ଗଳ୍ପ

ବାନର -କୁମ୍ଭୀର କାହାଣୀ : ଶେଷକଥା

Manoj Das's odia story Baanara Kumbhira Kaahaani : Sheshakathaa

“ମହାତ୍ମା ! ମୋର ଉର୍ଦ୍ଧ୍ୱଗତି ହେବାକୁ ବିଳମ୍ବ ନାହିଁ , ଆପଣ କଣ ଏଇଆ ବୁଝାଉଛନ୍ତି ?”

ବାନର -କୁମ୍ଭୀର କାହାଣୀ : ଶେଷକଥା

ଆଗତପ୍ରାୟ ସନ୍ଧ୍ୟାର ଆକାଶ ଥିଲା ମେଘାଚ୍ଛନ୍ନ; କିନ୍ତୁ ମେଘମାନେ ବଡ଼ ଅଳସୁଆ ଜଣା ମନେହେଉଥିଲେ । ମୋଟେ ନ ବର୍ଷି, ଚୁପ୍‌ଚାପ୍‌ ସେମିତି ଶୋଇ ରହି ଋତୁଟି ବିତାଇଦେଇ ପାରିଲେ ବୋଧହୁଏ ସେମାନେ ଖୁସି ହୁଅନ୍ତେ !

ଆଉ ଯଥାଶୀଘ୍ର ଶୋଇପଡ଼ିପାରିଲେ ଖୁସି ହୁଅନ୍ତା ଅବୋଲକରା ; କିନ୍ତୁ ଅପରାହ୍ନରେ ତା’ର ଦୃଷ୍ଟିପଥାରୁଢ଼ ହୋଇଥିବା ‘ହୃଦୟବିଦାରକ’ ଗାତ୍ର -ଚିତ୍ରଟିର ବ୍ୟାଖ୍ୟା ପାଇବା ପୂର୍ବରୁ ନୁହେଁ । ଅବୋଲକରା ଖାଦ୍ୟ ବିନା ଶୋଇପାରେ , ଶୋଇପାରେ ଶଯ୍ୟା ବିନା : ଘର୍ଘର ନିନାଦ ବା ବର୍ବର ହଟ୍ଟଗୋଳ ଭିତରେ ସେ ସ୍ୱପ୍ନର କଳ୍ପରାଜ୍ୟ ଭିତରକୁ ଖସି ଯାଇପାରେ ; କିନ୍ତୁ କୌତୁହଳ ଅପନୋଦାନ ହୋଇନଥିଲେ ସେ ରାତି ପରେ ରାତି ଛଟପଟ ହେଉଥିବ ।

“ସାଆନ୍ତେ “!

ସାମନ୍ତକୁ ଅବୋଲକରାର ଏହି ନିଦ୍ଧିଷ୍ଟ ଶୈଳୀ ଓ ସ୍ୱର ବ୍ୟଞ୍ଜକ ସମ୍ବୋଧନର ତପ୍ତଯ୍ୟ ଅଜଣା ନଥିଲା ।

“ଆମେ ପରା ଆମ ଆଶ୍ରୟସ୍ଥଳ ଚଟି ଘରେ ପହଞ୍ଚିଗଲୁଣି ! ଆଉ ଅଧୌଯ୍ୟ କାହିଁକି ?” – ସାମନ୍ତ ଏକ ଉଦ୍ୟାନଶୋଭିତ ଛପର ଘର ଆଡେ ଆଙ୍ଗୁଳି ନିର୍ଦ୍ଧେଶ କରି କହିଲେ ।

ତହିଁ କୋଠରୀଟିଏ ଦଖଲ କରି ସ୍ନାନାନ୍ତେ ଦୁହେଁ ଆହାର ଶେଷ କରନ୍ତେ ଅବୋଲକରା ସାଆନ୍ତଙ୍କ ପାଇଁ କମ୍ବଳ ପାରିଦେଇ ତାଙ୍କ ପାଦ ସେବା କରିବାକୁ ବସିଗଲା, ଅବଶ୍ୟ ସେ ସେବା ଥିଲା କ୍ଷଣସ୍ଥାୟୀ । ସାଆନ୍ତ ତାଙ୍କ କାହାଣୀ ଆରମ୍ଭ କରିବା ମାତ୍ରେ ଅବୋଲକରାର କର୍ଣ୍ଣ -ଯୁଗଳ ଅତି ସଚେତନ ହୋଇଯାଉଥାଏ ।

“ଅବୋଲ ! ଭ୍ରମଣ ଭିତରେ ଗୋଟାଏ ପରେ ଗୋଟାଏ ଅସଂଖ୍ୟ ଦେବାଳୟ ଦେଖିଲୁଣି । ଆଜି ମଧ୍ୟାହ୍ନରେ ତୋ ଆଖିରେ ପଡିଥିବା ଛୋଟିଆ ମନ୍ଦିର ଗୋଟିକ ପାଇଁ ତାର ଏଡେ କୌତୁହଳ କାହିଁକି । ? ପ୍ରଶ୍ନ କଲେ ସାଆନ୍ତ । ”

