ଗଳ୍ପ

ଅତି ଅଧରମ ନୁହଁଇ ପାର

Er Bidyadhara Panda's odia Story Ati Adharama Nuhain Paara

ଶଳା ! ଭାଗା ସମ୍ନାରେ ମୁହଁ କାଢୁଛୁ ? ଜାଣିଛୁ ମୋତେ, ଠିଆ ଠିଆ ଚିରିଦେବି !

ଅତି ଅଧରମ ନୁହଁଇ ପାର

(ଚରିତ୍ର ଓ ଘଟଣା କଳ୍ପନାପ୍ରସୂତ, ଦୈବାତ କିଛି କେଉଁଠି ସାଦୃଶ୍ୟ ପରିଲକ୍ଷିତ ହେଲେ ତାହା ଆକସ୍ମିକ, ସଂଯୋଗବଶତଃ ଏବଂ ଅନିଛାକୃତ ବୋଲି ଧରିନେବାକୁ ବିନମ୍ର ଅନୁରୋଧ – ଲେଖକ)

ବୟାଳିଶ ବର୍ଷତଳ ୧୯୭୭ମସିହା ଖରାଦିନର କଥା । ବଉଳପଦା ଗାଁରେ ମୋର ଦୁଇଜଣ ଅତି ଅନ୍ତରଙ୍ଗ ସ୍କୁଲ୍‌ସାଙ୍ଗ । ସର୍ବେଶ୍ୱର ବୟସରେ ସବୁଠାରୁ ବଡ଼, ଅଷ୍ଟମରେ ପଢେ । ବୁଲାର ସପ୍ତମ ଓ ମୋର ଷଷ୍ଠଶ୍ରେଣୀ, ଦୁହିଁଙ୍କଠାରୁ ସାନ । ସେତେବେଳେ ଆମ ଗାଁରେ କୌଣସି ଘରେ ପାଇଖାନା କି ଗାଧୁଆଘର ନ’ଥାଏ । ମୋର ସେଇ ଦୁଇଜଣ ବନ୍ଧୁମାନଙ୍କ ସହ ପ୍ରତିଦିନ ଭୋର୍ ୫ଟାରୁ ମହାନଦୀକୁ ଗାଧୋଇଯିବା ବାଟରେ ନିତ୍ୟକର୍ମ ସାରି ଫେରିଲା ବେଳକୁ ଖରା ଅଗଣାରେ ଥିବା ପୂଜାତୁଳସୀ ଗଛମୂଳକୁ ଲାଗି ଯାଉଥାଏ, ମାନେ ଘଡ଼ିରେ ୮ଟା ଉପରେ ବାଜୁଥାଏ । ତରତର ହୋଇ କ’ଣ ଗୁଣ୍ଡାଏ ବାସିପଖାଳ ସହ ବଡ଼ିଚୁରା କି ଆମ୍ବଚଟଣି ଖାଇଦେଇ ସ୍କୁଲରେ ହାଜର ହେବାକୁ ନିତି ବିଳମ୍ବ ହୁଏ । ଖରାଦିନେ ନଦୀଶୁଖି ପାଣିର ଧାର ଗାଁଠାରୁ ପ୍ରାୟ ତିନି କିଲୋମିଟର୍ ଦୂରେଇଯାଏ । ସରୁବାଲିରେ ଗୋଇଠି ଗଳିଯାଏ, ଚାଲିଚାଲି ଗୋଡ଼ବଥା ହେବାରୁ ନଦୀକୂଳରେ ଯାଇ ଅଧଘଣ୍ଟା ବସି ଥକାପଣ ମେଣ୍ଟିବା ପରେ ଗାଧୋଇବାକୁ ଭଲଲାଗେ । ଖରାଛୁଟିରେ ସ୍କୁଲ୍ ନ’ଥିଲାବେଳେ ଫେରୁଫେରୁ କେବେକେବେ ଦଶଟା କି ଏଗାରଟା ବି ହୁଏ । ମାଆଙ୍କର ନିତିଦିନ ଗାଳି ଖାଇଖାଇ ଦେହସୁହା ହୋଇ ଯାଇଥାଏ ।

