ଗଳ୍ପ

ବାଲେଶ୍ୱରୀ ପଙ୍ଗା ଲୁଣ

Byaasakabi Fakir Mohan Senapati's odia story Baaleswari Pangaa Luna

ମହାଜନ ବିଦେଶୀ, କଚେରିର ବଡ଼ ବଡ଼ ଚାକର ପ୍ରାୟ ବିଦେଶୀ । ରେଳ-ଷ୍ଟେସନରେ କର୍ମ ପାଇବା ଓଡ଼ିଆଙ୍କ କପାଳରେ ଲେଖାନାହିଁ ।

ବାଲେଶ୍ୱରୀ ପଙ୍ଗା ଲୁଣ

ଆବହମାନ କାଳରୁ ବାଲେଶ୍ୱରରେ ପଙ୍ଗାଲୁଣ ପ୍ରସ୍ତୁତ ହୋଇ ଆସୁଥିଲା । ସରକାର ବାହାଦୂର କେଉଁ ସମୟରୁ ଏହି ବ୍ୟାପାରରେ ହସ୍ତକ୍ଷେପ କଲେ, ତାହା ନିର୍ଣ୍ଣୟ କରିବା ସହଜ କଥା ନୁହେଁ । ତେବେ, ଏକଥା ଅନୁମାନ କରାଯାଇ ପାରେ ଯେ, ୧୮୦୩ ଖ୍ରୀଷ୍ଟାବ୍ଦରେ ଇଷ୍ଟ୍‌ ଇଣ୍ଡିଆ କମ୍ପାନୀ ଦେଶାଧିକାର କରିବା ପୂର୍ବରୁ ଏହି ବ୍ୟବସାୟରେ ଲିପ୍ତ ଥିଲେ, କାରଣ ତତ୍‌ପୂର୍ବେ ଇଂରେଜମାନେ ବାଲେଶ୍ୱରୀ ବାଣିଜ୍ୟ ସମ୍ପର୍କରେ ଥିବାର ନିଶ୍ଚୟ ରୂପେ ଜଣାଯାଏ । ଦେଶାଧିକାର ସମୟରୁ ପୋକ୍ତାନି କାର୍ଯ୍ୟ ସାକ୍ଷାତ୍ ସମ୍ୱନ୍ଧରେ ବନ୍ଦୋବସ୍ତ କରିଥିବେ ।

୧୮୬୧ ଖ୍ରୀଷ୍ଟାବ୍ଦଠାରୁ ପୋକ୍ତାନି କାର୍ଯ୍ୟ ରହିତ ହୋଇଯାଇଅଛି । ଲେଖକ ଅଳ୍ପ ବୟସରେ ସରକାର ତରଫ ଲବଣ ମାହାଲ ସିରସ୍ତାରେ ଅଳ୍ପ କାମ ମାତ୍ର କର୍ମଚାରୀ ଥିଲା । ପୋକ୍ତାନ ସମ୍ୱନ୍ଧରେ ତାହାର ଯେଉଁ ଅଭିଜ୍ଞତା ଅଛି, ବର୍ତ୍ତମାନ ସ୍ମରଣ ଶକ୍ତି ପ୍ରତି ନିର୍ଭର କରି ସେଥିର ସଂକ୍ଷିପ୍ତ ବିବରଣ ଲିପିବଦ୍ଧ କରୁଅଛି ।

ଲବଣ ମାହାଲର ସରକାର ତରଫ୍‌ର ପ୍ରଧାନ କର୍ମଚାରୀଙ୍କ ଉପାଧି ସଲ୍ଟ ଏଜେଣ୍ଟ । ଏହି କର୍ମଚାରୀ ସ୍ୱତନ୍ତ୍ର ବ୍ୟକ୍ତି ନୁହଁନ୍ତି । ଜିଲ୍ଲାର କଲେକ୍ଟର ସାହେବ ସଲ୍ଟ ଏଜେଣ୍ଟ । ତାହାଙ୍କ ଅଧୀନରେ ଆଉ ଦୁଇ ଜଣ ଇଂରେଜ ଆସିଷ୍ଟାଣ୍ଟ ସଲ୍ଟ ଏଜେଣ୍ଟ୍ ରୂପେ ନିଯୁକ୍ତ ଥିଲେ । ପୋକ୍ତାନ ରହିତ ହେବା ବର୍ଷରେ (ବୋଧ-କରୁ) ମିଷ୍ଟର କର୍ଣ୍ଣେଲ ସଲ୍ଟ ଏଜେଣ୍ଟ, ମିଷ୍ଟର ବଣ୍ଡ ଓ ମିଷ୍ଟର ମୁଫଟ ଆସିଷ୍ଟାଣ୍ଟ ସଲ୍ଟ ଏଜେଣ୍ଟ ଥିଲେ ।

