ଗଳ୍ପ

ବଡ଼ବାବୁଙ୍କ ଚାକିରୀ ଛଡ଼ା

Bankabihari Das's Odia Story BADABAABUNKA CHAKIRI CHADAA

ଅଫିସର ତ ତାଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରି ନାହାନ୍ତି କି ଆମ୍ଭେମାନେ ତାଙ୍କୁ କୌଣସି ଅସମ୍ମାନ କରିନାହୁଁ । ଏ ଉଦ୍ଭଟ୍ଟ ଧାରଣା ତାଙ୍କ ମୁଣ୍ଡକୁ ଆସିଲା କାହିଁକି ? ଏ ବିଷୟରେ ବଡ଼ବାବୁଙ୍କୁ କିଏ ପଚାରିବ ?

ବଡ଼ବାବୁଙ୍କ ଚାକିରୀ ଛଡ଼ା

ଏଇ ସହରର ପଶ୍ଚିମ ଦିଗକୁ ଆମ ବୀମା କମ୍ପାନୀର ଅଫିସ୍ । ବଡ଼ବାବୁଙ୍କୁ ଲଗାଇ ଆମେ ୫/୬ ଜଣ ସେହି ଅଫିସ୍‌ରେ ଚାକିରୀ କରୁଛୁ । ଏହି ବୀମା କମ୍ପାନୀର ବହୁତ ନାଁ ଏବଂ ବହୁତ କାମ । ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାମ କଲେ ମଧ୍ୟ କାମ ସରେ ନାହିଁ । ଅଫିସ୍‌ର ବହୁତ କଡ଼ା ମିଞ୍ଜାସର ଲୋକ । ଦରକାର ପଡ଼ିଲେ ବଡ଼ବାବୁ ତାଙ୍କ ସହ କଥାବାର୍ତ୍ତା ହୁଅନ୍ତି । ଅଫିସର୍‌ଙ୍କ ପିଅନ ତାଙ୍କ ରୁମ୍ ପାଖରେ ବସି ରିତିମତ୍ ଢୋଳେଇବାରେ ବ୍ୟସ୍ତ । ହାକିମଙ୍କ ବେଲ୍ ବାଜିଲେ ଧଡ୍ କରି ଉଠି ଭିତରକୁ ଯାଏ ।

ଅଫିସ୍ ପିଅନ ଅଫିସ୍‌ରେ କେତେବେଳେ ନ ଥାଏ । ଅଫିସ୍‌କୁ ଲାଗି ବରା ପିଆଜି ଦୋକାନ ଏବଂ ପାନ ଦୋକାନରେ ବସି ବେଶ୍ ଆଡ୍ଡା ଗପ ମାରୁଥାଏ । ଫିଲ୍ମ ଦୁନିଆଁଠାରୁ ଘରର ଢିଙ୍କିଶାଳ ପର୍ଯ୍ୟନ୍ତ ଗାଲୁଗପ । ଶ୍ରୋତା ମଧ୍ୟ କମ୍ ନ ଥାନ୍ତି । ୫/୬ଟା ବାଜିଲେ ଘରକୁ ଚାଲିଯାଏ । ପୁଣି ପରଦିନ ୧୦ଟାରେ ମାଠିଆଏ ପାଣି ଥୋଇ ଚାଲିଲା ଦୋକାନକୁ । ସେ ଏ ଅଫିସ୍‌ର ସବୁଠାରୁ ପୁରୁଣା କର୍ମଚାରୀ । ତେଣୁ ମନରେ ବେଶ୍ ଗର୍ବ । ଆମ୍ଭମାନଙ୍କୁ ଖାତିରି ଟିକେ କମ୍ କରେ ।

ବଡ଼ବାବୁ ଆମ ସାହିର ଲୋକ । ଅଜା, ଅଣଅଜାଙ୍କ ସମୟରୁ ଏଠାରେ ରହୁଛନ୍ତି । ଆମ ସାହି ସହରଠାରୁ ଟିକେ ଦୂର ଗ୍ରାମ୍ୟ ପରିବେଶ ଭଳି । ବଡ଼ବାବୁ ଟିକେ ମାଇଚିଆ ପରି । ସବୁଦିନ ଗୋଟାଏ ପୋଷାକ । ଧଳା ପଞ୍ଜାବି, ଧଳା ଲୁଗା ଓ ଧଳା ଚାଦର ମଥାରେ ସିନ୍ଦୂର କଲି । ଆଖିରେ କଜ୍ୱଳ, କାନରେ ଫୁଲ, ଛତା ଧରି ଅଫିସ୍ ଆସନ୍ତି ଏବଂ ଯାଆନ୍ତି । ମୁଁ ମୋ ପିଲାଦିନରୁ ଦେଖି ଆସୁଛି । କେହି କେବେ ତାଙ୍କୁ ସାହସ କରି ପଚାରନ୍ତି ନାହିଁ କାହିଁକି ଏମିତି ବେଶ ? ଆମ ସାହିର ଥିଏଟର ବା ଯାତ୍ରା ବା ଗଣନାଟ୍ୟ ହେଲେ ବଡ଼ବାବୁଙ୍କୁ ଛାଡ଼ି ହେବା ଅସମ୍ଭବ । ବଡ଼ବାବୁ ଏକ ଧାରାରେ ଜଣେ ନିର୍ଦ୍ଦେଶକ, ସଙ୍ଗୀତକାର ଏବଂ ଅଭିନେତା, ଆବଶ୍ୟକ ହେଲେ ଲେଖା ଲେଖି ମଧ୍ୟ କରନ୍ତି ।