ସେ’ଦିନ ବି ଆମେ ତିନିହେଁ ସେମିତି ଏକାଠି ମହାନଦୀରୁ ଗାଧୋଇ ସାରି ଫେରୁଥିଲୁ । ନଦୀ ପଠାରୁ ବନ୍ଧ ଉପରକୁ ଉଠିଲା ବେଳକୁ ପ୍ରାୟ ପଚାଶ ଷାଠିଏ ଲୋକ ଗାଁ ମୁଣ୍ଡ ବରଗଛମୂଳେ ରୁଣ୍ଢହୋଇ କ’ଣସବୁ ଫୁସ୍‌ଫାସ୍ ହେବାର ଦେଖି ପାଖକୁ ଗଲୁ । ଶୁଣିଲୁ ଖଣ୍ଡମଣ୍ଡଳର ସବୁଠାରୁ ବଡ଼ଗୁଣ୍ଡା ଚୋରଙ୍କ ସର୍ଦ୍ଦାର ଭାଗାକୁ କିଏ ଆଜିସକାଳେ ଟାଙ୍ଗିଆରେ ହାଣି କାମସଫା କରି ଦେଇଛି । କାନ ଉଠିଲା ଦିନଠୁଁ ଆମେ କେବେ ଏମିତି କଥା ଶୁଣି ନ’ଥିଲୁ ସେ’ଯାଏଁ ଯେ ଗୋଟିଏ ମଣିଷ ଆଉଗୋଟିଏ ମଣିଷକୁ ଟାଙ୍ଗିଆରେ ହାଣି ମାରି ଦେଇପାରେ ! ଆଜିକାଲି ଅବଶ୍ୟ ଏହା ସାମାନ୍ୟ କଥା ହେଲାଣି କିନ୍ତୁ ସେତେବେଳେ ଏହା ବହୁତ ଲୋକଙ୍କୁ ଚକିତ କରିଥିଲା । ଓଦା ଲୁଙ୍ଗିଗାମୁଛା ବଦଳି ପ୍ୟାଂଟ୍‌ସାର୍ଟ ପିନ୍ଧି ଦୌଡ଼ିଲୁ ଘଟଣା ସ୍ଥଳୀକୁ । ସତକୁ ସତ ତିନିଚାରି ଟାଙ୍ଗିଆ ଚୋଟ ବସିଥାଏ । ଦୁଇଚୋଟରେ ବେକ ଅଧାରୁ ଅଧିକ ଛିଡ଼ି ନଡ଼ନଡ଼ ହେଉଥାଏ, ବାକି ଦୁଇଟା ମୁହଁରେ ଓ କାନ୍ଧରେ ବସିଥାଏ । ସାଇକେଲ ଆଗଚକା ଫ୍ରେମ୍‌ସହ ରିମ୍ ରକ୍ତ ଜୁଡ଼ୁବୁଡ଼ୁ । କାନ୍ଧ ତଳକୁ କିଛି କ୍ଷତ ନାହିଁ, ସବୁ ସେଇ ପଛତାଳୁ ଆଉ ଆଗ ମୁହଁରେ । ଦାନ୍ତ କେଇଟା ଉପୁଡ଼ି ପାଖରେ ପଡ଼ିଥାଏ । ମାଟିକାମୁଡ଼ି ବିଶାଳକାୟ ଶରୀରଟି ଦୟନୀୟ ଅବସ୍ଥାରେ ପଡ଼ିଥାଏ । ଆମ୍ବତୋଟା ଭିତରେ କିଛି ମାଛି ଓ ଡ଼ାଆଁଶ ରକ୍ତକୁ ଚାଖିବାକୁ ଆରମ୍ଭ କରିଥାନ୍ତି । ଉପସ୍ଥିତ ଲୋକଙ୍କ ମଧ୍ୟରେ ଅଧିକାଂଶ ପ୍ରସନ୍ନ ଥିବା ବେଳେ ଅଳ୍ପ ସମଭାବାପନ୍ନ ଅବସ୍ଥାରେ ଦେଖାଯାଉଥାନ୍ତି । କାହା ମନରେ ଦୁଃଖ ଥିଲା ପରି ମନେ ହେଉନଥାଏ ।

