ବାଦୀପାଲା

Kalindicharana Panigrahi's odia Story Baadipaalaa

ସୁବଳ ସାନ୍ତରା ଚଅଁର ହଲାଇ ନାଚ ଆରମ୍ଭ କରେ- କିଏ ହେବ ମା’ ମୋର କିଏ ହେବ ଖୁଡ଼ୀ, ହୁଳହୁଳି ନ ଦେଲେ ଲୋ’ ହେବ ଆଣ୍ଠୁକୁଡ଼ୀ ।

ବାଦୀପାଲା

ବଣ ପାହାଡ଼ ଅଞ୍ଚଳରେ କୁକୁଡ଼ା ଲଢ଼େଇ ଅନେକ ଦେଖିଥିବେ । ଆଦିବାସୀ ଭାଇମାନଙ୍କର ଏହା ଗୋଟିଏ ବଡ଼ ଆମୋଦ । ଦି’ ପାଖରୁ ଦି’ଜଣ ଦୁଇଟା ଗଞ୍ଜା କୁକୁଡ଼ା ଧରି ଏହି ଲଢ଼େଇରେ ଯୋଗ ଦିଅନ୍ତି । ଚାରିପଟେ ଶହ ଶହ ଲୋକ ରୁଣ୍ଡ ହୋଇ ଚାହିଁ ରହିଥାନ୍ତି ଉତ୍ସୁକ ଦୃଷ୍ଟିରେ । କେଉଁ କୁକୁଡ଼ା ଜିତିବ, କିଏ ହାରିବ, ସେଥିପାଇଁ ଦର୍ଶକମାନଙ୍କ ଭିତରେ ଚାଲେ ବାଜି ମରାମରି । କୁକୁଡ଼ାର ଗୋଟିଏ ଗୋଡ଼ରେ ବନ୍ଧା ହୋଇଥାଏ ଶାଣଦିଆ ଲୁହା ଛୁରୀ ।

ମାଲିକ ଦୁହେଁ ଯେଝା ଚଢ଼େଇକୁ ଧରି ଆଗେଇ ଆସନ୍ତି, ରଣ-ଭୂମିର ମଝିକୁ । ଦୁଇଟା ଲଢ଼େଇ କୁକୁଡ଼ାଙ୍କୁ ମୁହାଁ ମୁହିଁ କରିଦେଇ ମାଲିକ ଦୁହେଁ ପଛକୁ ହଟି ଆସନ୍ତି । ମାଟି ଟିକିଏ ନେଇ କୁକୁଡ଼ା ମୁଣ୍ଡରେ ପକେଇ ଦିଅନ୍ତି । ତାହାର ଦିହ ମୁଣ୍ଡ ଆଉଁଶି ଦିଅନ୍ତି । ସେତେବେଳକୁ ଏହି ମୂର୍ଖ ଚଢ଼େଇ ଦି’ଓଟି ଉଚ୍ଛନ୍ନ ହୋଇ ମୁଣ୍ଡର ନାଲିଫୁଲ ଓ ନାଲି ଚୂଳକୁ ଥରାଇ ଗୋଡ଼ ଟେକୁଥାନ୍ତି ଲଢ଼େଇ କରିବା ପାଇଁ । ତାହା ପରେ ଦି’ପାଖରୁ ଦୁହିଁଙ୍କୁ ଛାଡ଼ି ଦିଆଯାଏ ଏବଂ ଚାରିପଟର ତାଳି ଓ ରଣଶବ୍ଦ ଭିତରେ ଦୁହିଁଙ୍କର ଚାଲେ ହାତାହାତି ଲଢ଼େଇ । ସେ ଲଢ଼େଇରେ ପକ୍ଷୀ ଦି’ଟା ଅବା ତାଙ୍କ ମାଲିକ ଦୁହିଁଙ୍କର କାହାରି ବିରୁଦ୍ଧେ କାହାରି ମାନ ଅପମାନ କି ରାଗରୋଷ ନାହିଁ । ନିଜ ନିଜର ତୁଚ୍ଛା ବାହାଦୂରୀ ଓ ଦେଖଣାହାରିମାନଙ୍କୁ ଖୁସି କରିବା ହିଁ ଅସଲ ମତଲବ । ସେଇଥିପାଇଁ ଗୋଟାଏ ପକ୍ଷ ନିଜ ଜୀବନ ହାରିବାକୁ ବି ତିଆର ।