ବଡ଼ବାବୁଙ୍କ ଦୟାରୁ ମୁଁ ସେହି ବୀମା ଅଫିସ୍‌ରେ ଚାକିରୀ କରୁଛି । ତେଣୁ ବଡ଼ବାବୁଙ୍କୁ ମୁଁ ବହୁତ ସମ୍ମାନ କରେ, କିନ୍ତୁ କେବେ କେମିତି ସାମାନ୍ୟ ପରିହାସ କରନ୍ତି । ବଡ଼ବାବୁ ସେ କଥାକୁ କର୍ଣ୍ଣପାତ କରନ୍ତି ନାହିଁ । ଏତେ କଥା ହେଲେ ମଧ୍ୟ କମ୍ପାନୀର ସୁନାମ ଦିନକୁ ଦିନ ବଢ଼ି ଚାଲିଛି । କହିବାକୁ ଗଲେ ସବୁ ସୁନାମ ପାଇଁ ବଡ଼ବାବୁଙ୍କ ଦାନ । କାମରେ କାହାକୁ ଅବହେଳା କରିବାକୁ ଛାଡ଼ନ୍ତି ନାହିଁ । ଦିନକ ଭିତରେ ଯେତେ କାମ କରାଯିବା କଥା ତହିଁରୁ ଅଧିକ କାମ ନିଜେ ବଡ଼ବାବୁ କରିବା ସହ ଅନ୍ୟମାନଙ୍କୁ କରାଇଥାନ୍ତି ।

ଦିନେ କମ୍ପାନୀ ଉପରେ ବଜ୍ରପାତ ହେଲା । ମୋ ସହ ଅଫିସ୍‌ରେ ସମସ୍ତେ ଜାଣିବାକୁ ପାଇଲେ ବଡ଼ବାବୁ ଏ ଅଫିସ୍ ଛାଡ଼ି ଅନ୍ୟ କମ୍ପାନୀରେ ଯୋଗ ଦେବେ । ସେ ଚାଲିଗଲେ ବୀମା କମ୍ପାନୀର ଅପୂରଣୀୟ କ୍ଷତି ହେବ । ଅଫିସ୍‌ର କିରାଣୀମାନେ ଏବଂ ପିଅନ ମାନେ ଆପଣା ଆପଣା ଭିତରେ ଚୁପଚାପ୍ କଥା ହେଲେ- “ବଡ଼ବାବୁ କାହିଁକି ଏଠାରୁ ଯିବେ ? କ’ଣ ହେଲା ? ଅଫିସର ତ ତାଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରି ନାହାନ୍ତି କି ଆମ୍ଭେମାନେ ତାଙ୍କୁ କୌଣସି ଅସମ୍ମାନ କରିନାହୁଁ । ଏ ଉଦ୍ଭଟ୍ଟ ଧାରଣା ତାଙ୍କ ମୁଣ୍ଡକୁ ଆସିଲା କାହିଁକି ? ଏ ବିଷୟରେ ବଡ଼ବାବୁଙ୍କୁ କିଏ ପଚାରିବ ?” ଘୂରି ଘୂରି ଦାୟିତ୍ୱ ମୋ ଉପରେ ପଡ଼ିଲା । ଅଫିସ୍‌ର ସମସ୍ତଙ୍କ ଅନୁରୋଧ ପାଇଁ ମୁଁ ସମ୍ମତି ହେଲି । ଯେହେତୁ ବଡ଼ବାବୁ ଆମ ସାହିର ଲୋକ ମୁଁ ତାଙ୍କଠାରୁ ପ୍ରକୃତ କଥାଟା ବୁଝିପାରିବି ।

