ଗଳ୍ପ

ବକ-କର୍କଟ ଉପାଖ୍ୟାନ

Manoj Das's odia story Baka-Karkata Upaakhyaana

ଦିନେ କିନ୍ତୁ ମଣିଷ ଦୁଇ ପକ୍ଷର ଖେଳାଳିଙ୍କ ଭିତରୁ ଗୋଟାଏ ପକ୍ଷକୁ ପ୍ରଭାବିତ କରି କୃତ୍ରିମ ଭାବରେ ସେ ପକ୍ଷ ହାରିବାର ବ୍ୟବସ୍ଥା ବି କରିବାରେ କ୍ଷମ ହେବ ।

ବକ-କର୍କଟ ଉପାଖ୍ୟାନ

ଆଦିଗନ୍ତ ସବୁଜ ପ୍ରାନ୍ତର ଭିତରେ ଜଦାଚିତ କେଉଁଠି ଏକ ଏକ ବିଶାଳ ବଟ ବା ଶାଳ୍ମଳୀ । ଖାଉନ୍ଦଙ୍କୁ ଅନୁସରଣ କରି ତାଙ୍କର ଓ ନିଜର ହାଲୁକା ବୋଝ ବହନକରି ଚାଲୁଥିଲା ଅବୋଲକରା ।

“ସାଆନ୍ତେ !” ହଠାତ୍ ସେ ସମ୍ବୋଧନ କଲା ଏବଂ ସେହି ତାତ୍ପର୍ଯ୍ୟପୂର୍ଣ୍ଣ ଆବାଜ୍ ସଙ୍ଗେ ସଙ୍ଗେ ତା ଗତି ହେଲା ମନ୍ଥର ।

“ରାତିରେ, ଚଟିଘରେ, ବିଶ୍ରାମ ମଝିରେ ଆପଣ ମୋତେ ପ୍ରଶ୍ନଟିଏ ପଚାରିଥିଲେ- ମୁଁ ପଞ୍ଚତନ୍ତ୍ରର ‘ବକ ଏବଂ କର୍କଟ’ ନାମକ କାହାଣୀଟିଏ ଜାଣେ କି ନାହିଁ । ଆପଣଙ୍କୁ ସର୍ବଦା ପ୍ରଶ୍ନ କରିଥାଏଁ ମୁଁ ଆପଣା ଛାଏଁ ଆପଣ ମୋତେ କିଛି ପଚାରିବାଟା ସଚରାଚର ଘଟେ ନାହିଁ । ତେଣୁ ବେଶ୍ କୌତୂହଳୀ ହୋଇ ଗଳ୍ପଟି ଆପଣ ଅନୁଗ୍ରହକରି ଶୁଣାନ୍ତୁ ବୋଲି କହିବାକୁ ଯିବାବେଳରୁ ମୋ ଚେତନାକୁ ନିଦ୍ରାଦେବୀ କବଳିତ କରିନେବା ସଙ୍ଗେ ସଙ୍ଗେ ମୋ ଆଖିପତା ହଳକୁ ଜବରଦସ୍ତ ମୁଦି ଦେଲେ । ମୋର ଜମାରୁ ଦୋଷ ନାହିଁ ।”

“ଅବୋଲ! ନିଦ୍ରାଦେବୀ ତ ତୋତେ ପ୍ରଭାତରୁ ମୁକ୍ତି ଦେଇ ସାରିଲେଣି ! ଏତେବେଳ ଯାଏ ଯଦି ତୋ କୌତୂହଳ ସ୍ତବ୍ଧ ରହିପାରିଲା, ତେବେ ନିଦ୍ରାଦେବୀଙ୍କ ଉପରେ ଦୋଷତକ ଲଦିଦେଇ ନଥିଲେ ବି ଚଳିଥାନ୍ତା । ଠିକ୍ ଅଛି । ଗଳ୍ପଟି ଏହିପରି ।