ଏଜେଣ୍ଟ ସାହେବଙ୍କ ଅଧୀନରେ ସଦର କଚେରିରେ ଦୁଇ ଗୋଟି ସିରସ୍ତା ଥିଲା- ପ୍ରଥମ ମୁନସିଖାନା, ଦ୍ୱିତୀୟ ହିସାବ ଖାନା । ମୁନସିଖାନାରେ ନିଯୁକ୍ତ (କ୍ରମନିମ୍ନ) କର୍ମଚାରୀମାନଙ୍କ ଉପାଧ ଦେବାନ, ପେସ୍କାର, ମୁନସୀ, ରୋଜନାମଚା-ନବିସ୍, ପରବାନା-ନବିସ, ନକଲ ନବିସ୍, ନାଜର ଏବଂ ଏମାନଙ୍କ ସହକାରୀ ମୋହରରମାନେ । ହିସାବଖାନାରେ ନିଯୁକ୍ତ କର୍ମଚାରୀମାନଙ୍କ ଉପାଧି- ସିରସ୍ତାଦାର, ମୁନସୀ ଓ ମୋହରରମାନେ । ଆମ୍ଭେମାନେ ଦେଖିଅଛୁ, ସଦର କଚେରୀରେ ଅନ୍ୟାନ୍ୟ ମହକୁମାର ନିଯୁକ୍ତ କର୍ମଚାରୀଠାରୁ ନିମକୀ ମହାଲରେ ନିଯୁକ୍ତ ଅମଲା ସଂଖ୍ୟା ଅଧିକ । ନିମକୀ ମହାଲ କଚେରୀ ସର୍ବଦା ଜନତାରେ ପୂର୍ଣ୍ଣ ଥାଏ ।

ନିମକ ପୋକ୍ତାନ ସ୍ଥାନରେ ସରକାର ତରଫରୁ ନିଯୁକ୍ତ କର୍ମଚାରୀଙ୍କ ଉପାଧି- ଦାରୋଗା, ପେସ୍କାର, ଜିଲାଦାର, ଚପରାସୀ, ଜାଳ ଚୌକିଆ, ଚାଟି ପାଇକ, ଚପାଦାର ଓ କୟାଳ । ନିମକ ବିକ୍ରୀ ସ୍ଥାନରେ ନିଯୁକ୍ତ ଥିବା କର୍ମଚାରୀ- ଦାରୋଗା ଓ ପେସ୍କାର । ପୋକ୍ତାନ ସ୍ଥାନରେ ପ୍ରହରୀ ପୋଲିସ କର୍ମଚାରୀ- ଜମାଦାର, ମୁନସୀ ଓ ଚପରାସୀ ।

ପ୍ରତିବର୍ଷ ଆଶ୍ୱିନ ମାସରେ ପୋକ୍ତାନକାରୀମାନଙ୍କୁ ସରକାର ତରଫରୁ ଦାଦନ ଦିଆଯାଉଥିଲା । ଦାଦନ ଟଙ୍କା ଗ୍ରହଣକାରୀର ଉପାଧି-ଗୁଲିଆ । ଗୁଲିଆମାନେ ସରକାରକୁ କବୁଲିୟତ ଲେଖି ଦେଇ ଦାଦନ ଗ୍ରହଣ କରନ୍ତି । ଏହି ଦାଦନ ସମୟଟା ବାଲେଶ୍ୱର ସହର ମଧ୍ୟରେ ଉତ୍ସବ ସ୍ୱରୂପ ଥିଲା । ଅନେକ ଟଙ୍କା କାରବାର ହୁଏ । ସହର ମଧ୍ୟରେ ଦୋକାନୀମାନେ ଦୋକାନ ସଜେଇ ବସିଥାନ୍ତି । ବଜାରି, ହଟାରି, ଭିକାରୀ, ଅମଲା ଫଏଲା ସମସ୍ତଙ୍କର ଆଚ୍ଛା ଦୁଇ ପଇସା ହାତପୈଠ ହୁଏ । ଲକ୍ଷାବଧି ଟଙ୍କା ଦାଦନ ଦିଆଯାଉଥିଲା । ମଫସଲବାସୀ ସାଧାରଣ ଶ୍ରେଣୀ ଲୋକଙ୍କ ହାତରେ ଥୋକ କେତେଗୁଡ଼ିଏ ଟଙ୍କା ପଡ଼ିଗଲେ ଆନନ୍ଦ ମନରେ ସ୍ତ୍ରୀ ପୁତ୍ର ପରିବାରମାନଙ୍କ ସକାଶେ ନାନା ପ୍ରକାର ଦ୍ରବ୍ୟ କ୍ରୟ କରି ଘେନି ଯା’ନ୍ତି ।

ଗୁଲିଆ ଦାଦନ ଘେନି ଚାଟିକୁ ଚାଲିଯାଏ । ଲବଣ ପୋକ୍ତାନ ସ୍ଥାନର ନାମ ଚାଟି । କେତେଗୁଡ଼ିଏ ଚାଟିର ଏକତ୍ରରେ ସାଧାରଣ ନାମ ଅଡଂ । ଅବଶ୍ୟ ଚାଟି ଓ ଅଡଂ ଗୁଡ଼ିକ ସମୁଦ୍ରକୂଳବର୍ତ୍ତୀ ସ୍ଥାନରେ ଅବସ୍ଥିତ ।

ଗୁଲିଆ ସ୍ୱହସ୍ତରେ ଲବଣ ପ୍ରସ୍ତୁତ କରେ ନାହିଁ । କାର୍ଯ୍ୟ ନିର୍ବାହ ନିମନ୍ତେ କେତେଗୁଡ଼ିଏ ଲୋକ ନିଯୁକ୍ତ କରେ । ସେ (ଗୁଲିଆ) କେବଳ କର୍ତ୍ତା ସ୍ୱରୂପ ହୋଇଥାଏ ।

