦୂର୍ ଦୂର୍ ମାର୍ ମାର୍ କରି ତଡ଼ନ୍ତି । ସେମାନେ ବା କେତେ ସହିବେ । ସମସ୍ତେ ଦିନରାତି ଖଟି ଖଟି ମଧ୍ୟ ଗୋଟାଏ ଲୋକକୁ ଖାଲି ବସେଇ ଖୁଆଇବା ପାଇଁ ତାଙ୍କର ସାମର୍ଥ୍ୟ କାହିଁ ? ନିଜ ଖାଟେଣିକୁ ଚାହିଁ ନିଜକୁ ଆଗ ପୂରାପେଟ ଖାଇବାକୁ ମିଳୁଚି କି !

ନରେନ୍ଦ୍ର କହେ- “ସଦା ଠିକ୍ ଆମ ପୁରାଣ ବର୍ଣ୍ଣିତ ଜଡ଼ଭରତ ଛାଞ୍ଚରେ ଢଳା । କିଏ କହିବ, ଜଡ଼ଭରତ ପୁନର୍ଜନ୍ମ ପାଇ ବାସୁ ମହାଳିକ ଘରେ ଜନ୍ମି ନାହିଁ ।”

ହୋଇପାରେ, କିନ୍ତୁ ସେ ଯେ ଜଣେ ବଡ଼ଲୋକ ନିଶ୍ଚୟ, ଏଥିରେ ତିଳାଧାନ ସନ୍ଦେହ ନାହିଁ । ତାହାର ଅନ୍ତତଃ ଜଣେ ଜନ୍ମବେକାର ଶିଳ୍ପପତି ଘରେ ଜନ୍ମ ହେବା ଉଚିତ୍ ଥିଲା । ଗୋବିନ୍ଦ କୌତୁକ କରେ ।

ହଁ, ସେ ଜନ୍ମ ବେକାର । କାମ କରିବାକୁ ଚେଷ୍ଟା କଲେ ବି ତା’ ହାତରେ କିଛି ହୋଇପାରେନି । କିନ୍ତୁ ନରେନ୍ଦ୍ର ଦେଖେ, କାମ କରିବାକୁ ସବୁବେଳେ ତ ତା’ର ଇଚ୍ଛା । ନରେନ୍ଦ୍ରକୁ ଖୁସି କରିବାକୁ ସବୁବେଳେ ସେ ଯେମିତି ବ୍ୟଗ୍ର । ଯେମିତିକି ନିଜର ସବୁ ମନ ପ୍ରାଣ ତାହାରି ପାଖରେ ଢାଳି ଦେବାକୁ ସେ ଲୋଡୁଛି । ନରେନ୍ଦ୍ର ବସିଥିବା ବେଳେ ସେ ପାଖରେ ବସେ । ଗାଧୋଇ ଗଲେ ସେ ଲୁଗା ଗାମୁଛା ତେଲ ଆଣି ଦିଏ । ରାତିରେ କୁଆଡ଼େ ବାହାରିଲେ ସାଙ୍ଗରେ ଲଣ୍ଠନ ଧରି ଚାଲେ ।

ଅସଲ କାରଣ ହେଲା, ନରେନ୍ଦ୍ର ମନ ଭିତରେ ସଦା ପାଇଁ ଟିକିଏ ନରମ ସ୍ଥାନ ଥିଲା । ସମସ୍ତେ ତାକୁ ଯେମିତି ନିର୍ମମ ଥଟ୍ଟା ପରିହାସ କରନ୍ତି, ନରେନ୍ଦ୍ର ସେପରି କରେ ନାହିଁ । ଆହା ବିଚାରା ବୋଲି ଗୋଟାଏ ମାନବିକ ଅନୁକମ୍ପା ଥାଏ ସଦା ପ୍ରତି । ଘରୁ ମାଡ଼ ଗାଳି ଖାଇ ସଦା ଯେତେବେଳେ ମୁହଁ ଶୁଖାଇ ଆସି ପାଖରେ ବସେ, ସେତେବେଳେ ନରେନ୍ଦ୍ର ତାକୁ ମୁଠାଏ ଖାଇବାକୁ ଦିଏ । କିନ୍ତୁ କେତେଦିନ ? ନରେନ୍ଦ୍ରର ଅବା ସମ୍ୱଳ କାହିଁ, ସବୁଦିନ ତାକୁ ପୋଷିବା ପାଇଁ ।

ସଦାର ବାପ, ମା’, ଭାଇ କୁଆଡ଼େ ମରି ହଜିଗଲେଣି । ନିର୍ବିକାର ଭାବରେ ସମସ୍ତଙ୍କ ଶ୍ରାଦ୍ଧକ୍ରିୟା ସେ କରିଛି । ଏହିସବୁ କାର୍ଯ୍ୟରେ ଗ୍ରାମବାସୀମାନେ ତାହାକୁ ଯଥେଷ୍ଟ ସାହାଯ୍ୟ କରି ତାହାର ଚାରିମାଣ ପାର୍ଥିବ ସମ୍ପତ୍ତିକୁ ନିଜ ଭିତରେ ବାଣ୍ଟିକୁଣ୍ଟି ନେଲେଣି । ସଦେଇ ତାହାର ମଇଁଷି ହଳକ ଧରି ମାମୁଁ ଘରେ ଆସି ରହିଲା । ଆଗକୁ ପଛକୁ ତ ଆଉ କେହି ନାହିଁ । ଘରଖଣ୍ଡି ସୁଦ୍ଧା ତ ଚାଲିଗଲା । ଆଉ ସେ କରନ୍ତା କ’ଣ ?

ସେ କିନ୍ତୁ ପ୍ରକୃତ ଆଶ୍ରୟ ନେଇଛି, ନରେନ୍ଦ୍ର ପାଖରେ । ସେଥିପାଇଁ ତା’ର ପରୁଆ ନ ଥାଏ କିଛି କଥାକୁ । ନରେନ୍ଦ୍ର ଆଗରେ ଗାଁ ଗୋଟାକାର ବିଶ୍ୱାସ ଆସି ସେ ତୁନି ତୁନି କହେ । କିଏ କାହା ବିରୋଧରେ କ’ଣ କହୁଛି, କିଏ କାହା ଜମି ଜବରଦସ୍ତି ଚଷିଲାଣି, ନାଥ ସୁବୁଦ୍ଧି ତା’ ପୁଅଠୁଁ କାହିଁକି ଭିନ୍ନେ ହେଲା, ଓଲେଇ ସୁଲୀକୁ ତାହାର ସ୍ୱାମୀ କେଉଁଦିନ ମାଇଲା, ଇତ୍ୟାଦି କିଛି ଖବର ସେ ଲୁଚାଏ ନାହିଁ ।

ତା’ପରେ

ଲୋକପ୍ରିୟ ଲେଖା

To Top