ଯାହା ଦେଖିଲି ତାହା ମନ୍ଦିର ଭଳି ଲାଗୁଥିଲେବି ମନ୍ଦିର ନୁହେଁ ବୋଲି ମନେହେଲା । ଭିତରେ କୌଣସି ପ୍ରତିମା ନାହିଁ ; ଅଛି ଖାଲି ଶିଳା ଖଣ୍ଡିଏ । ମନ୍ଦିର ଗାତ୍ରରେ ବାନରଟିଏ ତା, ହୃଦୟ ବିଦାରଣ କରୁଥିବାର ଦୃଶ୍ୟ । ଏହି ଅସାଧାରଣ ନିଶ୍ଚୟ !”

“ଅବଶ୍ୟ ଅସାଧାରଣ । ତୋ ଅନୁମାନ ବି ଠିକ୍ । ତାହା ଦେବ ମନ୍ଦିର ନୁହେଁ , ସ୍ମତି ମନ୍ଦିର । ଯେତକ ଲକ୍ଷଣୀୟ , ତୁ ସେତକ ଲକ୍ଷ୍ୟ କରିଚୁ କି ନାହିଁ ପରଖୁଥିଲି । ଶୁଣ ତେବେ । ”

ସାଆନ୍ତ ଗପିଲେ :

‘ପଞ୍ଚତନ୍ତ୍ର’ ର ବାନର -କୁମ୍ଭୀର ଉପାଖ୍ୟାନ ତୁ ଅବଶ୍ୟ ଜାଣିଚୁ । ନଦୀକୂଳବର୍ତ୍ତୀ ସୁସ୍ୱାଦୁ କୋଳି ବୃକ୍ଷର ଏକ ମାତ୍ର ସ୍ଥାୟୀ ବାସିନ୍ଦା ରକ୍ତ ମୁଖ ନାମଧେୟ ବାନର ଦିନ ପରେ ଦିନ ନଦୀରେ କରାଳମୁଖ ନାମକ ଭାସମାନ କୁମ୍ଭୀର ଉପରେ ଦୟାପୂର୍ବକ ଅସରାଏ ଲେଖା କୋଳି ବର୍ଷଣ କରୁଥାଏ । ଥରେ କରାଳ ମୁଖ ଅମୃତପ୍ରାୟ ସେ ସୁସ୍ୱାଦୁ ଫଳରୁ କିୟଦଂଶ ନେଇ ପତ୍ନୀ କରାଳୀକୁ ଦିଅନ୍ତେ ତାହା ଭକ୍ଷଣ କରି , ସେହି ସୁସ୍ୱାଦୁ କୋଳି – ପୁଷ୍ଟ ବାନରର ହୃତପିଣ୍ଡ ଗୋଟିକ ଅନନ୍ୟ ମଧୁର ହୋଇଥିବ କଳ୍ପନାରେ କରାଳୀ ତାହା ଆହାର କରିବାକୁ ମନକଲା ଓ ବାନରକୁ ନେଇ ଆସିବାକୁ ସ୍ୱାମୀ ପାଖରେ ଜିଗର କଲା । କିମ୍ଭୀର କରାଳମୁଖ ସେ ପ୍ରସ୍ତାବ ପ୍ରତ୍ୟାଖାନ କରନ୍ତେ , କରାଳୀର ସନ୍ଦେହ ହେଲା ; ସ୍ୱାମୀର ବନ୍ଧୁଟି ବାନର ନୁହେଁ ,ବାନରୀ । ତେଣିକି କୁମ୍ଭୀରିଣୀର ଜିଦ ବଢିଗଲା । ପ୍ରାଣୀ ଭିତରେ ଈର୍ଷା କେଡେ ଭୀଷଣ ହୋଇପାରେ – କିମ୍ଭୀର ବାନରକୁ ଧରି ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେବାରୁ ସେ ବାନରୀ ପ୍ରେମରେ ପଡି ତାକୁ ପ୍ରତ୍ୟାଖ୍ୟାନ କରିଛି ଧାରଣାରେ କିମ୍ଭୀରିଣୀ ଆତ୍ମହତ୍ୟ ବି କରିଛି । – ମହାପଣ୍ଡିତ ବିଷ୍ନୁ ଶର୍ମା ମନସ୍ତତ୍ଵର ଏହି ଦିଗ ଉପରେ ଆଲୋକପାତ କରିଛନ୍ତି । ଅବଶ୍ୟ ସେ କଥା ‘ପଞ୍ଚତନ୍ତ୍ର ‘ର ପାଠକମାନେ ପାଶୋରି ଦିଅନ୍ତି । ଆପାତତଃ ଆମେ ବି ତାହା ଉପରେ ଧ୍ୟାନ ଦେବା ଲୋଡ଼ା ନାହିଁ ।