ଉପଯୁକ୍ତ ସ୍ଥାନ ନିର୍ବାଚନ କରି ପାଢ଼ୀ ଉପାଧିଧାରୀ ଲୋକ ଚୁଲ୍ଲି ପ୍ରସ୍ତୁତ କରେ । ଏହି ଚଲ୍ଲି ସଚରାଚର ଭାତ-ରନ୍ଧା ଚୂଲୀ ପରି ନୁହେଁ । ପାଠକମାନଙ୍କ ମଧ୍ୟରୁ ଯେଉଁମାନେ ପୁରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରୋଷଚୁଲୀ ଦେଖିଅଛନ୍ତି, ସେମାନେ ସହଜରେ ବୁଝିପାରିବେ । ପୋକ୍ତାନ ଚୁଲୀଗୁଡ଼ିକ ସେହିପରି ପିରାମିଡ଼ ଆକାର ଅଟେ, ମାତ୍ର ପ୍ରଭୁଙ୍କ ରୋଷ ଚୁଲ୍ଲିଠାରୁ ଅନେକ ବଡ଼ । କୌଣସି କୌଣସି ଚୁଲୀର ନିମ୍ନ ପରିଧି ୨୦/୩୦ ହାତ ପର୍ଯ୍ୟନ୍ତ ହୋଇଥାଏ । ଉଚ୍ଚତା ପ୍ରାୟ ୩/୪ ହାତ । ବଡ଼ ବିଡ଼ ଚୁଲିରେ ଏକାବେଳକେ ଦୁଇ ତିନି ଶତ ପର୍ଯ୍ୟନ୍ତ ହାଣ୍ଡି ବସେ । ହାଣ୍ଡିଗୁଡ଼ିକ ମଧ୍ୟ ସଚରାଚର ଭାତରନ୍ଧା ହାଣ୍ଡିର ସମାନ ନୁହେଁ । ମହାପ୍ରସାଦ କୁଡୁଆ ସମାନ ଅଟେ । ଚୁଲୀ ପ୍ରସ୍ତୁତ ହେବା ମାତ୍ରକେ କୁମ୍ଭାର ହାଣ୍ଡି ଯୋଗାଇ ଦିଏ । ଗୋଟିଏ ଗୋଟିଏ ଚୁଲୀରେ ଏକ ଜାଳକରେ ୨୦/୨୫ ମହଣ ଲବଣ ପୋକ୍ତାନ ହୁଏ । ଦିନମାନରେ ତିନି ଜାଳ ହୁଏ । କେହି କେହି କର୍ମଠ ପାଢ଼ୀ ଚାରି ଜାଳ ପର୍ଯ୍ୟନ୍ତ କରିପାରେ ।

ଚୁଲୀ ପ୍ରସ୍ତୁତ ହେବା ମାତ୍ରକେ ମଳଙ୍ଗୀ ଉପାଧିକାରୀ କର୍ମଚାରୀ ପଛାଲରୁ ମାଟି ଚାଞ୍ଚିବାକୁ ଆରମ୍ଭ କରେ । ସମୁଦ୍ର ବେଳାଭୂମି ଉପରେ ଯେଉଁ ଅଳ୍ପ ଗଭୀର ପ୍ରାନ୍ତର ମଧ୍ୟରେ ଜୁଆର ସମୟରେ ସମୁଦ୍ର ଜଳ ପ୍ରବେଶ କରେ, ଭଟା ସମୟରେ ଶୁଖିଲା ପଡ଼େ, ତାହାର ନାମ ପଛାଲ । ମଲଙ୍ଗୀ ମାଟି ଚାଞ୍ଛି ଆଣି ଏକ ସ୍ଥାନରେ ବାଡ଼ି ପକାଏ । ମାଟି ସଂଗ୍ରହ ସ୍ଥାନର ନାମ ବାଡ଼ି । ବାଡ଼ି ଉପରେ ପୁନର୍ବାର ସମୁଦ୍ର ଜଳ ଢାଳି ଗୋଡ଼ରେ ଚକଟି ତରଳ କରାଯାଏ । ବାଡ଼ି ନିକଟରେ ଗୋଟିଏ ଗର୍ତ୍ତ ଖୋଳା ହୋଇଥାଏ, ସେ ଗର୍ତ୍ତର ନାମ କୁଣ୍ଡି । ବାଡ଼ିର ତରଳ ମାଟି ଦେହରୁ କୁଣ୍ଡି ପର୍ଯ୍ୟନ୍ତ କେରିଏ କୁଟା ଗୁଞ୍ଜି ଦିଆଯାଏ । ତାଡ଼ିକଟା ଚମାର ଖେଜୁରି ଗଛ ବେକରୁ ଠେକିକୁ ଯେପରି ଖଣ୍ଡେ ଖେଜୁରି ପତ୍ର ଗୁଞ୍ଜି ଦିଏ, ଏଟା ସେହିପରି । କୁଟା କେରାକୁ ଅବଲମ୍ୱନ କରି ବାଡ଼ି ଦେହରୁ କୁଣ୍ଡିକୁ ସମସ୍ତ ଜଳ ନିଗିଡ଼ି ଆସେ, ବାଡ଼ିରେ ମାଟି ସବୁ ରହିଯାଏ । ସେହି ଲବଣାକ୍ତ ଜଳର ନାମ ଦହପାଣି । ଦହପାଣିକୁ ହାଣ୍ଡିରେ ପକାଇ ମାରିଲେ ପଙ୍ଗା ଲୁଣ ପ୍ରସ୍ତୁତ ହୁଏ । ଚୁଲୀ ଜାଳ ସମୟରେ ଆଠ ଠାରୁ ଷୋଳ ଜଣ ପର୍ଯ୍ୟନ୍ତ କର୍ମଚାରୀ ନିଯୁକ୍ତ ଥାନ୍ତି । ବାଲେଶ୍ୱର ଜିଲ୍ଲାରେ ଏପ୍ରକାର ସହସ୍ରାଧିକ ଚୁଲୀ ଥିଲା । ଲୁଣମରା ଚୁଲ୍ଲୀରେ କାଠ ଜଳେ ନାହିଁ । ସମୁଦ୍ର କୂଳରେ ୩/୪ ହାତ ଉଚ୍ଚ ଏକ ପ୍ରକାର ଘାସ ଜାତ ହୁଏ, ସେହି ଘାସ ଜାଳଣିରେ ପ୍ରୟୋଜନ ବୁଏ । ଭଗବାନ ଯେମନ୍ତ ଲୁଣ ପୋକ୍ତାନର ସୁବିଧା ନିମନ୍ତେ ପଡ଼ିଆରେ ଏହି ଘାସ ଥୋଇ ଦେଇଥିଲେ । ଜାଳୁଆ ନାମକ କର୍ମଚାରୀ ଘାସ କାଟିବାରେ ନିଯୁକ୍ତ ହୁଏ । ଜବ ନାମକ ଏକ ପ୍ରକାର ତୀକ୍ଷ୍ଣଧାର ଅସ୍ତ୍ର ଦୁଇ ହାତରେ ଧରି ଅଭ୍ୟାସ ବଶରୁ ନଇଁ ପଡ଼ି ଅଳ୍ପ ସମୟ ମଧ୍ୟରେ ଅନେକ ଘାସ କାଟି ପକାଏ । ଘାସ ଶୁଖିଗଲେ ନିଯୁକ୍ତ ବଳଦିଆମାନେ ବିଡ଼ା ବନ୍ଧା ବଳଦରେ ଚୁଲୀ ପାଖକୁ ଘେନି ଆସନ୍ତି । ସେହି ଘାସ ରକ୍ଷା ନିମନ୍ତେ ସରକାର ତରଫରୁ ଜାଳ-ଚଉକିଆ ନିଯୁକ୍ତ ଥାନ୍ତି । ସହସ୍ର ସହସ୍ର ବଳଦ ଓ ବଳଦିଆ ଏହି କାର୍ଯ୍ୟରେ ନିଯୁକ୍ତ ଥିଲେ ।