ଖୁବ୍ ଛକାପଞ୍ଝାରେ ଲଢୁ ଲଢୁ କେତେବେଳେ ତଳେ, କେତେବେଳେ ଉପରେ ଉଠି ଗୋଟାକ ଦେହରେ ଛୁରୀ ଲାଗିଯାଏ । ସାଙ୍ଗେ ସାଙ୍ଗେ ସେ ମୁହଁକୁ ପୋତି ତଳେ ପଡ଼ିଯାଏ । ଗତ ମହାଯୁଦ୍ଧରେ ହିଟଲର କୁଆଡ଼େ ହାରିଲାବେଳେ ଏମିତି ନଇଁ ପଡ଼ିଥିଲେ । କୁକୁଡ଼ାର ଜୀବନ ଯାଏ- କିନ୍ତୁ ପ୍ରକୃତରେ ପରାସ୍ତ ହୁଅନ୍ତି ତା’ର ମାଲିକ- ଯଦ୍ୟପି ସେ ବିଚରାର ମାଂସରେ ଲଢ଼େଇ କରି ନ ଥିବା ଆଉ କେତୁଟା ପକ୍ଷୀର ମାଂସ ମିଶାଇ ରାତିରେ ଏକ ବଡ଼ ରକମର ଭୋଜି ଭାତ କରାଯାଏ । ପୁଣି ବାଜି ମାରିଥିବା ଦର୍ଶକମାନଙ୍କ ଭିତରୁ ଯେଉଁ ପକ୍ଷ ଜିତି ଯାଆନ୍ତି, ତାଙ୍କର ମଧ୍ୟ ହୁଏ ଗୋଟାଏ ଉତ୍ସବ ।

ମାଳ ଜଙ୍ଗଲ ଅଞ୍ଚଳର କୁକୁଡ଼ା ଲଢ଼େଇଠାରୁ ଆରମ୍ଭ କରି ଗାଁ ଗଣ୍ଡା ଭିତରେ ତାସ, ପସା, ବାଦୀପାଲା ଓ ସାନବଡ଼ ସହରମାନଙ୍କରେ ଫୁଟବଲ୍, କ୍ରିକେଟ୍, ଘୋଡ଼ାଦୌଡ଼ ଖେଳରେ ଏମିତି କେତେ ବାଜି ମରାମରି ଚାଲେ, କେତେ ଲଟେରୀ ଟିକେଟ୍ ଉଠେ । ଖେଳ ଖେଳନ୍ତି ଦଳେ ଲୋକ, କିନ୍ତୁ ତାଙ୍କ ପକ୍ଷ ସମର୍ଥକ କରନ୍ତି ଆହୁରି ଦଳେ ଯେଉଁମାନେ କୁକୁଡ଼ା ଭଳି ଆପଣା ଆପଣା ଜୀବନ ଦିଅନ୍ତି, ଲଟେରୀ କିଣି ହାରନ୍ତି- ଖୁବ୍ କମ୍ ଲୋକଙ୍କୁ କୁକୁଡ଼ା ମାଉଁସ ଖୁଆଇବା ପାଇଁ ଅବା ଲଟେରୀ ଖେଳରେ ଜିତେଇବା ପାଇଁ ।

ରାଜନୀତିରେ ଏମିତି ଖେଳ ମଧ୍ୟ ବରାବର ଚାଲେ । ଭୋଟ ଦିଆନିଆ ବ୍ୟାପାରରେ ସୁଦ୍ଧା । ପୁଣି ସାହିତ୍ୟରେ ମଧ୍ୟ ସେଥିରୁ ତ କିଛି କମ୍ ନୁହେଁ ।