ଦିନେ ବଡ଼ବାବୁଙ୍କ ସହ ସାହିରେ ଦେଖାହେଲା । ବଡ଼ବାବୁ ସାହି ପିଲାଙ୍କ ଥିଏଟରରେ ନିର୍ଦ୍ଦେଶନା ଦେବାକୁ ଆସିଥିଲେ । ସେ ଥିଲା ଏକ ଐତିହାସିକ ନାଟକ । ମୁଁ ଯାହା ଭାବିଥିଲି ବଡ଼ବାବୁ ତାହା ନୁହଁନ୍ତି । ସେ ପ୍ରକୃତରେ ମାଇଚିଆ ନୁହଁନ୍ତି । ସେ ନିର୍ଦ୍ଦେଶନା ଏମିତି ଦେଇଥାନ୍ତି କେହି ତାଙ୍କୁ ମାଇଚିଆ ବୋଲି କହି ପାରିବ ନାହିଁ । ମୁଁ ସେହି ନାଟକରେ ରାଜଦୂତ ପରି ଛୋଟ ଚରିତ୍ର କରୁଥାଏ । ରିଅଲସଲ୍ ଶେଷ ହେଲା ସାଙ୍ଗ ହୋଇ ଫେରି ଆସୁ । ଏମିତି ଫେରିଲାବେଳେ ମୁଁ ପଚାରିଲି- “ବଡ଼ବାବୁ ! ମୁଁ ଶୁଣିଛି ଆପଣ କମ୍ପାନୀ ଛାଡ଼ି ଦେଉଛନ୍ତି । ଏ କ’ଣ ସତ କଥା ?” ବଡ଼ବାବୁ କହିଲେ- “ବୁଝିଲ ସରୋଜ ! ତମେ ଯାହା ଶୁଣିଛ ଠିକ୍ । ତେବେ ତମର ତ କିଛି କ୍ଷତି ହବନି । ତମକୁ ପରମାନେଣ୍ଟ୍ କରି ଦେଇଛି । ତମେ ବେଶ୍ ଆରାମରେ ଚଳିବ ।” ପୁଣି କହିଲି- “ଏଠାରେ କ’ଣ ଅସୁବିଧା ହେଲା ?” ସେ କହିଲେ- “ଅନ୍ୟ ଯାଗାରେ ବେଶି ଦରମା ମିଳିବ । ସିନିୟର୍ଟି ଅଧିକ ପାଇବି । ଏଠାରେ ଅଫିସରଙ୍କୁ   ଡରି ଡରି କେତେଦିନ କାମ କରିବାକୁ ହେବ ? କାମରେ କିଏ କୋଉଠି ଅବହେଳା କଲେ ଅଫିସର୍ ମୋତେ ଦୋଷ ଦେବା ସାଙ୍ଗେ ସାଙ୍ଗେ ଅଫିସ୍‌ର କର୍ମଚାରୀମାନଙ୍କ ସାମନାରେ ବେଶ୍ କିଛି ଗାଳି ଦେଇଥାନ୍ତି । ମୋ ସମ୍ମାନରେ ଯଥେଷ୍ଟ ଆଞ୍ଚ ଆସିଥାଏ ।” ମୁଁ ଚୁପ୍ ରହିଲି ।

ଅଫିସ୍‌ରେ ବଡ଼ବାବୁଙ୍କ ମତିଗତିରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କଲି । ବଡ଼ବାବୁ ଆସୁଛନ୍ତି । ପ୍ରାୟ ଅଫିସ୍‌ରଙ୍କ ଆସିବା ପରେ । ଉପସ୍ଥାନ ଖାତାରେ ବଡ଼ବାବୁଙ୍କ ନାଁ ପାଖରେ ନାଲିଛକ ଅଫିସ୍‌ର ପକାଇଛନ୍ତି । ସେଥିପ୍ରତି ବଡ଼ବାବୁଙ୍କ କିଛି ଖାତିରିଦାରୀ ନାହିଁ । ଏହି ପରିବର୍ତ୍ତନ ପାଇଁ ଅଫିସ୍ କିରାଣୀମାନେ ଆଶ୍ଚର୍ଯ୍ୟ ମଧ୍ୟ ହେଲେ । ଯେଉଁ ବଡ଼ବାବୁ କେବେ ଜୀବନରେ ବିଳମ୍ୱରେ ଆସି ନଥିଲେ ଏବେ. . . । ଏତିକିବେଳେ ଅଫିସରଙ୍କ ପାଖରୁ ଡକରା ଆସିଲା । ବଡ଼ବାବୁ ଅଫିସ୍‌ର ଚେମ୍ୱରକୁ ଗଲେ ଏବଂ କିଛି ସମୟ ପରେ ଫେରି ଆସି ନିଜ ସିଟରେ କାମରେ ବ୍ୟସ୍ତ ରହିଲେ । ମୁଁ ଭାବିଲି ଏଥର ବଡ଼ବାବୁଙ୍କୁ ବୋଧହୁଏ ନିଲମ୍ୱିତ କରାଯିବ । ସେମିତି କିଛି ହେଲାନି ବଦଳରେ ଆସିଲା ଗୋଟା ସ୍ଲିପ୍ ବଡ଼ବାବୁଙ୍କ ପାଖକୁ । ବଡ଼ବାବୁ ସେହି ସ୍ଲିପ୍ ଧରି ଚୌକିରୁ ଉଠିପଡ଼ି କହିଲେ, “ଅଫିସର୍ ସମସ୍ତଙ୍କୁ ଗୋଟା ଗୋଟା ବାଇକ୍ ଫ୍ରି’ରେ ମିଳିବ ଏବଂ ମତେ ଟାକ୍ସି ଆଲାଉନ୍ସ । ତେଣୁ ଅଫିସ୍ ଆସିବାରେ ବିଳମ୍ୱ ହେବନି ।” ଆମେ ସମସ୍ତେ ଠିଆ ହୋଇ ତାଳି ମାରି ବଡ଼ବାବୁଙ୍କୁ ସ୍ୱାଗତ କଲୁ । ବଡ଼ବାବୁଙ୍କ ବିଳମ୍ୱ ଯୋଗୁଁ ବାଇକ୍ ମିଳିଲା । ବଡ଼ବାବୁ କହିଲେ- “ସମସ୍ତେ ଠିକ୍ ଟାଇମରେ ଆସନ୍ତୁ ଏବଂ କାମ ମନ ଦେଇ କରନ୍ତୁ ।”