ପାଢ଼ୀ ଲୁଣ ମାରି ଜମା କଲେ ଜିଲ୍ଲାଦାର ଆସି ଓଜନ ନିଏ ଓ ନିମ୍ନଲିଖିତ ପ୍ରକାର ଫାରମରେ ଅଡ଼ଙ୍ଗ- ପେସ୍କାର ନିକଟକୁ ରିପୋର୍ଟ କରେ ।

ଜିଲାଦାର ଫାରମ

ନାମ

ଅଡଂ
ଛାନୁଆ

ନାମ

ଚାଟି
କୁଳିଗାଁ

ନାମ

ଗୁଲିଆ
ହଗ୍ରୁ ମଳିକ

କେତେ

ଜାଳ
ତିନି ଜାଳ

ଲୁଣପରିମାଣ


୮୦ ମହଣ

ଅଡଂ ପେସ୍କାର ଜିଲ୍ଲାଦାରର ହିସାବ ପ୍ରାପ୍ତ ହୋଇ ଆପଣା ଖାତାରେ ଲୁଣର ପରିମାଣ ପ୍ରଭୃତି ଜମା କରି ନିଏ ଓ ସେଥିର ଏକ ପ୍ରସ୍ତ ନକଲ ସଦର କଚେରିକୁ ପଠାଇଲେ ହିସାବ ମହକୁମା ଖାତାରେ ଜମା ହୁଏ ।

ସଦର କଚେରି ମୁନସୀଖାନାରେ ଲୁଣର କିଛି ହିସାବ ରହେ ନାହିଁ, ସର୍ବପ୍ରକାର ବନ୍ଦୋବସ୍ତର ଲେଖା ପଢ଼ା ହୁଏ । ଅଡ଼ଙ୍ଗର ପେସ୍କାର ଚାଟିରୁ ଲୁଣ ବୁହାଇ ନେଇ ସାଧାରଣ ଗୋଲାରେ ଜମା କରି ନିଏ । ପୁନର୍ବାର ଓଜନ କରି ଗୋଲା ଜାତ ହେଲେ ଅଦଲଦାର ତାହା ଉପରେ ଅଦଲ ମାରିଦିଏ । ସରକାର ନିଯୁକ୍ତ କୟାଳ ଲୁଣ ଓଜନ କରେ ।

ଅଡ଼ଙ୍ଗର ଦାରୋଗା ସିରସ୍ତାର କିଛି କାର୍ଯ୍ୟ କରେ ନାହିଁ । କେବଳ ଚାଟିମାନଙ୍କରେ ଭ୍ରମଣ କରି ଚୁଲ୍ଲୀର କାର୍ଯ୍ୟ ତଦନ୍ତ କରେ ଓ ଚୁଲ୍ଲିଆମାନଙ୍କ ହାରି ଗୁହାରି ଶୁଣେ । ଦାରୋଗା ପାଲିଙ୍କି ବହିବା ନିମନ୍ତେ ସରକାର ତରଫରୁ ଆଠଜଣ ବେହେରା ନିଯୁକ୍ତ ଥାନ୍ତି । ଦାରୋଗା ଗସ୍ତ ସମୟରେ ତାହାଙ୍କ ପାଲିଙ୍କି ଉପରେ ଗୋଟା ପାଟଛତା ଧରାଯାଏ, ସେଥି ସକାଶେ ସ୍ୱତନ୍ତ୍ର ଛତାଧରା ଚାକର ବନ୍ଦୋବସ୍ତ ଥାଏ ।