ନାଚଗୀତ, କଳାସାହିତ୍ୟ ଭିତରେ ଏମିତି ଯେତେ ନୂଆ ପୁରୁଣା ଲଢ଼େଇର ପର୍ଯ୍ୟାୟ ଅଛି, ତାହାକୁ ଲକ୍ଷ୍ୟକରି ଜଣେ ପ୍ରାଚୀନ ପଣ୍ଡିତ କହିଥିଲେ, ବିଦ୍ୟା ବିବାଦାୟ । ଆମ ଦେଶର ବାଦୀପାଲା ଏମିତି ଗୋଟାଏ ପୁରୁଣାକାଳିଆ ଅନୁଷ୍ଠାନ- ଯାହା ଭିତରେ ସାହିତ୍ୟିକ ଲଢ଼େଇ ଖାସା ଉପଭୋଗ୍ୟ ଅଭିନୟ ଦେଖାଯାଏ ।

ସେଥର ଆମ ଗାଁରେ ବିଚାର ଚାଲିଲା ଗୋଟାଏ ବାଦୀପାଲା କରେଇବାକୁ । ବଛା ହେଲେ, ଓଡ଼ିଶାର ଦି’ଜଣ ବିଖ୍ୟାତ ପାଲାଦଳ । ଘର ଘରକେ ଅସୁଲ ହେଲା ଭେଦା ଚାନ୍ଦା । ଗାଁର ଉତ୍ସାହୀ ଯୁବକ ଚାରି ପାଞ୍ଚଜଣ ବାହାରିଲେ, ପାଲାବାଲାଙ୍କୁ ଆଣିବା ପାଇଁ । ଆଉମାନେ ଲାଗି ପଡ଼ିଲେ ପଡ଼ିଆଚଞ୍ଛା, ଛାମୁଣ୍ଡିଆ ବନ୍ଧା, ଆଲୁଅ ଟଙ୍ଗା ଓ ପାଲାବାଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା କାମରେ ।

ଧାନକଟା, ଧାନ ଅମଳ ସରିଥାଏ । ଘରେ ଘରେ ଧାନ ଚାଉଳ ଭର୍ତ୍ତି । ଗାଁରେ ପାଲା ହେବ । ଚାନ୍ଦା ନ ଦେବ କିଏ ? ଗୋଟାଏ ମସ୍ତଛାମୁଣ୍ଡିଆ ତିଆରି ହେଲା । ଦୁଇଟା ଚୋଖା ଚୋଖା ପାଲାବାଲା ଦଳ ଡକା ହୋଇଆସିଲେ । ଗାଁ ଭିତରେ ଯେତେ ବାଦ ବିବାଦ ମନାନ୍ତର କଳି ତକରାଳ ଥିଲା, ପାଲା ଦେଖିବାକୁ ସମସ୍ତେ ସେସବୁ କଥା ପାସୋରି ପକାଇଲେ । ଯେ ଯାହା ପାରିଲେ, ଚାନ୍ଦା ଦେଲେ । ଦୁଇଜଣ ବଡ଼ ଗାୟକ ସୁବଳ ଆଉ ସୁବୁଦ୍ଧି । ଦୁହିଁଙ୍କର ନାମ ଓଡ଼ିଶାର ଚାରିଆଡ଼େ ଡାକ । ସର୍ବ ଶୁଭରେ ପାଲା ଆରମ୍ଭ ହେଲା ।

ରୋଜ ସନ୍ଧ୍ୟାରେ ବେଗି ବେଗି ଖା’ପିଆ ସାରି ପିଲା, ବୁଢ଼ା, ଝିଅ, ବୋହୂ ରୁଣ୍ଡ ହୁଅନ୍ତି ଯାଇ ପାଲା ପଡ଼ିଆରେ । ସବୁରି ଘରେ ତାଲା ପଡ଼େ । ଏମିତିକି ଦୂର ଗାଆଁମାନଙ୍କରୁ ହଜାର ହଜାର ଶ୍ରୋତା ଚାଲିଆସନ୍ତି, ସୁବୁଦ୍ଧିର କଣ୍ଠ ସଙ୍ଗୀତ ଶୁଣିବା ପାଇଁ ଆଉ ଦେଖିବା ପାଇଁ ସୁବଳର ଚଅଁରହଲା ନାଚ ।