କିମ୍ଭୀର ଯାଇ ବାନରକୁ କିମ୍ଭୀରିଣୀ ତାକୁ ସଙ୍ଖୋଳିବାକୁ ବ୍ୟଗ୍ର କହି ବୋଲି ତାକୁ ପିଠିରେ ବସାଇ ନେଇଯାଇ ମଝି ନଈରେ ନିଜର ଅସଲ ଉଦ୍ଦେଶ୍ୟ ପ୍ରକଟ କରିଦିଅନ୍ତେ, ବାନର ନିଜ ହୃଦୟଟି ଗଛ କୋଟରରେ ସାଇତି ରଖିଛି ଏବଂ ସେ ଗୋଟିକ ବନ୍ଧୁ -ପତ୍ନୀଙ୍କୁ ସମର୍ପି ଦେବାକୁ ପ୍ରସ୍ତୁତ ବୋଲି କହି କିମ୍ଭୀର ଦ୍ୱାରା ପୁନରାୟ କୂଳକୁ ଅନୀତା ହେବା ମାତ୍ରେ ଜୀବନର ଦୀର୍ଘତମ ଲମ୍ଫସାଧନ ଯୋଗେ ବୃକ୍ଷା ରୋହଣ କରି ସେ କିମ୍ଭୀର କୁ ସ୍ତ୍ରୈଣ ,କାପୁରୁଷ ,କୃତଘ୍ନ , ଇତ୍ୟାଦି ସୁନିର୍ବାଚିତ ଶବ୍ଦ ସମାହାରେ ଯେଉଁ ଭତ୍ସନା କଲା , ତାହା ଶୁଣିଲେ କଳିଯୁଗର ମନ୍ତ୍ରୀ ମଧ୍ୟ ଲଜ୍ଜିତ ହୁଅନ୍ତା ।

ବିଷ୍ଣୁ ଶର୍ମାଙ୍କ କିମ୍ଭୀର ଅବଶ୍ୟ ଆତ୍ମଗ୍ଲାନିପୀଡିତ ହୋଇ ଅପସରି ଗଲା; କିନ୍ତୁ ମହାପଣ୍ଡିତଙ୍କ ବର୍ଣ୍ଣନା ସେଇଠି ଶେଷ ହେବା ସତ୍ତ୍ୱେ ପରବର୍ତ୍ତୀ ଘଟଣା ଏହିପରି : ପ୍ରାୟ ନବଜୀବନ ପ୍ରାପ୍ତ ବାନର ଅତ୍ୟନ୍ତ ଉତ୍ଫୁଲ୍ଲ ହୋଇ ନିଜ ବୁଦ୍ଧି ବଳରେ ନିଶ୍ଚିତ ମୃତ୍ୟୁମୁଖରୁ ଉତ୍ତୀର୍ଣ୍ଣ ହେବାର କାହାଣୀ ପରିଚିତ , ଅପରିଚିତ ସମସ୍ତ ପଶୁପକ୍ଷୀଙ୍କୁ ଗପିବାକୁ ଲାଗିଲା । କିମ୍ଭୀର ପ୍ରତି ତାଚ୍ଛଲ୍ୟ ସୂଚକ ଅଟ୍ଟହାସ୍ୟରେ ବାରମ୍ବାର ମୁଖରିତ ହେଲା ଆଖପାଖର ବୃକ୍ଷଲତା ।

ଅଦୂରରେ ଥିଲା ଲୁଲୁର୍ଭା ବନ -ସେ ଯୁଗର ସବୁଠୁଁ ପ୍ରଗତିଶାଳୀ ,ସଭ୍ୟ ଅରଣ୍ୟ । ଦିନେ ନିଖିଳ ଲୁଲୁର୍ଭା ମର୍କଟ ସଂସଦ ରକ୍ତମୁଖକୁ ନିମନ୍ତ୍ରଣ କରିନେଇ ବିପୁଳ ସମ୍ବଦ୍ଧର୍ନା ଜ୍ଞାପନ କଲେ । ରକ୍ତମୁଖ ସେଠାରେ ସୁଖ ସନ୍ତୋଷ ମଧ୍ୟରେ କିଛିକାଳ ଅତିବାହିତ କରି ,ନିଜ ବୃକ୍ଷକୁ ପ୍ରତ୍ୟବର୍ତ୍ତନ କରି ଦେଖିଲେ , ତଳେ ଡେରା ପକେଇଛନ୍ତି ଚେଲା -ପ୍ରଚେଲା ସମାହାରେ ଜଣେ ମହାନ ସାଧୁ ।