ରାବଣ ମଲା ପରି ସେଦିନ ଭାଗା ନାମକ ଅସୁରର ଅନ୍ତ ହୋଇଥାଏ । ତୁଣ୍ଡ ବାଇଦ ସହସ୍ର କୋଶ । ସଙ୍ଗେସଙ୍ଗେ ପୁରା ଆଠଗଡ଼ ସାରା ଭାଗାକୁ କିଏ ହାଣି ଦେଇଛି ବୋଲି ରାଷ୍ଟ୍ର ହୋଇଗଲା । ବଡ଼ବଡ଼ ଲୋକମାନେ ଧିରେ ଧିରେ ଜମାହେବାକୁ ଲାଗିଲେ । ଭାଗାକୁ ଥାନେଦାର ଡ଼ରନ୍ତି, ଯେତେ ବ୍ୟବସାୟୀ ସମସ୍ତେ ବଟି ଦିଅନ୍ତି । ଯିଏ ନ’ଦେଲା ତାର ଦୋକାନରେ ଦଶ ପନ୍ଦର ଦିନ ଭିତରେ କଳାକନା ବୁଲିବାଟା ଥୟ । ମାଆ ନାଁ ଝିଂଟିକା, କଣ୍ଟା ବୁଦାରେ ଲୁଗା ପକେଇ କଳି କରିବାରେ ଓସ୍ତାଦ୍ । ବରହମ୍‌ପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀକୁ ଲାଗି ଦୁଇବଖରା ଚାଳଘର ଭାଗାର ଠିକଣା । ଅର୍ହନିଶି ମଦ ନିଶାରେ ଚୁର୍ । ଦୋ’ପରସ୍ତିଆ ପୃଥଳକାୟ ଚେହାରାକୁ ଜମାଦାରିଆ ନିଶ ଦେଖିଲେ ବାଟୋଇଙ୍କର ପିଳେଇ ପାଣି ହୋଇଯାଏ । ଭାଗାଘର ପାଖରୁ ଅନତିଦୂରରେ କଖଡ଼ି ହାଟ ବସେ, ସପ୍ତାହକୁ ଦୁଇ ଥର । ବେପାରିମାନଙ୍କ ପାଇଁ ସରକାରୀ ଚାନ୍ଦା ଜଣକା ଚାରଣା କିନ୍ତୁ ଭାଗା ଆଦାୟ କରିବ ଟଙ୍କାଏ । ଅଫିସ୍‌ରେ ଜମାଦେବ ଚାରଣା ନିଜେ ରଖିବ ବାରଣା । ସମସ୍ତେ ଡ଼ରିକି ଭାଗାସାମ୍ନାରେ କେହିହେଲେ ଉଁ କି ଚୁଁ ପାଟି ଫିଟେଇବେନି । ଚାରିଖଣ୍ଡ ପଞ୍ଚାୟତରେ ଯେତେ ଡ଼ାଲିଚାଉଳ ଦୋକାନ ସବୁ ପାଳିକରି ମାସିକିଆ ସଉଦା ମାଗଣା ଘରକୁ ପଠାନ୍ତି । ସେତେବେଳେ ଭାଗା ନାଁ ଶୁଣିଲେ ଗର୍ଭୁଣୀଗାଈ ବାଟ ଛାଡ଼ିଦିଏ, ଖତରା ସାଇକେଲ୍‌ଟିରେ ବୁଲେ ସିନା କିନ୍ତୁ ଯେତେ ଛାତଘରିଆ ଧନୀଲୋକ ଭାଗା ଆସିଛି ବୋଲି ଶୁଣିଲେ ତା’ପାଇଁ ଚା ଜଳଖିଆ ବନ୍ଦୋବସ୍ତ କରିବାକୁ ମୋଟେ ଭୁଲନ୍ତିନି । ଭିତରେ ଡ଼ର କିନ୍ତୁ ଉପରେ କୋଟି ଆଦର ଦେଖାଇବାକୁ ସମସ୍ତେ ବାଧ୍ୟ ହୁଅନ୍ତି ।