ବକଟିଏ ଦିନେ ଗୋଟାଏ ଜଳାଶୟକୂଳରେ ଠିଆ ହୋଇ ଆହା ଚୁଚୁ କରିବାର ଦେଖାଗଲା । ନିରାପଦ ଦୂରତ୍ୱରେ ଥାଇ ଜଳାଶୟର ନାଗରିକ ମତ୍ସ୍ୟମାନେ ତା ବେଦନାର ହେତୁ ପୁଚ୍ଛା କରନ୍ତେ, ସେ ଜଣାଇଲା କି, ଅଚିରେ ସେ ଜଲାଶୟ ଶୁଖାଇଦେବାର ଯୋଜନା କରୁଛନ୍ତି ରାଜ୍ୟର ପୌର କର୍ତ୍ତୃପକ୍ଷ । ତା ଅନ୍ତରଙ୍ଗ ମତ୍ସ୍ୟକୁଳର ଦୁର୍ଦ୍ଧଶା ହେଜି ସେ ବିଷାଦମଗ୍ନ ।”

ମତ୍ସ୍ୟକୁଳ ବକ ବାପୁଡାରେ ଚିରାଚରିତ ଆଚରଣ କଥା ଆପାତଃତ ପାଶୋରିଦେଲେ ସ୍ଥାନୀୟ ମତ୍ସ୍ୟବୃନ୍ଦ । ସହାନୁଭୂତିରେ ସେ ଆମୂଳଚୂଳ ଶୁଭ୍ର ପ୍ରତୀକ ଆଡେ କିଞ୍ଚିତ୍ ଅଗ୍ରସର ହୋଇ ସେମାନେ ପ୍ରଶ୍ନକଲେ, ଆମର ତେବେ କିଛି ଗତି ନାହିଁ ବକଚର?

“ଅଛି…… ଅବଶ୍ୟ ଅଛି । ମୁଁ ଆବାଲ୍ୟ ସ୍ୱେଚ୍ଛାସେବୀ । ତୁମମାନଙ୍କୁ ଜଣଜଣକରି ମୋର ଏ ଯତସାମାନ୍ୟ ଚଞ୍ଚୁ ଦ୍ୱାରା ଟେକିନେଇଯାଇ ପାହାଡ ସେପାରିର ଏକ ମନୋରମ ସରୋବରରେ ଛାଡିପାରେଁ ।”

କୃତକୃତ୍ୟ ହେଲେ ମତ୍ସ୍ୟବର୍ଗ । ବିବର୍ତ୍ତନର ଉଷାକାଳରେ ବ୍ୟୋମବିହାର କରିପାରିବା ଭଳି ପକ୍ଷର ଅଧିକାରୀ ଥଲେ ମତ୍ସ୍ୟମାନେ, ଏହି ତତ୍ତ୍ୱର ପରିବେଷକ ଜଣେ ଉଚ୍ଚାଭିଳାଷୀ ମତ୍ସ୍ୟ ପ୍ରଥମେ ବକର ଥଣ୍ଟଭୁକ୍ତ ହେଲେ । ଉଡିଗଲା ବକ । ପାହାଡ ସେପାରିରେ ଉପବନ-ପ୍ରାୟ ପ୍ରାନ୍ତର, ତହିଁ ପଦ୍ମମୟ ଏକ ସରୋବର । ମତ୍ସ୍ୟଟିର ଆଖି ଦୁଇଟିରେ ଚମକିଗଲେ ଦୁଇ ଆଞ୍ଜୁଳା ବିଜୁଳି ।

ବକ କିନ୍ତୁ ସରୋବରର ଅଦୂରରେ ଶିଳାଖଣ୍ଡ ଉପରେ ଅବତରଣ କରି ମତ୍ସ୍ୟଟିକୁ ତଳେ ଥୋଇଲା ।

“ବ୍ୟୋମଯାତ୍ରାଯୋଗୁଁ ମୁଁ ଅବଶ୍ୟ ଶିହରିତ, ବକବର ! କିନ୍ତୁ ଜଳାଶୟ ବାହାରେ ରହିବାର ଅଭ୍ୟାସ ନଥିବାରୁ ତଥା ଆପଣଙ୍କ ସଦୟ ଚଞ୍ଚୁର ଚିମୁଟା ଭିତରେ ଛଟପଟ ହୋଇ ମୁଁ ମୃତପ୍ରାୟ । ବୁଝୁଛି, ଆପଣ କ୍ଳାନ୍ତ । ତଥାପି ଅନୁରୋଧ, ଆଉ ଟିକିଏ ଅଗ୍ରସର ହୋଇ, ଜଳାଶୟରେ ଏ ଅକିଞ୍ଚନକୁ ଛାଡିଦେଇ ଏହାକୁ ଏ ଯାତନାରୁ ମୁକ୍ତି ଦିଅନ୍ତୁ ।” କହିଲା ମତ୍ସ୍ୟ ।