ଶହ ଶହ ଝିଅବୋହୂଙ୍କ ଭିତରେ ଶୋଭା ମଧ୍ୟ ଆସେ । ଆମ୍ୱଗଛ ଆଢୁଆଳରେ ବସି ଗୀତ ଶୁଣେ, ନାଚ ଦେଖେ । ସାଇପଡ଼ିଶା ଦୂର ଗାଁ ଝିଅବୋହୂଙ୍କ ସଙ୍ଗେ ଚିହ୍ନା ପରିଚୟ ହୁଏ । ଗେହ୍ଲେଇ, ମାଳତୀ କାହା ଆଡ଼କୁ ଚାହିଁ କେଜାଣି ଠରାଠରି ଚିମୁଟା ଚିମୁଟି ହୋଇ ହସି ହସି ଆଉଟୁ ପାଉଟୁ ହେଇଯାଆନ୍ତି । ଦୁଲାବୋଉ ବୁଢ଼ୀ ପାଟି କରି ଉଠେ, “ମଲା, ତମେ ପାଲା ଶୁଣିବାକୁ ଆସିଛ ନା ନିଜେ ନାଚିବ ବୋଲି ଆସିଛ କି ଲୋ’ ।” ଗଦାଧର ପୁରୁଷମାନଙ୍କ ପାଖରେ ବସି ପାଲାବାଲାଙ୍କୁ ଗୀତ ବରାଦ କରେ । ସୁଦାମ ପାନ ଦୋକାନ ମେଲିଦେଇ ପାନ, ବିଡ଼ି, ସିଗାରେଟ୍, ଦିଆସିଲି, ଚିନାବାଦାମ ବିକେ । ରାତିସାରା ଗୋଟିକ ପରେ ଅନ୍ୟ ପାଲା ଦଳର ଗୀତ ନାଚ- କିଏ ହାରିଲା, କିଏ ଜିତିଲା, ସେ ବିଚାର ଛାଡ଼ି ଦିଆଯାଏ ଶ୍ରୋତାମାନଙ୍କ ଉପରେ ।

ଗାଁ ମାଇନର ସ୍କୁଲ୍ ସୁଧାକର ପଣ୍ଡିତଙ୍କର ବହୁ ଶ୍ଳୋକ, ବହୁତ ଛାନ୍ଦ ମୁଖସ୍ଥ । ସବୁରି ନେତା ହୋଇ ସେ ଗାୟକ ଦୁହିଁଙ୍କୁ ମଝିରେ ମଝିରେ ପରୀକ୍ଷା କରନ୍ତି । ଦୟାନିଧି ଦାସଙ୍କର କିଛି ହେଲେ ପାଠ ମୁଖସ୍ଥ ନ ଥିଲେ କ’ଣ ହେଲା, ବହୁତ ବଡ଼ ବଡ଼ ବାଦୀପାଲା ଦେଖିଛନ୍ତି । ଜଗନ୍ନାଥପୁରରେ ପନ୍ଦର ବର୍ଷ ତଳେ ଯେଉଁ ବାଦୀପାଲା ହୋଇଥିଲା, ସେହିଠାରୁ ପାଲା ସରିଯାଇଛି ବୋଲି ତାଙ୍କର ମତ । କାର୍ତ୍ତିକ ସାହୁଠାରୁ ବଳି ଆଉ ଗାୟକ ନାହିଁ କି ସାଧୁଖଣ୍ଟିଆକୁ ବଳି ଆଉ ବାୟକ ନାହିଁ । ପଞ୍ଚମବରାଡ଼ି ରାଗରେ କାର୍ତ୍ତିକ ଯେତେବେଳେ ଡାହାଣ ହାତରେ ଗିନି ଟିଣି ଟିଣି କରି ଓ ବାଁ କାଖରେ ଚଅଁରମୁଠାଟା ଯାକି ଗାଇଉଠେ- ଏ ଘର କାଳରେ କାନ୍ତ, କରିଯାଏ ଗଲେ ଏକାନ୍ତ- ସେତେବେଳେ ଗଛରୁ ପତ୍ର ଝଡ଼ିପଡ଼େ । ଆଉ ବାୟକ ସାଧୁଖୁଣ୍ଟିଆ ତାଳ ଛିଣ୍ଡାଇଲାବେଳେ ଯେମିତି ମୃଦଙ୍ଗଟାକୁ ମୁଣ୍ଡଉପରେ ଥୋଇ ପିଲାଏ ଚକା ଭଉଁରି ଖେଳିଲା ଭଳି ଘୂରି ଘୂରି ନାଚିଯାଏ, ସେତେବେଳେ କୁଢ଼େଇ ହୋଇପଡ଼େ- ତାଳି ଉପରେ ତାଳି, ହରିବୋଲ ହୁଳିହୁଳି ।