ଆଗରୁ ସିଏ ଚୋରି କରେ, ଦାଦାବଟି ମାଗେ କିନ୍ତୁ କେବଳ ବଡ଼ଲୋକଙ୍କ ପାଖରେ । ଏବେ କିଛିଦିନ ହେବ ଭାଗା ଦୌରାତ୍ମ୍ୟ ବହୁତ ବଢି ଯାଇଥିଲା । ବହୁତ ସରଳ ଲୋକମାନଙ୍କୁ ହଇରାଣ କରୁଥିଲା । ଯାହାକୁ ମାନେ ତାକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲା । ବିନାଶ କାଳେ ବିପରୀତ ବୁଦ୍ଧି । ତା’ଡ଼ରରେ ଗାଁ ଲୋକ ପାଳିକରି ରାତିରେ ଗାଁଦାଣ୍ଡରେ ଠେଙ୍ଗାବାଡ଼ି ଧରି ରାତି ଅନିଦ୍ରାହୋଇ ଜଗିବାକୁ ଲାଗିଲେ । ସେତେବେଳେ କଟକିଆସାହି ଗାଁର ବଡ଼ ଡ଼ାଲିଚାଉଳ ଦୋକାନୀ ହେଲେ ଗଣେଶ୍ୱର ପଣ୍ଡା । ମାଙ୍କଡ଼ାପଥରରେ ଚାରିପଟେ ଘରକରି ଖଞା ବୁଲେଇ ଦେଇଛନ୍ତି, ତେଣୁ ନିଜକୁ ସୁରକ୍ଷିତ ଭାବି ଭାଗାର ହପ୍ତାରେ ଖିଲାପ କଲେ । ଦିନେ ମଦପିଇ ସନ୍ଧ୍ୟାବେଳେ ପହଞ୍ଚି ଖଞା ଭିତରକୁ ପଶିଗଲା । ଉପରକୁ ଚାହିଁ କହିଲା ଏଇ ଉପର ବାଟେ ନିଶୁଣୀରେ ଓହ୍ଲାଇହେବ । ହଉ ଥା, ଅମାବାସ୍ୟା ଯାଉ ତୋ’ କଥା ବୁଝିବି । ଏତିକି କହି ଫେରି ଆସିଲା, ତା’ ପରଦିନଠାରୁ ଆଉ ପଣ୍ଡାବାବୁଙ୍କୁ ରାତି ନିଦନାହିଁ । କାଠିଆ ଡ଼ଙ୍ଗାରେ କଟକରୁ ଲୁହାପାତ ଜାଲି ତିଆରି କରି ଦୁଆର ମଝିର ଫାଙ୍କାଟିକୁ ବନ୍ଦ ନ’କଲା ଯାଏ ଚାରିଜଣ କେଉଟଙ୍କୁ ଡ଼ାକି ଘରେ ମଜୁରୀ ଦେଇ ରାତିରେ ଜଗାଇଲେ । ଚାରିପଟେ ଚାରିଟା ଲଣ୍ଠନ୍ ରାତିସାରା ଜଳିଜଳି ଢେର୍ କିରୋସିନି ସଇଲା ପରେ ମନଘର ଧରିଲା । ଶେଷରେ ନିଜେ ଯାଇ ଭାଗାର ମାସିକିଆ ହପ୍ତା ବାବଦକୁ ସଉଦାପତ୍ର ଦେଇ ଆସିଲା ପରେ ଯାଇ ଶାନ୍ତିରେ ନିଶ୍ୱାସ ମାଇଲେ ।

