ଗଳ୍ପ

ଅଟଳ ବିଶ୍ୱାସ

Kalindicharana Panigrahi's odia story Atala Biswas

ତେବେ ଏତିକି କେବଳ ବୁଝେ, ଦୁନିଆଁ ଭିତରେ ନାନା ଉପାୟରେ, ନାନାରୂପ ଓ ଭେକ ଧରି ଜଣେ ଜଣକୁ ଠକିବା ଛଡ଼ା ଆଉ କିଛି ନାହିଁ ।

ଅଟଳ ବିଶ୍ୱାସ

-: ପୂର୍ବରୁ :-

ଗୋବିନ୍ଦ କହେ, ସଦାକୁ ପଚାରିଲ, “ହାଟରୁ କାଲି ସେ କେତେକର ସଉଦା ଆଣିଛି ?”

ହଁ, ମ- ଆପେ ତ ଭାରି ଚାଲାଖ । ଗୋଟାଏ କଥା ପଚାରିଲେ ପଛେ ଆପଣାକୁ କହି ଆସିବ ନାହିଁ । ସଦା ଅଳ୍ପକେ ରାଗିଯାଏ । ଥଟ୍ଟା, ପରିହାସ ବୁଝିବା ତାହା ପକ୍ଷରେ କଷ୍ଟକର, କିନ୍ତୁ ଗୋବିନ୍ଦ ତାକୁ ଛାଡ଼ିବାର ପାତ୍ର ନୁହେଁ । ସେ ଜିଦ୍ କରେ, ହଉ, ମୁଁ ଜାଣି ତ ବୋକା । ତୁ ଆଗ କହିଲୁ ଦେଖି, କାଲି କେତେକର କି କି ସଉଦା ହାଟରୁ ଆଣିଲୁ ।

ମୁଁ ଯେତେକର ସଉଦା ଆଣିଲି, ସେଥିରେ କାହାର କ’ଣ ହେଲା ? ସଦା ଚିଡ଼ିଉଠେ ।

ନରେନ୍ଦ୍ର ମଧ୍ୟ ଗୋବିନ୍ଦକୁ ସମର୍ଥନ କରି ପଚାରେ, “ହଉ, କହି ଦେଉନୁ, କହିଲେ କ’ଣ ମାରା ?”

ସଦା ହାଟ ସଉଦାର ହିସାବ ଦିଏ, “ନୁଣ ଦି’ପଇସା, ଲଙ୍କା ପଇସାକର, ସୋରିଷ ଦି’ପଇସାର ।”

ଆଚ୍ଛା, ସବୁ ମିଶି କେତେକର ହେଲା ?

ଦି’ ଅଣାର ! ଜୋର୍ ଗଳାରେ ଜବାବ୍ ଦିଏ ।

ସତକୁ ସତ ସେ ପାଞ୍ଚ ପଇସାର ସଉଦା କିଣି ଦୋକାନୀକୁ ସିଧା ଦୋଅଣିଟିଏ ପକାଇ ଦେଇ ଚାଲିଆସିଛି । ଦୋକାନୀ ଯେବେ ବାକି ତିନି ପଇସା ଫେରେଇ ଦିଏ, ତେବେ ସେଇଟା ତାହାର ମହତ ପଣିଆ ଯୋଗୁଁ, ନଇଲେ ସାଧାରଣ ରୀତି ଅନୁସାରେ ତ ଫେରାଇବାର କଥା ନୁହେଁ । କିଏ ଭଲା କାହାଠୁ କିଛି ନେଇ ଫେରାଇଲାଣି ।