“ତମର ମୁକ୍ତି ଏବଂ ମୋର ଶାନ୍ତି ଅପନୋଦନ ଏକତ୍ର ସମ୍ଭବ ।” କହି ବକ ମତ୍ସ୍ୟ କିଛି କହିପାରିବା ପୂର୍ବରୁ ତାକୁ ଗଳାଧଃକରଣ କଲା ।

ପୁଣି ଉଡିଗଲା ବକ ଜଳାଶୟ ପାଖକୁ, ପୁଣି ଉଡିଆସିଲା ପାହାଡ ଏପାରି ଶିଳା ଉପରକୁ- ଏକ ପରେ ଏକ ମତ୍ସ୍ୟ ଧାରଣ କରି । ତାର ଏ ହର୍ଷୋତ୍ ଫୁଲ୍ଲ ଉଡ୍ଡୟନ ଅବ୍ୟାହତ ରହିଲା ଏକ ପକ୍ଷଧରି । ଶିଳା ଉପରିଭାଗ ବିବିଧ ମତ୍ସ୍ୟଙ୍କ କଙ୍କାଳରାଶିର ଏକ ପ୍ରଦର୍ଶନୀରେ ପରିଣତ ହେଲା ।

ତେଣେ କ୍ଷୁଦ୍ର ଜଲାଶୟଟି ହେଲା ମତ୍ସ୍ୟ-ଶୂନ୍ୟ ।

ଏଥର, ହେ ବକରାଜ, ମୋପ୍ରତି ସଦୟ ଦୃଷ୍ଟି ଦେବେ କି ?” ପ୍ରଶ୍ନ କଲା ଜଳାଶୟର ଏକମାତ୍ର କର୍କଟ ବାସିନ୍ଦା ।

ଉତ୍‌ଫୁଲ୍ଲ ହେଲା ବକ । ତାକୁ ମିଳିବ ଏକ ଭିନ୍ନ ଆହାରର ସ୍ୱାଦ ।

ତେବେ, କର୍କଟକୁ କାମୁଡିନେଇଯିବା ଅପେକ୍ଷା ତାକୁ କାନ୍ଧରେ ବସାଇନେବା ସହଜ । କର୍କଟ ତାର ଆଗ ଗୋଡ ଦୁଇଟିକୁ ବକ ବେକରେ ଛନ୍ଦି ଆରାମରେ ଆକାଶକୁ ଉଠିଲା ।

“ପୃଥିବୀରେ ଏଭଳି ସୁରମ୍ୟ ସରୋବର ଅଛି ବୋଲି ମୋତେ ଜଣା ନଥିଲା ।” ବକ ପାହାଡ ଉପରେ ଦେଇ ଉଡିବାବେଳକୁ ଅଦୂର ପ୍ରାନ୍ତରର ସେ ମନୋରମ ପଦ୍ମ ସରୋବର ଦେଖି ମୁଗ୍ଧ କର୍କଟ ଦେଲା ଏ ମନ୍ତବ୍ୟ- “ଆହା, ମୋର ଘନିଷ୍ଠ ମତ୍ସ୍ୟକୁଳ ସେଠି ମୋତେ ସ୍ୱାଗତ କରି କେଡେ ପୁଲକିତ ହେବେ!”

“ତମକୁ ସେମାନେ ସ୍ୱାଗତ କରିବେ, କିନ୍ତୁ ଅନ୍ୟତ୍ର ।” ଶିଳାଖଣ୍ଡ ଉପରେ ଅବତରଣ କରିବା ଅବସରରେ ବ୍ୟାଙ୍ଗତ୍ମକ କଣ୍ଠରେ କହିଲା ବକ । ତା ପରେ ବିଦ୍ରୂପାତ୍ମକ ଶୈଳୀରେ ସେ ପୁଣି କହିଲା, “ଶ୍ରୀମାନ୍ କର୍କଟ କୁମାର ! ତମକୁ ଖାସ୍ ମନୋରମ ପଦ୍ମସରୋବରରୂପକ ଜମିଦାର ଅର୍ପଣ କରିଦେବା ନିମନ୍ତେ ମୁଁ ବହନ କଲି ଏଭଳି ଭାବିବାର ଔଦ୍ଧ୍ୟତ୍ୟ ଯୋଗୁଁ ତମେ କଣ ଶାସ୍ତି ଭୋଗିବା ଉଚିତ ନୁହେଁ? ବ୍ୟୋମଚାରୀ ବକ ହେବ କର୍ଦ୍ଧମଚାରୀ କର୍କଟର ବାହନ!” ଶିଳା ଉପରେ ବସିଯାଇ, ପକ୍ଷ ଝାଡିଝୁଡି ବକ କହିଲା ।