ବଡ଼ବାବୁଙ୍କ ଏ ଅଫିସ୍‌ରୁ ଚାକିରୀ ଛାଡ଼ିବା ହେଲାନି । ମୁଁ ଏ କଥା ଜାଣି ବହୁତ ଖୁସି ହେଲି । ମୋ ସହିତ ଆମ ଅଫିସ୍‌ର ସବୁ ଷ୍ଟାଫ୍, ବଡ଼ବାବୁଙ୍କ ସମସ୍ତ ପରିକଳ୍ପନା ଫସର ଫାଟିଗଲା । କିଛିଦିନ ପରେ ବଡ଼ବାବୁଙ୍କ ମୁଣ୍ଡକୁ ଅନ୍ୟ ଏକ ବୁଦ୍ଧି ଆସିଲା । ଅନ୍ୟ ଷ୍ଟାଫ୍‌ଙ୍କ ସହ ମୋବାଇଲ୍‌ରେ କ୍ରିକେଟ୍ କମେଣ୍ଟ୍ରି ଶୁଣୁଥିବାର ଅଫିସର୍ ନଜରକୁ ଆସିଲା । ଅଫିସର୍ ନିଜ ରୁମକୁ ଯାଇ ପିଅନଙ୍କ ଦ୍ୱାରା ବଡ଼ବାବୁଙ୍କୁ ଡକାଇଲେ । ବଡ଼ବାବୁ ନିର୍ଭୟରେ ଅଫିସର୍‌ଙ୍କ ରୁମ୍‌କୁ ଗଲେ ।

ଅଫିସର୍ ମହୋଦୟ ବଡ଼ବାବୁଙ୍କୁ କହିଲେ- “ଆପଣ ଓ ପିଲାମାନେ ମିଶି କ୍ରିକେଟ୍ କମେଣ୍ଟ୍ରି ଶୁଣୁଛନ୍ତି । ଅଫିସ୍ କାମ କିଛି ହବନି ? ଅର୍ଜେଣ୍ଟ ଫାଇଲ୍ ପଡ଼ି ରହିଛି ।”