କେତେଥର ଏମିତି କାହାକୁ ଓଲୁକର ଗଣିବାକୁ ପଡ଼େ । ତେବେ ସୁଦ୍ଧା ସେ ବୁଝିପାରେ ନାହିଁ । ବୁଝିପାରେ ନାହିଁ ଯେ ତାକୁ ଆଉ କିଏ ଠକୁଚି କି ସେ ନିଜକୁ ନିଜେ ଠକୁଛି । ତେବେ ଏତିକି କେବଳ ବୁଝେ, ଦୁନିଆଁ ଭିତରେ ନାନା ଉପାୟରେ, ନାନାରୂପ ଓ ଭେକ ଧରି ଜଣେ ଜଣକୁ ଠକିବା ଛଡ଼ା ଆଉ କିଛି ନାହିଁ । କେଉଁଠି କିଏ ବୁଝାଇ ଶୁଝାଇ, ଜଣେଇ ଶୁଣେଇ ଠକୁଚି । ଆଉ କାହିଁ କିଏ ଲୁଚେଇ ଛପେଇ ମିଛ କହି ଠକୁଚି, କିଏ ଧମକ ଚମକ ଦେଇ ମାଡ଼ ଫଜିତି ଦେଇ ଠକୁଚି ତ ପୁଣି କିଏ ହାତ ଓଠ ଧରି ନେଉରା ହୋଇ । ସଦା ମଧ୍ୟ ଠକିବାକୁ ଚେଷ୍ଟା କରେ, ମାତ୍ର ସବୁ ଠକାମି ତାହାର ଧରା ପଡ଼ିଥାଏ, ସବୁଠାରେ ସେ ଉପହସିତ ହୁଏ । ଅନ୍ୟଠାରୁ ତା’ର ଫରକ୍ ଏତିକି ।

କି ଆସେନି ତାହାକୁ, ସଦା ସେଇ ଶ୍ରେଣୀର ଏକ ଅବାସ୍ତବ ଜୀବ, ମନୁଷ୍ୟ ନୁହେଁ । ତଥାପି ସେ ଅନ୍ୟଜଣକୁ ଠକିପାରିଛି ବୋଲି ମଝିରେ ମଝିରେ ଆତ୍ମପ୍ରସାଦ ଲାଭ କରେ । ଏହିରୂପେ ମଣିଷ ହେବା ପାଇଁ ତାହାର ଉଦ୍ୟମରେ ଅନ୍ତ ନାହିଁ ।

ଗୋବିନ୍ଦ ଟିହାଇ ଟିହାଇ ପୁଣି ପଚାରେ, “ହଁ, ସେଦିନ କ’ଣ ହେଲାଟି ?”

କେଉଁ ଦିନ ? ସଦା ଜଳ ଜଳ କରି ଅନାଏଁ ।

ଯେଉଁଦିନ ଗାମୁଛା ଚୋରିଗଲା । ଦେବୀ ଯାତରେ ।

ଗୋବିନ୍ଦ ମନେ ପକାଇ ଦିଏ, କିନ୍ତୁ ସଦାଠାରୁ କେହି ଯେ କେବେ କିଛି ଚୋରାଇ ନେଇପାରେ, ଏହା କଳ୍ପନାତୀତ । କାହାର ପୁଣି ଏତେ ସାହସ, ଏତେ ବୁଦ୍ଧି ଯେ ସଦାର ଚିଜ୍ ଚୋରାଇବ । ତାକୁ ପୁଣି ଠକିଦେବ ।

ହଁ, ଖାଲି ମିଛ କଥା । ହିଁ, ହିଁ, ମୋ ପାଖରୁ ପୁଣି ଚୋରି ଯିବ । ମୁଁ ଛାଡ଼ିଦେବି ନା ।

ଆଉ ତେବେ କୁଆଡ଼େ ଗଲା ଗାମୁଛା ।

ଉଡ଼ିଯାଇଥିବ କି କ’ଣ ? ଗହଳି ଭିତରେ କେଉଁଠି ଯେବେ ଖସି ପଡ଼ିଥିବ । ମୁଁ କ’ଣ ପରମା ହୋଇଛି କି ? ପରମା ସିନା ଗହଳି ଭିତରେ ହଜିଗଲା ଯେ ଖୋଜି ଖୋଜି ମିଳିଲା ନାହିଁ, ଆମେ ସମସ୍ତେ ଥକିଗଲୁ । ଶେଷରେ ଦେଖିଲାବେଳକୁ ଗୁଡ଼ିଆ ଦୋକାନରେ ବସି ବୁଟଭଜା ଚୋବାଉଛି । ମୁଁ ଭଲା ସେମିତି କେଉଁଦିନ ହଜିଲିଣି ?