“ଆଜ୍ଞା ଏ ଅଧମ ଏ ବୃକ୍ଷରେ ବାସକଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁତ ?” ପ୍ରଶ୍ନ କଲା ରକ୍ତମୁଖା । ବାହାବା ଉପଭୋଗର ଅଭ୍ୟସ୍ତ ବାନରଟି ସାଧୁଙ୍କୁ ମଧ୍ୟ ନିଜ କୃତିତ୍ୱ ଶୁଣାଇବାକୁ ଅଧୀର ଅନୁଭବ କରୁଥିଲା ।

” ବତ୍ସ ! ମୁଁ ବି ଏଠି ରହୁନାହିଁ କି ତୁ ବି ଏଠି ରହୁନାହୁଁ !”-କହିଲେ ସାଧୁ । ”

ବାବା ! ଆପଣଙ୍କ ରହିବା ନ ରହିବା ଅବଶ୍ୟ ଆପଣଙ୍କ ଇଚ୍ଛାଧୀନ । କିନ୍ତୁ ମୋ ଗତି -ପ୍ରଗତି ଉପରେ ଆପଣ ସିଦ୍ଧାନ୍ତ ନେବେ କିପରି ? ନିଜ ବିଜ୍ଞତା ସମ୍ପକରେ ନିଶ୍ଚିତ ରକ୍ତମୁଖା ପ୍ରଶ୍ନ କଲା ।

“ବତ୍ସ ! ଆପଣାର ସ୍ୱାଧୀନ ଗତି ପ୍ରବୃତ୍ତି ଭାଗ୍ୟର ଗତିବିଧି ସ୍ୱୀକାର କରି ନେବାକୁ ପଡେ , ଏତକ କଣ ତୋତେ ଅଜଣା ?”

ଚମକି ଉଠିଲା ମର୍କଟ ।

“ମହାତ୍ମା ! ମୋର ଉର୍ଦ୍ଧ୍ୱଗତି ହେବାକୁ ବିଳମ୍ବ ନାହିଁ , ଆପଣ କଣ ଏଇଆ ବୁଝାଉଛନ୍ତି ?”

ସହାନୁଭୂତି ପ୍ରକଟ କରି ହସିଲେ ସାଧୁ ଓ କହିଲେ ,” ପର ପାରିକୁ ଗତିମାନେ ଯେ ଉର୍ଦ୍ଧ୍ୱଗତି ; ଅଧୋଗତି ଅଥବା ତୁଚ୍ଛା ସଳଖ ଗତି ନୁହେଁ , ସେ କଥାତ କହିପାରିବି ନାହିଁ !”

ମୁହୂତ୍ତେ ସ୍ତମ୍ଭୀଭୂତ ରହି ରକ୍ତମୁଖା କହିଲା ,”ମହାତ୍ମା ! ମୁଁ ମୋ ମର୍କଟ ସୁଲଭ ଆଚରଣ ବାହାରେ କୌଣସି ମନ୍ଦ କାଯ୍ୟ କରିନାହିଁ । ମୋର ଉର୍ଦ୍ଧ୍ୱଗତି ଉପରେ ଆପଣଙ୍କ ସନ୍ଦେହର ହେତୁ ?”

“ବତ୍ସ ! କେବଳ ମନ୍ଦ କାର୍ଯ୍ୟରୁ ବିରତ ରହିଲେ ଉର୍ଦ୍ଧ୍ୱଗତି ହେବା ଅନିବାର୍ଯ୍ୟ , ଏମିତି ନିୟମ ନାହିଁ । କିନ୍ତୁ ସେ କଥା ଛାଡ଼ । ତୁ କଣ ସତରେ କୌଣସି ମନ୍ଦ କାର୍ଯ୍ୟ କରିନାହୁଁ ? ସାମାନ୍ୟ ବିଶ୍ୱାସ ଘାତକତା ?”

ବିଶ୍ୱାସଘାତକତା ,ମହାତ୍ମା ? ସେ କାମଟି କିମ୍ଭୀର ମୋ ପ୍ରତି କରିଥିଲା ; ମୁଁ କରିନାହିଁ ।

“କରିନାହୁଁ ? କଲିଜା ଗଛ କୋଟରରେ ଥୋଇଦେଇ ଆସିଚୁବୋଲି ତା’ ମନରେ ବିଶ୍ୱାସ ଉପୁଯାଇ ତାକୁ ଦଗା ଦେଲା ତେବେ କିଏ ? ବିଚାରୀ ତା ସ୍ତ୍ରୀକୁ ହରେଇଲା ; ନିଜେ ହାସ୍ୟାସ୍ପଦ ହେଲା । ତୁ ଅଭିନନ୍ଦନ ସଂଗ୍ରହରେ ବ୍ୟସ୍ତ ରହିଲୁ । ଗର୍ବରେ କେତେ ଫୁଲିଛୁ , ତାହାର ମାପଚୁପ୍ କରିଛୁ ? ତେଣେ ଅପମାନ , ଅନୁଶୋଚନାରେ ନିପୀଡ଼ିତ କିମ୍ଭୀର ; ଅପରାଧର ଫଳରୁ ମୁକ୍ତ ରହିବା ନିମନ୍ତେ ପାର୍ଥନାନିରତ । ଉର୍ଦ୍ଧ୍ୱଗତି ତା’ର ହେବ ନା ତୋର ?