ବଡ଼ବାବୁ ବଡ଼ ଦମ୍ଭରେ କହିଲେ- “ମୁଁ କ’ଣ କରିପାରିବି ? ପିଲାମାନେ କ୍ରିକେଟ୍ ଶୁଣିବାକୁ ପାଖ ଚା’ ଓ ପାନ ଦୋକାନକୁ ପଳାଉଛନ୍ତି । ପୁଣି ଭାରତ ଓ ଶ୍ରୀଲଙ୍କା ଫାଇନାଲ୍ । ଅଫିସ୍‌ରେ ବସିବାକୁ କେହି ନାରାଜ । ତେଣୁ ମୋବାଇଲ୍ ଆଣିବାକୁ କହିଲି । ନିଜ ନିଜ ମୋବାଇଲ୍‌ରେ ଖେଳ ଶୁଣନ୍ତୁ ଏବଂ ଅଫିସ୍‌ରେ ବସି ମୋବାଇଲ୍ ଶୁଣିବା ସହ କାମ କିଛି ହବ । ଆଉ ସେମାନେ କାମ କରି ଫାଇଲ୍ ଦେଲେ ସିନା ମୁଁ ଫାଇଲ୍ ଦେଖି ଆପଣଙ୍କ ପାଖକୁ ପଠେଇବି ।” ଅଫିସ୍‌ର ଚୁପ୍ ରହିଲେ । ବଡ଼ବାବୁ ଫେରି ଆସିଲେ ନିଜ ଚୌକିକୁ ଓ ଷ୍ଟାଫ୍‌ମାନଙ୍କୁ କହିଲେ- “ଅଫିସର୍ ବଡ଼ ଅସନ୍ତୁଷ୍ଟ । କାମ କିଛି ହଉନି । ଏମିତି ହେଲେ ମୁଁ ବଡ଼ବାବୁ କାମରୁ ଇସ୍ତଫା ଦେବି ।” ଷ୍ଟାଫ୍‌ମାନେ କହିଲେ- “ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଅତିରିକ୍ତ ସମୟ ଦେଇ କାମ ସାରିଦେବୁ । ଆପଣଙ୍କୁ ବଦନାମ ହେବାକୁ ଦେବୁ ନାହିଁ । ପାକିସ୍ଥାନ ଏବଂ ଭାରତ ଖେଳ ଏବଂ ଶ୍ରୀଲଙ୍କା ଓ ଭାରତ ଖେଳ ଲୋଭ ଛାଡ଼ି ପାରିଲୁ ନାହିଁ । ତେଣୁ କାମରେ ଅବହେଳା ହେଲା ।” ବଡ଼ବାବୁ ଆଉ କିଛି ନ କହି ଚୁପ୍ ରହିଲେ । ଅଫିସ୍ ଷ୍ଟାଫ୍ ବଚନବଦ୍ଧ ଅନୁସାରେ ବାକିଆ କାମ ସହିତ ଅନ୍ୟ କାମ କରି ଫାଇଲ୍ ପଠାଇଦେଲେ । ବଡ଼ବାବୁ ସେ ଫାଇଲ୍ ସହିତ ଅଫିସର୍‌ଙ୍କ ରୁମ୍‌କୁ ଯାଇ ଟେବୁଲ୍ ଉପରେ ରଖି ଅଫିସର୍‌ଙ୍କୁ   କହିଲେ- “ସାର୍ ! ଆମ ପିଲାମାନେ କାମ ସହିତ ଅପ୍ଟୁଡେଟ୍‌  କାମ କରି ଦେଇଛନ୍ତି ।” ଅଫିସର୍ ମନେ ମନେ ଖୁସି ହେବା ସହ ଆଶ୍ଚର୍ଯ୍ୟ ହେଲେ । ବଡ଼ବାବୁଙ୍କ କାର୍ଯ୍ୟ ଦକ୍ଷତା ସମ୍ୱନ୍ଧରେ ଅଫିସର୍ ବଡ଼ବାବୁଙ୍କ ଚରିତ୍ର ପତ୍ର ବହୁ ଉଚ୍ଚ ପ୍ରଶଂସା କରି ସାଙ୍ଗେ ସାଙ୍ଗେ ଲେଖିଦେଲେ । ଅଫିସ୍‌ର ଖୁସ୍ ଏବଂ ବଡ଼ବାବୁ ଖୁସ୍ । ପୁଣି ଅଫିସ୍ କାମ ବିଧିବଦ୍ଧ ଭାବେ ଚାଲିଲା ।

ଏହି ଘଟଣାର ଗୋଟିଏ ସପ୍ତାହ ପରେ ଷ୍ଟାଫ୍‌ମାନେ ଦେଖିଲେ ଗୋଟାଏ ଟି.ଭି. ଆସିଛି । ଯଥା ସମୟରେ ଅଫିସର୍ ଆସିଲେ ଏବଂ ଡାକରା ପଡ଼ିଲା ବଡ଼ବାବୁଙ୍କୁ । ବଡ଼ବାବୁ ଅଫିସର୍‌ଙ୍କ ରୁମ୍‌କୁ ଯାଇ ପ୍ରଣାମ କରି ହାତ ଯୋଡ଼ି ଠିଆ ହେଲେ । ବଡ଼ବାବୁଙ୍କୁ ଦେଖି ଅଫିସର୍ କହିଲେ- “ବଡ଼ବାବୁ ! ଷ୍ଟାଫ୍‌ମାନେ ଚା’ ଦୋକାନ କିମ୍ୱା ପାନ ଦୋକାନକୁ ଯାଇ ସମୟ ନଷ୍ଟ କରି କ୍ରିକେଟ୍ ଖେଳ କିମ୍ୱା ଫୁଟବଲ ଖେଳ ଦେଖିବେ ନାହିଁ । ଅଫିସ୍ ଟି.ଭି.ରେ ଖେଳ ଦେଖିବେ ଏବଂ କାମ କରିବେ । ଏହାଛଡ଼ା ଦିନ ଘ.୧.୩୦ମି. ଠାରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ଟାଇମ୍ ରହିବ । କମ୍ପାନୀ ତରଫ୍‌ରୁ ଲଞ୍ଚ ମିଳିବ । ଆପଣ ଆପଣଙ୍କ ସିଟ୍‌କୁ ଯାଆନ୍ତୁ । ମୁଁ ଅଫିସ୍ ଅର୍ଡର ଆଜି ପଠାଇ ଦେଉଛି । ତେବେ ଆପଣଙ୍କ ଦାୟିତ୍ୱ ରହିଲା ଯେ ଆମ ଅଫିସ୍ କାମ ତ୍ୱରାନ୍ୱିତ ହେବା ଦରକାର ।” ବଡ଼ବାବୁ ଅଫିସର୍‌ଙ୍କ ରୁମ୍‌ରୁ ଆସି ଷ୍ଟାଫ୍‌ଙ୍କୁ     ଜଣାଇ ଦେଲେ । ସମସ୍ତେ ଏକ ସଙ୍ଗରେ ତାଳି ମାରି ବଡ଼ବାବୁଙ୍କୁ କାନ୍ଧରେ ବସେଇ ଅଫିସ୍ ଭିତରେ ବୁଲିଗଲେ ।