ପୋକ୍ତାନ ଲୁଣ ପରିମାଣ ଲିହାଜରେ ଚୁଲ୍ଲିଆମାନେ ଦ୍ୱିତୀୟ କିସ୍ତି ଦାଦନ ବୈଶାଖମାସରେ ପ୍ରାପ୍ତ ହୁଅନ୍ତି । ଏହି ଦାଦନ ଟଙ୍କା ଅଡ଼ଙ୍ଗ ମୁକାମରେ ଦିଆଯାଏ । ବର୍ଷାକାଳ ଆରମ୍ଭ ହେଲାକ୍ଷଣି ପୋକ୍ତାନ କାର୍ଯ୍ୟ ବନ୍ଦ ହୋଇଯାଏ, ଚଲ୍ଲିଆ ପ୍ରଭୃତି କର୍ମଚାରୀମାନେ ଚାଟି ଛାଡ଼ି ଆପଣା ଆପଣା ଘରକୁ ଚାଲିଯାନ୍ତି । ଏଥି ଉତ୍ତାରେ ସେପ୍ଟେମ୍ୱର ମାସରେ ସଦର କଚେରିରେ ହିସାବ ନିକାଶି ହେଲେ ଚଲ୍ଲିଆମାନେ ଅବଶିଷ୍ଟ ମୂଲ୍ୟ ପ୍ରାପ୍ତ ହୁଅନ୍ତି । କେହି କେହି ଚୁଲ୍ଲିଆ ସରଫ ବେଶି ବାବଦରେ ମଧ୍ୟ କିଛି କିଛି ପ୍ରାପ୍ତ ହୁଅନ୍ତି । ସରଫ ବେଶି ଅର୍ଥ, ଚୁଲ୍ଲିଆମାନଙ୍କଠାରୁ ଚାଟିରୁ ଲୁଣ ଓଜନ ନେବା ସମୟରେ କଞ୍ଚା ଲୁଣ ଓଜନରେ କିଛି କିଛି ମାଲ ବେଶି ନିଆ ଯାଇଥାଏ । ଅଡ଼ଙ୍ଗ ଗୋଳା ନିକାଶି ସମୟରେ ସେହି ମାଲ ବଳକା ହୋଇ ପଡ଼େ, ସେହି ବଳକା ଲୁଣର ଅର୍ଥ ସରଫ ବେଶି । ଏହା କିଛି ଊଣା ନୁହେଁ, ପାଞ୍ଚ ଦଶ ହଜାର ମହଣ ପର୍ଯ୍ୟନ୍ତ ମାଲ ବେଶି ହୋଇ ପଡ଼େ । ଏହି ଲବଣର ମୂଲ୍ୟ ଅଡ଼ଙ୍ଗର ସମସ୍ତ ଚଲିଆଙ୍କୁ ବିଛାଣି କରି ଦିଆଯାଏ, ମାତ୍ର ପ୍ରତ୍ୟେକ ଅଡ଼ଙ୍ଗରେ ସରଫ ବେଶି ହେଲେ ମଧ୍ୟ ଦାରୋଗା, ପେସ୍କାର, ପ୍ରହରୀ ପୋଲିସ, ଅମଲା ପ୍ରଭୃତି କର୍ମଚାରୀମାନେ ଚୋରାଇ ଭାବରେ ଶସ୍ତାଦରେ ବିକ୍ରି କରି ମୂଲ୍ୟ ବାଣ୍ଟି ନିଅନ୍ତି । ଏହି ଚୋରାଇ ଲୁଣ ନୀଳଗିରି ଓ ମୟୂରଭଞ୍ଜ ଗଡ଼ଜାତକୁ ଚାଲିଯାଏ ।