” ମହାତ୍ମା ! ମୁଁ ତ ବ୍ୟାପରଟିକୁ ସେ ଦିଗରୁ ଦେଖିନଥିଲି ! ମୁଁ ଆତ୍ମରକ୍ଷା କଲି ମାତ୍ର !”

” ଭଲକଲୁ । ତୋର ଉର୍ଦ୍ଧ୍ୱଗତି ହେବ ନାହିଁ ବୋଲି ମୁଁ କହୁନାହିଁ ; କେବଳ ଜାଣେ ନାହିଁ ବୋଲି କହୁଛି । ” ହସିଲେ ସାଧୁ ।

ପରଦିନ ସାଧୁ ଡେରା ଉଠାଇ ଚାଲିଗଲେ । ପଛରେ ରହିଗଲା ଘୋର ଚିନ୍ତାମଗ୍ନ ମର୍କଟ । ନଅଦିନ ନଅରାତ୍ର କାଳ ଅବ୍ୟାହତ ଚିନ୍ତା ଅନ୍ତେ ସେ ଏକ ବିଶେଷ ସିଦ୍ଧାନ୍ତରେ ଉପନୀତ ହେଲା ଓ କୂଳେ କୂଳେ ଯାଇ ତା’ର ପୂର୍ବତନ ବନ୍ଧୁ କିମ୍ଭୀରକୁ ଠାବ କଲା । “ବନ୍ଧୁ ! ବର୍ତ୍ତମାନ ତୁମେ ମୋର କଲିଜାଟି ନିର୍ବିଘନରେ ଭକ୍ଷଣ କରିପାର । ” ରକ୍ତମୁଖ ନିଜ ଆନ୍ତରିକତା ପୂର୍ଣ୍ଣ ବାକ୍ୟଟି ସମାପ୍ତ କରିସାରିବା ପୂର୍ବରୁ ହିଁ କିମ୍ଭୀର ହାବେଳୀ ଗତିରେ ନଈ ଭିତରକୁ ପଳାଇ ଗଲା ।

ମର୍କଟ ହତାଶ ହୋଇ ଗୋଟିଏ ଗୁମ୍ଫାରେ ପଶି ଧ୍ୟାନସ୍ଥ ହେଲା । ବିତିଗଲା ବର୍ଷଟିଏ । ଅବଶେଷରେ ଦିନେ ସିଏ ଅନୁଭବ କଲା ଏକ ଅପୂର୍ବ ଉଶ୍ୱାସ ଭାବ । ନିଜକୁ ସଂପୂର୍ଣ୍ଣ ଭାବରେ ବିତରଣ କରିଦେବାକୁ , ଉତ୍ସଗ କରିଦେବାକୁ ସେ ପ୍ରସ୍ତୁତ । ବସ୍ତୁତଃ ,ସେ ଆବେଗ ତା’ର ସମ୍ଭାଳି ପଡୁନଥାଏ । ସେ ଗୁମ୍ଫାରୁ ବାହାରି ଦୌଡିଲା । ସତେ ଅବା ସେ ପୃଥିବୀର କ୍ଷିପ୍ରତମ ବିହଙ୍ଗ !

ପହଞ୍ଚିଲା ଯାଇ ସାଧୁଙ୍କ ସମୀପରେ ।

“ମହାତ୍ମା ! ମୁଁ ମୋ ହୃତ୍‌ପିଣ୍ଡ କାହାକୁ ସମର୍ପଣ କରିବି -କୁହନ୍ତୁ । ବିଳମ୍ବ ସହି ପାରୁନାହିଁ । ମୁଁ ନିଃଶେଷ ହେବାକୁ ଚାହେଁ । ଆଃ ,ନିଜକୁ ଦେଇଦେବାର ସିଦ୍ଧାନ୍ତରେ ମୁଁ କେଡେ ମୁକ୍ତ ଅନୁଭବ କରୁଛି !”