ଇତି ମଧ୍ୟରେ କର୍କଟର ଦୃଷ୍ଟିଗୋଚର ହୋଇସାରିଥିଲା ଶିଳାଖଣ୍ଡ ଉପରର ପ୍ରଦର୍ଶନୀ । ମୂହୁର୍ତ୍ତକ ଭିତରେ ତା ଚେତନାରେ ଉଦ୍ ଭାସିତ ହେଲା ସେ ପ୍ରଦର୍ଶନୀର ବ୍ୟାଖ୍ୟା ।

“କେଡେ ଚମତ୍କାର ବିଶ୍ୱାସଘାତକତା ! ମୋର ପରଲୋକଗତ ହତଭାଗ୍ୟ ମିତ୍ରଗଣଙ୍କ ଉଦ୍ଧେଶ୍ୟରେ ଏହାହିଁ ହେବ ମୋର ଅର୍ଘ୍ୟ !” ତାର ଷଣ୍ଢୁଆସି ପ୍ରାୟ ଆଗ ପାଦଦ୍ୱୟଦ୍ୱାରା ବକର ବେକକୁ କବଳିତ କରି କହିଲା କର୍କଟ ।

ଅତଃପର ସେ ବକର କୋମଳ କଣ୍ଠ ଅବଲୀଳାକ୍ରମେ ରୋଧ କଲା- ଏହାହିଁ କହି ମହାପଣ୍ଡିତ ବିଷ୍ଣୁଶର୍ମା ତାଙ୍କ କାହାଣୀ ଶେଷ କରିଥିଲେ । ବାସ୍ତବରେ କିନ୍ତୁ ସେଇଠି ବ୍ୟାପାରଟିର ଅନ୍ତ ହୋଇ ନଥିଲା ।

ନିଜ କଣ୍ଠକୁ ସାମାନ୍ୟ ବିଶ୍ରାମ ଦେଇସାରି ସାଆନ୍ତେ ପୁଣି ଗପିଲେ.

ସେତିକିବେଳେ ହାଟରୁ ଫେରୁଥିଲେ ପାଶ୍ୱବର୍ତ୍ତୀ ଜନପଦର ଦଳେ ବାସିନ୍ଦା ।

“ହେ ଜନତା ଜନାର୍ଦ୍ଧନ ! ମୋତେ ରକ୍ଷାକର । ଅର୍ଦ୍ଧରୁଦ୍ଧ କଣ୍ଠରେ ଆର୍ତ୍ତରଡ଼ି ଛାଡିଥିଲା ବକ । ଜନତା ରହିଗଲା । ଜଣେ ଶିକ୍ଷକ କର୍କଟକୁ ବକ ବେକରୁ ଉଠାଇଆଣି ତଳେ ଥୋଇଦେଲେ ।”

“ସମସ୍ୟାଟି କଣ ?”- ପ୍ରଶ୍ନ କଲେ ଗ୍ରାମପଞ୍ଚାୟତର ସଭାପତି ।

କର୍କଟ ବକର ଶଠତା କଥା ଗପିଲା ଏବଂ ପ୍ରତିଶୋଧ ନେବାର ନୈତିକ ଅଧିକାର ତାର ରହିଛି ବୋଲି ଦାବି କଲା ।