ପ୍ରତି ବର୍ଷ ବାଲେଶ୍ୱର ଜିଲ୍ଲାରେ ନ ଲକ୍ଷ ମହଣ ଲୁଣ ପୋକ୍ତାନ ହେଉଥିଲା । ଏଥି ମଧ୍ୟରୁ ନିଜ ବାଲେଶ୍ୱର ଜିଲ୍ଲାରେ ଖରଚ ସକାଶେ ଦେଢ଼ ଲକ୍ଷ ମହଣ, ନିଜ ବାଲେଶ୍ୱର ଓ ଭଦ୍ରକ ଗୋଲାରେ ଗୋଲାଜାତ କରାଯାଇ ବାକି ସାଢ଼େ ସାତଲକ୍ଷ ମହଣ ଲୁଣ ବଙ୍ଗଦେଶରେ ବ୍ୟବହାର ନିମନ୍ତେ କଲିକତା ନିକଟବର୍ତ୍ତୀ ଗଙ୍ଗାନଦୀ ପଶ୍ଚିମ କୂଳସ୍ଥ ସାଲିକା ନାମକ ଗୋଲାକୁ ଚଲାଣ ଦିଆଯାଏ । ଅଡ଼ଙ୍ଗ ଗୋଲାରୁ ସାଲିକା ଗୋଲାକୁ ଲୁଣ ଚଲାଣ ନେବା ନିମନ୍ତେ ପ୍ରାୟ ତିନି ଶତ ବାଲେଶ୍ୱରୀ ଜାହାଜ ନିଯୁକ୍ତ ଥିଲା । ଦୁଇ ଡୁଲିଆ ବଡ଼ ଜାହାଜର ନାମ ଗୋରାପ, ଏକ ଡୁଲିଆ ସାନ ଜାହାଜର ନାମ ଶ୍ଲୋପା । ଖଣ୍ଡେ ଖଣ୍ଡେ ଗୋରାପ ଆଠ ଦଶ ହଜାର ମହଣ ପର୍ଯ୍ୟନ୍ତ ମାଲ ବୋଝାଇ ନିଏ । ଖଣ୍ଡିଏ ଖଣ୍ଡିଏ ଜାହାଜ ଚଲାଇବା ନିମନ୍ତେ ଦଶ କୋଡ଼ିଏ ଜଣ କର୍ମଚାରୀ ନିଯୁକ୍ତ ଥିଲେ । ଜାହାଜ- ଚାଳକର ଉପାଧି ମାଝି, ତାହାର ସରକାରୀ ତଣ୍ଡେଲ, ଅନ୍ୟାନ୍ୟ କର୍ମଚାରୀଙ୍କ ଉପାଧି ଖଲାସୀ । ଯଦି ପ୍ରତ୍ୟେକ ଜାହାଜରେ ହାରାହାରି ପନ୍ଦର ଜଣ କର୍ମଚାରୀ ଧରାଯାଏ, ତେବେ ସେମାନଙ୍କ ସଂଖ୍ୟା ପ୍ରାୟ ସାଢ଼େ ଚାରି ହଜାର । ଏହା ଛଡ଼ା ଜାହାଜ ନିର୍ମାଣକାରୀ ବଢ଼ାଇ, କମାର, କଳାପିଠିଆ, ସଡ଼ସିଲାଇ, ଦରଜୀ ଓ ଅନ୍ୟାନ୍ୟ ଚାକର ସଂଖ୍ୟା ପ୍ରାୟ ପାଞ୍ଚ ହଜାର । ସମସ୍ତେ ବାଲେଶ୍ୱର ଜିଲ୍ଲାନିବାସୀ, ଜାହାଜର ଅଧିକାରୀ ମହାଜନମାନେ ମଧ୍ୟ ବାଲେଶ୍ୱରୀ । କେବଳ ଲବଣ ରହିବାରେ ଯେ ଜାହାଜ ସବୁ ନିଯୁକ୍ତ ଥିଲା, ତାହା ନୁହେଁ । ସେ ସମୟରେ କି ଅନ୍ତର୍ବାଣିଜ୍ୟ, କି ବହିର୍ବାଣିଜ୍ୟ ସମସ୍ତ ବାଲେଶ୍ୱରବାସୀମାନଙ୍କ ହସ୍ତରେ ଥିଲା । ବାଣିଜ୍ୟ ଉପଲକ୍ଷରେ ବାଲେଶ୍ୱରୀ ଜାହାଜ ସବୁ ଗୋପାଳପୁର, ବିଶାଖାପାଟନ, ମାନ୍ଦ୍ରାଜ, ରେଙ୍ଗୁନ ଓ ଅନ୍ୟାନ୍ୟ ଦ୍ୱୀପକୁ ଗତାୟାତ କରୁଥିଲେ ।

ବାଲେଶ୍ୱରବାସୀମାନଙ୍କର ଦୁଇଗୋଟି ବସ୍ତୁ ପ୍ରଧାନ ଉପଜୀବ୍ୟ- ଲବଣ ଓ ଧାନ୍ୟ । ଜିଲ୍ଲାର ପ୍ରାୟ ଏକତୃତୀୟାଂଶ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ଲବଣ ବ୍ୟବସାୟରେ ନିଯୁକ୍ତ ଥିଲେ । ବାଲେଶ୍ୱର ଉପକଣ୍ଠସ୍ଥ ବୁଢ଼ାବଳଙ୍ଗ ନଦୀ ଜାହାଜ ଓ ନଦୀକୂଳ ଜନତାରେ ପରିପୂର୍ଣ୍ଣ ଥିଲା । ବର୍ତ୍ତମାନ ଶ୍ମଶାନକ୍ଷେତ୍ରବତ୍ ପଡ଼ି ରହିଅଛି । ବାଲେଶ୍ୱରୀ ଜାହାଜର ଚିହ୍ନ ମାତ୍ର ନାହିଁ । ଯେଉଁମାନେ ଜାହାଜ ଚାଲନ ଓ ନିର୍ମାଣ କାର୍ଯ୍ୟରେ ପୁରୁଷାନୁକ୍ରମରେ ନିଯୁକ୍ତ ଥିଲେ ଅନ୍ୟାନ୍ୟ କାର୍ଯ୍ୟରେ ଅନଭ୍ୟସ୍ତ) ସେ ବଂଶ କାହାନ୍ତି । ଗତ ନଅଙ୍କ ଦୁର୍ଭିକ୍ଷ ଅନୁଗ୍ରହ କରି ସେ ସମସ୍ତ ଲୋକଙ୍କୁ ସବଂଶରେ ଶାନ୍ତି ନିକେତନକୁ ଘେନି ଯାଇଅଛି । ଅନ୍ୟଥା ସେଗୁଡ଼ିକ କି କଲବଲ ହୋଇଥାନ୍ତେ ।