ନା, ତୁ କାହିଁକି ହଜିବୁ ? ତୋ ଗାମୁଛା ସିନା ହଜିଗଲା । ତେବେ କ’ଣ କି- ଭିଡ଼ ଭିତରୁ କିଏ ହେଲେ ସେଖଣ୍ଡ ପାଇ ତ ଘେନି ପଳେଇଥିବ ।

ନେଲେ ନେଉ । ଗାମୁଛା ସିନା ନେଇଯିବ, ଆଉ କ’ଣ ପଇସା ପାଇବ ?

କୌତୂହଳୀ ନରେନ୍ଦ୍ର ପଚାରିଲା, “ପଇସା କେଉଁଠି ଥିଲା କି ?”

କାହିଁକି, ସେଇ ଗାମୁଛାରେ ! ବେପରୁଆ ହୋଇ ସଦାଶିବ ଜବାବ୍ ଦେଲା ।

ନରେନ୍ଦ୍ରକୁ ମଧ୍ୟ ବଡ଼ ଅଦ୍ଭୁତ ବୋଧ ହେଲା । ସେ ପଚାରିଲା, “ଯେଉଁ ଗାମୁଛାଟି ହଜିଗଲା ?”

ହଁ, ସେଇ ଗାମୁଛା ।

କେତେ ପଇସା ଥିଲା ସେ ଗାମୁଛାରେ ?

ମହାବିପଦରେ ପଡ଼ିଲା ସଦାଶିବ । ପଇସା ତ ଗଲାଣି, ଏକ୍ଷଣି କେତେ କେତେ ପଇସା ସେ କେମିତି କହିବ ? ଏ ତ କିଛି ସହଜ କଥା ନୁହେଁ । ଯାହାହେଉ, ଗୋବିନ୍ଦ ଏତେବେଳେ ତାକୁ ଟିକିଏ ସାହାଯ୍ୟ କଲା ।

କାହିଁକି, ଛ’ଅଣା-ପଇସା ପରା ନେଇଥିଲା ସେ ତା’ ମାମୁଁ ପାଖରୁ, କ’ଣ ସବୁ ଜିନିଷ କିଣିବ ବୋଲି । ଗାମୁଛାଟି ଗଲା, ତା’ ସଙ୍ଗରେ ଛ’ଅଣା ପଇସା ବି ଗଲା । ଶେଷକୁ ସଦା ବିଚରା ଖାଇଲା ମାଡ଼, ନାହିଁରେ ସଦା ।

ସଦା ଦେହରୁ କେତେଦିନୁଁ ମାଡ଼ ପ୍ରାସ ଛାଡ଼ିଗଲାଣି । ଆଜି ସେ ଅସଲ କଥାଟି ଫିଟାଇ କହିଦେଲା ।

ପଇସା ଯିବ କୁଆଡ଼େ ମ !

ପଇସା ତେବେ ରହିଲା କିମିତି ? ସେହି ଗାମୁଛାରେ ପରା ବାନ୍ଧିଥେଲୁ । ନରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

ହେଲେ କ’ଣ ହେଲା ? ମୁଁ କ’ଣ ଏମିତି ସେମିତି ଗଣ୍ଠି ସେଥିରେ ପକାଇଛି ପରା ।

ଯେ ଗାମୁଛା ଖଣ୍ଡ ପାଇଥିବ, ସେ କ’ଣ ସେ ଗଣ୍ଠିଟାକୁ ଫିଟାଇପାରିବ ନାହିଁ ।

ସେ ନା, ତା’ ବୋପା । ସଦମ୍ଭରେ କହିଲା ସଦା- ସେ ଗଣ୍ଠିକୁ ତା’ ବୋପା ଭଲା ଫିଟେଇଥିଲା କି ?