“ଠିକ୍ । ମୁଁ ତମକୁ ପୁଣି ବକ ବେକରେ ଚଢାଇ ଦେଉଛି । ତମେ ତାକୁ କାଟ ।” କହିଲେ ଶିକ୍ଷକ ।

“କ୍ଷମା କରନ୍ତୁ । ମତ୍ସ୍ୟ ଓ କର୍କଟ ଆଦି ଆପଣଙ୍କର ଯେପରି ଆହାର, ମୋର ମଧ୍ୟ ସେହିପରି ଆହାର । ମୁଁ ମାନବୋଚିତ ଆଚରଣ କରିଛି ମାତ୍ର । ଏ କ୍ଷେତ୍ରରେ ଶଠତା ତତ୍ତ୍ୱ ଅଚଳ । କାହିଁ କେତେକାଳ ହେଲା ଦେଖିଆସୁଛି, ସ୍ୱୟଂ ପଞ୍ଚାୟତ ସଭାପତି ମହୋଦୟ ବନ୍‌ସୀରେ ଥୋପ ଲଗାଇ ମତ୍ସ୍ୟଗଣଙ୍କୁ ପ୍ରଲୁବ୍ଧ କରି ମାରନ୍ତି ଏବଂ ଆହାର କରନ୍ତି । ତାଙ୍କ ଅଭ୍ୟାସକୁ କଣ ଶଠତା ବୋଲି କୁହାଯିବ?”-

ପ୍ରଶ୍ନକଲା ବକ ।

ପଞ୍ଚାୟତ ମୁଖ୍ୟ ତତ୍‌କ୍ଷଣାତ୍ କହିଲେ, “କର୍କଟ ଯାହାକୁ ଶଠତା ବୋଲି କହୁଛି, ତାହା ବାସ୍ତବରେ ବୁଦ୍ଧିମତ୍ତା । ”

ମୁଖ୍ୟଙ୍କ ସିଦ୍ଧାନ୍ତକୁ ତାରିଫ୍ କଲେ କେତେଜଣ ।

“ମଣିଷର ଆଚରଣକୁ ବକ ଅନୁକରଣ କରିବାକୁ ହକଦାର ନୁହେଁ । ମଣିଷର ଜୀବନଧାରା ଜଟିଳ । ତାକୁ ବିଦ୍ୟାର୍ଜନ, ବେପାରବଣିଜ, ରାଜନୀତି ଏବଂ ଏଭଳି ନାନାଦି ଧନ୍ଦାରେ ବ୍ୟାପ୍ତି ରହିବାକୁ ପଡେ ବୁଦ୍ଧିଚାଳନା ତା ପକ୍ଷରେ ଅପରିହାର୍ଯ୍ୟ । ପଶୁପକ୍ଷୀଙ୍କ ପାଇଁ ବୁଦ୍ଧି ନିଷ୍ପ୍ରୟୋଜନ; ଯାହା ନିଷ୍ପ୍ରୟୋଜନ, ତାହା ନିଷିଦ୍ଧ ହେବା ବିଧେୟ । ନିଷିଦ୍ଧ କର୍ମରେ ଲିପ୍ତ ହେବା ଅଧର୍ମ । ସିଧାସଳଖ, ବୁଦ୍ଧିର କରାମତି ବିନା ମତ୍ସ୍ୟମାନଙ୍କୁ ଧରି ଖାଇବା ନିମନ୍ତେ ବିଧାତା ତାକୁ ଏଡେ ସୁଦୀର୍ଘ ଚଞ୍ଚୁ ଦେଇଛି । ଆମର, ଏପରି କି ଖୋଦ ପଞ୍ଚାୟତ- ମୁଖ୍ୟଙ୍କର, ସେଭଳି ଚଞ୍ଚୁ ଅଛି କି ?”- ଗ୍ରାମ – ମୁଖ୍ୟ ପଦକୁ ଆଶାକରି ବାରମ୍ବାର ଆଶାହତ ହୋଇଥିବା ମହାଜନ କହିଲେ ।

ତାଙ୍କୁ ବି ସମର୍ଥନ କଲେ ଥୋକେ ଲୋକ ।

ପ୍ରାନ୍ତରର ବିଭିନ୍ନ ଅଞ୍ଚଳରୁ ଗୋଧନ ଧରି ଗୃହ ପ୍ରତ୍ୟାବର୍ତ୍ତନଶୀଳ ଟୋକାମାନେ ସେଠାରେ ଆସି ରୁଣ୍ଡ ହୋଇଯାଇଥିଲେ । କୌଣସି ଗ୍ରାମକୁ ଗୀତିନାଟ୍ୟ ପରିବେଷଣ କରିବାକୁ ଯାଉଥିବା ଦଳେ ଯାତ୍ରାକାରୀ ମଧ୍ୟ ଅଟକିଗଲେ । କିଛି ଗୋଟାଏ ଅଭୂତପୂର୍ବ ଘଟଣା ଘଟୁଥିବାର ଆଭାସ ପାଇ ନିକଟତମ ଜନପଦର ନରନାରୀମାନେ ମଧ୍ୟ ମାଡିଆସିଥିଲେ ।