ଏହା ଭିତରେ ବଡ଼ବାବୁଙ୍କ ପାଖକୁ ଅନ୍ୟ କମ୍ପାନୀରୁ ଦୁଇ/ତିନିଖଣ୍ଡ ଚିଠି ଆସିଲାଣି କାମରେ ଯୋଗ ଦେବାକୁ । ବଡ଼ବାବୁ ଧର୍ମ ସଙ୍କଟରେ । କ’ଣ କରିବେ ? କେମିତି ଏଠୁ ଚାକିରୀ ଛାଡ଼ିବେ ଏବଂ ଅନ୍ୟ କମ୍ପାନୀରେ ଚାକିରୀ କରିବେ ? ଏଠି ଯାହା ଚାହୁଁଛନ୍ତି କମ୍ପାନୀ ସେ ସୁବିଧା କରିଦେଉଛନ୍ତି । କେମିତି କହିବେ ଚାକିରୀ ଛାଡ଼ିବା କଥା ? ବହୁ ଭାବି ଚିନ୍ତି ସ୍ଥିର କଲେ ଇନ୍ଭାଲିଡ୍ ଦର୍ଶାଇ ଚାକିରୀରୁ ଅବ୍ୟାହତ ନେବେ । ସେ ପାଇଁ ଗୋଟିଏ ଦରଖାସ୍ତ ଲେଖି ଅଫିସର୍‌ଙ୍କ ମାର୍ଫତ୍ ବୋର୍ଡକୁ ପଠାଇଲେ । ଅଫିସର୍ ସେ ଦରଖାସ୍ତକୁ ବୋର୍ଡକୁ ପଠାଇବାକୁ ବହୁ ଅନିଚ୍ଛା ପ୍ରକାଶ କରିଥିଲେ । ବୋର୍ଡ ଦରଖାସ୍ତ ପାଇଁ ପ୍ୟାନେଲ୍ ଅଫ୍ ଡାକ୍ତର ପାଖକୁ ବଡ଼ବାବୁଙ୍କୁ ପରୀକ୍ଷା କରିବାକୁ ପଠାଇଲେ । ବଡ଼ବାବୁ ପ୍ରକୃତରେ ଇନ୍ଭାଲିଡ୍ ଥିଲେ ଯାହା ହୁଅନ୍ତା ରିପୋର୍ଟ ବଡ଼ବାବୁଙ୍କ ବିରୁଦ୍ଧରେ ଆସିଲା । ବଡ଼ବାବୁ କିଛିଦିନ ଚୁପ୍ ହେଇ ରହିଲେ । କିଛି ସ୍ଥିର କରିବାକୁ ନିଜେ କିଛି ସମୟ ନେଲେ । ନିଶ୍ଚିନ୍ତ ଭାବେ କିଛି କରି ଏ କମ୍ପାନୀରୁ ବିଦାୟ ନେବେ । ଅନ୍ୟ କମ୍ପାନୀ ପାଖରେ ଲଜ୍ଜିତ ବା ଅପମାନିତ ହବାକୁ ଚାହୁଁ ନାହାନ୍ତି, କିନ୍ତୁ ଅନ୍ୟପକ୍ଷରେ କମ୍ପାନୀର ଷ୍ଟାଫ୍‌ମାନଙ୍କର ସ୍ନେହ ଓ ମମତା । ମମତା ଡୋରି ଏବଂ ଅନ୍ୟ ପକ୍ଷରେ ଅନ୍ୟ କମ୍ପାନୀର ଚାକିରୀ ଏବଂ ଏଠିକା ଅପେକ୍ଷା ଅଧିକ ଦରମା । ନିଜ ଭିତରେ ବ୍ୟସ୍ତ ହୋଇପଡ଼ିଲେ ବଡ଼ବାବୁ ।