ନରେନ୍ଦ୍ର ଦେଖିଲା, ସଦାର ବିଶ୍ୱାସ ଦୃଢ଼ ଓ ଅଟଳ । ପବନ ବର୍ଷା ବେଗରେ ଲମ୍ୱ ଲମ୍ୱ ନଡ଼ିଆଗଛ ସବୁ ଦୋହଲି ଯାଉଛି, ସତେ ଅବା ଏକ୍ଷଣି ଉପୁଡ଼ି ପଡ଼ିବ, କିନ୍ତୁ ତାହାର ଚେର ଭାରି ଟାଣ । ସହଜରେ ଚଙ୍କେ ନାହିଁ । ବାହୁଙ୍ଗାଗୁଡ଼ାକ ବାବାଜୀଙ୍କ ଜଟା ଭଳି ଏଣେ ତେଣେ ଉଡ଼ିବାରୁ ଗଛର ଅଗଟାମାନ ଚନ୍ଦା ଦିଶି ନଡ଼ିଆ ପେଣ୍ଡା ସବୁ ଗଣି ହୋଇଯାଉଚି । ନରେନ୍ଦ୍ର ଭାବୁଚି, ଠିକ୍ ଏଇ ନଡ଼ିଆ ଗଛ ଭଳି ସଦାର ବିଶ୍ୱାସ ଅଟଳ ଅଚଳ । ସେ ସିନା ଅନ୍ୟଲୋକକୁ ଠକିପାରେ, ତାକୁ କେହି କେବେ ଠକିପାରେନା ।

ଗାଁ ଭିତରେ ତା’ର ମାମୁଁ ଘର, କିନ୍ତୁ କିବା ଆଶ୍ରୟ ସେ । ମାମୁଁଘର ବି ଟଳମଳ । ଘର ବୋଲି ଦି’ବଖରା, ସମ୍ପତ୍ତି ବୋଲି ଯୋଡ଼ିଏ ମଇଁଷି । ସେତିକି ଯାହା ତାଙ୍କ ନିଜଘରୁ ସେ ମାମୁଁ ଘରକୁ ଆଣିଛି । ସାତ ଆଠବର୍ଷ ବେଳୁଁ ସେଇ ମଇଁଷି ଜଗିବା ତା’ର କାମ, ସହଜ କାମ ତ ନୁହେଁ । ଖରାଦିନେ ପୁଣି ସେ ସବୁ ଜନ୍ତୁଙ୍କୁ ସମ୍ଭାଳିବା କାଠିକର ପାଠ । ବେଶି ଗରମ ହେଲେ, ଥିବେ ଥିବେ କିଛି ନ ମାନି ପାଣି କୂଳକୁ ଦଉଡ଼ିବେ । ସେତେବେଳେ ସଦା ତାଙ୍କୁ ପିଟି ପିଟି ହଇରାଣ ହୋଇଯାଏ ।

ଆଉ କେବେ ମଇଁଷି ପିଠିରେ ଚଢ଼ି ପାଞ୍ଚଣ ହାତରେ ଝୁଲି ଝୁଲି ଆସୁଥିବା ବେଳେ ଗୋବିନ୍ଦ ଡାକପକାଏ, “ହେ ଯମଦେବତା ! ତୁମେ ଆମକୁ ରକ୍ଷା କର । ସଦାର ଧୂସର ଚେହେରା ଭଳି ମହିଷ ଆରୋହୀ ମୃତ୍ୟୁଦେବତାର ଚେହେରା କେଜାଣି ହୋଇଥିବ ଅବା ।” କିନ୍ତୁ ଏଇ ମଇଁଷି ଚରେଇ ଥରେ ସେ ମୃତ୍ୟୁ ମୁହଁରୁ ଉଦ୍ଧାର ପାଇଥିଲା ।