ସେତେବେଳକୁ ଗ୍ରାମ ମୁଖ୍ୟ ଏବଂ ମହାଜନଙ୍କ ଭିତରେ ଉପରୋକ୍ତ ସଂଳାପ ଉଷୁମରୁ ଗରମ ପର୍ଯ୍ୟାୟକୁ ଗଲାଣି । ଅବସରପ୍ରାପ୍ତ ବିଚାର ବିଭାଗୀୟ କିରାଣି ସମସ୍ତଙ୍କୁ କନ୍ଦଳରୁ କ୍ଷାନ୍ତ କରି ରାୟଦେଲେ, “ଏଭଳି ସ୍ଥଳେ ବକ ଏବଂ କର୍କଟକୁ ପରସ୍ପର ଲଢେଇ କରିବାକୁ ଛାଡିଦେବା ହେବ ବିଜ୍ଞତା ।”

“ଦୃଶ୍ୟଟିଏ ଭଳି ଦୃଶ୍ୟ ହେବ !” ମନ୍ତବ୍ୟ ଦେଲା ଗୀତିନାଟ୍ୟର ରୋମାଞ୍ଚନାୟକ ।

“ଦେଖ ଶ୍ରୀମାନ୍ !” ମୁଁ ତମମାନଙ୍କୁ ଚମକଦାର ଦୃଶ୍ୟଟିଏ ଯୋଗଇଦେବା ମାନସରେ ଏ ପ୍ରସ୍ତାବ ଦେଇନାହିଁ; ନିରପେକ୍ଷତା ଦୃଷ୍ଟିରୁ ଦେଇଛି । ବିରକ୍ତ ହୋଇ କହିଲେ ବିଚାର ବିଭାଗୀୟ କିରାଣି ।

“ନିରପେକ୍ଷ ! ନିରପେକ୍ଷ ! ଆମେ ସମସ୍ତେ ନିରପେକ୍ଷ ଦର୍ଶକ ।”-

ଉତ୍ସାହଭରେ ଚିତ୍କାର ଛାଡିଲେ ଜନତା ।

ନିକଟତମ ଜନପଦର ବାଗୁଡି ଖେଳାଳିମାନଙ୍କ ସର୍ଦ୍ଧାର ଯୁବକ ଆଗକୁ ଆସି ଏକ, ଦୁଇ, ତିନି କହନ୍ତେ ବକ-କର୍କଟ ଲଢେଇ ଆରମ୍ଭ ହେଲା । କର୍କଟର ପୃଷ୍ଠଦେଶରେ ଥଣ୍ଟାଘାତ କଲା ବକ ।

“ଏହା ଅନ୍ୟାୟ! ଏହା ଅସମାନ ଲଢେଇ । ମୁଁ ବିଚରା ଜଳର ପ୍ରାଣୀ ବକ ଜଳସ୍ଥଳ ଆକାଶ, ଏ ତିନି ସ୍ଥାନର ନିପୁଣ ନିବାସୀ । ମୁଁ ବକ ବେକରେ ବସି ସିନା ଯାହା କରିବାର କରିଥାନ୍ତି । ଆପଣମାନେ ମୋତେ ମୋ ସୁବିଧାରୁ ବଞ୍ଚିତ କରି ମୋତେ ଅସହାୟ କରିଦେଇଛନ୍ତି ।” କହିଲା କର୍କଟ ।