୧୮୬୧ ଖ୍ରୀଷ୍ଟାବ୍ଦରେ ସରକାରୀ ପୋକ୍ତାନ କାର୍ଯ୍ୟ ବନ୍ଦ ହୋଇଗଲା । ତହିଁ ଉତ୍ତାରେ କେତେକ ବର୍ଷ ବାଲେଶ୍ୱରବାସୀ କେତେ ଜଣ ମହାଜନ ଯୌଥରୂପେ ବାଲେଶ୍ୱରର ବ୍ୟୟ ସକାଶେ ସରକାରଙ୍କ ଅନୁମତି ଅନୁସାରେ ପୋକ୍ତାନ କାର୍ଯ୍ୟ ଚଳାଇଥିଲେ । କି କାରଣ ଆମ୍ଭମାନଙ୍କୁ ଅଗୋଚର, ଭୟଙ୍କର ରୂପେ କ୍ଷତିଗ୍ରସ୍ତ ହୋଇ ଛାଡ଼ି ଦେଇଅଛନ୍ତି । କେତେ ଜଣ ମହାଜନ ସର୍ବସ୍ୱାନ୍ତ ମଧ୍ୟ ହୋଇଅଛନ୍ତି ।

ଲାଭ ନ ହେବାରୁ କି ସରକାର ପୋକ୍ତାନ କାର୍ଯ୍ୟ ରହିତ କରାଇ ଦେଲେ । ସରକାର ଚୁଲ୍ଲିଆମାନଙ୍କ ନିକଟରୁ ପ୍ରତି ମହଣ ଟ ୧୧୧୧ ହିସାବରେ ଗ୍ରହଣ କରୁଥିଲେ, ବିକ୍ରୀ ମହଣକୁ ଦୁଇ ଟଙ୍କା । ଫି ମହଣରେ ଟଙ୍କାଏ ଏଗାର ଅଣା ଲାଭ । କେବଳ ବାଲେଶ୍ୱର ଜିଲ୍ଲାର ନ ଲକ୍ଷ ମହଣର ଲାଭ ହିସାବ କରି ନିଅ । କଟକ ପୁରୀ ଜିଲ୍ଲା କଥା ଥାଉ ।

କ୍ଷୀରାବ୍ଧିତନୟା ରମା । ଲକ୍ଷ୍ମୀଙ୍କର ପିତୃଭବନ ସମୁଦ୍ର କୂଳରେ ଅବସ୍ଥିତ ଥିବାରୁ ଚିରଦିନ ଲକ୍ଷ୍ମୀ ଏହି ଜିଲ୍ଲାରେ ବିରାଜିତା ଥିଲେ । ସମୁଦ୍ର କୂଳବର୍ତ୍ତୀ ବାଣିଜ୍ୟ-ସ୍ଥାନର ନାମ ବନ୍ଦର, ଏଥିପାଇଁ ଏହାର ନାମ ବନ୍ଦରବାଲେଶ୍ୱର । ତିନି ଶତ ବର୍ଷ ପୂର୍ବେ ବଙ୍ଗଦେଶକୁ ଯିବା ପୂର୍ବେ ଓଲନ୍ଦାଜ, ଫରାସି, ଦିନେମାର ଓ ଇଂରାଜ ବଣିକମାନେ ଏଠାରେ ଦୋକାନ ମେଲିଥିଲେ ।

ବାଲେଶ୍ୱର ଯେପରି ଲକ୍ଷ୍ମୀବନ୍ତ ସ୍ଥାନ, ଦୁଇ ଚାରି ବର୍ଷ ଅକାଳ ପଡ଼ିଲେ ମଧ୍ୟ ସମ୍ଭାଳି ଯିବାର କଥା, ମାତ୍ର ଏହି ଦୁର୍ଭିକ୍ଷ ସମୟରେ ସମ୍ପୂର୍ଣ୍ଣ ରୂପେ ଶସ୍ୟ ଜନ୍ମିଥିଲେ ମଧ୍ୟ ସହରବାସୀ ସାଧାରଣ ଲୋକ ମଧ୍ୟରେ ଦଶପଣ ଲୋକଙ୍କ ଘରେ ଦୁଇଓଳି ଚୁଲ୍ଲୀ ଜଳେ କି ନା, ସନ୍ଦେହ । ମଧ୍ୟବିତ୍ତ ଲୋକଙ୍କ ଅବସ୍ଥା ପ୍ରାୟ ତଥୈବଚ । ଏକମାତ୍ର କାରଣ- ଅର୍ଥାଭାବ । କେବଳ ଲବଣ ପୋକ୍ତାନ ଉଠି ଯିବାରୁ ସମସ୍ତ ଯାଇଅଛି, କାରିଗର ବଂଶ ତ ନିର୍ମୂଳ ହୋଇଅଛନ୍ତି । ବାଣିଜ୍ୟକ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ମହାଜନ ଜଣେ ମଧ୍ୟ ନାହିଁ । ବିଦେଶୀୟ ମାରୁଆଡ଼ି, କଚ୍ଛୀ, ଭାଟିଆ, ନାଖୋଦାମାନେ ମାଡ଼ି ବସିଲେଣି । ହାତରେ ଅର୍ଥ କାହିଁ ଯେ, ଧନବନ୍ତ ବିଦେଶୀ ମହାଜନଙ୍କ ସହିତ ଟକ୍କର ଦେଇପାରିବେ ।