ମେଘା ପଞ୍ଚାୟତର ଚଉଦଖଣ୍ଡ ଗାଁ ଭିତରେ ଧୁରୁକୁଡ଼ିଆ ମଙ୍ଗୁଳି ପତ୍ରୀଙ୍କର ବଡ଼ ଜମିଦାର ଘର । ଜମିଜୁମା ବହୁତ । ବଡ଼ପୁଅ ପ୍ରଭାକର ଉଚ୍ଚବିଦ୍ୟାଳୟ ଶିକ୍ଷକକୁ ସାନ ସୁଧାକର ସରପଞ୍ଚ । ଦୁଇ ତିନିଟା ପଞ୍ଚାୟତରେ ସମୂଦାୟ ଦୁଇଚାରିଟା ଦୁଇମହଲା କୋଠାଭିତରେ ତାଙ୍କର ଗୋଟାଏ । ଦୁଇଦୁଇ ଥର ଡ଼କାୟତ ଗ୍ୟାଙ୍ଗ୍‌ମାନଙ୍କ ଦ୍ୱାରା ଜିପ୍‌ଗାଡ଼ିରେ ଚୋରମାନେଆସି ବମିଂ କରି ଘର ଲୁଟ୍ କରି ଯାଇଛନ୍ତି । ସବୁରି ମନରେ ଭାଗାର ହାତଥିବା ସନ୍ଦେହ, କିନ୍ତୁ ଭାଗା ଆଗରେ ଥାନେଦାର ଯେତେବେଳେ ପ୍ୟାଣ୍ଟ୍‌ରେ ଏକ କରି ପକଉଛି ତାକୁ ପଚାରିବ କିଏ? ସମସ୍ତେ ବାବା ସର୍ପେଶ୍ୱରଙ୍କୁ ସକାଳେ ସଞରେ ମୁଣ୍ଡିଆଟିଏ ମାରି ଭାଗା ନଜରରୁ ଆମକୁ ରାକ୍ଷାକର ବୋଲି ଗୁହାରି କରି ତାଙ୍କରି ଭରସାରେ ବସିଛନ୍ତି । ଏହିଭଳି ଭାଗା ନାଁ ଶୁଣିଲେ ଯେ’କୌଣସି ବଡ଼ଲୋକ ମନରେ ଛନକା ପଶିବା ଆରମ୍ଭ କରିଥାଏ । ଏତିକି ବେଳକୁ ଝିଅପିଲାଙ୍କୁ ଗାଳିକରିବା, ଛୁଆମାନଙ୍କୁ ନିର୍ଦ୍ଧୋଷରେ ମଦନିଶାରେ ମାରଧର କରିବା ଭଳି ବଦ୍‌ଗୁଣ ଭାଗାର ବାହାରିି ଲୋକମାନଙ୍କର ବଞ୍ଚିବା କଷ୍ଟକର କରିଦେଇଥାଏ ।

ଧୂରୁଷିଆ ଗ୍ରାମ ପଞ୍ଚାୟତର ଗଉଡ଼ ଟୋକା ଶରତ । ବୟସ ବେଶୀ ନୁହେଁ, ଚଉଦ କି ପନ୍ଦର ହେବ । ଗାଈଗୋଠ ଚରାଇବାକୁ ସକାଳେ ଯାଏ ସଞରେ ଫେରେ । ଦିନସାରା ଗାଈ ବଣବିଲରେ ଚରିଲା ବେଳେ ସିଏ ରାସ୍ତାକଡ଼ ଗଛମୂଳରେ ବସି ଓଲିଆ ଗାଈଗୁଡ଼ିକ ଉପରେ ନଜର ରଖେ । ଦିନେ ଖରାବେଳେ ଭାଗା ତା’ରି ଶୂନଗାଡ଼ି ଚଢି ଯାଉଯାଉ ଶରତ ଛାଇରେ ବସିଥିବା ଦେଖି ଗଛମୂଳକୁ ଯାଇ ପଚାରିଲା

– ହଇରେ ଶଳା! ତୋ ଘର କୋଉଠି? ବୋପା ନାଁ କଣ?

– ତୋର ମୋ ବୋପା ପାଖରେ କି କାମ ଅଛି?

– ଶଳା! ଭାଗା ସମ୍ନାରେ ମୁହଁ କାଢୁଛୁ? ଜାଣିଛୁ ମୋତେ, ଠିଆ ଠିଆ ଚିରିଦେବି!