ଦୟାନିଧି ଦାସ ଗାଁ ଭିତରେ ବଡ଼ ମାମଲତାକାର । ତାଙ୍କ ମୁହଁ ଉପରେ ଅବା କଥା କହନ୍ତା କିଏ ? କିନ୍ତୁ ପଛରେ ଗଦାଧର ବାହାଦୂରୀ ଦେଖାଏ- ଏଗୁଡ଼ା ଖାଲି ମିଛ ଭଡ଼ଙ୍ଗ, ସତେକି କାର୍ତ୍ତିକ ସାହୁ ପାଲା କେହି ଦେଖି ନାହିଁ । ସୁବଳ ନାଚ ପାଖରେ ତା’ ନାଚ ଲାଭ ଦିଆ ହେବ, ନା ସୁବୁଦ୍ଧି ଆଗରେ ସେ ପାଟି ଫିଟାଇପାରିବ ଭଲା । ନ ଦେଖିଲା ଓଉ ଛଫଡ଼ା ।

ଆରେ ତୁ କାଲିକା ନଣ୍ଡି କ’ଣ ଦେଖିଛୁ ମ ? ନ ଦେଖିଲା ଲୋକ ଦେଖ, ନା କଇଁଛ କାଢ଼ିଛି ବେକ- ଗୋବିନ୍ଦ ମହାରଣା ଆକଟେଇ କରି କହେ । କିରେ ସୁବୁଦ୍ଧି ଆଜି ବୁଢ଼ା ହୋଇଗଲା ବୋଲି ସିନା, ତା’ କଣ୍ଠ ଭିତରେ କେଇଟା ସୁବଳ ଗଳିଯିବେ, ଜାଣୁ । ଖାଲି ଟିକିଏ ଅଣ୍ଟା ହଲେଇ ନାଚି ଦେଲେ କ’ଣ ହେବ । ଏମିତି କେତେ କେଳୁଣୀ ନାଚ ଦେଖି ନାହିଁ କି ।

ହଁ ମ, ତମେ କେତେ ଦେଖି ନ ଥିବ କି ! ଚାଲିଲ, ଦାସଙ୍କୁ ପଚାରିବା । ଖାଲି ବାହାପିଆ କଥା କହିଦେଲେ ହେବ କ’ଣ ! ସୁବଳର ଖଣ୍ଡେ ନାଚକୁ ଖାଲି ଲକ୍ଷ ଟଙ୍କା, ବୁଝିଲ ।

ହଇରେ କ’ଣ କହିଲୁ ? ବାହାପିଆ ! ତୁ କି ମୁଁ, କିଏ ବାହାପିଆ ଚାଲିଲୁ ପଚାରିବା । କିନ୍ତୁ ପ୍ରକୃତରେ ପଚାରିବାକୁ ଯାଏ ନାହିଁ ସେ । କାରଣ ଦାସଙ୍କ ନାଁ ଶୁଣି ଗୋବିନ୍ଦ ଦବିଯାଏ ।