ବଡ଼ବାବୁ ହୋଇଛନ୍ତି ସତ, ତେବେ ବୟସ ବେଶି ନୁହେଁ । ବହୁଦିନ ବଡ଼ବାବୁ ହୋଇ ରହିବେ । ବହୁତ ଦିନ ଚାକିରୀ କରିବେ । ଦରମା ଚାକିରୀ ଶେଷ ବେଳକୁ ବହୁତ ପାଇବେ । ତେଣୁ ଏଠାରେ ପଡ଼ି ରହିବାର ଆବଶ୍ୟକତା ନାହିଁ । ପତ୍ନୀଙ୍କର କଡ଼ା ହୁକୁମ । ପିଲାମାନଙ୍କର କଡ଼ ତାଗଦା, କ’ଣ କରିବେ ବଡ଼ବାବୁ ?

ଚାକିରୀ ଛାଡ଼ିବା ପାଇଁ ଅଫିସ୍‌କୁ ଡେରିରେ ଆସିଲେ ଲଞ୍ଚ ଖାଇବା ବ୍ୟବସ୍ଥା ହେଲା । ଟି.ଏ. ମିଳିଲା । ଟି.ଭି. ଆସିଲା, କିନ୍ତୁ ଚାକିରୀ ଛାଡ଼ିବା କଥା ହେଲାନି । ତାଙ୍କ ଚାକିରୀ କମ୍ପାନୀ ପାଇଁ ବହୁତ ଦରକାର । ତେଣୁ ତାଙ୍କୁ ଛଡ଼ାଯାଇ ପାରିବ ନାହିଁ ବୋଲି କମ୍ପାନୀର ନିର୍ଦ୍ଦେଶନାମା ଜାରି ହେଲା ।

ବହୁତ ଭାବିଚିନ୍ତି ବଡ଼ବାବୁ ଗୋଟାଏ ଇସ୍ତଫାପତ୍ର ପ୍ରସ୍ତୁତ କଲେ । ମାସକ ପରେ ବଡ଼ବାବୁ ଏ କମ୍ପାନୀରୁ ଇସ୍ତଫା ଦେଇ ବିଦାୟ ନେବେ । ଇସ୍ତଫା ପତ୍ର ବଡ଼ବାବୁ ଅଫିସ୍‌ର ଅଫିସରଙ୍କୁ ଦେଇ ଦେଲେ । ମୁଁ ଏବଂ ଆମ ଅଫିସ୍ ଷ୍ଟାଫ୍ ଏ କଥା ଜାଣି ବହୁତ କାକୁତି ମିନତି ହୋଇ ଇସ୍ତଫା ପତ୍ର ଫେରାଇ ଆଣିବାକୁ ଅନୁରୋଧ କଲୁ, କିନ୍ତୁ ବଡ଼ବାବୁ ତାଙ୍କ ଜିଦ୍‌ରେ ଅଟଳ ।

କିଛିଦିନ ପରେ ବୋର୍ଡ ଅଫ୍ ଡାଇରେକ୍ଟର ମିଟିଙ୍ଗ୍‌ରେ ବଡ଼ବାବୁଙ୍କୁ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ହେଲା । ନିର୍ଦ୍ଦିଷ୍ଟ ଦିନ ଓ ସମୟରେ ବଡ଼ବାବୁ ବୋର୍ଡ ଆଗରେ ଉପସ୍ଥିତ ହେଲେ । ସେ ଧରିନେଲେ ଏଇଥର ତାଙ୍କୁ ଚାକିରୀରୁ ଛୁଟି ମିଳିବ । ଚେୟାର୍‌ପର୍ସନ ବଡ଼ବାବୁଙ୍କୁ ପ୍ରଶ୍ନ କଲେ- “ଆପଣ କାହିଁକି ଇସ୍ତଫା ଦଉଛନ୍ତି ?” ବଡ଼ବାବୁ ଟିକେ ବେଖାତିର ଭାବରେ କହିଲେ- “ମୋ ଇଚ୍ଛା ହେଲା ।” ପୁଣି ପ୍ରଶ୍ନ ହେଲା- “ଏଠାରୁ ଯାଇ ଅନ୍ୟ କୋଉଠି କାର୍ଯ୍ୟ କରିବେ ?” ବଡ଼ବାବୁ କହିଲେ- “ଅଧିକ ଦରମାରେ ଅନ୍ୟ ଯାଗାରେ କାମ କରିବେ ।” ପୁଣି ଚେୟାର୍‌ପର୍ସନ ପଚାରିଲେ- “କେତେ ଦରମା ପାଇବେ ?” ବଡ଼ବାବୁ କହିଲେ- “ଏଠାକାର ଦରମା ଅପେକ୍ଷା ୫୦୦୦ ଟଙ୍କା ଅଧିକ ।”