ସାଧୁ ତାକୁ ଆଉଁସି ଦେଲେ । ଉପସ୍ଥିତ ଅନୁଗତମାନେ କିଛି ଶୁଣିପାରୁ ନଥିଲେ । ସେମାନେ ଦେଖୁଥିଲେ ସାଧୁ ଶୂନ୍ୟକୁ ଆଉଁଶିଛନ୍ତି । ” ବାପା ! ତୋତେ ମାଲୁମ ନାହିଁ ଯେ ତୁ ଆଉ ତୋ କଳେବରରେ ନାହୁଁ । ମୋ ପାଖରେ ତୋ କଳେବର ନୁହେଁ ,ତୋ ପ୍ରାଣସତ୍ତ୍ୱାହିଁ ଉପନୀତ । ସମ୍ପୂର୍ଣ୍ଣ ମୁକ୍ତି ଦିଗରେ ତୋର ଏକମାତ୍ର ପ୍ରତିବନ୍ଧକ ଏଇ ଦେଇପକାଇବାର ଅତ୍ୟଧିକ ଆଗ୍ରହ ବା ଆସକ୍ତି । ତୋତେ ମୁଁ ପ୍ରତିସୃତି ଦେଉଛି ,ଅରଣ୍ୟ ସେପାରି ଗୁମ୍ଫାରେ ସ୍ଥିତ ତୋ କଳେବର -ନିହିତ ତୋର ବିଶୁଦ୍ଧ ହୃତ୍ ପିଣ୍ଡର ସଦ୍ ବ୍ୟବହାର ହେବାର ବ୍ୟବସ୍ଥା କରିବି । ମୁଁ ପାର୍ଥନା କରୁଛି , ତୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇଯା । ”

ରକ୍ତମୁଖର ସନ୍ତୁଷ୍ଟ ତଥା କୃତଜ୍ଞ ପ୍ରାଣସତ୍ତା ଚାହୁଁ ଚାହୁଁ ମିଳେଇଗଲା । ସାଧୁ ତାଙ୍କ ସେବକମାନଙ୍କ ଭିତରୁ ଦୁଇଜଣଙ୍କୁ କୌଣସି ନିଦ୍ଧେର୍ଶ ଦେଲେ । ଦୁହେଁ ଗୁମ୍ଫା ଅଭିମୁଖେ ବାହାରିଗଲେ । ସାଧୁଙ୍କ ପରବର୍ତ୍ତୀ କାର୍ଯ୍ୟ ଥିଲା ନଗରୀରେ । ସେଠାରେ ତାଙ୍କର ସହସ୍ର ଶିଷ୍ୟ ଏବଂ ପ୍ରଶଂସକ । ସେ ଦିନ ଏକ ସମାବେଶରେ ବସିଥିବାବେଳେ ଗୁମ୍ଫାକୁ ପ୍ରେରିତ ତାଙ୍କର ଶିଷ୍ୟ ବାନରର ଶୁଷ୍କ ହୃତପିଣ୍ଡଟି ଏକ କବଚାକୃତି ସ୍ୱର୍ଣ୍ଣପଦକ ଭିତରେ ସୁରକ୍ଷିତ ଅବସ୍ଥାରେ ଆଣି ତାଙ୍କ ଆଗରେ ଉପସ୍ଥାପନ କଲେ ।

“ଏଇ ପବିତ୍ର ହୃତପିଣ୍ଡ ଯିଏ ଧାରଣ କରିବ ,ସିଏ ନିଜ ହୃଦୟରେ ଅନୁଭବ କରିବ ଅପୂର୍ବ ଆନନ୍ଦ ,ଶକ୍ତି ଓ ଶାନ୍ତି । “- କହିଲେ ସାଧୁ ।

” ମହାତ୍ମା ! ଆପଣ ତ ଜାଣନ୍ତି ,ମୋର ହୃଦବୈକଲ୍ୟ ରହିଛି । ଏହା ଧାରଣ କଲେ ଯଦି ଉପକାର ମିଳିବ …..” ସାଧୁଙ୍କ ଆତିଥ୍ୟ ପ୍ରଦାନ କରିଥିବା ନଗରୀର ଶେଷ୍ଠତମ ଶ୍ରେଷ୍ଠୀଜଣକ ଏହା କହିବା ମାତ୍ରେ ସାଧୁ ସ୍ୱର୍ଣ୍ଣ -କବଚଟିକୁ ଏକ ହାରଯୋଗେ ତାଙ୍କ ବେକରେ ପକାଇଦେଲେ । ଶ୍ରେଷ୍ଟୀ ପୁଲକିତ ହୋଇ ତାଙ୍କୁ ପ୍ରଣିପାତ କଲେ ।

ନିଶାର୍ଦ୍ଧରେ ସାଧୁ ବିଶ୍ରାମ କରୁଥିବା କୋଠରି ଭିତରକୁ ଝଡ଼ ଭଳି ପଶିଆସିଲେ ଶ୍ରେଷ୍ଟ ମହୋଦୟଙ୍କର ପାଞ୍ଚ ସନ୍ତାନ । ସେମାନେ ଦିଶୁଥିଲେ ଭୟାର୍ତ୍ତ ।