ଦାସେ ହେଲେ ଗାଁର ଟାଉଟର, ପରୁଖା ମାମଲତାକାରିଆ ଲୋକ । ତାଙ୍କ କଥାରେ ଆଉ କିଏ ପଦେ ଉତ୍ତର ଦେଲେ ସେ ତ ସାଙ୍ଗେ ସାଙ୍ଗେ ହୁଡ଼ି ପକାଇବେ । ଗାଁର ହୁଣ୍ଡା ଟୋକାଗୁଡ଼ାକ ଯେତେବେଳେ ତାଙ୍କୁ ଚିଡ଼ାନ୍ତି ଦାସେ, ପାଣିରେ ପଇଲେ ମାସେ, ପାଣି ହେଲା ହେମ କାକର, ଦାସେ ହେଲେ ବୁଢ଼ା ମାଙ୍କଡ଼, ସେତେବେଳେ ନିଧି ଦାସେ ପାକୁଆ ପାଟିରେ ଯେଉଁ ଅଭାଷାରେ ଶୋଧନ୍ତି, ଆଜିକାଲିର କେତେ ସାହିତ୍ୟଠାରୁ ଅନେକାଂଶରେ ତାହା ଶ୍ଲୀଳ ଓ ଶିଷ୍ଟ ହେଲେ ମଧ୍ୟ ଗାଉଁଲୀ ଲୋକେ ଶୁଣିବାକୁ ସୁଖ ପାନ୍ତି ନାହିଁ ସେସବୁ । କି ଦରକାର ଗୋବିନ୍ଦର, ତୁଚ୍ଛ କଥାରେ ଏତେ ବାଟ ଯିବ । ପୁଣି ସେତିକିବେଳେ ପାଲା ପଡ଼ିଆରେ ଆରମ୍ଭ ହୁଏ- ମୃଦଙ୍ଗ ଉପରେ ଆଙ୍ଗୁଠି ନାଚର ଘୁଁ ଘୁଁ ଟିଣିଟିଣି ତାଳ ସଙ୍ଗେ ଝାଞ୍ଜ ଅଗର ଝଣ ଝଣ ଶବ୍ଦ ।

ମିଣିପେ ମାଇପେ ଚାଲନ୍ତି ପାଲା ଦେଖିବାକୁ । ପାଣି ଗରାଟାକୁ କାଖରୁ ଥୋଇ ଶୋଭା ତର ତର ହୋଇ ହାଣ୍ଡିଶାଳ ଭିତରେ ପଶିଯାଏ, ଦୁଆର ମୁହଁରେ ଗଦାଧରକୁ ବସିଥିବାର ଦେଖି ପକେଇ ଓଢ଼ଣା ଟାଣିଦିଏ । ସେହି ଓଢ଼ଣା ଭିତରେ ତା’ର ପାନଖିଆ ନାଲି ଓଠରେ ଉକୁଟି ଉଠେ ମୁରୁକି ହସ ।

ଗୋବିନ୍ଦ କୌତୁକ କରି କହେ, ଦେଖିଲୁ ମୋ ଘରଣୀ କି ତ ? କୃଷ୍ଣଙ୍କ ବଇଁଶୀ ଶୁଣି ଗୋପୀମାନେ କ’ଣ ଘରଦ୍ୱାର ସ୍ୱାମୀ ସଂସାର ଛାଡ଼ି ପଳାଉଥିଲେ ମ ! ଏବେ ଆମ ଗାଁରେ ଯେଉଁ ପାଲା ଭିଆଣ କଲ, ସେଥିରେ ମଣିଷକୁ ପେଟପୁରା ଗଣ୍ଡେ ଖାଇବାକୁ ବି ମିଳୁନି । ଯାହା ମୁଠେ ଆବୁରୁ ଜାବୁରୁ ରାନ୍ଧି ଦେଇ ତ ସମସ୍ତେ ଧାଇଁଲେ ପାଲାପଡ଼ିଆକୁ । ଘରେ ଚୋର ପଶି ସବୁ ବୋହି ନେଲେ ବି କେହି ଜଗିବାକୁ ନାହିଁ ।