ବଡ଼ବାବୁଙ୍କୁ ବିଦାୟ ଦେଲେ । ବଡ଼ବାବୁ ମିଟିଙ୍ଗ୍ ରୁମ୍ରୁ ବାହାରି ଆସି ନିଜ ଚୌକିରେ ବସି ଦୁଇ/ତିନି ଗ୍ଲାସ୍ ପାଣି ପିଇଗଲେ । ଜୀବନରେ କେବେ ବୋର୍ଡ ଆଗରେ ଏମିତି ଉପସ୍ଥିତ ହୋଇ ଉତ୍ତର ଦେଇନଥିଲେ ।

ଘଣ୍ଟାଏ ଦୁଇଘଣ୍ଟା ପରେ ବଡ଼ବାବୁଙ୍କୁ ପୁଣି ଡକରା ଆସିଲା ମିଟିଙ୍ଗ୍‌କୁ । ବଡ଼ବାବୁ ମିଟିଙ୍ଗ୍ ରୁମ୍‌ରେ ପହଞ୍ଚି ଠିଆ ହୋଇ ରହିଲେ । ପରେ ପରେ ତାଙ୍କୁ ଚୌକି ଦିଆଗଲା ବସିବା ପାଇଁ । ବଡ଼ବାବୁ କୁଣ୍ଠିତ ହୋଇ ଚୌକିରେ ବସିଲେ । ଚେୟାର୍‌ପର୍ସନ କହିଲେ- “ବଡ଼ବାବୁ ! ଆପଣଙ୍କ ଇସ୍ତଫାପତ୍ର ଦେଖିଲୁ ଆପଣଙ୍କଠାରୁ ସାକ୍ଷାତକାର ନେଲୁ । ଆମେ ସମସ୍ତ ସଭ୍ୟ ବିଚାର କରି ସ୍ଥିର କଲୁ ଯେ ଆପଣଙ୍କୁ ପଦୋନ୍ନତି କରାଗଲା ଏଇ ଅଫିସ୍‌ରେ । ଆପଣଙ୍କ ଦରମା ୮୦୦୦ ଟଙ୍କା ବୃଦ୍ଧି କରାଗଲା । ଆପଣଙ୍କ ଇସ୍ତଫା ପତ୍ର ଗ୍ରହଣ କରାଗଲା ନାହିଁ । ଆଉ ଗୋଟାଏ କଥା, ଆପଣ ସରକାରୀ ଅଫିସର୍‌ଭାବେ ଯେତେ ବର୍ଷ ଚାହିଁବେ ସେତେ ବର୍ଷ କାର୍ଯ୍ୟ କରିବେ ।”

ବଡ଼ବାବୁ ଅବାକ୍ । ଯେଉଁଥିପାଇଁ ଚାକିରୀ ଛାଡୁଥିଲେ, ତହିଁରୁ ବହୁ ଅଧିକ ମିଳିଲା । ସେ ଫେରିଆସିଲେ ନିଜ ସିଟ୍‌କୁ ଓ ସଙ୍ଗେ ସଙ୍ଗେ ଅନ୍ୟ କମ୍ପାନୀକୁ ଜଣାଇ ଦେଲେ ଯେ ସେ ତାଙ୍କ କମ୍ପାନୀରେ ଯୋଗ ଦେବେ ନାହିଁ ।

ବଡ଼ବାବୁଙ୍କ ମନର ଆଶା ପୂରଣ ହେଲା ଏବଂ ସରକାରୀ ଅଫିସର୍‌ଭାବେ ଆସନ୍ତା କାଲିଠାରୁ ଯୋଗ ଦେବେ । ବଡ଼ବାବୁ ପୋଷ୍ଟ୍ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଗଲା । ଅଫିସ୍‌ର ଷ୍ଟାଫ୍, ପିଅନ ଓ ଦପ୍ତରୀ ସମସ୍ତେ ବଡ଼ବାବୁଙ୍କୁ ଘେରି ଯାଇ ବଧେଇ ଜଣାଇଲେ ଏବଂ ବେକରେ ଫୁଲହାର, କର୍ପୁର ହାର ଦେଇ ବେକ ପୁରା ଭର୍ତ୍ତି କରିଦେଲେ ।

ବଡ଼ବାବୁ କିନ୍ତୁ ଭାବୁଥିଲେ ସବୁ ଯେମିତି ଯନ୍ତ୍ରଚାଳିତ ମେସିନ୍ ପରି ଘଟିଯାଉଛି । ମୁଁ ମନେ ମନେ ବହୁତ ଖୁସି ସାଙ୍ଗେ ସାଙ୍ଗେ ଚାଲିଲି ଖବରଟା ବଡ଼ବାବୁଙ୍କ ଘରେ ଦେବାକୁ ।

ଲୋକପ୍ରିୟ ଲେଖା

To Top