ସେତେବେଳେ ତାକୁ ଦଶ ବାରବର୍ଷ ବୟସ । ମଇଁଷି ଜଗି ଘରକୁ ଫେରିଲାବେଳକୁ ଦିନଯାକ ନ ଖାଇ ନ ପିଇ ଖରାରେ ସିଝି ପେଟରୁ ତାହାର ବାମ୍ଫ ବାହାରୁଥାଏ । ଘର ଭିତରେ ପଶି ଦେଖିଲା ମା’ ନାହିଁ । ଭୋକରେ ଆଖିରୁ ଜୁଳୁଜୁଳା ପୋକ ବାହାରି ଯାଉଛି । ସେ ସିଧା ଯାଇ ହାଣ୍ଡିଶାଳରେ ପଶିଲା । ହାଣ୍ଡିତଳେ ପଡ଼ିଥାଏ ଗଣ୍ଡାଏ ପଖାଳ ଭାତ ।

ଭାତ ଛାଣି ବାସନରେ ଆଣି ଖାଇବାକୁ ସଦାକୁ ତର ସହିଲା ନାହିଁ । ହାଣ୍ଡିକୁ ଧରି ସେ ଭାତ ଛାଣି ଖାଇ ଲାଗିଲା । ଦି’ଚାରିଗୁଣ୍ଡା ପାଟିକି ନେଇଛି କି ନାହିଁ, ମା’ ଆସି ପାଟି କରି ଉଠିଲା, “କିରେ ଅଳପେଇଷା, ମୋ ହାଣ୍ଡି ମାରା କଲୁ ।” ବାପ ବିଲରୁ ଲେଉଟି ହଳ ଫିଟାଉଥିଲା । ପାଟି ଶୁଣି ଲଙ୍ଗଳ ଲୁହାଟା ଧରି ଘର ଭିତରକୁ ଦଉଡ଼ି ଆସିଲା ।

ସଦାର ଭାତମୁଠାଟା ତଳେ ପଡ଼ିଗଲା । ମୁଣ୍ଡରେ କ’ଣ ଗୋଟାଏ ଆଘାତ ଲାଗିଲା । ହାଣ୍ଡିଶାଳ ଚଟାଣରେ କେତେ ଯେ ରକ୍ତ ବୋହିଗଲା, ସଦା ତାହା ଦେଖିପାରି ନାହିଁ । ଅନେକ ଦିନ ପର୍ଯ୍ୟନ୍ତ ମୁଣ୍ଡରେ ତାହାର ଘାଆଟା ରହିଥାଏ । ଗାଁ ଟୋକାଏ ତ ହାଣ୍ଡିଖିଆ ବୋଲି ତାକୁ ଚିଡ଼େଇବେ, ଏ ଦଶାରୁ ଯେ ସେ ଦଶା ବଳିଯିବ । ତେଣୁ ଖଣ୍ଡେ ଛିଣ୍ଡା ଗାମୁଛା ମୁଣ୍ଡରେ ଗୁଡ଼ାଇ ସେ ଘାଆଟାକୁ ଲୁଚାଇଥାଏ ।

ଘାଆଟା ଶୁଖିଗଲା ପରେ ଟେରି କାଟିଲା ଭଳି କପାଳ ଉପରେ ତା’ର ଅଧଇଞ୍ଚ ଗହୀଡ଼ାରେ ଗୋଟାଏ ଦାଗ ରହିଗଲା । ତାହା ଉପରେ ଆଉ ନୂଆ ବାଳ କଅଁଳିଲା ନାହିଁ- ଠିକ୍ ଯେମିତି ଗୋଟାଏ ଲଞ୍ଜାତାରା । ବାପାମାଆଙ୍କୁ ମନେ ପକାଇଲା ବେଳେ ସଦା ସେଇ ଦାଗଟା ଉପରେ ଥରେ ହାତ ବୁଲାଇ ଦିଏ ।