“ମହାତ୍ମା ଆପଣ କଲେ କଣ ? ପିତୃ ଦେବ ସେ ହାର ପିନ୍ଧିବା ପରଠାରୁ ଖାଲିଦେଇଚାଲିଛନ୍ତି । ତିନିପୁରୁଷ ଧରି ସଞ୍ଚିତ ହୀରା , ନୀଳା , ମୋତି ମାଣିକ୍ୟ ସବୁ ବାଣ୍ଟି ଦେଲେଣି । ଭୋର ବେଳକୁ ଆମେ କାଙ୍ଗାଳ ବନିଯାଇଥିବୁ । “-ଜ୍ୟେଷ୍ଠପୁତ୍ର କୋହ ସମ୍ବରଣ କରି କହିଲେ ।

ସାଧୁ ତତ୍ କ୍ଷଣାତ୍ ଯାଇ ଅତ୍ୟନ୍ତ ହର୍ଷୋତ୍ଫୁଲ୍ଲ ଦିଶୁଥିବା ଶ୍ରେଷ୍ଟୀଙ୍କୁ କବଚଟି ମାଗିଲେ । ଶ୍ରେଷ୍ଟୀ ଗଦ୍ ଗଦ୍ ହୋଇ ତାହା ଦେଇଦେଲେ । ପରଦିନ ସାଧୁ ଯାଇ ତାଙ୍କର ଅନ୍ୟତମ ଶିଷ୍ୟ ସେନାପତିଙ୍କ ଘରେ ଆତିଥ୍ୟ ଗ୍ରହଣ କଲେ । ଦିନେ ଦୁଇ ଦିନ ଭିତରେ ସେ ଲକ୍ଷ୍ୟ କଲେ , ସେନାପତି ଯତପରୋନାସ୍ତି ଚିନ୍ତିତ ଓ ବିମର୍ଷ ରା଼ହୁଁଛନ୍ତି । କଥା କଣ ? ପଡୋଶୀ ରାଜ୍ୟଟିଏ ଜୟ କରିବା ନିମନ୍ତେ ରାଜା ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେନାପତି ସେ ଦିଗରେ କେତେଦୂର ସଫଳ ହେବେ ଜାଣିପାରୁନାହାନ୍ତି । ଦିନ ନାହିଁ ,ରାତି ନାହିଁ ,ଦଳ ଦଳ ସୈନ୍ୟଙ୍କୁ ତାଲିମ ଦିଆଚାଲିଛି ।

” ତମେ ଏ କବଚସମ୍ବଳିତ ହାରଟି ଧାରଣ କର , ବତ୍ସ !” କହି ସାଧୁ ରକ୍ତମୁଖର ହୃତପିଣ୍ଡ -ମଣ୍ଡିତ ହରଗୋଟିକ ସେନାପତିଙ୍କ ବେକରେ ପକାଇଦେଲେ । ଚାହୁଁ ଚାହୁଁ ସେନାପତିଙ୍କର ମୁଖମଣ୍ଡଳ ଦେଖାଗଲା ପୁର୍ଣିମା ଭଳି ଚହଟ । ସେ ଯାଇ ପହଁଞ୍ଚିଗଲେ ସୈନ -ସମାବେଶ ଆଗରେ ।

” ଆରେ ବାବୁ ମାନେ , ତମେ ମାନେ କରୁଛ କ’ଣ ? ଏମିତି ଗୋଡ଼ କଚାଡିବାର ,ଆସି ଲାଠି ବୁଲାଇବାର କିଛି ମାନେ ହୁଏ ? ନାଚ ! ଗାଅ !! ଆନନ୍ଦ କର । ହରିବୋଲ, ହରିବୋଲ !”

ବଜ୍ର -ଗମ୍ଭୀର ଆଜ୍ଞା ଦେବାରେ ଅଭ୍ୟସ୍ତ ସେନାପତିଙ୍କର ଏ ଅପ୍ରତ୍ୟାଶିତ ବାଣୀରେ ଶଙ୍କିଗଲେ ଉପ -ସେନାପତି ଓ ସୈନିକମାନେ । ସେନାପତି କ’ଣ ବୁଝାଉଛନ୍ତି ? ଥଟ୍ଟା କରୁଛନ୍ତି ? ପରେ ଦଣ୍ଡ ଦେବେ ? କିନ୍ତୁ ସେନାପତି ସ୍ୱୟଂ ଯେ ଖାଲି ଗୀତ ବୋଲିବାକୁ ଆରମ୍ଭ କରିଦେଇଥିଲେ ,ସେତିକି ନୁହେଁ ; ନାଚିବାକୁ ଉଦ୍ୟତ ହେଉଥିଲେ । “ଆନନ୍ଦ ! ଆନନ୍ଦ ! ଅଚ୍ଛା ,ମୋର ଏ ପଗଡି ଓ ତରବାରି କେହି ନେଇଯାଇ ମୋତେ ମୁକ୍ତି ଦେବ ?”