କର୍କଟର ଅଭିଯୋଗ ଯଥାର୍ଥ ବୋଲି ମତବ୍ୟକ୍ତ କଲେ ଅଧିକାଂଶ ନରନାରୀ । ବିପଦ ଅବଶ୍ୟାମ୍ଭାବି ଜାଣି ବକ ଉଡି ପଳାଇବାକୁ ଉଦ୍ୟମ କଲା; କିନ୍ତୁ କର୍କଟ ତାର ଗୋଟାଏ ଗୋଡକୁ ଜାବୁଡି ଧରି କାଟିଦେଲା । ସେ ଖଣ୍ଡିଉଡାଦେଇ ପଡିଯାଇ କର୍କଟକୁ ପୁନର୍ବାର ଆହତ କଲା । କର୍କଟ ସେତେବେଳକୁ ତା ଅନ୍ୟ ଗୋଡଟି ଜାବୁଡି ଧରିଥାଏ । ପ୍ରାୟ ଅଧଘଣ୍ଟାଏ ଲଢେଇ ପରେ ଉଭୟ ମଲେ ।
“କର୍କଟ ଆଗେ ମଲା ।” ଘୋଷଣା କଲା ଜଣେ ଯୁବକ । “ନା ବକ ଆଗେ ମଲା ।” ପ୍ରତିବାଦ ନାମରେ ଧମକ ଦେଇ କହିଲା ଅନ୍ୟ ଜଣେ ଯୁବକ । ଉପସ୍ଥିତ ଦୁଇଜଣ ବୈଦ୍ୟ ପରସ୍ପର ବିପରୀତ ମତ ଦେଲେ । ନିଜ ନିଜ ଘୋଷଣାରେ ଅଟଳ ରହିବା ଦିଗରେ ଦୁଇ ଯୁବକଙ୍କ ଜିଦି କ୍ରମେ କଳହରେ ପରିଣତ ହେଲା । କଳହ ଅଚିରେ ଧସ୍ତାଧସ୍ତି, ପ୍ରହାର ଏବଂ ପରସ୍ପର କଣ୍ଡରୋଧପ୍ରବଣତାରେ ପର୍ଯ୍ୟବସିତ ହେଲା । କଥା ହେଲା, ଦୁଇ ଯୁବକଙ୍କ ଭିତରୁ ଜଣେ ବକ ଏବଂ ଅନ୍ୟ ଜଣେ କର୍କଟ ଜିତିବ ବୋଲି ବାଜି ମରାମରି ହୋଇଥିଲେ ଏବଂ ଜନତାର ଅଧିକାଂଶ କୌଣସି ନା କୌଣସି ପକ୍ଷରେ ସାମିଲ ହୋଇଥିଲେ- ପ୍ରତ୍ୟେକ ଏକ ଏକ ପଇସା ଖଟାଇ । ଅତଏବ କେହି ହଟିବାକୁ ପ୍ରସ୍ତୁତ ନଥିଲେ ।

ସୂର୍ଯ୍ୟସ୍ତ ବେଳକୁ ରକ୍ତାକ୍ତ ରଣାଙ୍ଗନରେ ପରିଣତ ହୋଇଥିଲା ପ୍ରାନ୍ତର ।

“ଅବୋଲ! ଆମେ ଯେଉଁ ସରୋବର ଅତିକ୍ରମ କରିଆସିଲୁ, ତାହାହିଁ ଥିଲା ସେଦିନର ସେ ନାଟକର ସାକ୍ଷୀ ।”- ଅବଶେଷରେ ସାଆନ୍ତେ କହିଲେ ।

“ସେଦିନ ତୁଳନାରେ ଆମେ ମଣିଷମାନେ କେଡେ ଅଧିକ ଚତୁର ହେଲୁଣି ! ”

କହିଲେ ଅବୋଲକରା ।

“ଭବିଷ୍ୟତ୍‌ରେ ମଣିଷ ଆହୁରି ଚତୁର ହେବ । ସେଦିନର ସେ ବାଜିଦାରତମାନେ ବକ ବା କର୍କଟ ଭିତରୁ କାହାକୁ ଇଚ୍ଛାକରି ହାରିଯିବା ନିମନ୍ତେ ପ୍ରବର୍ତ୍ତାଇ ନଥିଲେ । ଦିନେ କିନ୍ତୁ ମଣିଷ ଦୁଇ ପକ୍ଷର ଖେଳାଳିଙ୍କ ଭିତରୁ ଗୋଟାଏ ପକ୍ଷକୁ ପ୍ରଭାବିତ କରି କୃତ୍ରିମ ଭାବରେ ସେ ପକ୍ଷ ହାରିବାର ବ୍ୟବସ୍ଥା ବି କରିବାରେ କ୍ଷମ ହେବ ।” କହିଲେ ସାଆନ୍ତେ ।

ଲୋକପ୍ରିୟ ଲେଖା

To Top