ମାମୁଁ ଘରେ ସେ ବେଶିଦିନ ଥୟ ଧରି ରହିପାରିଲା ନାହିଁ । ମାମୁଁର ତିନିଟି ପିଲା । ବଙ୍ଗଳା ବାଟ କରି ସେ ବିଚରା କୁଟୁମ୍ୱ ପୋଷେ । ସଦାକୁ ମଧ୍ୟ ମାମୁଁ ସଙ୍ଗରେ ଯାଇ ଦୁଆରେ ଦୁଆରେ ଭିକ ମାଗିବାକୁ ହେଲା । ତେବେ ଏ କାମରେ ରୋଜଗାର ମନ୍ଦ ନୁହେଁ । ଭିକ ଚାଉଳତକ ଜମା କରି ସେ ହପ୍ତାକେ ଥରେ ହାଟରେ ବିକେ । ସେଥିରେ ସଦା ଦେଖିଲା, କଞ୍ଚା ପଇସା । ଅବଶ୍ୟ ପଇସା ଓ ତାହାର ହିସାବ ମାମୁଁ ହାତରେ । ମଝିରେ ମଝିରେ ନିଜ ପାନଗୁଆ ଖର୍ଚ୍ଚ ପାଇଁ ସେ ଦି’ଚାରି ପଇସା ପାଏ । ତାହା ଛଡ଼ା ଦି’ଓଳି ପେଟପୂରା ଦି’ବକତ ଖାଇବାକୁ ମିଳେ ।

ଚାରି ଛ’ମାସରେ ଥରେ ଘରକୁ ଫେରିବା ବେଳକୁ ସଫାସୁତୁରା ଲୁଗା ଗାମୁଛା ତା’ ଦେହରେ ଦେଖାଯାଏ । ଗାଁ ଲୋକେ ମୁରୁକି ହସନ୍ତି । କିଏ କହେ, ସଦୁର ତ ଖାସା ରୋଜଗାର ହେଲାଣି । କିଏ ସଦେଇ ! ଏଥର ହାତକୁ ଦି’ହାତ ହୋଇପଡ଼ । ବାପା ମାଆଙ୍କ ଶ୍ରାଦ୍ଧ ଆଉ କିଏ କରିବ ? ଭାଇମାନେ ତ ଗଲେ ।

ବାପା ମା’ଙ୍କ ନାଁ ଶୁଣି ସଦେଇ ନିଜ କପାଳର ସେଇ ଦେଢ଼ଇଞ୍ଚ ଲମ୍ୱା ଲଞ୍ଜାତାରା ଭଳି ଦାଗଟା ଉପରେ ଥରେ ହାତ ବୁଲାଇଦିଏ, କିନ୍ତୁ ବିଭା ହେବା ପାଇଁ କାହିଁକି ତା’ର ଟିକିଏ ମନହୁଏ । ମନକଥା ସେ ନରେନ୍ଦ୍ର ଛଡ଼ା ଆଉ କାହା ଆଗରେ କହିପାରେ ନାହିଁ । କାରଣ ନରେନ୍ଦ୍ର ପାଠ ପଢ଼ି ଚାକିରୀ କରୁଚି । ସେ ନିଶ୍ଚୟ କୁଆଡୁ ହେଲେ କନ୍ୟା ପାତ୍ରଟିଏ ଜୁଟାଇପାରିବ, ନ ଜୁଟାଇଲେ ବି କାହାରି ଆଗରେ ତ କହିବ ନାହିଁ । ନରେନ୍ଦ୍ର କିନ୍ତୁ ହସିବା ପାଇଁ ଗୋବିନ୍ଦ ଆଗରେ କହିପକାଏ । ସଦେଇ ତୁନି ରହେ ସେତେବେଳେ ।