ପଛେ ପଛେ ଯାଇ ପହଞ୍ଚିଲେ ସାଧୁ ।

“ସେନାପତି ! ମୋତେ ହାରଟି ଦେଇଦିଅ । ” – ସେ କହିଲେ । ସେନାପତି ନମ୍ର ଭାବରେ ତାହା ପ୍ରତ୍ୟପଣ କଲେ । କ୍ରମେ ସେନାପତି ଅବଶ୍ୟ ଦେଖାଗଲେ ଗମ୍ଭୀର ; ଅସି ଓ ପଗଡି ସଜାଡି ନେଲେ ।

ସାଧୁଙ୍କୁ ରାତ୍ରିର ପ୍ରଥମ ପ୍ରହରରେ ଦେଖାକଲେ ମନ୍ତ୍ରୀ -“ମହାଭାଗ !ଆପଣଙ୍କରଠି ରହିଛି ଏକ ବିସ୍ମୟକର ବସ୍ତୁ । ରାଜା ସେ ସମ୍ବାଦ ପାଇଛନ୍ତି । ସେ ବଡ଼ କୌତୁହଳୀ ଚିଜଟି ତାଙ୍କୁ ଦେଇପାରିବେ ?”

ମନ୍ତ୍ରୀଙ୍କ ଅନୁରୋଧ ଶେଷ ନ ହେଉଣୁ ସାଧୁ ନୀରବରେ କବଚ -ହାରଟି ଧରି ବାଟକୁ ବାହାରି ପଡିଲେ । ମନ୍ତ୍ରୀ ତାଙ୍କୁ ଅନୁସରଣ କଲେ । ହଠା୍ତ ପଥପ୍ରାନ୍ତରେ ଗୋଟିଏ ଗଭୀର କୂଅ ଭିତରକୁ ମାଳାଟି ନିକ୍ଷେପ କଲେ ସାଧୁ ।

ମନ୍ତ୍ରୀ ହତବାକ ରହିଲେ । କିନ୍ତୁ ସାଧୁଙ୍କୁ ବାଧା ଦେବାର ସାହସ ତାଙ୍କର ,ଏପରିକି ରାଜାଙ୍କର ମଧ୍ୟ ନ ଥିଲା । ସାଧୁଙ୍କ ନିର୍ଦ୍ଧେଶରେ କୂଅ ପୋତି ଦିଆଗଲା । ଉପରକୁ ଦୃଶ୍ୟ ମାନ ରହିଲା ସ୍ମାରକୀ ଶିଳାଟିଏ । ତହିଁ ଉପରେ ଗଢାଗଲା ବାନର ରକ୍ତମୁଖ ନିଜ ହୃଦୟ ଖୋଲି ଧରିଥିବା ଦୃଶ୍ୟସମ୍ବଳିତ ସ୍ମୃତି-ମନ୍ଦିର । ବହୁ ବର୍ଷ ବିତିଗଲାଣି ।

“ଅବୋଲ ! ସାଧୁ କବଚଟି କାହିଁଙ୍କି ରାଜାଙ୍କୁ ଦେଲେନାହିଁ ?” – ପଚାରିଲେ ସାମନ୍ତ ।

“ରାଜା ସେ କବଚ ଧାରଣ କରିଥିବା ଅବସ୍ଥାରେ ଯଦି ଏ ଅବୋଲକରା ବି ତାଙ୍କୁ ଭେଟି ତାଙ୍କ ରାଜ୍ୟଟି ମାଗିଥାନ୍ତା , ସେ ବୋଧହୁଏ ଦେଇଦେଇଥାନ୍ତେ !”

” ଚମତ୍କାର ! ତୁ ଜ୍ଞାନୀ ହୋଇଗଲୁଣି ରେ ଅବୋଲକରା ! ସେ କବଚର ଯୋଗ୍ୟ ହେବାପାଇଁ , ଅର୍ଥାତ୍ ତା’ ର ମହତ୍ତ୍ୱରେ ମହୀୟାନ୍ ହେବ ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିତ୍ୱର ଭାରସାମ୍ୟ ରକ୍ଷାକଲାଭଳି ଶକ୍ତି ମଣିଷ ସେ ଯାଏ ଆୟତ୍ତ କରିନଥିଲା , ଅଦ୍ୟାବଧୀ କରିନାହିଁ । ବେଶ୍ -ଏଥର ଶୋଇପଡ । ପସ୍ତେଇ ଲାଭ ନାହିଁ । କବଚ ଉଦ୍ଧାର କରି ରାଜାଙ୍କୁ ଦେଇପାରିବୁ ନାହିଁ କି ତାଙ୍କ ବଦାନ୍ୟତାରୁ ରାଜ୍ୟ ପାଇପାରିବୁ ନାହିଁ । ”

ସାମନ୍ତ କଡ଼ ଲେଉଟାଇ ଶୋଇବ ବେଳେ ଅବୋଲକରାର ଦୀର୍ଘ ନିଃଶ୍ୱାସ ଶୁଣିଲେ । ।

ଲୋକପ୍ରିୟ ଲେଖା

To Top