– ଭାରି ଚିରିଲା ବାଲା, ଦେଖି ଚିରିଲୁ !

ଏତିକିରେ ଭାଗା ଶରତପାଖକୁ ଯାଇ ତଣ୍ଟିକୁ ଚିପି ଧରିଲା । ଶରତ ଗଁ ଗଁ ହୋଇ ଛାଟିପିଟି ହେଲା । ଟିକିଏ ଢିଲାଦେଇ କହିଲା ମୋତେ ବାପା ଡ଼ାକେ, ତା’ହେଲେ ଛାଡ଼ିଦେବି । ନ’ହେଲେ ନିଛାଟିଆ ଖରାବେଳେ ଏଠି କେହି ନାହାନ୍ତି, ତଣ୍ଟିକୁ ଚିପି ମାରି ଫୋପାଡ଼ି ଦେଇ ଚାଲିଯିବି । କିଂକର୍ତବ୍ୟ ବିମୂଢ ହୋଇ ଶରତ ବାପା ଡ଼ାକିଲା । ଭାଗା କହିଲା ସେମିତି ନୁହେଁ, କହ ବାପା ମୋର ଭୁଲ୍ ହୋଇଛି, ମୋତେ ଛାଡ଼ିଦିଅ । ମୁଁ ଜୀବନରେ ଆଉଥରେ ଏପରି ଭୂଲ୍ କଦାପି କରିବି ନାହିଁ । ସବୁ ଗୋଟିଗୋଟି କରି ଶରତ କହିଲା ପରେ ଭାଗା ଶରତକୁ ଛାଡ଼ି ସେ ଜାଗାରୁ ଚାଲିଗଲା । ମର୍ମାହତ ଅବସ୍ଥାରେ ସେଠାରୁ ଗାଈଗୋଠ ନେଇ ସଞରେ ଶରତ ଘରକୁ ଫେରିଲା, ସେଦିନ କିଛି ନ’ଖାଇ ନ’ପିଇ ଓପାସରେ ଶୋଇଲା । ମନେମନେ ସ୍ଥିର କଲା ଦିନେ ନା ଦିନେ ସୁଯୋଗ ମିଳିଲେ ଭାଗାକୁ ସିଏ ନିଶ୍ଚୟ ହାଣିବ । ସେହି ଦିନଠାରୁ ଭାଗାର ଯିବାଆସିବା କାମଧନ୍ଦା ଉପରେ ଶରତ ନଜର ରଖିଲା । ଗାଁ ଗାଈ ଜଗା ଛାଡ଼ିଦେଲା, ଗୋଟିଏ ଲକ୍ଷ୍ୟ ଭାଗାକୁ ମାରିବ ।