ଏହି କ୍ଷୁଦ୍ର ଜିଲ୍ଲାର ପ୍ରତିବର୍ଷ ପ୍ରାୟ କୋ ସଂଖ୍ୟକ ଟଙ୍କାର ଧାନ ଚାଉଳ ବିଦେଶକୁ ରପ୍ତାନି ହୁଏ । ରେଳ ଷ୍ଟେସନ ଚାଉଳବସ୍ତାରେ ପରିପୂର୍ଣ୍ଣ । ସଡ଼କମାନଙ୍କରେ ଦିବାରାତ୍ର ଚାଉଳ ଶଗଡ଼ ଚାଲିଅଛି, ଅଥଚ ସହରବାସୀ ଅଧିକାଂଶ ଲୋକ କାତର ନୟନରେ, ଖାଲି ପେଟରେ ଭକଭକ କରି ଚାହିଁ ବସିଛନ୍ତି ।

ଧାନ ଚାଉଳ ବିକ୍ରୀରେ ମଫସଲବାସୀ ଚାଷି-ମାନଙ୍କର ଦୁଇ ଟଙ୍କା ହାତପୈଠ ହେଉଅଛି ସତ୍ୟ, ମାତ୍ର ଖୋଜନ୍ତୁ, ଘର ଶୂନ୍ୟ ଦେଖିବେ । ଟଙ୍କା ହାତପୈଠ ହେବା ମାତ୍ରକେ ଲୋକେ ଲୋଭ ସମ୍ଭାଳି ନ ପାରି ଜର୍ମାନୀ ଝୁଟାରେ ରେପାର ଛତା ପ୍ରଭୃତି କିଣି ନେଇ ଘରେ ପୁରାଉ ଅଛନ୍ତି । ବର୍ଷେ ଅକାଳ ପଡୁ, ଦେଖିବେ, ଲୋକଗୁଡ଼ାକ ଲମ୍ୱ ଲମ୍ୱ ଧଣ୍ଡ ପରି ଶୋଇଯିବେ ।

ଆଗେ ଦେଶବାସୀ ସମୁଦ୍ରକୂଳ ମାଟି ବିକ୍ରୀ କରି ଟଙ୍କା ପାଉଥିଲେ, ବର୍ତ୍ତମାନ ଚାଉଳ ବିକ୍ରି କରି ଜର୍ମାନୀ-ମାଟି କିଣୁ ଅଛନ୍ତି । ରେପାର ଫେପାର ଗୁଡ଼ାକୁ ଆମ୍ଭେମାନେ ମାଟି ବୋଲୁଅଛୁ । ଆମ୍ଭେମାନେ ବୋଲିଅଛୁ, ପୂର୍ବେ ବାଲେଶ୍ୱର ଜିଲ୍ଲାରେ ପ୍ରତି ବର୍ଷ ନ ଲକ୍ଷ ମହଣ ଲୁଣ ପୋକ୍ତାନ ହେଉଥିଲା । ଆଜିଯାଏ ସେହି କାର୍ଯ୍ୟ ଚଳୁଥିଲେ ବ୍ୟବସାୟ ଉନ୍ନତି ଲାଭ କରି ପ୍ରତି ବର୍ଷରେ ଅତି ନିକୁଛରେ କୋଡ଼ିଏ ଲକ୍ଷ ମହଣ ପୋକ୍ତାନ ହେଉଥାନ୍ତା । ସୁତରାଂ ଅଭାବପକ୍ଷେ ଦଶଲକ୍ଷ ଟଙ୍କା ଦେଶରେ ପଶୁଥାନ୍ତା । ହଜାର ବର୍ଷ ପୂର୍ବ ସମୁଦ୍ରଗାମୀ ନୌଚାଳକ, ସମୁଦ୍ରକୂଳବାସୀ କୈବର୍ତ୍ତବଂଶ ଆଜି ବିଜ୍ଞାନଚର୍ଚ୍ଚା ସମୟରେ କେଡ଼େ ଉନ୍ନତି ଲାଭ କରିଥାନ୍ତେ ।

ଆଜିକାଲି ବାଲେଶ୍ୱରର ଯାହା କିଛି ଚାକଚକ୍ୟ ବିଦେଶୀମାନଙ୍କ ସକାଶେ । ମହାଜନ ବିଦେଶୀ, କଚେରିର ବଡ଼ ବଡ଼ ଚାକର ପ୍ରାୟ ବିଦେଶୀ । ରେଳ-ଷ୍ଟେସନରେ କର୍ମ ପାଇବା ଓଡ଼ିଆଙ୍କ କପାଳରେ ଲେଖାନାହିଁ । ଜମିଦାରଗୁଡ଼ାକ ତ ହାତ ବାନ୍ଧି ରହିଲେଣି । ଏବେ ଚାଷ ଏକମାତ୍ର ଅବଲମ୍ୱନ । ହେଲେ ଜମି କାହିଁ ।

ହେ ଭଗବାନ୍ ! ଆମ୍ଭମାନଙ୍କ ଦୟାଳୁ ଗଭର୍ଣ୍ଣମେଣ୍ଟଙ୍କ କଣ୍ଠରେ ବିରାଜିତ ହେଉନ୍ତୁ । ବାଲେଶ୍ୱର ଜିଲ୍ଲାରେ ପୂର୍ବବତ୍ ଲୁଣ ପୋକ୍ତାନ କାର୍ଯ୍ୟ ଆରମ୍ଭ ହେଉ ।

ଲୋକପ୍ରିୟ ଲେଖା

To Top