ଅନ୍ୟ ସମୟରେ ବାହାଦୂରୀ ଦେଖାଇବା ପାଇଁ ସେ ପୁଣି ନରେନ୍ଦ୍ର ଆଗରେ ନିଜ ବିଭାଘର କଥା ଉଠାଏ- ବିଦେଶରେ ଭିକ ମାଗି ବୁଲିଲାବେଳେ କିପରି ସେ ଜଣେ ବୁଢ଼ୀ ଘରେ ବସା କରିଥିଲା । ବୁଢ଼ୀର ଗୋଟିଏ ଝିଅ । ସଦେଇକୁ ଘରଜ୍ୱାଇଁ କରିବା ପାଇଁ ତା’ର ଇଚ୍ଛା, କିନ୍ତୁ ସଦେଇ ତା’ କଥାରେ ମଙ୍ଗିଲା ନାହିଁ । ସେ ପୁଣି ଘରଜ୍ୱାଇଁ ହୋଇରହିବ । ତେବେ କ’ଣ ଭାରିଯା’ ଆଉ ତାକୁ ଖାତିର କରନ୍ତା ।

ନରେନ୍ଦ୍ର ପୁଣି ଭାବେ, ସଦା ଭଳି ଅକାମୀ ଲୋକ ପାଇଁ ସମାଜରେ କ’ଣ ସ୍ଥାନ ନାହିଁ କେଉଁଠି ହେଲେ ? ଠିକ୍ ତ ତାକୁ ଅକାମୀ କହିହେବନି । କାମ କରିବାକୁ ଇଚ୍ଛା, ମାତ୍ର କରି ଜାଣେ ନାହିଁ । ତାକୁ କ’ଣ କିଛି କାମ ଶିଖାଇବାର ବ୍ୟବସ୍ଥା ହୋଇ ନପାର । ଆଉ ସମସ୍ତଙ୍କ ଭଳି ଧରା ନ ପଡ଼ି ଠକି ଶିଖିବାକୁ କିଛିହେଲେ ବାଟ ବତାଇ ଦିଆଯାଇ ନ ପାରେ । ଭାବି ଭାବି ନରେନ୍ଦ୍ର କିଛି ଥଳକୂଳ ପାଏ ନାହିଁ ।

ସେଥର ପୂଜାଛୁଟିରେ ନରେନ୍ଦ୍ର ଗାଁକୁ ଆସି ଶୁଣିଲା, ସଦେଇ ବିଚରା ମରିଯାଇଛି । ପାଣି ଭିତରୁ ମଇଁଷି ଆଡ଼େଇବାକୁ ଯାଇ ତାହାର ସେଠାରେ ଜଳସମାଧି ଘଟିଲା । କାରଣ ପହଁରା ତାକୁ ଜଣା ନ ଥିଲା । ସଦାକୁ ଯେ ମୃତ୍ୟୁ କେବେହେଲେ ଠକି ଭଣ୍ଡି ନେଇପାରେ, ନରେନ୍ଦ୍ରର ଆଦୌ ବିଶ୍ୱାସ ଆସିଲା ନାହିଁ । ବରଂ ତାହାର ବିଶ୍ୱାସ ହେଲା ଯେ ସଦାକୁ ଆଜି ଯେବେ ପଚାରିବା ପାଇଁ କିଛି ହେଲେ ବାଟ କିମ୍ୱା ଉପାୟ ଥାନ୍ତା, ତେବେ ତାହାଠାରୁ ନିଶ୍ଚୟ ଉତ୍ତର ମିଳନ୍ତା, ସେ କଦାପି ମରି ନାହିଁ କି ମରିପାରେ ନାହିଁ- ମରିଛନ୍ତି ବରଂ ଆଉ ସମସ୍ତେ ।

ଲୋକପ୍ରିୟ ଲେଖା

To Top