କମାରଶାଳରୁ ଟାଙ୍ଗିଆଟି ଧାର କରି ଆଣି ବାହାରକୁ ଗଲାଆଇଲା ବେଳେ ସାଙ୍ଗରେ ନେବା ଆଣିବା କରୁଥାଏ । ସେଦିନ ସକାଳୁସକାଳୁ ଭାଗା ସାଇକେଲ୍ ଚଢି ଆମ୍ବତୋଟା ଗୁଳାରାସ୍ତାରେ ଆସୁଥିବାର ଦୂରରୁ ଦେଖି ଶରତ ଭାବିଲା ଏତେ ଦିନେ ପ୍ରଭୁ ସର୍ପେଶ୍ୱର ତା’ ଡ଼ାକ ଶୁଣିଲେ । ଗାମୁଛାଟିକୁ ମୁହଁରେ ଘୋଡ଼ାଇ ଟାଙ୍ଗିଆକୁ ଉପରକୁ ଉଠାଇ ରାସ୍ତାପଟକୁ ଧାରୁଆ ନିଜପଟକୁ ବେଣ୍ଟ ରଖି ଗୋଟିଏ ଆମ୍ବଗଛ ଆଢୁଆଳରେ ଲୁଚି ରହିଲା । ଯେମିତି ଭାଗା ସେହିଗଛ ଆଗକୁ ପାହୁଣ୍ଡେ ବଢିଛି ପଛପଟୁ ଯାଇ ଶରତ ବେକମୁଣ୍ଡାକୁ ଟାଙ୍ଗିଆରେ ନଙ୍ଘା ଚୋଟଟିଏ ପକେଇଲା । ପ୍ରଥମଚୋଟରେ ଭାଗା ତଳେ ପଡ଼ି ଛଟପଟ ହେଲାବେଳେ ଆଉ ତିନିଚୋଟ ତାପରକୁ ତାପର ଲାଗେଲାଗେ ପକେଇଦେଲା । ଭାଗାର ଶରୀର ନୀରବି ଗଲାପରେ ସେ ରକ୍ତାକ୍ତ ବିଭତ୍ସରୂପକୁ ଦେଖି ଡ଼ରିଗଲା । କଣ କରିବ ବୁଦ୍ଧି ଦିଶିଲାନି । ଟାଙ୍ଗୀଆଟିକୁ ପାଖରେ ଥିବା ଗୋଟିଏ କୂଅରେ ପକାଇଦେଇ ବିଲଭିତରେ ବଳ ସରିବାଯାଏ ବହୁତ ଦୂର ଦୌଡ଼ି ଦୌଡି ଶେଷରେ ପୋକଶୁଙ୍ଗା ବଣ ଭିତରେ ଥିବା ଗୋଟିଏ ଘଞ୍ଚବୁଦା ମଝିରେ ଲୁଚିଗଲା । ଏ ସଂବାଦ ରାଷ୍ଟ୍ରହେଲା ପରେ ବହୁତ ଲୋକଙ୍କର ଆନନ୍ଦର ସୀମା ରହିଲାନି । କିଏ ମିଠା ବାଣ୍ଟିଲା ତ କିଏ ଖୁସିରେ ଗଦ୍‌ଗଦ୍ ହୋଇ ଯିଏ ମାରିଛି ତାକୁ ହଜାରେଟଙ୍କା ପୁରସ୍କାର ଘୋଷଣା କଲା । ଛୋଟଛୁଆ କେତେଦିନ ବଣଜଙ୍ଗଲରେ ଲୁଚି ରହିବ ! ଭୋକରେ ଆଉଟୁ ପାଉଟୁ ହୋଇ ସଂନ୍ଧ୍ୟାବେଳକୁ ବାହାରକୁ ବାହାରିଲା, ଗୋଟିଏ ଦିନରେ ଧରା ପଡ଼ିଗଲା । ବଡ଼ଲୋକଙ୍କ ସହାୟତାରେ ଆତ୍ମସମର୍ପଣ କରି ନା’ବାଳକ ଥିବାରୁ ଅଳ୍ପଦିନ ଭିତରେ କାରାବାସ ସାରି ଏବେ ଖଲାସ ବି ହୋଇସାରିଲାଣି । ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ଶିକାରଗଳ୍ପର ପାତ୍ର ଘିନୁଆପରି ଆଇନ ଆଖିରେ ଦୋଷୀହୋଇ ଦଣ୍ଡସିନା ପାଇଲା କିନ୍ତୁ ବହୁତ ଭଦ୍ରଲୋକଙ୍କର ମୁହଁରେ ସିଏ ମାତ୍ର ଚଉଦବର୍ଷ ବୟସରେ ହସ ଫୁଟାଇ , ଅନେକ ଲୋକଙ୍କର ଚିନ୍ତାକୁ ଦୂର କରିଥିଲା ଏବଂ ନିଜର ଅଦମ୍ୟ ସାହସ ବଳରେ ଗୋଟିଏ ନରରାକ୍ଷସ ଯୁଗର ଅନ୍ତ କରିପାରିଲା । ସେଥିପାଇଁ ଢଗରେ ଅଛି – ଏକଥା ହେଉଛି ବେଦର ଗାର, ଅତି ଅଧରମ ନୁହଁଇ ପାର ।

ଲୋକପ୍ରିୟ ଲେଖା

To Top