ହାଣ୍ଡିଶାଳ ଭିତରେ ଶୋଭା ମୂଷାଟି ଭଳି ଲୁଚି ରହେ । ନୂଆ ହୋଇ ସେ ଘରକରଣା କରୁଛି । ଗଦାଧର ତା’ର ଦିଅର ଲେଖା ହେବ ସିନା, ତା’ ଆଗକୁ ତ କେଉଁଦିନ ସେ ବାହାରି ନାହିଁ । ନ ହେଲେ ସ୍ୱାମୀ ସଙ୍ଗେ ଏକ୍ଷଣି ପରସ୍ତେ ଝଟାପଟା ଲଗାଇ ଦିଅନ୍ତା । ଶୋଭାକୁ ଅକର୍ତ୍ତବ୍ୟ ଦେଖି ଗୋବିନ୍ଦ ହାଣ୍ଡିଶାଳକୁ ଚାହିଁ ଆଖି ମିଟି ମିଟି କରେ ।

କୁହୁ କୁହୁ କୁହୁ । ଦିନ ନାହିଁ, ରାତି ନାହିଁ, ସଞ୍ଜ ନାହିଁ, ସକାଳ ନାହିଁ, ଗାଁ ଭିତରେ ଏତେ ବଡ଼ ପାଲା ଲାଗିଛି- ଏତେ ଲୋକ ଯା’ ଆସ କରୁଛନ୍ତି, ତେଣିକି ଟିକିଏ ସୁଦ୍ଧା ଭ୍ରୁକ୍ଷେପ ନାହିଁ, ସବୁବେଳେ ସେଇ ଗୋଟାଏ ଶବ୍ଦ । ଭିକାରୀ ସୁବୁଦ୍ଧି ସ୍ୱର ଲମ୍ୱେଇ ଗୀତ ଗାଏ- “ଦେଖି ନବ କାଳିକା ବକାଳିକା ଆଳି କାଳିକା କାନ୍ତ ସ୍ମରି”, କରତାଳି ଝାଞ୍ଜ ମୃଦଙ୍ଗରେ କାନ ଅତଡ଼ା ପଡ଼େ- କିନ୍ତୁ ସବୁରି ଉପରେ ଶୁଣାଯାଏ, କୁହୁ କୁହୁ କୁହୁ । ସୁବଳ ସାନ୍ତରା ଚଅଁର ହଲାଇ ନାଚ ଆରମ୍ଭ କରେ- କିଏ ହେବ ମା’ ମୋର କିଏ ହେବ ଖୁଡ଼ୀ, ହୁଳହୁଳି ନ ଦେଲେ ଲୋ’ ହେବ ଆଣ୍ଠୁକୁଡ଼ୀ । ତୁଣ୍ଡରୁ ପଦ ନ ସରୁଣୁ ହୁଳହୁଳି ନାଦରେ ପୁଲାଙ୍ଗ ତୋଟା କମ୍ପିଉଠେ, ତଥାପି ଶୁଣାଯାଏ ତାହାରି ଭିତରେ, କୁହୁ କୁହୁ କୁହୁ । ଚୈତ୍ର ଯାଇ ବୈଶାଖ ଆସିଛି । ଶୁଖିଲା ପତ୍ରଗୁଡ଼ା ଗଛରୁ ଝଡ଼ିପଡ଼ି ଖଣ୍ଡିଆଭୂତ ହୋଇ କାହିଁ ଉଡ଼ିଗଲାଣି । ଆଉ ପୁଲାଙ୍ଗ ଫୁଲ ମହକରେ ଗାଁଟାର ଦାଣ୍ଡ ପଡ଼ିଆ ଯେମିତି ଅବା ଉଚ୍ଛନ୍ନ । ତାହାରି ଭିତରେ ଗଛଗହଳରୁ କିଛି ନ ମାନି ଗୋଟାଏ ଜିଦିଖୋରିଆ ଶବ୍ଦ ଆସୁଛି, କୁହୁ କୁହୁ କୁହୁ ।

– ତାପରେ –

ଲୋକପ୍ରିୟ ଲେଖା

To Top